ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜାନୁୟାରୀ ପୃଷ୍ଠା ୨-୭
  • ଲଗାତାର “ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ” ବଢ଼ାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲଗାତାର “ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ” ବଢ଼ାନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କିଣାନୀୟା ସ୍ତ୍ରୀଙ୍କ ଉଦାହରଣରୁ ଶିଖନ୍ତୁ
  • ପିତରଙ୍କ ଭଳି ନିଜ ଭୋକ ବଢ଼ାଇବା ଜାରି ରଖନ୍ତୁ
  • ପାଉଲଙ୍କ ଭଳି ନୂତନ ସ୍ୱଭାବ ପରିଧାନ କରନ୍ତୁ
  • ଦାଉଦଙ୍କ ଭଳି ଯିହୋବାଙ୍କର ଆଶ୍ରୟ ନିଅନ୍ତୁ
  • ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା ଜାରି ରଖନ୍ତୁ
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା ଓ ଯୀଶୁଙ୍କ ଭଳି ଚିନ୍ତାଧାରା ଆପଣାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜାନୁୟାରୀ ପୃଷ୍ଠା ୨-୭

୨-୮ ମାର୍ଚ୍ଚ, ୨୦୨୬

ଗୀତ ୯୭ ଜୀବନ ନିର୍ଭର ବାକ୍ୟରେ

ଲଗାତାର “ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ” ବଢ଼ାନ୍ତୁ

୨୦୨୬ ମସିହାର ବାର୍ଷିକ ପଦ: “ଯେଉଁମାନଙ୍କୁ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ଥାଏ, ସେମାନେ ସୁଖୀ ।”—ମାଥି. ୫:୩, NWT.

କʼଣ ଶିଖିବା ?

ଆମେ ଶିଖିବା ଯେ ଯିହୋବାଙ୍କ ବ୍ୟବସ୍ଥାରୁ ଆମେ କିପରି ଲଗାତାର ନିଜ ଭୋକ ବଢ଼ାଇପାରିବା, ନୂତନ ସ୍ୱଭାବ ପରିଧାନ କରିପାରିବା ଓ ତାଙ୍କର ଆଶ୍ରୟ ନେଇପାରିବା ।

୧. ଜୀବିତ ରହିବା ପାଇଁ ଆମକୁ କେଉଁ ଜିନିଷଗୁଡ଼ିକର ଆବଶ୍ୟକ ରହିଛି ? (ମାଥିଉ ୫:୩)

ଯିହୋବା ଆମକୁ ଏପରି ଭାବେ ସୃଷ୍ଟି କରିଛନ୍ତି ଯେ ଜୀବିତ ରହିବା ପାଇଁ ଆମକୁ ଖାଦ୍ୟ, ପୋଷାକ ଓ ରହିବା ପାଇଁ ସ୍ଥାନର ନିହାତି ଆବଶ୍ୟକ । ଯଦି ଏମଧ୍ୟରୁ ଗୋଟିଏ ବି ଜିନିଷ ଆମ ପାଖରେ ନ ଥାଏ, ତାହେଲେ ବଞ୍ଚିବା ଆମ ପାଇଁ ବହୁତ କଷ୍ଟକର ହୋଇଯାଏ । ଅବଶ୍ୟ ଜୀବିତ ରହିବା ପାଇଁ ଆମକୁ ଖାଦ୍ୟ, ପୋଷାକ ଓ ରହିବା ପାଇଁ ସ୍ଥାନର ଆବଶ୍ୟକ ରହିଛି । କିନ୍ତୁ ଖୁସି ରହିବା ପାଇଁ ଆମକୁ ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା ବି ନିତାନ୍ତ ଆବଶ୍ୟକ । ମାଥିଉ ୫:୩ (NWT) ପଦରେ ଲେଖାଅଛି, “ଯେଉଁମାନଙ୍କୁ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ଥାଏ, ସେମାନେ ସୁଖୀ ।” ଏହି କଥାକୁ ବୁଝିବା ଏବଂ ଲଗାତାର ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା ଆମ ପାଇଁ ବହୁତ ଜରୁରୀ ।

୨. ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ହେବା, ଏହାର ଅର୍ଥ କʼଣ ? ଉଦାହରଣ ଦେଇ ବୁଝାନ୍ତୁ ।

୨ ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ବଢ଼ାଇବାର ଅର୍ଥ କʼଣ ? ଏହି କଥା ପାଇଁ ଗ୍ରୀକ୍‌ ଭାଷାରେ ଯେଉଁ ଶବ୍ଦର ବ୍ୟବହାର କରାଯାଇଛି, ସେହି ବିଷୟରେ ଭାବିଲେ ଆମ ମନରେ ଏପରି ଜଣେ ବ୍ୟକ୍ତିର ଚିତ୍ର ଆସେ ଯିଏ ପବିତ୍ର ଶକ୍ତି ପାଇଁ ଭିକ ମାଗୁଛି । କଳ୍ପନା କରନ୍ତୁ ଯେ ଜଣେ ଭିକାରୀ ରାସ୍ତା କଡ଼ରେ ବସିଛି । ତାʼ ପାଖରେ ଖାଇବା ପାଇଁ କିଛି ବି ନାହିଁ, ସେ ଛିଣ୍ଡା କପଡ଼ା ପିନ୍ଧିଛି ଏବଂ ଲୋକମାନେ ତାʼ ଉପରେ ଧ୍ୟାନ ଦେଉ ନାହାନ୍ତି । ତାʼସହିତ ରହିବା ପାଇଁ ତାʼ ପାଖରେ କୌଣସି ସ୍ଥାନ ନାହିଁ । ଦିନରେ ସେ ଟାଣ ଖରା ସହୁଛି ତ ରାତିରେ ପ୍ରବଳ ଶୀତ । ତାକୁ ଜଣାଅଛି ଯେ ତାʼ ପରିସ୍ଥିତିରେ ସୁଧାର ଆଣିବା ପାଇଁ ତାକୁ କାହାରି ସାହାଯ୍ୟ ନେବାକୁ ପଡ଼ିବ । ଠିକ୍‌ ସେହିଭଳି ଯେଉଁ ବ୍ୟକ୍ତି ଭିତରେ ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ଥାଏ, ସେ ଏହି କଥାକୁ ବୁଝେ ଯେ ଖୁସି ରହିବା ପାଇଁ ତାକୁ ଯିହୋବାଙ୍କଠାରୁ ସାହାଯ୍ୟ ନେବାକୁ ପଡ଼ିବ । ଆଉ ସେହି ବ୍ୟକ୍ତି ସେହି ବ୍ୟବସ୍ଥାଗୁଡ଼ିକରୁ ଲାଭ ଉଠାଇବା ପାଇଁ ପୂରା ଚେଷ୍ଟା କରିବ, ଯାହା ଯିହୋବା ଆମକୁ ମାର୍ଗଦର୍ଶନ ଦେବା ପାଇଁ କରିଛନ୍ତି ।

୩. ଏହି ଲେଖାରେ ଆମେ କʼଣ ଜାଣିବା ?

