ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଫେବୃୟାରୀ ପୃଷ୍ଠା ୨-୭
  • ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ସହ କିପରି ଭଲ ସମ୍ପର୍କ ବଜାୟ ରଖିପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ସହ କିପରି ଭଲ ସମ୍ପର୍କ ବଜାୟ ରଖିପାରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଦୟା ଦେଖାନ୍ତୁ
  • ସେମାନଙ୍କ କଥା ଓ ବ୍ୟବହାରରୁ ଖରାପ ଭାବନ୍ତୁ ନାହିଁ
  • ଧୈର୍ଯ୍ୟ ଧରନ୍ତୁ ଓ ଆଶା ରଖନ୍ତୁ
  • ପ୍ରେମ ଦେଖାନ୍ତୁ
  • ହାର ମାନନ୍ତୁ ନାହିଁ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ମୌଳିକ ଶିକ୍ଷାଗୁଡ଼ିକରୁ ଶିଖନ୍ତୁ, ନୂଆ ନୂଆ କଥା
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଫେବୃୟାରୀ ପୃଷ୍ଠା ୨-୭

୬-୧୨ ଏପ୍ରିଲ୍‌, ୨୦୨୬

ଗୀତ ୫୬ ସତ୍ୟକୁ ନିଜର କର

ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ସହ କିପରି ଭଲ ସମ୍ପର୍କ ବଜାୟ ରଖିପାରିବା ?

“ଆମ୍ଭେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ ।”—ଗାଲା. ୬:୯.

କʼଣ ଶିଖିବା ?

ଆମେ କିପରି ନିଜ ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିପାରିବା ଏବଂ ଏପରି କʼଣ କରିପାରିବା ଯାହାଫଳରେ ସେମାନେ ବି ଯିହୋବାଙ୍କୁ ଜାଣିବା ପାଇଁ ଚାହିଁବେ ?

୧-୨. ହୁଏତ କେଉଁ କାରଣ ଯୋଗୁଁ ଆମ ସମ୍ପର୍କୀୟମାନଙ୍କ ସହିତ ଆମର ଭଲ ସମ୍ପର୍କ ନ ଥିବ ?

ଥରେ ଯୀଶୁ ଜଣେ ବ୍ୟକ୍ତିକୁ ସୁସ୍ଥ କଲାପରେ କହିଲେ, ‘ତୁମ୍ଭର ଗୃହକୁ, ତୁମ୍ଭର ସମ୍ପର୍କୀୟମାନଙ୍କ ନିକଟକୁ ଯାଅ, ପୁଣି ଯିହୋବା ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି, ସେହିସବୁ ସେମାନଙ୍କୁ ଜଣାଅ ।’ (ମାର୍କ ୫:୧୯) ଯୀଶୁ ଏପରି କାହିଁକି କହିଲେ ? କାରଣ ସେ ଜାଣିଥିଲେ ଯେ ଯେବେ ମଣିଷମାନଙ୍କୁ କୌଣସି ଭଲ ଖବର ଶୁଣିବାକୁ ମିଳେ, ତେବେ ସେମାନଙ୍କୁ ସେବିଷୟରେ ନିଜ ସମ୍ପର୍କୀୟମାନଙ୍କୁ ଜଣାଇବା ପାଇଁ ଇଚ୍ଛା ହୁଏ ।

୨ କʼଣ ଆପଣଙ୍କୁ ସେହି ଦିନ ମନେ ଅଛି, ଯେବେ ଆପଣ ପ୍ରଥମ ଥର ରାଜ୍ୟର ସୁସମାଚାର ଶୁଣିଥିଲେ ? ଆପଣଙ୍କୁ ନିଶ୍ଚୟ ଏବିଷୟରେ ନିଜର ସମ୍ପର୍କୀୟମାନଙ୍କୁ କହିବା ପାଇଁ ଇଚ୍ଛା ହୋଇଥିବ, କିନ୍ତୁ ସେମାନଙ୍କୁ ଏବିଷୟରେ ଶୁଣି ହୁଏତ ଭଲ ଲାଗି ନ ଥିବ । କିମ୍ବା ଆପଣ ଯେପରି ଭାବରେ ସେମାନଙ୍କୁ ସତ୍ୟ ବିଷୟରେ କହିଲେ, ସେଥିରୁ ବି ସେମାନଙ୍କୁ ଖରାପ ଲାଗିଥିବ । ଯଦି ଆପଣଙ୍କ ସହିତ ଏପରି ହୋଇଛି, ତାହେଲେ ଏହି ଲେଖା ସାହାଯ୍ୟରୁ ଆପଣ ଜାଣିପାରିବେ ଯେ ଆପଣ କିପରି ନିଜ ସମ୍ପର୍କୀୟମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ସହିତ ଯିହୋବାଙ୍କର ବି ବିଶ୍ୱସ୍ତ ରହିପାରିବେ ।

୩. ଏହି ଲେଖାରେ ଆମେ କେଉଁ ବିଷୟରେ ଜାଣିବା ?

୩ ଏହି ଲେଖାରେ ଆମେ ଜାଣିବା ଯେ (୧) ଯଦିଓ ଆମ ସମ୍ପର୍କୀୟମାନେa ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଚାହାନ୍ତି ନାହିଁ, ତଥାପି କେଉଁ କଥା ଆମକୁ ସେମାନଙ୍କୁ ଦୟା ଦେଖାଇବା ପାଇଁ ପ୍ରେରିତ କରିବ ? (୨) ଯଦି ଆମ ସମ୍ପର୍କୀୟମାନେ ଆମକୁ ଓଲଟା ସିଧା କଥା କହନ୍ତି କିମ୍ବା ଆମ ସହିତ ଖରାପ ବ୍ୟବହାର କରନ୍ତି, ତେବେ ଆମେ କʼଣ କରିପାରିବା ? (୩) ଆମେ କିପରି ନିଜର ସମ୍ପର୍କୀୟମାନଙ୍କ ସହ ଧୈର୍ଯ୍ୟ ଧରିପାରିବା ଏବଂ ଏହା ଆଶା ରଖିପାରିବା ଯେ ଦିନେ ସେମାନେ ବି ଯିହୋବାଙ୍କ ବିଷୟରେ ଶିଖିବେ ? ଏବଂ (୪) ଆମେ କିପରି ନିଜ ସମ୍ପର୍କୀୟମାନଙ୍କୁ ଦେଖାଇପାରିବା ଯେ ଆମେ ତାଙ୍କୁ ପ୍ରେମ କରୁ ?

ଦୟା ଦେଖାନ୍ତୁ

୪. ଅନେକ ଲୋକ ଯୀଶୁଙ୍କ ସନ୍ଦେଶ ଶୁଣିଲେ ନାହିଁ, ତଥାପି ସେ କʼଣ କଲେ ?

