ଈଶତନ୍ତ୍ରର ଅଧୀନରେ ରୁହ
“[ଯିହୋବା] ଆମ୍ଭମାନଙ୍କର ବିଚାରକର୍ତ୍ତା, [ଯିହୋବା] ଆମ୍ଭମାନଙ୍କର ବ୍ୟବସ୍ଥାଦାତା, [ଯିହୋବା] ଆମ୍ଭମାନଙ୍କର ରାଜା ।”—ଯିଶାଇୟ ୩୩:୨୨.
୧. ଅଧିକାଂଶ ଲୋକଙ୍କ ପାଇଁ ସରକାର ଗୋଟିଏ ଉଦ୍ବେଗପୂର୍ଣ୍ଣ ବିଷୟ କାହିଁକି ହୋଇଛି?
ସରକାରଙ୍କ ବିଷୟ ସମସ୍ତଙ୍କର ବଡ଼ ଉଦ୍ବେଗପୂର୍ଣ୍ଣ ବିଷୟ ଅଟେ । ଭଲ ସରକାର ଶାନ୍ତି ଏବଂ ସମୃଦ୍ଧି ଆଣେ । ବାଇବଲ କହେ: “ରାଜା ସୁବିଚାର ଦ୍ୱାରା ଦେଶ ସୁସ୍ଥିର କରେ ।” (ହିତୋପଦେଶ ୨୯:୪) ଅନ୍ୟପକ୍ଷରେ, ଯଦି ସରକାର ଭଲ ନ ହୁଏ, ତେବେ ଅନ୍ୟାୟ, ଭ୍ରଷ୍ଟାଚାର ଏବଂ ଅତ୍ୟାଚାର ବୃଦ୍ଧି ପାଏ । “ଦୁଷ୍ଟ ଲୋକ କର୍ତ୍ତୃତ୍ୱ ପାଇଲେ, ଲୋକମାନେ ଆର୍ତ୍ତସ୍ୱର କରନ୍ତି ।” (ହିତୋପଦେଶ ୨୯:୨) ସମଗ୍ର ଇତିହାସରେ ଲୋକମାନେ ଅନେକ ପ୍ରକାର ସରକାର ଦ୍ୱାରା ଶାସନ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଃଖରବିଷୟ ଯେ, ସେମାନଙ୍କ ଶାସକବର୍ଗଙ୍କ ଅତ୍ୟାଚାର ଫଳରେ ଲୋକମାନେ ବେଳେବେଳେ “ଆର୍ତ୍ତସ୍ୱର” କରନ୍ତି । (ଉପଦେଶକ ୮:୯) ଯେକୌଣସି ସରକାର କʼଣ ସେମାନଙ୍କ ପ୍ରଜାଙ୍କୁ ସର୍ବଦା ସୁଖ-ସମୃଦ୍ଧି ଦେବାରେ କୃତକାର୍ଯ୍ୟ ହୋଇପାରିବ?
୨. “ଈଶତନ୍ତ୍ର,” ପ୍ରାଚୀନ ଇସ୍ରାଏଲର ସରକାରଙ୍କ ଯଥାର୍ଥ ବର୍ଣ୍ଣନା କାହିଁକି ଅଟେ?
୨ ଐତିହାସିକ ଯୋସିଫସ ଏକ ଅତୁଳନୀୟ ସରକାର ବିଷୟରେ ଉଲ୍ଲେଖ କରିଥିଲେ, ସେ ଲେଖିଥିଲେ: “କିଛି ଲୋକ ସମ୍ରାଟଙ୍କୁ, ଅନ୍ୟମାନେ ଜନତନ୍ତ୍ରଙ୍କୁ ଏବଂ ଅନ୍ୟ କିଛି ଲୋକ ସାଧାରଣ ଜନତାଙ୍କୁ ସର୍ବୋଚ୍ଚ ରାଜନୈତିକ ଶକ୍ତି ଅର୍ପଣ କରିଥିଲେ । କିନ୍ତୁ ଆମର ବ୍ୟବସ୍ଥାଦାତା [ମୋଶା] କୌଣସି ପ୍ରକାର ରାଜନୈତିକ ସଙ୍ଗଠନ ଦ୍ୱାରା ଆକର୍ଷିତ ହୋଇ ନଥିଲେ, କିନ୍ତୁ ସେ ତାଙ୍କର ନିୟମ-ବ୍ୟବସ୍ଥାକୁ—ଯଦି ଗୋଟିଏ ଅଭିବ୍ୟକ୍ତିରୂପେ କହିବା ଆବଶ୍ୟକ ପଡ଼େ—‘ଈଶତନ୍ତ୍ର’ ନାମ ଦେଇଥିଲେ ଏବଂ ସାର୍ବଭୌମତ୍ୱ ଓ ଅଧିକାରକୁ ପରମେଶ୍ୱରଙ୍କ ହସ୍ତରେ ଅର୍ପଣ କରିଥିଲେ ।” (ଏଗେନସ୍ଟ ଏପୀନ, II, ୧୬୪-୫) କନସାଇସ୍ ଅକସ୍ପୋଡ଼ ଡିକ୍ସିନାରି ମତାନୁସାରେ ଈଶତନ୍ତ୍ରର ଅର୍ଥ “ଈଶ୍ୱରଙ୍କ ଦ୍ୱାରା ଶାସିତ ଗୋଟିଏ ସରକାର ।” ବାଇବଲରେ ଏହି ଶବ୍ଦ ଦେଖାଯାଏ ନାହିଁ, କିନ୍ତୁ ପ୍ରାଚୀନ ଇସ୍ରାଏଲର ସରକାରକୁ ଏହି ଶବ୍ଦ ସଠିକ୍ଭାବେ ବର୍ଣ୍ଣନା କରେ । ଯଦିଓ ଇସ୍ରାଏଲୀୟମାନଙ୍କର ଗୋଟିଏ ମାନବୀୟ ରାଜା ଥିଲା, କିନ୍ତୁ ସେମାନଙ୍କର ପ୍ରକୃତ ଶାସକ ଯିହୋବା ଥିଲେ । ଇସ୍ରାଏଲୀୟ ଭବିଷ୍ୟଦ୍ବକ୍ତା ଯିଶାଇୟ କହିଥିଲେ: “[ଯିହୋବା] ଆମ୍ଭମାନଙ୍କର ବିଚାରକର୍ତ୍ତା, [ଯିହୋବା] ଆମ୍ଭମାନଙ୍କର ବ୍ୟବସ୍ଥାଦାତା, [ଯିହୋବା] ଆମ୍ଭମାନଙ୍କର ରାଜା ।”—ଯିଶାଇୟ ୩୩:୨୨.
ପ୍ରକୃତ ଈଶତନ୍ତ୍ର କʼଣ?
୩, ୪. (କ) ପ୍ରକୃତ ଈଶତନ୍ତ୍ର କʼଣ? (ଖ) ନିକଟ ଭବିଷ୍ୟତ୍ରେ, ଈଶତନ୍ତ୍ର ମନୁଷ୍ୟଜାତିଙ୍କ ପାଇଁ କେଉଁ ଆଶୀର୍ବାଦ ଆଣିବ?
