ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜାନୁୟାରୀ ପୃଷ୍ଠା ୮-୧୩
  • ଆପଣ କିପରି ନିରାଶାର ଭାବନା ସହ ଲଢ଼ିପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ କିପରି ନିରାଶାର ଭାବନା ସହ ଲଢ଼ିପାରିବେ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପାଉଲ ବେଳେବେଳେ କାହିଁକି ନିଜକୁ ଅସହାୟ ମନେ କରୁଥିଲେ ?
  • ପାଉଲ ନିରାଶାର ଭାବନା ସହ କିପରି ଲଢ଼ିପାରିଲେ ?
  • ଆମେ ନିରାଶାର ଭାବନା ସହିତ କିପରି ଲଢ଼ିପାରିବା ?
  • ହାର ମାନନ୍ତୁ ନାହିଁ !
  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜାନୁୟାରୀ ପୃଷ୍ଠା ୮-୧୩

୯-୧୫ ମାର୍ଚ୍ଚ, ୨୦୨୬

ଗୀତ ୪୭ ପ୍ରତିଦିନ କଥା ହୁଏ ଯିହୋବା ସାଥେ

ଆପଣ କିପରି ନିରାଶାର ଭାବନା ସହ ଲଢ଼ିପାରିବେ ?

“ହାୟ, ଦୁର୍ଭାଗ୍ୟ [‘ଅସହାୟ,’ NWT] ମନୁଷ୍ୟ ଯେ ମୁଁ ।”—ରୋମୀ. ୭:୨୪.

କʼଣ ଶିଖିବା ?

ଆମେ ଶିଖିବା ଯେ ଯେଉଁ ଭାବନା ଆମକୁ ଦୁଃଖି କିମ୍ବା ନିରାଶ କରିଦିଏ, ସେହି ଭାବନା ସହ ଆମେ କିପରି ଲଢ଼ିପାରିବା ?

୧-୨. ପାଉଲଙ୍କ ମନରେ ବେଳେବେଳେ କିପରି ଭାବନା ଆସୁଥିଲା ଏବଂ ଆମେ କାହିଁକି ତାଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଉଚିତ୍‌ ? (ରୋମୀୟ ୭:୨୧-୨୪)

ପ୍ରେରିତ ପାଉଲଙ୍କ ବିଷୟରେ ଭାବିଲେ ଆପଣଙ୍କ ମନରେ କେଉଁ କଥା ଆସେ ? କʼଣ ଆପଣଙ୍କ ମନରେ ଏହା ଆସେ ଯେ ସେ ଜଣେ ମିଶନାରୀ ଥିଲେ, ସେ ବହୁତ ଭଲଭାବେ ଶିଖାଉଥିଲେ କିମ୍ବା ସେ ବାଇବଲର ଅନେକ ବହି ଲେଖିଲେ ? ଏହା ସତ ଯେ ପାଉଲ ବହୁତ ସାହସୀ ଥିଲେ ଏବଂ ଉତ୍ସାହର ସହ ଯିହୋବାଙ୍କର ସେବା କରୁଥିଲେ, କିନ୍ତୁ ସେ ବି ବେଳେବେଳେ ଦୁଃଖି, ନିରାଶ ଓ ଚିନ୍ତାଗ୍ରସ୍ତ ହୋଇଯାଉଥିଲେ ।

୨ ରୋମୀୟ ୭:୨୧-୨୪ ପଢ଼ନ୍ତୁ । ପାଉଲ ରୋମରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ଚିଠି ଲେଖିଲେ, ସେଥିରେ ସେ ମନଖୋଲି ତାଙ୍କର ଭାବନା ବିଷୟରେ କହିଲେ । ସେ ଯିହୋବାଙ୍କର ବିଶ୍ୱସ୍ତ ସେବକ ଥିଲେ ଓ ମନପ୍ରାଣ ଦେଇ ତାଙ୍କର ଇଚ୍ଛା ପୂରା କରିବା ପାଇଁ ଚାହୁଁଥିଲେ । କିନ୍ତୁ ଅପରିପୂର୍ଣ୍ଣ ହେବା ଯୋଗୁଁ ତାଙ୍କ ମନରେ ଭୁଲ କାମ କରିବାର ଇଚ୍ଛା ଆସୁଥିଲା, ଯାହାଯୋଗୁଁ ସଠିକ୍‌ କାମ କରିବା ତାଙ୍କ ପାଇଁ କଠିନ ହୋଇଯାଉଥିଲା । ତାʼସହିତ ଅନେକ ବର୍ଷ ପୂର୍ବରୁ ସେ ଯେଉଁ ଭୁଲଗୁଡ଼ିକ କରିଥିଲେ, ସେଗୁଡ଼ିକ ବି ବେଳେବେଳେ ତାଙ୍କୁ ମନେ ପଡ଼ି ଯାଉଥିଲା । ତାଙ୍କର ଏପରି ବି କିଛି ସମସ୍ୟା ଥିଲା, ଯାହା ଶେଷ ହିଁ ହେଉ ନ ଥିଲା । ଏହିସବୁ କାରଣ ଯୋଗୁଁ ସେ ପ୍ରାୟ ନିରାଶ ହୋଇଯାଉଥିଲେ । ଆଉ ବେଳେବେଳେ ଆମକୁ ବି ପାଉଲଙ୍କ ଭଳି ଲାଗେ ।

୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ? (“ଏହାର ଅର୍ଥ କʼଣ ?” ମଧ୍ୟ ଦେଖନ୍ତୁ ।)

୩ ଯଦିଓ ପାଉଲ ବେଳେବେଳେ ନିରାଶa ହୋଇଯାଉଥିଲେ, ତଥାପି ସେ ଅତ୍ୟଧିକ ଚିନ୍ତାଗ୍ରସ୍ତ ନ ହେବା ପାଇଁ ଚେଷ୍ଟା କରୁଥିଲେ । ଏହି ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା: ପାଉଲ ବେଳେବେଳେ କାହିଁକି ନିଜକୁ ଅସହାୟ ମନେ କରୁଥିଲେ ? ଏପରି ପରିସ୍ଥିତିରେ ସେ କʼଣ କଲେ ? ଏବଂ ଆମେ ଯେବେ ନିରାଶ କିମ୍ବା ଦୁଃଖି ହୋଇଯାଉ, ତେବେ ଆମେ କʼଣ କରିପାରିବା ?

