ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ମାର୍ଚ୍ଚ ପୃଷ୍ଠା ୮-୧୩
  • ପରମ ପ୍ରଧାନ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରମ ପ୍ରଧାନ ଯିହୋବାଙ୍କ ଉପରେ ଭରସା ରଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଶୟତାନ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା
  • ଯିହୋବା ସୀମା ନିର୍ଦ୍ଧାରିତ କରନ୍ତି
  • ଯିହୋବା ଆୟୁବଙ୍କର ସବୁ ଦୁଃଖ ଦୂର କଲେ
  • ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ ପ୍ରେମ କରନ୍ତି
  • ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ
  • ଆୟୁବ ବହିରୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ?
    ବାଇବଲ ଆମକୁ କʼଣ ଶିଖାଏ?
  • “ସତ୍ୟମୟ ପରମେଶ୍ୱର” ସବୁବେଳେ ନିଜର ପ୍ରତିଜ୍ଞା ପୂରା କରନ୍ତି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ମାର୍ଚ୍ଚ ପୃଷ୍ଠା ୮-୧୩

୧୧-୧୭ ମେ, ୨୦୨୬

ଗୀତ ୭ ଯିହୋବା ଆମ ବଳ

ପରମ ପ୍ରଧାନ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

‘କେବଳ ଯିହୋବା ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟନ୍ତି ।’—ଗୀତ. ୮୩:୧୮.

କʼଣ ଶିଖିବା ?

ଏହି ଲେଖାରୁ ଆମକୁ ଏହି କଥାର ଭରସା ହୋଇଯିବ ଯେ ଯିହୋବା ସମଗ୍ର ବିଶ୍ୱର ମାଲିକ ଅଟନ୍ତି ଏବଂ ସେ ଆଜି ଓ ଭବିଷ୍ୟତରେ ବି ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଆମକୁ ସାହାଯ୍ୟ କରିବେ ।

୧. ଆୟୁବଙ୍କ ଉପରେ ଗୋଟିଏ ପରେ ଗୋଟିଏ କେଉଁ ସମସ୍ୟା ଆସିଲା ?

ଈଶ୍ୱରଙ୍କ ସେବକ ଆୟୁବଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅନେକ ସମସ୍ୟା ଆସିଲା । ହଠାତ୍‌ ତାଙ୍କର ସବୁକିଛି ଲୁଟି ନିଆଗଲା । ତାଙ୍କର ଅଧିକାଂଶ ସେବକ ଓ ପଶୁଗୁଡ଼ିକୁ ମାରି ଦିଆଗଲା । ଏପରିକି ଗୋଟିଏ ଦୁର୍ଘଟଣାରେ ତାଙ୍କ ସମସ୍ତ ପିଲାମାନଙ୍କର ମୃତ୍ୟୁ ହୋଇଗଲା । କିଛି ଦିନ ପରେ ଆୟୁବଙ୍କୁ ବି ଗୋଟିଏ କଷ୍ଟଦାୟକ ରୋଗ ହୋଇଗଲା । ଯେଉଁ ଲୋକମାନେ ତାଙ୍କର ଆଦର ସମ୍ମାନ କରୁଥିଲେ, ସେମାନେ ତାଙ୍କଠାରୁ ଦୂରେଇ ରହିବାକୁ ଲାଗିଲେ । ଯେବେ ତାଙ୍କର କିଛି ମିତ୍ର ତାଙ୍କୁ ଭେଟିବା ପାଇଁ ଆସିଲେ, ତେବେ ସେମାନେ ତାଙ୍କ ସାହସ ବଢ଼ାଇବା ପରିବର୍ତ୍ତେ ତାଙ୍କ ଉପରେ ଦୋଷ ଲଗାଇଲେ । ତାଙ୍କ ସ୍ତ୍ରୀ ବହୁତ ଦୁଃଖିତ ହୋଇ ଆୟୁବଙ୍କୁ କହିଲେ, “ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର ।” (ଆୟୁ. ୨:୯; ୧୫:୪, ୫; ୧୯:୧-୩) ଏପରି ପରିସ୍ଥିତିରେ ଆୟୁବଙ୍କର ଯିହୋବାଙ୍କ ଉପରୁ ଭରସା ଭାଙ୍ଗି ଯାଇଥାʼନ୍ତା । ତାଙ୍କୁ ଏହା ଲାଗିପାରନ୍ତା ଯେ ଯିହୋବାଙ୍କୁ ତାଙ୍କ ସେବକମାନଙ୍କର କୌଣସି ଚିନ୍ତା ନାହିଁ ଏବଂ ସେ ସେମାନଙ୍କର ରକ୍ଷା କରନ୍ତି ନାହିଁ ।

୨-୩. ସମସ୍ୟାଗୁଡ଼ିକ ସମୟରେ ଆମକୁ କିପରି ଲାଗିପାରେ ଏବଂ ଆୟୁବଙ୍କ ବହିରୁ ଆମେ କʼଣ ଶିଖିବା ?

୨ ଆଜି ଆମେ ‘ଶେଷକାଳର ଭୀଷଣ ସମୟରେ’ ବଞ୍ଚୁଛୁ, ଯାହାର ସାମନା କରିବା ଭାରି କଷ୍ଟକର । (୨ ତୀମ. ୩:୧) ଆୟୁବଙ୍କ ଭଳି ଆମ ଉପରେ ବି ଗୋଟିଏ ପରେ ଗୋଟିଏ ଅନେକ ସମସ୍ୟା ଆସିପାରେ । ଆମେ ବହୁତ ଚିନ୍ତିତ ହୋଇପାରୁ ଏବଂ ଆମକୁ ଲାଗିପାରେ ଯେ ଆମ ସମସ୍ୟାଗୁଡ଼ିକ କେବେ ବି ଶେଷ ହେବ ନାହିଁ । ତାʼସହିତ ଆମେ ଏହା ବି ଭାବିପାରୁ, ‘ହୁଏତ ଯିହୋବା ମୋତେ ପ୍ରେମ କରନ୍ତି ନାହିଁ ଏବଂ କେଜାଣି ସେ ମୋର ଚିନ୍ତା କରନ୍ତି ନା ନାହିଁ ।’

