୨୭ ଜୁଲାଇ–୨ ଅଗଷ୍ଟ, ୨୦୨୬
ଗୀତ ୫୬ ସତ୍ୟକୁ ନିଜର କର
ଅଧିକ ପଢ଼ିବା ସମୟରେ ବି ଯିହୋବାଙ୍କ ନିକଟତର ହୋଇ ରହନ୍ତୁ
‘ଆମ୍ଭେମାନେ ଯିଏ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ବ୍ୟବସ୍ଥିତ ଭାବେ ଆଚରଣ କରୁ ।’—ଫିଲିପ୍. ୩:୧୬.
କʼଣ ଶିଖିବା ?
ଯଦି ଆପଣ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତାହେଲେ ଏହି ଲେଖାରେ ଦିଆଯାଇଥିବା ବାଇବଲର ଚାରୋଟି ସିଦ୍ଧାନ୍ତକୁ ଧ୍ୟାନରେ ରଖି ଆପଣ ଯିହୋବାଙ୍କର ନିକଟବର୍ତ୍ତୀ ହୋଇ ରହିପାରିବେ ।
୧-୨. (କ) ଯଦି ଆପଣ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତାହେଲେ ଆପଣଙ୍କୁ କେଉଁ କଥାର ଧ୍ୟାନ ରଖିବାକୁ ପଡ଼ିବ ? (ଖ) ‘ସେହି ଅନୁସାରେ ଆଚରଣ କର,’ ଏହାର ଅର୍ଥ କʼଣ ? (ଫିଲିପ୍ପୀୟ ୩:୧୬)
ଯିହୋବାଙ୍କ କିଛି ସେବକ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ସ୍କୁଲ ପଢ଼ା ପରେ ଅଧିକ ପଢ଼ିବେ । ସେମାନେ ଭାବନ୍ତି ଯେ କୌଣସି କୋର୍ସ କିମ୍ବା ଟ୍ରେନିଙ୍ଗ କଲେ ଏପରି କାମ ମିଳିପାରିବ, ଯେଉଁଥିରୁ ସେମାନେ ନିଜ ଭରଣପୋଷଣ କରିପାରିବେ ଏବଂ ମନପ୍ରାଣ ଦେଇ ଯିହୋବାଙ୍କର ସେବା କରିପାରିବେ । କʼଣ ଆପଣ ବି ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ? ଆପଣ କିପରି ଏହି କଥାର ଧ୍ୟାନ ରଖିପାରିବେ ଯେ ଆପଣ ପଢ଼ିବା ସହିତ ଯିହୋବାଙ୍କ ନିକଟତର ରହିପାରିବେ ? (ଯାକୁ. ୪:୮କ) ଏବେ ପର୍ଯ୍ୟନ୍ତ ହୁଏତ ସ୍କୁଲରେ ଅନେକ ଥର ଆପଣଙ୍କ ବିଶ୍ୱାସର ପରୀକ୍ଷା ହୋଇଥିବ, କିନ୍ତୁ ଆପଣ ସାହସର ସହ ସେଗୁଡ଼ିକର ସାମନା କରିଥିବେ । ଆଗକୁ ବି ଆପଣଙ୍କର ଏହା ହିଁ ଚେଷ୍ଟା ରହିବା ଉଚିତ୍ ଯେ ଆପଣ ‘ସେହି ଅନୁସାରେ ବ୍ୟବସ୍ଥିତ ଭାବେ ଆଚରଣ କରନ୍ତୁ,’ ଅର୍ଥାତ୍ ଲଗାତାର ଯିହୋବାଙ୍କ ସେବା କରନ୍ତୁ ।—ଫିଲିପ୍ପୀୟ ୩:୧୬ ପଢ଼ନ୍ତୁ ।
୨ ଯେଉଁ ଗ୍ରୀକ୍ କ୍ରିୟାର ବ୍ୟବହାର ‘ସେହି ଅନୁସାରେ ବ୍ୟବସ୍ଥିତ ଭାବେ ଆଚରଣ କରୁ’ କରାଯାଇଛି, ସେହି କ୍ରିୟା ପ୍ରାୟ ସୈନିକମାନଙ୍କ ପ୍ୟାରେଡ ପାଇଁ ବ୍ୟବହାର ହେଉଥିଲା ଯେଉଁମାନେ ସାଙ୍ଗରେ ମିଶି ଆଗକୁ ବଢ଼ୁଛନ୍ତି । ଯଦି ଆପଣ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତାହେଲେ ଆପଣଙ୍କୁ ବି ଯିହୋବାଙ୍କ ସେବା କରିବାରେ ସୈନିକମାନଙ୍କ ଭଳି ଆଗକୁ ଲଗାତାର ବଢ଼ିବାକୁ ପଡ଼ିବ ଏବଂ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣ ଅଟକି ନ ଯାʼନ୍ତୁ କିମ୍ବା ପଛକୁ ନ ହଟିଯାʼନ୍ତୁ । ଏହି ଲେଖାରେ ଆମେ ଚାରୋଟି ସିଦ୍ଧାନ୍ତ ଉପରେ ଚର୍ଚ୍ଚା କରିବା, ଯାହାକୁ ଆପଣ ମାନିପାରିବେ । ଏହି ସିଦ୍ଧାନ୍ତଗୁଡ଼ିକୁ ଆପଣ ପୂର୍ବରୁ ହିଁ ଜାଣିଛନ୍ତି ଏବଂ ଏଗୁଡ଼ିକୁ ମାନି ଆପଣ ଅନେକ ଭଲ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ିବା ସମୟରେ ଏବଂ ତାʼପରେ ମଧ୍ୟ ଏହି ସିଦ୍ଧାନ୍ତଗୁଡ଼ିକୁ ମାନିଲେ ଆପଣ ଯିହୋବାଙ୍କର ନିକଟତର ହୋଇ ରହିପାରିବେ ।
ଯିହୋବାଙ୍କର ନିକଟତର ରହିବା ପାଇଁ ଲଗାତାର ପରିଶ୍ରମ କରନ୍ତୁ
୩. ଅଧିକ ପଢ଼ିଲେ କʼଣ ସମସ୍ୟା ଆସିପାରେ ?
୩ କʼଣ ସମସ୍ୟା ଆସିପାରେ ? ସ୍କୁଲ ପରେ ଅଧିକ ପଢ଼ିଲେ ଆପଣ ବେଶୀ ବ୍ୟସ୍ତ ହୋଇଯିବେ ଏବଂ ପ୍ରତିଦିନ ଆପଣଙ୍କ ପାଖରେ ଅନେକ କାମ ରହିବ । ଆପଣ ନିଶ୍ଚୟ ମନ ଦେଇ ପଢ଼ିବା ପାଇଁ ଚାହିଁବେ, ତେଣୁ ହୁଏତ ଯିହୋବାଙ୍କ ସେବାକୁ ଆପଣ କମ୍ ମହତ୍ତ୍ୱ ଦେବାକୁ ଲାଗିପାରନ୍ତି । ହୁଏତ ଆପଣ ସଭା ଓ ପ୍ରଚାରକୁ ଯିବା କମ୍ କରିଦେବେ ଏବଂ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଓ ପ୍ରାର୍ଥନା କରିବା ପାଇଁ ଅବହେଳା କରିବେ ।—ପ୍ରକା. ୨:୪.
