ପାଠ ୯୮
ଖ୍ରୀଷ୍ଟିୟାନ ଧର୍ମ ଅନେକ ଦେଶରେ ବ୍ୟାପିଗଲା
ପ୍ରେରିତମାନେ ଯୀଶୁଙ୍କ ଏହି ଆଜ୍ଞା ମାନିଲେ ଯେ ସେମାନେ ସାରା ଦୁନିଆରେ ଯାଇ ଖୁସିର ଖବର ଶୁଣାନ୍ତୁ । ୪୭ ଖ୍ରୀଷ୍ଟାବ୍ଦରେ ଆନ୍ତିୟଖିଆର ଭାଇମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଅଲଗା ଅଲଗା ଜାଗାକୁ ଯାଇ ଖୁସିର ଖବର ଶୁଣାଇବା ପାଇଁ ଗୋଟିଏ ଯାତ୍ରାରେ ପଠାଇଲେ । ସେମାନେ ଦୁହେଁ ଉତ୍ସାହୀ ପ୍ରଚାରକ ଥିଲେ ଏବଂ ସେମାନେ ସାରା ଏସିଆ ମାଇନରର ଜାଗାଗୁଡ଼ିକରେ ପ୍ରଚାର କଲେ, ଯେପରି ଦର୍ବୀ, ଲୁସ୍ତ୍ରା ଓ ଇକନୀୟରେ ।
ପାଉଲ ଓ ବର୍ଣ୍ଣବ୍ବା ପ୍ରତ୍ୟେକ ଜଣଙ୍କୁ ପ୍ରଚାର କଲେ, ଯଦିଓ ସେହି ବ୍ୟକ୍ତି ଧନୀ ହେଉ ବା ଗରିବ, ଯୁବା ହେଉ ବା ବୃଦ୍ଧ । ଅନେକ ଲୋକ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ସ୍ୱୀକାର କଲେ । ଯେବେ ପାଉଲ ଓ ବର୍ଣ୍ଣବ୍ବା ସାଇପ୍ରସ୍ ଦ୍ୱୀପର ରାଜ୍ୟପାଳ, ସେର୍ଗିୟ ପାଉଲଙ୍କୁ ପ୍ରଚାର କଲେ, ତେବେ ଜଣେ ଯାଦୁଗର ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କଲା । ପାଉଲ ଯାଦୁଗରକୁ କହିଲେ, ‘ଯିହୋବା ତମକୁ ଦଣ୍ଡ ଦେବେ ।’ ସେହିକ୍ଷଣି ଯାଦୁଗର ଅନ୍ଧ ହୋଇଗଲା । ଏହା ଦେଖି ରାଜ୍ୟପାଳ ପାଉଲ ଖ୍ରୀଷ୍ଟିୟାନ ହୋଇଗଲେ ।
ପାଉଲ ଓ ବର୍ଣ୍ଣବ୍ବା ପ୍ରତ୍ୟେକ ଜାଗାରେ ପ୍ରଚାର କଲେ । ସେମାନେ ଘର ଘରକୁ ଯାଇ, ବଜାର, ସଡ଼କ ଓ ସଭାଘରଗୁଡ଼ିକରେ ପ୍ରଚାର କଲେ । ଯେବେ ସେମାନେ ଲୁସ୍ତ୍ରାରେ ଚାଲିପାରୁ ନ ଥିବା ବ୍ୟକ୍ତିକୁ ଠିକ୍ କଲେ, ତେବେ ଏହି ଚମତ୍କାରକୁ ଦେଖୁଥିବା ଲୋକମାନେ ଭାବିଲେ ଯେ ପାଉଲ ଓ ବର୍ଣ୍ଣବ୍ବା ଦେବତା ଅଟନ୍ତି । ସେମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ପୂଜା କରିବା ପାଇଁ ଚେଷ୍ଟା କଲେ । କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଏହା କହି ସେମାନଙ୍କୁ ରୋକିଲେ, ‘କେବଳ ଈଶ୍ୱରଙ୍କ ଉପାସନା କର ! ଆମେ ମଧ୍ୟ ମଣିଷ ଅଟୁ ।’ ସେସମୟରେ କିଛି ଯିହୁଦୀ ଆସି ଭିଡ଼କୁ ପାଉଲଙ୍କ ବିରୁଦ୍ଧରେ କରିଦେଲେ । ଭିଡ଼ ପାଉଲଙ୍କୁ ପଥରଗୁଡ଼ିକରେ ମାରିଲେ ଏବଂ ଲୋକମାନେ ତାଙ୍କ ମୃତ୍ୟୁ ହୋଇଯାଇଛି ଭାବି ତାଙ୍କୁ ସହର ବାହାରକୁ ଘୋଷାରି ନେଇଗଲେ । କିନ୍ତୁ ପାଉଲ ଜୀବିତ ଥିଲେ ! ସେଠାର ଭାଇମାନେ ତୁରନ୍ତ ପାଉଲ ପାଖକୁ ଆସି ତାଙ୍କୁ ପୁଣି ସହରକୁ ନେଇଗଲେ । ପରେ ପାଉଲ ଆନ୍ତିୟଖିଆ ଫେରିଗଲେ ।
୪୯ ଖ୍ରୀଷ୍ଟାବ୍ଦରେ ପାଉଲ ପ୍ରଚାର ପାଇଁ ଦ୍ୱିତୀୟ ଯାତ୍ରାକୁ ଗଲେ । ପ୍ରଥମେ ସେ ପୁଣିଥରେ ଏସିଆ ମାଇନରକୁ ଗଲେ ଯାହାଦ୍ୱାରା ସେଠାର ଭାଇମାନଙ୍କୁ ଭେଟିପାରିବେ । ତାʼପରେ ସେ ଦୂର ୟୁରୋପର ଅଞ୍ଚଳକୁ ଗଲେ ଏବଂ ସେଠାରେ ଖୁସିର ଖବର ଶୁଣାଇଲେ । ସେ ଏଫିସ, ଏଥେନ୍ସ, ଫିଲିପ୍ପୀ, ଥେସଲନୀକୀ ଓ ଅନ୍ୟ ଜାଗାଗୁଡ଼ିକରେ ଗଲେ । ଏହି ଯାତ୍ରାରେ ପାଉଲଙ୍କ ସହ ଶୀଲା, ଲୂକ ଓ ତୀମଥି ନାମକ ଜଣେ ଯୁବା ଖ୍ରୀଷ୍ଟିୟାନ ମଧ୍ୟ ଥିଲେ । ସେମାନେ ସମସ୍ତେ ମିଶି ମଣ୍ଡଳୀଗୁଡ଼ିକ ଗଠନ କଲେ ଏବଂ ସେମାନଙ୍କୁ ମଜବୁତ୍ କରିବା ପାଇଁ ସାହାଯ୍ୟ କଲେ । ପାଉଲ ଦେଢ଼ ବର୍ଷ କରିନ୍ଥରେ ରହି ଭାଇମାନଙ୍କୁ ମଜବୁତ୍ କଲେ । ସେ ଲୋକମାନଙ୍କୁ ପ୍ରଚାର କଲେ, ଶିଖାଇଲେ ଏବଂ ଅନେକ ମଣ୍ଡଳୀକୁ ଚିଠିଗୁଡ଼ିକ ଲେଖିଲେ । ସେ ତମ୍ବୁ ତିଆରି କାମ ମଧ୍ୟ କରୁଥିଲେ । ପରେ ପାଉଲ ଆନ୍ତିୟଖିଆ ଫେରିଗଲେ ।
୫୨ ଖ୍ରୀଷ୍ଟାବ୍ଦରେ ପାଉଲ ତୃତୀୟ ଯାତ୍ରାକୁ ଗଲେ । ସେ ଏହି ଯାତ୍ରା ଏସିଆ ମାଇନରରୁ ଆରମ୍ଭ କଲେ । ସେ ବହୁତ ଦୂର ଯାତ୍ରା କରି ଉତ୍ତର ଆଡ଼କୁ ଫିଲିପ୍ପୀକୁ ଗଲେ ଏବଂ ପରେ ତଳେ କରିନ୍ଥକୁ ଗଲେ । ପାଉଲ ଏଫିସରେ ଅନେକ ବର୍ଷ ବିତାଇଲେ । ସେଠାରେ ସେ ଲୋକମାନଙ୍କୁ ଶିଖାଇଲେ, ରୋଗୀମାନଙ୍କୁ ଠିକ୍ କଲେ ଏବଂ ମଣ୍ଡଳୀକୁ ସାହାଯ୍ୟ କଲେ । ସେ ଏକ ସ୍କୁଲର ସଭା ଭବନରେ ପ୍ରତିଦିନ ଭାଷଣ ମଧ୍ୟ ଦେଉଥିଲେ । ଅନେକ ଲୋକ ତାଙ୍କ ଭାଷଣ ଶୁଣି ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କଲେ । ଏପରି ଭାବେ ଅନେକ ଦେଶରେ ପ୍ରଚାର କରିବା ପରେ ପାଉଲ ଶେଷରେ ଯିରୂଶାଲମକୁ ଗଲେ ।
‘ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର ।’—ମାଥିଉ ୨୮:୧୯, ୨୦