ବାଇବଲର ଚରିତ୍ର
ଓବଦୀୟ—ଯିହୋବାଙ୍କୁ ଭୟ କରନ୍ତୁ
ଓବଦୀୟ ରାଜଗୃହର ଅଧ୍ୟକ୍ଷ ଥିଲେ । ସେହି ସମୟରେ ଦୁଷ୍ଟ ରାଜା ଆହାବ ଶାସନ କରୁଥିଲେ । ସେ ସାରା ଦେଶରେ ବାଲ୍ ଦେବତାର ଉପାସନା କରିବା ପାଇଁ ପ୍ରୋତ୍ସାହନ ଦେଲେ, କିନ୍ତୁ ଓବଦୀୟ ‘ବାଲ୍ୟକାଳରୁ’ ଯିହୋବାଙ୍କୁ ଭୟ କରୁଥିଲେ । (୧ ରାଜା. ୧୮:୧-୧୩) ସେଥିପାଇଁ ଯେବେ ରାଣୀ ଈଷେବଲ୍ ଯିହୋବାଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ମାରିଦେବା ପାଇଁ ଆଦେଶ ଦେଲେ, ତେବେ ଓବଦୀୟ ବୁଝିଗଲେ ଯେ ତାଙ୍କୁ ସାହସ ଦେଖାଇବାକୁ ପଡ଼ିବ ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ । ସେହି ସମୟରେ ଜଣେ ଭବିଷ୍ୟଦ୍ବକ୍ତାକୁ ବି ଲୁଚାଇବା ବହୁତ ବିପଦପୂର୍ଣ୍ଣ ଥିଲା, ହେଲେ ବି ଓବଦୀୟ ୧୦୦ ଭବିଷ୍ୟଦ୍ବକ୍ତାଙ୍କୁ ଲୁଚାଇଲେ । ତାʼସହିତ ପ୍ରବଳ ଦୁର୍ଭିକ୍ଷ ସମୟରେ ମଧ୍ୟ ସେ ସେମାନଙ୍କ ପାଖକୁ ଖାଇବା ନେଇକି ଗଲେ । ସେସମୟରେ ରାଜଗୃହରେ ହଜାର ହଜାର ମିଥ୍ୟା ଭବିଷ୍ୟଦ୍ବକ୍ତାମାନେ ଯିବା ଆସିବା କରୁଥିଲେ । ଭାବନ୍ତୁ, ସେମାନଙ୍କଠାରୁ ଲୁଚି ଯିହୋବାଙ୍କ ସେବକମାନଙ୍କୁ ସାହାଯ୍ୟ କରିବା ଓବଦୀୟଙ୍କୁ କେତେ କଠିନ ଲାଗିଥିବ !—୧ ରାଜା. ୧୮:୧୯.
ଆମେ ଓବଦୀୟଙ୍କଠାରୁ କʼଣ ଶିଖିପାରିବା ? ଅବଶ୍ୟ ସେ ରାଜାଙ୍କୁ ଡରୁଥିଲେ ଏବଂ ତାଙ୍କ ପାଇଁ ନିଜ ଜୀବନ ବହୁମୂଲ୍ୟ ଥିଲା, କିନ୍ତୁ ସବୁଠୁ ଅଧିକ ସେ ଯିହୋବାଙ୍କୁ ଭୟ କରୁଥିଲେ । ସେଥିପାଇଁ ସେ ସାହସର ସହ କାମ କଲେ ଏବଂ ନିଜ ଜୀବନକୁ ବାଜି ଲଗାଇ ତାଙ୍କ ଭାଇମାନଙ୍କୁ ରକ୍ଷା କଲେ । ଯଦି ଆମେ ବି ଏପରି ଜାଗାରେ ରହୁ ଯେଉଁଠାରେ ଆମ କାମ ଉପରେ ରୋକ ଲାଗିଛି, ତାହେଲେ ଆମେ ବି ଯିହୋବାଙ୍କ ଭୟ ମାନିବା ଉଚିତ୍ । ଏପରି କଲେ ଆମେ ସେହି ଭାଇଭଉଣୀମାନଙ୍କୁ ସାହାଯ୍ୟ କରିପାରିବା, ଯେଉଁମାନେ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି ।