୮-୧୪ ଜୁନ୍, ୨୦୨୬
ଗୀତ ୮ ଯିହୋବା ଦୁର୍ଗ ଆମର
“ସତ୍ୟମୟ ପରମେଶ୍ୱର” ସବୁବେଳେ ନିଜର ପ୍ରତିଜ୍ଞା ପୂରା କରନ୍ତି
“ହେ ସଦାପ୍ରଭୋ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ ।”—ଗୀତ. ୩୧:୫.
କʼଣ ଶିଖିବା ?
ଏହି ଲେଖାରୁ ଆମର ଭରସା ବଢ଼ିବ ଯେ ଯିହୋବା ସବୁବେଳେ ନିଜର ପ୍ରତିଜ୍ଞା ପୂରା କରନ୍ତି ଏବଂ ଖୁବ୍ ଶୀଘ୍ର ସେ ନିଜ ରାଜ୍ୟ ଜରିଆରେ ଶୟତାନ ପ୍ରସାର କରିଥିବା ସବୁ ମିଛକୁ ଶେଷ କରିଦେବେ ।
୧. ଗୀତସଂହିତା ୩୧:୨-୫ ପଦ ଅନୁସାରେ ଆମେ କାହିଁକି ଯିହୋବାଙ୍କ ଉପରେ ଭରସା କରିପାରିବା ?
ଆଜି ଶୟତାନର ଏହି ଦୁନିଆରେ ଲୋକମାନେ କେବଳ ମିଛ କହନ୍ତି, ଛଳନା ବା ଠକାମି କରନ୍ତି । ବ୍ୟବସାୟରେ ବେଇମାନୀ କରନ୍ତି । ବିଜ୍ଞାପନରେ ନିଜ ଜିନିଷଗୁଡ଼ିକ ବିଷୟରେ ବଢ଼େଇ ଚଢ଼େଇ କହନ୍ତି । ତାʼସହିତ କିଛି ଲୋକଙ୍କୁ ନିଜ ଲୋକଙ୍କଠାରୁ ହିଁ ଧୋକା ମିଳିଛି । ଆଜି କାହାରି ଉପରେ ଭରସା କରିବା ପୂର୍ବରୁ ଶହେ ଥର ଭାବିବାକୁ ପଡ଼େ । କିନ୍ତୁ ଏହା ଜାଣି ଆମକୁ ବହୁତ ସାନ୍ତ୍ୱନା ମିଳେ ଯେ ଆମେ ଯିହୋବା ଈଶ୍ୱରଙ୍କ ଉପରେ ସବୁବେଳେ ଭରସା କରିପାରିବା, କାରଣ ସେ “ସତ୍ୟମୟ ପରମେଶ୍ୱର” ଅଟନ୍ତି । (ଗୀତସଂହିତା ୩୧:୨-୫ ପଢ଼ନ୍ତୁ ।) ସେ କେବଳ ସତ କହନ୍ତି, ତେଣୁ ସେ ଯାହା ବି କରନ୍ତି ବା ଯାହା ବି କହନ୍ତି ଆମେ ତାʼଉପରେ ପୂରା ଭରସା କରିପାରିବା ।
୨. ଏହି ଲେଖାରେ ଆମେ କʼଣ ଶିଖିବା ?
୨ ଏହି ଲେଖାରେ ଆମେ ଶିଖିବା ଯେ କେଉଁ କାରଣଗୁଡ଼ିକ ଯୋଗୁଁ ଆମେ ଯିହୋବାଙ୍କ ଉପରେ ପୂରା ହୃଦୟରୁ ଭରସା କରିପାରିବା । ତାʼସହିତ ଆମେ ଜାଣିବା ଯେ ସତ୍ୟମୟ ପରମେଶ୍ୱର କିପରି ଶୟତାନର ଏହି ଦୁଷ୍ଟ ଦୁନିଆକୁ ବିନାଶ କରିବେ ଏବଂ ସେ ଏବେଠାରୁ ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ କʼଣ କରୁଛନ୍ତି । ଏହି ଲେଖାରୁ ଆମକୁ ସାହସର ସହ ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ ପ୍ରୋତ୍ସାହନ ମିଳିବ ।
ଆମେ ସତ୍ୟମୟ ପରମେଶ୍ୱରଙ୍କ ଉପରେ କାହିଁକି ଭରସା କରିପାରିବା ?
୩. ଆମେ କାହିଁକି ଯିହୋବାଙ୍କ ଉପରେ ପୂରା ଭରସା କରିପାରିବା ?
