୪-୧୦ ମେ, ୨୦୨୬
ଗୀତ ୫୩ ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ
ଶିଖାଇବାରେ ନିପୁଣ ହୁଅନ୍ତୁ
‘ବାକ୍ୟ ପ୍ରଚାର କର, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ [“ନିପୁଣ ହୁଅ,” NWT] କର ।’—୨ ତୀମ. ୪:୨.
କʼଣ ଶିଖିବା ?
ଆମେ ତିନୋଟି ଉପାୟ ଶିଖିବା, ଯାହା ସାହାଯ୍ୟରୁ ଆମେ ଶିଖାଇବାରେ ନିପୁଣ ହୋଇପାରିବା ।
୧. ଆମକୁ କେଉଁ କ୍ଷେତ୍ରରେ ନିପୁଣ ହେବା ଉଚିତ୍ ଏବଂ କାହିଁକି ? (୨ ତୀମଥି ୪:୨) (ଚିତ୍ର ମଧ୍ୟ ଦେଖନ୍ତୁ ।)
ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, “ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର ।” (ମାଥି. ୨୮:୧୯, ୨୦) ଏହି ପଦରୁ ଜଣାପଡ଼େ ଯେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଶିଖାଇବାରେ ନିପୁଣ ହେବା ଉଚିତ୍ । ଅବଶ୍ୟ ଯିହୋବା “ଅନନ୍ତ ଜୀବନ ନିମନ୍ତେ ନିରୂପିତ” ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରନ୍ତି ଏବଂ ସ୍ୱର୍ଗଦୂତମାନେ ବି ଏପରି ଲୋକମାନଙ୍କୁ ଖୋଜିବା ପାଇଁ ଆମକୁ ସାହାଯ୍ୟ କରନ୍ତି । (ପ୍ରେରି. ୧୩:୪୮; ଯୋହ. ୬:୪୪; ପ୍ରକା. ୧୪:୬) କିନ୍ତୁ ଆମକୁ ବି କିଛି କରିବାକୁ ପଡ଼ିବ । ପ୍ରେରିତ ପାଉଲ ଓ ବର୍ଣ୍ଣବ୍ବା ବହୁତ ଭଲଭାବେ ଶିଖାଉଥିଲେ । ବାଇବଲରେ କୁହାଯାଇଛି ଯେ ଥରେ ସେମାନେ ଦୁହେଁ ଇକନୀୟର ସମାଜଗୃହରେ ଯାଇ “ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ ।” (ପ୍ରେରି. ୧୪:୧) ପାଉଲ ଓ ବର୍ଣ୍ଣବ୍ବା ଶିଖାଇବାରେ ନିପୁଣ ହେବା ପାଇଁ କଠିନ ପରିଶ୍ରମ କରିଥିବେ, ତେଣୁ ସେମାନେ ଲୋକମାନଙ୍କୁ ଭଲଭାବରେ ଶିଖାଇ ପାରିଲେ । (୨ ତୀମଥି ୪:୨ ପଢ଼ନ୍ତୁ ।) ସେମାନଙ୍କ ଭଳି ଆମକୁ ବି ଶିଖାଇବାରେ ନିପୁଣ ହେବା ଉଚିତ୍ ।
ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କଠାରୁ ଆମେ ଶିଖିପାରିବା ଯେ ଆମେ ଅନ୍ୟମାନଙ୍କୁ ଶିଖାଇବାରେ କିପରି ନିପୁଣ ହୋଇପାରିବା, ଯେପରି ପାଉଲ ଓ ବର୍ଣ୍ଣବ୍ବାଙ୍କଠାରୁ ଶିଖିପାରିବା (ପାରାଗ୍ରାଫ ୧)
୨. କିଛି ଭାଇଭଉଣୀଙ୍କୁ ଏପରି କାହିଁକି ଲାଗେ ଯେ ସେମାନେ ଅନ୍ୟମାନଙ୍କୁ ଭଲଭାବେ ଶିଖାଇ ପାରିବେ ନାହିଁ ?
୨ କିଛି ଭାଇଭଉଣୀ ବେଶୀ ପଢ଼ି ନାହାନ୍ତି କିମ୍ବା ସେମାନେ ଅନ୍ୟମାନଙ୍କୁ ନିଜ କଥା ଭଲଭାବେ ବୁଝାଇପାରନ୍ତି ନାହିଁ, ତେଣୁ ସେମାନଙ୍କୁ ଲାଗେ ଯେ ଶିଖାଇବା କାମ ସେମାନଙ୍କ ଦ୍ୱାରା ହୋଇପାରିବ ନାହିଁ । ବାଇବଲରେ କିଛି ଲୋକଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କୁ ଏପରି ହିଁ ଲାଗୁଥିଲା । (ଯାତ୍ରା. ୪:୧୦; ଯିରି. ୧:୬) ତାʼସହିତ ଆଉ କିଛି ଭାଇଭଉଣୀଙ୍କ ପାଖରେ କୌଣସି ବାଇବଲ ଅଧ୍ୟୟନ ନାହିଁ କିମ୍ବା ସେମାନଙ୍କୁ ପ୍ରଚାରରେ ଅନ୍ୟମାନଙ୍କ ଭଳି ଭଲ ଅନୁଭୂତି ମିଳେ ନାହିଁ । ତେଣୁ ସେମାନଙ୍କୁ ଲାଗେ ଯେ ସେମାନେ ଭଲଭାବେ ଶିଖାଇ ପାରନ୍ତି ନାହିଁ । ଆମେ ଜାଣୁ ଯେ ପ୍ରଚାରରେ ଆମେ ଯେଉଁମାନଙ୍କୁ ଭେଟୁ, ସେମଧ୍ୟରୁ ପ୍ରତ୍ୟେକ ଲୋକ ପଦକ୍ଷେପ ନେବେ ନାହିଁ । ଆଉ ଏପରି ବି ନୁହେଁ ଯେ ଆମେ ଭଲଭାବେ ଶିଖାଇଲେ ହିଁ ଲୋକମାନେ ସତ୍ୟକୁ ଆପଣାଇବେ । ଯେପରି ଆମେ ଦେଖିଲୁ, ଅବଶ୍ୟ ଯିହୋବା ଓ ସ୍ୱର୍ଗଦୂତ ଆମକୁ ନମ୍ରଶୀଳ ଲୋକମାନଙ୍କୁ ଖୋଜିବା ପାଇଁ ସାହାଯ୍ୟ କରନ୍ତି, ତଥାପି ଆମକୁ ରାଜ୍ୟର ସନ୍ଦେଶକୁ ଭଲଭାବେ ଶୁଣାଇବା ପାଇଁ ପରିଶ୍ରମ କରିବା ଉଚିତ୍ । ଏହି ଲେଖାରେ ଆମେ ତିନୋଟି ଉପାୟ ଦେଖିବା, ଯାହା ସାହାଯ୍ୟରୁ ଆମେ ଶିଖାଇବାରେ ନିପୁଣ ହୋଇପାରିବା ।
ଲୋକମାନଙ୍କର ଚିନ୍ତା କରନ୍ତୁ
୩. ଲୋକମାନେ କାହିଁକି ଯୀଶୁଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ ?
