ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜାନୁୟାରୀ ପୃଷ୍ଠା ୧୪-୧୯
  • ଆମମାନଙ୍କୁ କାହିଁକି ମୁକ୍ତିର ମୂଲ୍ୟର ଆବଶ୍ୟକ ରହିଛି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମମାନଙ୍କୁ କାହିଁକି ମୁକ୍ତିର ମୂଲ୍ୟର ଆବଶ୍ୟକ ରହିଛି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ମୁକ୍ତିର ମୂଲ୍ୟରୁ ପାପଗୁଡ଼ିକର କ୍ଷମା ମିଳେ
  • ମୁକ୍ତିର ମୂଲ୍ୟରୁ ପାପୀ ଅବସ୍ଥାରୁ ମୁକ୍ତି ମିଳେ
  • ମୁକ୍ତିର ମୂଲ୍ୟ ଯୋଗୁଁ ଆମେ ଈଶ୍ୱରଙ୍କ ସହିତ ପୁଣିଥରେ ସମ୍ପର୍କ ଗଢ଼ିପାରୁ
  • ମୁକ୍ତିର ମୂଲ୍ୟ ପ୍ରମାଣ ଦିଏ ଯେ ଯିହୋବା କେତେ ଦୟାଳୁ
  • ମୁକ୍ତିର ମୂଲ୍ୟରୁ ଆମେ କʼଣ ଶିଖୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆପଣ କିପରି ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇବେ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଯିହୋବାଙ୍କର ପ୍ରେମ ଯୋଗୁଁ ମିଳେ ଅନେକ ଆଶିଷ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ତାଙ୍କୁ କୃତଜ୍ଞତା ଦେଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜାନୁୟାରୀ ପୃଷ୍ଠା ୧୪-୧୯

୧୬-୨୨ ମାର୍ଚ୍ଚ, ୨୦୨୬

ଗୀତ ୨୦ ତୁମେ ନିଜ ପୁତ୍ରକୁ ଦେଲ

ଆମମାନଙ୍କୁ କାହିଁକି ମୁକ୍ତିର ମୂଲ୍ୟର ଆବଶ୍ୟକ ରହିଛି ?

“ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ?”—ରୋମୀ. ୭:୨୪.

କʼଣ ଶିଖିବା ?

ଆମେ ଶିଖିବା ଯେ ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ କିପରି ପାପଗୁଡ଼ିକରୁ କ୍ଷମା ମିଳେ, ଆମର ପାପୀ ଅବସ୍ଥାରୁ ମୁକ୍ତି ମିଳେ ଓ ଆମେ ଈଶ୍ୱରଙ୍କ ସହିତ ସମ୍ପର୍କ ଗଢ଼ିପାରୁ ?

୧-୨. ଆମକୁ କେଉଁ ଅବସ୍ଥାରୁ ଉଦ୍ଧାର କରିବାର ଆବଶ୍ୟକ ରହିଛି ଓ କାହିଁକି ? (ରୋମୀୟ ୭:୨୨-୨୪) (ଚିତ୍ର ମଧ୍ୟ ଦେଖନ୍ତୁ ।)

କଳ୍ପନା କରନ୍ତୁ, ଗୋଟିଏ ବଡ଼ ବିଲ୍‌ଡିଙ୍ଗ ଭୁଷୁଡ଼ି ପଡ଼ିଛି ଏବଂ ଜଣେ ବ୍ୟକ୍ତି ତାହା ତଳେ ଦବିଯାଇଛି । ସେ ନିଃଶ୍ୱାସ ତ ନେଉଛି, କିନ୍ତୁ ସେ ନିଜର ହାତ ଗୋଡ଼ ଜମା ବି ହଲାଇପାରୁ ନାହିଁ । ସେ ଭାରି କଷ୍ଟରେ ସାହାଯ୍ୟ ପାଇଁ ଡାକୁଛି ଏବଂ ଏହା ଆଶା କରୁଛି ଯେ କେହି ଆସି ତାକୁ ଉଦ୍ଧାର କରିବେ ।

୨ ଆମର ବି ଅବସ୍ଥା ସେହି ବ୍ୟକ୍ତି ଭଳି ହିଁ ଅଛି । ଯେବେ ଆଦମ ଈଶ୍ୱରଙ୍କ ସହିତ ବିଦ୍ରୋହ କଲା, ତେବେ ସେ ପାପୀ ହୋଇଗଲା । ଆଗକୁ ଯାଇ ଏହି ପାପ ତାʼ ପିଲାମାନଙ୍କୁ ଉତ୍ତରାଧିକାରୀ ଭାବେ ମିଳିଲା, ତେଣୁ ଆଜି ସମସ୍ତ ମଣିଷ ଏହି ପାପର ବୋଝରେ ଦବି ଯାଇଛନ୍ତି । ଆମେ ଯେତେ ଚେଷ୍ଟା କଲେ ମଧ୍ୟ ନିଜକୁ ଉଦ୍ଧାର କରିପାରିବା ନାହିଁ । ପାଉଲ ରୋମର ମଣ୍ଡଳୀକୁ ଲେଖିଥିବା ନିଜ ଚିଠିରେ ଏହି ଅବସ୍ଥା ବିଷୟରେ କହିଲେ । (ରୋମୀୟ ୭:୨୨-୨୪ ପଢ଼ନ୍ତୁ ।) ସେ କହିଲେ, “ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ?” ପାଉଲ ଜାଣିଥିଲେ ଯେ ଉତ୍ତରାଧିକାରୀ ଭାବେ ମିଳିଥିବା ପାପର ପରିଣାମ ହେଉଛି, ମୃତ୍ୟୁ । (ରୋମୀ. ୬:୨୩) ଆଜି ଆମେ ବି ଏହି ବୋଝ ତଳେ ଦବିଯାଇଛୁ ଏବଂ ବହୁତ ଅସହାୟ ହୋଇଯାଇଛୁ ।

ଭୁଷୁଡ଼ି ପଡ଼ିଥିବା ଗୋଟିଏ ବିଲ୍‌ଡିଙ୍ଗ ତଳେ ଜଣେ ବ୍ୟକ୍ତି ଦବିଯାଇଛି ଓ ସେ ସାହାଯ୍ୟ ପାଇଁ ଡାକୁଛି ।

ଗୋଟିଏ ବିଲ୍‌ଡିଙ୍ଗ ତଳେ ଦବି ଯାଇଥିବା ବ୍ୟକ୍ତି ଭଳି ଆମେ ବି ଉତ୍ତରାଧିକାରୀ ଭାବେ ମିଳିଥିବା ପାପର ବୋଝରେ ଦବିଯାଇଛୁ ଏବଂ ଆମକୁ ଏଥିରୁ ଉଦ୍ଧାର କରାଯିବାର ଆବଶ୍ୟକ ଅଛି (ପାରାଗ୍ରାଫ ୧-୨)


୩. ମୁକ୍ତିର ମୂଲ୍ୟ ଯୋଗୁଁ କʼଣ ସମ୍ଭବ ହୋଇପାରିଛି ?

