୩୦ ମାର୍ଚ୍ଚ–୫ ଏପ୍ରିଲ୍, ୨୦୨୬
ଗୀତ ୭୬ କିପରି ଅନୁଭବ କର ?
ମନୋହର କଥା କହି ସତ୍ୟ ଶିଖାନ୍ତୁ
‘ଯିହୋବା, ସତ୍ୟମୟ ପରମେଶ୍ୱର ।’—ଗୀତ. ୩୧:୫.
କʼଣ ଶିଖିବା ?
ଆମେ ଶିଖିବା ଯେ ଆମେ ଲୋକମାନଙ୍କୁ କିପରି ଭାବେ ସତ୍ୟ ଶିଖାଇଲେ ସେମାନଙ୍କୁ ଲାଭ ହେବ ।
୧. ଯିହୋବାଙ୍କ ପରିବାରର ସଦସ୍ୟ ହେବା ପାଇଁ ଆମକୁ କʼଣ କରିବା ଉଚିତ୍ ?
ଯେବେ ଆମେ ପ୍ରଥମ ଥର କୌଣସି ଭାଇ କିମ୍ବା ଭଉଣୀଙ୍କୁ ଭେଟୁ, ତେବେ ଆମେ ସାଧାରଣତଃ ତାଙ୍କୁ ପଚାରିଥାଉ, “ଆପଣ କେବେଠାରୁ ସତ୍ୟରେ ଅଛନ୍ତି ?” କେହି କହନ୍ତି ଯେ ମୁଁ ପିଲାବେଳରୁ “ସତ୍ୟରେ ଅଛି,” ତ ଆଉ କେହି କହନ୍ତି ଯେ ମୁଁ କିଛି ବର୍ଷରୁ “ସତ୍ୟରେ ଅଛି ।” ଆମେ ଏପରି ଭାବରେ ଏଥିପାଇଁ ଉତ୍ତର ଦେଇଥାଉ, କାରଣ ବାଇବଲର ସତ୍ୟଗୁଡ଼ିକ ଯୋଗୁଁ ହିଁ ଆମେ ଜୀବନରେ ଅନେକ ପରିବର୍ତ୍ତନ କରିପାରିଲୁ । ତାʼସହିତ ଆମେ ଯିହୋବାଙ୍କ ପରିବାରର ସଦସ୍ୟ ହେବା ପାଇଁ ଚାହୁଁଥିଲୁ, ସେଥିପାଇଁ ଆମେ ସେହି ସତ୍ୟଗୁଡ଼ିକ ପାଇଁ ପ୍ରେମ ବଢ଼ାଇଲୁ ଏବଂ ସେହି ଅନୁସାରେ ଜୀବନ ବିତାଇଲୁ । ଉଦାହରଣ ପାଇଁ, ଆମେ ସତ କହିବାକୁ ଲାଗିଲୁ ଏବଂ ସବୁ କାମ ସଚ୍ଚୋଟ ହୋଇ କରିବା ପାଇଁ ଚେଷ୍ଟା କରିବାକୁ ଲାଗିଲୁ ।—ଗୀତ. ୧୫:୧-୩.
୨. (କ) ଯୀଶୁଙ୍କ ବିଷୟରେ ଲୋକମାନେ କʼଣ ଭାବୁଥିଲେ ? (ଖ) ଯୀଶୁ ଯେଉଁ ସତ୍ୟଗୁଡ଼ିକ ଶିଖାଇଲେ, ତାହାର ଲୋକମାନଙ୍କ ଉପରେ କʼଣ ପ୍ରଭାବ ପଡ଼ନ୍ତା ?
୨ ଯୀଶୁ ସବୁବେଳେ ସତ କଥା କହୁଥିଲେ । ଏହା ତାଙ୍କ ଶତ୍ରୁମାନେ ବି ଜାଣିଥିଲେ । ଯଦିଓ ସେମାନେ ଯୀଶୁଙ୍କ କଥାକୁ ପସନ୍ଦ କରୁ ନ ଥିଲେ, ତଥାପି ସେମାନେ ଏହା ମାନୁଥିଲେ ଯେ ଯୀଶୁ ଯାହା ବି କହୁଥିଲେ ତାହା ସତ କହୁଥିଲେ । (ମାଥି. ୨୨:୧୬) ଯୀଶୁ ଯେଉଁ ସତ୍ୟ ଶିଖାଉଥିଲେ ତାହାର ଲୋକମାନଙ୍କ ଉପରେ କʼଣ ପ୍ରଭାବ ପଡ଼ନ୍ତା, ସେବିଷୟରେ ସେ କହିଲେ, “ମୁଁ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର, ପୁଣି ଶାଶୁ ସହିତ ବୋହୁର ବିରୋଧ ଘଟାଇବାକୁ ଆସିଅଛି ।” (ମାଥି. ୧୦:୩୫) ଯୀଶୁ ଏହି ପଦରେ ପ୍ରକୃତରେ ଏହା କହିବା ପାଇଁ ଚାହୁଁଥିଲେ ଯେ ସତ୍ୟ ଶିଖିବା ଯୋଗୁଁ କʼଣ ହୋଇପାରେ । କିନ୍ତୁ ସେ ଏହା ଚାହୁଁ ନ ଥିଲେ ଯେ ଲୋକମାନେ ତାଙ୍କୁ କିମ୍ବା ତାଙ୍କ ଶିଷ୍ୟମାନଙ୍କ ସନ୍ଦେଶକୁ ବିରୋଧ କରନ୍ତୁ । (ମାଥି. ୨୩:୩୭) ସେ ଜାଣିଥିଲେ ଯେ ସନ୍ଦେଶ ଶୁଣି କିଛି ଲୋକ ସତ୍ୟକୁ ପ୍ରେମ କରିବେ ଓ ଏହାକୁ ସ୍ୱୀକାର କରିବେ, କିନ୍ତୁ ଆଉ କିଛି ଲୋକ ଏହାକୁ ଅସ୍ୱୀକାର କରିଦେବେ ।—୨ ଥେସ. ୨:୯-୧୧.