୩ ଆମେ ଯିହୋବାଙ୍କ ଉପରେ ଭରସା କରିପାରିବା, କାରଣ ସେ ସୃଷ୍ଟିକର୍ତ୍ତା ଅଟନ୍ତି । ସେ ଜୀବନଦାତା ମଧ୍ୟ ଅଟନ୍ତି । ସେ ଆକାଶ, ପୃଥିବୀ ଓ ସେଥିରେ ଥିବା ସବୁ ଜିନିଷକୁ ସୃଷ୍ଟି କରିଛନ୍ତି । (ଆଦି. ୧:୧; ଗୀତ. ୩୬:୯; ପ୍ରକା. ୪:୧୧) ସେ ସବୁକିଛି ତିଆରି କରି ଏପରି ହିଁ ଛାଡ଼ିଦେଇ ନାହାନ୍ତି, ବରଂ ଜୀବନ ବଞ୍ଚିବା ପାଇଁ ଯାହା ବି ଆବଶ୍ୟକ ରହିଛି, ସବୁକିଛି ସେ ଆମକୁ ଦେଇଛନ୍ତି । ଏହି ବିଶ୍ୱରେ ଥିବା ପ୍ରତ୍ୟେକ ଜିନିଷ ଉପରେ ଯିହୋବାଙ୍କର ନିୟନ୍ତ୍ରଣ ରହିଛି ଏବଂ ଆଗକୁ ମଧ୍ୟ ରହିବ । ଯିହୋବା ଆମକୁ ତିଆରି କରିଛନ୍ତି, ସେ ସବୁକିଛି ଜାଣନ୍ତି ଓ ତାଙ୍କ ପାଖରେ ଅସୀମ ଶକ୍ତି ରହିଛି, ତେଣୁ ଆମେ ଭରସା କରିପାରିବା ଯେ ସେ ଆମକୁ ଭଲ ଜୀବନ ବଞ୍ଚିବା ଶିଖାଇବେ ଏବଂ ଭଲ ଭବିଷ୍ୟତ ବି ଦେବେ ।
୪. ଯିହୋବା ଆମକୁ ପ୍ରେମ କରନ୍ତି ବୋଲି ଆମେ କିପରି ଜାଣୁ ?
୪ ଆମେ ଯିହୋବାଙ୍କ ଉପରେ ଭରସା କରିପାରିବା, କାରଣ ସେ ଆମକୁ ପ୍ରେମ କରନ୍ତି । ଯିହୋବା ଆମ ମଣିଷମାନଙ୍କୁ ସୃଷ୍ଟି କରିଛନ୍ତି, କାରଣ ସେ ଚାହାନ୍ତି ଯେ ଆମେ ଜୀବନର ମଜା ନେଉ । ମଣିଷମାନଙ୍କୁ ସୃଷ୍ଟି କରିବା ପୂର୍ବରୁ ସେ ନିଜର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଯିହୋବା କହିଥିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ ।” (ଆଦି. ୧:୨୬) ଯିହୋବା ମଣିଷମାନଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା ଦେଇଛନ୍ତି । ସେ ନିଜର ପିଲାମାନଙ୍କୁ ଗୋଟିଏ ସୁନ୍ଦର ଘର ଅର୍ଥାତ୍ ଏହି ପୃଥିବୀ ଦେଇଛନ୍ତି । (ଗୀତ. ୧୧୫:୧୬) ତାʼସହିତ ଯିହୋବା ଏହା ବି ଧ୍ୟାନ ରଖିଛନ୍ତି ଯେ ଆମକୁ କୌଣସି ବି ଜିନିଷର ଅଭାବ ନ ହେଉ, ତେଣୁ ସେ ଆମକୁ ସୁସ୍ୱାଦୁ ଖାଦ୍ୟ, ବିଭିନ୍ନ ଗଛଲତା ଓ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଦେଇଛନ୍ତି । ସେ ପ୍ରଥମ ପୁରୁଷ ଓ ସ୍ତ୍ରୀକୁ ଆଶିଷ ବି ଦେଲେ ଏବଂ ତାଙ୍କୁ କହିଲେ ଯେ ସେମାନେ ସାରା ପୃଥିବୀକୁ ଏକ ପାରଦୀଶରେ ପରିଣତ କରନ୍ତୁ ଓ ସବୁବେଳେ ଖୁସି ରହନ୍ତୁ । (ଆଦି. ୧:୨୮; ୨:୧୫) ଏଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି । ସେଥିପାଇଁ ବାଇବଲ ତାଙ୍କ ବିଷୟରେ କହେ, ‘ସଦାପ୍ରଭୁଙ୍କ ଦୟା [“ଅଟଳ ପ୍ରେମ,” NWT] ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଥାଏ ।’—ଗୀତ. ୧୦୩:୧୭.
