ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଏପ୍ରିଲ୍‌ ପୃଷ୍ଠା ୨୬-୩୧
  • ନିଜ ଜୀବନସାଥୀର ଭଲ ମିତ୍ର ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ଜୀବନସାଥୀର ଭଲ ମିତ୍ର ହୁଅନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସାରା ଜୀବନ ପାଇଁ କିପରି ଜଣେ ମିତ୍ର ବାଛିପାରିବା ?
  • ମିତ୍ରତା ଦୃଢ଼ କରିବା ପାଇଁ ପରସ୍ପର ସହିତ ସମୟ ବିତାନ୍ତୁ
  • ସାଙ୍ଗରେ ମିଶି ସମସ୍ୟାଗୁଡ଼ିକର ସାମନା କରନ୍ତୁ
  • ଭଲ ଜୀବନସାଥୀ ଖୋଜିବା ପାଇଁ କʼଣ କରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ବିବାହ—ଈଶ୍ୱରଙ୍କ ତରଫରୁ ଏକ ଉପହାର
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ବିବାହ ପରେ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଏପ୍ରିଲ୍‌ ପୃଷ୍ଠା ୨୬-୩୧

୨୯ ଜୁନ୍‌-୫ ଜୁଲାଇ, ୨୦୨୬

ଗୀତ ୧୦୬ ପ୍ରେମକୁ ବଢ଼ାଇବା

ନିଜ ଜୀବନସାଥୀର ଭଲ ମିତ୍ର ହୁଅନ୍ତୁ

‘ମାତ୍ର ଜଣେ ପ୍ରେମକାରୀ ମିତ୍ର ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି ।’—ହିତୋ. ୧୮:୨୪.

କʼଣ ଶିଖିବା ?

ଯଦି ସ୍ୱାମୀ ସ୍ତ୍ରୀ ତାଙ୍କ ବୈବାହିକ ଜୀବନ ଖୁସିଭରା ହେଉ ବୋଲି ଚାହାନ୍ତି, ତାହେଲେ ସେମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବାକୁ ପଡ଼ିବ ଏବଂ ପରସ୍ପରର ମିତ୍ରତାକୁ ଦୃଢ଼ କରିବାକୁ ପଡ଼ିବ ।

୧. ଆମେ କାହିଁକି କହିପାରିବା ଯେ ଭଲ ମିତ୍ର ଯିହୋବାଙ୍କଠାରୁ ମିଳିଥିବା ବହୁମୂଲ୍ୟ ଉପହାର ଅଟନ୍ତି ?

ଭଲ ମିତ୍ର ଯିହୋବାଙ୍କଠାରୁ ମିଳିଥିବା ବହୁମୂଲ୍ୟ ଉପହାର ଅଟନ୍ତି । (ଯାକୁ. ୧:୧୭) ସେମାନେ ଯିହୋବାଙ୍କୁ ଓ ଆମକୁ ବି ପ୍ରେମ କରନ୍ତି । ଯେବେ ଆମେ ଖୁସି ଥାଉ, ତେବେ ସେମାନେ ବି ଖୁସି ଥାʼନ୍ତି ଏବଂ ଯେବେ ଆମେ ଦୁଃଖୀ ଥାଉ, ତେବେ ସେମାନେ ଆମକୁ ସମ୍ଭାଳନ୍ତି । ଆବଶ୍ୟକ ପଡ଼ିଲେ ସେମାନେ ଆମକୁ ପରାମର୍ଶ ଦେବା ପାଇଁ ସଂକୋଚ କରନ୍ତିନି । ସେମାନେ ଆମକୁ ସବୁବେଳେ ସହଯୋଗ କରନ୍ତି ଏବଂ ଆମେ ତାଙ୍କ ଉପରେ ପୂରା ଭରସା କରିଥାଉ । ସତରେ ଏପରି ମିତ୍ର ଆମ “ମନକୁ ଆହ୍ଲାଦିତ କରେ ।”—ହିତୋ. ୨୭:୯.

୨. ସ୍ୱାମୀ ସ୍ତ୍ରୀଙ୍କୁ ତାଙ୍କର ମିତ୍ରତା ଦୃଢ଼ କରିବା କାହିଁକି ଜରୁରୀ ? (ମାଥିଉ ୧୯:୬)

୨ ସ୍ୱାମୀ ସ୍ତ୍ରୀଙ୍କୁ ପରସ୍ପରର ସବୁଠୁ ଭଲ ମିତ୍ର ହେବା ବହୁତ ଜରୁରୀ । ସେମାନଙ୍କୁ ନିଜ ମିତ୍ରତାକୁ ସାଧାରଣ କଥା ଭାବିବା ଉଚିତ୍‌ ନୁହଁ, ନହେଲେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ । ସେମାନେ କଥା କଥାରେ ଚିଡ଼ି ଯାଇ ପାରନ୍ତି, ଏପରିକି ସେମାନେ ପରସ୍ପର ଉପରେ ରାଗ ରଖିପାରନ୍ତି । କିନ୍ତୁ ସେମାନଙ୍କୁ ନିଜ ମିତ୍ରତାକୁ ଗଭୀର କରିବା ପାଇଁ ଧ୍ୟାନ ଦେବା ଉଚିତ୍‌ । ଯଦି ସେମାନେ ଏପରି କରିବେ, ତାହେଲେ ସେମାନଙ୍କୁ ସମ୍ପର୍କ ଦୃଢ଼ ହୋଇପାରିବ । ହୁଏତ ଏତେ ଦୃଢ଼ ସମ୍ପର୍କ ସେମାନଙ୍କର ଆଉ କାହାରି ସହିତ ବି ନ ଥିବ । (ମାଥିଉ ୧୯:୬ ପଢ଼ନ୍ତୁ ।) ଏହି ଲେଖାରେ ଆମେ ଜାଣିବା ଯେ ସ୍ୱାମୀ ସ୍ତ୍ରୀ କିପରି ନିଜ ମିତ୍ରତାକୁ ଦୃଢ଼ କରିପାରିବେ । କିନ୍ତୁ ସବୁଠୁ ପ୍ରଥମେ ଆମେ ଜାଣିବା ଯେ ଜଣେ ଖ୍ରୀଷ୍ଟିୟାନ କିପରି ନିଜ ପାଇଁ ଭଲ ଜୀବନସାଥୀ ଖୋଜିପାରିବେ ଯିଏ ଆଗକୁ ଯାଇ ତାଙ୍କର ସବୁଠୁ ଭଲ ମିତ୍ର ହେବେ ।

ସାରା ଜୀବନ ପାଇଁ କିପରି ଜଣେ ମିତ୍ର ବାଛିପାରିବା ?

