୧-୭ ଜୁନ୍, ୨୦୨୬
ଗୀତ ୧୧୧ ଆମ ଖୁସିର କାରଣ
ଲୋକଙ୍କ ଘୃଣା ସତ୍ତ୍ୱେ ଖୁସି ରହିବାର କାରଣ
‘ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ ।’—ଲୂକ ୬:୨୨.
କʼଣ ଶିଖିବା ?
ଯିହୋବାଙ୍କ ସେବା କରିବା ଯୋଗୁଁ ଯଦି ଲୋକମାନେ ଆମକୁ ଘୃଣା କରନ୍ତି, ତାହେଲେ ବି ଆମେ କାହିଁକି ଖୁସିରେ ରହିପାରିବା ?
୧. ଯୀଶୁ କʼଣ କହିଲେ ଏବଂ ତାଙ୍କର କଥା ଶୁଣି କାହିଁକି ଆଶ୍ଚର୍ଯ୍ୟ ଲାଗେ ?
ଯୀଶୁ ନିଜ ପାର୍ବତ୍ୟ ଉପଦେଶରେ କହିଥିଲେ, ‘ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ ।’ (ଲୂକ ୬:୨୨) ଯୀଶୁଙ୍କର ଏହି କଥା ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବେ । କାରଣ କେହି ବି ଚାହାନ୍ତିନି ଯେ ଲୋକେ ତାଙ୍କୁ ଘୃଣା କରନ୍ତୁ । ହେଲେ ଯୀଶୁ ଏପରି କାହିଁକି କହିଲେ ? ଏବିଷୟରେ ଜାଣିବା ବହୁତ ଜରୁରୀ, କାରଣ ଆଜି ଅନେକ ଲୋକ ଯୀଶୁଙ୍କ ଶିଷ୍ୟମାନଙ୍କୁ ଘୃଣା କରନ୍ତି । ଏହି ଲେଖାରେ ଆମେ ଜାଣିବା ଯେ ଲୋକମାନେ ଆମକୁ କାହିଁକି ଘୃଣା କରନ୍ତି ଏବଂ ସେମାନଙ୍କର ଘୃଣା ସତ୍ତ୍ୱେ ଆମେ କାହିଁକି ଖୁସିରେ ରହିପାରିବା ।
ଲୋକେ କାହିଁକି ଆମକୁ ଘୃଣା କରନ୍ତି ?
୨-୩. (କ) ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କାହିଁକି ବିରୋଧ କରାଯାଏ ? (ଯୋହନ ୧୬:୨, ୩) (ଖ) ଏହା ଜାଣିଲା ପରେ ଆମେ ବିରୋଧୀମାନଙ୍କୁ କେଉଁ ଦୃଷ୍ଟିରେ ଦେଖିବା ?
୨ ଲୋକେ ଏଥିପାଇଁ ଆମକୁ ଘୃଣା କରନ୍ତି, କାରଣ ଆମେ ଯିହୋବାଙ୍କର ଉପାସନା କରୁ । ଯୀଶୁ କହିଥିଲେ ଯେ ଲୋକମାନେ ତାଙ୍କ ଶିଷ୍ୟମାନଙ୍କ ଉପରେ ଅତ୍ୟାଚାର କରିବେ, ଏପରିକି କିଛି ଲୋକଙ୍କୁ ଜୀବନରୁ ବି ମାରିଦେବେ । ସେହି ଲୋକମାନଙ୍କ ବିଷୟରେ ଯୀଶୁ କହିଲେ, “ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାନ୍ତି ।” (ଯୋହନ ୧୬:୨, ୩ ପଢ଼ନ୍ତୁ ।) କିନ୍ତୁ ଲୋକେ କାହିଁକି ଆମକୁ ଏତେ ଘୃଣା କରନ୍ତି ? ଏହା ପଛରେ କାହାର ହାତ ରହିଛି ? ଶୟତାନର, କାରଣ ସେ “ଜଗତ୍ପତି” ଅଟେ । (୨ କରି. ୪:୩, ୪) ଲୋକମାନେ ଯେପରି ଯିହୋବାଙ୍କ ବିଷୟରେ ଜାଣି ନ ପାରନ୍ତୁ, ତାʼପାଇଁ ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଦେଇଛି । ତାʼସହିତ ଶୟତାନ ସେହି ଲୋକମାନଙ୍କର ବିରୋଧ କରିବା ପାଇଁ ଲୋକମାନଙ୍କୁ ଉସକାଏ, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି । (ଯୋହ. ୮:୪୨-୪୪) ଏହି କଥା ଜାଣିବା ପରେ ଆମେ ସେହି ଲୋକମାନଙ୍କୁ କେଉଁ ଦୃଷ୍ଟିରେ ଦେଖିବା, ଯେଉଁମାନେ ଆମର ବିରୋଧ କରନ୍ତି ? ଆମେ ଜାଣିଛୁ ଯେ ଶୟତାନ ଲୋକମାନଙ୍କୁ ଏପରି କରିବା ପାଇଁ ଉସକାଏ, ତେଣୁ ଆମେ ବଦଳରେ ସେମାନଙ୍କୁ ଘୃଣା କରି ନ ଥାଉ ।
