ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜାନୁୟାରୀ ପୃଷ୍ଠା ୨୦-୨୫
  • ଆପଣ କିପରି ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ କିପରି ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇବେ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବାଇବଲ ବିଦ୍ୟାର୍ଥୀ
  • ବାପ୍ତିସ୍ମପ୍ରାପ୍ତ ଭାଇଭଉଣୀ
  • ଯେଉଁ ମେଷମାନେ ଦୂରେଇ ଯାଇଛନ୍ତି
  • ଆପଣ କʼଣ କରିବେ ?
  • ଯିହୋବାଙ୍କର ପ୍ରେମ ଯୋଗୁଁ ମିଳେ ଅନେକ ଆଶିଷ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ମୁକ୍ତିର ମୂଲ୍ୟରୁ ଆମେ କʼଣ ଶିଖୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆମମାନଙ୍କୁ କାହିଁକି ମୁକ୍ତିର ମୂଲ୍ୟର ଆବଶ୍ୟକ ରହିଛି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ନିଜକୁ ସ୍ମାରକ ଦିନ ପାଇଁ ପ୍ରସ୍ତୁତ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜାନୁୟାରୀ ପୃଷ୍ଠା ୨୦-୨୫

୨୩-୨୯ ମାର୍ଚ୍ଚ, ୨୦୨୬

ଗୀତ ୧୮ ମୁକ୍ତି ପାଇଁ କୃତଜ୍ଞ

ଆପଣ କିପରି ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇବେ ?

‘ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶ [“ବାଧ୍ୟ,” NWT] କରେ ।’—୨ କରି. ୫:୧୪.

କʼଣ ଶିଖିବା ?

ଆମେ ଶିଖିବା ଯେ ଆମେ କିପରି ମୁକ୍ତିର ମୂଲ୍ୟ ପାଇଁ ଯିହୋବାଙ୍କୁ କୃତଜ୍ଞତା ଦେଖାଇବା ?

୧-୨. ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆମକୁ କʼଣ କରିବା ପାଇଁ ବାଧ୍ୟ କରେ ଏବଂ କାହିଁକି ? (୨ କରିନ୍ଥୀୟ ୫:୧୪, ୧୫) (ଚିତ୍ର ମଧ୍ୟ ଦେଖନ୍ତୁ ।)

ଭାବନ୍ତୁ, ଆପଣ ଗୋଟିଏ ବଡ଼ ବିଲ୍‌ଡିଙ୍ଗରେ ଅଛନ୍ତି, କିନ୍ତୁ ସେହି ବିଲ୍‌ଡିଙ୍ଗ ଭୁଷୁଡ଼ି ପଡ଼ିଯାଏ ଏବଂ ଆପଣ ତାହା ତଳେ ଦବିଯାʼନ୍ତି । ଏହାପରେ ଜଣେ ବ୍ୟକ୍ତି ଆସି ଆପଣଙ୍କୁ ସେଠାରୁ ଉଦ୍ଧାର କରେ । କʼଣ ଏହାପାଇଁ ଆପଣ ତାʼର ହୃଦୟରୁ କୃତଜ୍ଞ ମନେ କରିବେ ନାହିଁ ? ହୁଏତ ସେହି ବ୍ୟକ୍ତି ଅନେକ ଲୋକଙ୍କ ଜୀବନ ରକ୍ଷା କରିଥିବ, କିନ୍ତୁ କʼଣ ଆପଣ ବ୍ୟକ୍ତିଗତ ଭାବେ ତାକୁ ଏହା କହିବେନି ଯେ ଆପଣ ତାʼପାଇଁ କେତେ କୃତଜ୍ଞ ଏବଂ ସେ ଆପଣଙ୍କ ପାଇଁ ଯାହା କଲା ତାହାକୁ ଆପଣ କେବେ ବି ଭୁଲିପାରିବେ ନାହିଁ ?

୨ ଆମେ ପୂର୍ବ ଲେଖାରେ ଦେଖିଥିଲୁ ଯେ ଆମେ ଉତ୍ତରାଧିକାରୀ ଭାବେ ମିଳିଥିବା ପାପ ତଳେ ଦବିଯାଇଛୁ ଏବଂ ଆମେ ନିଜ ବଳରୁ ସେଥିରୁ ମୁକ୍ତ ହୋଇପାରିବା ନାହିଁ । କିନ୍ତୁ ଯିହୋବା ଆମକୁ ମୁକ୍ତ କରିବା ପାଇଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରିଛନ୍ତି । ଏହାଯୋଗୁଁ ଆମକୁ (୧) ନିଜ ଭୁଲଗୁଡ଼ିକରୁ କ୍ଷମା ମିଳେ (୨) ଆମର ପାପୀ ଅବସ୍ଥାରୁ ମୁକ୍ତି ମିଳେ ଏବଂ (୩) ଆମେ ଈଶ୍ୱରଙ୍କ ସହିତ ସମ୍ପର୍କ ଗଢ଼ିପାରୁ । ଯୀଶୁଙ୍କ ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ନୂଆ ଦୁନିଆରେ ଅନନ୍ତ ଜୀବନର ଆଶା ମଧ୍ୟ ମିଳିଛି । ଯୀଶୁଙ୍କ ବଳିଦାନ ଏହି କଥାର ପ୍ରମାଣ ଅଟେ ଯେ ସେ ଆମ ମଣିଷମାନଙ୍କୁ ବହୁତ ପ୍ରେମ କରନ୍ତି । ପୃଥିବୀରେ ଆସିବାର ଅନେକ ବର୍ଷ ପୂର୍ବେ ଯେବେ ସେ ଯିହୋବାଙ୍କ ସହିତ ମିଶି ମଣିଷମାନଙ୍କର ସୃଷ୍ଟି କଲେ, ତେବେଠାରୁ ସେ ଆମମାନଙ୍କୁ ପ୍ରେମ କରି ଆସୁଛନ୍ତି । (ହିତୋ. ୮:୩୦, ୩୧) ପ୍ରେରିତ ପାଉଲ କହିଲେ, ‘ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବାଧ୍ୟ କରେ ।’ (୨ କରିନ୍ଥୀୟ ୫:୧୪, ୧୫ ପଢ଼ନ୍ତୁ ।) ଏହାର ଅର୍ଥ, ଯୀଶୁଙ୍କ ପ୍ରେମ ଆମକୁ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇବା ପାଇଁ ବାଧ୍ୟ କରିବ ।

ପୂର୍ବ ଲେଖାରେ ଭୁଷୁଡ଼ି ପଡ଼ିଥିବା ବିଲ୍‌ଡିଙ୍ଗ ତଳେ ଦବି ଯାଇଥିବା ଯେଉଁ ବ୍ୟକ୍ତି ବିଷୟରେ କୁହାଯାଇଥିଲା, ତାକୁ ଉଦ୍ଧାରକାରୀ ଦଳର ଜଣେ ବ୍ୟକ୍ତି ଉଦ୍ଧାର କରୁଛି ।

ଦବି ଯାଇଥିବା ବିଲ୍‌ଡିଙ୍ଗ ତଳୁ ହେଉ କିମ୍ବା ପାପରୁ, ଯିଏ ଆମକୁ ଉଦ୍ଧାର କଲା ଆମେ ଜୀବନ ସାରା ତାଙ୍କର କୃତଜ୍ଞ ଥିବା (ପାରାଗ୍ରାଫ ୧-୨)


୩. ଆମେ ସମସ୍ତେ କାହିଁକି ଭିନ୍ନ ଭିନ୍ନ ଉପାୟରେ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇଥାଉ ?