୩ ଯେବେଠାରୁ ଯୋସିଫସ ଏହି ଶବ୍ଦଟିକୁ ଗଢ଼ିଥିଲେ, ସେବେଠାରୁ ଅନେକ ରାଷ୍ଟ୍ରକୁ ଈଶତନ୍ତ୍ରୀୟରୂପେ ବର୍ଣ୍ଣନା କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ଅସହିଷ୍ନୁ, ଧର୍ମାନ୍ଧ ଏବଂ ନିର୍ଦ୍ଦୟୀ ଅତ୍ୟାଚାରୀ ରାଷ୍ଟ୍ରଭାବେ ଦେଖାଦେଇ ଥିଲେ । ସେଗୁଡ଼ିକ କʼଣ ପ୍ରକୃତ ଈଶତନ୍ତ୍ରୀୟ ଥିଲା? ଯୋସିଫସଙ୍କ ବ୍ୟବହୃତ ଶବ୍ଦର ଅର୍ଥରେ ନୁହେଁ । ସମସ୍ୟାଟି ହେଲା, “ଈଶତନ୍ତ୍ର” ଶବ୍ଦର ଆହୁରି ଅନେକ ଅର୍ଥ ଅଛି । ୱାଲଡ଼ ବୁକ୍ ଏନସାଇକ୍ଲୋପୀଡ଼ିଆ ଏହାକୁ ଏହିରୂପେ ପରିଭାଷିତ କରେ: “ଏହା ଗୋଟିଏ ପ୍ରକାର ସରକାର, ଯେଉଁଥିରେ ରାଷ୍ଟ୍ର ଗୋଟିଏ ଧର୍ମଯାଜକ କିମ୍ବା ଧର୍ମଯାଜକଙ୍କ ଦ୍ୱାରା ସାଶିତ ହୁଏ ଏବଂ ଯେଉଁଥିରେ ଯାଜକମାନଙ୍କ କେତେକ ସଦସ୍ୟଙ୍କର ବୈଧାନିକ ଓ ଧାର୍ମିକ ବିଷୟରେ ଅଧିକାର ଥାଏ ।” କିନ୍ତୁ, ପ୍ରକୃତ ଈଶତନ୍ତ୍ର ଯାଜକମାନଙ୍କ ଦ୍ୱାରା ଗଠିତ ସରକାର ନୁହେଁ । ଏହା ପ୍ରକୃତରେ ଈଶ୍ୱର ଶାସନ ଅର୍ଥାତ୍ ବିଶ୍ୱର ସୃଷ୍ଟିକର୍ତ୍ତା ଯିହୋବା ପରମେଶ୍ୱର ଦ୍ୱାରା ଶାସିତ ସରକାର ।
୪ ନିକଟ ଭବିଷ୍ୟଦ୍ରେ ସମଗ୍ର ପୃଥିବୀ ଈଶତନ୍ତ୍ରର ଅଧୀନରେ ହେବ, ସେତେବେଳେ ତାହା କେତେ ବଡ଼ ଆଶୀର୍ବାଦ ହେବ ! “ଈଶ୍ୱର ସ୍ୱୟଂ [ମଣିଷଜାତିଙ୍କ] ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।” (ପ୍ରକାଶିତ ବାକ୍ୟ ୨୧:୩, ୪) ଅସିଦ୍ଧ ମନୁଷ୍ୟଙ୍କ ଦ୍ୱାରା କୌଣସି ଯାଜକମାନଙ୍କ ଶାସନ କେବେହେଲେ ଏହି ପ୍ରକାର ସୁଖ ଆଣିପାରିବ ନାହିଁ । କେବଳ ପରମେଶ୍ୱରଙ୍କ ଶାସନ ଏହା କରିପାରିବ । ତେଣୁ ପ୍ରକୃତ ଖ୍ରୀଷ୍ଟିଆନମାନେ ରାଜନୈତିକ କାର୍ଯ୍ୟ ଦ୍ୱାରା ଈଶତନ୍ତ୍ର ଆଣିବାକୁ ଚେଷ୍ଟା କରନ୍ତି ନାହିଁ । ପରମେଶ୍ୱର ଗୋଟିଏ ବିଶ୍ୱବ୍ୟାପୀ ଈଶତନ୍ତ୍ରର ସ୍ଥାପନ ନିଜ ସମୟ ଓ ନିଜ ରୀତିରେ କରିବେ ବୋଲି ସେମାନେ ଧୈର୍ଯ୍ୟ ସହକାରେ ଅପେକ୍ଷା କରିଛନ୍ତି ।—ଦାନିୟେଲ ୨:୪୪.
୫. ଆଜି କେଉଁଠି ପ୍ରକୃତ ଈଶତନ୍ତ୍ର କାର୍ଯ୍ୟ କରେ ଏବଂ ଏହି ବିଷୟରେ କେଉଁ ପ୍ରଶ୍ନ ଉତ୍ଥିତ ହୁଏ?
୫ କିନ୍ତୁ, ଇତିମଧ୍ୟରେ ପ୍ରକୃତ ଈଶତନ୍ତ୍ର କାର୍ଯ୍ୟକ୍ଷମ । କେଉଁଠାରେ? ସେମାନଙ୍କ ମଧ୍ୟରେ, ଯେଉଁମାନେ ନିଜକୁ ସ୍ୱେଚ୍ଛାପୂର୍ବକ ପରମେଶ୍ୱରଙ୍କ ଶାସନର ଅଧୀନସ୍ଥ କରାନ୍ତି ଏବଂ ତାଙ୍କର ଇଚ୍ଛା ସାଧନ କରିବା ପାଇଁ ଏକାଠି ସହଯୋଗ କରନ୍ତି । ଏହି ପ୍ରକାର ବିଶ୍ୱାସୀ ବ୍ୟକ୍ତିମାନଙ୍କୁ ଆଧ୍ୟାତ୍ମିକ ‘ଗୋଷ୍ଠୀ’ ରୂପେ ଆଧ୍ୟାତ୍ମିକ ‘ଦେଶରେ’ ଏକତ୍ରିତ କରାଯାଇଛି । ସେମାନେ ‘ଈଶ୍ୱରଙ୍କ ଇସ୍ରାଏଲର’ ଅବଶିଷ୍ଟାଂଶ ବ୍ୟକ୍ତି ଅଟନ୍ତି ଏବଂ ସେମାନଙ୍କ ସହିତ ପଞ୍ଚାବନ ଲକ୍ଷରୁ ଅଧିକ ଖ୍ରୀଷ୍ଟୀୟ ସାଥୀ ଅଛନ୍ତି । (ଯିଶାଇୟ ୬୬:୮; ଗାଲାତୀୟ ୬:୧୬) ଏମାନେ ସ୍ୱର୍ଗୀୟ ରାଜା ଯୀଶୁଖ୍ରୀଷ୍ଟଙ୍କ ଅଧୀନରେ ଅଛନ୍ତି, ଯାହାଙ୍କୁ “ଅନନ୍ତକାଳୀନ ରାଜା,” ଯିହୋବା ପରମେଶ୍ୱର ରାଜାଭିଷିକ୍ତ କରିଛନ୍ତି । (୧ ତୀମଥି ୧:୧୭; ପ୍ରକାଶିତ ବାକ୍ୟ ୧୧:୧୫) କେଉଁ ରୀତିରେ ଏହି ସଙ୍ଗଠନକୁ ଈଶତନ୍ତ୍ରୀୟ ବୋଲି କୁହାଯାଏ? ଏହାର ସଦସ୍ୟମାନେ ଲୌକିକ ସରକାରଙ୍କ ଅଧିକାରକୁ କିପରି ଦେଖନ୍ତି? ଆତ୍ମିକ ସମାଜରେ ଯେଉଁମାନଙ୍କ ଅଧିକାର ଅଛି, ସେମାନେ କିପରି ଈଶତନ୍ତ୍ରର ସିଦ୍ଧାନ୍ତ କାଏମ କରନ୍ତି?
