ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜୁଲାଇ ପୃଷ୍ଠା ୨୦-୨୫
  • ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରନ୍ତୁ
  • ତାଙ୍କୁ ଶିଖାନ୍ତୁ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି
  • ଯିହୋବାଙ୍କ ବିଷୟରେ ଶିଖିଥିବା କଥାଗୁଡ଼ିକୁ ଲାଗୁ କରିବା ପାଇଁ ସାହାଯ୍ୟ କରନ୍ତୁ
  • ଯିହୋବାଙ୍କୁ ଭଲଭାବେ ଜାଣନ୍ତୁ ଆଉ ଆଶିଷ ପାଆନ୍ତୁ
  • ଯିହୋବାଙ୍କ ସେବକ ହେବାର ନିଷ୍ପତ୍ତି ନେବା ପାଇଁ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଶିଖାଇବାରେ ନିପୁଣ ହୁଅନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • “ଖୁସିଭରା ଜୀବନ” ବହିରୁ ବାଇବଲ ଅଧ୍ୟୟନ କିପରି କରାଇବି ?
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଯିହୋବାଙ୍କୁ ଆହୁରି ଭଲଭାବେ ଜାଣନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜୁଲାଇ ପୃଷ୍ଠା ୨୦-୨୫

୨୮ ସେପ୍ଟେମ୍ବର–୪ ଅକ୍ଟୋବର, ୨୦୨୬

ଗୀତ ୭୯ ମଜବୁତ୍‌ ରହିବା ଶିଖାନ୍ତୁ

ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରନ୍ତୁ

“ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”—ଯୋହ. ୧୭:୩.

କʼଣ ଶିଖିବା ?

ଆମେ କିପରି ନିଜର ବାଇବଲ ବିଦ୍ୟାର୍ଥୀମାନଙ୍କୁ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବା ପାଇଁ ସାହାଯ୍ୟ କରିପାରିବା ? ଆଉ ଆମେ କିପରି ସେମାନଙ୍କୁ ଯିହୋବାଙ୍କ ପସନ୍ଦ ନାପସନ୍ଦ ଓ ତାଙ୍କର ଗୁଣଗୁଡ଼ିକ ବିଷୟରେ ଶିଖାଇପାରିବା ?

୧. ଯେବେ ଆମ ବାଇବଲ ବିଦ୍ୟାର୍ଥୀ ପଦକ୍ଷେପ ନିଅନ୍ତି, ତେବେ ଆମକୁ କିପରି ଲାଗେ ?

କʼଣ ଆପଣଙ୍କୁ ସେହିଦିନ ମନେ ଅଛି, ଯେବେ ଆପଣଙ୍କ ବାଇବଲ ବିଦ୍ୟାର୍ଥୀ ପ୍ରଥମ ଥର ସଭାକୁ ଆସିଥିଲେ ? ଯେବେ ସେ ପ୍ରଥମ ଥର ହାତ ଉଠାଇ ଉତ୍ତର ଦେଇଥିଲେ ? ଅନ୍ୟମାନଙ୍କୁ ଯିହୋବା ଓ ତାଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ କହିଥିଲେ ଏବଂ ଆଗକୁ ଯାଇ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିଥିଲେ ? ସେହିଦିନ ଆପଣଙ୍କୁ କିପରି ଲାଗିଥିଲା ? ନିଶ୍ଚୟ, ଆପଣଙ୍କୁ ବହୁତ ଖୁସି ଲାଗିଥିବ । ଆମେ ଜାଣୁ ଯେ ଯିହୋବାଙ୍କ ସାହାଯ୍ୟରୁ ହିଁ ଆମ ବିଦ୍ୟାର୍ଥୀ ଏହି ପଦକ୍ଷେପଗୁଡ଼ିକ ନେଇପାରନ୍ତି । ଯେବେ ଆମେ ଦେଖୁ ଯେ ଯିହୋବା କିପରି ଆମ ବିଦ୍ୟାର୍ଥୀମାନଙ୍କୁ ସବୁବେଳେ ସାହାଯ୍ୟ କରୁଛନ୍ତି, ତେବେ ଆମକୁ ବହୁତ ଖୁସି ଲାଗେ ଏବଂ ଆମକୁ ତାଙ୍କର ଅଧିକ ମହିମା କରିବା ପାଇଁ ଇଚ୍ଛା ହୁଏ ।—୧ କରି. ୩:୫-୯; ୩ ଯୋହ. ୩, ୪.

୨. ବାଇବଲ ବିଦ୍ୟାର୍ଥୀମାନଙ୍କ ପାଇଁ ଯିହୋବାଙ୍କର କʼଣ ଇଚ୍ଛା ରହିଛି ? (୧ ତୀମଥି ୨:୩, ୪)

୨ ଯିହୋବାଙ୍କର ଏହା ଇଚ୍ଛା ରହିଛି ଯେ ‘ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ [ସଠିକ୍‌] ଜ୍ଞାନ ପ୍ରାପ୍ତ ହୁଅନ୍ତୁ ।’ (୧ ତୀମଥି ୨:୩, ୪ ପଢ଼ନ୍ତୁ ।) ସେ ଚାହାନ୍ତି ଯେ ଲୋକମାନେ ତାଙ୍କୁ ଭଲଭାବେ ଜାଣନ୍ତୁ ଏବଂ ଏହା ବି ଜାଣନ୍ତୁ ଯେ ସେ ସେମାନଙ୍କ ପାଇଁ କʼଣ କʼଣ କରିଛନ୍ତି ଆଉ ଆଗକୁ କʼଣ କରିବେ । (ଯିରି. ୯:୨୪) ଏଗୁଡ଼ିକ ବିଷୟରେ ଜାଣିବା ପାଇଁ ସେମାନଙ୍କୁ ସଠିକ୍‌ ଜ୍ଞାନ ନେବାକୁ ପଡ଼ିବ । ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ ‘ସଠିକ୍‌ ଜ୍ଞାନ’ କରାଯାଇଛି, ଏହାର ଅର୍ଥ ଏପରି ନୁହେଁ ଯେ ଆମେ ଈଶ୍ୱରଙ୍କ ବିଷୟରେ କେବଳ ତଥ୍ୟ ଏକାଠି କରିବା । ଜଣେ ବାଇବଲ ବିଦ୍ୱାନ୍‌ ଏହାର ଅର୍ଥ ଏପରି ଭାବେ ବୁଝାଇଲେ, ଈଶ୍ୱରଙ୍କ ବିଷୟରେ ଗଭୀର ଭାବେ ଶିଖିବା, ଯେଉଁଥିରୁ ଆପଣଙ୍କ ଉପରେ ତାହାର ଗଭୀର ପ୍ରଭାବ ପଡ଼ିବ । ଯେବେ ଜଣେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କୁ ଭଲଭାବେ ଜାଣନ୍ତି, ତେବେ ତାଙ୍କୁ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବା ପାଇଁ ଇଚ୍ଛା ହୁଏ । ଆଉ ତାଙ୍କୁ ‘ଅନନ୍ତ ଜୀବନର’ ଆଶା ମିଳେ ।—ଯୋହ. ୧୭:୩.

୩. ଏହି ଲେଖାରେ ଆମେ କʼଣ ଜାଣିବା ?