୫. (କ) ଯେବେ ଆଦମ ଓ ହବା ଯିହୋବାଙ୍କ ଆଜ୍ଞା ଭାଙ୍ଗିଲେ, ତେବେ ସେ କʼଣ କଲେ ? (ଖ) ଯିହୋବାଙ୍କ କିଛି ପ୍ରତିଜ୍ଞା ବିଷୟରେ କହନ୍ତୁ, ଯାହା ସେ ପୂରା କରିଛନ୍ତି । (“ସର୍ବଦା ସତ କହିବାର ରେକର୍ଡ” ନାମକ ବକ୍ସ ଦେଖନ୍ତୁ ।)
୫ ଆମେ ଯିହୋବାଙ୍କ ଉପରେ ଭରସା କରିପାରିବା, କାରଣ ସେ ସବୁବେଳେ ନିଜର ପ୍ରତିଜ୍ଞା ପୂରା କରନ୍ତି । ସେ ‘ପୃଥିବୀକୁ ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ ।’ (ଯିଶା. ୪୫:୧୮, ୧୯) ଯେବେ ଆଦମ ଓ ହବା, ଯିହୋବାଙ୍କ ଆଜ୍ଞା ଭାଙ୍ଗିଲେ ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । କିନ୍ତୁ ଏହାଯୋଗୁଁ ଯିହୋବାଙ୍କ ଉଦ୍ଦେଶ୍ୟ ବିଫଳ ହେଲା ନାହିଁ । କାରଣ ସେ ଯାହା ବି ପ୍ରତିଜ୍ଞା କରନ୍ତି, ତାହାକୁ ନିଶ୍ଚୟ ପୂରା କରନ୍ତି । (ଯିଶା. ୪୬:୧୦, ୧୧) ଆରମ୍ଭରୁ ହିଁ ଯିହୋବା ଚାହିଁଥିଲେ ଯେ ଧାର୍ମିକ ଲୋକମାନେ ସବୁଦିନ ପାଇଁ ପୃଥିବୀରେ ବଞ୍ଚନ୍ତୁ, ତେଣୁ ସେ ଆଦମ ଓ ହବାକୁ ପିଲା ଜନ୍ମ କରିବା ପାଇଁ ଦେଲେ । ଆଉ ସେ ନିଜ ଅଦ୍ୱିତୀୟ ପୁତ୍ରକୁ ମଧ୍ୟ ପୃଥିବୀକୁ ପଠାଇଲେ, ଯାହାଫଳରେ ସେ ମୁକ୍ତିର ମୂଲ୍ୟ ଦେଇ ଆଦମ ଓ ହବାର ପିଲାମାନଙ୍କ ଜୀବନ ରକ୍ଷା କରନ୍ତୁ । ଏପରି ଭାବେ ସେମାନଙ୍କୁ ସବୁଦିନ ପାଇଁ ପୃଥିବୀରେ ବଞ୍ଚିବାର ନିଆରା ଆଶା ମିଳିଲା ।—ଯୋହ. ୩:୧୬.
ସତ୍ୟମୟ ପରମେଶ୍ୱର ନିଜର ପ୍ରତିଜ୍ଞା ପୂରା କରିବା ପାଇଁ ପଦକ୍ଷେପ ନିଅନ୍ତି
୬. ଆଦମ ଓ ହବା, ଯିହୋବାଙ୍କ ବିପକ୍ଷରେ ଚାଲିଗଲା ପରେ ସେ କʼଣ କଲେ ?
୬ ଆଦମ ଓ ହବା କାହା କଥାରେ ଆସି ପରମେଶ୍ୱରଙ୍କ ବିପକ୍ଷରେ ଚାଲିଗଲେ ? ବାଇବଲ ସେହି ବ୍ୟକ୍ତିର ପରିଚୟ ଏହିପରି ଭାବେ ଦିଏ: “ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ ।”a (ପ୍ରକା. ୧୨:୯; ଆଦି. ୩:୪, ୫; ଯୋହ. ୮:୪୪) ଯିହୋବା ଶୟତାନକୁ ଏହି ଦଣ୍ଡ ଶୁଣାଇଛନ୍ତି ଯେ ଆଗକୁ ଯାଇ ତାʼର ବିନାଶ ହୋଇଯିବ । (ଆଦି. ୩:୧୫) ଏହା ପୂର୍ବରୁ ଅନେକ ଲୋକ ଶୟତାନର ପକ୍ଷରେ ହୋଇଯିବେ ଏବଂ ତାʼ ଭଳି ଖରାପ ଖରାପ କାମ କରିବେ । କିନ୍ତୁ କିଛି ଲୋକ ଯିହୋବାଙ୍କର ବିଶ୍ୱସ୍ତ ରହିବେ ।
୭. ଶୟତାନକୁ କେଉଁମାନେ ସହଯୋଗ କରନ୍ତି ଏବଂ ସେମାନଙ୍କର ଆଗକୁ ଯାଇ କʼଣ ହେବ ?
