୨୪-୩୦ ଅଗଷ୍ଟ, ୨୦୨୬
ଗୀତ ୬୫ ବଢ଼ିବା ଆଗଇ !
ପ୍ରଚାର ସମୂହ—ଯିହୋବାଙ୍କର ଗୋଟିଏ ବିଶେଷ ବ୍ୟବସ୍ଥା
‘ସରଳ ଲୋକଙ୍କ ସଭାରେ ମୁଁ ସର୍ବାନ୍ତଃକରଣ ସହିତ ଯିହୋବାଙ୍କୁ ଧନ୍ୟବାଦ [“ପ୍ରଶଂସା,” NWT] ଦେବି ।’—ଗୀତ. ୧୧୧:୧.
କʼଣ ଶିଖିବା ?
ପ୍ରଚାର ସମୂହର ବ୍ୟବସ୍ଥାରୁ କʼଣ କʼଣ ଲାଭ ହୁଏ ?
୧-୨. ପ୍ରଚାର ସମୂହର ବ୍ୟବସ୍ଥା ବିଷୟରେ କିଛି ଭାଇଭଉଣୀ କʼଣ କହନ୍ତି ?
କʼଣ ଆପଣଙ୍କୁ ସେହି ଦିନ ମନେ ଅଛି, ଯେବେ ଆପଣ ସୁସମାଚାରର ପ୍ରଚାରକ ହୋଇଥିଲେ ? ସତରେ, ତାହା କେତେ ଖୁସିର ଦିନ ଥିଲା ! ସେହି ଦିନ ଆପଣ ଭାଇଭଉଣୀମାନଙ୍କର ଗୋଟିଏ ବଡ଼ ସମୂହର ଭାଗ ହେଲେ ଏବଂ ସେମାନଙ୍କ ସହିତ ମିଶି ଈଶ୍ୱରଙ୍କ ନାମକୁ ପ୍ରଶଂସା କରିବାକୁ ଲାଗିଲେ । (ଗୀତ. ୧୪୮:୧, ୨, ୧୨, ୧୩) କିନ୍ତୁ ସେହି ଦିନ ଆପଣ ହୁଏତ ଭାଇଭଉଣୀମାନଙ୍କର ଗୋଟିଏ ଛୋଟ ସମୂହର, ଅର୍ଥାତ୍ ଗୋଟିଏ ପ୍ରଚାର ସମୂହର ବି ଭାଗ ହେଲେ । ପ୍ରଚାର ସମୂହ ଗୋଟିଏ ବିଶେଷ ଉଦ୍ଦେଶ୍ୟରେ ତିଆରି କରାଯାଇଥାଏ । ଯୀଶୁ ନିଜର ସମସ୍ତ ଶିଷ୍ୟମାନଙ୍କୁ “ସମୁଦାୟ ପୃଥିବୀରେ” ରାଜ୍ୟର ସୁସମାଚାର ଶୁଣାଇବା ପାଇଁ ଆଜ୍ଞା ଦେଇଥିଲେ । (ମାଥି. ୨୪:୧୪.) ପ୍ରଚାର ସମୂହର ବ୍ୟବସ୍ଥାରୁ ଆମେ ଯୀଶୁଙ୍କର ଏହି ଆଜ୍ଞାକୁ ଭଲଭାବରେ ମାନିପାରିଥାଉ ।
୨ ଏହି ବ୍ୟବସ୍ଥା ବିଷୟରେ ଆପଣ କʼଣ ଭାବନ୍ତି ? ଭଉଣୀ ୱେଣ୍ଡିa କହନ୍ତି, “ମୋତେ ନିଜର ପ୍ରଚାର ସମୂହରୁ ବହୁତ ଲାଭ ହୋଇଛି । ଏହା ଗୋଟିଏ ବିଶେଷ ବ୍ୟବସ୍ଥା ଅଟେ । ମୁଁ ନିଜର ସମୂହର ଭାଇଭଉଣୀମାନଙ୍କଠାରୁ ପ୍ରଚାରର ନୂଆ ଉପାୟ ଶିଖିଲି, ଶିଖାଇବାର ଦକ୍ଷତାକୁ ବଢ଼ାଇ ପାରିଲି, ଅଧିକ ସେବାର ଲକ୍ଷ୍ୟ ରଖିପାରିଲି ଏବଂ ତାହାକୁ ପୂରା ବି କରିପାରିଲି । ତାʼସହିତ ମୁଁ ଅନେକ ଭଲ ସାଙ୍ଗ ବି କରିପାରିଲି ।” ଭାଇ ରିଚ୍ କହନ୍ତି, “ମୋତେ ଲାଗେ ଯେ ସମୂହର ଅଧ୍ୟକ୍ଷ ହେବା ଗୋଟିଏ ବିଶେଷ ଦାୟିତ୍ୱ । ଜଣେ ପ୍ରଚାରକ ଜଣେ ବ୍ୟକ୍ତିକୁ ବାପ୍ତିସ୍ମ ନେବା ଯାଏ ସାହାଯ୍ୟ କରିଥାଏ । କିନ୍ତୁ ଜଣେ ସମୂହର ଅଧ୍ୟକ୍ଷ ଜଣେ ବ୍ୟକ୍ତିକୁ ବାପ୍ତିସ୍ମ ପରେ ବି ଯିହୋବାଙ୍କ ନିକଟତର ହୋଇ ରହିବା ପାଇଁ ଓ ଭଲଭାବେ ତାଙ୍କର ସେବା କରିବା ପାଇଁ ସାହାଯ୍ୟ କରିବା ଜାରି ରଖେ ।” ଭଉଣୀ ଡାଇନା କହନ୍ତି, “ମୋତେ ଏହି କଥାରୁ ବହୁତ ଖୁସି ଲାଗେ ଯେ ମୁଁ ପ୍ରଚାର ସମୂହର ଭାଗ ଅଟେ । ମୋ ସମୂହର ଭାଇଭଉଣୀମାନେ ମୋର ପରିବାର ଅଟନ୍ତି ।”
୩. ଏହି ଲେଖାରେ ଆମେ କʼଣ କʼଣ ଜାଣିବା ?
୩ ଏହି ଲେଖାରେ ଆମେ ପ୍ରଥମେ ଜାଣିବା ଯେ ସମୂହର ଅଧ୍ୟକ୍ଷ ଓ ତାଙ୍କର ସହାୟକଙ୍କର କʼଣ କʼଣ ଦାୟିତ୍ୱ ରହିଛି ଏବଂ ସେମାନେ କିପରି ସମୂହର ଭାଇଭଉଣୀମାନଙ୍କର ଯତ୍ନ ନିଅନ୍ତି । ଏହାପରେ ଆମେ ଜାଣିବା ଯେ ଆମେ ସମସ୍ତେ କିପରି ନିଜର ପ୍ରଚାର ସମୂହକୁ ସହଯୋଗ କରିପାରିବା । ଶେଷରେ ଆମେ ଜାଣିବା ଯେ ଏହି ବ୍ୟବସ୍ଥାରୁ ଆମକୁ କʼଣ ଲାଭ ହୁଏ ?