୪ ଅନେକ ଲୋକ ଯୀଶୁଙ୍କ ସନ୍ଦେଶ ଶୁଣିଲେ ନାହିଁ, ତଥାପି ଯୀଶୁ ହାର ମାନିଲେ ନାହିଁ । ଏହାକୁ ବୁଝିବା ପାଇଁ ସେ ଗୋଟିଏ ଉଦାହରଣ ଦେଲେ । ସେହି ଉଦାହରଣରେ ସେ ନିଜର ତୁଳନା ଗୋଟିଏ ବଗିଚାର ମାଳୀ ସହିତ କଲେ । ସେହି ମାଳୀ ନିଜ ବଗିଚାରେ ଡିମିରି ଗଛ ଲଗାଇଥିଲା, କିନ୍ତୁ ସେହି ଗଛରେ ତିନି ବର୍ଷ ଯାଏ ଫଳ ହେଲା ନାହିଁ । ତଥାପି ସେ ସେହି ଗଛର ଯତ୍ନ ନେବା ଜାରି ରଖିଲା । (ଲୂକ ୧୩:୬-୯) ଯୀଶୁ ଏହି ଉଦାହରଣ ସେହି ସମୟରେ ଦେଲେ, ଯେବେ ସେ ଯିହୁଦୀମାନଙ୍କୁ ପ୍ରଚାର କରିବାର ତିନି ବର୍ଷ ହୋଇସାରିଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ତାଙ୍କ ଉପରେ ବିଶ୍ୱାସ କଲେ ନାହିଁ । ତଥାପି ଯୀଶୁ ଧୈର୍ଯ୍ୟ ଧରିଲେ ଏବଂ ସେମାନଙ୍କୁ ଲଗାତାର ଶିଖାଇବା ପାଇଁ ଚେଷ୍ଟା କଲେ, କାରଣ ଯୀଶୁ ସେମାନଙ୍କୁ ପ୍ରେମ କରୁଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ ।

୫. ଯିହୁଦୀମାନଙ୍କୁ ଦେଖି ଯୀଶୁ କାହିଁକି ଦୟାରେ ବିଗଳିତ ହେଲେ ?

୫ ଯିହୁଦୀମାନଙ୍କୁ ଈଶ୍ୱରଙ୍କ ବିଷୟରେ ସତ୍ୟ ଶିଖାଇବା ଧର୍ମଗୁରୁମାନଙ୍କର ଦାୟିତ୍ୱ ଥିଲା, କିନ୍ତୁ ସେମାନେ ଏପରି କଲେ ନାହିଁ । ସେଥିପାଇଁ ଯୀଶୁ ଲୋକମାନଙ୍କ ବିଷୟରେ କହିଲେ, “ସେମାନେ ଅରକ୍ଷକ ମେଷ ପରି ।” (ମାର୍କ ୬:୩୪) ସେମାନଙ୍କର ଏହି ଅବସ୍ଥାକୁ ଦେଖି ଯୀଶୁ ଦୟାରେ ବିଗଳିତ ହେଲେ । ଯୀଶୁ ନିଜ ମୃତ୍ୟୁର କିଛି ସମୟ ପୂର୍ବରୁ ଯିରୂଶାଲମ ସହରକୁ ଦେଖି କାନ୍ଦିବାକୁ ଲାଗିଲେ । କାରଣ ସେ ଜାଣିଥିଲେ ଯେ ସେଠାର ଅଧିକାଂଶ ଲୋକ ତାଙ୍କ ଉପରେ ଏବଂ ଯିହୋବାଙ୍କ ଉପରେ ବିଶ୍ୱାସ ନ କରିବା ଯୋଗୁଁ ତାଙ୍କ ଜୀବନକୁ ହରାଇ ବସିବେ । (ଲୂକ ୧୯:୪୧-୪୪) ଯୀଶୁଙ୍କ ଭଳି ଆମେ ବି ଭାବିବା ଯେ ଯଦି ଆମ ସମ୍ପର୍କୀୟ ଲୋକ ଯିହୋବାଙ୍କୁ ଜାଣିବେ ନାହିଁ, ତାହେଲେ ସେମାନେ ନିଜର ଜୀବନକୁ ହରାଇ ବସିବେ । ଏପରି ଭାବିଲେ ଆମକୁ ସେମାନଙ୍କର ସାହାଯ୍ୟ କରିବା ପାଇଁ ଇଚ୍ଛା ହେବ ।

୬. ଆମେ କାହିଁକି ନିଜ ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ସହ ଧୈର୍ଯ୍ୟ ଧରିବା ଉଚିତ୍‌ ? (ଗାଲାତୀୟ ୬:୯)

୬ ଗାଲାତୀୟ ୬:୯ ପଢ଼ନ୍ତୁ । ଯଦିଓ ଆମ ସମ୍ପର୍କୀୟମାନେ ଏବେ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଚାହୁଁ ନାହାନ୍ତି, ତଥାପି ଆମେ ସେମାନଙ୍କ ସହ ଧୈର୍ଯ୍ୟ ଧରିବା ଉଚିତ୍‌ ଏବଂ “ଉତ୍ତମ କର୍ମ” କରିବାରେ କେବେ ବି ହାର ମାନିବା ଉଚିତ୍‌ ନୁହେଁ । ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି ଯାହା ବିଶ୍ୱାସ କରି ଆସୁଛି, ତାହାକୁ ଛାଡ଼ିବା ପାଇଁ ଓ ଯିହୋବାଙ୍କ ଉପରେ ବିଶ୍ୱାସ ବଢ଼ାଇବା ପାଇଁ ସମୟ ଲାଗିପାରେ । ମନେ ପକାନ୍ତୁ, ଏପରି ବି ଦିନ ଥିଲା ଯେବେ ଆପଣ ବି ‘ଜଗତରେ ଆଶାହୀନ ଓ ଈଶ୍ୱରବିହୀନ’ ଥିଲେ । (ଏଫି. ୨:୧୨) କିନ୍ତୁ କେହି ଅତି ପ୍ରେମର ସହ ଆପଣଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ସାହାଯ୍ୟ କଲେ । ଯଦି ସମ୍ଭବ, ଆପଣ ବି ନିଜ ସମ୍ପର୍କୀୟମାନଙ୍କୁ ଏହିପରି ଭାବେ ସାହାଯ୍ୟ କରିପାରିବେ ।

ସେମାନଙ୍କ କଥା ଓ ବ୍ୟବହାରରୁ ଖରାପ ଭାବନ୍ତୁ ନାହିଁ

୭. ଯୀଶୁଙ୍କ ଭାଇମାନେ ହୁଏତ କେଉଁ କାରଣ ଯୋଗୁଁ ତାଙ୍କ ଉପରେ ବିଶ୍ୱାସ କରିପାରୁ ନ ଥିଲେ ?

