ଜୀବନ କାହାଣୀ
ଯିହୋବା ମୋତେ ଭଲ ଗୁଣ ବଢ଼ାଇବା ପାଇଁ ଶିଖାଇଲେ
ମୋତେ ଆଜି ବି ସେହିଦିନ ମନେ ଅଛି, ଯେବେ ମୁଁ ପ୍ରଥମ ଥର ଆମେରିକାର ନ୍ୟୁ ୟର୍କ ସହରରେ ଥିବା ବ୍ରୁକଲିନ୍ ବୈଥେଲକୁ କାମ କରିବା ପାଇଁ ଯାଇଥିଲି । ମୋତେ ଛାପାଖାନାରେ ବହି ବାନ୍ଧିବାର କାମ ଦିଆଯାଇଥିଲା । ଯେବେ ମୁଁ ଫେକ୍ଟ୍ରି ଥିବା ମହଲାକୁ ଗଲି, ତେବେ ସେଠାରେ ଲଗାତାର ମେସିନ୍ଗୁଡ଼ିକର ଜୋର୍ ଆବାଜ୍ ଶୁଣାଯାଉଥିଲା । କାଗଜର ଧୂଳି ଉଡ଼ୁଥିଲା ଏବଂ ତେଲର ବହୁତ ଗନ୍ଧ ହେଉଥିଲା ।
ଏପରି ଅନେକ କଥା ଥିଲା, କିନ୍ତୁ ଗୋଟିଏ କଥା ମୋ ହୃଦୟକୁ ଛୁଇଁଗଲା । ସେଠାରେ ଯୁବା ଭାଇଭଉଣୀମାନେ ପ୍ରତିଦିନ ଗୋଟିଏ କାମକୁ ହିଁ କରୁଥିଲେ, ଯାହା ହୁଏତ କାହାରିକୁ ବୋର୍ ବି ଲାଗି ପାରିଥାʼନ୍ତା । ଏହା ଏପରି କାମ ଥିଲା, ଯାହା ଅଧିକାଂଶ ଲୋକଙ୍କ ଦୃଷ୍ଟିରେ ଆସୁ ନ ଥିଲା ଏବଂ ଏହି କାମ ପାଇଁ ସେମାନଙ୍କୁ ସବୁବେଳେ ପ୍ରଶଂସା ମଧ୍ୟ ମିଳୁ ନ ଥିଲା । ହେଲେ ବି ସେମାନେ ଏହି କାମ କରି ବହୁତ ଖୁସି ଥିଲେ । ସେମାନଙ୍କଠାରୁ ମୁଁ ନମ୍ର ହୋଇ ଯିହୋବାଙ୍କର ସେବା କରିବାର ଅର୍ଥ ଜାଣିପାରିଲି ।
ଅନେକ ବର୍ଷ ଧରି ଯିହୋବା ମୋତେ ତାଙ୍କର ଜଣେ ଭଲ ସେବକ ହେବା ପାଇଁ ସାହାଯ୍ୟ କଲେ । ସର୍ବପ୍ରଥମେ, ମୁଁ ଆପଣଙ୍କୁ ଏହା ଜଣାଇବା ପାଇଁ ଚାହେଁ ଯେ ବୌଦ୍ଧ ଧର୍ମରେ ଥାଇ ମଧ୍ୟ ମୁଁ କିପରି ସତ୍ୟକୁ ଖୋଜିବାକୁ ଲାଗିଲି ।
ପିଲାବେଳୁ ମୁଁ ସତ୍ୟ ଈଶ୍ୱରଙ୍କୁ ଖୋଜିଲି
ମୁଁ ଆମେରିକାର ଚିକାଗୋ ସହରରେ ବଡ଼ ହେଲି । ମୋର ତିନିଜଣ ଛୋଟ ଭାଇଭଉଣୀ ଅଛନ୍ତି । ମୋ ବାପାମାଆ ଜାପାନ ଛାଡ଼ି ଆମେରିକାରେ ଆସି ବାସ କରୁଥିଲେ । କାରଣ ସେମାନଙ୍କୁ ଲାଗୁଥିଲା ଯେ ସେଠାରେ ଆମେ ବହୁତ ଭଲଭାବରେ ବଞ୍ଚିପାରିବା । ସେମାନେ ଚାହୁଁଥିଲେ ଯେ ଆମକୁ ଭଲ ଶିକ୍ଷା ଓ ସଫଳତା ମିଳୁ ।
ମୋ ବାପାମାଆ ବୌଦ୍ଧ ଧର୍ମକୁ ବହୁତ ମାନୁଥିଲେ । ମୋ ମାଆ ଯେଉଁ ଘରେ ବଡ଼ ହୋଇଥିଲେ, ସେଠାରେ ବୌଦ୍ଧ ଧର୍ମର ଗୋଟିଏ ମନ୍ଦିର ଥିଲା । ମୋର ଅଜା ଓ ଦୁଇଜଣ ମାମୁଁ ବୌଦ୍ଧ ଭିକ୍ଷୁ ଥିଲେ । ପିଲାବେଳୁ ଆମକୁ ବୌଦ୍ଧ ଧର୍ମର ପ୍ରତ୍ୟେକ ପରମ୍ପରାକୁ ମାନିବା ପାଇଁ ଶିଖାଯାଇଥିଲା । ସ୍କୁଲରୁ ଘରକୁ ଆସିବା ମାତ୍ରେ ମୁଁ ବୁଦ୍ଧଙ୍କ ମୂର୍ତ୍ତି ଆଗରେ ଅଗରବତୀ ଜଳାଉଥିଲି, ପାଣି ଓ ଚାଉଳ ଚଢ଼ାଉ ଥିଲି । ପ୍ରତି ରବିବାର ଆମେ ବୁଦ୍ଧ ମନ୍ଦିରକୁ ଯାଉଥିଲୁ । ସେଠାରେ ବି ବୁଦ୍ଧଙ୍କର ଗୋଟିଏ ମୂର୍ତ୍ତି ଥିଲା, ଯାହା ବଡ଼ ଥିଲା ଓ ସେଥିରେ ସୁନା ଖଞ୍ଜା ଯାଇଥିଲା । ଆମେ ମୂର୍ତ୍ତି ସାମନାରେ ମନ୍ତ୍ର ଜପୁଥିଲୁ ।
