ପିଲାମାନେ ଯିହୋବାଙ୍କ ତରଫରୁ ଖାସ୍ ଉପହାର ଅଟନ୍ତି
ଯେବେ ଆପଣ ଉତ୍ତରାଧିକାରୀ ଶବ୍ଦ ଶୁଣନ୍ତି, ତେବେ ଆପଣଙ୍କ ମନରେ କʼଣ ଚିତ୍ର ଆସେ ? ଆପଣ ହୁଏତ ଜମିବାଡ଼ି, ଘର, ଗହଣା କିମ୍ବା ପଇସାପତ୍ର ବିଷୟରେ ଭାବିବେ, ଯାହା ଆପଣଙ୍କୁ ନିଜ ବାପାମାଆଙ୍କ ତରଫରୁ ମିଳିଛି । ଆପଣଙ୍କୁ ଉତ୍ତରାଧିକାରୀ ଭାବେ ଯାହା ବି ମିଳିଛି ସେଗୁଡ଼ିକ ମୂଲ୍ୟବାନ ଅଟେ, ତେଣୁ ଆପଣ ସେଗୁଡ଼ିକର ଭଲଭାବେ ଯତ୍ନ ନେବା ପାଇଁ ଚାହାନ୍ତି ।
ବାଇବଲରେ ପିଲାମାନଙ୍କୁ ‘ଯିହୋବାଙ୍କର ଦତ୍ତ ଅଧିକାର’ [“ଉତ୍ତରାଧିକାରୀ, NWT”] ବୋଲି କୁହାଯାଇଛି । (ଗୀତ. ୧୨୭:୩) ଯେଉଁ ବାପାମାଆ ଯିହୋବାଙ୍କୁ ପ୍ରେମ କରନ୍ତି, ସେମାନେ ନିଜ ପିଲାମାନଙ୍କୁ ସ୍ୱର୍ଗରେ ରହୁଥିବା ପିତା ଯିହୋବାଙ୍କ ତରଫରୁ ମିଳିଥିବା ଉପହାର ମନେ କରନ୍ତି । ସେମାନେ ପିଲାମାନଙ୍କର ଯତ୍ନ ନେବା ପାଇଁ ନିଜ ତରଫରୁ ପୂରା ଚେଷ୍ଟା କରନ୍ତି । ସେମାନେ ତାଙ୍କର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି, ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି ଓ ସେମାନେ ଏହା ବି ଧ୍ୟାନ ରଖନ୍ତି ଯେ ତାଙ୍କ ପିଲାମାନେ ଖୁସି ରହନ୍ତୁ ଏବଂ ତାଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ରହୁ ।
କିନ୍ତୁ ଦୁଃଖର କଥା, କିଛି ବାପାମାଆ ନିଜ ପିଲାମାନଙ୍କୁ ଯିହୋବାଙ୍କ ତରଫରୁ ମିଳିଥିବା ଉପହାର ମନେ କରନ୍ତି ନାହିଁ । (ଯିଶା. ୪୯:୧୫; ୨ ତୀମ. ୩:୧-୩) ଆଉ କିଛି ବାପାମାଆ ନିଜ ପିଲାମାନଙ୍କର ଯତ୍ନ ନେବା ପାଇଁ ଚାହାନ୍ତି, କିନ୍ତୁ ସେମାନଙ୍କ ପାଇଁ ଏପରି କରିବା ବହୁତ କଠିନ ହୋଇଥାଏ । ଏହାର ଅନେକ କାରଣ ଥାଇପାରେ । ପିଲାମାନଙ୍କର ଲାଳନପାଳନ କରିବା ପାଇଁ ବାପାମାଆଙ୍କ ଆଗରେ କେଉଁ ସମସ୍ୟାଗୁଡ଼ିକ ଆସିପାରେ ? ଯିହୋବା ବାପାମାଆଙ୍କଠାରୁ କʼଣ ଆଶା କରନ୍ତି ? ଏବଂ ବାପାମାଆମାନେ କିପରି ନିଜ ପିଲାମାନଙ୍କର ଭଲଭାବେ ଲାଳନପାଳନ କରିପାରିବେ ?