ପାଉଲ ବେଳେବେଳେ କାହିଁକି ନିଜକୁ ଅସହାୟ ମନେ କରୁଥିଲେ ?

୪. ପାଉଲ କାହିଁକି ବେଳେବେଳେ ଦୁଃଖି ହୋଇଯାଉଥିଲେ ?

୪ ପୂର୍ବରୁ କରିଥିବା ଭୁଲଗୁଡ଼ିକ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଯେଉଁ ଭୁଲଗୁଡ଼ିକ କରିଥିଲେ, ସେବିଷୟରେ ଭାବି ସେ ବହୁତ ଦୁଃଖି ହୋଇଯାଉଥିଲେ । ଉଦାହରଣ ପାଇଁ, ଯେବେ ଲୋକମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ତେବେ ପାଉଲ ସେଠାରେ ହିଁ ଥିଲେ ଏବଂ ସେ ବି ସେମାନଙ୍କୁ ସହଯୋଗ କଲେ । (ପ୍ରେରି. ୭:୫୮; ୮:୧) ତାʼସହିତ ସେ ଖ୍ରୀଷ୍ଟିୟାନମାନଙ୍କୁ ବହୁତ ଅତ୍ୟାଚାର କଲେ ।—ପ୍ରେରି. ୮:୩; ୨୬:୯-୧୧.

୫. ପାଉଲ ଯେଉଁ ଭୁଲଗୁଡ଼ିକ କରିଥିଲେ, ସେଗୁଡ଼ିକ ବିଷୟରେ ଭାବି ତାଙ୍କୁ କିପରି ଲାଗୁଥିଲା ?

୫ ଖ୍ରୀଷ୍ଟିୟାନ ହେବାର ଅନେକ ବର୍ଷ ପରେ ବି ପାଉଲ ଯେତେ ବି ଚେଷ୍ଟା କରି ମଧ୍ୟ ନିଜ ଖରାପ ସ୍ମୃତିଗୁଡ଼ିକୁ ଭୁଲି ପାରିଲେ ନାହିଁ । ସମୟ ଗଡ଼ିବା ସହିତ ନିଜ କାମଗୁଡ଼ିକ ପାଇଁ ସେ ଆହୁରି ଲଜ୍ଜିତ ଅନୁଭବ କରିଥିବେ ଏବଂ ତାଙ୍କୁ ଅବଶୋଷ ହୋଇଥିବ । ଆମେ ଏହା କାହିଁକି କହିପାରିବା ? ପାଖାପାଖି ୫୫ ଖ୍ରୀଷ୍ଟାବ୍ଦରେ ଯେବେ ପାଉଲ କରିନ୍ଥର ଖ୍ରୀଷ୍ଟିୟାନମାନଙ୍କୁ ପ୍ରଥମ ଚିଠି ଲେଖିଲେ, ତେବେ ସେ ସେମାନଙ୍କୁ କହିଲେ, ‘ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ମୁଁ ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ ।’ (୧ କରି. ୧୫:୯) ଏହାର ପ୍ରାୟ ପାଞ୍ଚ ବର୍ଷ ପରେ ମଧ୍ୟ ସେ ନିଜକୁ ଏତେ ବେକାର ଭାବିଲେ ଯେ ସେ ଏଫିସୀୟର ମଣ୍ଡଳୀକୁ ଲେଖିଲେ, ‘ମୁଁ ପବିତ୍ର ଲୋକମାନଙ୍କ ମଧ୍ୟରେ କ୍ଷୁଦ୍ରତମଠାରୁ କ୍ଷୁଦ୍ର ।’ (ଏଫି. ୩:୮) ତାʼସହିତ ପାଉଲ ତୀମଥିଙ୍କୁ କହିଲେ ଯେ ସେ ପୂର୍ବେ ଈଶ୍ୱରଙ୍କ ‘ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲେ ।’ (୧ ତୀମ. ୧:୧୩) ଭାବନ୍ତୁ, ଯେବେ ପାଉଲ କୌଣସି ମଣ୍ଡଳୀକୁ ଯାଉଥିବେ ଏବଂ ସେଠାରେ କେହି ଭାଇ ଓ ଭଉଣୀଙ୍କୁ କିମ୍ବା ସେମାନଙ୍କର ପରିବାର ଲୋକଙ୍କୁ ଭେଟୁ ଥିବେ ଯାହାଙ୍କୁ ସେ ପୂର୍ବେ ଅତ୍ୟାଚାର କରିଥିଲେ, ତେବେ ତାଙ୍କୁ କିପରି ଲାଗିଥିବ ?

୬. ପାଉଲ ଆଉ କେଉଁ କଥା ପାଇଁ ଚିନ୍ତିତ ଥିଲେ ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୬ ଶରୀରରେ ଗୋଟିଏ କଣ୍ଟକ । ପାଉଲ କହିଲେ ଯେ ସେ କୌଣସି କଥାକୁ ନେଇ ବହୁତ ଚିନ୍ତିତ ଥିଲେ, ସତେ ଯେପରି ତାଙ୍କ ‘ଶରୀରରେ ଗୋଟିଏ କଣ୍ଟକ’ ଥିଲା । (୨ କରି. ୧୨:୭) ସେ ସ୍ପଷ୍ଟଭାବେ ତ କହିଲେ ନାହିଁ ଯେ ସେ କେଉଁ କଥା ପାଇଁ ଚିନ୍ତିତ ଥିଲେ, କିନ୍ତୁ ତାଙ୍କ କଥାରୁ ଏହା ଜଣାପଡ଼େ ଯେ ସେ ହୁଏତ କୌଣସି ଶାରୀରିକ କଷ୍ଟ ପାଇଁ କିମ୍ବା କୌଣସି କଥା ପାଇଁ ବହୁତ ଚିନ୍ତିତ ଥିଲେ ।b

୭. ପାଉଲଙ୍କୁ କାହିଁକି ସଠିକ୍‌ କାମ କରିବା ପାଇଁ କଠିନ ଲାଗୁଥିଲା ? (ରୋମୀୟ ୭:୧୮, ୧୯)

