ଆପଣଙ୍କ ପ୍ରଶ୍ନ
ଯିହୋବା ଖୁବ୍ ଶୀଘ୍ର ରାଷ୍ଟ୍ରଗୁଡ଼ିକ ମନରେ କେଉଁ “ପ୍ରବୃତ୍ତି” ଦେବେ ?
ମହାକ୍ଳେଶର ଆରମ୍ଭ ବିଷୟରେ ପ୍ରକାଶିତ ବାକ୍ୟ ୧୭:୧୬,୧୭ ପଦରେ ଲେଖାଅଛି, ‘ପୁଣି ଯେଉଁ ଦଶ ଶୃଙ୍ଗ ଦେଖିଲ, ସେହିସବୁ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ୍ନ ଓ ଉଲଙ୍ଗ କରିବେ, ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ । କାରଣ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ୱର ସେମାନଙ୍କ ମନରେ ପ୍ରବୃତ୍ତି ଦେଲେ ।’ ପୂର୍ବେ ଆମ ପ୍ରକାଶନଗୁଡ଼ିକରେ କୁହାଯାଇଥିଲା ଯେ ରାଷ୍ଟ୍ରଗୁଡ଼ିକ ମନରେ ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିବାର ପ୍ରବୃତ୍ତି ଦେବେ ।
କିନ୍ତୁ ଆମକୁ ନିଜ ଜ୍ଞାନରେ ପରିବର୍ତ୍ତନ କରିବାକୁ ପଡ଼ିବ । ଯିହୋବା ରାଷ୍ଟ୍ରଗୁଡ଼ିକ ମନରେ ଏହି “ପ୍ରବୃତ୍ତି” ଦେବେ ଯେ ସେମାନେ ‘ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତୁ ।’ ଏହା କିପରି ହେବ, ତାହା ବୁଝିବା ପାଇଁ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ।
ଏହି ଭବିଷ୍ୟତବାଣୀରେ କୁହାଯାଇଥିବା ମୁଖ୍ୟ ଚରିତ୍ର କିଏ ? ‘ବେଶ୍ୟା’ ପୂରା ଦୁନିଆରେ ସାମ୍ରାଜ୍ୟ ଭଳି ବ୍ୟାପିଥିବା ମିଥ୍ୟା ଧର୍ମଗୁଡ଼ିକୁ ଦର୍ଶାଏ । ଏହାକୁ “ମହାନଗରୀ ବାବିଲ” ବି କୁହାଯାଇଛି । ‘ଲୋହିତବର୍ଣ୍ଣର ଜଙ୍ଗଲୀ ପଶୁ’ ‘ମିଳିତ ଜାତିସଂଘକୁ’ ଦର୍ଶାଏ । ଏହି ସଂଘର ଆରମ୍ଭ ୧୯୧୯ ମସିହାରେ ପୂରା ଦୁନିଆରେ ଶାନ୍ତି ରକ୍ଷା କରିବାର ଉଦ୍ଦେଶ୍ୟରେ କରାଯାଇଥିଲା । ସେସମୟରେ ଏହା “ଜାତିସଂଘ” ନାମରେ ଜଣା ଯାଉଥିଲା । (ପ୍ରକା. ୧୭:୩-୫) ଦଶ ଶୃଙ୍ଗ ସମସ୍ତ ସରକାରକୁ ଦର୍ଶାଏ, ଯିଏ ଜଙ୍ଗଲୀ ପଶୁକୁ ସହଯୋଗ କରେ ।
ବେଶ୍ୟା ଓ ଲୋହିତବର୍ଣ୍ଣର ଜଙ୍ଗଲୀ ପଶୁ ମଧ୍ୟରେ କʼଣ ସଂପର୍କ ରହିଛି ? ଏହି ବେଶ୍ୟା ଜଙ୍ଗଲୀ ପଶୁ ଉପରେ ‘ବସିଛି ।’ ଏହାର ଅର୍ଥ ସେ ସେହି ପଶୁକୁ ସହଯୋଗ କରେ ଏବଂ ତାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରେ ।