୩ ବାଇବଲ କହେ ଯେ ଯୀଶୁ “ମନୁଷ୍ୟ ଅନ୍ତରରେ କଅଣ ଅଛି,” ତାହା ଜାଣୁଥିଲେ । (ଯୋହ. ୨:୨୫) ଏହାର ଅର୍ଥ ଯୀଶୁ ବୁଝି ପାରୁଥିଲେ ଯେ ଲୋକମାନେ କʼଣ ଭାବୁଥିଲେ ଏବଂ କାହିଁକି ସେପରି ଭାବୁଥିଲେ । ତାʼସହିତ ଯୀଶୁ ଲୋକମାନଙ୍କର ଆବଶ୍ୟକତାଗୁଡ଼ିକୁ ବି ବୁଝି ପାରୁଥିଲେ । ସେସମୟର ଧର୍ମଗୁରୁମାନେ ଲୋକମାନଙ୍କର ବଞ୍ଚିବା କଷ୍ଟକର କରିଦେଇଥିଲେ । ସେମାନେ ନିଜ ରୀତିନୀତିକୁ ମାନିବା ପାଇଁ ବହୁତ ଜୋର୍ ଦେଉଥିଲେ ଏବଂ ଅନେକ ନିୟମ ତିଆରି କରିଥିଲେ । ତେଣୁ ଯୀଶୁ ଦେଖିପାରୁଥିଲେ ଯେ ଲୋକମାନଙ୍କୁ ମାର୍ଗଦର୍ଶନର ଓ ସାନ୍ତ୍ୱନାର କେତେ ଆବଶ୍ୟକ ରହିଛି ! (ମାଥି. ୯:୩୬; ୨୩:୪) ସେଥିପାଇଁ ସେ ଲୋକମାନଙ୍କର ସାହାଯ୍ୟ ପାଇଁ ପାର୍ବତ୍ୟ ଉପଦେଶରେ ଏପରି କଥାଗୁଡ଼ିକ ଶିଖାଇଲେ, ଯେଉଁଥିରୁ ସେମାନଙ୍କୁ ଲାଭ ହୁଅନ୍ତା । ଯୀଶୁ ସେହି କଥାଗୁଡ଼ିକୁ ଶିଖାଇଲେ ଯାହା ବିଷୟରେ ଲୋକମାନେ ଭାବୁଥିଲେ । ଏହି କାରଣ ଯୋଗୁଁ ତାଙ୍କ କଥାଗୁଡ଼ିକ ଲୋକମାନଙ୍କ ହୃଦୟକୁ ଛୁଇଁ ଯାଉଥିଲା ଏବଂ ଲୋକମାନେ ତାଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ ।
୪. ଆମେ କିପରି ଦେଖାଇପାରିବା ଯେ ଆମେ ଲୋକମାନଙ୍କ ପାଇଁ ଚିନ୍ତା କରୁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୪ ଯୀଶୁଙ୍କ ଭଳି ଆମେ ବି କିପରି ଦେଖାଇପାରିବା ଯେ ଆମେ ଲୋକମାନଙ୍କର ଚିନ୍ତା କରୁ ? ଏହାର ଗୋଟିଏ ଉପାୟ ହେଉଛି, ସେମାନଙ୍କୁ ସହାନୁଭୂତି ଦେଖାଇବା । ଶୟତାନର ଏହି ଦୁନିଆରେ ବଞ୍ଚିବା ଭାରି କଷ୍ଟକର ଅଟେ । ଲୋକମାନଙ୍କୁ ନିଜ ଜୀବନରେ ଗୋଟିଏ ପରେ ଗୋଟିଏ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । ତେଣୁ ଆମେ ଭାବିପାରିବା ଯେ ଆମେ ପ୍ରଚାରରେ ଯେଉଁ ଲୋକମାନଙ୍କୁ ଭେଟୁ ସେମାନେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଥିବେ । ଯେପରି, କʼଣ ଆପଣଙ୍କ ଅଞ୍ଚଳରେ କିଛି ଏପରି ଘଟଣା ଘଟିଛି, ଯାହା ବିଷୟରେ ଭାବି ଲୋକମାନେ ଚିନ୍ତିତ ଅଛନ୍ତି ? ଯଦି ସେମାନେ ବାପାମାଆ ଅଟନ୍ତି, ତାହେଲେ କʼଣ ସେମାନଙ୍କୁ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ଲାଗିରହେ ? କିମ୍ବା କʼଣ ଆପଣଙ୍କ ଅଞ୍ଚଳରେ ବହୁତ ଚେଷ୍ଟା କଲେ ମଧ୍ୟ ଲୋକମାନଙ୍କୁ କାମ ମିଳେ ନାହିଁ ? କେବଳ ଏତିକି ନୁହେଁ, ସେମାନଙ୍କ ପାଖରେ ଭବିଷ୍ୟତ ପାଇଁ କୌଣସି ଆଶା ମଧ୍ୟ ନାହିଁ । ହେଲେ ଭାବନ୍ତୁ, ସେମାନଙ୍କୁ ପ୍ରତିଦିନ ଏହି ‘ଭୀଷଣ ସମୟର’ ସାମନା କରିବା କେତେ କଠିନ ଲାଗୁଥିବ । (୨ ତୀମ. ୩:୧; ଯିଶା. ୬୫:୧୩, ୧୪) ଯଦି ଆମେ ଏହି କଥାକୁ ମନେ ରଖିବା, ତାହେଲେ ଆମେ ସେମାନଙ୍କୁ ସହାନୁଭୂତି ଦେଖାଇପାରିବା ।