ଈଶତନ୍ତ୍ରୀୟ ସଙ୍ଗଠନ
୬. ଗୋଟିଏ ଦୃଶ୍ୟମାନ ମାନବୀୟ ସଙ୍ଗଠନ ପରମେଶ୍ୱରଙ୍କ ଦ୍ୱାରା କିପରି ଶାସିତ ହୋଇପାରେ?
୬ ଯିହୋବା, ଯିଏ ଅଦୃଶ୍ୟ ସ୍ୱର୍ଗରେ ବାସ କରନ୍ତି, ସେ ମାନବୀୟ ସଙ୍ଗଠନକୁ କିପରି ଶାସନ କରିପାରିବେ? (ଗୀତସଂହିତା ୧୦୩:୧୯) ଏହା ସମ୍ଭବ ହୁଏ, କାରଣ ଯେଉଁମାନେ ଏହାର ସଦସ୍ୟ, ସେମାନେ ଏହାର ଈଶ୍ୱରନିଶ୍ୱସିତ ଉପଦେଶ ପାଳନ କରନ୍ତି: “ତୁମ୍ଭେ ସର୍ବାନ୍ତଃକରଣ ସହିତ [ଯିହୋବାଙ୍କଠାରେ] ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ ।” (ହିତୋପଦେଶ ୨:୬; ୩:୫) ସେମାନେ ‘ଖ୍ରୀଷ୍ଟଙ୍କ ବ୍ୟବସ୍ଥାର’ ପାଳନ ଏବଂ ନିଜ ଦୈନନ୍ଦିନ ଜୀବନରେ ଈଶ୍ୱରନିଶ୍ୱସିତ ବାଇବଲୀୟ ସିଦ୍ଧାନ୍ତର ପ୍ରୟୋଗ କରିବା ଫଳରେ ନିଜକୁ ପରମେଶ୍ୱରଙ୍କ ଦ୍ୱାରା ଶାସିତ କରାଉଥିଲେ । (ଗାଲାତୀୟ ୬:୨; ୧ କରିନ୍ଥୀୟ ୯:୨୧; ୨ ତୀମଥି ୩:୧୬. ମାଥିଉ ୫:୨୨, ୨୮, ୩୯; ୬:୨୪, ୩୩; ୭:୧୨, ୨୧ ପଦଗୁଡ଼ିକ ଦେଖନ୍ତୁ ।) ଏହା କରିବା ପାଇଁ ସେମାନେ ବାଇବଲ ଛାତ୍ର ହେବା ଆବଶ୍ୟକ । (ଗୀତସଂହିତା ୧:୧-୩) ସେମାନେ ପ୍ରାଚୀନ ବେରୟା ନିବାସୀଙ୍କ ପରି “ସୁଶୀଳ” ଲୋକ ଥିଲେ, ଲୋକମାନଙ୍କ ଅନୁଗମନ କରୁ ନ ଥିଲେ, କିନ୍ତୁ ସେମାନେ ସିଖୁଥିବା ବିଷୟ ବାଇବଲରୁ ପ୍ରତିଦିନ ଅନୁସନ୍ଧାନ କରୁଥିଲେ । (ପ୍ରେରିତ ୧୭:୧୦, ୧୧; ଗୀତସଂହିତା ୧୧୯:୩୩-୩୬) ସେମାନେ ଦାଉଦଙ୍କ ପରି ପ୍ରାର୍ଥନା କରୁଥିଲେ: “ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ । କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି ।”—ଗୀତସଂହିତା ୧୧୯:୬୬.
୭. ଈଶତନ୍ତ୍ରରେ ତତ୍ୱାବଧାନର କ୍ରମ କʼଣ?
୭ ପ୍ରତ୍ୟେକ ସଙ୍ଗଠନରେ କେତେକ ଲୋକ ଥାଆନ୍ତି, ଯେଉଁମାନେ ଅଧିକାରର ପ୍ରୟୋଗ କରନ୍ତି କିମ୍ବା ନିର୍ଦ୍ଦେଶନା ଦିଅନ୍ତି । ଯିହୋବା ସାକ୍ଷୀମାନେ ଏଥିରୁ ଭିନ୍ନ ନୁହନ୍ତି, ସେମାନେ ଅଧିକାର ବିଷୟରେ ପ୍ରେରିତ ପାଉଲଙ୍କ ଦ୍ୱାରା ଲିଖିତ ନିୟମ ପଦ୍ଧତିକୁ ପାଳନ କରନ୍ତି: “[ପ୍ରତ୍ୟେକ] ପୁରୁଷଙ୍କର ମସ୍ତକ ଖ୍ରୀଷ୍ଟ, ନାରୀର ମସ୍ତକ ତାʼର ପତି ଓ ଖ୍ରୀଷ୍ଟଙ୍କର ମସ୍ତକ ଈଶ୍ୱର ଅଟନ୍ତି ।” (୧ କରିନ୍ଥୀୟ ୧୧:୩, OCB) ଏହି ନିୟମ ଅନୁସାରେ କେବଳ ଯୋଗ୍ୟ ବ୍ୟକ୍ତି ମଣ୍ଡଳୀରେ ପ୍ରାଚୀନରୂପେ ସେବା କରିପାରିବେ । ଯଦିଓ ଯୀଶୁ—“[ପ୍ରତ୍ୟେକ] ପୁରୁଷଙ୍କର ମସ୍ତକ”—ସ୍ୱର୍ଗରେ ଅଛନ୍ତି, ଏପର୍ଯ୍ୟନ୍ତ ତାଙ୍କର ଅଭିଷିକ୍ତ ଭାଇମାନଙ୍କ ‘ଅବଶିଷ୍ଟ ଲୋକ’ ପୃଥିବୀରେ ଅଛନ୍ତି । ଏହି ଅଭିଷିକ୍ତ ଭାଇମାନଙ୍କର ଯୀଶୁଙ୍କ ସହିତ ସ୍ୱର୍ଗରେ ଶାସନ କରିବାର ଆଶା ଅଛି । (ପ୍ରକାଶିତ ବାକ୍ୟ ୧୨:୧୭; ୨୦:୬) ଏହି ଅଭିଷିକ୍ତ ଭାଇମାନେ ମିଶି “ବିଶ୍ୱସ୍ତ ଓ ବୁଦ୍ଧିମାନ୍ ଦାସ” ଗଠନ କରନ୍ତି । ସେହି ‘ଦାସମାନଙ୍କର’ ତତ୍ତ୍ୱାବଧାନ ସ୍ୱୀକାର କରିବା ଦ୍ୱାରା ଖ୍ରୀଷ୍ଟିଆନମାନେ ଯୀଶୁଙ୍କ ପ୍ରତି ନିଜର ଅଧୀନତା ଦେଖାନ୍ତି ଏବଂ ଏପରି କରିବା ଦ୍ୱାରା ସେମାନେ ଯୀଶୁଙ୍କ ମସ୍ତକ ଯିହୋବାଙ୍କ ପ୍ରତି ଅଧୀନତା ଦେଖାନ୍ତି । (ମାଥିଉ ୨୪:୪୫-୪୭; ୨୫:୪୦) ଏହିପରି ଈଶତନ୍ତ୍ର ଶୃଙ୍ଖଳିତଭାବେ ଚାଲେ । “ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହନ୍ତି, ମାତ୍ର ଶାନ୍ତିର ଈଶ୍ୱର ।”—୧ କରିନ୍ଥୀୟ ୧୪:୩୩.
୮. ଖ୍ରୀଷ୍ଟୀୟ ପ୍ରାଚୀନମାନେ କିପରି ଈଶତନ୍ତ୍ରର ସିଦ୍ଧାନ୍ତକୁ ସମର୍ଥନ କରନ୍ତି?