୩ ଏହି ଲେଖାରେ ସର୍ବପ୍ରଥମେ ଆମେ ସେହି କିଣାନୀୟା ସ୍ତ୍ରୀ ବିଷୟରେ ଜାଣିବା ଯିଏ ସାହାଯ୍ୟ ପାଇଁ ଯୀଶୁଙ୍କୁ ଭିକ ମାଗିଥିଲେ । ଆମେ ତାଙ୍କର ତିନୋଟି ଭଲ ଗୁଣ ବିଷୟରେ ଦେଖିବା, ଯାହା ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା ପାଇଁ ବହୁତ ଜରୁରୀ । ଏହାପରେ ଆମେ ପ୍ରେରିତ ପିତର, ପ୍ରେରିତ ପାଉଲ ଓ ରାଜା ଦାଉଦଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଯେଉଁମାନେ ମାର୍ଗଦର୍ଶନ ନେବା ପାଇଁ ସବୁବେଳେ ଯିହୋବାଙ୍କଠାରେ ନିର୍ଭର ରହୁଥିଲେ ।

କିଣାନୀୟା ସ୍ତ୍ରୀଙ୍କ ଉଦାହରଣରୁ ଶିଖନ୍ତୁ

୪. କିଣାନୀୟା ସ୍ତ୍ରୀ କାହିଁକି ଯୀଶୁଙ୍କ ନିକଟକୁ ଆସିଲେ ?

୪ ଥରେ ଜଣେ କିଣାନୀୟା ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ । ତାଙ୍କ ଝିଅକୁ ଦୁଷ୍ଟ ସ୍ୱର୍ଗଦୂତ ‘ଅତି ଭୟଙ୍କର ଭାବରେ’ କାବୁ କରିଥିଲା । (ମାଥି. ୧୫:୨୧-୨୮) ସେହି ସ୍ତ୍ରୀ ଯୀଶୁଙ୍କ ଆଗରେ ନଇଁ ତାଙ୍କୁ ସାହାଯ୍ୟ ପାଇଁ ଭିକ ମାଗିବାକୁ ଲାଗିଲେ । ତାଙ୍କଠାରେ ଅନେକ ଭଲ ଗୁଣ ଥିଲା, ଯେଉଁଥିରୁ ଆମେ ଅନେକ କଥା ଶିଖିପାରିବା । ଆସନ୍ତୁ ତାଙ୍କର ତିନୋଟି ଗୁଣ ବିଷୟରେ ଧ୍ୟାନ ଦେବା ।

୫. ସେହି ସ୍ତ୍ରୀଙ୍କ ଭିତରେ କେଉଁ ଭଲ ଗୁଣଗୁଡ଼ିକ ଥିଲା ଏବଂ ଯୀଶୁ ତାଙ୍କ ପାଇଁ କʼଣ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୫ ଯେବେ ସେହି ସ୍ତ୍ରୀ ଯୀଶୁଙ୍କୁ ସାହାଯ୍ୟ ମାଗିଲେ, ତେବେ ଯୀଶୁ ତାଙ୍କୁ କହିଲେ, ‘ସନ୍ତାନମାନଙ୍କ ଆହାର ନେଇ ପୋଷା କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ ।’ ଯୀଶୁଙ୍କ ଏହି କଥା ଶୁଣି ହୁଏତ କେହି ବି ଖରାପ ଭାବିପାରନ୍ତେ । ହୁଏତ ସେହି ବ୍ୟକ୍ତି ଭାବନ୍ତା ଯେ ପୋଷା କୁକୁର ସହିତ ତୁଳନା କରି ଯୀଶୁ ତାʼର ଅପମାନ କରୁଛନ୍ତି, କିନ୍ତୁ ସେହି ସ୍ତ୍ରୀକୁ ଯୀଶୁଙ୍କ କଥାରୁ ଖରାପ ଲାଗିଲାନି । ଏଥିରୁ ଜଣାପଡ଼େ ଯେ ସେ ବହୁତ ନମ୍ର ଥିଲେ । ଧ୍ୟାନ ଦିଅନ୍ତୁ ଯେ ଯୀଶୁଙ୍କର ଏହି କଥା ଶୁଣି ସେହି ସ୍ତ୍ରୀ ସେଠାରୁ ପଳାଇଲେ ନାହିଁ, ବରଂ ସେ ତାଙ୍କୁ ସାହାଯ୍ୟ ମାଗି ଚାଲିଲେ । ସେ ସହଜରେ ହାର ମାନିଲେ ନାହିଁ । କାରଣ ତାଙ୍କୁ ଦୃଢ଼ ବିଶ୍ୱାସ ଥିଲା ଯେ ଯୀଶୁ ତାଙ୍କର ଝିଅକୁ ସୁସ୍ଥ କରିପାରିବେ । ସେହି ସ୍ତ୍ରୀଙ୍କର ଦୃଢ଼ ବିଶ୍ୱାସ ଯୀଶୁଙ୍କର ହୃଦୟକୁ ଛୁଇଁଗଲା । ଅବଶ୍ୟ ଯୀଶୁ କହିଥିଲେ ଯେ ତାଙ୍କୁ “ଇସ୍ରାଏଲ-ବଂଶର ହଜିଯାଇଥିବା ମେଷମାନଙ୍କ” ପାଇଁ ପଠାଯାଇଛି, କିନ୍ତୁ ସେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କଲେ ଏବଂ ସେହି ସ୍ତ୍ରୀର ଝିଅକୁ ସୁସ୍ଥ କରିଦେଲେ ।

କିଣାନୀୟ ସ୍ତ୍ରୀ ଯୀଶୁଙ୍କୁ ସାହାଯ୍ୟ ମାଗୁଛନ୍ତି । ଯୀଶୁ ଓ ତାଙ୍କ ତିନିଜଣ ଶିଷ୍ୟ ଖାଇବା ପାଇଁ ବସିଛନ୍ତି ଏବଂ ସେହି ସ୍ତ୍ରୀଙ୍କର କଥା ଶୁଣୁଛନ୍ତି ।

କିଣାନୀୟ ସ୍ତ୍ରୀ ନମ୍ର ଥିଲେ, ହାର ମାନିଲେ ନାହିଁ ଏବଂ ତାଙ୍କର ଦୃଢ଼ ବିଶ୍ୱାସ ଥିଲା, ସେଥିପାଇଁ ସେ ଯୀଶୁଙ୍କୁ ସାହାଯ୍ୟ ମାଗିପାରିଲେ (ପାରାଗ୍ରାଫ ୫)


୬. ଆମେ କିଣାନୀୟା ସ୍ତ୍ରୀଙ୍କ ଉଦାହରଣରୁ କʼଣ ଶିଖୁ ?

