ଯେବେ ପ୍ରିୟଜନଙ୍କ ମୃତ୍ୟୁ ହୁଏ
ଯଦି ଆପଣ ମଧ୍ୟ ନିଜ ପ୍ରିୟଜନଙ୍କୁ ମୃତ୍ୟୁରେ ହରାଇଛନ୍ତି, ତେବେ ହୁଏତ ଆପଣ ମଧ୍ୟ ବହୁତ ଦୁଃଖି ଥିବେ, ଅସହାୟ ମନେ କରୁଥିବେ କିମ୍ବା ଏକୁଟିଆ ଅନୁଭବ କରୁଥିବେ । ହୁଏତ ଆପଣଙ୍କୁ ଡର ଲାଗୁଥିବ, ରାଗ ଲାଗୁଥିବ କିମ୍ବା କୌଣସି କାରଣ ଯୋଗୁଁ ନିଜକୁ ଦୋଷୀ ଅନୁଭବ କରୁଥିବେ । ହୁଏତ ଆପଣ ଭାବିବେ ଯେ ମୁଁ ବଞ୍ଚିବାର କିଛି ଲାଭ ନାହିଁ ।
ଦୁଃଖି ହେବାର ଅର୍ଥ ଏହା ନୁହେଁ ଯେ ଆପଣ ଜଣେ ଦୁର୍ବଳ ବ୍ୟକ୍ତି ଅଟନ୍ତି । ଏହା ପରିବର୍ତ୍ତେ ଏହା ଦେଖାଏ ଯେ ଆପଣ ନିଜ ପ୍ରିୟଜନଙ୍କୁ କେତେ ପ୍ରେମ କରନ୍ତି, ସେ ଆପଣଙ୍କ ପାଇଁ କେତେ ମହତ୍ତ୍ୱ ରଖୁଥିଲେ । କିନ୍ତୁ ଭରସା ରଖନ୍ତୁ ଯେ ଆପଣ କିଛି ମାତ୍ରା ଯାଏଁ ଏହି ଦୁଃଖରୁ ବାହାରିପାରିବେ ।
କିଛି ଲୋକ ନିଜ ଦୁଃଖରୁ କିପରି ବାହାରିପାରିଲେ
ଆପଣଙ୍କୁ ହୁଏତ ଲାଗିବ ଯେ ଆପଣ ଏହି ଦୁଃଖରୁ କେବେ ବି ବାହାରିପାରିବେ ନାହିଁ, କିନ୍ତୁ ଆଗକୁ ଦିଆଯାଇଥିବା ପରାମର୍ଶକୁ ଆପଣାଇ ଦେଖନ୍ତୁ । ଆପଣଙ୍କୁ ହୁଏତ ସାନ୍ତ୍ୱନା ମିଳିବ:
ନିଜ ଦୁଃଖ ପ୍ରକାଶ କରନ୍ତୁ
ସମସ୍ତେ ଗୋଟିଏ ଉପାୟରେ ଦୁଃଖ ପ୍ରକାଶ କରନ୍ତି ନାହିଁ । କେହି ଶୀଘ୍ର ନିଜକୁ ସମ୍ଭାଳି ନିଅନ୍ତି ଆଉ କାହାରିକୁ ସମୟ ଲାଗେ । କିନ୍ତୁ ଦେଖିବାକୁ ମିଳେ ଯେ କାନ୍ଦିବା ଯୋଗୁଁ ମନର ଦୁଃଖ କମ୍ ହୋଇଯାଏ । ଆମେ ପ୍ରଥମେ ଯେଉଁ ଭେନେସାଙ୍କ ବିଷୟରେ କଥା ହୋଇଥିଲୁ ସେ କହନ୍ତି, “ମୁଁ ବହୁତ କାନ୍ଦୁଥିଲି । ଏଥିରୁ ମୋର ମନର ବୋଝ କମ୍ ହୋଇଯାଉଥିଲା ।” ସୋଫିଆ, ଯାହାଙ୍କ ଭଉଣୀଙ୍କ ହଠାତ୍ ମୃତ୍ୟୁ ହୋଇଗଲା ସେ କହନ୍ତି, “ଯାହା ହେଲା ତାକୁ ମନେ ପକାଇ ମୋତେ ବହୁତ କଷ୍ଟ ହୁଏ । ମୋତେ ଏମିତି ଲାଗେ ଯେମିତି ମୋ ଶରୀରରେ ହୋଇଥିବା ଗୋଟିଏ ଘାʼକୁ ମୁଁ ସଫା କରୁଛି । ଆଉ ତାʼର ବ୍ୟଥାକୁ ସହିପାରୁନି, କିନ୍ତୁ ଏମିତି କଲେ ହିଁ ସେହି ଘାʼଟି ଠିକ୍ ହେବ ।”
କାହାରିକୁ ନିଜ ମନ କଥା କହନ୍ତୁ
ହୁଏତ ବେଳେବେଳେ ଆପଣ କିଛି ସମୟ ପାଇଁ ଏକୁଟିଆ ରହିବାକୁ ଚାହିଁବେ । ଏହା ଭୁଲ ନୁହେଁ । କିନ୍ତୁ ଏକୁଟିଆ ହିଁ ଦୁଃଖକୁ ସହିବା କଠିନ ହୋଇପାରେ । ସତର ବର୍ଷର ଜେରଡ୍, ଯାହାର ବାପାଙ୍କ ମୃତ୍ୟୁ ହୋଇଗଲା ସେ କହେ, “ମୁଁ କିଛି ଲୋକଙ୍କୁ ଜଣାଇଲି ଯେ ମୋ ଉପରେ କʼଣ ବିତୁଛି । କିନ୍ତୁ ମୁଁ ସେମାନଙ୍କୁ ଠିକ୍ରେ ନିଜ ଦୁଃଖ ଜଣାଇପାରିଲି ନାହିଁ, ତଥାପି ସେମାନଙ୍କ ସହ କଥା ହୋଇ ମୋତେ ଭଲ ଲାଗିଲା ।” ଜେନିସ୍, ଯାହାଙ୍କ ବିଷୟରେ ଆମେ ପ୍ରଥମ ଲେଖାରେ ଦେଖିଥିଲୁ, ସେ କହନ୍ତି ଯେ କାହାରିକୁ ନିଜ ମନ କଥା କହିବାର ଆଉ ଏକ ଲାଭ ଅଛି, “ଯେବେ ମୁଁ ଅନ୍ୟମାନଙ୍କୁ ନିଜ ମନ କଥା କହିଲି, ତେବେ ମୋତେ ବହୁତ ସାନ୍ତ୍ୱନା ମିଳିଲା । ସେମାନେ ମୋ ଦୁଃଖକୁ ବୁଝିଲେ । ମୋତେ ଅନୁଭବ ହେଲା ଯେ ଏହି ଦୁଃଖରେ ସେମାନେ ମଧ୍ୟ ମୋ ସହିତ ଅଛନ୍ତି ।”
ଅନ୍ୟମାନଙ୍କ ସାହାଯ୍ୟ ଗ୍ରହଣ କରନ୍ତୁ
ଜଣେ ଡକ୍ଟର କହନ୍ତି, “ଆରମ୍ଭରେ ଯେଉଁ ହଠାତ୍ ଆଘାତ ପହଞ୍ଚେ, ତାହାର ସାମନା କରିବା ପାଇଁ ଯେବେ ଜଣେ ବ୍ୟକ୍ତି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କଠୁ ସାହାଯ୍ୟ ନିଏ, ତେବେ ତାକୁ ଦୁଃଖରୁ ବାହାରିବା ଟିକେ ସହଜ ହୋଇଥାଏ ।” ତେଣୁ ସାଙ୍ଗମାନଙ୍କଠାରୁ ସାହାଯ୍ୟ ନିଅନ୍ତୁ । ପ୍ରାୟ ଏପରି ହୁଏ ଯେ ଆମ ସାଙ୍ଗମାନେ ଆମକୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ସେମାନଙ୍କୁ ବୁଝାପଡ଼େ ନି ଯେ ସେମାନେ ଆମକୁ କିପରି ସାହାଯ୍ୟ କରିବେ । ତେଣୁ ସେମାନଙ୍କୁ କୁହନ୍ତୁ ଯେ ସେମାନେ ଆପଣଙ୍କ ପାଇଁ କʼଣ କରିପାରିବେ ।—ହିତୋପଦେଶ ୧୭:୧୭.
ଈଶ୍ୱରଙ୍କ ନିକଟତର ହୁଅନ୍ତୁ
ଟିନା କହନ୍ତି, “ମୋ ସ୍ୱାମୀଙ୍କ ହଠାତ୍ କ୍ୟାନସରରେ ମୃତ୍ୟୁ ହୋଇଯାଇଥିଲା । ତେବେ ମୋ ମନ କଥା ଶୁଣିବା ପାଇଁ ସେ ଆଉ ନ ଥିଲେ, ତେଣୁ ମୁଁ ଈଶ୍ୱରଙ୍କୁ ସବୁ କଥା କହିବାକୁ ଲାଗିଲି । ମୁଁ ପ୍ରତିଦିନ ସକାଳେ ଉଠି ପ୍ରାର୍ଥନା କରୁଥିଲି ଯେ ଆଜିର ଦିନ ମୋତେ ବଞ୍ଚିବା ପାଇଁ ଶକ୍ତି ଦିଅନ୍ତୁ । ଈଶ୍ୱର ମୋତେ ଏତେ ସାହାଯ୍ୟ କଲେ ଯେ ମୁଁ କହିପାରିବିନି ।” ଯେବେ ଟାର୍ଶା ୨୨ ବର୍ଷର ଥିଲେ, ତାଙ୍କ ମାଆଙ୍କ ମୃତ୍ୟୁ ହୋଇଗଲା । ସେ କହନ୍ତି, “ମୁଁ ପ୍ରତିଦିନ ବାଇବଲ ପଢ଼ୁଥିଲି । ଏଥିରୁ ମୋତେ ବହୁତ ସାନ୍ତ୍ୱନା ମିଳିଲା । ବାଇବଲ ପଢ଼ିବା ଯୋଗୁଁ ମୁଁ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରୁଥିଲି ।”
