ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜୁନ୍‌ ପୃଷ୍ଠା ୨୬-୩୦
  • ପ୍ରାୟ ୭୦ ବର୍ଷ କ୍ୟୁବାରେ ଯିହୋବାଙ୍କ ସେବା କଲି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରାୟ ୭୦ ବର୍ଷ କ୍ୟୁବାରେ ଯିହୋବାଙ୍କ ସେବା କଲି
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କ୍ୟୁବାରେ ସମସ୍ୟାଗୁଡ଼ିକର ଆରମ୍ଭ
  • ପ୍ରଥମେ ଅଗ୍ରଦୂତ ହେଲୁ, ତାʼପରେ ବାପାମାଆ
  • କଟକଣା ସମୟରେ ବି ସର୍କିଟ କାମ କଲୁ
  • ପରିବର୍ତ୍ତନ ସତ୍ତ୍ୱେ ଆମେ ଖୁସିରେ ରହିଲୁ
  • ଯିହୋବା ମୋ ପ୍ରାର୍ଥନା ପ୍ରତି ଧ୍ୟାନ ଦେଲେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଯିହୋବାଙ୍କ ବିଷୟରେ ଶିଖି ଓ ଅନ୍ୟମାନଙ୍କୁ ଶିଖାଇ ମୋତେ ବହୁତ ଖୁସି ମିଳିଛି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜୁନ୍‌ ପୃଷ୍ଠା ୨୬-୩୦
ଭାଇ ଗୁସ୍ତାଓ ଏବଂ ଭଉଣୀ ଏମିଲିଆ ଯୋଷେଫ ।

ଜୀବନ କାହାଣୀ

ପ୍ରାୟ ୭୦ ବର୍ଷ କ୍ୟୁବାରେ ଯିହୋବାଙ୍କ ସେବା କଲି

ଗୁସ୍ତାଓ ଯୋଷେଫଙ୍କ ଅନୁଭୂତି

ମୋର ଜନ୍ମ ୧୯୪୭ ମସିହାରେ କ୍ୟୁବା ନାମକ ଗୋଟିଏ ସୁନ୍ଦର କାରିବିଆନ୍‌ ଦ୍ୱୀପରେ ହୋଇଥିଲା । ଏହି ଦ୍ୱୀପ କାରିବିଆନ୍‌ ସାଗର ଓ ଆଟ୍‌ଲାଣ୍ଟିକ୍‌ ମହାସାଗର ମଝିରେ ଅବସ୍ଥିତ । ଆମ ପରିବାରରେ ଆମେ ପାଞ୍ଚଜଣ ସଦସ୍ୟ ଥିଲୁ । ମୁଁ, ମୋର ବାପାମାଆ ଓ ମୋର ଦୁଇଜଣ ଛୋଟ ଭଉଣୀ । ଆମେ ଏସମେରାଲଡା ନାମକ ଗାଁରେ ରହୁଥିଲୁ ।

ସେହି ଛୋଟ ଗାଁରେ ଆମେ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚୁଥିଲୁ । ମୋର ଜେଜେ-ଜେଜେ ମାଆ ଏବଂ କିଛି ସମ୍ପର୍କୀୟ ଆଖପାଖରେ ହିଁ ରହୁଥିଲେ । ଆମେ ନିଜ ଗୁଜୁରାଣ ମେଣ୍ଟାଇ ପାରୁଥିଲୁ ଏବଂ ଖୁସିରେ ଥିଲୁ ।

ଯେବେ ମୁଁ ପ୍ରାୟ ୫ ବର୍ଷର ଥିଲି, ତେବେ ମୋ ବାପାମାଆ, ୱାଲଟନ୍‌ ଜୋନ୍ସ ନାମକ ଜଣେ ଭାଇଙ୍କ ସହିତ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ । ସେହି ଭାଇ ବହୁତ ଉତ୍ସାହର ସହିତ ପ୍ରଚାର କରୁଥିଲେ । ସେ ପ୍ରାୟ ୧୦ ଘଣ୍ଟା ଚାଲି ଚାଲି ଆମ ଗାଁକୁ ଆସୁଥିଲେ । ପ୍ରତିଥର ଯେବେ ସେ ଆସୁଥିଲେ, ତେବେ ମୋ ପରିବାରର ଅନେକ ସଦସ୍ୟ ମୋର ଜେଜେ-ଜେଜେ ମାଆଙ୍କ ଘରେ ଏକାଠି ହେଉଥିଲେ । ସେମାନେ ସମସ୍ତେ ଭାଇ ଜୋନ୍ସଙ୍କ ସହିତ ଅନେକ ଘଣ୍ଟା ଧରି ବାଇବଲରୁ ଚର୍ଚ୍ଚା କରୁଥିଲେ । ମୋ ବାପାମାଆ, ମୋ ପିଉସୀ ଏଲା ଓ ମୋ କକା ପେଡ୍ରୋଙ୍କୁ ବାଇବଲରୁ ଶିଖିବା ବହୁତ ଭଲ ଲାଗୁଥିଲା । ଖୁବ୍‌ ଶୀଘ୍ର ସେମାନେ ବାପ୍ତିସ୍ମ ନେଲେ ଏବଂ ଯିହୋବାଙ୍କ ସାକ୍ଷୀ ହୋଇଗଲେ । ମୋ ପିଉସୀ ଏଲା ଏବେ ପ୍ରାୟ ୧୦୦ ବର୍ଷର ହେବାକୁ ଯାଉଛନ୍ତି ଏବଂ ଏବେ ବି ସେ କ୍ୟୁବାରେ ଅଗ୍ରଦୂତ ଭାବେ ସେବା କରୁଛନ୍ତି ।

