୨୧-୨୭ ସେପ୍ଟେମ୍ବର, ୨୦୨୬
ଗୀତ ୧୨ ମହାନ ପରମେଶ୍ୱର, ଯିହୋବା
ଯିହୋବାଙ୍କୁ ଆହୁରି ଭଲଭାବେ ଜାଣନ୍ତୁ
‘ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ତାହାଙ୍କର ସେବା କର ।’—୧ ବଂଶା. ୨୮:୯.
କʼଣ ଶିଖିବା ?
ଯିହୋବାଙ୍କୁ ଜାଣିବାର ଅର୍ଥ କʼଣ, ଆମକୁ କାହିଁକି ତାଙ୍କୁ ଆହୁରି ଭଲଭାବେ ଜାଣିବା ଉଚିତ୍ ଏବଂ ଆମେ କିପରି ତାଙ୍କୁ ଆହୁରି ଭଲଭାବେ ଜାଣିପାରିବା ?
୧. ଯିହୋବାଙ୍କ ବିଷୟରେ ଭାବିଲେ ଆମକୁ କିପରି ଲାଗେ ?
ଆମ ଈଶ୍ୱର ଯିହୋବା ସବୁକିଛି ଜାଣନ୍ତି । ସେ ସବୁଠାରୁ ବୁଦ୍ଧିମାନ ଅଟନ୍ତି ଏବଂ ସେ ଅନେକ ଅଦ୍ଭୁତ କାମ କରିଛନ୍ତି । ତାଙ୍କ ବିଷୟରେ ଭାବି ଆମେ ଆଶ୍ଚର୍ଯ୍ୟ ହୋଇଯାଉ ଏବଂ ଆମକୁ ଅନୁଭବ ହୁଏ ଯେ ସେ କେତେ ମହାନ ଈଶ୍ୱର ଅଟନ୍ତି ! ଆମେ ବି ପ୍ରେରିତ ପାଉଲଙ୍କ ଭଳି ଅନୁଭବ କରୁ, ଯିଏ ଲେଖିଲେ, “ଆହା ! ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର ! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ଅନନୁସନ୍ଧେୟ !”—ରୋମୀ. ୧୧:୩୩, ୩୪.
୨. ଆମେ କାହିଁକି କହିପାରିବା ଯେ ଆମେ ଯିହୋବାଙ୍କୁ ଜାଣିପାରିବା ?
୨ ଅବଶ୍ୟ ଆମେ କେବେ ବି ଯିହୋବାଙ୍କ ବିଷୟରେ ସବୁକିଛି ଜାଣିପାରିବା ନାହିଁ, କିନ୍ତୁ ଆମେ କିଛି ମାତ୍ରାରେ ତାଙ୍କୁ ଜାଣିପାରିବା । ଦାଉଦ ନିଜ ପୁତ୍ର ଶଲୋମନଙ୍କୁ କହିଲେ, ‘ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ତାହାଙ୍କର ସେବା କର; ଯେବେ ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କୁ ପାଇବ ।’ (୧ ବଂଶା. ୨୮:୯) ଏହାର ଅନେକ ବର୍ଷ ପରେ ପ୍ରେରିତ ଯୋହନ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଲେ ଯେ ‘ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ [“ସୁବୁଦ୍ଧି,” NWT] ମିଳିଛି ।’ (୧ ଯୋହ. ୫:୨୦) ଆଉ ଯୀଶୁ ମଧ୍ୟ କହିଲେ ଯେ “ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି,” ସେମାନେ ସମସ୍ତେ ଈଶ୍ୱରଙ୍କୁ ଜାଣିପାରିବେ ।—ମାଥି. ୧୧:୨୭.
୩. ଏହି ଲେଖାରେ ଆମେ କʼଣ ଜାଣିବା ?
୩ ଯିହୋବାଙ୍କ ସମସ୍ତ ସମର୍ପିତ ସେବକ ତାଙ୍କ ବିଷୟରେ ଅନେକ କଥା ଜାଣନ୍ତି । ତଥାପି ଆମେ ତାଙ୍କ ବିଷୟରେ ସବୁବେଳେ କିଛି ନା କିଛି ନୂଆ କଥା ‘ଜାଣିପାରିବା ।’ (ଯୋହ. ୧୭:୩) ଯେପରି, ଆମେ ଏବିଷୟରେ ଆହୁରି ଜାଣିପାରିବା ଯେ ତାଙ୍କୁ କେଉଁ କଥାଗୁଡ଼ିକରୁ ଖୁସି ମିଳେ ଏବଂ ଆମେ କିପରି ତାଙ୍କ ଉପରେ ନିଜର ଭରସା ବଢ଼ାଇପାରିବା । ଆମେ ଲମ୍ବା ସମୟରୁ କିମ୍ବା କିଛି ବର୍ଷରୁ ଯିହୋବାଙ୍କ ସେବା କରୁଥାଉ ନା କାହିଁକି, ଆମ ସମସ୍ତଙ୍କୁ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବିବା ଉଚିତ୍: ଯିହୋବାଙ୍କୁ ଜାଣିବାର ଅର୍ଥ କʼଣ ? ଯିହୋବାଙ୍କୁ କାହିଁକି ଲଗାତାର ଜାଣିବା ଜରୁରୀ ? ଆଉ ଆମେ କିପରି ତାଙ୍କୁ ଆହୁରି ଭଲଭାବେ ଜାଣିପାରିବା ? ଏହି ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଜାଣିବା ।
ଯିହୋବାଙ୍କୁ ଜାଣିବାର ଅର୍ଥ କʼଣ ?
୪. ଯିହୋବାଙ୍କୁ ଜାଣିବାର ଅର୍ଥ କʼଣ ?