୩ ଯଦି ଆପଣଙ୍କୁ ବି ଏପରି ଲାଗେ ତାହେଲେ ନିରାଶ ହୁଅନ୍ତୁ ନାହିଁ । ଆୟୁବ ଶିଖିଲେ ଯେ ଯେଉଁମାନେ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତି, ସେମାନଙ୍କୁ ସେ କେବେ ବି ଏକୁଟିଆ ଛାଡ଼ନ୍ତି ନାହିଁ । ତାଙ୍କ ଭଳି ଆମେ ବି ଯିହୋବାଙ୍କ ଉପରେ ପୂରା ଭରସା ରଖିବା ଶିଖିପାରିବା ଏବଂ ଏହି କଥା ଉପରେ ଭରସା ବଢ଼ାଇପାରିବା ଯେ ଆମ ସହିତ ଯାହା ହେଲେ ବି ଯିହୋବା ଆମକୁ ନିଶ୍ଚୟ ସମ୍ଭାଳିବେ । ଏହି ଲେଖାରେ ଆମେ ଆୟୁବଙ୍କ ବହିରୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ କଥା ଶିଖିବା: (୧) କେବଳ ଯିହୋବା ହିଁ ସମଗ୍ର ବିଶ୍ୱର ମାଲିକ ଅଟନ୍ତି ଏବଂ (୨) ସର୍ବଶକ୍ତିମାନ ଈଶ୍ୱର ନିଜ ଇଚ୍ଛା ପୂରା କରିବା ପାଇଁ ଦୁନିଆର ପରିସ୍ଥିତିକୁ ବଦଳାଇପାରିବେ । ସେ ନିଜ ଲୋକମାନଙ୍କୁ ସବୁଦିନ ପାଇଁ କୌଣସି କ୍ଷତି ପହଞ୍ଚିବା ପାଇଁ ଦେବେ ନାହିଁ ଏବଂ ତାଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଆମକୁ ଯାହା ବି ଆବଶ୍ୟକ ରହିଛି ସେଗୁଡ଼ିକୁ ଦେବେ ।

ଶୟତାନ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା

୪. ଯେବେ ସ୍ୱର୍ଗଦୂତମାନେ ଯିହୋବାଙ୍କ ସମ୍ମୁଖରେ ଏକତ୍ରିତ ହେଲେ, ତେବେ ଆଉ କିଏ ଆସିଲା ?

୪ ବାଇବଲରେ ଲେଖା ହୋଇଛି ଯେ ଥରେ “ପରମେଶ୍ୱରଙ୍କ ସନ୍ତାନଗଣ” ସ୍ୱର୍ଗରେ ଏକତ୍ରିତ ହେଲେ ଏବଂ ‘ଶୟତାନ ବି ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା ।’ (ଆୟୁ. ୧:୬) ଏହା ପ୍ରଥମ ଘଟଣା ଥିଲା, ଯେବେ ଯିହୋବାଙ୍କ ଶତ୍ରୁକୁ “ଶୟତାନ” ବୋଲି କୁହାଗଲା । ତାକୁ ଏଥିପାଇଁ ଶୟତାନ ବୋଲି କୁହାଗଲା, କାରଣ ସେ ଯିହୋବାଙ୍କ, ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କ ଓ ମଣିଷମାନଙ୍କର ଶତ୍ରୁ ବା “ବିରୋଧୀ” ହୋଇଯାଇଥିଲା । ସେସମୟ ଯାଏ ସେ ଯିହୋବାଙ୍କର ଉପାସନା କରିବା ଛାଡ଼ି ଦେଇଥିଲା ଏବଂ ସେ ତାଙ୍କ ପରିବାରର ସଦସ୍ୟ ନ ଥିଲା । ଆମେ ଏହା କିପରି ଜାଣୁ ? ଆଦି ପୁସ୍ତକ ୩:୧୫ ପଦରେ ଯିହୋବା ଶୟତାନକୁ କହିଲେ, ‘ମୁଁ ତୁମ୍ଭର ଓ ନାରୀର ମଧ୍ୟରେ, ବୈରଭାବ ଜନ୍ମାଇବି ।’ ଏହାର ଅର୍ଥ, ଶୟତାନ ସେହି “ନାରୀର” ସଦସ୍ୟ ନ ଥିଲା ଅର୍ଥାତ୍‌ ସ୍ୱର୍ଗଦୂତମାନଙ୍କୁ ନେଇ ଗଠିତ ଯିହୋବାଙ୍କ ପରିବାରର ସଦସ୍ୟ ନ ଥିଲା, ଯାହା ଜରିଆରେ ଆଗକୁ ଯାଇ “ବଂଶ” ଆସନ୍ତା ।

୫. ଯିହୋବା ଓ ଶୟତାନ ମଧ୍ୟରେ ଯେଉଁ କଥାବାର୍ତ୍ତା ହେଲା, ସେଥିରୁ ଆମେ କʼଣ ଜାଣୁ ?

୫ ସ୍ୱର୍ଗରେ ଯିହୋବା ଓ ଶୟତାନ ମଧ୍ୟରେ ଯେଉଁ କଥାବାର୍ତ୍ତା ହେଲା, ତାହାକୁ ଯିହୋବା ବାଇବଲରେ ଲେଖାଇଲେ । କାରଣ ସେ ଚାହାନ୍ତି ଯେ ଆମେ ଏବିଷୟରେ ଜାଣୁ । ଶୟତାନ ଯାହା କହିଲା ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ କେତେ ଦୁଷ୍ଟ ଅଟେ ଏବଂ ସେ ଯିହୋବା ଓ ତାଙ୍କ ସେବକମାନଙ୍କୁ ବଦନାମ କରେ । (ଆୟୁ. ୧:୯; ପ୍ରକାଶିତ ବାକ୍ୟ ୧୨:୧୦ ପଦ ସହ ତୁଳନା କରନ୍ତୁ ।) ଆଉ ଯିହୋବା ଶୟତାନକୁ ଯେପରି ଭାବରେ ଉତ୍ତର ଦେଲେ, ସେଥିରୁ ଏହା ଜଣାପଡ଼େ ଯେ ସେ ନିଜ ଅଧିକାର ଓ ଶକ୍ତିର ବ୍ୟବହାର ସଦାବେଳେ ସଠିକ୍‌ ଉପାୟରେ କରନ୍ତି । ଆମେ ଏହା ବି ଜାଣୁ ଯେ ସର୍ବଶକ୍ତିମାନ ପରମେଶ୍ୱର ହେବା ଯୋଗୁଁ ଯିହୋବା ଏହା ନିର୍ଣ୍ଣୟ କରନ୍ତି ଯେ ଅନ୍ୟମାନେ କʼଣ କରିପାରିବେ ଓ କʼଣ କରିପାରିବେ ନାହିଁ ।

ଯିହୋବା ସୀମା ନିର୍ଦ୍ଧାରିତ କରନ୍ତି

୬. ସ୍ୱର୍ଗରେ ହୋଇଥିବା ସେହି ସଭାରୁ କିପରି ଜଣାପଡ଼େ ଯେ ସବୁକିଛି ଯିହୋବାଙ୍କ ହାତରେ ଅଛି ? (ଆୟୁବ ୧:୭, ୮)