୭ ଅପରିପୂର୍ଣ୍ଣତା । ପାଉଲ ଅପରିପୂର୍ଣ୍ଣ ଥିଲେ । (ରୋମୀୟ ୭:୧୮, ୧୯ ପଢ଼ନ୍ତୁ ।) ସେ ସଠିକ୍‌ କାମ କରିବା ପାଇଁ ତ ଚାହୁଁଥିଲେ, କିନ୍ତୁ ଅପରିପୂର୍ଣ୍ଣତା ଯୋଗୁଁ ତାଙ୍କର ଇଚ୍ଛାଶକ୍ତି ଦୁର୍ବଳ ହୋଇଯାଉଥିଲା । ତାଙ୍କୁ ସବୁ ସମୟରେ ଏହି ଦୁର୍ବଳତା ସହ ଲଢ଼ିବାକୁ ପଡ଼ୁଥିଲା । ଭାବନ୍ତୁ ଦିନେ ସେ ଭଲ କାମ କରୁଥିଲେ, କିନ୍ତୁ ଅନ୍ୟ ଦିନେ ତାଙ୍କ ଦ୍ୱାରା ଭୁଲ ହୋଇଯାଉଥିଲା । ତଥାପି ପାଉଲ ହାର ମାନିଲେ ନାହିଁ, ସେ ନିଜକୁ ସୁଧାର କରିବା ପାଇଁ ପରିଶ୍ରମ କରିବା ଜାରି ରଖିଲେ ।—୧ କରି. ୯:୨୭.

ପାଉଲ ନିରାଶାର ଭାବନା ସହ କିପରି ଲଢ଼ିପାରିଲେ ?

୮. ପାଉଲ ନିଜ ଦୁର୍ବଳତାଗୁଡ଼ିକ ସହ ଲଢ଼ିବା ପାଇଁ କʼଣ କଲେ ?

୮ ପାଉଲଙ୍କ ଚିଠିଗୁଡ଼ିକରୁ ଜଣାପଡ଼େ ଯେ ସେ ନିଜ ଚିନ୍ତାଗୁଡ଼ିକର ସାମନା କିପରି କରିଥିଲେ । ସେ ଜାଣିଥିଲେ ଯେ ଈଶ୍ୱରଙ୍କ ପବିତ୍ର ଶକ୍ତି ସାହାଯ୍ୟରୁ ସେ ଓ ଖ୍ରୀଷ୍ଟିୟାନମାନେ ନିଜର ଭୁଲ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବେ ଏବଂ ସଠିକ୍‌ କାମ କରିବାର ନିଜର ଇଚ୍ଛାଶକ୍ତିକୁ ଦୃଢ଼ କରିପାରିବେ । (ରୋମୀ. ୮:୧୩; ଗାଲା. ୫:୧୬, ୧୭) ପାଉଲ ଅନେକ ଥର ବୁଝାଇଲେ ଯେ ଯିହୋବାଙ୍କୁ ଖୁସି କରିବା ପାଇଁ ଖ୍ରୀଷ୍ଟିୟାନମାନଙ୍କୁ କେଉଁ କାମଗୁଡ଼ିକଠାରୁ ଦୂରେଇ ରହିବା ଉଚିତ୍‌ । (ଗାଲା. ୫:୧୯-୨୧, ୨୬) ତେଣୁ ଆମେ ଭରସା ରଖିପାରିବା ଯେ ପାଉଲ ଅନ୍ୟମାନଙ୍କୁ ଯେଉଁ ପରାମର୍ଶ ଦେଉଥିଲେ, ତାହାକୁ ସେ ନିଜେ ବି ମାନୁଥିଲେ । ସେ ନିଶ୍ଚୟ ଏବିଷୟରେ ଭାବିଥିବେ ଯେ ତାଙ୍କ ଭିତରେ କେଉଁ ଦୁର୍ବଳତାଗୁଡ଼ିକ ରହିଛି ଏବଂ ଶାସ୍ତ୍ରରେ ଏବିଷୟରେ ଅନୁସନ୍ଧାନ କରିଥିବେ । ଏହାପରେ ସେ ଭାବିଥିବେ ଯେ ନିଜ ଦୁର୍ବଳତାଗୁଡ଼ିକ ସହ ଲଢ଼ିବା ପାଇଁ ସେ କʼଣ କରିବେ ।

୯-୧୦. ପାଉଲ ନିରାଶ ଥିବା ସମୟରେ କʼଣ କରୁଥିଲେ ? (ଏଫିସୀୟ ୧:୭) (ଚିତ୍ର ମଧ୍ୟ ଦେଖନ୍ତୁ ।)

୯ ଯଦିଓ ପାଉଲ ବେଳେବେଳେ ନିରାଶ ହୋଇଯାଉଥିଲେ, ତଥାପି ସେ ଖୁସିରେ ରହିଲେ । କାରଣ ସେ ନିଜ ଧ୍ୟାନ ଭଲ କଥାଗୁଡ଼ିକ ଉପରେ ଲଗାଇ ରଖିଲେ । ଉଦାହରଣ ପାଇଁ, ଯେବେ ସେ ମଣ୍ଡଳୀଗୁଡ଼ିକରୁ ଭଲ ଖବର ଶୁଣୁଥିଲେ, ତେବେ ସେ ଖୁସି ହୋଇଯାଉଥିଲେ । (୨ କରି. ୭:୬, ୭) ଅନେକ ଭାଇଭଉଣୀ ତାଙ୍କର ଭଲ ସାଙ୍ଗ ହୋଇଯାଇଥିଲେ ଏବଂ ସେମାନଙ୍କ ସହ ସମୟ ବିତାଇବା ତାଙ୍କୁ ଭଲ ଲାଗୁଥିଲା । (୨ ତୀମ. ୧:୪) ତାʼସହିତ ପାଉଲ ଜାଣିଥିଲେ ଯେ ଯିହୋବା ତାଙ୍କ ଉପରେ ଖୁସି ଅଛନ୍ତି, ସେଥିପାଇଁ ସେ ‘ଶୁଦ୍ଧ ବିବେକ’ ସହ ତାଙ୍କର ସେବା କରିପାରିଲେ । (୨ ତୀମ. ୧:୩) ଯେବେ ପାଉଲ ରୋମରେ ବନ୍ଦୀ ଥିଲେ, ତେବେ ବି ସେ ନିଜ ଖୁସି କମ୍‌ ହେବା ପାଇଁ ଦେଲେ ନାହିଁ । ସେ ନିଜ ଭାଇଭଉଣୀମାନଙ୍କୁ ଲେଖିଲେ ଯେ ସେମାନେ ‘ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କରନ୍ତୁ ।’ (ଫିଲିପ୍‌. ୪:୪) ପାଉଲଙ୍କ କଥାରୁ ଜମା ବି ଏପରି ଲାଗୁ ନ ଥିଲା ଯେ ସେ ବହୁତ ନିରାଶ ଥିଲେ । କାରଣ ଯେବେ ବି ଏପରି ଭାବନା ଆସୁଥିଲା, ତେବେ ସେ ଭଲ କଥାଗୁଡ଼ିକ ବିଷୟରେ ଭାବୁଥିଲେ ।