୪ ଯିହୋବାଙ୍କୁ ଜାଣିବାର ଅର୍ଥ କʼଣ, ଏହା ବୁଝିବା ପାଇଁ ଧ୍ୟାନ ଦିଅନ୍ତୁ ଯେ ଯିହୋବା ସେହି ଯିହୁଦୀମାନଙ୍କ ବିଷୟରେ କʼଣ କହିଲେ, ଯେଉଁମାନେ ବାବିଲରୁ ଫେରିଥାʼନ୍ତେ । ଯିହୋବା ପ୍ରତିଜ୍ଞା କରିଥିଲେ, ‘ମୁଁ ଯେ ସଦାପ୍ରଭୁ ଅଟେ, ଏହା ଜାଣିବାର ମନ ବା ହୃଦୟ ସେମାନଙ୍କୁ ଦେବି ।’ (ଯିରି. ୨୪:୭) ଦେଖିବାକୁ ଗଲେ, ଯିହୁଦୀମାନଙ୍କୁ ଯିହୋବାଙ୍କ ବିଷୟରେ ପୂର୍ବରୁ ଅନେକ କଥା ଜଣାଥିଲା । ତଥାପି ସେମାନଙ୍କୁ ଯିହୋବାଙ୍କ ବିଷୟରେ ଆହୁରି ଭଲଭାବେ ଜାଣିବାର ଥିଲା । ଅର୍ଥାତ୍ ସେମାନଙ୍କୁ ସମ୍ପୂର୍ଣ୍ଣ ହୃଦୟ ଓ ସଠିକ୍ ଉଦ୍ଦେଶ୍ୟରେ ତାଙ୍କର ସେବା କରିବାର ଥିଲା । ଏବିଷୟରେ ବାଇବଲର ଜଣେ ବିଦ୍ୱାନ୍ କହିଲେ, “ଯେପରି ପ୍ରେମ ବିଷୟରେ ପଢ଼ିବା ଓ କାହାରିକୁ ପ୍ରେମ କରିବାରେ ବହୁତ ପାର୍ଥକ୍ୟ ଥାଏ । ଠିକ୍ ସେହିଭଳି ଈଶ୍ୱରଙ୍କ ବିଷୟରେ ପଢ଼ିବା ଓ ଈଶ୍ୱରଙ୍କୁ ଭଲଭାବେ ଜାଣିବାରେ ବହୁତ ପାର୍ଥକ୍ୟ ଅଛି ।” କେବଳ ଏହା ଜାଣିବା ଯଥେଷ୍ଟ ନୁହେଁ ଯେ ଈଶ୍ୱରଙ୍କ ନାମ ଯିହୋବା ଏବଂ ସେ ହିଁ ସବୁକିଛି ସୃଷ୍ଟି କରିଛନ୍ତି । ଆମକୁ ତାଙ୍କର ମିତ୍ର ହେବାକୁ ପଡ଼ିବ, ଏହା ଜାଣିବାକୁ ପଡ଼ିବ ଯେ ସେ କିପରି ଈଶ୍ୱର ଅଟନ୍ତି ଏବଂ ତାଙ୍କଠାରେ କେଉଁ କେଉଁ ଗୁଣ ରହିଛି ।
୫. ଯୋଶୀୟଙ୍କ ଉଦାହରଣରୁ ବୁଝାନ୍ତୁ ଯେ ଯିହୋବାଙ୍କୁ ଜାଣିବାର ଅର୍ଥ କʼଣ ?
୫ ଆମେ ଯେତେ ଅଧିକ ଯିହୋବାଙ୍କୁ ଜାଣିବାକୁ ଲାଗୁ, ସେତେ ଅଧିକ ଆମେ ବୁଝିପାରୁ ଯେ ତାଙ୍କୁ କେଉଁ କଥାରୁ ଖୁସି ମିଳେ ଏବଂ କେଉଁ କଥାଗୁଡ଼ିକୁ ସେ ପସନ୍ଦ କରନ୍ତି ନାହିଁ । ରାଜା ଯୋଶୀୟଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ବାଇବଲରେ ଲେଖାଅଛି, “ତାଙ୍କର ଅଧିକାରର ଅଷ୍ଟମ ବର୍ଷରେ ସେ ଅଳ୍ପବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ।” (୨ ବଂଶା. ୩୪:୩) ଯୋଶୀୟ ଈଶ୍ୱରଙ୍କ ବାକ୍ୟରୁ ତାଙ୍କ ବିଷୟରେ ଅନେକ କଥା ଜାଣିଥିଲେ, କିନ୍ତୁ ସେ ଆଉ ବି କିଛି କଲେ । ସେ ଯାହା ଶିଖୁଥିଲେ, ତାହା ଅନୁସାରେ କାମ ବି କରୁଥିଲେ । ସେଥିପାଇଁ ଯିହୋବା, ଯିରିମୀୟଙ୍କ ଜରିଆରେ କହିଲେ ଯେ ଯୋଶୀୟ ‘ବିଚାର [“ନ୍ୟାୟ,” NWT] କଲେ’ ଏବଂ ଦରିଦ୍ର ଓ ଦୀନହୀନମାନଙ୍କ ଅଧିକାର ପାଇଁ ତାଙ୍କ ତରଫରୁ ଗୁହାରି କଲେ । ଆଉ ପରେ ଯିହୋବା କହିଲେ, ‘ଏହା କି ମୋତେ ଜାଣିବା ନୁହେଁ ?’—ଯିରି. ୨୨:୧୫, ୧୬.
