ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଫେବୃୟାରୀ ପୃଷ୍ଠା ୧୪-୧୯
  • ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କିଛି ଲୋକ କାହିଁକି ସଂକୋଚ କରନ୍ତି ?
  • ମନେ ରଖନ୍ତୁ, ବିନାଶ ବହୁତ ପାଖେଇ ଆସିଛି
  • ବିଳମ୍ବ କରନ୍ତୁ ନାହିଁ
  • ବାପ୍ତିସ୍ମ ନେବାର ଅର୍ଥ କʼଣ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • କʼଣ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ ପ୍ରସ୍ତୁତ ଅଛ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ବାପ୍ତିସ୍ମ ପରେ ବି ଯୀଶୁଙ୍କୁ ‘ଅନୁଗମନ କରନ୍ତୁ’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଫେବୃୟାରୀ ପୃଷ୍ଠା ୧୪-୧୯

୨୦–୨୬ ଏପ୍ରିଲ୍‌, ୨୦୨୬

ଗୀତ ୪୯ ଯିହୋବାଙ୍କ ହୃଦୟ ଖୁସି କର

ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ

“ଏବେ ପରିତ୍ରାଣର ଦିନ ।”—୨ କରି. ୬:୨.

କʼଣ ଶିଖିବା ?

ଏବେଠାରୁ ଯିହୋବାଙ୍କ ସହ ନିଜ ମିତ୍ରତାକୁ ଦୃଢ଼ କରନ୍ତୁ ଏବଂ ବାପ୍ତିସ୍ମ ନିଅନ୍ତୁ ।

୧. (କ) ବାପ୍ତିସ୍ମ ନେବା କାହିଁକି ଜରୁରୀ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

ଯଦି ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିଛନ୍ତି ଏବଂ ବାପ୍ତିସ୍ମ ନେଇଛନ୍ତି, ତାହେଲେ ଆପଣ ସତରେ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି । ଆପଣ ଯିହୋବାଙ୍କଠାରୁ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା କରିଛନ୍ତି । (୧ ପିତ. ୩:୨୧) ତାʼସହିତ ଆପଣ ନିଜ ମଣ୍ଡଳୀର ଯୁବାମାନଙ୍କ ପାଇଁ ଏବଂ ସେହି ଲୋକମାନଙ୍କ ପାଇଁ ବି ଭଲ ଉଦାହରଣ ରଖିଛନ୍ତି, ଯେଉଁମାନେ ଏବେ ବାଇବଲ ବିଷୟରେ ଶିଖୁଛନ୍ତି । କିନ୍ତୁ ଯଦିଓ ଆପଣ ଏବେ ଯାଏଁ ବାପ୍ତିସ୍ମ ନେଇ ନାହାନ୍ତି, ତଥାପି ଆମକୁ ପୂରା ଭରସା ଅଛି ଯେ ଆପଣ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି ଏବଂ ତାଙ୍କର ଇଚ୍ଛା ପୂରା କରିବା ପାଇଁ ଚାହାନ୍ତି । ଆପଣ ଏହା ବି ଜାଣିଥିବେ ଯେ ନିଜ ପାପଗୁଡ଼ିକର କ୍ଷମା ପାଇଁ ଏବଂ ଯିହୋବାଙ୍କର ମଞ୍ଜୁରି ପାଇବା ପାଇଁ ବାପ୍ତିସ୍ମ ନେବା ବହୁତ ଜରୁରୀ । (ପ୍ରେରି. ୨:୩୮-୪୦) କିନ୍ତୁ ଯଦି ଆପଣ ହୁଏତ କୌଣସି କାରଣ ଯୋଗୁଁ ଏହି ପଦକ୍ଷେପ ନେବା ପାଇଁ ସଂକୋଚ କରୁଛନ୍ତି, ତାହେଲେ ଏହି ଲେଖାରୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିବ । ଏହି ଲେଖାରେ ଆପଣଙ୍କୁ ତିନୋଟି ପ୍ରଶ୍ନର ଉତ୍ତର ମିଳିବ: (୧) କିଛି ଲୋକ ବାପ୍ତିସ୍ମ ନେବା ପାଇଁ କାହିଁକି ସଂକୋଚ କରନ୍ତି ? (୨) ଆମକୁ କାହିଁକି ମନେ ରଖିବା ଉଚିତ୍‌ ଯେ ବିନାଶ ବହୁତ ପାଖେଇ ଆସିଛି ? ଏବଂ (୩) ଆମକୁ କାହିଁକି ଶୀଘ୍ର ଜରୁରୀ ପରିବର୍ତ୍ତନଗୁଡ଼ିକୁ କରି ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରିବା ଉଚିତ୍‌ ନୁହଁ ?

କିଛି ଲୋକ କାହିଁକି ସଂକୋଚ କରନ୍ତି ?

୨. କିଛି ଲୋକ କାହିଁକି ବାପ୍ତିସ୍ମ ନେବା ପାଇଁ ସଂକୋଚ କରନ୍ତି ?

୨ କିଛି ଲୋକ ବାପ୍ତିସ୍ମ ନେବାରୁ ଏଥିପାଇଁ ସଂକୋଚ କରନ୍ତି, କାରଣ ସେମାନଙ୍କୁ କୌଣସି କଥା ପାଇଁ ଡର କିମ୍ବା ଚିନ୍ତା ଲାଗେ । ସେମାନେ ଯିହୋବାଙ୍କ ସେବା ତ କରିବା ପାଇଁ ଚାହାନ୍ତି, କିନ୍ତୁ ସେମାନଙ୍କୁ ଲାଗେ, “ମୁଁ ଯେତେ ଯାହା କଲେ ବି ଯିହୋବାଙ୍କୁ କେବେ ଖୁସି କରିପାରିବି ନାହିଁ ।” ଯଦି ଆପଣଙ୍କୁ ବି ଏପରି ଲାଗେ, ତାହେଲେ ବାଇବଲରୁ ଏପରି ପଦଗୁଡ଼ିକୁ ପଢ଼ନ୍ତୁ ଯେଉଁଥିରୁ ଆପଣଙ୍କୁ ଭରସା ହେବ ଯେ ଯିହୋବା ଆପଣଙ୍କଠାରୁ ଅତ୍ୟଧିକ ଆଶା କରନ୍ତି ନାହିଁ । ତାʼସହିତ ଆପଣଙ୍କୁ ଏହା ବି ଭରସା ହେବ ଯେ ଯଦି ଆପଣ ତାଙ୍କ ସେବା କରିବା ପାଇଁ ନିଜ ତରଫରୁ ପୂରା ଚେଷ୍ଟା କରିବେ, ତାହେଲେ ସେ ନିଶ୍ଚୟ ଖୁସି ହେବେ । (ଗୀତ. ୧୦୩:୧୩, ୧୪; କଲ. ୩:୨୩) ଆଉ ଯଦି ଆପଣଙ୍କୁ ଏହି କଥା ପାଇଁ ଚିନ୍ତା ଲାଗି ରହେ ଯେ ଆଗକୁ ଯାଇ ଆପଣଙ୍କୁ ବିରୋଧର ସାମନା କରିବାକୁ ପଡ଼ିବ, ତାହେଲେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ ଯାହାଫଳରେ ଆପଣ ବି ସାହସର ସହ ଗୀତସଂହିତାର ରଚୟିତା ଭଳି କହିପାରିବେ: ‘ଯିହୋବା ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ; ମନୁଷ୍ୟ ମୋହର କଅଣ କରି ପାରେ ?’—ଗୀତ. ୧୧୮:୬.