୭ ଗାଲିଲୀରେ ଯୀଶୁ ଯେଉଁ ଚମତ୍କାରଗୁଡ଼ିକ କରିଥିଲେ, ସେବିଷୟରେ ଯୀଶୁଙ୍କ ଭାଇମାନେ ବି ହୁଏତ ଶୁଣିଥିବେ । (ଲୂକ ୪:୧୪, ୨୨-୨୪) କିନ୍ତୁ ଆରମ୍ଭରେ ସେମାନେ ତାଙ୍କ ଉପରେ ବିଶ୍ୱାସ କଲେ ନାହିଁ । (ଯୋହ. ୭:୫) ବାଇବଲରେ ସ୍ପଷ୍ଟ ଭାବରେ ଏହାର କାରଣ ଦିଆଯାଇ ନାହିଁ, କିନ୍ତୁ ହୁଏତ ଏପରି ଦୁଇଟି କାରଣ ଯୋଗୁଁ ଅନେକ ଯିହୁଦୀ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ପଛଘୁଞ୍ଚା ଦେଲେ । ପ୍ରଥମ କାରଣ ହେଉଛି, ସେମାନେ ସମାଜରେ ଲୋକମାନଙ୍କର ଭୟ ଯୋଗୁଁ ତାଙ୍କର ଶିଷ୍ୟ ହେଲେ ନାହିଁ । (ଯୋହ. ୯:୧୮-୨୨) ଦ୍ୱିତୀୟ କାରଣ ହେଉଛି, ଅନେକ ଯିହୁଦୀ ଯୀଶୁଙ୍କୁ ପିଲାବେଳରୁ ହିଁ ଦେଖିଥିଲେ, ତେଣୁ ସେମାନେ ବିଶ୍ୱାସ କରିପାରୁ ନ ଥିଲେ ଯେ ସେ ମସୀହ ଅଟନ୍ତି । (ମାର୍କ ୬:୧-୪) ଯୀଶୁଙ୍କ ଭାଇମାନେ ବି ହୁଏତ ଏହି କାରଣ ଯୋଗୁଁ ତାଙ୍କ ଉପରେ ବିଶ୍ୱାସ କରିପାରୁ ନ ଥିଲେ । କʼଣ ଆପଣଙ୍କ ସମ୍ପର୍କୀୟମାନେ ବି ଏପରି କିଛି କାରଣ ଯୋଗୁଁ ରାଜ୍ୟର ସନ୍ଦେଶ ଉପରେ ବିଶ୍ୱାସ କରୁ ନାହାନ୍ତି ?

୮. ଆମ ଅବିଶ୍ୱାସୀ ସମ୍ପର୍କୀୟମାନେ ହୁଏତ କାହିଁକି ଆମକୁ ଖରାପ ବ୍ୟବହାର ଦେଖାନ୍ତି କିମ୍ବା ଓଲଟା ସିଧା କଥା କହନ୍ତି ?

୮ ଭାବନ୍ତୁ ଯେ ସେମାନେ କାହିଁକି ଏପରି କହନ୍ତି କିମ୍ବା ଏପରି ବ୍ୟବହାର କରନ୍ତି । ଯୀଶୁଙ୍କ ସମ୍ପର୍କୀୟମାନେ ତାଙ୍କୁ ପାଗଳ ବୋଲି କହୁଥିଲେ । (ମାର୍କ ୩:୨୧) ହୁଏତ ତାଙ୍କ ଭାଇମାନେ ବି ଏପରି ହିଁ ଭାବୁଥିଲେ । ସେମାନେ ଏପରି କାହିଁକି କହିଥିବେ ? ଆଖପାଖର ପଦଗୁଡ଼ିକରୁ ଜଣାପଡ଼େ ଯେ ଯୀଶୁ ଏତେ ବ୍ୟସ୍ତ ରହୁଥିଲେ ଯେ ତାଙ୍କୁ ଖାଇବା ପାଇଁ ବି ସମୟ ମିଳୁ ନ ଥିଲା । (ମାର୍କ ୩:୨୦) ହୁଏତ ତାଙ୍କ ସମ୍ପର୍କୀୟମାନଙ୍କୁ ଲାଗୁଥିଲା ଯେ ସେ ଟିକେ ବେଶୀ ହିଁ କରୁଛନ୍ତି । କʼଣ ଆପଣଙ୍କ ସମ୍ପର୍କୀୟମାନଙ୍କୁ ବି ଲାଗେ ଯେ ଆପଣ ବେଶୀ ଧାର୍ମିକ ଦେଖେଇ ହେଉଛନ୍ତି ? ଯଦି ସେମାନେ ଏପରି ଭାବନ୍ତି, ତାହେଲେ ଆମେ ସେମାନଙ୍କୁ ନିଜ କାମରୁ ଦେଖାଇପାରିବା ଯେ ଆମେ ଅନ୍ୟ କାମଗୁଡ଼ିକ ପାଇଁ ବି ସମୟ ବାହାର କରୁ ।

୯. ଆମେ କʼଣ କରିପାରିବା, ଯାହାଫଳରେ ଆମ ସମ୍ପର୍କୀୟମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହୋଇପାରେ ? (୧ ପିତର ୩:୧, ୨) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୯ ଭଲ ବ୍ୟବହାର ଦେଖାନ୍ତୁ । ଯଦି ଆମେ ନିଜ ସମ୍ପର୍କୀୟମାନଙ୍କ ସହିତ ପ୍ରେମର ସହ କଥା ହେବା ଓ ଭଲ ବ୍ୟବହାର ଦେଖାଇବା, ତାହେଲେ ହୁଏତ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହୋଇପାରେ । (୧ ପିତର ୩:୧, ୨ ପଢ଼ନ୍ତୁ ।) ଉଦାହରଣ ପାଇଁ, ହୁଏତ ଜଣେ ଭଉଣୀଙ୍କ ସ୍ୱାମୀ ସତ୍ୟରେ ନାହାନ୍ତି, ତେଣୁ ଯେବେ ଭଉଣୀ ସଭାକୁ ଓ ପ୍ରଚାରକୁ ଯାʼନ୍ତି ତେବେ ହୁଏତ ତାଙ୍କୁ ଭଲ ଲାଗେନି କିମ୍ବା ସେ ଏକୁଟିଆ ଅନୁଭବ କରନ୍ତି । ଏପରି ହେଲେ ଭଉଣୀ ନିଜ ସ୍ୱାମୀଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ନିଜ ସେଡ୍ୟୁଲରେ ପରିବର୍ତ୍ତନ କରିପାରିବେ । ଭଉଣୀ ସେହି ସମୟରେ ପ୍ରଚାରକୁ ଯାଇପାରିବେ, ଯେବେ ତାଙ୍କ ସ୍ୱାମୀ ଅନ୍ୟ କୌଣସି କାମ କରନ୍ତି କିମ୍ବା ସେ ଘରେ ନ ଥାʼନ୍ତି । ଏପରି ଭାବେ ଯଦି ଭଉଣୀ ନିଜ ସେଡ୍ୟୁଲରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହିବେ, ତାହେଲେ ହୁଏତ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ତାଙ୍କ ସ୍ୱାମୀଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହେବ ।