୩-୪. ଜଣେ ଭଲ ଜୀବନସାଥୀ ବାଛିବା ପାଇଁ ଆମକୁ କେଉଁଠୁ ସାହାଯ୍ୟ ମିଳିପାରିବ ? (ହିତୋପଦେଶ ୧୮:୨୨)

୩ ଆମେ ଜୀବନରେ ଯେଉଁ ବଡ଼ ବଡ଼ ନିଷ୍ପତ୍ତି ନେଉ, ତାʼ ଯୋଗୁଁ ଆମର ପୂରା ଜୀବନ ବଦଳି ଯାଇପାରେ । ତେଣୁ ଏପରି ନିଷ୍ପତ୍ତି ନେବା ସମୟରେ ତରବର ହେବା ଉଚିତ୍‌ ନୁହେଁ, ବରଂ ସେବିଷୟରେ ଭଲଭାବେ ଭାବି ନିଷ୍ପତ୍ତି ନେବା ଉଚିତ୍‌ ।

୪ ଜୀବନସାଥୀ ବାଛିବା ଅର୍ଥାତ୍‌ ସାରା ଜୀବନ ପାଇଁ ଜଣେ ଭଲ ମିତ୍ର ବାଛିବା, ଜୀବନର ସବୁଠୁ ବଡ଼ ନିଷ୍ପତ୍ତିଗୁଡ଼ିକ ମଧ୍ୟରୁ ଗୋଟିଏ । ଯିହୋବା ହିଁ ବିବାହ ବ୍ୟବସ୍ଥାର ଆରମ୍ଭ କରିଛନ୍ତି । ସେଥିପାଇଁ ସେ ହିଁ ଜୀବନସାଥୀ ବାଛିବା ମାମଲାରେ ଭଲ ପରାମର୍ଶ ଦେଇପାରିବେ । ସେ ଜାଣନ୍ତି ଯେ ଆମ ପାଇଁ କʼଣ ଭଲ ଓ କʼଣ ମନ୍ଦ । (ହିତୋପଦେଶ ୧୮:୨୨ ପଢ଼ନ୍ତୁ; ଯିଶା. ୪୮:୧୭, ୧୮) ସେ ଚାହାନ୍ତି ଯେ ଜଣେ ପୁରୁଷକୁ ଭଲ ସ୍ତ୍ରୀ ମିଳୁ ଏବଂ ଜଣେ ସ୍ତ୍ରୀକୁ ଭଲ ସ୍ୱାମୀ ମିଳୁ । ସେ ନିଜ ବାକ୍ୟରେ ଅନେକ ସିଦ୍ଧାନ୍ତ ଲେଖାଇଛନ୍ତି ଯାହାକୁ ମାନି ଜଣେ ଖ୍ରୀଷ୍ଟିୟାନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବ ଏବଂ ଭଲ ଜୀବନସାଥୀ ବାଛିପାରିବ ।

୫. ଜଣେ ବାପ୍ତିସ୍ମପ୍ରାପ୍ତ ବ୍ୟକ୍ତି ସହିତ ହିଁ ବିବାହ କରିବା କାହିଁକି ଜରୁରୀ ?

୫ ବାପ୍ତିସ୍ମ ନେଇ ଆମେ ଯିହୋବାଙ୍କର ଭଲ ମିତ୍ର ହୋଇଯାଉ । (ଗୀତ. ୨୫:୧୪) ଯଦି ଆପଣ ବିବାହ କରିବା ପାଇଁ ଭାବୁଛନ୍ତି, ତାହେଲେ ଆପଣଙ୍କୁ ଏପରି ଜୀବନସାଥୀ ବାଛିବା ଉଚିତ୍‌ ଯିଏ ଯିହୋବାଙ୍କର ମଧ୍ୟ ମିତ୍ର ଅଟନ୍ତି । (୧ କରି. ୭:୩୯) ଏଥିରୁ ଜଣାପଡ଼ିବ ଯେ ଆପଣ ଯିହୋବାଙ୍କ ସ୍ତରଗୁଡ଼ିକୁ ଆଦର କରନ୍ତି ଏବଂ ଆଗକୁ ଯାଇ ଆପଣ ନିଜେ ଦେଖିପାରିବେ ଯେ ଆପଣଙ୍କ ଜୀବନସାଥୀ ଯିହୋବାଙ୍କ ତରଫରୁ ମିଳିଥିବା ଗୋଟେ ଉପହାର ଅଟନ୍ତି । (ହିତୋ. ୧୯:୧୪) ତାʼସହିତ ଆପଣ ସେହି ସମସ୍ୟାଗୁଡ଼ିକରୁ ରକ୍ଷା ପାଇପାରିବେ ଯାହା ଅବିଶ୍ୱାସୀ ସହିତ “ଅସମାନ ରୂପେ ଯୋଚା” ଗଲେ ହୋଇଥାଏ । (୨ କରି. ୬:୧୪) ଯଦି ଜଣେ ଖ୍ରୀଷ୍ଟିୟାନ ଏପରି ଭାବେ ଯେ ତାକୁ ସତ୍ୟରେ କେହି ଭଲ ପୁଅ ବା ଝିଅ ମିଳୁ ନାହାନ୍ତି ଏବଂ ସେ ଅବିଶ୍ୱାସୀ ସହିତ ଡେଟିଙ୍ଗ୍‌ କରିବାକୁ ଲାଗେ, ତାହେଲେ ଏହା ବିପଦଜନକ ହୋଇପାରେ । ଜଣେ ଖ୍ରୀଷ୍ଟିୟାନକୁ ଏପରି ବି ଭାବିବା ଉଚିତ୍‌ ନୁହେଁ ଯେ ସେ ଜଣେ ଅବିଶ୍ୱାସୀ ସହିତ ଡେଟିଙ୍ଗ୍‌ କରିବ ଏବଂ ଆଗକୁ ଯାଇ ତାକୁ ସତ୍ୟରେ ନେଇ ଆସିବ ।

୬-୭. ଡେଟିଙ୍ଗ୍‌ ସମୟରେ ଆପଣଙ୍କୁ କେଉଁ ପ୍ରଶ୍ନଗୁଡ଼ିକ ବିଷୟରେ ଭାବିବା ଉଚିତ୍‌ ?

