ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ମେ ପୃଷ୍ଠା ୧୪-୧୯
  • ଅଧିକ ପଢ଼ିବା ବିଷୟରେ ଭଲ ନିଷ୍ପତ୍ତି ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧିକ ପଢ଼ିବା ବିଷୟରେ ଭଲ ନିଷ୍ପତ୍ତି ନିଅନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କʼଣ ଆପଣଙ୍କୁ ଅଧିକ ପଢ଼ିବା ଆବଶ୍ୟକ ?
  • ଆପଣ କାହିଁକି ଅଧିକ ପଢ଼ିବା ପାଇଁ ଚାହାନ୍ତି ?
  • ଅଧିକ ପଢ଼ିବାର ଲାଭ ଓ କ୍ଷତି ବିଷୟରେ ଭାବନ୍ତୁ
  • ଅଧିକ ପଢ଼ିବା ସମୟରେ ବି ଯିହୋବାଙ୍କ ନିକଟତର ହୋଇ ରହନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ମେ ପୃଷ୍ଠା ୧୪-୧୯

୨୦-୨୬ ଜୁଲାଇ, ୨୦୨୬

ଗୀତ ୨୮ ଯିହୋବାଙ୍କ ମିତ୍ର କିଏ ?

ଅଧିକ ପଢ଼ିବା ବିଷୟରେ ଭଲ ନିଷ୍ପତ୍ତି ନିଅନ୍ତୁ

“ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ ।”—ହିତୋ. ୧୪:୧୫.

କʼଣ ଶିଖିବା ?

ଆପଣ ଅଧିକ ପଢ଼ିବେ ନା ନାହିଁ, ଏହା ନିଷ୍ପତ୍ତି ନେବା ସମୟରେ ଆପଣଙ୍କୁ କେଉଁ କଥା ଓ ବାଇବଲର କେଉଁ ସିଦ୍ଧାନ୍ତକୁ ଧ୍ୟାନରେ ରଖିବା ଉଚିତ୍‌ ?

୧-୨. (କ) ଯୁବାମାନଙ୍କୁ କେଉଁ ନିଷ୍ପତ୍ତି ନେବାକୁ ପଡ଼ିଥାଏ ? (ଖ) “ଅଧିକ ପଢ଼ିବାର” ଅର୍ଥ କʼଣ ? (“ଏହାର ଅର୍ଥ କʼଣ ?” ଦେଖନ୍ତୁ ।)

“ତମେ ବଡ଼ ହୋଇ କʼଣ ହେବ ?” ପିଲାମାନଙ୍କୁ ପ୍ରାୟ ଏହି ପ୍ରଶ୍ନ ପଚରାଯାଏ । ଏହା ସତ ଯେ ପୂର୍ଣ୍ଣ ସମୟର ସେବା କରିବା ସବୁଠୁ ଭଲ କ୍ୟାରିଅର ଅଟେ, କିନ୍ତୁ ଏହି କ୍ୟାରିଅର ବାଛିଲେ ମଧ୍ୟ ସେମାନଙ୍କୁ ନିଜ ଆବଶ୍ୟକତା ପୂରା କରିବା ପାଇଁ କାମ କରିବାକୁ ପଡ଼ିଥାଏ । (୨ ଥେସ. ୩:୧୦) ପିଲା ଓ ଯୁବାମାନେ, ଆପଣ ନିଶ୍ଚୟ ଏବିଷୟରେ ଭାବିଥିବେ ଯେ ଆଗକୁ ଯାଇ ଆପଣ କେଉଁ କାମ କିମ୍ବା ଚାକିରି କରିବା ପାଇଁ ଚାହିଁବେ ।

୨ ଅନେକ ପିଲା ନିଜ ବାପାମାଆଙ୍କ ସହିତ ଏବିଷୟରେ କଥା ହୁଅନ୍ତି ଏବଂ ସ୍କୁଲ ପଢ଼ା ଶେଷ ହେବା ପରେ ଅଧିକ ପଢ଼ିବା ବିଷୟରେ ନିଷ୍ପତ୍ତି ନିଅନ୍ତି ।a କʼଣ ଆପଣ ଅଧିକ ପଢ଼ିବା ବିଷୟରେ ଭାବୁଛନ୍ତି ? ଯଦି ହଁ, ତାହେଲେ ଆପଣ କʼଣ ପଢ଼ିବା ପାଇଁ ଭାବୁଛନ୍ତି ? ଏହି ଲେଖାରେ ଆମେ ବାଇବଲର ଏପରି ସିଦ୍ଧାନ୍ତଗୁଡ଼ିକ ଉପରେ ଚର୍ଚ୍ଚା କରିବା, ଯାହା ସାହାଯ୍ୟରେ ଆପଣ ପାଠ ପଢ଼ା ବିଷୟରେ ଭଲଭାବେ ଭାବିପାରିବେ । ଆଉ ଏପରି ଭାବିଲେ ହିଁ ଆପଣ ଭଲ ନିଷ୍ପତ୍ତି ନେଇପାରିବେ । ଏହି ଲେଖା ବିଶେଷ କରି ଯୁବାମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । କିନ୍ତୁ ଏଥିରେ ଦିଆଯାଇଥିବା ପରାମର୍ଶ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଲାଭଦାୟକ ହୋଇପାରିବ, ଯେଉଁମାନେ ଅଧିକ ପଢ଼ିବା ବିଷୟରେ ଭାବୁଛନ୍ତି । ଏହି ଲେଖାରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ବାପାମାଆମାନେ ମଧ୍ୟ ନିଜ ପିଲାମାନଙ୍କୁ ସାହାଯ୍ୟ କରିପାରିବେ ।

କʼଣ ଆପଣଙ୍କୁ ଅଧିକ ପଢ଼ିବା ଆବଶ୍ୟକ ?

୩. କିଛି ଖ୍ରୀଷ୍ଟିୟାନ ହୁଏତ କେଉଁ କାରଣ ଯୋଗୁଁ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ?

୩ କିଛି ଜାଗାରେ ଜଣେ ବ୍ୟକ୍ତି କେବଳ ସ୍କୁଲ ପଢ଼ା କରି ମଧ୍ୟ ଭଲ ରୋଜଗାର କରିପାରେ । କିନ୍ତୁ ଅନ୍ୟ ଜାଗାଗୁଡ଼ିକରେ ହୁଏତ ଅଧିକ ପଢ଼ିଲେ ହିଁ ଜଣେ ବ୍ୟକ୍ତି ଅଧିକ ଦରମା ମିଳୁଥିବା ଚାକିରି କରିପାରିବ କିମ୍ବା କମ୍‌ ଘଣ୍ଟା କାମ କରି ନିଜ ଆବଶ୍ୟକତା ପୂରା କରିପାରିବ । ଏପରି ଭାବେ ଜଣେ ଖ୍ରୀଷ୍ଟିୟାନ ପ୍ରଚାର କାମରେ କିମ୍ବା ଈଶ୍ୱରଙ୍କ ସେବା ସହ ଜଡ଼ିତ ଅନ୍ୟ କାମଗୁଡ଼ିକରେ ଅଧିକ ସମୟ ବିତାଇପାରିବ । ଏହା ସତ ଯେ ଯଦି ଜଣେ ଖ୍ରୀଷ୍ଟିୟାନ ସ୍କୁଲ ପଢ଼ା ପରେ ଅଧିକ ପଢ଼ିବା ପାଇଁ ଚାହେଁ, ତାହେଲେ ଏହା ନିଶ୍ଚୟ ଯେ ତାକୁ କିଛି ତ୍ୟାଗ କରିବାକୁ ପଡ଼ିବ ଏବଂ କିଛି ସମସ୍ୟାର ବି ସାମନା କରିବାକୁ ପଡ଼ିପାରେ ।