୬. ଯେବେ ଆମେ ଯିହୋବାଙ୍କୁ ଅଧିକ ଜାଣିବାକୁ ଲାଗୁ, ତେବେ କʼଣ ହୋଇଥାଏ ? (ଗୀତସଂହିତା ୯:୧୦)
୬ ଗୀତସଂହିତା ୯:୧୦ ପଢ଼ନ୍ତୁ । ଯେବେ ଆମେ ଯିହୋବାଙ୍କୁ ଅଧିକ ଜାଣିବାକୁ ଲାଗୁ, ତେବେ ତାଙ୍କ ଉପରେ ଆମର ଆହୁରି ଭରସା ବଢ଼େ । ପାଉଲଙ୍କ ସହିତ ବି ଏପରି ହିଁ ହୋଇଥିଲା । ନିଜ ମୃତ୍ୟୁର କିଛି ସମୟ ପୂର୍ବେ ଯେବେ ସେ ବନ୍ଦୀ ଥିଲେ, ତେବେ ସେ ଲେଖିଲେ, “ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ ।” (୨ ତୀମ. ୧:୧୨) ଯିହୋବାଙ୍କ ବିଷୟରେ ପାଉଲ ଯାହା ଶିଖିଥିଲେ ଏବଂ ଯିହୋବା ତାଙ୍କ ପାଇଁ ଯାହା ବି କରିଥିଲେ, ସେଗୁଡ଼ିକ ଯୋଗୁଁ ପାଉଲ, ଯିହୋବାଙ୍କ ଉପରେ ପୂରା ଭରସା କରୁଥିଲେ । ପାଉଲଙ୍କୁ ପୂରା ଭରସା ଥିଲା ଯେ ସେ ଏବେ ପର୍ଯ୍ୟନ୍ତ ବିଶ୍ୱସ୍ତତାର ସହିତ ଯିହୋବାଙ୍କର ଯେଉଁ ସେବା କରିଛନ୍ତି, ତାହାକୁ ଯିହୋବା ଭୁଲିବେ ନାହିଁ ଏବଂ ଆଗକୁ ଯାଇ ତାଙ୍କୁ ଜୀବିତ କରିବେ ।
ଯିହୋବାଙ୍କୁ ଲଗାତାର ଜାଣିବା କାହିଁକି ଜରୁରୀ ?
୭. ଯଦି ଆମେ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଛୁ, ତାହେଲେ ଆମ ସହିତ କʼଣ ହୋଇପାରେ ?
୭ ଯେବେ ଆମେ ଯିହୋବାଙ୍କ ବିଷୟରେ ପ୍ରଥମ ଥର ଜାଣିଲୁ, ତେବେ ଆମେ ତାଙ୍କ ବିଷୟରେ ଆହୁରି ଶିଖିବା ପାଇଁ ଚାହୁଁଥିଲୁ । ତେଣୁ ଆମେ ଗଭୀର ଭାବେ ଅଧ୍ୟୟନ କଲୁ । କିନ୍ତୁ ସମୟ ଗଡ଼ିବା ସହିତ ହୁଏତ ଆମେ ତାଙ୍କ ବିଷୟରେ ଜାଣିବା ପାଇଁ ଏତେ ପରିଶ୍ରମ କରୁ ନ ଥିବା । ଏପରି କାହିଁକି ? ଯେବେ ଆମେ ଏକୁଟିଆରେ କିମ୍ବା ସଭାଗୁଡ଼ିକରେ ବାଇବଲ ପଢ଼ୁ, ତେବେ ଆମେ ପ୍ରାୟ ଏପରି ଭାବିଥାଉ ଯେ ଆମେ ଯାହା ପଢ଼ିଲୁ, ତାହାକୁ ଆମେ ନିଜ ଜୀବନରେ କିପରି ଲାଗୁ କରିପାରିବା ? କିମ୍ବା ସେଥିରୁ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ? ଏବିଷୟରେ ଭାବିବା ବି କଥା । ବାଇବଲ ଆମକୁ ଏପରି କରିବା ପାଇଁ ପ୍ରୋତ୍ସାହନ ଦିଏ । (୨ ତୀମ. ୩:୧୬, ୧୭) କିନ୍ତୁ ଏହାଠାରୁ ବି ଜରୁରୀ ଆଉ ଗୋଟିଏ କଥା ରହିଛି । ବାଇବଲରୁ ଆମେ ଏହାର ଲେଖକ ଯିହୋବା ଈଶ୍ୱରଙ୍କ ବିଷୟରେ ଅନେକ କଥା ଜାଣିପାରିବା । (ଗୀତ. ୨୫:୮-୧୦) ସେଥିପାଇଁ ବାଇବଲ ପଢ଼ିବା ସମୟରେ ଆମକୁ ଏବିଷୟରେ ବି ଭାବିବା ଉଚିତ୍, ‘ଏହି ପଦଗୁଡ଼ିକରୁ ମୁଁ ଯିହୋବା ଈଶ୍ୱରଙ୍କ ବିଷୟରେ କʼଣ ଶିଖିଲି ?’a
୮. ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିଲେ କିପରି ତାଙ୍କ ସହିତ ଆମର ମିତ୍ରତା ଦୃଢ଼ ହୁଏ ? (ଗୀତସଂହିତା ୭୩:୨୪-୨୮)
୮ ଯେବେ ଆମେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବାକୁ ଲାଗୁ, ତେବେ ତାଙ୍କ ସହିତ ଆମର ମିତ୍ରତା ଆହୁରି ଦୃଢ଼ ହୋଇଯାଏ । ଭାବନ୍ତୁ, ପ୍ରତିଦିନ ବାଇବଲ ପଢ଼ିବା ପରେ, ପ୍ରତି ମାସ ବ୍ରୋଡକାଷ୍ଟିଙ୍ଗ୍ କାର୍ଯ୍ୟକ୍ରମ ଦେଖିବା ପରେ କିମ୍ବା କୌଣସି ସମ୍ମିଳନୀ ବା ଅଧିବେଶନ ପରେ ଯିହୋବାଙ୍କ ବିଷୟରେ ଭାବିଲେ, ଆପଣଙ୍କୁ କିପରି ଅନୁଭବ ହୁଏ ? ଆପଣ ନିଶ୍ଚୟ ତାଙ୍କର ଆହୁରି ନିକଟତର ଅନୁଭବ କରୁଥିବେ । ତାହା କାହିଁକି ? କାରଣ ଆପଣ ତାଙ୍କ ବିଷୟରେ ଆହୁରି ଅଧିକ ଜାଣିପାରିଲେ । ଆଉ ଏହାଯୋଗୁଁ ଆମକୁ ତାଙ୍କର ପ୍ରଶଂସା କରିବା ଓ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଇଚ୍ଛା ହୁଏ । ଆମକୁ ହୁଏତ ଆସଫଙ୍କ ଭଳି ଅନୁଭବ କରୁଥିବେ । ଯେବେ ସେ ଭାବିଲେ ଯେ ଯିହୋବା ତାଙ୍କର କେତେ ଚିନ୍ତା କରନ୍ତି, ତେବେ ସେ ଲେଖିଲେ, “ପରମେଶ୍ୱର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି ।” (ଗୀତସଂହିତା ୭୩:୨୪-୨୮ ପଢ଼ନ୍ତୁ ।) ପ୍ରତିଥର ଯେବେ ଆମେ ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରୁ, ତେବେ ଆମକୁ ଅନୁଭବ ହୁଏ ଯେ ଯିହୋବାଙ୍କର ମିତ୍ର ହେବା କେତେ ବଡ଼ କଥା ଅଟେ ଆଉ ଏହା ପାଇଁ ଆମେ ତାଙ୍କର କୃତଜ୍ଞ ମନେ କରୁ ।
୯. ଗୋଟିଏ ଉଦାହରଣ ଦେଇ କହନ୍ତୁ ଯେ ଯେବେ ଆମେ ଯିହୋବାଙ୍କୁ ନିଜର ଧ୍ୟାନରେ ରଖୁ, ତେବେ ଆମେ କିପରି ନିଷ୍ପତ୍ତି ନେଇପାରୁ ?