୩ ଯିହୋବା ଆମକୁ ଅନ୍ୟମାନଙ୍କୁ ଶିଖାଇବା ପାଇଁ ବହୁତ ବଡ଼ ସମ୍ମାନ ଦେଇଛନ୍ତି । ଆମକୁ ସେମାନଙ୍କୁ ଏହା ଶିଖାଇବାର ଅଛି ଯେ ସେମାନେ କିପରି ଯିହୋବାଙ୍କୁ ଭଲଭାବେ ଜାଣିପାରିବେ । ଏହି ଲେଖାରେ ଆମେ ଏହି ତିନୋଟି ପ୍ରଶ୍ନ ଉପରେ ଧ୍ୟାନ ଦେବା: ବାଇବଲ ବିଦ୍ୟାର୍ଥୀମାନଙ୍କ ପାଇଁ ଯିହୋବାଙ୍କୁ ଭଲଭାବେ ଜାଣିବା କାହିଁକି ଜରୁରୀ ? ଯିହୋବା କିପରି ଈଶ୍ୱର ଅଟନ୍ତି, ତାହା ଆମ ବିଦ୍ୟାର୍ଥୀମାନଙ୍କୁ ଭଲଭାବେ ଶିଖାଇବା ପାଇଁ ଆମେ କʼଣ କରିପାରିବା ? ଆଉ ସେମାନେ ଯିହୋବାଙ୍କ ବିଷୟରେ ଯାହା ଶିଖନ୍ତି, ସେଗୁଡ଼ିକୁ ଜୀବନରେ ଲାଗୁ କରିବା ପାଇଁ ଆମେ କିପରି ସେମାନଙ୍କୁ ସାହାଯ୍ୟ କରିପାରିବା ?

ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରନ୍ତୁ

୪. ଯେବେ ଆମେ କାହାରି ବାଇବଲ ଅଧ୍ୟୟନ କରାଉ, ତେବେ ଆମର କʼଣ ଲକ୍ଷ୍ୟ ଥାଏ ? (ମାର୍କ ୧୨:୩୦)

୪ ଯୀଶୁ କହିଥିଲେ ଯେ ସବୁଠୁ ବଡ଼ ଆଜ୍ଞା ହେଉଛି, ଆମେ ଯିହୋବା ଈଶ୍ୱରଙ୍କୁ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରେମ କରୁ । (ମାର୍କ ୧୨:୩୦ ପଢ଼ନ୍ତୁ ।) ଆମେ ଏହା ଚାହୁଁନୁ ଯେ ଆମ ବାଇବଲ ବିଦ୍ୟାର୍ଥୀ ଏଥିପାଇଁ ବାପ୍ତିସ୍ମ ନିଅନ୍ତୁ, କାରଣ ତାଙ୍କୁ ବାଇବଲର କିଛି ଶିକ୍ଷା ଭଲ ଲାଗେ କିମ୍ବା ସେ ଆମକୁ କିମ୍ବା ଅନ୍ୟ ସାକ୍ଷୀମାନଙ୍କୁ ଖୁସି କରିବା ପାଇଁ ଚାହାନ୍ତି । ଏହା ପରିବର୍ତ୍ତେ ଆମେ ଚାହୁଁ ଯେ ସେ ଯିହୋବାଙ୍କ ପାଇଁ ପ୍ରେମ ଥିବା ଯୋଗୁଁ ବାପ୍ତିସ୍ମ ନିଅନ୍ତୁ । କିନ୍ତୁ ସେ ତେବେ ହିଁ ଯିହୋବାଙ୍କୁ ପ୍ରେମ କରିପାରିବେ, ଯେବେ ସେ ତାଙ୍କୁ ଜାଣିବେ । ସେଥିପାଇଁ ଯେବେ ଆମେ କାହାରି ବାଇବଲ ଅଧ୍ୟୟନ କରାଉ, ତେବେ ଆମର ଏହା ଲକ୍ଷ୍ୟ ଥାଏ ଯେ ସେ ଯିହୋବାଙ୍କୁ ଜାଣନ୍ତୁ ଏବଂ ତାଙ୍କୁ ପ୍ରେମ କରନ୍ତୁ ।

୫. ଯଦି ଆପଣଙ୍କ ବାଇବଲ ବିଦ୍ୟାର୍ଥୀମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ତାହେଲେ ସେମାନେ କʼଣ କରିବେ ?

୫ ପ୍ରେମ କରିବା ଓ ଆଜ୍ଞା ମାନିବା ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଯେବେ ଆମ ବାଇବଲ ବିଦ୍ୟାର୍ଥୀମାନେ ଯିହୋବାଙ୍କୁ ଜାଣିବାକୁ ଲାଗନ୍ତି ଏବଂ ତାଙ୍କୁ ପ୍ରେମ କରନ୍ତି, ତେବେ ସେମାନଙ୍କୁ ଯିହୋବାଙ୍କ ଆଜ୍ଞା ମାନିବା ପାଇଁ ଇଚ୍ଛା ହୁଏ । ଯୀଶୁ ଏବିଷୟରେ କହିଲେ, ‘ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣିପାରୁ ।’ (ଯୋହ. ୧୪:୩୧) ଯୀଶୁଙ୍କ ଭଳି ଯେବେ ଆମ ବାଇବଲ ବିଦ୍ୟାର୍ଥୀମାନେ ସବୁଠୁ ଅଧିକ ଯିହୋବାଙ୍କୁ ପ୍ରେମ କରିବେ, ତେବେ ତାଙ୍କୁ ଯିହୋବାଙ୍କ ଆଜ୍ଞା ମାନିବା ପାଇଁ ଇଚ୍ଛା ହେବ ଏବଂ ସେମାନେ ତାଙ୍କର ବିଶ୍ୱସ୍ତ ରହିବେ ।—୧ ଯୋହ. ୫:୩.

୬. ଉଦାହରଣ ଦେଇ ବୁଝାନ୍ତୁ ଯେ ଯିହୋବାଙ୍କୁ ଭଲଭାବେ ଜାଣିଲେ, ଜଣେ ବିଦ୍ୟାର୍ଥୀ କିପରି ଭାବିଚିନ୍ତି ନିଷ୍ପତ୍ତି ନେବା ପାଇଁ ଶିଖିପାରିବେ ?

୬ ଯେବେ ଜଣେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କୁ ଜାଣିବାକୁ ଲାଗନ୍ତି, ତେବେ ସେ ନିଜ ଜୀବନରେ ଭଲ ନିଷ୍ପତ୍ତି ନେଇପାରନ୍ତି । ଉଦାହରଣ ପାଇଁ, କେବଳ ଅନ୍ୟକୁ କାର ଚଲାଇବା ଦେଖି କିମ୍ବା କାର ବିଷୟରେ ପଢ଼ି କେହି ଡ୍ରାଇଭର ହୋଇଯାଏ ନାହିଁ । ଜଣେ ଡ୍ରାଇଭର ହେବା ପାଇଁ ଅନେକ ଘଣ୍ଟା ଧରି କାର ଚଲାଇବାର ଅଭ୍ୟାସ କରିବାକୁ ପଡ଼ିଥାଏ । ଏହାପରେ ଧୀରେ ଧୀରେ ଜଣେ ବ୍ୟକ୍ତି ଅଲଗା ଅଲଗା ପରିସ୍ଥିତି ଅନୁସାରେ ଠିକ୍‌ ଭାବରେ କାର ଚଲାଇବା ଶିଖିଯାଏ । ସେହିଭଳି ଜଣେ ବିଦ୍ୟାର୍ଥୀଙ୍କୁ, ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ କେବଳ ତାଙ୍କ ବିଷୟରେ ଅଧ୍ୟୟନ କରିବା ଯଥେଷ୍ଟ ନୁହେଁ, ବରଂ ତାଙ୍କୁ ଭିନ୍ନ ଭିନ୍ନ ପରିସ୍ଥିତିରେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବା ପାଇଁ ଶିଖିବାକୁ ପଡ଼ିବ । ଏପରି କଲେ ସେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବେ । ଆଉ ଯେବେ ସେ ଯିହୋବାଙ୍କୁ ଭଲଭାବେ ଜାଣିବେ ଏବଂ ଦେଖିବେ ଯେ ଯିହୋବା କିପରି ତାଙ୍କୁ ସାହାଯ୍ୟ କରୁଛନ୍ତି, ତେବେ ସେ ଭିନ୍ନ ଭିନ୍ନ ପରିସ୍ଥିତିରେ ଭାବିଚିନ୍ତି ନିଷ୍ପତ୍ତି ନେବା ପାଇଁ ଶିଖିପାରିବେ ।

