ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w98 ୯/୧୫ ପୃଷ୍ଠା ୧୦-୧୫
  • କାଳ ଓ ସମୟ ଯିହୋବାଙ୍କ ହାତରେ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କାଳ ଓ ସମୟ ଯିହୋବାଙ୍କ ହାତରେ ଅଛି
  • ପ୍ରହରୀଦୁର୍ଗ—୧୯୯୮
  • ଉପଶୀର୍ଷକ
  • ଯିହୋବାଙ୍କ କାଳ ଓ ସମୟ
  • ‘ସେହି ସମୟ ସନ୍ନିକଟ ହେଉଛି’
  • ‘ଯେତେବେଳେ ସମୟ ଉପଗତ’
  • ଘଟଣା—ତାରିଖ ନୁହେଁ
ପ୍ରହରୀଦୁର୍ଗ—୧୯୯୮
w98 ୯/୧୫ ପୃଷ୍ଠା ୧୦-୧୫

କାଳ ଓ ସମୟ ଯିହୋବାଙ୍କ ହାତରେ ଅଛି

ଯେସମସ୍ତ କାଳ [କିମ୍ବା] ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କର ଜାଣିବା ବିଷୟ ନୁହେଁ ।—ପ୍ରେରିତ ୧:୭.

୧. ଯୀଶୁ କିପରି ତାଙ୍କର ପ୍ରେରିତମାନଙ୍କର ସମୟ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇଥିଲେ?

ଖ୍ରୀଷ୍ଟୀୟ ଜଗତ ଓ ସମଗ୍ର ପୃଥିବୀରେ ଥିବା ଲୋକ “ତହିଁ ମଧ୍ୟରେ କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ . . . ଦୀର୍ଘ ନିଶ୍ୱାସ ଛାଡ଼ନ୍ତି ଓ କାତରୋକ୍ତି କରନ୍ତି ।” ଏହିପରି ଲୋକମାନେ ଏହି ପ୍ରଶ୍ନ କରିବା ସ୍ୱଭାବିକ ଯେ ଏହି ମନ୍ଦ ବ୍ୟବସ୍ଥାର ସମାପ୍ତି କେବେ ହେବ ଓ ଏହାର ସ୍ଥାନରେ ପରମେଶ୍ୱରଙ୍କ ଧାର୍ମିକ ନୂତନ ଜଗତ କେବେ ଆସିବ? (ଯିହିଜିକଲ ୯:୪; ୨ ପିତର ୩:୧୩) ଯୀଶୁଙ୍କ ପ୍ରେରିତମାନେ ତାଙ୍କର ମୃତ୍ୟୁ ପୂର୍ବରୁ ଏବଂ ତାଙ୍କର ପୁନରୁତ୍ଥାନ ପରେ ସମୟ ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ । (ମାଥିଉ ୨୪:୩; ପ୍ରେରିତ ୧:୬) କିନ୍ତୁ, ଉତ୍ତରରେ ଯୀଶୁ ସେମାନଙ୍କୁ ତାରିଖ ଗଣନା କରିବାର କୌଣସି ଉପାୟ କହି ନଥିଲେ । ଗୋଟିଏ ପରିସ୍ଥିତିରେ ସେ ସେମାନଙ୍କୁ ସଂଯୁକ୍ତ ଚିହ୍ନ ଦେଲେ ଏବଂ ଅନ୍ୟ ପରିସ୍ଥିତିରେ ସେ କହିଥିଲେ, ‘ଯେସମସ୍ତ କାଳ [କିମ୍ବା] ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି, ତାହା ସେମାନଙ୍କର ଜାଣିବା ବିଷୟ ନୁହେଁ ।’—ପ୍ରେରିତ ୧:୭.

୨. ଯୀଶୁ ଶେଷକାଳରେ ହେବାକୁ ଥିବା ଘଟଣା ବିଷୟରେ ତାଙ୍କ ପିତାଙ୍କ ସମୟକୁ ସବୁସମୟରେ ଜାଣି ନଥିଲେ ବୋଲି କାହିଁକି କୁହାଯାଇ ପାରେ?

୨ ଯଦିଓ ଯୀଶୁ ଯିହୋବାଙ୍କ ଅଦ୍ୱିତୀୟ-ପୁତ୍ର, ତଥାପି ସେ ନିଜେ ସର୍ବଦା ତାଙ୍କ ପିତାଙ୍କ ସମୟ-ତାଲିକା ଘଟଣା ବିଷୟ ଜାଣି ନ ଥିଲେ । ଶେଷକାଳ ବିଷୟରେ ତାଙ୍କର ଭବିଷ୍ୟଦ୍‌ବାଣୀରେ ଯୀଶୁ ନମ୍ରଭାବେ ସ୍ୱୀକାର କରିଥିଲେ: “ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳମାତ୍ର ପିତା ଜାଣନ୍ତି ।” (ମାଥିଉ ୨୪:୩୬) ସେହି ମନ୍ଦ ବିଦ୍ଧି ବ୍ୟବସ୍ଥା ବିରୁଦ୍ଧରେ ଧ୍ୱଂସାତ୍ମକ ପଦକ୍ଷେପ ନେବାକୁ ନିର୍ଦିଷ୍ଟ ସମୟ ବିଷୟରେ ପିତା ଯୀଶୁଙ୍କୁ କହିବେ ବୋଲି ଯୀଶୁ ଧର୍ଯ୍ୟ ସହକାରେ ଅପେକ୍ଷା କରିବାକୁ ଇଛୁକ ଥିଲେ ।a

୩. ପରମେଶ୍ୱରଙ୍କ ଉଦ୍ଦେଶ୍ୟ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଯେଉଁ ଉତ୍ତର ଯୀଶୁ ଦେଇଥିଲେ, ସେଥିରୁ ଆମେ କʼଣ ଶିଖି ପାରିବା?

୩ ପରମେଶ୍ୱରଙ୍କ ଉଦ୍ଦେଶ୍ୟର ପରିପୂର୍ଣ୍ଣତାରେ ଘଟଣା କେବେ ଘଟିବ, ଏହି ସମ୍ବନ୍ଧିତ ପ୍ରଶ୍ନଗୁଡ଼ିର ଉତ୍ତର ଯୀଶୁ ଯେଉଁ ରୀତିରେ ଦେଇଥିଲେ, ଏଥିରୁ ଦୁଇଟି ନିଷ୍କର୍ଷ ବାହାର କରିହେବ । ପ୍ରଥମତଃ ଯିହୋବାଙ୍କ ଗୋଟିଏ ସମୟ ତାଲିକା ଅଛି; ଦ୍ୱିତୀୟତଃ ସେ ନିଜେ ତାହା ସ୍ଥିର କରନ୍ତି ଏବଂ ତାଙ୍କର ଦାସମାନେ ଏହି ସମୟ କିମ୍ବା କାଳର ସଠିକ୍‌ ପୂର୍ବ ସୂଚନା ପାଇବାକୁ ଆଶା କରନ୍ତି ନାହିଁ ।

ଯିହୋବାଙ୍କ କାଳ ଓ ସମୟ

୪. ପ୍ରେରିତ ୧:୭ ପଦରେ “କାଳ” ଓ “ସମୟ” ଅନୂଦିତ ଗ୍ରୀକ୍‌ ଶବ୍ଦର ଅର୍ଥ କʼଣ?