୭ କିଛି ସ୍ୱର୍ଗଦୂତ ଶୟତାନର ସପକ୍ଷରେ ହୋଇଗଲେ ଏବଂ ଯିହୋବାଙ୍କ ସହିତ ବିଶ୍ୱାସଘାତ କଲେ । କିଛି ମଣିଷ ମଧ୍ୟ ଶୟତାନକୁ ସହଯୋଗ କରିବାକୁ ଲାଗିଲେ । ଏମାନେ ସମସ୍ତେ ଶୟତାନର ବଂଶ ଅଟନ୍ତି, କାରଣ ସେମାନେ ଯିହୋବାଙ୍କ ଉଦ୍ଦେଶ୍ୟ ବିରୁଦ୍ଧରେ କାମ କରନ୍ତି । ଏମାନଙ୍କର ଆଗକୁ ଯାଇ କʼଣ ହେବ ? ଯିହୋବା ପ୍ରଥମରୁ ହିଁ ଗୋଟିଏ ସମୟ ନିର୍ଦ୍ଧାରିତ କରିଛନ୍ତି, ଯେବେ ସେ ଶୟତାନ ଓ ତାକୁ ସହଯୋଗ କରୁଥିବା ସମସ୍ତଙ୍କୁ ସବୁଦିନ ପାଇଁ ବିନାଶ କରିଦେବେ ।—ଦାନି. ୨:୪୪; ରୋମୀ. ୧୬:୨୦.
୮. ୧୯୧୪ ମସିହାରେ ଯୀଶୁ କʼଣ କଲେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୮ ଆମେ କାହିଁକି ଭରସା କରିପାରିବା ଯେ ଯିହୋବା ନିଜ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ ଏବଂ ଶୟତାନ ଓ ତାକୁ ସହଯୋଗ କରୁଥିବା ସମସ୍ତଙ୍କର ବିନାଶ କରିଦେବେ ? ଧ୍ୟାନ ଦିଅନ୍ତୁ ଯେ ୧୯୧୪ ମସିହାରେ କʼଣ ହେଲା ? ସେହି ବର୍ଷ ଯିହୋବା ନିଜ ପୁତ୍ର ଯୀଶୁଙ୍କୁ ନିଜ ରାଜ୍ୟର ରାଜା ଭାବେ ନିଯୁକ୍ତ କଲେ । ଆଉ ଏହାର ତୁରନ୍ତ ପରେ ଯୀଶୁ, ଶୟତାନ ବିରୁଦ୍ଧରେ ପଦକ୍ଷେପ ନେବା ଆରମ୍ଭ କରିଦେଲେ । ସ୍ୱର୍ଗରେ ଗୋଟିଏ ଯୁଦ୍ଧ ହେଲା ଏବଂ ସେହି ଯୁଦ୍ଧରେ ଯୀଶୁ, ଶୟତାନ ଓ ତାʼର ଦୁଷ୍ଟ ଦୂତମାନଙ୍କୁ ପୃଥିବୀକୁ ଫୋପାଡ଼ି ଦେଲେ । (ପ୍ରକା. ୧୨:୭-୯) ଏହି ଯୁଦ୍ଧ ସ୍ୱର୍ଗରେ ହୋଇଥିଲା, କିନ୍ତୁ ଏହାର ପ୍ରଭାବ ପୃଥିବୀରେ ମଧ୍ୟ ଦେଖିବାକୁ ମିଳିଲା । ଏବିଷୟରେ ବାଇବଲରେ କୁହାଯାଇଛି, “ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି ।” (ପ୍ରକା. ୧୨:୧୨) ୧୯୧୪ ମସିହା ପରଠାରୁ ଶୟତାନର ପୂରା ଧ୍ୟାନ ପୃଥିବୀ ଉପରେ ଅଛି ଏବଂ ସବୁବେଳେ ତାʼର ଏହା ଚେଷ୍ଟା ରହେ ଯେ ଅଧିକରୁ ଅଧିକ ଲୋକ ତାʼ ଭଳି ହୋଇଯାʼନ୍ତୁ । ଏହି କାରଣ ଯୋଗୁଁ ଆଜି ଦୁନିଆର ପରିସ୍ଥିତି ଏତେ ଖରାପ ହୋଇଯାଇଛି । କିନ୍ତୁ ଖୁବ୍ ଶୀଘ୍ର ଯୀଶୁ, ଶୟତାନ ଓ ତାକୁ ସହଯୋଗ କରୁଥିବା ସମସ୍ତଙ୍କୁ ବିନାଶ କରିଦେବେ ଏବଂ “ଜୟ” ହାସଲ କରିବେ । (ପ୍ରକା. ୬:୨) ଶୟତାନ, ଯିହୋବାଙ୍କ ଉପରେ ଯେଉଁ ମିଛ ଆରୋପ ଲଗାଇଛି ଯୀଶୁ ତାହାକୁ ସବୁଦିନ ପାଇଁ ଭୁଲ ସାବ୍ୟସ୍ତ କରିଦେବେ ଏବଂ ଯିହୋବାଙ୍କ ନାମକୁ ଉଚ୍ଚତର କରିବେ । (ଗୀତ. ୪୫:୪-୬) ଶେଷରେ ସମଗ୍ର ବିଶ୍ୱର ଲୋକମାନେ ଜାଣିପାରିବେ ଯେ ଯିହୋବା ହିଁ ସତ୍ୟମୟ ପରମେଶ୍ୱର ଅଟନ୍ତି ।—ଯିହି. ୩୮:୨୩.