୪. ଜଣେ ଖ୍ରୀଷ୍ଟିୟାନ ଅଧିକ ପଢ଼ିବ ନା ନାହିଁ, ଏହି ନିଷ୍ପତ୍ତି କାହାକୁ ନେବା ଉଚିତ୍‌ ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୪ ବାଇବଲରେ କୁହାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତି କʼଣ କରିବ ଏବଂ କʼଣ କରିବ ନାହିଁ, ସେହି ନିଷ୍ପତ୍ତି ତାକୁ ନିଜେ ନେବାକୁ ପଡ଼ିବ । ସେ ଯାହା ବି ନିଷ୍ପତ୍ତି ନେବ, ତାʼପାଇଁ ସେ ନିଜେ ହିଁ ଦାୟୀ ହେବ । (ଗାଲା. ୬:୫) ତେଣୁ ଜଣେ ଖ୍ରୀଷ୍ଟିୟାନକୁ ନିଜେ ନିଷ୍ପତ୍ତି ନେବା ଉଚିତ୍‌ ଯେ ସ୍କୁଲ ପଢ଼ା ଶେଷ ହେବା ପରେ ସେ ଅଧିକ ପଢ଼ିବ ନା ନାହିଁ ।b କିନ୍ତୁ ଛୋଟ ପିଲାମାନଙ୍କ ପାଠ ପଢ଼ାର ନିଷ୍ପତ୍ତି ନେବା ତାଙ୍କ ବାପାମାଆଙ୍କ ଦାୟିତ୍ୱ । (ଏଫି. ୬:୧) ସେମାନେ ତାଙ୍କ ପିଲାମାନଙ୍କୁ ଭଲ ନିଷ୍ପତ୍ତି ନେବା ପାଇଁ ଶିଖାଇପାରିବେ । ଏପରି ଭାବେ ତାଙ୍କ ପିଲା ବଡ଼ ହେବା ପରେ ଅଧିକ ପାଠ ପଢ଼ା ବିଷୟରେ ନିଜ ନିଷ୍ପତ୍ତି ନିଜେ ନେଇପାରିବ ।—ହିତୋ. ୨୨:୬.

୫. ଜଣେ ପିଲାକୁ କେବେ ଏବିଷୟରେ ଭାବିବା ଉଚିତ୍‌ ଯେ ସେ ଅଧିକ ପଢ଼ିବ ନା ନାହିଁ ଏବଂ କାହିଁକି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୫ ସାଧାରଣତଃ ସ୍କୁଲ ପଢ଼ା ଶେଷ ହେବା ପୂର୍ବରୁ ଜଣେ ପିଲାକୁ ଏହା ନିଷ୍ପତ୍ତି ନେବାକୁ ପଡ଼ିଥାଏ ଯେ ସେ ଆଗକୁ ଅଧିକ ପଢ଼ିବ ନା ନାହିଁ । ସ୍କୁଲ ପଢ଼ା ଶେଷ ହେବା ପରେ ଆପଣ କୌଣସି କୋର୍ସ କରିବେ ନା ନାହିଁ ଏବଂ ଯଦି କରିବେ ତାହେଲେ କେଉଁ କୋର୍ସ କରିବେ, ଏବିଷୟରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ନିଜ ବାପାମାଆଙ୍କ ସହିତ କଥା ହେବା ଭଲ ହେବ । ସ୍କୁଲ ପଢ଼ା ଶେଷ ହେବାର ଯଥେଷ୍ଟ ସମୟ ପୂର୍ବରୁ ଏହି ବିଷୟରେ କଥା ହେଲେ ଅନେକ ଲାଭ ହୁଏ । ଆପଣ ବାପାମାଆଙ୍କ ସାଙ୍ଗରେ ମିଶି ଏହା ଯାଞ୍ଚ କରିପାରିବେ ଯେ ଆପଣ କେଉଁ କେଉଁ କୋର୍ସ କରିପାରିବେ ଏବଂ ତାହା ମୁତାବକ ଆପଣ ସ୍କୁଲରେ ସବଜେକ୍ଟ ବାଛିପାରିବେ, ଯେଉଁଥିରୁ ଆପଣ ଆଗକୁ ଯାଇ ନିଜ ମନପସନ୍ଦର କୋର୍ସ କରିପାରିବେ କିମ୍ବା କୌଣସି କାମ କରିପାରିବେ । କିନ୍ତୁ କʼଣ ଏହା ଜରୁରୀ ଯେ ଅଧିକ ପଢ଼ିବା ଠିକ୍‌ ରହିବ ନା ନାହିଁ, ଏହି ନିଷ୍ପତ୍ତି ଆପଣଙ୍କୁ ସ୍କୁଲ ପଢ଼ା ଶେଷ ହେବା ପୂର୍ବରୁ ହିଁ ନେବାକୁ ପଡ଼ିବ ? ନୁହଁ, ଏହା ଜରୁରୀ ନୁହଁ । (ହିତୋ. ୨୧:୫) କିଛି ପିଲା ସ୍କୁଲର ପଢ଼ା ଶେଷ ହେବା ପରେ କୌଣସି କାମ ଖୋଜିଲେ ଓ ଅଗ୍ରଦୂତ ସେବା ଆରମ୍ଭ କଲେ ଏବଂ ଏହାପରେ ସେମାନେ ଅଧିକ ପଢ଼ିବା ବିଷୟରେ ଭାବିଲେ । କିମ୍ବା ଏହା ବି ହୋଇପାରେ ଯେ ସ୍କୁଲ ପଢ଼ା ଶେଷ ହେବାର ଅନେକ ବର୍ଷ ପରେ ଯାଇ ଜଣେ ବ୍ୟକ୍ତି ଅଧିକ ପଢ଼ିବା ବିଷୟରେ ଭାବିବ ।

ଜଣେ ଯୁବା ଭଉଣୀ ନିଜ ବାପାମାଆଙ୍କ ସହିତ ଏବିଷୟରେ କଥା ହେଉଛନ୍ତି ଯେ ସେ ସ୍କୁଲ ପରେ କେଉଁ କୋର୍ସ କରିପାରିବେ । ଏହା ପାଇଁ ସେ କିଛି ୟୁନିଭରସିଟି ଓ କଲେଜର ପୁସ୍ତିକା, JW ବ୍ରୋଡକାଷ୍ଟିଙ୍ଗ୍‌ର ଗୋଟିଏ କାର୍ଯ୍ୟକ୍ରମ ଏବଂ ବାଇବଲର କିଛି ପଦ ଦେଖୁଛନ୍ତି ।

ଖ୍ରୀଷ୍ଟିୟାନ ବାପାମାଆ ନିଜ ଝିଅକୁ ଅଧିକ ପଢ଼ିବା ବିଷୟରେ ଭଲ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରୁଛନ୍ତି (ପାରାଗ୍ରାଫ ୫)


୬. ଅଧିକ ପଢ଼ିବା ବିଷୟରେ ଭଲ ନିଷ୍ପତ୍ତି ନେବା ପାଇଁ ଜଣେ ବ୍ୟକ୍ତି କʼଣ କରିପାରିବ ?

୬ ଅଧିକ ପଢ଼ିବା ବିଷୟରେ ଗୋଟିଏ ଭଲ ନିଷ୍ପତ୍ତି ନେବା ପାଇଁ ଆପଣ କʼଣ କରିପାରିବେ ? ଏବିଷୟରେ ପ୍ରାର୍ଥନା କରନ୍ତୁ । (ଯାକୁ. ୧:୫) ତାʼଛଡ଼ା ଏହି ଦୁଇଟି କଥା ବିଷୟରେ ବି ଭାବନ୍ତୁ । ପ୍ରଥମ କଥା, ଭାବନ୍ତୁ ଯେ ଆପଣ କାହିଁକି ଅଧିକ ପଢ଼ିବା ପାଇଁ ଚାହାନ୍ତି । (ଗୀତ. ୨୬:୨) ଦ୍ୱିତୀୟ କଥା, ଆପଣ ଯାହା ପଢ଼ିବା ପାଇଁ ଚାହାନ୍ତି ତାହାର ଲାଭ ଓ କ୍ଷତି ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । (ହିତୋ. ୧୪:୧୫) ଆସନ୍ତୁ ଗୋଟିଏ ଗୋଟିଏ କରି ଏହି ଦୁଇଟି କଥା ଉପରେ ଧ୍ୟାନ ଦେବା ।

ଆପଣ କାହିଁକି ଅଧିକ ପଢ଼ିବା ପାଇଁ ଚାହାନ୍ତି ?

୭. ଯଦି ଜଣେ ଖ୍ରୀଷ୍ଟିୟାନ ଅଧିକ ପଢ଼ିବା ପାଇଁ ଚାହେଁ, ତାହେଲେ ତାକୁ କେଉଁ ବିଷୟରେ ଭାବିବା ଉଚିତ୍‌ ?