୧୦ ପାଉଲ ଆଉ କେଉଁ କାରଣ ଯୋଗୁଁ ଖୁସିରେ ରହିପାରିଲେ ଏବଂ ନିଜ ଚିନ୍ତାଗୁଡ଼ିକର ସାମନା କରିପାରିଲେ ? ସେ ଏହା ମନେ ରଖିଲେ ଯେ ଯିହୋବା ତାଙ୍କୁ ବହୁତ ପ୍ରେମ କରନ୍ତି ଏବଂ ତାଙ୍କ ପାଇଁ ନିଜ ପୁତ୍ରଙ୍କୁ ବଳିଦାନ କରିଦେଇଛନ୍ତି । (ଗାଲା. ୨:୨୦; ଏଫିସୀୟ ୧:୭ ପଢ଼ନ୍ତୁ ।) ତାଙ୍କୁ ପୂରା ଭରସା ଥିଲା ଯେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଯୋଗୁଁ ଯିହୋବା ତାଙ୍କ ପାପ କ୍ଷମା କରିଦେଇଛନ୍ତି ଏବଂ ଆଗକୁ ବି ତାଙ୍କ ଦ୍ୱାରା ଯାହା ଭୁଲ ହୋଇଯିବ, ତାହାକୁ ବି ସେ କ୍ଷମା କରିଦେବେ । ପାଉଲଙ୍କୁ ଏହି କଥା ଉପରେ ଜମା ବି ସନ୍ଦେହ ନ ଥିଲା ! (ରୋମୀ. ୭:୨୪, ୨୫) ଏହି କାରଣରୁ ସେ ଖୁସିରେ “ଈଶ୍ୱରଙ୍କ ସେବା” କରିପାରିଲେ ।—ଏବ୍ରୀ ୯:୧୨-୧୪.

ଚିତ୍ରଗୁଡ଼ିକ: ୧. ପ୍ରେରିତ ପାଉଲ ଚିନ୍ତନ କରୁଛନ୍ତି । ୨. ସେ ସେହି ସମୟକୁ ମନେ ପକାଉଛନ୍ତି ଯେବେ ସେ ଜଣେ ଅଧିକାରୀକୁ ଜଣେ ଖ୍ରୀଷ୍ଟିୟାନର ଘରେ ପଶି ତାକୁ ଘରୁ ଘୋଷାରି ବାହାର କରିବା ପାଇଁ ଆଦେଶ ଦେଇଥିଲେ । ୩. ସେ ଏବିଷୟରେ ଚିନ୍ତନ କରୁଛନ୍ତି ଯେ ଯୀଶୁ ତାଙ୍କ ପାଇଁ କେତେ କଷ୍ଟ ସହିଲେ ଓ ତାଙ୍କ ପାଇଁ ନିଜର ଜୀବନକୁ ମୁକ୍ତିର ମୂଲ୍ୟ ଭାବେ ଦେଇଦେଲେ ।

ପାଉଲ ପୂର୍ବେ ଯେଉଁ ଭୁଲଗୁଡ଼ିକୁ କରିଥିଲେ, ସେଗୁଡ଼ିକ ବିଷୟରେ ଭାବି ବେଳେବେଳେ ସେ ଚିନ୍ତିତ ହୋଇଯାଉଥିଲେ । କିନ୍ତୁ ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରି ସେ ଏପରି ଭାବନାଗୁଡ଼ିକ ସହ ଲଢ଼ିପାରିଲେ (ପାରାଗ୍ରାଫ ୯-୧୦)


୧୧. ପାଉଲଙ୍କ ବିଷୟରେ ଭାବି କିପରି ଆମର ସାହସ ବଢ଼ିଯାଏ ?

୧୧ ପାଉଲଙ୍କ ଭଳି ଆମେ ବି ଅସହାୟ ମନେ କରିପାରୁ । କାରଣ ହୁଏତ ଆମେ ବାରମ୍ବାର କିଛି ଭୁଲ କାମ କରିଦେଉ, ଭୁଲ କଥା କହିଦେଉ କିମ୍ବା ଭୁଲ ଭାବିବାକୁ ଲାଗୁ । ଏପରି ହେଲେ ହୁଏତ ଆମକୁ ଲାଗିବ, “ମୁଁ ଯିହୋବାଙ୍କୁ କେବେ ଖୁସି କରିପାରିବି ନାହିଁ !” ଏଲିଜାc ନାମକ ଭଉଣୀ ଯିଏ ପ୍ରାୟ ୨୫ ବର୍ଷର ଅଟନ୍ତି, ସେ ବି ବେଳେବେଳେ ନିରାଶ ହୋଇଯାʼନ୍ତି । ସେ କହନ୍ତି, “ଯେବେ ବି ମୁଁ ପାଉଲଙ୍କ ବିଷୟରେ ଭାବେ, ତେବେ ମୋର ସାହସ ବଢ଼ିଯାଏ । ମୋତେ ଏହା ଜାଣି ବହୁତ ଭଲ ଲାଗେ ଯେ ମୁଁ ଏକୁଟିଆ ନାହିଁ, ଯାହାକୁ ଏପରି ଭାବନା ସହ ଲଢ଼ିବାକୁ ପଡ଼ୁଛି । ଯିହୋବା ବୁଝନ୍ତି ଯେ ତାଙ୍କ ଲୋକଙ୍କ ମନରେ କʼଣ ଚାଲିଛି ଏବଂ ସେମାନେ କିପରି ଭାବନା ସହିତ ଲଢ଼ୁଛନ୍ତି ।” ଯେବେ ଆମେ ନିରାଶ କିମ୍ବା ଦୁଃଖି ହୋଇଯାଉ, ତେବେ ଆମେ ଶୁଦ୍ଧ ବିବେକ ଓ ଖୁସିରେ ଯିହୋବାଙ୍କ ସେବା କିପରି କରିପାରିବା ?