୩. ଏହି ଲେଖାରେ ଆମେ କʼଣ ଜାଣିବା ?
୩ ଯୀଶୁଙ୍କ ଭଳି ଆମେ ବି ସଚ୍ଚୋଟ ରହିବା ପାଇଁ ଓ ସତ କଥା କହିବା ପାଇଁ ପୂରାପୂରି ଚେଷ୍ଟା କରୁ, ତେଣୁ ହୁଏତ ଲୋକମାନଙ୍କୁ ଏହି କଥା ଭଲ ଲାଗେନି । ତାʼସହିତ ଆମେ ଲୋକମାନଙ୍କୁ ପ୍ରଚାର କରୁ ଓ ସେମାନଙ୍କୁ ବାଇବଲର ସତ୍ୟଗୁଡ଼ିକ ଶିଖାଉ, ଏହି କଥା ବି ହୁଏତ କିଛି ଲୋକଙ୍କୁ ଭଲ ଲାଗେନି । କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଆମେ ଲୋକମାନଙ୍କ ବିଷୟରେ ଜମା ଭାବିବା ନାହିଁ । ଏହି ଲେଖାରେ ଆମେ ଏବିଷୟରେ ଅଧିକ ଜାଣିବା । ପ୍ରଥମେ ଆମେ ଜାଣିବା ଯେ ଆମକୁ ସତ୍ୟ କିପରି ମିଳିପାରିବ । ଏହାପରେ ଆମେ ଜାଣିବା ଯେ ଆମେ କାହିଁକି, କିପରି ଭାବେ ଓ କେଉଁ ସମୟରେ ଲୋକଙ୍କୁ ସତ୍ୟ କହିବା ଉଚିତ୍ । ଯଦି ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା, ତାହେଲେ ହିଁ ଆମେ ଲୋକମାନଙ୍କୁ ସତ୍ୟ ଶିଖାଇବା ସମୟରେ ମନୋହର କଥା କହିପାରିବା ଅର୍ଥାତ୍ ଆମେ ଭାବିଚିନ୍ତି କଥା କହିବା ଏବଂ ସଠିକ୍ ସମୟରେ ସଠିକ୍ କଥା କହିବା ।
ଆମକୁ କିପରି ସତ୍ୟ ମିଳିପାରିବ ?
୪. ଆମେ କାହିଁକି କହିପାରିବା ଯେ ଯିହୋବା ସତ୍ୟର ସ୍ରୋତ ଅଟନ୍ତି ?
୪ ଯିହୋବା ସତ୍ୟର ସ୍ରୋତ ଅଟନ୍ତି । ସେ ସବୁବେଳେ ସତ କଥା କହନ୍ତି । ଉଦାହରଣ ପାଇଁ, ସେ ଠିକ୍ ଓ ଭୁଲ ବିଷୟରେ ଆମକୁ ଯାହା ବି କହିଛନ୍ତି ସେସବୁ ସତ ଅଟେ । (ଗୀତ. ୧୯:୯; ୧୧୯:୧୪୨, ୧୫୧) ସେ ଭବିଷ୍ୟତ ବିଷୟରେ ଯାହା ବି କହନ୍ତି, ତାହା ସତ ହୋଇଯାଏ । (ଯିଶା. ୫୫:୧୦, ୧୧) ସେ ଯାହା ବି ପ୍ରତିଜ୍ଞା କରନ୍ତି ତାହା ପୂରା ବି କରନ୍ତି । (ଗଣ. ୨୩:୧୯) ବାଇବଲରେ ଲେଖାଅଛି ଯେ ଯିହୋବାଙ୍କ ପାଇଁ ମିଥ୍ୟା କହିବା ଅସମ୍ଭବ ! (ଏବ୍ରୀ ୬:୧୮) ସେଥିପାଇଁ ଯିହୋବାଙ୍କ ବିଷୟରେ କୁହାଯାଇଛି ଯେ ସେ “ସତ୍ୟମୟ ପରମେଶ୍ୱର” ଅଟନ୍ତି ।—ଗୀତ. ୩୧:୫.