୬ କିନ୍ତୁ ମନେ ରଖନ୍ତୁ ଯେ ବାପ୍ତିସ୍ମପ୍ରାପ୍ତ ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପାଇଁ ଜଣେ ଭଲ ଜୀବନସାଥୀ ହୋଇପାରିବେ ନାହିଁ । ଯଦି ଆପଣ କାହାରିକୁ ପସନ୍ଦ କରନ୍ତି ଏବଂ ତାଙ୍କୁ ବିବାହ କରିବା ପାଇଁ ଭାବୁଛନ୍ତି, ତାହେଲେ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:a ‘ସେ ନିଜ ପରିବାର ଲୋକଙ୍କ ସହିତ କିପରି ବ୍ୟବହାର କରେ ? କʼଣ ସେ ଅନ୍ୟମାନଙ୍କ ଚିନ୍ତା କରେ ଏବଂ ସେମାନଙ୍କର ଆଦର କରେ ? ସେ କେଉଁ ଲୋକମାନଙ୍କ ସହିତ ସାଙ୍ଗ ହୁଏ ? ଯେବେ କୌଣସି ମାମଲାରେ ତାʼ ମତ ଅନ୍ୟମାନଙ୍କ ମତଠାରୁ ଅଲଗା ଥାଏ, ତେବେ ସେ କʼଣ କରେ ? କʼଣ ସେ ନିଜ କଥାରେ ଅଡ଼ି ରହେ କିମ୍ବା କʼଣ ଯଦି ଅନ୍ୟମାନଙ୍କ କଥା ବାଇବଲ ସିଦ୍ଧାନ୍ତ ବିରୁଦ୍ଧରେ ନୁହେଁ, ତାହେଲେ ସେ ସେମାନଙ୍କ ଶୁଣିବା ପାଇଁ ପ୍ରସ୍ତୁତ ରହେ ? ଟଙ୍କାପଇସା ମାମଲାରେ ତାʼର ଦୃଷ୍ଟିକୋଣ କିପରି ରହିଛି ?’

୭ ଏବିଷୟରେ ବି ଭାବନ୍ତୁ: ‘କʼଣ ତାʼ କାମଗୁଡ଼ିକରୁ ଜଣାପଡ଼େ ଯେ ସେ ଯିହୋବାଙ୍କୁ ବହୁତ ପ୍ରେମ କରେ ? କʼଣ ସେ “ନୂତନ ସ୍ୱଭାବ ପରିଧାନ” କରିବା ପାଇଁ ଅର୍ଥାତ୍‌ ଯିହୋବାଙ୍କ ଭଳି ଗୁଣ ବଢ଼ାଇବା ପାଇଁ ପରିଶ୍ରମ କରୁଛି ? କʼଣ ସେ ଆହୁରି ଭଲଭାବେ ଯିହୋବାଙ୍କର ସେବା କରିବା ପାଇଁ ମୋତେ ସହଯୋଗ କରିବ ? ଯିହୋବାଙ୍କ ସେବା କରିବା ପାଇଁ କʼଣ ଆମ ଦୁହିଁଙ୍କ ଲକ୍ଷ୍ୟ ଏକାଭଳି ଅଛି ? କʼଣ ଆଗକୁ ଯାଇ ଆମେ ଦୁହେଁ ସବୁଠୁ ଭଲ ମିତ୍ର ହୋଇପାରିବା ?’ (କଲ. ୩:୯, ୧୦) ଯଦି ଆପଣ ଜଣେ ଭଉଣୀ, ତାହେଲେ ଭାବନ୍ତୁ, ‘କʼଣ ଏହି ଭାଇ ମୋର ଭଲ ମିତ୍ର ହେବା ସହିତ ଭଲ ମୁଖିଆ ହୋଇପାରିବ ?’ (୧ କରି. ୧୧:୩) ଯଦି ଆପଣ ଜଣେ ଭାଇ, ତାହେଲେ ଭାବନ୍ତୁ, ‘ମୁଖିଆ ଭାବେ ମୁଁ ଯାହା ବି ନିଷ୍ପତ୍ତି ନେବି, କʼଣ ସେ ସେଥିରେ ମୋର ସହଯୋଗ କରିବ ? ଯଦି ମୋ ଦ୍ୱାରା ଭୁଲ୍‌ ହୋଇଯିବ, ତଥାପି କʼଣ ସେ ମୋର ଆଦର କରିବ ?’ ଏଭଳି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ସମୟ ଲାଗେ । ସେଥିପାଇଁ ଡେଟିଙ୍ଗ୍‌ କରିବା ସମୟରେ ପରସ୍ପରକୁ ଭଲଭାବେ ଜାଣିବା ପାଇଁ ପୂରା ଚେଷ୍ଟା କରନ୍ତୁ ।

୮-୯. ଯେଉଁମାନେ ଡେଟିଙ୍ଗ୍‌ କରୁଛନ୍ତି ସେମାନେ ଭଲ ନିଷ୍ପତ୍ତି ନେବା ପାଇଁ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୮ ଡେଟିଙ୍ଗ୍‌ ସମୟରେ ଯଦି ଆପଣ ଏହା ଜାଣିବା ପାଇଁ ଚେଷ୍ଟା କରିବେ ଯେ ପ୍ରକୃତରେ ସେ ବ୍ୟକ୍ତି କିପରି ଅଟନ୍ତି, ତେବେ ଆପଣ ଭଲ ନିଷ୍ପତ୍ତି ନେଇପାରିବେ । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ମଣ୍ଡଳୀରେ ତାଙ୍କର କିପରି ନାମ ରହିଛି ଏବଂ ତାଙ୍କ ଭିତରେ କେଉଁ ଭଲ ଗୁଣଗୁଡ଼ିକ ରହିଛି । ଯେପରି, କʼଣ ସେହି ଭାଇ କିମ୍ବା ଭଉଣୀ ନମ୍ର ଅଟନ୍ତି, କୋମଳତାର ସହ ବ୍ୟବହାର କରନ୍ତି ଏବଂ ମୃଦୁଶୀଳ ଅଟନ୍ତି ? ଫ୍ରେଞ୍ଚ ଗୁଇନାରେ ରହୁଥିବା ଭଉଣୀ ସାରାଙ୍କର ଡାନିୟେଲ ନାମକ ଜଣେ ଭାଇଙ୍କ ସହିତ ବିବାହ ହୋଇଛି । ସେ କହନ୍ତି, “ମୁଁ ଅନ୍ୟମାନଙ୍କୁ ପଚାରିଲି ଯେ ସେମାନେ ଡାନିୟେଲଙ୍କ ବିଷୟରେ କʼଣ ଭାବନ୍ତି । ଯେପରି, ମୁଁ ତାଙ୍କ ସହିତ ରହୁଥିବା ଭାଇଙ୍କ ସହ କଥା ହେଲି, କିଛି ସାଙ୍ଗଙ୍କ ସହିତ କଥା ହେଲି, ଯେଉଁମାନେ ଆମ ଦୁହିଁଙ୍କୁ ଭଲଭାବେ ଜାଣନ୍ତି ଏବଂ ମୁଁ ତାଙ୍କ ମଣ୍ଡଳୀର ଜଣେ ପ୍ରାଚୀନ ଓ କିଛି ଭଉଣୀଙ୍କ ସହ ବି କଥା ହେଲି ।” ତାʼସହିତ, ଆପଣ ଯାହାଙ୍କ ସହିତ ଡେଟିଙ୍ଗ୍‌ କରୁଛନ୍ତି ତାଙ୍କୁ ଏହା ବି ପଚାରନ୍ତୁ ଯେ ତାଙ୍କ ଅତୀତର ବା ବର୍ତ୍ତମାନର ଏପରି କୌଣସି କଥା ରହିଛି, ଯାହା ଆପଣଙ୍କୁ ଜଣାଥିବା ଉଚିତ୍‌ । ଏଗୁଡ଼ିକ ବିଷୟରେ ପୂର୍ବରୁ ଜାଣିବା ଭଲ ରହିବ, ନହେଲେ ଆଗକୁ ଯାଇ ବୈବାହିକ ଜୀବନରେ ବଡ଼ ବଡ଼ ସମସ୍ୟା ଆସିପାରେ ।

