ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜୁଲାଇ ପୃଷ୍ଠା ୮-୧୩
  • ଯିଶାଇୟ ବହିରୁ ସାନ୍ତ୍ୱନା ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିଶାଇୟ ବହିରୁ ସାନ୍ତ୍ୱନା ପାଆନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯେବେ ହଠାତ୍‌ ପରିସ୍ଥିତି ବଦଳିଯାଏ
  • ଯେବେ ନିଜ ପାପଗୁଡ଼ିକୁ ମନେ ପକାଇ ଦୋଷୀ ଅନୁଭବ କରୁ
  • ଯେବେ ଆମର ପ୍ରିୟଜନମାନଙ୍କ ମୃତ୍ୟୁ ହୋଇଯାଏ
  • ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଯିହୋବା ଆମକୁ ଏକୁଟିଆ ଛାଡ଼ିବେନି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜୁଲାଇ ପୃଷ୍ଠା ୮-୧୩

୧୪-୨୦ ସେପ୍ଟେମ୍ବର, ୨୦୨୬

ଗୀତ ୪୧ ମୋ ଗୁହାରି ଶୁଣ

ଯିଶାଇୟ ବହିରୁ ସାନ୍ତ୍ୱନା ପାଆନ୍ତୁ

‘ଯିହୋବା କହନ୍ତି, ଯେପରି ଜଣେ ପିଲାକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ମୁଁ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବି ।’—ଯିଶା. ୬୬:୧୨, ୧୩.

କʼଣ ଶିଖିବା ?

ଯେବେ ଆମେ ଦୁଃଖି ବା ନିରାଶ ଥାଉ, ତେବେ ଯିଶାଇୟ ବହିରେ ଲେଖାଥିବା କଥାଗୁଡ଼ିକ ଉପରେ ଚିନ୍ତନ କଲେ ଆମକୁ ସାନ୍ତ୍ୱନା ମିଳିପାରିବ ।

୧-୨. ଯେବେ ଯିହୋବା ଦେଖନ୍ତି ଯେ ଆମେ ବହୁତ ଦୁଃଖି ଅଛୁ, ତେବେ ସେ କʼଣ କରନ୍ତି ?

ଭାବନ୍ତୁ, ଜଣେ ଛୋଟ ପିଲା ବହୁତ କାନ୍ଦୁଛି । ହୁଏତ ତାʼ ପରିବାର ଅନ୍ୟ ଜାଗାକୁ ରହିବା ପାଇଁ ଯାଉଥିବ, ତେଣୁ ସେ ଏହା ଭାବି ବହୁତ ଦୁଃଖି ଥିବ ଯେ ତାକୁ ତାʼ ସାଙ୍ଗମାନଙ୍କୁ ଛାଡ଼ିକି ଯିବାକୁ ପଡ଼ିବ । କିମ୍ବା ହୁଏତ ତାʼଦ୍ୱାରା କୌଣସି ଭୁଲ ହୋଇଯାଇଥିବ, ତେଣୁ ସେ ବହୁତ ଦୁଃଖିତ ଥିବ । ଆପଣଙ୍କୁ କʼଣ ଲାଗେ, ଏପରି ସମୟରେ ଜଣେ ମାଆ କʼଣ କରିବ ? ସେ ଅତି ସ୍ନେହରେ ତାକୁ ଆଲିଙ୍ଗନ କରିବ, ତାʼକଥା ଧ୍ୟାନର ସହ ଶୁଣିବ ଏବଂ କହିବ ଯେ ସେ ତାକୁ ବହୁତ ପ୍ରେମ କରେ ।

୨ ବାଇବଲରେ ଯିହୋବା କହିଛନ୍ତି ଯେ ସେ ଏପରି ମାଆଙ୍କ ଭଳି ଅଟନ୍ତି, ଯିଏ ନିଜ ପିଲାକୁ ବହୁତ ପ୍ରେମ କରେ ଓ ତାʼର ଯତ୍ନ ନିଏ । ଯିହୋବା କହନ୍ତି, ‘ଯେପରି ଜଣେ ପିଲାକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ମୁଁ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବି ।’ (ଯିଶା. ୬୬:୧୩) ଯିହୋବା ଆମକୁ ଆମ ବାପାମାଆଙ୍କଠାରୁ ବି ଅଧିକ ପ୍ରେମ କରନ୍ତି । (ଯିଶା. ୪୯:୧୫) ଯେବେ ଆମେ ବହୁତ ଚିନ୍ତିତ ଥାଉ କିମ୍ବା ଦୁଃଖରେ ବୁଡ଼ି ଯାଇଥାଉ, ତେବେ ସେ ନିଜ ବାକ୍ୟ ବାଇବଲ ଜରିଆରେ ଆମକୁ ସାନ୍ତ୍ୱନା ଦିଅନ୍ତି ଓ ଆମର ସାହସ ବଢ଼ାନ୍ତି ।—ରୋମୀ. ୧୫:୪.

୩. ଏହି ଲେଖାରେ ଆମେ କʼଣ ଜାଣିବା ?

୩ ଯିଶାଇୟ ବହିରେ ଯିହୋବା ଏପରି ଅନେକ କଥା ଲେଖାଇଛନ୍ତି, ଯେଉଁଥିରୁ ଆମକୁ ସାନ୍ତ୍ୱନା ମିଳିପାରିବ । (ଯିଶା. ୪୦:୧) ସେ ଏହି ବହିକୁ ସେସମୟରେ ଲେଖାଇଥିଲେ, ଯେବେ ଯିହୁଦାରେ ତାଙ୍କ ଲୋକମାନେ କଠିନ ସମୟର ସାମନା କରୁଥିଲେ ଆଉ ସେମାନଙ୍କୁ ସାନ୍ତ୍ୱନାର ଆବଶ୍ୟକ ଥିଲା । ଆଜି ଆମେ ବି ଏଭଳି ‘ଭୀଷଣ ସମୟରେ’ ବଞ୍ଚୁଛୁ, ଯାହାର ସାମନା କରିବା କଷ୍ଟକର । ସେଥିପାଇଁ ଯିଶାଇୟ ବହିରେ ଲେଖାଥିବା କଥାଗୁଡ଼ିକରୁ ଆମକୁ ବି ସାନ୍ତ୍ୱନା ମିଳିପାରିବ । (୨ ତୀମ. ୩:୧) ଆସନ୍ତୁ ଏହି ଲେଖାରେ ଆମେ ଯିଶାଇୟ ବହିରେ ଦିଆଯାଇଥିବା କିଛି ପଦ ଉପରେ ଧ୍ୟାନ ଦେବା । ଆମେ ଜାଣିବା ଯେ (୧) ଯେବେ ହଠାତ୍‌ ଆମ ପରିସ୍ଥିତି ବଦଳିଯାଏ (୨) ଯେବେ ଆମେ ନିଜର ପାପଗୁଡ଼ିକ ବିଷୟରେ ଭାବି ଭାବି ବହୁତ ଚିନ୍ତିତ ହୋଇଯାଉ କିମ୍ବା (୩) ଯେବେ ଆମର ପ୍ରିୟଜନମାନଙ୍କର ମୃତ୍ୟୁ ହୋଇଯାଏ, ତେବେ ଏହି ପଦଗୁଡ଼ିକରୁ ଆମକୁ କିପରି ସାନ୍ତ୍ୱନା ମିଳିପାରିବ ଏବଂ ଆମର ସାହସ ବଢ଼ିପାରିବ ।