୩ ପାଉଲ ଆଗକୁ ବି କିଛି କହନ୍ତି । ତାଙ୍କ ପାଖରେ ଗୋଟିଏ ଆଶା ଥିଲା । ଏହା କହିବା ପରେ ଯେ “ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ?” ସେ ନିଜେ ହିଁ ଏହି ପ୍ରଶ୍ନର ଉତ୍ତର ଦିଅନ୍ତି । ସେ କହନ୍ତି, “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କର ଧନ୍ୟବାଦ ହେଉ ।” (ରୋମୀ. ୭:୨୫) ପାଉଲ ଯୀଶୁଙ୍କ ମୁକ୍ତିର ମୂଲ୍ୟa ବିଷୟରେ କହୁଥିଲେ । ଏହି ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ (୧) ପାପଗୁଡ଼ିକରୁ କ୍ଷମା ମିଳେ (୨) ଆମର ପାପୀ ଅବସ୍ଥାରୁ ମୁକ୍ତି ମିଳେ ଏବଂ (୩) ଆମେ ଈଶ୍ୱରଙ୍କ ସହିତ ସମ୍ପର୍କ ଗଢ଼ିପାରୁ । ଏହି ଲେଖାରେ ଆମେ ଏହି ତିନୋଟି କଥା ଉପରେ ଚର୍ଚ୍ଚା କରିବା । ଏଥିରୁ “ଭରସାର ଈଶ୍ୱର” ଯିହୋବାଙ୍କ ପାଇଁ ଆମ ପ୍ରେମ ଆହୁରି ବଢ଼ିଯିବ । (ରୋମୀ. ୧୫:୧୩) ତାʼସହିତ ଆମେ ଯୀଶୁଙ୍କର ବି କୃତଜ୍ଞ ମନେ କରିବା, ଯିଏ ‘ମୁକ୍ତିର’ ମୂଲ୍ୟ ଦେଇ ଆମକୁ ଉଦ୍ଧାର କରିଛନ୍ତି ।—କଲ. ୧:୧୪.

ମୁକ୍ତିର ମୂଲ୍ୟରୁ ପାପଗୁଡ଼ିକର କ୍ଷମା ମିଳେ

୪-୫. ଆମ ସମସ୍ତଙ୍କୁ କାହିଁକି ମୁକ୍ତିର ମୂଲ୍ୟର ଆବଶ୍ୟକ ରହିଛି ? (ଉପଦେଶକ ୭:୨୦)

୪ ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ ଏବଂ ଆମେ ନିଜ କଥା ଓ କାମଗୁଡ଼ିକରୁ ଭୁଲ କରିଦେଉ । (ଉପଦେଶକ ୭:୨୦ ପଢ଼ନ୍ତୁ ।) ଏହି ଭୁଲ ଓ ପାପଗୁଡ଼ିକରୁ କ୍ଷମା ପାଇବା ପାଇଁ ଆମକୁ ମୁକ୍ତିର ମୂଲ୍ୟର ଆବଶ୍ୟକ ରହିଛି । କିଛି ପାପ ଗମ୍ଭୀର ଥାଏ । ଉଦାହରଣ ପାଇଁ, ବ୍ୟଭିଚାର କରିବା କିମ୍ବା କାହାରି ହତ୍ୟା କରିବା । ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଏଗୁଡ଼ିକ ବହୁତ ଗମ୍ଭୀର ପାପ ଥିଲା, ତେଣୁ ଏହାପାଇଁ ମୃତ୍ୟୁ ଦଣ୍ଡ ଦିଆଯାଉଥିଲା । (ଲେବୀ. ୨୦:୧୦; ଗଣ. ୩୫:୩୦, ୩୧) କିଛି ପାପ ଏତେ ଗମ୍ଭୀର ନ ଥାଏ, ତଥାପି ତାହାକୁ ପାପ ବୋଲି କୁହାଯାଏ । ଦାଉଦ ବି ଏପରି ହିଁ ଗୋଟିଏ ପାପ ବିଷୟରେ କହିଲେ, “ମୁଁ ଜିହ୍ୱାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି ।” (ଗୀତ. ୩୯:୧) ଏହାର ଅର୍ଥ, ଆମେ ନିଜ କଥାରୁ ବି ପାପ କରିଦେଉ ।—ଯାକୁ. ୩:୨.

୫ ଏବିଷୟରେ ଭାବନ୍ତୁ ଯେ ଆପଣ ପୂର୍ବେ କିପରି ଭାବେ କଥା ହୋଇଥିଲେ ଓ କିପରି କାମ କରିଥିଲେ । କʼଣ ଆପଣ ଅନ୍ୟମାନଙ୍କୁ ଏପରି କିଛି କହିଛନ୍ତି, ଯାହାଯୋଗୁଁ ପରେ ଆପଣଙ୍କୁ ଅବଶୋଷ ହେଲା ? କʼଣ ଆପଣ ଏପରି କିଛି କାମ କରିଛନ୍ତି, ଯାହା ପାଇଁ ଏବେ ବି ଆପଣଙ୍କୁ ବହୁତ ଦୁଃଖ ଲାଗେ ? ଆମେ ସମସ୍ତେ କେବେ ନା କେବେ ଏପରି କଥା କହିଥାଉ କିମ୍ବା ଏପରି କାମ କରିଥାଉ । ବାଇବଲରେ କୁହାଯାଇଛି, ‘ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ନିଜକୁ ଧୋକା ଦେଉ, ପୁଣି ଆମ୍ଭମାନଙ୍କଠାରେ ସତ୍ୟ ନାହିଁ ।’—୧ ଯୋହ. ୧:୮.