୩ ଭାଇ ପାଭେଲa ଏପରି ଦେଶରେ ରହନ୍ତି, ଯେଉଁଠି ଆମ କାମ ଉପରେ କଟକଣା ଲାଗିଛି । ଯିହୋବାଙ୍କର ବିଶ୍ୱସ୍ତତାର ସହ ସେବା କରିବା ଯୋଗୁଁ ତାଙ୍କୁ ଗିରଫ କରାଗଲା, ନିର୍ଦୟୀ ଭାବେ ମାରପିଟ୍ କରାଗଲା ଓ ଅନେକ ମାସ ଯାଏ ତାଙ୍କୁ ଏକୁଟିଆ ଜେଲର କାଳକୋଠରିରେ ବନ୍ଦ କରି ରଖାଗଲା । ଭାଇ କହନ୍ତି, “ମୁଁ ଜାଣିଛି ଯେ ଏସବୁ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଯୋଗୁଁ ହେଉଛି, କାରଣ ସେମାନେ ଆମକୁ ଯିହୋବାଙ୍କ ଉପାସନା କରିବାରୁ ରୋକିବା ପାଇଁ ଚାହାନ୍ତି । ଜେଲରେ କାମ କରୁଥିବା ଲୋକମାନେ ଆମକୁ ଘୃଣା କରନ୍ତି ନାହିଁ, ସେମାନେ ତ କେବଳ ନିଜର କାମ ପୂରା କରନ୍ତି ।” କ୍ରୋଏସିଆରେ ରହୁଥିବା ଜଣେ ଭାଇ ମଧ୍ୟ ଏପରି ହିଁ କହିଲେ । ତାଙ୍କ ବାପାମାଆ ସତ୍ୟରେ ନାହାନ୍ତି ଏବଂ ସେମାନେ ତାଙ୍କର କଡ଼ା ବିରୋଧ କଲେ । ସେ କହନ୍ତି, “ମୁଁ ବୁଝିଯାଇଛି ଯେ ଶୟତାନ ମୋର ପ୍ରକୃତ ଶତ୍ରୁ ଅଟେ, ମୋ ବାପାମାଆ ନୁହଁନ୍ତି ।”—ଏଫି. ୬:୧୨.
୪. ଆମେ ଯୀଶୁ ଓ ସ୍ତିଫାନଙ୍କ ଉଦାହରଣରୁ କʼଣ ଶିଖିପାରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୪ ଆମେ ନିଜ ବିରୋଧୀମାନଙ୍କୁ ଘୃଣା କରି ନ ଥାଉ, ବରଂ ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁ । (ମାଥି. ୫:୪୪) ଏହି କଥା ଆମେ ଯୀଶୁ ଓ ସ୍ତିଫାନଙ୍କ ଉଦାହରଣରୁ ଶିଖିପାରୁ । ଯେବେ ରୋମୀୟ ସୈନିକମାନେ ଯୀଶୁଙ୍କୁ ଯାତନା ଖୁଣ୍ଟରେ କଣ୍ଟାପିଟି ଲଟକାଇ ଦେଲେ, ତେବେ ଯୀଶୁ ପ୍ରାର୍ଥନାରେ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର ।” (ଲୂକ ୨୩:୩୪) ଯୀଶୁ ପ୍ରାର୍ଥନାରେ ଯିହୋବାଙ୍କୁ ସେହି ସୈନିକମାନଙ୍କୁ କ୍ଷମା କରିବା ପାଇଁ କହୁଥିଲେ, ଯେଉଁମାନଙ୍କୁ ତାଙ୍କୁ ମାରିବାର ଆଦେଶ ମିଳିଥିଲା । ଯୀଶୁ ହୁଏତ ସେହି ଲୋକମାନଙ୍କୁ ବି କ୍ଷମା କରିବା ବିଷୟରେ କହୁଥିଲେ, ଯେଉଁମାନେ ଧର୍ମଗୁରୁମାନଙ୍କ କଥାରେ ଆସି ସେମାନଙ୍କୁ ଜୀବନରୁ ମାରିଦେବା ପାଇଁ ଚାହୁଁଥିଲେ । ସେମାନେ ଜୋର୍ରେ ପାଟିକରି କହୁଥିଲେ ଯେ ଯୀଶୁଙ୍କୁ ଯାତନା ଖୁଣ୍ଟରେ ଲଟକାଇ ଦିଆଯାଉ । ଯୀଶୁ ବୁଝିଗଲେ ଯେ ଲୋକମାନେ ଏବଂ ସୈନିକମାନେ ଜାଣି ନାହାନ୍ତି ଯେ ସେମାନେ କʼଣ କରୁଛନ୍ତି । ଠିକ୍ ସେହିପରି, ସ୍ତିଫାନ ମଧ୍ୟ ଯିହୋବାଙ୍କୁ ପ୍ରାର୍ଥନା କରି ସେହି ଲୋକମାନଙ୍କୁ କ୍ଷମା କରିବା ପାଇଁ କହିଲେ ଯେଉଁମାନେ ତାଙ୍କର ମୃତ୍ୟୁ ପାଇଁ ଦାୟୀ ଥିଲେ । (ପ୍ରେରି. ୭:୫୮-୬୦) କʼଣ ଯିହୋବା, ଯୀଶୁ ଓ ସ୍ତିଫାନଙ୍କ ପ୍ରାର୍ଥନା ଶୁଣିଲେ ? ନିଶ୍ଚୟ ଶୁଣିଲେ, ତେଣୁ ଯେଉଁମାନେ ଯୀଶୁଙ୍କୁ ମାରିବା ପାଇଁ ଚାହୁଁଥିଲେ ସେମଧ୍ୟରୁ ଅନେକ ଲୋକ ଆଗକୁ ଯାଇ ପଶ୍ଚାତାପ କଲେ, ତାଙ୍କ ଉପରେ ବିଶ୍ୱାସ କଲେ ଓ ବାପ୍ତିସ୍ମ ନେଲେ । (ପ୍ରେରି. ୨:୩୬-୪୧) ଆଉ ଯେଉଁ ଲୋକମାନେ ସ୍ତିଫାନଙ୍କ ହତ୍ୟା କରାଇବାରେ ସାମିଲ୍ ଥିଲେ, ସେମଧ୍ୟରୁ ତାର୍ଷର ଶାଉଲ ଆଗକୁ ଯାଇ ଖ୍ରୀଷ୍ଟିୟାନ ହେଲେ । ତାଙ୍କୁ ବହୁତ ଅବଶୋଷ ହେଲା ଯେ ସେ ଅଜାଣତରେ ଏତେ ବଡ଼ ପାପ କଲେ ।—୧ ତୀମ. ୧:୧୩.
