ଯେବେ ଜୀବନସାଥୀ ବିଶ୍ୱାସଘାତ କରେ
ଯେବେ କାହାରି ଜୀବନସାଥୀ ବିଶ୍ୱାସଘାତ କରେ, ତେବେ ତାʼର ସଂସାର ପୂରା ଉଜୁଡ଼ି ଯାଏ । ଏହା ସତ ଯେ ବେଳେବେଳେ ବିଶ୍ୱାସଘାତ କରିଥିବା ସାଥୀ କ୍ଷମା ମାଗେ ଏବଂ ତାʼ ସାଥୀ ମଧ୍ୟ ତାକୁ କ୍ଷମା କରିଦିଏ ଓ ସେମାନେ ପୁଣିଥରେ ସାଙ୍ଗରେ ମିଶି ରହନ୍ତି ।a କିନ୍ତୁ କିଛି ଲୋକମାନଙ୍କର ବିବାହ ଭାଙ୍ଗିଯାଏ । ବିବାହ ଭାଙ୍ଗୁ ବା ନ ଭାଙ୍ଗୁ, ଯେବେ ଜଣେ ସାଥୀ ବିଶ୍ୱାସଘାତ କରେ, ତେବେ ସେଥିରୁ ଯେଉଁ ଗଭୀର ଆଘାତ ପହଞ୍ଚେ ତାହା ସହଜରେ ଠିକ୍ ହୁଏ ନାହିଁ । ଯେଉଁମାନଙ୍କ ସହ ଏପରି ବିଶ୍ୱାସଘାତ ହୋଇଛି, ସେମାନେ କିପରି ନିଜକୁ ସମ୍ଭାଳିପାରିବେ ?
ଶାସ୍ତ୍ରର ବହୁମୂଲ୍ୟ କଥା ଯାହା ଆପଣଙ୍କ କାମରେ ଆସିବ
ଏଭଳି ଦୁଃଖ ସହୁଥିବା ଅନେକ ଲୋକଙ୍କୁ ବାଇବଲର କଥାଗୁଡ଼ିକରୁ ସାନ୍ତ୍ୱନା ମିଳିଛି । ଏହାକୁ ପଢ଼ି ସେମାନଙ୍କୁ ଅନୁଭବ ହୋଇଛି ଯେ ସେମାନଙ୍କ ସାଥୀ ସେମାନଙ୍କୁ ଯେଉଁ ଦୁଃଖ ଓ ଲୁହ ଦେଇଛନ୍ତି, ଈଶ୍ୱର ତାହାକୁ ଦେଖନ୍ତି ଏବଂ ସେମାନଙ୍କର କଷ୍ଟକୁ ବୁଝନ୍ତି ।—ମଲାଖି ୨:୧୩-୧୬.
“ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ ।”—ଗୀତସଂହିତା ୯୪:୧୯.
ବବି କହନ୍ତି, “ଶାସ୍ତ୍ରର ଏହି କଥା ପଢ଼ି ମୋତେ ଅନୁଭବ ହେଲା ଯେ ଯିହୋବା କେତେ ଦୟାଳୁ ଅଟନ୍ତି । ସତେ ଯେପରି ଜଣେ ପିତାଙ୍କ ଭଳି ସେ ମୋ ଘାʼରେ ଔଷଧ ଲଗାଉଛନ୍ତି ।”
“ଯେ ବିଶ୍ୱସ୍ତ ରହେ ତାଙ୍କ ସହ ସେ ବିଶ୍ୱସ୍ତତା ଦେଖାନ୍ତି ।”—ଗୀତସଂହିତା ୧୮:୨୫ NWT.
କୋମଲଙ୍କୁ ଅନେକ ମାସ ପରେ ଜଣାପଡ଼ିଲା ଯେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇଥିଲେ । ସେ କହନ୍ତି, “ମୋ ସ୍ୱାମୀ ମୋର ବିଶ୍ୱସ୍ତ ରହିଲେ ନାହିଁ, କିନ୍ତୁ ମୋତେ ଯିହୋବାଙ୍କ ଉପରେ ପୂରା ଭରସା ଥିଲା ଯେ ସେ ମୋ ବିଶ୍ୱସ୍ତ ରହିବେ । ସେ ମୋତେ କେବେ ବି ଧୋକା ଦେବେ ନାହିଁ ।”
‘କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତୁମ୍ଭମାନଙ୍କର ହୃଦୟକୁ ସୁରକ୍ଷା କରି ରଖିବ ।’—ଫିଲିପ୍ପୀୟ ୪:୬, ୭.
ସାଶା କହନ୍ତି, “ମୁଁ ଶାସ୍ତ୍ରର ଏହି କଥା ବାରମ୍ବାର ପଢ଼ୁଥିଲି, ମୁଁ ବାରମ୍ବାର ପ୍ରାର୍ଥନା କଲି ଏବଂ ଈଶ୍ୱର ମୋତେ ମନର ଶାନ୍ତି ଦେଲେ ।”
ଏହି ଲେଖାରେ ଆମେ ଯେଉଁ ଲୋକମାନଙ୍କ ବିଷୟରେ କଥା ହେଲୁ, ସେମାନେ ସମସ୍ତେ ଅନେକ ଥର ହାର୍ ମାନି ଯାଇଥିଲେ । କିନ୍ତୁ ଯିହୋବା ଈଶ୍ୱରଙ୍କ ଉପରେ ଭରସା ରଖି ଏବଂ ତାଙ୍କ ବାକ୍ୟ ବାଇବଲ ପଢ଼ି ସେମାନଙ୍କୁ ବଞ୍ଚିବା ପାଇଁ ସାହସ ମିଳିଲା । ବବି କହନ୍ତି, “ମୋ ଜୀବନ ବରବାଦ ହୋଇସାରିଥିଲା, କିନ୍ତୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ଥିବା ଯୋଗୁଁ ମୋ ଭିତରେ ପୁଣିଥରେ ବଞ୍ଚିବା ପାଇଁ ଇଚ୍ଛା ହେଲା । ଏମିତି ବି ସମୟ ଥିଲା ଯେବେ ମୋତେ ଲାଗିଲା ଯେ ମୁଁ ‘ମୃତ୍ୟୁଚ୍ଛାୟାରୂପ ଉପତ୍ୟକାର’ ସାମନା କରୁଛି । କିନ୍ତୁ ଏମିତି ସମୟରେ ବି ଈଶ୍ୱର ମୋ ସହିତ ଥିଲେ ।”—ଗୀତସଂହିତା ୨୩:୪.
a ନିଜ ଜୀବନସାଥୀକୁ କ୍ଷମା କରିବା ଉଚିତ୍ ନା ନୁହେଁ, ଏବିଷୟରେ ଜାଣିବା ପାଇଁ ୨୨ ଏପ୍ରିଲ୍, ୧୯୯୯ର ଇଂରାଜୀ ସଜାଗ ହୁଅ ! ପତ୍ରିକାର ଲେଖା “ଯେବେ ଜୀବନସାଥୀ ଧୋକା ଦିଏ” ପଢ଼ନ୍ତୁ ।