ଆପଣ ଯେଉଁମାନଙ୍କୁ ଶିଖାନ୍ତି, ସେମାନଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆଉ ଭାବନ୍ତୁ ଯେ ଆପଣ ତାଙ୍କର ଚିନ୍ତା କରନ୍ତି, ଏହା ଦେଖାଇବା ପାଇଁ କʼଣ କରିବେ (ପାରାଗ୍ରାଫ ୪)
୫. ଯୀଶୁ କିପରି ସେସମୟର ଧର୍ମଗୁରୁମାନଙ୍କଠାରୁ ଅଲଗା ଥିଲେ ? (ମାଥିଉ ୧୧:୨୮-୩୦)
୫ ଯୀଶୁ ଲୋକମାନଙ୍କର ହୃଦୟରୁ ଚିନ୍ତା କରୁଥିଲେ ଏବଂ ଲୋକମାନେ ଏହି କଥା ଜାଣି ପାରୁଥିଲେ, କାରଣ ସେ ସେମାନଙ୍କ ସହିତ ଭଲ ବ୍ୟବହାର କରୁଥିଲେ । ଯୀଶୁ ସେହି ସମୟର ଧର୍ମଗୁରୁମାନଙ୍କଠାରୁ ପୂରାପୂରି ଅଲଗା ଥିଲେ । ଫାରୂଶୀମାନେ ସାଧାରଣ ଲୋକଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ ଏବଂ ସେମାନଙ୍କର ଜମା ବି ଆଦର କରୁ ନ ଥିଲେ । (ମାଥି. ୨୩:୧୩; ଯୋହ. ୭:୪୯) କିନ୍ତୁ ଯୀଶୁ ଏପରି ନ ଥିଲେ । ସେ ସମସ୍ତ ଲୋକମାନଙ୍କର ଆଦର କରୁଥିଲେ ଓ ଦୟା ଦେଖାଉଥିଲେ । ସେ “ମୃଦୁଶୀଳ ଓ ନମ୍ରଚିତ୍ତ” ଥିଲେ । (ମାଥିଉ ୧୧:୨୮-୩୦ ପଢ଼ନ୍ତୁ ।) ଏହି କାରଣରୁ ସେ ଜଣେ ଭଲ ଶିକ୍ଷକ ହୋଇପାରିଲେ । ଯୀଶୁଙ୍କ ଭଳି ଆମକୁ ବି ସେହି ଲୋକମାନଙ୍କୁ ଆଦର କରିବା ଓ ଦୟା ଦେଖାଇବା ଉଚିତ୍, ଯେଉଁମାନଙ୍କୁ ଆମେ ଶିଖାଉ ।
୬. ଯେବେ ପ୍ରଚାରରେ ଲୋକମାନେ ଆମର କଥା ଶୁଣନ୍ତି ନାହିଁ, ତେବେ ଆମେ କିପରି ବ୍ୟବହାର ଦେଖାଇବା ?
୬ କିଛି ଲୋକ ଆମ ସନ୍ଦେଶକୁ ଶୁଣିବା ପାଇଁ ପସନ୍ଦ କରନ୍ତି ନାହିଁ ଏବଂ କିଛିମାନେ ରାଗିଯାʼନ୍ତି । ଏପରି ସମୟରେ ଆମକୁ କʼଣ କରିବା ଉଚିତ୍ ? ଯୀଶୁ ଶିଖାଇଥିଲେ ଯେ ଆମକୁ ଏପରି ଲୋକମାନଙ୍କ ସହିତ ଖରାପ ବ୍ୟବହାର କରିବା ଉଚିତ୍ ନୁହେଁ । ସେ ଏହା ବି ଶିଖାଇଲେ, “ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପମାନ କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର ।” (ଲୂକ ୬:୨୭, ୨୮) ଆମକୁ ସବୁବେଳେ ଲୋକମାନଙ୍କ ସହିତ ପ୍ରେମ ଓ ଆଦରର ସହ ବ୍ୟବହାର କରିବା ଉଚିତ୍ । କିନ୍ତୁ ଅନେକ ଥର ହୁଏତ ଏପରି କରିବା କଠିନ ଲାଗିପାରେ । ସେସମୟରେ ଆପଣ ଏହା ଭାବିବା ପରିବର୍ତ୍ତେ ଯେ ସେମାନେ ଆମର ବିରୋଧ କରୁଛନ୍ତି, ଏହା ଭାବିବା ପାଇଁ ଚେଷ୍ଟା କରନ୍ତୁ ଯେ ସେମାନେ କାହିଁକି ଆମ କଥା ଶୁଣୁ ନାହାନ୍ତି, କାରଣ ଆମ ପ୍ରଚାର ଅଞ୍ଚଳର ପ୍ରତ୍ୟେକ ଲୋକ ଆମ ବିରୋଧ କରନ୍ତି ନାହିଁ । ହୁଏତ ଆମ କଥା ନ ଶୁଣିବାର ଅଲଗା ଅଲଗା କାରଣ ଥାଇପାରେ । ଯେପରି, ହୁଏତ କାହାରି ପରିବାରରେ କିଛି ସମସ୍ୟା ଥିବ କିମ୍ବା ସେମାନେ ଅନ୍ୟ କୌଣସି କଥାକୁ ନେଇ ଚିନ୍ତିତ ଥିବେ ଏବଂ ଏପରି ସମୟରେ ଆମେ ତାଙ୍କ ଘରକୁ ଯାଇଥିବା । କାରଣ ଯାହା ବି ଥାଉ ନା କାହିଁକି, ଆମକୁ ସବୁବେଳେ ଏହା ଚେଷ୍ଟା କରିବା ଉଚିତ୍ ଯେ ଆମର ‘ବାକ୍ୟ ସର୍ବଦା ମନୋହର ପୁଣି ଲବଣରେ ସ୍ୱାଦଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣିପାରିବା ।’ (କଲ. ୪:୬) ଯେବେ ଆମେ ଲୋକମାନଙ୍କୁ ଦୟା ଦେଖାଇବା ଏବଂ ସେମାନଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କରିବା, ତେବେ ଆମେ ସେମାନଙ୍କ କଥାକୁ ଖରାପ ଭାବିବା ନାହିଁ ଏବଂ ଶିଖାଇବାରେ ନିପୁଣ ହୋଇପାରିବା ।
ବାଇବଲରୁ ଶିଖାନ୍ତୁ
୭. ଈଶ୍ୱରଙ୍କ ବାକ୍ୟରୁ ଶିଖାଇବା ମାମଲାରେ ଯୀଶୁ କିପରି ଉତ୍ତମ ଉଦାହରଣ ରଖିଲେ ? (ଯୋହନ ୭:୧୪-୧୬)
୭ ଯୀଶୁଙ୍କ ସମୟରେ ଶାସ୍ତ୍ରୀମାନେ ଲୋକମାନଙ୍କୁ ଶିଖାଇବା ବେଳେ ପ୍ରସିଦ୍ଧ ଧର୍ମଗୁରୁମାନଙ୍କ କହିଥିବା କଥାଗୁଡ଼ିକୁ ଦୋହରାଉ ଥିଲେ । କିନ୍ତୁ ଯୀଶୁ ଏପରି କରୁ ନ ଥିଲେ । ବାଇବଲରେ ଲେଖାଅଛି ଯେ ଯୀଶୁ “ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ ।” ଏହା ଦେଖି ଲୋକମାନେ “ଆଶ୍ଚର୍ଯାନ୍ୱିତ” ହୋଇଯାଉଥିଲେ । (ମାର୍କ ୧:୨୨) ଯୀଶୁ କେବେ ବି ଶାସ୍ତ୍ରୀମାନଙ୍କ ଭଳି ଲୋକମାନଙ୍କୁ ନିଜ ମନ କଥା ଶିଖାଉ ନ ଥିଲେ । ସେ ସ୍ୱର୍ଗରେ ଯିହୋବାଙ୍କ ସାଙ୍ଗରେ ସହସ୍ର ବର୍ଷ ଥିଲେ । ଯଦି ସେ ଚାହିଥାʼନ୍ତେ, ତାହେଲେ ସେ ଲୋକମାନଙ୍କୁ ଦେଖାଇ ପାରିଥାʼନ୍ତେ ଯେ ତାଙ୍କର ଅପାର ବୁଦ୍ଧି ଅଛି ଏବଂ ତାଙ୍କୁ ଅନେକ କଥା ଜଣାଅଛି । କିନ୍ତୁ ସେ ଏପରି କଲେନି । ସେ ଯାହା ବି ଶିଖାଉଥିଲେ, ତାହା ଈଶ୍ୱରଙ୍କ ବାକ୍ୟରୁ ଶିଖାଉଥିଲେ । ସେ ପ୍ରାୟ ଶାସ୍ତ୍ରର କଥା ସବୁ କହୁଥିଲେ ଏବଂ ଲୋକମାନଙ୍କୁ ସରଳ ଶବ୍ଦରେ ବୁଝାଉଥିଲେ ଯେ ଈଶ୍ୱର ସେମାନଙ୍କଠାରୁ କʼଣ ଚାହାନ୍ତି । ତାʼସହିତ ସେ ଏହା ବି ବୁଝାଉଥିଲେ ଯେ ଯଦି ସେମାନେ ଶାସ୍ତ୍ରର କଥାଗୁଡ଼ିକୁ ମାନିବେ, ତାହେଲେ ସେମାନେ ଭଲ ଜୀବନ ବଞ୍ଚିପାରିବେ । (ଯୋହନ ୭:୧୪-୧୬ ପଢ଼ନ୍ତୁ ।) ଏପରି ଭାବେ ଶିଖାଇବା ଯୋଗୁଁ ଲୋକମାନେ ତାଙ୍କ କଥାକୁ ଭଲଭାବରେ ବୁଝିପାରୁଥିଲେ ଏବଂ ଲମ୍ବା ସମୟ ଯାଏ ମନେ ରଖିପାରୁଥିଲେ । ଶିଖାଇବା ମାମଲାରେ ଯୀଶୁ ନିଜ ଶିଷ୍ୟମାନଙ୍କ ପାଇଁ ଅତି ଉତ୍ତମ ଉଦାହରଣ ରଖିଲେ !
୮. ପିତର ମଧ୍ୟ କିପରି ଯୀଶୁଙ୍କ ଭଳି ଶିଖାଇଲେ ?