୫. ବୁଝାନ୍ତୁ ଯେ ‘ସତ୍ୟମୟ ପରମେଶ୍ୱରଙ୍କୁ’ ଅନ୍ୱେଷଣ କରିବା କାହିଁକି କଠିନ ନୁହେଁ ? (ପ୍ରେରିତ ୧୭:୨୭)
୫ କିଛି ଲୋକଙ୍କୁ ଲାଗେ ଯେ ଈଶ୍ୱରଙ୍କୁ ଜାଣିବା ଭାରି କଠିନ । କିନ୍ତୁ ଏହା ସତ ନୁହେଁ । ଆମେ “ସତ୍ୟମୟ ପରମେଶ୍ୱର” ଯିହୋବାଙ୍କୁ ଜାଣିପାରିବା । ଆମେ ସୃଷ୍ଟିକୁ ଦେଖି ଜାଣିପାରିବା ଯେ ପରମେଶ୍ୱର ସତରେ ଅଛନ୍ତି ଏବଂ ଆମେ ତାଙ୍କ ବିଷୟରେ ଶିଖିପାରିବା । (ରୋମୀ. ୧:୨୦) ଯେବେ ପ୍ରେରିତ ପାଉଲ ଏଥେନ୍ସ୍ର କିଛି ଶିକ୍ଷିତ ଲୋକଙ୍କ ସହିତ କଥା ହେଉଥିଲେ, ତେବେ ସେ ସେମାନଙ୍କୁ କହିଲେ ଯେ ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କୁ “ଅନ୍ୱେଷଣ” କରୁ ଏବଂ “ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି ।” (ପ୍ରେରିତ ୧୭:୨୭ ପଢ଼ନ୍ତୁ ।) ଯେବେ ନମ୍ର ଲୋକମାନେ ଈଶ୍ୱରଙ୍କ ବିଷୟରେ ସତ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତି, ତେବେ ସେ ସେମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରନ୍ତି ।—ଯୋହ. ୬:୪୪.
୬. ବାଇବଲରେ ଦିଆଯାଇଥିବା କିଛି ସତ୍ୟ କʼଣ ଏବଂ ଆପଣ କାହିଁକି ସେଗୁଡ଼ିକ ପାଇଁ କୃତଜ୍ଞ ?
୬ ଯିହୋବାଙ୍କୁ ଜାଣିବାର ଗୋଟିଏ ଉପାୟ ହେଉଛି, ବାଇବଲ ଅଧ୍ୟୟନ କରିବା । ଯେଉଁ ବ୍ୟକ୍ତିମାନଙ୍କୁ ଯିହୋବା ବାଇବଲ ଲେଖାଇଲେ, ସେମାନଙ୍କୁ ସେ ନିଜ ପବିତ୍ର ଶକ୍ତି ଦେଇଥିଲେ । (୨ ପିତ. ୧:୨୦, ୨୧) ସେଥିପାଇଁ ବାଇବଲରେ ଯାହା ବି ଲେଖାଅଛି, ତାହା ସତ ଓ ଭରସାଯୋଗ୍ୟ । ଉଦାହରଣ ପାଇଁ, ଏଥିରେ କୁହାଯାଇଛି ଯେ ଏହି ବିଶ୍ୱ ଓ ପୃଥିବୀରେ ଜୀବନର ଆରମ୍ଭ କିପରି ହେଲା, ଆମେ କାହିଁକି ପାପ କରୁ, ଏତେ ଦୁଃଖକଷ୍ଟ କାହିଁକି ରହିଛି ଓ ଆମର ମୃତ୍ୟୁ କାହିଁକି ହୁଏ । (ଆଦି. ୧:୧, ୨୬; ରୋମୀ. ୫:୧୨; ୬:୨୩) ତାʼସହିତ ଏଥିରେ କୁହାଯାଇଛି ଯେ “ମିଥ୍ୟାବାଦୀର ପିତା” ଶୟତାନ ଯୋଗୁଁ ଯେଉଁ କ୍ଷତି ହୋଇଛି, ସେସବୁର କ୍ଷତିପୂରଣ ଯିହୋବା ନିଜ ପୁତ୍ର ଜରିଆରେ କରିବେ । (ଯୋହ. ୮:୪୪; ରୋମୀ. ୧୬:୨୦) ଈଶ୍ୱର ନିଜର ବାକ୍ୟରେ ଏହା ବି କହିଛନ୍ତି ଯେ ଯୀଶୁ ସମସ୍ତ ଦୁଷ୍ଟତା ଶେଷ କରିଦେବେ, ମୃତ ଲୋକଙ୍କୁ ଜୀବିତ କରିବେ, ପୃଥିବୀକୁ ପାରଦୀଶ କରିଦେବେ ଓ ଆମ ସମସ୍ତଙ୍କୁ ପରିପୂର୍ଣ୍ଣ କରିଦେବେ । (ଯୋହ. ୧୧:୨୫, ୨୬; ୧ ଯୋହ. ୩:୮) ବାଇବଲରେ ଦିଆଯାଇଥିବା ଏହି ସତ୍ୟ ଉପରେ ଆମେ ପୂରାପୂରି ଭରସା କରିପାରିବା । ସତରେ, ଆମେ କେତେ କୃତଜ୍ଞ ଯେ ଯିହୋବା ଆମକୁ ଏହି ସତ୍ୟ ଶିଖାଇଛନ୍ତି ଏବଂ ଅନ୍ୟମାନଙ୍କୁ ବି ଏହା ଶିଖାଇବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି ।—ମାଥି. ୨୮:୧୯, ୨୦.
ଆମକୁ କାହିଁକି ସତ କଥା କହିବା ଉଚିତ୍ ?