୬-୭. ଯିହୋବା କେଉଁ ଆଧାରରେ ଆମ ପାପଗୁଡ଼ିକୁ କ୍ଷମା କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୬ ଯିହୋବା ଆମକୁ କ୍ଷମା କରିବା ପାଇଁ ଚାହାନ୍ତି, ତେଣୁ ଯେବେ ଆମେ କୌଣସି ପାପ କରୁ, ତେବେ ସେ ଆମକୁ କ୍ଷମା କରିଦିଅନ୍ତି । କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଆମ ପାପଗୁଡ଼ିକରୁ ଯିହୋବାଙ୍କୁ କୌଣସି ଫରକ ପଡ଼େନି ଏବଂ ସେ ଆମ ପାପଗୁଡ଼ିକୁ ଅଣଦେଖା କରିଦିଅନ୍ତି । ଆମେ ଏପରି କାହିଁକି କହିପାରିବା ? କାରଣ ପାପ କରିବା ଯିହୋବାଙ୍କ ଦୃଷ୍ଟିରେ ଗମ୍ଭୀର କଥା ଅଟେ । (ଯିଶା. ୫୯:୨) ଯିହୋବା ନ୍ୟାୟୀ ଈଶ୍ୱର ଅଟନ୍ତି, ସେ ଯାହା ବି କରନ୍ତି ତାହାର ଗୋଟିଏ ଆଧାର ଥାଏ । ଆମ ପାପଗୁଡ଼ିକୁ କ୍ଷମା କରିବା ପାଇଁ ତାଙ୍କୁ ଗୋଟିଏ ଆଧାରର ଆବଶ୍ୟକ ଥିଲା ଏବଂ ସେହି ଆଧାର ହେଉଛି, ମୁକ୍ତିର ମୂଲ୍ୟ ।—ଏଫି. ୧:୭.

୭ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଇସ୍ରାଏଲୀୟମାନେ ନିଜ ପାପଗୁଡ଼ିକରୁ କ୍ଷମା ପାଇବା ପାଇଁ ପଶୁମାନଙ୍କର ବଳିଦାନ ଚଢ଼ାଉଥିଲେ । (ଲେବୀ. ୪:୨୭-୩୧; ୧୭:୧୧) ଏହି ବଳିଦାନ ଗୋଟିଏ ଉତ୍ତମ ବ୍ୟବସ୍ଥାର ଛାୟା ଥିଲା । ସେହି ବ୍ୟବସ୍ଥା ହେଉଛି, ଯୀଶୁଙ୍କ ବଳିଦାନ ଯାହାଯୋଗୁଁ ମଣିଷମାନଙ୍କୁ ଆଗକୁ ଯାଇ ଅନେକ ଆଶିଷ ମିଳନ୍ତା । ଏହି ବଳିଦାନ ଯୋଗୁଁ ଯିହୋବାଙ୍କୁ ଆମ ପାପଗୁଡ଼ିକୁ କ୍ଷମା କରିବାର ଗୋଟିଏ ଆଇନଗତ ଆଧାର ମିଳିଯାʼନ୍ତା । ପାଉଲ କରିନ୍ଥର ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିବା ସମୟରେ ଏହି ବଳିଦାନର ମହତ୍ତ୍ୱ ବିଷୟରେ କହିଲେ । ପ୍ରଥମେ ସେ ଏବିଷୟରେ କହିଲେ ଯେ ସେମାନେ କେଉଁ କାମଗୁଡ଼ିକରେ ଲାଗି ରହିଥିଲେ । ପରେ ସେ କହିଲେ, ‘ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ପବିତ୍ର ଶକ୍ତି ଦ୍ୱାରା ତୁମ୍ଭେମାନେ ଧୋଇ ଶୁଦ୍ଧ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ ।’—୧ କରି. ୬:୯-୧୧.

ଗୋଟିଏ ଇସ୍ରାଏଲୀୟ ପରିବାର ଖୁସିର ସହ ମନ୍ଦିରର ଯାଜକଙ୍କୁ ଗୋଟିଏ ମେଷ ଦେଉଛି ।

ଇସ୍ରାଏଲୀୟମାନେ ନିଜ ପାପଗୁଡ଼ିକର କ୍ଷମା ପାଇଁ ପଶୁମାନଙ୍କ ବଳି ଚଢ଼ାଉଥିଲେ । ଏହି ବଳିଦାନ ଯୀଶୁଙ୍କ ମୁକ୍ତିର ମୂଲ୍ୟର ଛାୟା ଥିଲା, ଯେଉଁଥିରୁ ମଣିଷମାନଙ୍କୁ ଅନେକ ଆଶିଷ ମିଳନ୍ତା (ପାରାଗ୍ରାଫ ୬-୭)


୮. ଏହି ବର୍ଷ ସ୍ମାରକ ପୂର୍ବରୁ ଆପଣ କେଉଁ ବିଷୟରେ ଭାବିପାରିବେ ?