୩ ଯୀଶୁ ମୁକ୍ତିର ମୂଲ୍ୟ ଦେଇ ଆପଣଙ୍କୁ ଯେଉଁ ପ୍ରେମ ଦେଖାଇଲେ, ତାହା ଆପଣଙ୍କୁ କʼଣ କରିବା ପାଇଁ ବାଧ୍ୟ କରେ ? ଏହି ପ୍ରଶ୍ନର ଉତ୍ତର ହୁଏତ ସମସ୍ତଙ୍କର ଭିନ୍ନ ଭିନ୍ନ ହୋଇପାରେ । ତାହା କାହିଁକି ? ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ, ତିନିଜଣ ବ୍ୟକ୍ତି ଅଲଗା ଅଲଗା ସହରରେ ରହନ୍ତି, କିନ୍ତୁ ସେମାନଙ୍କର ଲକ୍ଷ୍ୟସ୍ଥଳ ଗୋଟିଏ । ତେଣୁ ଏହା ନିଶ୍ଚିତ ଯେ ସେହି ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ ସେମାନଙ୍କୁ ଅଲଗା ଅଲଗା ବାଟ ଦେଇ ଯିବାକୁ ପଡ଼ିବ । ଠିକ୍‌ ସେହିଭଳି ଆମ ସମସ୍ତଙ୍କର ମଧ୍ୟ ଲକ୍ଷ୍ୟସ୍ଥଳ ଗୋଟିଏ । ତାହା ହେଉଛି, ଆମେ ସମସ୍ତେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇବା ପାଇଁ ଚାହୁଁ । କିନ୍ତୁ ଏପରି କରିବା ପାଇଁ ଆମେ କେଉଁ “ବାଟରେ” ଯିବା କିମ୍ବା କʼଣ କରିବା, ତାହା ଏକଥା ଉପରେ ନିର୍ଭର କରେ ଯେ ଆମେ ଏବେ କେଉଁଠି ଅଛୁ, ଅର୍ଥାତ୍‌ ଯିହୋବାଙ୍କ ସହିତ ଆମର ସମ୍ପର୍କ କିପରି ଅଛି । ଏହି ଲେଖାରେ ଆମେ ଜାଣିବା ଯେ (୧) ବାଇବଲ ବିଦ୍ୟାର୍ଥୀ (୨) ବାପ୍ତିସ୍ମପ୍ରାପ୍ତ ଭାଇଭଉଣୀ ଏବଂ (୩) ଯେଉଁ ମେଷମାନେ ଈଶ୍ୱରଙ୍କ ପଲଠାରୁ ଦୂରେଇ ଯାଇଛନ୍ତି, ସେମାନେ କିପରି ଯୀଶୁଙ୍କ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇପାରିବେ ।

ବାଇବଲ ବିଦ୍ୟାର୍ଥୀ

୪. ଯେଉଁମାନେ ବାଇବଲ ଅଧ୍ୟୟନ କରୁଛନ୍ତି, ସେମାନଙ୍କ ବିଷୟରେ ଯିହୋବା କʼଣ ଭାବନ୍ତି ?

୪ କʼଣ ଆପଣ ବାଇବଲ ଅଧ୍ୟୟନ କରୁଛନ୍ତି ? ହେଲେ ଏବିଷୟରେ ଭାବନ୍ତୁ ଯେ ଆପଣ ଯିହୋବା ଓ ବାଇବଲର ଶିକ୍ଷାଗୁଡ଼ିକ ବିଷୟରେ ଶିଖୁଛନ୍ତି, ଏଥିରୁ ଜଣାପଡ଼େ ଯେ ଯିହୋବା ଆପଣଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି ଏବଂ ସେ ଆପଣଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିବା ପାଇଁ ଚାହାନ୍ତି । (ଯୋହ. ୬:୪୪; ପ୍ରେରି. ୧୩:୪୮) ବାଇବଲରେ ଲେଖାଅଛି ଯେ “ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି ।” ଏହାର ଅର୍ଥ ସେ ଏହା ଧ୍ୟାନ ଦିଅନ୍ତି ଯେ ଆପଣ ତାଙ୍କ ବିଷୟରେ ଶିଖିବା ପାଇଁ ଏବଂ ତାଙ୍କ ସ୍ତର ଅନୁସାରେ ବଞ୍ଚିବା ପାଇଁ କେତେ ପରିଶ୍ରମ କରୁଛନ୍ତି । ଭରସା ରଖନ୍ତୁ, ଆପଣଙ୍କ ପରିଶ୍ରମ ଦେଖି ତାଙ୍କୁ ବହୁତ ଖୁସି ଲାଗେ । (ହିତୋ. ୧୭:୩; ୨୭:୧୧) ସେ ଆପଣଙ୍କ ପାଇଁ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରିଛନ୍ତି । ଯଦି ସେ ଏପରି କରି ନ ଥାʼନ୍ତେ, ତାହେଲେ ଆପଣ କେବେ ମଧ୍ୟ ତାଙ୍କ ସହିତ ଭଲ ସମ୍ପର୍କ ଗଢ଼ିପାରି ନ ଥାʼନ୍ତେ । (ରୋମୀ. ୫:୧୦, ୧୧) ତେଣୁ ମୁକ୍ତିର ମୂଲ୍ୟକୁ କେବେ ବି ଛୋଟ କଥା ବୋଲି ମନେ କରନ୍ତୁ ନାହିଁ ।

୫. ଯେଉଁମାନେ ବାଇବଲ ଅଧ୍ୟୟନ କରୁଛନ୍ତି, ସେମାନେ ଫିଲିପ୍‌ପୀୟ ୩:୧୬ ପଦରେ ଦିଆଯାଇଥିବା ପରାମର୍ଶକୁ କିପରି ମାନିପାରିବେ ?

୫ ଯଦି ଆପଣ ବାଇବଲ ଅଧ୍ୟୟନ କରୁଛନ୍ତି, ତାହେଲେ ଆପଣ କିପରି ଯୀଶୁଙ୍କ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇପାରିବେ ? ଏପରି କରିବାର ଗୋଟିଏ ଉପାୟ ହେଉଛି ଯେ ଆପଣ ପାଉଲଙ୍କର ଏହି ପରାମର୍ଶ ମାନନ୍ତୁ, ଯାହା ସେ ଫିଲିପ୍‌ପୀୟ ମଣ୍ଡଳୀକୁ ଦେଇଥିଲେ । ସେ କହିଥିଲେ, “ଆମ୍ଭେମାନେ ଯିଏ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ ।” (ଫିଲିପ୍‌. ୩:୧୬) ଅର୍ଥାତ୍‌ ଆପଣ ଜୀବନର ଯେଉଁ ବାଟରେ ଚାଲୁଛନ୍ତି, ସେଥିରେ ଚାଲିବା ଜାରି ରଖନ୍ତୁ ଏବଂ କୌଣସି ବି କଥାକୁ କିମ୍ବା କୌଣସି ବି ବ୍ୟକ୍ତିକୁ ଆପଣଙ୍କ ବାଧାର କାରଣ ହେବାକୁ ଦିଅନ୍ତୁ ନାହିଁ ।—ମାଥି. ୭:୧୪; ଲୂକ ୯:୬୨.

୬. ଯଦି ଜଣେ ବାଇବଲ ବିଦ୍ୟାର୍ଥୀକୁ କୌଣସି ଶିକ୍ଷା ମାନିବା କିମ୍ବା କୌଣସି ଅଭ୍ୟାସକୁ ଛାଡ଼ିବା କଠିନ ଲାଗୁଛି, ତାହେଲେ ସେ କʼଣ କରିପାରିବ ? (ଦ୍ୱିତୀୟ ବିବରଣ ୩୦:୧୧-୧୪) (ଚିତ୍ର ମଧ୍ୟ ଦେଖନ୍ତୁ ।)

୬ କʼଣ ଆପଣ କିଛି ସମୟ ପୂର୍ବେ ବାଇବଲରୁ କୌଣସି ଏପରି କଥା ଶିଖିଲେ, ଯାହାକୁ ମାନିବା ଆପଣଙ୍କୁ କଠିନ ଲାଗୁଛି ? ହେଲେ ଆପଣ ସେବିଷୟରେ ଅଧିକ ଅନୁସନ୍ଧାନ କରନ୍ତୁ ଏବଂ ଯିହୋବାଙ୍କୁ ପ୍ରାର୍ଥନାରେ କହନ୍ତୁ ଯେ ସେ ଆପଣଙ୍କୁ ସେହି ଶିକ୍ଷାଗୁଡ଼ିକୁ ବୁଝିବା ପାଇଁ ସାହାଯ୍ୟ କରିବେ । (ଗୀତ. ୮୬:୧୧) ତଥାପି ଯଦି ଆପଣଙ୍କୁ ତାହା ବୁଝିବାରେ କଠିନ ଲାଗୁଛି, ତାହେଲେ ସେବିଷୟରେ ଅଧିକ ଭାବନ୍ତୁ ନାହିଁ । ହୁଏତ କିଛି ସମୟ ପରେ ଆପଣ ସେହି କଥାକୁ ବୁଝିପାରିବେ । କʼଣ ଆପଣଙ୍କର ଏପରି କିଛି ଅଭ୍ୟାସ ରହିଛି, ଯାହାକୁ ଯିହୋବା ଘୃଣା କରନ୍ତି ? କʼଣ ଆପଣଙ୍କୁ ତାହାକୁ ଛାଡ଼ିବା କଠିନ ଲାଗୁଛି ? ହେଲେ ମନେ ରଖନ୍ତୁ, ଯିହୋବା ଆମକୁ କେବେ ବି ଏପରି କିଛି କରିବା ପାଇଁ କହନ୍ତି ନାହିଁ, ଯାହା ଆମେ କରିପାରିବା ନାହିଁ । ଏହାର ଅର୍ଥ ଆପଣ ତାଙ୍କ ସ୍ତରକୁ ମାନିପାରିବେ ଏବଂ ନିଜର ଖରାପ ଅଭ୍ୟାସକୁ ଛାଡ଼ିପାରିବେ । (ଦ୍ୱିତୀୟ ବିବରଣ ୩୦:୧୧-୧୪ ପଢ଼ନ୍ତୁ ।) ତାʼସହିତ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆପଣଙ୍କୁ ସାହାଯ୍ୟ କରିବେ । (ଯିଶା. ୪୧:୧୦, ୧୩; ୧ କରି. ୧୦:୧୩) ସେଥିପାଇଁ ହାର ମାନନ୍ତୁ ନାହିଁ । ଆପଣଙ୍କ ଆଗରେ ଯେଉଁ ବାଧାଗୁଡ଼ିକ ରହିଛି, ସେବିଷୟରେ ସବୁବେଳେ ଭାବିବା ପରିବର୍ତ୍ତେ ଆପଣ ଏହା ଭାବନ୍ତୁ ଯେ ଯିହୋବା ଏବେ ପର୍ଯ୍ୟନ୍ତ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି । ସେ ଆପଣଙ୍କ ପାଇଁ ନିଜ ପ୍ରିୟ ପୁତ୍ରର ମୁକ୍ତିର ମୂଲ୍ୟ ଦେଇଛନ୍ତି । ଏସବୁ ବିଷୟରେ ଭାବିଲେ ଆପଣ ଯିହୋବାଙ୍କ ପାଇଁ କୃତଜ୍ଞ ମନେ କରିବେ ଏବଂ ଆପଣ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିବେ । ଆପଣ ଏହା ବୁଝିପାରିବେ ଯେ ଯିହୋବାଙ୍କ “ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”—୧ ଯୋହ. ୫:୩.a

ଜଣେ ବ୍ୟକ୍ତି “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିର ପାଠ ୪୦ ପଢ଼ୁଛି । ତା ଟେବୁଲରେ ସିଗାରେଟ୍‌ର ପ୍ୟାକେଟ ରଖା ହୋଇଛି ଓ ଗୋଟିଏ ପାତ୍ରରେ ସିଗାରେଟ୍‌ର ଖଣ୍ଡ ରଖା ହୋଇଛି ।

ଯିହୋବା ଆମକୁ କେବେ ବି କିଛି ଏପରି କରିବା ପାଇଁ କହନ୍ତି ନାହିଁ ଯାହା ଆମେ କରିପାରିବା ନାହିଁ । ତାଙ୍କ ସାହାଯ୍ୟରେ ଆମେ ତାଙ୍କ ସ୍ତର ଅନୁସାରେ ବଞ୍ଚିପାରିବା (ପାରାଗ୍ରାଫ ୬)


୭. ଯେଉଁମାନେ ପିଲାବେଳୁ ସତ୍ୟ ଶିଖୁଛନ୍ତି, ସେମାନେ କେଉଁ ବିଷୟରେ ଭାବିପାରିବେ ?

