ପାଠ ୧୦୦
ପାଉଲ ଓ ତୀମଥି
ତୀମଥି, ଲୁସ୍ତ୍ରା ମଣ୍ଡଳୀର ଜଣେ ଯୁବା ଭାଇ ଥିଲେ । ତାଙ୍କ ବାପା ଗ୍ରୀକ୍ ଲୋକ ଥିଲେ ଏବଂ ତାଙ୍କ ମାଁ ଯିହୁଦୀ ଥିଲେ । ଯେବେ ତୀମଥି ବହୁତ ଛୋଟ ଥିଲେ ତେବେ ତାଙ୍କ ମାଆ ଇଉନୀକୀ ଓ ଜେଜେ ମାଆ ଲୋୟି ତାଙ୍କୁ ଯିହୋବାଙ୍କ ବିଷୟରେ ଶିଖାଉଥିଲେ ।
ଯେବେ ପାଉଲ ପ୍ରଚାରର ଦ୍ୱିତୀୟ ଯାତ୍ରାରେ ଲୁସ୍ତ୍ରାକୁ ଗଲେ, ତେବେ ସେ ଦେଖିଲେ ଯେ ତୀମଥି ଭାଇମାନଙ୍କୁ ବହୁତ ପ୍ରେମ କରୁଥିଲେ ଏବଂ ସେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହୁଥିଲେ । ପାଉଲ ତୀମଥିଙ୍କୁ କହିଲେ ଯେ ସେ ତାଙ୍କ ସହ ଯାତ୍ରାରେ ଆସନ୍ତୁ । ଯେବେ ସେମାନେ ସାଙ୍ଗରେ ଯାତ୍ରା କରୁଥିଲେ ତେବେ ପାଉଲ ତୀମଥିଙ୍କୁ ଶିଖାଇଲେ ଯେ ସେ ଖୁସିର ଖବର ଶୁଣାଇବା ଏବଂ ଅନ୍ୟମାନଙ୍କୁ ଶିଖାଇବା କାମ ଆହୁରି ଭଲ ଭାବେ କିପରି କରିପାରିବେ ।
ପାଉଲ ଓ ତୀମଥି ଯେଉଁଠି ବି ଗଲେ, ପବିତ୍ର ଶକ୍ତି ସବୁବେଳେ ସେମାନଙ୍କୁ ରାସ୍ତା ଦେଖାଇଲା । ଦିନେ ରାତିରେ, ପାଉଲ ଗୋଟିଏ ଦର୍ଶନ ଦେଖିଲେ ଯେ ଜଣେ ବ୍ୟକ୍ତି ତାଙ୍କୁ କହୁଛି ଯେ ସେ ମାକିଦନିଆ ଆସନ୍ତୁ ଏବଂ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ । ତେଣୁ ପାଉଲ, ତୀମଥି, ଶୀଲା ଓ ଲୂକ ସେଠାକୁ ଗଲେ ଯାହାଦ୍ୱାରା ପ୍ରଚାର କରିବେ ଏବଂ ମଣ୍ଡଳୀଗୁଡ଼ିକ ଗଠନ କରିବେ ।
ମାକିଦନିଆର ସହର ଥେସଲନୀକୀରେ ଅନେକ ପୁରୁଷ ଓ ସ୍ତ୍ରୀ ଖ୍ରୀଷ୍ଟିୟାନ ହେଲେ । କିନ୍ତୁ କିଛି ଯିହୁଦୀ ପାଉଲ ଓ ତାଙ୍କ ସାଥୀମାନଙ୍କୁ ଈର୍ଷା କରୁଥିଲେ । ସେମାନେ ଗୋଟିଏ ଭିଡ଼କୁ ଜମା କଲେ ଏବଂ ଭାଇମାନଙ୍କୁ ଘୋଷାରି ସହରର ଅଧିକାରୀମାନଙ୍କ ପାଖକୁ ନେଇଗଲେ । ସେମାନେ ଜୋର୍ରେ ପାଟି କରିବାକୁ ଲାଗିଲେ, ‘ଏହି ବ୍ୟକ୍ତିମାନେ ରୋମୀ ସରକାରର ଶତ୍ରୁ ଅଟନ୍ତି !’ ପାଉଲ ଓ ତୀମଥିଙ୍କ ଜୀବନ ବିପଦରେ ଥିଲା, ତେଣୁ ସେମାନେ ରାତିରେ ହିଁ ପଳାଇ ବେରୟାକୁ ଚାଲିଗଲେ ।