ଚିତ୍ରଗୁଡ଼ିକ: ୧. ଜଣେ ଭଉଣୀ ନିଜ ଅବିଶ୍ୱାସୀ ସ୍ୱାମୀ ପାଇଁ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି । ୨. ଏହାପରେ ସେ ଅନ୍ୟ ଜଣେ ଭଉଣୀଙ୍କ ସହିତ ପ୍ରଚାରକୁ ଯାʼନ୍ତି ଏବଂ ଜଣେ ସ୍ତ୍ରୀକୁ ସାକ୍ଷ୍ୟ ଦେଉଛନ୍ତି ।

ଯଦି ଆମେ ପ୍ରେମର ସହ କଥା ହେବା ଓ ଭଲ ବ୍ୟବହାର କରିବା, ତାହେଲେ ହୁଏତ ଆମ ଅବିଶ୍ୱାସୀ ଜୀବନସାଥୀର ମନ ପରିବର୍ତ୍ତନ ହୋଇପାରେ (ପାରାଗ୍ରାଫ ୯)g


୧୦. ଯେବେ ଅନ୍ୟମାନେ ଆମକୁ ଥଟ୍ଟା କରନ୍ତି, ତେବେ ଆମେ ଯୀଶୁଙ୍କ ଭଳି କʼଣ କରିପାରିବା ?

୧୦ ସବୁବେଳେ ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଲୋକମାନେ ଯୀଶୁଙ୍କ ଉପରେ ମିଛ ଆରୋପ ଲଗାଇଲେ । ସେମାନେ କହିଲେ ଯେ ସେ ପେଟୁ ଓ ମଦୁଆ ଅଟନ୍ତି । କିନ୍ତୁ ଯୀଶୁ ରାଗିଲେ ନାହିଁ ଏବଂ ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କଲେ ନାହିଁ । ଏହା ପରିବର୍ତ୍ତେ ସେ ଲୋକମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ନିଜେ ତାଙ୍କର କାମଗୁଡ଼ିକୁ ଦେଖି ଏହା ନିର୍ଣ୍ଣୟ କରନ୍ତୁ ଯେ ସେ ପ୍ରକୃତରେ କିପରି ବ୍ୟକ୍ତି ଅଟନ୍ତି । (ମାଥି. ୧୧:୧୯) ସେ ନିଜର ଜୀବନ ଶୈଳୀରୁ ବି ଦେଖାଇଲେ ଯେ ଈଶ୍ୱରଙ୍କ ସେବା କରିବା ସହିତ ସେ ନିଜ ସାଙ୍ଗମାନଙ୍କ ପାଇଁ ବି ସମୟ ବାହାର କରନ୍ତି । (ଯୋହନ ୨:୨, ୬-୧୦ ପଦ ସହ ତୁଳନା କରନ୍ତୁ ।) ଠିକ୍‌ ସେହିଭଳି, ଯଦି ଆପଣଙ୍କ ସମ୍ପର୍କୀୟମାନେ ଆପଣଙ୍କର ଥଟ୍ଟା କରନ୍ତି, ତାହେଲେ ଏପରି ଭାବନ୍ତୁ ନାହିଁ ଯେ ଆପଣଙ୍କୁ ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବା ଉଚିତ୍‌ । ଏହା ପରିବର୍ତ୍ତେ ଯିହୋବାଙ୍କ ସେବାରେ ଲାଗି ରହନ୍ତୁ ଏବଂ ଅନ୍ୟ କାମଗୁଡ଼ିକ ପାଇଁ ବି ସମୟ ବାହାର କରନ୍ତୁ । ଏପରି କଲେ ଆପଣଙ୍କ ସମ୍ପର୍କୀୟମାନେ ଦେଖିପାରିବେ ଯେ ଆପଣ ଅନ୍ୟ କାମଗୁଡ଼ିକୁ ବି ମହତ୍ତ୍ୱ ଦିଅନ୍ତି ଏବଂ ଖୁସି ରହନ୍ତି । ତାʼସହିତ ହୁଏତ ସେମାନଙ୍କୁ ଅନୁଭବ ହେବ ଯେ ସେମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଯାହା ଶୁଣିଥିଲେ, ତାହା ସତ ନ ଥିଲା ।

ଧୈର୍ଯ୍ୟ ଧରନ୍ତୁ ଓ ଆଶା ରଖନ୍ତୁ

୧୧. ଯୀଶୁ ନିଜ ଅବିଶ୍ୱାସୀ ଭାଇମାନଙ୍କ ସହିତ କିପରି ବ୍ୟବହାର କଲେ ?

୧୧ ସୁସମାଚାରର ବହିଗୁଡ଼ିକରୁ ଜଣାପଡ଼େ ଯେ ଯୀଶୁ ନିଜ ଭାଇମାନଙ୍କ ସହିତ ଧୈର୍ଯ୍ୟ ଧରିଲେ । ଉଦାହରଣ ପାଇଁ, ଯେବେ ଯୀଶୁ କାନ୍ନାରେ ପ୍ରଥମ ଚମତ୍କାର କଲେ ତେବେ ହୁଏତ ତାଙ୍କ ଭାଇମାନେ ବି ସେଠାରେ ଥିଲେ । (ଯୋହ. ୨:୧୧, ୧୨) କିନ୍ତୁ ଯେପରି ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ, ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ କଲେ ନାହିଁ, ତଥାପି ଯୀଶୁ ସେମାନଙ୍କ ସହିତ ନିଜର ସମ୍ପର୍କକୁ ଭାଙ୍ଗିଲେ ନାହିଁ । ବାଇବଲରେ କୁହାଯାଇଛି ଯେ କାନ୍ନାରେ ଚମତ୍କାର କରିବାର ପ୍ରାୟ ତିନି ବର୍ଷ ପରେ ବି ଯୀଶୁ ନିଜ ଭାଇମାନଙ୍କ ସହିତ ଭଲଭାବରେ କଥା ହେଉଥିଲେ ।—ଯୋହ. ୭:୫-୮.

୧୨. ଆମକୁ କେଉଁ କଥାରୁ ଆଶା ମିଳେ ଯେ ଦିନେ ଆମ ସମ୍ପର୍କୀୟମାନେ ଯିହୋବାଙ୍କ ସେବା କରିପାରନ୍ତି ?