୪ “କାଳ” ଓ “ସମୟର” ଅର୍ଥ କʼଣ? ପ୍ରେରିତ ୧:୭ ପଦରେ ଅଭିଲିଖିତ ଯୀଶୁଙ୍କ କଥନ ସମୟର ଦୁଇଟି ଭାବକୁ ବୁଝାଏ । “ସମୟ” ଅନୂଦିତ ଗ୍ରୀକ୍‌ ଶବ୍ଦର ଅର୍ଥ “କାଳବିଧି” ଅର୍ଥାତ୍‌ ସମୟର ମଧ୍ୟବର୍ତ୍ତୀ ଅବକାଶ (ବଡ଼ କିମ୍ବା ଛୋଟ) । ଯେଉଁ ଶବ୍ଦର ଅନୁବାଦ “ସମୟ” କରାଯାଇଥିଲା, ସେହି ଶବ୍ଦ ଗୋଟିଏ ସ୍ଥିରୀକୃତ କିମ୍ବା ନିଯୁକ୍ତ ସମୟ, ଗୋଟିଏ ବିଶେଷ ଯୁଗ କିମ୍ବା ଅବଧିକୁ ସୂତିତ କରେ, ଯେଉଁ ସମୟ ମଧ୍ୟରେ କୌଣସି ବିଶେଷ ଘଟଣା ଘଟିଥିଲା । ଏହି ଦୁଇଟି ମୌଲିକ ଶବ୍ଦ ସମ୍ବନ୍ଧରେ ଡବ୍ଲୂ. ଇ. ୱାଇନ କହନ୍ତି: “ପ୍ରେରିତ ୧:୭ ପଦରେ ‘ପିତା’ ଉଭୟ କାଳ (କ୍ରୋନୋସ) ଅର୍ଥାତ୍‌ କାଳବିଧି, ଓ ସମୟ (କାଇରୋସ) ଅର୍ଥାତ୍‌ ଯୁଗ ଯେଉଁଥିରେ ବିଶେଷ ଘଟଣା ଘଟିଥିଲା, ତାହା ‘ନିଜ ଅଧିକାରରେ ରଖିଛନ୍ତି ।’”

୫. ଯିହୋବା ଭ୍ରଷ୍ଟ ଜଗତର ଧ୍ୱଂସ କରିବାକୁ ତାଙ୍କ ଉଦ୍ଦେଶ୍ୟ ବିଷୟରେ ନୋହଙ୍କୁ କେବେ ସୂଚନା ଦେଲେ ଏବଂ ନୋହ କେଉଁ ଦ୍ୱିବିଧ ଆଜ୍ଞା ପାଳନ କରିଥିଲେ?

୫ ଜଳପ୍ଲାବନ ପୂର୍ବରୁ ଭ୍ରଷ୍ଟ ଜଗତ ପାଇଁ ପରମେଶ୍ୱର ୧୨୦ ବର୍ଷର ସମୟ ସୀମା ଧାର୍ଯ୍ୟ କରିଥିଲେ । ଏହି ଜଗତକୁ ମଣିଷଜାତି ଏବଂ ମାନବ ରୂପ ଧାରଣ କରିଥିବା ବିଦ୍ରୋହୀ ସ୍ୱର୍ଗଦୂତମାନେ ଭ୍ରଷ୍ଟ କରିଥିଲେ । (ଆଦିପୁସ୍ତକ ୬:୧-୩) ସେହି ସମୟରେ ଧର୍ମ-ପରାୟଣ ନୋହଙ୍କୁ ୪୮୦ ବର୍ଷ ହୋଇଥିଲା । (ଆଦିପୁସ୍ତକ ୭:୬) ତାଙ୍କର ପିଲାଛୁଆ ନଥିଲା, ଏବଂ ପରବର୍ତ୍ତି ୨୦ ବର୍ଷ ପର୍ଯ୍ୟନ୍ତ ତାଙ୍କର ପିଲାଛୁଆ ହୋଇ ନଥିଲା । (ଆଦିପୁସ୍ତକ ୫:୩୨) ତାʼର ପରବର୍ତ୍ତି କିଛି ବର୍ଷ ପରେ ଯେତେବେଳେ ନୋହଙ୍କ ପୁତ୍ର ବୟପ୍ରାପ୍ତ ହୋଇ ବିବାହ କରିଥିଲେ, ସେତେବେଳେ ପୃଥିବୀରୁ ଦୁଷ୍ଟତାକୁ ନିବାରଣ କରିବା ପାଇଁ ପରମେଶ୍ୱର ତାଙ୍କ ଉଦ୍ଦେଶ୍ୟ ବିଷୟରେ ନୋହଙ୍କୁ ସୂଚନା ଦେଲେ । (ଆଦିପୁସ୍ତକ ୬:୯-୧୩, ୧୮) ଯଦିଓ ଯିହୋବା ନୋହଙ୍କୁ ଜାହାଜ ତିଆରି କରିବା କାର୍ଯ୍ୟ ଓ ତାଙ୍କର ସାଙ୍ଗସାଥୀକୁ ପ୍ରଚାର କରିବା କାର୍ଯ୍ୟର ଦ୍ୱିବିଧ ଆଜ୍ଞା ଦେଇଥିଲେ, ତଥାପି ସେ ତାଙ୍କର ସମୟ ତାଲିକା ନୋହଙ୍କୁ ପ୍ରକାଶ କରି ନଥିଲେ ।—ଆଦିପୁସ୍ତକ ୬:୧୪; ୨ ପିତର ୨:୫.

୬. (କ) ତାରିଖ ସମ୍ବନ୍ଧିତ ବିଷୟକୁ ନୋହ ପରମେଶ୍ୱରଙ୍କ ହାତରେ ଛାଡ଼ିଦେଲେ, ତାହା ସେ କିପରି ପ୍ରଦର୍ଶିତ କରିଥିଲେ? (ଖ) ଆମେ ନୋହଙ୍କ ଉଦାହରଣ କିପରି ଅନୁକରଣ କରିପାରିବା?