୭ ଯଦି ଆପଣ ଅଧିକ ପଢ଼ିବା ପାଇଁ ଚାହାନ୍ତି, ତାହେଲେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏବିଷୟରେ ନିଶ୍ଚୟ ଭାବନ୍ତୁ, ‘ମୁଁ କାହିଁକି ଅଧିକ ପଢ଼ିବା ପାଇଁ ଚାହେଁ ?’ ଅନେକ ଲୋକ ଏଥିପାଇଁ ଅଧିକ ପଢ଼ନ୍ତି, କାରଣ ସେମାନେ ଚାହାନ୍ତି ଯେ ଏଥିରୁ ତାଙ୍କୁ ନିଜ ମନପସନ୍ଦର ଚାକିରି ମିଳିଯାଉ କିମ୍ବା ସେମାନେ ଅଧିକ ପଇସା ରୋଜଗାର କରିପାରନ୍ତୁ । ଆଉ ଏହା ଭୁଲ ବି ନୁହଁ । (୧ ତୀମ. ୫:୮) କିନ୍ତୁ ବାଇବଲ ଆମକୁ ସତର୍କ କରାଏ ଯେ ଆମେ ପଇସା ରୋଜଗାର କରିବାକୁ ସବୁଠୁ ବେଶୀ ମହତ୍ତ୍ୱ ନ ଦେଉ କିମ୍ବା ଏହା ନ ଭାବୁ ଯେ ପଇସା ହିଁ ଆମକୁ ସୁରକ୍ଷା ଦେବ । (ହିତୋ. ୨୩:୪, ୫; ୧ ତୀମ. ୬:୮-୧୦; ୧ ଯୋହ. ୨:୧୭) ଯଦି ଆପଣ ଧନୀ ହେବା ପାଇଁ କିମ୍ବା ସମାଜରେ ଆଦର ସମ୍ମାନ ପାଇବା ପାଇଁ ଅଧିକ ପଢ଼ିବେ, ତାହେଲେ ଆପଣଙ୍କୁ ପ୍ରକୃତ ଖୁସି ମିଳିବ ନାହିଁ ଏବଂ ଆପଣ ଯିହୋବାଙ୍କଠାରୁ ବି ଦୂରେଇ ଯାଇପାରନ୍ତି ।

୮-୯. (କ) ଜଣେ ଖ୍ରୀଷ୍ଟିୟାନକୁ ପାଠ ପଢ଼ାକୁ ନିଜ ଜୀବନରେ କେତେ ମହତ୍ତ୍ୱ ଦେବା ଉଚିତ୍‌ ? (ମାଥିଉ ୬:୩୩) (ଖ) ଯୋସେଫିନା, ମୌରିନ୍‌ ଓ ଆଇରିସ୍‌ ଯାହା କହିଲେ, ସେଥିରୁ ଆପଣ କʼଣ ଶିଖିଲେ ?

୮ ଆମ ପାଇଁ ପଢ଼ିବା ଲେଖିବା କେତେ ମହତ୍ତ୍ୱ ହେବା ଉଚିତ୍‌ ? ଆମ ପାଇଁ କୌଣସି ବି ଜିନିଷ ଯିହୋବାଙ୍କ ସେବାଠାରୁ ଅଧିକ ଜରୁରୀ ହେବା ଉଚିତ୍‌ ନୁହଁ । (ମାଥି. ୨୨:୩୭, ୩୮; ଫିଲିପ୍‌. ୩:୮) ଯଦି ଆପଣ ଅଧିକ ପଢ଼ିବା ବିଷୟରେ ଭାବୁଛନ୍ତି, ତାହେଲେ ଏହା କେବଳ ଆପଣଙ୍କ ଆବଶ୍ୟକତା ପୂରା କରିବା ପାଇଁ ହେବା ଉଚିତ୍‌, ଯାହାଫଳରେ ଆପଣ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିପାରିବେ ।—ମାଥିଉ ୬:୩୩ ପଢ଼ନ୍ତୁ ।

୯ ଧ୍ୟାନ ଦିଅନ୍ତୁ ଯେ କିଛି ଖ୍ରୀଷ୍ଟିୟାନ ଅଧିକ ପଢ଼ିବା ବିଷୟରେ କିପରି ସଠିକ୍‌ ଦୃଷ୍ଟିକୋଣ ରଖିପାରିଲେ । ଚିଲିରେ ରହୁଥିବା ଯୋସେଫିନା କହନ୍ତି, “ମୁଁ ଏଥିପାଇଁ ଅଧିକ ପଢ଼ିଲି କାରଣ ମୁଁ ଚାହୁଁଥିଲି ଯେ ମୋତେ ଏପରି ଚାକିରି ମିଳିପାରୁ, ଯେଉଁଥିରୁ ମୁଁ ଯିହୋବାଙ୍କର ସେବା ଭଲଭାବରେ କରିପାରିବି । ମୋ ଜୀବନରେ ଯିହୋବାଙ୍କ ସେବା କରିବା ଅନ୍ୟ ଜିନିଷଗୁଡ଼ିକଠାରୁ ଅଧିକ ମହତ୍ତ୍ୱ ରଖେ ।” ମୌରିନ୍‌ ନାମକ ଭଉଣୀ କହନ୍ତି ଯେ ସେ ହେୟର୍‌ ଷ୍ଟାୟଲିଷ୍ଟ ହେବା ପାଇଁ ଗୋଟିଏ ବର୍ଷର କୋର୍ସ କଲେ । କାହିଁକି ? ସେ କହନ୍ତି, “ମୁଁ ଏପରି ଜାଗାରେ ଯାଇ ସେବା କରିବା ପାଇଁ ଚାହୁଁଥିଲି, ଯେଉଁଠି ପ୍ରଚାରକମାନଙ୍କର ଅଧିକ ଆବଶ୍ୟକ ଅଛି । ସେଥିପାଇଁ ମୁଁ ଏହି କୋର୍ସ ବାଛିଲି, ଯାହାଦ୍ୱାରା ମୁଁ ନିଜର ଏହି ଲକ୍ଷ୍ୟକୁ ପୂରା କରିପାରିବି । କୋର୍ସ ପୂରା କରିବା ପରେ ମୁଁ ଜଣେ ହେୟର୍‌ ଷ୍ଟାୟଲିଷ୍ଟର କାମ କଲି ଏବଂ ଅଧିକ ଆବଶ୍ୟକ ଥିବା ଜାଗାରେ ଯାଇ ସେବା କରିବା ପାଇଁ ପଇସା ଜମା କଲି । ଯେହେତୁ ମୁଁ ଏହି କୋର୍ସ କରିଥିଲି, ତେଣୁ ମୋତେ ସେଠାରେ ସହଜରେ କାମ ମିଳିଗଲା ।” ଆଇରିସ୍‌ ଦନ୍ତ ଚିକିତ୍ସା ସହ ଜଡ଼ିତ କୋର୍ସ କଲେ ଯାହା ଟିକେ ଲମ୍ବା ସମୟର ଥିଲା । ସେ କହନ୍ତି, “ଅଧିକ ପଢ଼ିଲେ କିଛି ଲାଭ ନିଶ୍ଚୟ ହୁଏ, କିନ୍ତୁ ଏଥିରୁ ଆପଣଙ୍କୁ ପ୍ରକୃତ ସଫଳତା ଓ ଖୁସି କେବେ ବି ମିଳିପାରିବ ନାହିଁ । ଖୁସି ରହିବାର ସବୁଠୁ ବଡ଼ କାରଣ ହେଉଛି: ଯଦି ଆପଣ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବେ, ତାହେଲେ ଏହା ଗ୍ୟାରେଣ୍ଟି ଯେ ଆପଣଙ୍କୁ ପ୍ରକୃତ ଖୁସି ଓ ସଫଳତା ନିଶ୍ଚୟ ମିଳିବ ।” ଯଦି ଆମେ ଯିହୋବାଙ୍କ ସହିତ ନିଜ ମିତ୍ରତାକୁ ସବୁଠୁ ଅଧିକ ମହତ୍ତ୍ୱ ଦେବା, ତାହେଲେ ଆମେ ଭଲ ନିଷ୍ପତ୍ତି ନେଇପାରିବା ଏବଂ ସବୁବେଳେ ଖୁସି ରହିପାରିବା ।

ଅଧିକ ପଢ଼ିବାର ଲାଭ ଓ କ୍ଷତି ବିଷୟରେ ଭାବନ୍ତୁ

୧୦. ଅଧିକ ପଢ଼ିବେ ନା ନାହିଁ ଏହା ନିଷ୍ପତ୍ତି ନେବା ସମୟରେ ଆପଣ ଦ୍ୱିତୀୟ ବିବରଣ ୩୨:୨୯ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବେ ?