ସମସ୍ୟାଗୁଡ଼ିକ
ସମାଜ ଓ ପରିବାରର ଚାପ । କିଛି ଦେଶରେ ଏପରି ହୁଏ ଯେ ସମାଜରେ ସେହି ଲୋକମାନଙ୍କୁ ଅଧିକ ଆଦର ଦିଆଯାଏ, ଯେଉଁମାନଙ୍କର ଅନେକ ପିଲା ଥାʼନ୍ତି । ସେଥିପାଇଁ ହୁଏତ ସ୍ୱାମୀ ସ୍ତ୍ରୀକୁ ତାଙ୍କ ପରିବାର ଲୋକେ କିମ୍ବା ପଡ଼ୋଶୀ ଅଧିକ ପିଲା ଜନ୍ମ କରିବା ପାଇଁ ଚାପ ପକାଇପାରନ୍ତି । ଅନେକ ଥର ଏପରି ହୁଏ ଯେ ସ୍ୱାମୀ ସ୍ତ୍ରୀ ଯେତିକି ପିଲାର ଭରଣପୋଷଣ କରିପାରିବେ ନାହିଁ, ତାʼଠାରୁ ଅଧିକ ପିଲା ଜନ୍ମ କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଯାଏ ।
ଭବିଷ୍ୟତ ପାଇଁ ଚିନ୍ତା । କିଛି ଦେଶରେ ଖାଦ୍ୟର ଅଭାବ, ବିଭିନ୍ନ ରୋଗ ଓ ଚିକିତ୍ସାର ଅଭାବ ଯୋଗୁଁ ଅନେକ ପିଲାର ମୃତ୍ୟୁ ହୋଇଯାଏ । ତେଣୁ ସେହି ଦେଶଗୁଡ଼ିକରେ ବାପାମାଆ ଭାବନ୍ତି ଯେ ଅଧିକ ପିଲା ଜନ୍ମ କଲେ ସେମଧ୍ୟରୁ ନିଶ୍ଚୟ କେହି ନା କେହି ପିଲା ବଞ୍ଚିଯିବେ । ଆଉ କିଛି ବାପାମାଆ ଭାବନ୍ତି ଯେ ଅଧିକ ପିଲା ଜନ୍ମ କଲେ ସେମଧ୍ୟରୁ କେହି ନା କେହି ନିଶ୍ଚୟ ବୃଦ୍ଧାବସ୍ଥାରେ ତାଙ୍କର ଯତ୍ନ ନେବେ । ଏପରି ବିଶେଷକରି ସେହି ଦେଶଗୁଡ଼ିକରେ ଦେଖିବାକୁ ମିଳେ, ଯେଉଁଠି ସରକାର ତରଫରୁ ବୃଦ୍ଧବୃଦ୍ଧାମାନଙ୍କୁ କୌଣସି ସୁବିଧା ମିଳେ ନାହିଁ ।
ଭଲ ଯୋଜନା ନ କରିପାରିବା । କିଛି ଜାଗାରେ ସ୍ୱାମୀ ସ୍ତ୍ରୀଙ୍କୁ ସହଜରେ ଏପରି ସୁବିଧା ମିଳେ ନାହିଁ, ଯେଉଁଥିରୁ ସେମାନେ ଗର୍ଭଧାରଣକୁ ରୋକିପାରିବେ । କିଛି ସ୍ୱାମୀ ସ୍ତ୍ରୀଙ୍କୁ କୌଣସି ଔଷଧ ନେବା କିମ୍ବା ଗର୍ଭନିରୋଧକ ଜିନିଷଗୁଡ଼ିକୁ ବ୍ୟବହାର କରିବା ପାଇଁ ଡର ଲାଗେ, କାରଣ ସେଗୁଡ଼ିକ ଭଲ କ୍ୱାଲିଟିର ନ ଥାଏ ଏବଂ ସେଥିରୁ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଉ କିଛି ସ୍ୱାମୀ ସ୍ତ୍ରୀ ଏଭଳି ଜିନିଷଗୁଡ଼ିକୁ କିଣି ପାରନ୍ତି ନାହିଁ, କାରଣ ସେମାନଙ୍କ ଦେଶରେ ଏଗୁଡ଼ିକ ବହୁତ ମହଙ୍ଗା ଥାଏ ।a
ଯିହୋବା ବାପାମାଆଙ୍କଠାରୁ କʼଣ ଆଶା କରନ୍ତି ?
