ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଫେବୃୟାରୀ ପୃଷ୍ଠା ୩୦-ପୃଷ୍ଠା ୩୧ ଅନୁଚ୍ଛେଦ ୭
  • ଆପଣଙ୍କ ପ୍ରଶ୍ନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ପ୍ରଶ୍ନ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପ୍ରଶ୍ନ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଫେବୃୟାରୀ ପୃଷ୍ଠା ୩୦-ପୃଷ୍ଠା ୩୧ ଅନୁଚ୍ଛେଦ ୭
ଦୁନିଆର ନେତାମାନେ ମିଳିତ ଜାତିସଂଘର ମୁଖ୍ୟାଳୟ ବାହାରେ ଛିଡ଼ା ହୋଇ ଲୋକମାନଙ୍କ ସାମନାରେ ‘ଶାନ୍ତି ଓ ନିରାପଦର’ ଘୋଷଣା କରୁଛନ୍ତି ।

ଆପଣଙ୍କ ପ୍ରଶ୍ନ

ଦୁନିଆର ରାଷ୍ଟ୍ରଗୁଡ଼ିକ କେବେ ‘ଶାନ୍ତି ଓ ନିରାପଦର’ ଘୋଷଣା କରିବେ ?

କିଛି ସମୟ ପୂର୍ବେ ଗୋଟିଏ ପ୍ରହରୀଦୁର୍ଗa ପତ୍ରିକାରେ “ଆପଣଙ୍କ ପ୍ରଶ୍ନ” ନାମକ ଲେଖା ଆସିଥିଲା । ସେଥିରେ କୁହାଯାଇଥିଲା ଯେ ଯିହୋବା ଖୁବ୍‌ ଶୀଘ୍ର “ଦଶ ଶୃଙ୍ଗ” ଅର୍ଥାତ୍‌ ସରକାରଗୁଡ଼ିକର ମନରେ “ପ୍ରବୃତ୍ତି” ଦେବେ, ଯାହାଫଳରେ ସେମାନେ ନିଜର ଶକ୍ତି ଓ କ୍ଷମତାକୁ ‘ଲୋହିତବର୍ଣ୍ଣର ଜଙ୍ଗଲୀ ପଶୁକୁ’ ଅର୍ଥାତ୍‌ ‘ମିଳିତ ଜାତିସଂଘକୁ’ ଦେଇ ଦେବେ । ଏହି ଜଙ୍ଗଲୀ ପଶୁକୁ “ପଶୁର ପ୍ରତିମା” ବୋଲି ମଧ୍ୟ କୁହାଯାଇଛି । (ପ୍ରକା. ୧୩:୧୪, ୧୫; ୧୭:୩, ୧୬, ୧୭) ତାʼପରେ ଏହି “ଦଶ ଶୃଙ୍ଗ” ଓ ଜଙ୍ଗଲୀ ପଶୁ ଯାହାକୁ ସେତେବେଳେ ଖୁବ୍‌ ଶକ୍ତି ମିଳିଥିବ, ସେ ଦୁନିଆରେ ଥିବା ସମସ୍ତ ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିଦେବ । ହେଲେ ଦୁନିଆର ରାଷ୍ଟ୍ରଗୁଡ଼ିକ କେବେ ‘ଶାନ୍ତି ଓ ନିରାପଦର’b ଘୋଷଣା କରିବେ ? ମିଥ୍ୟା ଧର୍ମଗୁଡ଼ିକର ବିନାଶ ପୂର୍ବେ ନା ପରେ ?—୧ ଥେସ. ୫:୩.

ସିଧା କହିବାକୁ ଗଲେ ‘ଶାନ୍ତି ଓ ନିରାପଦର’ ଘୋଷଣା ଠିକ୍‌ କେବେ ହେବ, ଏହା ଆମେ ଜାଣିନାହୁଁ । ଯଦି ଆମେ ଏହି କଥା ଜାଣିଥାʼନ୍ତୁ, ତାହେଲେ ଆମକୁ ସତର୍କ ରହିବା ଓ ଜାଗ୍ରତ ରହିବା ପାଇଁ ଆବଶ୍ୟକ ପଡ଼ନ୍ତା ନାହିଁ । କିନ୍ତୁ ଆମେ ଜାଣିଛୁ ଯେ ଯୀଶୁ ବାରମ୍ବାର ନିଜ ଶିଷ୍ୟମାନଙ୍କୁ ଏହି ପରାମର୍ଶ ଦେଇଥିଲେ ଯେ “ଜାଗ୍ରତ ଥାଅ ।” (ମାଥି. ୨୪:୪୨; ୨୫:୧୩; ୨୬:୪୧) ଏବେ ଆସନ୍ତୁ ଆମେ ଏହି ଭବିଷ୍ୟତବାଣୀକୁ ଭଲଭାବେ ଯାଞ୍ଚ କରିବା, ଯାହା ପ୍ରେରିତ ପାଉଲ ଥେସଲନୀକୀୟ ମଣ୍ଡଳୀକୁ ଲେଖିଥିଲେ ।