୯ ଯଦି କୌଣସି ପ୍ରୌଢ଼ ଭାଇଭଉଣୀ ଆପଣଙ୍କୁ ତାଙ୍କ ବିଷୟରେ କିଛି କହନ୍ତି ବା ଆପଣ ତାଙ୍କର କିଛି କଥାକୁ ଧ୍ୟାନ ଦିଅନ୍ତି, ଯାହା ଠିକ୍‌ ନୁହେଁ, ତାହେଲେ ସେଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ । ଏଗୁଡ଼ିକ ବିଷୟରେ ଜାଣିବା ପରେ ଆପଣ ନିଷ୍ପତ୍ତି ନେଇପାରିବେ ଯେ ଆପଣ ଡେଟିଙ୍ଗ୍‌ କରିବା ଜାରି ରଖିବେ ନା ଡେଟିଙ୍ଗ୍‌ କରିବା ବନ୍ଦ କରିଦେବେ ।b ଏବେ ଏହି ଲେଖାରେ ଆମେ ବିବାହିତ ଦମ୍ପତିମାନଙ୍କ ବିଷୟରେ ଜାଣିବା ଏବଂ ଦେଖିବା ଯେ ସେମାନେ ନିଜ ମିତ୍ରତା ଦୃଢ଼ କରିବା ପାଇଁ କʼଣ କରିପାରିବେ ।

ଜଣେ ପୁଅ ଓ ଝିଅ ଡେଟିଙ୍ଗ୍‌ କରୁଛନ୍ତି । ସେମାନେ ସାଙ୍ଗମାନଙ୍କ ସହିତ ଗୋଟିଏ ପାର୍ଟିରେ ଅଛନ୍ତି ଏବଂ କଥା ହେଉଛନ୍ତି ।

ଡେଟିଙ୍ଗ୍‌ କଲାବେଳେ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ସେ ପ୍ରକୃତରେ କିପରି ବ୍ୟକ୍ତି ଅଟନ୍ତି (ପାରାଗ୍ରାଫ ୮-୯)


ମିତ୍ରତା ଦୃଢ଼ କରିବା ପାଇଁ ପରସ୍ପର ସହିତ ସମୟ ବିତାନ୍ତୁ

୧୦. ସ୍ୱାମୀ ସ୍ତ୍ରୀଙ୍କୁ କାହିଁକି ପରସ୍ପର ସହିତ ସମୟ ବିତାଇବା ଉଚିତ୍‌ ?

୧୦ ସ୍ୱାମୀ ସ୍ତ୍ରୀ କିପରି ନିଜର ମିତ୍ରତାକୁ ଦୃଢ଼ କରିପାରିବେ ? ଯେତେ ବ୍ୟସ୍ତ ଥିଲେ ବି ସେମାନଙ୍କୁ ପରସ୍ପର ପାଇଁ ସମୟ ବାହାର କରିବା ଉଚିତ୍‌ । ଏପରି କଲେ ସେମାନେ ପ୍ରତିଦିନ ପରସ୍ପରକୁ ଏହା କହିପାରିବେ ଯେ ସେମାନଙ୍କ ଦିନ କିପରି କଟିଲା, ସେମାନଙ୍କ ମନରେ କʼଣ ଚାଲିଛି ଓ ସେମାନେ କେଉଁ ବିଷୟରେ ଭାବୁଛନ୍ତି । ତାʼସହିତ ସେମାନେ ପରସ୍ପରକୁ ପ୍ରେମ ଦେଖାଇପାରିବେ ଏବଂ ସାଙ୍ଗରେ ମିଶି କିଛି ମଜାମସ୍ତି କରିପାରିବେ ।

୧୧. କେଉଁ କାରଣ ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ?

୧୧ ଯେଉଁ ସ୍ୱାମୀ ସ୍ତ୍ରୀ ପରସ୍ପରର ଭଲ ମିତ୍ର ଥାʼନ୍ତି, ସେମାନଙ୍କୁ ପରସ୍ପରଠାରୁ ଅଲଗା ରହିବା ପରିବର୍ତ୍ତେ ସାଙ୍ଗରେ ରହିବା ବହୁତ ଭଲ ଲାଗେ । ହୁଏତ ସେମାନଙ୍କୁ କିଛି ସମୟ ପାଇଁ ପରସ୍ପରଠାରୁ ଅଲଗା ରହିବାକୁ ପଡ଼ିପାରେ । କିନ୍ତୁ ଯଦି ସେମାନେ ଲମ୍ବା ସମୟ ଯାଏ ଅଲଗା ରହନ୍ତି, ତାହେଲେ ଏହାର ବହୁତ ଖରାପ ପରିଣାମ ହୋଇପାରେ । ଯେପରି, କିଛି ଭାଇଭଉଣୀ ଚାକିରି ପାଇଁ ଅନ୍ୟ ଦେଶକୁ ଚାଲିଯାʼନ୍ତି । ତାʼଯୋଗୁଁ ସେମାନେ ଅନେକ ମାସ ଯାଏ ନିଜ ସାଥୀ ଓ ପିଲାମାନଙ୍କୁ ଦେଖା ହୋଇପାରନ୍ତି ନାହିଁ । ସେମାନଙ୍କଠାରୁ ଅଲଗା ରହି ସେମାନେ ଭଲ ରୋଜଗାର ତ କରି ନିଅନ୍ତି, କିନ୍ତୁ ସେମାନଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟା ଆସିଥାଏ ।