ପ୍ରଥମ ବିଶ୍ୱଯୁଦ୍ଧ: U.S. National Archives photo; ବୋମା: USAF photo; ମହାମାରୀ: blvdone/stock.adobe.com; ଦଙ୍ଗା: inhauscreative/E+ via Getty Images
୧୯୧୪ ମସିହାରୁ ଦୁନିଆର ପରିସ୍ଥିତି ଆହୁରି ଖରାପ ହେବାକୁ ଲାଗିଛି (ପାରାଗ୍ରାଫ ୮)
ସତ୍ୟମୟ ପରମେଶ୍ୱର ଧାର୍ମିକ ଲୋକମାନଙ୍କୁ ଏକାଠି କରନ୍ତି
୯. ଆଜି ଯିହୋବା କେଉଁମାନଙ୍କୁ ଏକାଠି କରୁଛନ୍ତି ?
୯ ବିନାଶ ଆଣିବା ପୂର୍ବରୁ ଯିହୋବା ‘ସ୍ୱର୍ଗରେ କି ମର୍ତ୍ତ୍ୟରେ [“ପୃଥିବୀରେ,” NWT] ଥିବା ସମସ୍ତ ବିଷୟ ଖ୍ରୀଷ୍ଟଙ୍କଠାରେ ଏକୀଭୂତ ବା ଏକାଠି କରୁଛନ୍ତି ।’ (ଏଫି. ୧:୧୦) ‘ସ୍ୱର୍ଗର ବିଷୟର’ ଅର୍ଥ ହେଉଛି, ରାଜାମାନେ ଅର୍ଥାତ୍ ସେହି ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯେଉଁମାନଙ୍କୁ ଯିହୋବା ସ୍ୱର୍ଗରେ ଖ୍ରୀଷ୍ଟଙ୍କ ସହିତ ଶାସନ କରିବା ପାଇଁ ବାଛିଛନ୍ତି । ଆଉ ‘ପୃଥିବୀର ବିଷୟର’ ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ପ୍ରଜାମାନେ ଅର୍ଥାତ୍ ସେହି ଲୋକମାନେ ଯେଉଁମାନେ ପାରଦୀଶ ହୋଇଯାଇଥିବା ପୃଥିବୀରେ ସବୁଦିନ ପାଇଁ ବଞ୍ଚିବେ । ଯିହୋବାଙ୍କର ସମସ୍ତ ସେବକମାନେ ଆଜି ବହୁତ ବ୍ୟସ୍ତ ଅଛନ୍ତି, କାରଣ ସେମାନେ ଶୟତାନର ମିଛକୁ ପର୍ଦ୍ଦାଫାସ କରୁଛନ୍ତି ଏବଂ ଯିହୋବାଙ୍କ ବିଷୟରେ ଥିବା ସତ୍ୟଗୁଡ଼ିକୁ ନମ୍ର ଲୋକମାନଙ୍କ ପାଖକୁ ପହଞ୍ଚାଉଛନ୍ତି ।
୧୦. ଯିହୋବା ଲୋକମାନଙ୍କୁ କିପରି ମିଥ୍ୟା ଧର୍ମରୁ ବାହାରିବା ପାଇଁ ସାହାଯ୍ୟ କରୁଛନ୍ତି ? (ପ୍ରକାଶିତ ବାକ୍ୟ ୧୪:୬, ୭)
୧୦ ଯିହୋବା ଚାହାନ୍ତି ଯେ ସମସ୍ତେ ତାଙ୍କ ବିଷୟରେ ସତ୍ୟ ଜାଣନ୍ତୁ । ତେଣୁ ତାଙ୍କ ସେବକମାନେ ସାରା ଦୁନିଆରେ ଜୋରସୋର୍ରେ ତାଙ୍କ ବିଷୟରେ ସାକ୍ଷ୍ୟ ଦେଉଛନ୍ତି । ଏହି କାମ ଆଜି ବହୁ ମାତ୍ରାରେ ହେଉଛି, ଏତେ ମାତ୍ରାରେ ପୂର୍ବେ କେବେ ବି ହୋଇ ନ ଥିଲା । (ପ୍ରକାଶିତ ବାକ୍ୟ ୧୪:୬, ୭ ପଢ଼ନ୍ତୁ ।) ଏକଥା ସତ ଯେ ଯିହୋବା ମଣିଷମାନଙ୍କୁ ସୁସମାଚାର ଶୁଣାଇବା ପାଇଁ କହିଛନ୍ତି, କିନ୍ତୁ ଏହି କାମରେ ସ୍ୱର୍ଗଦୂତମାନେ ମଧ୍ୟ ସାହାଯ୍ୟ କରୁଛନ୍ତି । ଏହିପରି ଭାବେ ସେମାନେ ବି ନମ୍ର ଲୋକମାନଙ୍କୁ ଖୋଜି ଖ୍ରୀଷ୍ଟିୟାନ ମଣ୍ଡଳୀରେ ଏକାଠି କରୁଛନ୍ତି । ଯେବେ ଯିହୋବାଙ୍କ ଲୋକମାନେ ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ସତ୍ୟ ଶିଖାନ୍ତି, ତେବେ ନମ୍ର ଲୋକମାନେ ବୁଝିପାରନ୍ତି ଯେ ଶୟତାନ ମହାନଗରୀ ବାବିଲ ଅର୍ଥାତ୍ ମିଥ୍ୟା ଧର୍ମଗୁଡ଼ିକ ଜରିଆରେ ଯିହୋବାଙ୍କ ବିଷୟରେ ମିଛ କଥାଗୁଡ଼ିକ ପ୍ରସାରିତ କରିଛି । (ପ୍ରକା. ୧୮:୨, ୪) ଖୁବ୍ ଶୀଘ୍ର ସମସ୍ତ ମିଥ୍ୟା ଧର୍ମଗୁଡ଼ିକର ବିନାଶ ହୋଇଯିବ । (ପ୍ରକା. ୧୭:୧୬) ଏହାପରେ ସମସ୍ତେ ସତ୍ୟମୟ ପରମେଶ୍ୱର ଯିହୋବାଙ୍କୁ ସେହି ମହିମା ଦେବେ, ଯାହା ପାଇବାର ସେ ଯୋଗ୍ୟ ଅଟନ୍ତି ।
୧୧. ଆମେ କିପରି ଯିହୋବାଙ୍କର ସତ୍ୟ ଉପାସକମାନଙ୍କୁ ଚିହ୍ନିପାରିବା ?
୧୧ ଯିହୋବା ପ୍ରତ୍ୟେକ ଦେଶ, ଜାତି ଓ ସଂସ୍କୃତିର ଲୋକମାନଙ୍କୁ ନିଜ ପରିବାରରେ ସାମିଲ୍ କରୁଛନ୍ତି । (ପ୍ରକା. ୭:୯, ୧୦) ଯେବେ ସେମାନେ “ସୁସମାଚାର” ଶୁଣନ୍ତି, ତେବେ ସେମାନେ ଜାଣିପାରନ୍ତି ଯେ ଏହା ହିଁ ସତ୍ୟ ଏବଂ ସେମାନେ ଯିହୋବାଙ୍କ ଲୋକମାନଙ୍କ ସହିତ ମିଶି ତାଙ୍କର ଉପାସନା କରନ୍ତି । (ମାର୍କ ୧୩:୧୦) ଦିନକୁ ଦିନ ଏହା ଆହୁରି ସ୍ପଷ୍ଟ ଜଣାପଡ଼ୁଛି ଯେ କେଉଁମାନେ ସଠିକ୍ ଭାବରେ ପରମେଶ୍ୱରଙ୍କ ଉପାସନା କରୁଛନ୍ତି । ଏବିଷୟରେ ଭବିଷ୍ୟଦ୍ବକ୍ତା ମଲାଖି ଲେଖିଥିଲେ, ‘ସେତେବେଳେ ତୁମ୍ଭେମାନେ ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ ।’ (ମଲାଖି ୩:୧୮) ଯିହୋବାଙ୍କ ସେବକମାନେ ତାଙ୍କର ବ୍ୟବହାର, କଥାବାର୍ତ୍ତା ଓ ପ୍ରଚାର କାମରୁ ଦେଖାନ୍ତି ଯେ ସେମାନେ ହିଁ ସତ୍ୟମୟ ପରମେଶ୍ୱରଙ୍କ ଉପାସନା କରୁଛନ୍ତି ।
୧୨. ସାକ୍ଷ୍ୟ ଦେବାର କାମ ଜରିଆରେ କିପରି ଯିହୋବାଙ୍କର ଉଦ୍ଦେଶ୍ୟ ପୂରା ହେଉଛି ?
୧୨ ‘ରାଜ୍ୟର ସୁସମାଚାର’ ପ୍ରଚାର କରିବା ଦ୍ୱାରା ଆମେ ଯୀଶୁଙ୍କର ଆଜ୍ଞା ପାଳନ କରୁଛୁ । ତାʼସହିତ ଏଥିରୁ ବାଇବଲର ଭବିଷ୍ୟତବାଣୀ ମଧ୍ୟ ପୂରା ହେଉଛି । (ମାଥି. ୨୪:୧୪; ୨୮:୧୮-୨୦) ସାକ୍ଷ୍ୟ ଦେବାର ଏହି କାମ ଜରିଆରେ ସାରା ଦୁନିଆରେ ଅନେକ ଲୋକ ଯୀଶୁଙ୍କର ଶିଷ୍ୟ ହୋଇପାରୁଛନ୍ତି । ତାʼସହିତ ସେମାନଙ୍କୁ ସବୁଦିନ ପାଇଁ ସତ୍ୟମୟ ପରମେଶ୍ୱର ଯିହୋବାଙ୍କର ଉପାସନା କରିବାର ଏକ ସୁନ୍ଦର ଆଶା ମିଳୁଛି । ଭାବନ୍ତୁ, ଯିହୋବା ଆମକୁ ତାଙ୍କ ଉଦ୍ଦେଶ୍ୟ ପୂରା କରିବା ପାଇଁ ସୁଯୋଗ ଦେଉଛନ୍ତି । ଏହା ବଡ଼ ସମ୍ମାନର ବିଷୟ !