ମୋତେ ଆଜି ବି ସେହିଦିନ ମନେ ଅଛି, ଯେବେ ମୁଁ ପ୍ରାୟ ସାତ ବର୍ଷର ଥିଲି, ତେବେ ମୁଁ ନିଜ ଘରେ ଥିବା ମୂର୍ତ୍ତିକୁ ଦେଖି ଭାବିଲି, ‘ମୃତ୍ୟୁପରେ ମୋର କʼଣ ହେବ ?’ ବୌଦ୍ଧ ଧର୍ମରେ ଆମକୁ ଶିଖାଯାଇଥିଲା ଯେ ମୃତ୍ୟୁପରେ ଜଣେ ମଣିଷର ଶରୀର ନଷ୍ଟ ହୋଇଯାଏ, କିନ୍ତୁ ଆତ୍ମା ଜୀବିତ ରହେ । ମୁଁ ଭାବିବାକୁ ଲାଗିଲି ଯେ ଦିନେ ମୋର ବି ଏପରି ହିଁ ମୃତ୍ୟୁ ହୋଇଯିବ । ମୁଁ ଆଉ ସେହି ସବୁ ଜିନିଷ କରିପାରିବି ନାହିଁ, ଯାହା ଆଜି ମୁଁ କରୁଛି । ଏହା ଭାବି ମୁଁ ବହୁତ ଦୁଃଖି ହୋଇଗଲି । ମୋତେ ଲାଗିଲା ଯେ ଏଥିରୁ ରକ୍ଷା ପାଇବା ପାଇଁ ମୁଁ କିଛି କରିପାରିବି ନାହିଁ ।
ଯେବେ ମୁଁ ପ୍ରାୟ ୧୫ ବର୍ଷ ବୟସର ଥିଲି, ତେବେ ମୋତେ ଲାଗିଲା ଯେ ବୌଦ୍ଧ ଧର୍ମର ପରମ୍ପରାକୁ ମାନି କୌଣସି ଲାଭ ନାହିଁ । ମୋ ଜୀବନରେ କିଛି ତ ଅଭାବ ଥିଲା । (ମାଥି. ୫:୩) ମୋତେ ଭରସା ଥିଲା ଯେ କେହି ଜଣେ ଜୀବିତ ଈଶ୍ୱର ଥିବେ, ଆଉ ସେ ସବୁଠାରୁ ଅଧିକ ଶକ୍ତିଶାଳୀ ଥିବେ । ମୋତେ ଲାଗିଲା ଯେ ହୁଏତ ମୋ ପ୍ରଶ୍ନଗୁଡ଼ିକର ଉତ୍ତର ବାଇବଲରୁ ମିଳିଯିବ, ତେଣୁ ମୁଁ ଗୋଟିଏ ମେଳାରୁ କିଙ୍ଗ୍ ଜେମସ୍ ଭର୍ସନର ଏକ ବାଇବଲ କିଣିଲି, ଯାହା ପୂର୍ବେ ଅନ୍ୟର ଥିଲା ।
ମୋତେ ସତ୍ୟ ଶିଖାଇଥିବା ଭାଇ ୱିଲସନ୍ ବାଶୁ ଏବଂ ମୁଁ
ମୁଁ ୧୭ ବର୍ଷ ବୟସର ଥିଲି । ଦିନେ ମୁଁ ରାସ୍ତାରେ ମୋ କୁକୁରକୁ ବୁଲାଉଥିଲି । ଆଉ ସେସମୟରେ ୱିଲସନ୍ ବାଶୁ ନାମକ ଜଣେ ଭାଇଙ୍କୁ ଭେଟିଲି । ସେ ମୋତେ ପଚାରିଲେ, “ଆପଣଙ୍କୁ ଜଣାଅଛି ଯେ ଈଶ୍ୱର ଭବିଷ୍ୟତ ପାଇଁ କʼଣ ପ୍ରତିଜ୍ଞା କରିଛନ୍ତି ?” ଭାଇ ଏହି ପ୍ରଶ୍ନ ପଚାରିବା ପରେ, ଆମର ବାଇବଲରୁ ବହୁତ ଭଲ ଚର୍ଚ୍ଚା ହେଲା । ଭାଇ ୱିଲସନ୍ ପ୍ରକାଶିତ ବାକ୍ୟ ୧୭:୧ ପଢ଼ିଲେ ଏବଂ ପଚାରିଲେ, “ଏଥିରେ ଲେଖାଥିବା ‘ବହୁ ଜଳରାଶିର’ ଅର୍ଥ କʼଣ, ଯାହା ଉପରେ ବେଶ୍ୟା ବସିଛି?” ଏବିଷୟରେ ମୁଁ ଜାଣି ନ ଥିଲି । ଭାଇ ମୋତେ ପଦ ୧୫ ଦେଖାଇଲେ, ଯେଉଁଠି କୁହାଯାଇଛି ଯେ ସେହି ଜଳରାଶି ଲୋକମାନଙ୍କୁ ବୁଝାଏ । ଏହି କଥା ମୋ ହୃଦୟକୁ ଛୁଇଁଗଲା ଯେ ଯିହୋବାଙ୍କ ସାକ୍ଷୀମାନେ ବାଇବଲର ସେହି ଭାଗଗୁଡ଼ିକୁ ମଧ୍ୟ ବାଇବଲରୁ ହିଁ ବୁଝାଇଥାʼନ୍ତି, ଯାହାକୁ ବୁଝିବା କଠିନ ହୋଇଥାଏ । ଯିବା ପୂର୍ବରୁ ଭାଇ ୱିଲସନ୍ ମୋତେ ସତ୍ୟ ଜୋ ଅନନ୍ତ ଜୀୱନ କି ଔର ଲେ ଜାତା ହୈ ବହି ଦେଲେ । ସେହି ଛୋଟ ନୀଳ ରଙ୍ଗର ବହି ମୋ ଜୀବନକୁ ପୂରାପୂରି ବଦଳାଇ ଦେଲା ।
ଦଶ ଦିନ ପରେ ମୁଁ ପ୍ରଥମ ଥର ସଭା ପାଇଁ ରାଜ୍ୟଘରକୁ ଗଲି । ଭାଇଭଉଣୀମାନେ ଯେଉଁଭଳି ଭାବେ ପ୍ରେମର ସହ ମୋର ସ୍ୱାଗତ କଲେ, ତାହା ମୁଁ କେବେ ବି ଭୁଲିପାରିବି ନାହିଁ । ତାʼପରଠାରୁ ମୁଁ ସଭାକୁ ଯିବା କେବେ ବି ବନ୍ଦ କଲି ନାହିଁ । ମୁଁ ଭାଇ ୱିଲସନ୍ଙ୍କ ସହିତ ବାଇବଲ ଅଧ୍ୟୟନ କରିବାକୁ ଲାଗିଲି । ମୁଁ ବାଇବଲରୁ ଯାହା ଶିଖୁଥିଲି, ତାହା ମୋତେ ବହୁତ ଭଲ ଲାଗୁଥିଲା । ବେଳେବେଳେ ଆମେ ଆଠ ଘଣ୍ଟା ଯାଏ ଅଧ୍ୟୟନ କରୁଥିଲୁ । ମୋ ବାପାମାଆଙ୍କୁ ଏହା ଭଲ ଲାଗିଲା ନାହଁ ଏବଂ ସେମାନେ ମୋର ବିରୋଧ କଲେ । କିନ୍ତୁ ଯେତେ ଅଧିକ ମୁଁ ଅଧ୍ୟୟନ କରି ଚାଲିଲି, ସେତେ ଅଧିକ ମୋତେ ଭରସା ହୋଇଗଲା ଯେ ଏହା ହିଁ ସତ୍ୟ ଅଟେ । ତେଣୁ ମୁଁ ୧୯୮୩ ମସିହାରେ ବାପ୍ତିସ୍ମ ନେଲି ।
ଅଗ୍ରଦୂତ ସେବା ପାଇଁ ମୁଁ ୟୁନିଭରସିଟିକୁ ଯିବା ଛାଡ଼ିଦେଲି
ଯେତେବେଳେ ମୁଁ ବାପ୍ତିସ୍ମ ନେଲି, ସେତେବେଳେ ମୁଁ ଗୋଟିଏ ଜଣାଶୁଣା ୟୁନିଭରସିଟିରେ ଡାକ୍ତରୀ ପଢ଼ୁଥିଲି । ମୋ ବାପାମାଆ ଚାହୁଁଥିଲେ ଯେ ମୁଁ ଭଲଭାବେ ପାଠ ପଢ଼େ, ତେଣୁ ସେମାନେ ଅନେକ ତ୍ୟାଗ କରିଥିଲେ । ମୁଁ ଚାହିଁଥିଲେ ୟୁନିଭରସିଟିରେ ପାଠ ପଢ଼ିବା ଜାରି ରଖିପାରିଥାʼନ୍ତି, କିନ୍ତୁ ମୁଁ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଏବଂ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଚାହୁଁଥିଲି ।
ମୋ ବାପା ମୋତେ ଧମକ ଦେଲେ ଯେ ଯଦି ମୁଁ ୟୁନିଭରସିଟିକୁ ଯିବା ଛାଡ଼ିଦେବି, ତାହେଲେ ସେ ମୋତେ ଘରୁ ବାହାର କରିଦେବେ । ଏହା ଶୁଣି ମୋତେ ବହୁତ ଦୁଃଖ ଲାଗିଲା ଏବଂ ମୁଁ କʼଣ କରିବି, ତାହା ବୁଝିପାରୁ ନ ଥିଲି । ମୁଁ ନିଜ ବାପାମାଆଙ୍କୁ ବହୁତ ପ୍ରେମ କରୁଥିଲି, ତେଣୁ ତାଙ୍କୁ ଦୁଃଖି କରିବା ପାଇଁ ଚାହୁଁ ନ ଥିଲି । ମୁଁ ପ୍ରାୟ ୟୁନିଭରସିଟିର ବାହାର ପଡ଼ିଆରେ, ଖୋଲା ଆକାଶ ତଳେ ଅଧରାତି ଯାଏ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି । ମୁଁ ତାଙ୍କୁ କହୁଥିଲି, “ଯିହୋବା ପ୍ଲିଜ୍ ସଠିକ୍ ନିଷ୍ପତ୍ତି ନେବା ପାଇଁ ମୋର ସାହାଯ୍ୟ କର ।” ଯେବେ ମୁଁ ୟୁନିଭରସିଟି ଛାଡ଼ିବାର ନିଷ୍ପତ୍ତି ନେଲି, ତେବେ ମୋ ବାପା ମୋତେ ଘରୁ ବାହାରି ଯିବା ପାଇଁ କହିଲେ । ମୁଁ ଭାଇ ୱିଲସନ୍ଙ୍କୁ ଫୋନ୍ କରି ଏବିଷୟରେ ଜଣାଇଲି । ଭାଇ କହିଲେ ଯେ ମୁଁ ତାଙ୍କ ସାଙ୍ଗରେ ରହିପାରିବି । ମୁଁ ନିଜର ସବୁ ଜିନିଷ ଗୋଟିଏ ବ୍ୟାଗ୍ରେ ଭରିଲି ଏବଂ ବସ୍ରେ ତାଙ୍କ ଘରକୁ ଗଲି । ମୋତେ ମନେ ଅଛି, ଏତେ ସବୁ ହେଲା ପରେ ମଧ୍ୟ ମୁଁ ବହୁତ ଶାନ୍ତି ଅନୁଭବ କରୁଥିଲି । କାରଣ ମୁଁ ଜାଣିଥିଲି ଯେ ମୁଁ ସଠିକ୍ ନିଷ୍ପତ୍ତି ନେଇଛି ।