ଯୀଶୁ ଓ ସ୍ତିଫାନଙ୍କ ଉପରେ ଯେଉଁମାନେ ଅତ୍ୟାଚାର କଲେ, ସେମାନେ ତାଙ୍କ ପାଇଁ ପ୍ରାର୍ଥନା କଲେ । ଠିକ୍ ସେହିପରି, ଆମ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିପାରିବା (ପାରାଗ୍ରାଫ ୪)
୫. ଆପଣ ଭାଇ ଶେସାରଙ୍କ ଅନୁଭୂତିରୁ କʼଣ ଶିଖିଲେ ?
୫ ଆଜି ବି ଯେବେ ଆମେ ନିଜ ବିରୋଧୀମାନଙ୍କ ପାଇଁ ପ୍ରାର୍ଥନା କରୁ, ତେବେ ଯିହୋବା ସେହି ପ୍ରାର୍ଥନା ଶୁଣନ୍ତି । ଭେନେଜୁଏଲାରେ ରହୁଥିବା ଭାଇ ଶେସାରଙ୍କ ସହିତ ବି ଏପରି ହିଁ ହେଲା । ତାଙ୍କ ବାପା ତାଙ୍କ ବିଶ୍ୱାସ ପାଇଁ ବହୁତ ବିରୋଧ କରୁଥିଲେ । ଭାଇ କହନ୍ତି, “ମୋ ମାଆ ଜଣେ ଭଲ ସ୍ତ୍ରୀ ଓ ଭଲ ମାଆ ଥିଲେ । ସେ ସବୁବେଳେ ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେଲେ, କିନ୍ତୁ ସେ ବାପାଙ୍କ ପ୍ରତି ନିଜ ଦାୟିତ୍ୱକୁ ଅଣଦେଖା କରୁ ନ ଥିଲେ । ସେ ଆମକୁ ଶିଖାଇଲେ ଯେ ଆମେ ସବୁବେଳେ ବାପାଙ୍କର ଆଦର କରୁ ଓ ତାଙ୍କର କଥା ଶୁଣୁ । ସେ ଆମକୁ ଏହା ବି ଶିଖାଇଲେ ଯେ ଆମେ କେବଳ ସେସମୟରେ ତାଙ୍କର କଥା ଶୁଣିବାନି, ଯେବେ ସେ ଯିହୋବାଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିବା ପାଇଁ କହନ୍ତି ।” କିଛି ବର୍ଷ ପରେ ଶେସାରଙ୍କ ବାପାଙ୍କ ମନ ପରିବର୍ତ୍ତନ ହେବାକୁ ଲାଗିଲା । ଶେସାର କହନ୍ତି, “ଦିନେ ମୁଁ ଯିହୋବାଙ୍କୁ ହୃଦୟରୁ ପ୍ରାର୍ଥନା କଲାପରେ ବାପାଙ୍କୁ ପଚାରିଲି ଯେ କʼଣ ସେ ମୋ ସହିତ ବାଇବଲ ଅଧ୍ୟୟନ କରିବା ପାଇଁ ଚାହିଁବେ । ସେ ରାଜି ହୋଇଗଲେ ଏବଂ ଏହା ଦେଖି ମୁଁ ଭାରି ଖୁସି ହେଲି ।” ଏହାର କିଛି ସମୟ ପରେ ସେ ବାପ୍ତିସ୍ମ ନେଲେ । ଏମିତି ବି ନୁହଁ ଯେ ଆମ ବିରୋଧ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନ ପରିବର୍ତ୍ତନ ହୋଇଯିବ । କିନ୍ତୁ ଯେବେ ଆମେ ଭଲ କଥାବାର୍ତ୍ତା ହେଉ ଓ ଭଲ ବ୍ୟବହାର ଦେଖାଉ, ତେବେ କିଛି ବିରୋଧୀଙ୍କ ମନ ପରିବର୍ତ୍ତନ ହୋଇଯାଏ । ଆଉ ଯେବେ ଏପରି ହୁଏ, ତେବେ ଆମକୁ ବହୁତ ଖୁସି ଲାଗେ । “ସମସ୍ତ ପୃଥିବୀର ବିଚାରକର୍ତ୍ତା” ଓ ଦୟାର ଈଶ୍ୱର ଯିହୋବା ଆଜି ମଧ୍ୟ ଏପରି ଅନେକ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି । ଆଉ ହୁଏତ କିଛି ବିରୋଧୀ ତାଙ୍କ ବିଷୟରେ ଶିଖିବାକୁ ଲାଗିବେ, ତେଣୁ ଆମକୁ କେବେ ବି ହାର ମାନିବା ଉଚିତ୍ ନୁହେଁ ।—ଆଦି. ୧୮:୨୫.
