ଫଟୋ, ଚିତ୍ର, ମୂକ ଭିଡିଓ ଓ ଆନିମେସନ୍ ସାହାଯ୍ୟରେ ଆମେ ବାଇବଲରେ ଦିଆଯାଇଥିବା ବିଭିନ୍ନ ବିଷୟଗୁଡ଼ିକୁ ବୁଝିପାରୁ।
ବେଥ୍ଫାଗୀ, ଜୀତ ପର୍ବତ ଓ ଯିରୂଶାଲମ
ଏହି ସଂକ୍ଷିଯ୍ତ ଭିଡିଓରେ ପୂର୍ବ ଦିଗରୁ ଯିରୂଶାଲମ ପର୍ଯ୍ୟନ୍ତ ରାସ୍ତା ଦେଖାଯାଇଛି। ଏହି ରାସ୍ତା ଏଟ୍-ଟୂର୍ ନାମକ ଗାଁଠାରୁ ଜୀତ ପର୍ବତର ଏକ ଉଚ୍ଚ ସ୍ଥାନ ପର୍ଯ୍ୟନ୍ତ ଯାଇଛି। ବର୍ତ୍ତମାନର ଏଟ୍-ଟୂର୍ ବାଇବଲରେ କୁହାଯାଇଥିବା ବେଥ୍ଫାଗୀ ଗାଁ ଅଟେ। ଏହାର ପୂର୍ବ ଦିଗରେ ଅର୍ଥାତ୍ ଜୀତ ପର୍ବତର ପୂର୍ବୀୟ ଢାଲୁ ଅଞ୍ଚଳରେ ବେଥନୀୟା ଗାଁ ଥିଲା। ଯେତେବେଳେ ଯୀଶୁ ଯିରୂଶାଲମକୁ ଆସୁଥିଲେ, ସେ ଓ ତାହାଙ୍କ ଶିଷ୍ୟମାନେ ସାଧାରଣତଃ ବେଥନୀୟାରେ ରାତ୍ରିଯାପନ କରୁଥିଲେ, ଯାହା ଆଜି ଏଲ୍-ଅଜାରୀୟା (କିମ୍ବା ଏଲ୍ ଆଇଜାରୀୟା) ନାମରେ ପରିଚିତ। ଏହା ଏକ ଆରବୀ ନାମ, ଯାହାର ଅର୍ଥ, “ଲାଜାରଙ୍କ ଜାଗା।” ଯୀଶୁ ଏଠାରେ ମାର୍ଥା, ମରୀୟମ ଓ ଲାଜାରଙ୍କ ଘରେ ରହୁଥିଲେ। (ମାଥି ୨୧:୧୭; ମାର୍କ ୧୧:୧୧; ଲୂକ ୨୧:୩୭; ଯୋହ ୧୧:୧) ଯେତେବେଳେ ଯୀଶୁ ସେମାନଙ୍କ ଘରୁ ଯିରୂଶାଲମକୁ ଯାଉଥିଲେ, ହୁଏତ ସେ ଏହି ରାସ୍ତା ଦେଇ ଯାଉଥିଲେ, ଯାହା ଏହି ଭିଡିଓରେ ଦେଖାଯାଇଛି। ଯେତେବେଳେ ଯୀଶୁ ୩୩ ଖ୍ରୀଷ୍ଟାବ୍ଦର ନୀସନ୍ ମାସର ୯ ତାରିଖରେ ଏକ ଗଧ ଛୁଆ ଉପରେ ବସି ଜୀତ ପର୍ବତରୁ ଯିରୂଶାଲମରେ ପ୍ରବେଶ କଲେ, ସେ ବେଥ୍ଫାଗୀରୁ ଏହିପରି କରିଥିବେ।
୧. ବେଥନୀୟାରୁ ବେଥ୍ଫାଗୀକୁ ରାସ୍ତା
୨. ବେଥ୍ଫାଗୀ
୩. ଜୀତ ପର୍ବତ
୪. କିଦ୍ରୋଣ ଉପତ୍ୟକା
୫. ମନ୍ଦିର
ଗୋଇଠି ହାଡ଼ରେ କଣ୍ଟା
ଏହି ଫଟୋରେ ଆମେ ଦେଖୁଛୁ ଯେ ଏକ ହାଡ଼ରେ ୧୧.୫ ସେଣ୍ଟିମିଟର (ବା ୪.୫ ଇଞ୍ଚ୍) ଲମ୍ବା ଏକ ଲୁହା କଣ୍ଟା ପିଟାଯାଇଛି। ଏହା ମଣିଷର ଗୋଇଠିରେ ଥିବା ହାଡ଼ର ଏକ ଅବିକଳ ନକଲ ଅଟେ, ପ୍ରକୃତ ହାଡ଼ ନୁହେଁ। ପ୍ରକୃତ ହାଡ଼ଖଣ୍ଡଟି ୧୯୬୮ ମସିହାରେ ପ୍ରାଚୀନ ଧ୍ୱଂସାବଶେଷର ଗବେଷଣାକାରୀ ବା ପ୍ରତ୍ନତତ୍ତ୍ୱବିତ୍ମାନଙ୍କୁ ଉତ୍ତର ଯିରୂଶାଲମରେ ଖୋଦନ କରିବା ସମୟରେ ମିଳିଥିଲା। ଏହା ରୋମୀୟମାନଙ୍କ ସମୟର ଥିଲା। ଏହା ଏକ ପ୍ରମାଣ ଯେ ଜଣେ ବ୍ୟକ୍ତିକୁ କାଠ ଖୁଣ୍ଟରେ ପିଟି ମୃତ୍ୟୁଦଣ୍ଡ ଦେବା ସମୟରେ କଣ୍ଟାର ବ୍ୟବହାର କରାଯାଉଥିଲା। ରୋମୀ ସୈନିକମାନେ ହୁଏତ ଠିକ୍ ଏଭଳି କଣ୍ଟା ସାହାଯ୍ୟରେ ଯୀଶୁ ଖ୍ରୀଷ୍ଟଙ୍କୁ କାଠ ଖୁଣ୍ଟରେ ପିଟିଥିଲେ। ଏହି ହାଡ଼ଖଣ୍ଡଟି ପଥରର ଏକ ବାକ୍ସରେ ମିଳିଥିଲା, ଯେଉଁଥିରେ ଶବ ପଚିଯିବା ପରେ ତାʼର ହାଡ଼ଗୁଡ଼ିକୁ ରଖାଯାଉଥିଲା। ଏଥିରୁ ଜଣାପଡ଼େ ଯେ କାହାରିକୁ କାଠ ଖୁଣ୍ଟରେ କଣ୍ଟା ପିଟି ମାରିବା ପରେ ତାʼର ଶବକୁ ବେଳେ ବେଳେ ମାଟି ତଳେ ପୋତି ଦିଆଯାଉଥିଲା।—ମାଥି ୨୭:୩୫.