୮ ଏହି ବର୍ଷ ସ୍ମାରକ ପୂର୍ବରୁ କିଛି ସମୟ ବାହାର କରି ଏବିଷୟରେ ଭାବନ୍ତୁ ଯେ ଯିହୋବା ଆମ ପାପଗୁଡ଼ିକର କ୍ଷମା କରନ୍ତି, ଏହା ଆମ ପାଇଁ କେତେ ବଡ଼ କଥା । ଉଦାହରଣ ପାଇଁ, ମୁକ୍ତିର ମୂଲ୍ୟ ଯୋଗୁଁ ଆମେ ନିଜ ଅତୀତର ଭୁଲଗୁଡ଼ିକ ବିଷୟରେ ଭାବି ନିଜକୁ ଦୋଷୀ ଅନୁଭବ କରି ନ ଥାଉ । କିନ୍ତୁ ହୁଏତ ଯେତେ ଚେଷ୍ଟା କଲେ ବି ଆପଣ ଏହା ମାନିପାରୁ ନାହାନ୍ତି ଯେ ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି । ହୁଏତ ଆପଣ ଭାବିବେ, ‘ମୁଁ ଜାଣିଛି ଯେ ଯିହୋବା ମୋତେ କ୍ଷମା କରିଦେଇଛନ୍ତି, କିନ୍ତୁ ମୁଁ ନିଜକୁ କେବେ ବି କ୍ଷମା କରିପାରିବି ନାହିଁ ।’ ଏପରି ହେଲେ ଏହା ମନେ ରଖନ୍ତୁ: କାହାକୁ କ୍ଷମା କରିବାର ଅଛି ଓ କାହାକୁ ନୁହେଁ, ଏହା ଯିହୋବା ନିର୍ଣ୍ଣୟ କରନ୍ତି । ସେ ନିଜ ପୁତ୍ରଙ୍କୁ ମଣିଷମାନଙ୍କର ନ୍ୟାୟ କରିବା ପାଇଁ ଅଧିକାର ଦେଇଛନ୍ତି । ଯିହୋବା ଆପଣଙ୍କୁ କିମ୍ବା ଅନ୍ୟ କାହାକୁ ବି ଏହି ଅଧିକାର ଦେଇ ନାହାନ୍ତି । ବାଇବଲରେ ଲେଖାଅଛି, ‘ଯିହୋବା ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ ।’ (୧ ଯୋହ. ୧:୬, ୭) ବାଇବଲର ଅନ୍ୟ ଶିକ୍ଷା ଉପରେ ଆମେ ଯେପରି ଭରସା କରୁ, ସେହିପରି ବାଇବଲର ଏହି କଥା ଉପରେ ଆମେ ଭରସା କରିପାରିବା । ମୁକ୍ତିର ମୂଲ୍ୟ ଯୋଗୁଁ ଯିହୋବାଙ୍କୁ ଆମ ମଣିଷମାନଙ୍କ ଉପରେ ଦୟା କରିବା ପାଇଁ ଆଇନଗତ ଅଧିକାର ମିଳିଯାଇଛି । ତାʼସହିତ ତାଙ୍କ ବାକ୍ୟରେ ଲେଖାଅଛି ଯେ ସେ ଆମକୁ “କ୍ଷମା କରିବାକୁ ପ୍ରସ୍ତୁତ” ଥାନ୍ତି ।—ଗୀତ. ୮୬:୫.

ମୁକ୍ତିର ମୂଲ୍ୟରୁ ପାପୀ ଅବସ୍ଥାରୁ ମୁକ୍ତି ମିଳେ

୯. ପାପ ଶବ୍ଦର ଅର୍ଥ କʼଣ ? (ଗୀତସଂହିତା ୫୧:୫)

୯ ବାଇବଲରେ ଅନେକ ଜାଗାରେ “ପାପ” ଶବ୍ଦର ବ୍ୟବହାର କରାଯାଇଛି । କିନ୍ତୁ ସବୁ ଜାଗାରେ ଏହାର ଅର୍ଥ ଭୁଲ କାମ କରିବା ନୁହେଁ । ଅନେକ ଥର ଏହା ଆମର ଅପରିପୂର୍ଣ୍ଣତା କିମ୍ବା ପାପୀ ଅବସ୍ଥାକୁ ସୂଚାଇବା ପାଇଁ ବି ବ୍ୟବହାର କରାଯାଇଛି । ଜନ୍ମରୁ ହିଁ ଆମର ଏପରି ଅବସ୍ଥା ଥାଏ । (ଗୀତସଂହିତା ୫୧:୫ ପଢ଼ନ୍ତୁ ।) ଏହି ଅବସ୍ଥା ଯୋଗୁଁ ଆମକୁ କେବଳ ଭୁଲ କାମ କରିବା ପାଇଁ ଇଚ୍ଛା ହୁଏନି, ବରଂ ଏହାଯୋଗୁଁ ଆମେ ରୋଗରେ ପଡ଼ିଯାଉ, ବୃଦ୍ଧବୃଦ୍ଧା ହୋଇଯାଉ ଓ ଦିନେ ଆମର ମୃତ୍ୟୁ ହୋଇଯାଏ । ଏହାଯୋଗୁଁ ଛୋଟ ଛୋଟ ପିଲାମାନଙ୍କର, ଯେଉଁମାନେ କୌଣସି ଭୁଲ କରି ନାହାନ୍ତି, ସେମାନେ ବି ରୋଗରେ ପଡ଼ିଯାʼନ୍ତି ଓ ବେଳେବେଳେ ସେମାନଙ୍କର ମୃତ୍ୟୁ ବି ହୋଇଯାଏ । ଦେଖିବାକୁ ଗଲେ ଏପରି ଅବସ୍ଥା ଯୋଗୁଁ ପ୍ରତ୍ୟେକ ମଣିଷର ଦିନେ ମୃତ୍ୟୁ ହୋଇଯାଏ ।

୧୦. ପାପ କଲାପରେ ଆଦମ ଓ ହବାଙ୍କ ସହିତ କʼଣ କʼଣ ହେଲା ?