୬ ପ୍ରାୟ ଦଶନ୍ଧ ଅର୍ଥାତ୍‌ ଅର୍ଦ୍ଧଶତାଦ୍ଦୀ ଧରି “ନୋହ . . . ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ ।” ସେ ସଠିକ୍‌ ତାରିଖ ନ ଜାଣି “ବିଶ୍ୱାସ ଦ୍ୱାରା” କାର୍ଯ୍ୟ କରିଥିଲେ । (ଆଦିପୁସ୍ତକ ୬:୨୨; ଏବ୍ରୀ ୧୧:୭) ଜଳପ୍ଲାବନ ଆରମ୍ଭ ହେବାର ଗୋଟିଏ ସପ୍ତାହ ପୂର୍ବରୁ ମଧ୍ୟ ଯିହୋବା ସେହି ଘଟଣାର ସଠିକ୍‌ ସମୟ ବିଷୟରେ ନୋହଙ୍କୁ ସୂଚନା ଦେଇ ନଥିଲେ । (ଆଦିପୁସ୍ତକ ୭:୧-୫) ଯିହୋବାଙ୍କଠାରେ ନୋହଙ୍କ ପୂର୍ଣ୍ଣ ଭରଷା ଓ ବିଶ୍ୱାସର କାରଣରୁ ସେ ତାରିଖ ସମ୍ବନ୍ଧିତ ବିଷୟକୁ ପରମେଶ୍ୱରଙ୍କ ହାତରେ ଛାଡ଼ିଦେଲେ । ଜଳପ୍ଲାବନ ସମୟରେ ନୋହ ଯିହୋବାଙ୍କ ସୁରକ୍ଷା ଅନୁଭବ କରିଥିଲେ ଏବଂ ପରବର୍ତ୍ତି ସମୟରେ ସେ ଯେତେବେଳେ ଜାହାଜରୁ ନିର୍ମଳ ପୃଥିବୀକୁ ବାହାରି ଅସିଥିଲେ, ସେତେବେଳେ ସେ କେତେ କୃତଜ୍ଞ ହୋଇଥିବେ ! ଆମ ସମ୍ମୁଖରେ ମଧ୍ୟ ଏହି ପ୍ରକାର ପରିତ୍ରାଣର ଆଶା ଅଛି, ତେଣୁ ଆମେ ପରମେଶ୍ୱରଙ୍କଠାରେ ଏହି ପ୍ରକାର ବିଶ୍ୱାସ କରିବା ଉଚିତ୍‌ ନୁହେଁ କି?

୭, ୮. (କ) ସମସ୍ତ ଜାତି ଓ ବିଶ୍ୱଶକ୍ତି କିପରି ଅସ୍ତିତ୍ୱକୁ ଆସିଲା? (ଖ) ଯିହୋବା କେଉଁ ରୀତିରେ ମାନବଜାତିର “ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି”?

୭ ଜଳପ୍ଲାବନ ପରେ ନୋହଙ୍କ ଅଧିକାଂଶ ବଂଶଜ ଯିହୋବାଙ୍କ ସତ୍ୟ ଉପାସନାକୁ ପରିତ୍ୟାଗ କରିଥିଲେ । ସେମାନେ ଏକତ୍ର ଗୋଟିଏ ସ୍ଥାନରେ ବସବାସ କରିବାର ଲକ୍ଷନେଇ ଗୋଟିଏ ସହର ଓ ମିଥ୍ୟା ଉପାସନାର ଗୋଟିଏ ଦୁର୍ଗ ନିର୍ମାଣ କରିବାକୁ ଆରମ୍ଭ କଲେ । ସେହି ସମୟରେ ସେଥିରେ ହସ୍ତକ୍ଷେପ କରିବା ଉପଯୁକ୍ତ ସମୟ ବୋଲି ଯିହୋବା ମନସ୍ଥ କଲେ । ସେ ସେମାନଙ୍କ ମଧ୍ୟରେ ଭାଷାଭେଦ କଲେ ଏବଂ ବାବିଲରୁ “ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ ।” (ଆଦିପୁସ୍ତକ ୧୧:୪, ୮, ୯) ପରବର୍ତ୍ତି ସମୟରେ ଭାଷାଗତ ଦଳର ଲୋକମାନେ ଭିନ୍ନ ଭିନ୍ନ ଗୋଷ୍ଠୀ ରୂପେ ବୃଦ୍ଧି ପାଇଲେ, ସେମାନେ ଅନ୍ୟ ଗୋଷ୍ଠୀର ଲୋକମାନଙ୍କୁ ହରେଇ ଆଞ୍ଚଳିକ ଶକ୍ତରେ ଓ କେତେକ ବିଶ୍ୱ ଶକ୍ତିରେ ପରିଣତ ହେଲେ ।—ଆଦିପୁସ୍ତକ ୧୦:୩୨.

୮ ପରମେଶ୍ୱର ତାଙ୍କର ଉଦ୍ଦେଶ୍ୟକୁ ସମ୍ପନ କରିବା ପାଇଁ ବେଳେବେଳେ ରାଷ୍ଟ୍ରର ସୀମାବଦ୍ଧ କରିଥିଲେ ଏବଂ କେଉଁ ସମୟରେ ଗୋଟିଏ ନିର୍ଦିଷ୍ଟ ଜାତି ସ୍ଥାନୀୟରୂପେ କିମ୍ବା ବିଶ୍ୱଶକ୍ତିରୂପେ ଶାସନ କରିବ, ତାହା ନିର୍ଦ୍ଧାରିତ କରିଥିଲେ । (ଆଦିପୁସ୍ତକ ୧୫:୧୩, ୧୪, ୧୮-୨୧; ଯାତ୍ରାପୁସ୍ତକ ୨୩:୩୧; ଦ୍ୱିତୀୟ ବିବରଣ ୨:୧୭-୨୨; ଦାନିୟେଲ ୮:୫-୭, ୨୦, ୨୧) ପ୍ରେରିତ ପାଉଲ ଯିହୋବାଙ୍କ କାଳ ଓ ସମୟର ଏହି ଦିଗ ବିଷୟରେ ଉଲ୍ଲେଖ କରିଥିଲେ, ସେତେବେଳେ ସେ ଏଥେନ୍‌ସର ଗ୍ରୀକ୍‌ ବୁଦ୍ଧିଜୀବିମାନଙ୍କୁ କହିଥିଲେ: “ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, . . . ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି ।”—ପ୍ରେରିତ ୧୭:୨୪, ୨୬.

୯. ଯିହୋବା ରାଜାମାନଙ୍କର ସମ୍ବନ୍ଧରେ କିପରି ‘କାଳ ଓ ସମୟର ପରିବର୍ତ୍ତନ’ କରିଅଛନ୍ତି?

୯ ଏହାର ଅର୍ଥ ନୁହେଁ ଯେ, ଯିହୋବା ସମସ୍ତ ରାଜନୈତିକ ଯୁଦ୍ଧ ଓ ଜାତିମାନଙ୍କର ମଧ୍ୟରେ ପରିବର୍ତ୍ତନ ପାଇଁ ଦାୟୀ । ତଥାପି ଯେତେବେଳେ ସେ ତାଙ୍କର ଉଦ୍ଦେଶ୍ୟକୁ ସମ୍ପନ କରିବାକୁ ଚାହାନ୍ତି, ସେତେବେଳେ ସେ ହସ୍ତକ୍ଷେପ କରିପାରନ୍ତି । ଭବିଷ୍ୟଦ୍‌ବକ୍ତା ଦାନିୟେଲ ବିଶ୍ୱଶକ୍ତି ବାବିଲୋନର ପତନ ଏବଂ ମାଦୀୟ-ପାର୍ସୀ ଦ୍ୱାରା ଏହାର ସ୍ଥାନ ପରିବର୍ତ୍ତନର ସାକ୍ଷୀ ହୋଇଥାନ୍ତେ । ତେଣୁ ସେ ଯିହୋବାଙ୍କ ବିଷୟରେ କହିଥିଲେ: “ସେ କାଳ ଓ ଋତୁ [ସମୟ] ପରିବର୍ତ୍ତନ କରନ୍ତି; ସେ ରାଜଗଣକୁ ପଦଚ୍ୟୁତ କରନ୍ତି ଓ ରାଜଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନିମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି ।”—ଦାନିୟେଲ ୨:୨୧; ଯିଶାଇୟ ୪୪:୨୪-୪୫:୭.