୬. ମାର୍କ ୧୩:୧୩ ପଦ ଅନୁସାରେ ଲୋକମାନେ ଆଉ କେଉଁ କାରଣ ଯୋଗୁଁ ଆମକୁ ଘୃଣା କରନ୍ତି ?
୬ ଲୋକମାନେ ଆମକୁ ଘୃଣା କରନ୍ତି, କାରଣ ଆମେ ଯୀଶୁଙ୍କର ଆଦର କରୁ । ଯୀଶୁ କହିଥିଲେ ଯେ ‘ତାଙ୍କର ନାମ ସକାଶେ’ ସମସ୍ତେ ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଘୃଣା କରିବେ । (ମାର୍କ ୧୩:୧୩ ପଢ଼ନ୍ତୁ ।) ଏହାର ଅର୍ଥ କʼଣ ? ଯୀଶୁଙ୍କ ‘ନାମର’ ଅର୍ଥ ହେଉଛି, ତାଙ୍କର ଭଲ ଗୁଣ ଏବଂ ଈଶ୍ୱରଙ୍କ ରାଜ୍ୟର ରାଜା ହେବାର ତାଙ୍କ ଅଧିକାର । ଯିହୋବା ସମଗ୍ର ବିଶ୍ୱରେ ଶାସନ କରିବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ବାଛିଛନ୍ତି ଏବଂ ଆମେ ତାଙ୍କ ଉପରେ ପୂରା ଭରସା କରୁ । କିନ୍ତୁ ଲୋକମାନେ ଯୀଶୁଙ୍କୁ ନୁହେଁ, ବରଂ ଦୁନିଆର ନେତାମାନଙ୍କ ଉପରେ ଭରସା କରନ୍ତି ତେଣୁ ସେମାନେ ଆମକୁ ଘୃଣା କରନ୍ତି । ଯୀଶୁ ୧୯୧୪ରୁ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି ଏବଂ ସେସମୟରୁ ଶାସନ କରୁଛନ୍ତି । ଆଉ ଖୁବ୍ ଶୀଘ୍ର ସେ ସମସ୍ତ ମଣିଷ ସରକାରଗୁଡ଼ିକୁ ହଟାଇ ଦେବେ, କାରଣ ଏହି ସରକାରଗୁଡ଼ିକ ତାଙ୍କ ଅଧିକାରକୁ ସ୍ୱୀକାର କରନ୍ତି ନାହିଁ ।
୭-୮. ଯିହୋବାଙ୍କ କିଛି ଲୋକଙ୍କ କାହିଁକି ଥଟ୍ଟା କରାଯାଏ ? (ଯୋହନ ୧୫:୧୮-୨୦) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୭ ଲୋକମାନେ ଆମକୁ ଘୃଣା କରନ୍ତି, କାରଣ ଆମେ ଶୟତାନର ଜଗତଠାରୁ ପୂରାପୂରି ଭାବେ ଭିନ୍ନ । ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, ‘ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ ।’ (ଯୋହନ ୧୫:୧୮-୨୦ ପଢ଼ନ୍ତୁ ।) ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି ଆମେ ବି ଦୁନିଆର ଲୋକମାନଙ୍କ ଚିନ୍ତାଧାରାକୁ ଆପଣାଇ ନ ଥାଉ, ତାଙ୍କ ଭଳି କଥାବାର୍ତ୍ତା ଓ ବ୍ୟବହାର କରି ନ ଥାଉ, ବରଂ ଯିହୋବାଙ୍କର ସ୍ତର ମାନୁ । ଏଥିପାଇଁ ଆମର ଅନେକ ଭାଇଭଉଣୀଙ୍କୁ ସ୍କୁଲ ଓ କାମ ଜାଗାରେ ଥଟ୍ଟା କରାଯାଏ । (୧ ପିତ. ୪:୩, ୪) ଆମେ ପ୍ରାୟ ଏହା ବି ଦେଖିଛୁ ଯେ ଆଗକୁ ଯାଇ ସେମଧ୍ୟରୁ କିଛି ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସେ, ଏପରିକି ସେମାନେ ଆମର ଆଦର କରିବାକୁ ଲାଗନ୍ତି । ଏପରି ହେବାର ଦେଖି ଆମକୁ ବହୁତ ଭଲ ଲାଗେ ।