ଯେବେ ହଠାତ୍‌ ପରିସ୍ଥିତି ବଦଳିଯାଏ

୪. ଯଦି ଆମ ପରିସ୍ଥିତି ହଠାତ୍‌ ବଦଳିଯାଏ, ତାହେଲେ ଆମକୁ କିପରି ଲାଗିପାରେ ?

୪ ଆମର ପରିସ୍ଥିତି ହଠାତ୍‌ ବଦଳି ଯାଇପାରେ । (ଉପ. ୯:୧୧; ୧ କରି. ୭:୩୧) ହୁଏତ ଆମର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ପଇସାର ଅଭାବ ହୋଇପାରେ, ଆମେ ଯେଉଁଠି ରହୁ, ସେଠାରେ ରାଜନୈତିକ ଅସ୍ଥିରତା ଦେଖାଯାଇପାରେ କିମ୍ବା ଯିହୋବାଙ୍କ ସେବାରେ ଆମ ଆସାଇନମେଣ୍ଟ୍‌ ବଦଳି ଯାଇପାରେ । ଏମିତି ପରିସ୍ଥିତିରେ ଆମେ ହୁଏତ ଡରିଯିବା ଏବଂ ଭାବିବାକୁ ଲାଗିବା ଯେ ଏବେ ଆମର କʼଣ ହେବ । ଯୋଷେଫ ନାମକ ଜଣେ ଭାଇ ୧୭ ବର୍ଷ ଧରି ବୈଥେଲରେ ସେବା କଲେ, କିନ୍ତୁ ପରେ ତାଙ୍କୁ ଅଗ୍ରଦୂତ ଭାବେ ସେବା କରିବା ପାଇଁ ପଠାଗଲା । ସେ କହନ୍ତି, “ମୋତେ କିଛି ବୁଝା ହିଁ ପଡ଼ୁ ନ ଥିଲା । ମୁଁ ଏତେ ବର୍ଷ ଯାଏ ବୈଥେଲରେ ଥିଲି, ତେଣୁ ମୋ ପାଇଁ ଏବେ ସବୁକିଛି ପୁଣିଥରେ ନୂଆ କରି ଆରମ୍ଭ କରିବା କଠିନ ଥିଲା । ମୁଁ ବୁଝିପାରୁ ନ ଥିଲି ଯେ ଆଗକୁ ମୋର କʼଣ ହେବ ।” ଯଦି ଆମ ପରିସ୍ଥିତି ବି ହଠାତ୍‌ ବଦଳିଯାଏ, ତାହେଲେ ଯିଶାଇୟ ବହିରେ ଲେଖାଥିବା ଯିହୋବାଙ୍କ କେଉଁ କଥାରୁ ଆମକୁ ସାନ୍ତ୍ୱନା ମିଳିପାରିବ ?

୫. ଯିଶାଇୟ ୪୨:୧୬ ପଦରେ ଯିହୋବା ଆମକୁ କʼଣ ପ୍ରତିଜ୍ଞା କରିଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୫ ଯିଶାଇୟ ୪୨:୧୬ ପଢ଼ନ୍ତୁ । ଯେବେ ଆମ ପରିସ୍ଥିତି ହଠାତ୍‌ ବଦଳିଯାଏ, ତେବେ ଆମକୁ ଲାଗେ ଯେ ଆମେ ‘ଅନ୍ଧ’ ହୋଇଯାଇଛୁ, ‘ଅନ୍ଧକାରରେ’ ଅଛୁ, “ଅଜ୍ଞାତ” ଓ ‘ବକ୍ରସ୍ଥାନରେ [“ଖାଲଢିପ ରାସ୍ତାରେ,” NWT]’ ଯାଉଛୁ । ଆମକୁ ଏପରି ବି ଲାଗିପାରେ ଯେ ଆମେ କୌଣସି ଘଞ୍ଚ ଜଙ୍ଗଲରେ ଯାଉଛୁ ଏବଂ ଆମକୁ ସଠିକ୍‌ ବାଟ ଜଣାପଡ଼ୁ ନାହିଁ । କିନ୍ତୁ ଏହି ପଦରେ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ସଠିକ୍‌ ବାଟ ଦେଖାଇବେ ଏବଂ ଆମକୁ କେବେ ବି ଛାଡ଼ିବେ ନାହିଁ । ସେ ଆମ ହାତ ଧରି ଆମକୁ ଅନ୍ଧକାରରୁ ଆଲୁଅକୁ ନେଇଯିବେ ଏବଂ ରାସ୍ତାର ସବୁ ବାଧାକୁ ଦୂର କରିବେ । ସେ ଏହା କିପରି କରିବେ ? ନିଜ ବାକ୍ୟ ଓ ସଂଗଠନ ଜରିଆରେ ବଢ଼ିଆ ପରାମର୍ଶ ଦେଇ ଏପରି କରିବେ । (ଗୀତ. ୧୧୯:୧୦୫; ଯିଶା. ୩୦:୨୧) ତାʼସହିତ ସେ ଭାଇଭଉଣୀ ଏବଂ ଅନ୍ୟ ଲୋକମାନଙ୍କ ଜରିଆରେ ଆମର ସବୁ ଆବଶ୍ୟକତା ପୂରା କରନ୍ତି । ଯେବେ ଆପଣଙ୍କୁ ବୁଝାପଡ଼େନି ଯେ ଆଗକୁ ଆପଣଙ୍କର କʼଣ ହେବ, ତେବେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ନିଶ୍ଚୟ ସମ୍ଭାଳିବେ, କାରଣ ସେ ଆପଣଙ୍କୁ ବହୁତ ପ୍ରେମ କରନ୍ତି ଏବଂ ଆପଣଙ୍କ ମନର କଥାକୁ ବୁଝନ୍ତି ।—ଯିଶା. ୪୧:୧୦; ୧ ପିତ. ୫:୬, ୭.