‘ସେହି ସମୟ ସନ୍ନିକଟ ହେଉଛି’

୧୦, ୧୧. (କ) ଯିହୋବା ଅବ୍ରହାମଙ୍କ ବଂଶଧରମାନଙ୍କୁ ଦାସତ୍ୱରୁ କେବେ ମୁକ୍ତ କରିବେ, ଏହାର ସଠିକ୍‌ ସମୟକୁ କେତେ ସମୟ ପୂର୍ବରୁ ନିର୍ଦ୍ଧାରିତ କରିଥିଲେ? (ଖ) କʼଣ ସଙ୍କେତ କରେ ଯେ, ଇସ୍ରାଏଲୀୟମାନେ କେବେ ମୁକ୍ତ ହେବେ ବୋଲି ସଠିକ୍‌ ସମୟ ଜାଣି ନଥିଲେ?

୧୦ ପ୍ରାୟ ଚାରି ଶତାବ୍ଦୀ ପୂର୍ବରୁ ଯିହୋବା ସେହି ସଠିକ୍‌ ବର୍ଷ ନିର୍ଦ୍ଧାରିତ କଲେ, ସେହି ସମୟରେ ସେ ମିସରୀୟ ବିଶ୍ୱ ଶକ୍ତିର ରାଜାକୁ ପରାଜିତ କରିବେ ଏବଂ ଅବ୍ରହାମଙ୍କ ବଂଶଧରମାନଙ୍କୁ ଦାସତ୍ୱରୁ ମୁକ୍ତ କରିବେ । ଅବ୍ରହାମଙ୍କୁ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରି ପରମେଶ୍ୱର ପ୍ରତିଜ୍ଞା କରିଥିଲେ: “ତୁମ୍ଭର ସନ୍ତାନଗଣ ଚାରିଶ ବର୍ଷ ଅନ୍ୟଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ; ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ ।” (ଆଦିପୁସ୍ତକ ୧୫:୧୩, ୧୪) ଇସ୍ରାଏଲ ଇତିହାସର ସାରକଥା ମହାସଭା ସମୁଖରେ ବ୍ୟକ୍ତ କଲାବେଳେ ଏହି ଚାରିଶହ ବର୍ଷ ଅବଧିକୁ ସ୍ତିଫାନ ଉଲ୍ଲେଖ କରିଥିଲେ: ‘ଈଶ୍ୱର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୋଇଥିଲା ବେଳେ ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ । ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ ।’—ପ୍ରେରିତ ୭:୬, ୧୭, ୧୮.

୧୧ ଏହି ନୂତନ ରାଜା ଫାରୋ ଇସ୍ରାଏଲୀୟମାନଙ୍କୁ ଦାସ କରିଦେଲେ । ମୋଶା ସେହି ସମୟ ପର୍ଯ୍ୟନ୍ତ ଆଦିପୁସ୍ତକ ଲେଖି ନ ଥିଲେ, ଯଦିଓ ଏହା ସମ୍ଭବ ଯେ, ଅବ୍ରହାମକୁ କରାଯାଇଥିବା ଯିହୋବାଙ୍କ ପ୍ରତିଜ୍ଞା, ମୌଖିକ କିମ୍ବା ଲିଖିତରୂପେ ମୋଶାଙ୍କୁ ଦିଆଯାଇଥିଲା । ତଥାପି ଏହା ପ୍ରତୀୟମାନ ହୁଏ ଯେ, ଯେଉଁ ସୂଚନା ଇସ୍ରାଏଲୀୟମାନଙ୍କୁ ମିଳିଥିଲା, ସେହି ସୂଚନା ଦ୍ୱାରା ସେମାନେ ଉତ୍ପୀଡ଼ନରୁ ମୁକ୍ତି ପାଇବା ନିମିତ୍ତ ସଠିକ୍‌ ତାରିଖ ଗଣନା କରିବାରେ ସମର୍ଥ ହୋଇ ନଥିଲେ । ପରମେଶ୍ୱର ଜାଣିଥିଲେ ଯେ କେବେ ସେ ସେମାନଙ୍କୁ ମୁକ୍ତି ଦେବେ, କିନ୍ତୁ ସ୍ପଷ୍ଟତଃ କଷ୍ଟଭୋଗ କରୁଥିବା ଇସ୍ରାଏଲୀୟମାନଙ୍କୁ ଏହାର ସୂଚନା ଦିଆଯାଇ ନଥିଲା । ଆମେ ପଢ଼ିବା: “ବହୁ କାଳ ଉତ୍ତାରେ ମିସ୍ରୀୟ ରାଜାଙ୍କର ମୃତ୍ୟୁ ହେଲା, ପୁଣି ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା । ତହିଁରେ ପରମେଶ୍ୱର ସେମାନଙ୍କ ଆର୍ତ୍ତସ୍ୱର ଶୁଣିଲେ, ଆଉ ଅବ୍ରହାମ ଓ ଇସ୍‌ହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି, ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ ।”—ଯାତ୍ରାପୁସ୍ତକ ୨:୨୩-୨୫.

୧୨. ମୋଶା ଯିହୋବାଙ୍କ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ କରିଥିଲେ, ଏହା ସ୍ତିଫାନ କିପରି ଦର୍ଶାଇଥିଲେ?

୧୨ ଇସ୍ରାଏଲୀୟମାନଙ୍କ ମୁକ୍ତିର ସଠିକ୍‌ ସମୟ ବିଷୟକ ଜ୍ଞାନର ଅଭାବ ଆମେ ସ୍ତିଫାନଙ୍କ ସାରକଥାରୁ ମଧ୍ୟ ବୁଝିପାରୁ । ମୋଶାଙ୍କ ବିଷୟରେ କହିଲା ବେଳେ ସେ କହିଥିଲେ: “ତାଙ୍କ ଚାଳିଶ୍‌ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍‌ ଇସ୍ରାଏଲ ସନ୍ତାନମାନଙ୍କୁ ସଂଖୋଳିବା ନିମନ୍ତେ ତାଙ୍କ ଇଚ୍ଛା ଜାତ ହେଲା । ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି, ସେ ତାʼର ସପକ୍ଷ ହେଲେ ଓ ସେହି ମିସରୀୟ ଲୋକକୁ ବଧ କରି ଉପଦ୍ରବ ପାଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ । ତାଙ୍କ ହସ୍ତ ଦ୍ୱାରା ଈଶ୍ୱର ଯେ ତାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି, ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ ।” (ଆମର ବକ୍ରାକାର ଅକ୍ଷର ।) (ପ୍ରେରିତ ୭:୨୩-୨୫) ମୋଶା ଏଠାରେ ପରମେଶ୍ୱରଙ୍କ ନିର୍ଦ୍ଧାରିତ ସମୟ ଠାରୁ ୪୦ ବର୍ଷ ପୂର୍ବରୁ ଇସ୍ରାଏଲୀୟମାନଙ୍କୁ ମୁକ୍ତକରିବା ପାଇଁ ଚେଷ୍ଟା କରିଥିଲେ । ସ୍ତିଫାନ ବୁଝାଉଛନ୍ତି ଯେ, ‘ମୋଶାଙ୍କ ହସ୍ତ ଦ୍ୱାରା ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିବେ’ ବୋଲି ସେ ଆହୁରି ୪୦ ବର୍ଷ ଅପେକ୍ଷା କରିବାର ଥିଲା ।—ପ୍ରେରିତ ୭:୩୦-୩୬.