୭. ଯିହୋବାଙ୍କୁ ଭଲଭାବେ ଜାଣିବା ଯୋଗୁଁ ଯୋଷେଫ କିପରି ଭଲ ନିଷ୍ପତ୍ତି ନେଇପାରିଲେ ?

୭ ଯୋଷେଫ, ଯିହୋବାଙ୍କୁ ଭଲଭାବେ ଜାଣିଥିଲେ, ସେଥିପାଇଁ ଯେବେ ପୋଟୀଫରଙ୍କ ସ୍ତ୍ରୀ ତାଙ୍କୁ ଖରାପ କାମ କରିବା ପାଇଁ ପ୍ରଲୋଭିତ କଲେ, ତେବେ ସେ ସଠିକ୍‌ ନିଷ୍ପତ୍ତି ନେଇପାରିଲେ । ଯୋଷେଫ ପିଲାବେଳୁ ହିଁ ଆଦମ ଓ ହବା ଏବଂ ଅବ୍ରହାମ ଓ ସାରାଙ୍କ ବିଷୟରେ ଶୁଣିଥିବେ । (ଆଦି. ୨:୨୪; ୨୦:୩, ୬) ସେ ବୁଝିଯାଇଥିବେ ଯେ କେବଳ ଜଣେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହିତ ଶାରୀରିକ ସମ୍ପର୍କ ରଖିପାରିବେ । ଆଉ ଏହା ହିଁ ଯିହୋବାଙ୍କ ଦୃଷ୍ଟିରେ ସଠିକ୍‌ । ଯୋଷେଫ, ଯିହୋବାଙ୍କୁ ବହୁତ ଭଲଭାବରେ ଜାଣି ସାରିଥିଲେ, ତେଣୁ ସେ ପୋଟୀଫରଙ୍କ ସ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ ମନା କରିପାରିଲେ ଏବଂ ସେ ତାଙ୍କୁ କହିଲେ, “ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ?” (ଆଦି. ୩୯:୭-୯) ଯୋଷେଫ ଜାଣିଥିଲେ ଯେ ଯିହୋବାଙ୍କ ଦୃଷ୍ଟିରେ କʼଣ ଠିକ୍‌ ଓ କʼଣ ଭୁଲ । ସେ ଏହା ବି ଜାଣିଥିଲେ ଯେ କେଉଁ କଥାରୁ ଯିହୋବାଙ୍କୁ ଦୁଃଖ ପହଞ୍ଚିବ । ସେଥିପାଇଁ ଯୋଷେଫ ସଠିକ୍‌ ନିଷ୍ପତ୍ତି ନେଇପାରିଲେ । ଯଦି ଆମେ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ ଓ ତାଙ୍କ ପସନ୍ଦ ନାପସନ୍ଦ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରିବା, ତାହେଲେ ସେମାନେ ବି ଏପରି ନିଷ୍ପତ୍ତି ନେଇପାରିବେ, ଯେଉଁଥିରୁ ଯିହୋବା ଖୁସି ହେବେ ।

ତାଙ୍କୁ ଶିଖାନ୍ତୁ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି

୮. ଆପଣ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ବିଷୟରେ କିପରି ଶିଖାଇପାରିବେ ?

୮ ଯିହୋବା କିପରି ଈଶ୍ୱର ଅଟନ୍ତି, ସେବିଷୟରେ ନିଜ ବିଦ୍ୟାର୍ଥୀମାନଙ୍କୁ ଭଲଭାବେ ଶିଖାଇବା ପାଇଁ ଆମେ କʼଣ କରିପାରିବା ? ଯିହୋବା ନିଜ ବିଷୟରେ ଜଣାଇବା ପାଇଁ ଆୟୁବଙ୍କୁ ୫୦ରୁ ବି ଅଧିକ ପ୍ରଶ୍ନ ପଚାରିଥିଲେ । (ଆୟୁ. ୩୮:୧–୪୧:୩୪) ଆମେ ବି ଏହି ଉପାୟ ଆପଣାଇପାରିବା । ଆମେ ନିଜ ବିଦ୍ୟାର୍ଥୀମାନଙ୍କୁ ପ୍ରଶ୍ନ ପଚାରି ଏହା ଶିଖାଇପାରିବା ଯେ ଯିହୋବା କିପରି ଈଶ୍ୱର ଅଟନ୍ତି । ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରେ ଏପରି ପ୍ରଶ୍ନଗୁଡ଼ିକ ଦିଆଯାଇଛି, ଯେଉଁଥିରୁ ଜଣେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ପସନ୍ଦ ନାପସନ୍ଦ ବିଷୟରେ ଅଧିକ ଜାଣିପାରିବେ । (“ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ପାଇଁ କିଛି ପ୍ରଶ୍ନ” ନାମକ ବକ୍ସ ଦେଖନ୍ତୁ ।) ତେଣୁ ତାଙ୍କ ସହିତ ସେହି ପ୍ରଶ୍ନଗୁଡ଼ିକ ଉପରେ ଚର୍ଚ୍ଚା କରନ୍ତୁ । ଏପରି କଲେ ଆପଣଙ୍କ ବିଦ୍ୟାର୍ଥୀ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବେ ।

ଜଣେ ଭଉଣୀଙ୍କ ବାଇବଲ ବିଦ୍ୟାର୍ଥୀ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିର ପାଠ ୧୭ରୁ ଗୋଟିଏ ପ୍ରଶ୍ନର ଉତ୍ତର ଦେଉଛି ଏବଂ ସେହି ଭଉଣୀ ଧ୍ୟାନର ସହ ଶୁଣୁଛନ୍ତି ।

ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ପାଇଁ କିଛି ପ୍ରଶ୍ନ

ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରେ ଏପରି ପ୍ରଶ୍ନଗୁଡ଼ିକ ଦିଆଯାଇଛି, ଯେଉଁଥିରୁ ଆମ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବେ । ଯେପରି:

  • “ଯେଉଁମାନେ ଖୁସିର ଖବର ଶୁଣାନ୍ତି, ସେମାନଙ୍କ ବିଷୟରେ ଯିହୋବା କʼଣ ଭାବନ୍ତି ?” (ପାଠ ୨୧)

  • “ଏବେ ଯାଏଁ ଆପଣ ଯିହୋବା ଓ ଯୀଶୁଙ୍କ ବିଷୟରେ ଅନେକ କଥା ଶିଖିଛନ୍ତି । ଏହାକୁ ଧ୍ୟାନରେ ରଖି ଆପଣ କାହିଁକି ଭରସା କରିପାରିବେ ଯେ ସେମାନେ [ହର୍ମିଗିଦ୍ଦୋନ୍‌ରେ] ଯାହା କରିବେ, ତାହା ଠିକ୍‌ ?” (ପାଠ ୩୩)

