ଆପଣଙ୍କ ପ୍ରଶ୍ନ
ଗାଲାତୀୟ ୪:୨୪ ପଦରେ ପାଉଲ କେଉଁ ଦୁଇଟି ଚୁକ୍ତି ବିଷୟରେ କହନ୍ତି ?
ସାରା ଓ ହାଗାରଙ୍କ ସହିତ ଥିବା ଅବ୍ରହାମଙ୍କ ସମ୍ପର୍କ ବିଷୟରେ କହିବା ପରେ ପାଉଲ କହିଲେ, “ଏହି ସମସ୍ତ [ଲାକ୍ଷଣିକ ନାଟକ] କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ [‘ଚୁକ୍ତିସ୍ୱରୂପ,’ NWT] ।”—ଗାଲା. ୪:୨୨-୨୪.
ପୂର୍ବରୁ ଆମେ ଏହା ମାନୁଥିଲୁ ଯେ ଏଠାରେ ଦୁଇଟି ଚୁକ୍ତି ବିଷୟରେ କୁହାଯାଇଛି । ତାହା ହେଉଛି, ନୂତନ ଚୁକ୍ତି ଓ ବ୍ୟବସ୍ଥାର ଚୁକ୍ତି । କିନ୍ତୁ ଅଧିକ ଅନୁସନ୍ଧାନ କଲାପରେ ଏପରି ଜଣାପଡ଼େ ଯେ ଆମକୁ ନିଜ ଜ୍ଞାନରେ ପରିବର୍ତ୍ତନ କରିବାର ଆବଶ୍ୟକ ଅଛି । ହୁଏତ ପାଉଲ ଏଠାରେ ନୂତନ ଚୁକ୍ତି ବିଷୟରେ ନୁହେଁ, ବରଂ ଅବ୍ରହାମଙ୍କୁ କରାଯାଇଥିବା ଚୁକ୍ତି ବିଷୟରେ କହୁଥିଲେ । ଏହାର କିଛି କାରଣ ଉପରେ ଧ୍ୟାନ ଦିଅନ୍ତୁ ।a
ପାଉଲ ଲେଖିଲେ ଯେ ‘ହାଗାର ସୀନୟ ପର୍ବତକୁ ବୁଝାଏ ।’ (ଗାଲା. ୪:୨୫) ଖ୍ରୀଷ୍ଟ ପୂର୍ବ ୧୫୧୩ ମସିହାରେ ସୀନୟ ପର୍ବତରେ ହିଁ ଇସ୍ରାଏଲ ରାଷ୍ଟ୍ରକୁ ବ୍ୟବସ୍ଥା ଦିଆଯାଇଥିଲା, ତେଣୁ ହାଗାରର ଅର୍ଥ ହେଉଛି, ବ୍ୟବସ୍ଥାର ଚୁକ୍ତି । (ଯାତ୍ରା. ୧୯:୫, ୬) ଅପରିପୂର୍ଣ୍ଣ ହେବା ଯୋଗୁଁ କେହି ବି ମୋଶାଙ୍କ ବ୍ୟବସ୍ଥାକୁ ପୂରାପୂରି ଭାବେ ମାନିପାରୁ ନ ଥିଲେ । ତେଣୁ ଏହି ବ୍ୟବସ୍ଥା ଇସ୍ରାଏଲୀୟମାନଙ୍କୁ ମନେ ପକାଇ ଦେଉଥିଲା ଯେ ସେମାନେ ପାପର ଦାସତ୍ୱରେ ଅଛନ୍ତି । ଆଉ ଏହି ବ୍ୟବସ୍ଥା ଯୋଗୁଁ ଲୋକମାନେ ଆଗକୁ ଯାଇ ଖ୍ରୀଷ୍ଟଙ୍କୁ ଚିହ୍ନିପାରନ୍ତେ, କାରଣ ସେ ହିଁ ଏପରି ବ୍ୟକ୍ତି ହୁଅନ୍ତେ ଯିଏ ବ୍ୟବସ୍ଥାକୁ ପୂରାପୂରି ଭାବେ ମାନିପାରନ୍ତେ । ଯେବେ ଖ୍ରୀଷ୍ଟ ନିଜ ପରିପୂର୍ଣ୍ଣ ଜୀବନ ବଳିଦାନ କଲେ, ତେବେ ଅପରିପୂର୍ଣ୍ଣ ଲୋକମାନଙ୍କୁ ପାପ ଓ ମୃତ୍ୟୁର ଦାସତ୍ୱରୁ ମୁକ୍ତି ପାଇବାର ରାସ୍ତା ଖୋଲିଗଲା । (ଗାଲା. ୩:୧୯, ୨୪, ୨୫) ଏହିପରି ଭାବେ ଯେବେ ଈଶ୍ୱରଙ୍କ ଇଚ୍ଛା ପୂରା ହେଲା, ତେବେ ବ୍ୟବସ୍ଥାର ଆବଶ୍ୟକ ପଡ଼ିଲା ନାହିଁ ।—ରୋମୀ. ୧୦:୪.