୧୨ କିଛି ସମୟ ପୂର୍ବରୁ ଆମେ ଭଲଭାବେ ବୁଝିପାରିଲୁ ଯେ ଯିହୋବା କେତେ ଦୟାଳୁ ଈଶ୍ୱର ଅଟନ୍ତି । ଆମେ ଜାଣିଲୁ ଯେ ମିଥ୍ୟା ଧର୍ମଗୁଡ଼ିକର ବିନାଶ ପରେ ବି ଯଦି କେହି ଯିହୋବାଙ୍କର ସେବା କରିବା ପାଇଁ ଚାହିଁବେ, ତାହେଲେ ଯିହୋବା ହୁଏତ ତାଙ୍କୁ ଏପରି କରିବା ପାଇଁ ସୁଯୋଗ ଦେବେ । ଯେବେ ମିଥ୍ୟା ଧର୍ମଗୁଡ଼ିକର ବିନାଶ ହେବ, ତେବେ ହୁଏତ ଆମ ସମ୍ପର୍କୀୟମାନଙ୍କୁ ଏହା ମନେ ପଡ଼ିବ ଯେ ଏବିଷୟରେ ଆମେ ସେମାନଙ୍କୁ ପୂର୍ବରୁ ଜଣାଇଥିଲୁ ।b (ପ୍ରକା. ୧୭:୧୬) ଏଥିରୁ ଆମକୁ ଆଶା ମିଳେ ଯେ ହୁଏତ ମହାକ୍ଳେଶ ଆରମ୍ଭ ହେବା ପରେ ସେମାନେ ଆମ ସହିତ ମିଶି ଯିହୋବାଙ୍କ ଉପାସନା କରିପାରନ୍ତି । ଆଜି ବି ଯଦି ଆମ ସମ୍ପର୍କୀୟମାନେ କୌଣସି ସମସ୍ୟାର ସାମନା କରନ୍ତି, ତାହେଲେ ଆମେ ସେମାନଙ୍କୁ ଏକୁଟିଆ ଛାଡ଼ିବାନି, ବରଂ ଆମେ ସେମାନଙ୍କୁ ସାହାଯ୍ୟ କରିବା । ଏପରି କଲେ ସେମାନେ ଦେଖିପାରିବେ ଯେ ଆମେ ପ୍ରକୃତରେ ସେମାନଙ୍କୁ ପ୍ରେମ କରୁ ଏବଂ ହୁଏତ ସେମାନେ ବାଇବଲର ସତ୍ୟଗୁଡ଼ିକୁ ଜାଣିବା ପାଇଁ ଚାହିଁବେ ।

ପ୍ରେମ ଦେଖାନ୍ତୁ

୧୩. ଆମକୁ କେଉଁ କଥାର ଧ୍ୟାନ ରଖିବା ଉଚିତ୍‌ ?

୧୩ ଆମ ସମସ୍ତଙ୍କ ପାଖରେ ଯିହୋବାଙ୍କ ସେବାରେ କରିବା ପାଇଁ ବହୁତ କାମ ରହିଛି, କିନ୍ତୁ ଆମେ ନିଜ ସମ୍ପର୍କୀୟମାନଙ୍କୁ ଏହା ଦେଖାଇବା ପାଇଁ ଚାହୁଁନୁ ଯେ ଆମେ ବହୁତ ବ୍ୟସ୍ତ ରହୁ କିମ୍ବା ଏବେ ତାଙ୍କ ସହିତ ଆମ ସମ୍ପର୍କ ପୂର୍ବ ଭଳି ଆଉ ନାହିଁ । (ମାଥି. ୭:୧୨) ହେଲେ ଆମେ କିପରି ଦେଖାଇପାରିବା ଯେ ଆମେ ସେମାନଙ୍କୁ ସତରେ ପ୍ରେମ କରୁ ଏବଂ ସେମାନଙ୍କର ଚିନ୍ତା କରୁ ? ଆସନ୍ତୁ କିଛି ଉପାୟ ଉପରେ ଧ୍ୟାନ ଦେବା ।

୧୪-୧୫. ଆମେ କିପରି ନିଜ ଅବିଶ୍ୱାସୀ ସମ୍ପର୍କୀୟମାନଙ୍କୁ ପ୍ରେମ ଦେଖାଇପାରିବା ? ଗୋଟିଏ ଉଦାହରଣ ଦିଅନ୍ତୁ ।

୧୪ ସେମାନଙ୍କ ସହିତ କଥା ହୁଅନ୍ତୁ ଓ ସେମାନଙ୍କୁ ପ୍ରେମ ଦେଖାନ୍ତୁ । ଆମେ ନିଜ ସମ୍ପର୍କୀୟମାନଙ୍କ ସହିତ ଲଗାତାର କଥାବାର୍ତ୍ତା ହେବା । ଉଦାହରଣ ପାଇଁ, ଆମେ ସେମାନଙ୍କୁ ମେସେଜ୍‌ ପଠାଇ ପାରିବା କିମ୍ବା ଯଦି ଆମେ କୁଆଡ଼େ ବୁଲିବା ପାଇଁ ଯାଇଥିଲୁ କିମ୍ବା ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇ ଥିଲୁ, ତାହେଲେ ସେମାନଙ୍କୁ ସେହି ଦିନର ଫଟୋ ପଠାଇପାରିବା । କିମ୍ବା ଆମେ ସେମାନଙ୍କୁ ଛୋଟ ଛୋଟ ଉପହାର ଦେଇପାରିବା କିମ୍ବା ଗୋଟିଏ ଚିଠି ଲେଖିପାରିବା । ଆମର ଏହି ଚେଷ୍ଟାଗୁଡ଼ିକୁ ଦେଖି ସେମାନଙ୍କୁ ଅନୁଭବ ହେବ ଯେ ଆମେ ସେମାନଙ୍କୁ ବହୁତ ପ୍ରେମ କରୁ ଏବଂ ସେମାନଙ୍କ ସହିତ ଆମ ସମ୍ପର୍କ ଭଲ ହୋଇଯିବ ।

୧୫ ଆର୍ମେନିଆରେ ରହୁଥିବା ଭଉଣୀ ଆନାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ପରିବାର ସାଙ୍ଗରେ ମିଶି ବହୁତ ସମୟ ବିତାଉ ଥିଲା । ବିଶେଷ କରି କୌଣସି ପର୍ବ ଦିନରେ କିମ୍ବା କାହାରି ଜନ୍ମ ଦିନରେ । ଯେବେ ଆନା ସତ୍ୟ ଶିଖିଲେ, ତେବେ ତାଙ୍କ ସମ୍ପର୍କୀୟମାନଙ୍କୁ ଲାଗିଲା ଯେ ସେ ଏବେ ସେମାନଙ୍କ ସହିତ ଅଧିକ ସମୟ ବିତାଇବେ ନାହିଁ ଏବଂ ସେମାନଙ୍କ ସମ୍ପର୍କ ପୂର୍ବ ଭଳି ଆଉ ରହିବ ନାହିଁ । ସେମାନଙ୍କୁ ଭଉଣୀଙ୍କ ଭବିଷ୍ୟତ ପାଇଁ ବି ଚିନ୍ତା ହେବାକୁ ଲାଗିଲା । ଭଉଣୀ ଆନା ସେମାନଙ୍କର ଚିନ୍ତାକୁ କମ୍‌ କରିବା ପାଇଁ କʼଣ କଲେ ? ସେ କହନ୍ତି, “ଯେବେ ମୁଁ ନିଜ ସମ୍ପର୍କୀୟମାନଙ୍କୁ ଭେଟେ, ତେବେ ମୁଁ ସେମାନଙ୍କୁ କହେ ଯେ ମୋ ଜୀବନରେ କʼଣ ଚାଲିଛି ଏବଂ ମୁଁ କʼଣ କରୁଛି । ମୁଁ ସେମାନଙ୍କୁ ନିଜ ଘରକୁ ବି ଡାକେ ଏବଂ ନିଜ ସାଙ୍ଗମାନଙ୍କ ସହିତ ବି ଭେଟ କରାଏ । ଏପରି କରିବା ଯୋଗୁଁ ମୋର ଅଧିକାଂଶ ସମ୍ପର୍କୀୟମାନେ ମୋ ସାଙ୍ଗମାନଙ୍କୁ ଭଲଭାବେ ଜାଣନ୍ତି ଏବଂ ସେମାନଙ୍କୁ ପସନ୍ଦ କରନ୍ତି । ସେମାନେ ଅନେକ ଥର କହିଲେ ଯେ ମୁଁ ବହୁତ ଖୁସି ରହେ ଏବଂ ସେମାନଙ୍କୁ ମୋର ଚିନ୍ତା ଲାଗି ରହେନି ।”

