ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମିଛ କଥା ପ୍ରସାର କରନ୍ତୁ ନାହିଁ !
ଆଜି ଇଣ୍ଟରନେଟ୍, ଟିଭି, ବହିପତ୍ରିକା ଓ ରେଡିଓ ଜରିଆରେ ଯେକୌଣସି ତଥ୍ୟ ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ପହଞ୍ଚାଇବା ସମ୍ଭବ ହେଇଥାଏ । ଆମେ ‘ସତ୍ୟମୟ ପରମେଶ୍ୱରଙ୍କର’ ଉପାସନା କରୁ । ତେଣୁ ଆମେ ଅଜାଣତରେ ମଧ୍ୟ କେବେ ମିଛ ତଥ୍ୟ ପ୍ରସାର କରିବା ଉଚିତ୍ ନୁହେଁ । (ଗୀତ ୩୧:୫; ଯାତ୍ରା ୨୩:୧) ମିଛ ତଥ୍ୟର ପ୍ରସାର ହେଲେ ବହୁତ କ୍ଷତି ହେବାର ସମ୍ଭାବନା ଥାଏ । କୌଣସି ତଥ୍ୟ ସଠିକ୍ ନା ନୁହେଁ ଜାଣିବା ପାଇଁ ନିଜକୁ ପଚାରନ୍ତୁ:
‘କଅଣ ଏହା କୌଣସି ବିଶ୍ୱାସଯୋଗ୍ୟ ବ୍ୟକ୍ତି ଦେଇଛନ୍ତି ?’ ଏପରି ମଧ୍ୟ ହୋଇପାରେ ଯେ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କୁ ସବୁକିଛି ଜଣା ନ ଥିବ । ଅନେକ ଥର ଜଣେ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତି ପର୍ଯ୍ୟନ୍ତ କଥା ପହଞ୍ଚୁ ପହଞ୍ଚୁ ତାହା ବଦଳିଯାଇଥାଏ । ତେଣୁ ଯଦି ଆପଣଙ୍କୁ ଜଣା ନାହିଁ ଯେ କଥାଟିକୁ କିଏ ଆରମ୍ଭ କରିଛି, ତେବେ ଆଖି ବୁଜି ତାକୁ ବିଶ୍ୱାସ କରନ୍ତୁ ନାହିଁ । ପ୍ରାଚୀନମାନେ ଏହା ପ୍ରତି ଆହୁରି ଧ୍ୟାନ ଦେବା ଉଚିତ୍ । ସେମାନେ ଯାହା ମଧ୍ୟ ତଥ୍ୟ ଦିଅନ୍ତି ତାହା ସଠିକ୍ ହେବା ଉଚିତ୍, କାରଣ ସେମାନେ ଯାହା କହନ୍ତି ଆମେ ସମସ୍ତେ ବିଶ୍ୱାସ କରିଥାଉ ।
‘କଅଣ ଏହାଦ୍ୱାରା କାହାରି ନାମ ଖରାପ ହୋଇପାରେ ?’ ଯଦି କୌଣସି କଥାରୁ କେହି ବଦନାମ ହେବାର ସମ୍ଭାବନା ଥାଏ, ତେବେ ଆମେ ତାହା ସମସ୍ତଙ୍କୁ କହି ଚାଲିବା ଉଚିତ୍ ନୁହେଁ ।—ହିତୋ ୧୮:୮; ଫିଲିପ୍ ୪:୮
‘କଅଣ ଏହି ତଥ୍ୟକୁ ବିଶ୍ୱାସ କରାଯାଇପାରିବ ?’ ଚାଞ୍ଚଲ୍ୟକର ଖବରଗୁଡ଼ିକୁ ତୁରନ୍ତ ସତ ବୋଲି ଭାବନ୍ତୁ ନାହିଁ ।
ବାଜେ ଗପସପକୁ କିପରି ରୋକିବା ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ହିତୋପଦେଶ ୧୨:୧୮ ପଦ ଅନୁସାରେ ଆମ କଥାରୁ ଅନ୍ୟମାନଙ୍କର କିପରି କ୍ଷତି ହୋଇପାରେ ?
ଅନ୍ୟମାନଙ୍କ ବିଷୟରେ କଥା ହେବା ସମୟରେ ଫିଲିପ୍ପୀୟ ୨:୪ ପଦ କାହିଁକି ମନେ ରଖିବା ଉଚିତ୍ ?
ଯେତେବେଳେ ଅନ୍ୟମାନେ କାହାରି ନିନ୍ଦା କରିବାକୁ ଲାଗନ୍ତି, ଆମେ କʼଣ କରିବା ଉଚିତ୍ ?
ଅନ୍ୟମାନଙ୍କ ବିଷୟରେ ଗପସପ କରିବା ପୂର୍ବରୁ ଆମେ କʼଣ ଭାବିବା ଉଚିତ୍ ?