୩. କିଛି ଲୋକ କାହିଁକି ବାପ୍ତିସ୍ମ ନେବା ପାଇଁ ସଂକୋଚ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୩ କିଛି ଲୋକ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି, ତଥାପି ବାପ୍ତିସ୍ମ ନେବାରୁ ସଂକୋଚ କରନ୍ତି । ସେମାନଙ୍କୁ ଲାଗେ ଯେ ସେମାନେ ବାଇବଲ ବିଷୟରେ ଅଧିକ ଜାଣନ୍ତି ନାହିଁ । କିନ୍ତୁ ବାପ୍ତିସ୍ମ ନେବା ପାଇଁ ଆପଣଙ୍କ ପାଖରେ ବାଇବଲର କେତେ ଜ୍ଞାନ ରହିବା ଉଚିତ୍‌ ? ଆସନ୍ତୁ ବାଇବଲରୁ ଏହାର ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦେବା । ଥରେ ପ୍ରେରିତ ପାଉଲ ଓ ଶୀଲାଙ୍କୁ ଜେଲରେ ପୂରାଇ ଦିଆଯାଇଥିଲା । ଯେବେ ସେଠାରେ ମହାଭୂମିକମ୍ପ ହେଲା, ତେବେ ସେମାନେ ଜେଲର ଓ ତାʼ ପରିବାରକୁ ସାକ୍ଷ୍ୟ ଦେଲେ । ଜେଲର ଓ ତାʼ ପରିବାର ବୁଝିପାରିଥିବ ଯେ ଈଶ୍ୱର ହିଁ ଚମତ୍କାର କରି ନିଜ ସେବକମାନଙ୍କୁ ରକ୍ଷା କରିଛନ୍ତି । ସେହି ରାତି ସେମାନେ ଯିହୋବା ଓ ଯୀଶୁଙ୍କ ବିଷୟରେ ବି ଜାଣିପାରିଲେ । ଏହାର ପରିଣାମ କʼଣ ହେଲା ? ସେମାନେ “ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ ।” (ପ୍ରେରି. ୧୬:୨୫-୩୩) କିନ୍ତୁ ଆପଣଙ୍କ ବିଷୟରେ କʼଣ ? କʼଣ ଆପଣ ଯିହୋବାଙ୍କ ବିଷୟରେ ଶିଖିଯାଇଛନ୍ତି, ତାଙ୍କୁ ପୂରା ହୃଦୟରୁ ପ୍ରେମ କରନ୍ତି ଏବଂ ବାଇବଲର ମୌଳିକ ଶିକ୍ଷାଗୁଡ଼ିକ ବିଷୟରେ ବୁଝିଯାଇଛନ୍ତି ? ତାʼସହିତ, କʼଣ ଆପଣ ନିଜ ପାପଗୁଡ଼ିକ ପାଇଁ ପଶ୍ଚାତାପ କରିଛନ୍ତି ଏବଂ ନିଷ୍ପତ୍ତି ନେଇଛନ୍ତି ଯେ ଏବେଠୁ ଆପଣ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିବେ ? ଯଦି ଆପଣ ଏହି ପ୍ରଶ୍ନଗୁଡ଼ିକର ଉତ୍ତର “ହଁ” ବୋଲି ଦିଅନ୍ତି, ତାହେଲେ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ।—ମାର୍କ ୧୨:୩୦.

ପାଉଲ ଏବଂ ଶୀଲା ଜେଲର ଓ ତାʼ ପରିବାରକୁ ସେହି ରାତି ସାକ୍ଷ୍ୟ ଦେଉଛନ୍ତି । ସେମାନେ ସମସ୍ତେ ଧ୍ୟାନର ସହ ଶୁଣୁଛନ୍ତି ।

ପାଉଲ ଏବଂ ଶୀଲା, ଜେଲର ଓ ତାʼ ପରିବାରକୁ ସାକ୍ଷ୍ୟ ଦେଉଛନ୍ତି । ଏହାପରେ ସେମାନେ “ସେହିକ୍ଷଣି ବାପ୍ତିଜିତ ହେଲେ” (ପାରାଗ୍ରାଫ ୩)