୭-୮. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ସଠିକ୍ ଉଦ୍ଦେଶ୍ୟରେ ସତ କହିବା କାହିଁକି ଜରୁରୀ ? (ମାର୍କ ୩:୧୧, ୧୨) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୭ ଆମେ ପୂର୍ବରୁ ଦେଖିଲୁ ଯେ ଯିହୋବାଙ୍କ ପରିବାରର ସଦସ୍ୟ ହେବା ପାଇଁ ସବୁବେଳେ ସତ କଥା କହିବା ଜରୁରୀ । କିନ୍ତୁ ଯିହୋବାଙ୍କୁ ଖୁସି କରିବା ପାଇଁ କେବଳ ଏତିକି ଯଥେଷ୍ଟ ନୁହେଁ । ଯିହୋବା ଏହି କଥାକୁ ଅଧିକ ଧ୍ୟାନ ଦିଅନ୍ତି ଯେ ଆମେ କାହିଁକି ସତ କଥା କହୁଛୁ, ଅର୍ଥାତ୍ ସତ କଥା କହିବା ପଛରେ ଆମର କʼଣ ଉଦ୍ଦେଶ୍ୟ ରହିଛି । ଧ୍ୟାନ ଦିଅନ୍ତୁ ଯେ ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ କʼଣ ହେଲା । (ମାର୍କ ୩:୧୧, ୧୨ ପଢ଼ନ୍ତୁ ।) ଥରେ ଯେବେ ସେ ଗାଲିଲୀରେ ସମୁଦ୍ର କୂଳରେ ଶିଖାଉଥିଲେ, ତେବେ ଲୋକଙ୍କର ଭିଡ଼ ତାଙ୍କ ପାଖକୁ ଆସିଲା । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଭିତରେ ଦୁଷ୍ଟ ସ୍ୱର୍ଗଦୂତ ପଶିଯାଇଥିଲା । ସେମାନେ ଯୀଶୁଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, “ତୁମ୍ଭେ ଈଶ୍ୱରଙ୍କ ପୁତ୍ର ।” ଦୁଷ୍ଟ ସ୍ୱର୍ଗଦୂତମାନେ ଯୀଶୁଙ୍କ ବିଷୟରେ ସତ କହୁଥିଲେ । କିନ୍ତୁ ସେମାନେ କେଉଁ ଉଦ୍ଦେଶ୍ୟରେ ଏହା କହିଲେ ? କାରଣ ପ୍ରଥମରେ ସେମାନେ ଲୋକମାନଙ୍କର ଭରସା ଜିତି ପରେ ସେମାନଙ୍କୁ ଯିହୋବାଙ୍କଠାରୁ ଦୂରକୁ ନେଇଯିବା ପାଇଁ ଚାହୁଁଥିଲେ । ଯଦିଓ ଦୁଷ୍ଟ ସ୍ୱର୍ଗଦୂତମାନେ ସତ କହିଲେ, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଠିକ୍ ନ ଥିଲା । ଯୀଶୁ ସେମାନଙ୍କ ଉଦ୍ଦେଶ୍ୟ ଜାଣିଥିଲେ, ତେଣୁ ସେ ସେମାନଙ୍କ କଥାରେ ଆସିଲେ ନାହିଁ । ଏହା ପରିବର୍ତ୍ତେ ସେ ସେମାନଙ୍କୁ ଆଜ୍ଞା ଦେଲେ ଯେ ସେ କିଏ ଅଟନ୍ତି, ଏହି କଥା ସେମାନେ କାହାକୁ ବି କହନ୍ତୁ ନାହିଁ ।
୮ ଏହି ଘଟଣାରୁ ଆମେ କʼଣ ଶିଖୁ ? ଯିହୋବା ଏହା ଧ୍ୟାନ ଦିଅନ୍ତି ଯେ ଆମେ କେଉଁ ଉଦ୍ଦେଶ୍ୟରେ ସତ କହୁ । ସେଥିପାଇଁ ଲୋକମାନଙ୍କୁ ସଠିକ୍ ଉଦ୍ଦେଶ୍ୟରେ ସତ୍ୟ ଶିଖାଇବା ବହୁତ ଜରୁରୀ । ଯଦି କେହି ଆମର ସନ୍ଦେଶ ଶୁଣି ଆମର ପ୍ରଶଂସା କରନ୍ତି, ତାହେଲେ ଆମେ ସବୁ ମହିମା ଯିହୋବାଙ୍କୁ ଦେବା ।—ମାଥି. ୫:୧୬; ପ୍ରେରିତ ୧୪:୧୨-୧୫ ପଦ ସହ ତୁଳନା କରନ୍ତୁ ।
ସତ୍ୟ ଶିଖାଇବା ସମୟରେ ଆପଣ କାହା ଆଡ଼କୁ ଧ୍ୟାନ ଆକର୍ଷିତ କରନ୍ତି ? (ପାରାଗ୍ରାଫ ୭-୮)
୯. ଆମେ କʼଣ କରିବାରୁ ଦୂରେଇ ରହିବା ଉଚିତ୍ ଏବଂ କାହିଁକି ?