ଚିତ୍ରଗୁଡ଼ିକ: ଗୋଟିଏ ଦମ୍ପତିକୁ ଯିଶାଇୟ ୪୨:⁠୧୬ ପଦରେ ଲେଖାଥିବା ଯିହୋବାଙ୍କ ପ୍ରତିଜ୍ଞାରୁ ସାନ୍ତ୍ୱନା ମିଳୁଛି । ସେଠାରେ ଲେଖାଅଛି, ‘ସେ ଅଜ୍ଞାତ ପଥ ଦେଇ ଗଲେ; ମୁଁ ତାକୁ ପରିତ୍ୟାଗ କରିବି ନାହିଁ ।’ ୧. ସେହି ଦମ୍ପତି ନିଜ ଜିନିଷ ରଖୁଛନ୍ତି ଏବଂ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି । ୨. ନୂଆ ମଣ୍ଡଳୀରେ ଗୋଟିଏ ପରିବାର ସେମାନଙ୍କୁ ପ୍ରେମର ସହ ସ୍ୱାଗତ କରୁଛି ।

ଯେବେ ହଠାତ୍‌ ଆପଣଙ୍କର ପରିସ୍ଥିତି ବଦଳିଯାଏ, ତେବେ ବି ଯିହୋବା ଆପଣଙ୍କୁ ଛାଡ଼ିବେ ନାହିଁ (ପାରାଗ୍ରାଫ ୫)b


୬. ଯଦି ହଠାତ୍‌ ଆମ ପରିସ୍ଥିତି ବଦଳିଯାଏ, ତାହେଲେ ଆମେ କେଉଁ କଥାର ଭରସା ରଖିପାରିବା ?

୬ ପୁଣିଥରେ ଯୋଷେଫଙ୍କ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ବିଷୟରେ ପୂର୍ବରୁ କୁହାଯାଇଥିଲା । ଯେବେ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ବୈଥେଲରୁ ପଠାଗଲା, ତେବେ ଯିହୋବା ଯେପରି ଭାବେ ତାଙ୍କୁ ପ୍ରେମର ସହିତ ସମ୍ଭାଳିଲେ, ସେବିଷୟରେ ସେ କହନ୍ତି, “ଯେବେ ଏହି ପରିବର୍ତ୍ତନ ହେଲା, ତେବେ ଯିହୋବା ଆମକୁ ଯେପରି ଭାବେ ସାହାଯ୍ୟ କଲେ, ତାହା ଆମେ ଦେଖିପାରିଲୁ । ସେ ଆମ ପ୍ରିୟ ଭାଇଭଉଣୀମାନଙ୍କ ଜରିଆରେ ଆମକୁ ବହୁତ ସାହାଯ୍ୟ କଲେ । ଆମକୁ କୌଣସି ଜିନିଷର ଅଭାବ ହେବାକୁ ଦେଲେ ନାହିଁ । ଆମକୁ ଯେଉଁ ଜିନିଷର ଓ ଯେଉଁ ସାନ୍ତ୍ୱନାର ଆବଶ୍ୟକ ଥିଲା, ଯିହୋବା ଆମକୁ ସଠିକ୍‌ ସମୟରେ ତାହା ଦେଲେ ଏବଂ ଆଜି ବି ସେ ଆମର ପ୍ରତ୍ୟେକ ଆବଶ୍ୟକତାର ଧ୍ୟାନ ରଖୁଛନ୍ତି ।” ଯେବେ ହଠାତ୍‌ ଆପଣଙ୍କ ପରିସ୍ଥିତି ବଦଳିଯାଏ ଏବଂ ଆପଣଙ୍କୁ ତାହାର ସାମନା କରିବା କଠିନ ଲାଗେ, ତେବେ ଆପଣ ବି ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କୁ ଶକ୍ତି ଦେବେ ଓ ସଠିକ୍‌ ବାଟ ଦେଖାଇବେ । (ଯିଶା. ୫୪:୧୦; ୫୮:୧୧) ଭାଇ ଏହା ବି କହନ୍ତି, “ବ୍ରୋଡକାଷ୍ଟିଙ୍ଗ୍‌ର ଗୋଟିଏ ଗୀତ ମୋତେ ବହୁତ ଭଲ ଲାଗେ । ସେଥିରେ କୁହାଯାଇଛି, ‘ମୁଁ ଜାଣିନି ଯେ ଆଗକୁ ମୋ ସହିତ କʼଣ ହେବ, କିନ୍ତୁ ମୁଁ ଏହା ଜାଣିଛି ଯେ ଯିହୋବା ମୋତେ ସାହାଯ୍ୟ କରିବେ ।’a ଯେବେ ସବୁକିଛି ଆମ ହିସାବରେ ହୋଇ ନ ଥାଏ, ତେବେ ବି ଆମେ ଏହି କଥା ଉପରେ ଭରସା ରଖିପାରିବା ଯେ ଯିହୋବା ଆମକୁ ସବୁ ସମୟରେ ସାହାଯ୍ୟ କରିବେ ।”

ଯେବେ ନିଜ ପାପଗୁଡ଼ିକୁ ମନେ ପକାଇ ଦୋଷୀ ଅନୁଭବ କରୁ

୭. କିଛି ଲୋକଙ୍କୁ ନିଜ ପାପ ବିଷୟରେ ଭାବି କିପରି ଲାଗେ ?

