‘ପବିତ୍ର ଶକ୍ତି ଦ୍ୱାରା ଏକତା ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ’
ପ୍ରେରିତ ପାଉଲ ଏଫିସୀର ଖ୍ରୀଷ୍ଟିୟାନମାନଙ୍କୁ ଅନୁରୋଧ କଲେ ଯେ ସେମାନେ ‘ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ; ଶାନ୍ତିରୂପ ବନ୍ଧନରେ ପବିତ୍ର ଶକ୍ତି ଦ୍ୱାରା ଏକତା ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅନ୍ତୁ ।’—ଏଫି. ୪:୨, ୩.
ଆମ ମଧ୍ୟରେ ଯେଉଁ “ଐକ୍ୟ” ବା ଏକତା ରହିଛି, ତାହା ପରମେଶ୍ୱରଙ୍କ ପବିତ୍ର ଶକ୍ତି ଦ୍ୱାରା ରହେ । କିନ୍ତୁ ପାଉଲ କହିଲେ ଯେ ଏହି ଏକତାକୁ ରକ୍ଷା କରିବାକୁ ପଡ଼େ । ହେଲେ ଏକତା ରକ୍ଷା କରିବାର ଦାୟିତ୍ୱ କାହାର ? ପ୍ରକୃତରେ ପ୍ରତ୍ୟେକ ଖ୍ରୀଷ୍ଟିୟାନମାନଙ୍କର ଏହି ଦାୟିତ୍ୱ ରହିଛି ଯେ ସେମାନେ ‘ଏକତା ରକ୍ଷା କରିବା ନିମନ୍ତେ’ ପୂରା ଚେଷ୍ଟା କରନ୍ତୁ ।
ଭାବନ୍ତୁ, କେହି ଆପଣଙ୍କୁ ଗୋଟିଏ କାର ଉପହାରରେ ଦେଇଛନ୍ତି । ହେଲେ ତାହାକୁ ଭଲ ଅବସ୍ଥାରେ ରଖିବାର ଦାୟିତ୍ୱ କାହାର ? ନିଶ୍ଚୟ ଆପଣଙ୍କର । ଯଦି ସେହି କାର ଖରାପ ହୋଇଯାଏ, ହେଲେ ଆପଣ ଉପହାର ଦେଇଥିବା ବ୍ୟକ୍ତିଙ୍କୁ ଦାୟୀ ବୋଲି କହିପାରିବେ ନାହିଁ । ଏପରି କାହିଁକି ? କାରଣ ଆପଣ ତାହାକୁ ଭଲ ଅବସ୍ଥାରେ ରଖିଲେ ନାହିଁ ବୋଲି କାରଟି ଖରାପ ହେଲା ।
ସେହିପରି ଆମ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଯେଉଁ ଏକତା ଅଛି, ତାହା ପରମେଶ୍ୱରଙ୍କ ତରଫରୁ ଗୋଟିଏ ଉପହାର । କିନ୍ତୁ ଏହି ଏକତା ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଯଦି କେହି ଭାଇ କିମ୍ବା ଭଉଣୀଙ୍କ ସାଙ୍ଗରେ ଆପଣଙ୍କର ସମ୍ପର୍କ ଖରାପ ହୋଇଯାଏ ହେଲେ ଭାବନ୍ତୁ, ‘କʼଣ ମଣ୍ଡଳୀରେ ଏକତା ରକ୍ଷା କରିବା ପାଇଁ ମୁଁ ନିଜ ତରଫରୁ ମାମଲାକୁ ସମାଧାନ କରିବା ପାଇଁ ପୂରା ଚେଷ୍ଟା କରୁଛି ?’
ଏକତା ରକ୍ଷା କରିବା ପାଇଁ ପୂରା ଚେଷ୍ଟା କରନ୍ତୁ
ଯେପରି ପାଉଲ କହିଲେ, ପବିତ୍ର ଶକ୍ତି ଦ୍ୱାରା ମିଳିଥିବା ଏକତାକୁ ରକ୍ଷା କରିବା ବେଳେବେଳେ ଆମ ପାଇଁ କଠିନ ହୋଇପାରେ । ବିଶେଷ କରି ଯେବେ କେହି ଭାଇ କିମ୍ବା ଭଉଣୀ ଆମକୁ କଷ୍ଟ ପହଞ୍ଚାନ୍ତି । ଏକତା ରକ୍ଷା କରିବା ପାଇଁ ସବୁବେଳେ ଜରୁରୀ ନୁହେଁ ଯେ ଆମେ ସେହି ବ୍ୟକ୍ତିଙ୍କ ସହିତ ସେହି ବିଷୟରେ କଥା ହେବା । ଏହା ପରିବର୍ତ୍ତେ ଆମେ ନିଜକୁ ପଚାରି ପାରିବା, ‘କʼଣ ଏହି ବିଷୟରେ କଥା ହେଲେ ମାମଲା ସମାଧାନ ହେବ ଏବଂ ଏକତା ରକ୍ଷା ହେବ ନା ମାମଲା ଆହୁରି ଖରାପ ହୋଇଯିବ ?’ ବେଳେବେଳେ ମାମଲାକୁ ଅଣଦେଖା କରି ସେହି ବ୍ୟକ୍ତିଙ୍କୁ କ୍ଷମା କରିଦେବା ଭଲ ହୋଇଥାଏ ।—ହିତୋ. ୧୯:୧୧; ମାର୍କ ୧୧:୨୫.