  • “ଯେତେବେଳେ ଆମେ ଯିହୋବାଙ୍କ ଆଜ୍ଞା ମାନୁ ଓ ଠିକ୍‌ କାମ କରୁ, ସେତେବେଳେ ସେ କାହିଁକି ଖୁସି ହୁଅନ୍ତି ?” (ପାଠ ୩୪)

  • “ଯଦି ଆପଣ ଏପରି ବ୍ୟକ୍ତି ସହ ବିବାହ କରନ୍ତି ଯିଏ ଯିହୋବାଙ୍କୁ ପ୍ରେମ କରେନି, ତାହେଲେ ଯିହୋବାଙ୍କୁ କିପରି ଲାଗିବ ?” (ପାଠ ୪୨)

  • “ଯେପରି ଏହି ପଦରେ କୁହାଯାଇଛି, ଯିହୋବା କିପରି କ୍ଷମା କରନ୍ତି ?” (ପାଠ ୫୬)

  • “ପାପ କରିଥିବା ବ୍ୟକ୍ତି ସହ ଯିହୋବା ଯେପରି ବ୍ୟବହାର କରନ୍ତି, ସେଥିରୁ କିପରି ଯିହୋବାଙ୍କ ପ୍ରେମ, ଦୟା ଓ ନ୍ୟାୟ ଜଣାପଡ଼େ ?” (ପାଠ ୫୭)

୯-୧୦. (କ) ଆମ ବିଦ୍ୟାର୍ଥୀମାନଙ୍କୁ ବାଇବଲ ପଢ଼ି ପୂରା ଲାଭ ହେଉ, ଏହାପାଇଁ ଆମେ କʼଣ କରିପାରିବା ? (ଯାକୁବ ୫:୧୧) (ଖ) ବାଇବଲ ବିଦ୍ୟାର୍ଥୀମାନେ ବାଇବଲର କୌଣସି ଘଟଣା ପଢ଼ି କେଉଁଭଳି ପ୍ରଶ୍ନଗୁଡ଼ିକ ବିଷୟରେ ଭାବିପାରିବେ, ଯେଉଁଥିରୁ ସେମାନେ ଯିହୋବାଙ୍କ ପସନ୍ଦ ନାପସନ୍ଦ ବିଷୟରେ ଜାଣିପାରିବେ ?

୯ ଯେବେ ଆମେ କାହାରିକୁ ବାଇବଲ ଅଧ୍ୟୟନ କରାଉ, ତେବେ ଆମେ ଆରମ୍ଭରୁ ସେମାନଙ୍କୁ ପ୍ରୋତ୍ସାହନ ଦେଉ ଯେ ସେମାନେ ପ୍ରତିଦିନ ବାଇବଲ ପଢ଼ନ୍ତୁ ।a ବାଇବଲ ପଢ଼ି ସେମାନଙ୍କୁ ପୂରା ଲାଭ ହେଉ, ଏହାପାଇଁ ଆମେ କʼଣ କରିପାରିବା ? ଆମେ ସେମାନଙ୍କୁ କହିପାରିବା ଯେ ପ୍ରତିଥର ଯେବେ ସେମାନେ ବାଇବଲରୁ ପଦଗୁଡ଼ିକୁ ପଢ଼ନ୍ତି, ତେବେ କିଛି ସମୟ ରହି ଭାବନ୍ତୁ ଯେ ଯିହୋବା ସେହି କଥାଗୁଡ଼ିକୁ କାହିଁକି ବାଇବଲରେ ଲେଖାଇଛନ୍ତି ଏବଂ ଏହି ପଦଗୁଡ଼ିକରୁ ସେମାନେ ଯିହୋବାଙ୍କର କେଉଁ କେଉଁ ଗୁଣ ବିଷୟରେ ଜାଣିପାରିଲେ । ଧ୍ୟାନ ଦିଅନ୍ତୁ ଯେ ଆୟୁବଙ୍କ ଘଟଣାରୁ ଯାକୁବ କʼଣ ଶିଖିଲେ । ସେ ଆୟୁବଙ୍କଠାରୁ କେବଳ ଧୈର୍ଯ୍ୟ ଧରିବା ବିଷୟରେ ଶିଖିଲେ ନାହିଁ, ବରଂ ଆୟୁବଙ୍କ ଘଟଣାରୁ ସେ ଯିହୋବାଙ୍କ ବିଷୟରେ ବି ଏହା ଶିଖିଲେ ଯେ ଯିହୋବା ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଈଶ୍ୱର ଅଟନ୍ତି ।—ଯାକୁବ ୫:୧୧ ପଢ଼ନ୍ତୁ ।

୧୦ ଆମେ ଚାହୁଁ ଯେ ଆମ ବିଦ୍ୟାର୍ଥୀମାନେ ବାଇବଲର କୌଣସି ଘଟଣା ପଢ଼ିବା ସମୟରେ ଯିହୋବାଙ୍କ ପସନ୍ଦ ନାପସନ୍ଦ ବିଷୟରେ ଭଲଭାବେ ବୁଝିପାରନ୍ତୁ । ଏହାପାଇଁ ସେମାନେ କʼଣ କରିପାରିବେ ? ଉଦାହରଣ ପାଇଁ, ଆପଣଙ୍କ ବିଦ୍ୟାର୍ଥୀ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ “ବାଇବଲ ପଢ଼ିବା ଆରମ୍ଭ କରନ୍ତୁ” ଭାଗ ଦେଖନ୍ତି ଏବଂ ଆପଣଙ୍କୁ କହନ୍ତି ଯେ ସେମାନେ ବାଇବଲର ସେହି ଘଟଣା ପଢ଼ିବା ପାଇଁ ଚାହାନ୍ତି, ଯେଉଁଥିରେ କୁହାଯାଇଛି ଯେ ସିଂହର ଗୁମ୍ଫାରେ ଦାନିୟେଲ ଥିଲେ । ଆପଣ ସେମାନଙ୍କୁ କହିପାରିବେ ଯେ ସେହି ଘଟଣା ପଢ଼ିବା ପରେ ସେମାନେ ଏଭଳି ପ୍ରଶ୍ନଗୁଡ଼ିକ ବିଷୟରେ ଭାବିପାରିବେ, ‘ଯିହୋବା କାହିଁକି ଦାନିୟେଲଙ୍କ ଜୀବନ ରକ୍ଷା କଲେ ? ଏଥିରୁ ମୁଁ ଯିହୋବା କେଉଁ କଥାରୁ ଖୁସି ହୁଅନ୍ତି, ସେବିଷୟରେ କʼଣ ଶିଖିଲି ?’ (ଦାନି. ୬:୧୦, ୨୨) ସେମାନେ ଏବିଷୟରେ ବି ଭାବିପାରିବେ, ‘ଯେଉଁ ଲୋକମାନେ ଦାନିୟେଲଙ୍କ ଉପରେ ଆରୋପ ଲଗାଇଥିଲେ, ସେମାନଙ୍କ ସହ କʼଣ ହେଲା ? ଏଥିରୁ ମୁଁ ଯିହୋବା କେଉଁ କଥାରୁ ଦୁଃଖି ହୁଅନ୍ତି, ସେବିଷୟରେ କʼଣ ଶିଖିଲି ?’ (ଦାନି. ୬:୪, ୫, ୨୪) ଏହା ବ୍ୟତୀତ, ସେମାନେ ଭାବିପାରିବେ ଯେ ଏହି ଘଟଣାରୁ ସେମାନେ ଯିହୋବାଙ୍କ ଆଉ କେଉଁ ଗୁଣଗୁଡ଼ିକ ବିଷୟରେ ଶିଖିପାରିଲେ ।—ଦାନି. ୬:୨୬, ୨୭.