ସମୂହର ଅଧ୍ୟକ୍ଷ ଓ ତାଙ୍କର ସହାୟକ
୪. (କ) ଜଣେ ସମୂହର ଅଧ୍ୟକ୍ଷଙ୍କ କʼଣ ଦାୟିତ୍ୱ ରହିଛି ? (ଖ) ସେ ନିଜ ସମୂହର ଭାଇଭଉଣୀମାନଙ୍କ କିପରି ଧ୍ୟାନ ରଖନ୍ତି ? (“ସମୂହର ଅଧ୍ୟକ୍ଷମାନଙ୍କ ପାଇଁ କିଛି ପରାମର୍ଶ” ନାମକ ବକ୍ସ ଦେଖନ୍ତୁ ।)
୪ ପ୍ରାଚୀନମାନଙ୍କ ସମୂହ ଜଣେ ପ୍ରାଚୀନଙ୍କୁb ଗୋଟିଏ ପ୍ରଚାର ସମୂହର ଅଧ୍ୟକ୍ଷ ନିଯୁକ୍ତ କରନ୍ତି । ତାଙ୍କର ଦାୟିତ୍ୱ ହେଉଛି ଯେ ସେ ନିଜ ସମୂହର ସମସ୍ତ ଭାଇଭଉଣୀମାନଙ୍କୁ ଯିହୋବାଙ୍କ ନିକଟତର ହୋଇ ରହିବା ପାଇଁ, ଭଲ ପ୍ରଚାରକ ହେବା ପାଇଁ ଓ ଭଲ ଶିକ୍ଷକ ହେବା ପାଇଁ ସାହାଯ୍ୟ କରିବା । ଏହା ପାଇଁ ସମୂହର ଅଧ୍ୟକ୍ଷ କʼଣ କରନ୍ତି ? ପ୍ରଥମ, ସେ ନିଜ ସମୂହର ସମସ୍ତଙ୍କର ଚିନ୍ତା କରନ୍ତି ଓ ସେମାନଙ୍କ ପ୍ରତି ଆଗ୍ରହ ଦେଖାନ୍ତି । (ହିତୋ. ୨୭:୨୩) ଜଣେ ପ୍ରେମ କରୁଥିବା ମେଷପାଳକ ଭାବେ ସେ ନିଜ ସମୂହର ପ୍ରତ୍ୟେକ ଭାଇଭଉଣୀଙ୍କୁ ଭଲଭାବେ ଜାଣନ୍ତି ଓ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ସେମାନଙ୍କ ସହ କଥା ହୁଅନ୍ତି । ଏହିପରି ଭାବେ ସେ ଯିହୋବାଙ୍କ ସହ ଦୃଢ଼ ସମ୍ପର୍କ ରଖିବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତି ଏବଂ ଚିନ୍ତିତ ଥିବା ସମୟରେ ସେମାନଙ୍କର ଉତ୍ସାହ ବଢ଼ାନ୍ତି । ଆଉ ଯେବେ ସେମାନଙ୍କୁ କୌଣସି ଜିନିଷର ଆବଶ୍ୟକ ପଡ଼େ, ତେବେ ସେଗୁଡ଼ିକର ବ୍ୟବସ୍ଥା କରନ୍ତି । (ହିତୋ. ୧୨:୨୫; ଯିଶା. ୩୨:୨; ଯାକୁ. ୨:୧୫-୧୭) ଦ୍ୱିତୀୟ, ସେ ନିଜ ସମୂହର ସମସ୍ତଙ୍କୁ ପ୍ରଚାରରେ ଭଲଭାବେ ଭାଗ ନେବା ପାଇଁ ଉତ୍ସାହ ବଢ଼ାନ୍ତି । ସେ ନିଜେ ବି ସମୂହ ସହ ମିଶି ବିଶେଷ କରି ଶନିବାର ଓ ରବିବାର ଦିନ ଉତ୍ସାହର ସହ ପ୍ରଚାର କରନ୍ତି ଏବଂ ପ୍ରଚାରର ନେତୃତ୍ୱ ନିଅନ୍ତି । ତାʼସହ ସେ ସମୂହର ପ୍ରତ୍ୟେକ ଭାଇଭଉଣୀଙ୍କ ସହ ପ୍ରଚାର କରିବା ପାଇଁ ପୂରା ଚେଷ୍ଟା କରନ୍ତି । ଏପରି ଭାବେ ସେ ସେମାନଙ୍କର ଉତ୍ସାହ ବଢ଼ାନ୍ତି ଓ ସେମାନଙ୍କୁ ଟ୍ରେନିଙ୍ଗ ଦେଇପାରନ୍ତି । ଯଦି କେବେ ସେ ନିଜ ସମୂହ ସହ ପ୍ରଚାରକୁ ଯାଇପାରନ୍ତି ନାହିଁ, ତାହେଲେ ସେ ପୂର୍ବରୁ ବ୍ୟବସ୍ଥା କରନ୍ତି ଯେ ତାଙ୍କର ସହାୟକ କିମ୍ବା କୌଣସି ଯୋଗ୍ୟ ପ୍ରଚାରକ ସମୂହର ଧ୍ୟାନ ରଖିବେ । ତୃତୀୟ, ସେ ବାପ୍ତିସ୍ମପ୍ରାପ୍ତ ଭାଇମାନଙ୍କୁ ମଣ୍ଡଳୀର ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତୁତ କରନ୍ତି । (୧ ତୀମ. ୩:୧) ଏହା ପାଇଁ ସେ ସେମାନଙ୍କର ଭଲ ଗୁଣଗୁଡ଼ିକ ଓ ପରିଶ୍ରମ ପାଇଁ ହୃଦୟରୁ ପ୍ରଶଂସା କରନ୍ତି । ଯିହୋବାଙ୍କ ଭଲଭାବେ ସେବା କରିବା ପାଇଁ ସେମାନଙ୍କୁ ବାଇବଲରୁ ପରାମର୍ଶ ଦିଅନ୍ତି । ତାʼସହ ସେମାନଙ୍କୁ ସହାୟକ ସେବକ ହେବା ପାଇଁ ଓ ପ୍ରାଚୀନ ଭାବେ ସେବା କରିବା ପାଇଁ ଲଗାତାର ଟ୍ରେନିଙ୍ଗ ମଧ୍ୟ ଦିଅନ୍ତି । ସତରେ, ଜଣେ ସମୂହ ଅଧ୍ୟକ୍ଷଙ୍କର କେତେ ବଡ଼ ଦାୟିତ୍ୱ ରହିଛି ! ସେଥିପାଇଁ ପ୍ରାଚୀନମାନଙ୍କର ସମୂହ ଏପରି ପ୍ରାଚୀନଙ୍କୁ ଏହି ଦାୟିତ୍ୱ ଦିଅନ୍ତି, ଯିଏ ଏହାକୁ ଭଲଭାବେ ତୁଲାଇପାରିବେ ।
୫. କିଛି ସମୂହର ଅଧ୍ୟକ୍ଷମାନଙ୍କ ସାମନାରେ କେଉଁ ସମସ୍ୟାଗୁଡ଼ିକ ଆସେ ?