୪. କେଉଁ କଥା ମନେ ରଖିଲେ ଆପଣ ‘ପ୍ରଭୁଙ୍କ ସେବାରେ ସର୍ବଦା ଅଧିକରୁ ଅଧିକତର ଯତ୍ନବାନ୍’ ହେବେ ? (୧ କରିନ୍ଥୀୟ ୧୫:୫୮)
୪ ୧ କରିନ୍ଥୀୟ ୧୫:୫୮ ପଢ଼ନ୍ତୁ । ଯଦି ଆପଣ ସାଇକେଲର ପେଡାଲ୍ ମାରି ଚାଲିବେ, ତାହେଲେ ତାହା ଆଗକୁ ବଢ଼ି ଚାଲିବ । ସେହିଭଳି ଯଦି ଆପଣ ଯିହୋବାଙ୍କ ସେବାରେ ବ୍ୟସ୍ତ ରହିବେ, ତାହେଲେ ଯିହୋବାଙ୍କ ସହିତ ଆପଣଙ୍କ ମିତ୍ରତା ବଜାୟ ରହିବ ଏବଂ ଦିନକୁ ଦିନ ଏହି ସମ୍ପର୍କ ଆହୁରି ନିବିଡ଼ ହୋଇଯିବ । ତେଣୁ ବାଇବଲ କହେ ଯେ ‘ପ୍ରଭୁଙ୍କ ସେବାରେ ତୁମ୍ଭେମାନେ ସର୍ବଦା ଅଧିକରୁ ଅଧିକତର ଯତ୍ନବାନ୍ ହୁଅ ।’ “ଅଧିକରୁ ଅଧିକତର ଯତ୍ନବାନ୍ ହୁଅ,” ଏହା ପଢ଼ି ହୁଏତ ଆପଣ ଭାବିବେ ଯେ ଆପଣ ଯିହୋବାଙ୍କ ସେବାରେ କେତେ ସମୟ ଦେଉଛନ୍ତି । କିନ୍ତୁ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ଏହା ଯେ ଆପଣ ଯିହୋବାଙ୍କ ସେବା କେଉଁ ଉଦ୍ଦେଶ୍ୟରେ କରୁଛନ୍ତି ଏବଂ ଏହାକୁ କେତେ ମହତ୍ତ୍ୱ ଦେଉଛନ୍ତି । ମନେ ରଖନ୍ତୁ, ଆପଣଙ୍କ ପାଇଁ ଯିହୋବା ସବୁଠାରୁ ପ୍ରଥମ ସ୍ଥାନରେ ଥିବା ଉଚିତ୍, ଆପଣଙ୍କ ପାଠ ପଢ଼ା ନୁହଁ । (ମାଥି. ୨୨:୩୭) ସାମେନ୍ଥା ନାମକ ଜଣେ ଯୁବା ଭଉଣୀ କହିଲେ, “ମୁଁ ଭାବି ନେଇଥିଲି ଯେ ଯଦି ପାଠ ପଢ଼ା ଯୋଗୁଁ ଯିହୋବାଙ୍କ ସେବା କରିବା ମୋ ପାଇଁ କଠିନ ହୋଇଯିବ, ତାହେଲେ ମୁଁ ପାଠ ପଢ଼ା ଛାଡ଼ିଦେବି ।”
୫. ଯିହୋବାଙ୍କ ସେବାରେ ବ୍ୟସ୍ତ ରହିବା ପାଇଁ ଆପଣ କʼଣ କରିପାରିବେ ?
୫ ଅଧିକ ପଢ଼ିବା ଆରମ୍ଭ କରିବା ପୂର୍ବରୁ ଆପଣ କʼଣ କରିପାରିବେ ? ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଜୀବନରେ ସବୁବେଳେ ଯିହୋବା ହିଁ ପ୍ରଥମ ସ୍ଥାନରେ ଥାʼନ୍ତୁ । ଏବିଷୟରେ ଭାବନ୍ତୁ, ‘ମୁଁ ଲଗାତାର ସଭା ଓ ପ୍ରଚାରରେ ଯିବା ପାଇଁ ଏବଂ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ କʼଣ ଯୋଜନା କରିଛି ?’ (ଯିହୋ. ୧:୮; ମାଥି. ୨୮:୧୯, ୨୦; ଏବ୍ରୀ ୧୦:୨୫) ଏହା ବି ଭାବନ୍ତୁ: ସ୍କୁଲରେ ପାଠ ପଢ଼ିବା ସମୟରେ ଆପଣ କିପରି ଏହି ଜରୁରୀ କଥାଗୁଡ଼ିକ ପାଇଁ ସମୟ ବାହାର କରୁଥିଲେ ? ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କୁ ଏହି ମାମଲାରେ କିଛି ସୁଧାର କରିବା ଉଚିତ୍, ତାହେଲେ ଆପଣ ଏବେ କʼଣ ପରିବର୍ତ୍ତନ କରିପାରିବେ ? ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ପଢ଼ିବା ସହିତ ଯିହୋବାଙ୍କ ସେବାରେ ବି ବ୍ୟସ୍ତ ରହିବେ । ଏହା ସତ ଯେ ଆପଣଙ୍କୁ ମନ ଦେଇ ପଢ଼ିବାର ଅଛି, କିନ୍ତୁ ଏହାଯୋଗୁଁ ଯିହୋବାଙ୍କ ସେବାକୁ ଅଣଦେଖା କରନ୍ତୁ ନାହିଁ ।a—ମାଥି. ୬:୨୪.
