ଆପଣଙ୍କ ପ୍ରଶ୍ନ
ହିତୋପଦେଶ ୩୦:୧୮, ୧୯ ପଦର ଲେଖକ କହିଲେ ଯେ ସେ ଜଣେ ‘ଯୁବକର ଯୁବତୀ ସହ ବ୍ୟବହାରକୁ’ ବୁଝିପାରିଲେ ନାହିଁ । ତାଙ୍କ କହିବାର ଅର୍ଥ କʼଣ ଥିଲା ?
ଏହି ଶବ୍ଦଗୁଡ଼ିକର ଅର୍ଥକୁ ନେଇ ଅନେକ ଲୋକ, ଏପରିକି କିଛି ବିଦ୍ୱାନ ବି ଦ୍ୱନ୍ଦ୍ୱରେ ଅଛନ୍ତି । ନୂତନ ଜଗତ ଅନୁବାଦ ବାଇବଲରେ ଏପରି ଲେଖାଅଛି, “ତିନୋଟି କଥା ଅଛି ଯାହା ମୁଁ ବୁଝିପାରେ ନାହିଁ, ହଁ, ଚାରୋଟି କଥା ଅଛି ଯାହାକୁ ମୁଁ ବୁଝିପାରି ନାହିଁ: ଆକାଶରେ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀର ପଥ, ଚଟାଣରେ ସାପର ଗତି, ଖୋଲା ସମୁଦ୍ରରେ ଜାହାଜର ପଥ ଏବଂ ଯୁବକର ଯୁବତୀ ସହ ବ୍ୟବହାର ।”—ହିତୋ. ୩୦:୧୮, ୧୯ NWT.
ଏହି ପଦରେ ଯାହା ଲେଖାଅଛି, “ଯୁବକର ଯୁବତୀ ସହ ବ୍ୟବହାର,” ଏବିଷୟରେ ଆମେ ପୂର୍ବେ ମାନୁଥିଲୁ ଯେ ଏଠାରେ ଗୋଟିଏ ଖରାପ କଥା ବିଷୟରେ କୁହାଯାଉଛି । ଆମେ ଏପରି କାହିଁକି ମାନୁଥିଲୁ ? କାରଣ ଆଖପାଖ ପଦଗୁଡ଼ିକରେ କିଛି ଖରାପ କଥାଗୁଡ଼ିକ ବିଷୟରେ କୁହାଯାଇଛି, ଯାହା କେବେ ବି ତୃପ୍ତ ହୁଏନି ଆଉ ନା କେବେ କହେ “ଯଥେଷ୍ଟ ହେଲା ।” (ହିତୋ. ୩୦:୧୫, ୧୬) ୨୦ ପଦରେ ମଧ୍ୟ ଜଣେ ‘ବ୍ୟଭିଚାରିଣୀ ସ୍ତ୍ରୀ’ ବିଷୟରେ କୁହାଯାଇଛି, ଯିଏ କହେ ଯେ ସେ କିଛି ଅଧର୍ମ କରି ନାହିଁ । ଏହି କାରଣରୁ ଆମେ ଭାବୁଥିଲୁ ଯେ ୧୮ ଏବଂ ୧୯ ପଦରେ ମଧ୍ୟ ଗୋଟିଏ ଖରାପ କଥା ବିଷୟରେ କୁହାଯାଉଛି । ଆମେ ମାନୁଥିଲୁ ଯେ ଯେପରି ଆକାଶରେ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ, ଚଟାଣରେ ସାପ ଏବଂ ଖୋଲା ସମୁଦ୍ରରେ ଜାହାଜ, କେବେ ବି ନିଜ ବାଟରେ ଚିହ୍ନ ଛାଡ଼େ ନାହିଁ । ଠିକ୍ ସେହିଭଳି ଜଣେ ଯୁବକ ନିଜର ଖରାପ କାମଗୁଡ଼ିକ ବିଷୟରେ ଅନ୍ୟକୁ ଜଣା ପଡ଼ିବାକୁ ଦିଏନି । ସେ ବହୁତ ଚତୁରତାର ସହ ଜଣେ ନିରୀହ ଯୁବତୀକୁ ଫସାଇ ନିଏ ଏବଂ ସେହି ଯୁବତୀକୁ ଜଣା ବି ପଡ଼େନି ଯେ ସେ କେବେଠାରୁ ତାʼର କଥାରେ ଆସିଯାଇଛି ।