ବେଶ୍ୟା ସହିତ କʼଣ ହେବ ? ଜଙ୍ଗଲୀ ପଶୁ ଓ ତାହାକୁ ସହଯୋଗ କରୁଥିବା ଦଶ ଶୃଙ୍ଗ ସେହି “ବେଶ୍ୟାକୁ ଘୃଣା କରିବେ ।” ସେମାନେ ସେହି ବେଶ୍ୟାର ସବୁକିଛି ଲୁଟି ନେବେ ଏବଂ ସମସ୍ତଙ୍କ ସାମନାରେ ଏପରି ଦେଖାଇବେ ଯେ ସେ କେତେ ଦୁଷ୍ଟ ଅଟେ । ଏହାପରେ ସେମାନେ ତାକୁ ପୂରାପୂରି ବିନାଶ କରିଦେବେ, ଠିକ୍ ଯେପରି ଯିହୋବା କହିଥିଲେ । (ପ୍ରକା. ୧୭:୧; ୧୮:୮) ଏହିପରି ଭାବେ ମିଥ୍ୟା ଧର୍ମଗୁଡ଼ିକର ବିନାଶ ହୋଇଯିବ, କିନ୍ତୁ ଏହି ଘଟଣା ପୂର୍ବରୁ ଯିହୋବା ରାଷ୍ଟ୍ରଗୁଡ଼ିକୁ ଏପରି କିଛି କରିବା ପାଇଁ ପ୍ରେରିତ କରିବେ, ଯାହା ଆଜି ପର୍ଯ୍ୟନ୍ତ କେବେ ବି ହୋଇ ନାହିଁ ।
ଯିହୋବା ରାଷ୍ଟ୍ରଗୁଡ଼ିକୁ କʼଣ କରିବା ପାଇଁ ପ୍ରେରିତ କରିବେ ? ସେ ଦଶ ଶୃଙ୍ଗ ଅର୍ଥାତ୍ ସରକାରଗୁଡ଼ିକ ମନରେ ନିଜର ଏହି “ପ୍ରବୃତ୍ତି” ଦେବେ ଯେ ସେମାନେ ‘ଜଙ୍ଗଲୀ ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା’ ଦିଅନ୍ତୁ ଅର୍ଥାତ୍ ‘ମିଳିତ ଜାତିସଂଘକୁ’ ଦିଅନ୍ତୁ । (ପ୍ରକା. ୧୭:୧୩) ଭାବନ୍ତୁ, ଏହାର ଅର୍ଥ କʼଣ ? କʼଣ ସରକାର ନିଜ ଇଚ୍ଛାରୁ ଆପଣା ଶକ୍ତି ଓ କ୍ଷମତା ଲୋହିତବର୍ଣ୍ଣ ପଶୁକୁ ଦେଇଦେବ ? ନୁହଁ, ଭବିଷ୍ୟତବାଣୀରୁ ଜଣାପଡ଼େ ଯେ ଯିହୋବା ସେମାନଙ୍କୁ ଏପରି କରିବା ପାଇଁ ପ୍ରେରିତ କରିବେ । (ହିତୋ. ୨୧:୧; ଯିଶାଇୟ ୪୪:୨୮ ପଦ ସହ ତୁଳନା କରନ୍ତୁ ।) କʼଣ ଏହି ପରିବର୍ତ୍ତନ ଧିରେ ଧିରେ ହେବ ? ନା, ଏହା ହଠାତ୍ ହେବ । ଯେବେ ଲୋହିତବର୍ଣ୍ଣ ପଶୁ ପାଖରେ ବହୁତ ଶକ୍ତି ଓ କ୍ଷମତା ଥିବ, ତେବେ ସେ ଯିହୋବାଙ୍କ ଇଚ୍ଛା ଅନୁସାରେ ସମସ୍ତ ମିଥ୍ୟା ଧର୍ମଗୁଡ଼ିକୁ ସବୁଦିନ ପାଇଁ ବିନାଶ କରିଦେବ ।
ଆମେ ଭବିଷ୍ୟତ ପାଇଁ କʼଣ ଆଶା ରଖିପାରିବା ? ଆମେ ଏହା ଆଶା ରଖିବାନି ଯେ ଖବରଗୁଡ଼ିକରେ ଏବିଷୟରେ କୁହାଯିବ ଯେ ସରକାରଗୁଡ଼ିକ ‘ମିଳିତ ଜାତିସଂଘକୁ’ ଆହୁରି ସହଯୋଗ କରିବାକୁ ଲାଗିଛି । ଏହା ପରିବର୍ତ୍ତେ ଆମେ ଏପରି ଆଶା ରଖିପାରିବା ଯେ ଯିହୋବା ହଠାତ୍ ରାଷ୍ଟ୍ରଗୁଡ଼ିକ ମନରେ ଆପଣା ଶକ୍ତି ଲୋହିତବର୍ଣ୍ଣ ଜଙ୍ଗଲୀ ପଶୁକୁ ଅର୍ଥାତ୍ ‘ମିଳିତ ଜାତିସଂଘକୁ’ ଦେବା ପାଇଁ ପ୍ରେରିତ କରିବେ । ଏପରି ହେଲେ ଆମେ ବୁଝିଯିବା ଯେ ମହାକ୍ଳେଶ ଅତିଶୀଘ୍ର ଆରମ୍ଭ ହେବ । କିନ୍ତୁ ସେସମୟ ଯାଏ ଆମେ ‘ଜାଗ୍ରତ ହୋଇ ସଚେତନ ରହିବା,’ କାରଣ ଖୁବ୍ ଶୀଘ୍ର ହଠାତ୍ ଅନେକ ପରିବର୍ତ୍ତନ ହେବାକୁ ଯାଉଛି ।—୧ ଥେସ. ୫:୬.