୬ ଆୟୁବ ୧:୭, ୮ ପଢ଼ନ୍ତୁ । ଯିହୋବା ସେହି ସଭାକୁ ସଞ୍ଚାଳନ କରୁଥିଲେ ଏବଂ ସେହି ସଭାରେ ଯାହା ବି ହୁଅନ୍ତା, ସେହିସବୁ ଯିହୋବାଙ୍କ ହାତରେ ଥିଲା । ସେ ଶୟତାନକୁ କହିଲେ, ‘ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ ?’ ଏଥିରୁ ଜଣାପଡ଼େ ଯେ ଯିହୋବା ଭଲଭାବେ ଜାଣିଥିଲେ ଯେ ଶୟତାନର ମନରେ କʼଣ ଚାଲୁଛି ଏବଂ ସେ ଆୟୁବଙ୍କ ସହିତ କʼଣ କରିବା ପାଇଁ ଚାହୁଁଛି । ଆସନ୍ତୁ ଦେଖିବା ଯେ ଆୟୁବଙ୍କ ଉଦାହରଣରୁ ଏହା କିପରି ଜଣାପଡ଼େ ଯେ ଯିହୋବାଙ୍କ ପାଖରେ ସବୁଠୁ ଅଧିକ ଶକ୍ତି ଓ ଅଧିକାର ରହିଛି ।

୭. ଶୟତାନ ମଣିଷମାନଙ୍କ ଉପରେ କʼଣ ଆରୋପ ଲଗାଇଲା ? (ଆୟୁବ ୧:୧୦, ୧୧)

୭ ଆୟୁବ ୧:୧୦, ୧୧ ପଢ଼ନ୍ତୁ । ସମଗ୍ର ବିଶ୍ୱର ମାଲିକ ଯିହୋବା ସଦାବେଳେ ସଠିକ୍‌ କାମ କରନ୍ତି । (ଯିରି. ୩୨:୧୭; ଦାନି. ୪:୩୫) କିନ୍ତୁ ଶୟତାନ କହିଲା ଯେ ଯିହୋବା ନିଜ ଅଧିକାରର ଭୁଲ ବ୍ୟବହାର କରନ୍ତି । ସେ ଏହା କହିବାକୁ ଚାହୁଁଥିଲା ଯେ ଯିହୋବା ଆୟୁବଙ୍କ ଭଳି ସମସ୍ତ ମଣିଷମାନଙ୍କୁ ଏଥିପାଇଁ ଭଲ ଜିନିଷ ଦିଅନ୍ତି, କାରଣ ସେ ସେମାନଙ୍କଠାରୁ ଭକ୍ତି ପାଇବା ପାଇଁ ଚାହାନ୍ତି । ସେ ସମସ୍ତ ମଣିଷମାନଙ୍କ ଉପରେ ବି ଆରୋପ ଲଗାଇଲା ଯେ ସେମାନେ କେବଳ ନିଜର ସ୍ୱାର୍ଥ ପାଇଁ ଯିହୋବାଙ୍କର ଉପାସନା କରନ୍ତି । ହେଲେ ଯିହୋବା କʼଣ କଲେ ?

୮-୯. ଯିହୋବା ଶୟତାନ ପାଇଁ କʼଣ ସୀମା ନିର୍ଦ୍ଧାରିତ କଲେ ଏବଂ କାହିଁକି ? (ଆୟୁବ ୧:୧୨) (ଚିତ୍ର ମଧ୍ୟ ଦେଖନ୍ତୁ ।)

୮ ଆୟୁବ ୧:୧୨ ପଢ଼ନ୍ତୁ । ଯିହୋବା ଶୟତାନର ଆରୋପକୁ ସତ ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେଲେ, କିନ୍ତୁ ସେ ତାʼପାଇଁ ଗୋଟିଏ ସୀମା ନିର୍ଦ୍ଧାରିତ କଲେ । ସେ ଶୟତାନକୁ ସ୍ପଷ୍ଟ ଭାବେ କହିଲେ, ‘ଆୟୁବ ଉପରେ ତୁମ୍ଭେ ହସ୍ତ ନ ଦିଅ ।’ ଯିହୋବାଙ୍କ ଏହି ଆଜ୍ଞା ସେଠାରେ ଥିବା ସ୍ୱର୍ଗଦୂତମାନେ ବି ଶୁଣିଥିଲେ ଏବଂ ଶୟତାନକୁ ଯେମିତି ହେଲେ ବି ଏହି ଆଜ୍ଞା ମାନିବାର ଥିଲା । ଅବଶ୍ୟ ଯିହୋବା ତାକୁ କିଛି କରିବା ପାଇଁ ଅନୁମତି ଦେଇଥିଲେ, କିନ୍ତୁ ତାʼପାଇଁ ସେ ଗୋଟିଏ ସୀମା ନିର୍ଦ୍ଧାରିତ ବି କରିଥିଲେ ଯାହା ବାହାରେ ସେ ଯାଇପାରି ନ ଥାʼନ୍ତା । ସେ ଏପରି କାହିଁକି କଲେ ? ଏପରି କରି ଯିହୋବା ନିଜ ଶକ୍ତି ଓ ଅଧିକାର ଦ୍ୱାରା ଆୟୁବଙ୍କୁ ରକ୍ଷା କଲେ ଏବଂ ଦେଖାଇଲେ ଯେ ସେ ସର୍ବଦା ନ୍ୟାୟ କରନ୍ତି । ଆଜି ବି ଯିହୋବା ଶୟତାନକୁ କିଛି କରିବା ପାଇଁ ଅନୁମତି ଦେଇଛନ୍ତି, କିନ୍ତୁ ତାʼପାଇଁ ଗୋଟିଏ ସୀମା ନିର୍ଦ୍ଧାରିତ କରିଛନ୍ତି ଏବଂ ସେ ସେହି ସୀମା ବାହାରକୁ ଯାଇପାରିବ ନାହିଁ ।

୯ ଆମେ ଜାଣୁ ଯେ ଶୟତାନକୁ ସୁଯୋଗ ମିଳିଲା ପରେ ସେ କʼଣ କଲା । କିନ୍ତୁ ସେ ଯେମିତି ଚାହିଁଥିଲା ସେମିତି କିଛି ବି ହେଲା ନାହିଁ । ଆୟୁବ ଏତେ ସମସ୍ୟା ସତ୍ତ୍ୱେ ନିଜ ପିତା ଯିହୋବାଙ୍କର ବିଶ୍ୱସ୍ତ ରହିଲେ । (ଆୟୁ. ୧:୨୨) କିନ୍ତୁ ଶୟତାନ ଚେଷ୍ଟା କରିବା ଛାଡ଼ିଲା ନାହିଁ, ସେ ଆୟୁବଙ୍କ ବିଶ୍ୱସ୍ତତା ଭାଙ୍ଗିବା ପାଇଁ ନୂଆ ଷଡ଼ଯନ୍ତ୍ର ଆପଣାଇଲା ।