୧୦ ଆଦମ ଓ ହବା ପାପ କରିବା ଯୋଗୁଁ ଅପରିପୂର୍ଣ୍ଣ ହୋଇଗଲେ, ତେଣୁ ସେମାନଙ୍କର ଜୀବନ ପୂରାପୂରି ବଦଳିଗଲା । ଈଶ୍ୱରଙ୍କ ବ୍ୟବସ୍ଥା ସେମାନଙ୍କର “ହୃଦୟରେ ଲିଖିତ” ଥିଲା, କିନ୍ତୁ ଯେବେ ସେମାନେ ଏହି ବ୍ୟବସ୍ଥାକୁ ମାନିଲେ ନାହିଁ, ତେବେ ତୁରନ୍ତ ଏହାର ପରିଣାମ ସେମାନଙ୍କୁ ଦେଖିବାକୁ ମିଳିଲା । (ରୋମୀ. ୨:୧୫) ସେମାନଙ୍କୁ ଏହା ଅନୁଭବ ହେଲା ଯେ ସେମାନେ ଏବେ ଆଉ ପୂର୍ବ ଭଳି ନାହାନ୍ତି । ସେଥିପାଇଁ ସେମାନେ ନିଜ ଶରୀରକୁ ଢାଙ୍କିବା ପାଇଁ ଚେଷ୍ଟା କରିବାକୁ ଲାଗିଲେ ଓ ଈଶ୍ୱରଙ୍କଠାରୁ ଲୁଚିବାକୁ ଲାଗିଲେ, ସତେ ଯେପରି ସେମାନେ ଅପରାଧୀ ଅଟନ୍ତି । (ଆଦି. ୩:୭, ୮) ପ୍ରଥମ ଥର ଆଦମ ଓ ହବା ନିଜକୁ ଦୋଷୀ ମନେ କଲେ, ଚିନ୍ତିତ ହେଲେ, ଅଶାନ୍ତ ରହିଲେ, ସେମାନଙ୍କୁ ଦୁଃଖ ହେଲା ଓ ସେମାନେ ଲଜ୍ଜିତ ଅନୁଭବ କଲେ । ଏବେଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କୁ ଏପରି ଭାବନା ସହ ଲଢ଼ିବାକୁ ପଡ଼ନ୍ତା ।—ଆଦି. ୩:୧୬-୧୯.

୧୧. ପାପ ଯୋଗୁଁ ମଣିଷମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିଛି ?

୧୧ ଆଦମ ଓ ହବାର ସନ୍ତାନ ହେବା ଯୋଗୁଁ ଆମେ ଜନ୍ମରୁ ହିଁ ପାପୀ ଅଟୁ । ତେଣୁ ଭୁଲ କରିବା ଯୋଗୁଁ ଆମେ ବି ଦୋଷୀ ଅନୁଭବ କରୁ ଓ ଲଜ୍ଜିତ ଅନୁଭବ କରୁ । ଦେଖିବାକୁ ଗଲେ ଆମର ପାପୀ ଅବସ୍ଥା ଯୋଗୁଁ ହିଁ ଆମକୁ ପ୍ରତ୍ୟେକ ଦୁଃଖକଷ୍ଟ ସହିବାକୁ ପଡ଼ୁଛି । ପାପୀ ଥିବା ପର୍ଯ୍ୟନ୍ତ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ନିଜର ଏହି ସମସ୍ୟାଗୁଡ଼ିକରୁ ମୁକ୍ତି ପାଇପାରିବା ନାହିଁ । ବାଇବଲରେ ବି ଲେଖାଅଛି, “ସୃଷ୍ଟି ଅସାରତାର ବଶୀଭୂତ ହେଲା ।” (ରୋମୀ. ୮:୨୦) ଭାବନ୍ତୁ, ମଣିଷମାନେ ଏହି ପୃଥିବୀର ପରିବେଶକୁ ସୁଧାରିବା ପାଇଁ, ଅପରାଧ ରୋକିବା ପାଇଁ, ଦାରିଦ୍ରତାକୁ ଦୂର କରିବା ପାଇଁ ଓ ଦୁନିଆରେ ଶାନ୍ତି ଆଣିବା ପାଇଁ କେତେ ଚେଷ୍ଟା କରିଛନ୍ତି । ତଥାପି ଏହି ଚେଷ୍ଟାଗୁଡ଼ିକ ବ୍ୟର୍ଥ ଓ ବିଫଳ ହୋଇଯାଇଛି । କିନ୍ତୁ ମୁକ୍ତିର ମୂଲ୍ୟ ଯୋଗୁଁ କିପରି ଆମକୁ ପାପୀ ଅବସ୍ଥାରୁ ମୁକ୍ତି ମିଳିପାରିବ ?

୧୨. ମୁକ୍ତିର ମୂଲ୍ୟରୁ ଆମକୁ କʼଣ ଆଶା ମିଳେ ?

୧୨ ମୁକ୍ତିର ମୂଲ୍ୟ ଯୋଗୁଁ ଆମ ପାଖରେ ଏହି ଆଶା ରହିଛି ଯେ ‘ସୃଷ୍ଟି କ୍ଷୟର ଦାସତ୍ୱରୁ ମୁକ୍ତ ହେବ ।’ (ରୋମୀ. ୮:୨୧) ନୂଆ ଦୁନିଆରେ ଆମକୁ ମୁକ୍ତିର ମୂଲ୍ୟରୁ ଆହୁରି ଅନେକ ଲାଭ ମିଳିବ । ଉଦାହରଣ ପାଇଁ, ଆମ ମଧ୍ୟରୁ କେହି ବି ରୋଗୀ ନ ଥିବେ, କୌଣସି ଚିନ୍ତା ନ ଥିବ ଓ ଖରାପ ସ୍ମୃତିଗୁଡ଼ିକ ମଧ୍ୟ ଆମକୁ ମନେ ପଡ଼ିବ ନାହିଁ । ତାʼସହିତ ଆମେ କେବେ ବି ନିଜକୁ ଦୋଷୀ ଓ ଲଜ୍ଜିତ ଅନୁଭବ କରିବା ନାହିଁ । ଆମେ ଅଶାନ୍ତ ରହିବା ନାହିଁ କିମ୍ବା ଦୁଃଖି ଅନୁଭବ କରିବା ନାହିଁ । କେବଳ ଏତିକି ନୁହେଁ, ପୃଥିବୀରେ ଭଲ ପରିବେଶ ଥିବ ଏବଂ ଚାରିଆଡ଼େ ଶାନ୍ତି ରହିବ, କାରଣ ମଣିଷମାନଙ୍କ ଉପରେ “ଶାନ୍ତିରାଜା” ଯୀଶୁ ଖ୍ରୀଷ୍ଟ ଶାସନ କରିବେ, ଯିଏ ଆମ ପାଇଁ ମୁକ୍ତିର ମୂଲ୍ୟ ଦେଇଥିଲେ ।—ଯିଶା. ୯:୬, ୭.

୧୩. ଏହି ବର୍ଷ ସ୍ମାରକରେ ଭାଗ ନେବା ପୂର୍ବରୁ ଆପଣ ଆଉ କେଉଁ ବିଷୟରେ ଭାବିପାରିବେ ?