୫ ହୋଇପାରେ ଗୋଟିଏ ସମୂହର ଅଧ୍ୟକ୍ଷଙ୍କ ସାମନାରେ ଅନେକ ସମସ୍ୟା ଆସିପାରେ । ଜର୍ମାନୀର ଜଣେ ପ୍ରାଚୀନ ୟର୍ଗ ଗୋଟିଏ ସମୂହର ଅଧ୍ୟକ୍ଷ ଅଟନ୍ତି । ଅନ୍ୟ ପ୍ରାଚୀନମାନଙ୍କ ଭଳି ତାଙ୍କ ପାଖରେ ମଧ୍ୟ ମଣ୍ଡଳୀର ଅନେକ ଦାୟିତ୍ୱ ରହିଥାଏ । ସେ କହନ୍ତି, “ଗୋଟିଏ ସମୂହର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ଓ ମଣ୍ଡଳୀର ଅନ୍ୟ କାମଗୁଡ଼ିକ କରିବା ସହଜ ହୋଇ ନ ଥାଏ । ନିଜ ସମୂହର ପ୍ରତ୍ୟେକ ଭାଇଭଉଣୀମାନଙ୍କ ପାଇଁ ସମୟ ବାହାର କରିବା ମୋତେ ବେଳେବେଳେ କଠିନ ଲାଗେ ।” ଉଗାଣ୍ଡାର ୭୦ ବର୍ଷର ଜଣେ ପ୍ରାଚୀନ ଭାଇ ଏବଲ୍ କହନ୍ତି, “ଆମ ମଣ୍ଡଳୀରେ ବହୁତ କମ୍ ପ୍ରାଚୀନ ଓ ସହାୟକ ସେବକ ଅଛନ୍ତି । କିନ୍ତୁ ପ୍ରତ୍ୟେକ ପ୍ରଚାର ସମୂହରେ ଅନେକ ଭାଇଭଉଣୀ ଅଛନ୍ତି । ଏହି କାରଣ ଯୋଗୁଁ ମୁଁ ପ୍ରତ୍ୟେକ ଭାଇଭଉଣୀଙ୍କ ସହିତ ପ୍ରଚାର କରିବା ଏବଂ ତାଙ୍କ ସାହସ ବଢ଼ାଇବା ପାଇଁ ଯେତିକି କରିବାକୁ ଚାହେଁ, ସେତିକି କରିପାରେନି ।” ସୁରିନାମର ଜଣେ ପ୍ରାଚୀନ ଓବେଦ୍ କହନ୍ତି, “ମୋତେ ଭାଇଭଉଣୀମାନଙ୍କୁ ଟ୍ରେନିଙ୍ଗ ଦେବା ବହୁତ ପସନ୍ଦ । କିନ୍ତୁ ଏଥିରେ ବହୁତ ସମୟ ଲାଗେ, ପରିଶ୍ରମ ଲାଗେ ଏବଂ ତୁରନ୍ତ ଏହାର ପରିଣାମ ଦେଖିବାକୁ ମିଳେ ନାହିଁ । ମୁଁ ପ୍ରାୟ ଅନ୍ୟ ଜରୁରୀ କାମଗୁଡ଼ିକରେ ବ୍ୟସ୍ତ ରହିବା ଯୋଗୁଁ ଅନ୍ୟମାନଙ୍କୁ ଟ୍ରେନିଙ୍ଗ ଦେଇପାରେନି ।” ଯେଉଁ ପ୍ରାଚୀନମାନଙ୍କ ସାମନାରେ ଏହି ସମସ୍ୟା କିମ୍ବା ଏପରି ଅନ୍ୟ ସମସ୍ୟା ଆସେ, ସେମାନେ କʼଣ କରିପାରିବେ ?
୬. ପ୍ରଚାର ସମୂହ ଛୋଟ ଥିଲେ କʼଣ ଲାଭ ହୋଇଥାଏ ?
୬ ଯଦି ସମ୍ଭବ ପ୍ରଚାର ସମୂହକୁ ଛୋଟ ରଖିବା ଉଚିତ୍ । ତେବେ ସମୂହର ଅଧ୍ୟକ୍ଷ ନିଜ ସମୂହର ପ୍ରତ୍ୟେକ ଭାଇଭଉଣୀଙ୍କୁ ଭଲଭାବରେ ଜାଣିପାରିବେ ଏବଂ ଯିହୋବାଙ୍କ ସାଙ୍ଗରେ ଏକ ଦୃଢ଼ ସମ୍ପର୍କ ବଜାୟ ରଖିବା ପାଇଁ ତାଙ୍କର ସାହାଯ୍ୟ କରିପାରିବେ । କିନ୍ତୁ ଯେବେ ମଣ୍ଡଳୀରେ କମ୍ ପ୍ରାଚୀନ ଥାʼନ୍ତି, ତେବେ କʼଣ କରିବା ଉଚିତ୍ ? ଏପରି ପରିସ୍ଥିତିରେ ବି ପ୍ରଚାର ସମୂହ ବଡ଼ ହେବା ଉଚିତ୍ ନୁହେଁ, କାରଣ ସମୂହର ଅଧ୍ୟକ୍ଷ ନିଜ ସବୁ ଦାୟିତ୍ୱକୁ ଭଲଭାବେ ପୂରା କରିପାରିବେ ନାହିଁ । ପ୍ରଚାର ସମୂହର ଯତ୍ନ ନେବା ପାଇଁ ପ୍ରାଚୀନମାନଙ୍କର ସମୂହ ଜଣେ ସହାୟକ ସେବକଙ୍କୁ କିଛି ସମୟ ପାଇଁ ନିଯୁକ୍ତ କରିପାରିବେ । ପ୍ରଚାର ସମୂହ ଛୋଟ ହେବା ଯୋଗୁଁ ସମୂହର ଅଧ୍ୟକ୍ଷ ନିଜର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଭଲଭାବେ ତୁଲାଇପାରିବେ, ଅର୍ଥାତ୍ ଭାଇଭଉଣୀମାନଙ୍କର ଭଲଭାବେ ଯତ୍ନ ନେଇପାରିବେ ।
୭. ଯେଉଁ ମଣ୍ଡଳୀରେ କମ୍ ପ୍ରାଚୀନ ଅଛନ୍ତି, ସେଠାରେ ସମୂହର ଅଧ୍ୟକ୍ଷ ନିଜ ସମୂହରେ ସମସ୍ତ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ କʼଣ କରିପାରିବେ ? (୧ ପିତର ୫:୨) (ଚିତ୍ର ମଧ୍ୟ ଦେଖନ୍ତୁ ।)