୪. କିଛି ଲୋକ ଆଉ କେଉଁ କାରଣ ଯୋଗୁଁ ବାପ୍ତିସ୍ମ ନେବା ପାଇଁ ସଂକୋଚ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ କିଛି ଲୋକ ବାପ୍ତିସ୍ମ ନେବା ପାଇଁ ଚାହାନ୍ତି, କିନ୍ତୁ ସେମାନଙ୍କୁ ଏପରି ଲାଗେ ଯେ ଯିହୋବାଙ୍କୁ ଖୁସି କରିବା ପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ, ଯାହା ତାଙ୍କ ଦ୍ୱାରା ହୋଇପାରିବ ନାହିଁ । ଏହି କଥା ସତ ଯେ ବାପ୍ତିସ୍ମ ହେଉଛି ଗୋଟିଏ ବଡ଼ ପଦକ୍ଷେପ ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିଦେବ, ତେଣୁ ଭାବିଚିନ୍ତି ଏହି ପଦକ୍ଷେପ ନେବା ଉଚିତ୍‌ । (ଲୂକ ୧୪:୨୭-୩୦) କିନ୍ତୁ କିଛି ଲୋକ କେବଳ ଏହା ହିଁ ଭାବନ୍ତି ଯେ ଯିହୋବାଙ୍କ ସେବା କରିବା ପାଇଁ ସେମାନଙ୍କୁ ଅନେକ ଜିନିଷ ତ୍ୟାଗ କରିବାକୁ ପଡ଼ିବ । ଭଉଣୀ କ୍ୟାଣ୍ଡେସ୍‌ ସହ ବି ଏପରି ହେଲା । ପିଲାବେଳୁ ସେ ଯିହୋବାଙ୍କ ବିଷୟରେ ଶିଖିବା ଆରମ୍ଭ କରିଥିଲେ, କିନ୍ତୁ ସେ କୌଣସି ପଦକ୍ଷେପ ନେଲେ ନାହିଁ । ଯେବେ ସେ ବଡ଼ ହେଲେ ତେବେ ସେ ପୁଣିଥରେ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । ସେ କହନ୍ତି, “ମୁଁ ଯେପରି ଭାବେ ବଞ୍ଚୁଥିଲି, ମୋତେ ତାହା ଭଲ ଲାଗୁଥିଲା । କିନ୍ତୁ ମୋତେ ଜଣାଥିଲା ଯେ ଯିହୋବାଙ୍କୁ ଖୁସି କରିବା ପାଇଁ ମୋତେ କିଛି ତ୍ୟାଗ କରିବାକୁ ପଡ଼ିବ । କିନ୍ତୁ ଏପରି କରିବା ମୋ ପାଇଁ ଭାରି କଠିନ ଥିଲା ।” କିଛି ଲୋକ ଏପରି ବି ଭାବନ୍ତି ଯେ ବାପ୍ତିସ୍ମ ନେବା ପରେ ତାଙ୍କୁ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିବାକୁ ପଡ଼ିବ ଏବଂ ସେମାନେ ହୁଏତ ଏପରି କରିପାରିବେ ନାହିଁ । ସେମାନେ ଭାବନ୍ତି, ‘ବାପ୍ତିସ୍ମ ନେବା ପରେ ଯଦି ମୋ ଦ୍ୱାରା କୌଣସି ଗମ୍ଭୀର ପାପ ହୋଇଯାଏ, ତାହେଲେ ମୋତେ ମଣ୍ଡଳୀରୁ ବାହାର କରିଦିଆଯିବ ।’ ଯଦି ଆପଣଙ୍କୁ ବି ଏପରି ଡର ଲାଗେ, ତାହେଲେ ଆପଣ କʼଣ କରିପାରିବେ ?

ଭଉଣୀ ଜଣେ ମହିଳାର ବାଇବଲ ଅଧ୍ୟୟନ କରାଉଛନ୍ତି । ଅଧ୍ୟୟନ ସମୟରେ ସେହି ମହିଳା ନିଜ ବିଷୟରେ ଏହା ଭାବୁଛନ୍ତି ଯେ ସେ ମଦ ପିଉଛନ୍ତି ଏବଂ ନାଇଟ୍‌ କ୍ଲବ୍‌ରେ ତାଙ୍କ ସାଙ୍ଗମାନଙ୍କ ସହିତ ନାଚୁଛନ୍ତି ।

କିଛି ଲୋକଙ୍କୁ ଏହି କଥା ପାଇଁ ଚିନ୍ତା ଲାଗେ ଯେ ଯିହୋବାଙ୍କ ସେବା କରିବା ପାଇଁ ସେମାନଙ୍କୁ ସେହି ଜିନିଷଗୁଡ଼ିକୁ ତ୍ୟାଗ କରିବାକୁ ପଡ଼ିବ, ଯାହା ସେମାନଙ୍କୁ ଭଲ ଲାଗେ (ପାରାଗ୍ରାଫ ୪)


୫. ବାପ୍ତିସ୍ମର ନିଷ୍ପତ୍ତି ନେବା ସମୟରେ ଆପଣଙ୍କୁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ୍‌ ? (ମାଥିଉ ୧୩:୪୪-୪୬)

୫ କୌଣସି ଜିନିଷ କିଣିବା ସମୟରେ ଆମେ କେବଳ ତାʼର ଦାମ୍‌ ଦେଖି ନ ଥାଉ, ବରଂ ଏହା ବି ଦେଖୁ ଯେ ସେହି ଜିନିଷ ଆମର କେତେ କାମରେ ଆସିବ । ଯଦି ଆମକୁ ଲାଗେ ଯେ ସେହି ଜିନିଷରୁ ଆମକୁ ବହୁତ ଲାଭ ହେବ, ତାହେଲେ ଆମେ ତାʼର ଦାମ୍‌ ପ୍ରତି ଧ୍ୟାନ ନ ଦେଇ ସେହି ଜିନିଷକୁ ତୁରନ୍ତ କିଣି ପକାଉ । ଠିକ୍‌ ସେହିପରି, ବାପ୍ତିସ୍ମର ନିଷ୍ପତ୍ତି ନେବା ସମୟରେ କେବଳ ଏହା ଭାବନ୍ତୁ ନାହିଁ ଯେ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ଯାହା ବି ପରିବର୍ତ୍ତନ କରିବାକୁ ପଡ଼ିବ, ତାହା ଆପଣଙ୍କ ପାଇଁ କେତେ କଠିନ ହୋଇପାରେ । ଏହା ପରିବର୍ତ୍ତେ ଏବିଷୟରେ ଭାବନ୍ତୁ ଯେ ବାପ୍ତିସ୍ମ ନେଲା ପରେ ଆପଣଙ୍କ ଜୀବନରେ କେତେ ଭଲ ପରିବର୍ତ୍ତନ ଆସିବ, କାରଣ ଯିହୋବାଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ଥିବ । ଆଉ ଏହି କଥାକୁ ବୁଝିବା ପାଇଁ ଯୀଶୁ ଦୁଇଟି ଉଦାହରଣ ମଧ୍ୟ ଦେଲେ । (ମାଥିଉ ୧୩:୪୪-୪୬ ପଢ଼ନ୍ତୁ ।) ପ୍ରତ୍ୟେକ ଉଦାହରଣରେ ଯୀଶୁ ଜଣେ ଏପରି ବ୍ୟକ୍ତି ବିଷୟରେ କହିଲେ ଯାହାକୁ ଯେବେ ଗୋଟିଏ ବହୁମୂଲ୍ୟ ଜିନିଷ ମିଳିଗଲା, ତେବେ ସେ ତାହାକୁ ପାଇବା ପାଇଁ ନିଜର ସବୁକିଛି ଖୁସି ଖୁସି ବିକି ଦେଲା । ଆପଣଙ୍କୁ ମଧ୍ୟ ଗୋଟିଏ ବହୁମୂଲ୍ୟ ଜିନିଷ ମିଳିଛି । ତାହା ହେଉଛି, ଈଶ୍ୱରଙ୍କ ରାଜ୍ୟର ସତ୍ୟଗୁଡ଼ିକ ! ତେଣୁ ଯଦି ଆପଣ ବାପ୍ତିସ୍ମ ନେବା ପାଇଁ ସଂକୋଚ କରୁଛନ୍ତି ଏବଂ ଭାବୁଛନ୍ତି ଯେ ଆପଣ ଏତେଗୁଡ଼ିଏ ପରିବର୍ତ୍ତନ କରିପାରିବେ ନା ନାହିଁ, ତାହେଲେ ସମୟ ବାହାର କରି ଯୀଶୁଙ୍କ ଏହି ଉଦାହରଣଗୁଡ଼ିକ ବିଷୟରେ ଭାବନ୍ତୁ । ଏବିଷୟରେ ବି ଭାବନ୍ତୁ: ‘କʼଣ ମୋତେ ପୂରା ଭରସା ଅଛି ଯେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ସତରେ ବହୁମୂଲ୍ୟ ଅଟେ ? କʼଣ ମୁଁ ଯିହୋବାଙ୍କ ସହିତ ନିଜର ମିତ୍ରତାକୁ ଏବଂ ସେ ମୋତେ ଯେଉଁ ଆଶା ଦେଇଛନ୍ତି, ସେଗୁଡ଼ିକୁ ବହୁମୂଲ୍ୟ ମନେ କରେ ? କʼଣ ମୁଁ ନିଜର ପ୍ରିୟ ଭାଇଭଉଣୀମାନଙ୍କ ପାଇଁ ହୃଦୟରୁ କୃତଜ୍ଞ ମନେ କରେ ?’ ଆପଣଙ୍କ ଉତ୍ତରରୁ ଏହା ଜଣାପଡ଼ିବ ଯେ କʼଣ ଆପଣଙ୍କୁ ବାଇବଲର ସତ୍ୟଗୁଡ଼ିକ ପ୍ରତି କୃତଜ୍ଞତା ବଢ଼ାଇବା ଉଚିତ୍‌ । ତାʼସହିତ ଆପଣ ଏହା ବି ଜାଣିପାରିବେ ଯେ କେଉଁ କଥା ଆପଣଙ୍କୁ ବାପ୍ତିସ୍ମ ନେବା ପାଇଁ ବାଧା ସୃଷ୍ଟି କରୁଛି ।