ନିଜର ପ୍ରତ୍ୟେକ ପିଲାଙ୍କ ସହ ସମୟ ବିତାନ୍ତୁ
ନିଜ ପିଲାମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତୁ । ଯିହୋବା ବାପାମାଆଙ୍କୁ ନିଜର ନାବାଳକ ପିଲାମାନଙ୍କର ଯତ୍ନ ନେବା ପାଇଁ ଦାୟିତ୍ୱ ଦେଇଛନ୍ତି । ସେ ବାପାମାଆଙ୍କଠାରୁ ଆଶା କରନ୍ତି ଯେ ସେମାନେ ନିଜ ପିଲାମାନଙ୍କର ଖାଦ୍ୟ, ପୋଷାକ ଓ ରହିବାର ବ୍ୟବସ୍ଥା କରିବା ପାଇଁ କଠିନ ପରିଶ୍ରମ କରନ୍ତୁ । ଯିହୋବା ସେମାନଙ୍କଠାରୁ ଏହା ବି ଆଶା କରନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ପାଠ ପଢ଼ିବା ଶିଖାନ୍ତୁ । କିନ୍ତୁ ଖ୍ରୀଷ୍ଟିୟାନ ବାପାମାଆମାନେ ନିଜ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଘରରୁ ଦୂରକୁ ପଠାନ୍ତି ନାହିଁ । ସେମାନେ ଏକଥାର ପୂରା ଧ୍ୟାନ ରଖନ୍ତି ଯେ ତାଙ୍କ ପିଲା ବଡ଼ ନ ହେବା ଯାଏ ସେମାନଙ୍କ ସହିତ ରହନ୍ତୁ, ଯାହାଫଳରେ ସେମାନେ ଭଲଭାବେ ପାଠ ପଢ଼ିପାରିବେ ଏବଂ ଏପରି ଦକ୍ଷତା ଶିଖିପାରିବେ ଯାହା ଆଗକୁ ଯାଇ ସେମାନଙ୍କ କାମରେ ଆସିବ । ସେମାନେ ନିଜର ପ୍ରତ୍ୟେକ ପିଲାଙ୍କ ସହିତ ସମୟ ବିତାନ୍ତି, ଯାହାଫଳରେ ସେମାନଙ୍କୁ କୌଣସି କଥାର ବି ଡର ନ ଲାଗୁ ଏବଂ ସେମାନଙ୍କୁ ଏହା ଅନୁଭବ ହେଉ ଯେ ତାଙ୍କ ବାପାମାଆ ତାଙ୍କୁ ବହୁତ ପ୍ରେମ କରନ୍ତି । କିନ୍ତୁ ଏପରି ବି ନୁହେଁ ଯେ ଯିହୋବା ବାପାମାଆଙ୍କଠାରୁ ଅତ୍ୟଧିକ ଆଶା କରନ୍ତି । ସେ ଏପରି ଚାହାନ୍ତି ନାହିଁ ଯେ ସେମାନେ ଧନୀ ହେବା ପାଇଁ ଚେଷ୍ଟା କରନ୍ତୁ । ଆମେ ଏଥିପାଇଁ ଏପରି କହିପାରିବା, କାରଣ ଯିହୋବା ନିଜ ପ୍ରିୟ ପୁତ୍ରର ଲାଳନପାଳନ କରିବାର ଦାୟିତ୍ୱ ଏପରି ସ୍ୱାମୀ ସ୍ତ୍ରୀଙ୍କୁ ଦେଇଥିଲେ ଯେଉଁମାନେ ପରିଶ୍ରମୀ ତ ଥିଲେ, କିନ୍ତୁ ଗରିବ ଥିଲେ ।—ମାଥି. ୧୩:୫୫, ୫୬; ଲୂକ ୨:୨୪.