୧୩ କଳ୍ପନା କରନ୍ତୁ, ନୂଆ ଦୁନିଆରେ ଯେବେ ଆପଣ ପାପୀ ଅବସ୍ଥାରୁ ମୁକ୍ତ ହୋଇଯିବେ, ତେବେ ଆପଣଙ୍କର ଜୀବନ କିପରି ଥିବ ? ପ୍ରତ୍ୟେକ ଦିନ ଯେବେ ଆପଣ ଉଠିବେ, ଆପଣ ସୁସ୍ଥ ଅନୁଭବ କରିବେ । ଆପଣଙ୍କୁ ଏହି ଚିନ୍ତା ବି ରହିବ ନାହିଁ ଯେ ଆପଣଙ୍କ ପିଲାମାନଙ୍କୁ ଭୋକରେ ରହିବାକୁ ପଡ଼ିବ, ଆପଣ ରୋଗରେ ପଡ଼ିଯିବେ କିମ୍ବା ଆପଣଙ୍କର ମୃତ୍ୟୁ ହୋଇଯିବ । ତାʼସହିତ ଭବିଷ୍ୟତ ପାଇଁ ନିଜ ଆଶା ବିଷୟରେ ଭାବି ଆଜି ବି ଆପଣଙ୍କୁ ଶାନ୍ତି ମିଳିପାରିବ । ଏହି ଆଶା “ଆମ୍ଭମାନଙ୍କ ଲଙ୍ଗର ସ୍ୱରୂପ” ଯାହା “ଦୃଢ଼ ଓ ଅଟଳ ।” (ଏବ୍ରୀ ୬:୧୮, ୧୯) ଯେପରି ଭାବରେ ଲଙ୍ଗର ଝଡ଼ ତୋଫାନ ସମୟରେ ନୌକାକୁ ସମ୍ଭାଳି ରଖେ, ଠିକ୍‌ ସେହିପରି ନିଜ ଆଶା ବିଷୟରେ ଭାବି ଆପଣ ସମସ୍ୟା ସମୟରେ ନିଜକୁ ସମ୍ଭାଳି ପାରିବେ, ଧୈର୍ଯ୍ୟ ଧରି ପାରିବେ ଏବଂ ନିଜ ବିଶ୍ୱାସକୁ ଆହୁରି ଦୃଢ଼ କରିପାରିବେ । ଭରସା ରଖନ୍ତୁ, ଯେ ଯିହୋବା “ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା ।” (ଏବ୍ରୀ ୧୧:୬) ଭବିଷ୍ୟତ ପାଇଁ ଆପଣଙ୍କ ପାଖରେ ଯେଉଁ ଆଶା ରହିଛି ଏବଂ ଏଥିରୁ ଆପଣଙ୍କୁ ଯେଉଁ ସାନ୍ତ୍ୱନା ମିଳୁଛି, ତାହା କେବଳ ମୁକ୍ତିର ମୂଲ୍ୟ ଯୋଗୁଁ ହିଁ ସମ୍ଭବ ହୋଇପାରିଛି ।

ମୁକ୍ତିର ମୂଲ୍ୟ ଯୋଗୁଁ ଆମେ ଈଶ୍ୱରଙ୍କ ସହିତ ପୁଣିଥରେ ସମ୍ପର୍କ ଗଢ଼ିପାରୁ

୧୪. ଆଦମ ଓ ହବା ପାପ କରିବା ଯୋଗୁଁ କʼଣ ହେଲା ଏବଂ କାହିଁକି ?

୧୪ ଆଦମ ଓ ହବା ତ ପାପ କରି ଈଶ୍ୱରଙ୍କଠାରୁ ଦୂରେଇ ଗଲେ, କିନ୍ତୁ ଆଗକୁ ଯାଇ ମଣିଷମାନେ ବି ତାଙ୍କଠାରୁ ଦୂରେଇ ଗଲେ । ବାଇବଲରେ ଏପରି କୁହାଯାଇଛି ଯେ ମଣିଷମାନେ ଈଶ୍ୱରଙ୍କର ଶତ୍ରୁ ହୋଇଗଲେ । (ରୋମୀ. ୮:୭, ୮; କଲ. ୧:୨୧) ଏପରି କାହିଁକି ହେଲା ? କାରଣ ଯିହୋବାଙ୍କ ସ୍ତର ଅତି ଉଚ୍ଚ ଏବଂ ସେ ପାପକୁ ଅଣଦେଖା କରନ୍ତି ନାହିଁ । ବାଇବଲରେ ତାଙ୍କ ବିଷୟରେ ଲେଖାଅଛି, ‘ତୁମ୍ଭର ତ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ନ ପାର ।’ (ହବ. ୧:୧୩) ସେଥିପାଇଁ ଯେବେ ଆଦମ ଓ ହବା ପାପ କଲେ, ତେବେ ଯିହୋବା ଏବଂ ମଣିଷମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଗଲା । କିନ୍ତୁ ମୁକ୍ତିର ମୂଲ୍ୟ ଯୋଗୁଁ ହିଁ ଏହି ସମ୍ପର୍କକୁ ପୁଣିଥରେ ଗଢ଼ିବା ସମ୍ଭବ ହୋଇପାରିଲା ।

୧୫. ମୁକ୍ତିର ମୂଲ୍ୟ ପାଇଁ ଯିହୋବା କାହିଁକି ଖୁସି ହେଲେ ଏବଂ ଏଥିରୁ କʼଣ ସମ୍ଭବ ହୋଇପାରିଲା ?