ଆମେ ନିରାଶାର ଭାବନା ସହିତ କିପରି ଲଢ଼ିପାରିବା ?

୧୨. ଖୁସି ରହିବା ପାଇଁ ଆମେ କʼଣ କʼଣ କରିପାରିବା ?

୧୨ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ । ଯେପରି ଆମ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଆମେ ପୁଷ୍ଟିକର ଖାଦ୍ୟ ଖାଉ, ଲଗାତାର ବ୍ୟାୟାମ କରୁ ଏବଂ ଭଲ ନିଦ ନେଉ । ଠିକ୍‌ ସେହିଭଳି, ଯେବେ ଆମର ଭଲ ସେଡ୍ୟୁଲ ରହେ ଅର୍ଥାତ୍‌ ଯେବେ ଆମେ ପ୍ରତିଦିନ ବାଇବଲ ପଢ଼ୁ, ଲଗାତାର ପ୍ରଚାର କରୁ, ସଭାଗୁଡ଼ିକର ପ୍ରସ୍ତୁତି କରୁ ଏବଂ ସଭାରେ ଉପସ୍ଥିତ ହୋଇ ଉତ୍ତର ଦେଉ, ତେବେ ଯିହୋବାଙ୍କ ସହିତ ଆମର ସମ୍ପର୍କ ଦୃଢ଼ ରହେ ଏବଂ ଏଥିରୁ ଆମକୁ ବି ବହୁତ ଖୁସି ଲାଗେ । ତାʼସହିତ ଏପରି କରିବା ଦ୍ୱାରା ଆମେ ନିରାଶ କଲା ଭଳି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଲଗାଇପାରୁ ଏବଂ ଖୁସି ରହିପାରୁ ।—ରୋମୀ. ୧୨:୧୧, ୧୨.

୧୩-୧୪. ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହିବା ଯୋଗୁଁ ଭାଇଭଉଣୀମାନଙ୍କୁ କʼଣ ଲାଭ ହେଲା ?

୧୩ ଭାଇ ଜନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ୩୯ ବର୍ଷର ଥିବା ସମୟରେ ଡାକ୍ତର ତାଙ୍କୁ କହିଲେ ଯେ ତାଙ୍କୁ ଗୋଟିଏ ପ୍ରକାରର କ୍ୟାନସର ହୋଇଯାଇଛି, ଯାହା ବହୁତ କମ୍‌ ଲୋକଙ୍କୁ ହୁଏ । ଏହା ଶୁଣି ଜନ୍‌ ବହୁତ ଚିନ୍ତିତ ହୋଇଗଲେ । ସେ ଭାବିଲେ, ‘ମୁଁ ତ ଏବେ ଯୁବା ଅଛି ! ମୋତେ କ୍ୟାନସର କିପରି ହୋଇପାରିବ ?’ ସେସମୟରେ ଭାଇଙ୍କର ପୁଅ କେବଳ ତିନି ବର୍ଷର ଥିଲା । ଏପରି ସମୟରେ ଜନ୍‌ଙ୍କୁ କେଉଁ କଥାରୁ ସାହାଯ୍ୟ ମିଳିଲା ? ସେ କହନ୍ତି, “ବେଳେବେଳେ ମୁଁ ବହୁତ ଥକି ଯାଉଥିଲି, କିନ୍ତୁ ମୁଁ ସବୁବେଳେ ଏହି କଥାର ଧ୍ୟାନ ରଖୁଥିଲି ଯେ ଆମ ପରିବାର ପ୍ରତି ସଭାରେ ଯାଉ, ଲଗାତାର ପ୍ରଚାର କରୁ ଏବଂ ପ୍ରତି ସପ୍ତାହ ପାରିବାରିକ ଉପାସନା କରୁ । ସତ କହିଲେ ଏପରି କରିବା କଠିନ ଲାଗୁଥିଲା, ତଥାପି ଆମେ ଏପରି କଲୁ ।” ଜନ୍‌ ଏହା ବି କହନ୍ତି ଯେ ଯିହୋବା କିପରି ତାଙ୍କୁ ସାହାଯ୍ୟ କଲେ: “ଯେବେ ହଠାତ୍‌ କୌଣସି ସମସ୍ୟା ଆସେ, ତେବେ ଆମକୁ ବହୁତ ବଡ଼ ଧକ୍କା ଲାଗେ । ମୁଁ ଦେଖିଛି ଯେ ଯିହୋବା ତୁରନ୍ତ ଆମକୁ ନିଜ ଶକ୍ତି ଦିଅନ୍ତି ଏବଂ ଆମକୁ ଏହା ଅନୁଭବ କରାନ୍ତି ଯେ ସେ ଆମକୁ ବହୁତ ପ୍ରେମ କରନ୍ତି । ଯିହୋବା ଅଦ୍ଭୁତ ଭାବେ ମୋତେ ସମ୍ଭାଳିଛନ୍ତି ଏବଂ ମୋତେ ପୂରା ଭରସା ଅଛି ଯେ ଯିହୋବା ଆପଣଙ୍କୁ ବି ସମ୍ଭାଳିବେ ।”