୮ ମଧ୍ୟ ଆଫ୍ରିକାରେ ରହୁଥିବା ଭାଇ ଇଗ୍ନାସିୟଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ସ୍କୁଲର ଜଣେ ଶିକ୍ଷକ ଅନେକ ବର୍ଷ ଯାଏ ତାଙ୍କର ଥଟ୍ଟା କରୁଥିଲେ, କାରଣ ଭାଇ ଯିହୋବାଙ୍କ ସ୍ତର ଅନୁସାରେ ଜୀବନ ବିତାଉଥିଲେ । ତାଙ୍କ ସ୍କୁଲର ପାଠପଢ଼ା ଶେଷ ହେବା ପୂର୍ବରୁ ତାଙ୍କ ଶିକ୍ଷକ ତାଙ୍କୁ ପଚାରିଲେ, ‘ଏଠାକାର ପରିବେଶ ଭାରି ଖରାପ, ସମସ୍ତେ ତମର ଥଟ୍ଟା କରନ୍ତି, ତଥାପି ତମେ ବାଇବଲ ଅନୁସାରେ ଜୀବନ ବିତାଅ । ଏସବୁ କେମିତି କରିପାର ?’ ଇଗ୍ନାସିୟ ତାଙ୍କୁ ବୁଝାଇଲେ ଯେ ଈଶ୍ୱରଙ୍କ ସ୍ତର ଅନୁସାରେ ବଞ୍ଚି ସେ ଅନେକ ସମସ୍ୟାରୁ ରକ୍ଷା ପାଇପାରନ୍ତି । ଏହାପରେ ସେ ତାଙ୍କୁ ଗୋଟିଏ ସଭା ପାଇଁ ନିମନ୍ତ୍ରଣ ଦେଲେ ଏବଂ ସେ ସଭାରେ ଆସିଲେ । ଏହା ଦେଖି ଇଗ୍ନାସିୟ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ଶିକ୍ଷକ ଦେଖିଲେ ଯେ ସଭାରେ ଥିବା ଭାଇଭଉଣୀଙ୍କ ମଧ୍ୟରେ କେତେ ପ୍ରେମ ଅଛି । ଆଉ ଏହା ତାଙ୍କୁ ବହୁତ ଭଲ ଲାଗିଲା ଏବଂ ସେ ଲଗାତାର ସଭାରେ ଆସିବାକୁ ଲାଗିଲେ । ପରେ ସେ ବାଇବଲ ଅଧ୍ୟୟନ କଲେ, କିନ୍ତୁ ଏହାଯୋଗୁଁ ତାଙ୍କୁ ବିରୋଧର ସାମନା କରିବାକୁ ପଡ଼ିଲା । ତଥାପି ସେ ଅଧ୍ୟୟନକୁ ବନ୍ଦ କଲେ ନାହିଁ । ସେ ଉନ୍ନତି କରିବାକୁ ଲାଗିଲେ ଏବଂ ଆଗକୁ ଯାଇ ବାପ୍ତିସ୍ମ ନେଲେ ।
ଆପଣ ଯେକୌଣସି ବୟସର ଥାʼନ୍ତୁ ନା କାହିଁକି, ଆପଣ ସାହସର ସହ ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ କହିପାରିବେ (ପାରାଗ୍ରାଫ ୮)b
୯-୧୦. (କ) ସତ୍ୟ ଖ୍ରୀଷ୍ଟିୟାନମାନେ ଆଉ କେଉଁ କାରଣ ଯୋଗୁଁ ଶୟତାନର ଦୁନିଆଠାରୁ ପୂରାପୂରି ଭିନ୍ନ ଦେଖାଯାʼନ୍ତି ? (ଖ) ଆମେ ପ୍ରେରିତ ପାଉଲଙ୍କଠାରୁ କʼଣ ଶିଖିପାରିବା ?