୧୦ ହୁଏତ ଆପଣ କୌଣସି ପ୍ରକାରର କୋର୍ସ କିମ୍ବା ଟ୍ରେନିଙ୍ଗ କରିବା ବିଷୟରେ ଭାବିଥିବେ, କିନ୍ତୁ ଆପଣ ସେହି ପ୍ରକାରର କୌଣସି ଅନ୍ୟ କୋର୍ସ ବିଷୟରେ ବି ଭାବିପାରିବେ କିମ୍ବା ଆପଣ ଅଲଗା କିଛି କରିବା ପାଇଁ ବି ଭାବିପାରିବେ । (ହିତୋପଦେଶ ୧୮:୧୭ ପଦ ସହ ତୁଳନା କରନ୍ତୁ ।) ଆଜିକାଲି ଅନେକ କୋର୍ସ ଉପଲବ୍ଧ । ଆଉ କିଛି କୋର୍ସ ଅନଲାଇନ୍‌ରେ ମଧ୍ୟ କରାଯାଇପାରେ । ତାʼସହ ଏହା ବି ହୋଇପାରେ ଯେ ଆପଣ ଅଧିକ ନ ପଢ଼ି ମଧ୍ୟ ନିଜର ଆବଶ୍ୟକତା ପୂରା କରିପାରିବେ । ଯେପରି, ଫିନଲାଣ୍ଡରେ ରହୁଥିବା ଭଉଣୀ ଜଏନା ସ୍କୁଲ ପରେ ଅଧିକ ପଢ଼ିଲେ ନାହିଁ । ସେ କହନ୍ତି, “ମୁଁ ପାର୍ଟ ଟାଇମ୍‌ କାମ କରେ ଓ ଅଗ୍ରଦୂତ ସେବା ମଧ୍ୟ କରେ । ମୁଁ ଅନେକ ଅଲଗା ଅଲଗା କାମ କଲି । ଆଉ ଦେଖିଲି ଯେ ଯିହୋବା ସବୁବେଳେ ନିଜ ପ୍ରତିଜ୍ଞା ପୂରା କରନ୍ତି ଏବଂ ମୋର ଆବଶ୍ୟକତା ପୂରା କରନ୍ତି ।” ଆପଣ ଅଧିକ ପଢ଼ିବେ ନା ନାହିଁ ଏବଂ ଯଦି ପଢ଼ିବେ, ତାହେଲେ କʼଣ ପଢ଼ିବେ ସେହି ବିଷୟରେ ଆପଣ ଯାହା ବି ନିଷ୍ପତ୍ତି ନିଅନ୍ତୁ ନା କାହିଁକି, ସେଥିରୁ ଆପଣଙ୍କୁ କିଛି ଲାଭ ହେବ ଓ କିଛି କ୍ଷତି ମଧ୍ୟ ହେବ । ତେଣୁ ଏବିଷୟରେ ନିଶ୍ଚୟ ଭାବନ୍ତୁ: ‘କʼଣ ଏଥିରୁ ମୋତେ ବେଶୀ ଲାଭ ହେବ ନା ବେଶୀ କ୍ଷତି ହେବ ?’ (ଦ୍ୱିତୀୟ ବିବରଣ ୩୨:୨୯ ପଢ଼ନ୍ତୁ; ୧ କରି. ୧୦:୨୩) ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ କିଛି ମୁଖ୍ୟ କଥାଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଆସନ୍ତୁ ଗୋଟିଏ ଗୋଟିଏ କରି ସେଗୁଡ଼ିକ ଉପରେ ଚର୍ଚ୍ଚା କରିବା ।

୧୧. କୌଣସି କୋର୍ସ କରିବା ପାଇଁ ପ୍ରତି ସପ୍ତାହ କେତେ ସମୟ ଦେବାକୁ ପଡ଼ିବ, ସେବିଷୟରେ ଭାବିବା କାହିଁକି ଜରୁରୀ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୧ ମୋତେ ପ୍ରତି ସପ୍ତାହ କେତେ ସମୟ ଦେବାକୁ ପଡ଼ିବ ? ଭାବନ୍ତୁ ଯେ ଆପଣଙ୍କୁ କ୍ଲାସ ପାଇଁ, ଯିବା ଆସିବା କରିବା ପାଇଁ ଓ ହୋମୱର୍କ କରିବା ପାଇଁ କେତେ ସମୟ ଦେବାକୁ ପଡ଼ିବ । ଏସବୁ କଲାପରେ କʼଣ ଆପଣଙ୍କ ପାଖରେ ଘରର ଦାୟିତ୍ୱ ପୂରା କରିବା ପାଇଁ, ସଭା, ପ୍ରଚାର ଓ ଅଧ୍ୟୟନ ପାଇଁ ସମୟ ମିଳିବ । (ଫିଲିପ୍‌. ୧:୧୦) ପଢ଼ିବା ଯୋଗୁଁ କʼଣ ଆପଣ ଏତେ ଥକିଯିବେ ଯେ ସଭାର ପ୍ରସ୍ତୁତି କରିବା ପାଇଁ ଓ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଆପଣଙ୍କ ପାଖରେ ଶକ୍ତି ହିଁ ରହିବ ନାହିଁ ? ଭାରତରେ ରହୁଥିବା ଜେରୋଜଙ୍କ ସହ ଏପରି ହିଁ ହେଲା । ସେ କହନ୍ତି, “ମୋ ପାଇଁ ପ୍ରତି ସପ୍ତାହ ପ୍ରଚାରକୁ ଯିବା ଓ ସଭାରେ ଧ୍ୟାନ ଦେଇ ଶୁଣିବା କଷ୍ଟକର ହୋଇଯାଇଥିଲା । ବେଳେବେଳେ ମୁଁ ସଭାରେ ମଧ୍ୟ ଯାଇପାରୁ ନ ଥିଲି । ସେହି ଦିନଗୁଡ଼ିକୁ ମନେ ପକାଇ ଏବେ ମୋତେ ଲାଗେ ଯେ ସେହି କୋର୍ସ କରିବାର କିଛି ଲାଭ ହେଲା ନାହିଁ, ଓଲଟା ମୋର ବହୁତ ସମୟ ନଷ୍ଟ ହୋଇଗଲା ।” କିନ୍ତୁ କିଛି କୋର୍ସ ଏପରି ହୋଇଥାଏ ଯେଉଁଥିରେ ବେଶୀ ସମୟ ଦେବାକୁ ପଡ଼େ ନାହିଁ । ଯେପରି, କିଛି କୋର୍ସ ପାର୍ଟ-ଟାଇମ୍‌ ହୋଇଥାଏ ଏବଂ ଆଉ କିଛି କୋର୍ସରେ ବେଶୀ ହୋମୱର୍କ କରିବାକୁ ପଡ଼େ ନାହିଁ । ମୋଜାମ୍ବିକରେ ରହୁଥିବା ରେବେକା ମଧ୍ୟ ଏପରି ହିଁ କୋର୍ସ କଲେ ଓ ସେଥିରୁ ସେ ବହୁତ ଖୁସି ଅଛନ୍ତି । ସେ କହନ୍ତି, “ମୁଁ କୋର୍ସ ପାଇଁ ଦିନକୁ କେବଳ ଦୁଇ ଘଣ୍ଟା ଦେଉଥିଲି, ତେଣୁ ମୁଁ ଏହି କୋର୍ସ କରିବା ସହିତ ଅଗ୍ରଦୂତ ସେବା ମଧ୍ୟ କରିପାରିଲି ।”