୬ ଯିହୋବାଙ୍କଠାରୁ ଲଗାତାର ମାର୍ଗଦର୍ଶନ ନେବା ପାଇଁ ଆମ ଭିତରେ ବି ଏହି ତିନୋଟି ଗୁଣ ହେବା ଉଚିତ୍‌ । ଆମକୁ ନମ୍ର ହେବା ଉଚିତ୍‌, ହାର ମାନିବା ଉଚିତ୍‌ ନୁହେଁ ଏବଂ ଦୃଢ଼ ବିଶ୍ୱାସ ହେବା ଉଚିତ୍‌ । ଯଦି ଆମେ ନମ୍ର ରହିବା, ତାହେଲେ ଆମେ ସହଜରେ ହାର ମାନିବାନି ଏବଂ ଯିହୋବାଙ୍କଠାରୁ ସାହାଯ୍ୟ ମାଗିବା ଜାରି ରଖିବା । ତାʼସହିତ ଆମେ ଯୀଶୁଙ୍କ ଉପରେ ଏବଂ ସେହି ଭାଇମାନଙ୍କ ଉପରେ ବି ଭରସା ରଖିବା, ଯେଉଁମାନଙ୍କ ଜରିଆରେ ଯୀଶୁ ଆଜି ଆମକୁ ସଠିକ୍‌ ବାଟ ଦେଖାଉଛନ୍ତି । (ମାଥି. ୨୪:୪୫-୪୭) ଯଦି ଆମେ ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବାର ଏହି ଭୋକକୁ ମେଣ୍ଟାଇବା ପାଇଁ ଚାହୁଁ, ତାହେଲେ ଆମକୁ ତାଙ୍କୁ ବିନତି କରିବା ଜାରି ରଖିବାକୁ ପଡ଼ିବ । ଏପରି କଲେ ସେ ନିଶ୍ଚୟ ଆମକୁ ସାହାଯ୍ୟ କରିବେ । ଆଉ ଯିହୋବା ଓ ଯୀଶୁଙ୍କୁ ଆମ ସାହାଯ୍ୟ କରି ବହୁତ ଖୁସି ମିଳିବ । (ଯାକୁବ ୧:୫-୭ ପଦ ସହ ତୁଳନା କରନ୍ତୁ ।) ଏବେ ଆସନ୍ତୁ ଆମେ ଏହା ଜାଣିବା ଯେ ଯିହୋବା କିପରି ଆମକୁ ମାର୍ଗଦର୍ଶନ ଦିଅନ୍ତି ଏବଂ କିପରି ସେହି ଜିନିଷଗୁଡ଼ିକ ଦିଅନ୍ତି ଯେଉଁଥିରୁ ଆମକୁ ଖୁସି ମିଳେ । ଆମେ ଏହା ବି ଜାଣିବା ଯେ ଆମେ ପ୍ରେରିତ ପିତର, ପ୍ରେରିତ ପାଉଲ ଓ ରାଜା ଦାଉଦଙ୍କ ଉଦାହରଣରୁ କʼଣ ଶିଖିପାରିବା ।

ପିତରଙ୍କ ଭଳି ନିଜ ଭୋକ ବଢ଼ାଇବା ଜାରି ରଖନ୍ତୁ

୭. ପିତରଙ୍କୁ କʼଣ ଦାୟିତ୍ୱ ମିଳିଲା ଏବଂ ତାଙ୍କୁ କେଉଁ କଥାର ଧ୍ୟାନ ରଖିବାର ଥିଲା ? ବୁଝାନ୍ତୁ । (ଏବ୍ରୀ ୫:୧୪–୬:୧)

୭ ପ୍ରେରିତ ପିତର ଚିହ୍ନି ପକାଇଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଏବଂ ଯିହୋବା ତାଙ୍କ ଜରିଆରେ ଲୋକମାନଙ୍କୁ “ଅନନ୍ତ ଜୀବନର ବାକ୍ୟ” ଶିଖାଉଛନ୍ତି । (ଯୋହ. ୬:୬୬-୬୮) ସ୍ୱର୍ଗ ଯିବା ପୂର୍ବରୁ ଯୀଶୁ ପିତରଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ ।” (ଯୋହ. ୨୧:୧୭) ପିତର ଏହି ଦାୟିତ୍ୱ ବହୁତ ଭଲଭାବେ ତୁଲାଇଲେ । ସେ ମଣ୍ଡଳୀଗୁଡ଼ିକର ଉତ୍ସାହ ବଢ଼ାଇବା ପାଇଁ ଦୁଇଟି ଚିଠି ଲେଖିଲେ, ଯେଉଁ ଚିଠିଗୁଡ଼ିକୁ ପରେ ବାଇବଲରେ ସାମିଲ୍‌ କରାଗଲା । କିନ୍ତୁ ପିତର ଏହି କଥାର ବି ଧ୍ୟାନ ରଖିଲେ ଯେ ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବାର ତାଙ୍କ ଭୋକ କମ୍‌ ହୋଇ ନ ଯାଉ । ଏଥିପାଇଁ ସେ ପ୍ରେରିତ ପାଉଲଙ୍କର ଚିଠିଗୁଡ଼ିକୁ ଗଭୀର ଭାବେ ଅଧ୍ୟୟନ କଲେ । ପିତର କହିଲେ ଯେ ପାଉଲଙ୍କର କିଛି କଥାଗୁଡ଼ିକ “ବୁଝିବାକୁ ଜଟିଳ,” ତଥାପି ସେ ଲଗାତାର ସେଗୁଡ଼ିକର ଅଧ୍ୟୟନ କଲେ । (୨ ପିତ. ୩:୧୫, ୧୬) ତାଙ୍କୁ ପୂରା ବିଶ୍ୱାସ ଥିଲା ଯେ ‘ଗୁରୁପାକ ଖାଦ୍ୟକୁ’ ହଜମ କରିବା ପାଇଁ ଅର୍ଥାତ୍‌ ପାଉଲଙ୍କର ଲେଖାଥିବା ଗଭୀର କଥାଗୁଡ଼ିକୁ ବୁଝିବା ପାଇଁ ଯିହୋବା ନିଶ୍ଚୟ ତାଙ୍କୁ ସାହାଯ୍ୟ କରିବେ ।—ଏବ୍ରୀ ୫:୧୪–୬:୧ ପଢ଼ନ୍ତୁ ।

୮. ପିତରଙ୍କୁ ଯେବେ ଯିହୋବାଙ୍କ ତରଫରୁ ଗୋଟିଏ ନୂଆ ନିର୍ଦ୍ଦେଶ ମିଳିଲା, ତେବେ ସେ କʼଣ କଲେ ?

୮ ପିତରଙ୍କୁ ଯିହୋବାଙ୍କ ଉପରେ ପୂରା ବିଶ୍ୱାସ ଥିଲା, ତେଣୁ ସେ ତାଙ୍କର ସବୁ ନିର୍ଦ୍ଦେଶଗୁଡ଼ିକୁ ମାନିଲେ । ଉଦାହରଣ ପାଇଁ, ଯେବେ ସେ ଯାଫୋ ସହରରେ ଥିଲେ ତେବେ ସେ ଗୋଟିଏ ଦର୍ଶନ ଦେଖିଲେ । ସେହି ଦର୍ଶନରେ ତାଙ୍କୁ କିଛି ପଶୁମାନଙ୍କୁ ମାରି ଖାଇବା ପାଇଁ କୁହାଗଲା । ଏହି ପଶୁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଅଶୁଚି ଥିଲେ । ଯିହୁଦୀମାନଙ୍କ ଦୃଷ୍ଟିରେ ଏପରି ପଶୁମାନଙ୍କ ମାଂସ ଖାଇବା ସମ୍ପୂର୍ଣ୍ଣ ଭୁଲ ଥିଲା । ସେଥିପାଇଁ ପିତର କହିଲେ, “ନାହିଁ, ପ୍ରଭୋ, ମୁଁ କେବେ ହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଭୋଜନ କରି ନାହିଁ ।” ତେବେ ତାଙ୍କୁ କୁହାଗଲା, “ଈଶ୍ୱର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ ।” (ପ୍ରେରି. ୧୦:୯-୧୫) କʼଣ ପିତର ଏହି ଦର୍ଶନର ଅର୍ଥ ବୁଝିପାରିଲେ ? ନିଶ୍ଚୟ ! ଧ୍ୟାନ ଦିଅନ୍ତୁ ଯେ ଆଗକୁ କʼଣ ହୁଏ । ଏହି ଦର୍ଶନର କିଛି ସମୟ ପରେ ତିନିଜଣ ବ୍ୟକ୍ତି ପିତରଙ୍କୁ ଭେଟିବା ପାଇଁ ଆସନ୍ତି, ଯେଉଁମାନଙ୍କୁ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ପଠାଇଥିଲେ । ଆଉ ସେମାନେ ପିତରଙ୍କୁ ନିଜ ସହିତ କର୍ଣ୍ଣିଲୀୟଙ୍କ ଘରକୁ ଆସିବା ପାଇଁ କହନ୍ତି । ସାଧାରଣତଃ ପିତର କେବେ ବି ଅଣଯିହୁଦୀମାନଙ୍କ ଘରକୁ ଯାଉ ନ ଥିଲେ, କାରଣ ଯିହୁଦୀମାନେ ଅଣଯିହୁଦୀମାନଙ୍କୁ ଅଶୁଚି ବୋଲି ମନେ କରୁଥିଲେ । (ପ୍ରେରି. ୧୦:୨୮, ୨୯) କିନ୍ତୁ ଏହି ଦର୍ଶନ ଦେଖିବା ପରେ ପିତର ବୁଝିଗଲେ ଯେ ତାଙ୍କୁ କʼଣ କରିବା ଉଚିତ୍‌ । ସେଥିପାଇଁ ସେ ସେମାନଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ । ଆମେ ସ୍ପଷ୍ଟ ଭାବେ ଦେଖିପାରୁ ଯେ ପିତର ଈଶ୍ୱରଙ୍କ ତରଫରୁ ମିଳିଥିବା ନିର୍ଦ୍ଦେଶକୁ ତୁରନ୍ତ ମାନିଲେ । (ହିତୋ. ୪:୧୮) ସେ କର୍ଣ୍ଣିଲୀୟ ଓ ତାଙ୍କ ପରିବାର ଲୋକଙ୍କୁ ସାକ୍ଷ୍ୟ ଦେଲେ । ଆଉ ସେମାନେ ସମସ୍ତେ ସତ୍ୟ ଆପଣାଇଲେ, ସେମାନଙ୍କୁ ପବିତ୍ର ଶକ୍ତି ମିଳିଲା ଓ ସେମାନେ ବାପ୍ତିସ୍ମ ନେଲେ । ଭାବନ୍ତୁ, ଏସବୁ ଦେଖି ପିତରଙ୍କୁ କେତେ ଖୁସି ଲାଗିଥିବ !—ପ୍ରେରି. ୧୦:୪୪-୪୮.

୯. ଯଦି ଆମେ ଗୁରୁପାକ ଖାଦ୍ୟ ପାଇଁ ଭୋକ ବଢ଼ାଇବା, ତାହେଲେ ଆମକୁ କʼଣ ଲାଭ ହେବ ?

୯ ଆମେ ପିତରଙ୍କଠାରୁ କʼଣ ଶିଖୁ ? ବାଇବଲର ମୌଳିକ ଶିକ୍ଷାଗୁଡ଼ିକ କ୍ଷୀର ଭଳି ଆମକୁ ପୋଷକ ତତ୍ତ୍ୱ ଦିଏ, ତେଣୁ ଆମକୁ ଲଗାତାର ସେଗୁଡ଼ିକ ବିଷୟରେ ଶିଖିବା ଉଚିତ୍‌ । ତାʼସହିତ ଆମକୁ “ଗୁରୁପାକ ଖାଦ୍ୟ” ପାଇଁ ବି ନିଜର ଭୋକ ବଢ଼ାଇବା ଉଚିତ୍‌, ଅର୍ଥାତ୍‌ ବାଇବଲର ଗଭୀର କଥାଗୁଡ଼ିକୁ ବୁଝିବା ପାଇଁ ଆମ ଭିତରେ ପ୍ରବଳ ଇଚ୍ଛା ହେବା ଉଚିତ୍‌ । ଯଦି ଆମେ ପ୍ରକୃତରେ ବାଇବଲର ଗଭୀର କଥାଗୁଡ଼ିକୁ ବୁଝିବା ପାଇଁ ଚାହୁଁ, ତାହେଲେ ଆମକୁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ ଏବଂ ଏହାପାଇଁ ସମୟ ବାହାର କରିବାକୁ ପଡ଼ିବ । ଏପରି କଲେ ଆମକୁ ଅତି କମ୍‌ରେ ଦୁଇଟି ଲାଭ ହେବ । ପ୍ରଥମ, ଆମେ ଯିହୋବାଙ୍କ ବିଷୟରେ ଅନେକ କଥା ଶିଖିପାରିବା ଯେଉଁଥିରୁ ତାଙ୍କ ପାଇଁ ଆମ ପ୍ରେମ ଆହୁରି ବଢ଼ିବ ଏବଂ ଆମେ ତାଙ୍କର ଆହୁରି କୃତଜ୍ଞ ମନେ କରିବା । ଦ୍ୱିତୀୟ, ଅନ୍ୟମାନଙ୍କୁ ଏବିଷୟରେ କହିବା ପାଇଁ ଆମକୁ ଇଚ୍ଛା ହେବ ଯେ ଯିହୋବା କେତେ ମହାନ ଈଶ୍ୱର ଅଟନ୍ତି ଏବଂ ସେ ଆମମାନଙ୍କୁ କେତେ ପ୍ରେମ କରନ୍ତି । (ରୋମୀ. ୧୧:୩୩; ପ୍ରକା. ୪:୧୧) ଆମେ ପିତରଙ୍କଠାରୁ ଆଉ ଗୋଟିଏ କଥା ଶିଖୁ । ଯଦି ବାଇବଲର କୌଣସି ଶିକ୍ଷା ବିଷୟରେ ଆମେ ଯାହା ମାନୁଥିଲୁ ସେଥିରେ କିଛି ପରିବର୍ତ୍ତନ ହୁଏ, ତାହେଲେ ଆମକୁ ଅତିଶୀଘ୍ର ତାହାକୁ ମାନିବା ଉଚିତ୍‌ । ଆମକୁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରିବା ଉଚିତ୍‌ ଏବଂ ସେ ଅନୁସାରେ କାମ କରିବା ଉଚିତ୍‌ । ଯଦି ଆମେ ଏପରି କରିବା, ତାହେଲେ ଆମେ ପିତରଙ୍କ ଭଳି ଭୋକ ବଢ଼ାଇପାରିବା ଏବଂ ଯିହୋବା ଆମକୁ ତାଙ୍କ କାମରେ ଅଧିକ ବ୍ୟବହାର କରିବେ ।

