ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଫେବୃୟାରୀ ପୃଷ୍ଠା ୨୦-୨୫
  • ବାପ୍ତିସ୍ମ ପରେ ଯେଉଁ ସମସ୍ୟାଗୁଡ଼ିକ ଆସିବ, ତାହାର ସାମନା କରିବା ପାଇଁ ପ୍ରସ୍ତୁତ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାପ୍ତିସ୍ମ ପରେ ଯେଉଁ ସମସ୍ୟାଗୁଡ଼ିକ ଆସିବ, ତାହାର ସାମନା କରିବା ପାଇଁ ପ୍ରସ୍ତୁତ ରହନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯେବେ କେହି ଭାଇ କିମ୍ବା ଭଉଣୀ ଆପଣଙ୍କୁ ଗଭୀର ଦୁଃଖ ପହଞ୍ଚାନ୍ତି
  • ଯେବେ ଆପଣଙ୍କୁ ପୂର୍ବ କଥାଗୁଡ଼ିକ ମନେ ପଡ଼େ
  • ଯେବେ କେହି ଯିହୋବାଙ୍କୁ ଛାଡ଼ି ଦିଏ
  • ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଭାଇଭଉଣୀମାନଙ୍କର ନିକଟତର ହୁଅନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଫେବୃୟାରୀ ପୃଷ୍ଠା ୨୦-୨୫

୨୭ ଏପ୍ରିଲ୍‌–୩ ମେ, ୨୦୨୬

ଗୀତ ୯୯ ସାକ୍ଷୀ ଆମେ ହଜାରେ-ହଜାରେ

ବାପ୍ତିସ୍ମ ପରେ ଯେଉଁ ସମସ୍ୟାଗୁଡ଼ିକ ଆସିବ, ତାହାର ସାମନା କରିବା ପାଇଁ ପ୍ରସ୍ତୁତ ରହନ୍ତୁ

‘ମୋହର ପାଦକୁ ତୁମ୍ଭର ମାର୍ଗରେ ଦୃଢ଼ କରି ଧର ।’—ଗୀତ. ୧୭:୫.

କʼଣ ଶିଖିବା ?

ଯେଉଁମାନେ କିଛି ଦିନ ହେବ ବାପ୍ତିସ୍ମ ନେଇଛନ୍ତି, ସେମାନେ ଆଗକୁ ଯେଉଁ ସମସ୍ୟା ଆସିବ ତାହାର ସାମନା କରିବା ପାଇଁ କିପରି ପ୍ରସ୍ତୁତ ରହିପାରିବେ ?

୧-୨. ଉଦାହରଣ ଦେଇ ବୁଝାନ୍ତୁ ଯେ ବାପ୍ତିସ୍ମ ପରେ ଆମେ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ କିପରି ନିଜକୁ ପ୍ରସ୍ତୁତ କରିପାରିବା ?

ଶୟତାନର ଏହି ଦୁନିଆରେ ସମସ୍ୟାଗୁଡ଼ିକ ନିଶ୍ଚୟ ଆସିବ । ଯୀଶୁ ବି ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ “ବିଘ୍ନ ତ ନିଶ୍ଚୟ ଘଟିବ ।” (ମାଥି. ୧୮:୭) ଅନେକ ଥର ଏପରି ହୁଏ ଯେ ଏହି ସମସ୍ୟାଗୁଡ଼ିକ ଭାଇଭଉଣୀମାନଙ୍କ ଯୋଗୁଁ ବି ଆସିପାରେ । ସେଥିପାଇଁ ଏହି ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଏବେଠାରୁ ପ୍ରସ୍ତୁତ ରହିବା ଆମ ପାଇଁ ବହୁତ ଜରୁରୀ ।

୨ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଆମକୁ ମଣ୍ଡଳୀ ଜରିଆରେ ଲଗାତାର ଏହା ମନେ ପକାଇ ଦିଆଯାଏ ଯେ ଆମକୁ ପ୍ରାକୃତିକ ବିପତ୍ତିଗୁଡ଼ିକ ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ । ଆମେ ଏଗୁଡ଼ିକର ସାମନା କରିବା ପାଇଁ କିପରି ପ୍ରସ୍ତୁତି କରୁ ? ସର୍ବପ୍ରଥମେ ଆମେ ଏହା ଜାଣିବା ପାଇଁ ଚେଷ୍ଟା କରୁ ଯେ ଆମ ଅଞ୍ଚଳରେ କେଉଁ ବିପତ୍ତିଗୁଡ଼ିକ ଆସିପାରେ । ଏପରି କରିବା ସେସମୟରେ ଅଧିକ ଜରୁରୀ ହୋଇଥାଏ, ଯେବେ ଆମେ କୌଣସି ନୂଆ ଜାଗାରେ ଯାଇ ରହିବାକୁ ଲାଗୁ । ଏହାପରେ ଆମେ ପ୍ରତ୍ୟେକ ବିପତ୍ତିର କିପରି ସାମନା କରିବା, ତାହାର ଯୋଜନା ପ୍ରସ୍ତୁତ କରୁ । (ହିତୋ. ୨୧:୫) ଠିକ୍‌ ସେହିଭଳି, ଆମେ ପୂର୍ବରୁ ଭାବିପାରିବା ଯେ ବାପ୍ତିସ୍ମ ପରେ ଆମକୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିପାରେ । ଏହାପରେ ଆମେ ସେଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତି କରିପାରିବା । ଏପରି କଲେ ସମସ୍ୟାଗୁଡ଼ିକ ସମୟରେ ଆମ ବିଶ୍ୱାସ ଦୁର୍ବଳ ହେବ ନାହିଁ ଏବଂ ଯିହୋବାଙ୍କ ସହିତ ଆମ ସମ୍ପର୍କ ଦୃଢ଼ ହୋଇ ରହିବ । (ଗୀତ. ୧୭:୫) ଏବେ ଆସନ୍ତୁ ଆମେ ତିନୋଟି ସମସ୍ୟା ବିଷୟରେ ଆଲୋଚନା କରିବା, ଯାହା ବାପ୍ତିସ୍ମ ପରେ ଆମକୁ ସାମନା କରିବାକୁ ପଡ଼ିପାରେ ଏବଂ ଜାଣିବା ଯେ ଆମେ କିପରି ପ୍ରତ୍ୟେକ ସମସ୍ୟାର ସାମନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବା ।a

ଯେବେ କେହି ଭାଇ କିମ୍ବା ଭଉଣୀ ଆପଣଙ୍କୁ ଗଭୀର ଦୁଃଖ ପହଞ୍ଚାନ୍ତି

୩. ବାପ୍ତିସ୍ମ ପରେ ହୁଏତ ଆମକୁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିବ ?

