ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଫେବୃୟାରୀ ପୃଷ୍ଠା ୮-୧୩
  • ବାପ୍ତିସ୍ମ ନେବାର ଅର୍ଥ କʼଣ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାପ୍ତିସ୍ମ ନେବାର ଅର୍ଥ କʼଣ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବାପ୍ତିସ୍ମ ନେବାର ଅର୍ଥ କʼଣ ?
  • ବାପ୍ତିସ୍ମ କିପରି ହେବା ଉଚିତ୍‌ ?
  • ‘ପିତା, ପୁତ୍ର ଓ ପବିତ୍ର ଶକ୍ତିର ନାମରେ ବାପ୍ତିସ୍ମ ଦିଅ’
  • ବାପ୍ତିସ୍ମ, ଯାହା ଅନେକ ଆଶିଷ ଆଣେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଫେବୃୟାରୀ ପୃଷ୍ଠା ୮-୧୩

୧୩-୧୯ ଏପ୍ରିଲ୍‌, ୨୦୨୬

ଗୀତ ୫୨ ଖ୍ରୀଷ୍ଟିୟାନ ସମର୍ପଣ

ବାପ୍ତିସ୍ମ ନେବାର ଅର୍ଥ କʼଣ ?

‘ଲୋକଙ୍କୁ ବାପ୍ତିସ୍ମ ଦିଅ ଓ ଶିଷ୍ୟ କର ।’—ମାଥି. ୨୮:୧୯, ୨୦.

କʼଣ ଶିଖିବା ?

ବାପ୍ତିସ୍ମ ନେବାର ଅର୍ଥ କʼଣ, ଏହା କାହିଁକି ଜରୁରୀ ଏବଂ ବାପ୍ତିସ୍ମ କିପରି ହେବା ଉଚିତ୍‌ ?

୧. ଆମକୁ କିପରି ଜଣାପଡ଼େ ଯେ ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା ବିଷୟରେ ଆମକୁ ଭଲଭାବେ ବୁଝିବା ବହୁତ ଜରୁରୀ ?

ଯେବେ ବାଇବଲ ବିଦ୍ୟାର୍ଥୀମାନଙ୍କ ବାପ୍ତିସ୍ମ ହୁଏ, ତେବେ ଆମ ସମସ୍ତଙ୍କୁ ବହୁତ ଖୁସି ଲାଗେ । ପ୍ରଥମ ଶତାବ୍ଦୀରେ ଯେବେ ଖ୍ରୀଷ୍ଟିୟାନ ମଣ୍ଡଳୀର ପ୍ରଥମ ସଭା ରଖାଗଲା, ତେବେ ଅନେକ ଲୋକ ବାପ୍ତିସ୍ମ ନେଲେ ଏବଂ ଏହା ଦେଖି ସେସମୟର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ବହୁତ ଖୁସି ଲାଗିଥିବ । ସେହି ଦିନ ବାପ୍ତିସ୍ମ ପୂର୍ବରୁ ଗୋଟିଏ ଭାଷଣ ଦିଆଗଲା, ଯେଉଁଥିରେ ବୁଝାଇ ଦିଆଯାଇଥିଲା ଯେ ବାପ୍ତିସ୍ମ ନେବା ବହୁତ ଜରୁରୀ । (ପ୍ରେରି. ୨:୩୮, ୪୦, ୪୧) ପ୍ରେରିତ ପାଉଲ ବି କହିଲେ ଯେ “ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା” “ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା” ମଧ୍ୟରୁ ଗୋଟିଏ । (ଏବ୍ରୀ ୬:୧, ୨) ଆମକୁ ହୁଏତ ଲାଗିବ ଯେ ଆମେ ଏହି ଶିକ୍ଷା ବିଷୟରେ ବହୁତ ପୂର୍ବରୁ ହିଁ ଶିଖିଥିଲୁ । ଯଦିଓ ଆମକୁ ଏପରି ଲାଗେ, ତଥାପି ଏବିଷୟକୁ ଭଲଭାବେ ବୁଝିବା ବହୁତ ଜରୁରୀ । ଏପରି କାହିଁକି ?

୨. ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା ବିଷୟରେ ଭଲଭାବେ ବୁଝିବା କାହିଁକି ଜରୁରୀ ?

୨ ଯଦି ଘରର ଭିତ୍ତିମୂଳ ଦୃଢ଼ ରହେ, ତାହେଲେ ସେହି ଘର ମଜବୁତ୍‌ ଥାଏ । ଠିକ୍‌ ସେହିଭଳି, ନିଜ ବିଶ୍ୱାସକୁ ଦୃଢ଼ କରିବା ପାଇଁ ବାପ୍ତିସ୍ମ ବିଷୟରେ ଥିବା ପ୍ରାଥମିକ ଶିକ୍ଷାକୁ ଗଭୀର ଭାବେ ବୁଝିବା ବହୁତ ଜରୁରୀ । ଯଦିଓ ଆମେ ବାପ୍ତିସ୍ମ ନେବା ପାଇଁ ଭାବୁଛୁ କିମ୍ବା ଆମକୁ ବାପ୍ତିସ୍ମ ନେଇ ଅନେକ ବର୍ଷ ହୋଇଯାଇଛି, ତଥାପି ଆମ ପାଇଁ ଏହି ଶିକ୍ଷାକୁ ବୁଝିବା ବହୁତ ଜରୁରୀ । ଏହି ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା: ବାପ୍ତିସ୍ମ ନେବାର ଅର୍ଥ କʼଣ ? ବାପ୍ତିସ୍ମ କିପରି ହେବା ଉଚିତ୍‌ ? ଏବଂ ପିତା, ପୁତ୍ର ଓ ପବିତ୍ର ଶକ୍ତିର ନାମରେ ବାପ୍ତିସ୍ମ ନେବା କାହିଁକି ଜରୁରୀ ?

ବାପ୍ତିସ୍ମ ନେବାର ଅର୍ଥ କʼଣ ?

୩. ବାପ୍ତିସ୍ମ ନେଇ ଆମେ କʼଣ ଦେଖାଉ ?