ପାଉଲଙ୍କ ଭଳି ନୂତନ ସ୍ୱଭାବ ପରିଧାନ କରନ୍ତୁ

୧୦. ନୂତନ ସ୍ୱଭାବ ପରିଧାନ କରିବାର ଅର୍ଥ କʼଣ ? (କଲସୀୟ ୩:୮-୧୦)

୧୦ ଯିହୋବା ଆମକୁ ଏପରି ସ୍ୱଭାବ ପରିଧାନ କରିବା ପାଇଁ ବି ସାହାଯ୍ୟ କରନ୍ତି, ଯେଉଁଥିରୁ ଆମେ ତାଙ୍କୁ ଖୁସି କରିପାରିବା । ଏବିଷୟରେ ପାଉଲ କହିଲେ ଯେ ଆମକୁ ନିଜର ‘ପୁରାତନ ସ୍ୱଭାବ ପରିତ୍ୟାଗ କରିବା’ ଉଚିତ୍‌, ଯାହା ପୁରୁଣା ପୋଷାକ ଭଳି ଅଟେ ଏବଂ ନୂଆ ପୋଷାକ ଅର୍ଥାତ୍‌ ‘ନୂତନ ସ୍ୱଭାବ ପରିଧାନ କରିବା’ ଉଚିତ୍‌ । (କଲସୀୟ ୩:୮-୧୦ ପଢ଼ନ୍ତୁ ।) ବେଳେବେଳେ ଆମକୁ ନିଜ ଭିତରେ ପରିବର୍ତ୍ତନ କରିବା ସହଜ ଲାଗେନି । ଏହା ପାଇଁ ଆମକୁ ସମୟ ଲାଗେ ଏବଂ ପରିଶ୍ରମ କରିବାକୁ ପଡ଼େ । ଭାବନ୍ତୁ, ଯଦି ଆମେ ନୂତନ ସ୍ୱଭାବ ପରିଧାନ କରିବା, ତାହେଲେ ଯିହୋବାଙ୍କୁ କେତେ ଖୁସି ଲାଗିବ ! ଯଦି ଆମେ ପ୍ରେରିତ ପାଉଲଙ୍କ ବିଷୟରେ ଦେଖିବା, ତାହେଲେ ଯୁବା ବୟସରୁ ହିଁ ସେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ବହୁତ ପରିଶ୍ରମ କଲେ । (ଗାଲା. ୧:୧୪; ଫିଲିପ୍‌. ୩:୪, ୫) ତଥାପି ତାଙ୍କୁ ଯିହୋବାଙ୍କ ଉପାସନା କରିବାର ସଠିକ୍‌ ଉପାୟ ଜଣା ନ ଥିଲା । ସେ ଖ୍ରୀଷ୍ଟଙ୍କ ଶିକ୍ଷାଗୁଡ଼ିକ ବିଷୟରେ ବି ଭଲଭାବେ ବୁଝି ନ ଥିଲେ । ତାʼସହିତ ସେ ଅହଙ୍କାରୀ ଥିଲେ ଯାହା ଯୋଗୁଁ ସେ ‘ଅତ୍ୟାଚାର’ କରୁଥିଲେ ।—୧ ତୀମ. ୧:୧୩.

୧୧. ବୁଝାନ୍ତୁ ଯେ ପାଉଲଙ୍କୁ କେଉଁ ଦୁର୍ବଳତା ସହ ଲଢ଼ିବାକୁ ପଡ଼ିଲା ?

୧୧ ପାଉଲ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ବହୁତ ରାଗି ସ୍ୱଭାବର ବ୍ୟକ୍ତି ଥିଲେ । ପ୍ରେରିତ ବହିରେ କୁହାଯାଇଛି ଯେ ପାଉଲ ଖ୍ରୀଷ୍ଟିୟାନମାନଙ୍କ ଉପରେ ଏତେ ରାଗିଥିଲେ ଯେ ସେମାନଙ୍କୁ ଜୀବନରୁ ମାରି ଦେବା ପାଇଁ ଚାହୁଁଥିଲେ । (ପ୍ରେରି. ୯:୧) କିନ୍ତୁ ଖ୍ରୀଷ୍ଟିୟାନ ହେବା ପରେ ପାଉଲ ନିଜକୁ ପରିବର୍ତ୍ତନ କରିବା ପାଇଁ ବହୁତ ପରିଶ୍ରମ କଲେ । ସେ ନିଜର ଏହି ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କଲେ । (ଏଫି. ୪:୨୨, ୩୧) ଏହାପରେ ମଧ୍ୟ ତାଙ୍କର ଓ ବର୍ଣ୍ଣବ୍‌ବାଙ୍କ ମଧ୍ୟରେ କୌଣସି କଥା ପାଇଁ ଯୁକ୍ତିତର୍କ ହେଲା । ଏହା ଯୋଗୁଁ ସେମାନଙ୍କ ମଧ୍ୟରେ “ଘୋର ବିବାଦ” ହୋଇଗଲା । (ପ୍ରେରି. ୧୫:୩୭-୩୯) ଏହି କଥା ପାଇଁ ପାଉଲ ନିଶ୍ଚୟ ନିରାଶ ହୋଇଯାଇଥିବେ । କିନ୍ତୁ ସେ ହାର୍‌ ମାନିଲେ ନାହିଁ । ସେ ଯିହୋବାଙ୍କୁ ଖୁସି କରିବା ପାଇଁ ‘ନିଜ ଶରୀରକୁ କଷ୍ଟ ଦେଲେ’ ଅର୍ଥାତ୍‌ ନିଜ ଦୁର୍ବଳତାଗୁଡ଼ିକ ସହିତ ଲଢ଼ିଲେ ।—୧ କରି. ୯:୨୭.

୧୨. ପାଉଲ କାହିଁକି ନିଜର ପୁରାତନ ସ୍ୱଭାବ ପରିତ୍ୟାଗ କରିପାରିଲେ ?