୮ ଖ୍ରୀଷ୍ଟୀୟ ପ୍ରାଚୀନମାନେ ଈଶତନ୍ତ୍ରର ସିଦ୍ଧାନ୍ତକୁ ସମର୍ଥନ କରନ୍ତି, କାରଣ ସେମାନେ ହୃଦୟଙ୍ଗମ କରନ୍ତି ଯେ, ସେମାନେ ସେମାନଙ୍କ ସୀମିତ ଅଧିକାରକୁ ପ୍ରୟୋଗ କରିବା ପାଇଁ ଯିହୋବାଙ୍କଠାରେ ଦାୟୀ । (ଏବ୍ରୀ ୧୩:୧୭) ଯେତେବେଳେ ସେମାନେ ନିର୍ଣ୍ଣୟ ନିୟନ୍ତି, ସେତେବେଳେ ସେମାନେ ନିଜ ବୁଦ୍ଧିରେ ନୁହେଁ, ମାତ୍ର ଈଶ୍ୱରଙ୍କ ଜ୍ଞାନ ଉପରେ ନିର୍ଭର କରନ୍ତି । ଏଥିରେ ସେମାନେ ଯୀଶୁଙ୍କ ଉଦାହରଣ ଅନୁକରଣ କରନ୍ତି । ସେ ଏପର୍ଯ୍ୟନ୍ତ ଜୀବିତ ସବୁ ଲୋକମାନଙ୍କଠାରୁ ଜ୍ଞାନୀ ଥିଲେ । (ମାଥିଉ ୧୨:୪୨) ତଥାପି ସେ ଯିହୂଦୀମାନଙ୍କୁ କହିଥିଲେ: “ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ଆପଣାରୁ କିଛି ହିଁ କରି ପାରନ୍ତି ନାହିଁ ।” (ଯୋହନ ୫:୧୯) ପ୍ରାଚୀନମାନଙ୍କର ମଧ୍ୟ ଦାଉଦ ରାଜାଙ୍କ ପରି ଅନୁରୂପ ମନୋଭାବ ଅଛି । ସେ ଗୋଟିଏ ଈଶତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଧିକାର ପ୍ରୟୋଗ କରିଥିଲେ । ତଥାପି ସେ ନିଜର ନୁହେଁ, ମାତ୍ର ଯିହୋବାଙ୍କ ମାର୍ଗ ଅନୁସରଣ କରିଥିଲେ । ସେ ପ୍ରାର୍ଥନା କରିଥିଲେ: “ହେ ସଦାପ୍ରଭୋ [ଯିହୋବା], . . . ମୋତେ ତୁମ୍ଭର ମାର୍ଗ ଶିଖାଅ; ଓ ସରଳ ପଥରେ ମୋତେ କଢ଼ାଇ ନିଅ ।”—ଗୀତସଂହିତା ୨୭:୧୧.
୯. ଈଶତନ୍ତ୍ରରେ ସେବା କରିବାର ବିଭିନ୍ନ ଆଶା ଓ ସୁଯୋଗ ସମ୍ପର୍କରେ କେଉଁ ସନ୍ତୁଳିତ ମନୋଭାବ ସମର୍ପିତ ଖ୍ରୀଷ୍ଟିଆନମାନଙ୍କ ଅଛି?
୯ କେତେକ ଲୋକ ପ୍ରଶ୍ନ ପଚାରିଥିଲେ, ଏହା କʼଣ ପକ୍ଷପାତ ନୁହେଁ ଯେ, ମଣ୍ଡଳୀରେ ଏହି ଅଧିକାର କେବଳ କେତେକ ଯୋଗ୍ୟ ଲୋକ ପ୍ରୟୋଗ କରିଥାନ୍ତି, କିମ୍ବା କେତେକ ବ୍ୟକ୍ତିଙ୍କର ସ୍ୱର୍ଗୀୟ ଆଶା ଥିଲାବେଳେ ଅନ୍ୟ କେତେକଙ୍କର କେବଳ ପାର୍ଥିବ ଆଶା ଥାଏ? (ଗୀତସଂହିତା ୩୭:୨୯; ଫିଲିପ୍ପୀୟ ୩:୨୦) କିନ୍ତୁ, ସମର୍ପିତ ଖ୍ରୀଷ୍ଟିଆନମାନେ ଏହି ବ୍ୟବସ୍ଥାକୁ ପରମେଶ୍ୱରଙ୍କ ବାକ୍ୟରେ ଲିପିବଦ୍ଧ ହୋଇଛି ବୋଲି ମୂଲ୍ୟାଙ୍କନ ଦେଖାନ୍ତି । ସେମାନେ ଈଶତନ୍ତ୍ରୀୟ ଲୋକ । ଯଦି ସେମାନଙ୍କ ଉପରେ କୌଣସି ଆପତ୍ତି ଆସେ, ତାହା ଏପରି ଲୋକଙ୍କ ଦ୍ୱାରା ହୋଇଥାଏ ଯେଉଁମାନେ ବାଇବଲ ସିଦ୍ଧାନ୍ତକୁ ହୃଦୟଙ୍ଗମ କରନ୍ତି ନାହିଁ । ଏହାଛଡ଼ା, ଖ୍ରୀଷ୍ଟିଆନମାନେ ଜାଣନ୍ତି ଯେ, ପରିତ୍ରାଣ ସମ୍ବନ୍ଧରେ ଯିହୋବାଙ୍କ ଦୃଷ୍ଟିରେ ପୁରୁଷ ଓ ସ୍ତ୍ରୀ ସମାନ । (ଗାଲାତୀୟ ୩:୨୮) ପ୍ରକୃତ ଖ୍ରୀଷ୍ଟିଆନମାନଙ୍କ ପକ୍ଷରେ ବିଶ୍ୱର ସର୍ବସତ୍ତାଧାରୀଙ୍କ ଉପାସକ ହେବା ସବୁଠାରୁ ସମ୍ଭବ୍ୟ ସୁଯୋଗ ଓ ସେମାନଙ୍କ ପାଇଁ ଯିହୋବା ଯେ କୌଣସି କାର୍ଯ୍ୟ ଦିୟନ୍ତି, ସେମାନେ ସେଥିରେ ଖୁସୀ ହୁଅନ୍ତି । (ଗୀତସଂହିତା ୩୧:୨୩; ୮୪:୧୦; ୧ କରିନ୍ଥୀୟ ୧୨:୧୨, ୧୩, ୧୮) ଅଧିକନ୍ତୁ, ଅନନ୍ତଜୀବନ ସ୍ୱର୍ଗରେ ହେଉ ବା ପୃଥିବୀସ୍ଥ ପାରଦୀଶରେ ହେଉ, ପ୍ରକୃତରେ ଏହା ଏକ ଅତିସୁନ୍ଦର ଆଶା ।
୧୦. (କ) ଯୋନାଥନ କେଉଁ ଉତ୍ତମ ମନୋଭାବ ପ୍ରଦର୍ଶିତ କରିଥିଲେ? (ଖ) ଯୋନାଥନଙ୍କ ପରି ଅନୁରୂପ ମନୋଭାବ ଆଜିର ଖ୍ରୀଷ୍ଟିଆନମାନେ କିପରି ଦେଖାଉଛନ୍ତି?