୩ ଯେବେ ଆମେ ବାପ୍ତିସ୍ମ ନେଉ, ତେବେ ଆମେ ସମସ୍ତଙ୍କ ସାମନାରେ ଏହା ଦେଖାଉ ଯେ (୧) ଆମେ ଯିହୋବା ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯାହା ସତ୍ୟ ଶିଖିଛୁ, ସେସବୁକୁ ଆମେ ବିଶ୍ୱାସ କରୁ, (୨) ଆମେ ନିଜ ପାପଗୁଡ଼ିକ ପାଇଁ ପଶ୍ଚାତାପ କରିଛୁ, (୩) ଆମେ ଯିହୋବାଙ୍କ ସେବା କରିବା ପାଇଁ ନିଜ ଜୀବନରେ ପରିବର୍ତ୍ତନ କରିଛୁ, (୪) ଆମେ ଏହା ବିଶ୍ୱାସ କରୁ ଯେ ଯିହୋବା ଯୀଶୁଙ୍କ ଜରିଆରେ ଆମର ଉଦ୍ଧାର କରନ୍ତି ଏବଂ (୫) ଆମେ ପ୍ରାର୍ଥନା କରି ଯିହୋବାଙ୍କୁ ପ୍ରତିଜ୍ଞା କରିଛୁ ଯେ ଆମେ ତାଙ୍କ ସଂଗଠନ ସହ ମିଶି ତାଙ୍କର ଇଚ୍ଛା ପୂରା କରିବା । ଯେବେ ଆମେ ଯିହୋବାଙ୍କୁ ପ୍ରତିଜ୍ଞା କରୁ ଯେ ଆମେ ତାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ଓ ବାପ୍ତିସ୍ମ ନେବା ପାଇଁ ଚାହୁଁ, ତେବେ ଆମେ ସେ ଦେଖାଇଥିବା ପଥରେ ଚାଲିବାକୁ ଲାଗୁ ଯାହା ଅନନ୍ତ ଜୀବନ ଆଡ଼କୁ ନେଇଯାଏ ।

୪. ପାଣିରେ ପୂରାପୂରି ଭାବେ ବୁଡ଼ାଇ ବାହାର କରାଯିବାର ଅର୍ଥ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ଯେବେ ଆମେ ବାପ୍ତିସ୍ମ ନେଉ, ତେବେ ଆମକୁ ପାଣିରେ ପୂରାପୂରି ଭାବେ ବୁଡ଼ାଇ ବାହାର କରାଯାଏ ।a ଏହା ଏମିତି ଅଟେ ଯେମିତି ଆମକୁ ସମାଧି ଦିଆଗଲା ଏବଂ ପୁଣିଥରେ ଜୀବିତ କରାଗଲା । (କଲସୀୟ ୨:୧୨ ପଦ ସହ ତୁଳନା କରନ୍ତୁ ।) ବାପ୍ତିସ୍ମ ଏହି କଥାର ପ୍ରମାଣ ଅଟେ ଯେ ଆମେ ନିଜ ଜୀବନରେ ଅନେକ ବଡ଼ ବଡ଼ ପରିବର୍ତ୍ତନ କରିଛୁ । ଯେବେ ଆମେ ପାଣି ଭିତରକୁ ଯାଉ, ତେବେ ଏହା ଦେଖାଏ ଯେ ଆମେ ନିଜ ପୁରାତନ ସ୍ୱଭାବଗୁଡ଼ିକୁ ଛାଡ଼ି ଦେଇଛୁ । ଆଉ ଯେବେ ଆମେ ପାଣିରୁ ବାହାରୁ, ତେବେ ଆମେ ଗୋଟିଏ ନୂଆ ଜୀବନର ଆରମ୍ଭ କରୁ, ଅର୍ଥାତ୍‌ ଯିହୋବାଙ୍କ ଇଚ୍ଛା ଅନୁସାରେ ଜୀବନ ବିତାଉ ।

ଚିତ୍ରଗୁଡ଼ିକ: ଜଣେ ବ୍ୟକ୍ତି ନିଜର ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପରେ ବାପ୍ତିସ୍ମ ନେଉଛି । ୧. ସେ ବହୁତ ଉତ୍ସାହର ସହ ବକ୍ସିଙ୍ଗ ମ୍ୟାଚ୍‌ ଦେଖୁଛି । ୨. ସେ ସିଗାରେଟ୍‌ ଟାଣୁଛି । ୩. ସେ ଅତ୍ୟଧିକ ମଦ ପିଉଛି । ୪. ପରେ ସେ ବାପ୍ତିସ୍ମ ନେଉଛି ।

ବାପ୍ତିସ୍ମ ନେଇ ଆପଣ ଦେଖାନ୍ତି ଯେ ଆପଣ ନିଜର ପୁରାତନ ସ୍ୱଭାବକୁ ଛାଡ଼ି ଦେଇଛନ୍ତି ଏବଂ ଗୋଟିଏ ନୂଆ ଜୀବନର ଆରମ୍ଭ କରିଛନ୍ତି, ଅର୍ଥାତ୍‌ ଏବେଠାରୁ ଆପଣ ଯିହୋବାଙ୍କର ଇଚ୍ଛା ଅନୁସାରେ ନିଜର ଜୀବନ ବିତାଇବେ (ପାରାଗ୍ରାଫ ୪)


୫. ଆମକୁ ବାପ୍ତିସ୍ମ ନେବା ପାଇଁ ଯାହା ବି ପଦକ୍ଷେପ ନେବାକୁ ପଡ଼େ, ତାହାକୁ କାହିଁକି ଜାହାଜ ତିଆରି କରିବା କାମ ସହିତ ତୁଳନା କରାଯାଇଛି ? (୧ ପିତର ୩:୧୮-୨୧)