୧୫ ବାଇବଲରେ କୁହାଯାଇଛି ଯେ ଯୀଶୁ ଆମ ‘ପାପ ନିମନ୍ତେ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି ।’ (୧ ଯୋହ. ୨:୨) ଏଠାରେ ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ପ୍ରାୟଶ୍ଚିତ୍ତ” କରାଯାଇଛି, ତାହାର ଅର୍ଥ ‘ଯାହା ଈଶ୍ୱରଙ୍କୁ ଖୁସି କରେ’ ବି ହୋଇପାରେ । କିନ୍ତୁ ଯୀଶୁଙ୍କ ମୁକ୍ତିର ମୂଲ୍ୟରୁ ଯିହୋବା କାହିଁକି ଖୁସି ହେଲେ ? ଏପରି ନୁହେଁ ଯେ ସେ ନିଜ ପୁତ୍ରର ମୃତ୍ୟୁ ପାଇଁ ଖୁସି ହେଲେ, ବରଂ ମୁକ୍ତିର ମୂଲ୍ୟ ଯୋଗୁଁ ସେ ମଣିଷମାନଙ୍କ ସହ ପୁଣିଥରେ ସମ୍ପର୍କ ଗଢ଼ିପାରିଲେ, ତେଣୁ ସେ ଖୁସି ହେଲେ । (ରୋମୀ. ୩:୨୩-୨୬) ଧ୍ୟାନ ଦିଅନ୍ତୁ ଯେ ଯିହୋବା ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ହିଁ ତାଙ୍କର ମୁକ୍ତିର ମୂଲ୍ୟ ଆଧାରରେ ନିଜ ବିଶ୍ୱସ୍ତ ସେବକମାନଙ୍କୁ ଧାର୍ମିକ ଗଣନା କଲେ । ଏପରି କାହିଁକି ? କାରଣ ତାଙ୍କୁ ପୂରା ଭରସା ଥିଲା ଯେ ତାଙ୍କ ପୁତ୍ର ଆଗକୁ ଯାଇ ମୁକ୍ତିର ମୂଲ୍ୟ ନିଶ୍ଚୟ ଦେବ ।—ଆଦି. ୧୫:୧, ୬; ଯିଶା. ୪୬:୧୦.

୧୬. ଏହି ବର୍ଷ ସ୍ମାରକରେ ଭାଗ ନେବା ପୂର୍ବରୁ ଆପଣ ଆଉ କେଉଁ ବିଷୟରେ ଭାବିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ଭାବନ୍ତୁ ଏହା ଆମ ପାଇଁ କେତେ ବଡ଼ କଥା ଯେ ମୁକ୍ତିର ମୂଲ୍ୟ ଯୋଗୁଁ ଆମେ ଯିହୋବାଙ୍କ ସହ ସମ୍ପର୍କ ଗଢ଼ିପାରିଲୁ ! ଏହାଯୋଗୁଁ ଆପଣ ଯିହୋବାଙ୍କୁ ନିଜ “ପିତା” କହିପାରନ୍ତି, ଯେପରି ଯୀଶୁ ବି ଶିଖାଇଥିଲେ । (ମାଥି. ୬:୯) ଆପଣ ଚାହିଁଲେ ତାଙ୍କୁ ନିଜ “ମିତ୍ର” ବି କହିପାରିବେ । କିନ୍ତୁ ଆପଣଙ୍କୁ ଗଭୀର ଶ୍ରଦ୍ଧା ଓ ଆଦର ସହ ଏପରି କହିବା ଉଚିତ୍‌ । କାରଣ ପାପୀ ହେବା ଯୋଗୁଁ ଆମେ ନିଜ ବଳରେ କେବେ ବି ଯିହୋବାଙ୍କର ଏତେ ନିକଟତର ହୋଇପାରି ନ ଥାʼନ୍ତୁ । କେବଳ ଯୀଶୁଙ୍କ ଯୋଗୁଁ ହିଁ ଆମେ ଯିହୋବାଙ୍କ ସହ ଏତେ ଭଲ ସମ୍ପର୍କ ଗଢ଼ି ପାରିଛୁ । ଯିହୋବା ଯୀଶୁଙ୍କର ‘ଯାତନା ଖୁଣ୍ଟର ରକ୍ତରେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି ।’ (କଲ. ୧:୧୯, ୨୦) ମୁକ୍ତିର ମୂଲ୍ୟ ଯୋଗୁଁ ହିଁ ଆମେ ଅପରିପୂର୍ଣ୍ଣ ହେବା ସତ୍ତ୍ୱେ ଯିହୋବାଙ୍କ ସହିତ ସମ୍ପର୍କ ଗଢ଼ି ପାରିଥାଉ ।

ରୋମୀୟ ସୈନିକମାନେ ଯୀଶୁଙ୍କୁ କାଠରେ ଲଟକାଇବାର ପ୍ରସ୍ତୁତି କରୁଛନ୍ତି । ଦୁଇଜଣ ରୋମୀୟ ସୈନିକ ଯୀଶୁଙ୍କୁ କାଠ ପାଖକୁ ଆଣୁଛନ୍ତି ଏବଂ ଜଣେ ରୋମୀୟ ସୈନିକ କଣ୍ଟା ଓ ହାତୁଡ଼ି ଧରିଛି ।

ମୁକ୍ତିର ମୂଲ୍ୟ ଯୋଗୁଁ ଯିହୋବାଙ୍କୁ ମଣିଷମାନଙ୍କ ସହିତ ପୁଣିଥରେ ଭଲ ସମ୍ପର୍କ ଗଢ଼ିବା ପାଇଁ ଆଇନଗତ ଆଧାର ମିଳିଗଲା (ପାରାଗ୍ରାଫ ୧୬)


ମୁକ୍ତିର ମୂଲ୍ୟ ପ୍ରମାଣ ଦିଏ ଯେ ଯିହୋବା କେତେ ଦୟାଳୁ

୧୭. ମୁକ୍ତିର ମୂଲ୍ୟରୁ କିପରି ଜଣାପଡ଼େ ଯେ ଯିହୋବା ଦୟାଳୁ ଈଶ୍ୱର ଅଟନ୍ତି ? (ଏଫିସୀୟ ୨:୪, ୫)