ସେହି ସମୟରେ କ୍ୟୁବାରେ ଯିହୋବାଙ୍କ ସାକ୍ଷୀମାନେ ବିନା କୌଣସି ରୋକ୍‌ ଟୋକ୍‌ରେ ଉପାସନା କରିପାରୁଥିଲେ । ଆମେ ଘର ଘର ପ୍ରଚାର କରିବା ପାଇଁ ପରିଚିତ ଥିଲୁ । ଆମେ ବହୁତ ଚାଲି ଚାଲି ଯାଉଥିଲୁ ଏବଂ ଆମ ପାଖରେ ସବୁବେଳେ ପ୍ରକାଶନରେ ଭର୍ତ୍ତି ଥିବା ବ୍ୟାଗ୍‌ କିମ୍ବା ସୁଟକେସ ରହୁଥିଲା । ସେସମୟରେ ମୁଁ ଯିହୋବାଙ୍କ ସେବାରେ ଯାହା ବି କରିପାରିଲି, ତାହାର ମୋ ପାଖରେ ଭଲ ସ୍ମୃତି ରହିଛି । କିନ୍ତୁ ଏହି “ଭଲ ସମୟ” କିଛି ଦିନ ପାଇଁ ଥିଲା । ଆଗକୁ ଗୋଟିଏ “ଖରାପ ସମୟ” ଆସିବାର ଥିଲା ।—୨ ତୀମ. ୪:୨ NWT.

କ୍ୟୁବାରେ ସମସ୍ୟାଗୁଡ଼ିକର ଆରମ୍ଭ

ଯେବେ ମୁଁ ଚାରି-ପାଞ୍ଚ ବର୍ଷର ଥିଲି, ତେବେ ମୋ ବାପା ଓ ମୋ କକା ଗୋଟିଏ ସମ୍ମିଳନୀ ପାଇଁ କ୍ୟୁବାରେ ଥିବା ଅନ୍ୟ ଅଞ୍ଚଳକୁ ଯାଇଥିଲେ । ସେହି ସମୟରେ ଦୂଷିତ ପାଣି ପିଇବା ଯୋଗୁଁ ସେ ଦୁହିଁଙ୍କୁ ଟାଇଫଏଡ୍‌ ହୋଇଗଲା । ମୋତେ ମନେ ଅଛି ଯେବେ ସେମାନେ ଘରକୁ ଫେରିଲେ, ତେବେ ତାଙ୍କ ଅବସ୍ଥା ବହୁତ ଖରାପ ଥିଲା । ଟାଇଫଏଡ୍‌ ଯୋଗୁଁ ମୋ ବାପାଙ୍କ ମୃତ୍ୟୁ ହୋଇଗଲା । ସେ ମାତ୍ର ୩୨ ବର୍ଷର ଥିଲେ । ଅବଶ୍ୟ ମୋ କକାଙ୍କ ଜୀବନ ବଞ୍ଚିଗଲା, କିନ୍ତୁ ତାଙ୍କ ସବୁ ଚୁଟି ଝଡ଼ିଗଲା ।

ବାପାଙ୍କର ମୃତ୍ୟୁ ପରେ ମାଆ ନିଷ୍ପତ୍ତି ନେଲେ ଯେ ଆମେ ସମସ୍ତେ ତାଙ୍କ ଭାଇଙ୍କ ସହିତ ରହିବା, ଯିଏ ଲୋମ୍ବିଲୋ ଗାଁରେ ରହୁଥିଲେ । ଆମ ପାଇଁ ସମସ୍ତ ସମ୍ପର୍କୀୟଙ୍କୁ ଓ ଜେଜେ-ଜେଜେ ମାଆଙ୍କୁ ଛାଡ଼ି ରହିବା ବହୁତ କଠିନ ଥିଲା । କିନ୍ତୁ ସେଠାକୁ ଯାଇ ବି ଆମେ ଯିହୋବାଙ୍କ ସେବା କରିବା ଜାରି ରଖିଲୁ ।

୨୬ ଅଗଷ୍ଟ ୧୯୫୭ ମସିହାରେ ମୁଁ ଲୋମ୍ବିଲୋ ପାଖରେ ଥିବା ଗୋଟିଏ ପୋଖରୀରେ ବାପ୍ତିସ୍ମ ନେଲି । ସେତେବେଳେ ମୁଁ ଦଶ ବର୍ଷର ଥିଲି । ସେହି ସମୟରେ ଆମେ କେହି ବି ଭାବି ନ ଥିଲୁ ଯେ ଦୁଇ ବର୍ଷ ଭିତରେ ହିଁ କ୍ୟୁବାରେ ଯିହୋବାଙ୍କ ସାକ୍ଷୀମାନଙ୍କର ଜୀବନ ପୂରାପୂରି ବଦଳିଯିବ । ୧୯୫୯ ମସିହାରେ କ୍ୟୁବାରେ ସରକାର ଶାସନକୁ ହଟାଇ ଦିଆଗଲା ଏବଂ ଗୋଟିଏ କମ୍ୟୁନିଷ୍ଟ ସରକାର ଶାସନ ଆରମ୍ଭ କଲା ।

ଏହି ନୂଆ ସରକାର ଆହୁରି ଯୋଗ୍ୟ ଯୁବାମାନଙ୍କୁ ସେନାରେ ଭର୍ତ୍ତି କରିବା ପାଇଁ ଚାହୁଁଥିଲା । ଯିହୋବାଙ୍କ ଲୋକମାନଙ୍କ ପାଇଁ ଏହା ଗୋଟିଏ ବଡ଼ ସମସ୍ୟା ଥିଲା, କାରଣ ସେମାନେ ସେନାରେ ଭର୍ତ୍ତି ହେଉ ନ ଥିଲେ ଏବଂ ରାଜନୈତିକ ମାମଲାଗୁଡ଼ିକରେ ନିଷ୍ପକ୍ଷ ରହୁଥିଲେ । ତେଣୁ ଆମମାନଙ୍କ ପାଇଁ ଖୋଲାଖୋଲି ଭାବେ ଉପାସନା ସହ ଜଡ଼ିତ କାମଗୁଡ଼ିକୁ କରିବା କଠିନ ହେବାକୁ ଲାଗିଲା । ଥରେ ଏମିତି ସମୟ ଆସିଲା ଯେବେ ସରକାର ଆମ କାମ ଉପରେ ପୂରାପୂରି ଭାବେ କଟକଣା ଲଗାଇ ଦେଲା ଏବଂ ଶହ ଶହ ଭାଇମାନଙ୍କୁ ଜେଲ ହୋଇଗଲା । କିଛି ଭାଇଙ୍କୁ ପ୍ରାୟ ବାଡ଼ାଉ ଥିଲେ ଏବଂ ବହୁତ କମ୍‌ ଖାଇବାକୁ ଦେଉଥିଲେ । ବେଳେବେଳେ ସେମାନଙ୍କୁ ଏପରି ଖାଇବାକୁ ଦିଆଯାଉଥିଲା ଯାହା ସେମାନେ ଖାଇ ହିଁ ପାରୁ ନ ଥିଲେ, କାରଣ ସେଥିରେ ରକ୍ତ ରହୁଥିଲା ।