୬. ଆପଣ ଯାହା ଶିଖୁଛନ୍ତି ତାହା ଅନୁସାରେ ଚାଲିବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିପାରିବ ?

୬ ବିହନ ବୁଣାଳୀର ଉଦାହରଣରୁ ଯୀଶୁ ଏହା ବୁଝାଇଲେ ଯେ ସମସ୍ତ ଲୋକ ଏକାଭଳି ନ ଥିବେ । ତେଣୁ କିଛି ଲୋକ ରାଜ୍ୟର ସନ୍ଦେଶ ସ୍ୱୀକାର କରିବେ ନାହିଁ । କିନ୍ତୁ ଯୀଶୁ ଏହା ମଧ୍ୟ କହିଲେ ଯେ କିଛି ଲୋକଙ୍କର ‘ଉତ୍ତମ ଓ ସରଳ ହୃଦୟ’ ଥିବ ଏବଂ ସେମାନେ ସତ୍ୟ ଜାଣିବା ପରେ ତାହା ଅନୁସାରେ ପଦକ୍ଷେପ ବି ନେବେ । (ଲୂକ ୮:୫-୧୫) ଯଦି ଆପଣଙ୍କୁ ଲାଗେ ଯେ ଆପଣ ଏହା ପାଇଁ ପୂରାପୂରି ଭାବେ ପ୍ରସ୍ତୁତ ନୁହଁନ୍ତି ଏବଂ ଏତେ ବଡ଼ ପଦକ୍ଷେପ ନେଇପାରିବେ ନାହିଁ, ତାହେଲେ ହାର ମାନନ୍ତୁ ନାହିଁ । ଯିହୋବାଙ୍କ ସାହାଯ୍ୟରୁ ଆପଣ “ନୂତନ ଅନ୍ତଃକରଣ” ସୃଷ୍ଟି କରିପାରିବେ, ଯାହାଫଳରେ ଆପଣ ତାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିପାରିବେ । ତେଣୁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ ଯେ ଆପଣ ଯେଉଁ କଥାଗୁଡ଼ିକୁ ଶିଖୁଛନ୍ତି, ତାହାକୁ ହୃଦୟରୁ ମାନିପାରିବେ ।—ଯିହି. ୧୮:୩୧; ୩୬:୨୬.

୭-୮. କିଛି ପିଲା ଓ ଯୁବା କାହିଁକି ବାପ୍ତିସ୍ମର ଲକ୍ଷ୍ୟ ହାସଲ କରିପାରନ୍ତି ନାହିଁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୭ କିଛି ପିଲା ଓ ଯୁବାମାନେ ଯିହୋବାଙ୍କୁ ପ୍ରେମ କରନ୍ତି, କିନ୍ତୁ ଅନ୍ୟମାନଙ୍କ ଯୋଗୁଁ ସେମାନେ ବାପ୍ତିସ୍ମର ଲକ୍ଷ୍ୟକୁ ହାସଲ କରିପାରନ୍ତି ନାହିଁ । ଉଦାହରଣ ପାଇଁ, ହୁଏତ ସେମାନଙ୍କ ସ୍କୁଲର ଟିଚରମାନେ ସେମାନଙ୍କୁ ନୈତିକ ମାମଲା ବିଷୟରେ ଏପରି କଥା ଶିଖାଉଥିବେ, ଯାହା ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ଠିକ୍‌ ନୁହେଁ । ସେମାନେ ହୁଏତ ପିଲାମାନଙ୍କୁ କହୁଥିବେ, “ଯାହା କଲେ ବି ଚଳିବ,” “ତମକୁ ଯେମିତ ଇଚ୍ଛା ସେମିତି କର ।” କିନ୍ତୁ ଏପରି ଚିନ୍ତାଧାରା ବିପଦପୂର୍ଣ୍ଣ ଅଟେ । (ଗୀତ. ୧:୧, ୨; ହିତୋ. ୭:୧-୫) ଏଥିରୁ ଦୂରେଇ ରହିବା ପାଇଁ ଆପଣ କʼଣ କରିପାରିବେ ? ଗୀତସଂହିତାର ରଚୟିତାଙ୍କ କଥାକୁ ମନେ ରଖନ୍ତୁ । ସେ ଯିହୋବାଙ୍କୁ କହିଥିଲେ: “ମୋହର ସମସ୍ତ ଗୁରୁ ଅପେକ୍ଷା ମୋʼ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ ।”—ଗୀତ. ୧୧୯:୯୯.