୬. ଆପଣ କିପରି ଜାଣିପାରିବେ ଯେ ଆପଣ ନିଜ ଜୀବନରେ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦେଉଛନ୍ତି ନା ନାହିଁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଅଧିକ ପଢ଼ିବା ସମୟରେ ମଝି ମଝିରେ ନିଜକୁ ଯାଞ୍ଚ କରନ୍ତୁ । ଯଦି ସମ୍ଭବ ତାହେଲେ ପ୍ରତି ମାସ ଏବିଷୟରେ ଭାବନ୍ତୁ, ‘କʼଣ ଏବେ ବି ଯିହୋବା ମୋ ଜୀବନରେ ପ୍ରଥମ ସ୍ଥାନରେ ଅଛନ୍ତି ?’ ଉଦାହରଣ ପାଇଁ, ଭାବନ୍ତୁ ଯେ କʼଣ ସଭାରେ ନ ଯିବା କିମ୍ବା ଡେରିରେ ଯିବା ଆପଣଙ୍କର ଅଭ୍ୟାସ ହୋଇଯାଇଛି ? ସଭାରେ ଥାଇ କʼଣ ଆପଣ ନିଜ ସ୍କୁଲ-କଲେଜର ଆସାଇନ୍ମେଣ୍ଟ ବିଷୟରେ ଭାବୁଥାʼନ୍ତି ? କିମ୍ବା ଆପଣ ସଭା ପାଇଁ କେବଳ ଅନଲାଇନ୍ରେ ଯୋଗ ଦିଅନ୍ତି ? ଏହା ବି ଭାବନ୍ତୁ ଯେ କʼଣ ଆପଣ ବାଇବଲ ପଢ଼ିବା ଓ ପ୍ରାର୍ଥନା କରିବା ପୂର୍ବ ଅପେକ୍ଷା କମ୍ କରିଦେଇଛନ୍ତି । କିମ୍ବା କେବଳ ନାʼ ପାଇଁ ପ୍ରଚାର କରୁଛନ୍ତି ଏବଂ କିଛି ସମୟ ପ୍ରଚାର କରି ଶୀଘ୍ର ଘରକୁ ଫେରି ଆସନ୍ତି ? ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କୁ କିଛି ପରିବର୍ତ୍ତନ କରିବାର ଅଛି, ତାହେଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଆପଣଙ୍କ ପାଇଁ ଯିହୋବାଙ୍କ ସେବା କରିବା ସବୁଠୁ ଜରୁରୀ ଅଟେ । ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଜୀବନରେ ପାଠ ପଢ଼ା ଯିହୋବାଙ୍କ ସେବାଠାରୁ ଅଧିକ ମହତ୍ତ୍ୱ ନ ରଖୁ ।
ଧ୍ୟାନ ରଖନ୍ତୁ ଯେ ପାଠ ପଢ଼ା ଯୋଗୁଁ ଆପଣ ଯିହୋବାଙ୍କ ସେବାକୁ କମ୍ ମହତ୍ତ୍ୱ ଦିଅନ୍ତୁ ନାହିଁ (ପାରାଗ୍ରାଫ ୬)
ନିଜ ବୁଝିବିଚାରି କାମ କରିବାର ଶକ୍ତିକୁ ରକ୍ଷା କରନ୍ତୁ
୭. କିଛି ପ୍ରକାରର ପାଠ ପଢ଼ା କିପରି ଆପଣଙ୍କ ଚିନ୍ତାଧାରାକୁ ବଦଳାଇପାରେ ?
୭ କʼଣ ସମସ୍ୟା ଆସିପାରେ ? କିଛି ପ୍ରକାରର କୋର୍ସରେ ହୁଏତ ‘ଦର୍ଶନବିଦ୍ୟା’ ବା ଦାର୍ଶନିକମାନଙ୍କ ଶିକ୍ଷା ଓ “ନିରର୍ଥକ” କଥାଗୁଡ଼ିକ ଶିଖାଯାଇପାରେ । ଯେପରି, କୌଣସି ଈଶ୍ୱର ହିଁ ନାହାନ୍ତି ଏବଂ ମଣିଷମାନଙ୍କର ବିକାଶ ମାଙ୍କଡ଼ରୁ ହୋଇଛି । (କଲ. ୨:୮) ଆପଣଙ୍କୁ ଯାହା ବି ପଢ଼ାଯାଏ, ସେଥିରୁ ହୁଏତ ଆପଣ ଯିହୋବାଙ୍କ ଅପେକ୍ଷା ନିଜ ଉପରେ ଭରସା କରିବାକୁ ଲାଗିପାରନ୍ତି । ଜଣେ ଯୁବା ଭାଇ ନିଜ ଅନୁଭୂତିରେ କହନ୍ତି, “ଆମକୁ କେବଳ ଦକ୍ଷତା ଶିଖାଗଲା ନାହିଁ, ବରଂ ଆମକୁ ଏପରି ଭାବିବା ପାଇଁ ଶିଖାଗଲା ଯାହା ଯିହୋବାଙ୍କ ଚିନ୍ତାଧାରାଠାରୁ ପୂରାପୂରି ଅଲଗା ଥିଲା । ଉଦାହରଣ ପାଇଁ, ଆମକୁ ଶିଖାଗଲା ଯେ ଆମେ ନିଜ ଦକ୍ଷତାଗୁଡ଼ିକ ଉପରେ ଭରସା କଲେ ହିଁ ସଫଳତା ପାଇପାରିବା । ମୁଁ ଭାବିଲି ଯେ ଖୁସି ରହିବା ପାଇଁ ମୋତେ ଯିହୋବାଙ୍କ ସାହାଯ୍ୟର ଆବଶ୍ୟକ ନାହିଁ । ତେଣୁ ମୋତେ ତାଙ୍କ ଉପରେ ଭରସା କରିବା ଆହୁରି କଠିନ ଲାଗିଲା ।”
୮. ନିଜ ବୁଝିବିଚାରି କାମ କରିବାର ଶକ୍ତିକୁ ରକ୍ଷା କରିବା କାହିଁକି ଜରୁରୀ ? (ହିତୋପଦେଶ ୫:୧, ୨)
୮ ହିତୋପଦେଶ ୫:୧, ୨ ପଢ଼ନ୍ତୁ । ବାଇବଲରେ ଲେଖାଅଛି, ନିଜ ‘ପରିଣାମଦର୍ଶିତା [“ବୁଝିବିଚାରି କାମ କରିବାର ଶକ୍ତିକୁ,” NWT] ରକ୍ଷା କର ।’ ଆମେ ତେବେ ହିଁ କୌଣସି ଜିନିଷର ରକ୍ଷା କରୁ, ଯେବେ ତାହା ପ୍ରତି ବିପଦ ଥାଏ । ଆଉ ସତରେ ଆପଣଙ୍କ ବୁଝିବିଚାରି କାମ କରିବାର ଶକ୍ତି ବିପଦରେ ଅଛି । (୧ ପିତ. ୫:୮) ତାହା କିପରି ? ଯେପରି କʼଣ ଠିକ୍ ଓ କʼଣ ଭୁଲ, ଜୀବନର ଆରମ୍ଭ କିପରି ହେଲା ଓ କେହି ସୃଷ୍ଟିକର୍ତ୍ତା ଈଶ୍ୱର ଅଛନ୍ତି ନା ନାହାନ୍ତି, ଏବିଷୟରେ ଦୁନିଆର ଲୋକଙ୍କ ଚିନ୍ତାଧାରା ଆପଣଙ୍କ ମନରେ ସନ୍ଦେହ ସୃଷ୍ଟି କରିପାରେ ଏବଂ ଯିହୋବା ଓ ତାଙ୍କ ବାକ୍ୟ ଉପରୁ ଆପଣଙ୍କ ବିଶ୍ୱାସକୁ ଦୁର୍ବଳ କରିପାରେ । ଦୁନିଆରେ ଲୋକମାନେ ଭାବନ୍ତି ଯେ “ଉଚ୍ଚ ଶିକ୍ଷା” ନେଇ ସେମାନେ ବୁଦ୍ଧିମାନ ହୋଇଯାଇଛନ୍ତି । କିନ୍ତୁ ସତ କଥା ଏହା ଯେ “ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା ।”—୧ କରି. ୩:୧୮-୨୦.