୩ ସେହି ଦିନକୁ ମନେ ପକାନ୍ତୁ ଯେବେ ଆପଣ ପ୍ରଥମ ଥର ଯିହୋବାଙ୍କ ସାକ୍ଷୀମାନଙ୍କ ସଭାକୁ ଯାଇଥିଲେ । ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ପ୍ରେମ ଦେଖି ଆପଣଙ୍କୁ କିପରି ଲାଗିଥିଲା ? କʼଣ ଆପଣଙ୍କୁ ବିଶ୍ୱାସ ହୋଇଯାଇଥିଲା ଯେ ଏହା ହିଁ ସତ୍ୟ ? (ଯୋହ. ୧୩:୩୫; କଲ. ୩:୧୨) ଭଉଣୀ ବ୍ଲାଙ୍କାଙ୍କb ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କର ବାପ୍ତିସ୍ମ ପରେ ଏପରି କିଛି ହେଲା, ଯାହା ବିଷୟରେ ସେ କେବେ ଭାବି ବି ନ ଥିଲେ । ସେ କହନ୍ତି, “ଜଣେ ଭଉଣୀ ମୋ ସହିତ ବହୁତ ଖରାପ ବ୍ୟବହାର କଲେ ଏବଂ ମୁଁ ତାଙ୍କୁ ମଣ୍ଡଳୀରେ ଅନ୍ୟ ଭାଇଭଉଣୀମାନଙ୍କ ବିଷୟରେ ବି ଓଲଟା ସିଧା କଥା କହିବାର ଶୁଣିଲି । ମୁଁ ଭାବି ନ ଥିଲି ଯେ ମଣ୍ଡଳୀରେ ବି ଏପରି କିଛି ହୋଇପାରେ । କାରଣ ମୁଁ ଏହା ହିଁ ଶିଖିଥିଲି ଯେ ଯିହୋବାଙ୍କ ଲୋକମାନେ ସବୁବେଳେ ପରସ୍ପର ସହିତ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତି ଏବଂ ପରସ୍ପରକୁ ବହୁତ ପ୍ରେମ କରନ୍ତି ।” ଏହା ସତ ଯେ ଯିହୋବାଙ୍କ ଲୋକମାନେ ଖ୍ରୀଷ୍ଟିୟାନ ଗୁଣଗୁଡ଼ିକୁ ବଢ଼ାଇବା ପାଇଁ ବହୁତ ପରିଶ୍ରମ କରନ୍ତି । କିନ୍ତୁ ସେମାନେ ବି ଅପରିପୂର୍ଣ୍ଣ ଅଟନ୍ତି ଏବଂ ସେମାନଙ୍କ ଦ୍ୱାରା ବି ଭୁଲ ହୋଇଯାଏ । (ଏଫି. ୪:୨୩, ୨୪; ୧ ଯୋହ. ୧:୮) ସେଥିପାଇଁ ବେଳେବେଳେ କେହି ଭାଇ କିମ୍ବା ଭଉଣୀ ହୁଏତ ଆପଣଙ୍କ ସହିତ ଏପରି ବ୍ୟବହାର କରିବେ କିମ୍ବା ଆପଣଙ୍କୁ ଏପରି କଥା କହିବେ, ଯାହାଯୋଗୁଁ ଆପଣଙ୍କୁ ଗଭୀର ପହଞ୍ଚିବ । (ଯାକୁ. ୩:୮) ଆଉ ଏହା ବହୁତ ଦୁଃଖର କଥା ଯେ ଏହି କାରଣ ଯୋଗୁଁ କିଛି ଭାଇଭଉଣୀ ଯିହୋବାଙ୍କ ସେବା କରିବା ପାଇଁ ଛାଡ଼ି ଦେଇଛନ୍ତି ।

୪. ଆମେ ଏବେଠାରୁ କʼଣ କରିପାରିବା, ଯାହାଫଳରେ ଯଦି କେହି ଭାଇ କିମ୍ବା ଭଉଣୀ ଆମକୁ ଗଭୀର ଦୁଃଖ ପହଞ୍ଚାନ୍ତି, ତାହେଲେ ଆମ ବିଶ୍ୱାସ ଦୁର୍ବଳ ହୋଇ ନ ଯାଉ ? (ଏଫିସୀୟ ୪:୩୨)

୪ ସେଥିପାଇଁ ପ୍ରଶ୍ନ ଉଠେ ଯେ ଆପଣ ଏବେଠାରୁ କʼଣ କରିପାରିବେ, ଯାହାଫଳରେ ଯଦି କେହି ଭାଇ କିମ୍ବା ଭଉଣୀ ଆପଣଙ୍କୁ ଗଭୀର ଦୁଃଖ ପହଞ୍ଚାନ୍ତି, ତାହେଲେ ଆପଣଙ୍କ ବିଶ୍ୱାସ ଦୁର୍ବଳ ହୋଇ ନ ଯାଉ ? ଏଫିସୀୟ ୪:୩୨ ପଦରେ ଯେଉଁ ଗୁଣଗୁଡ଼ିକ ବିଷୟରେ ଦିଆଯାଇଛି, ସେଗୁଡ଼ିକୁ ଦେଖାଇବା ପାଇଁ ଚେଷ୍ଟା କରନ୍ତୁ । (ପଢ଼ନ୍ତୁ ।) ଯଦି ଆପଣ ସବୁବେଳେ ଅନ୍ୟମାନଙ୍କ ସହ ପ୍ରେମର ସହିତ ବ୍ୟବହାର କରିବେ, ତାହେଲେ ଆପଣ ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ କରିବେ ନାହିଁ । ଅନ୍ୟମାନଙ୍କ ଭୁଲଗୁଡ଼ିକୁ ହୃଦୟରୁ କ୍ଷମା କରିବା ପାଇଁ ପୂରା ଚେଷ୍ଟା କରନ୍ତୁ । ଭାବନ୍ତୁ ଯେ ଆପଣ ବାରମ୍ବାର ଯିହୋବାଙ୍କୁ ନିଜ ଭୁଲଗୁଡ଼ିକ ପାଇଁ କ୍ଷମା ମାଗନ୍ତି ଏବଂ ଯିହୋବା ଆପଣଙ୍କୁ ପ୍ରତିଥର କ୍ଷମା କରିଦିଅନ୍ତି । (ମାଥି. ୬:୧୨) ଯେବେ ଆପଣ ଏବିଷୟରେ ଭାବିବେ ଯେ ଆମ ପ୍ରେମମୟ ପିତା ଯିହୋବା କେତେ ଦୟାଳୁ ଅଟନ୍ତି, ତେବେ ଆପଣଙ୍କ ବି ଅନ୍ୟମାନଙ୍କୁ ହୃଦୟରୁ କ୍ଷମା କରିପାରିବେ ।

୫. ଯେବେ କେହି ଭାଇ କିମ୍ବା ଭଉଣୀ ଆମକୁ ଗଭୀର ଦୁଃଖ ପହଞ୍ଚାନ୍ତି, ତେବେ ଆମେ କେଉଁ ସିଦ୍ଧାନ୍ତକୁ ମନେ ରଖିପାରିବା ? (ହିତୋପଦେଶ ୧୯:୧୧) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୫ ହିତୋପଦେଶ ୧୯:୧୧ ପଢ଼ନ୍ତୁ । ବାଇବଲରେ କୁହାଯାଇଛି ଯେ ଯଦି କେହି ଭାଇ କିମ୍ବା ଭଉଣୀ ଆମକୁ ଗଭୀର ଦୁଃଖ ପହଞ୍ଚାନ୍ତି, ତାହେଲେ ସୁବୁଦ୍ଧିc ଆମକୁ କ୍ରୋଧ କରିବାରୁ ରୋକିଥାଏ । ଏହି ସିଦ୍ଧାନ୍ତରୁ ରିମାଙ୍କୁ ବହୁତ ସାହାଯ୍ୟ ମିଳିଲା । କିଛି ବର୍ଷ ହେଲା ତାଙ୍କର ବାପ୍ତିସ୍ମ ହୋଇଛି । ସେ କହନ୍ତି, “ଯେବେ କେହି ଭାଇ କିମ୍ବା ଭଉଣୀଙ୍କ କଥାରୁ ମୋତେ ଗଭୀର ଦୁଃଖ ପହଞ୍ଚେ, ତେବେ ମୁଁ ସର୍ବପ୍ରଥମେ ହିତୋପଦେଶ ୧୯:୧୧ ପଦରେ ଲେଖାଥିବା କଥାକୁ ମନେ ପକାଏ । ମୁଁ ଏହା ବୁଝିବା ପାଇଁ ଚେଷ୍ଟା କରେ ଯେ ସେମାନେ କାହିଁକି ଏପରି କରିଥିବେ । କʼଣ ସେମାନେ କୌଣସି ସମସ୍ୟାର ସାମନା କରୁଛନ୍ତି, ଯାହାଯୋଗୁଁ ସେମାନେ ଏପରି କଲେ ? ମୁଁ ତାଙ୍କ ସହିତ ପ୍ରଚାର କରିବା ପାଇଁ ବି ଚେଷ୍ଟା କରେ । ଏପରି କରି ମୁଁ ସେମାନଙ୍କୁ ଭଲଭାବେ ଜାଣିପାରେ ।” ପ୍ରକୃତରେ ଏହି ପରାମର୍ଶ ବହୁତ ଲାଭଦାୟକ ଅଟେ । ଆପଣ ବି ଏବେଠାରୁ ନିଜ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଆହୁରି ଭଲଭାବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଯେତିକି ଅଧିକ ସେମାନଙ୍କୁ ଜାଣିବେ ଓ ସେମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରିବେ, ସେତିକି ଅଧିକ ଆପଣଙ୍କ ପାଇଁ ସେମାନଙ୍କୁ କ୍ଷମା କରିବା ସହଜ ହୋଇଯିବ ।