୭ ଯଦି ଆପଣ ଜଣେ ସମୂହର ଅଧ୍ୟକ୍ଷ ଅଟନ୍ତି ଏବଂ ଆପଣଙ୍କ ମଣ୍ଡଳୀରେ କମ୍ ପ୍ରାଚୀନ ଅଛନ୍ତି, ତାହେଲେ ନିଜ ସମୂହର ସହାୟକଙ୍କୁ ଟ୍ରେନିଙ୍ଗ ଦେବା ପ୍ରତି ଧ୍ୟାନ ଦିଅନ୍ତୁ । ଏହିଭଳି ଭାବେ ସେ ଈଶ୍ୱରଙ୍କ ମେଷମାନଙ୍କ ଯତ୍ନ ନେବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବେ । (୧ ପିତର ୫:୨ ପଢ଼ନ୍ତୁ ।) ତାଙ୍କୁ ସମୂହର କିଛି ଦାୟିତ୍ୱ ଦିଅନ୍ତୁ । ଯେପରି ଆପଣ ତାଙ୍କୁ ମଝି ମଝିରେ ପ୍ରଚାରର ସଭା ଚଲାଇବା ପାଇଁ ଏବଂ ସେହି ଦିନ ସମୂହର ନେତୃତ୍ୱ ନେବା ପାଇଁ କହିପାରିବେ । ଏହା ବି ଜରୁରୀ ଯେ ଆପଣ ତାଙ୍କ ସହିତ ମିଶି ଏହି ବିଷୟରେ କଥା ହୁଅନ୍ତୁ ଯେ ଆପଣଙ୍କ ସମୂହର ପ୍ରଚାରକମାନେ କେଉଁ କ୍ଷେତ୍ରରେ ଭଲ କରୁଛନ୍ତି ଏବଂ ତାଙ୍କୁ କʼଣ ସାହାଯ୍ୟ ଦରକାର । ମଝି ମଝିରେ ନିଜ ସହାୟକଙ୍କୁ ପ୍ରତିପାଳକ ସାକ୍ଷାତ ପାଇଁ ନିଅନ୍ତୁ । ସାକ୍ଷାତ ପୂର୍ବରୁ ତାଙ୍କ ସହ କଥା ହୁଅନ୍ତୁ ଯେ ଆପଣ ଦୁହେଁ ପ୍ରଚାରକଙ୍କ କିପରି ଉତ୍ସାହ ବଢ଼ାଇବେ ଏବଂ ପ୍ରତିପାଳକ ସାକ୍ଷାତ ପରେ ସହାୟକଙ୍କୁ କହନ୍ତୁ ଯେ ସେ କʼଣ ଭଲ କଲେ ଏବଂ ଆଗକୁ ଆଉ କʼଣ ଭଲ କରିପାରିବେ । ଏହିଭଳି ଭାବରେ ଟ୍ରେନିଙ୍ଗ ଦେଲେ ସେ ଦିନେ ସମୂହର ଅଧ୍ୟକ୍ଷ ହୋଇପାରିବେ । (୨ ତୀମ. ୨:୨) ଏହା ବ୍ୟତୀତ ଆପଣ ନିଜ ସମୂହର ପ୍ରୌଢ଼ ଭାଇଭଉଣୀମାନଙ୍କୁ ମଧ୍ୟ ପ୍ରଚାରକମାନଙ୍କୁ ଟ୍ରେନିଙ୍ଗ ଦେବା ପାଇଁ କହିପାରିବେ । ଅଗ୍ରଦୂତ ଓ ଦକ୍ଷ ପ୍ରଚାରକମାନେ ସେହି ଭାଇଭଉଣୀମାନଙ୍କୁ ସାହାଯ୍ୟ କରିପାରିବେ, ଯେଉଁମାନେ ନୂଆ ନୂଆ ପ୍ରଚାରକ ହୋଇଛନ୍ତି କିମ୍ବା ଯେଉଁମାନଙ୍କୁ ଅଧିକ ଅନୁଭୂତି ନାହିଁ । ସେମାନେ ତାଙ୍କୁ ଭଲଭାବେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ, ପୁନଃସାକ୍ଷାତ କରିବା ପାଇଁ ଏବଂ ବାଇବଲ ଅଧ୍ୟୟନ କରିବା ପାଇଁ ଶିଖାଇପାରିବେ । ଏବେ ଆସନ୍ତୁ ଆମେ ତିନୋଟି ଉପାୟ ଉପରେ ଧ୍ୟାନ ଦେବା ଯେ ଆମେ କିପରି ନିଜ ପ୍ରଚାର ସମୂହକୁ ସହଯୋଗ କରିପାରିବା ।
ଜଣେ ପ୍ରାଚୀନ ନିଜ ସମୂହର ଜଣେ ସହାୟକ ସେବକଙ୍କୁ ଟ୍ରେନିଙ୍ଗ ଦେଇପାରିବେ । ଯେପରି ସେ ତାଙ୍କୁ ପ୍ରଚାର ସଭା ଚଲାଇବା ପାଇଁ ଶିଖାଇପାରିବେ (ପାରାଗ୍ରାଫ ୭)
ନିଜର ପ୍ରଚାର ସମୂହକୁ ସହଯୋଗ କରନ୍ତୁ
୮. ଆମେ କିପରି ନିଜ ସମୂହକୁ ସହଯୋଗ କରିପାରିବା ? (ରୋମୀୟ ୧:୧୨)
୮ ସମୂହ ସହିତ ମିଶି ପ୍ରଚାର କରନ୍ତୁ । ନିଜ ସମୂହର ଭାଇଭଉଣୀମାନଙ୍କ ସହିତ ମିଶି ପ୍ରଚାର କଲେ ଆମେ ପରସ୍ପରର “ଉତ୍ସାହ” ବଢ଼ାଇପାରୁ । (ରୋମୀୟ ୧:୧୨ ପଢ଼ନ୍ତୁ ।) ସାଙ୍ଗରେ ମିଶି ପ୍ରଚାର କଲେ ଆମକୁ ଲୋକମାନଙ୍କ ସହିତ କଥା ହେବା ପାଇଁ ଅଧିକ ଡର ଲାଗିବ ନାହିଁ ଏବଂ କିଛି ଅଞ୍ଚଳରେ ସାକ୍ଷ୍ୟ ଦେବା ସମୟରେ ଆମେ ସୁରକ୍ଷିତ ରହିବା । ଯଦି ଆପଣ ଚାକିରି କିମ୍ବା କାମ ଯୋଗୁଁ ପ୍ରାୟ ନିଜ ସମୂହ ସହିତ ପ୍ରଚାର କରିପାରନ୍ତି ନାହିଁ, ତାହେଲେ ନିଜ କାମର ସେଡ୍ୟୁଲରେ ପରିବର୍ତ୍ତନ କରିବା ପାଇଁ ନିଜ ମାଲିକଙ୍କ ସହିତ କଥା ହୋଇ ଦେଖନ୍ତୁ । ହୁଏତ ସେ ଆପଣଙ୍କ କଥାରେ ରାଜି ହୋଇଯିବେ । (ନିହି. ୨:୪-୬) ଯଦି ଖରାପ ସ୍ୱାସ୍ଥ୍ୟ କିମ୍ବା ବୃଦ୍ଧାବସ୍ଥା ଯୋଗୁଁ ଆପଣ ନିଜ ସମୂହ ସହିତ ପ୍ରଚାରରେ ଯାଇପାରୁ ନାହାନ୍ତି, ତାହେଲେ ଏବିଷୟରେ ନିଜ ସମୂହର ଅଧ୍ୟକ୍ଷଙ୍କ ସହିତ କଥା ହେବା ଭଲ ରହିବ । ହୁଏତ ସେ କିଛି ବ୍ୟବସ୍ଥା କରିବେ, ଯାହାଫଳରେ ଆପଣ ନିଜ ସମୂହ ସହିତ ଅନଲାଇନ୍ରେ ଯୋଗ ଦେଇପାରିବେ ଏବଂ ଚିଠି ଲେଖି କିମ୍ବା ଫୋନ୍ରେ ସାକ୍ଷ୍ୟ ଦେଇପାରିବେ । କʼଣ ଆପଣ ଯୁବା ଅଟନ୍ତି ଏବଂ ସୁସ୍ଥ ଅଛନ୍ତି, ତଥାପି ନିଜ ସମୂହ ସହିତ ପ୍ରଚାରରେ ଯାଇପାରୁ ନାହାନ୍ତି ? ଯଦି ହଁ, ତାହେଲେ କʼଣ ଆପଣ ପ୍ରତି ସପ୍ତାହ ନିଜ ସମୂହର କୌଣସି ଭାଇ କିମ୍ବା ଭଉଣୀଙ୍କ ସହିତ ପ୍ରଚାର କରିବା ପାଇଁ ଯୋଜନା କରିପାରିବେ ? ଏହା ପାଇଁ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣ କେଉଁ କଥାଗୁଡ଼ିକୁ ମହତ୍ତ୍ୱ ଦେଉଛନ୍ତି ଏବଂ ନିଜ ସମୟର କିପରି ବ୍ୟବହାର କରୁଛନ୍ତି । (ରୋମୀ. ୧୨:୧୧; କଲ. ୪:୫) ହୁଏତ ଆପଣଙ୍କୁ କିଛି ପରିବର୍ତ୍ତନ କରିବାକୁ ପଡ଼ିପାରେ, କିନ୍ତୁ ଭରସା ରଖନ୍ତୁ ଯେ ଏଥିରୁ ଆପଣଙ୍କୁ ଓ ଅନ୍ୟମାନଙ୍କୁ ବହୁତ ଲାଭ ହେବ । ଏବିଷୟରେ ପ୍ରାର୍ଥନା କରନ୍ତୁ । ଯିହୋବା ଆପଣଙ୍କ ଭିତରେ “ଇଚ୍ଛା” ଜନ୍ମାଇପାରିବେ ଏବଂ ତାହାକୁ “ସାଧନ” କରିବା ପାଇଁ ଶକ୍ତି ମଧ୍ୟ ଦେଇପାରିବେ ।—ଫିଲିପ୍. ୨:୧୩.
୯. ଆମେ ନିଜ ପ୍ରଚାର ସମୂହର ଭାଇଭଉଣୀମାନଙ୍କ ମଧ୍ୟରେ ପ୍ରେମ ବଢ଼ାଇବା ପାଇଁ କʼଣ କରିପାରିବା ? (ରୋମୀୟ ୧୨:୧୩)
୯ ଅତିଥି ସତ୍କାର କରନ୍ତୁ । ଯେବେ ଆପଣ ‘ଅତିଥି ସତ୍କାର’ କରିବାର ଅଭ୍ୟାସ କରିବେ, ତେବେ ଆପଣଙ୍କ ପ୍ରଚାର ସମୂହରେ ଭଲ ପରିବେଶ ରହିବ ଏବଂ ସମସ୍ତଙ୍କ ମଧ୍ୟରେ ପ୍ରେମ ବଢ଼ିବ । (ରୋମୀୟ ୧୨:୧୩ ପଢ଼ନ୍ତୁ ।) କʼଣ ଆପଣ ପ୍ରଚାର ସଭା ପାଇଁ ନିଜ ଘରେ ଜାଗା ଦେଇପାରିବେ ? କିଛି ମଣ୍ଡଳୀରେ ପ୍ରଚାର ସମୂହର ଭାଇଭଉଣୀ ପାଳି ପାଳି କରି ଅତିଥି ବକ୍ତାଙ୍କୁ ଖାଇବା ପାଇଁ ଡାକନ୍ତି । ଯେବେ ଗୋଟିଏ ସମୂହର ପାଳି ଆସେ, ତେବେ ସେହି ସମୂହର କିଛି ଭାଇଭଉଣୀ ମିଶିକି ଖାଆନ୍ତି ଏବଂ ସଙ୍ଗତିର ଆନନ୍ଦ ନିଅନ୍ତି । ଯେବେ ଅତିଥି ବକ୍ତା ଆସି ପାରନ୍ତି ନାହିଁ ତେବେ ବି ସେମାନେ ଏପରି କରନ୍ତି । ସାରା ନାମକ ଜଣେ ବିଶେଷ ଅଗ୍ରଦୂତ ଭଉଣୀ କହନ୍ତି, “ଯେବେ ମୁଁ ଅନ୍ୟମାନଙ୍କୁ ନିଜ ଘରେ ଖାଇବା ପାଇଁ ଡାକେ, ତେବେ ମୋତେ ଚିନ୍ତା ଲାଗି ରହେ ଯେ କିଛି ଅଭାବ ନ ହୋଇଯାଉ । ସେଥିପାଇଁ ମୁଁ ବହୁତ କମ୍ ଜିନିଷ କରିବା ପାଇଁ ଚେଷ୍ଟା କରେ । ଏପରି ଭାବେ ମୁଁ ଭାଇଭଉଣୀମାନଙ୍କ ସହିତ କଥା ହୋଇପାରେ ଏବଂ ସେମାନଙ୍କ ସହିତ ସମୟ ବିତାଇପାରେ ।” ଯେବେ ଆମେ ନିଜ ସମୂହର ଭାଇଭଉଣୀମାନଙ୍କୁ ପ୍ରେମ ଦେଖାଇବା ଏବଂ ସେମାନଙ୍କୁ ନିଜ ପରିବାର ବୋଲି ମନେ କରିବା, ତେବେ ଆମେ ଯିହୋବାଙ୍କର ଏବଂ ପରସ୍ପରର ମଧ୍ୟ ନିକଟତର ହୋଇପାରିବା ।—ନିହି. ୮:୧୦; ପ୍ରେରି. ୨୦:୩୫.
୧୦. ଜଣେ ଭଲ ପ୍ରଚାରକ ଏବଂ ଶିକ୍ଷକ ହେବା ପାଇଁ ଆମେ କʼଣ କରିପାରିବା ? (ହିତୋପଦେଶ ୧:୫; ୨୭:୧୭) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ବିନା ସଂକୋଚରେ ସାହାଯ୍ୟ ମାଗନ୍ତୁ । ଆମେ ଯେତେ ଅଧିକ ଲୋକଙ୍କୁ ସାକ୍ଷ୍ୟ ଦେବା ଏବଂ ସେମାନଙ୍କୁ ଶିଖାଇବା ସେତେ ଅଧିକ ଆମକୁ ନିଜ ସମୂହ ସହିତ ପ୍ରଚାର କରିବା ପାଇଁ ଭଲ ଲାଗିବ । ଜଣେ ଭଲ ପ୍ରଚାରକ ଓ ଶିକ୍ଷକ ହେବା ପାଇଁ ଆପଣ ନିଜ ଭିତରେ କʼଣ ସୁଧାର କରିବା ପାଇଁ ଚାହାନ୍ତି ? କʼଣ ଆପଣ ନିଜ ସମୂହର କୌଣସି ଭାଇ କିମ୍ବା ଭଉଣୀଙ୍କ ସହିତ କଥା ହେବେ ଓ ସେମାନଙ୍କଠାରୁ ଶିଖିବେ ? (ହିତୋପଦେଶ ୧:୫; ୨୭:୧୭ ପଢ଼ନ୍ତୁ ।) ଆପଣ ଚାହିଁଲେ ନିଜ ସମୂହର ଅଧ୍ୟକ୍ଷଙ୍କ ସହିତ ଏବିଷୟରେ କଥା ହୋଇପାରିବେ । ତାଙ୍କ ସାହାଯ୍ୟରୁ ଆପଣ ନିଜ ଲକ୍ଷ୍ୟ ହାସଲ କରିପାରିବେ, ଆପଣ ନିଜ ସମୂହର କୌଣସି ଅଗ୍ରଦୂତ କିମ୍ବା ଅନୁଭବୀ ପ୍ରଚାରକଙ୍କ ସହିତ ମଧ୍ୟ କଥା ହୋଇପାରିବେ । ଏପରି କରି ହେଥର୍ ନାମକ ଭଉଣୀଙ୍କୁ ବହୁତ ଲାଭ ହେଲା । ତାଙ୍କୁ ଲୋକଙ୍କ ସହିତ କଥା ହେବା ପାଇଁ ବହୁତ କଠିନ ଲାଗୁଥିଲା, ହେଲେ ବି ସେ ନିଜ ସମୂହର ଜଣେ ଭଉଣୀଙ୍କ ସାହାଯ୍ୟ ନେଲେ । ହେଥର୍ କହନ୍ତି, “ମୁଁ ଶିଖିବା ପାଇଁ ଚାହୁଁଥିଲି ଯେ ପୁନଃସାକ୍ଷାତ କିପରି କରିବା ଉଚିତ୍, ତେଣୁ ମୁଁ ଜଣେ ଅଗ୍ରଦୂତଙ୍କ ସହିତ ଏବିଷୟରେ କଥା ହେଲି । ସେ ଭଉଣୀ ଜଣକ ମୋତେ ବହୁତ ପ୍ରେମର ସହିତ ଶିଖାଇଲେ । ମୋ ପାଇଁ ସମୟ ବାହାର କଲେ ଏବଂ ସେ ମୋ ସହିତ ପ୍ରଚାରରେ ମଧ୍ୟ ଯାଉଥିଲେ । ତାଙ୍କ ସାହାଯ୍ୟରୁ ମୁଁ ନିଜର, ଜଣେ ପୁନଃସାକ୍ଷାତ ବ୍ୟକ୍ତିଙ୍କ ସହ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିଲି । ମୋତେ ଲାଗେ ଯେ ମୁଁ ତାଙ୍କ ସହିତ କଥା ହୋଇ ଭଲ କଲି । ଏବେ ମୋତେ ପ୍ରଚାର କରିବା ପାଇଁ ବହୁତ ମଜା ଲାଗେ ।” ଯେପରି ଆମେ ଦେଖିଲୁ ଯେ ଆମେ ସମସ୍ତେ ଅନେକ ଉପାୟରେ ନିଜ ପ୍ରଚାର ସମୂହକୁ ସହଯୋଗ କରିପାରିବା ।
ପ୍ରଚାର ସମୂହ ଛୋଟ ଥିବା ଯୋଗୁଁ ଭାଇଭଉଣୀମାନେ ପରସ୍ପରକୁ ଭଲଭାବେ ଜାଣିପାରନ୍ତି ଏବଂ ସାଙ୍ଗରେ ମିଶି ପ୍ରଚାର କରିବାର ମଜା ନେଇପାରନ୍ତି (ପାରାଗ୍ରାଫ ୧୦)
ପ୍ରଚାର ସମୂହର ବ୍ୟବସ୍ଥାରୁ କʼଣ ଲାଭ ହୁଏ ?