ଏହି ସମସ୍ତ ସମସ୍ୟା ସତ୍ତ୍ୱେ ବି ଭାଇଭଉଣୀମାନେ ମିଶିକି ଯିହୋବାଙ୍କର ସେବା କରିବା ଜାରି ରଖିଲେ । (ଏବ୍ରୀ ୧୦:୨୫) ଆମେ ଏପରି ଜାଗାଗୁଡ଼ିକରେ ସମ୍ମିଳନୀ ରଖିଲୁ, ଯାହା ବିଷୟରେ କେହି ଭାବି ବି ପାରିବେ ନାହିଁ । ଯେପରି, ବେଳେବେଳେ କୌଣସି ଫାର୍ମରେ ରଖୁଥିଲୁ । ମୋତେ ମନେ ଅଛି, ଥରେ ଜଣେ ଭାଇ ଆମକୁ ତାଙ୍କ ମେଣ୍ଢାମାନଙ୍କ ବାଡ଼ରେ ସମ୍ମିଳନୀ ରଖିବାକୁ ଦେଲେ । ସମ୍ମିଳନୀ ପୂର୍ବରୁ ଆମକୁ ମେଣ୍ଢାମାନଙ୍କୁ ବାହାର କରିବା ଏବଂ ବାଡ଼କୁ ସଫା କରିବା ପାଇଁ ସୁଯୋଗ ମିଳିଲା ନାହିଁ । ସେଥିପାଇଁ ଯିହୋବାଙ୍କର ମେଷମାନେ ସେହି ମେଷମାନଙ୍କ ସହିତ ମିଶି ସମ୍ମିଳନୀରେ ଉପସ୍ଥିତ ହେଲେ ।—ମୀଖା ୨:୧୨.

ଆମେ ସେହି ଭାଇମାନଙ୍କର ବହୁତ କୃତଜ୍ଞ, ଯେଉଁମାନେ ଆମକୁ ସେହି ସମୟରେ ଯିହୋବାଙ୍କ ସହିତ ଦୃଢ଼ ସମ୍ପର୍କ ବଜାୟ ରଖିବା ପାଇଁ ସାହାଯ୍ୟ କଲେ । ଯେପରି, କିଛି ଭାଇ ସମ୍ମିଳନୀର ଭାଷଣ ପୂର୍ବରୁ ରେକର୍ଡ କରୁଥିଲେ ଏବଂ ପରେ ସେହି ରେକଡିଙ୍ଗ୍‌କୁ କ୍ୟୁବାର ଭିନ୍ନ ଭିନ୍ନ ଅଞ୍ଚଳ ଯାଏ ପହଞ୍ଚାଉଥିଲେ । ବେଳେବେଳେ ଏମିତି ହେଉଥିଲା ଯେ କେବଳ ଦୁଇଜଣ ଭାଇ ସମ୍ମିଳନୀର ପୂରା ଭାଷଣ ପ୍ରସ୍ତୁତ କରୁଥିଲେ ଏବଂ ତାହାର ରେକଡିଙ୍ଗ୍‌ କରୁଥିଲେ । ଭାଇମାନଙ୍କୁ ଲୁଚିକି ରେକଡିଙ୍ଗ୍‌ କରିବାକୁ ପଡ଼ୁଥିଲା । ସେଥିପାଇଁ ରେକଡିଙ୍ଗ୍‌ରେ ଭାଇମାନଙ୍କ ସହ କୁକୁଡ଼ାର ରାବ କିମ୍ବା ଏହି ପ୍ରକାରର ଅନ୍ୟ ଶବ୍ଦଗୁଡ଼ିକ ବି ଶୁଣାଯାଉଥିଲା । ଯେବେ ସମ୍ମିଳନୀ ଜାଗାରେ ବିଜୁଳି ରହୁ ନ ଥିଲା, ତେବେ ଭାଇମାନେ ତାʼପାଇଁ ବି ପୂର୍ବରୁ ଗୋଟିଏ ବ୍ୟବସ୍ଥା କରି ରଖିଥିଲେ । ଜଣେ ଭାଇ ସାଇକେଲର ପେଡାଲ୍‌ ମାରୁଥିଲେ ଏବଂ ଗୋଟିଏ ଯନ୍ତ୍ର ଜରିଆରେ ବିଜୁଳି ଉତ୍ପନ୍ନ ହେଉଥିଲା । ଏପରି ଭାବେ ଆମେ ରେକଡିଙ୍ଗ୍‌ ଚଲାଇ ପାରୁଥିଲୁ ଏବଂ କାର୍ଯ୍ୟକ୍ରମ ଶୁଣି ପାରୁଥିଲୁ । ଅନ୍ୟ ଦେଶର ଭାଇଭଉଣୀମାନଙ୍କ ଭଳି ଆମ ପାଖରେ ସ୍ୱାଧୀନତା ନ ଥିଲା ଏବଂ ବେଶୀ ପ୍ରକାଶନ ବି ନ ଥିଲା, ତଥାପି ଯିହୋବାଙ୍କର ନିକଟତର ହୋଇ ରହିବା ପାଇଁ ଆମକୁ ଯାହା ବି ଦରକାର ଥିଲା, ସେସବୁ ଆମ ପାଖରେ ଥିଲା । ଆମକୁ ସାଙ୍ଗରେ ମିଶି ଯିହୋବାଙ୍କ ସେବା କରି ବହୁତ ଖୁସି ମିଳିଲା ।—ନିହି. ୮:୧୦.