୫ ୧ ପିତର ୩:୧୮-୨୧ ପଢ଼ନ୍ତୁ । ଯଦି ଆପଣ ଏବେ କିଛି ଦିନ ହେବ ଯିହୋବାଙ୍କ ବିଷୟରେ ଶିଖିବା ଆରମ୍ଭ କରିଛନ୍ତି, ତାହେଲେ ହୁଏତ ଆପଣଙ୍କୁ ଲାଗିବ ଯେ ମୋ ପାଇଁ ବାପ୍ତିସ୍ମ ନେବା ଭାରି କଠିନ, କେଜାଣି ମୁଁ ଏହି ପଦକ୍ଷେପ ନେଇପାରିବି ନା ନାହିଁ । ଏହା ସତ ଯେ ବାପ୍ତିସ୍ମ ନେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ଏହା ଅସମ୍ଭବ ନୁହେଁ । ନୋହଙ୍କ ବିଷୟରେ ଭାବନ୍ତୁ, ଯେବେ ନୋହଙ୍କୁ ଜାହାଜ ତିଆରି କରିବା ପାଇଁ କୁହାଗଲା, ତେବେ ହୁଏତ ତାଙ୍କୁ ବି ଏପରି ହିଁ ଲାଗୁଥିଲା । କିନ୍ତୁ ନୋହ ବହୁତ ପରିଶ୍ରମ କଲେ, ଛୋଟରୁ ଛୋଟ ନିର୍ଦ୍ଦେଶ ମାନିଲେ ଓ ଯିହୋବାଙ୍କ ଉପରେ ବିଶ୍ୱାସ କଲେ । ତାʼସହିତ ଯିହୋବା ବି ତାଙ୍କୁ ସାହାଯ୍ୟ କଲେ । ତେଣୁ ନୋହ ଜାହାଜ ତିଆରି କରିପାରିଲେ ଏବଂ ନିଜ ଜୀବନ ରକ୍ଷା କରିପାରିଲେ । ନୋହଙ୍କ ଭଳି ଯଦି ଆପଣ ବି ପରିଶ୍ରମ କରିବେ ଓ ଯିହୋବାଙ୍କ ଉପରେ ବିଶ୍ୱାସ କରିବେ, ତାହେଲେ ଆପଣ ଯିହୋବାଙ୍କ ପ୍ରତ୍ୟେକ ଆଜ୍ଞା ମାନିପାରିବେ ଏବଂ ନିଜ ଜୀବନ ରକ୍ଷା କରିପାରିବେ ।—ଆଦି. ୬:୨୨.

୬. ବାପ୍ତିସ୍ମ ନେଲେ କିପରି ଆମକୁ ପରିତ୍ରାଣ ମିଳେ ?

୬ ପିତର କହିଲେ ଯେ ବାପ୍ତିସ୍ମ ନେଲେ ଆମକୁ “ପରିତ୍ରାଣ” ମିଳେ । (୧ ପିତ. ୩:୨୧) ଏପରି ନୁହେଁ ଯେ କେବଳ ବାପ୍ତିସ୍ମ ନେଲେ ଆମ ପାପ କ୍ଷମା ହୋଇଯାଏ ବା ଆମକୁ ଉଦ୍ଧାର ମିଳିଯାଏ, ବରଂ ଯୀଶୁଙ୍କ ରକ୍ତ ଆଧାରରେ ହିଁ ଆମକୁ ପାପଗୁଡ଼ିକରୁ କ୍ଷମା ମିଳେ । (୧ ଯୋହ. ୧:୭) ହେଲେ ବାପ୍ତିସ୍ମ ନେବା କାହିଁକି ଜରୁରୀ ? କାରଣ ଯିହୋବା ଆମକୁ ଏପରି କରିବା ପାଇଁ ଆଜ୍ଞା ଦେଇଛନ୍ତି ଏବଂ ଏପରି କରି ଆମେ ‘ଈଶ୍ୱରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା କରିଥାଉ ।’ ଆଉ ଯେବେ ଆମେ ଏହି ପ୍ରାର୍ଥନା କରୁ, ତେବେ ସେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆଧାରରେ ଆମ ପାପଗୁଡ଼ିକୁ କ୍ଷମା କରନ୍ତି । ଏପରି ଭାବେ ବାପ୍ତିସ୍ମ ନେଇ ଆମକୁ “ପରିତ୍ରାଣ” ମିଳେ ବା ଆମକୁ ଉଦ୍ଧାର ମିଳେ ।

ବାପ୍ତିସ୍ମ କିପରି ହେବା ଉଚିତ୍‌ ?

୭. ବାପ୍ତିସ୍ମ କିପରି ଦିଆଯିବା ଉଚିତ୍‌ ?

୭ ବାଇବଲରେ ବାପ୍ତିସ୍ମ ବିଷୟରେ କେବଳ ଏତିକି କୁହାଯାଇଛି ଯେ ଜଣେ ବ୍ୟକ୍ତିକୁ ବାପ୍ତିସ୍ମ ଦେବା ବେଳେ ପାଣିରେ ପୂରାପୂରି ଭାବେ ବୁଡ଼ାଇ ବାହାର କରାଯିବା ଉଚିତ୍‌ । କିନ୍ତୁ ବାଇବଲରେ କିଛି ସିଦ୍ଧାନ୍ତ ବି ଦିଆଯାଇଛି, ଯାହା ସାହାଯ୍ୟରେ ଆମେ ଜାଣିପାରିବା ଯେ ସେହି ଦିନ ଆମକୁ କେଉଁ କଥାଗୁଡ଼ିକୁ ଧ୍ୟାନ ଦେବା ଉଚିତ୍‌ । ଉଦାହରଣ ପାଇଁ, ବାପ୍ତିସ୍ମ ସମୟରେ କିପରି ପୋଷାକ ପିନ୍ଧିବା ଉଚିତ୍‌ ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ କିପରି ବ୍ୟବହାର କରିବା ଉଚିତ୍‌ । (୧ କରି. ୧୪:୪୦; ୧ ତୀମ. ୨:୯) ଅବଶ୍ୟ ବାପ୍ତିସ୍ମ ଗୋଟିଏ ବିଶେଷ ଦିନ ହୋଇଥାଏ ଏବଂ ଜଣେ ପ୍ରାଚୀନ ଭାଇ ବାପ୍ତିସ୍ମ ଦିଅନ୍ତି, କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ସେହି ପ୍ରାଚୀନ ଭାଇ ବହୁତ ଖାସ୍‌ ଅଟନ୍ତି । (୧ କରି. ୧:୧୪, ୧୫) ଏହା ବ୍ୟତୀତ, ବାପ୍ତିସ୍ମ ସମୟରେ ଅନେକ ଲୋକଙ୍କୁ ଉପସ୍ଥିତ ହେବା ଜରୁରୀ ନୁହେଁ ।—ପ୍ରେରି. ୮:୩୬.

