ବାଇବଲର ଚରିତ୍ର
ବନାୟଙ୍କ ଭଳି ସାହସୀ ହୁଅନ୍ତୁ ଓ ବିଶ୍ୱସ୍ତ ରହନ୍ତୁ
ବନାୟ ସାହସୀ ଯୋଦ୍ଧା ଥିଲେ । ସେ ରାଜା ଦାଉଦ ଓ ରାଜା ଶଲୋମନଙ୍କ ସେନାରେ ଥିଲେ । ସେ ଜଣେ ଯାଜକଙ୍କ ପୁତ୍ର ଥିଲେ । ସାଧାରଣତଃ ଲେବୀ ଓ ଯାଜକମାନେ ଯୁଦ୍ଧ କରୁ ନ ଥିଲେ ଓ କୌଣସି ଅସ୍ତ୍ରଶସ୍ତ୍ରର ମଧ୍ୟ ବ୍ୟବହାର କରୁ ନ ଥିଲେ । କିନ୍ତୁ ବନାୟ ଯିହୋବାଙ୍କ ତରଫରୁ ଅନେକ ଯୁଦ୍ଧ କଲେ । ସେ ବହୁତ ସାହସୀ ବ୍ୟକ୍ତି ଥିଲେ । ଥରେ ସେ ଗୋଟିଏ ଶୁଖିଲା ଗର୍ତ୍ତକୁ ଯାଇ ଏକ ସିଂହକୁ ମାରିଦେଲେ । ଆଉ ଏକ ସମୟରେ ସେ ବହୁତ ଲମ୍ବା ଚଉଡ଼ା ଶତ୍ରୁ ସୈନିକକୁ ମାରିଦେଲେ । ଦାଉଦଙ୍କୁ ବନାୟଙ୍କ ଉପରେ ବହୁତ ଭରସା ଥିଲା, ତେଣୁ ସେ ତାଙ୍କୁ ନିଜ ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ ।—୨ ଶାମୁ. ୨୩:୨୦-୨୩.
ଯେବେ ଅବଶାଲୋମ ଓ ଅଦୋନୀୟ ଦାଉଦଙ୍କ ସହ ବିଦ୍ରୋହ କଲେ, ତେବେ ବନାୟ ଦାଉଦଙ୍କ ବିଶ୍ୱସ୍ତ ରହିଲେ । (୨ ଶାମୁ. ୮:୧୮; ୧୫:୧୮; ୧ ରାଜା. ୧:୮) ତାʼସହିତ ଯେବେ ଦାଉଦଙ୍କ ବୟସ ହେବାକୁ ଲାଗିଲା ଏବଂ ଶଲୋମନଙ୍କୁ ରାଜା କରିବାର ଥିଲା, ତେବେ ବି ସେ ଦାଉଦଙ୍କୁ ସାହାଯ୍ୟ କଲେ । (୧ ରାଜା. ୧:୩୨-୪୦) କିଛି ଲୋକ ଯିହୋବା ଓ ତାଙ୍କ ଅଭିଷିକ୍ତ ବ୍ୟକ୍ତିମାନଙ୍କୁ ସହଯୋଗ କଲେନି, କିନ୍ତୁ ବନାୟ ସବୁବେଳେ ସେମାନଙ୍କ ବିଶ୍ୱସ୍ତ ଥିଲେ ।
ଆଜି ଆମେ ବି ଗୋଟିଏ ଯୁଦ୍ଧରେ ସାମିଲ୍ ଅଛୁ । ଆମ ଶତ୍ରୁ ଶୟତାନ ଓ ତାକୁ ସହଯୋଗ କରୁଥିବା ସାଥୀମାନେ ବହୁତ ଶକ୍ତିଶାଳୀ ଅଟନ୍ତି, ତେଣୁ ସେମାନଙ୍କ ସାମନା କରିବା ପାଇଁ ଆମକୁ ସାହସର ସହ କାମ କରିବାକୁ ପଡ଼ିବ । ଆମକୁ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆମେ ସବୁ ପରିସ୍ଥିତିରେ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିବା । (ଏଫି. ୬:୧୧; ୧ ପିତ. ୫:୮, ୯) ହୁଏତ କିଛି ଲୋକ ଯିହୋବାଙ୍କୁ ସାଥ୍ ଦେବେନି, କିନ୍ତୁ ଆସନ୍ତୁ ଆମେ ତାଙ୍କର ବିଶ୍ୱସ୍ତ ରହିବା ଏବଂ ଭରସା ରଖିବା ଯେ ସେ ଆମକୁ ନିଶ୍ଚୟ ପୁରସ୍କାର ଦେବେ ।—୨ ଶାମୁ. ୨୨:୨୬.