ବାଇବଲ ସିଦ୍ଧାନ୍ତ: “କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।”—୧ ତୀମ. ୫:୮.
ଯିହୋବା ଜାଣନ୍ତି ଯେ ବାପାମାଆ ବୃଦ୍ଧବୃଦ୍ଧା ହୋଇଗଲେ ସେମାନଙ୍କୁ ସାହାଯ୍ୟର ଆବଶ୍ୟକ ପଡ଼ିପାରେ । ବାଇବଲରେ ଲେଖାଅଛି ଯେ ବାପାମାଆଙ୍କ ଆଦର କରିବାର ଗୋଟିଏ ଉପାୟ ହେଉଛି, ବୃଦ୍ଧବୃଦ୍ଧା ସମୟରେ ସେମାନଙ୍କର ଦେଖାଶୁଣା କରିବା । (ଯାତ୍ରା. ୨୦:୧୨; ୧ ତୀମ. ୫:୪) କିନ୍ତୁ ବାପାମାଆଙ୍କୁ କେବଳ ଏହା ଭାବିବା ଉଚିତ୍ ନୁହେଁ ଯେ ପିଲାମାନେ ତାଙ୍କର କିପରି ଭାବେ ଯତ୍ନ ନେବେ । ଏହା ପରିବର୍ତ୍ତେ ସେମାନଙ୍କୁ ବିଶେଷ କରି ଏବିଷୟରେ ଭାବିବା ଉଚିତ୍ ଯେ ସେମାନେ ପିଲାମାନଙ୍କର କିପରି ଭାବେ ଯତ୍ନ ନେବେ । ବାପାମାଆ ଏପରି ଭାବିଲେ ଯିହୋବା ଖୁସି ହୁଅନ୍ତି ।—୨ କରି. ୧୨:୧୪.
ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାନ୍ତୁ । ଖ୍ରୀଷ୍ଟିୟାନ ବାପାମାଆଙ୍କର ଏହା ବି ଦାୟିତ୍ୱ ରହିଛି ଯେ ସେମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଓ ତାଙ୍କର ଉପାସନା କରିବା ଶିଖାନ୍ତୁ । ପ୍ରକୃତରେ ଏହି ଶିକ୍ଷା ଦେବା ସବୁଠୁ ଜରୁରୀ ଅଟେ, ଯିହୋବା ପ୍ରତ୍ୟେକ ବାପାମାଆଙ୍କଠାରୁ ଏହା ଆଶା କରନ୍ତି ।—ଦ୍ୱିବି. ୬:୬, ୭.
ବାଇବଲ ସିଦ୍ଧାନ୍ତ: “ପୁଣି ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର ।”—ଏଫି. ୬:୪.
ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ
ପୂର୍ବରୁ ଏବିଷୟରେ କଥା ହୁଅନ୍ତୁ ଯେ ଆପଣ କେତେ ପିଲା ଜନ୍ମ କରିବା ପାଇଁ ଚାହାନ୍ତି
ପୂର୍ବରୁ ଯୋଜନା କରନ୍ତୁ । ଯଦି ଆପଣ ପିଲା ଜନ୍ମ କରିବା ପାଇଁ ଭାବୁଛନ୍ତି, ତାହେଲେ ନିଜ ପରିସ୍ଥିତି ବିଷୟରେ ଭଲଭାବେ ଭାବନ୍ତୁ । ଉଦାହରଣ ପାଇଁ, ଯଦି ଆପଣ ଅନେକ ପିଲା ଜନ୍ମ କରିବା ପାଇଁ ଭାବୁଛନ୍ତି, ତାହେଲେ ଏବିଷୟରେ ବି ଭାବନ୍ତୁ ଯେ କʼଣ ଆପଣ ସେମାନଙ୍କର ଖାଦ୍ୟ, ପୋଷାକ ଓ ସେମାନଙ୍କ ପାଠପଢ଼ାର ବ୍ୟବସ୍ଥା କରିପାରିବେ । ଯଦି ଆପଣ ଏପରି କରିପାରିବେ ନାହିଁ, ତାହେଲେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହ କଥା ହୁଅନ୍ତୁ ଯେ ଆପଣ କେତେ ପିଲା ଜନ୍ମ କରିବେ । ଏପରି କଲେ ଆପଣ ନିଜ ପିଲାମାନଙ୍କର ସେହିପରି ଭାବେ ଲାଳନପାଳନ କରିପାରିବେ, ଯେପରି ଯିହୋବା ଚାହାନ୍ତି । ଏହା ସତ ଯେ ଜୀବନରେ ସବୁକିଛି ଠିକ୍ ସେପରି ହୁଏନି, ଯେପରି ଆମେ ଭାବିଥାଉ ଏବଂ ଯିହୋବା ବି ଏକଥା ଜାଣନ୍ତି । (ଉପ. ୯:୧୧) କିନ୍ତୁ ଯଦି ଆପଣ ନିଜ ପିଲାମାନଙ୍କର ଭଲଭାବେ ଲାଳନପାଳନ କରିବା ପାଇଁ ଚେଷ୍ଟା କରିବେ, ତାହେଲେ ଯିହୋବା ନିଶ୍ଚୟ ଆଶିଷ ଦେବେ ।
ବାଇବଲ ସିଦ୍ଧାନ୍ତ: “କର୍ମଶୀଳର ସଙ୍କଳ୍ପରୁ କେବଳ ପ୍ରଚୁରତା ଜନ୍ମେ; ମାତ୍ର ପ୍ରତ୍ୟେକ ହଠାତ୍ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ ।”—ହିତୋ. ୨୧:୫.
“ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀଗୃହ ନିର୍ମାଣ କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ ?”—ଲୂକ ୧୪:୨୮.
ଯିହୋବାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତୁ । ଏହି କଥାର ପୂରା ଧ୍ୟାନ ରଖନ୍ତୁ ଯେ ଆପଣଙ୍କର ପରିବାରରେ ଯିହୋବାଙ୍କ ଉପାସନାକୁ ପ୍ରଥମ ସ୍ଥାନ ଦିଆଯାଉ । ଯଦି ଆପଣଙ୍କର ପୂର୍ବରୁ ପିଲାମାନେ ଅଛନ୍ତି, ତାହେଲେ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ପ୍ରତ୍ୟେକ ପିଲାକୁ ଯିହୋବାଙ୍କୁ ପ୍ରେମ କରିବା ଶିଖାଇବେ । ପିଲାମାନଙ୍କୁ ସଭାରେ ଧ୍ୟାନ ଦେବା ପାଇଁ ଏବଂ ଶିଖିବା ପାଇଁ ସାହାଯ୍ୟ କରନ୍ତୁ । ପ୍ରତି ସପ୍ତାହ ପାରିବାରିକ ଉପାସନା କରନ୍ତୁ । ପିଲାମାନଙ୍କୁ ପ୍ରଚାର କରିବା ପାଇଁ ଶିଖାନ୍ତୁ । ବାପାମାଆ ହୋଇଥିବାରୁ ପିଲାମାନଙ୍କୁ ଶିଖାଇବା ଆପଣଙ୍କର ଦାୟିତ୍ୱ, ତେଣୁ ଏହି ଦାୟିତ୍ୱ ନିଜ ପରିବାରର ବଡ଼ ପିଲାମାନଙ୍କୁ କିମ୍ବା ଅନ୍ୟ ସମ୍ପର୍କୀୟମାନଙ୍କୁ ଦିଅନ୍ତୁ ନାହିଁ । ପିଲାମାନଙ୍କୁ ଶିଖାଇବା ପାଇଁ ବହୁତ ସମୟ ଲାଗେ ଓ ପରିଶ୍ରମ ବି କରିବାକୁ ପଡ଼େ, କିନ୍ତୁ ଯେବେ ଆପଣ ଏହି ପରିଶ୍ରମର ଫଳ ଦେଖିବେ, ତେବେ ଆପଣଙ୍କୁ ବହୁତ ଖୁସି ଲାଗିବ ।
ବାଇବଲ ସିଦ୍ଧାନ୍ତ: “ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋର ଆନନ୍ଦର ଆଉ ବଡ଼ ବିଷୟ ନାହିଁ ।”—୩ ଯୋହ. ୪.b
ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ଯଦି ଆପଣ ପିଲା ଜନ୍ମ କରିବା ପାଇଁ ଭାବୁଛନ୍ତି କିମ୍ବା ପୂର୍ବରୁ ଆପଣଙ୍କ ପିଲାମାନେ ଅଛନ୍ତି, ତାହେଲେ ଏହି କଥାକୁ ମନେ ରଖନ୍ତୁ ଯେ ସମାଜରେ ଲୋକମାନେ କʼଣ ଭାବନ୍ତି ତାହା ମହତ୍ତ୍ୱ ରଖେ ନାହିଁ, ବରଂ ଯିହୋବା ଆପଣଙ୍କଠାରୁ କʼଣ ଆଶା କରନ୍ତି ତାହା ଅଧିକ ମହତ୍ତ୍ୱ ରଖେ ।
ପିଲାମାନଙ୍କର ଯିହୋବାଙ୍କ ସହିତ ସମ୍ପର୍କ ଦୃଢ଼ କରିବା ପାଇଁ ସମୟ ଲାଗେ ଓ ପରିଶ୍ରମ ବି କରିବାକୁ ପଡ଼େ
ଯଦି ଆପଣ କମ୍ ପିଲା ଜନ୍ମ କରିବାର ନିଷ୍ପତ୍ତି ନିଅନ୍ତି, ତାହେଲେ ଭରସା ରଖନ୍ତୁ ଯେ ଯିହୋବା ବୃଦ୍ଧାବସ୍ଥାରେ ଆପଣଙ୍କ ଯତ୍ନ ନେବେ । ଲୋକମାନେ ଯାହା ବି କହନ୍ତୁ ନା କାହିଁକି, ଏହା ଭାବି ପିଲା ଜନ୍ମ କରନ୍ତୁ ନାହିଁ ଯେ ବୃଦ୍ଧାବସ୍ଥାରେ ସେମାନେ ଆପଣଙ୍କର ଜନ୍ମ ନେବେ । ଆପଣଙ୍କୁ କେବେ ବି ଏହି କଥା ପାଇଁ ଚିନ୍ତା କରିବା ଉଚିତ୍ ନୁହେଁ ଯେ ବୃଦ୍ଧାବସ୍ଥାରେ କିଏ ଆପଣଙ୍କର ଯତ୍ନ ନେବ । କାରଣ ଯିହୋବା ଆପଣଙ୍କର ଯତ୍ନ ନେବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ସେ ସବୁବେଳେ ନିଜ ପ୍ରତିଜ୍ଞା ପୂରା କରନ୍ତି ।—ଯିହୋ. ୨୩:୧୪.
ବାଇବଲ ସିଦ୍ଧାନ୍ତ: “ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ । ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ ।”—ହିତୋ. ୩:୫, ୬.
“ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ ।”—ଗୀତ. ୩୭:୨୫.
“ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହିସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ ।”—ମାଥି. ୬:୩୩.