୧୭ ମୁକ୍ତିର ମୂଲ୍ୟ ପ୍ରମାଣ ଦିଏ ଯେ ଯିହୋବା “ଦୟାସାଗର ।” ଆମେ ନିଜ ‘ଅପରାଧ ଯୋଗୁଁ ମୃତ’ ହୋଇଯାଇଥିଲୁ, କିନ୍ତୁ ଯିହୋବା ଆମକୁ ‘ଜୀବିତ କଲେ ।’ (ଏଫିସୀୟ ୨:୪, ୫ ପଢ଼ନ୍ତୁ ।) ଗୋଟିଏ ବିଲ୍‌ଡିଙ୍ଗ ତଳେ ଦବି ଯାଇଥିବା ବ୍ୟକ୍ତି ଭଳି ଆଜି ଏପରି ଅନେକ ନମ୍ର ଲୋକମାନେ ଅଛନ୍ତି, ଯେଉଁମାନେ ନିଜ ପାପର ବୋଝରେ ଦବି ଯାଇଛନ୍ତି । ତେଣୁ ସେମାନେ ସାହାଯ୍ୟ ପାଇଁ ଈଶ୍ୱରଙ୍କୁ ଡାକୁଛନ୍ତି । (ପ୍ରେରି. ୧୩:୪୮) ଯିହୋବା ସେମାନଙ୍କର ଡାକ ଶୁଣନ୍ତି ଏବଂ ସେମାନଙ୍କୁ ରାଜ୍ୟର ସନ୍ଦେଶ ଜାଣିବା ପାଇଁ ସାହାଯ୍ୟ କରନ୍ତି । କାରଣ ସେ ଚାହାନ୍ତି ଯେ ସେମାନେ ଏହାଦ୍ୱାରା ତାଙ୍କୁ ଏବଂ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିପାରନ୍ତୁ । (ଯୋହ. ୧୭:୩) ଶୟତାନ ଭାବୁଥିଲା ଯେ ଆଦମ ଓ ହବାଙ୍କ ପାପ ଯୋଗୁଁ ଯିହୋବାଙ୍କର ଉଦ୍ଦେଶ୍ୟ ପୂରା ହୋଇପାରିବ ନାହିଁ, କିନ୍ତୁ ସେ ଭୁଲ ଭାବୁଥିଲା ।

୧୮. ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରିବା ସମୟରେ ଆମକୁ ଆଉ କେଉଁ କଥା ମନେ ରଖିବା ଉଚିତ୍‌ ?

୧୮ ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ଅନେକ ଆଶିଷ ମିଳିଛି ଏବଂ ଆମକୁ ତାହା ଉପରେ ଚିନ୍ତନ ବି କରିବା ଉଚିତ୍‌ । କିନ୍ତୁ ଆମକୁ ଏହା ବି ମନେ ରଖିବା ଉଚିତ୍‌ ଯେ ମୁକ୍ତିର ମୂଲ୍ୟ ଦେବା ପଛରେ ଆଉ ଏକ ବଡ଼ କାରଣ ମଧ୍ୟ ରହିଛି । ଯିହୋବା କେବଳ ଆମକୁ ଉଦ୍ଧାର ଦେବା ପାଇଁ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ ନାହିଁ, ବରଂ ଏଦନ ବଗିଚାରେ ଶୟତାନ ଯେଉଁ ପ୍ରଶ୍ନ କରିଥିଲା ତାହାର ଉତ୍ତର ଦେବା ପାଇଁ ମଧ୍ୟ ସେ ଏହାର ବ୍ୟବସ୍ଥା କଲେ । (ଆଦି. ୩:୧-୫, ୧୫) ଏପରି କରି ଯିହୋବା ନିଜ ନାମକୁ ପବିତ୍ର କରିବେ ଏବଂ ତାଙ୍କ ଉପରେ ଯାହା ସବୁ ଆରୋପ ଲାଗିଛି, ସେଗୁଡ଼ିକୁ ମିଛ ସାବ୍ୟସ୍ତ କରିବେ । ଯିହୋବା ଆମକୁ ବହୁତ ପ୍ରେମ କରନ୍ତି, ସେଥିପାଇଁ ସେ ମୁକ୍ତିର ମୂଲ୍ୟ ଜରିଆରେ ଆମକୁ ପାପ ଓ ମୃତ୍ୟୁରୁ ରକ୍ଷା କରିବେ । କେବଳ ଏତିକି ନୁହେଁ, ଯିହୋବା ଆମ ମଣିଷମାନଙ୍କ ଉପରେ ବହୁତ ମହାକୃପା କରିଛନ୍ତି । ଆମେ ପାପୀ ଅଟୁ ତଥାପି ସେ ଆମକୁ ସୁଯୋଗ ଦେଇଛନ୍ତି ଯେ ଶୟତାନର ଆରୋପକୁ ମିଛ ସାବ୍ୟସ୍ତ କରୁ । (ହିତୋ. ୨୭:୧୧) ଆପଣ କିପରି ଦେଖାଇପାରିବେ ଯେ ଆପଣ ମୁକ୍ତିର ମୂଲ୍ୟ ପାଇଁ ଯିହୋବାଙ୍କର କୃତଜ୍ଞ ଅଛନ୍ତି ? ଏହି ପ୍ରଶ୍ନର ଉତ୍ତର ଆମକୁ ପରବର୍ତ୍ତୀ ଲେଖାରେ ମିଳିବ ।

ମୁକ୍ତିର ମୂଲ୍ୟ ଯୋଗୁଁ . . .

  • ଆମକୁ କିପରି ପାପଗୁଡ଼ିକରୁ କ୍ଷମା ମିଳିଥାଏ ?

  • ଆମକୁ କିପରି ପାପୀ ଅବସ୍ଥାରୁ ମୁକ୍ତି ମିଳିଥାଏ ?

  • ଆମେ କିପରି ଈଶ୍ୱରଙ୍କ ସହ ସମ୍ପର୍କ ଗଢ଼ିପାରୁ ?

ଗୀତ ୧୮ ମୁକ୍ତି ପାଇଁ କୃତଜ୍ଞ

a ଏହାର ଅର୍ଥ କʼଣ ? ବନ୍ଦୀରୁ ମୁକ୍ତ ହେବା ପାଇଁ ଯେଉଁ ମୂଲ୍ୟ ଦିଆଯାଏ ତାହାକୁ ମୁକ୍ତିର ମୂଲ୍ୟ ବୋଲି କୁହାଯାଏ । ସବୁଠୁ ବଡ଼ ମୁକ୍ତିର ମୂଲ୍ୟ ଖ୍ରୀଷ୍ଟ ଦେଇଛନ୍ତି । ସେ ଆଜ୍ଞା ମାନୁଥିବା ମଣିଷମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ ନିଜ ଜୀବନ ଦେଲେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