ଚିତ୍ରଗୁଡ଼ିକ: ୧. ରାଜ୍ୟଘର ବାହାରେ ଜଣେ ଭାଇ ଅନ୍ୟ ଜଣେ ଭାଇଙ୍କ ସହ ଯେପରି ଭାବେ କଥା ହେଉଛନ୍ତି, ସେଥିରୁ ତାଙ୍କୁ ଖରାପ ଲାଗିଲା । ୨. ପରେ ଏହି ଭାଇ ସେହି ଭାଇଙ୍କ ସହିତ ଖୁସିର ସହ ଘର ଘର ପ୍ରଚାର କରୁଛନ୍ତି, ଯିଏ ତାଙ୍କୁ ଦୁଃଖ ପହଞ୍ଚାଇଥିଲେ ।

ଯଦି କେହି ଭାଇ କିମ୍ବା ଭଉଣୀ ନିଜ କଥା ବା କାମରୁ ଆପଣଙ୍କୁ ଦୁଃଖ ପହଞ୍ଚାଇଛନ୍ତି, ତାହେଲେ ବି ତାଙ୍କ ସହିତ ପ୍ରଚାର କରନ୍ତୁ (ପାରାଗ୍ରାଫ ୫)


୬. ଭାଇଭଉଣୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଆମେ କʼଣ କରିପାରିବା ?

୬ ଭାଇଭଉଣୀମାନଙ୍କ ସହିତ ଭଲ ସମ୍ପର୍କ ଗଢ଼ିବା ପାଇଁ ଆପଣ କʼଣ କରିପାରିବେ ? ଯେବେ ଆପଣ ସେମାନଙ୍କୁ ଆହୁରି ଭଲଭାବେ ଜାଣିବା ପାଇଁ ଚେଷ୍ଟା କରିବେ, ତେବେ ସେମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । (ହିତୋ. ୧୦:୧୨ ପଦ ସହ ତୁଳନା କରନ୍ତୁ; ରୋମୀ. ୧୨:୧୦; ଫିଲିପ୍‌. ୨:୨, ୩) ମାର୍କ ନାମକ ଜଣେ ଭାଇ ବି ଏପରି ହିଁ କଲେ । ତାଙ୍କର କିଛି ଦିନ ହେଲା ବାପ୍ତିସ୍ମ ହୋଇଛି । ଯେବେ ସେ ମଣ୍ଡଳୀରେ ଭାଇଭଉଣୀମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ଲାଗିଲେ, ତେବେ ତାଙ୍କୁ ସେମାନଙ୍କ ଦୁର୍ବଳତାଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଗଲା । ଏପରି ସମୟରେ ଭାଇ ମାର୍କ କʼଣ କଲେ, ଯାହାଫଳରେ ତାଙ୍କ ବିଶ୍ୱାସ ଦୁର୍ବଳ ହୋଇ ନ ଯାଉ ? ସେ କହନ୍ତି, “ମୋତେ ଏହା ଅନୁଭବ ହେଲା ଯେ ମୁଁ ଭାଇଭଉଣୀମାନଙ୍କ ଛୋଟ ଛୋଟ ଦୁର୍ବଳତାଗୁଡ଼ିକୁ ମଧ୍ୟ ବେଶୀ ଧ୍ୟାନ ଦେଉଛି । ଦୁନିଆର ଲୋକମାନେ ଯେଉଁ ଭୁଲଗୁଡ଼ିକ କରନ୍ତି, ତାହା ତୁଳନାରେ ଆମ ଭାଇଭଉଣୀମାନଙ୍କ ଭୁଲଗୁଡ଼ିକ କିଛି ବି ନୁହେଁ । ତେଣୁ ମୁଁ ଭାବିନେଲି ଯେ ଏବେଠାରୁ ମୁଁ ଭାଇଭଉଣୀମାନଙ୍କ ଦୁର୍ବଳତାଗୁଡ଼ିକ ବିଷୟରେ ଭାବୁ ନ ଥିବି । ଏହା ପରିବର୍ତ୍ତେ ମୁଁ ସେମାନଙ୍କ ଭଲଗୁଣଗୁଡ଼ିକ ଉପରେ ଧ୍ୟାନ ଦେବି ।” ଯଦି ଆପଣ ବି ଏପରି କରିବେ, ତାହେଲେ ଭାଇଭଉଣୀମାନଙ୍କ ସହିତ ଆପଣଙ୍କ ମିତ୍ରତା ଆହୁରି ଦୃଢ଼ ହୋଇଯିବ ।

ଯେବେ ଆପଣଙ୍କୁ ପୂର୍ବ କଥାଗୁଡ଼ିକ ମନେ ପଡ଼େ

୭. ଆମେ କେଉଁ କାରଣଗୁଡ଼ିକ ଯୋଗୁଁ ପୂର୍ବ କଥାଗୁଡ଼ିକୁ ମନେ ପକାଇବାକୁ ଲାଗିପାରୁ ?