୮ ଯୀଶୁଙ୍କ ଭଳି ତାଙ୍କ ଶିଷ୍ୟମାନେ ବି ସଦାବେଳେ ଈଶ୍ୱରଙ୍କ ବାକ୍ୟରୁ ଶିଖାଉଥିଲେ । ଉଦାହରଣ ପାଇଁ, ପ୍ରେରିତ ପିତରଙ୍କ ବିଷୟରେ ଭାବନ୍ତୁ । ସେ ଏତେ ପାଠ ପଢ଼ି ନ ଥିଲେ, ଆଉ ନା ସେ ଧର୍ମଗୁରୁମାନଙ୍କ ସ୍କୁଲକୁ ଯାଇଥିଲେ, ତଥାପି ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନ ସେ ଗୋଟିଏ ବଢ଼ିଆ ଭାଷଣ ଦେଲେ । ସେହି ଭାଷଣରେ ସେ ଅନେକ କଥା ଶାସ୍ତ୍ରରୁ କହିଲେ ଏବଂ ସ୍ପଷ୍ଟ ଭାବେ ବୁଝାଇଲେ ଯେ ମସୀହଙ୍କ ବିଷୟରେ ଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ଯୀଶୁଙ୍କ ଉପରେ ପୂରା ହେଲା । (ପ୍ରେରି. ୨:୧୪, ୩୭) ଏହାର କେତେ ବଢ଼ିଆ ପରିଣାମ ଦେଖିବାକୁ ମିଳିଲା ! “ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହିଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ ।”—ପ୍ରେରି. ୨:୪୧.
୯. ଆମକୁ କାହିଁକି ଈଶ୍ୱରଙ୍କ ବାକ୍ୟରୁ ଶିଖାଇବା ଉଚିତ୍ ?
୯ କେବଳ ଈଶ୍ୱରଙ୍କ ବାକ୍ୟ ବାଇବଲରେ ହିଁ ଏତେ ଶକ୍ତି ରହିଛି ଯେ ଏହା ଲୋକମାନଙ୍କ ଜୀବନ ପରିବର୍ତ୍ତନ କରିପାରେ । (ଏବ୍ରୀ ୪:୧୨) ସେଥିପାଇଁ ଲୋକମାନଙ୍କୁ ଶିଖାଇବା ସମୟରେ ଆମେ ବାଇବଲ ଉପରେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍ । ଆମେ ନିଜ ମନକଥା କହିବା ପାଇଁ ଚାହିଁ ନ ଥାଉ, ବରଂ ଆମେ ‘ବାକ୍ୟର ପ୍ରଚାର କରିବା’ ପାଇଁ ଚାହୁଁ । (୨ ତୀମ. ୪:୨) ହିତୋପଦେଶ ୨:୬ ପଦରେ ଲେଖାଅଛି, ‘ଯେହେତୁ ଯିହୋବା ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ ।’ ଲୋକମାନଙ୍କୁ ଶିଖାଇବା ସମୟରେ ଆମେ ବାଇବଲର ପଦଗୁଡ଼ିକୁ ବ୍ୟବହାର କରୁ, କାରଣ ସେହି ପଦଗୁଡ଼ିକ ଜରିଆରେ ଯିହୋବା ନିଜେ ସେମାନଙ୍କ ସହ କଥା ହୁଅନ୍ତି । (ମଲାଖି ୨:୭) ବାଇବଲରେ ଲେଖାଥିବା କଥା ଆମ ସୃଷ୍ଟିକର୍ତ୍ତା ଯିହୋବାଙ୍କ ତରଫରୁ ଅଟେ । ତେଣୁ ଆମେ ଚାହୁଁ ଯେ ଲୋକମାନେ ଜାଣନ୍ତୁ ଯେ ବାଇବଲରେ ଦିଆଯାଇଥିବା ପରାମର୍ଶ ମଣିଷମାନଙ୍କ ପରାମର୍ଶଠାରୁ ଶ୍ରେଷ୍ଠ । ବାଇବଲରୁ ସେମାନେ ଏହା ବି ଜାଣିପାରିବେ ଯେ ସେମାନେ କିପରି ଈଶ୍ୱରଙ୍କୁ ଖୁସି କରିପାରିବେ ଏବଂ ଗୋଟିଏ ଭଲ ଜୀବନ ବଞ୍ଚିପାରିବେ ।—୨ ତୀମ. ୩:୧୬, ୧୭.
୧୦. ଆମେ କିପରି ଈଶ୍ୱରଙ୍କ ବାକ୍ୟ ଉପରେ ନିଜ ବିଦ୍ୟାର୍ଥୀଙ୍କ ଧ୍ୟାନ କେନ୍ଦ୍ରିତ କରିପାରିବା ?
୧୦ ବାଇବଲ ଅଧ୍ୟୟନର ପ୍ରସ୍ତୁତି କରିବା ସମୟରେ ଭାବନ୍ତୁ ଯେ ଆପଣ କିପରି ବାଇବଲ ଉପରେ ନିଜ ବିଦ୍ୟାର୍ଥୀଙ୍କ ଧ୍ୟାନ କେନ୍ଦ୍ରିତ କରିପାରିବେ । ଅଧ୍ୟୟନ ସମୟରେ ମୁଖ୍ୟ କଥାକୁ ବୁଝାଇବା ପାଇଁ ଯେଉଁ ପଦ ଦିଆଯାଇଥାଏ, ତାହାକୁ ପଢ଼ନ୍ତୁ । ଏହାପରେ ସେହି ପଦକୁ ବୁଝାଇବା ପାଇଁ ତାʼ ଉପରେ ଚର୍ଚ୍ଚା କରନ୍ତୁ । କୌଣସି ଚିତ୍ର ବା ଭିଡିଓ ଉପରେ ଚର୍ଚ୍ଚା କଲାବେଳେ ବିଦ୍ୟାର୍ଥୀଙ୍କୁ ପଚାରନ୍ତୁ ଯେ ସେ ସେଥିରୁ ବାଇବଲର କେଉଁ କଥା ବା କେଉଁ ସିଦ୍ଧାନ୍ତ ଶିଖିଲେ । ଭଲଭାବରେ ଶିଖାଇବା ପାଇଁ ଆପଣଙ୍କୁ ଲମ୍ବା ଚଉଡ଼ା ଭାଷଣ ଦେବାର ଦରକାର ନାହିଁ, ଆଉ ନା ଅନେକଗୁଡ଼ିଏ ପଦ ପଢ଼ିବା ଦରକାର । ଏହା ପରିବର୍ତ୍ତେ କୌଣସି ପଦ ପଢ଼ିବା ପରେ, ବିଦ୍ୟାର୍ଥୀକୁ ବୁଝିବା ପାଇଁ ଟିକେ ସମୟ ଦିଅନ୍ତୁ । ଯଦି ଆବଶ୍ୟକ ପଡ଼େ, ତାହେଲେ ସେହି ପଦ ପୁଣିଥରେ ପଢ଼ିପାରିବେ । ଏପରି କଲେ ଆପଣ ନିଜ ବିଦ୍ୟାର୍ଥୀଙ୍କ ସହ କୌଣସି ବହି, ଚିତ୍ର ବା ଭିଡିଓର ଅଧ୍ୟୟନ କରୁ ନ ଥିବେ, ବରଂ ବାଇବଲର ଅଧ୍ୟୟନ କରୁଥିବେ ।—୧ କରି. ୨:୧୩.