ପାଉଲ ଲେଖିଲେ, ‘ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ହଠାତ୍‌ ସେମାନଙ୍କ ବିନାଶ ଉପସ୍ଥିତ ହେବ ।’ (୧ ଥେସ. ୫:୨, ୩) ପାଉଲଙ୍କ ଏହି କଥାକୁ ଆମ ପ୍ରକାଶନଗୁଡ଼ିକରେ ପ୍ରାୟ ଏପରି ଭାବେ ବୁଝାଇ ଦିଆଯାଇଥାଏ: ‘ଶାନ୍ତି ଓ ନିରାପଦର’ ଘୋଷଣା ମହାକ୍ଳେଶ ଆରମ୍ଭ ହେବାର ଠିକ୍‌ ପୂର୍ବେ ହେବ । ଆଉ ମହାକ୍ଳେଶର ଆରମ୍ଭ ମହାନଗରୀ ବାବିଲର ଅର୍ଥାତ୍‌ ସାରା ଦୁନିଆରେ ସାମ୍ରାଜ୍ୟ ଭଳି ବ୍ୟାପିଥିବା ମିଥ୍ୟା ଧର୍ମଗୁଡ଼ିକର ବିନାଶରୁ ହେବ । ତାʼସହିତ ଆମେ ଏହା ବି କହିଛୁ ଯେ ‘ଶାନ୍ତି ଓ ନିରାପଦର’ ଘୋଷଣାରୁ ଆମକୁ ଏହା ଜଣାପଡ଼ିବ ଯେ ଖୁବ୍‌ ଶୀଘ୍ର ମହାକ୍ଳେଶ ଆରମ୍ଭ ହେବାକୁ ଯାଉଛି ।

କିନ୍ତୁ ଏବିଷୟରେ ଆହୁରି ଭଲଭାବେ ଯାଞ୍ଚ କଲାପରେ ଏପରି ଜଣାପଡ଼େ ଯେ ଆମେ ଏହି ଭବିଷ୍ୟତବାଣୀକୁ ଅନ୍ୟ ଉପାୟରେ ବି ବୁଝିପାରିବା । ହୁଏତ ‘ଶାନ୍ତି ଓ ନିରାପଦର’ ଘୋଷଣା ମିଥ୍ୟା ଧର୍ମଗୁଡ଼ିକର ବିନାଶ ପରେ କରାଯିବ । ଏପରି କାହିଁକି କୁହାଯାଇପାରେ ? ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ।

ଦୁନିଆରେ ହେଉଥିବା ଯୁଦ୍ଧଗୁଡ଼ିକରେ ମିଥ୍ୟା ଧର୍ମଗୁଡ଼ିକ କିପରି ସାମିଲ୍‌ ହୋଇଛି ? ବାଇବଲରେ କୁହାଯାଇଛି, “ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା [ଅର୍ଥାତ୍‌ ମହାନଗରୀ ବାବିଲ ବା “ମହାବେଶ୍ୟା”] ମଧ୍ୟରେ ଦେଖାଯାଇଥିଲା ।” (ପ୍ରକା. ୧୭:୧, ୫; ୧୮:୨୪) ଦେଖିବାକୁ ଗଲେ ମହାବେଶ୍ୟା ଯୁଦ୍ଧକୁ ପ୍ରୋତ୍ସାହନ ଦେଇଛି ଏବଂ ପ୍ରାୟ ତାହା ଯୋଗୁଁ ହିଁ ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇଛି । ଏହାଯୋଗୁଁ ଲକ୍ଷ ଲକ୍ଷ ଲୋକମାନଙ୍କର ମୃତ୍ୟୁ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଏହି ବେଶ୍ୟା ଯୁଦ୍ଧ ଓ ହିଂସାର ମୂଳ କାରଣ, ତାହା କେବେ ବି ଶାନ୍ତି ଓ ନିରାପଦ ଆଣିପାରି ନାହିଁ । ତେଣୁ ପ୍ରଶ୍ନ ଉଠେ: କʼଣ ରାଷ୍ଟ୍ରଗୁଡ଼ିକ ‘ଶାନ୍ତି ଓ ନିରାପଦର’ ଘୋଷଣା ମହାନଗରୀ ବାବିଲର ବିନାଶ ପରେ ହିଁ କରିବ ? ଆମେ ଏହା ଜୋର୍‌ ଦେଇ ତ କହିପାରିବା ନାହିଁ, କିନ୍ତୁ ଏପରି ହୋଇପାରେ ।