୧୨ ପାଉଲ ନମ୍ର ଥିଲେ, ତେଣୁ ସେ ନିଜର ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିପାରିଲେ । ନିଜକୁ ପରିବର୍ତ୍ତନ କରିବା ପାଇଁ ସେ ନିଜ ଉପରେ ନୁହେଁ ବରଂ ଯିହୋବାଙ୍କ ଉପରେ ଭରସା ରଖିଲେ । (ଫିଲିପ୍‌. ୪:୧୩) ପିତରଙ୍କ ଭଳି ସେ ବି ‘ଈଶ୍ୱରଙ୍କ ଶକ୍ତି’ ଉପରେ ନିର୍ଭର ରହିଲେ । (୧ ପିତ. ୪:୧୧) କିନ୍ତୁ ଏହା ପରେ ବି ସେ ଅନେକ ଥର ଭୁଲ୍‌ କଲେ ଏବଂ ଏହା ଯୋଗୁଁ ନିରାଶ ହୋଇଗଲେ । ଏପରି ସମୟରେ ଯିହୋବା ତାଙ୍କ ପାଇଁ ଯାହା ବି କରିଛନ୍ତି ସେ ବିଷୟରେ ସେ ଭାବୁଥିଲେ । ଏହା ଦ୍ୱାରା ସେ ଯିହୋବାଙ୍କ ପାଇଁ କୃତଜ୍ଞ ମନେ କରୁଥିଲେ ଓ ନିଜକୁ ପରିବର୍ତ୍ତନ କରିବା ପାଇଁ ଏବଂ ଯିହୋବାଙ୍କୁ ଖୁସି କରିବା ପାଇଁ ତାଙ୍କର ଇଚ୍ଛାଶକ୍ତି ଦୃଢ଼ ହୋଇଯାଉଥିଲା ।—ରୋମୀ. ୭:୨୧-୨୫.

୧୩. ଆମେ ପାଉଲଙ୍କଠାରୁ କʼଣ ଶିଖୁ ?

୧୩ ଆମେ ପାଉଲଙ୍କଠାରୁ କʼଣ ଶିଖୁ ? ଆମେ ଯିହୋବାଙ୍କ ସେବା ଯେତେ ସମୟରୁ କରୁଥିଲେ ବି ଆମକୁ ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିବା ପାଇଁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । ତଥାପି ଆମ ଦ୍ୱାରା ଭୁଲ ହୋଇପାରେ । ହୁଏତ ଆମେ କାହାରିକୁ ଏପରି କିଛି କହିଦେବା ଯାହା ତାଙ୍କୁ ଖରାପ ଲାଗିବ କିମ୍ବା ଆମେ ରାଗି ଯାଇପାରୁ । ଏପରି ସମୟରେ ଆମେ କେବେ ବି ଏହା ଭାବିବା ଉଚିତ୍‌ ନୁହେଁ ଯେ ଆମେ ଯିହୋବାଙ୍କୁ ଖୁସି କରିପାରିବା ନାହିଁ । ଏହା ପରିବର୍ତ୍ତେ ଆମେ ହାର୍‌ ମାନିବା ନାହିଁ ବରଂ ନିଜକୁ ସୁଧାର କରିବା ପାଇଁ ଲଗାତାର ଚେଷ୍ଟା କରିବା ଉଚିତ୍‌ । (ରୋମୀ. ୧୨:୧, ୨; ଏଫି. ୪:୨୪) କିନ୍ତୁ ଆମକୁ ଗୋଟିଏ କଥା ଧ୍ୟାନ ଦେବାକୁ ପଡ଼ିବ । ଯିହୋବା ଆମକୁ ଯେଉଁ ସ୍ୱଭାବ ପରିଧାନ କରିବା ପାଇଁ କହନ୍ତି ତାହା କୌଣସି ପୋଷାକ ନୁହେଁ, ଯାହାକୁ ଆମେ ନିଜ ମାପ ଅନୁସାରେ ବଦଳାଇ ଦେଇ ପାରିବା । ବରଂ ଏହାକୁ ପରିଧାନ କରିବା ପାଇଁ ଆମକୁ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ । ଆମେ ଏହା ଆଶା କରିପାରିବା ନାହିଁ ଯେ ଯିହୋବା ଆମ ପାଇଁ ନିଜ ସ୍ତରକୁ ପରିବର୍ତ୍ତନ କରିବେ, ବରଂ ଆମକୁ ଯିହୋବାଙ୍କ ସ୍ତର ଅନୁସାରେ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ ।

ଦାଉଦଙ୍କ ଭଳି ଯିହୋବାଙ୍କର ଆଶ୍ରୟ ନିଅନ୍ତୁ

୧୪-୧୫. ଯିହୋବା କେଉଁ ଉପାୟଗୁଡ଼ିକରୁ ନିଜ ଲୋକମାନଙ୍କୁ ସୁରକ୍ଷା ଦିଅନ୍ତି ? (ଗୀତସଂହିତା ୨୭:୫) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଯଦି ଆମେ ପ୍ରକୃତରେ ଖୁସି ରହିବା ପାଇଁ ଚାହୁଁ ତାହେଲେ ଆମକୁ ଭୋକ ବଢ଼ାଇବା ଓ ନୂତନ ସ୍ୱଭାବ ପରିଧାନ କରିବା ସହିତ ଯିହୋବାଙ୍କର ଆଶ୍ରୟ ବି ନେବାକୁ ପଡ଼ିବ । କିନ୍ତୁ ଯିହୋବାଙ୍କର ଆଶ୍ରୟ ନେବାର ଅର୍ଥ କʼଣ ଏବଂ ଆମକୁ ତାଙ୍କର ଆଶ୍ରୟ ନେବା ପାଇଁ କʼଣ କରିବାକୁ ପଡ଼ିବ ?