୯ ଯେବେ ଆମେ ଯିହୋବାଙ୍କୁ ‘ସ୍ୱୀକାର [“ଧ୍ୟାନ,” NWT] କରୁ,’ ଅର୍ଥାତ୍ ଏହା ଭାବୁ ଯେ ଆମେ ତାଙ୍କ ବିଷୟରେ କʼଣ କʼଣ ଶିଖିଲୁ ଏବଂ ଆମ କାମରୁ ତାଙ୍କୁ କିପରି ଲାଗିବ, ତେବେ ଆମେ ଭଲ ନିଷ୍ପତ୍ତି ନେଇପାରୁ । (ହିତୋ. ୩:୫, ୬) ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଅନେକ ଭାଇଭଉଣୀ ନିଜ ଜୀବନସାଥୀଙ୍କ ଫଟୋ ନିଜର ଅଫିସ ଟେବୁଲରେ, ନିଜ ପର୍ସରେ କିମ୍ବା ନିଜ ଫୋନ୍ରେ ରଖନ୍ତି । ଏପରି କଲେ ସେମାନଙ୍କୁ ସବୁବେଳେ ଏହା ଅନୁଭବ ହୁଏ ଯେ ସେମାନେ ନିଜ ସାଥୀଙ୍କୁ କେତେ ପ୍ରେମ କରନ୍ତି । ଆଉ ସେମାନେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଭାବିପାରନ୍ତି ଯେ ତାଙ୍କ ସାଥୀ କେଉଁ କଥାରୁ ଖୁସି ହେବେ ଏବଂ ସେମାନେ ଏପରି କିଛି ବି କରନ୍ତି ନାହିଁ, ଯେଉଁଥିରୁ ତାଙ୍କ ସାଥୀଙ୍କୁ ଦୁଃଖ ପହଞ୍ଚିବ । ସେହିଭଳି ଆମେ ଯେତେ ଅଧିକ ନିଜ ପିତା ଯିହୋବାଙ୍କ ବିଷୟରେ ଭାବିବା, ସେତେ ଅଧିକ ଆମକୁ ଏପରି ନିଷ୍ପତ୍ତି ନେବା ପାଇଁ ଇଚ୍ଛା ହେବ, ଯେଉଁଥିରୁ ସେ ଖୁସି ହୁଅନ୍ତି ।—ଗୀତ. ୧୯:୧୩, ୧୪.
୧୦. ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିଲେ ଆମେ କʼଣ କରିପାରିବା ?
୧୦ ଯିହୋବା ଆମକୁ ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି । ଏହାର ଅର୍ଥ, ଆମଠାରେ ତାଙ୍କ ଭଳି ଗୁଣଗୁଡ଼ିକ ରହିଛି । (ଆଦି. ୧:୨୬) ଆଉ ଯେତେ ଅଧିକ ଆମେ ତାଙ୍କର ଗୁଣଗୁଡ଼ିକ ବିଷୟରେ ଜାଣିବା, ସେତେ ଅଧିକ ଆମେ ବୁଝିପାରିବା ଯେ ଆମେ କିପରି ତାଙ୍କ ଭଳି ଗୁଣଗୁଡ଼ିକୁ ଦେଖାଇପାରିବା । ସାଦ୍ଦୂକୀ ଓ ଫାରୂଶୀମାନେ ଏପରି କଲେ ନାହିଁ, ସେଥିପାଇଁ ଯୀଶୁ ସେମାନଙ୍କୁ କ୍ରୋଧିତ ହେଲେ । ସେମାନେ ବ୍ୟବସ୍ଥା ଜାଣିଥିଲେ ସତ, କିନ୍ତୁ ଯିହୋବାଙ୍କୁ ଜାଣି ନ ଥିଲେ । ସେମାନେ ବ୍ୟବସ୍ଥାର ଛୋଟରୁ ଛୋଟ କଥାକୁ ବହୁତ ଧ୍ୟାନ ଦେଉଥିଲେ, କିନ୍ତୁ ‘ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱସ୍ତ, ଏହାସବୁ ପରିତ୍ୟାଗ କରିଥିଲେ ।’ (ମାଥି. ୨୩:୨୩) ଆମେ ସେହି ଧର୍ମଗୁରୁମାନଙ୍କ ଭଳି ହେବା ପାଇଁ ଚାହିଁ ନ ଥାଉ । ଯେବେ ବି ଆମେ ବାଇବଲରେ ଦିଆଯାଇଥିବା ନିୟମ ଓ ସିଦ୍ଧାନ୍ତଗୁଡ଼ିକୁ ପଢ଼ୁ, ତେବେ ଆମେ ଏହା ବୁଝିବା ପାଇଁ ଚେଷ୍ଟା କରିବା ଯେ ଆମେ ସେଥିରୁ ଯିହୋବାଙ୍କ କେଉଁ ଗୁଣଗୁଡ଼ିକ ବିଷୟରେ ଜାଣିପାରିଲୁ । ଏପରି କଲେ ଆମେ ବି ତାଙ୍କ ଭଳି ହୋଇପାରିବା ।—୧ ଯୋହ. ୪:୮, ୧୧.