୧୧-୧୨. (କ) ବିଦ୍ୟାର୍ଥୀଙ୍କୁ ଶିଖାଇବା ସମୟରେ କାହିଁକି ଧୈର୍ଯ୍ୟ ଧରିବା ଉଚିତ୍ ? (ପ୍ରେରିତ ୧୭:୧-୪) (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) କିଛି ଲୋକଙ୍କୁ ବାଇବଲ ବିଷୟରେ କʼଣ ଜଣା ନାହିଁ ଏବଂ ଆମେ ତାଙ୍କୁ ସାହାଯ୍ୟ କରିବା ପାଇଁ କʼଣ କରିପାରିବା ?
୧୧ ଯଦି ଆପଣଙ୍କ ବିଦ୍ୟାର୍ଥୀଙ୍କୁ କୌଣସି କଥା ବୁଝାପଡ଼ୁ ନାହିଁ କିମ୍ବା କୌଣସି କଥା ମାନିବା ପାଇଁ କଠିନ ଲାଗୁଛି ତାହେଲେ ମନେ ରଖନ୍ତୁ, ଆପଣ ତାଙ୍କୁ “ପୂର୍ଣ୍ଣ ସହିଷ୍ଣୁତା” ସହିତ ଶିଖାଇବା ଉଚିତ୍ । (୨ ତୀମ. ୪:୨) ସମସ୍ତଙ୍କର ବୁଝିବାର ଦକ୍ଷତା ଅଲଗା ଥାଏ । ତେଣୁ ଯେଉଁ କଥା ଆମେ ଅତି ସହଜରେ ବୁଝିଗଲୁ, ହୁଏତ ସେହି କଥା ବୁଝିବା ପାଇଁ କିଛି ବିଦ୍ୟାର୍ଥୀଙ୍କୁ ସମୟ ଲାଗିବ । ଯେବେ ପାଉଲ ଥେସଲନୀକୀୟର ଯିହୁଦୀମାନଙ୍କୁ ସାକ୍ଷ୍ୟ ଦେଲେ, ତେବେ ସେ ଅନେକ ଥର ସେମାନଙ୍କୁ ଶାସ୍ତ୍ରରୁ ତର୍କ କରି ବୁଝାଇଲେ । ଏପରି କରିବା ଦ୍ୱାରା ସେମାନେ ସେହି ସବୁ କଥା ବୁଝିପାରିଲେ ।—ପ୍ରେରିତ ୧୭:୧-୪ ପଢ଼ନ୍ତୁ ।
୧୨ ଧୈର୍ଯ୍ୟ ଧରି ଶିଖାଇବା ପାଇଁ ଆପଣ ଆଉ କʼଣ କରିପାରିବେ ? ଅଧ୍ୟୟନ ସମୟରେ ଯେବେ ଆପଣ ବିଦ୍ୟାର୍ଥୀଙ୍କୁ କୌଣସି ପ୍ରଶ୍ନ ପଚାରନ୍ତି, ତେବେ ତାଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ଦିଅନ୍ତୁ । ହୁଏତ ଆପଣଙ୍କୁ ସବୁକିଛି କହିବା ପାଇଁ ଇଚ୍ଛା ହେବ, କିନ୍ତୁ ଏପରି କରନ୍ତୁ ନାହିଁ ବରଂ ଧ୍ୟାନର ସହ ତାଙ୍କର କଥା ଶୁଣନ୍ତୁ । ଏପରି କଲେ ଆପଣ ବୁଝିପାରିବେ ଯେ ସେହି ବିଷୟରେ ସେ କʼଣ ବିଶ୍ୱାସ କରନ୍ତି । ଏହାପରେ ଏପରି ପଦ ପଢ଼ନ୍ତୁ ଏବଂ ତାʼଉପରେ ଚର୍ଚ୍ଚା କରନ୍ତୁ, ଯେଉଁଥିରୁ ଆପଣଙ୍କ ବିଦ୍ୟାର୍ଥୀ ଦେଖିପାରିବେ ଯେ ସେହି ବିଷୟରେ ଈଶ୍ୱରଙ୍କର କʼଣ ଦୃଷ୍ଟିକୋଣ ରହିଛି । ଏହା ବି ଭାବନ୍ତୁ: କିଛି ଲୋକ ପୂର୍ବରୁ କେବେ ବି ବାଇବଲ ଦେଖି ନାହାନ୍ତି, ସେମାନଙ୍କୁ ଏହା ବି ଜଣା ନାହିଁ ଯେ ସେଥିରେ କʼଣ ଦିଆଯାଇଛି । ତେଣୁ ଭଲ ହେବ ଯେ ଆପଣ ନିଜ ସହ ବାଇବଲ ନେଇକି ଯାʼନ୍ତୁ ଏବଂ ବାଇବଲ ଖୋଲି ସେମାନଙ୍କୁ ଦେଖାନ୍ତୁ । ଆପଣ ଚାହିଁଲେ ସେମାନଙ୍କୁ ନୂତନ ଜଗତ ଅନୁବାଦ ବାଇବଲର ଆରମ୍ଭରେ ଦିଆଯାଇଥିବା “ପରମେଶ୍ୱର କେ ୱଚନ୍ କୋ ଜାନିଏ” ଭାଗ ଦେଖାଇପାରିବେ । ଏଥିରୁ ବିଦ୍ୟାର୍ଥୀ ବୁଝିପାରିବେ ଯେ ବାଇବଲରେ ଅଲଗା ଅଲଗା ବିଷୟଗୁଡ଼ିକରେ ଅନେକ କଥା କୁହାଯାଇଛି । ତାʼସହିତ ଆପଣ ଚାହିଁଲେ ସେଥିରେ ଥିବା ପ୍ରଶ୍ନ ୧୫ରୁ ଗୋଟିଏ ବା ଦୁଇଟି ପଦ ଦେଖାଇପାରିବେ । ଏପରି କରିବା ଦ୍ୱାରା ସେ ଦେଖିପାରିବେ ଯେ ବାଇବଲର ପରାମର୍ଶ କେତେ ଲାଭଦାୟକ ଏବଂ ତାହାକୁ ମାନି ସେ ଖୁସିରେ ରହିପାରିବେ । ଏପରି କଲେ ଆପଣ ବାଇବଲ ଉପରେ ବିଦ୍ୟାର୍ଥୀଙ୍କ ଧ୍ୟାନ କେନ୍ଦ୍ରିତ କରିପାରିବେ ଏବଂ ଶିଖାଇବାରେ ନିପୁଣ ହୋଇପାରିବେ ।