ଚିତ୍ରଗୁଡ଼ିକ: ଜଣେ ଭାଇ ଭାବୁଛନ୍ତି ଯେ ସେ ଯେଉଁ କୋର୍ସ କରିବା ପାଇଁ ଚାହାନ୍ତି, କʼଣ ସେହି କୋର୍ସ କରିବା ସହିତ ନିଜର ଅନ୍ୟ ଦାୟିତ୍ୱଗୁଡ଼ିକୁ ପୂରା କରିପାରିବେ । ୧. ସେ ସଭାରେ ଅନ୍ୟମାନଙ୍କୁ ଉତ୍ତର ଦେବା ପାଇଁ ମାଇକ୍‌ ଦେଉଛନ୍ତି । ୨. ସେ ଘର ଘର ପ୍ରଚାର କରୁଛନ୍ତି । ୩. ସେ କଫି ସପରେ କଫି ତିଆରି କରୁଛନ୍ତି । ୪. ସେ ଅନ୍ୟ ପିଲାମାନଙ୍କ ସହିତ ପଢ଼ୁଛନ୍ତି ।

ଯଦି ଆପଣ ଅଧିକ ପଢ଼ିବା ପାଇଁ ଭାବୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ ଯେ ଆପଣ ନିଜ ମୁଖ୍ୟ ଦାୟିତ୍ୱଗୁଡ଼ିକୁ ପୂରା କରିବା ପାଇଁ କିପରି ସମୟ ବାହାର କରିବେ (ପାରାଗ୍ରାଫ ୧୧)


୧୨. ଆପଣଙ୍କୁ ନିଜ ସମୟର ସଠିକ୍‌ ବ୍ୟବହାର କରିବା ପାଇଁ କେଉଁ ପ୍ରଶ୍ନଗୁଡ଼ିକ ବିଷୟରେ ଭାବିବା ଉଚିତ୍‌ ? (ଉପଦେଶକ ୧୨:୧)

୧୨ କୋର୍ସ କେତେ ଲମ୍ବା ? ଭାବନ୍ତୁ, ଆପଣ ଯାହା ପଢ଼ିବା ପାଇଁ ଭାବୁଛନ୍ତି ତାହାକୁ ପୂରା କରିବା ପାଇଁ କେତେ ମାସ କିମ୍ବା ବର୍ଷ ଲାଗିବ ? କʼଣ ଏହା କରି ଆପଣ ନିଜ ସମୟର ସଠିକ୍‌ ବ୍ୟବହାର କରୁଥିବେ ? (ଏଫି. ୫:୧୫-୧୭) ଯଦି ଆପଣ ଯୁବା ଅଟନ୍ତି, ତାହେଲେ କʼଣ ଏହି କୋର୍ସ କରି ଆପଣ ନିଜ ଯୁବା ସମୟରେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିପାରିବେ ଆଉ ଯଦି ସମ୍ଭବ ପୂର୍ଣ୍ଣ ସମୟର ସେବା କରିପାରିବେ ? (ଉପଦେଶକ ୧୨:୧ ପଢ଼ନ୍ତୁ ।) କʼଣ ଆପଣ ସେହି କ୍ଷେତ୍ରରେ କୌଣସି ଛୋଟ କୋର୍ସ କରିପାରିବେ ? ଯେପରି, କିଛି ଇନ୍‌ଷ୍ଟିଚ୍ୟୁଟ ଓ କାମ ଜାଗାଗୁଡ଼ିକରେ, ୟୁନିଭରସିଟି ତୁଳନାରେ ଆପଣ କମ୍‌ ଖର୍ଚ୍ଚ ଓ କମ୍‌ ସମୟରେ ଏପରି ଦକ୍ଷତା ଶିଖିପାରିବେ, ଯେଉଁଥିରୁ ଆଗକୁ ଯାଇ ଆପଣଙ୍କୁ କାମ ମିଳିପାରିବ । ଚିଲିରେ ରହୁଥିବା ମାରିୟୋ କହନ୍ତି, “ମୁଁ ଦୁଇ ବର୍ଷର ଗୋଟିଏ ଟେକନିକାଲ୍‌ କୋର୍ସ କଲି, ଯେଉଁଥିରେ ୟୁନିଭରସିଟି ତୁଳନାରେ କମ୍‌ ଖର୍ଚ୍ଚ ହେଲା । ମୋ କ୍ଲାସ ସପ୍ତାହକୁ କେବଳ ଚାରି ଦିନ ହେଉଥିଲା, ତେଣୁ ମୁଁ କୋର୍ସ କରିବା ସହିତ ଅଗ୍ରଦୂତ ସେବା ମଧ୍ୟ କରିପାରିଲି ।”

୧୩. ଯଦି ଅଧିକ ପଢ଼ିବା ପାଇଁ ଆପଣଙ୍କୁ ନିଜ ଘର ଛାଡ଼ି ଅନ୍ୟ ଜାଗାକୁ ଯିବାକୁ ପଡ଼େ, ତାହେଲେ କʼଣ ହୋଇପାରେ ?

୧୩ ମୋତେ କେଉଁଠି ଯିବାକୁ ପଡ଼ିବ ? ହୁଏତ ଆପଣଙ୍କୁ ନିଜ ଘର ପାଖରେ ହିଁ କୌଣସି ଭଲ କୋର୍ସ ମିଳିପାରେ । କିନ୍ତୁ ଯଦି ଆପଣଙ୍କୁ ପଢ଼ିବା ପାଇଁ କୌଣସି ଅନ୍ୟ ସହରକୁ ଯିବାକୁ ପଡ଼େ, ତାହେଲେ ଆପଣ କʼଣ କରିବେ ? କିମ୍ବା ହୁଏତ କୌଣସି କୋର୍ସ କରିବା ପାଇଁ ଆପଣଙ୍କୁ ହଷ୍ଟେଲରେ ରହିବାକୁ ପଡ଼ିପାରେ । ଧ୍ୟାନ ରଖନ୍ତୁ, ଯଦି ଆପଣ ପଢ଼ିବା ପାଇଁ ନିଜ ଘର ଛାଡ଼ି କୌଣସି ସମ୍ପର୍କୀୟମାନଙ୍କ ସହ କିମ୍ବା ଅନ୍ୟ ପିଲାମାନଙ୍କ ସହ ରହୁଛନ୍ତି, ଯେଉଁମାନେ ଯିହୋବାଙ୍କୁ ମାନନ୍ତି ନାହିଁ ତାହେଲେ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ବିପଦରେ ପଡ଼ିପାରେ । (ହିତୋ. ୨୨:୩; ୧ କରି. ୧୫:୩୩) ମୋଜାମ୍ବିକରେ ରହୁଥିବା ମାର୍ଟିୟସ୍‌ ଗୋଟିଏ ବର୍ଷର କୋର୍ସ କଲେ ଯେଉଁଥିରେ ବେଶୀ ଖର୍ଚ୍ଚ ହେଲା ନାହିଁ । କିନ୍ତୁ ଏବେ ତାଙ୍କୁ ଲାଗେ ଯେ ତାଙ୍କର ଏହି ନିଷ୍ପତ୍ତି ଠିକ୍‌ ନ ଥିଲା । ତାହା କାହିଁକି ? ସେ କହନ୍ତି, “ମୋତେ କୋର୍ସ ପାଇଁ ହଷ୍ଟେଲରେ ରହିବାକୁ ପଡ଼ିଲା । ସେହି ଖରାପ ପରିବେଶରେ ମୋତେ ପ୍ରତିଦିନ ଖରାପ କାମ କରିବା ପାଇଁ ପ୍ରଲୋଭନ ଆସୁଥିଲା । ମୁଁ ସମସ୍ତଙ୍କୁ ଏହି ପରାମର୍ଶ ଦେବି ଯେ ଆପଣ କୌଣସି ଏପରି କୋର୍ସ କରନ୍ତୁ, ଯେଉଁଥିରେ ଆପଣଙ୍କୁ ନିଜ ପରିବାରଠାରୁ ଦୂରକୁ ଯିବାକୁ ନ ପଡ଼େ ।” ରୁଷରେ ରହୁଥିବା ଜଣେ ଭଉଣୀ କହନ୍ତି, “ମୁଁ ହଷ୍ଟେଲରେ ଅନ୍ୟ ପିଲାମାନଙ୍କ ସହ ରହିଲି ନାହିଁ, ବରଂ ଘରେ ନିଜ ବାପାମାଆଙ୍କ ସହିତ ରହିଲି । ତେଣୁ ମୁଁ ଅନେକ ଖରାପ କାମ ଓ ବିପଦରୁ ରକ୍ଷା ପାଇପାରିଲି ।” ଯଦି ଆପଣ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନିଅନ୍ତି, ତାହେଲେ ହୋଇପାରେ ଆପଣଙ୍କୁ ଅନଲାଇନ୍‌ରେ ମଧ୍ୟ କିଛି ଭଲ କୋର୍ସ ମିଳିପାରେ ।

୧୪. ଲୂକ ୧୪:୨୮ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ ମାନି ଆପଣ କିପରି ଭଲ ନିଷ୍ପତ୍ତି ନେଇପାରିବେ ?