୭ କʼଣ ଆପଣ ଏବେ ଛୋଟ ଅଛନ୍ତି ଓ ପିଲାବେଳୁ ଯିହୋବାଙ୍କ ବିଷୟରେ ଶିଖୁଛନ୍ତି ? ଯଦି ହଁ, ତାହେଲେ ଆପଣ ବି ଜଣେ ବାଇବଲ ବିଦ୍ୟାର୍ଥୀ ଅଟନ୍ତି । ପ୍ରକୃତରେ ଆପଣ ନିଜ ବାପାମାଆଙ୍କର ସବୁଠାରୁ ଖାସ୍‌ ବାଇବଲ ବିଦ୍ୟାର୍ଥୀ ଅଟନ୍ତି । ବାଇବଲରେ ଲେଖାଅଛି, “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁ. ୪:୮; ୧ ବଂଶା. ୨୮:୯) ଯଦି ଆପଣ ଯିହୋବାଙ୍କର ନିକଟତର ହେବା ପାଇଁ ପରିଶ୍ରମ କରିବେ, ତାହେଲେ ସେ ମଧ୍ୟ ଆପଣଙ୍କର ନିକଟତର ହେବେ । ଏପରି ନୁହେଁ ଯେ ଯିହୋବା ଆପଣଙ୍କ ପରିବାରକୁ ଆକର୍ଷିତ କରିଛନ୍ତି ବୋଲି ଆପଣ ମଧ୍ୟ ଆପେ ଆପେ ଯିହୋବାଙ୍କ ଆଡ଼କୁ ଆକର୍ଷିତ ହୋଇଗଲେ । ଏହା ପରିବର୍ତ୍ତେ ଯିହୋବା ପ୍ରତ୍ୟେକ ଜଣଙ୍କୁ ଅର୍ଥାତ୍‌ ଆପଣଙ୍କୁ ବି ନିଜ ଆଡ଼କୁ ଆକର୍ଷିତ କରନ୍ତି । କିନ୍ତୁ ଆପଣ ଏଥିପାଇଁ ଯିହୋବାଙ୍କର ମିତ୍ର ହୋଇପାରିଲେ, କାରଣ ସେ ଆପଣଙ୍କ ପାଇଁ ନିଜ ପୁତ୍ରର ମୁକ୍ତିର ମୂଲ୍ୟ ଦେଲେ । ସେଥିପାଇଁ ଏହାକୁ ସାଧାରଣ କଥା ଭାବନ୍ତୁ ନାହିଁ । (ରୋମୀ. ୫:୧, ୨) ଆମେ ଆପଣଙ୍କୁ ପ୍ରୋତ୍ସାହନ ଦେଉ ଯେ ଏବର୍ଷ ସ୍ମାରକ ପୂର୍ବରୁ ଆପଣ ସମୟ ବାହାର କରି ଏବିଷୟରେ ଭାବନ୍ତୁ ଯେ ଯିହୋବା ଓ ଯୀଶୁ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି ? ଏପରି କଲେ ଆପଣଙ୍କ ହୃଦୟରେ ସେମାନଙ୍କ ପାଇଁ ପ୍ରେମ ବଢ଼ିବ ଏବଂ ଏହି ପ୍ରେମ ଯୋଗୁଁ ଆପଣ ଯିହୋବାଙ୍କ ସେବାରେ ଲକ୍ଷ୍ୟ ରଖିବେ ଓ ତାହାକୁ ପୂରା କରିବା ପାଇଁ ଚେଷ୍ଟା କରିବେ । ଏପରି ଭାବେ ଆପଣ ଦେଖାଇପାରିବେ ଯେ ଆପଣ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞ ଅଛନ୍ତି ।b

ବାପ୍ତିସ୍ମପ୍ରାପ୍ତ ଭାଇଭଉଣୀ

୮. ବାପ୍ତିସ୍ମପ୍ରାପ୍ତ ଭାଇଭଉଣୀମାନେ କିପରି ଦେଖାଇଲେ ଯେ ସେମାନେ ମୁକ୍ତିର ମୂଲ୍ୟକୁ ବହୁମୂଲ୍ୟ ମନେ କରନ୍ତି ?

୮ କʼଣ ଆପଣଙ୍କର ବାପ୍ତିସ୍ମ ହୋଇସାରିଛି ? ଯଦି ହଁ, ତାହେଲେ ଆପଣ ଅନେକ ଉପାୟରେ ଦେଖାଇ ସାରିଛନ୍ତି ଯେ ଆପଣ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞ ଅଛନ୍ତି । ଉଦାହରଣ ପାଇଁ, ଆପଣ ଯିହୋବାଙ୍କ ନିକଟତର ହେବା ପାଇଁ ଓ ତାଙ୍କ ସ୍ତର ଅନୁସାରେ ବଞ୍ଚିବା ପାଇଁ ପଦକ୍ଷେପ ନେଇଛନ୍ତି । ଯୀଶୁଙ୍କର ଆଜ୍ଞା ମାନି ଆପଣ ଅନ୍ୟମାନଙ୍କୁ ନିଜର ବିଶ୍ୱାସ ବିଷୟରେ କହିବାକୁ ଆରମ୍ଭ କରିଛନ୍ତି ଓ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରି ବାପ୍ତିସ୍ମ ନେଇଛନ୍ତି । ହୁଏତ ଆପଣଙ୍କ ବିଶ୍ୱାସ ଯୋଗୁଁ ଆପଣଙ୍କୁ ବିରୋଧ ମଧ୍ୟ କରାଯାଇଥିବ । (୨ ତୀମ. ୩:୧୨) ଏପରି ସମୟରେ ମଧ୍ୟ ଆପଣ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରିବା ଜାରି ରଖିଲେ । ଏପରି ଭାବେ ଆପଣ ଦେଖାଇଲେ ଯେ ଆପଣ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି ଓ ମୁକ୍ତିର ମୂଲ୍ୟକୁ ବହୁମୂଲ୍ୟ ମନେ କରନ୍ତି ।—ଏବ୍ରୀ ୧୨:୨, ୩.

୯. ବାପ୍ତିସ୍ମପ୍ରାପ୍ତ ଭାଇଭଉଣୀମାନଙ୍କୁ କେଉଁ ବିପଦରୁ ସତର୍କ ରହିବା ଉଚିତ୍‌ ?