୧୨-୧୩. (କ) କିଛି ଖ୍ରୀଷ୍ଟିୟାନ ନିଜ ଜୀବନସାଥୀ ସହିତ ସମୟ ବିତାଇବା ପାଇଁ କʼଣ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଆପଣଙ୍କ ଜୀବନରେ ଆପଣଙ୍କ ଜୀବନସାଥୀର କେତେ ମହତ୍ତ୍ୱ ରହିଛି ? (“ଆପଣଙ୍କ ଜୀବନରେ ଆପଣଙ୍କ ଜୀବନସାଥୀର ମହତ୍ତ୍ୱ” ନାମକ ବକ୍ସ ଦେଖନ୍ତୁ ।)

୧୨ ଧ୍ୟାନ ଦିଅନ୍ତୁ ଯେ ଅନେକ ସ୍ୱାମୀ ସ୍ତ୍ରୀ ପରସ୍ପର ସହିତ ସମୟ ବିତାଇବା ପାଇଁ କʼଣ କଲେ । ଗୁଆମରେ ରହୁଥିବା ଭଉଣୀ ଲିୟା କହନ୍ତି, “ମୋତେ ଓ ମୋ ସ୍ୱାମୀଙ୍କୁ ପରସ୍ପର ସହିତ ମିଶି ଅଲଗା ଅଲଗା କାମ କରିବା ବହୁତ ଭଲ ଲାଗେ । ଅଧିକାଂଶ ସମୟରେ ଆମେ ସାଙ୍ଗରେ ମିଶି କୌଣସି ପାର୍ଟିରେ ବା ବାହାରେ ବୁଲିବା ପାଇଁ ଯାଉ । ଏପରି ବହୁତ କମ୍‌ ହୁଏ ଯେବେ ଆମ ମଧ୍ୟରୁ କେବଳ ଜଣକୁ ଯିବାକୁ ପଡ଼େ ।” ଆମେରିକାରେ ରହୁଥିବା ଭଉଣୀ ରକ୍‌ସେନ୍‌ କହନ୍ତି, “ଆମେ ଦୁହେଁ ବହୁତ ବ୍ୟସ୍ତ ରହୁ । ସେଥିପାଇଁ ଆମେ ଆଗରୁ ଭାବି ନେଇଥାଉ ଯେ ଆମେ କେଉଁ ସମୟରେ କʼଣ କରିବା । ଅନ୍ୟ ଜରୁରୀ କାମଗୁଡ଼ିକ ଭଳି ଆମେ ପରସ୍ପର ସହିତ ସମୟ ବିତାଇବା ପାଇଁ ବି ପୂର୍ବରୁ ହିଁ ସମୟ ନିର୍ଦ୍ଧାରିତ କରୁ ।” (ଆମୋଷ ୩:୩ ପଦ ସହ ତୁଳନା କରନ୍ତୁ ।) ଫ୍ରାନ୍ସରେ ରହୁଥିବା ଭାଇ ଡେମିୟନ କହନ୍ତି, “ଆମେ ଦୁହେଁ ନିଜ ସାଥୀର ପସନ୍ଦକୁ ନିଜର ପସନ୍ଦ କରିବା ପାଇଁ ଚେଷ୍ଟା କଲୁ ଏବଂ ଆମେ ଦେଖିଲୁ ଯେ ଆମକୁ ସେହି କାମ କରିବା ପାଇଁ ବହୁତ ଭଲ ଲାଗିଲା ।” (ମାଥି. ୭:୧୨) ଆମେରିକାରେ ରହୁଥିବା ଭଉଣୀ କେଟି କହନ୍ତି, “ପରସ୍ପର ପ୍ରତି ପୂରା ଧ୍ୟାନ ଦେବା ପାଇଁ ବେଳେବେଳେ ଆମେ ନିଜ ଫୋନ୍‌କୁ ନିଜଠାରୁ ଦୂରରେ ରଖିଦେଉ ।”

୧୩ ସବୁଠୁ ଜରୁରୀ କଥା ହେଉଛି ସାଙ୍ଗରେ ମିଶି ଯିହୋବାଙ୍କର ସେବା କରନ୍ତୁ । ଫ୍ରାନ୍ସରେ ରହୁଥିବା ଭଉଣୀ ମିରୀୟମ କହନ୍ତି, “ଆମେ ପ୍ରତିଦିନ ସକାଳେ ସାଙ୍ଗରେ ମିଶି ବାଇବଲ ପଢ଼ୁ । ଏହାପରେ ଆମେ ପରସ୍ପରକୁ କହୁ ଯେ ଆମକୁ କେଉଁ କଥା ଭଲ ଲାଗିଲା ଏବଂ ଆମେ ଯାହା ଶିଖିଲୁ ତାହାକୁ କିପରି ମାନିପାରିବା । ପରସ୍ପର ସହିତ ଆମେ ଯେଉଁ ସମୟ ବିତାଉ ତାହା ମୋତେ ବହୁତ ଭଲ ଲାଗେ ।” ସେ ଏହା ବି କହନ୍ତି, “ମୋତେ ନିଜ ସ୍ୱାମୀଙ୍କ ପ୍ରାର୍ଥନା ଶୁଣିବା ବି ବହୁତ ଭଲ ଲାଗେ । ମୁଁ ଦେଖିପାରେ ଯେ ସେ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ।” ଭଉଣୀ କେଟି ଯାହାଙ୍କ ବିଷୟରେ ପୂର୍ବେ କୁହାଯାଇଥିଲା, ସେ କହନ୍ତି, “ସାଙ୍ଗରେ ମିଶି ପ୍ରଚାର କରିବା ଆମକୁ ବହୁତ ଭଲ ଲାଗେ । ଯେବେ ଆମେ ପରସ୍ପରକୁ ଯିହୋବାଙ୍କ ବିଷୟରେ କଥା ହେବାର ଶୁଣୁ, ତେବେ ଆମେ ଆହୁରି ନିକଟତର ହୋଇପାରୁ ଏବଂ ଆମେ ପରସ୍ପରଠାରୁ ନୂଆ ନୂଆ କଥା ଶିଖିପାରୁ ।” (ହିତୋ. ୨୭:୧୭)

ପୂର୍ବବର୍ତ୍ତୀ ଚିତ୍ରରେ ଦେଖାଇଥିବା ପୁଅ ଓ ଝିଅର ବିବାହ ହୋଇଯାଇଛି । ସେମାନେ ସାଙ୍ଗରେ ମିଶି ବାହାରେ ବୁଲିବା ପାଇଁ ଯାଇଛନ୍ତି ଏବଂ ତମ୍ବୁ ଲଗାଇ ସାଙ୍ଗରେ ସମୟ ବିତାଉଛନ୍ତି ।

ନିଜର ମିତ୍ରତାକୁ ଦୃଢ଼ କରିବା ପାଇଁ ଜରୁରୀ ଯେ ଆପଣ ସାଙ୍ଗରେ ସମୟ ବିତାଇବାର ସୁଯୋଗ ଖୋଜନ୍ତୁ (ପାରାଗ୍ରାଫ ୧୨-୧୩)


ଆପଣଙ୍କ ଜୀବନରେ ଆପଣଙ୍କ ଜୀବନସାଥୀର ମହତ୍ତ୍ୱ

ଦେଖିବାକୁ ଗଲେ ପ୍ରତ୍ୟେକଙ୍କର ଅନେକ ଭଲ ସାଙ୍ଗ ଥାʼନ୍ତି । କିନ୍ତୁ ଯଦି ଜୀବନସାଥୀଙ୍କ ବିଷୟରେ ଦେଖିବା, ତାହେଲେ ଆପଣଙ୍କ ଜୀବନରେ ତାଙ୍କର କେତେ ମହତ୍ତ୍ୱ ହେବା ଉଚିତ୍‌ ?—ଫିଲିପ୍‌. ୧:୧୦.

  1. ୧. ଯିହୋବା । ଯିହୋବାଙ୍କ ସହିତ ମିତ୍ରତା ଆମ ପାଇଁ ସବୁଠୁ ଅଧିକ ମହତ୍ତ୍ୱ ରଖେ । (ମାଥି. ୬:୩୩; ମାର୍କ ୧୨:୩୦) ନିଜ ଜୀବନସାଥୀକୁ ଖୁସି କରିବା ପାଇଁ ଆମେ କେବେ ବି ଯିହୋବାଙ୍କୁ ଦୁଃଖି କରିବାନି ।—ପ୍ରେରି. ୫:୨୯; ଆଦି ପୁସ୍ତକ ୨:୧୬, ୧୭; ୩:୬ ପଦ ସହ ତୁଳନା କରନ୍ତୁ ।

  2. ୨. ଆପଣଙ୍କ ଜୀବନସାଥୀ । ଆପଣ ଓ ଆପଣଙ୍କ ଜୀବନସାଥୀ ଦୁହେଁ “ଏକାଙ୍ଗ” ଅଟନ୍ତି । ଯେପରି ଆପଣ ନିଜର ଯତ୍ନ ନିଅନ୍ତି, ସେହିପରି ଆପଣଙ୍କୁ ନିଜ ଜୀବନସାଥୀର ବି ଯତ୍ନ ନେବା ଉଚିତ୍‌ । (ଆଦି. ୨:୨୪; ଏଫି. ୫:୨୮, ୨୯, ୩୩)

  3. ୩.ଅନ୍ୟମାନେ ଓ ଦାୟିତ୍ୱଗୁଡ଼ିକ । ଆମେ ନିଜ ବାପାମାଆ, ସମ୍ପର୍କୀୟ, ଖ୍ରୀଷ୍ଟିୟାନ ଭାଇଭଉଣୀ ଓ ଯିହୋବାଙ୍କ ସେବା ସହ ଜଡ଼ିତ ଦାୟିତ୍ୱଗୁଡ଼ିକୁ ପୂରା କରିବା ପାଇଁ ସମୟ ବାହାର କରୁ । କିନ୍ତୁ ଯିହୋବାଙ୍କ ପରେ ଆମ ଜୀବନରେ ଆମ ସାଥୀର ସବୁଠୁ ଅଧିକ ମହତ୍ତ୍ୱ ହେବା ଉଚିତ୍‌ । ଆମେ କୌଣସି ବି ଜିନିଷ ବା ବ୍ୟକ୍ତିଠାରୁ ବି ଅଧିକ ନିଜ ସାଥୀର ଖୁସି ଓ ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖିବା । (୧ ତୀମ. ୫:୮)

ସାଙ୍ଗରେ ମିଶି ସମସ୍ୟାଗୁଡ଼ିକର ସାମନା କରନ୍ତୁ

୧୪-୧୫. ସ୍ୱାମୀ ସ୍ତ୍ରୀଙ୍କୁ କାହିଁକି ନିଜ ବୈବାହିକ ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ ? ଉଦାହରଣ ଦେଇ ବୁଝାନ୍ତୁ ।

୧୪ ଅପରିପୂର୍ଣ୍ଣ ହେବା ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କୁ ବେଳେବେଳେ ନିଜ ବୈବାହିକ ଜୀବନରେ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ବାଇବଲରେ ବି ଲେଖାଅଛି ଯେ ବିବାହିତ ଦମ୍ପତ୍ତିଙ୍କୁ ‘ଶାରୀରିକ କ୍ଳେଶ ଭୋଗିବାକୁ’ ପଡ଼େ । (୧ କରି. ୭:୨୮) ଏଥିରୁ ଜଣାପଡ଼େ ଯେ ଏହା ଏପରି କଷ୍ଟଗୁଡ଼ିକ ଅଟେ ଯାହା ସମସ୍ତ ବିବାହିତ ଦମ୍ପତ୍ତିଙ୍କ ଜୀବନରେ ଆସିଥାଏ । ଏପରି ସମୟରେ ସେମାନଙ୍କୁ ନିଜ ମିତ୍ରତାକୁ ଦୃଢ଼ କରିବା ଏବଂ ସାଙ୍ଗରେ ମିଶି ସେହି ସମସ୍ୟାଗୁଡ଼ିକର ସାମନା କରିବା ବହୁତ ଜରୁରୀ । ଏପରି କରିବା କାହିଁକି ଜରୁରୀ ?