ଯିହୋବା ନିଜର ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ
୧୩. ଶୟତାନ କାହାକୁ ନିଶାଣ କରେ ଏବଂ କାହିଁକି ?
୧୩ ଦୁଷ୍ଟ ଶୟତାନ ବହୁତ କ୍ରୋଧିତ ଅଛି, କାରଣ ତାʼର ‘ସମୟ ଅତି ଅଳ୍ପ ବୋଲି ସେ ଜାଣିଛି ।’ (ପ୍ରକା. ୧୨:୧୨, ୧୩) ଖୁବ୍ ଶୀଘ୍ର ତାʼର ଓ ତାʼ ଦୁନିଆର ବିନାଶ ହୋଇଯିବ । ସେ ବିଶେଷ କରି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ନିଶାଣ କରେ, ଯେଉଁମାନଙ୍କୁ ଯିହୋବା ନିଜ ରାଜ୍ୟରେ ଶାସନ କରିବା ପାଇଁ ବାଛିଛନ୍ତି । କାରଣ ଏହି ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ “ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି ।” (ପ୍ରକା. ୧୨:୧୭; ୧୪:୧୨) ଆଉ ଯେଉଁମାନେ ଏହି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସହଯୋଗ କରନ୍ତି ଓ ତାଙ୍କ କାମରେ ସାହାଯ୍ୟ କରନ୍ତି, ଶୟତାନ ସେମାନଙ୍କ ଉପରେ ବି ଅତ୍ୟାଚାର କରେ ।
୧୪. ଯେବେ ଶୟତାନ ପରମେଶ୍ୱରଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବ, ତେବେ କʼଣ ହେବ ? ( ଚିତ୍ର ମଧ୍ୟ ଦେଖନ୍ତୁ ।)
୧୪ ମହାନଗରୀ ବାବିଲର ବିନାଶ ପରେ ଶୟତାନକୁ ସହଯୋଗ କରୁଥିବା ସମସ୍ତ ଲୋକମାନେ ଯିହୋବାଙ୍କ ଲୋକମାନଙ୍କ ଉପରେ ଚାରିଆଡ଼ୁ ଆକ୍ରମଣ କରିବେ । ସେସମୟରେ ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରିବା ପାଇଁ ହର୍ମିଗିଦ୍ଦୋନ୍ ଯୁଦ୍ଧ କରିବେ । (ପ୍ରକା. ୧୬:୧୩, ୧୪, ୧୬) ଯୀଶୁ ଓ ସ୍ୱର୍ଗୀୟ ସେନା ଯିହୋବାଙ୍କ ସମସ୍ତ ଉପାସକମାନଙ୍କର ଜୀବନ ରକ୍ଷା କରିବେ ଏବଂ ଶୟତାନର ଏହି ଦୁନିଆର ବାକି ଥିବା ଭାଗକୁ ପୂରାପୂରି ବିନାଶ କରିଦେବେ । (ପ୍ରକା. ୧୯:୧୯-୨୧) ଏହାପରେ ଯେଉଁମାନେ ମିଛ କହନ୍ତି, ଛଳନା ବା ଠକାମି କରନ୍ତି ସେମାନେ ବି ଆଉ ନ ଥିବେ । (ପ୍ରକା. ୨୧:୮) ଆଉ ସମସ୍ତେ ଜାଣିଯିବେ ଯେ ସତ୍ୟମୟ ଓ ଧାର୍ମିକତାର ପରମେଶ୍ୱର କିଏ ଅଟନ୍ତି ।
ହର୍ମିଗିଦ୍ଦୋନ୍ ଯୁଦ୍ଧରେ ଯୀଶୁ ଓ ସ୍ୱର୍ଗୀୟ ସେନା ପରମେଶ୍ୱରଙ୍କ ସମସ୍ତ ଶତ୍ରୁମାନଙ୍କୁ ବିନାଶ କରିଦେବ (ପାରାଗ୍ରାଫ ୧୪)