୮ ଆଜିକାଲି ପ୍ରାୟ ଏହା ଦେଖିବାକୁ ମିଳେ ଯେ କିଛି ବାପାମାଆ ନିଜ ପିଲାମାନଙ୍କୁ ବାପ୍ତିସ୍ମ ନେବା ପାଇଁ ପ୍ରୋତ୍ସାହନ ଦିଅନ୍ତି ନାହିଁ । ସେମାନେ ହୁଏତ ଅଜାଣତରେ ଏପରି କରନ୍ତି । ସେମାନେ କେବଳ ଏହି କଥା ଉପରେ ଧ୍ୟାନ ଦିଅନ୍ତି ଯେ ସେମାନଙ୍କ ପିଲାମାନେ ଭଲଭାବେ ପାଠ ପଢ଼ନ୍ତୁ ଏବଂ ଭଲ ଚାକିରି କରନ୍ତୁ । କିନ୍ତୁ ସେମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କ ସେବାରେ କୌଣସି ଲକ୍ଷ୍ୟ ରଖିବା ପାଇଁ ପ୍ରୋତ୍ସାହନ ଦିଅନ୍ତି ନାହିଁ । ପିଲାମାନେ, କʼଣ ଆପଣଙ୍କୁ ଲାଗେ ଯେ ଆପଣଙ୍କ ବାପାମାଆ ବାପ୍ତିସ୍ମର ଲକ୍ଷ୍ୟକୁ ହାସଲ କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବେ ? ଯଦି ହଁ, ତାହେଲେ ସେମାନଙ୍କ ସହିତ ଖୋଲିକି କଥା ହୁଅନ୍ତୁ । ମନେ ରଖନ୍ତୁ, ଯିହୋବାଙ୍କର ମିତ୍ର ହେବା ପାଇଁ ବୟସ ମହତ୍ତ୍ୱ ରଖେ ନାହିଁ । ଯଦିଓ ଆପଣ ଏବେ ଛୋଟ ଅଛନ୍ତି, ତଥାପି ଆପଣ ଯିହୋବାଙ୍କ ମିତ୍ର ହୋଇପାରିବେ ।—ହିତୋ. ୨୦:୧୧.

ନିଜ ବାପାମାଆଙ୍କ ସହିତ କଥା ହେବା ସମୟରେ ଜଣେ ଯୁବା “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିର ପାଠ ୨୩ ଦେଖାଉଛନ୍ତି ।

ବାପ୍ତିସ୍ମ ବିଷୟରେ ବାପାମାଆଙ୍କ ସହ ଖୋଲିକି କଥା ହୁଅନ୍ତୁ (ପାରାଗ୍ରାଫ ୮)


୯. କିଛି ଲୋକ ବାପ୍ତିସ୍ମ ନେବା ପାଇଁ ଯୋଗ୍ୟ ଥିଲେ ମଧ୍ୟ କାହିଁକି ବାପ୍ତିସ୍ମ ନିଅନ୍ତି ନାହିଁ ?

୯ କିଛି ଲୋକ ବାପ୍ତିସ୍ମ ନେବା ପାଇଁ ଯୋଗ୍ୟ ଥିଲେ ବି ବାପ୍ତିସ୍ମ ନିଅନ୍ତି ନାହିଁ । କାରଣ ସେମାନେ ଭାବନ୍ତି ଯେ ସେମାନେ ନିଜ ସାଙ୍ଗ କିମ୍ବା ସମ୍ପର୍କୀୟମାନଙ୍କ ସହିତ ବାପ୍ତିସ୍ମ ନେବେ । ଏପରି ଭାବିବାରେ କିଛି ଭୁଲ ନାହିଁ । କିନ୍ତୁ ଭାବନ୍ତୁ, କʼଣ ବାପ୍ତିସ୍ମ ନେବା ପାଇଁ ଅନ୍ୟମାନଙ୍କ ଅପେକ୍ଷା କରିବା ଠିକ୍‌ ରହିବ ? ଏହି କଥାକୁ ସବୁବେଳେ ମନେ ରଖନ୍ତୁ ଯେ ଆପଣ ସମର୍ପଣର ପ୍ରତିଜ୍ଞା ଯିହୋବାଙ୍କ ସହିତ କରନ୍ତି । ସେଥିପାଇଁ ଅନ୍ୟମାନଙ୍କୁ ଦେଖି ଏହା ନିର୍ଣ୍ଣୟ କରନ୍ତୁ ନାହିଁ ଯେ ଆପଣ କେବେ ବାପ୍ତିସ୍ମ ନେବେ ।—ରୋମୀ. ୧୪:୧୨.

ମନେ ରଖନ୍ତୁ, ବିନାଶ ବହୁତ ପାଖେଇ ଆସିଛି

୧୦. କିଛି ଲୋକ କାହିଁକି ବାପ୍ତିସ୍ମ ନିଅନ୍ତି ନାହିଁ ?

୧୦ ଏବେ ପର୍ଯ୍ୟନ୍ତ ଆମେ କିଛି କାରଣ ଦେଖିଲୁ, ଯାହାଯୋଗୁଁ କିଛି ଲୋକ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା ଦିଅନ୍ତି । ଏହାଛଡ଼ା କିଛି ଲୋକ ଏଥିପାଇଁ ବି ବାପ୍ତିସ୍ମ ନିଅନ୍ତି ନାହିଁ, କାରଣ ସେମାନଙ୍କୁ ଲାଗେ ଯେ ବିନାଶ ଆସିବାରେ ଏବେ ବହୁତ ସମୟ ଅଛି । କʼଣ ଏପରି ଭାବିବା ଠିକ୍‌ ରହିବ ? ଯୀଶୁ ନିଜ ଶିଷ୍ୟମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ଦଣ୍ଡରେ ମନୁଷ୍ୟପୁତ୍ର ଆସିବେ ।”—ଲୂକ ୧୨:୪୦.