ମୋତେ ଲାଗୁଥିଲା ଯେ ମୁଁ ପିଞ୍ଜରାରୁ ମୁକ୍ତ ହୋଇଯାଇଛି । ଏବେ ମୁଁ ନିଜର ପୂରା ସମୟ ପ୍ରଚାର କାମରେ ଲଗାଇ ପାରିଥାʼନ୍ତି । ୧୯୮୪ ମସିହାରେ ମୁଁ ଅଗ୍ରଦୂତ ସେବା ଆରମ୍ଭ କଲି ।
ଅଗ୍ରଦୂତ ସେବା କରୁଥିବା ସମୟରେ, ଯିହୋବାଙ୍କ ସାହାଯ୍ୟରୁ ମୁଁ ଅନେକ ଗୁଣ ବଢ଼ାଇପାରିଲି । ଯେପରି, ହାର୍ ନ ମାନିବାର ଗୁଣ । ଦିନେ ମୋତେ ପ୍ରଚାର କରିବା ପାଇଁ ଜମାରୁ ଇଚ୍ଛା ନ ଥିଲା । ମୁଁ ଦୁଃଖି ଥିଲି, କାରଣ ସେହିଦିନ ଦ୍ୱିପହର ସମୟରେ ମୋ ସହିତ ପ୍ରଚାରକୁ ଯିବା ପାଇଁ କେହି ନ ଥିଲେ । ପ୍ରାୟ ୨ ଘଣ୍ଟା ପ୍ରଚାର କରିବା ପରେ ମୁଁ ଭାବିଲି, ଆଉ ମାତ୍ର ଗୋଟିଏ ଘରେ କଥା ହୋଇଯାଏ । ମୁଁ ବହୁତ ଥକି ଯାଇଥିଲି ଏବଂ ଏକୁଟିଆ ଅନୁଭବ କରୁଥିଲି । ପାଗ ମଧ୍ୟ ଖରାପ ଥିଲା, ଏପରି ଲାଗୁଥିଲା ଯେ ବର୍ଷା ହେବ । ଥରକ ପାଇଁ ମୋ ମନରେ ଆସିଲା ଯେ ମୁଁ ଫେରିଯାଏ, କିନ୍ତୁ ଶିଢ଼ି ଚଢ଼ୁ ଚଢ଼ୁ ମୁଁ ତୃତୀୟ ମହଲାକୁ ପହଞ୍ଚିଲି । ସେଠାରେ ମୁଁ ଫିଲିପିନ୍ସର ଜଣେ ଯୁବା ବ୍ୟକ୍ତିଙ୍କୁ ଭେଟିଲି । ମୋତେ ଲାଗିଲା ଯେ ସେ ମୋ କଥା ଶୁଣିବେନି, କିନ୍ତୁ ମୁଁ ଭୁଲ ଥିଲି । ମୁଁ ସେହି ବ୍ୟକ୍ତିଙ୍କ ସହିତ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିଲି ଏବଂ ଆଗକୁ ଯାଇ ସେ ଆମର ଜଣେ ଭାଇ ହୋଇଗଲେ ।
ବ୍ରୁକଲିନ୍ ବୈଥେଲରୁ ମୁଁ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ଶିଖିଲି
ମୁଁ ଦୁଇବର୍ଷ ଯାଏ ଭାଇ ୱିଲସନ୍ଙ୍କ ସହିତ ରହିଲି । ଆଉ ତାʼପରେ ୧୯୮୫ ମସିହାରେ ମୋତେ ବ୍ରୁକଲିନ୍ ବୈଥେଲକୁ ଡକାଗଲା । ମୁଁ ପୂର୍ବରୁ ଜଣାଇଥିଲି ଯେ ମୋତେ ଛାପାଖାନାରେ ବହି ବାନ୍ଧିବାର କାମ ଦିଆଯାଇଥିଲା । ଦିନେ ମୁଁ ଗୋଟିଏ ମେସିନ୍ରେ କାମ କରୁଥିଲି, ଯାହା ସାହାଯ୍ୟରେ ବହିଗୁଡ଼ିକର କଭରରେ ବହିର ନାମ ଛପାଯାଏ । ଆଉ ମୋ ଦ୍ୱାରା ଗୋଟିଏ ଭୁଲ ହୋଇଗଲା, ଯାହାଯୋଗୁଁ ଶହ ଶହ ବହିର କଭର ଖରାପ ହୋଇଗଲା । ଭାଇମାନେ ମୋତେ କହିଲେ ଯେ ମୋତେ ଏବିଷୟରେ ଅଧ୍ୟକ୍ଷଙ୍କୁ ଜଣାଇବା ଉଚିତ୍ । ମୁଁ ସେହି ଭାଇଙ୍କୁ ସବୁକିଛି ଜଣାଇଲି ଆଉ ବୁଝାଇଲି ଯେ ମୋ ଦ୍ୱାରା ଏହି ଭୁଲ କିପରି ହୋଇଗଲା । କିନ୍ତୁ ମୁଁ ଗୋଟିଏ ଜରୁରୀ କଥା କହିବା ପାଇଁ ଭୁଲିଗଲି । ଅଧ୍ୟକ୍ଷ ମୋତେ ବହୁତ ପ୍ରେମର ସହିତ କହିଲେ, “କ୍ଷମା ମାଗିବା ସବୁବେଳେ ଭଲ ହୋଇଥାଏ ।” ସେହିଦିନ ମୁଁ ଶିଖିଲି ଯେ ନିଜ ଭୁଲକୁ ମାନିନେବା ଓ କ୍ଷମା ମାଗିବା କେତେ ଜରୁରୀ !