୭ ହୋଇପାରେ ଆମଦ୍ୱାରା କୌଣସି ଗମ୍ଭୀର ପାପ ହୋଇଥିବ ଆଉ ଆମେ ପ୍ରାଚୀନମାନଙ୍କ ସାମନାରେ ତାହାକୁ ମାନି ନେଇଛୁ । ସେମାନେ ଆମକୁ ପ୍ରେମର ସହିତ ସାହାଯ୍ୟ କରନ୍ତି ଏବଂ ଆମେ ବି ସେହି ପାପକୁ ପୁଣିଥରେ ନ ଦୋହରାଇବା ପାଇଁ ପୂରା ଚେଷ୍ଟା କରୁ । (ହିତୋ. ୨୮:୧୩; ଯାକୁ. ୫:୧୪-୧୬; ୧ ଯୋହ. ୧:୯) କିନ୍ତୁ ଯିହୋବା ଆମକୁ କ୍ଷମା କଲାପରେ ମଧ୍ୟ ଆମେ ହୁଏତ ଦୋଷର ଭାବନା ସହିତ ଲଢ଼ୁଥିବା ଏବଂ ଏହା ଭାବୁଥିବା, ‘ମୁଁ ଯେଉଁ ପାପ କରିଛି, ତାʼପାଇଁ ଯିହୋବା ମୋତେ କେବେ କ୍ଷମା କରିବେନି !’ (୨ କରି. ୨:୭) ଆମକୁ ହୁଏତ ଏଥିପାଇଁ ଏପରି ଅନୁଭବ ହୁଏ, କାରଣ ଆମକୁ ଲାଗେ ଯେ ଆମେ ନିଜ ପାପର ବୋଝ ତଳେ ଦବିଯାଇଛୁ ଏବଂ ଆମକୁ ବାରମ୍ବାର ମନେ ପଡ଼େ ଯେ ଆମେ କେତେ ବଡ଼ ପାପ କରିଦେଇଥିଲୁ । ରାଜା ଦାଉଦ ଲେଖିଥିଲେ, ‘ମୋର ପାପ ଲାଗି ମୋର ଅସ୍ଥିରେ କିଛି ଆରାମ ନାହିଁ । ମୁଁ ଚୂର୍ଣ୍ଣ ହୋଇଯାଇଛି, ମୋତେ କିଛି ଅନୁଭବ ହେଉ ନାହିଁ ।’ (ଗୀତ. ୩୮:୩, ୮, ଇଜି-ଟୁ-ରିଡ୍‌ ଭର୍ସନ) ଯଦି ନିଜ ପାପଗୁଡ଼ିକ ଯୋଗୁଁ ଆପଣଙ୍କୁ ବି ଏପରି ଲାଗେ, ତାହେଲେ ଯିଶାଇୟ ବହିରେ ଲେଖାଥିବା କଥାରୁ ଆପଣଙ୍କୁ ବହୁତ ସାନ୍ତ୍ୱନା ମିଳିପାରିବ ।

୮-୯. ଯିଶାଇୟ ୧:୧୮ ପଦ ଅନୁସାରେ ଯିହୋବା ଆମକୁ କିପରି ଭାବେ କ୍ଷମା କରନ୍ତି ?

୮ ଯିଶାଇୟ ୧:୧୮ ପଢ଼ନ୍ତୁ । ଯିହୋବା ଗୋଟିଏ ଉଦାହରଣ ଦେଇ ବୁଝାଇଲେ ଯେ ସେ ଆମ ପାପଗୁଡ଼ିକୁ ପୂରାପୂରି ଭାବେ କ୍ଷମା କରିଦିଅନ୍ତି । ସେ କହନ୍ତି, ‘ଆମର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ବି’ ସେ ତାହାକୁ ‘ହିମ ପରି ଶୁକ୍ଳବର୍ଣ୍ଣ କରିଦେବେ ।’ ଯଦି ଗୋଟିଏ କପଡ଼ାରେ ସିନ୍ଦୂରବର୍ଣ୍ଣ ବା ଗାଢ଼ ଲାଲ ରଙ୍ଗର ଦାଗ ଲାଗିଯାଏ, ତାହେଲେ ତାହାକୁ ସଫା କରିବା ବହୁତ କଠିନ ହୋଇଥାଏ । କିନ୍ତୁ ଯିହୋବା ଆମକୁ ଭରସା ଦିଅନ୍ତି ଯେ ସେ ଆମ ପାପଗୁଡ଼ିକୁ ଏପରି ଭାବେ କ୍ଷମା କରିଦିଅନ୍ତି ଯେ ପାପର ଦାଗ ଆଉ ରହେ ନାହିଁ । ତାʼସହିତ ଯେବେ ଯିହୋବା ଥରେ ଆମ ପାପଗୁଡ଼ିକୁ କ୍ଷମା କରିଦିଅନ୍ତି, ତେବେ ସେ ପୁଣି କେବେ ବି ସେଗୁଡ଼ିକୁ ମନେ ପକାନ୍ତି ନାହିଁ ।

୯ ଧ୍ୟାନ ଦିଅନ୍ତୁ ଯେ ରାଜା ଦାଉଦଙ୍କ ସହିତ କʼଣ ହେଲା । ସେ ବ୍ୟଭିଚାର କଲେ ଏବଂ ଜଣେ ବ୍ୟକ୍ତିକୁ ହତ୍ୟା କରାଇଲେ । କିନ୍ତୁ ଯିହୋବା ତାଙ୍କୁ କ୍ଷମା କରିଦେଲେ ଏବଂ ଆଗକୁ ଯାଇ ଦାଉଦଙ୍କ ବିଷୟରେ କହିଲେ ଯେ ସେ ତାହାଙ୍କ ଦୃଷ୍ଟିରେ ସରଳ ଭାବରେ ଚାଲନ୍ତି । (୨ ଶାମୁ. ୧୧:୩, ୪, ୧୪, ୧୫; ୧୨:୧୩; ୧ ରାଜା. ୯:୪, ୫) ଯିହୋବା ଯେବେ ବି ଦାଉଦଙ୍କୁ ମନେ ପକାଇଲେ କିମ୍ବା ତାଙ୍କ ବିଷୟରେ ଉଲ୍ଲେଖ କଲେ, ତେବେ ସେ ତାଙ୍କର ପାପଗୁଡ଼ିକୁ ନୁହେଁ, ବରଂ ତାଙ୍କର ବିଶ୍ୱସ୍ତତାକୁ ମନେ ପକାଇଲେ । ଯିହୋବା ଆମକୁ ବି ବହୁତ ପ୍ରେମ କରନ୍ତି । ଯେବେ ଆମେ ପଶ୍ଚାତାପ କରୁ, ତେବେ ସେ ଆମକୁ କ୍ଷମା କରିଦିଅନ୍ତି ଏବଂ ଶୁଦ୍ଧ ବିବେକ ଦିଅନ୍ତି, ଯାହାଫଳରେ ଆମେ ଖୁସିର ସହ ତାଙ୍କ ସେବା କରିପାରୁ । ଯଦି ଆମକୁ ବି ନିଜ ପାପ ବିଷୟରେ ଭାବି ଭାବି ବହୁତ ଦୁଃଖ ଲାଗୁଛି, ତାହେଲେ ଯିଶାଇୟ ବହିର ଆଉ କେଉଁ କଥାରୁ ଆମକୁ ସାନ୍ତ୍ୱନା ମିଳିପାରେ ?