ପ୍ରଥମେ ଅଗ୍ରଦୂତ ହେଲୁ, ତାʼପରେ ବାପାମାଆ

ଯେବେ ମୁଁ ୧୮ ବର୍ଷର ହେଲି, ତେବେ ମୁଁ କ୍ୟୁବାର ଫ୍ଲୋରିଡା ସହରରେ ଅଗ୍ରଦୂତ ସେବା ଆରମ୍ଭ କରିଦେଲି । ପ୍ରାୟ ବର୍ଷେ ପରେ ମୋତେ ସେହି ଅଞ୍ଚଳର ଗୋଟିଏ ବଡ଼ ସହର କାମାଗୁଏରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ ପଠାଗଲା । ସେଠାରେ ମୁଁ ଏମିଲିଆ ନାମକ ଜଣେ ଭଉଣୀଙ୍କୁ ଦେଖା ହେଲି, ଯିଏ ସାଣ୍ଟିଆଗୋ ଡି କ୍ୟୁବାରୁ ଥିଲେ । ଆମେ ଡେଟିଙ୍ଗ୍‌ କରିବାକୁ ଲାଗିଲୁ ଏବଂ ଗୋଟିଏ ବର୍ଷ ଭିତରେ ବିବାହ କଲୁ ।

ଚିତ୍ରଗୁଡ଼ିକ: ୧. ଭାଇ ଗୁସ୍ତାଓ ଏବଂ ରାଜ୍ୟ ସେବା ସ୍କୁଲରେ ଅନ୍ୟ ଭାଇମାନଙ୍କ ସହିତ ନିଆଯାଇଥିବା କ୍ଲାସର ଫଟୋ । ୨. ଭାଇ ଗୁସ୍ତାଓ ଏବଂ ଭଉଣୀ ଏମିଲିଆ ନିଜ ବିବାହ ଦିନରେ ଖୁସି ଅଛନ୍ତି ଏବଂ କେକ୍‌ ପାଖରେ ଛିଡ଼ା ହୋଇଛନ୍ତି ।

(ବାମପଟେ) ୧୯୬୬ ମସିହାରେ କ୍ୟୁବାର କାମାଗୁଏରେ ରଖାଯାଇଥିବା ପ୍ରାଚୀନମାନଙ୍କ ରାଜ୍ୟ ସେବା ସ୍କୁଲ ସମୟର ଚିତ୍ର

(ଡାହାଣ ପଟେ) ୧୯୬୭ ମସିହାରେ ଆମ ବିବାହ ଦିନର ଚିତ୍ର

ମୁଁ ଚିନି ତିଆରି ହେଉଥିବା ଗୋଟିଏ ସରକାରୀ ଫେକ୍‌ଟ୍ରିରେ କାମ କରିବା ଆରମ୍ଭ କଲି । ମୋର ବହୁତ ସମୟ ସେହି କାମରେ ଚାଲିଯାଉଥିଲା, ସେଥିପାଇଁ ମୁଁ ଓ ଏମିଲିଆ ଅଗ୍ରଦୂତ ଭାବେ ସେବା କରିବା ଜାରି ରଖିପାରିଲୁ ନାହିଁ । କିନ୍ତୁ ଆମେ ସେସମୟରେ ବି ଯିହୋବାଙ୍କର ସେବା ଅଧିକରୁ ଅଧିକ କରିବା ପାଇଁ ଚାହୁଁଥିଲି, ସେଥିପାଇଁ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ରାତି ତିନିଟାରୁ ନେଇ ସକାଳ ଏଗାରଟାର ସିଫ୍ଟରେ କାମ କରିବି । ମୋତେ ଏତେ ଶୀଘ୍ର ଉଠିବା ଜମା ପସନ୍ଦ ନ ଥିଲା, କିନ୍ତୁ ଏପରି କରି ମୁଁ ପ୍ରଚାରରେ ଓ ଏମିଲିଆଙ୍କ ସହ ପ୍ରତି ସଭାରେ ଯାଇପାରୁଥିଲି ।

୧୯୬୯ ମସିହାରେ ଆମ ପୁଅ ଗୁସ୍ତାଓ ଜନ୍ମ ହେଲା । ସେହି ସମୟରେ ଭାଇମାନେ ମୋତେ ସର୍କିଟ କାମ କରିବା ପାଇଁ କହିଲେ । ସେସମୟରେ ପିଲାମାନେ ଥିଲେ ବି ସର୍କିଟ କାମ କରିବା ସାଧାରଣ କଥା ଥିଲା । ପରବର୍ତ୍ତୀ କିଛି ବର୍ଷ ଖୁବ୍‌ ଶୀଘ୍ର ବିତିଗଲା । ଆମ ପାଖରେ କରିବା ପାଇଁ ଅନେକ କାମ ଥିଲା, ହେଲେ ବି ଆମେ ଖୁସି ଥିଲୁ । ଏହିପରି ଭାବେ ଭାଇଭଉଣୀମାନଙ୍କର ସେବା କରିବା ପାଇଁ ଆମକୁ ଯେଉଁ ସମ୍ମାନ ମିଳିଲା, ତାହା ମୋ ପାଇଁ ଓ ଏମିଲିଆଙ୍କ ପାଇଁ ଗୋଟିଏ ବଡ଼ ଆଶିଷ ଥିଲା । ସର୍କିଟ କାମ ସମୟରେ ହିଁ ଆମର ଆହୁରି ତିନିଜଣ ପିଲା ହେଲେ । ତାଙ୍କ ନାମ ଥିଲା ଓବେଡ୍‌, ଏବନେର୍‌ ଓ ଝିଅ ମାଏଲି ।

ଯେବେ ମୁଁ ସର୍କିଟ କାମରେ ବିତାଇଥିବା ସମୟ ବିଷୟରେ ଭାବେ, ତେବେ ମୋତେ ଏହା ଭାବି ବହୁତ ଖୁସି ଲାଗେ ଯେ ଯିହୋବା କ୍ୟୁବାରେ ନିଜ ଲୋକମାନଙ୍କୁ ବହୁତ ଆଶିଷ ଦେଇଛନ୍ତି । ଯିହୋବା ମୋତେ ଓ ଏମିଲିଆଙ୍କୁ ବି ସାହାଯ୍ୟ କଲେ, ଯାହାଫଳରେ ଆମେ ନିଜ ପିଲାମାନଙ୍କୁ ତାଙ୍କୁ ପ୍ରେମ କରିବା ଶିଖାଇପାରିଲୁ । ଆସନ୍ତୁ ମୁଁ ଆପଣଙ୍କୁ କହୁଛି ଯେ ସର୍କିଟ କାମ ସମୟରେ ମୋର ଓ ଏମିଲିଆଙ୍କ ଜୀବନ କିପରି ଥିଲା ।