୧୪ କେତେ ଖର୍ଚ୍ଚ ହେବ ? କିଛି କୋର୍ସରେ ଅଧିକ ଖର୍ଚ୍ଚ ହୁଏ ନାହିଁ କିମ୍ବା ହୁଏତ ସେହି ଖର୍ଚ୍ଚ ସରକାର ଉଠାଇଥାଏ । ଏପରି ସମୟରେ ହୁଏତ ଆପଣ ବେଶୀ ଖର୍ଚ୍ଚ ନ କରି ବି ଅଧିକ ପଢ଼ିପାରିବେ ଏବଂ ଏପରି ଦକ୍ଷତା ଶିଖିପାରିବେ, ଯେଉଁଥିରୁ ଆଗକୁ ଯାଇ ଆପଣଙ୍କୁ କାମ ମିଳିପାରିବ । କିନ୍ତୁ ଅନ୍ୟପକ୍ଷରେ ହୁଏତ ଅଧିକ ପଢ଼ିବା ପାଇଁ ବେଶୀ ଖର୍ଚ୍ଚ ହୋଇପାରେ । ଏହା ଛଡ଼ା କୌଣସି କଲେଜ କିମ୍ବା ୟୁନିଭରସିଟିରେ ଆଡମିସନ୍‌ ପାଇଁ ହୁଏତ ଆପଣଙ୍କୁ କୋଚିଙ୍ଗ୍‌ କରିବାକୁ ପଡ଼ିପାରେ ଏବଂ ସେଥିରେ ବି ଅଧିକ ଖର୍ଚ୍ଚ ହୋଇପାରେ । କିଛି ଲୋକ ପଢ଼ିବା ପାଇଁ ଋଣ ନିଅନ୍ତି ଏବଂ ତାହାକୁ ସୁଝିବା ପାଇଁ ତାଙ୍କୁ ଅନେକ ବର୍ଷ ଲାଗିଯାଏ । ମୋଜାମ୍ବିକରେ ରହୁଥିବା ଏଡିଲସନ୍‌ ଏପରି କୋର୍ସ କଲେ ଯେଉଁଥିରେ ଅଧିକ ଖର୍ଚ୍ଚ ହେଲା ଏବଂ ଏହା ପାଇଁ ସେ ବହୁତ ଦୁଃଖି । ସେ କହନ୍ତି, “ମୋର ଚାରି ବର୍ଷର କୋର୍ସର ଖର୍ଚ୍ଚ ପୂରା କରିବା ପାଇଁ ମୋ ପରିବାର କେତେ ତ୍ୟାଗ କଲା, ତାହା ମୁଁ କହିପାରିବି ନାହିଁ ! ଅନେକ ଥର ଖାଇବା ପିଇବା ଭଳି ଜରୁରୀ ଜିନିଷଗୁଡ଼ିକୁ କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ପଇସା ରହୁ ନ ଥିଲା ।” ସେଥିପାଇଁ କୌଣସି କୋର୍ସ କିମ୍ବା ଟ୍ରେନିଙ୍ଗ କରିବା ପୂର୍ବରୁ ଭାବନ୍ତୁ: ‘ଏଥିରେ କେତେ ଖର୍ଚ୍ଚ ହେବ ? କʼଣ ମୁଁ କିମ୍ବା ମୋ ପରିବାର ଏହି ଖର୍ଚ୍ଚ ପୂରା କରିପାରିବ ? କʼଣ ମୁଁ ଅନ୍ୟ କୌଣସି କୋର୍ସ କରିପାରିବି ଯେଉଁଥିରେ ଅଧିକ ଖର୍ଚ୍ଚ ହେବ ନାହିଁ ?’ (ଲୂକ ୧୪:୨୮ ପଢ଼ନ୍ତୁ ।) ‘ଯଦି ମୋତେ ଋଣ ନେବାକୁ ପଡ଼େ, ତାହେଲେ ଏହାକୁ ସୁଝିବା ପାଇଁ କେତେ ସମୟ ଲାଗିବ ? ଏହାପରେ ଯେବେ ମୋତେ ଚାକିରି ମିଳିବ, ତେବେ କʼଣ ମୁଁ ସେଥିରୁ ନିଜ ଖର୍ଚ୍ଚ ପୂରା କରିବା ସହିତ ଋଣ ସୁଝିପାରିବି ?’—ହିତୋ. ୨୨:୭.

୧୫. କୌଣସି କୋର୍ସ ବାଛିବା ପୂର୍ବରୁ ଏହା ଧ୍ୟାନ ଦେବା କାହିଁକି ଜରୁରୀ ଯେ ସେଥିରୁ କେଉଁଭଳି କାମ ମିଳିପାରିବ ?

୧୫ କʼଣ ଏଥିରୁ ମୋତେ ଚାକିରି ମିଳିବ ? ଭାବନ୍ତୁ ଯେ ଆପଣ ଯେଉଁଠି ରହନ୍ତି କିମ୍ବା ଯେଉଁଠି ରହିବା ପାଇଁ ଭାବୁଛନ୍ତି, ସେଠାରେ କେଉଁଭଳି ଚାକିରି ମିଳିପାରିବ । ଆପଣ ଯେଉଁ କୋର୍ସ କରିବା ପାଇଁ ଭାବୁଛନ୍ତି, କʼଣ ସେଥିରେ ଆପଣଙ୍କୁ ଚାକିରି ମିଳିପାରିବ ? କିଛି କୋର୍ସ ଏପରି ହୋଇଥାଏ ଯେଉଁଥିରେ ଅଧିକ ଥ୍ୟୋରି ରହେ, କିନ୍ତୁ ପ୍ରାକ୍ଟିକାଲ୍‌ ବହୁତ କମ୍‌ ଥାଏ । ଯେପରି ସେମାନେ ବହୁତ ପଢ଼ାଇଥାʼନ୍ତି, ବଡ଼ ବଡ଼ ଜ୍ଞାନି, ବୈଜ୍ଞାନିକ ଓ ଦାର୍ଶନିକମାନଙ୍କ ଶିକ୍ଷା ଶିଖାଇଥାʼନ୍ତି, କିନ୍ତୁ ଚାକିରି କରିବା ପାଇଁ ଯେଉଁ ଦକ୍ଷତା କାମରେ ଆସିବ ତାହା ହିଁ ଶିଖାନ୍ତି ନାହିଁ । (କଲ. ୨:୮) ଭାରତର ଜଣେ ଭଉଣୀ କହନ୍ତି, “ମୁଁ ଯେଉଁ କୋର୍ସ କଲି ସେଥିରେ ଏପରି କିଛି ବି ଶିଖାଗଲା ନାହିଁ, ଯାହା ଚାକିରି ଦେଉଥିବା କମ୍ପାନୀକୁ ଆବଶ୍ୟକ ଥାଏ । ସେଥିପାଇଁ ପଢ଼ା ଶେଷ ହେବା ପରେ ବି ମୋତେ ସେହି କ୍ଷେତ୍ରରେ କୌଣସି କାମ ମିଳୁ ନ ଥିଲା ।” ଆଉ କିଛି କୋର୍ସ ଏପରି ବି ଥାଏ ଯେଉଁଥିରେ କାମ ତ ଶିଖାଯାଏ, କିନ୍ତୁ ଏହାପରେ ଚାକିରି ମିଳିବାର ସମ୍ଭାବନା ବହୁତ କମ୍‌ ରହିଥାଏ । ମଧ୍ୟ ଆଫ୍ରିକା ଗଣରାଜ୍ୟରେ ରହୁଥିବା ସୁବଲାଇମ୍‌ ଏ.ସି ରିପ୍ୟାୟର କରିବାର କୋର୍ସ କଲେ । ସେ କହନ୍ତି, “ମୁଁ ଯେଉଁଠି ରହେ ସେଠାରେ ଅଧିକାଂଶ ଲୋକ ନିଜ ଜିନିଷ ନିଜେ ହିଁ ଠିକ୍‌ କରିନିଅନ୍ତି, ତେଣୁ କାମ ମିଳିବା ବହୁତ କଷ୍ଟକର ହୋଇଯାଇଛି ।”

୧୬. ଏହା ଭାବିବା କାହିଁକି ଭଲ ହେବ ଯେ କୌଣସି କୋର୍ସ କରିବା ପରେ ଆପଣଙ୍କୁ କେଉଁଭଳି କାମ ମିଳିବ ?