୯ ଆମେ ଏହି ଦୁନିଆର ରାଜନୀତି ଏବଂ ଯୁଦ୍ଧରେ କାହାରି ପକ୍ଷ ନେଇ ନ ଥାଉ । ଏଥିପାଇଁ ଆମେ ଶୟତାନର ଏହି ଦୁନିଆରୁ ପୂରାପୂରି ଭିନ୍ନ ଦେଖାଯାଉ । (ଯୋହ. ୧୮:୩୬) ଆମେ ରୋମୀୟ ୧୩:୧ ପଦରେ ଦିଆଯାଇଥିବା ନିର୍ଦ୍ଦେଶକୁ ମାନି ଭଲ ନାଗରିକ ହେବା ପାଇଁ ପୂରା ଚେଷ୍ଟା କରିଥାଉ ଏବଂ ସରକାରର ନିୟମକୁ ମଧ୍ୟ ମାନିଥାଉ । କିନ୍ତୁ ଆମେ ରାଜନୈତିକ ମାମଲାରେ କାହାରି ପକ୍ଷ ନେଇ ନ ଥାଉ । ଆମେ ନିର୍ବାଚନରେ ଭାଗ ନେଇ ନ ଥାଉ ଏବଂ ଭୋଟ ମଧ୍ୟ ଦେଇ ନ ଥାଉ । କାରଣ ଆମେ ଯୀଶୁଙ୍କୁ ନିଜ ରାଜା ଭାବି ନେଇଛୁ ଏବଂ ଈଶ୍ୱରଙ୍କ ରାଜ୍ୟକୁ ନିଜ ସରକାର ବାଛି ନେଇଛୁ ଓ ଆମେ ତାହାର ହିଁ ବିଶ୍ୱସ୍ତ ରହୁ । ନିଜର ଏହି ବିଶ୍ୱାସ ଯୋଗୁଁ ଅନେକ ଯିହୋବାଙ୍କ ସାକ୍ଷୀଙ୍କୁ ଜେଲରେ ପୂରେଇ ଦିଆଯାଇଛି । କିନ୍ତୁ ସେଠାରେ ମଧ୍ୟ ଆମ ଭାଇଭଉଣୀମାନେ ଚୁପ୍ ରହନ୍ତି ନାହିଁ, ବରଂ ପ୍ରଚାର କରିବା ଜାରି ରଖନ୍ତି । ଏହିପରି ଭାବେ ସେମାନେ ପ୍ରେରିତ ପାଉଲଙ୍କ ଭଳି ହୁଅନ୍ତି । ସେ ଅନେକ ବର୍ଷ ଯାଏ ଗୋଟିଏ ଘରେ ନଜରବନ୍ଦୀ ଥିଲେ ଓ ଜେଲରେ ମଧ୍ୟ ଥିଲେ, କିନ୍ତୁ ସେ ପ୍ରଚାର କରିବା ଛାଡ଼ିଲେନି । (ପ୍ରେରି. ୨୪:୨୭; ୨୮:୧୬, ୩୦) ସେ ଜେଲର ଚୌକିଦାର, ଉଚ୍ଚ ପଦରେ ଥିବା ଦରବାରୀ, ରାଜା, ରାଜ୍ୟପାଳ ଓ ହୁଏତ ରୋମୀ ସମ୍ରାଟ ନିରୋଙ୍କ ଅଧିକାରୀଙ୍କୁ ମଧ୍ୟ ସୁସମାଚାର ଶୁଣାଇଲେ ।—ପ୍ରେରି. ୯:୧୫.
୧୦ ପାଉଲଙ୍କ ଭଳି ଆଜି ଯେଉଁ ଭାଇଭଉଣୀମାନେ ଜେଲରେ ଅଛନ୍ତି, ସେମାନେ ଯାହାକୁ ବି ଭେଟନ୍ତି ସେମାନଙ୍କୁ ସୁସମାଚାର ଶୁଣାନ୍ତି । ଯେପରି ଜଜ୍, ସରକାରୀ ଅଧିକାରୀ ଏବଂ ଚୌକିଦାରମାନଙ୍କୁ । ଜଣେ ଭାଇଙ୍କୁ ରାଜନୈତିକ ମାମଲାରେ ନିଷ୍ପକ୍ଷ ରହିବା ଯୋଗୁଁ ୬ରୁ ବି ଅଧିକ ବର୍ଷ ପାଇଁ ଜେଲଦଣ୍ଡ ହେଲା । ଭାଇ କହନ୍ତି, ‘ମୋତେ ଏପରି ଲାଗେନି ଯେ ମୋତେ ଜେଲଦଣ୍ଡ ହୋଇଛି, ବରଂ ମୁଁ ଭାବେ ଯେ ମୋତେ ଜେଲର ଆସାଇନମେଣ୍ଟ ମିଳିଛି । ଯିହୋବା ମୋତେ ଏଠାରେ ମେଷ ସଦୃଶ ଲୋକମାନଙ୍କୁ ଖୋଜିବା ପାଇଁ ପଠାଇଛନ୍ତି ।’ ଭାବନ୍ତୁ, ଯଦି ଯିହୋବା ଆପଣଙ୍କ ଜରିଆରେ ଏପରି ଲୋକଙ୍କ ଯାଏ ସୁସମାଚାର ପହଞ୍ଚାନ୍ତି, ତାହେଲେ ଏହା କେତେ ବଡ଼ କଥା ! (କଲ. ୪:୩) ଏବେ ଆସନ୍ତୁ ଆମେ ଏହା ଜାଣିବା ଯେ ଯିହୋବାଙ୍କ ସେବା କରିବା ଯୋଗୁଁ ଯଦି ଲୋକମାନେ ଆମକୁ ଘୃଣା କରିବାକୁ ଲାଗନ୍ତି, ତାହେଲେ ଆମେ କେଉଁ କାରଣରୁ ଖୁସିରେ ରହିପାରିବା ।
ଆମେ ଘୃଣା ସତ୍ତ୍ୱେ କେଉଁ କାରଣରୁ ଖୁସିରେ ରହିପାରିବା ?