୧୧. ଆମେ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ କିପରି ଏହା ବୁଝିବା ପାଇଁ ସାହାଯ୍ୟ କରିପାରିବା ଯେ ସେମାନେ ଯାହା ବି ଶିଖୁଛନ୍ତି, ତାହା ପଛରେ ଯିହୋବାଙ୍କର ହିଁ ହାତ ରହିଛି ?

୧୧ ଆମ ବାଇବଲ ବିଦ୍ୟାର୍ଥୀମାନଙ୍କୁ ବାଇବଲ ଅଧ୍ୟୟନରୁ ଯାହା ଲାଭ ହୋଇଛି, ତାʼପାଇଁ ଯେବେ ସେମାନେ କୃତଜ୍ଞ ମନେ କରନ୍ତି, ତେବେ ଆମକୁ ବହୁତ ଖୁସି ଲାଗେ । ସେମାନେ ବାଇବଲରୁ ଯାହା ଶିଖୁଛନ୍ତି, ହୁଏତ ତାʼପାଇଁ ଆମକୁ ଧନ୍ୟବାଦ ଦେଇପାରନ୍ତି କିମ୍ବା ଆମର ପ୍ରଶଂସା କରିପାରନ୍ତି ଯେ ଆମେ ସେମାନଙ୍କୁ ବହୁତ ଭଲଭାବେ ଶିଖାଉଛୁ । ଏପରି କରିବା ଭୁଲ ନୁହେଁ । କିନ୍ତୁ ଯେବେ ସେମାନେ ଆମର ପ୍ରଶଂସା କରନ୍ତି, ତେବେ ଆମେ ସେମାନଙ୍କର ଧ୍ୟାନ ଯିହୋବାଙ୍କ ଆଡ଼କୁ ଆକର୍ଷିତ କରିବା ଉଚିତ୍‌ । ଏପରି କରି ଆମେ ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରିବା ଯେ ସେମାନେ ଯାହା ବି ଶିଖୁଛନ୍ତି, ତାହା ପଛରେ ଆମ ମହାନ ଶିକ୍ଷକ ଯିହୋବାଙ୍କର ହାତ ରହିଛି । (ଯିଶା. ୩୦:୨୦, ୨୧) ସେଥିପାଇଁ ଆମକୁ କେବଳ ଯିହୋବାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ଏବଂ ତାଙ୍କର ପ୍ରଶଂସା କରିବା ଉଚିତ୍‌ ।

ଯିହୋବାଙ୍କ ବିଷୟରେ ଶିଖିଥିବା କଥାଗୁଡ଼ିକୁ ଲାଗୁ କରିବା ପାଇଁ ସାହାଯ୍ୟ କରନ୍ତୁ

୧୨-୧୩. ଯେବେ ଆପଣଙ୍କ ବିଦ୍ୟାର୍ଥୀମାନେ ଯିହୋବାଙ୍କ କୌଣସି ନିଷ୍ପତ୍ତି ବିଷୟରେ ବୁଝିପାରନ୍ତି ନାହିଁ, ତେବେ ଯିହୋବାଙ୍କୁ ଭଲଭାବେ ଜାଣିଲେ ସେମାନେ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଆମ ବାଇବଲ ବିଦ୍ୟାର୍ଥୀମାନେ ଯିହୋବାଙ୍କ ବିଷୟରେ ଯାହା ବି ଶିଖିଛନ୍ତି, ସେଥିରୁ ପୂରା ଲାଭ ପାଇବା ପାଇଁ ସେମାନଙ୍କୁ କʼଣ କରିବାକୁ ପଡ଼ିବ ? ସେମାନେ ଯିହୋବାଙ୍କ ବିଷୟରେ ଯାହା ଶିଖିଛନ୍ତି, ସେହି ଅନୁସାରେ ସେମାନଙ୍କୁ ନିଜ ଚିନ୍ତାଧାରାରେ ଏବଂ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ । ଏପରି କରିବା ପାଇଁ ଆମେ କିପରି ସେମାନଙ୍କୁ ସାହାଯ୍ୟ କରିପାରିବା ? ପ୍ରଥମେ ଆମେ ସେମାନଙ୍କୁ ଏହା ଭାବିବା ପାଇଁ କହିପାରିବା ଯେ ସେମାନେ ଏବେ ପର୍ଯ୍ୟନ୍ତ ଯିହୋବାଙ୍କ ବିଷୟରେ କʼଣ ଶିଖିଛନ୍ତି । ଯେପରି, ହୋଇପାରେ ବାଇବଲର କୌଣସି ଘଟଣା ପଢ଼ିବା ସମୟରେ ଆପଣଙ୍କ ବିଦ୍ୟାର୍ଥୀଙ୍କୁ ବୁଝାପଡ଼େ ନାହିଁ ଯେ ଯିହୋବା କାହିଁକି କିଛି ଲୋକଙ୍କର ଜୀବନ ରକ୍ଷା କଲେ ଏବଂ କିଛି ଲୋକଙ୍କୁ ବିନାଶ କରିଦେଲେ । ହେଲେ ଆପଣ କିପରି ସେମାନଙ୍କୁ ସଠିକ୍‌ ଚିନ୍ତାଧାରା ଆପଣାଇବା ପାଇଁ ସାହାଯ୍ୟ କରିପାରିବେ ?

୧୩ ସେମାନଙ୍କୁ ଏହା ଭାବିବା ପାଇଁ କହନ୍ତୁ ଯେ ସେମାନେ ଏବେ ପର୍ଯ୍ୟନ୍ତ ଯିହୋବାଙ୍କ ବିଷୟରେ କʼଣ ଶିଖିଛନ୍ତି । ଉଦାହରଣ ପାଇଁ, ଆପଣ ତାଙ୍କୁ କହିପାରିବେ ଯେ ସେମାନେ ନିଜକୁ ପଚାରନ୍ତୁ, ‘ଯିହୋବାଙ୍କ ଦୃଷ୍ଟିରେ ଜୀବନ କେତେ ବହୁମୂଲ୍ୟ ? (୨ ପିତ. ୩:୯) ଆମେ ପାପୀ ମଣିଷ ହେଲେ ବି ଆମକୁ ରକ୍ଷା କରିବା ପାଇଁ ସେ କେଉଁ ବହୁମୂଲ୍ୟ ଜିନିଷ ଦେଇଛନ୍ତି ? (ଏଫି. ୨:୪, ୫) କʼଣ ଯିହୋବା କେବେ କୌଣସି ନିର୍ଦ୍ଦୋଷ ବ୍ୟକ୍ତିକୁ ଦଣ୍ଡ ଦେଇଛନ୍ତି ? କିମ୍ବା କʼଣ ସେ ଏପରି ବ୍ୟକ୍ତିର ଜୀବନ ରକ୍ଷା କରିଛନ୍ତି, ଯାହାକୁ ଦଣ୍ଡ ମିଳିବା ଉଚିତ୍‌ ?’ (ଯାତ୍ରା. ୩୪:୬, ୭) ବେଳେବେଳେ ବାଇବଲରେ କୌଣସି ଘଟଣା ବିଷୟରେ ଟିକିନିଖି କଥା କୁହାଯାଇ ନ ଥାଏ, ତେଣୁ ଆମେ ବୁଝିପାରି ନ ଥାଉ ଯେ ଯିହୋବା କାହିଁକି କୌଣସି ନିଷ୍ପତ୍ତି ନେଲେ । ଆଉ ଆମ ପାଇଁ ଏହି କଥାଗୁଡ଼ିକୁ ଜାଣିବା ଏତେ ଜରୁରୀ ବି ନୁହେଁ । କାରଣ ଆମେ ନିଜ ଈଶ୍ୱରଙ୍କୁ ଜାଣିଛୁ ଏବଂ ଆମକୁ ପୂରା ଭରସା ଅଛି ଯେ ସେ ସବୁବେଳେ ସଠିକ୍‌ କାମ କରନ୍ତି ।