ଆମେ କିପରି ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବା ?
୧୧. ଆପଣ ପ୍ରଥମ ଥର ଯିହୋବାଙ୍କ ବିଷୟରେ କିପରି ଜାଣିଲେ ?
୧୧ ଆପଣଙ୍କୁ ପ୍ରଥମ ଥର କିଏ ଯିହୋବାଙ୍କ ବିଷୟରେ କହିଲେ ? ହୁଏତ ଆପଣଙ୍କ ବାପାମାଆ ଆପଣଙ୍କୁ ତାଙ୍କ ବିଷୟରେ ଶିଖାଇଥିବେ । ସେମାନେ ଆପଣଙ୍କୁ ବାଇବଲରୁ କିଛି କାହାଣୀ ଶୁଣାଇଥିବେ ଏବଂ ଏହା ବୁଝାଇଥିବେ ଯେ ଯିହୋବାଙ୍କଠାରେ କେଉଁ କେଉଁ ଗୁଣ ରହିଛି । ସେମାନେ ଆପଣଙ୍କୁ ଯିହୋବାଙ୍କ ସୃଷ୍ଟିକୁ ଦେଖାଇ ମଧ୍ୟ ଏହା କହିଥିବେ ଯେ ସେଥିରୁ ଯିହୋବାଙ୍କର କେଉଁ ଗୁଣଗୁଡ଼ିକ ବିଷୟରେ ଜଣାପଡ଼େ । କିମ୍ବା ହୁଏତ କୌଣସି ସାକ୍ଷୀ ଆପଣଙ୍କୁ ଯିହୋବାଙ୍କ ବିଷୟରେ କହିଥିବେ ଏବଂ ଆପଣଙ୍କର ବାଇବଲ ଅଧ୍ୟୟନ କରାଇଥିବେ । ସେମାନେ ହୁଏତ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଅଧ୍ୟୟନ କରାଇବା ସମୟରେ ଆପଣଙ୍କ ସହିତ ଏହା ଚର୍ଚ୍ଚା କରିଥିବେ ଯେ ବାଇବଲର କିଛି ଘଟଣା ଉପରେ ଗଭୀରତାର ସହିତ ଭାବି ଏବଂ ସୃଷ୍ଟିକୁ ଧ୍ୟାନ ଦେଇ ଆମେ କିପରି ଯିହୋବାଙ୍କର ଅଦ୍ଭୁତ ଗୁଣଗୁଡ଼ିକ ବିଷୟରେ ଜାଣିପାରୁ ।b (ନିହି. ୮:୮; ପ୍ରେରି. ୧୪:୧୭) ଏବେ ଆସନ୍ତୁ ଜାଣିବା ଯେ ଆମେ କିପରି ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିପାରିବା ।
୧୨-୧୩. ଗୋଟିଏ ଉଦାହରଣ ଦେଇ କହନ୍ତୁ ଯେ ବାଇବଲ ପଢ଼ିଲେ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖିପାରିବା ? (ଯିରିମୀୟ ୩୯:୧୫-୧୮) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବାର ଗୋଟିଏ ଉପାୟ ହେଉଛି, ବାଇବଲ ପଢ଼ିବା ଏବଂ ତାହାର ଗଭୀର ଭାବେ ଅଧ୍ୟୟନ କରିବା । କିଛି ପଦରେ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ସ୍ପଷ୍ଟ ଭାବେ କୁହାଯାଇଛି । (ଯାତ୍ରା. ୩୪:୬, ୭) କିନ୍ତୁ ବାଇବଲରେ ଅଧିକାଂଶ ଲୋକମାନଙ୍କ ବିଷୟରେ ଏବଂ ଘଟଣାଗୁଡ଼ିକ ବିଷୟରେ କୁହାଯାଇଛି । ଯଦି ଆମେ ସେଗୁଡ଼ିକ ଉପରେ ଚିନ୍ତନ କରିବା, ତାହେଲେ ଆମେ ଯିହୋବାଙ୍କ ବିଷୟରେ ଅନେକ କଥା ଜାଣିପାରିବା । ଯେବେ ଆପଣ କୌଣସି ଘଟଣାରେ ପଢ଼ନ୍ତି ଯେ ଜଣେ ବ୍ୟକ୍ତି କʼଣ କଲା ଏବଂ କିପରି ନିଷ୍ପତ୍ତି ନେଲା, ତେବେ ଭାବନ୍ତୁ ଯେ ଏଥିରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଜାଣିପାରିଲେ ।
୧୩ ଏଭଳି ଗୋଟିଏ ଘଟଣା ବିଷୟରେ ଯିରିମୀୟ ୩୮:୬-୧୩ ପଦରେ କୁହାଯାଇଛି । ଏହି ପଦଗୁଡ଼ିକରେ ଆମେ ଇଥିଓପିଆର ଏବଦ୍-ମେଲକ୍ଙ୍କ ବିଷୟରେ ପଢ଼ୁ, ଯିଏ ଭବିଷ୍ୟଦ୍ବକ୍ତା ଯିରିମୀୟଙ୍କ ଜୀବନ ରକ୍ଷା କରିଥିଲେ । ଏହି ଘଟଣା ପଢ଼ିବା ସମୟରେ ହୁଏତ ଆପଣ ଏବିଷୟରେ ଭାବିବାକୁ ଲାଗିପାରନ୍ତି ଯେ ଆପଣ କିପରି ଏବଦ୍-ମେଲକ୍ଙ୍କ ଭଳି ସାହସ ଦେଖାଇପାରିବେ, ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିପାରିବେ ଏବଂ ଯିହୋବାଙ୍କ ସେବକମାନଙ୍କୁ ପ୍ରେମ କରିପାରିବେ । କିନ୍ତୁ ଏବିଷୟରେ ବି ଭାବନ୍ତୁ ଯେ ଏହି ଘଟଣାରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିପାରିବେ । (ଯିରିମୀୟ ୩୯:୧୫-୧୮ ପଢ଼ନ୍ତୁ ।) ଯେପରି, କେଉଁ ପଦରୁ ଜଣାପଡ଼େ ଯେ ଆମେ ଯିହୋବାଙ୍କ ପାଇଁ ଯାହା ବି କରୁ, ସେଗୁଡ଼ିକ ପାଇଁ ସେ କୃତଜ୍ଞ ମନେ କରନ୍ତି ? ସେ ନ୍ୟାୟ କରନ୍ତି ? ଭେଦଭାବ କରନ୍ତି ନାହିଁ ? ଏହା ବ୍ୟତୀତ, ଏବିଷୟରେ ବି ଭାବନ୍ତୁ: ଏହି ଘଟଣାରୁ ଆପଣ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଆଉ କʼଣ ଶିଖିଲେ ? ଯେବେ ବି ଆପଣ ବାଇବଲରେ କିଛି ପଢ଼ନ୍ତି, ତେବେ କିଛି ସମୟ ରହି ଏବିଷୟରେ ଚିନ୍ତନ କରନ୍ତୁ ଯେ ଏଥିରୁ ଆପଣ ଯିହୋବାଙ୍କର କେଉଁ ଗୁଣଗୁଡ଼ିକ ବିଷୟରେ ଜାଣିପାରିଲେ । ତାʼପରେ ଯିହୋବାଙ୍କୁ ପ୍ରାର୍ଥନା କରି ଧନ୍ୟବାଦ ଦିଅନ୍ତୁ ଏବଂ କହନ୍ତୁ ଯେ ସେ କେତେ ଭଲ ଈଶ୍ୱର ଅଟନ୍ତି ଏବଂ ଆପଣ ତାଙ୍କୁ କେତେ ପ୍ରେମ କରନ୍ତି ।
ଏବଦ୍-ମେଲକ୍ ସାହସର ସହ ଯିରିମୀୟଙ୍କୁ କୂପରୁ ବାହାର କଲେ (ପାରାଗ୍ରାଫ ୧୨-୧୩)
୧୪. ଆମକୁ କାହିଁକି ଯିହୋବାଙ୍କ ସୃଷ୍ଟି ବିଷୟରେ ଗଭୀର ଭାବେ ଚିନ୍ତନ କରିବା ଉଚିତ୍ ?
୧୪ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବାର ଦ୍ୱିତୀୟ ଉପାୟ ହେଉଛି, ସେ ସୃଷ୍ଟି କରିଥିବା ଜିନିଷଗୁଡ଼ିକ ବିଷୟରେ ଗଭୀର ଭାବେ ଚିନ୍ତନ କରିବା । (ଗୀତ. ୧୪୫:୯, ୧୦) ଯିହୋବାଙ୍କୁ ଭଲଭାବେ ଜାଣିବା ପାଇଁ କେବଳ ସୃଷ୍ଟି ଉପରେ ଧ୍ୟାନ ଦେବା ଯଥେଷ୍ଟ ନୁହେଁ । କିଛି ଲୋକ ନିଜର ସାରା ଜୀବନ କୌଣସି ପଶୁ କିମ୍ବା ଗଛଲତା ବିଷୟରେ ଅଧ୍ୟୟନ କରିବାରେ ଲଗାଇ ଦିଅନ୍ତି । କିନ୍ତୁ ଏସବୁକୁ ଯିଏ ସୃଷ୍ଟି କରିଛନ୍ତି, ତାଙ୍କ ଗୁଣଗୁଡ଼ିକ ବିଷୟରେ ଜାଣିବା ପାଇଁ ସେମାନେ ଚେଷ୍ଟା କରନ୍ତି ନାହିଁ । ଆଉ କିଛି ଲୋକ ତ ଏହା ବି ମାନନ୍ତି ନାହିଁ ଯେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି । ପାଉଲ ଲେଖିଲେ ଯେ ‘ଯିହୋବାଙ୍କର ଅଦୃଶ୍ୟ ଗୁଣସମୂହ, ତାହାଙ୍କର ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି ।’ (ରୋମୀ. ୧:୨୦) ବାଇବଲର ଗୋଟିଏ ଅନୁବାଦରେ ଏହି ପଦକୁ ଏପରି ଭାବେ କୁହାଯାଇଛି ଯେ ଯଦି କେହି କିଛି ସମୟ ରହି ଭାବିବ, ତାହେଲେ ସେ ଈଶ୍ୱରଙ୍କ ଗୁଣଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିପାରିବ । ଯେବେ ବି ଆମେ ଯିହୋବାଙ୍କ ସୃଷ୍ଟିର କୌଣସି ଜିନିଷକୁ ଦେଖୁ, ତେବେ ଆମକୁ କିଛି ସମୟ ରହି ଏବିଷୟରେ ଭାବିବା ଉଚିତ୍ ଯେ ଏଥିରୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ । ଏପରି କଲେ ଆମେ ତାଙ୍କୁ ଆହୁରି ଭଲଭାବେ ଜାଣିପାରିବା ।
୧୫. (କ) ଭାଇ ପ୍ୟାଟ୍ରିକ୍ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବା ପାଇଁ କʼଣ କଲେ ? (ଖ) ତାଙ୍କ ଭଳି ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଆମ ମଧ୍ୟରୁ ଅଧିକାଂଶ ଲୋକ ସହରଗୁଡ଼ିକରେ ରହୁ, ଯେଉଁଠାରେ ଆମକୁ ଏତେ ଗଛଲତା ଓ ଜୀବଜନ୍ତୁ ଦେଖିବାକୁ ମିଳେ ନାହିଁ । ଯଦି ଆପଣ ବି ଏପରି କୌଣସି ଜାଗାରେ ରହନ୍ତି, ତାହେଲେ କʼଣ ଆପଣ ବି ସୃଷ୍ଟିକୁ ଦେଖି ଯିହୋବାଙ୍କ ବିଷୟରେ କିଛି ଶିଖିପାରିବେ ? ଭାଇ ପ୍ୟାଟ୍ରିକ୍ କଙ୍ଗୋ ଗଣରାଜ୍ୟର ଗୋଟିଏ ବଡ଼ ସହର ବ୍ରାଜାଭିଲ୍ରେ ରହନ୍ତି । ସେ କହନ୍ତି, “ମୁଁ ପ୍ରତିଦିନ ନିଜ ବାଲକୋନିରୁ ଯିହୋବାଙ୍କ ସୃଷ୍ଟିକୁ ଦେଖିବା ପାଇଁ ଚେଷ୍ଟା କରେ । ବେଳେବେଳେ ମୁଁ ଏପରି କୀଟପତଙ୍ଗ କିମ୍ବା ପକ୍ଷୀମାନଙ୍କୁ ଦେଖେ, ଯେଉଁମାନେ ନିଜ ପାଇଁ ଖାଦ୍ୟ ସଂଗ୍ରହ କରନ୍ତି କିମ୍ବା ରହିବା ପାଇଁ ସ୍ଥାନ ଖୋଜନ୍ତି । ଥରେ ମୁଁ ଦେଖିଲି ଯେ କିଛି ପକ୍ଷୀ ବସା ବାନ୍ଧୁଛନ୍ତି । ସେମାନେ ଆଖପାଖର ଜିନିଷ ଆଣି ଗୋଟିଏ ବଢ଼ିଆ ବସା ବାନ୍ଧିଲେ ଏବଂ ଆଗକୁ ଯାଇ ସେଥିରେ ଅଣ୍ଡା ଦେଲେ ।” ଭାଇ ପ୍ୟାଟ୍ରିକ୍ ସେହି ପକ୍ଷୀମାନଙ୍କୁ ଦେଖି କେବଳ ଖୁସି ହେଲେ ନାହିଁ, ବରଂ ସେ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ବି ଗଭୀର ଭାବେ ଚିନ୍ତନ କଲେ । ସେ କହନ୍ତି, “ମୁଁ ଶିଖିଲି ଯେ ଯିହୋବା ନିଜ ସବୁ ସୃଷ୍ଟିର, ଏପରିକି ଛୋଟ ଛୋଟ ଜୀବଜନ୍ତୁମାନଙ୍କର ବି ବହୁତ ଚିନ୍ତା କରନ୍ତି ଏବଂ ସେମାନଙ୍କର ଯତ୍ନ ନିଅନ୍ତି । ଏଥିରୁ ମୋତେ ଭରସା ହେଲା ଯେ ସେ ମୋର ବି ସବୁବେଳେ ଯତ୍ନ ନେବେ ଏବଂ ମୋର ପ୍ରତ୍ୟେକ ଆବଶ୍ୟକତାକୁ ପୂରା କରିବେ ।”
ଯିହୋବାଙ୍କ ସୃଷ୍ଟି ବିଷୟରେ ଗଭୀର ଭାବେ ଚିନ୍ତନ କରି, ତାଙ୍କୁ ଆହୁରି ଭଲଭାବେ ଜାଣନ୍ତୁ (ପାରାଗ୍ରାଫ ୧୫)
୧୬. (କ) ମରୀୟମ କିପରି ଯିହୋବାଙ୍କୁ ଆହୁରି ଭଲଭାବରେ ଜାଣିପାରିଲେ ? (ଖ) ଆମେ ତାଙ୍କ ଭଳି କʼଣ କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବାର ତୃତୀୟ ଉପାୟ ହେଉଛି, ଏବିଷୟରେ ଗଭୀର ଭାବେ ଚିନ୍ତନ କରିବା ଯେ ଯିହୋବା ମୋ ପାଇଁ କʼଣ କʼଣ କରିଛନ୍ତି । ଯୀଶୁଙ୍କ ମାଆ ମରୀୟମ ବି ଏପରି ହିଁ କଲେ । ସେ ଯିହୋବାଙ୍କୁ ଭଲଭାବେ ଜାଣିଥିଲେ ଏବଂ ତାଙ୍କୁ ଈଶ୍ୱରଙ୍କ ‘ଅନୁଗ୍ରହ [“ଆଶିଷ,” NWT] ପ୍ରାପ୍ତ ହୋଇଥିଲା ।’ (ଲୂକ ୧:୩୦) ତାଙ୍କୁ ଗୋଟିଏ ବଡ଼ ଦାୟିତ୍ୱ ମିଳିଥିଲା, ଯାହାକୁ ତୁଲାଇବା ତାଙ୍କ ପାଇଁ ସହଜ ନ ଥିଲା । ଆଗକୁ ଯାଇ ସେ ଈଶ୍ୱରଙ୍କ ପୁତ୍ରର ମାଆ ହୁଅନ୍ତେ । ଯିହୋବା ଗାବ୍ରିଏଲ ସ୍ୱର୍ଗଦୂତ ଏବଂ ମରୀୟମଙ୍କ ଜଣେ ସମ୍ପର୍କୀୟ ଏଲିଶାବେଥଙ୍କ ଜରିଆରେ ମରୀୟମଙ୍କ ସାହସ ବଢ଼ାଇଲେ ଏବଂ ଭରସା ଦେଲେ ଯେ ସେ ତାଙ୍କ ସହିତ ଅଛନ୍ତି । ଆଗକୁ ଯାଇ ମରୀୟମ ଏବିଷୟରେ ଚିନ୍ତନ କଲେ ଯେ ତାଙ୍କ ସହିତ କʼଣ କʼଣ ହେଲା ଏବଂ ସେ ଏଥିରୁ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ । ସେ ଆହୁରି ଭଲଭାବରେ ବୁଝିପାରିଲେ ଯେ ଯିହୋବା କେତେ ଶକ୍ତିଶାଳୀ ଓ ଦୟାଳୁ ଈଶ୍ୱର ଅଟନ୍ତି, ସେ କାହାରି ସହିତ ଭେଦଭାବ କରନ୍ତି ନାହିଁ ଏବଂ ନମ୍ର ଲୋକମାନଙ୍କର ବହୁତ ଯତ୍ନ ନିଅନ୍ତି । (ଲୂକ ୧:୪୬-୫୫) ଯିହୋବା ମରୀୟମଙ୍କ ପାଇଁ ଯାହା ବି କରିଥିଲେ, ତାହାକୁ ସେ ବହୁମୂଲ୍ୟ ମନେ କରୁଥିଲେ । ସେହିପରି ଯିହୋବା “ଉପଯୁକ୍ତ [‘ସଠିକ୍,’ NWT] ସମୟରେ” ସାହାଯ୍ୟ କରିବା ପାଇଁ ଯାହା ବି କରନ୍ତି, ତାହାକୁ ଆମେ ବହୁତ ବହୁମୂଲ୍ୟ ମନେ କରୁ । (ଏବ୍ରୀ ୪:୧୬) ଯେବେ ବି ଯିହୋବା ଆପଣଙ୍କ ପାଇଁ କିଛି କରନ୍ତି, ତେବେ ଆପଣ ସମୟ ବାହାର କରି ଭାବନ୍ତୁ: ‘ଯିହୋବା ମୋ ପାଇଁ ଯାହା କଲେ, ସେଥିରୁ ମୁଁ ତାଙ୍କ ବିଷୟରେ କʼଣ ଶିଖେ ? ସେଥିରୁ ମୁଁ ଯିହୋବାଙ୍କ କେଉଁ ଗୁଣଗୁଡ଼ିକ ବିଷୟରେ ଜାଣିପାରେ ?’