୧୧. ଯେବେ ଆମେ ଯିହୋବାଙ୍କୁ ଜାଣୁ, ତେବେ ଆମକୁ କʼଣ କରିବାକୁ ଇଚ୍ଛା ହୁଏ ଏବଂ କାହିଁକି ? (ଗୀତସଂହିତା ୧୧୯:୬୦)

୧୧ ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ଆମେ ତାଙ୍କୁ ନିଜ ଜୀବନ ସମର୍ପଣ କରୁ । ଆମେ ନିଜ ପ୍ରେମମୟ ପିତା ଯିହୋବାଙ୍କୁ ଯେତିକି ଅଧିକ ଜାଣୁ, ଆମେ ବୁଝିପାରୁ ଯେ ସେ ଆମକୁ କେତେ ପ୍ରେମ କରନ୍ତି । ତାʼସହିତ ଆମେ ଏହା ବି ବୁଝିପାରୁ ଯେ ତାଙ୍କ କଥା ମାନିଲେ ହିଁ ଆମକୁ ଲାଭ ହୁଏ । ଏହା ଜାଣିବା ପରେ ଆମକୁ ଇଚ୍ଛା ହୁଏ ଯେ ଆମେ ଯିହୋବାଙ୍କ ଆଜ୍ଞା ମାନିବା ପାଇଁ ବିଳମ୍ବ ନ କରୁ । (ଗୀତସଂହିତା ୧୧୯:୬୦ ପଢ଼ନ୍ତୁ ।) ଯିହୋବାଙ୍କ ଆଜ୍ଞା ମାନିବା ପାଇଁ ବିଳମ୍ବ ନ କରିବାର ଆଉ ଗୋଟିଏ କାରଣ ରହିଛି । ଯାକୁବ ଲେଖିଲେ ଯେ କାଲି କʼଣ ଘଟିବ, ସେବିଷୟରେ କାହାରିକୁ ଜଣା ନାହିଁ । ସେଥିପାଇଁ ଆମକୁ “ସତ୍କର୍ମ” କରିବା ପାଇଁ ବିଳମ୍ବ କରିବା ଉଚିତ୍‌ ନୁହେଁ । ଆମେ ଜାଣିଗଲୁ ଯେ ଯିହୋବା ଆମଠାରୁ କʼଣ ଚାହାନ୍ତି, ତେଣୁ ଆମକୁ ପ୍ରତିଦିନ ତାହା ହିଁ କରିବା ଉଚିତ୍‌ ।—ଯାକୁ. ୪:୧୩-୧୭.

୧୨. ଦ୍ରାକ୍ଷାକ୍ଷେତ୍ରର ଉଦାହରଣରୁ ଆମେ କʼଣ ଶିଖୁ ?

୧୨ କିଛି ଲୋକ ହୁଏତ ଦ୍ରାକ୍ଷାକ୍ଷେତ୍ରର ଉଦାହରଣ ମନେ ପକାଇ କହିବେ, ‘ଯେଉଁ ଶ୍ରମିକମାନେ ଘଣ୍ଟାଏ ମାତ୍ର କାମ କଲେ, ସେମାନଙ୍କୁ ବି ସେତିକି ହିଁ ମଜୁରୀ ମିଳିଲା, ଯେତିକି ଦିନସାରା କାମ କରିଥିବା ଶ୍ରମିକମାନଙ୍କୁ ମିଳିଲା । ହେଲେ ଏତେ ପରିଶ୍ରମ କରି ଲାଭ କʼଣ ?’ କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ସେହି ଶ୍ରମିକମାନେ କାହିଁକି କାମ ଶୀଘ୍ର ଆରମ୍ଭ କଲେ ନାହିଁ । ସେମାନେ କହିଲେ, “କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି ।” ଏହାର ଅର୍ଥ ସେହି ଶ୍ରମିକମାନେ ଅଳସୁଆ ନ ଥିଲେ । ଯଦି ସେମାନଙ୍କୁ କାମ ମିଳିଥାʼନ୍ତା, ତାହେଲେ ସେମାନେ ନିଶ୍ଚୟ ଦିନସାରା କାମ କରିଥାʼନ୍ତେ । କିନ୍ତୁ ଯେବେ ସେମାନଙ୍କୁ କାମ ଦିଆଗଲା, ତେବେ ସେମାନେ ତୁରନ୍ତ କାମ କରିବାକୁ ଲାଗିଲେ । (ମାଥି. ୨୦:୧-୧୬) ସେହି ଶ୍ରମିକମାନଙ୍କଠାରୁ ଆମେ କʼଣ ଶିଖୁ ? ଆମେ ଶିଖୁ ଯେ ଯୀଶୁ ଆମକୁ ବି ନିଜର ଶିଷ୍ୟ ହେବା ପାଇଁ ଏବଂ ସାକ୍ଷ୍ୟ ଦେବା ପାଇଁ ବାଛିଛନ୍ତି, ତେଣୁ ଆମକୁ ତୁରନ୍ତ ଏହି କାମରେ ଲାଗିବା ଉଚିତ୍‌ ।

୧୩. ଲୋଟଙ୍କ ସ୍ତ୍ରୀଠାରୁ ଆମେ କʼଣ ଶିଖୁ ?

୧୩ କିଛି ଲୋକ ଆଗକୁ ବଢ଼ିବା ପାଇଁ ଏଥିପାଇଁ ଅବହେଳା କରନ୍ତି, କାରଣ ସେମାନେ ଭାବନ୍ତି ଯେ ତାଙ୍କ ଜୀବନରେ ଯାହା ବି ଜରୁରୀ ପରିବର୍ତ୍ତନ କରିବାର ଅଛି, ସେସବୁ ସେମାନେ ବିନାଶ ଆସିବାର ଠିକ୍‌ ପୂର୍ବେ କରିବେ । କିନ୍ତୁ ସତ କଥା ଏହା ଯେ ଆମେ ଯେତିକି ଡେରି କରିବା, ଏହି ପରିବର୍ତ୍ତନଗୁଡ଼ିକୁ କରିବା ଆମକୁ ସେତିକି ହିଁ କଠିନ ଲାଗିବ । ତେଣୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, “ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର ।” (ଲୂକ ୧୭:୩୧-୩୫) ଲୋଟର ସ୍ତ୍ରୀ ଭଲଭାବେ ଜାଣିଥିଲା ଯେ ଯିହୋବା ସଦୋମ ଓ ହମୋରାକୁ ଖୁବ୍‌ ଶୀଘ୍ର ବିନାଶ କରିବେ । କିନ୍ତୁ ତାକୁ ନିଜ ଜିନିଷଗୁଡ଼ିକ ପ୍ରତି ଏତେ ପ୍ରେମ ଥିଲା ଯେ ସେ ସେଗୁଡ଼ିକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନ ଥିଲା । (ଆଦି. ୧୯:୨୩-୨୬) ଏହି ଘଟଣାରୁ ଆମେ ଆଉ ଗୋଟିଏ ଜରୁରୀ କଥା ଶିଖୁ । ଉଦ୍ଧାର ପାଇବାର ଦ୍ୱାର ସବୁଦିନ ପାଇଁ ଖୋଲା ରହିବ ନାହିଁ । ଯିହୋବା ନିଜର ନିର୍ଦ୍ଧାରିତ ସମୟରେ ଏହି ଦ୍ୱାରକୁ ସବୁଦିନ ପାଇଁ ବନ୍ଦ କରିଦେବେ ।—ଲୂକ ୧୩:୨୪, ୨୫.