୧୦ ଏହିପରି, ଯିହୋବା ସାକ୍ଷୀମାନେ ରାଜା ଶାଉଲଙ୍କ ଈଶ୍ୱର-ଭୟକାରୀ ପୁତ୍ର ଯୋନାଥନଙ୍କ ସହିତ ସଦୃଶ । ଯୋନାଥନ ଜଣେ ଉତ୍ତମ ରାଜା ହୋଇ ପାରିଥାଆନ୍ତେ । କିନ୍ତୁ ଶାଉଲଙ୍କ ଅବିଶ୍ୱସ୍ତ କାରଣରୁ ଯିହୋବା ଦାଉଦଙ୍କୁ ଇସ୍ରାଏଲର ଦ୍ୱୀତିୟ ରାଜା ମନୋନୀତ କଲେ । ଯୋନାଥନ କʼଣ ଈର୍ଷା କରିଥିଲେ? ନା । ସେ ଦାଉଦଙ୍କ ଜଣେ ଉତ୍ତମ ବନ୍ଧୁ ହୋଇଥିଲେ ଏବଂ ଶାଉଲଙ୍କଠାରୁ ତାଙ୍କୁ ସୁରକ୍ଷା କରିଥିଲେ । (୧ ଶାମୁୟେଲ ୧୮:୧; ୨୦:୧-୪୨) ସେହିପରି, ଯେଉଁମାନଙ୍କର ପାର୍ଥିବ ଆଶା ଅଛି, ସେମାନେ ସ୍ୱର୍ଗୀୟ ଆଶା ଥିବା ଲୋକଙ୍କୁ ଈର୍ଷା କରନ୍ତି ନାହିଁ । ଯେଉଁମାନେ ମଣ୍ଡଳୀରେ ଈଶତନ୍ତ୍ରୀୟ ଅଧିକାର ପ୍ରୟୋଗ କରନ୍ତି, ସେମାନଙ୍କ ଉପରେ ପ୍ରକୃତ ଖ୍ରୀଷ୍ଟିଆନମାନେ ଈର୍ଷା କରନ୍ତି ନାହିଁ । କିନ୍ତୁ, ସେମାନେ ସେମାନଙ୍କ ଆଧ୍ୟାତ୍ମିକ ଭାଇ ଓ ଭଉଣୀମାନଙ୍କ ଅଧ୍ୟବସାୟୀ କାର୍ଯ୍ୟକୁ ହୃଦୟଙ୍ଗମ କରି ‘ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କରନ୍ତି ।’—୧ ଥେସଲନୀକୀୟ ୫:୧୨, ୧୩.
ସରକାରଙ୍କ ଶାସନର ଈଶତନ୍ତ୍ରୀୟ ଦୃଷ୍ଟିକୋଣ
୧୧. ଯେଉଁ ଖ୍ରୀଷ୍ଟିଆନମାନେ ଈଶତନ୍ତ୍ରୀୟ ଶାସନର ଅଧୀନରେ ରୁହନ୍ତି, ସେମାନେ ଲୌକିକ ଅଧିକାରୀଙ୍କୁ କିପରି ଦୃଷ୍ଟିରେ ଦେଖନ୍ତି?
୧୧ ଯଦି ଯିହୋବା ସାକ୍ଷୀମାନେ ଈଶତନ୍ତ୍ର ଅର୍ଥାତ୍ ଈଶ୍ୱରଙ୍କ ଶାସନ ଅଧୀନରେ ଅଛନ୍ତି, ତେବେ ସେମାନେ ରାଷ୍ଟ୍ରୀୟ ଶାସକମାନଙ୍କୁ କିପରି ଦେଖନ୍ତି? ଯୀଶୁ କହିଥିଲେ ଯେ, ତାଙ୍କର ଅନୁଗାମୀମାନେ “ଜଗତର” ଅଂଶ ହେବେ ‘ନାହିଁ’ । (ଯୋହନ ୧୭:୧୬, OCB) ଖ୍ରୀଷ୍ଟିଆନମାନେ ‘କାଇସର’ ଅର୍ଥାତ୍ ଲୌକିକ ସରକାରର ପ୍ରାପ୍ୟ ଦେବା ପାଇଁ ଜାଣନ୍ତି । ଯୀଶୁ କହିଥିଲେ ଯେ, ‘କାଇସରଙ୍କର ଯାହା, ତାହା କାଇସରଙ୍କୁ ଦେବା; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦେବା’ ଉଚିତ୍ । (ମାଥିଉ ୨୨:୨୧) ବାଇବଲ ଅନୁସାରେ, ଲୌକିକ ସରକାର “ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ” ହୋଇଛି । ଯିହୋବା ସମସ୍ତ ଅଧିକାରର ଉତ୍ସ, ସେ ସରକାରଙ୍କୁ ତିଷ୍ଠି ରହିବା ପାଇଁ ଅନୁମତି ଦେଇଛନ୍ତି ଏବଂ ଯେଉଁମାନେ ଏହି ସରକାର ଅଧୀନରେ ଅଛନ୍ତି, ସେ ସେମାନଙ୍କର ମଙ୍ଗଳ କରନ୍ତୁ ବୋଲି ଯିହୋବା ଆଶା କରନ୍ତି । ସେମାନେ ଏହିପିର କଲେ, ସେମାନଙ୍କୁ “ଈଶ୍ୱରଙ୍କ ସେବକ” କୁହାଯିବ । ଖ୍ରୀଷ୍ଟିଆନମାନେ ସେମାନଙ୍କ “ବିବେକ ହେତୁ” ଯେଉଁ ଦେଶରେ ବାସ କରନ୍ତି, ସେହି ଦେଶର ସରକାରଙ୍କ ଅଧୀନରେ ରହନ୍ତି । (ରୋମୀୟ ୧୩:୧-୭) ଅବଶ୍ୟ, ଯଦି ସରକାର ପରମେଶ୍ୱରଙ୍କ ନିୟମ ବିରୁଦ୍ଧରେ କିଛି ଦାବୀ କରେ, ତେବେ ଖ୍ରୀଷ୍ଟିଆନମାନେ “ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା [ଅବଶ୍ୟ] ଈଶ୍ୱରଙ୍କ ଆଜ୍ଞା ପାଳନ” କରିବା ଉଚିତ୍ ।—ପ୍ରେରିତ ୫:୨୯.
୧୨. ଯେତେବେଳେ ଖ୍ରୀଷ୍ଟିଆନମାନେ ଅଧିକାରୀମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ କେଉଁମାନଙ୍କ ଉଦାହରଣ ଅନୁସରଣ କରନ୍ତି?
୧୨ ଯେତେବେଳେ ପ୍ରକୃତ ଖ୍ରୀଷ୍ଟିଆନମାନେ ସରକାରଙ୍କ ଅଧିକାରୀମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ କʼଣ କରନ୍ତି? ସେତେବେଳେ ସେମାନେ ପ୍ରାଚୀନ ଖ୍ରୀଷ୍ଟିଆନମାନଙ୍କ ଉଦାହରଣକୁ ଅନୁସରଣ କରନ୍ତି, ଯେଉଁମାନେ ଅକଥନୀୟ ନିର୍ଯ୍ୟାତନା ସହ୍ୟ କରିଥିଲେ । (ପ୍ରେରିତ ୮:୧; ୧୩:୫୦) ଏହି ବିଶ୍ୱାସର ପରୀକ୍ଷା ଅପ୍ରତ୍ୟାଶିତ ନଥିଲା, କାରଣ ସେମାନେ ଆସିବେ ବୋଲି ଯୀଶୁ ଚେତାବାଣୀ ଦେଇଥିଲେ । (ମାଥିଉ ୫:୧୦-୧୨; ମାର୍କ ୪:୧୭) ତଥାପି ସେହି ପ୍ରାଚୀନ ଖ୍ରୀଷ୍ଟିଆନମାନେ ସେମାନଙ୍କ ନିର୍ଯ୍ୟାତନାକାରୀ ବିରୁଦ୍ଧରେ ପ୍ରତିଶୋଧ ନେଇ ନଥିଲେ କିମ୍ବା ସେମାନଙ୍କର ବିଶ୍ୱାସ, ଚାପରେ ଦୁର୍ବଳ ହୋଇ ନଥିଲା । ସେମାନେ ଯୀଶୁଙ୍କ ଉଦାହରଣ ଅନୁକରଣ କରିଥିଲେ: “ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ ।” (୧ ପିତର ୨:୨୧-୨୩) ହଁ, ଖ୍ରୀଷ୍ଟୀୟ ସିଦ୍ଧାନ୍ତ ଶୟତାନର କ୍ରୋଧୋଦ୍ଦୀପନା ଉପରେ ବିଜୟପ୍ରାପ୍ତ କରିଥିଲା ।—ରୋମୀୟ ୧୨:୨୧.