୯ ବାପ୍ତିସ୍ମପ୍ରାପ୍ତ ଭାଇଭଉଣୀମାନେ ଆଉ ଗୋଟିଏ ବିପଦରୁ ସତର୍କ ରହିବା ଉଚିତ୍‌ । ତାହା ହେଉଛି, ସମୟ ଗଡ଼ିବା ସହିତ ଧୀରେ ଧୀରେ ଆପଣ ମୁକ୍ତିର ମୂଲ୍ୟକୁ ସାଧାରଣ କଥା ଭାବିପାରନ୍ତି । ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଶତାବ୍ଦୀର ଏଫିସର ଖ୍ରୀଷ୍ଟିୟାନମାନଙ୍କ ସହ କʼଣ ହେଲା । ଯୀଶୁ ସେମାନଙ୍କର ପ୍ରଶଂସା କଲେ, କାରଣ ସେମାନେ ବହୁତ ଧୈର୍ଯ୍ୟ ଧରିଥିଲେ । ତଥାପି ଯୀଶୁ ତାଙ୍କୁ କହିଲେ, ‘ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ପୂର୍ବ ପ୍ରେମ ପରିତ୍ୟାଗ କରିଅଛ ।’ (ପ୍ରକା. ୨:୩, ୪) ଯୀଶୁଙ୍କ କଥାରୁ ଜଣାପଡ଼େ ଯେ ହୁଏତ ଜଣେ ଖ୍ରୀଷ୍ଟିୟାନକୁ ଜଣା ବି ପଡ଼ିବନି ଯେ ଧୀରେ ଧୀରେ ଯିହୋବାଙ୍କ ପ୍ରତି ତାʼ ପ୍ରେମ କମ୍‌ ହେବାକୁ ଲାଗିଛି । ଏପରି କାହିଁକି ହୋଇପାରେ ? ହୋଇପାରେ ସେ ନିୟମିତ ଭାବେ ପ୍ରାର୍ଥନା କରୁଥିବ, ସଭାକୁ ଯାଉଥିବ ଓ ପ୍ରଚାର କରୁଥିବ, କିନ୍ତୁ ଏହା ତାʼର ଅଭ୍ୟାସ ହୋଇଯାଇଥିବ । ଯଦି ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ କମ୍‌ ହୋଇଯାଇଛି, ତାହେଲେ ଆପଣ କʼଣ କରିପାରିବେ ?

୧୦. ଆପଣ ପାଉଲଙ୍କ ପରାମର୍ଶ କିପରି ମାନିପାରିବେ ? (୧ ତୀମଥି ୪:୧୩, ୧୫)

୧୦ ପ୍ରେରିତ ପାଉଲ ତୀମଥିଙ୍କୁ ପରାମର୍ଶ ଦେଲେ ଯେ ସେ ଯିହୋବାଙ୍କ ସେବାରେ “ମନୋଯୋଗ” ଅର୍ଥାତ୍‌ ମନଦେଇ କରନ୍ତୁ । ତାʼସହିତ ପାଉଲ ତୀମଥିଙ୍କୁ ଏହା ବି କହିଲେ, “ସେହି ସବୁରେ ପ୍ରବୃତ୍ତ [‘ଲଗାତାର ଗଭୀର ଭାବେ ଚିନ୍ତନ କରିବା,’ NWT] ଥାଅ ।” (୧ ତୀମଥି ୪:୧୩, ୧୫ ପଢ଼ନ୍ତୁ ।) ଭାବନ୍ତୁ, ଆପଣ ଉତ୍ସାହର ସହ ଯିହୋବାଙ୍କ ସେବା କରିବା ପାଇଁ କʼଣ କରିପାରିବେ ? (ରୋମୀ. ୧୨:୧୧) ଉଦାହରଣ ପାଇଁ, ଆପଣ ସଭାଗୁଡ଼ିକର ଆହୁରି ଭଲଭାବେ ପ୍ରସ୍ତୁତି କରିପାରିବେ, ଏପରି କଲେ ଆପଣ ସଭାରେ ଆହୁରି ଧ୍ୟାନ ଦେଇପାରିବେ । କିମ୍ବା ଆପଣ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ କୌଣସି ଶାନ୍ତ ଜାଗାକୁ ଯାଇପାରିବେ, ଯାହାଫଳରେ ଆପଣ ଶିଖିଥିବା କଥାଗୁଡ଼ିକ ବିଷୟରେ ଗଭୀର ଭାବେ ଚିନ୍ତନ କରିପାରିବେ । ଯେପରି ନିଆଁକୁ ଜଳାଇ ରଖିବା ପାଇଁ ସେଥିରେ ଲଗାତାର କାଠ ଦେବାକୁ ପଡ଼ିଥାଏ, ଠିକ୍‌ ସେହିପରି ମୁକ୍ତିର ମୂଲ୍ୟ ଏବଂ ଯିହୋବା ଆମ ପାଇଁ ଯାହା କିଛି କରିଛନ୍ତି, ସେଗୁଡ଼ିକ ପାଇଁ କୃତଜ୍ଞତା ବଜାୟ ରଖିବା ପାଇଁ ଆମକୁ ଏସବୁ ଲଗାତାର କରିବାକୁ ପଡ଼ିବ । ଏହା ଭଲ ହେବ ଯେ ସ୍ମାରକର କିଛି ସପ୍ତାହ ପୂର୍ବରୁ ଆପଣ ସମୟ ବାହାର କରି ଏବିଷୟରେ ଭାବନ୍ତୁ ଯେ ଯିହୋବାଙ୍କ ସାକ୍ଷୀ ହେବା ଯୋଗୁଁ ଆପଣଙ୍କୁ କେଉଁ କେଉଁ ଆଶିଷ ମିଳିଛି ? ଏଥିରୁ ବି ଆପଣ ମୁକ୍ତିର ମୂଲ୍ୟ ପ୍ରତି କୃତଜ୍ଞତା ବଢ଼ାଇପାରିବେ । ଦେଖିବାକୁ ଗଲେ ଏପରି କରିବା ଯୋଗୁଁ ହିଁ ଆପଣ ଯିହୋବାଙ୍କ ସହିତ ଗୋଟିଏ ସମ୍ପର୍କ ଗଢ଼ିପାରିଛନ୍ତି ।

୧୧-୧୨. ଯଦି ଆପଣଙ୍କୁ ଲାଗେ ଯେ ଯିହୋବାଙ୍କ ସେବା ପାଇଁ ଆପଣଙ୍କ ଉତ୍ସାହ କମ୍‌ ହୋଇଯାଇଛି, ତାହେଲେ କʼଣ ଏହାର ଅର୍ଥ ଯିହୋବା ଆପଣଙ୍କୁ ପବିତ୍ର ଶକ୍ତି ଦେଉ ନାହାନ୍ତି ? ବୁଝାନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯଦି ବେଳେବେଳେ ଆପଣଙ୍କୁ ଲାଗେ ଯେ ଯିହୋବାଙ୍କ ସେବା ପାଇଁ ଆପଣଙ୍କ ପାଖରେ ପୂର୍ବ ଭଳି ଆଉ ଉତ୍ସାହ ନାହିଁ, ତାହେଲେ ନିରାଶ ହୁଅନ୍ତୁ ନାହିଁ । ଏପରି ଭାବନ୍ତୁ ନାହିଁ ଯେ ଯିହୋବା ଆପଣଙ୍କୁ ପବିତ୍ର ଶକ୍ତି ଦେଉ ନାହାନ୍ତି । ମନେ ପକାନ୍ତୁ, ପ୍ରେରିତ ପାଉଲ କରିନ୍ଥର ମଣ୍ଡଳୀକୁ ନିଜ ସେବା ବିଷୟରେ କʼଣ କହିଥିଲେ । ସେ କହିଥିଲେ, ‘ଯଦି ମୁଁ ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼଠାରେ ସମର୍ପିତ ହୋଇଅଛି ।’ (୧ କରି. ୯:୧୭) ସେ କʼଣ କହିବା ପାଇଁ ଚାହୁଁଥିଲେ ?