ସ୍ୱର୍ଗରେ ଶୟତାନ, ସ୍ୱର୍ଗଦୂମାନଙ୍କ ସାମନାରେ ଯିହୋବାଙ୍କ ସହିତ ଆଦରର ସହ କଥା ହେଉ ନାହିଁ ।

ଯିହୋବା ସବୁ ସ୍ୱର୍ଗଦୂତମାନଙ୍କ ସାମନାରେ ଶୟତାନକୁ ନିଜ କଥା କହିବା ପାଇଁ ସୁଯୋଗ ଦେଲେ (ପାରାଗ୍ରାଫ ୮-୯)


୧୦. ଯିହୋବା କାହିଁକି ପୁଣିଥରେ ଶୟତାନକୁ, ଆୟୁବଙ୍କ ପରୀକ୍ଷା କରିବା ପାଇଁ ଅନୁମତି ଦେଲେ ? (ଆୟୁବ ୨:୨-୬)

୧୦ ଆୟୁବ ୨:୨-୬ ପଢ଼ନ୍ତୁ । ଶୟତାନ ପୁଣିଥରେ ଆୟୁବଙ୍କ ପରୀକ୍ଷା ନେବା ପାଇଁ ଚାହୁଁଥିଲା ଏବଂ ଏଥର ସେ ତାଙ୍କ ବିଶ୍ୱସ୍ତତାକୁ ଭାଙ୍ଗିବା ପାଇଁ ପୂରା ଚେଷ୍ଟା କଲା । ସେ କହିଲା ଯେ ଯଦି ଆୟୁବଙ୍କ ଜୀବନ ଉପରେ ବିପଦ ଆସେ, ତାହେଲେ ସେ ଯିହୋବାଙ୍କ ସେବା କରିବା ଛାଡ଼ିଦେବେ । ଏପରିକି ସେ ତାଙ୍କର ନିନ୍ଦା କରିବେ । ଯିହୋବା ତାକୁ ନିଜ ଆରୋପ ସତ ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେଲେ, କିନ୍ତୁ ସେ ତାʼପାଇଁ ଗୋଟିଏ ସୀମା ନିର୍ଦ୍ଧାରିତ କଲେ । ସେ ଶୟତାନକୁ କହିଲେ, “କେବଳ ତାହାର ପ୍ରାଣ ରକ୍ଷା କର ।” ଏଥର ବି ଶୟତାନକୁ ଯିହୋବାଙ୍କ ଆଜ୍ଞା ଯେମିତି ହେଲେ ବି ମାନିବାର ଥିଲା । ସେ ଚାହିଁଲେ ବି ଆୟୁବଙ୍କ ଜୀବନ ନେଇ ପାରି ନ ଥାʼନ୍ତା, କାରଣ ଯିହୋବା ତାକୁ ଏପରି କରିବା ପାଇଁ ଅନୁମତି ଦେଇ ନ ଥିଲେ । ଏଥିରୁ ବି ଜଣାପଡ଼େ ଯେ ଯିହୋବା ପରମ ପ୍ରଧାନ ଈଶ୍ୱର ଅଟନ୍ତି ଏବଂ ସବୁକିଛି ତାଙ୍କ ହାତରେ ଅଛି । ସେ ଶୟତାନ ପାଇଁ ଯେଉଁ ସୀମା ନିର୍ଦ୍ଧାରିତ କରନ୍ତି, ସେ ତାʼ ବାହାରକୁ କେବେ ବି ଯାଇପାରିବ ନାହିଁ ।

ଯିହୋବା ଆୟୁବଙ୍କର ସବୁ ଦୁଃଖ ଦୂର କଲେ

୧୧. ଆୟୁବଙ୍କ ସବୁ ଦୁଃଖ ଦୂର କଲାପରେ ଯିହୋବା ତାଙ୍କର ବିଶ୍ୱସ୍ତତାକୁ ଦେଖି କʼଣ କଲେ ? (ଆୟୁବ ୪୨:୧୦-୧୩)

୧୧ ଆୟୁବ ୪୨:୧୦-୧୩ ପଢ଼ନ୍ତୁ । ଯେବେ ଆୟୁବ ସବୁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ, ତେବେ ଯିହୋବା ଶୟତାନକୁ ଆଉ ସୁଯୋଗ ଦେଲେ ନାହିଁ । ଶୟତାନ ଆୟୁବଙ୍କ ଉପରେ ଯେଉଁ ପରୀକ୍ଷା ଆଣୁଥିଲା, ଯିହୋବା ସେସବୁକୁ ରୋକି ଦେଲେ । ଏବେ ଶୟତାନ ଆୟୁବଙ୍କୁ କିଛି କରିପାରି ନ ଥାʼନ୍ତା । ଯିହୋବା ନିଜ ବିଶ୍ୱସ୍ତ ସେବକଙ୍କ ସବୁ ଦୁଃଖ ଦୂର କରିଦେଲେ ଏବଂ ତାଙ୍କୁ ଅନେକ ଆଶିଷ ଦେଲେ । ଏଥର ବି ଶୟତାନ ଯିହୋବାଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇପାରି ନ ଥାʼନ୍ତା ଆଉ ନା ଯିହୋବାଙ୍କୁ ରୋକିବା ପାଇଁ କିଛି କରିପାରି ଥାʼନ୍ତା ।

୧୨. ଉଦାହରଣ ଦେଇ କହନ୍ତୁ ଯେ ଯିହୋବା କିପରି ନିଜ ଲୋକମାନଙ୍କୁ ରକ୍ଷା କରନ୍ତି ।

୧୨ ଏହି ଶେଷକାଳରେ ଅନେକ ଭାଇଭଉଣୀ ଦେଖିଛନ୍ତି ଯେ ଯେବେ ସେମାନେ ଯିହୋବାଙ୍କ ଉପରେ ଭରସା ରଖିଲେ, ତେବେ ଯିହୋବା କିପରି ସେମାନଙ୍କର ରକ୍ଷା କଲେ ଏବଂ ସେମାନଙ୍କ ପାଇଁ ନିଜ ବଳ ଦେଖାଇଲେ । ଧ୍ୟାନ ଦିଅନ୍ତୁ ଯେ ୧୯୪୫ ମସିହାରେ କʼଣ ହୋଇଥିଲା । ଜର୍ମାନୀର ନାଜି ସରକାର ବନ୍ଦୀମାନଙ୍କୁ ଚାଲି ଚାଲି ଯାତନା ଶିବିରରୁ ସମୁଦ୍ର ପର୍ଯ୍ୟନ୍ତ ନେବା ପାଇଁ ଚାହୁଁଥିଲା ଏବଂ ସେଠାରେ ସେମାନଙ୍କୁ ବୁଡ଼ାଇ ମାରିଦେବା ପାଇଁ ଚାହୁଁଥିଲା । ସେମଧ୍ୟରୁ ୨୩୦ ଜଣ ଯିହୋବାଙ୍କ ସାକ୍ଷୀ ମଧ୍ୟ ଥିଲେ । ମୃତ୍ୟୁର ସେହି ଭୟଙ୍କର ଯାତ୍ରାରେ ଯାହାକୁ ଡେଥ୍‌ ମାର୍ଚ୍ଚ କୁହାଗଲା, ଜଣେ ବି ସାକ୍ଷୀ ନିଜ ଜୀବନ ହରାଇଲେ ନାହିଁ । ଆଗକୁ ଯାଇ ସେମାନେ ନିଜ ଅନୁଭୂତିରେ ଲେଖିଲେ, ‘ପରୀକ୍ଷାର ଏହି ଲମ୍ବା ସମୟ ଏବେ ଶେଷ ହୋଇଯାଇଛି ଏବଂ ସେଥିରେ ଯେତେ ଜଣ ବି ସୁରକ୍ଷିତ ଅଛନ୍ତି, ସେମାନଙ୍କୁ ଯେମିତି ଅଗ୍ନିକୁଣ୍ଡରୁ ବାହାର କରିଦିଆଗଲା । ଆଉ ସେମାନଙ୍କ ଶରୀରରେ ଅଗ୍ନିର ଗନ୍ଧ ସୁଦ୍ଧା ନାହିଁ, ଅର୍ଥାତ୍‌ ପରୀକ୍ଷାଗୁଡ଼ିକ ସେମାନଙ୍କ କ୍ଷତି କରିପାରିଲା ନାହିଁ । ଏହା ପରିବର୍ତ୍ତେ, ଯିହୋବାଙ୍କ ବଳରୁ ସେମାନେ ଶକ୍ତିଶାଳୀ ହେଲେ । ସିଂହମାନଙ୍କର ଗର୍ତ୍ତରୁ ବାହାରି ଆମେ କେବଳ ସଦାସର୍ବଦା ଯିହୋବାଙ୍କ ଭକ୍ତି କରିବା ପାଇଁ ଚାହୁଁ, ଏହା ଆମ ପାଇଁ ସବୁଠୁ ବଡ଼ ପ୍ରତିଫଳ ହେବ ।’—ଦାନିୟେଲ ୩:୨୭; ୬:୨୨ ପଦ ସହ ତୁଳନା କରନ୍ତୁ ।

୧୩. ସମସ୍ୟାଗୁଡ଼ିକ ସମୟରେ ଆପଣ କେଉଁ କଥାର ଭରସା ରଖିପାରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୩ ବେଳେବେଳେ ହୁଏତ ଆମକୁ ବି ଲାଗିପାରେ ଯେ ଆମକୁ ସିଂହମାନଙ୍କ ଗର୍ତ୍ତରେ ଫିଙ୍ଗି ଦିଆଯାଇଛି । (୧ ପିତ. ୫:୮-୧୦) ହୁଏତ ଆମ ସମସ୍ୟାଗୁଡ଼ିକ ଲମ୍ବା ସମୟ ଧରି ଚାଲିପାରେ, ଯାହାଯୋଗୁଁ ଆମର ସାହସ ଭାଙ୍ଗିପାରେ ଏବଂ ଆମକୁ ଲାଗିପାରେ, ‘ମୋ କଷ୍ଟଗୁଡ଼ିକ କେବେ ବି ଶେଷ ହେବ ନାହିଁ ।’ ଏପରି ସମୟରେ ମନେ ପକାନ୍ତୁ ଯେ ଯିହୋବା ଆୟୁବଙ୍କ ପାଇଁ କʼଣ କରିଥିଲେ । ଏପରି କଲେ ଆପଣଙ୍କର ସାହସ ବଢ଼ିବ ଏବଂ ଆପଣଙ୍କୁ ଭରସା ହେବ ଯେ ଯିହୋବାଙ୍କ ପାଖରେ ଦୁଃଖକଷ୍ଟଗୁଡ଼ିକୁ ଶେଷ କରିବାର ଶକ୍ତି ଅଛି । ଆଉ ହୁଏତ ସେ ଏହି ଦୁଃଖକଷ୍ଟଗୁଡ଼ିକୁ ଏହି ଦୁନିଆରେ କିମ୍ବା ଭବିଷ୍ୟତରେ ନୂଆ ଦୁନିଆରେ ନିଶ୍ଚୟ ଶେଷ କରିଦେବେ । ମନେ ରଖନ୍ତୁ, ଯିହୋବା ସ୍ଥିର କରିସାରିଛନ୍ତି ଯେ ସେ କେବେ ଏହି ଦୁଷ୍ଟ ଦୁନିଆକୁ ବିନାଶ କରିବେ ଏବଂ ଏହାପରେ ଆପଣଙ୍କ ଦୁଃଖକଷ୍ଟଗୁଡ଼ିକ କ୍ଷଣିକ ପାଇଁ ବି ରହିବ ନାହିଁ ।

ଚିତ୍ରଗୁଡ଼ିକ: ଯିହୋବାଙ୍କ ସେବକମାନେ ବିଭିନ୍ନ ପ୍ରକାରର ସମସ୍ୟାର ସାମନା କରୁଛନ୍ତି । ୧. ଜଣେ ବୃଦ୍ଧ ଭାଇ ଓ ଯୁବା ଭାଇ ଗୋଟିଏ ସମାଧି ସାମନାରେ ଛିଡ଼ା ହେଉଛନ୍ତି । ଯୁବା ଭାଇ ବୃଦ୍ଧ ଭାଇଙ୍କୁ ସାନ୍ତ୍ୱନା ଦେଉଛନ୍ତି । ୨. ଜଣେ ସ୍ୱାମୀ ସ୍ତ୍ରୀ ନିଜ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେମାନେ ତାʼ ପାଖରେ ବସିଛନ୍ତି ଏବଂ ବହୁତ ଚିନ୍ତିତ ଅଛନ୍ତି । ୩. ଜଣେ ଭାଇଙ୍କୁ ଜେଲଦଣ୍ଡ ହୋଇଛି । ସେ ଟାଣ ଖରାରେ ବେଲଚାରୁ ଧରି ମାଟି ଖୋଳୁଛନ୍ତି ଏବଂ ପାଖରେ ଜଣେ ସୈନିକ ବନ୍ଧୁକ ଧରି ଜଗୁଛି ।

ଯିହୋବା ନିଜର ସମସ୍ତ ବିଶ୍ୱସ୍ତ ସେବକମାନଙ୍କ କଷ୍ଟଗୁଡ଼ିକୁ ଶେଷ କରିଦେବେ (ପାରାଗ୍ରାଫ ୧୩)


ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ ପ୍ରେମ କରନ୍ତି

୧୪-୧୫. ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କ ପାଇଁ କʼଣ ଚାହାନ୍ତି ଏବଂ କାହିଁକି ? (ଆୟୁବ ୧୪:୧୫) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଆୟୁବ ୧୪:୧୫ ପଢ଼ନ୍ତୁ । ଯେଉଁମାନେ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତି, ସେ ବି ସେମାନଙ୍କର ବିଶ୍ୱସ୍ତ ରହନ୍ତି । ସେ ନିଜ ସେବକମାନଙ୍କୁ ଏତେ ପ୍ରେମ କରନ୍ତି ଯେ ଯଦି ସେମାନଙ୍କର ମୃତ୍ୟୁ ହୋଇଯାଏ, ତେବେ ସେ ସେମାନଙ୍କୁ ଜୀବିତ କରିବେ । ମୃତ୍ୟୁ ସେମାନଙ୍କୁ ଯେଉଁ ଦୁଃଖ ଦେଇଛି, ତାହାକୁ ସେ ବଦଳାଇ ଖୁସିରେ ଭରିଦେବେ ।—ଯିଶା. ୬୫:୧୭.

୧୫ ଭାବନ୍ତୁ ଯିହୋବା ଆୟୁବଙ୍କୁ ତାଙ୍କ ବିଶ୍ୱସ୍ତତା ପାଇଁ କେତେ ବଢ଼ିଆ ଆଶିଷ ଦେଲେ ! ଯିହୋବା ତାଙ୍କର ରୋଗ ଦୂର କରି ତାଙ୍କୁ ଭଲ ସ୍ୱାସ୍ଥ୍ୟ ଦେଲେ । ଆୟୁବଙ୍କୁ ପରୀକ୍ଷା କରାଯିବା ପୂର୍ବରୁ ତାଙ୍କ ପାଖରେ ଯାହା କିଛି ଥିଲା, ଯିହୋବା ତାହାଠାରୁ ବି ଅଧିକ ତାଙ୍କୁ ଦେଲେ । ଏହି ଆଶିଷଗୁଡ଼ିକ ଯିହୋବା ଆୟୁବଙ୍କୁ ସେସମୟରେ ଦେଲେ, ଯେବେ ସେ ଶୟତାନର ଏହି ଦୁନିଆରେ ବଞ୍ଚୁଥିଲେ । ଏହି ଆଶିଷଗୁଡ଼ିକ ମାତ୍ର ଏହି କଥାର ଝଲକ ଥିଲା ଯେ ଯିହୋବା ଭବିଷ୍ୟତରେ ଆୟୁବଙ୍କ ପାଇଁ ଆଉ କʼଣ କʼଣ କରିବେ । ଆୟୁବଙ୍କ ଘଟଣାରୁ ଆମେ ଆଉ ଗୋଟିଏ କଥା ଶିଖୁ । ଯିହୋବା ଚାହାନ୍ତି ଯେ ତାଙ୍କ ଲୋକମାନେ ଖୁସିରେ ରହନ୍ତୁ ଏବଂ ଭଲ ଜୀବନ ବଞ୍ଚନ୍ତୁ । ଯିହୋବା ଏହା ହିଁ ପ୍ରତିଜ୍ଞା କରିଛନ୍ତି । ଯଦି ଆମେ ତାଙ୍କର ବିଶ୍ୱସ୍ତ ରହିବା, ତାହେଲେ ପାରଦୀଶରେ ଆମେ ସବୁଦିନ ପାଇଁ ଜୀବନର ମଜା ନେଇପାରିବା । (ପ୍ରକା. ୨୧:୩, ୪) ମନେ ରଖନ୍ତୁ, ସମଗ୍ର ବିଶ୍ୱର ମାଲିକ ଯିହୋବା ନିଜ ପ୍ରତିଜ୍ଞା ପୂରା କରିବା ପାଇଁ ବ୍ୟାକୁଳ ଅଛନ୍ତି । ସେଥିପାଇଁ ଯେବେ ଆପଣଙ୍କୁ ସମସ୍ୟାଗୁଡ଼ିକ ଘେରି ରଖେ ଆଉ ଆପଣ ନିରାଶ ହେବାକୁ ଲାଗନ୍ତି, ତେବେ ଏବିଷୟରେ ଭାବନ୍ତୁ ଯେ ଯିହୋବା ଭବିଷ୍ୟତରେ ଆପଣଙ୍କୁ ଅନେକ ଆଶିଷ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି । ଏପରି କଲେ ଆପଣଙ୍କୁ ବହୁତ ସାନ୍ତ୍ୱନା ମିଳିବ ଏବଂ ସମସ୍ୟା ସମୟରେ ଆପଣ ହାର ମାନିବେନି ।

ଆୟୁବ ଭଲ ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସୁସ୍ଥ ଅଛି । ସେ ନିଜ ସ୍ତ୍ରୀଙ୍କ ସହ ଘରେ ଅଛନ୍ତି ଏବଂ ତାଙ୍କର ଅନେକ ସାଙ୍ଗ ତାଙ୍କୁ ଭେଟିବା ପାଇଁ ଆସିଛନ୍ତି । ସେ ବହୁତ ଖୁସି ଦେଖାଯାଉଛନ୍ତି ।

ଆୟୁବଙ୍କୁ ପରୀକ୍ଷା କରାଯିବା ପରେ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଯିହୋବା ଅନେକ ଆଶିଷ ଦେଲେ (ପାରାଗ୍ରାଫ ୧୪-୧୫)


୧୬. ଆମେ ଆଉ କେଉଁ କାରଣ ଯୋଗୁଁ ଯିହେବାଙ୍କ ଉପରେ ଭରସା କରିପାରିବା ?

୧୬ ଯିହୋବାଙ୍କ ଆଶିଷରୁ ଆୟୁବ ବହୁତ ବର୍ଷ ଯାଏଁ ବଞ୍ଚିଲେ । ପରେ ତାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଯିହୋବା ଆୟୁବଙ୍କୁ ଭୁଲି ନାହାନ୍ତି । ଖୁବ୍‌ ଶୀଘ୍ର ସେ ତାଙ୍କୁ ଜୀବିତ କରିଦେବେ । କାରଣ ଯିହୋବା ସର୍ବଶକ୍ତିମାନ ଓ ପରମ ପ୍ରଧାନ ଈଶ୍ୱର ଅଟନ୍ତି । ତାଙ୍କଠାରେ ଏତେ ଶକ୍ତି ରହିଛି ଯେ ମୃତ୍ୟୁ ତାଙ୍କ ପାଇଁ କିଛି ବି ନୁହେଁ । (ଦ୍ୱିବି. ୩୨:୩୯) ସେ ଯେଉଁ ସମୟ ନିର୍ଦ୍ଧାରିତ କରିଛନ୍ତି, ଠିକ୍‌ ସେହି ସମୟରେ ସେ ନିଜ ବିଶ୍ୱସ୍ତ ସେବକମାନଙ୍କୁ ଜୀବିତ କରିଦେବେ । ଏପରି କରିବା ପାଇଁ ତାଙ୍କୁ କେହି ବି ରୋକିପାରିବେ ନାହିଁ ।—ରୋମୀ. ୮:୩୮, ୩୯.

ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ

୧୭. କେଉଁ କଥାରୁ ଜଣାପଡ଼େ ଯେ ଶୟତାନ ଯିହୋବାଙ୍କ ଲୋକମାନଙ୍କୁ ବିନାଶ କରିବାରେ ବିଫଳ ହୋଇଛି ?

୧୭ ଆୟୁବଙ୍କ ବହିରୁ ଆମକୁ ଯିହୋବାଙ୍କ ଉପରେ ପୂରା ଭରସା ରଖିବା ପାଇଁ ଅନେକ କାରଣ ମିଳିଛି । ଦେଖିବାକୁ ଗଲେ, ଶୟତାନ ଅନେକ ଥର ଯିହୋବାଙ୍କ ଲୋକମାନଙ୍କୁ ବିନାଶ କରିବା ପାଇଁ ଚେଷ୍ଟା କରିଛି । କିନ୍ତୁ ଯିହୋବା ତାକୁ ପ୍ରତିଥର ବିଫଳ କରିଦେଇଛନ୍ତି । ଆଜି ପୂରା ଦୁନିଆରେ ୯୦ ଲକ୍ଷରୁ ବି ଅଧିକ ଲୋକ ବିଶ୍ୱସ୍ତତାର ସହିତ ଯିହୋବାଙ୍କର ସେବା କରୁଛନ୍ତି । ଏହା ଏହି କଥାର ପ୍ରମାଣ ଅଟେ ଯେ ଆଜି ପରମ ପ୍ରଧାନ ଈଶ୍ୱର ଯିହୋବାଙ୍କର ଶକ୍ତି କାମ କରୁଛି । ଆମେ ସଦାବେଳେ ଏହା ଦେଖିଛୁ ଯେ ଯିହୋବାଙ୍କ ଲୋକମାନଙ୍କ ବିରୁଦ୍ଧରେ ଉଠୁଥିବା ସବୁ ଅସ୍ତ୍ର ବିଫଳ ହୋଇଛି । (ଯିଶା. ୫୪:୧୭) ଅନେକ ଶକ୍ତିଶାଳୀ ରାଷ୍ଟ୍ର ଓ ବଡ଼ ବଡ଼ ଧାର୍ମିକ ସଂଗଠନଗୁଡ଼ିକ ଆମକୁ ଯିହୋବାଙ୍କ ଉପାସନା କରିବାରୁ ରୋକିବା ପାଇଁ ଚେଷ୍ଟା କରିଛି । ସେମାନଙ୍କୁ ଲାଗେ ଯେ ସେମାନେ ଅତି ସହଜରେ ଏହା କରିପାରିବେ । କିନ୍ତୁ ଏତେ ବିରୋଧ ସତ୍ତ୍ୱେ ଆମେ ସମସ୍ତଙ୍କ ସାମନାରେ ଯିହୋବାଙ୍କ ନାମର ଘୋଷଣା କରୁଛୁ ଏବଂ ଶୟତାନ ମିଛ ଅଟେ ବୋଲି ପ୍ରମାଣିତ କରୁଛୁ । ଆମେ ଏହା ବି ଜାଣିଛୁ ଯେ ଯଦି ଆଗକୁ ଆମର ମୃତ୍ୟୁ ହୋଇଯାଏ, ତାହେଲେ ଯିହୋବା ଆମକୁ ଜୀବିତ କରିବେ । କାରଣ ସେ ନିଜ ବିଶ୍ୱସ୍ତ ସେବକମାନଙ୍କୁ କେବେ ବି ଭୁଲନ୍ତି ନାହିଁ ।—ହୋଶେ. ୧୩:୧୪.

୧୮. ଆଗକୁ ଆମ ସହ ଯାହା ବି ହେବ, ସେବିଷୟରେ ଭାବି ଆମକୁ କାହିଁକି ଡରିବା ଦରକାର ନାହିଁ ?

୧୮ ଆୟୁବଙ୍କ ଘଟଣା ଉପରେ ଚିନ୍ତନ କଲେ ଆମର ବିଶ୍ୱାସ ବଢ଼ିବ ଯେ ଆଗକୁ ଯାଇ ଆମ ସହ ଯାହା ବି ହେବ, ସେସମୟରେ ଯିହୋବା ଆମ ସହିତ ରହିବେ । ସେଥିପାଇଁ ଆମକୁ ଡରିବା ଦରକାର ନାହିଁ । ମହାକ୍ଳେଶ ସମୟରେ ଶୟତାନ ଓ ରାଷ୍ଟ୍ରଗୁଡ଼ିକୁ ଲାଗିବ ଯେ ସେମାନେ ଅତି ସହଜରେ ଯିହୋବାଙ୍କ ଲୋକମାନଙ୍କୁ ଆକ୍ରମଣ କରିପାରିବେ । କିନ୍ତୁ ସେସମୟରେ ବି ସବୁକିଛି ଯିହୋବାଙ୍କ ହାତରେ ଥିବ ଏବଂ ସେ ଶୟତାନକୁ ନିଜ ଲୋକମାନଙ୍କୁ ବିନାଶ କରିବା ପାଇଁ ଦେବେ ନାହିଁ । ଯେପରି ସେ ଆୟୁବଙ୍କୁ ରକ୍ଷା କଲେ, ଠିକ୍‌ ସେହିପରି ସେ ନିଜ ଲୋକମାନଙ୍କୁ ରକ୍ଷା କରିବେ । ସେହି ସମୟରେ ଯିହୋବା ନିଜ ଅଦ୍ଭୁତ ଶକ୍ତି ଦେଖାଇବେ । ସେ ସେହି ସମସ୍ତ ଦୁଃଖକଷ୍ଟକୁ ଦୂର କରିଦେବେ ଯାହା ସେମାନଙ୍କୁ ଶୟତାନର ଏହି ଦୁନିଆରେ ମିଳିଛି । ହେଲେ ଶୟତାନର କʼଣ ହେବ ? ଯୀଶୁ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ୧,୦୦୦ ବର୍ଷ ପାଇଁ ପାତାଳକୁଣ୍ଡରେ ଫୋପାଡ଼ି ଦେବେ । (ଲୂକ ୮:୩୧; ପ୍ରକା. ୨୦:୧-୩) ଶେଷରେ ଶୟତାନ ଓ ତାକୁ ସହଯୋଗ କରୁଥିବା ଲୋକମାନଙ୍କୁ ସବୁଦିନ ପାଇଁ ବିନାଶ କରିଦିଆଯିବ । (ପ୍ରକା. ୨୦:୧୦) ଏହିପରି ଭାବେ ଯିହୋବାଙ୍କର ଭବିଷ୍ୟତବାଣୀ ସତ ହେବ ଏବଂ ଶୟତାନର ମସ୍ତକକୁ ଆଘାତ କରିଦିଆଯିବ !—ଆଦି. ୩:୧୫; ରୋମୀ. ୧୬:୨୦.

୧୯. ଯେଉଁମାନେ ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତି, ସେମାନଙ୍କୁ କʼଣ ଆଶିଷ ମିଳିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୯ ଆମେ ନୂଆ ଦୁନିଆର ଆଗ୍ରହର ସହ ଅପେକ୍ଷା କରୁଛୁ । ସେସମୟରେ ଆମକୁ କୌଣସି ଜିନିଷର ଅଭାବ ହେବ ନାହିଁ ଏବଂ ଆମେ ଶାନ୍ତି ଓ ଆନନ୍ଦରେ ବଞ୍ଚିପାରିବା । ଯିହୋବା ଆମକୁ ଏତେ ଆଶିଷ ଦେବେ ଯେ ଆମେ କଳ୍ପନା ବି କରିପାରିବା ନାହିଁ । ସେ ଆମକୁ ପ୍ରତିଜ୍ଞା କରିଛନ୍ତି, “ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ ।” (ପ୍ରକା. ୨୧:୫) ଏହା କିପରି ହେବ ? ହଜାର ହଜାର ବର୍ଷରୁ ଶୟତାନ ଓ ତାʼ ଦୁଷ୍ଟ ସ୍ୱର୍ଗଦୂତମାନେ ଯେପରି ଭାବେ ପୃଥିବୀକୁ ନଷ୍ଟ କରିଛନ୍ତି, ଯିହୋବା ସେସବୁକୁ ପୂରାପୂରି ଭାବେ ଠିକ୍‌ କରିଦେବେ । ହର୍ମିଗିଦ୍ଦୋନ୍‌ ଯୁଦ୍ଧ ପରେ ଆମେ ସେହି ଜୀବନର ଆନନ୍ଦ ନେଇପାରିବା, ଯାହା ଯିହୋବା ଆରମ୍ଭରେ ମଣିଷମାନଙ୍କୁ ଦେବା ପାଇଁ ଚାହୁଁଥିଲେ । ସେସମୟରେ କୌଣସି ଚିନ୍ତା ରହିବ ନାହିଁ । ଆମେ ଶାନ୍ତିରେ ଶୋଇପାରିବା ଓ ଆମକୁ କୌଣସି ରୋଗ ହେବ ନାହିଁ । ସୁସ୍ଥ ଶରୀର ଓ ସୁସ୍ଥ ମନରେ ବଞ୍ଚିବା କିପରି ଲାଗେ ତାହା ଆମେ ନିଜେ ଅନୁଭବ କରିପାରିବା । ତାʼସହିତ ଆମେ ନିଜର ସେହି ପ୍ରିୟଜନମାନଙ୍କୁ ଭେଟିପାରିବା, ଯେଉଁମାନଙ୍କୁ ମୃତ୍ୟୁ ଆମଠାରୁ ଛଡ଼ାଇ ନେଇଛି । କଳ୍ପନା କରନ୍ତୁ, ସେସମୟରେ ଆମେ କେତେ ଶାନ୍ତିରେ ବଞ୍ଚିବା !

ପୂର୍ବ ଚିତ୍ରଗୁଡ଼ିକରେ ଥିବା ଭାଇଭଉଣୀ ପାରଦୀଶର ମଜା ନେଉଛନ୍ତି । ଯେଉଁ ଭାଇ ବୃଦ୍ଧ ଥିଲେ ସେ ଯୁବା ହୋଇଯାଇଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ସହିତ ବୁଲୁଛନ୍ତି । ସେହି ସ୍ୱାମୀ ସ୍ତ୍ରୀଙ୍କ ଝିଅର ସ୍ୱାସ୍ଥ୍ୟ ଭଲ ହୋଇଯାଇଛି ଏବଂ ସେମାନେ ତାʼ ସହିତ ବୁଲୁଛନ୍ତି । ଯେଉଁ ଭାଇ ଜେଲରେ ଥିଲେ, ସେ ଗଛ ତଳେ ବସି ବାଇବଲ ପଢ଼ୁଛନ୍ତି ଏବଂ ତାଙ୍କ ପାଖରେ ସିଂହ ଛୁଆ ଶୋଉଛି ।

ଯେଉଁମାନେ ଦୁଃଖକଷ୍ଟ ସତ୍ତ୍ୱେ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ସେମାନଙ୍କୁ ସେ ଅନେକ ଆଶିଷ ଦେବେ (ପାରାଗ୍ରାଫ ୧୯)


୨୦. ଆପଣ ଏବେଠାରୁ କʼଣ କରିବା ପାଇଁ ଭାବିଛନ୍ତି ?

୨୦ ଆଗକୁ ଯାଇ ଆମକୁ ଆହୁରି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିବ । ସେସମୟରେ ଯଦି ଆମେ ସାହସ ଦେଖାଇବା, ତାହେଲେ ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିପାରିବା । ଆସନ୍ତୁ ଆମେ ଏବେଠାରୁ ସମଗ୍ର ବିଶ୍ୱର ମାଲିକ ଯିହୋବାଙ୍କ ଉପରେ ପୂରା ଭରସା ରଖିବା ଏବଂ ତାଙ୍କର ନାମକୁ ଉଚ୍ଚତର କରିବା । ଏହିପରି ଭାବେ ଆମେ ଦେଖାଇବା ଯେ ଆମେ ନିଜ ପିତା ଯିହୋବାଙ୍କୁ କେତେ ପ୍ରେମ କରୁ ଏବଂ ଶୟତାନର ଆରୋପକୁ ମିଛ ବୋଲି ପ୍ରମାଣିତ କରୁ । ଆମେ ଭରସା କରୁ ଯେ ଯିହୋବା ନିଜ ଲୋକମାନଙ୍କର ବିଶ୍ୱସ୍ତତା ପାଇଁ ସେମାନଙ୍କୁ ନିଶ୍ଚୟ ଆଶିଷ ଦେବେ । କାରଣ ଏପରି କରିବା ପାଇଁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ସେଥିପାଇଁ ଆମେ କହିପାରିବା ଯେ ଆମ ଭବିଷ୍ୟତ ଅନ୍ଧକାରରେ ନୁହେଁ, ବରଂ ପରମ ପ୍ରଧାନ ଈଶ୍ୱର ଯିହୋବାଙ୍କ ହାତରେ ଅଛି !

ଆୟୁବଙ୍କ ବହିରୁ କିପରି ଜଣାପଡ଼େ ଯେ . . .

  • ଯିହୋବା ପରମ ପ୍ରଧାନ ଈଶ୍ୱର ଅଟନ୍ତି ?

  • ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ ଆଶିଷ ଦେବା ପାଇଁ ଆଗ୍ରହର ସହ ଅପେକ୍ଷା କରୁଛନ୍ତି ?

  • ଆମେ ସମଗ୍ର ବିଶ୍ୱର ମାଲିକ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିବା ?

ଗୀତ ୧୫୩ ଯିହୋବା, ଦେ ସାହସ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