୧୩. ଯିହୋବା ସାକ୍ଷୀମାନେ ନିର୍ଯ୍ୟାତନା ଓ ନିନ୍ଦାଜନକ ଅପପ୍ରଚାର ପ୍ରତି କିପରି ପ୍ରତିକ୍ରିଆ ଦେଖାନ୍ତି?
୧୩ ଆଜି ମଧ୍ୟ ଏହା ସତ୍ୟ ଅଟେ । ଯୀଶୁ ଭବିଷ୍ୟଦ୍ବାଣୀ କରିଥିବା ଭଳି ଏହି ଶତାବ୍ଦୀରେ ଯିହୋବା ସାକ୍ଷୀମାନେ ଅତ୍ୟାଚାରୀ ଶାସକମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଛନ୍ତି । (ମାଥିଉ ୨୪:୯, ୧୩) କେତେକ ଦେଶରେ ଅପପ୍ରଚାର ଓ ମିଥ୍ୟା ବର୍ଣ୍ଣନା ଦ୍ୱାରା ପ୍ରକୃତ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ମୋକଦମା କରିବା ପାଇଁ ଅଧିକାରୀମାନଙ୍କ ଉପରେ ବଳପ୍ରୟୋଗ କରିବାକୁ ଚେଷ୍ଟା କରାଯାଉଛି । ତଥାପି, ଏପରି “ଅଖ୍ୟାତି” ସତ୍ତ୍ୱେ ମଧ୍ୟ ସାକ୍ଷୀମାନେ ନିଜର ଭଲ ଆଚରଣ ଦ୍ୱାରା ନିଜକୁ ପରମେଶ୍ୱରଙ୍କ ସେବକ ବୋଲି ପ୍ରମାଣିତ କରୁଛନ୍ତି । (୨ କରିନ୍ଥୀୟ ୬:୮, ୧୦) ଯେତେବେଳେ ସମ୍ଭବ ହୁଏ, ସେମାନେ ସେମାନଙ୍କ ମୋକଦମାକୁ ଅଧିକାରୀଙ୍କ ସମ୍ମୁଖରେ ଓ କୋଟରେ ଉପସ୍ଥାପନ କରନ୍ତି, ଯଦ୍ୱାରା ସେମାନେ ନିଜକୁ କୂକର୍ମରୁ ନିର୍ଦୋଷ ବୋଲି ପ୍ରମାଣ କରିପାରନ୍ତି । ଜନସାଧାରଣଙ୍କ ସମ୍ମୁଖରେ ସୁସମାଚାର ରକ୍ଷା କରିବା ପାଇଁ ସେମାନେ ସମସ୍ତ ପ୍ରକାର ଉପାୟ କରୁଛନ୍ତି । (ଫିଲିପ୍ପୀୟ ୧:୭) ନିୟମର ପରିସୀମା ଭିତରେ ସେମାନେ ସବୁକିଛି କଲାପରେ ଅନ୍ୟସବୁ ଯିହୋବାଙ୍କ ହସ୍ତରେ ଛାଡ଼ିଦିଅନ୍ତି । (ଗୀତସଂହିତା ୫:୮-୧୨; ହିତୋପଦେଶ ୨୦:୨୨) ଆବଶ୍ୟକ ସ୍ଥଳରେ ସେମାନେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନମାନଙ୍କ ପରି ଧାର୍ମିକତା ପାଇଁ ଦୁଃଖଭୋଗ କରିବାକୁ ଡରନ୍ତି ନାହିଁ ।—୧ ପିତର ୩:୧୪-୧୭; ୪:୧୨-୧୪, ୧୬.
ପରମେଶ୍ୱରଙ୍କ ଗୌରବକୁ ପ୍ରଥମ ସ୍ଥାନ ଦିଅନ୍ତୁ
୧୪, ୧୫. (କ) ଯେଉଁମାନେ ଈଶତନ୍ତ୍ରର ସିଦ୍ଧାନ୍ତକୁ ସମର୍ଥନ କରନ୍ତି, ସେମାନେ କେଉଁ କାର୍ଯ୍ୟକୁ ପ୍ରଥମ ସ୍ଥାନ ଦେବେ? (ଖ) ଶଲୋମନ ତତ୍ୱାବଧାନ କରୁଥିବା ବେଳେ କେଉଁ ପରିସ୍ଥିତିରେ ନମ୍ରତାର ଏକ ଉତ୍ତମ ଉଦାହରଣ ସ୍ଥାପିତ କରିଥିଲେ?
୧୪ ଯେତେବେଳେ ଯୀଶୁ ତାଙ୍କର ଅନୁଗାମୀମାନଙ୍କୁ ପ୍ରାର୍ଥନା କରିବାକୁ ଶିକ୍ଷା ଦେଇଥିଲେ, ସେତେବେଳେ ସେ ସର୍ବପ୍ରଥମେ ଯିହୋବାଙ୍କ ନାମର ପବିତ୍ରୀକରଣ ବିଷୟରେ ଉଲ୍ଲେଖ କରିଥିଲେ । (ମାଥିଉ ୬:୯) ସେହି ବିଷୟ ସହିତ ସାମଞ୍ଜସ୍ୟ ରଖି ଯେଉଁମାନେ ଈଶତନ୍ତ୍ରର ଅଧୀନରେ ବାସ କରନ୍ତି, ସେମାନେ ନିଜର ନୁହେଁ, କିନ୍ତୁ ପରମେଶ୍ୱରଙ୍କୁ ଗୌରବ ଦେବାକୁ ଚେଷ୍ଟା କରନ୍ତି । (ଗୀତସଂହିତା ୨୯:୧, ୨) ବାଇବଲ କହେ ଯେ, ପ୍ରଥମ ଶତାବ୍ଦୀରେ ଯେଉଁମାନେ ଯୀଶୁଙ୍କୁ ଅନୁଶରଣ କରିବାକୁ ମନା କଲେ, ସେମାନଙ୍କ ପକ୍ଷରେ ଏହା ଏକ ପ୍ରତିବନ୍ଧକ ସଦୃଶ ଥିଲା, କାରଣ “ମଣିଷଙ୍କ ପ୍ରଶଂସା [ଗୌରବ] ପାଇଁ ସେମାନେ ଅଧିକ ଲାଳାୟିତ ଥିଲେ,” ସେମାନେ ମନୁଷ୍ୟଙ୍କ ଦ୍ୱାରା ଗୌରବ ପାଇବାକୁ ଲାଳାୟିତ ଥିଲେ । (ଯୋହନ ୧୨:୪୨, ୪୩, OCB) ବାସ୍ତବରେ, ନିଜର ଅଭିମାନ ଛାଡ଼ି ଯିହୋବାଙ୍କୁ ସମ୍ମାନ ଦେବା ପାଇଁ ନମ୍ରତାର ଅବଶ୍ୟକତା ହୁଏ ।