୧୨ ପାଉଲ ଅପରିପୂର୍ଣ୍ଣ ଥିଲେ, ତେଣୁ ବେଳେବେଳେ ତାଙ୍କୁ ପ୍ରଚାର କରିବା ପାଇଁ ଇଚ୍ଛା ହେଉ ନ ଥିଲା । ତଥାପି ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ସେ ପ୍ରଚାର କରିବା ପାଇଁ ବନ୍ଦ କରିବେ ନାହିଁ । ଠିକ୍‌ ପାଉଲଙ୍କ ଭଳି ଆପଣଙ୍କୁ ବି ଯେବେ ଇଚ୍ଛା ହୁଏନି, ତେବେ ବି ଯିହୋବାଙ୍କ ସେବା କରିବା ଜାରି ରଖିବା ପାଇଁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ । ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ତାଙ୍କ ସେବା କରିବା ପାଇଁ ‘ଇଚ୍ଛା କରିବାକୁ ଓ ତାହା ସାଧନ କରିବାକୁ’ ଶକ୍ତି ମଧ୍ୟ ଦିଅନ୍ତୁ । (ଫିଲିପ୍‌. ୨:୧୩) ତେଣୁ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଭିତରେ ପୁଣିଥରେ ଉତ୍ସାହ ଭରିଯିବ, ଆପଣଙ୍କୁ ଯିହୋବାଙ୍କ ସେବା କରିବା ପାଇଁ ଆହୁରି ଇଚ୍ଛା ହେବ ଓ ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ ଆହୁରି ବଢ଼ିଯିବ ।

ଦୁଇଜଣ ଭଉଣୀ ପ୍ରଚାରକୁ ଯାଇଛନ୍ତି ଏବଂ ଜଣେ ଭଉଣୀ ନିଜ ପିଲାକୁ ଛୁଆଗାଡ଼ିରେ ରଖିଛନ୍ତି । ସେ ଦୁଃଖୀ ଦେଖା ଯାଉଛନ୍ତି ଏବଂ ଆଉ ଜଣେ ଭଉଣୀ ତାଙ୍କ କାନ୍ଧରେ ହାତ ରଖିଛନ୍ତି ।

ଯଦି ଆପଣଙ୍କୁ ଇଚ୍ଛା ହେଉନି, ତଥାପି ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ (ପାରାଗ୍ରାଫ ୧୧-୧୨)


୧୩. ଆମେ କିପରି ନିଜକୁ ଯାଞ୍ଚ କରିପାରିବା ଯେ ଆମେ ‘ବିଶ୍ୱାସରେ ଅଛୁ କି ନାହିଁ ?’

୧୩ ଯେପରି ୨ କରିନ୍ଥୀୟ ୧୩:୫ ପଦରେ କୁହାଯାଇଛି ଯେ ଆମକୁ ମଝି ମଝିରେ ଏବିଷୟରେ ଭାବିବା ଉଚିତ୍‌ ଯେ ଆମେ କିପରି ଜୀବନ ବଞ୍ଚୁଛୁ । ସେହି ପଦରେ ଲେଖାଅଛି, “ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର ।” ଏପରି କରିବା ପାଇଁ ଆମେ ନିଜକୁ କିଛି ପ୍ରଶ୍ନ ପଚାରିପାରିବା । ଯେପରି, ‘କʼଣ ମୁଁ ନିଜ ଜୀବନରେ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦେଉଛି ?’ (ମାଥି. ୬:୩୩) ‘ମୁଁ ଯେପରି ମନୋରଞ୍ଜନ କରେ, କʼଣ ସେଥିରୁ ଜଣାପଡ଼େ ଯେ ମୁଁ ଖରାପ ଜିନିଷଗୁଡ଼ିକୁ ଘୃଣା କରେ ?’ (ଗୀତ. ୯୭:୧୦) ‘କʼଣ ମୁଁ ଏପରି କଥା କିମ୍ବା ଏପରି କାମ କରିବା ପାଇଁ ଚେଷ୍ଟା କରେ, ଯେଉଁଥିରୁ ମଣ୍ଡଳୀରେ ଶାନ୍ତି ଓ ଏକତା ବଜାୟ ରହିବ ?’ (ଏଫି. ୪:୨, ୩) ବିଶେଷ କରି ସ୍ମାରକର ଆଖପାଖର ସପ୍ତାହଗୁଡ଼ିକରେ ଆମେ ଏହିପରି ପ୍ରଶ୍ନ ପଚାରି ନିଜକୁ ଯାଞ୍ଚ କରିପାରିବା । ଯେବେ ଆମେ ଏବିଷୟରେ ଭାବିବା ଯେ ଯିହୋବା ଓ ଯୀଶୁ ଆମ ପାଇଁ କʼଣ କʼଣ କରିଛନ୍ତି, ତେବେ ତାଙ୍କ ପାଇଁ ଆମେ କୃତଜ୍ଞ ମନେ କରିବା ଏବଂ ଆମେ ନିଜ ପାଇଁ ନୁହେଁ, ବରଂ ଖ୍ରୀଷ୍ଟଙ୍କ ପାଇଁ ଜୀବନ ବଞ୍ଚିବା ।

ଯେଉଁ ମେଷମାନେ ଦୂରେଇ ଯାଇଛନ୍ତି

୧୪. କିଛି ଭାଇଭଉଣୀ ଈଶ୍ୱରଙ୍କ ପଲଠାରୁ କାହିଁକି ଦୂରେଇ ଯାଇଛନ୍ତି ?