୧୫ ଦାଉଦଙ୍କ ଶବ୍ଦଗୁଡ଼ିକରୁ ଜଣାପଡ଼େ ଯେ ଯିହୋବାଙ୍କର ଆଶ୍ରୟ ନେବାର ଅର୍ଥ କʼଣ । (ଗୀତସଂହିତା ୨୭:୫ ପଢ଼ନ୍ତୁ ।) ଯିହୋବା ନିଜ ଲୋକମାନଙ୍କୁ ଏପରି ପ୍ରତ୍ୟେକ ବିପଦରୁ ରକ୍ଷା କରନ୍ତି ଯାହା ଯୋଗୁଁ ସେମାନଙ୍କ ବିଶ୍ୱାସ ସବୁଦିନ ପାଇଁ ଶେଷ ହୋଇପାରେ । ତାʼସହିତ ସେ ଆମକୁ ସେହି ବିପଦଗୁଡ଼ିକରୁ ବି ରକ୍ଷା କରନ୍ତି ଯାହା ଅନ୍ୟମାନଙ୍କ ଯୋଗୁଁ ଆସିଥାଏ । ସେ ପ୍ରତିଜ୍ଞା କରିଛନ୍ତି ଯେ ଆମ ବିରୁଦ୍ଧରେ ଉଠୁଥିବା କୌଣସି ବି ଅସ୍ତ୍ର ସାର୍ଥକ ହେବ ନାହିଁ । (ଗୀତ. ୩୪:୭; ଯିଶା. ୫୪:୧୭) ଏହା ସତ ଯେ ଶୟତାନ ଓ ତାʼର ଦୁଷ୍ଟ ଦୁନିଆ ବହୁତ ଶକ୍ତିଶାଳୀ ଅଟେ, କିନ୍ତୁ ଯଦି ଆମେ ଯିହୋବାଙ୍କର ଆଶ୍ରୟ ନେବା ତାହେଲେ ସେମାନେ ଆମର କିଛି ବି କ୍ଷତି କରିପାରିବେ ନାହିଁ । ଯଦି ସେମାନେ ଆମର ଜୀବନ ନେଇଯାʼନ୍ତି ତାହେଲେ ବି ଯିହୋବା ଆମକୁ ପୁଣିଥରେ ଜୀବିତ କରିପାରିବେ । (୧ କରି. ୧୫:୫୫-୫୭; ପ୍ରକା. ୨୧:୩, ୪) ଯିହୋବା ଆମକୁ ସେହି ବିପଦଗୁଡ଼ିକ ସହ ଲଢ଼ିବା ପାଇଁ ବି ସାହାଯ୍ୟ କରନ୍ତି, ଯାହା ଆମର ଦୁର୍ବଳତା କିମ୍ବା ଆମ ଚିନ୍ତାଗୁଡ଼ିକ ଯୋଗୁଁ ଆସିଥାଏ । ଏହି ବିପଦଗୁଡ଼ିକରୁ ବି ଆମର ବିଶ୍ୱାସ ପୂରାପୂରି ଶେଷ ହୋଇପାରେ । (ହିତୋ. ୧୨:୨୫; ମାଥି. ୬:୨୭-୨୯) ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ଗୋଟିଏ ବଡ଼ ପରିବାର ଦେଇଛନ୍ତି । ସେହି ପରିବାରରେ ଏପରି ଭାଇଭଉଣୀ ଅଛନ୍ତି ଯେଉଁମାନେ ଆମର ସାହସ ବଢ଼ାନ୍ତି । ସେ ପ୍ରାଚୀନମାନଙ୍କର ବି ବ୍ୟବସ୍ଥା କରିଛନ୍ତି ଯେଉଁମାନେ ମେଷପାଳକ ଭଳି ଆମକୁ ସୁରକ୍ଷା ଦିଅନ୍ତି । (ଯିଶା. ୩୨:୧, ୨) ତାʼସହିତ ଯିହୋବା ସଭାଗୁଡ଼ିକ ଜରିଆରେ ବି ଆମକୁ ବାରମ୍ବାର ଏହା ମନେ ପକାଇ ଦିଅନ୍ତି ଯେ ସେ ଆଉ କେଉଁ ଉପାୟଗୁଡ଼ିକରୁ ଆମକୁ ସୁରକ୍ଷା ଦିଅନ୍ତି ଏବଂ ସେଗୁଡ଼ିକରୁ ଲାଭ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ।—ଏବ୍ରୀ ୧୦:୨୪, ୨୫.

“ପ୍ରହରୀଦୁର୍ଗ” ଅଧ୍ୟୟନ ସମୟରେ ଜଣେ ଭଉଣୀ ହାତ ଉଠାଇଛନ୍ତି । ତାʼସହିତ ଆଉ କିଛି ଭାଇଭଉଣୀ ବି ହାତ ଉଠାଇଛନ୍ତି ।

ଜଣେ ଭଉଣୀ ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା ପାଇଁ ଭାଇଭଉଣୀଙ୍କ ସହିତ ମିଶି ସଭାର ମଜା ନେଉଛନ୍ତି (ପାରାଗ୍ରାଫ ୧୪-୧୫)


୧୬. ଯିହୋବାଙ୍କର ଆଶ୍ରୟ ନେବା ପାଇଁ ଦାଉଦ କʼଣ କଲେ ?

୧୬ ଏବିଷୟରେ ଧ୍ୟାନ ଦିଅନ୍ତୁ ଯେ ଦାଉଦ ଯିହୋବାଙ୍କର ଆଶ୍ରୟ ନେବା ପାଇଁ କʼଣ କଲେ ? ସେ ଯିହୋବାଙ୍କର ଆଜ୍ଞା ମାନିଲେ ଏବଂ ଅନେକ ଭଲ ନିଷ୍ପତ୍ତି ନେଲେ । ତେଣୁ ସେ ଅନେକ ବିପଦରୁ ରକ୍ଷା ପାଇଲେ ଏବଂ ତାଙ୍କର ସୁରକ୍ଷା ହେଲା । (ହିତୋପଦେଶ ୫:୧, ୨ ପଦ ସହ ତୁଳନା କରନ୍ତୁ ।) କିନ୍ତୁ ଯେବେ ଦାଉଦ ଯିହୋବାଙ୍କର ଆଜ୍ଞା ମାନିଲେ ନାହିଁ ଅର୍ଥାତ୍‌ ତାଙ୍କର ଆଶ୍ରୟ ନେଲେ ନାହିଁ, ତେବେ ତାଙ୍କୁ ନିଜର ଭୁଲ ନିଷ୍ପତ୍ତିଗୁଡ଼ିକର ପରିଣାମ ଭୋଗିବାକୁ ପଡ଼ିଲା । (୨ ଶାମୁ. ୧୨:୯, ୧୦) ତାʼସହିତ ଦାଉଦଙ୍କୁ ଅନ୍ୟମାନଙ୍କ ଯୋଗୁଁ ବି ଅନେକ ସମସ୍ୟାର ସାମନା କରିବା ପାଇଁ ପଡ଼ିଲା । ଏପରି ସମୟରେ ସେ କʼଣ କଲେ ? ସେ ମନ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କଲେ ଏବଂ ତାଙ୍କୁ ନିଜର ସବୁ ଚିନ୍ତା ବିଷୟରେ କହିଲେ । ଆଉ ଯିହୋବା ବି ଦାଉଦଙ୍କୁ ଏହି କଥାର ଭରସା ଦେଲେ ଯେ ସେ ତାଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସେ ତାଙ୍କର ଯତ୍ନ ନେବେ ।—ଗୀତ. ୨୩:୧-୬.

୧୭. ଦାଉଦଙ୍କ ଭଳି ଆମେ କʼଣ କରିପାରିବା ?