୧୩. ମିସରରୁ ଇସ୍ରାଏଲୀୟମାନଙ୍କ ମୁକ୍ତିର ପୂର୍ବାବସ୍ଥା ପରି ଆମର ଆଜିର ଅବସ୍ଥା କିପରି ସମାନ?

୧୩ ଯଦିଓ ‘ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୋଇଥିଲା’ ଏବଂ ସେହି ସଠିକ୍‌ ବର୍ଷ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିଲା, ତଥାପି ମୋଶା ଓ ସମସ୍ତ ଇସ୍ରାଏଲଜାତିକୁ ବିଶ୍ୱାସ ପ୍ରଦର୍ଶିତ କରିବାର ଥିଲା । ସ୍ପଷ୍ଟତଃ ସେମାନେ ପୂର୍ବରୁ ସମୟ ଗଣନା କରିବାରେ ଅସମର୍ଥ ହୋଇଥିଲେ, ତେଣୁ ଯିହୋବାଙ୍କ ସ୍ଥିରୀକୃତ ସମୟ ପାଇଁ ଅପେକ୍ଷା କରିବାର ଥିଲା । ଆମେ ମଧ୍ୟ ପୂର୍ଣରୂପେ ବିଶ୍ୱାସ କରୁ ଯେ ବର୍ତ୍ତମାନର ମନ୍ଦ ବିଦ୍ଧିବ୍ୟବସ୍ଥାରୁ ଆମର ମୁକ୍ତି ସନ୍ନିକଟ ହୋଇଆସୁଛି । ଆମେ ଜାଣୁ ଯେ ଆମେ “ଶେଷକାଳରେ” ବାସ କରୁଅଛୁ । (୨ ତୀମଥି ୩:୧-୫) ତେଣୁ ଆମ ପାଖରେ ଥିବା ବିଶ୍ୱାସକୁ ପ୍ରଦର୍ଶିତ କରିବା ଏବଂ ଯିହୋବାଙ୍କ ମହାନ ଦିନର ନିର୍ଦିଷ୍ଟ ସମୟକୁ ଅପେକ୍ଷା କରିବା ଉଚିତ୍‌ ନୁହେଁ କି? (୨ ପିତର ୩:୧୧-୧୩) ତାହାହେଲେ ମୋଶା ଓ ଇସ୍ରାଏଲୀୟଙ୍କ ପରି ଯିହୋବାଙ୍କ ସ୍ତୁତି କରିବାକୁ ଆମେ ମୁକ୍ତିର ଏକ ଗୌରବପୂର୍ଣ୍ଣ ଗୀତ ଗାନ କରି ପାରିବା ।—ଯାତ୍ରାପୁସ୍ତକ ୧୫:୧-୧୯.

‘ଯେତେବେଳେ ସମୟ ଉପଗତ’

୧୪, ୧୫. ଆମେ କିପରି ଜାଣୁ ଯେ, ପରମେଶ୍ୱର ତାଙ୍କର ପୁତ୍ରଙ୍କୁ ପୃଥିବୀକୁ ପ୍ରେରଣ କରିବା ପାଇଁ ଗୋଟିଏ ସମୟ ନିର୍ଦ୍ଧାରିତ କରିଥିଲେ, ଏବଂ ଭବିଷ୍ୟଦ୍‌ବକ୍ତାମାନେ ଓ ସ୍ୱର୍ଗଦୁତମାନେ ମଧ୍ୟ କʼଣ ଅପେକ୍ଷା କରିଥିଲେ?

୧୪ ଯିହୋବା ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ମଶୀହରୂପେ ପୃଥିବୀକୁ ପ୍ରେରଣ କରିବା ପାଇଁ ଗୋଟିଏ ସମୟ ନିର୍ଦ୍ଧାରିତ କରିଥିଲେ । ପାଉଲ ଲେଖିଥିଲେ: “ସମୟର ପରିପୂର୍ଣ୍ଣତା ଯେତେବେଳେ ଉପଗତ, ସେତେବେଳେ ଈଶ୍ୱର ସ୍ୱ-ପୁତ୍ରଙ୍କୁ ପ୍ରେରଣ କଲେ; ସେ ଜଣେ ନାରୀଠାରୁ ଜାତ ହେଲେ ଓ ବିଧିବିଧାନର ଅଧୀନରେ ଜନ୍ମିତ ହେଲେ ।” (ଗଲାତୀୟ ୪:୪, OCB) ବଂଶ ଅର୍ଥାତ୍‌ ‘ଶୀଲୋଙ୍କୁ’ ପ୍ରେରଣ କରିବାରେ ଏହା ପରମେଶ୍ୱରଙ୍କ ପ୍ରତିଜ୍ଞାର ପରିପୂରର୍ଣ୍ଣତା ଥିଲା, ‘ଶୀଲୋଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ ।’—ଆଦିପୁସ୍ତକ ୩:୧୫; ୪୯:୧୦.

୧୫ ପରମେଶ୍ୱରଙ୍କ ଭବିଷ୍ୟଦ୍‌ବକ୍ତାମାନେ—ସ୍ୱର୍ଗଦୂତମାନେ ମଧ୍ୟ—ସେହି “ସମୟ” ପାଇଁ ଅପେକ୍ଷା କରିଥିଲେ ଯେ, କେବେ ମଶୀହ ପୃଥିବୀକୁ ଆସୀବେ ଏବଂ ପାପମୟ ମନୁଷ୍ୟଜାତିଙ୍କୁ ପରିତ୍ରାଣ କରିବେ । ପିତର କହିଥିଲେ, “ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ, ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯନ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ । ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଊଁ ବା କି ପ୍ରକାର କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ । . . . ସେହିସବୁ ବିଷୟ ଦୂତମାନେ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି ।”—୧ ପିତର ୧:୧-୫, ୯-୧୨.

୧୬, ୧୭. (କ) କେଉଁ ଭବିଷ୍ୟଦ୍‌ବାଣୀ ଦ୍ୱାରା ଯିହୋବା ପ୍ରଥମ ଶତାବ୍ଦୀର ଯିହୂଦୀମାନଙ୍କୁ ମଶୀହଙ୍କ ପ୍ରତୀକ୍ଷାରେ ରହିବାକୁ ସାହାଯ୍ୟ କରିଥିଲେ? (ଖ) ଦାନିୟଏଲଙ୍କ ଭବିଷ୍ୟଦ୍‌ବାଣୀ ମଶୀହଙ୍କ ପାଇଁ ଯିହୂଦୀମାନଙ୍କର ପ୍ରତୀକ୍ଷାକୁ କିପରି ପ୍ରଭାବିତ କରିଥିଲା?