୭ ସେହି ଦିନକୁ ମନେ ପକାନ୍ତୁ, ଯେବେ ଆପଣ ସତ୍ୟକୁ ଆପଣାଇଥିଲେ ଏବଂ ଯିହୋବାଙ୍କ ସାକ୍ଷୀ ହୋଇଥିଲେ । ଆପଣଙ୍କୁ ଏହି କଥା ପାଇଁ ବହୁତ ଖୁସି ଲାଗିଥିଲା ଯେ ଆପଣ ଶୟତାନର ଦୁନିଆରୁ ମୁକ୍ତ ହୋଇଯାଇଛନ୍ତି । ଆପଣ ହୁଏତ ଏପରି ଭାବିଥିବେ, ‘କିଏ ଏହି ଦୁନିଆକୁ ପୁଣିଥରେ ଫେରିବା ପାଇଁ ଚାହିଁବ ?’ କିନ୍ତୁ ଯେବେ ଆପଣଙ୍କ ଜୀବନରେ ସମସ୍ୟାଗୁଡ଼ିକ ଆସିଲା, ତେବେ ହୁଏତ ଆପଣଙ୍କୁ ପୂର୍ବ କଥାଗୁଡ଼ିକ ମନେ ପଡ଼ିବ ଯାହା ଆପଣ ଯିହୋବାଙ୍କ ସେବା କରିବା ପାଇଁ ତ୍ୟାଗ କରିଦେଇଥିଲେ । (ଗଣ. ୧୧:୪-୬ ପଦ ସହ ତୁଳନା କରନ୍ତୁ ।) ଉଦାହରଣ ପାଇଁ, କିଛି ଭାଇଭଉଣୀ ହୁଏତ ଭଲ ଚାକିରି ଛାଡ଼ିଥିବେ, କାରଣ ସେଥିରେ ତାଙ୍କୁ ବହୁତ ସମୟ ଦେବାକୁ ପଡ଼ୁଥିଲା । ଆଉ କିଛି ଭାଇଭଉଣୀଙ୍କ ସାଙ୍ଗମାନେ ସେମାନଙ୍କୁ ଛାଡ଼ିଦେଲେ, କାରଣ ସେମାନେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ । ତାʼସହିତ କିଛି ଭାଇଭଉଣୀ ନିଜର କୌଣସି ଖରାପ ଅଭ୍ୟାସକୁ ଛାଡ଼ିଦେଲେ ଯେଉଁଥିରୁ ସେମାନଙ୍କୁ ଖୁସି ମିଳୁଥିଲା, କିନ୍ତୁ ତାହା ଯିହୋବାଙ୍କୁ ପସନ୍ଦ ନ ଥିଲା । ଭାବନ୍ତୁ, ଯଦି କେହି ପୂର୍ବ କଥାଗୁଡ଼ିକୁ ମନେ ପକାଇ ଶୟତାନର ଦୁନିଆକୁ ପୁଣିଥରେ ଫେରିଯିବା ପାଇଁ ଚାହିଁବ, ତାହେଲେ ଯିହୋବାଙ୍କୁ କେତେ ଦୁଃଖ ହେବ ! ଏବେ ଆସନ୍ତୁ ଜାଣିବା ଯେ ଆପଣ ସମସ୍ୟା ସମୟରେ ଯିହୋବାଙ୍କଠାରୁ ଦୂରେଇ ନ ଯିବା ପାଇଁ ଏବେଠାରୁ କʼଣ କʼଣ କରିପାରିବେ ?

୮. ଆମେ ଅବ୍ରହାମ ଓ ସାରାଙ୍କଠାରୁ କʼଣ ଶିଖିପାରିବା ?

୮ ବାଇବଲରେ ଏପରି ଅନେକ ବିଶ୍ୱସ୍ତ ସେବକମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ହୁଏତ ପୂର୍ବ କଥାଗୁଡ଼ିକୁ ମନେ ପକାଇ ପାରିଥାʼନ୍ତେ । ଉଦାହରଣ ପାଇଁ, ଅବ୍ରହାମ ଓ ସାରାଙ୍କ ବିଷୟରେ ଭାବନ୍ତୁ । ସେମାନେ ଊର ନାମକ ସୁରକ୍ଷିତ ସହରରେ ଆରାମର ଜୀବନ ବଞ୍ଚୁଥିଲେ । କିନ୍ତୁ ଯିହୋବାଙ୍କ ଆଜ୍ଞା ପାଳନ କରି ସେମାନେ ସେହି ସହରକୁ ଛାଡ଼ି ଗୋଟିଏ ଅଜଣା ଦେଶରେ ଯାଇ ତମ୍ବୁରେ ରହିବାକୁ ଲାଗିଲେ । (ଏବ୍ରୀ ୧୧:୮, ୯) ଯଦି ସେମାନେ ପୂର୍ବ କଥାଗୁଡ଼ିକୁ “ସ୍ମରଣ କରିଥାଆନ୍ତେ,” ତାହେଲେ ସେମାନଙ୍କୁ ପୁଣିଥରେ ସେହି ଜାଗାକୁ ଫେରି ଯିବା ପାଇଁ ଇଚ୍ଛା ହୁଅନ୍ତା । କିନ୍ତୁ ଅବ୍ରହାମ ଓ ସାରା ଏପରି କଲେ ନାହିଁ । ସେମାନେ ନିଜର ଧ୍ୟାନ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଲଗାଇ ରଖିଲେ । ସେମାନେ ସେହି ଆଶିଷଗୁଡ଼ିକ ବିଷୟରେ ଭାବିଲେ ଯାହା ଯିହୋବା ଆଗକୁ ଯାଇ ସେମାନଙ୍କୁ ଦିଅନ୍ତେ ।—ଏବ୍ରୀ ୧୧:୧୫, ୧୬.

୯. ପାଉଲ ଯାହା ତ୍ୟାଗ କରିଥିଲେ, ସେଗୁଡ଼ିକୁ ସେ କେଉଁ ଦୃଷ୍ଟିରେ ଦେଖୁଥିଲେ ? (ଫିଲିପ୍‌ପୀୟ ୩:୭, ୮, ୧୩, ୧୪)

୯ ଯିହୋବାଙ୍କ ସେବା କରିବା ପାଇଁ ପାଉଲ ନିଜ ଜୀବନରେ ଅନେକ ପରିବର୍ତ୍ତନ କଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ସେ ଗମଲୀୟେଲ ନାମକ ଜଣେ ପ୍ରସିଦ୍ଧ ଶିକ୍ଷକଙ୍କଠାରୁ ବ୍ୟବସ୍ଥାର ଶିକ୍ଷା ନେଇଥିଲେ । (ପ୍ରେରି. ୨୨:୩) ପାଉଲ ଏହି କ୍ଷେତ୍ରରେ ବହୁତ ଉନ୍ନତି କରୁଥିଲେ ଏବଂ ଆଗକୁ ଯାଇ ସେ ଜଣେ ବଡ଼ ଯିହୁଦୀ ଧର୍ମଗୁରୁ ହୋଇପାରିଥାʼନ୍ତେ । (ଗାଲା. ୧:୧୩, ୧୪) କିନ୍ତୁ ଖ୍ରୀଷ୍ଟିୟାନ ହେବା ପାଇଁ ସେ ଏସବୁ ତ୍ୟାଗ କଲେ । କʼଣ ଏହାପରେ ତାଙ୍କର ଜୀବନ ସହଜ ଥିଲା ? ନୁହଁ । ତାଙ୍କୁ ଅନେକ ଥର ମାର୍‌ପିଟ୍‌ କରାଗଲା, ଜେଲ୍‌ ହୋଇଗଲା ଓ ଯିହୁଦୀ ଲୋକମାନେ ତାଙ୍କୁ ବହୁତ ଘୃଣା କରୁଥିଲେ । (୨ କରି. ୧୧:୨୩-୨୬) ଯଦି ସେ କେବଳ ଏବିଷୟରେ ଭାବୁଥାʼନ୍ତେ ଯେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ତାଙ୍କର ଜୀବନ କେତେ ଭଲ ଥିଲା ଏବଂ ଏବେ ତାଙ୍କୁ କେତେ କଷ୍ଟ ସହିବାକୁ ପଡ଼ୁଛି, ତାହେଲେ ତାଙ୍କୁ ଲାଗନ୍ତା ଯେ ଖ୍ରୀଷ୍ଟିୟାନ ହୋଇ ସେ ବହୁତ ବଡ଼ ଭୁଲ କରିଛନ୍ତି । କିନ୍ତୁ ପାଉଲ କେବେ ବି ପୂର୍ବ କଥାଗୁଡ଼ିକୁ ମନେ ପକାଇଲେ ନାହିଁ । ସେ ଏହି କଥା ଉପରେ ଧ୍ୟାନ ଦେଲେ ଯେ ଖ୍ରୀଷ୍ଟଙ୍କ ଶିଷ୍ୟ ହେବା ତାଙ୍କ ପାଇଁ କେତେ ସମ୍ମାନର କଥା ଏବଂ ଆଗକୁ ଯାଇ ତାଙ୍କୁ ବହୁତ ବଡ଼ ପୁରସ୍କାର ମିଳିବ । ପାଉଲ କେବେ ବି ଅବଶୋଷ କଲେ ନାହିଁ । ତାଙ୍କୁ ପୂରା ଭରସା ଥିଲା ଯେ ଏହି ଆଶିଷଗୁଡ଼ିକ ତୁଳନାରେ ସେ କରିଥିବା ତ୍ୟାଗଗୁଡ଼ିକ କିଛି ବି ନୁହଁ ।—ଫିଲିପ୍‌ପୀୟ ୩:୭, ୮, ୧୩, ୧୪ ପଢ଼ନ୍ତୁ ।