ବ୍ରୁକଲିନ୍ ବୈଥେଲରେ ଛାପାଖାନାର ଟୁର୍ କରାଇବା ସମୟର ଚିତ୍ର
ବୈଥେଲ ପରିବାରରେ ଲମ୍ବା ସମୟରୁ ସେବା କରୁଥିବା ଭାଇଭଉଣୀମାନଙ୍କଠାରୁ ମୁଁ ଅନେକ କଥା ଶିଖିଲି । ବିଶେଷ କରି ମୁଁ ଏହା ଶିଖିଲି ଯେ ମୁଁ ଅନ୍ୟମାନଙ୍କର ସେବା ଆହୁରି ଭଲଭାବେ କିପରି କରିପାରିବି । ଥରେ ପ୍ରଶାସନ ଦଳର ଜଣେ ସଦସ୍ୟ ଭାଇ ମିଲଟନ୍ ହେନସଲ୍, ଆମ ଟେବୁଲରେ ଆମ ସହିତ ବସି ଖାଉଥିଲେ । ସେହିଦିନ ଡାଇନିଙ୍ଗ୍ ହଲ୍ରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲୋକ ଥିଲେ । ଆଉ ଯେଉଁ ଭାଇଭଉଣୀମାନେ ଖାଦ୍ୟ ବାଣ୍ଟୁଥିଲେ, ସେମାନଙ୍କର କାମ ବହୁତ ବଢ଼ିଯାଇଥିଲା । ଆମେ ଯୁବା ଭାଇମାନେ ଟେବୁଲରେ ବସି ଅଭିଯୋଗ କରିବାକୁ ଲାଗିଲୁ ଯେ ଏପର୍ଯ୍ୟନ୍ତ ଆମକୁ ଖାଦ୍ୟ ମିଳି ନାହିଁ, କିନ୍ତୁ ଭାଇ ହେନସଲ୍ ଚୁପଚାପ୍ ଉଠିଲେ ଏବଂ ସେହି ଭାଇଭଉଣୀମାନଙ୍କୁ ଖାଦ୍ୟ ବାଣ୍ଟିବା ପାଇଁ ସାହାଯ୍ୟ କରିବାକୁ ଲାଗିଲେ । ସେ ପାଣିର ଜଗ୍ ଆଉ ବ୍ରେଡ୍-ବଟର୍ ଦେବାକୁ ଲାଗିଲେ । ସେ ଯେପରି ନମ୍ର ହୋଇ ଅନ୍ୟମାନଙ୍କର ସେବା କଲେ, ସେଥିରୁ ମୋତେ ଯୀଶୁଙ୍କ କଥା ମନେ ପଡ଼ିଲା, ଯିଏ ନିଜ ପ୍ରେରିତମାନଙ୍କର ସେବା କରିଥିଲେ । ମୁଁ ସେହି ଘଟଣାକୁ କେବେ ବି ଭୁଲିବି ନାହିଁ ।—ଯୋହ. ୧୩:୩-୫.