୮. ବାପ୍ତିସ୍ମ ପ୍ରାର୍ଥୀମାନଙ୍କଠାରେ କʼଣ କରିବାର ସୁଯୋଗ ଥାଏ ଏବଂ ସେମାନଙ୍କୁ କେଉଁ ଦୁଇଟି ପ୍ରଶ୍ନ ପଚରାଯାଏ ? (ପ୍ରେରିତ ୨:୩୮-୪୨) (ଚିତ୍ର ମଧ୍ୟ ଦେଖନ୍ତୁ ।)

୮ ବାଇବଲରେ ଲେଖାଅଛି ଯେ “ବିଶ୍ୱାସକୁ ପ୍ରକାଶ କଲେ ଆମେ ଉଦ୍ଧାର ପାଉ ।” (ରୋମୀ. ୧୦:୯, ୧୦, ଇଜି-ଟୁ-ରିଡ୍‌ ଭର୍ସନ) ଆମେ ଅନ୍ୟ ସୁଯୋଗରେ ନିଜ ବିଶ୍ୱାସ ବିଷୟରେ କହିଥାଉ, କିନ୍ତୁ ବାପ୍ତିସ୍ମର ଏହି ବିଶେଷ ଦିନରେ ଏପରି କରିବା ବହୁତ ଜରୁରୀ । କାରଣ ବାପ୍ତିସ୍ମ ନେଲେ ହିଁ ଆମକୁ ଉଦ୍ଧାର ମିଳିବ, ତେଣୁ ବାପ୍ତିସ୍ମ ପ୍ରାର୍ଥୀଙ୍କୁ ଦୁଇଟି ପ୍ରଶ୍ନ ପଚରାଯାଏ । ପ୍ରଥମ ପ୍ରଶ୍ନ ହେଉଛି, “କʼଣ ଆପଣ ନିଜ ପାପଗୁଡ଼ିକ ପାଇଁ ପଶ୍ଚାତାପ କରିଛନ୍ତି, ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିଛନ୍ତି ଓ ଯିହୋବା, ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ଉଦ୍ଧାର ପାଇବାର ଯେଉଁ ବ୍ୟବସ୍ଥା କରିଛନ୍ତି, ତାହାକୁ ସ୍ୱୀକାର କରିଛନ୍ତି ?” ଏପରି ପ୍ରଶ୍ନରୁ ଜଣେ ବ୍ୟକ୍ତି ଭାବିପାରିବ ଯେ ବାପ୍ତିସ୍ମର ଯୋଗ୍ୟ ହେବା ପାଇଁ ସେ ଏବେ ଯାଏ କʼଣ କʼଣ କରିଛି । ପେଣ୍ଟିକଷ୍ଟ ଦିନ ପିତର ବି ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଏପରି କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ଦ୍ୱିତୀୟ ପ୍ରଶ୍ନ ହେଉଛି, “କʼଣ ଆପଣ ଏହି କଥାକୁ ବୁଝନ୍ତି ଯେ ବାପ୍ତିସ୍ମ ନେଲେ ଆପଣ ଯିହୋବାଙ୍କ ସଂଗଠନର ଭାଗ ହୋଇଯିବେ ଏବଂ ଯିହୋବାଙ୍କ ସାକ୍ଷୀ ନାମରେ ପରିଚିତ ହେବେ ?” ଏପରି ପ୍ରଶ୍ନରୁ ଜଣେ ବ୍ୟକ୍ତି ଭାବିପାରିବ ଯେ ବାପ୍ତିସ୍ମ ନେଲା ପରେ ସେ କʼଣ କରିବ । ଅର୍ଥାତ୍‌ ସେ ଯିହୋବାଙ୍କ ସଂଗଠନର ନିର୍ଦ୍ଦେଶଗୁଡ଼ିକୁ ମାନିବ ଏବଂ ଭାଇଭଉଣୀମାନଙ୍କ ସହ ମିଶି ଯିହୋବାଙ୍କ ସେବା କରିବ । ଠିକ୍‌ ଯେପରି ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ବି କରିଥିଲେ । (ପ୍ରେରିତ ୨:୩୮-୪୨ ପଢ଼ନ୍ତୁ ।) ଯେଉଁମାନେ ଏହି ଦୁଇଟି ପ୍ରଶ୍ନର ଉତ୍ତର ‘ହଁ’ ବୋଲି ଦିଅନ୍ତି, ସେମାନେ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଥାʼନ୍ତି ।

ବିଭିନ୍ନ ବୟସର ବାପ୍ତିସ୍ମପ୍ରାର୍ଥୀମାନେ ସମ୍ମିଳନୀରେ ନିଜ ବିଶ୍ୱାସକୁ ପ୍ରକାଶ କରୁଛନ୍ତି ।

ବାପ୍ତିସ୍ମ ସମୟରେ ଆପଣ ନିଜ “ବିଶ୍ୱାସକୁ ପ୍ରକାଶ” କରନ୍ତି (ପାରାଗ୍ରାଫ ୮)d


୯. ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିବା ପାଇଁ ଆମ ପ୍ରତ୍ୟେକଙ୍କୁ କʼଣ କʼଣ କରିବା ଉଚିତ୍‌ ?

୯ ହୁଏତ ସତ୍ୟ ଶିଖିବା ପୂର୍ବରୁ ଆପଣ ଗୋଟିଏ ଭଲ ଜୀବନ ବଞ୍ଚୁଥିବେ ଏବଂ କୌଣସି ଗମ୍ଭୀର ପାପ କରି ନ ଥିବେ । କିମ୍ବା ହୁଏତ ଆପଣ ପିଲାବେଳୁ ଯିହୋବାଙ୍କ ବିଷୟରେ ଶିଖିଥିବେ । କʼଣ ତଥାପି ପଶ୍ଚାତାପ କରିବା ଓ ବାପ୍ତିସ୍ମ ନେବା ଜରୁରୀ ? ହଁ, ଏପରି କରିବା ଜରୁରୀ । କାରଣ ଆମ ସମସ୍ତଙ୍କୁ ଉତ୍ତରାଧିକାରୀ ଭାବେ ପାପ ମିଳିଛି, ତେଣୁ ଆମେ ଜନ୍ମରୁ ହିଁ ପାପୀ ଅଟୁ । (ଗୀତ. ୫୧:୫) କିନ୍ତୁ ଯେବେ ଆମେ ଯିହୋବାଙ୍କ ବିଷୟରେ ଜାଣିଲୁ, ତେବେ ଆମେ ଏହା ନିଷ୍ପତ୍ତି ନେଲୁ ଯେ ଆମେ ନିଜ ଇଚ୍ଛା ନୁହଁ, ବରଂ ଯିହୋବାଙ୍କ ଇଚ୍ଛା ପୂରା କରିବା । ଏହାପରେ ଆମେ ନିଜ ପାପଗୁଡ଼ିକ ପାଇଁ ପଶ୍ଚାତାପ କରୁ ଏବଂ ସେହି ବାଟରେ ଚାଲିବା ଆରମ୍ଭ କରୁ, ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ଏସବୁ କଲାପରେ ଆମେ ବାପ୍ତିସ୍ମ ନେଇପାରିବା ।—ପ୍ରେରି. ୩:୧୯.

