ଯେବେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୁଏ
ଯଦି ଆପଣ ବି କୌଣସି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି, ତାହେଲେ ଆପଣ ବୁଝିପାରୁଥିବେ ଯେ ଯେଉଁମାନେ ଏହାର ସାମନା କରନ୍ତି, ସେମାନଙ୍କୁ କିପରି ଲାଗେ । ସେମାନଙ୍କୁ ଏତେ ଗଭୀର ଦୁଃଖ ଲାଗେ ଯେ ସେମାନେ ବୁଝିପାରନ୍ତି ନାହିଁ, ସେମାନଙ୍କ ସହ କʼଣ ହୋଇଗଲା ଓ ଆଗକୁ କʼଣ ହେବ, ସେମାନେ ଚିନ୍ତାରେ ବୁଡ଼ିଯାʼନ୍ତି ଓ ସେମାନଙ୍କୁ ଖରାପ ସ୍ୱପ୍ନ ଆସେ । ଅନେକ ଲୋକ ଏତେ ନିରାଶ ହୋଇଯାʼନ୍ତି ଯେ ସେମାନେ ବଞ୍ଚିବା ପାଇଁ ବି ଚାହାନ୍ତି ନାହିଁ ।
ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଆପଣ ସବୁକିଛି ହରାଇ ବସିଛନ୍ତି ଓ ଜୀବନକୁ ପୁଣିଥରେ ନୂଆ କରି ଆରମ୍ଭ କରିବା ଆପଣଙ୍କୁ ବହୁତ କଠିନ ଲାଗୁଛି, ତାହେଲେ ହୁଏତ ଆପଣ ଭାବିପାରିବେ ଯେ ଆଉ ମୁଁ ଏସବୁ ସହିପାରିବି ନାହିଁ, ମୋ ପାଇଁ ମରିଯିବା ହିଁ ଭଲ । କିନ୍ତୁ ଏପରି ଭାବନ୍ତୁ ନାହିଁ । ପବିତ୍ର ଶାସ୍ତ୍ର ବାଇବଲ କହେ, ଆପଣଙ୍କ ଜୀବନ ବହୁମୂଲ୍ୟ ଏବଂ ଆପଣ ଭରସା ରଖିପାରିବେ ଯେ ଆଗକୁ ଯାଇ ସବୁକିଛି ଠିକ୍ ହୋଇଯିବ ।
ପବିତ୍ର ଶାସ୍ତ୍ରରୁ ଆପଣଙ୍କୁ ବଞ୍ଚିବାର ଆଶା ମିଳିପାରିବ
ପବିତ୍ର ଶାସ୍ତ୍ର କହେ, “କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ ।” (ଉପଦେଶକ ୭:୮) କୌଣସି ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବା ପରେ ପୁଣିଥରେ ନୂଆ କରି ଜୀବନ ଆରମ୍ଭ କରିବା ଏତେ ସହଜ ହୋଇ ନ ଥାଏ । ଏଥିରେ ସମୟ ଲାଗେ, ତେଣୁ ଧୈର୍ଯ୍ୟ ଧରନ୍ତୁ । ଆଉ ଏମିତି ପରିସ୍ଥିତି ପରେ ବି ଯଦି ଆପଣ ପରିଶ୍ରମ କରୁଥିବେ, ତାହେଲେ ଧିରେ ଧିରେ ସବୁକିଛି ଠିକ୍ ହୋଇଯିବ ।
ପବିତ୍ର ଶାସ୍ତ୍ର କହେ, ଖୁବ୍ ଶୀଘ୍ର ଏପରି ସମୟ ଆସିବ, ଯେଉଁଠାରେ “ରୋଦନର ଶବ୍ଦ, କିଅବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ ।” (ଯିଶାଇୟ ୬୫:୧୯) ସାରା ପୃଥିବୀରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବ ଏବଂ ଏହି ପୃଥିବୀ ଗୋଟିଏ ସୁନ୍ଦର ବଗିଚା ଭଳି ହୋଇଯିବ । (ଗୀତସଂହିତା ୩୭:୧୧, ୨୯) ଏହାପରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେବ ନାହିଁ । ଆଉ ଆଜି ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଛନ୍ତି, ତାଙ୍କୁ ଏହାର ଖରାପ ସ୍ମୃତି ମନେ ପଡ଼ିବ ନାହିଁ, କାରଣ ସର୍ବଶକ୍ତିମାନ ଈଶ୍ୱର ପ୍ରତିଜ୍ଞା କରିଛନ୍ତି, “ପୂର୍ବ କାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ ।”—ଯିଶାଇୟ ୬୫:୧୭.