ଚିତ୍ରଗୁଡ଼ିକ: ସେହି ଭଉଣୀ ନିଜ ବାଇବଲ ବିଦ୍ୟାର୍ଥୀ ସହିତ ସେହି କଥାଗୁଡ଼ିକ ବିଷୟରେ ଚର୍ଚ୍ଚା କରୁଛନ୍ତି, ଯାହାକୁ ସେ ଶିଖିସାରିଛି । ୧. ଯିହୋବା ନିଜ ସିଂହାସନରେ ବସିଛନ୍ତି । ୨. ଆଦମ ଓ ହବା ମନା କରାଯାଇଥିବା ଫଳକୁ ଖାଇବା ପାଇଁ ଭାବୁଛନ୍ତି । ୩. ସାପର ମସ୍ତକକୁ ଗୋଇଠିରେ ଆଘାତ କରାଯାଉଛି । ୪. ଜଳପ୍ଳାବନ ସମୟରେ ନୋହଙ୍କ ଜାହାଜ ପାଣିରେ ଭାସୁଛି । ୫. ମୋଶା ଲୋହିତ ସାଗରକୁ ଦୁଇ ଭାଗରେ ବିଭକ୍ତ କରୁଛନ୍ତି । ୬. ଯିରୀହୋ ସହରର ପ୍ରାଚୀରଗୁଡ଼ିକ ଭୁଷୁଡ଼ି ପଡ଼ୁଛି, କିନ୍ତୁ ରାହାବଙ୍କ ଘର ଭାଙ୍ଗିଲା ନାହିଁ । ୭. ଏବଦ୍‌-ମେଲକ୍‌ କୂପରୁ ଯିରିମୀୟଙ୍କୁ ବାହାର କରୁଛନ୍ତି । ୮. ଯୀଶୁଙ୍କୁ କାଠରେ କଣ୍ଟା ପିଟି ଦିଆଯାଇଛି ।

ଯେବେ ଆପଣଙ୍କ ବାଇବଲ ବିଦ୍ୟାର୍ଥୀମାନଙ୍କୁ ବାଇବଲର କୌଣସି ଘଟଣା ବୁଝିବା ପାଇଁ କଷ୍ଟ ଲାଗେ, ତେବେ ସେମାନଙ୍କୁ ଏବିଷୟରେ ଭାବିବା ପାଇଁ କହନ୍ତୁ ଯେ ସେମାନେ ଯିହୋବାଙ୍କ ବିଷୟରେ କʼଣ ଜାଣିଛନ୍ତି (ପାରାଗ୍ରାଫ ୧୨-୧୩)


୧୪. ଯଦି ଆପଣଙ୍କ ବିଦ୍ୟାର୍ଥୀଙ୍କୁ ମଣ୍ଡଳୀରେ କୌଣସି ଭାଇ କିମ୍ବା ଭଉଣୀଙ୍କ ସହିତ ମିଶିବା କଠିନ ଲାଗୁଛି, ତାହେଲେ ଆପଣ କʼଣ କରିପାରିବେ ?

୧୪ ଏବେ ଆସନ୍ତୁ ଆମେ ଦ୍ୱିତୀୟ ଉପାୟ ଉପରେ ଧ୍ୟାନ ଦେବା, ଏହା ସାହାଯ୍ୟରୁ ଆପଣଙ୍କ ବିଦ୍ୟାର୍ଥୀମାନେ ଏବେ ପର୍ଯ୍ୟନ୍ତ ଯିହୋବାଙ୍କ ବିଷୟରେ ଶିଖିଥିବା କଥାଗୁଡ଼ିକୁ ଲାଗୁ କରିପାରିବେ । ଭାବନ୍ତୁ, ଆପଣଙ୍କ ବିଦ୍ୟାର୍ଥୀ ସଭାକୁ ଆସିବାକୁ ଲାଗନ୍ତି, କିନ୍ତୁ ତାଙ୍କୁ କୌଣସି ଭାଇ କିମ୍ବା ଭଉଣୀଙ୍କ ସହିତ ମିଶିବା କଠିନ ଲାଗୁଛି । ହୁଏତ ସେହି ଭାଇ କିମ୍ବା ଭଉଣୀ ଏପରି କିଛି କରିଥିବେ, ଯାହାଦ୍ୱାରା ତାଙ୍କୁ ଦୁଃଖ ପହଞ୍ଚିଥିବ । ଏପରି ସମୟରେ ନିଜ ବିଦ୍ୟାର୍ଥୀଙ୍କୁ ଏବିଷୟରେ ଭାବିବା ପାଇଁ କହନ୍ତୁ ଯେ ଯିହୋବା ଭାଇଭଉଣୀମାନଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି । ଉଦାହରଣ ପାଇଁ, ତାଙ୍କୁ କିଛି ପ୍ରଶ୍ନ ବିଷୟରେ ଭାବିବା ପାଇଁ କହନ୍ତୁ । ଯେପରି, ଯିହୋବା ଭାଇଭଉଣୀମାନଙ୍କୁ ପ୍ରେମ କରନ୍ତି, ତେଣୁ ସେ ସେମାନଙ୍କ ପାଇଁ କʼଣ ତ୍ୟାଗ କରିଛନ୍ତି ? (ଯୋହ. ୩:୧୬) ଆମ ମଧ୍ୟରେ ଥିବା ଏକତା ଯିହୋବାଙ୍କ ପାଇଁ କେତେ ମହତ୍ତ୍ୱ ରଖେ ? (ଗୀତ. ୧୩୩:୧) ଯେବେ ଆମେ ପରସ୍ପର ସହିତ ପ୍ରେମ ଓ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରୁ, ତେବେ ତାଙ୍କୁ କିପରି ଲାଗେ ? (୨ କରି. ୧୩:୧୧) ଏପରି କରି ନିଜ ବିଦ୍ୟାର୍ଥୀଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯେବେ ଆମେ ଅନ୍ୟମାନଙ୍କ ଭୁଲଗୁଡ଼ିକ ପରିବର୍ତ୍ତେ ସେମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଉ, ତେବେ ଯିହୋବାଙ୍କୁ ବହୁତ ଖୁସି ଲାଗେ ।