ହାଗାର ଯିଏ ଜଣେ ଦାସୀ ଥିଲେ, ତାଙ୍କ ବିଷୟରେ କହିବା ପରେ ପାଉଲ ସାରାଙ୍କୁ ‘ସ୍ୱାଧୀନା ସ୍ତ୍ରୀ’ କହିଲେ ଯିଏ “ପ୍ରତିଜ୍ଞା” ଅନୁସାରେ ଜଣେ ପୁଅକୁ ଜନ୍ମ ଦେଲେ । (ଗାଲା. ୪:୨୩) ସେହି ପ୍ରତିଜ୍ଞା ଅବ୍ରହାମଙ୍କୁ କରାଯାଇଥିବା ଚୁକ୍ତି ଥିଲା । (ଗାଲା. ୩:୨୯; ୪:୨୮, ୩୦) ଆଦି ପୁସ୍ତକ ୨୨:୧୮ ପଦରେ ଯିହୋବା, ଅବ୍ରହାମଙ୍କୁ ଏହା କହି ଚୁକ୍ତି କରିଥିଲେ, “ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ ।”
ଅବ୍ରହାମଙ୍କୁ କରାଯାଇଥିବା ଚୁକ୍ତି ଜରିଆରେ ଯିହୋବା ଏଦନ ଉଦ୍ୟାନରେ କରିଥିବା ନିଜ ପ୍ରତିଜ୍ଞା ବିଷୟରେ ଆହୁରି ସ୍ପଷ୍ଟ ଭାବେ କହିଲେ । (ଆଦି. ୩:୧୫) ଏଥିରୁ ଜଣାପଡ଼େ ଯେ ପ୍ରତିଜ୍ଞାତ “ବଂଶ” ଅବ୍ରହାମଙ୍କ ବଂଶରୁ ଆସିବ । ପାଉଲ ବୁଝାଇଥିଲେ ଯେ ଏହି ‘ବଂଶର’ ମୁଖ୍ୟ ଭାଗ ଯୀଶୁ ଖ୍ରୀଷ୍ଟ ଅଟନ୍ତି । କିନ୍ତୁ ଏହି ବଂଶରେ ସେମାନେ ମଧ୍ୟ ସାମିଲ୍ ଅଛନ୍ତି, ଯେଉଁମାନେ ‘ଖ୍ରୀଷ୍ଟଙ୍କ ଅଟନ୍ତି,’ ଅର୍ଥାତ୍ ୧,୪୪,୦୦୦ ଅଭିଷିକ୍ତ ଖ୍ରୀଷ୍ଟିୟାନ ଯେଉଁମାନେ ଯୀଶୁଙ୍କ ସହିତ ଈଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ । (ଗାଲା. ୩:୧୬, ୨୯; ପ୍ରକା. ୧୪:୧-୩) ଯେପରି ଯିହୋବା, ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଯେକେହି ଯୀଶୁଙ୍କ ଆଜ୍ଞା ମାନିବେ ଏବଂ ତାଙ୍କୁ ଗ୍ରହଣ କରିବେ, ସେମାନଙ୍କୁ ବହୁତ ଆଶିଷ ମିଳିବ ।