୧୫ ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯଦି କୌଣସି ପ୍ରସିଦ୍ଧ ବିଲ୍‌ଡିଙ୍ଗ୍‌ ବା କୌଣସି ସୁନ୍ଦର ପେଣ୍ଟିଂଟି ଖରାପ ହୋଇଯାଏ, ତାହେଲେ ତାʼର ମାଲିକ ତାହାକୁ ଏପରି ହିଁ ଛାଡ଼ି ଦିଏନି । ସେ ତାହାକୁ ଠିକ୍‌ କରିବା ପାଇଁ ପୂରା ଚେଷ୍ଟା କରେ । ସେ ଏଥିରେ ବହୁତ ସମୟ ଓ ପଇସା ବି ଖର୍ଚ୍ଚ କରେ । ଅନେକ ଥର ତାହାକୁ ଠିକ୍‌ କରିବା ପାଇଁ ବହୁତ ବର୍ଷ ଲାଗିଯାଏ । ତଥାପି ସେ ତାହାକୁ ଠିକ୍‌ କରିବା ପାଇଁ ପରିଶ୍ରମ କରେ । କାରଣ ସେହି ବିଲ୍‌ଡିଙ୍ଗ୍‌ ବା ପେଣ୍ଟିଂଟି ତାʼ ପାଇଁ ବହୁମୂଲ୍ୟ ଅଟେ । ଏହିଭଳି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ବି ବହୁମୂଲ୍ୟ ହୋଇଥାଏ । କିନ୍ତୁ ଏହା ବି ସତ ଯେ ସେମାନଙ୍କ ସମ୍ପର୍କ ଯେତେ ଦୃଢ଼ ଥିଲେ ବି ବେଳେବେଳେ ସେମାନଙ୍କ ଜୀବନରେ ସମସ୍ୟାଗୁଡ଼ିକ ନିଶ୍ଚୟ ଆସିବ । କିନ୍ତୁ ଯେପରି ଭାବେ ସେହି ଖରାପ ପେଣ୍ଟିଂ ବା ବିଲ୍‌ଡିଙ୍ଗ୍‌କୁ ଠିକ୍‌ କରାଯାଇପାରେ, ଠିକ୍‌ ସେହିଭଳି ଯଦି ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି, ତାହେଲେ ଆପଣ ବି ତାହାକୁ ଠିକ୍‌ କରିପାରିବେ ଏବଂ ନିଜ ସମ୍ପର୍କକୁ ପୁଣିଥରେ ଦୃଢ଼ କରିପାରିବେ । ଏଥିରେ ବହୁତ ସମୟ ଲାଗିବ ଏବଂ ଆପଣଙ୍କୁ ପରିଶ୍ରମ ବି କରିବାକୁ ପଡ଼ିବ । କିନ୍ତୁ ଯଦି ଆପଣ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନେବେ ଏବଂ ଆପଣ ପରସ୍ପରର ସହଯୋଗ କରିବା ଛାଡ଼ିବେନି, ତାହେଲେ ଯିହୋବାଙ୍କୁ ବହୁତ ଖୁସି ଲାଗିବ । (ମଲାଖି ୨:୧୬) ତାʼସହିତ ସ୍ୱାମୀ ସ୍ତ୍ରୀ ଏପରି କରି ଦେଖାଇବେ ଯେ ସେମାନେ କେବଳ ପରସ୍ପରକୁ ନୁହଁ ବରଂ ବିବାହ ବନ୍ଧନର ଆରମ୍ଭକର୍ତ୍ତା ଯିହୋବା ଈଶ୍ୱରଙ୍କୁ ମଧ୍ୟ ପ୍ରେମ ଓ ଆଦର କରନ୍ତି ।

୧୬. ବୈବାହିକ ଜୀବନରେ ବଡ଼ ବଡ଼ ସମସ୍ୟାଗୁଡ଼ିକ ଆସିଲେ ସ୍ୱାମୀ ସ୍ତ୍ରୀ କʼଣ କରିପାରିବେ ? (୧ କରିନ୍ଥୀୟ ୧୩:୪-୮କ) (ଚିତ୍ର ଏବଂ “ନିଜର ମିତ୍ରତା କିପରି ଦୃଢ଼ କରିବେ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୬ ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟାଗୁଡ଼ିକ ଆସେ, ତାହେଲେ ତୁରନ୍ତ ଅଲଗା ହେବା ବିଷୟରେ ଭାବନ୍ତୁ ନାହିଁ । (୧ କରି. ୭:୧୦, ୧୧) ଏହା ପରିବର୍ତ୍ତେ ନିଜକୁ ପଚାରନ୍ତୁ, ‘ମୁଁ ଆମ ଦୁହିଁଙ୍କ ମିତ୍ରତାକୁ ଆହୁରି ଦୃଢ଼ କରିବା ପାଇଁ କʼଣ କରିପାରିବି ?’ ବାଇବଲରେ ପରସ୍ପରକୁ ପ୍ରେମ ଦେଖାଇବା ବିଷୟରେ ଯାହା ବି ଲେଖାଯାଇଛି, ସେଗୁଡ଼ିକୁ ପଢ଼ନ୍ତୁ । ଭାବନ୍ତୁ ଯେ ଆପଣ ୧ କରିନ୍ଥୀୟ ୧୩:୪-୮କ ପଦରେ ଦିଆଯାଇଥିବା ପରାମର୍ଶକୁ କିପରି ଭଲଭାବେ ମାନିପାରିବେ ଏବଂ ନିଜ ସାଥୀକୁ କିପରି ନିଜ ପ୍ରେମର ଭରସା ଦେଇପାରିବେ । (ପଢ଼ନ୍ତୁ ।) ପରସ୍ପରଠାରୁ ଦୂରେଇ ଯିବା ପରିବର୍ତ୍ତେ ତାଙ୍କର ଆହୁରି ନିକଟତର ହେବା ବିଷୟରେ ଭାବନ୍ତୁ । ଆପଣଙ୍କ ସାଥୀକୁ କʼଣ ପରିବର୍ତ୍ତନ କରିବା ଉଚିତ୍‌, ଏବିଷୟରେ ଭାବିବା ପରିବର୍ତ୍ତେ ଏହା ଭାବନ୍ତୁ ଯେ ଆପଣ ଏହି ସମ୍ପର୍କକୁ ସୁଧାରିବା ପାଇଁ କʼଣ କରିପାରିବେ । ପ୍ରାର୍ଥନାରେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ସ୍ୱାମୀ ସ୍ତ୍ରୀଙ୍କ ବିଷୟରେ ଆମ ପ୍ରକାଶନ ଓ ଭିଡିଓଗୁଡ଼ିକରେ ଯେଉଁ ବଢ଼ିଆ ପରାମର୍ଶ ଦିଆଯାଇଛି, ସେଗୁଡ଼ିକୁ ମାନନ୍ତୁ । ପ୍ରାଚୀନ ଓ ଅନ୍ୟ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କ ସହ କଥା ହୁଅନ୍ତୁ ଏବଂ ସେମାନଙ୍କ କଥାକୁ ଶୁଣନ୍ତୁ । ମନେ ରଖନ୍ତୁ, ଆପଣଙ୍କ ବିବାହ ବନ୍ଧନରେ ଯିହୋବା ତୃତୀୟ ଓ ସବୁଠାରୁ ମଜବୁତ୍‌ ରଜ୍ଜୁ ଅଛନ୍ତି । ଯଦି ଆପଣ ତାଙ୍କ ଉପରେ ନିର୍ଭର ରହନ୍ତି, ତାହେଲେ ଆପଣଙ୍କ ସମ୍ପର୍କରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହାକୁ ଆପଣ ଦୂର କରିପାରିବେ ଏବଂ ଆପଣଙ୍କ ବନ୍ଧନ ‘ଶୀଘ୍ର ଛିଣ୍ଡିବ ନାହିଁ ।’—ଉପ. ୪:୧୨.