କଟକଣା ସମୟରେ ବି ସର୍କିଟ କାମ କଲୁ

କଟକଣା ଯୋଗୁଁ ୧୯୬୦ ମସିହା ଓ ୧୯୭୦ ମସିହା ମଧ୍ୟରେ ଭାଇଭଉଣୀମାନଙ୍କୁ ପ୍ରଚାର କରିବା ଓ ସଭାଗୁଡ଼ିକରେ ଯିବା ବହୁତ କଠିନ ହୋଇଗଲା । ଆମ ରାଜ୍ୟଘରକୁ ବନ୍ଦ କରିଦିଆଗଲା ଏବଂ ମିଶନାରୀମାନଙ୍କୁ ଦେଶରୁ ବାହାର କରିଦିଆଗଲା । ଅନେକ ଭାଇମାନଙ୍କୁ ଗିରଫ କରି ଜେଲରେ ପୂରେଇ ଦିଆଗଲା ଏବଂ ହାଭାନାରେ ଆମର ଶାଖା କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଗଲା ।

ଭାଇ ଗୁସ୍ତାଓ ଏବଂ ଭଉଣୀ ଏମିଲିଆ ସ୍ପାନିଶ ଭାଷାରେ ଥିବା “ସଜାଗ ହୁଅ !” ପତ୍ରିକା ଧରିଛନ୍ତି ।

୧୯୯୦ ମସିହାରେ ସର୍କିଟ କାମ କରୁଥିବା ସମୟର ଚିତ୍ର

କଟକଣା ଯୋଗୁଁ ଆମେ ମଣ୍ଡଳୀଗୁଡ଼ିକୁ ପରିଦର୍ଶନ କରିବା ପାଇଁ କେବଳ ଶନିବାର ଓ ରବିବାର ଦିନ ହିଁ ଯାଇପାରୁଥିଲୁ । କିନ୍ତୁ ଏହା ଯଥେଷ୍ଟ ହେଉ ନ ଥିଲା, ତେଣୁ ଆମେ ପୁଣି ସେହି ମଣ୍ଡଳୀକୁ ଆର ଶନିବାର ଓ ରବିବାର ଦିନ ପରିଦର୍ଶନ କରିବା ପାଇଁ ଯାଉଥିଲୁ । ଲୋକମାନଙ୍କ ଧ୍ୟାନ ଆମ ଉପରେ ନ ପଡ଼ୁ, ତେଣୁ ଆମେ କମ୍‌ ଜିନିଷ ନେଇ ପ୍ରାୟ ସାଇକେଲରେ ସେମାନଙ୍କ ପାଖକୁ ଯାଉଥିଲୁ । ଆମେ ସମସ୍ତଙ୍କୁ କହୁ ନ ଥିଲୁ ଯେ ଆମେ ମଣ୍ଡଳୀର ପରିଦର୍ଶନ କରିବା ପାଇଁ ଯାଉଛୁ, ବରଂ ଏହା କହୁଥିଲୁ ଯେ ଆମେ ଆମ ସମ୍ପର୍କୀୟମାନଙ୍କୁ ଭେଟିବା ପାଇଁ ଯାଉଛୁ । ଆଉ ଏହା କହିବା ବହୁତ ସହଜ ଥିଲା, କାରଣ ଭାଇଭଉଣୀ ଆମ ପରିବାର ଥିଲେ । ଆମକୁ ସେମାନଙ୍କ ସହିତ ଭେଟିବା ବହୁତ ଭଲ ଲାଗୁଥିଲା, ତେଣୁ ବେଳେବେଳେ ଆମେ ଭୁଲି ଯାଉଥିଲୁ ଯେ ଆମେ ତାଙ୍କୁ କେବଳ ଭେଟିବା ପାଇଁ ନୁହେଁ, ବରଂ ମଣ୍ଡଳୀର ପରିଦର୍ଶନ କରିବା ପାଇଁ ଆସିଛୁ । (ମାର୍କ ୧୦:୨୯, ୩୦) କିନ୍ତୁ ଆମକୁ ବୁଝିବିଚାରି ଏବଂ ସତର୍କତାର ସହିତ କାମ କରିବାକୁ ପଡ଼ୁଥିଲା । ପ୍ରାୟ ଆମର ପିଛା କରାଯାଉଥିଲା ଏବଂ ପୋଲିସ ଆମକୁ ପଚରାଉଚୁରା କରୁଥିଲା । ଯଦି ଆମେ ଧରା ପଡ଼ିଯାʼନ୍ତେ, ତାହେଲେ ଆମେ ଯେଉଁମାନଙ୍କ ଘରେ ରହୁଥିଲୁ ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରନ୍ତା ।—ରୋମୀ. ୧୬:୪.

ଏହି ସମୟରେ ଆମେ ଏପରି ଅନେକ ଭାଇଭଉଣୀଙ୍କୁ ଭେଟିଲୁ ଯେଉଁମାନଙ୍କ ପାଖରେ ଜିନିଷ ବହୁତ କମ୍‌ ଥିଲା, କିନ୍ତୁ ସେମାନେ ବହୁତ ଉଦାର ଥିଲେ । କିଛି ଜାଗା ଏପରି ଥିଲା ଯେଉଁଠି ଅଧିକ ମଶା ଥିଲେ । ତଥାପି ସେଠାର ଭାଇଭଉଣୀମାନେ ନିଜ ବିଷୟରେ ନ ଭାବି ଆମ ବିଷୟରେ ଭାବୁଥିଲେ । ଯଦି ସେମାନଙ୍କ ପାଖରେ ଗୋଟିଏ ମଶାରୀ ଥିଲା, ହେଲେ ବି ସେମାନେ ତାହା ଆମକୁ ଦେଇ ଦେଉଥିଲେ ଯାହାଦ୍ୱାରା ଆମେ ଆରାମରେ ଶୋଇପାରୁ । କିଛି ଭାଇଭଉଣୀଙ୍କ ପାଖରେ ବହୁତ କମ୍‌ ଖାଦ୍ୟ ରହୁଥିଲା, ତଥାପି ସେମାନେ ଆମକୁ ଖାଇବା ପାଇଁ ଡାକୁଥିଲେ । ବେଳେବେଳେ ଆମେ ନିଜର ଖାଦ୍ୟ ନେଇକି ଯାଉଥିଲୁ, ଯାହାଦ୍ୱାରା ସମସ୍ତେ ବାଣ୍ଟିକି ଖାଇପାରୁ ।