୧୧. ଅତ୍ୟାଚାର ସହି କିପରି ଆମ ବିଶ୍ୱାସ ଦୃଢ଼ ହୋଇପାରେ ? ଗୋଟିଏ ଉଦାହରଣ ଦିଅନ୍ତୁ ।
୧୧ ଆମେ ଜାଣିଛୁ ଯେ ଯେବେ ଲୋକମାନେ ଆମକୁ ଘୃଣା କରନ୍ତି, ତେବେ ଏଥିରୁ ବାଇବଲର ଭବିଷ୍ୟତବାଣୀ ସତ ପ୍ରମାଣିତ ହୁଏ । ବାଇବଲରେ ଲେଖାଥିବା ପ୍ରଥମ ଭବିଷ୍ୟତବାଣୀରେ ଯିହୋବା କହିଥିଲେ ଯେ ଶୟତାନ ଓ ତାʼର ବଂଶ, ଅର୍ଥାତ୍ ଯେଉଁ ଲୋକମାନେ ତାକୁ ସହଯୋଗ କରନ୍ତି, ସେମାନେ ସେହି ସମସ୍ତ ଲୋକଙ୍କୁ ଘୃଣା କରିବେ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ସେବା କରନ୍ତି । (ଆଦି. ୩:୧୫) ଯୀଶୁ ଅନେକ ଥର ଯାହା କହିଲେ ସେଥିରୁ ବି ଜଣାପଡ଼େ ଯେ ଏହି ଭବିଷ୍ୟତବାଣୀ ସତ ପ୍ରମାଣିତ ହେଉଛି ଏବଂ ଏହା ଆମେ ସୁସମାଚାରର ଚାରୋଟି ବହିରେ ପଢ଼ିପାରୁ । (ମାଥି. ୧୦:୨୨; ମାର୍କ ୧୩:୯-୧୨; ଲୂକ ୬:୨୨, ୨୩; ଯୋହ. ୧୫:୨୦) ଯୀଶୁଙ୍କ ଶିଷ୍ୟମାନେ ବାଇବଲର ଯେଉଁ ବହିଗୁଡ଼ିକୁ ଲେଖିଲେ, ସେଥିରେ ବି ସେମାନେ କହିଲେ ଯେ ଈଶ୍ୱରଙ୍କ ଲୋକଙ୍କୁ ଅନ୍ୟମାନଙ୍କର ଘୃଣା ସହିବାକୁ ପଡ଼ିବ । (୨ ତୀମ. ୩:୧୨; ଯାକୁ. ୧:୨; ୧ ପିତ. ୪:୧୨-୧୪; ଯିହୂ. ୩, ୧୭-୧୯) ତେଣୁ ଯେବେ ଆମ ଉପରେ ଅତ୍ୟାଚାର କରାଯାଏ, ତେବେ ଆମେ ଆଶ୍ଚର୍ଯ୍ୟ ହୋଇ ନ ଥାଉ ବରଂ ଏଥିରୁ ଆମେ ବୁଝିପାରୁ ଯେ ବାଇବଲର ଭବିଷ୍ୟତବାଣୀ ସତ ପ୍ରମାଣିତ ହେଉଛି । ଏହା ଦେଖି ଆମେ ଖୁସି ହୋଇଥାଉ ଏବଂ ଆମର ବିଶ୍ୱାସ ବଢ଼େ ଯେ ଆମେ ସତ୍ୟ ଈଶ୍ୱର ଯିହୋବାଙ୍କର ସେବା କରୁଛୁ । ଆମର ଜଣେ ଭଉଣୀ ଏପରି ଦେଶରେ ରହନ୍ତି, ଯେଉଁଠି ଆମ କାମ ଉପରେ କଟକଣା ଲାଗିଛି । ଭଉଣୀ କହନ୍ତି, “ଯେବେ ମୁଁ ଯିହୋବାଙ୍କୁ ନିଜର ଜୀବନ ସମର୍ପଣ କଲି, ତେବେ ମୋତେ ଜଣା ଥିଲା ଯେ ଦିନେ ନା ଦିନେ ମୋତେ ଅତ୍ୟାଚାର ସହିବାକୁ ପଡ଼ିବ । ତେଣୁ ଯେବେ ମୋ ସହିତ ଏପରି ହେଲା, ତେବେ ମୁଁ ଡରିଲି ନାହିଁ ଆଉ ନା ଆଶ୍ଚର୍ଯ୍ୟ ହେଲି ।” ତାଙ୍କ ସ୍ୱାମୀ ତାଙ୍କର ବହୁତ ବିରୋଧ କରୁଥିଲେ, ତାଙ୍କ ସହିତ ଖରାପ ବ୍ୟବହାର କରୁଥିଲେ, ଏପରିକି ସେ ତାଙ୍କର ବାଇବଲ ଓ ବହି ପୁସ୍ତିକାଗୁଡ଼ିକୁ ବି ଜାଳି ଦେଲେ । ତଥାପି ଭଉଣୀ ଡରିକି ପଛଘୁଞ୍ଚା ଦେଲେ ନାହିଁ । ତାଙ୍କ ବିଶ୍ୱାସ ଦୁର୍ବଳ ହେଲା ନାହିଁ ବରଂ ତାହା ଆହୁରି ଦୃଢ଼ ହୋଇଗଲା । (ଏବ୍ରୀ ୧୦:୩୯) ଭଉଣୀ କହନ୍ତି, “ପୂର୍ବରୁ ହିଁ କୁହାଯାଇଥିଲା ଯେ ଆମକୁ ଅତ୍ୟାଚାର ସହିବାକୁ ପଡ଼ିବ । ମୁଁ ଜାଣିଥିଲି ଯେ ମୋ ସହିତ ବି ଏପରି ହେବ ଏବଂ ଏସବୁ ସହିବା ପରେ ମୋର ବିଶ୍ୱାସ ଦୃଢ଼ ହେଲା ଯେ ଏହା ହିଁ ସତ୍ୟ ଧର୍ମ ଅଟେ ।”
୧୨. ଜଣେ ଭାଇ କିପରି ଅତ୍ୟାଚାର ସହିପାରିଲେ ?