୯. ଅନ୍ୟମାନଙ୍କ କଥାରେ ଆସି ଆପଣଙ୍କ ବିଶ୍ୱାସ ଦୁର୍ବଳ ହୋଇ ନ ଯାଉ, ତାʼପାଇଁ ଆପଣ କʼଣ କରିପାରିବେ ?
୯ ଅଧିକ ପଢ଼ିବା ଆରମ୍ଭ କରିବା ପୂର୍ବରୁ ଆପଣ କʼଣ କରିପାରିବେ ? ନିଜ ବୁଝିବିଚାରି କାମ କରିବାର ଶକ୍ତିକୁ ରକ୍ଷା କରିବା ପାଇଁ ଜରୁରୀ ଯେ କୌଣସି କୋର୍ସ କରିବା ପୂର୍ବରୁ ଆପଣଙ୍କୁ ପୂରା ବିଶ୍ୱାସ ହେବା ଉଚିତ୍ ଯେ ବାଇବଲରେ ଯାହା ଲେଖାଅଛି, ତାହା ହିଁ ସତ୍ୟ । କିଛି ସମୟ ପାଇଁ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ, ‘ମୋତେ କାହିଁକି ବିଶ୍ୱାସ ଅଛି ଯେ ପରମେଶ୍ୱର ସତରେ ଅଛନ୍ତି ? ମୁଁ କାହିଁକି ମାନେ ଯେ ବାଇବଲକୁ ପରମେଶ୍ୱର ଯିହୋବା ହିଁ ଲେଖାଇଛନ୍ତି ? ମୁଁ କାହିଁକି ବିଶ୍ୱାସ କରେ ଯେ ବାଇବଲର ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବା ହିଁ ସବୁଠୁ ଭଲ ?’ ଏବିଷୟରେ ବି ଭାବନ୍ତୁ: ଆପଣ ସ୍କୁଲରେ ଦୁନିଆର ଚିନ୍ତାଧାରା ଅନୁସାରେ ହେଉଥିବା ଅନେକ କାମ ଦେଖିଥିବେ । ଯେବେ ଅନ୍ୟମାନେ ବିଶ୍ୱାସର ସହ କହିଲେ ଯେ ବିବର୍ତ୍ତନର ଶିକ୍ଷା ହିଁ ଠିକ୍, ତେବେ କʼଣ ଆପଣ ଏହା ଭାବିବାକୁ ଲାଗିଲେ ଯେ ଜଣାନାହିଁ ଈଶ୍ୱର ଅଛନ୍ତି ନା ନାହିଁ ଏବଂ କʼଣ ସେ ହିଁ ସବୁକିଛି ସୃଷ୍ଟି କରିଛନ୍ତି ? କʼଣ ଆପଣଙ୍କୁ ନିଜ ସହପାଠୀମାନଙ୍କ ଭଳି ଭୁଲ କାମ କରିବା ପାଇଁ ଇଚ୍ଛା ହେଲା କିମ୍ବା ସେହି କାମଗୁଡ଼ିକୁ ମନା କରିବା କଠିନ ଲାଗିଲା ? ଯଦି ଆପଣଙ୍କୁ ଲାଗେ ଯେ ଏହି ମାମଲାରେ ଆପଣଙ୍କୁ କିଛି ସୁଧାର କରିବା ଉଚିତ୍, ତାହେଲେ ଏବେ ଆପଣ କିପରି ସଠିକ୍ କାମ କରିବାର ନିଜ ମନବଳକୁ ଦୃଢ଼ କରିପାରିବେ ? ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ପାଠ ପଢ଼ା ସମୟରେ ଆପଣ ଦୁନିଆର କଥାଗୁଡ଼ିକରେ ଆସି ନିଜ ବିଶ୍ୱାସକୁ ଦୁର୍ବଳ ହେବାକୁ ଦେବେ ନାହିଁ ।—୨ ତୀମ. ୨:୧୬-୧୮.b
୧୦. କୌଣସି କୋର୍ସ କରିବା ସମୟରେ ଆପଣ ନିଜ ବୁଝିବିଚାରି କାମ କରିବାର ଶକ୍ତିକୁ କିପରି ରକ୍ଷା କରିପାରିବେ ?
୧୦ କୋର୍ସ ଆରମ୍ଭ ହେବା ପରେ ମଧ୍ୟ ମଝି ମଝିରେ ଏବିଷୟରେ ଭାବନ୍ତୁ: ‘କʼଣ ମୋତେ ଅନ୍ୟମାନଙ୍କର ଖରାପ କାମ ଏବେ ଏତେ ବି ଖରାପ ଲାଗେ ନାହିଁ ? କʼଣ ମୁଁ ଏହା ଚିହ୍ନିପାରେ ଯେ ମୋତେ ଯାହା ଶିଖାଯାଉଛି ତାହା ସତ୍ୟ ନୁହେଁ, ଏହା କେବଳ ଲୋକମାନଙ୍କ ଚିନ୍ତାଧାରା ? କʼଣ ମୋତେ ପୂରା ବିଶ୍ୱାସ ଅଛି ଯେ ଈଶ୍ୱରଙ୍କ ରାଜ୍ୟ ହିଁ ଆମର ସମସ୍ତ ଦୁଃଖକଷ୍ଟଗୁଡ଼ିକୁ ଦୂର କରିବ ?’ ନିଜ ବୁଝିବିଚାରି କାମ କରିବାର ଶକ୍ତିକୁ ରକ୍ଷା କରିବା ପାଇଁ ଲଗାତାର ବାଇବଲର ଭଲଭାବେ ଅଧ୍ୟୟନ କରନ୍ତୁ । ଆଉ ଆପଣ ଯାହା ପଢ଼ନ୍ତି ସେବିଷୟରେ ଚିନ୍ତନ କରନ୍ତୁ । ଏପରି କଲେ ଆପଣଙ୍କୁ ଭରସା ହୋଇଯିବ ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ସତ୍ୟ ଅଟେ ଏବଂ ଆପଣ ଅନ୍ୟମାନଙ୍କ କଥାରେ ଆସିବେ ନାହିଁ ।—୧ ତୀମ. ୪:୧୫.
ସମୟର ସଠିକ୍ ବ୍ୟବହାର କରନ୍ତୁ
୧୧. ପାଠ ପଢ଼ା ସମୟରେ ଆପଣଙ୍କ ଉପରେ କʼଣ ସମସ୍ୟା ଆସିପାରେ ?