୧୦. ଯଦିଓ ଆପଣ ପୂର୍ବେ ଅନ୍ୟ କୌଣସି ଧର୍ମକୁ ମାନୁଥିଲେ ଏବଂ ସେଠାରେ ଆପଣଙ୍କର ବାପ୍ତିସ୍ମ ହୋଇଥିଲା, ତଥାପି ଆପଣଙ୍କୁ କʼଣ କରିବା ଉଚିତ୍‌ ?

୧୦ ଯଦି ଆପଣ ପୂର୍ବେ ଅନ୍ୟ କୌଣସି ଧର୍ମକୁ ମାନୁଥିଲେ ଏବଂ ସେଠାରେ ଆପଣଙ୍କ ବାପ୍ତିସ୍ମ ହୋଇଥିଲା, ତଥାପି ଆପଣଙ୍କୁ ଯିହୋବାଙ୍କ ସାକ୍ଷୀ ହେବା ପାଇଁ ବାପ୍ତିସ୍ମ ନେବା ଜରୁରୀ । ଏପରି କାହିଁକି ? କାରଣ ସେସମୟରେ ଆପଣ ଯିହୋବା ଓ ଯୀଶୁଙ୍କ ବିଷୟରେ ସତ୍ୟ ଭଲଭାବେ ଜାଣି ନ ଥିଲେ । ଯଦିଓ ଆପଣ ପୂର୍ବେ ଈଶ୍ୱରଙ୍କୁ ନିଜ ଜୀବନ ସମର୍ପଣ କରିଥିଲେ, କିନ୍ତୁ ହୁଏତ ସେସମୟରେ ବି ଆପଣ ଈଶ୍ୱରଙ୍କ ଇଚ୍ଛା କʼଣ, ତାହା ଭଲଭାବେ ବୁଝି ନ ଥିଲେ । ପ୍ରଥମ ଶତାବ୍ଦୀରେ ବି ଏପରି ହିଁ ହୋଇଥିଲା । ପ୍ରେରିତ ପାଉଲ ଏଫିସର କିଛି ଲୋକଙ୍କୁ ଭେଟିଲେ ଯେଉଁମାନଙ୍କର ବାପ୍ତିସ୍ମ ହୋଇସାରିଥିଲା । କିନ୍ତୁ ସେମାନେ ଖ୍ରୀଷ୍ଟଙ୍କ ଶିକ୍ଷାଗୁଡ଼ିକୁ ବୁଝି ନ ଥିଲେ, ତେଣୁ ସେ ସେମାନଙ୍କୁ ପୁଣିଥରେ ବାପ୍ତିସ୍ମ ଦେବା ପାଇଁ ବ୍ୟବସ୍ଥା କଲେ ।b (ପ୍ରେରି. ୧୯:୧-୫) ଆଜି ବି ଯେବେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ଇଚ୍ଛା ଜାଣିବା ପରେ ବାପ୍ତିସ୍ମ ନିଏ, ତେବେ ତାହାକୁ ଈଶ୍ୱରଙ୍କ ଦୃଷ୍ଟିରେ ସଠିକ୍‌ ବୋଲି ଧରାଯାଏ ।

‘ପିତା, ପୁତ୍ର ଓ ପବିତ୍ର ଶକ୍ତିର ନାମରେ ବାପ୍ତିସ୍ମ ଦିଅ’

୧୧. ‘ପିତା, ପୁତ୍ର ଓ ପବିତ୍ର ଶକ୍ତିର ନାମରେ ବାପ୍ତିସ୍ମ’ ନେବାର ଅର୍ଥ କʼଣ ? (ମାଥିଉ ୨୮:୧୮-୨୦)

୧୧ ଯୀଶୁ ଆଜ୍ଞା ଦେଇଥିଲେ ଯେ ତାଙ୍କ ଶିଷ୍ୟମାନଙ୍କୁ ‘ପିତା, ପୁତ୍ର ଓ ପବିତ୍ର ଶକ୍ତିର ନାମରେ ବାପ୍ତିସ୍ମ’ ଦିଆଯିବା ଉଚିତ୍‌ । (ମାଥିଉ ୨୮:୧୮-୨୦ ପଢ଼ନ୍ତୁ ।) ତାଙ୍କ କହିବାର ଅର୍ଥ କʼଣ ଥିଲା ? ବାଇବଲରେ ଯେବେ କାହାରି “ନାମ” ବିଷୟରେ କୁହାଯାଏ, ତେବେ ତାହା ଅନେକ ଥର ସେହି ବ୍ୟକ୍ତିର ଅଧିକାର ବା ପଦବୀକୁ ଦର୍ଶାଏ । ଯେବେ ଆମେ କାହାରି “ନାମରୁ” କିଛି କରୁ, ତେବେ ଏହାର ଅର୍ଥ ଆମେ ତାʼର ଅଧିକାରକୁ ମାନୁ । ଆସନ୍ତୁ ଜାଣିବା ଯେ ଆମେ କିପରି ପିତା ଓ ପୁତ୍ରର ଅଧିକାର ଓ ପଦବୀକୁ ମାନିପାରିବା ଏବଂ ଈଶ୍ୱରଙ୍କ ପବିତ୍ର ଶକ୍ତିର ଭୂମିକାକୁ ବୁଝିପାରିବା ।