ନିଜକୁ ପଚାରନ୍ତୁ, ‘କʼଣ ଏହି ବିଷୟରେ କଥା ହେଲେ ମାମଲା ସମାଧାନ ହେବ ଏବଂ ଏକତା ରକ୍ଷା ହେବ ନା ମାମଲା ଆହୁରି ଖରାପ ହୋଇଯିବ ?’
ଯେପରି ପାଉଲ କହିଲେ, “ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ ।” (ଏଫି. ୪:୨) ଗୋଟିଏ ବହିରେ କୁହାଯାଇଛି ଯେ ଆମେ ଏହାକୁ ଏପରି ବି କହିପାରିବା: “ପରସ୍ପରକୁ ତାଙ୍କ ବ୍ୟକ୍ତିତ୍ୱ ସହିତ ଆପଣାନ୍ତୁ ।” ଏହାର ଅର୍ଥ ହେଉଛି ଯେ ଆମକୁ ଏହା ସ୍ୱୀକାର କରିବାକୁ ହେବ ଯେ ଆମ ଭାଇଭଉଣୀ ମଧ୍ୟ ଆମ ପରି ପାପୀ ଅଟନ୍ତି । ଏହା ସତ ଯେ ଆମେ ସମସ୍ତେ “ନୂତନ ସ୍ୱଭାବ” ପରିଧାନ କରିବା ପାଇଁ ଚେଷ୍ଟା କରୁଛୁ । (ଏଫି. ୪:୨୩, ୨୪) କିନ୍ତୁ ଆମ ମଧ୍ୟରୁ କେହି ବି ପୂରାପୂରି ଭାବେ ଏପରି କରିପାରିବେ ନାହିଁ । (ରୋମୀ. ୩:୨୩) ଯଦି ଆମେ ଏହି କଥାକୁ ବୁଝିବା, ତାହେଲେ ପରସ୍ପର ପ୍ରତି ସହନଶୀଳ ହେବା ଏବଂ ତାଙ୍କୁ କ୍ଷମା କରିବା ଆମ ପାଇଁ ସହଜ ହୋଇଯିବ । ଏପରି କରି ଆମେ ‘ପବିତ୍ର ଶକ୍ତି ଦ୍ୱାରା ଏକତା ରକ୍ଷା କରିବା ନିମନ୍ତେ ଯତ୍ନବାନ ହେବା ।’
ଯେତେବେଳେ ଆମେ ମାମଲାକୁ ସମାଧାନ କରି ବ୍ୟକ୍ତି ଜଣକୁ କ୍ଷମା କରିଦେଉ କିମ୍ବା ଯାହା ହୋଇଛି ତାହାକୁ ଅଣଦେଖା କରିଦେଉ, ତାହେଲେ ଆମେ ସେହି ‘ଶାନ୍ତି’ ଅନୁଭବ କରିଥାଉ, ଯାହା ଆମକୁ ‘ଏକତା ରକ୍ଷା କରିବା’ ପାଇଁ ସାହାଯ୍ୟ କରେ । ଏଫିସୀୟ ୪:୩ ପଦରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ଐକ୍ୟ ରକ୍ଷା କରିବା” କରାଯାଇଛି, ତାହାର ଅର୍ଥ ଲିଗାମେଣ୍ଟ ବି ହୋଇପାରେ । ଲିଗାମେଣ୍ଟ ଆମ ଶରୀରର ହାଡ଼ଗୁଡ଼ିକୁ ପରସ୍ପର ସହିତ ଯୋଡ଼ି ରଖେ । (କଲ. ୨:୧୯)ସେହିପରି ଆମ ମଧ୍ୟରେ ଯେଉଁ ଶାନ୍ତି ଓ ପ୍ରେମ ଅଛି, ତାହା ଆମକୁ ସେହି ସମୟରେ ବି ପରସ୍ପର ସହିତ ଯୋଡ଼ି ରଖେ ଯେବେ ଆମ ସମ୍ପର୍କ ଠିକ୍ ରହେନି ।
ସେଥିପାଇଁ ଯେବେ କେହି ଭାଇ କିମ୍ବା ଭଉଣୀ ଆପଣଙ୍କୁ କଷ୍ଟ ପହଞ୍ଚାନ୍ତି କିମ୍ବା ଏପରି କିଛି କରନ୍ତି ଯାହାଦ୍ୱାରା ଆପଣଙ୍କୁ ଖରାପ ଲାଗେ, ତାହେଲେ ତାଙ୍କ ଭୁଲଗୁଡ଼ିକୁ ଖୋଜିବା ପରିବର୍ତ୍ତେ ତାଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । (କଲ. ୩:୧୨) ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ, ତେଣୁ ଆପଣ ମଧ୍ୟ କେବେ ନା କେବେ କାହାରିକୁ କଷ୍ଟ ପହଞ୍ଚାଇ ଥିବେ । ଯଦି ଆପଣ ଏହି କଥାକୁ ମନେ ରଖିବେ, ତାହେଲେ ଆପଣ ‘ପବିତ୍ର ଶକ୍ତି ଦ୍ୱାରା ଏକତା ରକ୍ଷା କରିବା ନିମନ୍ତେ ଯତ୍ନବାନ ହେବେ ।’