୧୧ କʼଣ ସମସ୍ୟା ଆସିପାରେ ? କଲେଜ ଯିବା ଆସିବାରେ ଓ ପାଠ ପଢ଼ାରେ ଆପଣଙ୍କ ଅଧିକ ସମୟ ଚାଲିଯାଇପାରେ । ବିଶେଷ କରି ଯେବେ ଆପଣଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପଡ଼େ କିମ୍ବା ଆପଣଙ୍କ ପାଖରେ ପ୍ରୋଜେକ୍ଟ ପ୍ରସ୍ତୁତି କରିବା ପାଇଁ କମ୍ ସମୟ ଥାଏ । ଯଦି ଆପଣ ନିଜ ପାଇଁ ଗୋଟିଏ ସେଡ୍ୟୁଲ ତିଆରି କରିବେ ନାହିଁ, ତାହେଲେ ଆପଣଙ୍କୁ ବହୁତ ଚିନ୍ତା ହୋଇପାରେ ଏବଂ ଆପଣ ପୂରାପୂରି ଥକି ଯାଇପାରନ୍ତି । ସେଥିପାଇଁ ବହୁତ ଜରୁରୀ ଯେ ଆପଣ ପାଠ ପଢ଼ା ସହିତ ନିଜ ପାଇଁ ବି ସମୟ ବାହାର କରନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
୧୨. କେଉଁ କାମଗୁଡ଼ିକ କରି ଆପଣ ଦେଖାଇପାରିବେ ଯେ ଆପଣ ସମୟର ସଠିକ୍ ବ୍ୟବହାର କରୁଛନ୍ତି ? (ଏଫିସୀୟ ୫:୧୫, ୧୬)
୧୨ ଏଫିସୀୟ ୫:୧୫, ୧୬ ପଢ଼ନ୍ତୁ । କୌଣସି କୋର୍ସ କରିବା ସମୟରେ ଆପଣଙ୍କୁ ବହୁତ କିଛି କରିବାକୁ ପଡ଼ିଥାଏ । ସେଥିପାଇଁ ‘ସୁଯୋଗର [“ସମୟର,” NWT] ସଦ୍ବ୍ୟବହାର କରିବା’ କଠିନ ହୋଇପାରେ । ଆପଣଙ୍କୁ ପାଠ ପଢ଼ିବାର ଅଛି ସତ, କିନ୍ତୁ ତାʼଠାରୁ ବି ଅଧିକ ଜରୁରୀ ହେଉଛି, ନିଜ ପରିବାର ଲୋକ ଓ ଭାଇଭଉଣୀମାନଙ୍କ ସହିତ ସମୟ ବିତାଇବା । (ଗୀତ. ୧୩୩:୧; ହିତୋ. ୧୮:୧) ମନେ ରଖନ୍ତୁ, ଆପଣଙ୍କୁ ସେହି କାମଗୁଡ଼ିକୁ ଅଧିକ ମହତ୍ତ୍ୱ ଦେବା ଉଚିତ୍, ଯେଉଁଥିରୁ ଆପଣ ଯିହୋବାଙ୍କର ନିକଟତର ହୋଇ ରହିପାରିବେ । (ମାଥି. ୬:୩୩) ତାʼଛଡ଼ା ହୁଏତ ଆପଣଙ୍କଠାରେ ନିଜ ପରିବାରର ବି କିଛି ଦାୟିତ୍ୱ ଥିବ ଏବଂ ଆପଣଙ୍କୁ ଚାକିରି ବି କରିବାକୁ ପଡ଼ିପାରେ । ଏହା ବ୍ୟତୀତ, ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଉଚିତ୍ ନୁହେଁ । ଆପଣଙ୍କୁ ଆରାମ କରିବା ଓ ଟିକେ ବ୍ୟାୟାମ କରିବା ପାଇଁ ମଧ୍ୟ ସମୟ ବାହାର କରିବାକୁ ପଡ଼ିବ । (ଉପ. ୪:୬; ୧ ତୀମ. ୪:୮) ଏସବୁ କରିବା ପାଇଁ ଗୋଟିଏ ଭଲ ସେଡ୍ୟୁଲ ହେବା ବହୁତ ଜରୁରୀ ।
୧୩. ସମୟର ସଠିକ୍ ବ୍ୟବହାର କରିବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ?
୧୩ ଅଧିକ ପଢ଼ିବା ଆରମ୍ଭ କରିବା ପୂର୍ବରୁ ଆପଣ କʼଣ କରିପାରିବେ ? ବାଇବଲ କହେ ଯେ ଯିଏ ଭଲ ଯୋଜନା କରନ୍ତି ଏବଂ ସେହି ଅନୁସାରେ କାମ କରନ୍ତି, ସେ ନିଶ୍ଚୟ ସଫଳ ହୁଅନ୍ତି । (ହିତୋ. ୨୧:୫) ସେଥିପାଇଁ କୌଣସି କୋର୍ସ ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ଏପରି ସେଡ୍ୟୁଲ ହେବା ଉଚିତ୍, ଯେଉଁଥିରୁ ଆପଣ ନିଜର ସବୁ ଜରୁରୀ କାମଗୁଡ଼ିକୁ କରି ପାରୁଥିବେ । ଗୋଟିଏ ଭଲ ସେଡ୍ୟୁଲ କରିବା ପାଇଁ ଭାବନ୍ତୁ: ଯେବେ ଆପଣ ସ୍କୁଲରେ ଥିଲେ, ତେବେ ଆପଣ କିପରି ନିଜ ସମୟର ବ୍ୟବହାର କଲେ ? ଯଦି ଆପଣଙ୍କୁ ଲାଗେ ଯେ ଏହି ମାମଲାରେ କିଛି ସୁଧାର କରିବାର ଅଛି, ତାହେଲେ ଆପଣ ଏବେ କେଉଁ କେଉଁ ପରିବର୍ତ୍ତନ କରିପାରିବେ ? ଧ୍ୟାନ ରଖନ୍ତୁ ଯେ ସମୟ ସବୁବେଳେ ଆପଣଙ୍କ ହାତ ମୁଠାରେ ରହିବା ଉଚିତ୍, ଆପଣ ସମୟର ହାତ ମୁଠାରେ ନୁହେଁ ।c
୧୪. ଆପଣଙ୍କୁ କେଉଁ ପ୍ରଶ୍ନଗୁଡ଼ିକ ବିଷୟରେ ଭାବିବା ଉଚିତ୍ ?