୧୬ ଭବିଷ୍ୟଦ୍‌ବକ୍ତା ଦାନିୟେଲଙ୍କ—ଜଣେ ଦୃଢ଼ ବିଶ୍ୱାସୀ ବ୍ୟକ୍ତି—ଦ୍ୱାରା ଯିହୋବା “ସତୁରି ସପ୍ତାହ” ବିଷୟରେ ଏକ ଭବିଷ୍ୟଦ୍‌ବାଣୀ କରିଥିଲେ । ସେହି ଭବିଷ୍ୟଦ୍‌ବାଣୀ ପ୍ରଥମ ଶତାବ୍ଦୀର ଯିହୂଦୀମାନଙ୍କୁ ପ୍ରତିଜ୍ଞାତ ମଶୀହଙ୍କ ଉପସ୍ଥିତି ସନ୍ନିକଟ ବୋଲି ଜାଣାଇବାରେ ସମର୍ଥ କରିଥିଲା । ଭବିଷ୍ୟଦ୍‌ବାଣୀର ଏକ ଅଂଶ ଏହି ପ୍ରକାର କହିଥିଲା: “ଯିରୁଶାଲମକୁ ପୁନଃସ୍ଥାପନ ଓ [ପୁନଃ]ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି [ମଶୀହ ଅର୍ଥାତ୍‌], ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି . . . ତିନି କୋଡ଼ି ଦୁଇ ସପ୍ତାହ . . . ହେବ ।” (ଦାନିୟେଲ ୯:୨୪, ୨୫) ସାଧାରଣତଃ ଯିହୂଦୀ, କ୍ୟାଥଲିକ, ପ୍ରୋଟେଷ୍ଟାଣ୍ଡ ବିଦ୍ୱାନମାନେ ଏହି ବିଷୟରେ ରାଜି ହୁଅନ୍ତି ଯେ ଏଠାରେ ଯେଉଁ ‘ସପ୍ତାହଗୁଡ଼ିକର’ ଉଲ୍ଲେଖ କରାଯାଇଛି, ସେହି ସପ୍ତାହର ପ୍ରତ୍ୟେକ ଦିନ ଗୋଟିଏ ବର୍ଷ ସହିତ ସମାନ । ସା.ଯୁ.ପୂ. ୪୫୫ ରେ ପାରସୀୟ ରାଜା ଅର୍ତ୍ତକ୍ଷସ୍ତ ନିହିମିୟାଙ୍କୁ ‘ଯିରୁଶାଲମର ପୁନଃସ୍ଥାପନ ଓ [ପୁନଃ]ନିର୍ମାଣର’ ଆଧିକାର ଦେଇଥିଲେ, ସେହି ସମୟରେ ଦାନିୟେଲ ୯:୨୫ ପଦରେ ଲେଖାଥିବା ୬୯ “ସପ୍ତାହ” (୪୮୩ ବର୍ଷ) ଆରମ୍ଭ ହୋଇଥିଲା । (ନିହିମିୟା ୨:୧-୮) ୪୮୩ ବର୍ଷ ପରେ, ସା.ଯୁ. ୨୯ ରେ ସେହି ସପ୍ତାହଗୁଡ଼ିକ ସମାପ୍ତ ହୋଇଥିଲା, ସେହି ସମୟରେ ଯୀଶୁ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଓ ଅଭିଷିକ୍ତ ହୋଇ ମଶୀହ କିମ୍ବା ଖ୍ରୀଷ୍ଟ ହୋଇଥିଲେ ।—ମାଥିଉ ୩:୧୩-୧୭.

୧୭ ଏହି ୪୮୩ ବର୍ଷର ଆରମ୍ଭ ସଠିକ୍‌ଭାବେ କେବେ ହୋଇଥିଲା, ତାହା ପ୍ରଥମ ଶତାବ୍ଦୀର ଯିହୂଦୀମାନେ ଜାଣି ନ ଥିଲେ । କିନ୍ତୁ ଯେତେବେଳେ ବାପ୍ତିଜକ ଯୋହନ ତାଙ୍କର ପରିଚର୍ଯ୍ୟା ଆରମ୍ଭ କରିଥିଲେ, ସେତେବେଳେ “ପ୍ରତୀକ୍ଷାରତ ସମସ୍ତ ଜନତା, ହୁଏତ ଏହି ଜଣକ ସେହି ଖ୍ରୀଷ୍ଟ [ବୋଲି] ଏହା ମନେ ମନେ ପ୍ରଶ୍ନ କରିବାକୁ ଆରମ୍ଭ କଲେ ।” (ଲୂକ ୩:୧୫, OCB) କେତେକ ବାଇବଲୀୟ ବିଦ୍ୱାନ ଏହି ପ୍ରତୀକ୍ଷାକୁ ଦାନିୟେଲଙ୍କ ଭବିଷ୍ୟଦ୍‌ବାଣୀ ସହିତ ଯୋଡ଼ିଲେ । ଏହି ଶାସ୍ତ୍ରପଦ ବିଷୟରେ ମାଥିଉ ହେନେରି ଲେଖିଥିଲେ: “ଆମେ ଏଥିରୁ ଜଣୁ ଯେ . . . ଯୋହନଙ୍କ ପରିଚର୍ଯ୍ୟା ଓ ବାପ୍ତିସ୍ମରେ ଲୋକମାନେ କିପରି ନିଷ୍କର୍ଷ ବାହାର କଲେ ଯେ ମଶୀହ ଏବଂ ତାହାଙ୍କ ଉପସ୍ଥିତି ଶୀଘ୍ର ହେବ । . . . ଦାନିୟେଲଙ୍କ ସତୁରି ସପ୍ତାହ ସରିଆସୁ ଥିଲା ।” ଭୀଗୂରୂ, ବାକ୍ୱେଜ୍‌, ବ୍ରାସେକ୍‌ଙ୍କ ଦ୍ୱାରା ଲିଖିତ ଫ୍ରେଞ୍ଚ ମାନୁଏଲ ବିବ୍ଲିକ୍‌ ମନ୍ତବ୍ୟ ଦିଏ: “ଦାନିୟେଲଙ୍କ ଦ୍ୱାରା ନିର୍ଦ୍ଧାରିତ ସତୁରି ସପ୍ତାହର ବର୍ଷ ସନ୍ନିକଟ ହୋଇ ଆସୁଥିଲା ବୋଲି ଲୋକମାନେ ଜାଣିଥିଲେ; ପରମେଶ୍ୱରଙ୍କ ରାଜ୍ୟ ସନ୍ନିକଟ ବୋଲି ବାପ୍ତିଜକ ଯୋହନଙ୍କ ଘୋଷଣାରେ କେହିହେଲେ ଅଶ୍ଚର୍ଯ୍ୟ ହୋଇ ନଥିଲେ ।” ଯିହୂଦୀ ବିଦ୍ୱାନ ଆବା ହିଲେଲ୍‌ ସିଲଭର ଲେଖିଥିଲେ ଯେ, ସେହି ଦିନର “ଲୋକପ୍ରିୟ କାଳକ୍ରମ” ଅନୁସାରେ “ପ୍ରଥମ ଶତାବ୍ଦୀର ସା.ଯୁ. ୨୫ ରୁ ସା.ଯୁ. ୫୦ ମଧ୍ୟରେ ମଶୀହଙ୍କ ଉପସ୍ଥିତିର ଆଶା କରାଯାଇ ଥିଲା ।”

ଘଟଣା—ତାରିଖ ନୁହେଁ

୧୮. ଯଦିଓ ଦାନିୟେଲଙ୍କ ଭବିଷ୍ୟଦ୍‌ବାଣୀ ଯିହୂଦୀମାନଙ୍କୁ ମଶୀହଙ୍କ ଉପସ୍ଥିତିର ସମୟ ଚିହ୍ନାଇବାରେ ସାହାଯ୍ୟ କରିଥିଲା, ତଥାପି ଯୀଶୁଙ୍କ ମଶୀହତ୍ୱର ସବୁଠାରୁ ବିଶ୍ୱାସଯୋଗ୍ୟ ପ୍ରମାଣ କʼଣ ଥିଲା?