୧୪. ବାଇବଲର ଭବିଷ୍ୟତବାଣୀଗୁଡ଼ିକୁ ପୂରା ହେବାର ଦେଖି ଆପଣଙ୍କ ଉପରେ କʼଣ ପ୍ରଭାବ ପଡ଼ିବା ଉଚିତ୍‌ ?

୧୪ ପ୍ରତିଦିନ ସାରା ଦୁନିଆରେ ଏପରି ଅନେକ ଘଟଣା ଘଟୁଛି, ଯେଉଁଥିରୁ ସ୍ପଷ୍ଟ ଜଣାପଡ଼େ ଯେ ବାଇବଲରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ ପୂରା ହେଉଛି ଏବଂ ଏହି ଦୁଷ୍ଟ ଦୁନିଆର ବିନାଶ ମଧ୍ୟ ପାଖେଇ ଆସିଛି । ହୁଏତ ଆପଣଙ୍କୁ ଲାଗିପାରେ ଯେ ଏହି ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକର ଆପଣଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ୁନି । ପ୍ରଥମ ଶତାବ୍ଦୀର କିଛି ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ ବି ଏପରି ହିଁ ଲାଗୁଥିଲା । କିନ୍ତୁ ପ୍ରେରିତ ପିତର ସେମାନଙ୍କୁ ପରାମର୍ଶ ଦେଲେ ଯେ ‘ସଚେତନ ରୁହ,’ କାରଣ “ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ ।” (୧ ପିତ. ୪:୭) ପିତର କେଉଁ “ଅନ୍ତିମକାଳ” ବିଷୟରେ କଥା ହେଉଥିଲେ ? ଏପରି ଜଣାପଡ଼େ ଯେ ସେ ଯିରୂଶାଲମ ସହର ଓ ସେଠାରେ ଥିବା ମନ୍ଦିରର ବିନାଶ ବିଷୟରେ କଥା ହେଉଥିଲେ । କିନ୍ତୁ ପିତର ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ଏହି ଚିଠି ଲେଖିଲେ ସେମାନେ ଯିରୂଶାଲମଠାରୁ ବହୁତ ଦୂରରେ ରହୁଥିଲେ । ସେଥିପାଇଁ ସେମାନଙ୍କ ଉପରେ ଏହି ବିନାଶର ସିଧାସଳଖ କୌଣସି ପ୍ରଭାବ ପଡ଼ି ନ ଥାʼନ୍ତା । (୧ ପିତ. ୧:୧) କିନ୍ତୁ ଶାସ୍ତ୍ରର ଏହି ଭବିଷ୍ୟତବାଣୀକୁ ପୂରା ହେବାର ଦେଖି ସେମାନଙ୍କୁ ଭରସା ହୋଇଯାʼନ୍ତା ଯେ ଯିହୋବାଙ୍କ ଅନ୍ୟ ପ୍ରତିଜ୍ଞାଗୁଡ଼ିକ ବି ନିଶ୍ଚୟ ନିର୍ଦ୍ଧାରିତ ସମୟରେ ପୂରା ହେବ । ଠିକ୍‌ ସେହିପରି, ଆଜି ଆମେ ମଧ୍ୟ ଦୁନିଆର ଅନ୍ତିମକାଳ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀକୁ ପୂରା ହେବାର ଦେଖୁଅଛୁ । ତେଣୁ ଏହା ବହୁତ ଜରୁରୀ ଯେ ଆପଣ ମଧ୍ୟ ପିତରଙ୍କ ପରାମର୍ଶକୁ ମାନି ସଚେତନ ରହନ୍ତୁ ଏବଂ ଶୀଘ୍ର ବାପ୍ତିସ୍ମ ନେବାର ଲକ୍ଷ୍ୟକୁ ହାସଲ କରନ୍ତୁ ।

୧୫. ଆମେ ଯିହୋବାଙ୍କ ଦିନ ପାଇଁ କିପରି ପ୍ରସ୍ତୁତ ରହିପାରିବା ? (୨ ପିତର ୩:୧୦-୧୩)

୧୫ ପିତର ନିଜର ଦ୍ୱିତୀୟ ଚିଠିରେ ବୁଝାଇଲେ ଯେ ଆମେ ଯିହୋବାଙ୍କ ଦିନ ପାଇଁ ଅର୍ଥାତ୍‌ ଏହି ଦୁନିଆର ବିନାଶ ପାଇଁ କିପରି ପ୍ରସ୍ତୁତ ରହିପାରିବା । ପିତର ଏହି ଚିଠି ପ୍ରଥମ ଶତାବ୍ଦୀରେ ଲେଖିଥିଲେ ଏବଂ ସେସମୟରେ ବିନାଶ ଆସିବା ପାଇଁ ବହୁତ ସମୟ ବାକିଥିଲା । ତଥାପି ସେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ସେମାନଙ୍କୁ ‘ସେହି ଦିନର ଅପେକ୍ଷା କରିବା’ ଉଚିତ୍‌ । (୨ ପିତର ୩:୧୦-୧୩ ପଢ଼ନ୍ତୁ ।) ଯଦି ଆମ ସମୟ ବିଷୟରେ ଦେଖିବା, ତାହେଲେ ବିନାଶ ବହୁତ ପାଖେଇ ଆସିଛି । ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କ ଦିନର ଅପେକ୍ଷା କରୁଛୁ ଏବଂ ପ୍ରସ୍ତୁତ ଅଛୁ ? ଆମେ “ସଦାଚାରୀ ଓ ଧର୍ମପରାୟଣ” ହେବା ଉଚିତ୍‌ । ଭାବନ୍ତୁ ଯେବେ ଯିହୋବାଙ୍କ ଦିନ ଆସିବ ଏବଂ ସେ ଆପଣଙ୍କୁ “ଧର୍ମପରାୟଣ” ହେବାର ଦେଖିବେ, ତାହେଲେ ତାଙ୍କୁ କେତେ ଖୁସି ଲାଗିବ ! ତାଙ୍କୁ ଖୁସି କରିବା ପାଇଁ ଆପଣ ଏବେଠୁ କʼଣ କରିପାରିବେ ? ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରି ବାପ୍ତିସ୍ମ ନେଇପାରିବେ ।