୧୫ ଏହି ସମ୍ବନ୍ଧରେ ଶଲୋମନ ଉତ୍ତମ ମନୋଭାବ ଦେଖାଇ ଥିଲେ । ଶଲୋମନ ଯେଉଁ ପ୍ରସିଦ୍ଧ ମନ୍ଦିର ନିର୍ମାଣ କରିଥିଲେ, ତାହାର ଉତ୍ସର୍ଗିକରଣ କରିବା ସମୟରେ ତାଙ୍କର ବାକ୍ୟ ସହିତ ନବୂଖଦ୍ନିତ୍ସରଙ୍କ ନିର୍ମାଣ କାର୍ଯ୍ୟ ବିଷୟକ ବାକ୍ୟକୁ ତୁଳନା କରନ୍ତୁ । ଅତ୍ୟଧିକ ଔଦ୍ଧତ୍ୟରେ ନବୂଖଦ୍ନିତ୍ସର କହିଥିଲେ: “ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ?” (ଦାନିୟେଲ ୪:୩୦) ତାʼର ବିପରୀତରେ ଶଲୋମନ ତାଙ୍କର ମହାନ କାର୍ଯ୍ୟକୁ କମଗୁରୁତ୍ୱ ଦେଇ ବିନୟଭାବେ କହିଥିଲେ: “ପରମେଶ୍ୱର କʼଣ ପୃଥିବୀରେ ମନୁଷ୍ୟମାନଙ୍କ ସଙ୍ଗରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭଙ୍କୁ ଧାରଣ କରି ନ ପାରେ; ତେବେ ଆମ୍ଭ ନିର୍ମିତ ଏହି ଗୃହ କʼଣ ପାରିବ?” (୨ ବଂଶାବଳି ୬:୧୪, ୧୫, ୧୮; ଗୀତସଂହିତା ୧୨୭:୧) ଶଲୋମନ ନିଜର ଉଚ୍ଚ ପ୍ରଶଂସା କରି ନଥିଲେ । ସେ ଜାଣିଥିଲେ ଯେ, ସେ କେବଳ ଯିହୋବାଙ୍କ ଜଣେ ପ୍ରତିନିଧି । ସେ ଲେଖିଥିଲେ: “ଅହଙ୍କାର ଆସିଲେ ଲଜ୍ଜା ଆସେ; ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ ।”—ହିତୋପଦେଶ ୧୧:୨.
୧୬. ପ୍ରାଚୀନମାନେ ନିଜକୁ ଗୌରବାନ୍ୱିତ ନ କରିବା ଦ୍ୱାରା କିପରି ପ୍ରକୃତ ଆଶୀର୍ବାଦ ପ୍ରମାଣିତ ହୋଇଛନ୍ତି?
୧୬ ଖ୍ରୀଷ୍ଟୀୟ ପ୍ରାଚୀନମାନେ ସେହିପରି ନିଜକୁ ନୁହେଁ, କିନ୍ତୁ ଯିହୋବାଙ୍କୁ ପ୍ରଶଂସା କରନ୍ତି । ସେମାନେ ପିତରଙ୍କ ଉପଦେଶ ଅନୁକରଣ କରନ୍ତି: “କେହି ଯଦି ସେବା କରେ, ତେବେ ସେ ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ ।” (୧ ପିତର ୪:୧୧) ପ୍ରେରିତ ପାଉଲ ବର୍ଣ୍ଣନା କରିଥିଲେ ଯେ, “ଅଧ୍ୟକ୍ଷପଦ” ପ୍ରାଧାନ୍ୟର ମୁଖ୍ୟ ପଦ ନୁହେଁ, କିନ୍ତୁ “ଉତ୍ତମ କାର୍ଯ୍ୟ” କରିବାର ପଦ ଅଟେ । (୧ ତୀମଥି ୩:୧) ପ୍ରାଚୀନମାନଙ୍କୁ ଶାସନ କରିବାକୁ ନୁହେଁ, କିନ୍ତୁ ସେବା କରବାକୁ ନିଯୁକ୍ତ କରାଯାଇଛି । ସେମାନେ ପରମେଶ୍ୱରଙ୍କ ପଲର ଶିକ୍ଷକ ଓ ମେଷପାଳକ ଅଟନ୍ତି । (ପ୍ରେରିତ ୨୦:୨୮; ଯାକୁବ ୩:୧) ନମ୍ର ଓ ଆତ୍ମତ୍ୟାଗୀ ପ୍ରାଚୀନମାନେ ମଣ୍ଡଳୀ ପ୍ରତି ପ୍ରକୃତ ଆଶୀର୍ବାଦ ଅଟନ୍ତି । (୧ ପିତର ୫:୨, ୩) “ଏହିପ୍ରକାର ବ୍ୟକ୍ତିମାନଙ୍କ ସମାଦର କର,” ଏବଂ ଏହି “ଶେଷକାଳରେ” ଈଶତନ୍ତ୍ରକୁ ଚଳାଇବା ପାଇଁ ଯିହୋବା ଅନେକ ଯୋଗ୍ୟ ପ୍ରାଚୀନମାନଙ୍କୁ ଯୋଗାଇ ଥିବାରୁ ତାଙ୍କୁ ଧନ୍ୟବାଦ ।—ଫିଲିପ୍ପୀୟ ୨:୨୯; ୨ ତୀମଥି ୩:୧.
“ଈଶ୍ୱରଙ୍କ ଅନୁକାରୀ ହୁଅ”
୧୭. ଯେଉଁମାନେ ଈଶତନ୍ତ୍ରର ଅଧୀନରେ ଅଛନ୍ତି, ସେମାନେ କିପରି ପରମେଶ୍ୱରଙ୍କୁ ଅନୁକରଣ କରୁଛନ୍ତି?
୧୭ ପ୍ରେରିତ ପାଉଲ ପ୍ରୋତ୍ସାହିତ କରିଥିଲେ: “ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ୱରଙ୍କ ଅନୁକାରୀ ହୁଅ ।” (ଏଫିସୀୟ ୫:୧) ଯେଉଁମାନେ ନିଜକୁ ଈଶତନ୍ତ୍ରର ଅଧିନସ୍ଥ କରୁଛନ୍ତି, ସେମାନେ ଅସିଦ୍ଧ ମଣିଷ ହୋଇ ମଧ୍ୟ ଯେତେଦୂର ସମ୍ଭବ ଈଶ୍ୱରଙ୍କ ପରି ହେବାକୁ ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ୱରୂପ, ବାଇବଲ ଯିହୋବାଙ୍କ ବିଷୟରେ କହେ: “ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି ।” (ଦ୍ୱିତୀୟ ବିବରଣ ୩୨:୩, ୪) ଏହି ସମ୍ପର୍କରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଖ୍ରୀଷ୍ଟିଆନମାନେ ବିଶ୍ୱସ୍ତ ଓ ଧାର୍ମିକ ହେବାକୁ ଏବଂ ନ୍ୟାୟର ସନ୍ତୁଳିତ ମନୋଭାବ ରଖିବାକୁ ଚେଷ୍ଟା କରନ୍ତି । (ମୀଖା ୬:୮; ୧ ଥେସଲନୀକୀୟ ୩:୬; ୧ ଯୋହନ ୩:୭) ଜଗତରେ ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ, ସେଗୁଡ଼ିକଠାରୁ ସେମାନେ ଦୂରରେ ରହନ୍ତି, ଯଥା ଅନୈତିକତା, ଲୋଭ ଇତ୍ୟାଦି । (ଏଫିସୀୟ ୫:୫) ଯିହୋବା ସାକ୍ଷୀମାନେ ମାନବିକ ସ୍ତର ନୁହେଁ, କିନ୍ତୁ ଐଶ୍ୱରିକ ସ୍ତରକୁ ପାଳନ କରନ୍ତି, ତେଣୁ ତାଙ୍କର ସଙ୍ଗଠନ ଈଶତନ୍ତ୍ରୀୟ, ଶୁଦ୍ଧ ଓ ହିତକର ।
୧୮. ପରମେଶ୍ୱରଙ୍କର ମୁଖ୍ୟ ଗୁଣ କʼଣ ଏବଂ ଖ୍ରୀଷ୍ଟିଆନମାନେ କିପରି ଏହି ଗୁଣକୁ ପ୍ରତିଫଳିତ କରନ୍ତି?