ଜଣେ ଭଲ ଶିକ୍ଷକ କେବଳ କଥା ହୁଏନି, ବରଂ ଅନ୍ୟମାନଙ୍କର ଧ୍ୟାନର ସହ ଶୁଣେ (ପାରାଗ୍ରାଫ ୧୧-୧୨)
ଯିହୋବାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ
୧୩. ଶିଖାଇବା ସମୟରେ ଆମର କʼଣ ଲକ୍ଷ୍ୟ ହେବା ଉଚିତ୍ ? ଉଦାହରଣ ଦେଇ ବୁଝାନ୍ତୁ ।
୧୩ ଶିଖାଇବା ସମୟରେ ଆମର ଲକ୍ଷ୍ୟ ଏହା ହୋଇଥାଏ ଯେ ଆମ ବିଦ୍ୟାର୍ଥୀ ଯିହୋବାଙ୍କୁ ଭଲଭାବେ ଜାଣୁ ଏବଂ ତାଙ୍କର ନିକଟତର ହେଉ । (ଯାକୁ. ୪:୮) ଏହା ଏପରି ଅଟେ ଯେପରି ଅନ୍ଧାର ବାଟରେ ଯିବା ସମୟରେ ଆମେ କାହାରିକୁ ରାସ୍ତା ଦେଖାଇବା ପାଇଁ ଟର୍ଚ୍ଚକୁ ନିଜ ଆଡ଼କୁ ନୁହେଁ, ବରଂ ସାମନା ଆଡ଼କୁ ଦେଖାଉ । ଠିକ୍ ସେହିପରି ବାଇବଲର କୌଣସି କଥା କହିବା ସମୟରେ ଆମେ ବିଦ୍ୟାର୍ଥୀଙ୍କ ଧ୍ୟାନ ନିଜ ଆଡ଼କୁ ନୁହେଁ, ବରଂ ଯିହୋବାଙ୍କ ଆଡ଼କୁ କେନ୍ଦ୍ରିତ କରିବା ପାଇଁ ଚାହୁଁ ।
୧୪. ଆମେ କʼଣ କରିପାରିବା, ଯେଉଁଥିରୁ ଆମ ବିଦ୍ୟାର୍ଥୀଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ିବ ?
୧୪ ବାଇବଲ ଅଧ୍ୟୟନ ବେଳେ ନିଜ ବିଦ୍ୟାର୍ଥୀଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାନ୍ତୁ । ଆପଣ ଏହା କିପରି କରିପାରିବେ ? ତାଙ୍କ କେବଳ ଏହା କହନ୍ତୁ ନାହିଁ ଯେ ସାକ୍ଷୀ ହେବା ପାଇଁ ତାଙ୍କୁ କʼଣ କରିବାକୁ ପଡ଼ିବ ଓ କʼଣ ନୁହଁ, ବରଂ ତାଙ୍କୁ ଏପରି ଭାବେ ଶିଖାନ୍ତୁ ଯେ ତାଙ୍କୁ ଯିହୋବାଙ୍କୁ ଖୁସି କରିବା ପାଇଁ ଇଚ୍ଛା ହେବ ଏବଂ ସେ ଜୀବନରେ ପରିବର୍ତ୍ତନ କରିପାରିବେ । ଉଦାହରଣ ପାଇଁ, ଯଦି ଆପଣଙ୍କ ବିଦ୍ୟାର୍ଥୀ କୌଣସି ଖରାପ ଅଭ୍ୟାସ ଛାଡ଼ିପାରୁ ନାହାନ୍ତି, ତାହେଲେ ଏପରି ପ୍ରଶ୍ନ ପଚାରନ୍ତୁ: “ଯିହୋବା କାହିଁକି ଏହି କାମକୁ ଘୃଣା କରନ୍ତି ? ଆପଣଙ୍କୁ କʼଣ ଲାଗେ, ଆପଣଙ୍କୁ ଯେଉଁ ଜିନିଷ ଭଲ ଲାଗେ, ତାହାକୁ ଯିହୋବା ଛାଡ଼ିବା ପାଇଁ କାହିଁକି କହୁଛନ୍ତି ? ଏବିଷୟରେ ଯିହୋବା ଯେଉଁ ଆଜ୍ଞା ଦେଇଛନ୍ତି, ସେଥିରୁ କିପରି ଜଣାପଡ଼େ ଯେ ସେ ଆପଣଙ୍କୁ ପ୍ରେମ କରନ୍ତି ?” ଆପଣ ଯେତେ ଅଧିକ ତାଙ୍କୁ ଯିହୋବାଙ୍କ ବିଷୟରେ ଭାବିବା ପାଇଁ ପ୍ରେରିତ କରିବେ, ସେ ସେତେ ଅଧିକ ବୁଝିପାରିବେ ଯେ ଯିହୋବା ପ୍ରେମମୟ ପିତା ଅଟନ୍ତି । ଏପରି କଲେ ତାଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ିବ ଓ ସେ ତାଙ୍କୁ ଖୁସି କରିବା ପାଇଁ ଚାହିଁବେ ।—ହିତୋ. ୨୭:୧୧.