୧୬ ଏହା ବି ଭାବନ୍ତୁ ଯେ ପଢ଼ା ଶେଷ ହେବା ପରେ ଆପଣଙ୍କୁ କେଉଁଭଳି କାମ ମିଳିପାରିବ । କʼଣ ତାହା ଆପଣଙ୍କୁ ଭଲ ଲାଗିବ ? (ଉପ. ୩:୧୨, ୧୩) କାମ ଜାଗାର ପରିବେଶ କିପରି ଥିବ ? କʼଣ ତାହା ଅସୁରକ୍ଷିତ ଜାଗା ଥିବ ? କʼଣ ସେଠାରେ ଲୋକମାନେ ସବୁବେଳେ ଅନ୍ୟଠାରୁ ଆଗକୁ ବଢ଼ିବା ପାଇଁ ପ୍ରତିଯୋଗିତା କରୁଥିବେ ? କʼଣ ସେଠାରେ କାମର ଅତ୍ୟଧିକ ଚାପ ଥିବ ? ସେହି କାମରୁ ଆପଣଙ୍କୁ କେତେ ପଇସା ମିଳିବ ? କʼଣ ଆପଣ ନିଜର ଭରଣପୋଷଣ କରିପାରିବେ ? କʼଣ ଚାକିରି କରିବା ପାଇଁ ଆପଣଙ୍କୁ କାମ କରିବା ସହିତ ଅଧିକ ପଢ଼ିବାକୁ ପଡ଼ିବ ? ସବୁଠୁ ଜରୁରୀ କଥା, ଏବିଷୟରେ ଭାବନ୍ତୁ ଯେ କʼଣ ସେହି କାମ କଲେ ଆପଣ ଈଶ୍ୱରଙ୍କ ରାଜ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଇପାରିବେ ? (ଉପ. ୧୨:୧୩) ଏହା ସତ ଯେ କିଛି ଜାଗାରେ ଚାକିରି ସହଜରେ ମିଳେନି, ସେଥିପାଇଁ ହୁଏତ ଆମକୁ ନିଜ ମନପସନ୍ଦର କାମ ମିଳି ନ ପାରେ । ତଥାପି ଆପଣ ବୁଝିବିଚାରି ଏପରି କୋର୍ସ ବାଛିପାରିବେ, ଯେଉଁଥିରୁ ଆଗକୁ ଯାଇ ଆପଣଙ୍କୁ କାମ ମିଳିପାରିବ । ଭାରତରେ ରହୁଥିବା ଟେବିଥା ଛଅ ମାସର ସିଲେଇ କୋର୍ସ କଲେ । ସେ କହନ୍ତି, “ମୁଁ ଭାବିଲି ଯେ ଯଦି ମୁଁ ଏହି ଦକ୍ଷତା ଶିଖିବି, ତାହେଲେ ଅଗ୍ରଦୂତ ସେବା କରିପାରିବି । ମୁଁ ଦେଖିଲି ଯେ ଏହି କୋର୍ସ କଲେ କାମ କରିବାର କୌଣସି ଅଭାବ ହେବ ନାହିଁ । ମୁଁ ନିଜ ସମୟ ଅନୁସାରେ ଏହା କରିପାରିବି ଏବଂ ଏହି କାମ ଆରମ୍ଭ କରିବା ପାଇଁ ଅଧିକ ପଇସା ଲଗାଇବାକୁ ବି ପଡ଼ିବ ନାହିଁ ।” ଏହି କୋର୍ସ କରିବା ଯୋଗୁଁ ଟେବିଥାଙ୍କୁ ଏପରି କାମ ମିଳିଲା, ଯେଉଁଥିରୁ ସେ କାମ କରିବା ସହିତ ଅଗ୍ରଦୂତ ସେବା ବି କରିପାରିଲେ ।

୧୭. (କ) ଆପଣଙ୍କ ପାଇଁ କେଉଁ କୋର୍ସ କରିବା ଠିକ୍‌ ହେବ, ସେବିଷୟରେ ଆପଣଙ୍କୁ ଅଧିକ ତଥ୍ୟ କେଉଁଠୁ ମିଳିପାରିବ ? (ଖ) ସେବିଷୟରେ ଗୋଟିଏ ଭଲ ନିଷ୍ପତ୍ତି ନେବା ପାଇଁ କେଉଁ ସିଦ୍ଧାନ୍ତଗୁଡ଼ିକ ଆପଣଙ୍କୁ ସାହାଯ୍ୟ କରିବ ? (“ସଠିକ୍‌ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରୁଥିବା କିଛି ସିଦ୍ଧାନ୍ତ” ନାମକ ବକ୍ସ ଦେଖନ୍ତୁ ।)

୧୭ ଏହି ଲେଖାରେ ଆମେ ଅଧିକ ପଢ଼ିବା ବିଷୟରେ ଅନେକ ମୁଖ୍ୟ କଥା ଉପରେ ଧ୍ୟାନ ଦେଲୁ । ତାହେଲେ ଗୋଟିଏ ଭଲ ନିଷ୍ପତ୍ତି ନେବା ପାଇଁ ଆପଣଙ୍କୁ ଯାହା ଦକ୍ଷତା ଦରକାର, ତାହା ଆପଣଙ୍କୁ କିପରି ମିଳିପାରିବ ? ଆପଣ ଯେଉଁ ଇନ୍‌ଷ୍ଟିଚ୍ୟୁଟ କିମ୍ବା କଲେଜରେ କୋର୍ସ କରିବା ପାଇଁ ଭାବୁଛନ୍ତି, ସେଠାକୁ ଯାʼନ୍ତୁ କିମ୍ବା ତାହାର ୱେବସାଇଟ୍‌ରେ ଦେଖନ୍ତୁ ଓ ଯାଞ୍ଚ କରନ୍ତୁ ଯେ ସେଠାରେ କେଉଁ କେଉଁ କୋର୍ସ ଉପଲବ୍ଧ । ଏହା ବି ଯାଞ୍ଚ କରନ୍ତୁ ଯେ ସେହି କ୍ଷେତ୍ରରେ କେତେ ଚାକିରି ମିଳେ । ଯେଉଁ ଲୋକମାନେ ଏହି କୋର୍ସ କରିଛନ୍ତି କିମ୍ବା ସେହି ପ୍ରକାରର ଅନ୍ୟ ଟ୍ରେନିଙ୍ଗ ନେଇଛନ୍ତି, ସେମାନଙ୍କ ସହ ମଧ୍ୟ କଥା ହୁଅନ୍ତୁ । (ହିତୋ. ୧୩:୧୦) ସେମାନଙ୍କୁ ପଚାରନ୍ତୁ, “ଏହା ପଢ଼ିଲେ କିମ୍ବା ଏହି ଚାକିରି କଲେ କʼଣ ଲାଭ ଓ କ୍ଷତି ହେବ ?” ଆପଣ ସେହି ଭାଇଭଉଣୀମାନଙ୍କଠାରୁ ମଧ୍ୟ ପରାମର୍ଶ ନେଇପାରିବେ, ଯେଉଁମାନେ ଖୁସିର ସହ ଯିହୋବାଙ୍କ ସେବା କରୁଛନ୍ତି । (ହିତୋ. ୧୫:୨୨) ସେମାନଙ୍କୁ ପଚାରନ୍ତୁ ଯେ କʼଣ ପଢ଼ିବା କିମ୍ବା କେଉଁ ଚାକିରି କରିବା ଭଲ ହେବ । ହୁଏତ ସେମାନେ ଆପଣଙ୍କୁ କୌଣସି ଏପରି ଚାକିରି ବିଷୟରେ କହିପାରିବେ, ଯାହା ଆପଣ ଏବେ ଯାଏ ଭାବି ନ ଥିବେ ।