୧୫-୧୬. (କ) ଯେବେ ଜଣେ ବିଦ୍ୟାର୍ଥୀଙ୍କୁ କୌଣସି ବଡ଼ ନିଷ୍ପତ୍ତି ନେବାର ଥାଏ, ତେବେ ସେ ଯୀଶୁଙ୍କ ଭଳି କʼଣ କରିପାରିବେ ? (ଯୋହନ ୮:୨୯) (ଖ) ଭଉଣୀ ମେରିୟନ କʼଣ କଲେ, ଯାହାଦ୍ୱାରା ତାଙ୍କ ବିଦ୍ୟାର୍ଥୀ ଭଲ ନିଷ୍ପତ୍ତି ନେଇପାରିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଶେଷରେ ଆପଣ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଶିଖାଇପାରିବେ ଯେ ସେ ଏବେ ପର୍ଯ୍ୟନ୍ତ ଯିହୋବାଙ୍କ ବିଷୟରେ ଯାହା ଶିଖିଛନ୍ତି, ତାହାକୁ ଧ୍ୟାନରେ ରଖି କିପରି ଭଲ ନିଷ୍ପତ୍ତି ନେଇପାରିବେ । ଆପଣ ତାଙ୍କୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩୫ ଦେଖାଇପାରିବେ, ଯାହାର ଶୀର୍ଷକ ହେଉଛି, “ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ?” କିନ୍ତୁ ହୁଏତ ଆପଣଙ୍କ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କୁ ପ୍ରାର୍ଥନା କରିଥିବେ ଏବଂ ଅନୁସନ୍ଧାନ କରିଥିବେ, ତଥାପି ତାଙ୍କୁ ବୁଝି ଆସୁ ନ ଥିବ ଯେ ସେ କିପରି ଭଲ ନିଷ୍ପତ୍ତି ନେଇପାରିବେ । ହୁଏତ ସେହି ବିଷୟରେ ସେ ଅନେକ ସିଦ୍ଧାନ୍ତ ପଢ଼ିଥିବେ, କିନ୍ତୁ ସେ ଏହା ବୁଝିପାରୁ ନ ଥିବେ ଯେ ତାଙ୍କୁ କେଉଁ ସିଦ୍ଧାନ୍ତକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା ଉଚିତ୍‌ । ଏପରି ସମୟରେ ଆପଣ ତାଙ୍କୁ ଯୀଶୁଙ୍କ ବିଷୟରେ ଭାବିବା ପାଇଁ କହିପାରିବେ । ସେ ଏହା ଭାବିପାରିବେ ଯେ ଯୀଶୁ କେଉଁ କଥାକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଉଥିଲେ । ଯୀଶୁ କହିଥିଲେ, “ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ ।” (ଯୋହନ ୮:୨୯ ପଢ଼ନ୍ତୁ ।) ନିଜ ବିଦ୍ୟାର୍ଥୀଙ୍କୁ ଏବିଷୟରେ ଭାବିବା ପାଇଁ କହନ୍ତୁ, ‘ମୁଁ ପ୍ରକାଶନରେ ଯାହା ଅନୁସନ୍ଧାନ କଲି ଓ ଯିହୋବାଙ୍କ ବିଷୟରେ ଯାହା ଶିଖିଲି ତାହାକୁ ଧ୍ୟାନରେ ରଖି ମୋତେ କିପରି ନିଷ୍ପତ୍ତି ନେବା ଉଚିତ୍‌, ଯେଉଁଥିରୁ ଯିହୋବା ଖୁସି ହେବେ ?’ ମନେ ରଖନ୍ତୁ ଯେଉଁ ନିଷ୍ପତ୍ତିରୁ ଯିହୋବା ଖୁସି ହୁଅନ୍ତି, ତାହା ହିଁ ହେଉଛି, ଭଲ ନିଷ୍ପତ୍ତି ।

୧୬ ଚିଲିରେ ରହୁଥିବା ଜଣେ ବାଇବଲ ବିଦ୍ୟାର୍ଥୀକୁ ଗୋଟିଏ ବଡ଼ ନିଷ୍ପତ୍ତି ନେବାର ଥିଲା । ତାʼ ପରିବାର ତାକୁ ଭଲ ଦରମା ମିଳୁଥିବା ଚାକିରି କରିବା ପାଇଁ ଚାପ ପକାଉଥିଲା, କିନ୍ତୁ ସେହି ଚାକିରି କଲେ ସେ ପ୍ରତି ସଭାକୁ ଯାଇପାରନ୍ତା ନାହିଁ । ତାʼର ବାଇବଲ ଅଧ୍ୟୟନ କରାଉଥିବା ଭଉଣୀ ମେରିୟନ କହନ୍ତି, “ମୁଁ ତାକୁ କହିଲି ଯେ ସେ ନିଷ୍ପତ୍ତି ନେବା ପୂର୍ବରୁ ଏହା ଭାବୁ ଯେ ସେ ଯାହା ନିଷ୍ପତ୍ତି ନେବ, ସେଥିରୁ ଯିହୋବାଙ୍କୁ କିପରି ଲାଗିବ । କʼଣ ଯିହୋବା ସେଥିରୁ ଖୁସି ହେବେ ନା ଦୁଃଖି ହେବେ ? ମୁଁ ତାକୁ ଏହା ବି କହିଲି ଯେ ସେ ବିଶେଷ କରି ଏବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କରୁ ଏବଂ ଏହା ଧ୍ୟାନ ଦେଉ ଯେ ଯିହୋବା କିପରି ତାʼ ପ୍ରାର୍ଥନାର ଉତ୍ତର ଦିଅନ୍ତି । ସେ ସେହି ଚାକିରି କରିବାରୁ ମନା କରିଦେଲା ଏବଂ କିଛି ସମୟ ପରେ ତାକୁ ଅନ୍ୟ ଚାକିରି ମିଳିଲା, ଯାହାଦ୍ୱାରା ସେ ପ୍ରତି ସଭାକୁ ଯାଇପାରନ୍ତା ।” ଧ୍ୟାନ ଦିଅନ୍ତୁ ଯେ ଭଉଣୀ ମେରିୟନ ନିଜ ବିଦ୍ୟାର୍ଥୀକୁ ଏହା କହିଲେ ନାହିଁ ଯେ ତାକୁ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ, ବରଂ ସେ ତାକୁ ପ୍ରୋତ୍ସାହନ ଦେଲେ ଯେ ସେ ଯିହୋବାଙ୍କ ବିଷୟରେ ଯାହା ଶିଖିଛି, ସେବିଷୟରେ ଗଭୀର ଭାବେ ଚିନ୍ତନ କରୁ । ଏପରି କରି କେବଳ ସେହି ବିଦ୍ୟାର୍ଥୀ ଓ ଭଉଣୀ ମେରିୟନଙ୍କ ସମ୍ପର୍କ ଦୃଢ଼ ହେଲା ନାହିଁ, ବରଂ ସେହି ବିଦ୍ୟାର୍ଥୀର ଯିହୋବାଙ୍କ ସହିତ ବି ସମ୍ପର୍କ ଦୃଢ଼ ହେଲା । ଭଉଣୀ ମେରିୟନ ନିଜ ବିଦ୍ୟାର୍ଥୀ ବିଷୟରେ କହିଲେ, “ସେ ଜାଣିପାରିଲା ଯେ ଯଦି ଆମେ ଯିହୋବାଙ୍କ ଉପାସନାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉ, ତାହେଲେ ସେ ଆମର ଯତ୍ନ ନିଅନ୍ତି ।”