ସେହି ଦମ୍ପତି ପରସ୍ପର ସହ ମନଖୋଲି କଥା ହେଉଛନ୍ତି । ତାଙ୍କ ସ୍ତ୍ରୀ କାନ୍ଦୁଛନ୍ତି ଏବଂ ନିଜ ଦୁଃଖ ନିଜ ସ୍ୱାମୀଙ୍କୁ କହୁଛନ୍ତି । ତାଙ୍କ ସ୍ୱାମୀ ତାଙ୍କ କାନ୍ଧରେ ହାତ ରଖିଛନ୍ତି ଏବଂ ଧ୍ୟାନର ସହ ତାଙ୍କର କଥା ଶୁଣୁଛନ୍ତି । ଟେବୁଲରେ ବାଇବଲ ଖୋଲା ଅଛି ଓ “ଆପଣଙ୍କ ପରିବାର ସୁଖୀ ହୋଇପାରିବ” ପୁସ୍ତିକା ରଖା ହୋଇଛି ।

ସମସ୍ୟାଗୁଡ଼ିକ ଆସିଲେ ସାଙ୍ଗରେ ମିଶି ତାହାର ସାମନା କରନ୍ତୁ (ପାରାଗ୍ରାଫ ୧୬)


ନିଜର ମିତ୍ରତା କିପରି ଦୃଢ଼ କରିବେ ?

ଯିହୋବାଙ୍କ ସଂଗଠନ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଅନେକ ଲେଖା ଓ ଭିଡ଼ିଓ ପ୍ରସ୍ତୁତ କରିଛି । ସେଥିରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମାନି ସେମାନେ ନିଜ ମିତ୍ରତା ଦୃଢ଼ କରିପାରିବେ । ଏପରିକି ଯଦି ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି, ତାହେଲେ ସେମାନେ ତାହାକୁ ଦୂର କରି ନିଜ ସମ୍ପର୍କକୁ ପୁଣିଥରେ ଦୃଢ଼ କରିପାରିବେ । କʼଣ ଆପଣ ଏହି ପ୍ରକାଶନଗୁଡ଼ିକରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମାନିଛନ୍ତି ?

  • ଆପଣଙ୍କ ପରିବାର ସୁଖୀ ହୋଇପାରିବ ପୁସ୍ତିକା

  • ବିବାହ ବନ୍ଧନକୁ ଦୃଢ଼ କରନ୍ତୁ ଭିଡିଓ ସିରିଜ୍‌

୧୭. ଯେଉଁମାନଙ୍କର ବିବାହ ହୋଇସାରିଛି ଏବଂ ଯେଉଁମାନେ ବିବାହ କରିବା ପାଇଁ ଭାବୁଛନ୍ତି, ସେମାନେ କʼଣ କଲେ ଖୁସି ରହିପାରିବେ ?

୧୭ ଯିହୋବା ଚାହାନ୍ତି ଯେ ତାଙ୍କର ସେହି ସମସ୍ତ ସେବକ ଖୁସି ରହନ୍ତୁ, ଯେଉଁମାନଙ୍କର ବିବାହ ହୋଇସାରିଛି ଏବଂ ଯେଉଁମାନେ ବିବାହ କରିବା ପାଇଁ ଭାବୁଛନ୍ତି । ଯଦି ଆପଣ ବିବାହ କରିବା ପାଇଁ ଚାହାନ୍ତି, ତାହେଲେ ଭାବିଚିନ୍ତି ଏପରି ଜୀବନସାଥୀ ବାଛନ୍ତୁ ଯିଏ ସାରା ଜୀବନ ଆପଣଙ୍କ ମିତ୍ର ହୋଇ ରହିବେ । ଯଦି ଆପଣ ବିବାହିତ ତାହେଲେ ନିଜ ସାଥୀ ସହିତ ମିତ୍ରତାକୁ ଦୃଢ଼ କରିବା ପାଇଁ ପରିଶ୍ରମ କରିବା ଜାରି ରଖନ୍ତୁ । ବୈବାହିକ ଜୀବନରେ ସମସ୍ୟାଗୁଡ଼ିକ ଆସିଲେ ଯିହୋବାଙ୍କ ସାହାଯ୍ୟରୁ ଆପଣ ସେଗୁଡ଼ିକ ପାର କରିପାରିବେ । ଏପରି କଲେ ଆପଣ ନିଜ ପ୍ରିୟ ସାଥୀ ସହ ଖୁସି ରହିବେ ଏବଂ “ଆନନ୍ଦରେ ବାସ” କରିବେ ।—ଉପ. ୯:୯.

ଆପଣ କʼଣ ଉତ୍ତର ଦେବେ ?

  • ଜଣେ ଖ୍ରୀଷ୍ଟିୟାନ କିପରି ଭଲ ଜୀବନସାଥୀ ବାଛିପାରିବେ ଯିଏ ସାରା ଜୀବନ ତାଙ୍କର ମିତ୍ର ହୋଇ ରହିବେ ?

  • ସ୍ୱାମୀ ସ୍ତ୍ରୀ କିପରି ନିଜର ମିତ୍ରତାକୁ ଦୃଢ଼ କରିପାରିବେ ?

  • ବୈବାହିକ ଜୀବନରେ ସମସ୍ୟାଗୁଡ଼ିକ ଆସିଲେ ସ୍ୱାମୀ ସ୍ତ୍ରୀ କʼଣ କରିପାରିବେ ?

ଗୀତ ୧୩୨ ହେଲୁ ଆମେ ଏକ

a ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ପୁରୁଷ ଓ ସ୍ତ୍ରୀ ଦୁହେଁ ଭାବିପାରିବେ ।

b ପରସ୍ପରକୁ ଭଲଭାବେ ଜାଣିବା ପାଇଁ ଆପଣ କʼଣ କରିପାରିବେ, ଏବିଷୟରେ ମେ ୨୦୨୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା “ଡେଟିଙ୍ଗ୍‌ କଲାବେଳେ କିପରି ଭଲ ନିଷ୍ପତ୍ତି ନେଇପାରିବା ?” ଲେଖାର “ପରସ୍ପରକୁ ଭଲଭାବେ ଜାଣନ୍ତୁ” ଉପଶୀର୍ଷକରେ ଦିଆଯାଇଥିବା ପରାମର୍ଶକୁ ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