୯ ଆଉ ଏକ ପରିସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଆମେ ନିଜ ପ୍ରଶଂସା ପାଇବାଠାରୁ ଦୂରେଇ ରହିବା ଉଚିତ୍ । ଧରି ନିଅନ୍ତୁ, ଜଣେ ଦାୟିତ୍ୱ ସମ୍ଭାଳୁଥିବା ଭାଇ ଆମକୁ କୌଣସି ଏପରି କଥା କହନ୍ତି, ଯାହା ଆମକୁ ଗୁପ୍ତ ରଖିବାର ଅଛି । କିନ୍ତୁ ଆମେ ସେହି କଥା ଅନ୍ୟମାନଙ୍କୁ କହିଦେଉ । ଭାବନ୍ତୁ, ଯଦି ସେହି କଥା ପରେ ସତ ହୋଇଯାଏ, ତାହେଲେ କʼଣ ହୋଇପାରେ । ଲୋକମାନେ ହୁଏତ ଆମର ପ୍ରଶଂସା କରିବାକୁ ଲାଗିବେ ଏବଂ ଭାବିବେ ଯେ ଆମକୁ ଅନେକ ଗୁପ୍ତ କଥା ଜଣାଅଛି । ଏହାଯୋଗୁଁ ହୁଏତ ଆମେ ଲୋକମାନଙ୍କର ପ୍ରଶଂସାର ପାତ୍ର ହୋଇଯିବା, କିନ୍ତୁ ଯିହୋବାଙ୍କ ଦୃଷ୍ଟିରେ ଆମେ ତଳକୁ ଖସିଯିବା । (ହିତୋ. ୧୧:୧୩) ଏପରି କାହିଁକି ହୋଇପାରେ ? କାରଣ ଆମେ ସେହି ଗୁପ୍ତ କଥା ଅନ୍ୟମାନଙ୍କୁ କହିଲୁ ଏବଂ ଆମେ ସତ କଥା ତ କହିଲୁ, କିନ୍ତୁ ଆମର ଉଦ୍ଦେଶ୍ୟ ଠିକ୍ ନ ଥିଲା ।
ଆମେ କିପରି ଭାବେ ସତ୍ୟ କହିବା ଉଚିତ୍ ?
୧୦. ଆମର କଥା “ମନୋହର” ହେବା ଉଚିତ୍, ଏହାର ଅର୍ଥ କʼଣ ? (କଲସୀୟ ୪:୬)
୧୦ କଲସୀୟ ୪:୬ ପଢ଼ନ୍ତୁ । ପ୍ରେରିତ ପାଉଲ କଲସୀରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ମନେ ପକାଇ ଦେଲେ ଯେ ସେମାନଙ୍କ କଥା “ସର୍ବଦା ମନୋହର” ହେବା ଉଚିତ୍ । ଏହାର ଅର୍ଥ କʼଣ ? ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ମନୋହର” କରାଯାଇଛି, ତାହାର ଅର୍ଥ ହେଉଛି, ଏପରି କଥା କହିବା ଯେଉଁଥିରୁ ଅନ୍ୟମାନଙ୍କୁ ଲାଭ ହେବ । ତାʼସହିତ ସେହି କଥା ପ୍ରେମର ସହ ହେବା ଉଚିତ୍ ଏବଂ ସେମାନଙ୍କ ହୃଦୟକୁ ଛୁଇଁବା ଉଚିତ୍ ।
୧୧-୧୨. ବାଇବଲର ସତ୍ୟଗୁଡ଼ିକ ବିଷୟରେ ଶିଖାଇବା ସମୟରେ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ୍ ? ଉଦାହରଣ ଦେଇ ବୁଝାନ୍ତୁ । (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୧ ଅନ୍ୟମାନଙ୍କୁ ବାଇବଲର ସତ୍ୟ ଶିଖାଇବା ସମୟରେ ଆମର କଥା ମନୋହର ହେବା ଉଚିତ୍ । ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକ ଧାରୁଆ ଖଣ୍ଡା ପରି ଅଟେ, ଯାହା ମଣିଷର ବାହାର ଓ ଭିତର ରୂପକୁ ବିଚ୍ଛେଦ କରିଦିଏ । ଅନ୍ୟ ଶବ୍ଦରେ କହିଲେ, ଏହା ମଣିଷ ଭିତରେ ଲୁଚି ରହିଥିବା ଭାବନାକୁ ଏବଂ ତାʼର ପ୍ରକୃତ ଉଦ୍ଦେଶ୍ୟକୁ ଯାଞ୍ଚ କରିବା ପାଇଁ ସାହାଯ୍ୟ କରେ । (ଏବ୍ରୀ ୪:୧୨) ଯଦି ଆମେ ଅନ୍ୟମାନଙ୍କୁ ସତ୍ୟ ଶିଖାଇବା ସମୟରେ ବାଇବଲର ସଠିକ୍ ଭାବରେ ବ୍ୟବହାର ନ କରୁ, ତାହେଲେ ଆମେ ଅଯଥାରେ ଅନ୍ୟମାନଙ୍କୁ ଦୁଃଖ ପହଞ୍ଚାଇବା ଏବଂ ସେମାନଙ୍କ ସହ ଯୁକ୍ତିତର୍କ ହୋଇପାରେ । ଏହା କିପରି ହୋଇପାରେ ? ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ।