୧୪ କୋର୍ସ ଆରମ୍ଭ କରିବା ପରେ ମଧ୍ୟ ମଝି ମଝିରେ ଏବିଷୟରେ ଭାବନ୍ତୁ: ‘କʼଣ ମୋତେ ଆରାମ କରିବା ଓ ବ୍ୟାୟାମ କରିବା ପାଇଁ ସମୟ ମିଳେ ? କʼଣ ମୋ ପାଖରେ ଭାଇଭଉଣୀମାନଙ୍କ ସହିତ ସମୟ ବିତାଇବା ପାଇଁ ସମୟ ହୁଏ ? କʼଣ ମୁଁ ନିଜ କୋର୍ସର ହମୱର୍କ ସଠିକ୍ ସମୟରେ ପୂରା କରିପାରେ ? ଯଦି ନାହିଁ, ତାହେଲେ କʼଣ ଏହାର କାରଣ ହେଉଛି ଯେ ମୋ ପାଖରେ ଅନେକଗୁଡ଼ାଏ କାମ ଅଛି କିମ୍ବା ମୋର ଏଡ଼ାଇବାର ଅଭ୍ୟାସ ଅଛି ? କʼଣ ମୋ ପରିବାର ଲୋକ ଓ ସାଙ୍ଗମାନଙ୍କୁ ବି ଲାଗେ ଯେ ମୋତେ କିଛି ପରିବର୍ତ୍ତନ କରିବା ଉଚିତ୍ ?’ ଯଦି ଆପଣଙ୍କୁ ଅନୁଭବ ହୁଏ ଯେ ଆପଣଙ୍କୁ ନିଜ ସେଡ୍ୟୁଲରେ ପରିବର୍ତ୍ତନ କରିବାକୁ ପଡ଼ିବ କିମ୍ବା ସଂଯମର ଗୁଣ ବଢ଼ାଇବାକୁ ପଡ଼ିବ, ତାହେଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଆପଣ ସେମାନଙ୍କ ସହିତ ବି କଥା ହୋଇପାରିବେ, ଯେଉଁମାନେ ସମୟର ସଠିକ୍ ବ୍ୟବହାର କରନ୍ତି ।—ହିତୋ. ୧୧:୧୪.
“ଜ୍ଞାନୀ ସଙ୍ଗରେ ଗମନାଗମନ କର”
୧୫. ଅଧିକ ପଢ଼ିବା ସମୟରେ ଆପଣଙ୍କ ଉପରେ କʼଣ ସମସ୍ୟା ଆସିପାରେ ?
୧୫ କʼଣ ସମସ୍ୟା ଆସିପାରେ ? ହୁଏତ ଆପଣଙ୍କ ସହପାଠୀମାନେ କ୍ଲାସ ପରେ ମଧ୍ୟ ଆପଣଙ୍କ ସହ ସମୟ ବିତାଇବାକୁ ଚାହିଁବେ ଏବଂ ହୁଏତ ଆପଣଙ୍କୁ ବି ଏପରି କରିବା ପାଇଁ ଇଛା ହେବ । ତାହା ଏଥିପାଇଁ କାରଣ ହୁଏତ ଆପଣ ତାଙ୍କ ବୟସର ହୋଇଥିବେ । ଆପଣଙ୍କ ପସନ୍ଦ ପ୍ରାୟ ତାଙ୍କ ସହିତ ମେଳ ଖାଉଥିବ ଏବଂ ଆପଣ ଦିନରେ ଅନେକ ଘଣ୍ଟା ତାଙ୍କ ସହିତ ସମୟ ବିତାଉଥିବେ । ଆପଣଙ୍କୁ ହୁଏତ ଏହା ବି ଲାଗିପାରେ ଯେ ଆପଣଙ୍କ ସଉକ ଓ ପସନ୍ଦ ନାପସନ୍ଦ ଭାଇଭଉଣୀମାନଙ୍କଠାରୁ ଅଧିକ ନିଜ ସହପାଠୀମାନଙ୍କ ଭଳି ଅଟେ । ଆଉ ହୁଏତ ଆପଣଙ୍କ ପସନ୍ଦ ନାପସନ୍ଦ ବି ତାଙ୍କ ଭଳି ଥିବ । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଆପଣ ଯେଉଁ ସ୍ତର ଅନୁସାରେ ଚାଲନ୍ତି ତାହା ସେମାନଙ୍କଠାରୁ ପୂରା ଅଲଗା । ଆପଣ ଯେତେ ବେଶୀ ସେମାନଙ୍କ ସହ ସମୟ ବିତାଇବେ, ସେତେ ବେଶୀ ତାଙ୍କ ଭଳି ଭାବିବାକୁ ଲାଗିବେ । (୧ କରି. ୧୫:୩୩) ମାଇକଲ୍ ନାମକ ଭାଇଙ୍କ ସହିତ ବି ଏପରି ହିଁ ହେଲା । ସେ ୪ ବର୍ଷର ଇଲେକ୍ଟ୍ରିସିଆନର କୋର୍ସ କଲେ । ସେ କହନ୍ତି, “ମୁଁ ସପ୍ତାହରେ ୪୦ ଘଣ୍ଟାରୁ ବି ଅଧିକ ମୋ ସହ କାମ କରୁଥିବା ଲୋକମାନଙ୍କ ସହିତ ସମୟ ବତାଉଥିଲି । ସେମାନେ ଅଶ୍ଳୀଳ କଥା କହୁଥିଲେ । ଏପରି ଗୀତ ଶୁଣୁଥିଲେ ଯାହା ଖ୍ରୀଷ୍ଟିୟାନମାନଙ୍କୁ ଶୁଣିବା ଉଚିତ୍ ନୁହେଁ ଏବଂ ମହିଳାମାନଙ୍କୁ ଜମା ବି ଆଦର କରୁ ନ ଥିଲେ । ସମୟ ଗଡ଼ିବା ସହିତ ମୁଁ ବି ସେମାନଙ୍କ ଭଳି ହେବାକୁ ଲାଗିଲି । ମୋତେ ଲାଗିଲା ଯେ ସେମାନଙ୍କ କଥା ଓ କାମ ଏତେ ବି ଖରାପ ନୁହେଁ ।”
୧୬. ହିତୋପଦେଶ ୧୩:୨୦ ପଦରୁ ଆମେ କʼଣ ଶିଖୁ ?
୧୬ ହିତୋପଦେଶ ୧୩:୨୦ ପଢ଼ନ୍ତୁ । ବାଇବଲରେ କୁହାଯାଇଛି ଯେ ଖରାପ ସଙ୍ଗତି ଯୋଗୁଁ ଆମେ ବିପଦରେ ପଡ଼ିପାରୁ । କିନ୍ତୁ ସେଥିରେ ଏହା ବି କୁହାଯାଇଛି, “ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ ।” ଏଥିରୁ ଆମେ କʼଣ ଶିଖୁ ? ଆମେ ଶିଖୁ ଯେ ଆମେ ଯେଉଁମାନଙ୍କ ସହିତ ସମୟ ବିତାଉ, ଆମେ ସେମାନଙ୍କ ଭଳି ହିଁ ହୋଇଯାଉ । ସେଥିପାଇଁ ସେହି ଲୋକମାନଙ୍କ ସହିତ ସାଙ୍ଗ ହୁଅନ୍ତୁ, ଯେଉଁମାନେ ଆପଣଙ୍କ ଭଳି ଯିହୋବାଙ୍କୁ ହୃଦୟରୁ ପ୍ରେମ କରନ୍ତି ଏବଂ ଆପଣଙ୍କର ମଙ୍ଗଳ ଚାହାନ୍ତି ।—ଗୀତ. ୧୦୧:୬, ୭; ୧୧୯:୬୩.