୧୦. ଯିଶାଇୟ ୩୮:୧୭ ପଦରେ ଲେଖାଥିବା କେଉଁ କଥାରୁ ଆମକୁ ସାନ୍ତ୍ୱନା ମିଳେ ?

୧୦ ଯିଶାଇୟ ୩୮:୧୭ ପଢ଼ନ୍ତୁ । “ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ ।” ଏହି ଶବ୍ଦଗୁଡ଼ିକର ଅନୁବାଦ ଏପରି ଭାବେ ବି କରାଯାଇପାରିବ, “ତୁମ୍ଭେ ଆମର ପାପସବୁକୁ ନିଜ ଦୃଷ୍ଟିରୁ ଦୂର କରିଦେଇଅଛ ।” ଏହି ପଦରେ କୁହାଯାଇଛି ଯେ ଯେବେ କେହି ହୃଦୟରୁ ପଶ୍ଚାତାପ କରେ, ତେବେ ଯିହୋବା ଯେପରି ତାʼ ପାପଗୁଡ଼ିକୁ ନିଜ ପଛପଟେ ଫିଙ୍ଗି ଦିଅନ୍ତି । ଏହାପରେ ସେ କେବେ ବି ସେଗୁଡ଼ିକୁ ଦେଖନ୍ତି ନାହିଁ ଆଉ ନା ସେବିଷୟରେ ଭାବନ୍ତି । ବାଇବଲର ଗୋଟିଏ ଶବ୍ଦକୋଷରେ କୁହାଯାଇଛି ଯେ ଏହି ପଦକୁ ଏପରି ଭାବେ ବି କୁହାଯାଇପାରିବ, “ତୁମେ ମୋ ପାପଗୁଡ଼ିକୁ ଏପରି କରିଦେଇଅଛ, ଯେପରି ମୁଁ କେବେ ବି ପାପ କରି ନ ଥିଲି ।” ଯେବେ ଯିହୋବା ଆମ ପାପ କ୍ଷମା କରିଦିଅନ୍ତି, ତେବେ ତାହା ତାଙ୍କ ଦୃଷ୍ଟିରେ ଏପରି ଅଟେ, ଯେପରି ଆମେ କେବେ ପାପ ହିଁ କରି ନ ଥିଲୁ । ସେ ଆମକୁ ପୁଣି କେବେ ବି ତାʼପାଇଁ ଦୋଷୀ ବୋଲି କହନ୍ତି ନାହିଁ ଆଉ ନା ଆମକୁ ଦଣ୍ଡ ଦିଅନ୍ତି । ସେ ଆମ ପାପକୁ ପୂରାପୂରି ଭାବେ ଭୁଲିଯାʼନ୍ତି । ସେ ପ୍ରତିଜ୍ଞା କରିଛନ୍ତି, ‘ତୁମ୍ଭର ପାପସବୁ ମୁଁ ସ୍ମରଣ କରିବି ନାହିଁ ।’ (ଯିଶା. ୪୩:୨୫) ଏହା ଜାଣି ଆମକୁ କେତେ ସାନ୍ତ୍ୱନା ମିଳେ ! ଯେବେ ଆମର ସର୍ବୋଚ୍ଚ ନ୍ୟାୟକର୍ତ୍ତା ଯିହୋବା ଆମ ପାପଗୁଡ଼ିକୁ ମନେ ରଖନ୍ତି ନାହିଁ, ତେବେ କʼଣ ଆମକୁ ନିଜ ପାପଗୁଡ଼ିକୁ ମନେ ପକାଇ ନିଜକୁ ଦୋଷୀ ଅନୁଭବ କରିବା ଉଚିତ୍‌ ?