୧୧-୧୨. ପ୍ରଚାର ସମୂହର ବ୍ୟବସ୍ଥାରୁ ଆମେ କିପରି ଯିହୋବାଙ୍କର ନିକଟତର ହୋଇ ରହୁ ଏବଂ ଜଣେ ଭଲ ଖ୍ରୀଷ୍ଟିୟାନ ହୋଇପାରୁ ? ଗୋଟିଏ ଅନୁଭୂତି କହନ୍ତୁ ।
୧୧ ଆପଣ ଯିହୋବାଙ୍କର ନିକଟତର ହୋଇ ରହନ୍ତି । ପ୍ରଚାର ସମୂହର ଭାଗ ହେଲେ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ସଦାବେଳେ ଦୃଢ଼ ହୋଇ ରହିବ । ଯିହୋବା ପ୍ରଚାର ସମୂହଗୁଡ଼ିକ ଜରିଆରେ ସେହି ଭାଇଭଉଣୀମାନଙ୍କର ବିଶେଷ ଯତ୍ନ ନିଅନ୍ତି, ଯେଉଁମାନଙ୍କୁ ଏହାର ଅଧିକ ଆବଶ୍ୟକ ଅଛି । ଯେପରି ବିଧବା, ଅନାଥ ଓ ବୃଦ୍ଧ ଭାଇଭଉଣୀ । ସମୂହର ଅଧ୍ୟକ୍ଷ ମଝି ମଝିରେ ଏହି ଭାଇଭଉଣୀମାନଙ୍କ ପ୍ରତିପାଳକ ସାକ୍ଷାତ କରନ୍ତି ଏବଂ ସେମାନଙ୍କର ଉତ୍ସାହ ବଢ଼ାନ୍ତି । (୧ ଥେସ. ୨:୮; ଯାକୁ. ୧:୨୭) ନିଜ ସମୂହ ସହ ମିଶି ପ୍ରଚାର କଲେ ଆମକୁ ବିଭିନ୍ନ ଉପାୟରେ ସାକ୍ଷ୍ୟ ଦେବାର ଭଲ ଟ୍ରେନିଙ୍ଗ ମଧ୍ୟ ମିଳେ । ତାʼସହ ଭଲ ଉଦାହରଣ ରଖୁଥିବା ବାପ୍ତିସ୍ମପ୍ରାପ୍ତ ଭାଇ ମଣ୍ଡଳୀରେ ଆହୁରି ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତୁତ ହୋଇପାରନ୍ତି ।—୧ ତୀମ. ୩:୧୦.
୧୨ ଭଉଣୀ ୱେଣ୍ଡି ଯାହାଙ୍କ ବିଷୟରେ ଆମେ ପୂର୍ବରୁ କଥା ହୋଇଥିଲୁ, ତାଙ୍କୁ ନିଜ ପ୍ରଚାର ସମୂହରୁ କିପରି ଲାଭ ହେଲା ସେବିଷୟରେ ସେ କହନ୍ତି, “ବାପା ସତ୍ୟରେ ନ ଥିଲେ ଓ ଆମର ବିରୋଧ କରୁଥିଲେ, ତେଣୁ ମାଆ ଅନେକ ଥର ଶନିବାର ଓ ରବିବାର ଦିନ ନିଜ ପ୍ରଚାର ସମୂହ ସହ ପ୍ରଚାରକୁ ଯାଇପାରୁ ନ ଥିଲେ । କିନ୍ତୁ ବାପା ମୋତେ ଯିବା ପାଇଁ ରୋକୁ ନ ଥିଲେ । ଜଣେ ବୃଦ୍ଧ ଅଗ୍ରଦୂତ ଭଉଣୀ ମୋତେ ପ୍ରାୟ ନିଜ ସହ ପ୍ରଚାରକୁ ନେଇ ଯାଉଥିଲେ । ତାଙ୍କଠାରୁ ମୁଁ ଅନେକ କଥା ଶିଖିଲି । ମୁଁ ଶିଖିଲି ଯେ ଲୋକଙ୍କ ସହ କିପରି କଥା ହେବା ଉଚିତ୍ । ଆଉ ମଣ୍ଡଳୀର କାମଗୁଡ଼ିକରେ କିପରି ସହଯୋଗ କରିବା ଉଚିତ୍ । ମୋତେ ମନେ ଅଛି, ମୋର ସମୂହର ଅଧ୍ୟକ୍ଷ ମୋତେ ଅନେକ ଥର ବାଇବଲରୁ ବଢ଼ିଆ ପରାମର୍ଶ ଦେଲେ । ସେହି କଥାଗୁଡ଼ିକ ଆଜି ବି ମୋର କାମରେ ଆସୁଛି ।”
୧୩. ପ୍ରଚାର ସମୂହର ବ୍ୟବସ୍ଥାରୁ ଆମେ କିପରି ଭଲ ସାଙ୍ଗ କରିପାରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଆମେ ଭଲ ସାଙ୍ଗ କରିପାରୁ । ନିଜ ସମୂହର ଭାଇଭଉଣୀଙ୍କ ସହ “ଏକ ସଙ୍ଗରେ” ମିଶି ପ୍ରଚାର କଲେ ଆମେ ସେମାନଙ୍କୁ ଭଲଭାବେ ଜାଣିପାରୁ ଏବଂ ସେମାନଙ୍କ ସହ ଆମ ସମ୍ପର୍କ ଦୃଢ଼ ହୋଇଯାଏ । (ଫିଲିପ୍. ୧:୨୭) ପ୍ରଚାର ସମୂହ ଛୋଟ ଥିବା ଯୋଗୁଁ ସେହି ଭାଇଭଉଣୀମାନେ ବି ଭଲ ସାଙ୍ଗ କରିପାରନ୍ତି, ଯେଉଁମାନେ ଲାଜ କରନ୍ତି ଏବଂ ଅଧିକ ଲୋକଙ୍କ ସହ ମିଶି ପାରନ୍ତି ନାହିଁ । (୨ କରି. ୬:୧୩) ଆଉ ଆମ ସମୂହର ସାଙ୍ଗମାନେ ବିଶେଷ କରି ସମସ୍ୟା ସମୟରେ ଆମକୁ ବହୁତ ସାହାଯ୍ୟ କରନ୍ତି, ଯେପରି ଯେବେ ଆମ ସ୍ୱାସ୍ଥ୍ୟ ଠିକ୍ ରହେନି କିମ୍ବା ଆମେ କାହାରିକୁ ମୃତ୍ୟୁରେ ହରାଉ । (୧ ଥେସ. ୫:୧୪) ତାʼସହ ଆମେ ଏହା ବି ଜାଣିଛୁ ଯେ ମହାକ୍ଳେଶ ପାଖେଇ ଆସୁଛି, ତେଣୁ ଆମକୁ ଏପରି ହିଁ ସାଙ୍ଗମାନଙ୍କର ଅଧିକ ଆବଶ୍ୟକ ପଡ଼ିବ । (ମାଥି. ୨୪:୨୧) ଅବଶ୍ୟ ଆମ କଷ୍ଟ ତୁରନ୍ତ ଦୂର ହେବ ନାହିଁ, କିନ୍ତୁ ଆମେ ଜାଣିଛୁ ଯେ ଆମ ଭାଇଭଉଣୀମାନେ ଆମକୁ ପ୍ରେମ କରନ୍ତି ଏବଂ ସେମାନେ ଆମକୁ ସାହାଯ୍ୟ କରିବେ । ସେଥିପାଇଁ ଆମକୁ ନିଜ କଷ୍ଟଗୁଡ଼ିକୁ ସହିବା ଟିକେ ସହଜ ଲାଗେ ।—ହିତୋ. ୧୭:୧୭.