୧୬. ଯୀଶୁ କିପରି ଦେଖାଇଲେ ଯେ ସେ ନିଜ ଭାଇ ଯାକୁବଙ୍କ ଚିନ୍ତା କରନ୍ତି ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୧୬ ସେମାନଙ୍କ ପ୍ରତି ଆଗ୍ରହ ଦେଖାନ୍ତୁ । ଯୀଶୁ ଜୀବିତ ହେବା ପରେ ନିଜ ଭାଇ ଯାକୁବଙ୍କୁ ଏକୁଟିଆ ଭେଟିବା ପାଇଁ ଗଲେ । (୧ କରି. ୧୫:୭) ଏପରି କରି ସେ ଦେଖାଇଲେ ଯେ ସେ ନିଜ ଭାଇଙ୍କର ଚିନ୍ତା କରନ୍ତି । ଭାବନ୍ତୁ, ଯେବେ ଯାକୁବ ଦେଖିଥିବେ ଯେ ଯୀଶୁ ତାଙ୍କୁ ଏବେ ବି ପ୍ରେମ କରନ୍ତି, ତେବେ ତାଙ୍କୁ କେତେ ଖୁସି ଲାଗିଥିବ । ହୁଏତ ଯୀଶୁଙ୍କୁ ଭେଟିବା ପରେ ତାଙ୍କୁ ଭରସା ହୋଇଯାଇଥିବ ଯେ ଯୀଶୁ ହିଁ ମସୀହ ଅଟନ୍ତି । ହୁଏତ ଏହାପରେ ହିଁ ଯାକୁବ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରିଥିବେ ଯେ ଯୀଶୁ ହିଁ ମସୀହ ଅଟନ୍ତି ।c—ପ୍ରେରି. ୧:୧୪.

୧୭. ଆମେ ରୋମୀୟ ୧୨:୧୫ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ରୋମୀୟ ୧୨:୧୫ ପଢ଼ନ୍ତୁ । ଆମେ ନିଜ ସମ୍ପର୍କୀୟମାନଙ୍କ ପ୍ରତି ଆଗ୍ରହ ଦେଖାଇବା ପାଇଁ ତାଙ୍କ ସୁଖଦୁଃଖରେ ସାମିଲ୍‌ ହୋଇପାରିବା ଏବଂ ନିଜ ପ୍ରେମର ଭରସା ଦେଇପାରିବା । ଏପରି କଲେ ହୁଏତ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇପାରେ ।d ଉଦାହରଣ ପାଇଁ, ଯଦି କାହାରି ଘରେ ଛୁଆଟିଏ ଜନ୍ମ ହୁଏ, ତାହେଲେ ସେମାନଙ୍କ ଖୁସିରେ ସାମିଲ୍‌ ହୋଇପାରିବା ଏବଂ ସେମାନଙ୍କୁ କୌଣସି ଉପହାର ବି ଦେଇପାରିବା । କିମ୍ବା ଯଦି କାହାରି ମୃତ୍ୟୁ ହୋଇଯାଏ, ତାହେଲେ ସେମାନଙ୍କ ଘରର ଲୋକଙ୍କୁ ସାନ୍ତ୍ୱନା ଦେବା ପାଇଁ ଯାଇପାରିବା, ଅନ୍ୟ କୌଣସି ଉପାୟରେ ସାହାଯ୍ୟ କରିପାରିବା କିମ୍ବା ସେମାନଙ୍କୁ କିଛି ଭଲ କଥା ଲେଖି ଦେଇପାରିବା । ତାʼସହିତ କେବଳ ଏପରି ସମୟରେ ନୁହେଁ, ବରଂ ଅନ୍ୟ ସମୟରେ ବି ସେମାନଙ୍କ ସହିତ କଥାବାର୍ତ୍ତା ହେବା ଜାରି ରଖିପାରିବା ।

ପୂର୍ବ ଚିତ୍ରରେ ଦେଖାଯାଇଥିବା ଭଉଣୀ ନିଜ ଅବିଶ୍ୱାସୀ ସ୍ୱାମୀ ଓ ହ୍ୱିଲଚେୟାରରେ ବସିଥିବା ନିଜ ଶାଶୂ ସହିତ ଫଟୋ ଉଠାଉଛନ୍ତି ।

ଯଦି ଆମେ ନିଜ ସମ୍ପର୍କୀୟମାନଙ୍କୁ ସୁଖଦୁଃଖରେ ସାହାଯ୍ୟ କରିବା ଓ ସେମାନଙ୍କ ପ୍ରତି ଆଗ୍ରହ ଦେଖାଇବା, ତାହେଲେ ହୁଏତ ଆମ ବିଷୟରେ ଓ ଆମେ ଯାହା ମାନୁ ସେବିଷୟରେ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହୋଇପାରେ (ପାରାଗ୍ରାଫ ୧୭)h


କʼଣ ଆପଣ ନିଜ ସମ୍ପର୍କୀୟମାନଙ୍କ ବିବାହକୁ କିମ୍ବା ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମକୁ ଯିବେ ?

ଯେବେ ଘରେ କାହାରି ବାହା ହୁଏ କିମ୍ବା କାହାରି ମୃତ୍ୟୁ ହୋଇଯାଏ, ତେବେ ପ୍ରାୟ ପୂରା ପରିବାର ଏକାଠି ହୁଏ । କିନ୍ତୁ ଏପରି ସମୟରେ ଆପଣ ସେଠାକୁ ଯିବେ ନା ନାହିଁ, ଏହା ନିଷ୍ପତ୍ତି ନେବା ପାଇଁ ଆପଣ ପୂର୍ବରୁ ହିଁ ବାଇବଲର ଏହି ସିଦ୍ଧାନ୍ତଗୁଡ଼ିକ ବିଷୟରେ ଭାବିପାରିବେ:

  • କʼଣ ସେଠାରେ କୌଣସି ଧାର୍ମିକ ରୀତିନୀତି ପାଳନ କରାଯିବ ? (୨ କରି. ୬:୧୪, ୧୫)

  • ଯଦି ଆପଣ ସେଠାକୁ ଯିବେ, ତାହେଲେ କʼଣ ଆପଣ ସେହି ରୀତିନୀତିଗୁଡ଼ିକରେ ଭାଗ ନେବା ପାଇଁ ମନା କରିପାରିବେ, ଯାହା ଯିହୋବାଙ୍କୁ ପସନ୍ଦ ନାହିଁ ? (ହିତୋ. ୨୨:୩)

  • କʼଣ ଆପଣଙ୍କ ସମ୍ପର୍କୀୟମାନେ ଏହା ଜାଣିଛନ୍ତି ଯେ ଆପଣ ଏପରି କୌଣସି ରୀତିନୀତିରେ ଭାଗ ନେବେ ନାହିଁ, ଯାହା ଯିହୋବାଙ୍କୁ ପସନ୍ଦ ନାହିଁ ?