‘ଶାନ୍ତି ଓ ନିରାପଦର’ ଘୋଷଣା ପରେ କʼଣ ହେବ ? ପାଉଲ କହିଲେ, ‘ସେତେବେଳେ ହଠାତ୍‌ ସେମାନଙ୍କ ବିନାଶ ଉପସ୍ଥିତ ହେବ ।’ (୧ ଥେସ. ୫:୩) ଇଂରାଜୀ ନୂତନ ଜଗତ ଅନୁବାଦ ବାଇବଲର ଏହି ପଦର ଅଧ୍ୟୟନ ନୋଟ୍‌ରେ ଲେଖାଅଛି, “ପାଉଲଙ୍କ ଏହି କଥାରୁ ଜଣାପଡ଼େ ଯେ ଶାନ୍ତି ଓ ନିରାପଦର ଘୋଷଣାର ଠିକ୍‌ ପରେ ସେହି ଲୋକମାନଙ୍କର ବିନାଶ ହୋଇଯିବ, ଯେଉଁମାନେ ଘୋଷଣା କରିଥିଲେ । ଏହା ହଠାତ୍‌ ହେବ ଏବଂ ସେମାନଙ୍କୁ ବଞ୍ଚିବାର କୌଣସି ସୁଯୋଗ ମିଳିବ ନାହିଁ ।” ଯଦି ମିଥ୍ୟା ଧର୍ମଗୁଡ଼ିକର ବିନାଶ ପୂର୍ବରୁ ‘ଶାନ୍ତି ଓ ନିରାପଦରʼ ଘୋଷଣା ହେବ, ତାହେଲେ ଏହାପରେ ମିଥ୍ୟା ଧର୍ମଗୁଡ଼ିକର ବିନାଶ ହେବା ପାଇଁ କିଛି ସମୟ ଲାଗିବ ଏବଂ ତାʼପରେ ହିଁ ରାଷ୍ଟ୍ରଗୁଡ଼ିକର ବିନାଶ ହେବ । କିନ୍ତୁ ଯେପରି ପାଉଲ କହିଲେ, ଘୋଷଣା କରୁଥିବା ଲୋକମାନଙ୍କର “ହଠାତ୍‌” ବିନାଶ ହୋଇଯିବ । ସେଥିପାଇଁ ହୁଏତ ଦୁନିଆର ସରକାରଗୁଡ଼ିକ ‘ଶାନ୍ତି ଓ ନିରାପଦରʼ ଘୋଷଣା ମିଥ୍ୟା ଧର୍ମଗୁଡ଼ିକର ବିନାଶ ପରେ କରିବେ । ଏପରି ଭାବେ ସମସ୍ତ ରାଷ୍ଟ୍ରଗୁଡ଼ିକର ବିନାଶ ହଠାତ୍‌ ହୋଇଯିବ ।

ଯେବେ ଏହି ଘଟଣାଗୁଡ଼ିକ ଘଟିବ, ତେବେ ଯିହୋବାଙ୍କ ଲୋକଙ୍କୁ କିପରି ଲାଗିବ ? ପାଉଲ ଲେଖିଲେ, “ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେହି ଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ ।” (୧ ଥେସ. ୫:୪) ଭାବନ୍ତୁ, ଯଦି ‘ଶାନ୍ତି ଓ ନିରାପଦର’ ଘୋଷଣା ମିଥ୍ୟା ଧର୍ମଗୁଡ଼ିକର ବିନାଶ ପରେ କରାଯାଏ, ତାହେଲେ ଯିହୋବାଙ୍କ ଲୋକମାନଙ୍କୁ ଜଣାପଡ଼ିବ ଯେ ରାଷ୍ଟ୍ରଗୁଡ଼ିକର ବିନାଶ ମଧ୍ୟ ଖୁବ୍‌ ଶୀଘ୍ର ହେବାକୁ ଯାଉଛି । ତେଣୁ ସେମାନେ ଆଶ୍ଚର୍ଯ୍ୟ ହେବେ ନାହିଁ । କିନ୍ତୁ ରାଷ୍ଟ୍ରଗୁଡ଼ିକୁ ଏକଥା ଜଣା ନ ଥିବ, ତେଣୁ ସେମାନଙ୍କର ହଠାତ୍‌ ଚୋର ପରି ବିନାଶ ହୋଇଯିବ ।—୧ ଥେସ. ୫:୨.

ହେଲେ ଆମେ ଭବିଷ୍ୟତରେ କେଉଁ କଥାର ଆଶା କରିପାରିବା ? ଖୁବ୍‌ ଶୀଘ୍ର “ଦଶ ଶୃଙ୍ଗ” ଓ ଜଙ୍ଗଲୀ ପଶୁ ଯାହାକୁ ବହୁତ ଶକ୍ତି ଓ କ୍ଷମତା ମିଳିବ, ସେ ମିଥ୍ୟା ଧର୍ମଗୁଡ଼ିକର ବିନାଶ କରିଦେବ । ଏଥିରୁ ମହାକ୍ଳେଶର ଆରମ୍ଭ ହେବ । ଆମେ ଏହା ବି ଜାଣିଛୁ ଯେ ଦିନେ ଏପରି ସମୟ ଆସିବ, ଯେବେ ରାଷ୍ଟ୍ରଗୁଡ଼ିକ ‘ଶାନ୍ତି ଓ ନିରାପଦର’ ଘୋଷଣା କରିବ । ଏହି ଘୋଷଣା କେବେ ହେବ ? ଯେପରି ଆମେ ଚର୍ଚ୍ଚା କଲୁ, ଏହି ଘୋଷଣା ହେବାର ଦୁଇଟି ସମ୍ଭାବନା ରହିଛି । ପ୍ରଥମ: ହୁଏତ ଏହି ଘୋଷଣା ମିଥ୍ୟା ଧର୍ମଗୁଡ଼ିକର ବିନାଶ ପୂର୍ବରୁ ହେବ । ଦ୍ୱିତୀୟ: ଯେବେ ରାଷ୍ଟ୍ରଗୁଡ଼ିକ ମିଥ୍ୟା ଧର୍ମଗୁଡ଼ିକର ପୂରାପୂରି ଭାବେ ବିନାଶ କରିଦେବେ, ତେବେ ଏହାପରେ ସେମାନେ ଏହି ଘୋଷଣା କରିପାରନ୍ତି । କିନ୍ତୁ ଯେବେ ଏହି ଘଟଣାଗୁଡ଼ିକ ଘଟିବ, ତେବେ ଆମେ ସ୍ପଷ୍ଟ ଭାବେ ଜାଣିପାରିବା ଯେ ଏହି ଘଟଣାଗୁଡ଼ିକ ଠିକ୍‌ କିପରି ଭାବେ ଘଟିବ । ବାଇବଲର ଭବିଷ୍ୟତବାଣୀଗୁଡ଼ିକୁ ଆମେ ପ୍ରାୟ ସେତେବେଳେ ଭଲଭାବେ ବୁଝିପାରିଥାଉ, ଯେତେବେଳେ ଏହା ପୂରା ହେଉଥାଏ କିମ୍ବା ପୂରା ହୋଇସାରିଥାଏ ।—ଯୋହନ ୧୨:୧୬ ପଦ ସହ ତୁଳନା କରନ୍ତୁ ।

ଆଜି ଆମ ପାଇଁ ଏହି କଥା ମହତ୍ତ୍ୱ ରଖେନି ଯେ ‘ଶାନ୍ତି ଓ ନିରାପଦର’ ଘୋଷଣା ଠିକ୍‌ କେବେ ହେବ, ବରଂ ଏହା ମହତ୍ତ୍ୱ ରଖେ ଯେ ଆମେ ସବୁ ସମୟରେ ଯିହୋବାଙ୍କ ବିଶ୍ୱସ୍ତ ରହିବା । ଆମକୁ “ଜାଗ୍ରତ ହୋଇ ସଚେତନ” ରହିବା ଉଚିତ୍‌, ଯାହାଫଳରେ ଯେଉଁ ଘଟଣା ବି ପ୍ରଥମେ ହେବ ଆମେ ତାʼପାଇଁ ପୂରାପୂରି ଭାବେ ପ୍ରସ୍ତୁତ ଥିବା ।—୧ ଥେସ. ୫:୬.

a ନଭେମ୍ବର ୨୦୨୫ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ପଢ଼ନ୍ତୁ ।

b ପ୍ରେରିତ ପାଉଲ ଯେପରି ଭାବେ ଏହି କଥାକୁ ଲେଖିଲେ, ସେଥିରୁ ଏହା ବୁଝାପଡ଼େ ଯେ ଏବିଷୟରେ ଗୋଟିଏ ପରେ ଗୋଟିଏ ଅନେକ ଘୋଷଣା ହୋଇପାରେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