ଯେବେ ଆମେ ମଣ୍ଡଳୀର ପରିଦର୍ଶନ ପାଇଁ ଯାଉଥିଲୁ, ତେବେ ଆମେ କେବଳ ଜଣେ ପିଲାକୁ ହିଁ ସାଙ୍ଗରେ ନେଇକି ଯାଇପାରୁଥିଲୁ । ଆଉ ବାକି ପିଲାଙ୍କୁ ମୋ ମାଆ ଓ ଭଉଣୀଙ୍କ ପାଖରେ ଛାଡ଼ି ଦେଉଥିଲୁ । ସେମାନେ ତାଙ୍କର ଯତ୍ନ ନେଉଥିଲେ । ନିଜ ପିଲାକୁ ସାଙ୍ଗରେ ନେଇ ଯାତ୍ରା କଲେ ଆମର ବି ସୁରକ୍ଷା ହେଉଥିଲା । ବେଳେବେଳେ ପୋଲିସ ଆମର ତଲାସି ନେଉଥିଲା, କିନ୍ତୁ ସେମାନଙ୍କୁ କିଛି ମିଳୁ ନ ଥିଲା କାରଣ ଆମେ ସବୁ ବହି ପତ୍ରିକାଗୁଡ଼ିକୁ ସେହି ବ୍ୟାଗ୍‌ରେ ରଖୁଥିଲୁ ଯେଉଁଠି ପିଲାର ମଇଳା ଡାଇପର ଥିଲା ।

ମୋର ପ୍ରିୟ ସ୍ତ୍ରୀ ମୋତେ ପୂର୍ଣ୍ଣ ସମୟର ସେବା କରିବା ପାଇଁ ବହୁତ ସାହାଯ୍ୟ କଲେ ଏବଂ ପିଲାମାନଙ୍କର ବି ବହୁତ ଭଲରେ ଯତ୍ନ ନେଲେ । ସର୍କିଟ କାମ କରିବା ସହିତ ମୁଁ ଫେକ୍‌ଟ୍ରିରେ ନିଜ ଚାକିରି ମଧ୍ୟ କରିବା ଜାରି ରଖିପାରିଲି । ମୁଁ ବେଳେବେଳେ ସପ୍ତାହରେ ଦିନେ କିମ୍ବା ଦୁଇ ଦିନ, ସକାଳ ଓ ସନ୍ଧ୍ୟାର ଦୁଇଟି ସିଫ୍ଟରେ କାମ କରୁଥିଲି ଯାହାଦ୍ୱାରା ମୋତେ ଶନିବାର ଓ ରବିବାର ଛୁଟି ମିଳିପାରୁ । ପରେ ଫେକ୍‌ଟ୍ରିରେ ମୋର ପୋଷ୍ଟ ବଦଳାଇ ଦିଆଗଲା । ଆଉ ମୋତେ ସପ୍ତାହର ସାତଦିନ ଯାକ କାମ କରିବା ପାଇଁ କୁହାଗଲା । କିନ୍ତୁ ଏବିଷୟରେ ମୁଁ ଗୋଟିଏ ଉପାୟ ବାହାର କଲି । ମୁଁ ମୋର ଅଧୀନରେ କାମ କରୁଥିବା ଲୋକମାନଙ୍କୁ ଶନିବାର ଓ ରବିବାର ପାଇଁ କାମ ଦେଇ ଦେଉଥିଲି ଏବଂ ସେମାନେ କାହାରିକୁ ବି କହୁ ନ ଥିଲେ ଯେ ମୁଁ ସେହି ଦିନଗୁଡ଼ିକରେ କାମରେ ଆସୁ ନ ଥିଲି । ମୋ ଜାଣିବାରେ ମୋର କୌଣସି ବି ମାଲିକଙ୍କୁ କେବେ ବି ଏବିଷୟରେ ଜଣାପଡ଼ିଲା ନାହିଁ ।

ପରିବର୍ତ୍ତନ ସତ୍ତ୍ୱେ ଆମେ ଖୁସିରେ ରହିଲୁ

ଭାଇ ଗୁସ୍ତାଓ ୧୯୯୪ ମସିହାରେ ହୋଇଥିବା ଜିଲ୍ଲା ଅଧିବେଶନରେ ଭାଷଣ ଦେଉଛନ୍ତି ।

କଟକଣା ହଟାଯିବା ପରେ ୧୯୯୪ ମସିହାରେ ପ୍ରଥମ ଅଧିବେଶନ

୧୯୯୪ ମସିହାରେ କ୍ୟୁବାରେ ନେତୃତ୍ୱ ନେଉଥିବା ଭାଇମାନେ ହାଭାନାରେ ଗୋଟିଏ ବିଶେଷ ସଭା ରଖିଲେ । ସେଠାରେ ସେମାନେ ସମସ୍ତ ୮୦ ଭ୍ରମଣକାରୀ ଅଧ୍ୟକ୍ଷଙ୍କୁ ଡାକିଥିଲେ । ଏତେ ବର୍ଷ ପରେ ସମସ୍ତଙ୍କୁ ଭେଟି ଆମକୁ ବହୁତ ଖୁସି ଲାଗୁଥିଲା । ସର୍ବପ୍ରଥମେ ଆମେ ସଂଗଠନର କାମ କରିବାର ଉପାୟରେ ହୋଇଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ କଥା ହେଲୁ । ଏହାପରେ ଏପରି ଏକ ଘୋଷଣା ହେଲା, ଯାହା ଶୁଣି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ । ଭାଇମାନେ କହିଲେ ଯେ ସେମାନେ ସରକାରଙ୍କୁ ଆମ ନାମ ଜଣାଇବା ବିଷୟରେ ଭାବୁଛନ୍ତି । କିନ୍ତୁ ଏପରି କାହିଁକି ?