୧୪ ଏଲିଜା ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ, ସେ କହନ୍ତି, “ଯେବେ ବି ମୁଁ ସଭାକୁ ଯାଏ ଓ ଅଧ୍ୟୟନ କରେ, ତେବେ ମୋତେ ଅନୁଭବ ହୁଏ ଯେ ଯିହୋବା ମୋର ଭାବନାକୁ ବୁଝନ୍ତି ଏବଂ ବାସ୍ତବରେ ସେ ମୋତେ ବହୁତ ପ୍ରେମ କରନ୍ତି । ଏହା ଜାଣି ମୋତେ ବହୁତ ଖୁସି ଲାଗେ ।” ଭାଇ ନୋଲାନ୍‌ ଏବଂ ତାଙ୍କ ସ୍ତ୍ରୀ ଡାୟନା ଆଫ୍ରିକାରେ ସର୍କିଟ କାମ କରନ୍ତି । ଭାଇ କହନ୍ତି, “ଆମେ ଲଗାତାର ବାଇବଲ ପଢ଼ୁ, ପ୍ରାର୍ଥନା କରୁ, ସଭା ଓ ପ୍ରଚାରକୁ ଯାଉ । ଆମେ ନିରାଶ ଥିବା ସମୟରେ ବି ଏପରି କରିବା ଜାରି ରଖୁ । ଯିହୋବାଙ୍କ ସାହାଯ୍ୟରୁ ଆମେ ସଠିକ୍‌ ଭାବେ ଭାବିପାରୁ ଏବଂ ନିଜ ଖୁସି ବଜାୟ ରଖିପାରୁ । ଆମେ ଏହା ମନେ ରଖିବା ପାଇଁ ଚେଷ୍ଟା କରୁ ଯେ ଯିହୋବା ସବୁବେଳେ ଆମକୁ ଶକ୍ତି ଦେବେ ଏବଂ ଆଶିଷଗୁଡ଼ିକ ଦେବେ । ଆମେ ଜାଣିନୁ ଯେ ସେ ଏହା କିପରି କରିବେ, କିନ୍ତୁ ଆମକୁ ଭରସା ଅଛି ଯେ ସେ ଏପରି ନିଶ୍ଚୟ କରିବେ !”

୧୫. ଉଦାହରଣ ଦେଇ ବୁଝାନ୍ତୁ ଯେ କʼଣ ନିରାଶାର ଭାବନା ସହ ଲଢ଼ିବା ପାଇଁ କେବଳ ବାଇବଲ ପଢ଼ିବା କିମ୍ବା ସଭାକୁ ଯିବା ଯଥେଷ୍ଟ ।

୧୫ ନିରାଶାର ଭାବନା ସହ ଲଢ଼ିବା ପାଇଁ କେବଳ ବାଇବଲ ପଢ଼ିବା କିମ୍ବା ସଭାକୁ ଯିବା ଯଥେଷ୍ଟ ନୁହେଁ । ଆମକୁ ହୁଏତ ଆଉ କିଛି କରିବାକୁ ପଡ଼ିବ । ଭାବନ୍ତୁ, ଯଦି ଆପଣଙ୍କ ଅଣ୍ଟା ଦରଜ ହେଉଛି, ତାହେଲେ କʼଣ କେବଳ ଚଲାବୁଲା କଲେ ତାହା ଠିକ୍‌ ହୋଇଯିବ ? ଏପରି ନୁହେଁ । ହୁଏତ ଆପଣଙ୍କୁ ଦରଜର କାରଣ ଜାଣିବାକୁ ପଡ଼ିବ ଏବଂ ଡାକ୍ତରଙ୍କଠାରୁ ପରାମର୍ଶ ନେବାକୁ ପଡ଼ିବ । ଠିକ୍‌ ସେହିପରି, ନିରାଶାର ଭାବନା ସହ ଲଢ଼ିବା ପାଇଁ ଆପଣଙ୍କୁ ହୁଏତ ବାଇବଲ ପଢ଼ିବା ଏବଂ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରିବାକୁ ପଡ଼ିବ କିମ୍ବା କୌଣସି ପ୍ରୌଢ଼ ଖ୍ରୀଷ୍ଟିୟାନଙ୍କ ସହିତ ଏବିଷୟରେ କଥା ହେବାକୁ ପଡ଼ିବ । ଆପଣ ଆଉ କʼଣ କରିପାରିବେ ? ଆସନ୍ତୁ ଆଗକୁ ଜାଣିବା ।

୧୬. ନିରାଶାର କାରଣ ଜାଣିବା ପାଇଁ ଆପଣ କʼଣ କରିପାରିବେ ? (ଗୀତସଂହିତା ୧୩୯:୧-୪, ୨୩, ୨୪)

୧୬ ପ୍ରାର୍ଥନା କରି ନିରାଶାର କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ରାଜା ଦାଉଦ ଜାଣିଥିଲେ ଯେ ଯିହୋବା ତାଙ୍କୁ ଭଲଭାବେ ଜାଣନ୍ତି । ସେଥିପାଇଁ ସେ ଯିହୋବାଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ ମାଗିଲେ ଯେ ତାଙ୍କ ଚିନ୍ତାଗୁଡ଼ିକର କାରଣ କʼଣ । (ଗୀତସଂହିତା ୧୩୯:୧-୪, ୨୩, ୨୪ ପଢ଼ନ୍ତୁ ।) ଆପଣ ବି ଯିହୋବାଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ ମାଗିପାରିବେ ଯେ ଆପଣଙ୍କ ନିରାଶାର କାରଣ କʼଣ ଏବଂ ଆପଣ ତାହାର ସାମନା କରିବା ପାଇଁ ବି ଯିହୋବାଙ୍କୁ ସାହାଯ୍ୟ ମାଗିପାରିବେ । ଆପଣ ନିଜକୁ କିଛି ପ୍ରଶ୍ନ ପଚାରିପାରିବେ । ଯେପରି, ‘ମୋ ମନରେ କାହିଁକି ନିରାଶ କଲା ଭଳି କଥାଗୁଡ଼ିକ ଆସୁଛି ? ଏପରି କେଉଁ ପରିସ୍ଥିତିରେ କିମ୍ବା କେଉଁ କଥାଗୁଡ଼ିକ ଯୋଗୁଁ ମୁଁ ନିରାଶ ହୋଇପାରେ ? ଯେବେ ନିରାଶ କଲା ଭଳି କଥାଗୁଡ଼ିକ ମୋ ମନରେ ଆସେ, ତେବେ କʼଣ ମୁଁ ତୁରନ୍ତ ସେଗୁଡ଼ିକୁ କାଢ଼ିପାରେ ନା ସେଗୁଡ଼ିକ ବିଷୟରେ ହିଁ ଭାବୁଥାଏ ?