୧୫. ଆମେ କାହିଁକି ଭରସା କରିପାରିବା ଯେ ଯିହୋବା ନିଜର ପ୍ରତିଜ୍ଞା ପୂରା କରିବେ ? (ଯିଶାଇୟ ୬୫:୧୬, ୧୭) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଆଜି ଏହି ଦୁନିଆର ଲୋକମାନଙ୍କ ମଧ୍ୟରେ ଏକତା ନାହିଁ, କିନ୍ତୁ ଯିହୋବାଙ୍କ ଆଶିଷ ଯୋଗୁଁ ତାଙ୍କ ଲୋକମାନେ ଏକାଠି ହୋଇ ଏକତାର ସହିତ ତାଙ୍କର ଉପାସନା କରୁଛନ୍ତି । ନମ୍ର ଲୋକମାନଙ୍କୁ ଏକାଠି କରିବାର କାମ ସାରା ଦୁନିଆରେ ଚାଲିଛି ଏବଂ ଏହି କାମକୁ ଦୁନିଆର କୌଣସି ଶକ୍ତି ରୋକିପାରିବ ନାହିଁ । ତାʼସହିତ ତାଙ୍କ ଲୋକମାନଙ୍କୁ ଆଶିଷ ଦେବା ପାଇଁ ମଧ୍ୟ ଯିହୋବାଙ୍କୁ କୌଣସି କଥା ରୋକିପାରିବ ନାହିଁ । (ଯିଶାଇୟ ୬୫:୧୬, ୧୭ ପଢ଼ନ୍ତୁ ।) ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଖୁବ୍ ଶୀଘ୍ର ନିଜର ପ୍ରତିଜ୍ଞା ପୂରା କରିବେ । ଆମକୁ କାହିଁକି ଏକଥା ଉପରେ ପୂରା ଭରସା ଅଛି ? କାରଣ ଏବିଷୟରେ ପ୍ରେରିତ ପାଉଲ କହିଲେ, ‘ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ବିଚ୍ଛିନ୍ନ କରିପାରିବ ନାହିଁ ।’—ରୋମୀ. ୮:୩୮, ୩୯.
ଆମକୁ ଆଜିର କଷ୍ଟଗୁଡ଼ିକ ନୂଆ ଦୁନିଆରେ ମନେ ପଡ଼ିବ ନାହିଁ (ପାରାଗ୍ରାଫ ୧୫)
୧୬. ଆପଣ କାହିଁକି ଯିହୋବାଙ୍କ ଉପରେ ପୂରା ଭରସା କରନ୍ତି ?
୧୬ ସତ୍ୟମୟ ପରମେଶ୍ୱର ଯିହୋବାଙ୍କ ଉପରେ ଭରସା କରିବା ପାଇଁ ଆମ ପାଖରେ ଅନେକ କାରଣ ରହିଛି । ସେ ଆମର ସୃଷ୍ଟିକର୍ତ୍ତା ଅଟନ୍ତି । ତାʼସହିତ ସେ ଆମକୁ ବହୁତ ପ୍ରେମ କରନ୍ତି ଏବଂ ସବୁ ରାଷ୍ଟ୍ରରୁ ଅଧିକରୁ ଅଧିକ ନମ୍ର ଲୋକମାନଙ୍କୁ ଏକାଠି କରୁଛନ୍ତି, ଯେଉଁମାନେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କର ଉପାସନା କରୁଛନ୍ତି । (ଯିଶା. ୬୦:୨୨; ଯିଖ. ୮:୨୩) ଆମେ ଜାଣିଛୁ ଯେ ଯିହୋବା ନିଜ ଉଦ୍ଦେଶ୍ୟକୁ ନିଶ୍ଚୟ ପୂରା କରିବେ ଏବଂ ଖୁବ୍ ଶୀଘ୍ର ଶୟତାନର ବିନାଶ କରିବେ । ତାʼପରେ ଚାରିଆଡ଼େ କେବଳ ସତ୍ୟତା ହିଁ ରହିବ । ଦାଉଦଙ୍କ ଭଳି ଆମେ ବି ଏହା ହିଁ ପ୍ରାର୍ଥନା କରୁ, ‘ସଦାପ୍ରଭୁ ପରମେଶ୍ୱର, ଧନ୍ୟ ହେଉନ୍ତୁ, କେବଳ ସେ ଆଶ୍ଚର୍ଯ୍ୟ କର୍ମ କରନ୍ତି; ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ ।’—ଗୀତ. ୭୨:୧୮, ୧୯.
ଗୀତ ୨ ଯିହୋବା ତୋ ନାମ
a ବାଇବଲରେ ଏହି ଦୁଷ୍ଟ ସ୍ୱର୍ଗଦୂତର ନାମ ବିଷୟରେ କିଛି କୁହାଯାଇ ନାହିଁ । କିନ୍ତୁ ବାଇବଲ ସେହି ଦୁଷ୍ଟ ସ୍ୱର୍ଗଦୂତକୁ “ଦିଆବଳ” ବୋଲି କହେ, ଯାହାର ଅର୍ଥ “ଯିଏ ଅପମାନ କରେ ।” ତାହାକୁ “ଶୟତାନ” ମଧ୍ୟ କୁହାଯାଇଛି, ଯାହାର ଅର୍ଥ “ବିରୋଧୀ ।”