୧୪ କିଛି ଭାଇଭଉଣୀ ସଭାକୁ ଆସିବା ବନ୍ଦ କରିଦେଇଛନ୍ତି । ସେମଧ୍ୟରୁ କିଛି ଭାଇଭଉଣୀ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଥିଲେ । ହେଲେ ସେମାନେ କାହିଁକି ମଣ୍ଡଳୀଠାରୁ ଦୂରେଇ ଚାଲିଗଲେ ? କିଛି ଭାଇଭଉଣୀ “ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ” ହୋଇପଡ଼ିଲେ । (ଲୂକ ୨୧:୩୪) ଆଉ କିଛିମାନେ ଅନ୍ୟମାନଙ୍କ ବ୍ୟବହାରରୁ ଝୁଣ୍ଟି ପଡ଼ିଲେ । (ଯାକୁ. ୩:୨) ଅନ୍ୟ କିଛି ଭାଇଭଉଣୀ ଗମ୍ଭୀର ପାପ କରିଛନ୍ତି, କିନ୍ତୁ ସେମାନେ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବା ପାଇଁ ସଂକୋଚ କରୁଛନ୍ତି । କʼଣ ଆପଣଙ୍କ ସହ ମଧ୍ୟ ଏପରି କିଛି ହୋଇଛି, ଯାହାଯୋଗୁଁ ଆପଣ ଈଶ୍ୱରଙ୍କ ପଲଠାରୁ ଦୂରେଇ ଯାଇଛନ୍ତି ? ତାହେଲେ ଆପଣ କʼଣ କରିପାରିବେ ? ଯିହୋବା ନିଜ ପୁତ୍ରଙ୍କ ମୁକ୍ତିର ମୂଲ୍ୟ ଦେଇ ଆପଣଙ୍କୁ ଯେଉଁ ପ୍ରେମ ଦେଖାଇଛନ୍ତି, ତାହା ଆପଣଙ୍କୁ କʼଣ କରିବା ପାଇଁ ବାଧ୍ୟ କରିପାରେ ?

୧୫. ଯିହୋବା ନିଜର ସେହି ମେଷମାନଙ୍କ ବିଷୟରେ କିପରି ଅନୁଭବ କରନ୍ତି, ଯେଉଁମାନେ ତାଙ୍କଠାରୁ ଦୂରେଇ ଯାଇଛନ୍ତି ? (ଯିହିଜିକଲ ୩୪:୧୧, ୧୨, ୧୬)

୧୫ ଭାବନ୍ତୁ ଯେ ଯିହୋବା ନିଜର ସେହି ମେଷମାନଙ୍କ ବିଷୟରେ କିପରି ଅନୁଭବ କରନ୍ତି, ଯେଉଁମାନେ ତାଙ୍କଠାରୁ ଦୂରେଇ ଯାଇଛନ୍ତି । ସେ ସେହି ମେଷମାନଙ୍କୁ ଅସ୍ୱୀକାର କରି ନାହାନ୍ତି, ଆଉ ନା ସେମାନଙ୍କୁ ଭୁଲି ଯାଇଛନ୍ତି । ଏହା ପରିବର୍ତ୍ତେ ସେ ହଜିଯାଇଥିବା ମେଷମାନଙ୍କୁ ଖୋଜନ୍ତି, ସେମାନଙ୍କୁ ଖାଇବାକୁ ଦିଅନ୍ତି ଓ ତାଙ୍କ ପାଖକୁ ଫେରି ଆସିବା ପାଇଁ ସାହାଯ୍ୟ ମଧ୍ୟ କରନ୍ତି । (ଯିହିଜିକଲ ୩୪:୧୧, ୧୨, ୧୬ ପଢ଼ନ୍ତୁ ।) କʼଣ ଯିହୋବା ଆପଣଙ୍କ ପାଇଁ ମଧ୍ୟ ଏପରି ହିଁ କରୁଛନ୍ତି ? ନିଶ୍ଚୟ ! ଆପଣ ଏହି ଲେଖାକୁ ପଢ଼ୁଛନ୍ତି, ଏହା ଏକଥାର ପ୍ରମାଣ ଯେ ଆପଣ ଏବେ ବି ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କୁ ଖୁସି କରିବା ପାଇଁ ଚାହାନ୍ତି । ଯିହୋବା ଆପଣଙ୍କର ଭଲ ଗୁଣଗୁଡ଼ିକୁ ଦେଖି ଆପଣଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥିଲେ । ସେ ଏବେ ବି ଆପଣଙ୍କର ଭଲ ଗୁଣଗୁଡ଼ିକୁ ଦେଖିପାରନ୍ତି ଏବଂ ସେ ଚାହାନ୍ତି ଯେ ଆପଣ ତାଙ୍କ ପାଖକୁ ଫେରି ଆସନ୍ତୁ ।

୧୬. ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ କେଉଁ କଥା ତାଙ୍କ ମେଷମାନଙ୍କୁ ସାହାଯ୍ୟ କରିପାରିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ୟହୋୱା କେ ପାସ୍‌ ଲୌଟ ଆଇଏ ପୁସ୍ତିକାରେ ଲେଖାଥିବା ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ: “ଆପଣ ଏକଥାର ପୂରା ଭରସା ରଖିପାରିବେ ଯେ ଯେବେ ଆପଣ ଯିହୋବାଙ୍କ ପାଖକୁ ଫେରି ଆସିବେ, ତେବେ ସେ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ । ସେ ଆପଣଙ୍କୁ ଚିନ୍ତାର ସାମନା କରିବା ପାଇଁ ସାହାଯ୍ୟ କରିବେ । ଯଦି ଭାଇଭଉଣୀଙ୍କ ଯୋଗୁଁ ଆପଣ ବହୁତ ନିରାଶ ହୋଇଯାଇଛନ୍ତି, ତାହେଲେ ଆପଣଙ୍କୁ ସମ୍ଭାଳିବା ପାଇଁ ଯିହୋବା ସାହାଯ୍ୟ କରିବେ । ସେ ଆପଣଙ୍କୁ ଦୋଷର ଭାବନା ସହ ଲଢ଼ିବା ପାଇଁ ଓ ଶୁଦ୍ଧ ବିବେକ ପାଇବା ପାଇଁ ସାହାଯ୍ୟ କରିବେ, ଯେଉଁଥିରୁ ଆପଣଙ୍କୁ ଶାନ୍ତି ମିଳିବ । ଏହାଦ୍ୱାରା ଆପଣ ପୁଣିଥରେ ନିଜର ଭାଇଭଉଣୀମାନଙ୍କ ସହ ମିଶି ଯିହୋବାଙ୍କ ସେବା କରିପାରିବେ ।” ଏହା ବି ମନେ ରଖନ୍ତୁ ଯେ ପ୍ରାଚୀନମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ସେମାନେ ଆପଣଙ୍କ ପାଇଁ “ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ” ହୋଇପାରନ୍ତି । (ଯିଶା. ୩୨:୨) ଆମେ ଜାଣୁ ଯେ ଆପଣ ମୁକ୍ତିର ମୂଲ୍ୟକୁ ବହୁମୂଲ୍ୟ ମନେ କରନ୍ତି ଏବଂ ଏହା ଦେଖାଇବା ପାଇଁ ଚାହାନ୍ତି ଯେ ଆପଣ ଯିହୋବାଙ୍କର ବହୁତ କୃତଜ୍ଞ ଅଛନ୍ତି । ତେଣୁ ନିଜକୁ ପଚାରନ୍ତୁ, ‘ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ମୁଁ କʼଣ କରିପାରିବି ?’ (ଯିଶା. ୧:୧୮; ୧ ପିତ. ୨:୨୫) ଯେପରି ଭାବନ୍ତୁ, କʼଣ ଆପଣ ରାଜ୍ୟଘରକୁ ସଭା ପାଇଁ ଯାଇପାରିବେ ? କʼଣ ଆପଣ କୌଣସି ପ୍ରାଚୀନଙ୍କ ସହ କଥା ହୋଇପାରିବେ ଏବଂ ତାଙ୍କୁ ସାହାଯ୍ୟ ମାଗିପାରିବେ ? ହୁଏତ ସେହି ପ୍ରାଚୀନ ଭାଇ ଅନ୍ୟ କୌଣସି ଭାଇ କିମ୍ବା ଭଉଣୀଙ୍କୁ ଆପଣଙ୍କ ସହିତ କିଛି ସମୟ ପାଇଁ ବାଇବଲ ଅଧ୍ୟୟନ କରିବା ପାଇଁ କହିବେ । କିନ୍ତୁ ଭରସା ରଖନ୍ତୁ, ଆପଣ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ଓ ମୁକ୍ତିର ମୂଲ୍ୟକୁ ବହୁମୂଲ୍ୟ ମନେ କରିବା ପାଇଁ ଯାହା କରିବେ, ତାହା ଉପରେ ଯିହୋବା ନିଶ୍ଚୟ ଆଶିଷ ଦେବେ ।