୧୦. ଆମେ କେଉଁ ବିଷୟରେ ଲଗାତାର ଭାବିପାରିବା ? (ମାର୍କ ୧୦:୨୯, ୩୦) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୦ ଏଥିରୁ ଆପଣ କʼଣ ଶିଖିପାରିବେ ? ଯଦି ଆପଣଙ୍କୁ ପୂର୍ବ କଥାଗୁଡ଼ିକ ମନେ ପଡ଼େ, ତାହେଲେ ଭାବନ୍ତୁ ଯେ ଆପଣ ସେସବୁକୁ କାହିଁକି ତ୍ୟାଗ କରିଥିଲେ । (ଉପ. ୭:୧୦) ଏହା ବି ଭାବନ୍ତୁ ଯେ ସତ୍ୟରେ ଆସିବା ପରେ ଆପଣ ଯାହା ସବୁ ତ୍ୟାଗ କରିଥିଲେ, ତାʼବଦଳରେ ଆପଣଙ୍କୁ କେଉଁ କେଉଁ ଆଶିଷ ମିଳିଛି । ଆପଣ ଦୁନିଆର ମାଲିକ ଯିହୋବାଙ୍କର ମିତ୍ର ହୋଇପାରିଛନ୍ତି । (ହିତୋ. ୩:୩୨) ମଣ୍ଡଳୀରେ ଓ ସାରା ଦୁନିଆରେ ଆପଣଙ୍କର ଅନେକ ଭାଇଭଉଣୀ ଅଛନ୍ତି, ଯେଉଁମାନେ ଆପଣଙ୍କୁ ବହୁତ ପ୍ରେମ କରନ୍ତି । (ମାର୍କ ୧୦:୨୯, ୩୦ ପଢ଼ନ୍ତୁ ।) ତାʼସହିତ ଭବିଷ୍ୟତରେ ଯିହୋବା ଆପଣଙ୍କୁ ଅନେକ ଆଶିଷ ଦେବେ । (ଯିଶା. ୬୫:୨୧-୨୩) ଯଦି ଆପଣ ଲଗାତାର ସେହି ଆଶିଷଗୁଡ଼ିକ ବିଷୟରେ ଭାବିବେ ଯାହା ଯିହୋବାଙ୍କ ସେବା କରିବା ଦ୍ୱାରା ମିଳୁଛି, ତାହେଲେ ଆପଣଙ୍କୁ ପୂର୍ବ କଥାଗୁଡ଼ିକ ମନେ ପଡ଼ିବ ନାହିଁ ।

ପୂର୍ବ କଥାଗୁଡ଼ିକୁ ମନେ ପକାଇବା ପରିବର୍ତ୍ତେ ସେହି କାମରୁ ଖୁସି ପାଆନ୍ତୁ, ଯାହା ଯିହୋବା ଆପଣଙ୍କୁ ଦେଇଛନ୍ତି (ପାରାଗ୍ରାଫ ୧୦)e


୧୧. ଆପଣ ଭଉଣୀ ରୋଜମେରିଙ୍କଠାରୁ କʼଣ ଶିଖିଲେ ?

୧୧ ରୋଜମେରି ନାମକ ଭଉଣୀ ପ୍ରାୟ ୫୦ ବର୍ଷ ବୟସରେ ବାପ୍ତିସ୍ମ ନେଲେ । ସେ କହନ୍ତି, “ଯେବେ ମୁଁ ଯିହୋବାଙ୍କ ସାକ୍ଷୀ ହେଲି, ତେବେ ଆରମ୍ଭରେ ମୋତେ କ୍ରିସମାସ୍‌ ଦିନ ଭାରି ଏକୁଟିଆ ଲାଗୁଥିଲା । କାରଣ ମୋ ପୂରା ପରିବାର ମିଶି ବହୁତ ଖୁସିରେ ଏହି ପର୍ବ ପାଳନ କରୁଥିଲା । ମୁଁ ସମସ୍ତଙ୍କୁ ଉପହାର ଦେଉଥିଲି । ମୋର ପିଲାମାନେ ଓ ନାତିନାତୁଣୀମାନେ ଯେବେ କ୍ରିସମାସ୍‌ ଟ୍ରି ପାଖରେ ବସି ଉପହାର ଖୋଲୁଥିଲେ, ତେବେ ସେମାନେ ଭାରି ଖୁସି ହେଉଥିଲେ । ଏହା ଦେଖି ମୋତେ ବି ଖୁସି ଲାଗୁଥିଲା ।” ଧ୍ୟାନ ଦିଅନ୍ତୁ ଯେ ଭଉଣୀ ପୂର୍ବ କଥାଗୁଡ଼ିକୁ ମନେ ନ ପକାଇବା ପାଇଁ କʼଣ କଲେ । ସେ କହନ୍ତି, “ଏବେ ମୁଁ କ୍ରିସମାସ୍‌ ଦିନ ପରିବର୍ତ୍ତେ ଅନ୍ୟ ଦିନ ମୋ ପରିବାର ସହ ସମୟ ବିତାଇବା ପାଇଁ ସେମାନଙ୍କୁ ଡାକିଥାଏ । ସେହି ଦିନ ମୁଁ ସେମାନଙ୍କୁ ଉପହାର ଦିଏ ଏବଂ ସେମାନଙ୍କୁ କହେ ଯେ ମୁଁ କାହିଁକି ସେମାନଙ୍କୁ ବହୁତ ଭଲ ପାଏ ।” ଭଉଣୀଙ୍କୁ ଆଉ ଗୋଟିଏ ସମସ୍ୟାର ସାମନା କରିବାକୁ ପଡ଼ିଲା । ସେ କହନ୍ତି, “ସତ୍ୟ ଶିଖିବା ଯୋଗୁଁ ମୋ ସାଙ୍ଗମାନେ ମୋତେ ଛାଡ଼ିଦେଲେ । ବେଳେବେଳେ ମୋତେ ତାଙ୍କ କଥା ବହୁତ ମନେ ପଡ଼ୁଥିଲା ଏବଂ ମୁଁ ଭାରି ଏକୁଟିଆ ଅନୁଭବ କରୁଥିଲି ।”d ଏପରି ସମୟରେ ଭଉଣୀ କʼଣ କଲେ ? ସେ ଅଲଗା ଅଲଗା ଭଉଣୀଙ୍କ ସହ ପ୍ରଚାର କରିବା ପାଇଁ ଭାବିଲେ । ସେ କହନ୍ତି, “ଏପରି କରିବା ଦ୍ୱାରା ମୁଁ ଆହୁରି ଭଉଣୀମାନଙ୍କୁ ଜାଣିପାରିଲି ଏବଂ ସେମାନେ ମୋର ଭଲ ସାଙ୍ଗ ହୋଇଗଲେ । ଏବେ ମୋର ଅନେକ ସାଙ୍ଗ ଅଛନ୍ତି ।” ଆପଣ ଭଉଣୀ ରୋଜମେରିଙ୍କଠାରୁ କʼଣ ଶିଖନ୍ତି ? ଯିହୋବାଙ୍କ ସେବା କରିବା ପାଇଁ ହୁଏତ ଆପଣଙ୍କୁ ବି କିଛି ତ୍ୟାଗ କରିବାକୁ ପଡ଼ିଛି, ଯେଉଁଥିରୁ ଆପଣଙ୍କୁ ଖୁସି ମିଳୁଥିଲା । ସେହି ସବୁକଥା ଆପଣଙ୍କୁ ମନେ ପଡ଼ିପାରେ । କିନ୍ତୁ ଆପଣ ଚାହିଁଲେ ତାʼବଦଳରେ ଏପରି କିଛି କରିପାରିବେ, ଯେଉଁଥିରୁ ଆପଣଙ୍କୁ ପ୍ରକୃତ ଖୁସି ମିଳିବ । (ଫିଲିପ୍‌. ୪:୮, ୯) ସବୁବେଳେ ଏହି କଥା ମନେ ରଖନ୍ତୁ: ଆପଣ ଯିହୋବାଙ୍କ ପାଇଁ ଯାହା ବି ତ୍ୟାଗ କରିଛନ୍ତି ସେ ଆପଣଙ୍କୁ ତାʼଠାରୁ ବି ଅଧିକ ଆଶିଷ ଦେବେ !

ଯେବେ କେହି ଯିହୋବାଙ୍କୁ ଛାଡ଼ି ଦିଏ

୧୨. ମଣ୍ଡଳୀରେ ଏପରି କʼଣ ହୋଇପାରେ ଯାହାଯୋଗୁଁ ଆମକୁ ଦୁଃଖ ଲାଗିପାରେ ?

୧୨ ଯେବେ ଆମେ ଏହି ଦୁଷ୍ଟ ସଂସାରକୁ ଛାଡ଼ି ଯିହୋବାଙ୍କ ସାକ୍ଷୀ ହେଲୁ, ତେବେ ଆମକୁ ଏପରି ପରିବାର ମିଳିଲା ଯିଏ ସତ୍ୟର ମାର୍ଗରେ ଚାଲିବା ପାଇଁ ଚେଷ୍ଟା କରେ ଏବଂ ଅନ୍ୟମାନଙ୍କୁ ବି ଏବିଷୟରେ ଶିଖାଏ । ଏହା ଏପରି ଥିଲା ସତେ ଯେପରି ମରୁଭୂମି ଭଳି ଏହି ଦୁନିଆରେ ଆମକୁ ପାଣିର ଉତ୍ସ ମିଳିଗଲା । (ଯିଶା. ୬୫:୧୪) କିନ୍ତୁ ହୋଇପାରେ ମଣ୍ଡଳୀରେ କେହି ଭାଇ କିମ୍ବା ଭଉଣୀ ଗମ୍ଭୀର ପାପ କରେ କିମ୍ବା ହୁଏତ କାହାରିକୁ ମଣ୍ଡଳୀରୁ ବାହାର କରି ଦିଆଯାଏ । (୧ କରି. ୫:୧୩) ଏପରି ସମୟରେ କʼଣ ହୋଇପାରେ ? ଗୋଟିଏ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଭଉଣୀ ସମର କହନ୍ତି, “ମୋର ବାପ୍ତିସ୍ମର କିଛି ଦିନ ପରେ ଜଣେ ପ୍ରାଚୀନ ଗମ୍ଭୀର ପାପ କଲେ ଏବଂ ତାଙ୍କୁ ମଣ୍ଡଳୀରୁ ବାହାର କରିଦିଆଗଲା । ଏହି ଘଟଣାରୁ ମୁଁ ଭାରି ଚକିତ ହୋଇଗଲି । ମୋତେ ବିଶ୍ୱାସ ହିଁ ହେଉ ନ ଥିଲା ଯେ ଜଣେ ପ୍ରାଚୀନ ଯିହୋବାଙ୍କ ବିରୁଦ୍ଧରେ ଗମ୍ଭୀର ପାପ କରିପାରିବ ଏବଂ ମଣ୍ଡଳୀକୁ ଦୁଃଖ ପହଞ୍ଚାଇପାରିବ ।” ଏହା ସତ ଯେ ଆମକୁ ଭରସା କରିବା ଉଚିତ୍‌ ଯେ ଆମ ଭାଇଭଉଣୀମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହାନ୍ତି । (୧ କରି. ୧୩:୪, ୭) କିନ୍ତୁ ଏକଥା ବି ସତ ଯେ ପ୍ରତିବର୍ଷ କିଛି ଲୋକଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଏ । ଆଉ ଯଦି ସେମଧ୍ୟରୁ ଆମର କେହି ସାଙ୍ଗ, ସମ୍ପର୍କୀୟ କିମ୍ବା କୌଣସି ଏପରି ବ୍ୟକ୍ତି ଥାʼନ୍ତି ଯାହାଙ୍କ ଆମେ ବହୁତ ଆଦର କରୁ, ତାହେଲେ ଆମକୁ ବହୁତ ଦୁଃଖ ଲାଗେ ।

୧୩. ଆମେ ଏବେଠାରୁ କʼଣ କରିପାରିବା, ଯାହାଫଳରେ ଅନ୍ୟମାନଙ୍କ ଯୋଗୁଁ ଆମ ବିଶ୍ୱାସ ଦୁର୍ବଳ ହୋଇ ନ ଯାଉ ?

୧୩ ଆପଣ ଏବେଠାରୁ କʼଣ କରିପାରିବେ, ଯାହାଫଳରେ ଯଦି ଆପଣଙ୍କର ପ୍ରିୟଜନ ଯିହୋବାଙ୍କୁ ଛାଡ଼ି ଦିଅନ୍ତି, ତାହେଲେ ବି ଆପଣଙ୍କର ବିଶ୍ୱାସ ଦୁର୍ବଳ ହୋଇ ନ ଯାଉ ? ତାʼପାଇଁ ଆପଣ ଲଗାତାର ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରନ୍ତୁ । (ଯାକୁ. ୪:୮) ଏହା ସତ ଯେ ଆମେ ପ୍ରାୟ ନିଜ ପରିବାର ଓ ମଣ୍ଡଳୀର ଭାଇଭଉଣୀମାନଙ୍କ ସହ ମିଶି ଯିହୋବାଙ୍କ ଉପାସନା କରିଥାଉ । ଯେପରି ଆମେ ସାଙ୍ଗରେ ମିଶି ବାଇବଲ ପଢ଼ୁ ଏବଂ ପ୍ରାର୍ଥନା ମଧ୍ୟ କରୁ । କିନ୍ତୁ ଯିହୋବାଙ୍କ ସହ ନିଜ ମିତ୍ରତାକୁ ଦୃଢ଼ କରିବା ପାଇଁ ଆମକୁ ନିଜେ କିଛି କରିବାକୁ ପଡ଼ିବ । ଆମକୁ ପ୍ରତିଦିନ ପ୍ରାର୍ଥନା କରିବା ଏବଂ ବାଇବଲ ପଢ଼ିବାର ଅଭ୍ୟାସ କରିବାକୁ ପଡ଼ିବ । (ଗୀତ. ୧:୨; ୬୨:୮) ମନେ ରଖନ୍ତୁ, ଆପଣ ଅନ୍ୟମାନଙ୍କୁ ଦେଖି ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଇ ନ ଥିଲେ, ବରଂ ଏହା ଆପଣଙ୍କର ନିଜ ନିଷ୍ପତ୍ତି ଥିଲା । ତେଣୁ ଯେବେ ଅନ୍ୟମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି ନାହିଁ, ତେବେ ମଧ୍ୟ ଆପଣ ତାଙ୍କର ବିଶ୍ୱସ୍ତ ରହନ୍ତୁ ।

୧୪. ଆମେ ପ୍ରେରିତ ପିତରଙ୍କଠାରୁ କʼଣ ଶିଖିପାରିବା ? (ଯୋହନ ୬:୬୬-୬୮)