ଶିଖାଇବାରେ ନିପୁଣ ହେବା ପାଇଁ ଲଗାତାର ଚେଷ୍ଟା କରନ୍ତୁ
୧୫. ଆପଣ ଶିଖାଇବାରେ ନିପୁଣ ହେବା ପାଇଁ କʼଣ କରିପାରିବେ ?
୧୫ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ, ଯାହାଫଳରେ ଆପଣ ଶିଖାଇବାରେ ନିପୁଣ ହୋଇପାରିବେ । (୧ ଯୋହ. ୫:୧୪) ତାʼସହିତ ଆପଣ ଆଉ କିଛି ପଦକ୍ଷେପ ନେଇପାରିବେ । ଯେପରି, ସଭାଗୁଡ଼ିକରେ ଭଲଭାବେ ଶିଖାଇବା ପାଇଁ ଯେଉଁ ଟ୍ରେନିଙ୍ଗ ଦିଆଯାଏ, ତାହାର ପୂରା ଲାଭ ଉଠାନ୍ତୁ । ନିଜ ବାଇବଲ ଅଧ୍ୟୟନରେ ସେହି ଭାଇଭଉଣୀମାନଙ୍କୁ ସାଙ୍ଗରେ ନିଅନ୍ତୁ, ଯେଉଁମାନେ ଭଲଭାବେ ଶିଖାନ୍ତି ଏବଂ ତାଙ୍କୁ ପଚାରନ୍ତୁ ଯେ ଆପଣ ଆଉ କʼଣ ସୁଧାର କରିପାରିବେ । ଏହା ବି ମନେ ରଖନ୍ତୁ ଯେ ଯଦିଓ ଆପଣ ଅଧ୍ୟୟନର ବିଷୟକୁ ଭଲଭାବେ ବୁଝନ୍ତି, କିନ୍ତୁ ଆପଣଙ୍କ ବିଦ୍ୟାର୍ଥୀ ପାଇଁ ସେହି କଥାଗୁଡ଼ିକ ପୂରାପୂରି ନୂଆ ଅଟେ । ଏବିଷୟରେ ଭାବନ୍ତୁ ଯେ ବିଦ୍ୟାର୍ଥୀ ସହିତ ଆପଣ ଯେଉଁ ବିଷୟରେ ଅଧ୍ୟୟନ କରିବେ, ସେ ବିଷୟରେ ବିଦ୍ୟାର୍ଥୀ କʼଣ ମାନନ୍ତି । ଆଉ ଅଧ୍ୟୟନ କରିବା ସମୟରେ ତାଙ୍କୁ ଅନୁଭବ କରାନ୍ତୁ ଯେ ବାଇବଲର ପରାମର୍ଶକୁ ମାନିଲେ ତାଙ୍କୁ କେତେ ଲାଭ ହେବ । ଯଦି ଆପଣ ଏପରି କରିବେ, ତାହେଲେ ଧୀରେ ଧୀରେ ଆପଣଙ୍କ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ଭଲ ସାଙ୍ଗ ହୋଇପାରିବେ ଓ ତାଙ୍କୁ ପ୍ରକୃତ ଖୁସି ମିଳିବ ।—ଗୀତ. ୧:୧-୩.
୧୬. ଆମକୁ କାହିଁକି ଶିଖାଇବାରେ ନିପୁଣ ହେବା ପାଇଁ ଲଗାତାର ଚେଷ୍ଟା କରିବା ଉଚିତ୍ ?
୧୬ ଯେପରି ଆମେ ଏହି ଲେଖାରେ ଶିଖିଲୁ, ଲୋକମାନଙ୍କୁ ଶିଖାଇବାରେ ନିପୁଣ ହେବା ପାଇଁ ଆମକୁ ସେମାନଙ୍କର ଚିନ୍ତା କରିବା, ସେମାନଙ୍କୁ ବାଇବଲରୁ ଶିଖାଇବା ଏବଂ ସେମାନଙ୍କ ଧ୍ୟାନ ଯିହୋବାଙ୍କ ଉପରେ କେନ୍ଦ୍ରିତ କରିବା ଉଚିତ୍ । ଭାବନ୍ତୁ, ଆମର ଏହି ପରିଶ୍ରମ ଯୋଗୁଁ ଅନ୍ୟମାନଙ୍କୁ ଯିହୋବାଙ୍କ ସାଙ୍ଗ ହେବା ପାଇଁ ସୁଯୋଗ ମିଳିପାରିବ ! ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ଦ୍ୱାରା ବହୁତ ଖୁସି ମିଳିଥାଏ ଆଉ ଏହି ଖୁସି ଆମକୁ ନୂଆ ଦୁନିଆରେ ମଧ୍ୟ ମିଳିବ । ସେସମୟରେ ଆହୁରି ଭଲଭାବେ ଶିଖାଇବାର ଆବଶ୍ୟକ ପଡ଼ିବ । ତେଣୁ ଆସନ୍ତୁ ଆମେ ସମସ୍ତେ ଏବେଠାରୁ ଶିଖାଇବାରେ ନିପୁଣ ହେବା ପାଇଁ ଲଗାତାର ଚେଷ୍ଟା କରିବା ।
ଗୀତ ୬୫ ବଢ଼ିବା ଆଗଇ !