୧୨ ଭାବନ୍ତୁ ଆପଣ ପ୍ରଚାର କରିବା ସମୟରେ ଏପରି ଜଣେ ବ୍ୟକ୍ତିକୁ ଭେଟନ୍ତି, ଯିଏ ଈଶ୍ୱରଙ୍କ ଉପରେ ବହୁତ ବିଶ୍ୱାସ କରେ । ସେ ପ୍ରତିଦିନ ମୂର୍ତ୍ତିଗୁଡ଼ିକ ଆଗରେ ପ୍ରାର୍ଥନା କରେ ଏବଂ ତାକୁ ନିଜ ପରିବାର ସହିତ ମିଶି କ୍ରିସମାସ୍ ଓ ଇଷ୍ଟର ପାଳନ କରିବା ବହୁତ ଭଲ ଲାଗେ । ଏପରି ସମୟରେ ଆପଣ କʼଣ କରିବେ ? କʼଣ ଆପଣ ତାକୁ ସିଧାସଳଖ ବାଇବଲରୁ ଦେଖାଇ କହିବେ ଯେ ମୂର୍ତ୍ତିଗୁଡ଼ିକ ଆଗରେ ପ୍ରାର୍ଥନା କରିବା ଭୁଲ ଅଟେ ଏବଂ କ୍ରିସମାସ୍ ଓ ଇଷ୍ଟର ମିଥ୍ୟା ଧର୍ମରୁ ଆସିଛି ? (ଯିଶା. ୪୪:୧୪-୨୦; ୨ କରି. ୬:୧୪-୧୭) ଯଦି ଆପଣ ପ୍ରଥମ ସାକ୍ଷାତରେ ଏପରି କରିବେ, ତାହେଲେ ଆପଣ ସତ୍ୟ ତ କହୁଥିବେ କିନ୍ତୁ ଆପଣ ବାଇବଲର ସଠିକ୍ ଭାବେ ବ୍ୟବହାର କରୁ ନ ଥିବେ ।
ସତ୍ୟ ଶିଖାଇବା ସମୟରେ ଆପଣ କିପରି ବାଇବଲର ସଠିକ୍ ଭାବରେ ବ୍ୟବହାର କରିପାରିବେ ? (ପାରାଗ୍ରାଫ ୧୧-୧୨)a
୧୩. ଆମେ କʼଣ କଲେ ଆମ କଥା ଲବଣଯୁକ୍ତ ସ୍ୱାଦିଷ୍ଟ ହୋଇପାରିବ ?
୧୩ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଏହା ମଧ୍ୟ କହିଲେ ଯେ ସେମାନଙ୍କ କଥା ଲବଣଯୁକ୍ତ ସ୍ୱାଦିଷ୍ଟ ଖାଦ୍ୟ ଭଳି ହେଉ । କିନ୍ତୁ ସେ ଏହା କହୁ ନ ଥିଲେ ଯେ ଆମ କଥା ଅନ୍ୟମାନଙ୍କୁ କେବଳ ଖୁସି କଲା ଭଳି ହେଉ ଏବଂ ଆମେ ସତ୍ୟକୁ ଲୁଚାଉ । ଏହା ପରିବର୍ତ୍ତେ ସେ ଆମକୁ ଅନୁରୋଧ କରୁଥିଲେ ଯେ ଆମ କଥାଗୁଡ଼ିକ ଲବଣଯୁକ୍ତ ସ୍ୱାଦିଷ୍ଟ ହେଉ, ଅର୍ଥାତ୍ ଯେବେ ଆମେ ଅନ୍ୟମାନଙ୍କୁ ସତ୍ୟ ଶିଖାଉ, ତେବେ ଏହା ସେମାନଙ୍କ ସ୍ୱାଦ ଅନୁସାରେ ହେଉ ଓ ତାଙ୍କୁ ଏହା ଭଲ ଲାଗୁ । (ଆୟୁ. ୧୨:୧୧) ଏପରି କରିବା ସହଜ ହୋଇ ନ ପାରେ । ଯେବେ ଆମେ କାହାରି ପାଇଁ ରୋଷେଇ କରୁ, ତେବେ ଆମେ ଭାବୁ ଯେ ତାଙ୍କୁ ଆମ ଖାଦ୍ୟର ସ୍ୱାଦ ଭଲ ଲାଗିବ । ଠିକ୍ ସେହିପରି, ଆମକୁ ଲାଗିପାରେ ଯେ ଆମେ ଯେପରି ଭାବେ କଥା ହେଉ ତାହା ଅନ୍ୟମାନଙ୍କୁ ଭଲ ଲାଗିବ । କିନ୍ତୁ ହୁଏତ ତାଙ୍କୁ ଭଲ ଲାଗି ନ ପାରେ । ଉଦାହରଣ ପାଇଁ, କିଛି ଦେଶରେ ଲୋକମାନେ ସିଧାସଳଖ ଅନ୍ୟମାନଙ୍କୁ ନିଜର ମତ ଦିଅନ୍ତି, ଏପରିକି ସେମାନେ ନିଜଠାରୁ ବୟସରେ ବଡ଼ ଲୋକଙ୍କୁ ବି ଏପରି ମତ ଦିଅନ୍ତି । କିନ୍ତୁ ଅନ୍ୟ କିଛି ଦେଶରେ ହୁଏତ ଏପରି ଭାବେ ମତ ଦେବାକୁ ଭୁଲ ମନେ କରାଯାଏ, ଏପରିକି ଲୋକମାନଙ୍କୁ ଖରାପ ଲାଗିପାରେ । ପାଉଲ କହିଲେ ଯେ ଆମେ “କାହାକୁ କିପରି ଉତ୍ତର ଦେବାକୁ ହୁଏ,” ତାହା ଜାଣିବା ଉଚିତ୍ । ଏହାର ଅର୍ଥ ଆମେ ଯାହା କହୁ ତାହା ଆମ ସ୍ୱାଦ କିମ୍ବା ପସନ୍ଦ ଅନୁସାରେ ନୁହେଁ, ବରଂ ଅନ୍ୟମାନଙ୍କର ପସନ୍ଦ ଓ ସଂସ୍କୃତି ଅନୁସାରେ ହେବା ଉଚିତ୍ ।
ଲୋକମାନଙ୍କୁ କେଉଁ ସମୟରେ ସତ୍ୟ କହିବା ଉଚିତ୍ ?