ହାଗାର ଓ ସାରାଙ୍କ ଏହି ଲାକ୍ଷଣିକ ନାଟକରୁ ପାଉଲ କʼଣ ବୁଝାଇବା ପାଇଁ ଚାହୁଁଥିଲେ ? ସେ ଏହା କହିବା ପାଇଁ ଚାହୁଁଥିଲେ ଯେ ଯଦି ଯିହୁଦୀ ଲୋକମାନେ ବ୍ୟବସ୍ଥା ମାନିବା ପାଇଁ ଅଡ଼ି ରହିବେ, ତାହେଲେ ସେମାନେ ହାଗାରଙ୍କ ଭଳି ଦାସ ହୋଇ କିମ୍ବା ଦାସତ୍ୱରେ ରହିବେ । କିନ୍ତୁ ଯଦି ସେମାନେ ଅବ୍ରହାମଙ୍କ ‘ବଂଶର‘ ମୁଖ୍ୟ ଭାଗ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ, ତାହେଲେ ସେମାନେ ସାରାଙ୍କ ଭଳି ସ୍ୱାଧୀନ ହୋଇଯିବେ । ସେମାନଙ୍କୁ ପାପ ଓ ମୃତ୍ୟୁର ଦାସତ୍ୱରୁ ପୂରାପୂରି ଭାବେ ସ୍ୱାଧୀନତା ମିଳିଯିବ । (ଯୋହ. ୮:୩୨-୩୪) ଯଦି ସେମାନେ ଯୀଶୁଙ୍କୁ ଗ୍ରହଣ କରି ନ ଥାʼନ୍ତେ, ତାହେଲେ ବ୍ୟବସ୍ଥାର ଚୁକ୍ତି ତାଙ୍କ ପାଇଁ ବେକାର ସାବ୍ୟସ୍ତ ହୁଅନ୍ତା, କାରଣ ଏହାର ବିଶେଷ ଉଦ୍ଦେଶ୍ୟ ଏହା ଥିଲା ଯେ ସେମାନେ ଖ୍ରୀଷ୍ଟଙ୍କୁ ଚିହ୍ନନ୍ତୁ ।
ପାଉଲ ଗାଲାତୀୟ ମଣ୍ଡଳୀକୁ ଏସବୁ ବିଷୟରେ ଲେଖୁଥିଲେ, କିନ୍ତୁ ସେଠାରେ ଅଧିକାଂଶ ଖ୍ରୀଷ୍ଟିୟାନ ଅଣଯିହୁଦୀ ଥିଲେ ଏବଂ ସେମାନେ କେବେ ବି ବ୍ୟବସ୍ଥା ଅଧୀନରେ ନ ଥିଲେ । ତଥାପି କିଛି ଯିହୁଦୀ ଖ୍ରୀଷ୍ଟିୟାନ ବ୍ୟବସ୍ଥାକୁ ମାନିବା ପାଇଁ ଅନ୍ୟମାନଙ୍କ ଉପରେ ଚାପ ପକାଉଥିଲେ । ଯେପରି ସୁନ୍ନତ କରାଇବାର ବ୍ୟବସ୍ଥା । ତେଣୁ ପାଉଲ ସେମାନଙ୍କୁ ତର୍କ ଦେଇ କହୁଥିଲେ ଯେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ସେମାନଙ୍କୁ ‘ମୁକ୍ତି’ ମିଳିସାରିଛି, ତଥାପି ସେମାନେ କାହିଁକି ‘ଦାସତ୍ୱ ଯୁଆଳିରେ ଯୋଚା’ ଯିବା ପାଇଁ ଚାହାନ୍ତି ।—ଗାଲା. ୫:୧, ୧୦-୧୪.
a ଆମେ ପୂର୍ବରୁ ଯାହା ମାନୁଥିଲୁ ସେବିଷୟରେ ୧୫ ମାର୍ଚ୍ଚ, ୨୦୦୬ ମସିହାର ପ୍ରହରୀଦୁର୍ଗର (ହିନ୍ଦୀ) ପୃଷ୍ଠା ୧୦-୧୨ରେ କୁହାଯାଇଛି ।