ବିଳମ୍ବ କରନ୍ତୁ ନାହିଁ

୧୬. ଆପଣଙ୍କୁ କେବେ ବାପ୍ତିସ୍ମର ପଦକ୍ଷେପ ନେବା ଉଚିତ୍‌ ? (୨ କରିନ୍ଥୀୟ ୬:୧, ୨) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୬ ଏବେ ଆପଣଙ୍କ ପାଖରେ ସମୟ ଅଛି । ଆପଣ ନିଜ ଜୀବନ ପରିବର୍ତ୍ତନ କରି ବାପ୍ତିସ୍ମ ନେବା ପାଇଁ ପଦକ୍ଷେପ ନିଅନ୍ତୁ । (୨ କରିନ୍ଥୀୟ ୬:୧, ୨ ପଢ଼ନ୍ତୁ ।) ଆପଣ ଇଥିଓପିଆର ସେହି ଅଧିକାରୀଙ୍କୁ ମନେ ପକାନ୍ତୁ, ଯାହାଙ୍କୁ ଫିଲିପ୍ପ ସାକ୍ଷ୍ୟ ଦେଇଥିଲେ । ସୁସମାଚାର ଶୁଣିଲା ପରେ ସେ ବୁଝିଗଲେ ଯେ ତାଙ୍କୁ ବିଳମ୍ବ କରିବା ଉଚିତ୍‌ ନୁହେଁ । ଯେବେ ସେ ଗୋଟିଏ ଏପରି ଜାଗାରେ ପହଞ୍ଚିଲେ ଯେଉଁଠାରେ ଯଥେଷ୍ଟ ପାଣି ଥିଲା, ତେବେ ସେ ଏହା ଭାବିଲେ ନାହିଁ, ‘ମୋତେ ଆହୁରି ଶିଖିବାର ଅଛି । ପାଣି ତ ଆଗକୁ ବି ମିଳିଯିବ ।’ ଏହା ପରିବର୍ତ୍ତେ ସେ ଫିଲିପ୍ପଙ୍କୁ ପଚାରିଲେ, “ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?” (ପ୍ରେରି. ୮:୨୬, ୨୭, ୩୫-୩୯) ଏହାପରେ ସେ ବାପ୍ତିସ୍ମ ନେଲେ ଓ “ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ ।” ସତରେ, ସେହି ଅଧିକାରୀ କେତେ ବଢ଼ିଆ ଉଦାହରଣ ଅଟନ୍ତି !

ଚିତ୍ରଗୁଡ଼ିକ: ୧. ଫିଲିପ୍ପ ଇଥିଓପିଆର ଅଧିକାରୀକୁ ବାପ୍ତିସ୍ମ ନେବା ପାଇଁ ପାଣି ଭିତରକୁ ଡାକୁଛନ୍ତି । ୨. ପୂର୍ବ ଚିତ୍ରରେ ଦେଖାଯାଇଥିବା ଭଉଣୀ ଓ ସେହି ବାଇବଲ ବିଦ୍ୟାର୍ଥୀ, ଦୁଇଜଣ ପ୍ରାଚୀନଙ୍କ ସହିତ ଖୁସିର ସହ ରାଜ୍ୟଘରେ କଥା ହେଉଛନ୍ତି ।

ଇଥିଓପିଆର ଅଧିକାରୀଙ୍କଠାରୁ ଶିଖନ୍ତୁ, ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ ! (ପାରାଗ୍ରାଫ ୧୬)a


୧୭. ଆପଣ କେଉଁ କଥା ଉପରେ ଭରସା କରିପାରିବେ ?

୧୭ ଯେପରି ଆମେ ଏହି ଲେଖାରେ ଦେଖିଲୁ ଯେ ଯଦି ଆପଣ କୌଣସି କଥାକୁ ନେଇ ଡରୁଛନ୍ତି କିମ୍ବା ଚିନ୍ତା କରୁଛନ୍ତି କିମ୍ବା ଅନ୍ୟମାନଙ୍କ ଯୋଗୁଁ ଏବେ ଆପଣ ବାପ୍ତିସ୍ମ ନେବା ପାଇଁ ସଂକୋଚ କରୁଛନ୍ତି, ତାହେଲେ ଭରସା ରଖନ୍ତୁ ଯେ ଯିହୋବାଙ୍କ ସାହାଯ୍ୟରୁ ଆପଣ ସମସ୍ତ ବାଧାଗୁଡ଼ିକୁ ପାର କରିପାରିବେ ଏବଂ ତାଙ୍କର ମିତ୍ର ହୋଇପାରିବେ । (ରୋମୀ. ୨:୪) ସମର୍ପଣ କରି ଏବଂ ବାପ୍ତିସ୍ମ ନେଇ ଆପଣ ଶୁଦ୍ଧ ବିବେକ ପାଇପାରିବେ ଏବଂ ଯିହୋବାଙ୍କୁ ଖୁସି କରିପାରିବେ । ଆପଣ ଏହା ଦେଖିପାରିବେ ଯେ “ପଶ୍ଚାତ୍‌ ବିଷୟସବୁ” ଆପଣଙ୍କ ପାଇଁ ମହତ୍ତ୍ୱ ରଖେ ନାହିଁ । (ଫିଲିପ୍‌. ୩:୮, ୧୩, ୧୪) ତେବେ ଆପଣ “ସମ୍ମୁଖରେ ଥିବା ବିଷୟଗୁଡ଼ିକ” ପ୍ରତି ଧ୍ୟାନ ଦେବେ ଏବଂ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକୁ ନିଜ ଆଖିରେ ପୂରା ହେବାର ଦେଖିବେ ।—ପ୍ରେରି. ୩:୧୯.

ଆପଣ କ’ଣ ଉତ୍ତର ଦେବେ ?

  • କିଛି ଲୋକ କାହିଁକି ବାପ୍ତିସ୍ମ ନେବା ପାଇଁ ସଂକୋଚ କରନ୍ତି ?

  • ବାପ୍ତିସ୍ମ ନେବା ପାଇଁ କାହିଁକି ବିଳମ୍ବ କରିବା ଉଚିତ୍‌ ନୁହେଁ ?

  • ଆପଣଙ୍କୁ କେବେ ବାପ୍ତିସ୍ମର ପଦକ୍ଷେପ ନେବା ଉଚିତ୍‌ ?

ଗୀତ ୩୮ ସେ ତୁମକୁ ଶକ୍ତିଶାଳୀ କରିବେ

a ଚିତ୍ର ବିଷୟରେ : ଯେପରି ଇଥିଓପିଆର ଅଧିକାରୀ ଫିଲିପ୍ପଙ୍କୁ କହିଲେ ଯେ ସେ ବାପ୍ତିସ୍ମ ନେବା ପାଇଁ ଚାହାନ୍ତି । ଠିକ୍‌ ସେହିପରି, ଜଣେ ବାଇବଲ ବିଦ୍ୟାର୍ଥୀ ପ୍ରାଚୀନମାନଙ୍କୁ କହୁଛନ୍ତି ଯେ ସେ ବାପ୍ତିସ୍ମ ନେବା ପାଇଁ ଚାହାନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