୧୨. ପିତାଙ୍କ ନାମରୁ ବାପ୍ତିସ୍ମ ନେବା ପାଇଁ ଆମକୁ କʼଣ ମାନିବାକୁ ପଡ଼ିବ ? (ପ୍ରକାଶିତ ବାକ୍ୟ ୪:୧୧) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ପିତାଙ୍କ ନାମରୁ । ଆମେ ମାନୁ ଯେ ଯିହୋବା ସ୍ୱର୍ଗରେ ରହୁଥିବା ଆମ ପିତା ଅଟନ୍ତି, ଅର୍ଥାତ୍‌ ଆମର ଜୀବନଦାତା ଅଟନ୍ତି । ସେ ସର୍ବଶକ୍ତିମାନ ଓ ସୃଷ୍ଟିକର୍ତ୍ତା ଅଟନ୍ତି । (ପ୍ରକାଶିତ ବାକ୍ୟ ୪:୧୧ ପଢ଼ନ୍ତୁ ।) ଆମେ ଏହା ବି ଜାଣିଛୁ ଯେ ସେ ପ୍ରାର୍ଥନା ଶ୍ରବଣକାରୀ ଅଟନ୍ତି ଏବଂ ଯେବେ ବି ଆମେ ତାଙ୍କୁ ପ୍ରାର୍ଥନା କରୁ କିମ୍ବା ଅନ୍ୟମାନଙ୍କୁ ତାଙ୍କ ବିଷୟରେ କହୁ, ତେବେ ଆମେ ଆଦରର ସହ ତାଙ୍କ ନାମ ନେଉ । (ଗୀତ. ୬୫:୨) କିନ୍ତୁ ଯେବେ ଆମେ ପିତାଙ୍କ ନାମରେ ବାପ୍ତିସ୍ମ ନେଉ, ତେବେ ଆମେ ଆଉ ଗୋଟିଏ କଥା ସ୍ୱୀକାର କରୁ । ତାହା କʼଣ ? ଏହାକୁ ବୁଝିବା ପାଇଁ ପେଣ୍ଟିକଷ୍ଟ ଦିନରେ କʼଣ ହୋଇଥିଲା, ତାହା ଉପରେ ଧ୍ୟାନ ଦିଅନ୍ତୁ । ସେହି ଦିନ ଯେଉଁ ଲୋକମାନେ ପିତରଙ୍କ ଭାଷଣ ଶୁଣୁଥିଲେ, ସେମାନେ ଯିହୋବାଙ୍କୁ ଜାଣିଥିଲେ କିନ୍ତୁ ସେମାନଙ୍କୁ ଏହା ବି ବୁଝିବାର ଥିଲା ଯେ ଉଦ୍ଧାର ଯୀଶୁଙ୍କ ଜରିଆରେ ମିଳିବ ସତ, କିନ୍ତୁ ପ୍ରକୃତରେ ଉଦ୍ଧାରକର୍ତ୍ତା ଯିହୋବା ଅଟନ୍ତି । ଆମକୁ ବି ଏହି କଥା ମାନିବାକୁ ପଡ଼ିବ ।—ରୋମୀ. ୫:୮.

ପୂର୍ବ ଚିତ୍ରରେ ଦେଖାଯାଇଥିବା ଭଉଣୀ ଯିଏ ଏବେ ବାପ୍ତିସ୍ମ ନେଇ ସାରିଛନ୍ତି, ସେ ନିଜ ଘରେ ପ୍ରାର୍ଥନା କରୁଛନ୍ତି ।

ବାପ୍ତିସ୍ମ ପରେ ମଧ୍ୟ ପିତାର ଅଧିକାର ଓ ପଦବୀକୁ ଲଗାତାର ମାନନ୍ତୁ (ପାରାଗ୍ରାଫ ୧୨)


୧୩. ପୁତ୍ରଙ୍କ ନାମରୁ ବାପ୍ତିସ୍ମ ନେବା ପାଇଁ ଆମକୁ କʼଣ ମାନିବାକୁ ପଡ଼ିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ପୁତ୍ରଙ୍କ ନାମରୁ । ଆମେ ଏହା ମାନୁ ଯେ ଯୀଶୁ ଈଶ୍ୱରଙ୍କ ଏକମାତ୍ର ପୁତ୍ର ଅଟନ୍ତି । ସେ ହିଁ “ପଥ” ଅଟନ୍ତି, ଯାହାଙ୍କ ଜରିଆରେ ଆମେ ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରୁ । (ଯୋହ. ୧୪:୬) ଯୀଶୁ ଆମର ଉଦ୍ଧାରକର୍ତ୍ତା ମଧ୍ୟ ଅଟନ୍ତି । ସେ ଆମ ପାଇଁ ନିଜ ଜୀବନ ଦେଲେ, ଯାହାଫଳରେ ଆମକୁ ପାପ ଓ ମୃତ୍ୟୁରୁ ଉଦ୍ଧାର ମିଳିପାରୁ ଏବଂ ଆମେ ଅନନ୍ତ ଜୀବନ ପାଇପାରୁ । ସେଥିପାଇଁ ଆମେ ଏହା ହିଁ ଚେଷ୍ଟା କରୁ ଯେ ଆମେ କେବଳ ବାପ୍ତିସ୍ମ ଦିନରେ ନୁହେଁ, ବରଂ ପ୍ରତିଦିନ ସେହିପରି ଭାବରେ ଜୀବନ ବିତାଉ, ଯେପରି ଯୀଶୁ ବିତାଇଥିଲେ । (୧ ଯୋହ. ୨:୬) ଆମେ ତାଙ୍କ ଭଳି ଉତ୍ସାହର ସହ ପ୍ରଚାର କରୁ ଏବଂ କୌଣସି ବି କଥା ଆମକୁ ପ୍ରଚାର କରିବାରୁ ରୋକି ପାରେ ନାହିଁ । (ଲୂକ ୪:୪୩) ଯେବେ ଆମର ବିରୋଧ କରାଯାଏ, ତେବେ ବି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହୁ । (୨ ତୀମ. ୩:୧୨) ଆମେ ଯୀଶୁଙ୍କୁ “ମଣ୍ଡଳୀର ମସ୍ତକ” ବା ମୁଖିଆ ମାନୁ । ସେଥିପାଇଁ ସେ ଯେଉଁ ଭାଇମାନଙ୍କୁ ମଣ୍ଡଳୀର ନେତୃତ୍ୟ ନେବା ପାଇଁ ଏବଂ ତାଙ୍କ ଶିଷ୍ୟମାନଙ୍କ ଯତ୍ନ ନେବା ପାଇଁ ଦାୟିତ୍ୱ ଦେଇଛନ୍ତି, ଆମେ ସେମାନଙ୍କର ଅଧୀନରେ ରହୁ ।—ଏଫି. ୪:୮, ୧୧, ୧୨; ୫:୨୩.