୧୮ ମଶୀହ କେବେ ଆସିବେ, ଏହି ବିଷୟରେ ଯଦିଓ କାଳକ୍ରମ ଯିହୂଦୀମାନଙ୍କୁ ଗୋଟିଏ ବ୍ୟାପକ ଧାରଣା ଦେବାରେ ସାହାଯ୍ୟ କରିଥିଲା, ତଥାପି ପରବର୍ତ୍ତି ଘଟଣାଗୁଡ଼ିକ ଦେଖାଏ ଯେ, ଏହି କାଳକ୍ରମ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯିହୂଦୀଙ୍କୁ ଯୀଶୁଙ୍କ ମଶୀହତ୍ୱକୁ ବିଶ୍ୱାସ କରିବାରେ ସାହାଯ୍ୟ କରି ନଥିଲା । ଯୀଶୁଙ୍କ ମୃତ୍ୟୁର ପ୍ରାୟ ଗୋଟିଏ ବର୍ଷ ପୂର୍ବେ ସେ ସେମାନଙ୍କ ଶିଷ୍ୟମାନଙ୍କୁ ପଚାରିଥିଲେ: “ମୁଁ କିଏ ବୋଲି ଲୋକସାଧାରଣ କଅଣ କହନ୍ତି?” ଏଥିରେ ସେମାନେ ଉତ୍ତର ଦେଲେ: “ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି ଏଲିୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନରୁତ୍‌ଥିତ ହୋଇଅଛନ୍ତି ।” (ଲୂକ ୯:୧୮, ୧୯) ଯୀଶୁ ନିଜକୁ ମଶୀହ ବୋଲି ପ୍ରମାଣ କରିବାକୁ ଲାକ୍ଷଣିକ ସପ୍ତାହର ଭବିଷ୍ୟଦ୍‌ବାଣୀକୁ କେବେହେଲେ ଉଦ୍ଧୃତ କରିଥିଲେ, ଏହି ବିଷୟରେ ଆମ ପାଖରେ କୌଣସି ଅଭିଲେଖ ନାହିଁ । କିନ୍ତୁ ଥରେ ସେ କହିଥିଲେ: ‘ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେଉଁ କାର୍ଯ୍ୟଗୁଡ଼ିକ ସମାପ୍ତ କରିବାକୁ ଦେଇଅଛନ୍ତି, ଯେଉଁ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି ।’ (ଯୋହନ ୫:୩୬) କୌଣସି ପ୍ରକଟ କାଳକ୍ରମ ପରିବର୍ତ୍ତେ ଯୀଶୁଙ୍କ ପ୍ରଚାର, ତାହାଙ୍କ ଆଶ୍ଚର୍ଯ୍ୟ କର୍ମାବଳୀ, ଏବଂ ତାଙ୍କର ମୃତ୍ୟୁ ସମ୍ବନ୍ଧୀୟ ଘଟଣା (ଆଶ୍ଚର୍ଯ୍ୟଜନକ ଅନ୍ଧକାର, ମନ୍ଦିରର ପରଦାର ବିଦୀର୍ଣ୍ଣୀକରଣ, ଏବଂ ଭୁମିକମ୍ପ) ପ୍ରମାଣ କରୁଥିଲା ଯେ, ସେ ମଶୀହ ଥିଲେ, ଯାହାଙ୍କୁ ପରମେଶ୍ୱର ପଠାଇଥିଲେ ।—ମାଥିଉ ୨୭:୪୫, ୫୧, ୫୪; ଯୋହନ ୭:୩୧; ପ୍ରେରିତ ୨:୨୨.

୧୯. (କ) ଯିରୁଶାଲମର ଧ୍ୱଂସ ସନ୍ନିକଟ ବୋଲି ଖ୍ରୀଷ୍ଟିଆନମାନେ କିପରି ଜାଣିପାରି ଥାନ୍ତେ? (ଖ) ଯିରୁଶାଲମରୁ ପଳାୟନ କରିଥିବା ପ୍ରାଚୀନ ଖ୍ରୀଷ୍ଟିଆନମାନଙ୍କୁ କାହିଁକି ଅଧିକ ବିଶ୍ୱାସର ଆବଶ୍ୟକତା ଥିଲା?