ଭାଇମାନେ ଆମକୁ କହିଲେ ଯେ ସେମାନେ ସରକାରୀ ଅଧିକାରୀମାନଙ୍କ ସହିତ କଥା ହେଉଛନ୍ତି, ଯାହାଦ୍ୱାରା ଯିହୋବାଙ୍କ ସାକ୍ଷୀ ଓ ସରକାରଙ୍କ ମଧ୍ୟରେ ଥିବା ସମ୍ପର୍କ ଭଲ ହୋଇପାରୁ ଏବଂ ଭାଇମାନେ ଏହା ବି କହିଲେ ଯେ ଅଧିକାରୀମାନେ ସମସ୍ତ ଭ୍ରମଣକାରୀ ଅଧ୍ୟକ୍ଷଙ୍କ ନାମର ଲିଷ୍ଟ ମାଗିଛନ୍ତି । ଯେତେବେଳେ ଆମକୁ ଏହା ଜଣାପଡ଼ିଲା, ସେତେବେଳେ ଆମେ ନିଜ ନାମ ଦେବା ପାଇଁ ରାଜି ହୋଇଗଲୁ । ଏହାପରେ ଅଧିକାରୀମାନଙ୍କ ସହିତ ପରବର୍ତ୍ତୀ କିଛି ସାକ୍ଷାତରେ ଆମର ଭଲ କଥାବାର୍ତ୍ତା ହେଲା ।

ଧୀରେ ଧୀରେ ଆମେ ଖୋଲାଖୋଲି ଭାବେ ପ୍ରଚାର କରିବାକୁ ଲାଗିଲୁ । କିନ୍ତୁ ଏପର୍ଯ୍ୟନ୍ତ ଯିହୋବାଙ୍କ ସାକ୍ଷୀମାନଙ୍କୁ ଆଇନଗତ ମାନ୍ୟତା ମିଳି ନ ଥିଲା । ପରେ ଆମକୁ ଜଣାପଡ଼ିଲା ଯେ ଅଧିକାରୀମାନେ ପୂର୍ବରୁ ହିଁ କିଛି ସର୍କିଟ ଅଧ୍ୟକ୍ଷଙ୍କ ନାମ ଜାଣିଥିଲେ । କିନ୍ତୁ ସେମାନେ କେବଳ ଏହା ଦେଖିବା ପାଇଁ ଚାହୁଁଥିଲେ ଯେ ଆମର ଲିଷ୍ଟରେ ସେମାନଙ୍କ ନାମ ଅଛି ନା ନାହିଁ ।

ସେପ୍ଟେମ୍ବର ୧୯୯୪ ମସିହାରେ ଆମକୁ ଶାଖା କାର୍ଯ୍ୟାଳୟର କାମ ପୁଣିଥରେ ଆରମ୍ଭ କରିବାର ଅନୁମତି ମିଳିଗଲା । ଏହା ଆଶ୍ଚର୍ଯ୍ୟର କଥା ଯେ ୨୦ ବର୍ଷ ପୂର୍ବେ ଆମ ଶାଖା କାର୍ଯ୍ୟାଳୟ ଯେଉଁ ବିଲ୍‌ଡିଙ୍ଗରେ ଥିଲା ଆମେ ପୁଣିଥରେ ସେହି ବିଲ୍‌ଡିଙ୍ଗରେ ନିଜ ଶାଖା କାର୍ଯ୍ୟାଳୟ ଖୋଲିପାରିଲୁ ।

୧୯୯୬ ମସିହାରେ ଆମକୁ ଗୋଟିଏ ଫୋନ୍‌ ଆସିଲା ଏବଂ ଆମକୁ ବୈଥେଲ ଆସିବାକୁ କୁହାଗଲା । ଆମେ ଏବିଷୟରେ ଭାବି ହିଁ ନ ଥିଲୁ । ମୁଁ ଭାଇମାନଙ୍କୁ କହିଲି ଯେ ଏବେ ବି ମୋର ଦୁଇଜଣ ପିଲା ଛୋଟ ଅଛନ୍ତି ଏବଂ ମୋତେ ତାଙ୍କର ଯତ୍ନ ନେବାର ଅଛି । ଭାଇମାନେ କହିଲେ ଯେ ସେମାନେ ଆମ ପରିସ୍ଥିତି ବୁଝନ୍ତି, ତଥାପି ସେମାନେ ଚାହାନ୍ତି ଯେ ଆମେ ବୈଥେଲକୁ ଆସୁ । ଆମେମାନେ ଯିବା ପାଇଁ ରାଜି ହୋଇଗଲୁ ଏବଂ ହାଭାନାରେ ଯାଇ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲୁ ।

ଚିତ୍ରଗୁଡ଼ିକ: ୧. ଭଉଣୀ ଏମିଲିଆ ଓ ଅନ୍ୟ ଭଉଣୀମାନେ ବୈଥେଲରେ ସିଲେଇ ବିଭାଗରେ କାମ କରୁଛନ୍ତି । ୨. ଭାଇ ଗୁସ୍ତାଓ ସମ୍ମିଳନୀରେ ଭାଷଣ ଦେଉଛନ୍ତି ।

(ବାମପଟେ) ୨୦୦୦ ମସିହାର ଆଖପାଖରେ ଭଉଣୀ ଏମିଲିଆ କ୍ୟୁବା ଶାଖା କାର୍ଯ୍ୟାଳୟରେ ସିଲେଇ ବିଭାଗରେ କାମ କରୁଥିବା ସମୟର ଚିତ୍ର