ଗୋଟିଏ ପ୍ରଚାର ସମୂହର ଦୁଇଜଣ ଭଉଣୀ ସାଙ୍ଗରେ ମିଶି ପ୍ରଚାର କରିବା ପାଇଁ ଯାଉଛନ୍ତି (ପାରାଗ୍ରାଫ ୧୩)
୧୪. ଆବଶ୍ୟକ ସମୟରେ ଆମକୁ ପ୍ରଚାର ସମୂହରୁ କିପରି ସାହାଯ୍ୟ ମିଳେ ?
୧୪ ଆମକୁ ଆବଶ୍ୟକ ସମୟରେ ସାହାଯ୍ୟ ମିଳେ । ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ଆର୍ଥିକ ସଙ୍କଟ, ବିରୋଧ କିମ୍ବା ହଠାତ୍ ସ୍ୱାସ୍ଥ୍ୟ ଖରାପ ହେଲେ ଆମ ପ୍ରଚାର ସମୂହ ଆମକୁ ବହୁତ ସାହାଯ୍ୟ କରେ । ଯେବେ ଏପରି କିଛି ହୁଏ, ତେବେ ସମୂହର ଅଧ୍ୟକ୍ଷ ତୁରନ୍ତ ଆମକୁ ସାହାଯ୍ୟ କରିବା ପାଇଁ ବ୍ୟବସ୍ଥା କରନ୍ତି । ଯେପରି, କୌଣସି ବିପତ୍ତି ଆସିଲେ ସେ ନିଜ ପ୍ରଚାର ସମୂହର ପ୍ରତ୍ୟେକ ପରିବାରର ଖବର ନିଅନ୍ତି ଏବଂ ଜାଣିବା ପାଇଁ ଚେଷ୍ଟା କରନ୍ତି ଯେ ସେମାନଙ୍କୁ କେଉଁ ଜିନିଷର ଆବଶ୍ୟକ ଅଛି । ଯେପରି ଔଷଧ, ଖାଦ୍ୟ, ପାଣି, ପୋଷାକ, ରହିବା ପାଇଁ ସ୍ଥାନ କିମ୍ବା ଆଉ କିଛି । ଆବଶ୍ୟକୀୟ ଜିନିଷ ପହଞ୍ଚାଇବା ବ୍ୟତୀତ ସମୂହର ଅଧ୍ୟକ୍ଷ ମଣ୍ଡଳୀର ସେବା ସମିତି ସହ ମିଶି ଏବିଷୟରେ କଥା ହୁଅନ୍ତି ଯେ ସେମାନଙ୍କ ସମୂହର କେଉଁ ଭାଇଭଉଣୀମାନଙ୍କୁ ଅଧିକ ସାହାଯ୍ୟ ଦରକାର । ଏହାପରେ ଯୋଜନା କରନ୍ତି ଯେ ସେମାନେ କିପରି ଭାବେ ସେମାନଙ୍କର ସାହାଯ୍ୟ କରିବେ । ସତରେ, ପ୍ରଚାର ସମୂହର ବ୍ୟବସ୍ଥାରୁ କେତେ ଲାଭ ହୁଏ ! ଏହି ବ୍ୟବସ୍ଥାରୁ କେବଳ ସାହାଯ୍ୟ ମିଳେନି, ବରଂ ପ୍ରେମ ବି ମିଳେ ଯାହାର ଆମକୁ ସବୁଠୁ ଅଧିକ ଆବଶ୍ୟକ ଅଛି ।
୧୫. ଯିହୋବାଙ୍କ ଉପାସକମାନେ ସାଙ୍ଗରେ ମିଶି କେଉଁ କାମ କରୁଛନ୍ତି ?
୧୫ ଆମେ ଦେଖିଲୁ ଯେ ଯିହୋବାଙ୍କ ସଂଗଠନ ବହୁତ ବଡ଼ । ଏହାର ଯେଉଁ ଭାଗ ସ୍ୱର୍ଗରେ ଅଛି ସେଥିରେ କୋଟି କୋଟି ସ୍ୱର୍ଗଦୂତ ଅଛନ୍ତି, ଯେଉଁମାନେ ଯିହୋବାଙ୍କ ସେବା କରୁଛନ୍ତି । ଆଉ ଏହି ସଂଗଠନର ଯେଉଁ ଭାଗ ପୃଥିବୀରେ ଅଛି ସେଥିରେ ୯୦ ଲକ୍ଷରୁ ଅଧିକ ଭାଇଭଉଣୀ ଅଛନ୍ତି ଏବଂ ଏହାର ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । (ଯିଖ. ୮:୨୩; ପ୍ରକା. ୫:୧୧) ଯିହୋବାଙ୍କ ଉପାସକମାନେ ଏକା ସହ ମିଶି ତାଙ୍କ ରାଜ୍ୟର ସୁସମାଚାର ଶୁଣାଉଛନ୍ତି । (ପ୍ରକା. ୧୪:୬, ୭) ଆଉ ଏହି କାମକୁ ଭଲଭାବେ ପୂରା କରିବା ପାଇଁ ପ୍ରଚାର ସମୂହର ବ୍ୟବସ୍ଥା କରାଯାଇଛି । ତାହେଲେ ଆସନ୍ତୁ ଆମେ ଏହି ବ୍ୟବସ୍ଥାକୁ ପୂରା ସହଯୋଗ କରିବା ଏବଂ ସାଙ୍ଗରେ ମିଶି ନିଜ ଈଶ୍ୱର ଯିହୋବାଙ୍କର ମହିମା କରିବା !—ଗୀତ. ୧୧୧:୧.
ଗୀତ ୬୧ ବଢ଼ିଚାଲ ସାକ୍ଷୀଗଣ
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
b ଯଦି ସମୂହର ନେତୃତ୍ୱ ନେବା ପାଇଁ ଜଣେ ବି ପ୍ରାଚୀନ ନ ଥାଆନ୍ତି, ତାହେଲେ ଜଣେ ଯୋଗ୍ୟ ସହାୟକ ସେବକଙ୍କୁ ସମୂହର ଧ୍ୟାନ ରଖିବା ପାଇଁ ଦାୟିତ୍ୱ ଦିଆଯାଇପାରେ । ସେହି ସହାୟକ ସେବକଙ୍କୁ ସମୂହର ସେବକ କୁହାଯିବ, କାରଣ ସେ ମଣ୍ଡଳୀରେ ଜଣେ ଅଧ୍ୟକ୍ଷ ଭାବେ ସେବା କରନ୍ତି ନାହିଁ । ସେ ପ୍ରାଚୀନମାନଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଦାୟିତ୍ୱ ତୁଲାନ୍ତି ।