୧୮ ପ୍ରେମ ଯିହୋବା ପରମେଶ୍ୱରଙ୍କ ମୁଖ୍ୟ ଗୁଣ ଅଟେ । ପ୍ରେରିତ ଯୋହନ କହନ୍ତି, “ଈଶ୍ୱର ପ୍ରେମ [ଅଟନ୍ତି] ।” (୧ ଯୋହନ ୪:୮) ଯେହେତୁ ଈଶତନ୍ତ୍ରର ଅର୍ଥ ପରମେଶ୍ୱରଙ୍କ ଶାସନ, ତେବେ ଏହା ପ୍ରେମର ଶାସନକୁ ବୁଝାଏ । ଯୀଶୁ କହିଥିଲେ: “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ ।” (ଯୋହନ ୧୩ ୩୫) ଶେଷକାଳର ଏହି କଠିନ ସମୟରେ ଈଶତନ୍ତ୍ରୀୟ ସଙ୍ଗଠନ ଉଲ୍ଲେଖନୀୟ ପ୍ରେମ ଦେଖାଇଛି । ଆଫ୍ରିକାରେ ନୃଶଂସ ହତ୍ୟାକାଣ୍ଡ ସମୟରେ ଯିହୋବା ସାକ୍ଷୀମାନେ ସମସ୍ତ ଲୋକଙ୍କ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିଲେ, ସେମାନେ ଯେ କୌଣସି ଜାତିର ଲୋକ ହୁଅନ୍ତୁ ନା କାହିଁକି । ପୂର୍ବତନ ୟୁଗୋସ୍ଲାଭିଆରେ ଯୁଦ୍ଧ ଲାଗିଥିବା ସମୟରେ ସମସ୍ତ ଅଞ୍ଚଳର ଯିହୋବା ସାକ୍ଷୀମାନେ ପରସ୍ପରକୁ ସାହାଯ୍ୟ କରୁଥିଲେ, କିନ୍ତୁ ଅନ୍ୟ ଧାର୍ମିକ ଦଳର ଲୋକମାନେ ତଥା-କଥିତ ଜାତିଗତ ହତ୍ୟାକାଣ୍ଡରେ ଭାଗନେଇ ଥିଲେ । ବ୍ୟକ୍ତିଗତରୂପେ ଯିହୋବା ସାକ୍ଷୀମାନେ ପାଉଲଙ୍କ ଉପଦେଶ ପାଳନ କରିବାକୁ ପ୍ରୟାସ କରିଥିଲେ: “ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ । ଆଉ, ପରସ୍ପର ପ୍ରତି ସଦୟ ହଅ, କୋମଳହୃଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।”—ଏଫିସୀୟ ୪:୩୧, ୩୨.
୧୯. ଯେଉଁମାନେ ନିଜକୁ ଈଶତନ୍ତ୍ରର ଅଧିନସ୍ଥ କରନ୍ତି, ସେମାନଙ୍କ ପାଇଁ ବର୍ତ୍ତମାନ ଓ ଭବିଷ୍ୟତ୍ରେ କେଉଁ ଆଶୀର୍ବାଦ ଅଛି?
୧୯ ଯେଉଁମାନେ ଈଶତନ୍ତ୍ରର ଅଧିନସ୍ଥ ହୁଅନ୍ତି, ସେମାନେ ବହୁତ ଆଶୀର୍ବାଦ ଉପଭୋଗ କରନ୍ତି । ସେମାନେ ପରମେଶ୍ୱର ଓ ସହଖ୍ରୀଷ୍ଟିଆନମାନଙ୍କ ସହିତ ଶାନ୍ତି ବଜାୟି ରଖନ୍ତି । (ଏବ୍ରୀ ୧୨:୧୪; ଯାକୁବ ୩:୧୭) ଜୀବନରେ ସେମାନଙ୍କର ଏକ ଉଦ୍ଦେଶ୍ୟ ଅଛି । (ଉପଦେଶକ ୧୨:୧୩) ସେମାନଙ୍କର ଆଧ୍ୟାତ୍ମିକ ସୁରକ୍ଷା ଅଛି ଓ ଭବିଷ୍ୟତ୍ ପାଇଁ ନିଶ୍ଚିତ ଆଶା ଅଛି । (ଗୀତସଂହିତା ୫୯:୯) ଯେଉଁ ସମୟରେ ସମସ୍ତ ମାନବଜାତି ଈଶତନ୍ତ୍ରୀୟ ଶାସନର ଅଧୀନରେ ରହିବେ, ସେହି ସମୟରେ ଯେପରି ପରିସ୍ଥିତି ହେବ, ସେମାନେ ତାହାର ଅନୁଭବ ଆଜି କରୁଅଛନ୍ତି । ବାଇବଲ କହେ, ସେହି ପରିସ୍ଥିତିରେ “ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ; କାରଣ ସମୁଦ୍ର ଯେପରି ଜଳରେ ଆଛନ୍ନ, ପୃଥିବୀ ସେପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ ।” (ଯିଶାଇୟ ୧୧:୯) ସେହି ସମୟ କେତେ ସୁନ୍ଦର ହେବ ! ଆମେ ସମସ୍ତେ ଆଜି ଈଶତନ୍ତ୍ରର ନିକଟବର୍ତ୍ତି ହେବା ଦ୍ୱାରା ସେହି ଭବିଷ୍ୟତ୍ ପାରଦୀଶରେ ଆମର ସ୍ଥାନକୁ ସୁରକ୍ଷିତ କରି ପାରିବା ।
ଆପଣ ବୁଝାଇପାରିବେ କି?
◻ ପ୍ରକୃତ ଈଶତନ୍ତ୍ର କʼଣ ଏବଂ ଏହା କେଉଁଠାରେ ଉପଲବ୍ଧ ହୁଏ?
◻ ମାନବଜାତି ସେମାନଙ୍କ ଜୀବନକୁ ଈଶତନ୍ତ୍ରୀୟ ଶାସନର ଅଧୀନରେ କିପରି କରନ୍ତି?
◻ ଯେଉଁମାନେ ଇଶତନ୍ତ୍ରୀୟ ଶାସନର ଅଧୀନରେ ଅଛନ୍ତି, ସେମାନେ ନିଜର ଗୌରବ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ଗୌରବକୁ କିପରି ପ୍ରଥମ ସ୍ଥାନ ଦିଅନ୍ତି?
◻ ଯେଉଁମାନେ ଈଶତନ୍ତ୍ରକୁ ସମର୍ଥନ କରନ୍ତି, ସେମାନେ ଅନୁକରଣ କରୁଥିବା କେତେକ ଈଶ୍ୱରୀୟ ଗୁଣଗୁଡ଼ିକ କʼଣ?
[ପୃଷ୍ଠାରେ କ୍ୟାପସନ୍ ୧୭]
ଶଲୋମନ ନିଜର ଗୌରବ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ଗୌରବକୁ ପ୍ରଥମ ସ୍ଥାନ ଦେଇଥିଲେ