  • ଏପରି ସମୟରେ ଯଦି ଆପଣ ମନ୍ଦିର, ମସଜିଦ୍‌ କିମ୍ବା ଚର୍ଚ୍ଚ ଭଳି କୌଣସି ଜାଗାକୁ ଯିବେ, ତାହେଲେ ଭାଇଭଉଣୀମାନଙ୍କୁ କିପରି ଲାଗିବ ? (ଫିଲି. ୧:୧୦)

ଆପଣ ଯାହା ବି ନିଷ୍ପତ୍ତି ନିଅନ୍ତି, ସେବିଷୟରେ ନିଜ ସମ୍ପର୍କୀୟମାନଙ୍କୁ ପ୍ରେମର ସହିତ କିନ୍ତୁ ସ୍ପଷ୍ଟ ଭାବେ କହନ୍ତୁ ଯେ ଆପଣ କʼଣ ଭାବିଛନ୍ତି । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା, ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ।f

୧୮. ଆମେ ଆନ୍ଦ୍ରୀୟଙ୍କ ଭଳି କʼଣ କରିପାରିବା ?

୧୮ ସେମାନଙ୍କୁ ଅନ୍ୟ ଭାଇଭଉଣୀମାନଙ୍କ ସହ ଭେଟ କରାନ୍ତୁ । ଯେବେ ଆନ୍ଦ୍ରୀୟ ବୁଝିଗଲେ ଯେ ଯୀଶୁ ହିଁ ମସୀହ ଅଟନ୍ତି, ତେବେ ସେ ନିଜ ଭାଇ ପିତରଙ୍କୁ ତାଙ୍କ ସହ ଭେଟ କରାଇଲେ । (ଯୋହ. ୧:୪୦-୪୨) ଆପଣ ବି ଏପରି କରିପାରିବେ । ଉଦାହରଣ ପାଇଁ, ଆପଣ ନିଜ ସମ୍ପର୍କୀୟମାନଙ୍କୁ ସଭା ପାଇଁ ଡାକିପାରିବେ କିମ୍ବା କିଛି ଭାଇଭଉଣୀମାନଙ୍କ ସହ ମିଶି ଖାଇବା ପାଇଁ ଡାକିପାରିବେ । ଯେବେ ଆପଣଙ୍କ ସମ୍ପର୍କୀୟମାନେ ଅନ୍ୟ ଭାଇଭଉଣୀମାନଙ୍କୁ ଭେଟିବେ, ତେବେ ସେମାନେ ଦେଖିପାରିବେ ଯେ ସାକ୍ଷୀମାନେ ବି ସେମାନଙ୍କ ଭଳି ସାଧାରଣ ଓ ଭଲ ଲୋକ ଅଟନ୍ତି ।

୧୯. ଯଦିଓ ଆମ ସମ୍ପର୍କୀୟମାନେ ବୁଝିପାରିବେ ନାହିଁ ଯେ ଆମେ କୌଣସି କଥାକୁ କାହିଁକି ମାନୁ, ତଥାପି ଆମେ ସେମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍‌ ? (୧ ପିତର ୩:୧୫)

୧୯ ୧ ପିତର ୩:୧୫ ପଢ଼ନ୍ତୁ । ଆମ ସମ୍ପର୍କୀୟମାନେ ହୁଏତ ଭଲଭାବେ ବୁଝିପାରିବେ ନାହିଁ ଯେ ଆମେ କୌଣସି କଥାକୁ କାହିଁକି ମାନୁ । କିନ୍ତୁ ଯଦି ଆମେ ସେମାନଙ୍କୁ ଆଦର କରିବା ଏବଂ ସେମାନଙ୍କ ସହ ଭଲ ବ୍ୟବହାର କରିବା, ତାହେଲେ ଏହି କଥାଗୁଡ଼ିକୁ ସେମାନେ କେବେ ବି ଭୁଲିବେ ନାହିଁ । ସେମାନଙ୍କୁ ହୁଏତ ଏହା ବି ଭଲ ଲାଗେନି ଯେ ଆମେ କୌଣସି ପର୍ବପର୍ବାଣୀ ପାଳନ କରି ନ ଥାଉ । କିନ୍ତୁ ଯଦି ଆମେ ଅନ୍ୟ ସମୟରେ ସେମାନଙ୍କ ସହିତ ସମୟ ବିତାଇବା, ସେମାନଙ୍କ ସହ ମିଶି ଖାଇବା କିମ୍ବା ସେମାନଙ୍କୁ କୌଣସି ଉପହାର ଦେବା, ତାହେଲେ ସେମାନଙ୍କୁ ଭଲ ଲାଗିବ ।

ହାର ମାନନ୍ତୁ ନାହିଁ

୨୦. ଯାକୁବ ଆଗକୁ ଯାଇ କʼଣ କଲେ ଏବଂ ଆମେ କʼଣ ଆଶା କରିପାରିବା ?

୨୦ ଯେବେ ଯୀଶୁ ପୃଥିବୀରେ ସେବା କରୁଥିଲେ, ତେବେ ଯାକୁବ ତାଙ୍କ ଉପରେ ବିଶ୍ୱାସ କଲେ ନାହିଁ ଏବଂ ତାଙ୍କ ସହିତ ସେବା କରିବାର ଭଲ ସୁଯୋଗକୁ ହାତଛଡ଼ା କରିଦେଲେ । (ଗାଲା. ୧:୧୮, ୧୯; ୨:୯) କିନ୍ତୁ ଆଗକୁ ଯାଇ ସେ ଯୀଶୁଙ୍କ ଶିଷ୍ୟ ହେଲେ ଏବଂ ତାଙ୍କ ଶିକ୍ଷାଗୁଡ଼ିକୁ ହୃଦୟରୁ ମାନିଲେ । ସେ ଈଶ୍ୱରଙ୍କ ପ୍ରେରଣାରୁ ଗୋଟିଏ ଚିଠି ମଧ୍ୟ ଲେଖିଲେ । ସେହି ଚିଠିରେ ସେ ଏପରି କଥାଗୁଡ଼ିକୁ ଲେଖିଲେ, ଯାହା ବିଷୟରେ ଯୀଶୁ ନିଜ ପାର୍ବତ୍ୟ ଉପଦେଶରେ କହିଥିଲେ ।e

୨୧. ଆମକୁ କାହିଁକି ହାର ମାନିବା ଉଚିତ୍‌ ନୁହେଁ ?