୧୪. ବୁଝାନ୍ତୁ ଯେ ଯୀଶୁ ଯାହା ବି ଜାଣିଥିଲେ କʼଣ ସେହି ସବୁ କଥା ନିଜ ଶିଷ୍ୟମାନଙ୍କୁ କହିଲେ ?
୧୪ ଯୀଶୁ ସବୁବେଳେ ମନୋହର କଥା କହୁଥିଲେ ଏବଂ ସେ ନିଜ ଶିଷ୍ୟମାନଙ୍କୁ ଅନେକ କଥା ଶିଖାଇଲେ । (ମାର୍କ ୬:୩୪) କିନ୍ତୁ ସେମାନଙ୍କୁ ଆହୁରି ଅନେକ କଥା ଶିଖାଇବାର ଥିଲା । ଯୀଶୁ ଚାହିଁଥିଲେ ସେମାନଙ୍କୁ ଏକାଥରେ ସବୁ କଥା ଶିଖାଇପାରିଥାʼନ୍ତେ । କିନ୍ତୁ ସେ ଏପରି କଲେନି, କାରଣ ସେ ସେମାନଙ୍କର ସୀମା ଜାଣିଥିଲେ । ସେ ଜାଣିଥିଲେ ଯେ କିଛି ସତ୍ୟ ଶିଖାଇବା ପାଇଁ ତାଙ୍କୁ ସଠିକ୍ ସମୟର ଅପେକ୍ଷା କରିବାର ଥିଲା । କାରଣ ସେ ଯଦି ସେସମୟରେ ସେମାନଙ୍କୁ ସେହି ସତ୍ୟଗୁଡ଼ିକୁ ଶିଖାନ୍ତେ, ତାହେଲେ ସେମାନେ ବୁଝିପାରନ୍ତେ ନାହିଁ । (ଯୋହ. ୧୬:୧୨) ଏଥିରୁ ଆମେ କʼଣ ଶିଖୁ ?
୧୫. ବୁଝାନ୍ତୁ ଯେ କʼଣ ଆମକୁ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଏକାଥରେ ସବୁକିଛି ଶିଖାଇବା ଉଚିତ୍ ? (ହିତୋପଦେଶ ୨୫:୧୧) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଯୀଶୁଙ୍କଠାରୁ ଆମେ ଶିଖୁ ଯେ ଆମେ ସବୁ ସତ୍ୟ ଜାଣିଥିଲେ ବି ଅନ୍ୟମାନଙ୍କୁ ଏକାଥରେ ସବୁକିଛି ଶିଖାଇବାନି । ହେଲେ ଆମେ ଯୀଶୁଙ୍କ ଭଳି କେଉଁ କଥାଗୁଡ଼ିକୁ ଧ୍ୟାନ ରଖିପାରିବା ? ଆମକୁ ଲୋକମାନଙ୍କ ବିଷୟରେ ଏବଂ ସେମାନଙ୍କର ପରିସ୍ଥିତି ବିଷୟରେ ଭାବିବା ଉଚିତ୍ । ପୁଣିଥରେ ସେହି ବ୍ୟକ୍ତି ବିଷୟରେ ଭାବନ୍ତୁ, ଯାହାକୁ ନିଜ ପରିବାର ସହିତ କ୍ରିସମାସ୍ ଓ ଇଷ୍ଟର ପାଳନ କରିବା ବହୁତ ଭଲ ଲାଗେ । ଆମେ ଜାଣିଛୁ ଯେ ଏହି ପର୍ବଗୁଡ଼ିକ ମିଥ୍ୟା ଧର୍ମରୁ ଆସିଛି ଏବଂ ଈଶ୍ୱର ଏଥିରୁ ଖୁସି ହୁଅନ୍ତି ନାହିଁ । କିନ୍ତୁ ଭାବନ୍ତୁ, ଆପଣ ସେହି ବ୍ୟକ୍ତିର ଅଧ୍ୟୟନ କ୍ରିସମାସ୍ର ଗୋଟିଏ ସପ୍ତାହ କିମ୍ବା ଦୁଇ ସପ୍ତାହ ଆଗରୁ ଆରମ୍ଭ କରନ୍ତି । ହେଲେ କʼଣ ଆପଣ ତାକୁ ଏହା କହିବେ ଯେ ବାଇବଲରେ ପର୍ବଗୁଡ଼ିକ ବିଷୟରେ କʼଣ କୁହାଯାଇଛି ଏବଂ ଆପଣ ଏପରି ଭାବିବେ ଯେ ସେ କ୍ରିସମାସ୍ ପାଳନ କରିବା ତୁରନ୍ତ ଛାଡ଼ିଦେଉ ? ଏପରି କହିଲେ କʼଣ ଆପଣଙ୍କ କଥା ମନୋହର ହୋଇପାରିବ ? ଏହା ସତ ଯେ କିଛି ଲୋକ ବାଇବଲ ଅଧ୍ୟୟନ କରି ତୁରନ୍ତ ନିଜ ଜୀବନରେ ପରିବର୍ତ୍ତନ କରନ୍ତି, କିନ୍ତୁ କିଛି ଲୋକଙ୍କୁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରିବା ଏବଂ ଭୁଲ କାମଗୁଡ଼ିକୁ ଛାଡ଼ିବା ପାଇଁ ସମୟ ଲାଗେ । ଯଦି ଆମେ ଚାହୁଁ ଯେ ଆମ ବାଇବଲ ବିଦ୍ୟାର୍ଥୀ ଉନ୍ନତି କରୁ, ତାହେଲେ ଆମେ କୌଣସି କଥା କହିବା ପୂର୍ବରୁ ଭାବିପାରିବା ଯେ କʼଣ ଏହି କଥାକୁ କହିବା ପାଇଁ ଏହା ସଠିକ୍ ସମୟ ? କʼଣ ସେ ଏବେ ଏହି କଥାକୁ ବୁଝିପାରିବ ?—ହିତୋପଦେଶ ୨୫:୧୧ ପଢ଼ନ୍ତୁ ।
ଯୀଶୁଙ୍କ ଭଳି ଆପଣ ଭାବନ୍ତୁ ଯେ ସତ୍ୟ ଶିଖାଇବା ପାଇଁ କେଉଁ ସମୟ ଓ କେତେ କଥା ଶିଖାଇବା ତାଙ୍କ ପାଇଁ ଭଲ ରହିବ (ପାରାଗ୍ରାଫ ୧୫)
୧୬. “ସତ୍ୟରେ ଆଚରଣ” କରିବା ପାଇଁ ଆମେ କିପରି ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରିପାରିବା ?
୧୬ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ସତ୍ୟ ଶିଖାଇ ଆମକୁ ବହୁତ ଖୁସି ମିଳେ । ଏହି ଲେଖାରେ ଆମେ ଜାଣିଲୁ ଯେ “ସତ୍ୟରେ ଆଚରଣ” କରିବା ପାଇଁ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା । ଆମେ ସେମାନଙ୍କ ପାଇଁ ଭଲ ଉଦାହରଣ ହୋଇପାରିବା । (୩ ଯୋହ. ୩, ୪) ଆମେ ନିଜ ଜୀବନ ଶୈଳୀରୁ ଦେଖାଇପାରିବା ଯେ ଆମକୁ ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକ କିମ୍ବା ପ୍ରତିଜ୍ଞାଗୁଡ଼ିକ ଉପରେ ପୂରା ଭରସା ଅଛି । ସତ୍ୟ ଶିଖାଇବା ସମୟରେ ଆମର ସଠିକ୍ ଉଦ୍ଦେଶ୍ୟ ହେବା ଉଚିତ୍ । ଆମ କଥା ମନୋହର ହେବା ଉଚିତ୍, ଅର୍ଥାତ୍ ଆମେ ଭାବିଚିନ୍ତି କଥା କହିବା ଉଚିତ୍ ଏବଂ ସଠିକ୍ ସମୟରେ ସଠିକ୍ କଥା କହିବା ଉଚିତ୍ । ସବୁଠୁ ବଡ଼ କଥା, ଆମକୁ ଯିହୋବାଙ୍କୁ ସବୁ ମହିମା ଦେବା ଉଚିତ୍ । ଯଦି ଆମେ ଏପରି କରିବା, ତାହେଲେ ଆମେ ଦେଖାଇବା ଯେ ଆମେ ସତ୍ୟମୟ ପରମେଶ୍ୱର ଯିହୋବାଙ୍କର ଉପାସନା କରୁ ।
ଗୀତ ୧୬୦ ଖୁସି ଖବର
a ଚିତ୍ର ବିଷୟରେ: ପ୍ରଥମ ଚିତ୍ରରେ ଭାଇ ଦେଖନ୍ତି ଯେ ଜଣେ ବ୍ୟକ୍ତିର ଘରେ କ୍ରିସମାସ୍ ଟ୍ରି ସଜା ହୋଇଛି ଏବଂ ସେ ତାଙ୍କୁ ସେହି ଲେଖା ବିଷୟରେ କହନ୍ତି ଯେଉଁଥିରେ କୁହାଯାଇଛି ଯେ କ୍ରିସମାସ୍ର ଆରମ୍ଭ କିପରି ହେଲା । ଦ୍ୱିତୀୟ ଚିତ୍ରରେ ଦେଖାଯାଇଛି ଯେ ଭାଇ ସେହି ବ୍ୟକ୍ତିକୁ ଏପରି ଲେଖା ଦେଖାନ୍ତି, ଯେଉଁଥିରେ ବାପାମାନଙ୍କ ପାଇଁ ବଢ଼ିଆ ପରାମର୍ଶ ଦିଆଯାଇଛି । ଆପଣଙ୍କୁ କʼଣ ଲାଗେ, ଏହି ଦୁଇଟି ଉପାୟ ମଧ୍ୟରୁ କେଉଁ ଉପାୟଟି ଅଧିକ ଲାଭଦାୟକ ଅଟେ ?