(ଡାହାଣ ପଟେ) ୨୦୧୨ ମସିହାରେ ସମ୍ମିଳନୀ ଭବନର ସମର୍ପଣ ସମୟର ଚିତ୍ର

ସତ କହିବାକୁ ଗଲେ ଆରମ୍ଭରେ ମୋତେ ବୈଥେଲ କାମ କରିବାରେ ମଜା ହିଁ ଆସୁ ନ ଥିଲା । ମୁଁ ଅନେକ ବର୍ଷ ଯାଏ ସର୍କିଟ କାମ କରିଥିଲି, ତେଣୁ ଏବେ ବି ମୋର ମନ ସର୍କିଟ କାମ କରିବାରେ ଥିଲା । ଅଫିସ୍‌ରେ ବସି କାମ କରିବା ମୋ ପାଇଁ ବହୁତ କଠିନ ଥିଲା । କିନ୍ତୁ ବୈଥେଲର ଭାଇଭଉଣୀମାନଙ୍କ ଓ ମୋ ସ୍ତ୍ରୀ ଏମିଲିଆଙ୍କ ସାହାଯ୍ୟରୁ ମୁଁ ନିଜ ଚିନ୍ତାଧାରାକୁ ସୁଧାରିପାରିଲି । ଧୀରେ ଧୀରେ ବୈଥେଲ କାମରୁ ମୋତେ ଖୁସି ମିଳିବାକୁ ଲାଗିଲା ଏବଂ ଏବେ ମୁଁ ଖୁସିର ସହ ବୈଥେଲରେ ସେବା କରୁଛି ।

ଚିତ୍ରଗୁଡ଼ିକ: ୧. ଭାଇ ଗୁସ୍ତାଓ ଷ୍ଟେଜ୍‌ରେ ଅଛନ୍ତି ଏବଂ ସେ ତାଙ୍କ ପଛରେ ଛିଡ଼ା ହୋଇଥିବା ଖ୍ରୀଷ୍ଟିୟାନ ଦମ୍ପତିମାନଙ୍କ ପାଇଁ ସ୍କୁଲର ବିଦ୍ୟାର୍ଥୀମାନଙ୍କୁ କିଛି କହୁଛନ୍ତି । ୨. ଭାଇ ଗୁସ୍ତାଓ ଶାଖା ସମିତିର ଚାରିଜଣ ଭାଇଙ୍କ ସହିତ ଛିଡ଼ା ହୋଇଛନ୍ତି ।

(ବାମପଟେ) ୨୦୧୩ ମସିହାରେ ଖ୍ରୀଷ୍ଟିୟାନ ଦମ୍ପତିମାନଙ୍କ ପାଇଁ ବାଇବଲ ସ୍କୁଲର ଗ୍ରାଜୁଏସନ ଦିନର ଚିତ୍ର

(ଡାହାଣ ପଟେ) ୨୦୧୩ ମସିହାରେ କ୍ୟୁବା ଶାଖା ସମିତିର ସଦସ୍ୟ

ଭାଇ ଗୁସ୍ତାଓ ଏବଂ ଭଉଣୀ ଏମିଲିଆ ନିଜ ଝିଅ ଓ ଜ୍ୱାଇଁଙ୍କ ସହିତ ବସିଛନ୍ତି ।

ନିଜ ଝିଅ ଓ ଜ୍ୱାଇଁଙ୍କ ସହିତ ଗୋଟିଏ ସର୍କିଟ ସମ୍ମିଳନୀର ଚିତ୍ର

ଏବେ ଏମିଲିଆ ଓ ମୋର ବୟସ ହୋଇଯାଇଛି । କିନ୍ତୁ ଏହି ସେବା ବର୍ଷଗୁଡ଼ିକ ମଧ୍ୟରେ ଆମେ ଯେଉଁ ଭାଇଭଉଣୀମାନଙ୍କ ସହିତ ଭେଟିଲୁ ଏବଂ ଯେଉଁମାନଙ୍କ ସହିତ ଆମକୁ କାମ କରିବାର ସୁଯୋଗ ମିଳିଲା, ସେମାନଙ୍କ ବିଷୟରେ ଭାବି ଆମକୁ ବହୁତ ଖୁସି ଲାଗେ । ଏବିଷୟରେ ବି ଭାବି ଆମ ହୃଦୟ ଖୁସି ହୋଇଯାଏ ଯେ ଆମ ପିଲାମାନେ ଏବଂ ଆମର ନାତିନାତୁଣୀମାନେ ମଧ୍ୟ ଯିହୋବାଙ୍କ ସେବା କରୁଛନ୍ତି । ଆମେ ବି ପ୍ରେରିତ ଯୋହନଙ୍କ ଭଳି ଅନୁଭବ କରୁ ଯିଏ ନିଜ ବୃଦ୍ଧା ସମୟରେ କହିଥିଲେ, “ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋର ଆନନ୍ଦର ଆଉ ବଡ଼ ବିଷୟ ନାହିଁ ।”—୩ ଯୋହ. ୪.

ଆମକୁ ବୈଥେଲରେ ସେବା କରୁଥିବାର ପ୍ରାୟ ୩୦ ବର୍ଷ ହୋଇସାରିଲାଣି । ବୃଦ୍ଧାବସ୍ଥା ଓ କ୍ୟାନସର ଯୋଗୁଁ ଆମକୁ ପ୍ରତିଦିନ କଷ୍ଟ ସହିବାକୁ ପଡ଼େ । କିନ୍ତୁ ଆମେ ନିଜ କାମଗୁଡ଼ିକୁ ଭଲଭାବେ ପୂରା କରିବା ପାଇଁ ଚେଷ୍ଟା କରୁ । ଏହି ବର୍ଷଗୁଡ଼ିକ ମଧ୍ୟରେ ଆମକୁ ଅନେକ କଷ୍ଟ ସହିବାକୁ ପଡ଼ିଲା । କିନ୍ତୁ ଆମେ ବହୁତ ଖୁସି ଯେ ଆମେ କ୍ୟୁବା ଦ୍ୱୀପରେ ପ୍ରାୟ ୭୦ ବର୍ଷରୁ “ଆନନ୍ଦିତ ଈଶ୍ୱର” ଯିହୋବାଙ୍କର ସେବା କରିପାରୁଛୁ ।—୧ ତୀମ. ୧:୧୧ NWT; ଗୀତ. ୯୭:୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