କିନ୍ତୁ ଏହି ପଦଗୁଡ଼ିକରେ ଲେଖକ ଖରାପ କଥାଗୁଡ଼ିକ ବିଷୟରେ କହୁ ନାହାନ୍ତି, ବରଂ ସେ କିଛି ଭଲ କଥାଗୁଡ଼ିକ ବିଷୟରେ କହୁଛନ୍ତି, ଯାହାକୁ ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ଆମେ ଏପରି କାହିଁକି କହିପାରିବା ? ଆସନ୍ତୁ ଏହାର କିଛି କାରଣ ଜାଣିବା ।
ପ୍ରାଚୀନ ଏବ୍ରୀ ହସ୍ତଲିପିଗୁଡ଼ିକର ଯାଞ୍ଚ କଲେ ଜଣାପଡ଼େ ଯେ ଏଠାରେ କିଛି ଭଲ କଥାଗୁଡ଼ିକ ବିଷୟରେ କୁହାଯାଉଛି । ଏବ୍ରୀ ଶାସ୍ତ୍ରର ଗୋଟିଏ ଶବ୍ଦକୋଷରେ କୁହାଯାଇଛି ଯେ ଯେଉଁ ଏବ୍ରୀ ଶବ୍ଦର ଅନୁବାଦ ହିତୋପଦେଶ ୩୦:୧୮ ପଦରେ “ମୁଁ ବୁଝିପାରେ ନାହିଁ” କରାଯାଇଛି, ତାହାର ଅର୍ଥ ହେଉଛି, ‘କୌଣସି ଏପରି ଘଟଣା ବା କଥା ଯାହା ଏତେ ଅଦ୍ଭୁତ ହୋଇଥାଏ ଯେ ତାହାକୁ ଦେଖି ଜଣେ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଥାଏ ।’—ଥିୟୋଲୋଜିକାଲ୍ ଲେକ୍ସିକନ୍ ଅଫ୍ ଦି ଓଲ୍ଡ ଟେଷ୍ଟାମେଣ୍ଟ ।
ଆମେରିକାର ହାର୍ୱର୍ଡ ୟୁନିଭରସିଟିର ପ୍ରୋଫେସର କ୍ରୋଫର୍ଡ ଏଚ. ଟୋୟ୍ ମଧ୍ୟ ଏହା ମାନନ୍ତି ଯେ ଏହି ପଦଗୁଡ଼ିକରେ କୌଣସି ଖରାପ କଥାଗୁଡ଼ିକ ବିଷୟରେ କୁହାଯାଇ ନାହିଁ । ସେ କହନ୍ତି, “ଲେଖକ ଏଠାରେ ଏହା କହୁଛନ୍ତି ଯେ ଏଗୁଡ଼ିକ କେତେ ଆଶ୍ଚର୍ଯ୍ୟଜନକ ।”
ତେଣୁ ଏପରି କହିବା ଠିକ୍ ହେବ ଯେ ହିତୋପଦେଶ ୩୦:୧୮, ୧୯ ପଦରେ ଏପରି କଥାଗୁଡ଼ିକ ବିଷୟରେ କୁହାଯାଇଛି, ଯାହା ବହୁତ ଆଶ୍ଚର୍ଯ୍ୟଜନକ ଏବଂ ଯାହାକୁ ଆମେ ବୁଝିପାରୁ ନାହୁଁ । ସେହି ଲେଖକଙ୍କ ଭଳି ଆମକୁ ବି ଏହା ଦେଖି କେତେ ଆଶ୍ଚର୍ଯ୍ୟ ଲାଗେ ଯେ କିପରି ଗୋଟିଏ ଉତ୍କ୍ରୋଶ ପକ୍ଷୀ ଆକାଶର ଏତେ ଉଚ୍ଚତାରେ ଉଡ଼ିପାରେ, ଗୋଟିଏ ସାପର ଗୋଡ଼ ନ ଥିଲେ ମଧ୍ୟ କେତେ ଶୀଘ୍ର ଗୋଟିଏ ଚଟାଣ ଉପରେ ଚଢ଼ିପାରେ, ଗୋଟିଏ ବହୁତ ବଡ଼ ଏବଂ ଭାରି ଜାହାଜ ସମୁଦ୍ରର ଆରପାରିକୁ ଯାଇପାରେ ଏବଂ କିପରି ଜଣେ ଯୁବକ ଓ ଯୁବତୀକୁ ପରସ୍ପର ସହ ପ୍ରେମ ହୋଇଯାଏ ଏବଂ ସେମାନେ ସାରା ଜୀବନ ସାଙ୍ଗରେ ରହନ୍ତି ।