ଟିକିଏ ଭାବନ୍ତୁ, ଆମ ସୃଷ୍ଟିକର୍ତ୍ତା ଆପଣଙ୍କୁ କେତେ ବଢ଼ିଆ ଜୀବନ ଦେବା ପାଇଁ ଚାହାନ୍ତି ! ସେ ପ୍ରତିଜ୍ଞା କରିଛନ୍ତି ଯେବେ ସେ ପୃଥିବୀରେ ଶାସନ କରିବେ, ତେବେ ଆପଣଙ୍କୁ “ଗୋଟିଏ ଭଲ ଭବିଷ୍ୟତ” ଦେବେ । ତେଣୁ ଆପଣ “ଆଶା” ରଖିପାରିବେ ଯେ ଆପଣ ସେହି ରାଜ୍ୟରେ ଶାନ୍ତିରେ ଜୀବନ ଜୀଇଁପାରିବେ । (ଯିରିମୀୟ ୨୯:୧୧, NWT) କʼଣ ଏହା ଜାଣି ଆପଣଙ୍କୁ ଜୀବନ ଜୀଇଁବାର ଉଦ୍ଦେଶ୍ୟ ମିଳେନି ? ନିଶ୍ଚୟ । ପ୍ରଥମ ଲେଖାରେ ଆମେ ଯେଉଁ ସେଲି ବିଷୟରେ କଥା ହୋଇଥିଲୁ, ସେ କହନ୍ତି, “ଜଣେ ବ୍ୟକ୍ତି ଯେବେ ଏ କଥା ଉପରେ ଧ୍ୟାନ ଦିଏ ଯେ ଭବିଷ୍ୟତରେ ଈଶ୍ୱର ନିଜ ରାଜ୍ୟରେ ଆମ ପାଇଁ କʼଣ କʼଣ କରିବେ, ତେବେ ତାକୁ ଖରାପ ସ୍ମୃତିଗୁଡ଼ିକୁ ଭୁଲିବା ପାଇଁ ଏବଂ ନିଜ କଷ୍ଟଗୁଡ଼ିକୁ ସହିବା ପାଇଁ ସାହାଯ୍ୟ ମିଳେ ।”
କʼଣ ଆପଣ ଜାଣିବାକୁ ଚାହିଁବେ ଯେ ଈଶ୍ୱର ନିଜ ରାଜ୍ୟରେ ମଣିଷମାନଙ୍କ ପାଇଁ କʼଣ କʼଣ କରିବେ ? ଏ ବିଷୟରେ ଜାଣିଲେ ଆପଣ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତି ସହିଥିଲେ ବି ଆଜି ମଧ୍ୟ ଆପଣ ଗୋଟିଏ ଭଲ ଜୀବନ ବିତାଇପାରିବେ । ଆପଣ ସେହି ପୃଥିବୀର ଅପେକ୍ଷା କରିପାରିବେ ଯେଉଁଠି କେବେ ବି କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେବ ନାହିଁ । ତାʼସହ ଆଜି ଆପଣ ଯେତେ ବି ସମସ୍ୟାର ସାମନା କରୁଥାʼନ୍ତୁ ନା କାହିଁକି, ବାଇବଲରେ ଦିଆଯାଇଥିବା ପରାମର୍ଶକୁ ମାନିଲେ ଆପଣ ସେହି ସମସ୍ୟାଗୁଡ଼ିକୁ ସଠିକ୍ ଭାବରେ ସାମନା କରିପାରିବେ । ଆସନ୍ତୁ ବାଇବଲର କିଛି ପରାମର୍ଶଗୁଡ଼ିକ ଉପରେ ଧ୍ୟାନ ଦେବା ।