ପୂର୍ବ ଚିତ୍ରରେ ଦେଖାଯାଇଥିବା ଭାଇ ଯିଏ ଏବେ ବାପ୍ତିସ୍ମ ନେଇ ସାରିଛନ୍ତି, ସେ ଘର ଘର ପ୍ରଚାରରେ ଜଣେ ଲୋକକୁ ସାକ୍ଷ୍ୟ ଦେଉଛନ୍ତି ।

ବାପ୍ତିସ୍ମ ପରେ ମଧ୍ୟ ପୁତ୍ରର ଅଧିକାର ଓ ପଦବୀକୁ ଲଗାତାର ମାନନ୍ତୁ (ପାରାଗ୍ରାଫ ୧୩)


୧୪. (କ) ପବିତ୍ର ଶକ୍ତିର ନାମରୁ ବାପ୍ତିସ୍ମ ନେବା ପାଇଁ ଆମକୁ କʼଣ ମାନିବାକୁ ପଡ଼ିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ଆଉ କେଉଁ ଉପାୟରେ ବାପ୍ତିସ୍ମ ହୁଏ ? (“ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ଆଉ କେଉଁ ଉପାୟରେ ବାପ୍ତିସ୍ମ ହୁଏ ?” ନାମକ ବକ୍ସ ଦେଖନ୍ତୁ ।)

୧୪ ପବିତ୍ର ଶକ୍ତିର ନାମରୁ । ଆମେ ଏହା ଭଲଭାବେ ବୁଝିଥାଉ ଯେ ପବିତ୍ର ଶକ୍ତିର ଭୂମିକା କʼଣ ରହିଛି । ଆମେ ଜାଣିଛୁ ଯେ ଏହା କୌଣସି ବ୍ୟକ୍ତି ବା ତ୍ରିଏକର ଭାଗ ନୁହେଁ, ବରଂ ଏହା ଯିହୋବାଙ୍କଠାରୁ ମିଳୁଥିବା ଶକ୍ତି ଅଟେ ଯାହା ଅଦ୍ଭୁତ ଭାବେ କାମ କରେ । ଆମେ ଏହା ବି ମାନୁ ଯେ ଯିହୋବା ନିଜ ପବିତ୍ର ଶକ୍ତିରୁ ହିଁ ଭବିଷ୍ୟଦ୍‌ବକ୍ତା ଓ ବାଇବଲର ଲେଖକମାନଙ୍କ ଯାଏ ନିଜ ସନ୍ଦେଶ ପଠାଇଲେ । ସେଥିପାଇଁ ଆମେ ପ୍ରତିଦିନ ବାଇବଲ ପଢ଼ୁ ଓ ଏଥିରେ ଦିଆଯାଇଥିବା ଶିକ୍ଷାଗୁଡ଼ିକୁ ମାନୁ । (୨ ପିତ. ୧:୨୦, ୨୧) ଆମେ ଗମ୍ଭୀର ପାପ କରିବାଠାରୁ ବି ଦୂରେଇ ରହୁ, କାରଣ ଏପରି କଲେ ଆମକୁ ଯିହୋବାଙ୍କ ପବିତ୍ର ଶକ୍ତି ମିଳିବ ନାହିଁ ଏବଂ ଆମେ ମଣ୍ଡଳୀରେ ବି ଯିହୋବାଙ୍କ ପବିତ୍ର ଶକ୍ତିକୁ କାମ କରିବାରୁ ରୋକୁଥିବା ।—ଏଫି. ୪:୩୦.

ପୂର୍ବ ଚିତ୍ରରେ ଦେଖାଯାଇଥିବା ଭଉଣୀ ଯିଏ ଏବେ ବାପ୍ତିସ୍ମ ନେଇ ସାରିଛନ୍ତି, ସେ ନିଜ ଘରେ ବାଇବଲ ପଢ଼ୁଛନ୍ତି ।

ବାପ୍ତିସ୍ମ ପରେ ମଧ୍ୟ ଲଗାତାର ପବିତ୍ର ଶକ୍ତିର ମାର୍ଗଦର୍ଶନରେ ଚାଲନ୍ତୁ (ପାରାଗ୍ରାଫ ୧୪)


ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ଆଉ କେଉଁ ଉପାୟରେ ବାପ୍ତିସ୍ମ ହୁଏ ?

ପାଣିରେ ବାପ୍ତିସ୍ମ ନେବା ବ୍ୟତୀତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ଏହି ଉପାୟଗୁଡ଼ିକରେ ବି ବାପ୍ତିସ୍ମ ହୁଏ:

  • ସେମାନଙ୍କର ପବିତ୍ର ଶକ୍ତିରୁ ବାପ୍ତିସ୍ମ ହୁଏ । ଏହା ସେସମୟରେ ହୁଏ ଯେବେ ସେମାନଙ୍କୁ ଖ୍ରୀଷ୍ଟଙ୍କ ସହ ସ୍ୱର୍ଗରେ ସେବା କରିବା ପାଇଁ ବଛାଯାଏ । (ମାଥି. ୩:୧୧)

  • ସେମାନଙ୍କର ‘ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ’ ହୁଏ । ଏହାର ଅର୍ଥ ସେମାନେ ଖ୍ରୀଷ୍ଟଙ୍କ ସହିତ ଏକତାରେ ଥାʼନ୍ତି, ଯାହାଯୋଗୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ଶରୀର ବି କୁହାଯାଇପାରେ । (ଗାଲା. ୩:୨୭, ୨୮; ୧ କରି. ୧୨:୨୭)

  • ସେମାନଙ୍କର ଖ୍ରୀଷ୍ଟଙ୍କ ମରଣରେ ବାପ୍ତିସ୍ମ ହୁଏ । ଏହାର ଅର୍ଥ, ଯେବେ ସେମାନଙ୍କର ମୃତ୍ୟୁ ହୁଏ, ତେବେ ସେମାନଙ୍କୁ ସ୍ୱର୍ଗରେ ଜୀବିତ କରାଯାଏ ଏବଂ ସେସମୟ ଯାଏ ସେମାନେ ଯୀଶୁଙ୍କ ଭଳି ଯିହୋବାଙ୍କର ବିଶ୍ୱସ୍ତ ରହନ୍ତି । (ରୋମୀ. ୬:୩-୫)

୧୫. ଆମକୁ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ?