ଅତୀତରେ କରିଥିବା ନିଜ ପାପଗୁଡ଼ିକ ଯୋଗୁଁ ଆଜି ନିଜ ଖୁସି ହରାନ୍ତୁ ନାହିଁ

୧୧. ଆମଦ୍ୱାରା ଯେକୌଣସି ପାପ ହୋଇଥାଉ ନା କାହିଁକି, ଯିହୋବା ଆମ କେଉଁ କଥାକୁ ଧ୍ୟାନ ଦିଅନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯେବେ ବି ଆମେ ନିଜକୁ ଦୋଷୀ ଅନୁଭବ କରୁ, ତେବେ ଆମକୁ ଏହା ମନେ ରଖିବା ଉଚିତ୍‌ ଯେ ଯିହୋବା ଆମକୁ କʼଣ ପ୍ରତିଜ୍ଞା କରିଛନ୍ତି । ଯେବେ ଯିହୋବା ଆମ ପାପ କ୍ଷମା କରିଦିଅନ୍ତି, ତେବେ ସେ ସବୁଦିନ ପାଇଁ ତାହାକୁ ଭୁଲିଯାʼନ୍ତି । ଯିହୋବା ଆମ ପାପଗୁଡ଼ିକ ଯୋଗୁଁ ଆମକୁ ନିଜର ସାଙ୍ଗ କରିବା ପାଇଁ ଲାଜ କରନ୍ତି ନାହିଁ । ସେ ଅପରିପୂର୍ଣ୍ଣ ମଣିଷମାନଙ୍କ ଭଳି ନୁହଁନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାପ ଯୋଗୁଁ କ୍ରୋଧ କରନ୍ତି । (ଯିଶା. ୫୭:୧୬) ଯିହୋବାଙ୍କ ପାଇଁ ଏହା ମହତ୍ତ୍ୱ ରଖେନି ଯେ ଆମେ ପୂର୍ବେ କିପରି ବ୍ୟକ୍ତି ଥିଲୁ, ବରଂ ତାଙ୍କ ପାଇଁ ଏହା ମହତ୍ତ୍ୱ ରଖେ ଯେ ଆଜି ଆମେ କିପରି ବ୍ୟକ୍ତି ଅଟୁ ଏବଂ ଆମେ କିପରି ବ୍ୟକ୍ତି ହେବା ପାଇଁ ଚେଷ୍ଟା କରୁଛୁ । (ଯିଶା. ୫୫:୭) ସତରେ, ଯିହୋବା କେତେ ଦୟାଳୁ ଈଶ୍ୱର ଅଟନ୍ତି ! ସେ ଆମକୁ ବହୁତ ପ୍ରେମ କରନ୍ତି ଏବଂ ଆମକୁ ସବୁବେଳେ କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତି । ତାହେଲେ ଆସନ୍ତୁ ଆମେ ଅତୀତରେ କରିଥିବା ନିଜ ପାପଗୁଡ଼ିକ ଯୋଗୁଁ ଆଜି ନିଜ ଖୁସି ଓ ଭବିଷ୍ୟତରେ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକୁ ହରାଇବା ନାହିଁ ।

ଚିତ୍ରଗୁଡ଼ିକ: ଜଣେ ଭାଇଙ୍କୁ ଯିଶାଇୟ ୩୮:⁠୧୭ ପଦରେ ଲେଖାଥିବା ଯିହୋବାଙ୍କ ପ୍ରତିଜ୍ଞାରୁ ସାନ୍ତ୍ୱନା ମିଳୁଛି । ସେଠାରେ ଲେଖାଅଛି, “ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ ।” ୧. ଜଣେ ଭାଇ ଅତୀତରେ କରିଥିବା ନିଜ ପାପ ବିଷୟରେ ଭାବି ଦୁଃଖି ଅଛନ୍ତି । ୨. ଆଗକୁ ଯାଇ ସେ ଅଗ୍ରଦୂତ ସେବା ସ୍କୁଲରେ ଉତ୍ତର ଦେଉଛନ୍ତି ଏବଂ ବହୁତ ଖୁସି ଅଛନ୍ତି ।

ଯିହୋବା ଏହି କଥା ଉପରେ ଧ୍ୟାନ ଦିଅନ୍ତି ନାହିଁ ଯେ ଆମେ ଅତୀତରେ କେଉଁ କେଉଁ ପାପ କରିଥିଲୁ (ପାରାଗ୍ରାଫ ୧୧)c


ଯେବେ ଆମର ପ୍ରିୟଜନମାନଙ୍କ ମୃତ୍ୟୁ ହୋଇଯାଏ

୧୨. ଯେବେ ଆମ ପ୍ରିୟଜନମାନଙ୍କର ମୃତ୍ୟୁ ହୋଇଯାଏ, ତେବେ ଆମକୁ କିପରି ଲାଗିପାରେ ?

୧୨ ଯେବେ ଆମ ପ୍ରିୟଜନମାନଙ୍କ ମୃତ୍ୟୁ ହୋଇଯାଏ, ତେବେ ସେହି ଦୁଃଖକୁ ସହିବା ଅସହ୍ୟ ହୋଇଥାଏ । ଅନେକ ବର୍ଷ ବିତିଗଲା ପରେ ମଧ୍ୟ ଆମକୁ ତାଙ୍କ କଥା ବହୁତ ମନେ ପଡ଼ିଥାଏ । ବେଳେବେଳେ ହୁଏତ ଆମେ ଭାବିଥାଉ ଯେ ଯିହୋବା ଏପରି କାହିଁକି ହେବାକୁ ଦେଲେ । ମାଇକେଲ ନାମକ ଭାଇଙ୍କ ବାପାମାଆଙ୍କର ମୃତ୍ୟୁ ଘରେ ନିଆଁ ଲାଗିବା ଯୋଗୁଁ ହୋଇଗଲା । ସେ କହନ୍ତି, “ମୁଁ ଏହି ଘଟଣାରୁ ପୂରାପୂରି ଭାଙ୍ଗି ଯାଇଥିଲି । ମୁଁ ଏହି କଥା ପାଇଁ ଯିହୋବାଙ୍କୁ ରାଗି ଯାଇଥିଲି ଯେ ସେ କାହିଁକି ଏପରି ହେବାକୁ ଦେଲେ । ଅବଶ୍ୟ ମୁଁ ଜାଣେ ଯେ ଏଥିରେ ତାଙ୍କର କିଛି ଦୋଷ ନାହିଁ, କିନ୍ତୁ ସେ ସେହି ଘଟଣାକୁ ଘଟିବାରୁ ରୋକିଲେ ବି ନାହିଁ !” ହୁଏତ ଆପଣଙ୍କୁ ବି ଏପରି ଲାଗିଥିବ । ଯେବେ ଆମକୁ ନିଜ ପ୍ରିୟଜନମାନଙ୍କ କଥା ମନେ ପଡ଼େ, ତେବେ ଯିହୋବାଙ୍କର କେଉଁ ପ୍ରତିଜ୍ଞାରୁ ଆମକୁ ସାନ୍ତ୍ୱନା ଓ ଆଶା ମିଳିପାରିବ ?

୧୩. ଯିଶାଇୟ ୨୫:୮ ପଦରେ ଯିହୋବାଙ୍କର କେଉଁ ପ୍ରତିଜ୍ଞା ବିଷୟରେ କୁହାଯାଇଛି ?

୧୩ ଯିଶାଇୟ ୨୫:୮ ପଢ଼ନ୍ତୁ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ‘ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିବେ ।’ ଭାବନ୍ତୁ, ସେହି ସମୟ କିପରି ଥିବ, ଯେବେ କାହାରି ମୃତ୍ୟୁ ହେବ ନାହିଁ । ଆମକୁ ପୁଣି କେବେ ବି ନିଜ ପ୍ରିୟଜନମାନଙ୍କୁ ହରାଇବାର ଦୁଃଖ ସହିବାକୁ ପଡ଼ିବ ନାହିଁ । (ଯିଶା. ୩୫:୧୦) ଆମକୁ ସେହି ଦୁଃଖ ମଧ୍ୟ ସହିବାକୁ ପଡ଼ିବ ନାହିଁ, ଯାହା ନିଜ ପ୍ରିୟଜନମାନଙ୍କୁ ମନେ ପକାଇ ହୋଇଥାଏ । ସେହି ସମୟରେ ଆମ ପ୍ରିୟଜନମାନଙ୍କ ସ୍ୱାସ୍ଥ୍ୟ ଭଲ ଥିବ ଏବଂ ଆମ ପାଖରେ ଏହି ଆଶା ଥିବ ଯେ ଆମେ କେବେ ବି ତାଙ୍କଠାରୁ ଦୂରେଇ ଯିବା ନାହିଁ । ଏହା କାଳ୍ପନିକ କଥା ନୁହେଁ, ଏପରି ନିଶ୍ଚୟ ହେବ । କାରଣ ଏହି ପ୍ରତିଜ୍ଞା ଯିହୋବା କରିଛନ୍ତି ଏବଂ ସେ ହିଁ ଏହାକୁ ପୂରା କରିପାରିବେ ।—ପ୍ରକା. ୨୧:୪, ୫.

୧୪. ଯେବେ ଆପଣ ନିଜ ପ୍ରିୟଜନମାନଙ୍କୁ ପୁଣି ଭେଟିବା ବିଷୟରେ ଭାବନ୍ତି, ତେବେ ଆପଣଙ୍କୁ କିପରି ଲାଗେ ? (ଯିଶାଇୟ ୨୬:୧୯) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଯିଶାଇୟ ୨୬:୧୯ ପଢ଼ନ୍ତୁ । ଯିହୋବା ମୃତ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବେ ଏବଂ ଆମ ଯେଉଁ ପ୍ରିୟଜନମାନଙ୍କର ମୃତ୍ୟୁ ହୋଇଯାଇଛି, ସେ ସେମାନଙ୍କୁ ବି ଜୀବିତ କରିଦେବେ । ସେମାନଙ୍କ ବିଷୟରେ ଯିହୋବା କହନ୍ତି, “ମୋହର [ଲୋକମାନଙ୍କର] ଶବସବୁ ଉଠିବେ ।” ଏଥିରୁ ଜଣାପଡ଼େ ଯେ ସେମାନେ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି ଏବଂ ସେମାନଙ୍କର ଦାୟିତ୍ୱ ଯିହୋବାଙ୍କର ଅଟେ । ସେ ସେମାନଙ୍କୁ ମନେ ରଖିଛନ୍ତି ଏବଂ ନିର୍ଦ୍ଧାରିତ ସମୟରେ ସେମାନଙ୍କୁ ନିଶ୍ଚୟ ଜୀବିତ କରିବେ । ଯେପରି ଶୁଖିଲା ଘାସରେ ଶିଶିର ବିନ୍ଦୁ ପଡ଼ିଲେ ତାହା ସବୁଜ ଓ ଜୀବନ୍ତ ହୋଇଯାଏ, ଠିକ୍‌ ସେହିପରି ଯିହୋବା ମୃତ୍ୟୁ ହୋଇଯାଇଥିବା ଆମ ପ୍ରିୟଜନମାନଙ୍କୁ ପୁଣି ଜୀବିତ କରିଦେବେ । ଭାବନ୍ତୁ, ଯେବେ ଆମେ ସେମାନଙ୍କୁ ପୁଣି ଭେଟିବା ଓ ସେମାନଙ୍କୁ ଆଲିଙ୍ଗନ କରିବା, ତେବେ ଆମକୁ କେତେ ଖୁସି ଲାଗିବ !—ମାର୍କ ୫:୪୨ ପଦ ସହ ତୁଳନା କରନ୍ତୁ ।

ଚିତ୍ରଗୁଡ଼ିକ: ଜଣେ ଭଉଣୀଙ୍କୁ ଯିଶାଇୟ ୨୬:⁠୧୬ ପଦରେ ଲେଖାଥିବା ଯିହୋବାଙ୍କ ପ୍ରତିଜ୍ଞାରୁ ସାନ୍ତ୍ୱନା ମିଳୁଛି । ସେଠାରେ ଲେଖାଅଛି, “ତୁମ୍ଭର ମୃତମାନେ ଜୀବିତ ହେବେ ।” ୧. ଜଣେ ମାଆ ନିଜ ଝିଅର ରୁମ୍‌ରେ ଏକୁଟିଆ ବସିଛନ୍ତି । ଆଉ ସେ ନିଜ ହାତରେ ଗୋଟିଏ ଫଟୋ ଫ୍ରେମ୍‌ ଧରିଛନ୍ତି । ୨. ତାଙ୍କ ଝିଅ ଜୀବିତ ହୋଇଯାଇଛି । ସେ ବହୁତ ପ୍ରେମର ସହ ନିଜ ଝିଅକୁ ଆଲିଙ୍ଗନ କରୁଛନ୍ତି ଆଉ ବହୁତ ଖୁସି ଅଛନ୍ତି ।

ଯିହୋବା ଗ୍ୟାରେଣ୍ଟି ଦେଇଛନ୍ତି ଯେ ଆମେ ନିଜ ପ୍ରିୟଜନମାନଙ୍କୁ ପୁଣି ଭେଟିବା (ପାରାଗ୍ରାଫ ୧୪)


୧୫. ଯେବେ ଆମ ପ୍ରିୟଜନମାନଙ୍କ ମୃତ୍ୟୁ ହୋଇଯାଏ, ତେବେ ଯିହୋବାଙ୍କ ପ୍ରତିଜ୍ଞା ବିଷୟରେ ଭାବିଲେ ଆମକୁ କିପରି ସାନ୍ତ୍ୱନା ମିଳେ ?

୧୫ ଆମକୁ ପୂରା ଭରସା ଅଛି ଯେ ଯିହୋବା ଆମ ପ୍ରିୟଜନମାନଙ୍କୁ ଜୀବିତ କରିବେ । ତଥାପି ଯେବେ ଆମେ ତାଙ୍କଠାରୁ ଦୂରେଇ ଯାଉ, ତେବେ ଆମକୁ ବହୁତ ଦୁଃଖ ଲାଗେ । କିନ୍ତୁ ଆମକୁ ଏହା ଜାଣି ବହୁତ ସାନ୍ତ୍ୱନା ମିଳେ ଯେ ଯିହୋବା ସେମାନଙ୍କୁ ଭୁଲି ନାହାନ୍ତି । ମାଇକେଲ ଯାହାଙ୍କ ବିଷୟରେ ପୂର୍ବରୁ କୁହାଯାଇଥିଲା, ତାଙ୍କୁ ଏହି ଆଶାରୁ ବହୁତ ସାନ୍ତ୍ୱନା ମିଳିଲା । ସେ କହନ୍ତି, “ଯିଶାଇୟ ୨୬:୧୯ ପଦରୁ ମୁଁ ବୁଝିପାରିଲି ଯେ ମୋ ବାପାମାଆ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି ଏବଂ ସେ ସେମାନଙ୍କୁ ବହୁତ ପ୍ରେମ କରନ୍ତି । ସେ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ନିଶ୍ଚୟ ଜୀବିତ କରିବେ ଏବଂ ସେସମୟ ଯାଏ ସେ ସେମାନଙ୍କୁ ମନେ ରଖିବେ, ଭୁଲିବେ ନାହିଁ । ଏବିଷୟରେ ଭାବି ମୋତେ ବହୁତ ସାହସ ଏବଂ ସାନ୍ତ୍ୱନା ମିଳିଲା ।” ସେହି ସମୟ ବିଷୟରେ ଭାବିବା ଜାରି ରଖନ୍ତୁ, ଯେବେ ଆପଣ ନୂଆ ଦୁନିଆରେ ନିଜ ପ୍ରିୟଜନମାନଙ୍କୁ ପୁଣି ଭେଟିବେ । ଏବିଷୟରେ ଭାବିଲେ ଆପଣଙ୍କ ପାଇଁ ଏହି ଦୁଃଖ ସହିବା ସହଜ ହୋଇଯିବ ।

୧୬. ଆପଣଙ୍କୁ କେଉଁ ପଦରୁ ସମସ୍ୟା ସମୟରେ ସାନ୍ତ୍ୱନା ମିଳେ ?

୧୬ ଏହି ଲେଖାରେ ଆମେ ଯିଶାଇୟ ବହିର କିଛି ପଦ ଦେଖିଲୁ, ଯେଉଁଥିରୁ ଆମକୁ ସାନ୍ତ୍ୱନା ମିଳିପାରିବ । ବିଶେଷ କରି ସେହି ସମୟରେ ଯେବେ ହଠାତ୍‌ ଆମ ପରିସ୍ଥିତି ବଦଳିଯାଏ, ନିଜ ପାପ ବିଷୟରେ ଭାବି ଆମେ ଦୋଷୀ ଅନୁଭବ କରୁ କିମ୍ବା ନିଜ ପ୍ରିୟଜନମାନଙ୍କ ମୃତ୍ୟୁର ଦୁଃଖ ସହିବା ଅସହ୍ୟ ହୋଇଯାଏ । ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ନିଜ ବାକ୍ୟରେ ଏହି କଥାଗୁଡ଼ିକୁ ଲେଖାଇଛନ୍ତି, ଯାହା ସାହାଯ୍ୟରେ ଆମକୁ ଶାନ୍ତି ଏବଂ ସାନ୍ତ୍ୱନା ମିଳେ । (ଗୀତ. ୯୪:୧୯) ଏପରି କେଉଁ ପଦ ଅଛି, ଯେଉଁଥିରୁ ଆପଣଙ୍କୁ ସମସ୍ୟା ସମୟରେ ସାନ୍ତ୍ୱନା ମିଳେ ? ଭଲ ହେବ ଯେ ଆପଣ ସେହି ପଦକୁ ମନେ ରଖନ୍ତୁ । ଆପଣ ଚାହିଁଲେ ଗୋଟିଏ ଡାଏରୀରେ ତାହାକୁ ଲେଖିପାରିବେ କିମ୍ବା ଏପରି ଜାଗାରେ ଲେଖିକି ରଖିପାରିବେ, ଯେଉଁଠାରେ ଆପଣ ସହଜରେ ଦେଖିପାରିବେ । ଯିହୋବା ନିଜ ବାକ୍ୟ ଜରିଆରେ ସାନ୍ତ୍ୱନା ଦିଅନ୍ତି, ତେଣୁ ସେଥିରୁ ସାନ୍ତ୍ୱନା ପାଇବା ଜାରି ରଖନ୍ତୁ ।

ଆଗକୁ ଦିଆଯାଇଥିବା କେଉଁ ପଦଗୁଡ଼ିକରୁ ଆପଣଙ୍କୁ ସାନ୍ତ୍ୱନା ମିଳେ ?

  • ଯିଶାଇୟ ୪୨:୧୬ ?

  • ଯିଶାଇୟ ୧:୧୮; ୩୮:୧୭ ?

  • ଯିଶାଇୟ ୨୫:୮; ୨୬:୧୯ ?

ଗୀତ ୩ ଆମ ଶକ୍ତି, ଆଶା ଓ ଭରସା

a ଏହା ବ୍ରୋଡକାଷ୍ଟିଙ୍ଗ୍‌ର ଏହି ଗୀତ, “ୟହୋୱା ହେ ସଙ୍ଗ୍‌ ମେରେରୁ” ନିଆଯାଇଛି ।

b ଚିତ୍ର ବିଷୟରେ : ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ବୈଥେଲରୁ ଗୋଟିଏ ନୂଆ ମଣ୍ଡଳୀକୁ ପଠାଗଲା । ସେଠାରେ ଭାଇଭଉଣୀମାନେ ତାଙ୍କର ସ୍ୱାଗତ କରୁଛନ୍ତି ।

c ଚିତ୍ର ବିଷୟରେ: ଜଣେ ଭାଇ ନିଜ ଅତୀତର ପାପଗୁଡ଼ିକୁ ଭୁଲି ଖୁସିର ସହ ଅଗ୍ରଦୂତ ସେବା ସ୍କୁଲରେ ଭାଗ ନେଉଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