୧୭. ଖରାପ ସଙ୍ଗତିରୁ ଦୂରେଇ ରହିବା ପାଇଁ ଆପଣ କʼଣ କରିପାରିବେ ?
୧୭ ଅଧିକ ପଢ଼ିବା ଆରମ୍ଭ କରିବା ପୂର୍ବରୁ ଆପଣ କʼଣ କରିପାରିବେ ? ଏହା ନିର୍ଦ୍ଧାରିତ କରନ୍ତୁ ଯେ ଆପଣ ନିଜ ସହପାଠୀମାନଙ୍କ ସହିତ କେତେ ସମୟ ବିତାଇବେ ଏବଂ ସେତିକି ସମୟ ହିଁ ବିତାନ୍ତୁ । ଟ୍ରେଟର୍ ନାମକ ଜଣେ ସାକ୍ଷୀ କହନ୍ତି, “ମୁଁ ନିଜ ସହପାଠୀମାନଙ୍କ ସହିତ ଭଲଭାବେ ବ୍ୟବହାର କରେ, କିନ୍ତୁ ମୁଁ ସ୍କୁଲ ପରେ ସେମାନଙ୍କ ସହିତ ସମୟ ବିତାଏ ନାହିଁ । ଏହା ସତ ଯେ ମୁଁ କ୍ଲାସର ପିଲାମାନଙ୍କ ସହ ମିଶିକି ପଢ଼ିଥାଏ, କିନ୍ତୁ ସେମାନେ ମୋର ଭଲ ସାଙ୍ଗ ନୁହଁନ୍ତି ।” ଆପଣ ଏହା କିପରି ନିର୍ଦ୍ଧାରିତ କରିପାରିବେ ଯେ ଆପଣ ନିଜ ସହପାଠୀମାନଙ୍କ ସହିତ କେତେ ସମୟ ବିତାଇବେ । ଏବିଷୟରେ ଭାବନ୍ତୁ: ଯେବେ ଆପଣ ସ୍କୁଲରେ ଥିଲେ, ତେବେ ଆପଣ କିପରି ଏହି କଥାର ଧ୍ୟାନ ରଖିଲେ । ଯଦି ଆପଣଙ୍କୁ ଲାଗେ ଯେ ଏହି ମାମଲାରେ ଆପଣଙ୍କୁ କିଛି ସୁଧାର କରିବାର ଅଛି, ତାହେଲେ ଆପଣ ଏବେ କେଉଁ କେଉଁ ପରିବର୍ତ୍ତନ କରିପାରିବେ । ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ‘ଜ୍ଞାନୀ ସଙ୍ଗରେ ଗମନାଗମନ କରିବେ’ ଏବଂ ଏପରି କୌଣସି ବ୍ୟକ୍ତି ସହିତ ଅଧିକ ସମୟ ବିତାଇବେ ନାହିଁ, ଯିଏ ଯିହୋବାଙ୍କୁ ପ୍ରେମ କରେ ନାହିଁ ।d
୧୮. ଆପଣଙ୍କୁ କେଉଁ ପ୍ରଶ୍ନଗୁଡ଼ିକ ବିଷୟରେ ଭାବିବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ )
୧୮ ଅଧିକ ପଢ଼ିବା ସମୟରେ ମଝି ମଝିରେ ଏବିଷୟରେ ଭାବନ୍ତୁ: ‘କʼଣ ମୁଁ ନିଜ ସହପାଠୀମାନଙ୍କ ସହ ଅଧିକ ମିଳାମିଶା କରିବାକୁ ଲାଗୁଛି ? କʼଣ ମୁଁ ସେମାନଙ୍କ ଭଳି କଥା ହେଉଛି, ସେମାନଙ୍କ ଭଳି ଭାବୁଛି ଏବଂ ସେମାନଙ୍କ ଭଳି ବ୍ୟବହାର କରିବାକୁ ଲାଗୁଛି ? ଯଦି ମୁଁ ଏପରି କରିବି, ତାହେଲେ ଯିହୋବା ମୋ ବିଷୟରେ କʼଣ ଭାବିବେ ?’ (ଗୀତ. ୧:୧) ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କୁ କିଛି ସୁଧାର କରିବାର ଅଛି, ତାହେଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଧ୍ୟାନ ରଖନ୍ତୁ ଯେ ଯିହୋବାଙ୍କ ସାଙ୍ଗମାନେ ହିଁ ଆପଣଙ୍କ ସବୁଠୁ ଭଲ ସାଙ୍ଗ ଅଟନ୍ତି । କିନ୍ତୁ ନିଜ ସହପାଠୀମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ସଂକୋଚ କରନ୍ତୁ ନାହିଁ । ସେମାନେ ଆପଣଙ୍କୁ ଜାଣନ୍ତି ଏବଂ କ୍ଲାସରେ ଆପଣଙ୍କ ସହିତ ସମୟ ବିତାନ୍ତି, ତେଣୁ ସେମାନଙ୍କୁ ବାଇବଲର ସତ୍ୟଗୁଡ଼ିକୁ କହିବା ପାଇଁ ଆପଣଙ୍କ ପାଖରେ ସବୁଠୁ ଭଲ ସୁଯୋଗ ଅଛି ।
ନିଜ ସହପାଠୀମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ସଂକୋଚ କରନ୍ତୁ ନାହିଁ (ପାରାଗ୍ରାଫ ୧୮)e
ପୂର୍ବରୁ ପ୍ରସ୍ତୁତି କରନ୍ତୁ
୧୯. ଅଧିକ ପଢ଼ିବା ସମୟରେ ଆସୁଥିବା ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଆପଣ ଏବେଠୁ କʼଣ କରିପାରିବେ ? ଉଦାହରଣ ଦେଇ ବୁଝାନ୍ତୁ ।
୧୯ ଯଦି ଜଣେ ବ୍ୟକ୍ତି ପାହାଡ଼ରେ ଚଢ଼ିବା ପାଇଁ ଚାହେଁ, ତାହେଲେ ତାକୁ ପୂର୍ବରୁ କିଛି ପ୍ରସ୍ତୁତି କରିବାକୁ ପଡ଼ିବ । ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସେ ହୁଏତ ରାସ୍ତାରେ ଆସୁଥିବା ପ୍ରତ୍ୟେକ ସମସ୍ୟା ବିଷୟରେ ଜାଣିପାରିବ ନାହିଁ, କିନ୍ତୁ କିଛି କଥାକୁ ସେ ନିଶ୍ଚୟ ଧ୍ୟାନରେ ରଖିପାରିବ । ଯେପରି ସେ ପାହାଡ଼ ଚଢ଼ିବା ପାଇଁ ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଭଲ ରଖିବ, ପାଗ ଅନୁସାରେ ସଠିକ୍ ପୋଷାକ ପିନ୍ଧିବ ଏବଂ ନିଜ ଲକ୍ଷ୍ୟକୁ ଧ୍ୟାନରେ ରଖି ରାସ୍ତା ବାଛିବ । ଅଧିକ ପଢ଼ିବା ପୂର୍ବରୁ ଆପଣ ବି ପ୍ରସ୍ତୁତି କରିପାରିବେ । ନିଜର ବିଶ୍ୱାସକୁ ଦୃଢ଼ ରଖିବା ପାଇଁ ଆପଣ ‘ପରମେଶ୍ୱରଙ୍କ ଅସ୍ତ୍ର ପିନ୍ଧିପାରିବେ ।’ ଏହା ବ୍ୟତୀତ ଆପଣ ନିଜ ଲକ୍ଷ୍ୟକୁ ଧ୍ୟାନରେ ରଖିପାରିବେ । ଆପଣଙ୍କର ଲକ୍ଷ୍ୟ ହେଉଛି, ଦୁନିଆରେ ସଫଳତା ହାସଲ କରିବା ପରିବର୍ତ୍ତେ ଯିହୋବା ପରମେଶ୍ୱରଙ୍କର ମହିମା କରିବା ।—ଏଫି. ୬:୧୧-୧୩, ଇଜି-ଟୁ-ରିଡ୍ ଭର୍ସନ; ୧ କରି. ୯:୨୬, ୨୭; ୧୦:୩୧.