୨୧ ହୁଏତ ଆମେ ନିଜ ସମ୍ପର୍କୀୟମାନଙ୍କ ସହିତ ଭଲ ବ୍ୟବହାର କରିବା ଓ ସେମାନଙ୍କ ପ୍ରତି ଆଗ୍ରହ ଦେଖାଇବା । କିନ୍ତୁ ହୁଏତ ସେମାନେ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଚାହିଁବେ ନାହିଁ । ତଥାପି ଆମକୁ ହାର ମାନିବା ଉଚିତ୍‌ ନୁହେଁ । ତାହା କାହିଁକି ? କାରଣ ଯେବେ ବି ଆମେ ନିଜ ସମ୍ପର୍କୀୟମାନଙ୍କ ସହିତ ଭଲ ବ୍ୟବହାର କରୁ, ତେବେ ଆମେ ନିଜ ଦୟାଳୁ ପିତା ଯିହୋବା ଓ ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରୁ । (ଲୂକ ୬:୩୩, ୩୬) ଆଉ ଯଦି ଆମେ ସେମାନଙ୍କୁ ଲଗାତାର ପ୍ରେମ ଦେଖାଇବା, ତାହେଲେ ହୁଏତ ଆମ ବିଷୟରେ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହୋଇପାରେ । ତାʼସହିତ ଆମେ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଯାହା କହିଛୁ ତାହା ସେମାନଙ୍କ ମନରେ ଥିବ । ଯଦି ଆମେ ହାର ମାନିବା ନାହିଁ ଏବଂ ସେମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ପରିଶ୍ରମ କରିବା, ତାହେଲେ ଦିନେ ସେମାନେ ବି ଆମ ସାଙ୍ଗରେ ମିଶି ଯିହୋବାଙ୍କ ସେବା କରିବେ !

ଆପଣ କ’ଣ ଉତ୍ତର ଦେବେ ?

  • କେଉଁ କଥା ଆମକୁ ନିଜ ଅବିଶ୍ୱାସୀ ସମ୍ପର୍କୀୟମାନଙ୍କୁ ଦୟା ଦେଖାଇବା ପ୍ରେରିତ କରିବ ?

  • ଆମକୁ କାହିଁକି ନିଜ ସମ୍ପର୍କୀୟମାନଙ୍କ ସହ ଧୈର୍ଯ୍ୟ ଧରିବା ଓ ଆଶା ରଖିବା ଉଚିତ୍‌ ?

  • ଆମେ ନିଜ ସମ୍ପର୍କୀୟମାନଙ୍କୁ କିପରି ନିଜ କାମରୁ ଦେଖାଇପାରିବା ଯେ ଆମେ ସେମାନଙ୍କୁ ପ୍ରେମ କରୁ ?

ଗୀତ ୭୭ ଅନ୍ଧକାର ଦୁନିଆରେ ସତ୍ୟର ଆଲୋକ

a ଏହାର ଅର୍ଥ କʼଣ ? ବାଇବଲରେ ଯେବେ ବି କାହାକୁ “ଅବିଶ୍ୱାସୀ” ବୋଲି କୁହାଯାଇଛି, ତେବେ ସବୁବେଳେ ତାʼର ଅର୍ଥ ଏପରି ନୁହେଁ ଯେ ସେହି ବ୍ୟକ୍ତି ଈଶ୍ୱରଙ୍କୁ ମାନେ ନାହିଁ କିମ୍ବା କୌଣସି ଧର୍ମ ସହ ଜଡ଼ିତ ନାହିଁ । (୧ କରି. ୭:୧୨) ଏହି ଲେଖାରେ ଅବିଶ୍ୱାସୀ ଶବ୍ଦ ସେହି ଲୋକମାନଙ୍କ ପାଇଁ ବ୍ୟବହାର ହୋଇଛି, ଯେଉଁମାନେ ଯିହୋବାଙ୍କ ସାକ୍ଷୀ ନୁହଁନ୍ତି ।

b ମେ ୨୦୨୪ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ଯିହୋବା ଭବିଷ୍ୟତରେ ଲୋକମାନଙ୍କର କିପରି ଭାବେ ନ୍ୟାୟ କରିବେ ?” ପୃଷ୍ଠା ୧୧, ପାରା. ୧୧-୧୩ ପଢ଼ନ୍ତୁ ।

c ଯୀଶୁଙ୍କ ମୃତ୍ୟୁ ପରେ ଓ ଜୀବିତ ହେଲା ପରେ ଅତି କମ୍‌ରେ ତାଙ୍କର ଦୁଇଜଣ ଭାଇ ଯାକୁବ ଓ ଯିହୂଦା ଖ୍ରୀଷ୍ଟିୟାନ ହେଲେ ।

d “କʼଣ ଆପଣ ନିଜ ସମ୍ପର୍କୀୟମାନଙ୍କ ବିବାହକୁ କିମ୍ବା ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମକୁ ଯିବେ ?” ନାମକ ବକ୍ସ ଦେଖନ୍ତୁ ।

e ଯାକୁବ ୧:୨ ଓ ମାଥିଉ ୫:୧୧, ୧୨; ଯାକୁବ ୧:୧୯ ଓ ମାଥିଉ ୫:୨୨; ଯାକୁବ ୧:୨୨; ୨:୨୪ ଓ ମାଥିଉ ୭:୨୧; ଯାକୁବ ୨:୧୩ ଓ ମାଥିଉ ୫:୭; ୬:୧୪, ୧୫ ପଦ ସହ ତୁଳନା କରନ୍ତୁ ।

f ଏପରି କ୍ଷେତ୍ରରେ ଆମକୁ ଆଉ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌, ଏହା ଜାଣିବା ପାଇଁ ୧୫ ମେ, ୨୦୦୨ ଓ ୧ ଡିସେମ୍ବର, ୨୦୦୭ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” (ହିନ୍ଦୀ) ପଢ଼ନ୍ତୁ ।

g ଚିତ୍ର ବିଷୟରେ: ଜଣେ ଭଉଣୀ ପ୍ରଚାରକୁ ଯିବା ପୂର୍ବରୁ ଖୁସିର ସହ ନିଜ ସ୍ୱାମୀଙ୍କ ପାଇଁ ଖାଦ୍ୟ ତିଆରି କରୁଛନ୍ତି ।

h ଚିତ୍ର ବିଷୟରେ: ସେହି ଭଉଣୀ ତାଙ୍କ ଶାଶୂଙ୍କୁ ବି ଭେଟିବା ପାଇଁ ଯାଇଛନ୍ତି, ଯିଏ ଯିହୋବାଙ୍କ ସାକ୍ଷୀ ନୁହଁନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