୧୯ ସେହିପରି ଯୀଶୁଙ୍କ ମୃତ୍ୟୁ ପରେ, ଯିହୂଦୀ ରୀତିବ୍ୟବସ୍ଥାରେ ହେବାକୁ ଥିବା ଧ୍ୱଂସ ଗଣନା କରିବା ପାଇଁ ପ୍ରାଚୀନ ଖ୍ରୀଷ୍ଟିଆନମାନଙ୍କୁ କୌଣସି ଉପାୟ ଦିଆଯାଇ ନଥିଲା । ପ୍ରକୃତରେ, ଲାକ୍ଷଣିକ ସପ୍ତାହ ବିଷୟରେ ଦାନିୟେଲଙ୍କ ଭବିଷ୍ୟଦ୍‌ବାଣୀ ସେହି ରୀତିବ୍ୟବସ୍ଥାର ଧ୍ୱଂସ ବିଷୟରେ ବର୍ଣ୍ଣନା କରେ । (ଦାନିୟେଲ ୯:୨୬ଖ, ୨୭ଖ) କିନ୍ତୁ ଏହା “ସତୁରି ସପ୍ତାହ” (ସା.ଯୁ.ପୂ. ୪୫୫-ସା.ଯୁ. ୩୬) ସମାପ୍ତ ହେବା ପରେ ଘଟିବ । ଅନ୍ୟ ଶବ୍ଦରେ, ସା.ଯୁ. ୩୬ ରେ ପ୍ରଥମେ ବିଜାତୀୟମାନେ ଯୀଶୁଙ୍କ ଶିଷ୍ୟ ହୋଇଥିଲେ । ତାʼପରେ ଖ୍ରୀଷ୍ଟିୟମାନଙ୍କ ପାଇଁ ଦାନିୟେଲ ଅଧ୍ୟାୟ ୯ ରେ କୌଣସି କାଳାନୁକ୍ରମିକ ତାରିଖ ନଥିଲା, ଯେଉଁଥିରେ ପରବର୍ତ୍ତି ଘଟଣାଗୁଡ଼ିକ ବିଷୟରେ ଜାଣିବା ସମ୍ଭବ ହୋଇପାରେ । ସେମାନଙ୍କ ପାଇଁ କାଳକ୍ରମ ନୁହେଁ, କିନ୍ତୁ ଘଟଣାଗୁଡ଼ିକ ଦର୍ଶାଇବ ଯେ ଯିହୂଦୀ ରୀତିବ୍ୟବସ୍ଥା ଶୀଘ୍ର ସମାପ୍ତ ହେବ । ରୋମୀୟ ସେନା ଯୀରୁଶାଲମକୁ ଆକ୍ରମଣ କରି ଫେରିଯାଇଥିଲେ । ସେହି ସମୟରେ ଯୀଶୁଙ୍କ ଦ୍ୱାରା ଭବିଷ୍ୟଦ୍‌ବାଣୀ କରାଯାଇଥିବା ସେହି ଘଟଣାଗୁଡ଼ିକ ସା.ଯୁ. ୬୬ ରେ ଚରମସୀମାର ନିକଟସ୍ଥ ହୋଇଥିଲା । ଯେତେବେଳେ ରୋମୀୟ ସେନା ଫେରିଗଲେ, ସେତେବେଳେ ଯିରୁଶାଲମ ଓ ଯିହୂଦା ପ୍ରଦେଶରେ ଥିବା ବିଶ୍ୱାସଯୋଗ୍ୟ ଓ ମନଯୋଗୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ‘ପର୍ବତମାଳାକୁ ପଳାୟନ’ କରିବାର ଏକ ସୁଯୋଗ ଥିଲା । (ଲୂକ ୨୧:୨୦-୨୨) କୌଣସି ନିର୍ଦିଷ୍ଟ ତାରିଖ ନ ଥିବା ଯୋଗୁଁ ପ୍ରଚୀନ ଖ୍ରୀଷ୍ଟିଆନମାନେ ଜାଣିପାରି ନଥିଲେ ଯେ କେବେ ଯିରୁଶାଲମର ଧ୍ୱଂସ ହେବ । ସେମାନେ ସେମାନଙ୍କର ଘର, କୃଷିକ୍ଷେତ୍ର ଓ କାରଖାନା ଇତ୍ୟାଦି ଛାଡ଼ି ଯିରୁଶାଲମରୁ ବାହାରେ ଚାରି ବର୍ଷ ଅର୍ଥାତ୍‌ ସା.ଯୁ. ୭୦ରେ ରୋମୀୟ ସେନା ପ୍ରତ୍ୟାବର୍ତ୍ତନ କରି ଯିହୂଦୀ ରୀତିବ୍ୟବସ୍ଥାର ଉଚ୍ଛେଦ କଲା ପର୍ଯ୍ୟନ୍ତ ସେଠାରେ ବାସ କରିବା ନିମନ୍ତେ କେତେ ବିଶ୍ୱାସର ଆବଶ୍ୟକତା ଥିଲା !—ଲୂକ ୧୯:୪୨-୪୪.

୨୦. (କ) ନୋହ, ମୋଶା ଏବଂ ଯିହୂଦାରେ ଥିବା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନମାନଙ୍କ ଉଦାହରଣରୁ ଆମେ କିପରି ଲାଭବାନ ହୋଇପାରିବା? (ଖ) ଆଗାମୀ ଲେଖାରୁ ଆମେ କʼଣ ଆଲୋଚନା କରିବା?

୨୦ ନୋହ, ମୋଶା ଏବଂ ଯିହୂଦାରେ ଥିବା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନମାନଙ୍କ ପରି ଆମେ ମଧ୍ୟ ଆଜି କାଳ ଓ ସମୟକୁ ଦୃଢ଼ ବିଶ୍ୱାସରେ ଯିହୋବାଙ୍କ ହାତରେ ଛାଡ଼ି ପାରିବା । ଆମର ଦୃଢ଼ ବିଶ୍ୱାସ ଯେ, ଆମେ ଏହି ଶେଷକାଳରେ ବାସ କରୁଅଛୁ ଏବଂ ଆମର ମୁକ୍ତି ସନ୍ନିକଟ ହୋଇ ଆସୁଅଛି, ତାହା କେବଳ କାଳାନୁକ୍ରମିକ ଗଣନା ଉପରେ ନିର୍ଭର କରେ ନାହିଁ, ମାତ୍ର ବାଇବଲୀୟ ଭବିଷ୍ୟଦ୍‌ବାଣୀର ପରିପୂର୍ଣ୍ଣତାରେ ପ୍ରକୃତ ଜୀବନର ଘଟଣାଗୁଡ଼ିକ ଉପରେ ନିର୍ଭର କରେ । ଅଧିକନ୍ତୁ, ଯଦିଓ ଆମେ ଖ୍ରୀଷ୍ଟଙ୍କର ଉପସ୍ଥିତିରେ ବାସ କରୁଅଛୁ, ତଥାପି ଆମକୁ ବିଶ୍ୱାସ କରିବାର ଓ ଜାଗ୍ରତ ରହିବାର ଆବଶ୍ୟକତା ଅଛି । ଶାସ୍ତ୍ରରେ ପୂର୍ବରୁ କୁହାଯାଇଥିବା ରୋମାଞ୍ଚକାରୀ ଘଟଣାଗୁଡ଼ିକୁ ଆମେ ଉତ୍ସୁକତାରେ ଅପେକ୍ଷା କରି ରହିବା ଉଚିତ୍‌ । ଏହା ଆଗାମୀ ଲେଖାର ବିଷୟବସ୍ତୁ ହେବ ।

[[ପାଦ ଟିପ୍ପଣୀଗୁଡ଼ିକ]

a ପ୍ରହରୀଦୁର୍ଗ (ଇଂଗ୍ରାଜୀ), ଅଗଷ୍ଟ ୧, ୧୯୯୬, ପୃଷ୍ଠା ୩୦-୧ ଦେଖନ୍ତୁ ।

ପୁନର୍ବିଚାର

◻ ଯିହୋବାଙ୍କ କାଳ ଓ ସମୟ ସମ୍ବନ୍ଧରେ ଯୀଶୁ ତାଙ୍କ ପ୍ରେରିତମାନଙ୍କୁ କʼଣ କହିଥିଲେ?

◻ ନୋହ କେତେ ସମୟ ଆଗରୁ ଜଳପ୍ଲାବନର ଆରମ୍ଭ ହେବ ବୋଲି ଜାଣିପାରି ଥିଲେ?

◻ କʼଣ ସୂଚିତ କରେ ଯେ, ମେଶା ଓ ଇସ୍ରାଏଲୀୟମାନେ ସଠିକ୍‌ ସମୟ ଜାଣି ନଥିଲେ ଯେ, ମିସରୁ ସେମାନଙ୍କର ମୁକ୍ତି କେବେ ହେବ?

◻ ଯିହୋବାଙ୍କ କାଳ ଓ ସମୟ ସମ୍ବନ୍ଧିତ ବାଇବଲୀୟ ଉଦାହରଣରୁ ଆମେ କିପରି ଲାଭବାନ ହୋଇପାରିବା?

[ପୃଷ୍ଠାରେ କ୍ୟାପସନ୍‌ ୧୧]

ନୋହଙ୍କ ବିଶ୍ୱାସ ଯୋଗୁଁ ସେ ତାରିଖ ସମ୍ବନ୍ଧିତ ବିଷୟଗୁଡ଼ିକୁ ଯିହୋବାଙ୍କ ହାତରେ ଛାଡ଼ିବାକୁ ସମର୍ଥ ହୋଇଥିଲେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