୨୦. ‘ଆପଣ ବିଶ୍ୱାସରେ ଅଛନ୍ତି ନା ନାହିଁ’ ସେବିଷୟରେ କିପରି ନିଜକୁ ଯାଞ୍ଚ କରିପାରିବେ ?
୨୦ ବାଇବଲରେ ଲେଖାଅଛି, “ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର ।” (୨ କରି. ୧୩:୫) ଅଧିକ ପଢ଼ିବା ସମୟରେ ଏପରି କରିବା ଜାରି ରଖନ୍ତୁ । ଏହି ଲେଖାରେ ଆମେ ଯାହା ବି ଚର୍ଚ୍ଚା କଲୁ ସେବିଷୟରେ ଲଗାତାର ଭାବନ୍ତୁ । ଯେପରି, କʼଣ ଆପଣ ଯିହୋବାଙ୍କ ନିକଟତର ହୋଇ ରହିବା ପାଇଁ ପରିଶ୍ରମ କରୁଛନ୍ତି ? କʼଣ ଆପଣ ଦୁନିଆର ଲୋକମାନଙ୍କ ଭଳି ଭାବିବାକୁ ଲାଗିଛନ୍ତି ? କʼଣ ଆପଣ ସମୟର ସଠିକ୍ ବ୍ୟବହାର କରୁଛନ୍ତି ? କʼଣ ଆପଣ ଖରାପ ସଙ୍ଗତିଠାରୁ ଦୂରେଇ ରହିବା ପାଇଁ ଏବଂ ଭାଇଭଉଣୀମାନଙ୍କ ସହିତ ସାଙ୍ଗ ହେବା ପାଇଁ ଚେଷ୍ଟା କରୁଛନ୍ତି ? ଦେଖିବାକୁ ଗଲେ ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ଏପରିକି ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ, ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ କିମ୍ବା ଅନ୍ୟ କୌଣସି କାମ କରୁଥିବା ସମସ୍ତଙ୍କୁ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଲଗାତାର ଭାବିବା ଉଚିତ୍ । ଆପଣଙ୍କ ପରିସ୍ଥିତି ଯାହା ବି ଥାଉ ନା କାହିଁକି, ଏହା ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ନିଜ ବିଶ୍ୱାସରେ ଦୃଢ଼ ହୋଇ ରହିବେ । ଯଦି ଆପଣ ଏପରି କରିବେ, ତାହେଲେ ଭରସା ରଖନ୍ତୁ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ନିଶ୍ଚୟ ଆଶିଷ ଦେବେ ।—ହିତୋ. ୩:୫, ୬.
ଗୀତ ୮୭ ଆସ ! ସତେଜ ହୁଅ
a ଆପଣ କିପରି ଯିହୋବାଙ୍କ ସେବାରେ ବ୍ୟସ୍ତ ରହିପାରିବେ, ଏବିଷୟରେ କିଛି ପରାମର୍ଶ ଜାଣିବା ପାଇଁ jw.org ୱେବସାଇଟ୍ରେ ଏହି ଲେଖା ପଢ଼ନ୍ତୁ: “ନୌଜୱାନୋ କେ ସୱାଲ୍ . . . ବାପତିସ୍ମେ କେ ବାଦ୍ ମୁଝେ କ୍ୟା କରନା ହୈ ?—ଭାଗ ୧: ଉପାସନା ସେ ଯୁଡ଼େ କାମ କରତେ ରହିଏ ।”
b ଦୁନିଆର ଚିନ୍ତାଧାରାଠାରୁ କିପରି ଦୂରେଇ ରହିବା, ଏବିଷୟରେ କିଛି ପରାମର୍ଶ ଜାଣିବା ପାଇଁ ମେ ୨୦୧୯ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଏହି ଲେଖା ପଢ଼ନ୍ତୁ: “‘ଇସ୍ ଦୁନିଆ କି ବୁଦ୍ଧି‘ କେ ବେହକାୱେ ମେ ମାତ୍ ଆଇଏ ।”
c ପ୍ରତିଦିନ ପାଇଁ କିପରି ଗୋଟିଏ ଭଲ ସେଡ୍ୟୁଲ କରିବା, ଏବିଷୟରେ କିଛି ପରାମର୍ଶ ଜାଣିବା ପାଇଁ jw.org ୱେବସାଇଟ୍ରେ ଏହି ଲେଖା ପଢ଼ନ୍ତୁ: “ନୌଜୱାନୋ କେ ସୱାଲ୍ . . . ସାମାୟ କା ସହି ଇସ୍ତେମାଲ୍ କୈସେ କରେ ?”
d ଭଲ ସାଙ୍ଗ କିପରି ବାଛିପାରିବା, ଏବିଷୟରେ କିଛି ପରାମର୍ଶ ଜାଣିବା ପାଇଁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୪୮ ପଢ଼ନ୍ତୁ ଯାହାର ଶୀର୍ଷକ ହେଉଛି, “ଭାବିଚିନ୍ତି ସାଙ୍ଗ ବାଛନ୍ତୁ ।”
e ଚିତ୍ର ବିଷୟରେ: ଜଣେ ଭଉଣୀ ଯିଏ ହେୟର୍ ଡ୍ରେସିଙ୍ଗ୍ର କୋର୍ସ କରୁଛନ୍ତି, ସେ ସୁଯୋଗ ଦେଖି ନିଜ ସହପାଠୀ ଝିଅକୁ ଭଲଭାବେ ସାକ୍ଷ୍ୟ ଦେଉଛନ୍ତି ।