ଜଣେ ବୃଦ୍ଧ ଭାଇ ରାଜ୍ୟଘର ବାହାରେ ବାଇବଲ ଧରି ଛିଡ଼ା ହୋଇଛନ୍ତି । ସେ ଭାଇଭଉଣୀମାନଙ୍କୁ ପରସ୍ପରକୁ ସ୍ୱାଗତ କରିବାର ଦେଖୁଛନ୍ତି ।

ନିଜକୁ ପଚାରନ୍ତୁ, ‘ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ମୁଁ କʼଣ କରିପାରିବି ?’ (ପାରାଗ୍ରାଫ ୧୬)


ଆପଣ କʼଣ କରିବେ ?

୧୭-୧୮. ଏହି ବର୍ଷ ସ୍ମାରକ ପୂର୍ବରୁ ଆମେ କେଉଁ କଥା ବିଷୟରେ ଭାବିପାରିବା ?

୧୭ ଯୀଶୁ କହିଥିଲେ ଯେ ଯିହୋବା ଏଥିପାଇଁ ନିଜ ପୁତ୍ରକୁ ବଳିଦାନ କଲେ, ଯେଉଁଥିରୁ “ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” (ଯୋହ. ୩:୧୬) ମୁକ୍ତିର ମୂଲ୍ୟ ଜରିଆରେ ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ଉଦ୍ଧାର କରନ୍ତି । ତେଣୁ ଆମେ କେବେ ବି ଏହାକୁ ସାଧାରଣ କଥା ଭାବିବା ଉଚିତ୍‌ ନୁହେଁ । (ରୋମୀ. ୩:୨୩, ୨୪; ୨ କରି. ୬:୧) ତାହେଲେ ଆସନ୍ତୁ ଆମେ ସ୍ମାରକ ପୂର୍ବରୁ ସମୟ ବାହାର କରି ଏବିଷୟରେ ଭାବିବା ଯେ ଯିହୋବା ଓ ଯୀଶୁ ଆମକୁ କେତେ ପ୍ରେମ ଦେଖାଇଛନ୍ତି । ସେମାନଙ୍କ ପ୍ରେମ ଆମକୁ ବାଧ୍ୟ କରିବ ଯେ ଆମେ ମଧ୍ୟ ତାଙ୍କ ପାଇଁ ନିଜ ପ୍ରେମ ଦେଖାଉ ।

୧୮ ଆପଣ କିପରି ଦେଖାଇବେ ଯେ ଆପଣ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞ ଅଛନ୍ତି ? ହୁଏତ ଆପଣ ଯେପରି ଭାବେ ନିଜର କୃତଜ୍ଞତା ଦେଖାଇବେ, ତାହା ଅନ୍ୟମାନଙ୍କଠାରୁ ଅଲଗା ଥାଇପାରେ । କିନ୍ତୁ ଭରସା ରଖନ୍ତୁ, ଆପଣ କୃତଜ୍ଞତା ଦେଖାଇବା ପାଇଁ ଯାହା ବି କରିବେ, ଯିହୋବା ତାହା ଉପରେ ନିଶ୍ଚୟ ଆଶିଷ ଦେବେ ! ତାଙ୍କୁ ଏହା ଦେଖି ଖୁସି ଲାଗେ ଯେ ଆପଣ ଏବଂ ସାରା ଦୁନିଆରେ ଥିବା ତାଙ୍କ ଲକ୍ଷ ଲକ୍ଷ ସେବକମାନେ “ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍‌ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି ।”—୨ କରି. ୫:୧୫.

ତଳେ ଦିଆଯାଇଥିବା ବ୍ୟକ୍ତିମାନେ କିପରି ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞତା ଦେଖାଇପାରିବେ ?

  • ବାଇବଲ ବିଦ୍ୟାର୍ଥୀ

  • ବାପ୍ତିସ୍ମପ୍ରାପ୍ତ ଭାଇଭଉଣୀ

  • ଯେଉଁ ମେଷମାନେ ଦୂରେଇ ଯାଇଛନ୍ତି

ଗୀତ ୧୭ “ମୁଁ ଇଚ୍ଛା କରୁଅଛି”

a ଆପଣ ବାଇବଲରୁ ଯେଉଁ କଥାଗୁଡ଼ିକ ଶିଖୁଛନ୍ତି, ତାହା ଅନୁସାରେ ବଞ୍ଚିବା ପାଇଁ ଆପଣ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପ୍ରତ୍ୟେକ ପାଠର ଶେଷରେ ଦିଆଯାଇଥିବା “ଲକ୍ଷ୍ୟ” ନାମକ ବକ୍ସକୁ ଦେଖନ୍ତୁ ।

b ଆପଣ ନିଜ ପାଇଁ କେଉଁ ପ୍ରକାରର ଲକ୍ଷ୍ୟ ରଖିପାରିବେ, ତାହା ଜାଣିବା ପାଇଁ ମେ ୨୦୨୩ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣ ନିଜ ଲକ୍ଷ୍ୟ ହାସଲ କରିପାରିବେ !” ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