“ତମକୁ ଜାପାନୀ ଭାଷା ଶିଖିବା ଉଚିତ୍”
ଭଉଣୀ ମିଚିକୋ ଅଡା, ତାଙ୍କ ସ୍ୱାମୀ ଓ ମୁଁ
୧୯୮୭ ମସିହାରେ ମୁଁ ଜାପାନକୁ ଗଲି । ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ସେଠାର ଭାଇଭଉଣୀମାନେ କେତେ ନମ୍ର ଅଟନ୍ତି ଏବଂ ତାଙ୍କ ଭିତରେ କେତେ ଉତ୍ସାହ ଭରିଛି ! ମୁଁ ପ୍ରଚାର କାମରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲି, କିନ୍ତୁ ମୋ ପାଇଁ ଗୋଟିଏ ସମସ୍ୟା ଥିଲା । ମୁଁ ଜାପାନୀ ଭାଷା ଶିଖି ନ ଥିଲି । ମୁଁ ବୈଥେଲରେ ମିଚିକୋ ଓଡା ନାମକ ଜଣେ ଭଉଣୀଙ୍କୁ ଭେଟିଲି । ସେ ମୋ ଆଡ଼କୁ ଚାହିଁ ମୋତେ କହିଲେ, “ତମକୁ ଜାପାନୀ ଭାଷା ଶିଖିବା ଉଚିତ୍ !” ମୁଁ ତାଙ୍କ କଥା ମାନିଗଲି । ମୋତେ ଜଣା ନ ଥିଲା ଯେ ତାଙ୍କ ପରାମର୍ଶ ମାନି ମୋର ଜୀବନ ପୂରାପୂରି ବଦଳିଯିବ ।
କିଛି ମାସ ପରେ ମୁଁ ନ୍ୟୁ ୟର୍କର ଜାପାନୀ ମଣ୍ଡଳୀକୁ ଯିବାକୁ ଲାଗିଲି । ଜାପାନୀ ଭାଷା ଶିଖିବା ଯୋଗୁଁ ମୋତେ ଯିହୋବାଙ୍କ ସେବାରେ ଅଧିକ କରିବା ପାଇଁ ସୁଯୋଗ ମିଳିଲା । ୧୯୮୯ ମସିହାରେ ମୁଁ କାଲିଫର୍ନିଆର ଲସ୍ ଏଞ୍ଜେଲସ୍ରେ ପ୍ରଥମ ଥର ଜାପାନୀ ଭାଷାର ଅଧିବେଶନକୁ ଗଲି । ଅଧିବେଶନର ଡ୍ରାମାରେ ମୁଁ ମିୱାକୋ ଓନାମି ନାମକ ଜଣେ ଅଗ୍ରଦୂତ ଭଉଣୀଙ୍କୁ ଦେଖିଲି । ଆଉ ସେ ମୋତେ ପସନ୍ଦ ଆସିଗଲେ ।
୧୯୯୨ ମସିହାରେ ମୁଁ ଓ ମିୱାକୋ ବିବାହ କଲୁ । ଆମ ଦୁହିଁଙ୍କୁ ବ୍ରୁକଲିନ୍ ବୈଥେଲରେ ସେବା କରିବା ପାଇଁ ସୁଯୋଗ ମିଳିଲା । ମିୱାକୋ ଅନ୍ୟମାନଙ୍କର ବହୁତ ଚିନ୍ତା କରନ୍ତି ଏବଂ ସମସ୍ତଙ୍କର ଯତ୍ନ ନିଅନ୍ତି । ସେ ସଦାବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି । ମୁଁ ତାଙ୍କଠାରୁ, ଅନ୍ୟମାନଙ୍କ ସହ ଆହୁରି ଭଲଭାବେ ବ୍ୟବହାର କରିବା ପାଇଁ ଶିଖିଲି । ସେ ଯିହୋବାଙ୍କ ତରଫରୁ ମୋ ପାଇଁ ଗୋଟିଏ ଉପହାର ଅଟନ୍ତି ଏବଂ ମୋର ଖୁସିର ସବୁଠୁ ବଡ଼ କାରଣ ।
ଆମ ବିବାହ ଦିନ
ଜାପାନରେ ବୈଥେଲ ଏବଂ ପ୍ରଚାର ସେବା
କିଛି ଦିନ ପରେ ମିୱାକୋଙ୍କ ବାପାମାଆଙ୍କ ଦେହ ବହୁତ ଖରାପ ହୋଇଗଲା । ସେଥିପାଇଁ ଆମେ ଭାଇମାନଙ୍କୁ ପଚାରିଲୁ ଯେ କʼଣ ଆମେ ଜାପାନ ଶାଖା କାର୍ଯ୍ୟାଳୟକୁ ଯାଇ ସେବା କରିପାରିବା, ଯାହାଫଳରେ ଆମେ ବାପାମାଆଙ୍କ ପାଖରେ ରହି ସେମାନଙ୍କର ଯତ୍ନ ନେଇପାରିବା । ଏହାପରେ ୧୯୯୯ ମସିହାରେ ଆମେ ସେଠାକୁ ଗଲୁ ।
ଜାପାନର ବୈଥେଲ ପରିବାର ଆମକୁ ବହୁତ ଭଲଭାବେ ସ୍ୱାଗତ କଲା । ଆମେ ଖୁବ୍ ଶୀଘ୍ର ସେମାନଙ୍କ ସହିତ ମିଶିଗଲୁ । ଆମେ ସେଠାର ଭାଇଭଉଣୀମାନଙ୍କଠାରୁ ଅନେକ ଭଲ ଗୁଣ ଶିଖିପାରିବା । ଯେପରି, ସେମାନେ ବହୁତ ଉଦାର ଅଟନ୍ତି ଏବଂ ଅତିଥି ସତ୍କାର କରନ୍ତି । ଆଉ କାମ କଲାବେଳେ ସମସ୍ତେ ମନଦେଇ ଏବଂ ମିଳିମିଶି ବହୁତ ଭଲଭାବେ କାମ କରନ୍ତି । ସେଠାରେ ଜାପାନର ସଂସ୍କୃତି ଅନୁସାରେ ନିଜ ବଳରେ ସବୁକିଛି ହାସଲ କରିବା ପରିବର୍ତ୍ତେ, ସମସ୍ତଙ୍କ ସହ ମିଶି କାମ କରିବା ଉପରେ ଜୋର୍ ଦିଆଯାଏ । ଏହି ଭାଇଭଉଣୀମାନଙ୍କୁ ଦେଖି ମୋତେ ବି ନମ୍ର ରହିବା ପାଇଁ ଏବଂ ଅନ୍ୟମାନଙ୍କ ସହ ମିଶି କାମ କରିବା ପାଇଁ ପ୍ରୋତ୍ସାହନ ମିଳିଲା । ମୁଁ ବୁଝିପାରିଲି ଯେ ମୁଁ ଯାହା ବି ଛୋଟ ବଡ଼ କାମ କରେ, ସେଥିରୁ ଯିହୋବାଙ୍କର ଉଦ୍ଦେଶ୍ୟ ପୂରା ହୁଏ ।
ମୁଁ ଅଲଗା ସଂସ୍କୃତିରୁ ଥିଲି, ତେଣୁ ମୋ ପାଇଁ ବେଳେବେଳେ ଏହା ବୁଝିବା କଠିନ ଲାଗୁଥିଲା ଯେ ଭାଇମାନେ କୌଣସି ନିଷ୍ପତ୍ତି କାହିଁକି ନେଲେ । ମୁଁ ଶିଖିଲି ଯେ ମୋତେ ଧୈର୍ଯ୍ୟ ଧରିବା ଉଚିତ୍ ଏବଂ ଭାବନାରେ ବହି କିଛି କହିବା କିମ୍ବା କରିବା ଉଚିତ୍ ନୁହେଁ । ଆସ୍ତେ ଆସ୍ତେ ମୁଁ ନିଜର ଚିନ୍ତାଧାରା ସୁଧାରି ପାରିଲି । ମୁଁ ବୁଝିଗଲି ଯେ ଯଦି ଭାଇମାନେ ସଂଗଠନର ନିର୍ଦ୍ଦେଶ ମାନି କୌଣସି ନିଷ୍ପତ୍ତି ନିଅନ୍ତି ଏବଂ ଆମେ ସେମାନଙ୍କୁ ସହଯୋଗ କରୁ, ତାହେଲେ ଯିହୋବା ସେହି ନିଷ୍ପତ୍ତି ଉପରେ ଆଶିଷ ଦେଇପାରିବେ । କାରଣ ଯିହୋବା ହିଁ ଆମକୁ ସଫଳତା ଦିଅନ୍ତି ।
ବୈଥେଲରେ ମୋତେ ଟ୍ରେନିଙ୍ଗ ମିଳିବା ଯୋଗୁଁ ମୁଁ ମୋଶାଙ୍କ ଭଳି ହୋଇପାରିଲି । ଯେବେ ମୋଶା ୪୦ ବର୍ଷ ଯାଏ ମେଷପାଳକ ଭାବେ କାମ କରୁଥିଲେ, ତେବେ ଯିହୋବାଙ୍କ ସାହାଯ୍ୟରେ ସେ ଆହୁରି ଅଧିକ ନମ୍ର ହୋଇପାରିଲେ । ମୋଶାଙ୍କ ଭଳି ମୁଁ ବି ଉଚ୍ଚ ଶିକ୍ଷା ନେଇଥିଲି, ତେଣୁ ମୋ ଭିତରେ ଅହଂକାର ଭରିଯାଇଥିଲା ଏବଂ ମୋତେ ଲାଗୁଥିଲା ଯେ ମୁଁ ସବୁକିଛି ନିଜ ବଳରେ କରିପାରିବି । ବୈଥେଲ ଆସି ମୁଁ ଶିଖିଲି ଯେ ମୋତେ ନମ୍ର ହେବା ଉଚିତ୍ ଏବଂ ଯିହୋବାଙ୍କ ଉପରେ ନିର୍ଭର ରହିବା ଉଚିତ୍ । ଯିହୋବା ଯେପରି ଭାବେ ଧୈର୍ଯ୍ୟ ଧରି ମୋଶାଙ୍କୁ ନମ୍ର ହେବା ପାଇଁ ସାହାଯ୍ୟ କଲେ, ଠିକ୍ ସେହିପରି ସେ ଅନେକ ବର୍ଷ ଧରି ମୋତେ ବି ସାହାଯ୍ୟ କଲେ ।
ଜାପାନ ଶାଖା କାର୍ଯ୍ୟାଳୟରେ କାମ କରୁଥିବା ସମୟରେ
ଆମେ ମିୱାକୋଙ୍କ ବାପାମାଆଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ୨୪ ବର୍ଷ ଯାଏ, ତାଙ୍କର ଯତ୍ନ ନେଲୁ । ସେସମୟରେ ଆମେ ସେମାନଙ୍କୁ ଓ ଡାକ୍ତରଙ୍କୁ ଅନେକ ଥର ଫୋନ୍ କଲୁ । ବେଳେବେଳେ ଆମକୁ ବହୁତ ଚିନ୍ତା ହେଉଥିଲା ଏବଂ ବାରମ୍ବାର ହସ୍ପିଟାଲ ବି ଯିବାକୁ ପଡ଼ୁଥିଲା । ଥରେ ମିୱାକୋଙ୍କ ମାଆ ମସାକୋଙ୍କ ଦେହ ବହୁତ ଖରାପ ହୋଇଗଲା, ସେ ଆଉ ବିଛଣାରୁ ଉଠିପାରିଲେ ନାହିଁ । ତାଙ୍କ ପାଇଁ ସଭାକୁ ଯିବା ଏବଂ ପ୍ରଚାର କରିବା ସହଜ ନ ଥିଲା । ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କୁ ହ୍ୱିଲଚେୟାରର ସାହାରା ନେବାକୁ ପଡ଼ୁଥିଲା । କିନ୍ତୁ ଏତେ ସବୁ ହେଲା ପରେ ମଧ୍ୟ ଯିହୋବାଙ୍କ ପାଇଁ ତାଙ୍କ ପ୍ରେମ କେବେ ବି କମ୍ ହେଲା ନାହିଁ । ଯେବେ ବି ସେ ସତ୍ୟ ବିଷୟରେ କାହାରିକୁ କହୁଥିଲେ, ତେବେ ତାଙ୍କ ଚେହେରାରେ ଖୁସି ଦେଖାଯାଉଥିଲା । ମୁଁ ତାଙ୍କଠାରୁ ଶିଖିଲି ଯେ ଆମ ପରିସ୍ଥିତି ଯାହା ବି ହେଉ, ଆମେ ଖୁସିର ସହ ଯିହୋବାଙ୍କ ସେବା କରିପାରିବା ।