୧୪ ଏବିଷୟରେ ଆମେ ପ୍ରେରିତ ପିତରଙ୍କଠାରୁ ବି କିଛି ଶିଖିପାରିବା । ଥରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ କଥା କହିଲେ ଯାହା ସେମାନଙ୍କୁ ବୁଝାପଡ଼ିଲା ନାହିଁ, ତେଣୁ ସେମାନେ ତାଙ୍କ ପଛରେ ଚାଲିବା ଛାଡ଼ି ଦେଲେ । ହୁଏତ ପିତର ମଧ୍ୟ ଯୀଶୁଙ୍କ କଥାକୁ ପୂରାପୂରି ଭାବେ ବୁଝିପାରି ନ ଥିଲେ, ତଥାପି ସେ ନିଜେ ଯୀଶୁଙ୍କ ପଛରେ ଚାଲିବା ଜାରି ରଖିଲେ ଓ ତାଙ୍କର ବିଶ୍ୱସ୍ତ ରହିଲେ । (ଯୋହନ ୬:୬୬-୬୮ ପଢ଼ନ୍ତୁ ।) ପିତର ଏକଥା ଉପରେ ଧ୍ୟାନ ଦେଲେ ନାହିଁ ଯେ ଅନ୍ୟ ଶିଷ୍ୟମାନେ କʼଣ କରୁଛନ୍ତି । ଏହା ପରିବର୍ତ୍ତେ ସେ ସେହି ସତ୍ୟଗୁଡ଼ିକ ଉପରେ ନିଜର ଧ୍ୟାନ ଲଗାଇ ରଖିଲେ ଯାହା ସେ ଯୀଶୁଙ୍କଠାରୁ ଶିଖିଥିଲେ । ତେଣୁ ତାଙ୍କ ବିଶ୍ୱାସ ଦୁର୍ବଳ ହେଲା ନାହିଁ । ଠିକ୍‌ ସେହିଭଳି, ଯେବେ ଆଜି କିଛି ଲୋକ ଯିହୋବାଙ୍କର ସେବା କରିବା ଛାଡ଼ି ଦିଅନ୍ତି, ତେବେ ମନେ ରଖନ୍ତୁ ଯେ ଆପଣ ଯେଉଁ ସତ୍ୟଗୁଡ଼ିକୁ ଶିଖିଥିଲେ ତାହା ଯିହୋବାଙ୍କ ସଂଗଠନରୁ ହିଁ ଶିଖିଥିଲେ । ସେହି ସତ୍ୟଗୁଡ଼ିକ ବଦଳି ନାହିଁ, ସେଗୁଡ଼ିକ ଆଜି ବି ସେତେ ହିଁ ମହତ୍ତ୍ୱ ରଖେ । ତେଣୁ ସେହି ସତ୍ୟଗୁଡ଼ିକୁ ଧରି ରଖନ୍ତୁ ଏବଂ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତୁ । ଭଉଣୀ ସମର ଯାହାଙ୍କ ବିଷୟରେ ପୂର୍ବେ କୁହାଯାଇଥିଲା, ସେ କହନ୍ତି, “ମୁଁ ସବୁବେଳେ ଏହା ମନେ ରଖେ ଯେ ଜଣେ ବ୍ୟକ୍ତିର ପାପ କରିବାର ଅର୍ଥ ଏହା ନୁହେଁ ଯେ ମଣ୍ଡଳୀରେ ସମସ୍ତେ ସେପରି ଅଟନ୍ତି କିମ୍ବା ସଂଗଠନ ଯାହା ଶିଖାଏ ସେଥିରେ ଭୁଲ ଅଛି କିମ୍ବା ଯିହୋବାଙ୍କ ଭିତରେ କିଛି ତ୍ରୁଟି ରହିଛି ।”

୧୫. ଆପଣ ଏମିଲିଙ୍କ ଅନୁଭୂତିରୁ କʼଣ ଶିଖିଲେ ?

୧୫ ଧ୍ୟାନ ଦିଅନ୍ତୁ ଯେ ଏମିଲିଙ୍କ ସହ କʼଣ ହେଲା । ତାଙ୍କ ବାପ୍ତିସ୍ମର କେବଳ ଗୋଟିଏ ସପ୍ତାହ ପରେ ତାଙ୍କ ମାଆ ଘର ଛାଡ଼ି ପଳାଇଗଲେ ଏବଂ ତାଙ୍କୁ ମଣ୍ଡଳୀରୁ ବାହାର କରିଦିଆଗଲା । ଏମିଲି କହନ୍ତି, “ମୁଁ ସ୍ୱପ୍ନରେ ସୁଧା ଭାବି ନ ଥିଲି ଯେ ମୋ ମାଆ ଏପରି କରିପାରିବେ । ଏହା ମୋ ଜୀବନର ବହୁତ ବଡ଼ ଦୁଃଖ ଥିଲା । ମୋତେ ଆଜି ବି ତାଙ୍କର ବହୁତ ମନେ ପଡ଼େ ।” ଏମିଲି ଆଗକୁ କହନ୍ତି ଯେ ସେ କିପରି ଏହି ଦୁଃଖକୁ ସହିପାରିଲେ: “ମୁଁ ଜାଣିଛି ଯେ ମୁଁ ଏକୁଟିଆ ନାହିଁ । ଏହି କଠିନ ସମୟରେ ମୋ ବାପା ମୋର ବହୁତ ଯତ୍ନ ନେଲେ । ମଣ୍ଡଳୀର ଭାଇଭଉଣୀମାନେ ମଧ୍ୟ ନିଜ ପରିବାର ଭଳି ମୋତେ ସମ୍ଭାଳିଲେ । ସମସ୍ତେ କିଛି ନା କିଛି ସମସ୍ୟାର ସାମନା କରୁଛନ୍ତି । ତେଣୁ ଏହା ବହୁତ ଜରୁରୀ ଯେ ଆମେ ପରସ୍ପରର ନିକଟତର ରହୁ ଏବଂ ପରସ୍ପରର ଉତ୍ସାହ ବଢ଼ାଉ ।” (୧ ପିତ. ୫:୯) ତେଣୁ ଏବେଠାରୁ ଆପଣ ଭାଇଭଉଣୀମାନଙ୍କୁ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ, ଯାହାଫଳରେ ଯେବେ ଆପଣଙ୍କ ଜୀବନରେ ସମସ୍ୟା ଆସିବ ତେବେ ଆପଣ ଏକୁଟିଆ ନ ଥିବେ, ବରଂ ଭାଇଭଉଣୀମାନେ ଆପଣଙ୍କ ସାଙ୍ଗରେ ଥିବେ ।

୧୬. ଆମକୁ କେଉଁ କଥା ମନେ ରଖିବା ଉଚିତ୍‌ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ଏକଥା ବି ମନେ ରଖନ୍ତୁ ଯେ ଯିହୋବା ନିଜ ସେବକମାନଙ୍କୁ ଏଥିପାଇଁ ସୁଧାରନ୍ତି, କାରଣ ସେ ସେମାନଙ୍କୁ ବହୁତ ପ୍ରେମ କରନ୍ତି । (ଏବ୍ରୀ ୧୨:୬) ସେ ଚାହାନ୍ତି ଯେ ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଇଛି, ସେମାନେ ପଶ୍ଚାତାପ କରନ୍ତୁ ଏବଂ ପୁଣିଥରେ ତାଙ୍କ ପରିବାରରେ ଫେରି ଆସନ୍ତୁ । (୨ ପିତ. ୩:୯) ଯଦି ଆପଣଙ୍କ କେହି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଇଛି, ତାହେଲେ ଭରସା ରଖନ୍ତୁ ଯେ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ତାଙ୍କୁ ଯାହା ବି ସାହାଯ୍ୟ ଦରକାର ପ୍ରାଚୀନମାନେ ସେସବୁ ସାହାଯ୍ୟ ତାଙ୍କୁ ଯୋଗାଇବେ ।—୨ ତୀମ. ୨:୨୪, ୨୫.