ଯିହୋବା ଆପଣଙ୍କ ପାଇଁ ଯାହା ବି କରିଛନ୍ତି, ସେବିଷୟରେ ଚିନ୍ତନ କରି ତାଙ୍କୁ ଆହୁରି ଭଲଭାବେ ଜାଣନ୍ତୁ (ପାରାଗ୍ରାଫ ୧୬)c
ଯିହୋବାଙ୍କ ବିଷୟରେ ଶିଖିବା କେବେ ବି ଶେଷ ହେବ ନାହିଁ
୧୭-୧୮. ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ବିଷୟରେ ଶିଖିବା କେବେ ଶେଷ ହେବ ନାହିଁ ?
୧୭ ଭାବନ୍ତୁ ଯେ ଆମେ ନୂଆ ଦୁନିଆରେ ଯିହୋବାଙ୍କ ବିଷୟରେ ଆଉ କʼଣ କʼଣ ଜାଣିପାରିବା । ସେସମୟରେ ନୂଆ ପୁସ୍ତକସବୁ ଫିଟାଯିବ, ଯେଉଁଥିରୁ ଆମେ ଜାଣିପାରିବା ଯେ ଯିହୋବା ଆମଠାରୁ କʼଣ ଚାହାନ୍ତି । (ପ୍ରକା. ୨୦:୧୨) ଆମେ ତାଙ୍କ ସୃଷ୍ଟି ବିଷୟରେ ଆହୁରି ଭଲଭାବେ ଜାଣିପାରିବା ଏବଂ ତାହାର ପୂରା ମଜା ନେଇପାରିବା । (ଯିଶା. ୧୧:୬-୯) ଆମେ ଯିହୋବାଙ୍କ ବିଷୟରେ ଏପରି ଅନେକ କଥା ଜାଣିପାରିବା, ଯାହା ବିଷୟରେ ଆମେ ଏବେ ଯାଏ ଜାଣି ନାହୁଁ । ଉଦାହରଣ ପାଇଁ, ଯେବେ ସେ ଆମ ସାଙ୍ଗମାନଙ୍କୁ ଏବଂ ଆମ ପରିବାରର ଲୋକମାନଙ୍କୁ ଜୀବିତ କରିବେ ଏବଂ ପ୍ରତିଦିନ ଆମକୁ ପରିପୂର୍ଣ୍ଣ କରି କରି ଯିବେ, ତେବେ ଆମେ ତାଙ୍କର ଗୁଣଗୁଡ଼ିକ ବିଷୟରେ ଗଭୀର ଭାବେ ଜାଣିପାରିବା ।
୧୮ ଯିହୋବାଙ୍କ ବିଷୟରେ ଶିଖିବା କେବେ ବି ଶେଷ ହେବ ନାହିଁ । ସେ ଅନାଦିକାଳରୁ ଅଛନ୍ତି ଏବଂ “ତାହାଙ୍କର ବୁଦ୍ଧି ଅସୀମ ।” (ଗୀତ. ୯୦:୨; ୧୪୭:୫) ଆମେ ‘ପରମେଶ୍ୱରଙ୍କ କାର୍ଯ୍ୟକୁ କେବେହେଲେ ପୂରାପୂରି ବୁଝିପାରିବା ନାହିଁ ।’ (ଉପ. ୩:୧୧, ଇଜି-ଟୁ-ରିଡ୍ ଭର୍ସନ) ତେଣୁ ଆସନ୍ତୁ ଆମେ ଯେତେ ବି ବର୍ଷରୁ ଯିହୋବାଙ୍କ ସେବା କରୁଥାଉ ନା କାହିଁକି, ଆମେ ନିଜ ପ୍ରେମମୟ ପିତାଙ୍କ ବିଷୟରେ ଜାଣିବାର ଗୋଟିଏ ବି ସୁଯୋଗକୁ ହାତଛଡ଼ା କରିବା ନାହିଁ ।
ଗୀତ ୨୮ ଯିହୋବାଙ୍କ ମିତ୍ର କିଏ ?
a ପରମେଶ୍ୱରଙ୍କ ବଚନର ପରିଚୟ ପୁସ୍ତିକାର ପ୍ରଶ୍ନ ୨୦ ପଢ଼ନ୍ତୁ ।
b ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୭ ପଏଣ୍ଟ ନଂ. ୫-୭ ପଢ଼ନ୍ତୁ ।
c ଚିତ୍ର ବିଷୟରେ: ଜଣେ ଭାଇଙ୍କୁ ଭାଷଣ ଦେବା ପାଇଁ ବହୁତ ଡର ଲାଗେ । ସେ ଭାବୁଛନ୍ତି ଯେ ସେ ଯିହୋବାଙ୍କ ସାହାଯ୍ୟରୁ କିପରି ସପ୍ତାହ ମଝିରେ ହୋଇଥିବା ସଭାରେ ଭାଷଣ ଦେଇପାରିଲେ ।