ପିଲାମାନେ ଯିହୋବାଙ୍କ ତରଫରୁ ଉପହାର ଅଟନ୍ତି, ଯେଉଁମାନଙ୍କର ଦାୟିତ୍ୱ ଯିହୋବା ବାପାମାଆମାନଙ୍କୁ ଭରସା କରିକି ଦେଇଛନ୍ତି । ଯେବେ ଖ୍ରୀଷ୍ଟିୟାନ ବାପାମାଆ ନିଜ ପିଲାମାନଙ୍କର ଭଲଭାବେ ଯତ୍ନ ନିଅନ୍ତି, ତେବେ ଯିହୋବାଙ୍କୁ ବହୁତ ଖୁସି ଲାଗେ । ସେମାନେ ନିଜ ପିଲାମାନଙ୍କୁ ଖୁସି ଦେଖିବା ପାଇଁ ଚାହାନ୍ତି, ସେଥିପାଇଁ ସେମାନେ ତାଙ୍କର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି ଏବଂ ସେମାନଙ୍କ ସହିତ ସମୟ ବିତାନ୍ତି । ସେମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଶିଖାନ୍ତି । ବାପାମାଆ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି ଯେ ସେମାନେ କେତେ ପିଲା ଜନ୍ମ କରିବେ ଏବଂ ସେମାନେ ସମାଜର ଲୋକମାନଙ୍କ ଚିନ୍ତାଧାରା ଅନୁସାରେ ନୁହେଁ, ବରଂ ଯିହୋବାଙ୍କ ଇଚ୍ଛା ଅନୁସାରେ ନିଜ ପିଲାମାନଙ୍କୁ ଲାଳନପାଳନ କରନ୍ତି । ଏପରି କରି ଖ୍ରୀଷ୍ଟିୟାନ ବାପାମାଆ ଦେଖାନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ମୂଲ୍ୟବାନ ଉପହାର ମନେ କରନ୍ତି, ଅର୍ଥାତ୍ ‘ଯିହୋବାଙ୍କଠାରୁ ଦତ୍ତ ଉତ୍ତରାଧିକାରୀ’ ମନେ କରନ୍ତି ।
a ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀଙ୍କୁ ଏହା ନିଷ୍ପତ୍ତି ନେବା ଉଚିତ୍ ଯେ ସେମାନେ କେତେ ପିଲା ଜନ୍ମ କରିବେ, କେବେ କରିବେ ଓ ଯଦି ସେମାନେ ଗର୍ଭଧାରଣ ରୋକିବା ପାଇଁ ଚାହାନ୍ତି, ତାହେଲେ ସେମାନେ ଔଷଧଗୁଡ଼ିକର କିମ୍ବା ଅନ୍ୟ ଗର୍ଭନିରୋଧକ ଜିନିଷଗୁଡ଼ିକର ବ୍ୟବହାର କରିବେ ନା ନାହିଁ । କାହାରିକୁ ବି ସେମାନଙ୍କର ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ଉଚିତ୍ ନୁହେଁ । (ରୋମୀ. ୧୪:୪, ୧୦-୧୩) ଅବଶ୍ୟ ସେମାନେ ଏପରି କୌଣସି ଔଷଧଗୁଡ଼ିକର ବ୍ୟବହାର କରିବେ ନାହିଁ, ଯେଉଁଥିରୁ ଗର୍ଭଧାରଣ ପରେ ଭ୍ରୁଣ ନଷ୍ଟ ହୋଇଯାଏ । ଏହା ବ୍ୟତୀତ, ବିବାହିତ ଖ୍ରୀଷ୍ଟିୟାନମାନେ ୧ କରିନ୍ଥୀୟ ୭:୩-୫ ପଦରେ ଦିଆଯାଇଥିବା ପରାମର୍ଶକୁ ମାନିବା ପାଇଁ ପୂରା ଚେଷ୍ଟା କରନ୍ତି ।
b ଏହି ପଦରେ ସନ୍ତାନମାନଙ୍କ ଅର୍ଥ ହେଉଛି, ସେହି ଶିଷ୍ୟମାନେ ଯେଉଁମାନଙ୍କୁ ଯୋହନ ସତ୍ୟ ଶିଖାଇଥିଲେ । କିନ୍ତୁ ଯେଉଁ ବାପାମାଆମାନଙ୍କ ପିଲାମାନେ ଯିହୋବାଙ୍କ ସେବା କରନ୍ତି, ସେମାନଙ୍କୁ ବି ସେହି ଖୁସି ମିଳେ ଯାହା ଯୋହନଙ୍କୁ ମିଳିଥିଲା ।