ଜଣେ ବାଇବଲ ବିଦ୍ୟାର୍ଥୀଙ୍କୁ କମ୍ପାନୀର ମ୍ୟାନେଜର ଚାକିରି ଦେଉଛନ୍ତି । ମ୍ୟାନେଜରଙ୍କ ହାତରେ ଚାକିରିର ଚୁକ୍ତିପତ୍ର ଓ ପେନ୍‌ ଅଛି ଏବଂ ସେ ବିଦ୍ୟାର୍ଥୀଙ୍କୁ ଦସ୍ତଖତ କରିବା ପାଇଁ କହୁଛନ୍ତି । ବାଇବଲ ବିଦ୍ୟାର୍ଥୀ ଚାକିରି କରିବାରୁ ମନା କରୁଛନ୍ତି ।

ନିଜ ବିଦ୍ୟାର୍ଥୀଙ୍କୁ ଏପରି ନିଷ୍ପତ୍ତି ନେବା ପାଇଁ ଶିଖାନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ (ପାରାଗ୍ରାଫ ୧୫-୧୬)b


ଯିହୋବାଙ୍କୁ ଭଲଭାବେ ଜାଣନ୍ତୁ ଆଉ ଆଶିଷ ପାଆନ୍ତୁ

୧୭. ଆମ ବାଇବଲ ବିଦ୍ୟାର୍ଥୀମାନଙ୍କ ପାଇଁ କʼଣ ଜାଣିବା ବହୁତ ଜରୁରୀ ?

୧୭ ଯେବେ ଆମ ବିଦ୍ୟାର୍ଥୀମାନେ ବାଇବଲ ଅଧ୍ୟୟନ କରନ୍ତି, ତେବେ ସେମାନେ ଅନେକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ବିଷୟରେ ଶିଖନ୍ତି । ସେମାନେ ବାଇବଲର ମୌଳିକ ଶିକ୍ଷାଗୁଡ଼ିକ ବିଷୟରେ ଶିଖନ୍ତି । ଯେପରି, ମୃତ୍ୟୁ ପରେ କʼଣ ହୁଏ, ଯୀଶୁ ମୁକ୍ତିର ମୂଲ୍ୟ କାହିଁକି ଦେଲେ ଓ ଈଶ୍ୱରଙ୍କ ରାଜ୍ୟ କʼଣ କରିବ । ସେମାନେ ଆମ ସଂଗଠନ ବିଷୟରେ ବି ଶିଖନ୍ତି । ଯେପରି, ଆମ ସଭାରେ କʼଣ ହୁଏ, ପ୍ରାଚୀନମାନେ କʼଣ କରନ୍ତି ଓ ପ୍ରଶାସନ ଦଳ କିଏ ? କିନ୍ତୁ ଆମେ ଜାଣିଛୁ ଯେ ଆମ ବାଇବଲ ବିଦ୍ୟାର୍ଥୀମାନଙ୍କୁ କେବଳ ଏତିକି ଜାଣିବା ଯଥେଷ୍ଟ ନୁହଁ । ଆମେ ଚାହୁଁ ଯେ ସେମାନଙ୍କ ପାଇଁ ଯିହୋବାଙ୍କୁ ବି ଭଲଭାବେ ଜାଣିବା ବହୁତ ଜରୁରୀ ।

୧୮. ଯେଉଁମାନେ ଯିହୋବାଙ୍କୁ ଜାଣନ୍ତି, ସେମାନଙ୍କୁ କʼଣ ଆଶିଷ ମିଳେ ?

୧୮ ଆମ ପାଇଁ ଏହା ବହୁତ ବଡ଼ କଥା ଯେ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇପାରୁ ! ଯେବେ ଲୋକମାନେ ଯିହୋବାଙ୍କୁ ଭଲଭାବେ ଜାଣନ୍ତି ଓ ତାଙ୍କ ଉପାସନା କରିବାକୁ ଲାଗନ୍ତି, ତେବେ ଆଜି ବି ସେମାନେ ଖୁସିରେ ବଞ୍ଚିପାରନ୍ତି । (ଗୀତ. ୨୫:୧୨-୧୫) ଆଉ ଯେଉଁମାନେ ‘ଯିହୋବାଙ୍କୁ ଜାଣିବା ନିମନ୍ତେ ଜ୍ଞାନ ନିଅନ୍ତି,’ ସେମାନେ ଆଗକୁ ଯାଇ ସବୁଦିନ ପାଇଁ ଖୁସିରେ ବଞ୍ଚିବେ । (୧ ଯୋହ. ୫:୨୦) କିନ୍ତୁ ଆଜି ଆମକୁ ଆଉ ଗୋଟିଏ ଆଶିଷ ମିଳିପାରିବ । ବାଇବଲରେ ଲେଖାଅଛି ଯେ ଯେଉଁମାନେ ଯିହୋବାଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତି ଓ ତାଙ୍କୁ ପ୍ରେମ କରନ୍ତି, “ସେହି ଜଣ ତାହାଙ୍କ ପରିଚିତ,” ଅର୍ଥାତ୍‌ ଯିହୋବା ସେମାନଙ୍କୁ ଜାଣନ୍ତି । (୧ କରି. ୮:୩) ସର୍ବଶକ୍ତିମାନ ଈଶ୍ୱର ଆମେ ସାଧାରଣ ମଣିଷମାନଙ୍କ ଉପରେ ଧ୍ୟାନ ଦିଅନ୍ତି ଏବଂ ଆମକୁ ନିଜ ମିତ୍ର ବୋଲି କହନ୍ତି । ସତରେ, ଏକମାତ୍ର ସତ୍ୟ ଈଶ୍ୱରଙ୍କୁ ଜାଣିବା ଆମ ପାଇଁ କେତେ ବଡ଼ ଆଶିଷ !

ଆପଣ କʼଣ ଉତ୍ତର ଦେବେ ?

  • ଏହା କାହିଁକି ଜରୁରୀ ଯେ ଜଣେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କୁ ଭଲଭାବେ ଜାଣନ୍ତୁ ?

  • ଯିହୋବା କିପରି ଈଶ୍ୱର ଅଟନ୍ତି, ଏହା ଶିଖାଇବା ପାଇଁ ଆମେ ନିଜ ବିଦ୍ୟାର୍ଥୀଙ୍କୁ କିପରି ସାହାଯ୍ୟ କରିପାରିବା ?

  • ଆମ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ବିଷୟରେ ଯାହା ଶିଖିଛନ୍ତି, ସେହି ଅନୁସାରେ ନିଜ ଚିନ୍ତାଧାରା ଓ ଜୀବନଶୈଳୀରେ ପରିବର୍ତ୍ତନ କରିବା ପାଇଁ ଆମେ କିପରି ତାଙ୍କୁ ଶିଖାଇପାରିବା ?

ଗୀତ ୮୪ ଆଗେଇ ଚାଲୁ

a ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପାଠ ୫ର ଲକ୍ଷ୍ୟ ଭାଗରେ ଏହା ଦିଆଯାଇଛି, “‘ବାଇବଲ ପଢ଼ିବା ଆରମ୍ଭ କରନ୍ତୁ’ ନାମକ ଚାର୍ଟ ସାହାଯ୍ୟରେ ପ୍ରତିଦିନ ବାଇବଲ ପଢ଼ନ୍ତୁ ।”

b ଚିତ୍ର ବିଷୟରେ: ଗୋଟିଏ ପ୍ରଦର୍ଶନରେ ଦେଖାଇ ଦିଆଯାଇଛି ଯେ ଭଉଣୀ ମେରିୟନଙ୍କ ବାଇବଲ ବିଦ୍ୟାର୍ଥୀ ଚାକିରି ନେବା ପାଇଁ ମନା କରୁଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