ସଠିକ୍‌ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରୁଥିବା କିଛି ସିଦ୍ଧାନ୍ତ

  • ମୁଁ କାହିଁକି ଅଧିକ ପଢ଼ିବାକୁ ଚାହେଁ ? (ମାଥି. ୬:୩୩; ୧ ତୀମ. ୬:୮-୧୦)

  • କ୍ଲାସ ପାଇଁ ଓ ହୋମୱର୍କ କରିବା ପାଇଁ ପ୍ରତି ସପ୍ତାହ ମୋତେ କେତେ ସମୟ ଦେବାକୁ ପଡ଼ିବ ? (ଫିଲିପ୍‌. ୧:୧୦)

  • କୋର୍ସ ପୂରା ହେବା ପାଇଁ କେତେ ବର୍ଷ ଲାଗିବ ? (ଏଫି. ୫:୧୫-୧୭)

  • ମୁଁ କେଉଁଠି ରହିବି ? (୧ କରି. ୧୫:୩୩)

  • ପଢ଼ିବା ପାଇଁ କେତେ ଖର୍ଚ୍ଚ ହେବ ? (ଲୂକ ୧୪:୨୮)

  • କʼଣ ଏହା ପଢ଼ି ମୋତେ ଏପରି କାମ ମିଳିପାରିବ, ଯେଉଁଥିରୁ ମୁଁ ନିଜର ଭରଣପୋଷଣ କରିପାରିବି ଏବଂ ଯିହୋବାଙ୍କ ସେବା ସହ ଜଡ଼ିତ ଲକ୍ଷ୍ୟ ପୂରା କରିପାରିବି ? (ଉପ. ୧୨:୧୩)

୧୮. ଆମେ କେଉଁ କଥା ମନେ ରଖିବା ଉଚିତ୍‌ ?

୧୮ ଯେପରି ଆମେ ଏହି ଲେଖାରେ ଶିଖିଲୁ, ଅଧିକ ପଢ଼ିବାର ଲାଭ ବି ଅଛି ଓ କ୍ଷତି ବି । ତେଣୁ ଏବିଷୟରେ ପ୍ରାର୍ଥନା କରନ୍ତୁ ଏବଂ ଦେଖନ୍ତୁ ଯେ ଆପଣ କʼଣ କʼଣ କରିପାରିବେ । ଅଧିକ ପଢ଼ିବା ଯୋଗୁଁ ହୁଏତ ଆପଣଙ୍କୁ ଗୋଟିଏ ଏପରି ଚାକିରି ମିଳିଯିବ, ଯେଉଁଥିରୁ ଆପଣଙ୍କର ଭରଣପୋଷଣ ହୋଇପାରିବ । କିନ୍ତୁ ମନେ ରଖନ୍ତୁ, ଆପଣଙ୍କୁ ପ୍ରକୃତ ଖୁସି ତେବେ ହିଁ ମିଳିପାରିବ, ଯେବେ ଆପଣ ଯିହୋବାଙ୍କର ଭଲ ମିତ୍ର ହେବେ । (ଗୀତ. ୧୬:୯, ୧୧) କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ କେହି ଅଧିକ ପଢ଼ନ୍ତୁ ବା ନ ପଢ଼ନ୍ତୁ, ଯିହୋବା ସବୁବେଳେ ନିଜ ସେବକମାନଙ୍କର ଯତ୍ନ ନିଅନ୍ତି । (ଏବ୍ରୀ ୧୩:୫) ଯଦି ଆପଣ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତାହେଲେ ପଢ଼ିବା ସହିତ ଯିହୋବାଙ୍କ ନିକଟତର ହୋଇ ରହିବା ପାଇଁ ଆପଣ କʼଣ କରିପାରିବେ ? ଏବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଜାଣିବା ।

ଆପଣ କ’ଣ ଉତ୍ତର ଦେବେ ?

  • ଗାଲାତୀୟ ୬:୫ ପଦ ଅନୁସାରେ ଜଣେ ଖ୍ରୀଷ୍ଟିୟାନ ଅଧିକ ପଢ଼ିବ ନା ନାହିଁ, ଏହି ନିଷ୍ପତ୍ତି କାହାକୁ ନେବା ଉଚିତ୍‌ ?

  • ଅଧିକ ପଢ଼ିବା ବିଷୟରେ ଜଣେ ଖ୍ରୀଷ୍ଟିୟାନର କିପରି ଦୃଷ୍ଟିକୋଣ ହେବା ଉଚିତ୍‌ ?

  • ଅଧିକ ପଢ଼ିବାର ନିଷ୍ପତ୍ତି ନେବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନକୁ କେଉଁ କଥାଗୁଡ଼ିକ ବିଷୟରେ ଭାବିବା ଉଚିତ୍‌ ?

ଗୀତ ୪୪ ନମ୍ର ଲୋକର ପ୍ରାର୍ଥନା

a ଏହାର ଅର୍ଥ କʼଣ ? ଏହି ଲେଖାରେ ଓ ପରବର୍ତ୍ତୀ ଲେଖାରେ “ଅଧିକ ପଢ଼ିବାର” ଅର୍ଥ ହେଉଛି, ସ୍କୁଲ ପଢ଼ା ଶେଷ ହେବା ପରେ ଅଧିକ ପଢ଼ିବା କିମ୍ବା ଟ୍ରେନିଙ୍ଗ ନେବା, ଯେପରି, କୌଣସି ୟୁନିଭରସିଟି କିମ୍ବା କଲେଜରୁ ଡିଗ୍ରୀ, ଡିପ୍ଲୋମା କିମ୍ବା କୋର୍ସ କରିବା କିମ୍ବା କୌଣସି କମ୍ପାନୀରେ କିଛି ଦକ୍ଷତା କିମ୍ବା କାମ ଶିଖିବା ।

b ପୂର୍ବରୁ ଆମ ପ୍ରକାଶନଗୁଡ଼ିକରେ କୁହାଯାଉଥିଲା ଯେ ଖ୍ରୀଷ୍ଟିୟାନମାନଙ୍କୁ ଉଚ୍ଚ ଶିକ୍ଷାରୁ ଦୂରେଇ ରହିବା ଉଚିତ୍‌ । ଯେପରି ୧ ଅକ୍ଟୋବର, ୨୦୦୫ର ପ୍ରହରୀଦୁର୍ଗରେ “ମାତା-ପିତାଓ ଆପ ଅପନେ ବଚ୍ଚୋ କେ ଲିଏ କୈସା ଭବିଷ୍ୟ ଚାହତେ ହୈ ?” ଲେଖାରେ କୁହାଯାଇଥିଲା ଯେ ଉଚ୍ଚ ଶିକ୍ଷା ନେବାର କʼଣ କʼଣ ବିପଦ ଅଛି । ଏହା ସତ ଯେ ବିପଦ ଏବେ ବି ରହିଛି, କିନ୍ତୁ ଏବେ ଜଣେ ଖ୍ରୀଷ୍ଟିୟାନକୁ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେ ଅଧିକ ପଢ଼ିବ ନା ନାହିଁ । ଯଦି ପିଲା ଛୋଟ ଅଛି, ତାହେଲେ ପରିବାରର ମୁଖିଆକୁ ପ୍ରାର୍ଥନା କରି ବାଇବଲର ସିଦ୍ଧାନ୍ତଗୁଡ଼ିକ ଉପରେ ଚିନ୍ତନ କରିବା ଉଚିତ୍‌ । ତାʼପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କୋର୍ସ ବିଷୟରେ ଯାଞ୍ଚ କରିବା ଉଚିତ୍‌ । ଜଣେ ଖ୍ରୀଷ୍ଟିୟାନ ଏହି ମାମଲାରେ ଯାହା ବି ନିଷ୍ପତ୍ତି ନିଏ, ତାହା ଉପରେ ମଣ୍ଡଳୀର ଭାଇଭଉଣୀ, ଏପରିକି ପ୍ରାଚୀନମାନଙ୍କୁ ମଧ୍ୟ ପ୍ରଶ୍ନ କରିବା ଉଚିତ୍‌ ନୁହଁ ।—ଯାକୁ. ୪:୧୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