ଦୁଇଜଣ ପ୍ରାଚୀନ ସେହି ବ୍ୟକ୍ତିକୁ ଭେଟିବା ପାଇଁ ଯାଇଛନ୍ତି ଯାହାକୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି । ଜଣେ ଭାଇ ବାଇବଲ ଖୋଲିଛନ୍ତି ଏବଂ ଅନ୍ୟ ଭାଇ ସେହି ବ୍ୟକ୍ତିକୁ “ୟହୋୱା କେ ପାସ ଲୋଟ ଆଇଏ” ପୁସ୍ତିକା ଦେଖାଉଛନ୍ତି ।

ଯଦି ଆପଣଙ୍କର କେହି ସାଙ୍ଗ କିମ୍ବା ସମ୍ପର୍କୀୟକୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ତାହେଲେ ମନେ ରଖନ୍ତୁ ଯେ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ପ୍ରାଚୀନମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି (ପାରାଗ୍ରାଫ ୧୬)f


୧୭. ଆମେ କେଉଁ କଥାର ଭରସା ରଖିପାରିବା ?

୧୭ ଏହି ଲେଖାରେ ଆମେ କିଛି ସମସ୍ୟାଗୁଡ଼ିକ ବିଷୟରେ ଚର୍ଚ୍ଚା କଲୁ, ଯାହା ବାପ୍ତିସ୍ମ ନେବା ପରେ ଆପଣଙ୍କ ସାମନାରେ ଆସିପାରେ । ହୁଏତ ଏଗୁଡ଼ିକ ବିଷୟରେ ଭାବି ଆପଣ ଚିନ୍ତାରେ ପଡ଼ିଯିବେ । କିନ୍ତୁ ଆପଣଙ୍କୁ ଡରିବା ଦରକାର ନାହିଁ । ଏଗୁଡ଼ିକର ସାମନା କରିବା ପାଇଁ ଆପଣ ଏବେଠାରୁ ପ୍ରସ୍ତୁତି କରିପାରିବେ । ଏକଥାକୁ ମନେ ରଖନ୍ତୁ ଯେ ଯିହୋବା ସବୁବେଳେ ଆପଣଙ୍କ ସାଙ୍ଗରେ ଅଛନ୍ତି । ସେ ଆପଣଙ୍କୁ ସମ୍ଭାଳିବେ ଓ ଆପଣଙ୍କୁ ଶକ୍ତି ଦେବେ । ସେ ଏବେ ଯାଏ ଆପଣଙ୍କୁ କେତେ ସାହାଯ୍ୟ କରିଛନ୍ତି ଏବଂ ସବୁଦିନ ଯାଏ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । (୧ ପିତ. ୫:୧୦) ଯାହା ବି ସମସ୍ୟା ଆସିଲେ ବି ସେ ଆପଣଙ୍କୁ ତାହାର ସାମନା କରିବା ପାଇଁ ସାହସ ଦେଇପାରିବେ । ତେଣୁ ଯଦି ଆପଣ ଯିହୋବାଙ୍କ ସାହାଯ୍ୟ ନେବା ଜାରି ରଖିବେ, ତାହେଲେ ଯେତେ ସମସ୍ୟା ଆସିଲେ ବି ସେଗୁଡ଼ିକ ଆପଣଙ୍କୁ ଯିହୋବାଙ୍କଠାରୁ ବିଚ୍ଛିନ୍ନ କରିପାରିବ ନାହିଁ !—ଗୀତ. ୧୧୯:୧୬୫; ରୋମୀ. ୮:୩୮, ୩୯.

ଆମେ ଏହି ସମସ୍ୟାଗୁଡ଼ିକର ସାମନା କରିବା ପାଇଁ କିପରି ପ୍ରସ୍ତୁତି କରିପାରିବା ?

  • ଯେବେ କେହି ଭାଇ କିମ୍ବା ଭଉଣୀ ଆମକୁ ଗଭୀର ଦୁଃଖ ପହଞ୍ଚାନ୍ତି

  • ଯେବେ ଆମକୁ ପୂର୍ବ କଥାଗୁଡ଼ିକ ମନେ ପଡ଼େ

  • ଯେବେ କାହାରିକୁ ମଣ୍ଡଳୀରୁ ବାହାର କରିଦିଆଯାଏ

ଗୀତ ୧୫୪ ହାରେ ନା ପ୍ରେମ

a ଏହି ଲେଖା ବିଶେଷ କରି ସେହି ଭାଇଭଉଣୀମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, ଯେଉଁମାନଙ୍କର କିଛି ଦିନ ହେଲା ବାପ୍ତିସ୍ମ ହୋଇଛି । କିନ୍ତୁ ଏଥିରେ ଲେଖାଥିବା କଥାଗୁଡ଼ିକରୁ ଆମ ସମସ୍ତଙ୍କୁ ଲାଭ ହୋଇପାରିବ ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

c ସୁବୁଦ୍ଧି ଥିଲେ ଆମେ ଶୀଘ୍ର କାହାରି କଥାକୁ ଖରାପ ଭାବିବା ନାହିଁ । ଆମେ ଏହା ବୁଝିବା ପାଇଁ ଚେଷ୍ଟା କରିବା ଯେ ସେହି ବ୍ୟକ୍ତି କାହିଁକି ଏପରି କଥା କହିଲେ କିମ୍ବା କାହିଁକି ଏପରି ବ୍ୟବହାର କଲେ ।

d ମଣ୍ଡଳୀରେ ଥିବା ପ୍ରତ୍ୟେକ ଜଣ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଓ ସେହି ଭାଇଭଉଣୀମାନଙ୍କୁ ପ୍ରେମ ଦେଖାଇବା ଉଚିତ୍‌, ଯେଉଁମାନଙ୍କର କିଛି ଦିନ ହେଲା ବାପ୍ତିସ୍ମ ହୋଇଛି । ମାର୍ଚ୍ଚ ୨୦୨୧ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ହମ୍‌ ସବ୍‌ ଏକ୍‌ ବାଇବଲ ବିଦ୍ୟାର୍ଥୀ କି ମଦଦ୍‌ କର୍‌ ସକତେ ହୈ,” ଏହାର ପାରାଗ୍ରାଫ ୧୫ ଓ ୧୬ ପଢ଼ନ୍ତୁ ।

e ଚିତ୍ର ବିଷୟରେ: ପ୍ରଚାର କରିବା ସମୟରେ ଜଣେ ଭଉଣୀ କିଛି ଲୋକଙ୍କୁ ଗୋଟିଏ ଖେଳ ଖେଳୁଥିବାର ଦେଖନ୍ତି ଏବଂ ସେ ସେହି ଦିନକୁ ମନେ ପକାନ୍ତି, ଯେବେ ସେ ନିଜେ ଜଣେ ଖେଳାଳୀ ଥିଲେ । ପରେ ସେହି ଭଉଣୀ ଜଣେ ଖେଳାଳୀକୁ ସାକ୍ଷ୍ୟ ଦିଅନ୍ତି, ଯାହାଙ୍କ ସହ ହୁଏତ ସେ ପୂର୍ବେ ଖେଳୁଥିଲେ ।

f ଚିତ୍ର ବିଷୟରେ: ଦୁଇଜଣ ପ୍ରାଚୀନ ଭାଇ ଜଣେ ଲୋକଙ୍କୁ ଭେଟିବାକୁ ଯାଇଛନ୍ତି, ଯାହାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା । ସେମାନେ ତାଙ୍କୁ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