ସେହି ସମୟ ବିଷୟରେ କଳ୍ପନା କରନ୍ତୁ ଯେବେ ଆପଣ ନିଜ ପ୍ରିୟଜନଙ୍କୁ ପୁଣି ଭେଟିବେ
ଟିନା କହନ୍ତି, “ଆରମ୍ଭରେ ମୋତେ ମୃତ ଲୋକଙ୍କୁ ପୁଣିଜୀବିତ କରାଯିବା ବିଷୟରେ ବାଇବଲରେ ଯାହା କୁହାଯାଇଛି, ସେଥିରୁ କିଛି ସାନ୍ତ୍ୱନା ମିଳିଲା ନାହିଁ । ମୁଁ ଭାବୁଥିଲି ଯେ ମୋତେ ଆଜି ନିଜ ସ୍ୱାମୀଙ୍କ ଆବଶ୍ୟକ ଅଛି । ମୋ ପୁଅମାନଙ୍କୁ ମଧ୍ୟ ଆଜି ନିଜ ବାପାଙ୍କର ଆବଶ୍ୟକ ଅଛି । କିନ୍ତୁ ଏବେ ଚାରି ବର୍ଷ ପରେ ମୁଁ କହିପାରିବି ଯେ ମୃତ ଲୋକଙ୍କୁ ପୁଣିଜୀବିତ କରାଯିବ, ଏହି ଆଶା ଯୋଗୁଁ ହିଁ ମୁଁ ନିଜକୁ ସମ୍ଭାଳିପାରିଛି । ଯେପରି ଲଙ୍ଗର ଜାହାଜକୁ ବୁଡ଼ିବାକୁ ଦିଏ ନାହିଁ, ଠିକ୍ ସେହିପରି ଏହି ଆଶା ମୋତେ ବଞ୍ଚିବା ପାଇଁ ଶକ୍ତି ଦିଏ । ମୁଁ ପ୍ରାୟ କଳ୍ପନା କରେ ଯେ ମୁଁ ନିଜ ସ୍ୱାମୀଙ୍କୁ ପୁଣି ଭେଟୁଛି । ଏପରି କରି ମୋତେ ଖୁସି ଓ ଶାନ୍ତି ମିଳେ ।”
ହୋଇପାରେ ଆପଣ ଏତେ ଶୀଘ୍ର ନିଜ ଦୁଃଖକୁ ଭୁଲିପାରିବେ ନାହିଁ । କିନ୍ତୁ ହାର୍ ମାନନ୍ତୁ ନାହିଁ । ଭେନେସାଙ୍କ ପରି ଆପଣ ମଧ୍ୟ ନିଜ ଦୁଃଖରୁ ବାହାରିପାରିବେ । ସେ କହନ୍ତି, “ଜଣେ ବ୍ୟକ୍ତିକୁ ଆରମ୍ଭରେ ଲାଗିପାରେ ଯେ ମୋ ଦ୍ୱାରା ଆଉ ଏହି ଦୁଃଖ ସହି ହେବ ନାହିଁ, କିନ୍ତୁ ଧିରେ ଧିରେ ସେ ନିଜକୁ ସମ୍ଭାଳି ନିଏ ।”
ଆପଣ ନିଜ ଯେଉଁ ପ୍ରିୟଜନମାନଙ୍କୁ ହରାଇଛନ୍ତି, ସେମାନଙ୍କ ଜାଗା ହୁଏତ କେହି ବି ନେଇପାରିବେ ନାହିଁ, ତଥାପି ଆପଣ ଜୀବନ ଜୀଇଁପାରିବେ । ଈଶ୍ୱର ଆପଣଙ୍କୁ ସାହାଯ୍ୟ କରିବେ । ଆପଣଙ୍କ ଜୀବନରେ ଏବେ ବି ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ପ୍ରେମ ଆପଣଙ୍କୁ ମିଳିପାରିବ ଏବଂ ବଞ୍ଚିବାର ଗୋଟିଏ ଉଦ୍ଦେଶ୍ୟ ମଧ୍ୟ ମିଳିପାରିବ । ତାʼସହ ସେହି ଦିନ ଆଉ ଦୂର ନାହିଁ, ଯେବେ ଈଶ୍ୱର ମୃତ ଲୋକମାନଙ୍କୁ ପୁଣିଜୀବିତ କରିବେ । ସେ ଚାହାନ୍ତି ଯେ ଆପଣ ନିଜ ପ୍ରିୟଜନମାନଙ୍କୁ ପୁଣି ଭେଟନ୍ତୁ । ଏହା ପରେ କେବେ ବି ଆପଣଙ୍କୁ ଦୁଃଖ ସହିବାକୁ ପଡ଼ିବ ନାହିଁ ।