ଓକିନାୱାରେ, ମିୱାକୋଙ୍କ ସହିତ ପ୍ରଚାର କରୁଥିବା ସମୟରେ
୨୦୨୪ ମସିହାରେ ଆମ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ହେଲା । ୩୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବୈଥେଲରେ ସେବା କରିବା ପରେ, ଆମକୁ ଓକିନାୱା ଦ୍ୱୀପରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ କୁହାଗଲା । ସେଠାରେ ଆମକୁ ଗୋଟିଏ ଏପରି ଅଞ୍ଚଳରେ ପ୍ରଚାର କରିବା ପାଇଁ ସୁଯୋଗ ମିଳିଲା, ଯେଉଁଠାରେ ସେହି ଲୋକମାନଙ୍କର ପରିବାର ରହନ୍ତି, ଯେଉଁମାନେ ସେନାରେ କାମ କରନ୍ତି । ବୈଥେଲରେ ଆମକୁ ଯେଉଁ ଭଲ ଟ୍ରେନିଙ୍ଗ ମିଳିଲା, ତାʼଯୋଗୁଁ ଆମକୁ ଏହି ପରିବର୍ତ୍ତନ କରିବା ଏତେ କଠିନ ଲାଗିଲା ନାହିଁ । ଆମେ ଏବେ ବି ଗୋଟିଏ ସେଡ୍ୟୁଲ ଅନୁସାରେ କାମ କରିବା ପାଇଁ ଚେଷ୍ଟା କରୁ ଏବଂ ଅଧିକରୁ ଅଧିକ ସମୟ ପ୍ରଚାର କରୁ । ଯିହୋବା ଆମକୁ ଏପରି ବାଇବଲ ବିଦ୍ୟାର୍ଥୀ ଦେଇଛନ୍ତି, ଯେଉଁମାନେ ଆମ ପରିବାର ଭଳି ଅଟନ୍ତି । ଏବେ ଆମେ ଆହୁରି ଭଲଭାବେ ବୁଝିପାରିଛୁ ଯେ ଲୋକମାନଙ୍କୁ ପ୍ରେମ କରିବା କେତେ ଜରୁରୀ ! ଆମେ ପ୍ରତିଦିନ ଯିହୋବାଙ୍କୁ ଧନ୍ୟବାଦ ଦେଉ ଯେ ସେ ଆମକୁ ସେବା କରିବାର ଏହି ବିଶେଷ ସୁଯୋଗ ଦେଲେ ।
ଆଗକୁ ବି ଯିହୋବାଙ୍କଠାରୁ ଶିଖିବା ପାଇଁ ପ୍ରସ୍ତୁତ ଥିଲି
ମୋ ପରିବାର ଲୋକ ଏବେ ମୋର ବିରୋଧ କରନ୍ତି ନାହିଁ । ମୁଁ ସେହି ଦିନକୁ ଅପେକ୍ଷା କରିଛି, ଯେବେ ସେମାନେ ବି ସତ୍ୟକୁ ଆପଣାଇବେ । ଯୀଶୁ ପ୍ରତିଜ୍ଞା କରିଥିଲେ ଯେ ଯେକେହି ତାଙ୍କର ଶିଷ୍ୟ ହେବା ପାଇଁ ନିଜ ପରିବାରକୁ ତ୍ୟାଗ କରେ, ତାକୁ ତାହାର ୧୦୦ ଗୁଣ ମିଳିବ । (ମାର୍କ ୧୦:୨୯, ୩୦) ସତରେ, ଭାଇଭଉଣୀମାନେ ମୋର ପରିବାର ଅଟନ୍ତି ! ମୁଁ ଯେଉଁ ଜାଗାରେ ବି ଗଲି, ସେଠାରେ ମୋତେ ଏତେ ଭାଇଭଉଣୀ ମିଳିଳେ, ଯେଉଁମାନଙ୍କୁ ମୁଁ ଗଣିପାରିବି ନାହିଁ । ସେହି ଭାଇଭଉଣୀମାନେ ପରିବାର ଭଳି ମୋର ଯତ୍ନ ନେଲେ ।
ଭାଇ ୱିଲସନ୍ ମୋତେ ଯେଉଁ ନୀଳ ରଙ୍ଗର ବହି ଦେଇଥିଲେ, ତାହା ଏବେ ବି ମୋ ପାଖରେ ଅଛି । ସେହି ବହି ଦେଖିଲେ ମୋତେ ସଦାବେଳେ ମନେ ପଡ଼େ ଯେ ଯିହୋବା କିପରି ମୋ ଉପରେ ଦୟା କଲେ । ମୁଁ ତାଙ୍କୁ ଅନୁସନ୍ଧାନ କରୁଥିଲି ଏବଂ ତାଙ୍କୁ ପାଇଗଲି । (୧ ବଂଶା. ୨୮:୯) ମୁଁ ଚାହେଁ ଯେ ସେ ଆଗକୁ ବି ମୋତେ ଭଲ ଗୁଣ ବଢ଼ାଇବା ପାଇଁ ଲଗାତାର ସାହାଯ୍ୟ କରନ୍ତୁ, ଯାହାଫଳରେ ମୁଁ ଅନ୍ୟମାନଙ୍କୁ ସେହି ସତ୍ୟ ଶିଖାଇପାରିବି, ଯାହା ଅନନ୍ତ ଜୀବନ ଆଡ଼କୁ ନେଇଯାଏ ।