ବେରୟାର ଲୋକମାନଙ୍କୁ ଖୁସିର ଖବର ବିଷୟରେ ଜାଣିବାରେ ବହୁତ ଆଗ୍ରହ ଥିଲା । ସେଠାର ଅନେକ ଗ୍ରୀକ୍ ଓ ଯିହୁଦୀ ଲୋକ ଖ୍ରୀଷ୍ଟିୟାନ ହୋଇଗଲେ । କିନ୍ତୁ ଥେସଲନୀକୀର କିଛି ଯିହୁଦୀ ସେଠାକୁ ଆସିଗଲେ ଏବଂ ବିଶୃଙ୍ଖଳା ସୃଷ୍ଟି କରିବାକୁ ଲାଗିଲେ । ତେଣୁ ପାଉଲ ଏଥେନ୍ସକୁ ଚାଲିଗଲେ । ତୀମଥି ଓ ଶୀଲା ବେରୟାରେ ହିଁ ରହିଗଲେ ଯାହାଦ୍ୱାରା ସେଠାର ଭାଇମାନଙ୍କୁ ମଜବୁତ୍ କରିପାରିବେ । କିଛି ସମୟ ପରେ ପାଉଲ ତୀମଥିଙ୍କୁ ପୁଣି ଥେସଲନୀକୀ ପଠାଇଲେ ଯାହାଦ୍ୱାରା ସେଠାର ଭାଇମାନଙ୍କ ସାହସ ବଢ଼ାଇପାରିବେ କାରଣ ସେମାନଙ୍କୁ ବହୁତ ଅତ୍ୟାଚାର କରାଯାଉଥିଲା । ପରେ ପାଉଲ ତୀମଥିଙ୍କୁ ଆହୁରି ଅନେକ ମଣ୍ଡଳୀ ଯାଇ ସେମାନଙ୍କ ସାହସ ବଢ଼ାଇବା ପାଇଁ ପଠାଇଲେ ।
ପାଉଲ ତୀମଥିଙ୍କୁ କହିଲେ, ‘ଯେଉଁ ଲୋକମାନେ ଯିହୋବାଙ୍କ ସେବା କରିବା ପାଇଁ ଚାହାନ୍ତି ସେମାନଙ୍କୁ ନିଶ୍ଚୟ ଅତ୍ୟାଚାର କରାଯିବ ।’ ତୀମଥିଙ୍କୁ ମଧ୍ୟ ନିଜ ବିଶ୍ୱାସ ଯୋଗୁଁ ଅତ୍ୟାଚାର କରାଗଲା ଏବଂ ଜେଲରେ ବନ୍ଦୀ କରାଗଲା । ତଥାପି ସେ ଖୁସି ଥିଲେ କାରଣ ତାଙ୍କୁ ଏହା ପ୍ରମାଣ କରିବାର ସୁଯୋଗ ମିଳିଲା ଯେ ସେ ଯିହୋବାଙ୍କ ବିଶ୍ୱସ୍ତ ଅଟନ୍ତି ।
ପାଉଲ ଫିଲିପ୍ପୀର ଖ୍ରୀଷ୍ଟିୟାନମାନଙ୍କୁ କହିଲେ, ‘ମୁଁ ତୀମଥିଙ୍କୁ ତମ ପାଖକୁ ପଠାଉଛି । ସେ ତମମାନଙ୍କୁ ଶିଖାଇବେ ଯେ ସତ୍ୟରେ ଚାଲିବା ଜାରି ରଖିବାର ଅର୍ଥ କʼଣ ଅଟେ । ସେ ତମମାନଙ୍କୁ ପ୍ରଚାର କରିବା ମଧ୍ୟ ଶିଖାଇବେ ।’ ପାଉଲଙ୍କୁ ତୀମଥିଙ୍କ ଉପରେ ପୂରା ଭରସା ଥିଲା । ସେମାନେ ଦୁହେଁ ଭଲ ସାଙ୍ଗ ଥିଲେ ଏବଂ ସେମାନେ ଅନେକ ବର୍ଷ ସାଙ୍ଗରେ ମିଶି ସେବା କଲେ ।
“ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ । ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି ।”—ଫିଲିପ୍ପୀୟ ୨:୨୦, ୨୧