୧୫ କʼଣ ଆପଣଙ୍କର ବାପ୍ତିସ୍ମ ହୋଇସାରିଛି ଏବଂ ଆପଣ ଯିହୋବାଙ୍କ ସାକ୍ଷୀ ଅଟନ୍ତି ? ଯଦି ହଁ, ତାହେଲେ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ‘ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷାକୁ’c ଭଲଭାବେ ବୁଝିବେ ଏବଂ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ଯେଉଁ ପ୍ରତିଜ୍ଞା କରିଥିଲେ ଓ ବାପ୍ତିସ୍ମ ନେଇଥିଲେ, ସେହି ଅନୁସାରେ ନିଜର ଜୀବନ ବିତାଇବେ । କିନ୍ତୁ ଯଦି ଆପଣଙ୍କର ବାପ୍ତିସ୍ମ ହୋଇନାହିଁ, ତାହେଲେ ଭାବନ୍ତୁ ଯେ କେଉଁ କଥା ଆପଣଙ୍କୁ ଏହି ପଦକ୍ଷେପ ନେବା ପାଇଁ ରୋକୁଛି । ପରବର୍ତ୍ତୀ ଲେଖାରେ ଆମେ ଜାଣିବା ଯେ ଆମେ କିପରି ଏହି ଲକ୍ଷ୍ୟକୁ ହାସଲ କରିପାରିବା ।

ଆପଣ କʼଣ ଉତ୍ତର ଦେବେ ?

  • ବାପ୍ତିସ୍ମ ନେଇ ଆମେ କʼଣ ଦେଖାଉ ?

  • ବାପ୍ତିସ୍ମ ପ୍ରାର୍ଥୀମାନଙ୍କୁ କେଉଁ ଦୁଇଟି ପ୍ରଶ୍ନ ପଚରାଯାଏ ଏବଂ କାହିଁକି ?

  • ‘ପିତା, ପୁତ୍ର ଓ ପବିତ୍ର ଶକ୍ତିର ନାମରେ ବାପ୍ତିସ୍ମ’ ନେବାର ଅର୍ଥ କʼଣ ?

ଗୀତ ୧୬୧ ତୋ ଇଚ୍ଛାରେ ମୋ ଆନନ୍ଦ

a ଗ୍ରୀକ୍‌ ଶବ୍ଦ ବାପ୍ତିସ୍ମର ଅର୍ଥ ହେଉଛି, “ପୂରାପୂରି ଭାବେ ପାଣି ଭିତରକୁ ଯିବା” କିମ୍ବା “ପୂରାପୂରି ଭାବେ ପାଣିରେ ବୁଡ଼ାଇବା ।” ଏଥିରୁ ଜଣାପଡ଼େ ଯେ ବାପ୍ତିସ୍ମର ଅର୍ଥ କେବଳ ପାଣି ଛିଞ୍ଚିବା ନୁହେଁ, ଯେପରି କିଛି ଧର୍ମଗୁଡ଼ିକରେ କରାଯାଏ, ବରଂ ବାପ୍ତିସ୍ମର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତିକୁ ପୂରାପୂରି ଭାବେ ପାଣିରୁ ବୁଡ଼ାଇ ବାହାର କରିବା ।

b ପାଉଲ ଏଫିସର ଯେଉଁ ଲୋକମାନଙ୍କୁ ଭେଟିଥିଲେ, ସେମାନେ ‘ଯୋହନଙ୍କ ବାପ୍ତିସ୍ମ’ ନେଇଥିଲେ । (ପ୍ରେରି. ୧୯:୩) ବାପ୍ତିଜକ ଯୋହନ ଯିହୁଦୀମାନଙ୍କୁ କହିଥିଲେ ଯେ ସେମାନେ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଗୁଡ଼ିକ ପାଇଁ ପଶ୍ଚାତାପ କରନ୍ତୁ ଏବଂ ଯେଉଁମାନେ ଏପରି କଲେ, ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଲେ । (ମାର୍କ ୧:୪, ୫) କିନ୍ତୁ ମୋଶାଙ୍କ ବ୍ୟବସ୍ଥା ରଦ୍ଦ ହେବା ପରେ ଯିହୋବାଙ୍କ ମଞ୍ଜୁରି ପାଇବା ପାଇଁ ଜଣେ ବ୍ୟକ୍ତିକୁ ଖ୍ରୀଷ୍ଟିୟାନ ଭାବେ ବାପ୍ତିସ୍ମ ନେବା ଜରୁରୀ ଥିଲା । ସେହି “ଏକ ବାପ୍ତିସ୍ମ” ଯୋଗୁଁ ଜଣେ ବ୍ୟକ୍ତି ଉଦ୍ଧାର ପାଆନ୍ତା ।—ଏଫି. ୪:୫.

c jw.org ୱେବସାଇଟ୍‌ରେ ଓ JW ଲାଇବ୍ରେରୀରେ “ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର” ଭାଗରେ ଦିଆଯାଇଥିବା ଲେଖା “ବାପ୍ତିସ୍ମା ଲେନେ କା କ୍ୟା ମତଲବ ହୈ ?” ପଢ଼ନ୍ତୁ ।

d ଚିତ୍ର ବିଷୟରେ: ଗୋଟିଏ ସମ୍ମିଳନୀରେ ବାପ୍ତିସ୍ମ ପ୍ରାର୍ଥୀମାନେ ସମସ୍ତଙ୍କ ସାମନାରେ ନିଜ ବିଶ୍ୱାସକୁ ପ୍ରକାଶ କରୁଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