୧୭ ଦାଉଦଙ୍କ ଭଳି ଯେବେ ଆମେ ବି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଯିହୋବାଙ୍କର ଦୃଷ୍ଟିକୋଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାଉ, ତେବେ ଆମେ ଭଲ ନିଷ୍ପତ୍ତି ନେଇପାରୁ ଏବଂ ଆମର ସୁରକ୍ଷା ହୁଏ । କିନ୍ତୁ ଆମକୁ ମନେ ରଖିବା ଉଚିତ୍‌ ଯେ ଯେବେ ଆମେ ଯିହୋବାଙ୍କ ଆଜ୍ଞା ମାନି ନ ଥାଉ, ତେବେ ସେ ଆମକୁ ସେହି ଖରାପ ପରିଣାମଗୁଡ଼ିକରୁ ରକ୍ଷା କରନ୍ତି ନାହିଁ, ଯାହା ଆମର ଭୁଲ ନିଷ୍ପତ୍ତିଗୁଡ଼ିକ ଯୋଗୁଁ ଆମକୁ ଭୋଗିବାକୁ ପଡ଼େ । (ଗାଲା. ୬:୭, ୮) ଏହା ବ୍ୟତୀତ, ଯେବେ ଅନ୍ୟମାନଙ୍କ ଯୋଗୁଁ ଆମକୁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଥାଏ, ତେବେ ଆମେ କʼଣ କରିପାରିବା ? ଆମେ ମନଖୋଲି ଯିହୋବାଙ୍କୁ ପ୍ରାର୍ଥନା କରିବା ଏବଂ ତାଙ୍କୁ ନିଜ ଚିନ୍ତା ବିଷୟରେ କହିବା ଆଉ ଭରସା ରଖିପାରିବା ଯେ ସେ ଆମ ହୃଦୟ ଓ ଆମ ମନକୁ ସୁରକ୍ଷିତ ରଖିବେ ।—ଫିଲିପ୍‌. ୪:୬, ୭.

ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା ଜାରି ରଖନ୍ତୁ

୧୮. ଆମ ଚତୁଃପାର୍ଶ୍ୱରେ କିପରି ଲୋକମାନେ ଅଛନ୍ତି, କିନ୍ତୁ ଆମକୁ କʼଣ କରିବାକୁ ପଡ଼ିବ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୮ ୨୦୨୬ ମସିହାର ବାର୍ଷିକ ପଦ ହେଉଛି: “ଯେଉଁମାନଙ୍କୁ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ଥାଏ, ସେମାନେ ସୁଖୀ ।” ଯିହୋବାଙ୍କର ମାର୍ଗଦର୍ଶନ ନେବା ଆଗ ଅପେକ୍ଷା ଆଜି ବହୁତ ଜରୁରୀ ହୋଇଯାଇଛି । ତାହା କାହିଁକି ? କାରଣ ଆଜି ଆମ ଚତୁଃପାର୍ଶ୍ୱରେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ସେମାନଙ୍କୁ ଈଶ୍ୱରଙ୍କର କୌଣସି ଆବଶ୍ୟକତା ନାହିଁ । ତାʼସହିତ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଆଧ୍ୟାତ୍ମିକ ଭୋକ ମେଣ୍ଟାଇବା ପାଇଁ ନିଜ ହିସାବରେ ଈଶ୍ୱରଙ୍କର ଉପାସନା କରନ୍ତି ଏବଂ ସେମାନେ ପରାମର୍ଶ ପାଇଁ ମଣିଷମାନଙ୍କ ଉପରେ ନିର୍ଭର ରହନ୍ତି । ଦେଖିବାକୁ ଗଲେ ସେମାନଙ୍କ ମଧ୍ୟରୁ କେହି ବି ଖୁସି ନାହାନ୍ତି । କିନ୍ତୁ ଲୋକମାନଙ୍କ ଚିନ୍ତାଧାରା ଆମ ଉପରେ ପ୍ରଭାବ ନ ପକାଉ ତାʼପାଇଁ ଆମେ କʼଣ କରିପାରିବା ? ଆମେ ନିଜ ଭୋକ ମେଣ୍ଟାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହିବା, ନିଜର ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିବା ଏବଂ ସୁରକ୍ଷା ପାଇଁ ଯିହୋବାଙ୍କର ଆଶ୍ରୟ ନେବା ।

ଚିତ୍ରଗୁଡ଼ିକ: ପୂର୍ବ ଚିତ୍ରରେ ଦେଖାଇଥିବା ଭଉଣୀ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଚେଷ୍ଟା କରୁଛନ୍ତି । ୧. ସେ “ପ୍ରହରୀଦୁର୍ଗ” ଅଧ୍ୟୟନର ଗୋଟିଏ ଲେଖା ପଢ଼ୁଛନ୍ତି । ୨. ସେ ଜଣେ ସ୍ୱାମୀ ସ୍ତ୍ରୀଙ୍କ ଘରକୁ ଖାଇବା ନେଇକି ଯାଇଛନ୍ତି । ସ୍ୱାମୀ ବସିଛନ୍ତି ଓ ତାଙ୍କ ମୁଣ୍ଡରେ ପଟି ଲାଗିଛି । ତାଙ୍କୁ ସାଲାଇନ ଚଢ଼ାଯାଉଛି । ୩. ଦୁଇଜଣ ଭାଇ ସେହି ଭଉଣୀଙ୍କ ପାଖକୁ ପ୍ରତିପାଳକ ସାକ୍ଷାତ କରିବା ପାଇଁ ଆସିଛନ୍ତି ଓ ଭଉଣୀ ବହୁତ ଖୁସି ଅଛନ୍ତି ।

ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା ପାଇଁ ଆମକୁ ଭୋକ ବଢ଼ାଇବାକୁ ପଡ଼ିବ, ନୂତନ ସ୍ୱଭାବ ପରିଧାନ କରିବାକୁ ପଡ଼ିବ ଏବଂ ଯିହୋବାଙ୍କର ଆଶ୍ରୟ ନେବାକୁ ପଡ଼ିବ (ପାରାଗ୍ରାଫ ୧୮)a

ଯିହୋବାଙ୍କ ବ୍ୟବସ୍ଥାଗୁଡ଼ିକ ସାହାଯ୍ୟରୁ ଆମେ କିପରି . . .

  • ଭୋକ ମେଣ୍ଟାଇ ପାରିବା ?

  • ନୂତନ ସ୍ୱଭାବ ପରିଧାନ କରିପାରିବା ?

  • ତାଙ୍କର ଆଶ୍ରୟ ନେଇପାରିବା ?

ଗୀତ ୧୬୨ ମୋ ଆଧ୍ୟାତ୍ମିକ ଆବଶ୍ୟକତା

a ଚିତ୍ର ବିଷୟରେ: ନିଜ ଭୋକ ବଢ଼ାଇବା ପାଇଁ ପ୍ରହରୀଦୁର୍ଗର ଅଧ୍ୟୟନ କରୁଛନ୍ତି, ନୂତନ ସ୍ୱଭାବ ପରିଧାନ କରି ଅନ୍ୟମାନଙ୍କର ସାହାଯ୍ୟ କରୁଛନ୍ତି ଏବଂ ଯିହୋବାଙ୍କର ଆଶ୍ରୟ ନେବା ପାଇଁ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେଉଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