୧୭. ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଲଗାଇ ରଖିବା ପାଇଁ ଆପଣ କେଉଁ ବିଷୟଗୁଡ଼ିକ ଉପରେ ଅନୁସନ୍ଧାନ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ନିଜ ଚିନ୍ତାଗୁଡ଼ିକୁ ଧ୍ୟାନରେ ରଖି ବ୍ୟକ୍ତିଗତ ଅଧ୍ୟୟନ କରନ୍ତୁ । ମଝି ମଝିରେ ଯିହୋବାଙ୍କର କୌଣସି ବିଶେଷ ଗୁଣ ଉପରେ ଅଧ୍ୟୟନ କଲେ ଆପଣଙ୍କୁ ଲାଭ ହୋଇପାରିବ । ଯେପରି, ପାଉଲଙ୍କୁ ମୁକ୍ତିର ମୂଲ୍ୟ ଏବଂ ଯିହୋବାଙ୍କଠାରୁ ମିଳୁଥିବା କ୍ଷମା ବିଷୟରେ ଭାବିବା ଦ୍ୱାରା ସାହାଯ୍ୟ ମିଳିଲା । ଆପଣ ବି ଏପରି କରିପାରିବେ । ଯଦି ଆପଣ ଚାହାନ୍ତି, ତାହେଲେ ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ (ହିନ୍ଦୀ) କିମ୍ବା ଅନ୍ୟ ପ୍ରକାଶନଗୁଡ଼ିକରେ ଓ jw.org ୱେବସାଇଟ୍‌ରେ ବି ଅନୁସନ୍ଧାନ କରିପାରିବେ । ଉଦାହରଣ ପାଇଁ, ଆପଣ ଯିହୋବାଙ୍କ ଦୟା, କ୍ଷମା ଓ ଅଟଳ ପ୍ରେମ ବିଷୟରେ ପଢ଼ିପାରିବେ । ଅନୁସନ୍ଧାନ ସମୟରେ ଆପଣଙ୍କୁ ଲାଗେ ଯେ ଯେଉଁ ଲେଖାଗୁଡ଼ିକରୁ ଆପଣଙ୍କୁ ସାହାଯ୍ୟ ମିଳିପାରିବ, ସେଗୁଡ଼ିକର ଗୋଟିଏ ତାଲିକା ପ୍ରସ୍ତୁତି କରନ୍ତୁ । ଆଉ ସେଗୁଡ଼ିକୁ ଏପରି ଜାଗାରେ ରଖନ୍ତୁ ଯେଉଁଠି ଆପଣ ସହଜରେ ଦେଖିପାରିବେ । ଏହାପରେ ଯେବେ ବି ଆପଣଙ୍କୁ ନିରାଶାର ଭାବନା ସହ ଲଢ଼ିବାକୁ ପଡ଼େ, ତେବେ ଆପଣ ସେହି ଲେଖାଗୁଡ଼ିକୁ ପଢ଼ନ୍ତୁ ଏବଂ ଭାବନ୍ତୁ ଯେ ସେଥିରୁ ଆପଣ କʼଣ ଶିଖନ୍ତି । ।—ଫିଲିପ୍‌. ୪:୮.

ଜଣେ ଯୁବା ଭାଇ ବ୍ୟକ୍ତିଗତ ଅଧ୍ୟୟନ କରୁଛନ୍ତି ଏବଂ ସେ ବାଇବଲ, ଟାବଲେଟ୍‌ ଓ ଡାଏରୀ ଖୋଲିକି ରଖିଛନ୍ତି । ସେ ବାଇବଲରେ କିଛି ଲେଖୁଛନ୍ତି ।

ଏପରି ବିଷୟଗୁଡ଼ିକ ଉପରେ ବ୍ୟକ୍ତିଗତ ଅଧ୍ୟୟନ କରନ୍ତୁ ଯାହା ଆପଣଙ୍କୁ ନିରାଶାର ଭାବନା ସହିତ ଲଢ଼ିବା ପାଇଁ ସାହାଯ୍ୟ କରିପାରିବ (ପାରାଗ୍ରାଫ ୧୭)


୧୮. କିଛି ଖ୍ରୀଷ୍ଟିୟାନଙ୍କୁ କେଉଁ ବିଷୟରେ ଅଧ୍ୟୟନ କରିବା ଦ୍ୱାରା ଲାଭ ହୋଇଛି ?

୧୮ ଏଲିଜା ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ, ସେ ଆୟୁବଙ୍କ ବିଷୟରେ ଗଭୀର ଭାବେ ଅଧ୍ୟୟନ କଲେ । ସେ କହନ୍ତି, “ମୁଁ ଆୟୁବଙ୍କ ପରିସ୍ଥିତିକୁ ଭଲଭାବେ ବୁଝିପାରିଲି । ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅନେକ ସମସ୍ୟା ଆସିଲା । ସେ ପୂରାପୂରି ନିରାଶ ହୋଇଗଲେ, କିନ୍ତୁ ସେ ଯିହୋବାଙ୍କ ଉପରେ ଭରସା କରିବା ଛାଡ଼ିଲେ ନାହିଁ । ତାଙ୍କୁ ଏହା ଜଣା ନ ଥିଲା ଯେ ତାଙ୍କ ଉପରେ କାହିଁକି ସମସ୍ୟାଗୁଡ଼ିକ ଆସୁଛି, ତଥାପି ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ।” (ଆୟୁ. ୪୨:୧-୬) ଡାୟନା ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ, ସେ କହନ୍ତି, “ମୁଁ ଏବଂ ମୋ ସ୍ୱାମୀ ଆମ ପ୍ରକାଶନରେ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଅଧ୍ୟୟନ କଲୁ । ଆମେ ଏହାପାଇଁ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ଆମକୁ ତାଙ୍କ ଭଳି ହେବା ପାଇଁ ସାହାଯ୍ୟ କରୁଛନ୍ତି । ଯେବେ ଆମେ ନିଜ ଭୁଲଗୁଡ଼ିକ ଯୋଗୁଁ ନିରାଶ ହୋଇଯାଉ, ତେବେ ଆମେ ଏବିଷୟରେ ଭାବୁ ଯେ ଯିହୋବା ଆମକୁ ଶିଖାଉଛନ୍ତି ଏବଂ ଜଣେ ଭଲ ମଣିଷ ହେବା ପାଇଁ ସାହାଯ୍ୟ କରୁଛନ୍ତି । ଏପରି କରିବା ଦ୍ୱାରା ଆମେ ଯିହୋବାଙ୍କର ନିକଟତର ହୋଇପାରିଛୁ ।”—ଯିଶା. ୬୪:୮.

ହାର ମାନନ୍ତୁ ନାହିଁ !

୧୯. ବେଳେବେଳେ ହୁଏତ ଆମକୁ କେଉଁ ଭାବନା ସହ ଲଢ଼ିବାକୁ ପଡ଼ିବ, କିନ୍ତୁ ଆମେ କʼଣ ଆଶା ରଖିପାରିବା ?

୧୯ ଏହା ସତ ଯେ ବାଇବଲ ପଢ଼ିବା, ସଭାକୁ ଯିବା, ପ୍ରଚାର କରିବା ଓ ନିଜ ଚିନ୍ତାଗୁଡ଼ିକୁ ଧ୍ୟାନରେ ରଖି ବ୍ୟକ୍ତିଗତ ଅଧ୍ୟୟନ କରିବା ଯୋଗୁଁ ଆମେ କିଛି ମାତ୍ରାରେ ନିରାଶାର ଭାବନା ସହ ଲଢ଼ିପାରିବା । କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଆମକୁ କେବେ ବି ନିରାଶାର ଭାବନା ସହ ଲଢ଼ିବାକୁ ପଡ଼ିବନି । ହୁଏତ ବେଳେବେଳେ ଆମେ ବି ଅସହାୟ ମନେ କରିପାରୁ । କିନ୍ତୁ ଏପରି ସମୟରେ ଯିହୋବାଙ୍କ ସାହାଯ୍ୟରୁ ଆମେ ଏହି ଭାବନାଗୁଡ଼ିକ ସହ ଲଢ଼ିପାରିବା । ଆମେ ଆଶା ରଖିପାରିବା ଯେ ଆମେ ଅଧିକାଂଶ ଦିନ ଶୁଦ୍ଧ ବିବେକ ସହ ଓ ଖୁସିର ସହ ଯିହୋବାଙ୍କ ସେବା କରିପାରିବା ।

୨୦. ଆପଣ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ?

୨୦ ଯଦି ପୂର୍ବେ ଆପଣ କିଛି ଭୁଲ କରିଛନ୍ତି କିମ୍ବା ଆପଣ ନିଜର କୌଣସି ଦୁର୍ବଳତା ସହ ଲଢ଼ୁଛନ୍ତି କିମ୍ବା ଅନ୍ୟ କୌଣସି କଥା ଯୋଗୁଁ ଆପଣ ଚିନ୍ତିତ ଅଛନ୍ତି, ତାହେଲେ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ହାର ମାନିବେନି । ଏପରି ପରିସ୍ଥିତିରେ ଯିହୋବା ଆପଣଙ୍କୁ ସମ୍ଭାଳିବେ । (ଗୀତ. ୧୪୩:୧୦) ଆମେ ସେହି ଦିନର ଆଗ୍ରହର ସହ ଅପେକ୍ଷା କରୁଛୁ, ଯେବେ ଆମକୁ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଲଗାଇ ରଖିବା ପାଇଁ ପରିଶ୍ରମ କରିବାକୁ ପଡ଼ିବନି । ପ୍ରତିଦିନ ଯେବେ ଆମେ ସକାଳେ ଉଠିବା, ତେବେ ନିରାଶ କଲା ଭଳି କଥାଗୁଡ଼ିକ ଆମ ମନରେ ଆସିବନି ଏବଂ ଆମେ ଖୁସିର ସହ ନିଜ ପିତା ଯିହୋବାଙ୍କ ସେବା କରିବା !

ଆପଣ କʼଣ ଉତ୍ତର ଦେବେ ?

  • ପାଉଲ କାହିଁକି ବେଳେବେଳେ ଅସହାୟ ମନେ କରୁଥିଲେ ?

  • ନିରାଶା ସତ୍ତ୍ୱେ ପାଉଲ କାହିଁକି ଶୁଦ୍ଧ ବିବେକ ସହ ଓ ଖୁସିର ସହ ଯିହୋବାଙ୍କ ସେବା କରିପାରିଲେ ?

  • ଆମେ ନିରାଶା ଓ ଖରାପ ଭାବନା ସହ କିପରି ଲଢ଼ିପାରିବା ?

ଗୀତ ୩୪ ରହିବି ମୁଁ ବିଶ୍ୱସ୍ତ

a ଏହାର ଅର୍ଥ କʼଣ ? ଏହି ଲେଖାରେ ଯେଉଁ ଜାଗାରେ ବି ଖରାପ ଭାବନା କିମ୍ବା ଦୁଃଖି ହେବା କିମ୍ବା ନିରାଶା ବିଷୟରେ କୁହାଯାଇଛି, ସେଠାରେ ଏହାର ଅର୍ଥ ଡିପ୍ରେସନ୍‌ କିମ୍ବା ଅତ୍ୟଧିକ ଚିନ୍ତା କରିବା ନୁହେଁ ଯାହା ପାଇଁ ସାଧାରଣତଃ ଡାକ୍ତରଙ୍କୁ ଦେଖାଇବାକୁ ପଡ଼େ କିମ୍ବା ଚିକିତ୍ସା କରାଇବାକୁ ପଡ଼େ ।

b ପାଉଲଙ୍କ ଚିଠିଗୁଡ଼ିକରୁ ଏପରି ଜଣାପଡ଼େ ଯେ ତାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଇଥିଲା, ଯାହାଯୋଗୁଁ ତାଙ୍କ ପାଇଁ ମଣ୍ଡଳୀଗୁଡ଼ିକୁ ଚିଠି ଲେଖିବା, ଯାତ୍ରା କରିବା ଓ ପ୍ରଚାର କରିବାରେ ଅସୁବିଧା ହୋଇଥିବ । (ଗାଲା. ୪:୧୫; ୬:୧୧) ଏପରି ବି ହୋଇପାରେ ଯେ ମଣ୍ଡଳୀରେ ଯେଉଁ ମିଛ ଶିକ୍ଷକମାନେ ଉତ୍ପନ୍ନ ହୋଇଯାଇଥିଲେ, ସେମାନଙ୍କ କଥାଗୁଡ଼ିକ ଯୋଗୁଁ ବି ସେ ଚିନ୍ତିତ ରହୁଥିଲେ । (୨ କରି. ୧୦:୧୦; ୧୧:୫, ୧୩) ପାଉଲଙ୍କ ଚିନ୍ତିତ ରହିବାର କାରଣ ଯାହା ବି ଥାଉ ନା କାହିଁକି, ଗୋଟିଏ କଥା ସ୍ପଷ୍ଟ ଯେ ସେଗୁଡ଼ିକ ଯୋଗୁଁ ତାଙ୍କୁ ବହୁତ କଷ୍ଟ ହେଉଥିଲା ।

c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