୧୨ ଆମେ ଜାଣିଛୁ ଯେ ଆମ ଉପରେ ଅତ୍ୟାଚାର କରାଯିବ, ତଥାପି ଯେବେ ଏପରି ହୁଏ ତେବେ ଏଗୁଡ଼ିକୁ ସହିବା ବହୁତ କଠିନ ଲାଗେ । ଜଣେ ଭାଇ ନିଜ ଜେଲଦଣ୍ଡ ଭୋଗିବା ପରେ ଏପରି ଲେଖନ୍ତି, “ବେଳେବେଳେ ମୁଁ ବହୁତ ନିରାଶ ହୋଇଯାଉଥିଲି, ମୋତେ ବହୁତ ଚିନ୍ତା ହେଉଥିଲା ଓ ମୁଁ କେବଳ କାନ୍ଦୁଥିଲି ।” ହେଲେ ଭାଇଙ୍କୁ କେଉଁ କଥାରୁ ସାହସ ମିଳିଲା ? ସେ କହନ୍ତି, “ପ୍ରାର୍ଥନା ହିଁ ମୋର ସାହାରା ଥିଲା । ମୁଁ ସକାଳେ ଉଠିବା ମାତ୍ରେ ପ୍ରାର୍ଥନା କରୁଥିଲି ଏବଂ ଦିନସାରା ଯେବେ ବି କୌଣସି ସମସ୍ୟା ଆସୁଥିଲା, ତେବେ ମୁଁ ତୁରନ୍ତ ପ୍ରାର୍ଥନା କରୁଥିଲି । ଯେବେ ଅନ୍ୟମାନେ ମୋ ସହିତ ଖରାପ ବ୍ୟବହାର କରୁଥିଲେ, ତେବେ ମୋତେ ବହୁତ ରାଗ ଲାଗୁଥିଲା । ସେସମୟରେ ମୁଁ ଏକୁଟିଆରେ ପ୍ରାର୍ଥନା କରିବା ପାଇଁ ନିଜକୁ ବାଥରୁମ୍ରେ ବନ୍ଦ କରିଦେଉଥିଲି ।” ତାʼସହିତ ଭାଇ ବାଇବଲ ସମୟର ଏବଂ ଆଜିର ସମୟର ସେହି ଭାଇଭଉଣୀମାନଙ୍କ ବିଷୟରେ ଭାବିଲେ, ଯେଉଁମାନେ କଠିନ ପରିସ୍ଥିତି ସତ୍ତ୍ୱେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ଏଥିରୁ ତାଙ୍କୁ ଅତ୍ୟାଚାର ସହିବାକୁ ଶକ୍ତି ମିଳିଲା ଓ ସେହି ଶାନ୍ତି ବି ମିଳିଲା, ଯାହା ବିଷୟରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରତିଜ୍ଞା କରିଥିଲେ ।—ଯୋହ. ୧୪:୨୭; ୧୬:୩୩.
୧୩. ଆମେ କିପରି ଲୋକମାନଙ୍କର ଘୃଣାକୁ ସହିପାରିବା ?
୧୩ ବିରୋଧୀମାନଙ୍କ ଘୃଣା ଅପେକ୍ଷା ଆମ ପ୍ରେମରେ ଅଧିକ ଶକ୍ତି ରହିଛି । ଯୀଶୁ ନିଜର ପିତାଙ୍କୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପୂରା ହୃଦୟରୁ ପ୍ରେମ କଲେ । ସେ ନିଜ ସାଙ୍ଗମାନଙ୍କୁ ବି ପ୍ରକୃତ ପ୍ରେମ କରୁଥିଲେ । (ଯୋହ. ୧୩:୧; ୧୫:୧୩) ତାଙ୍କ ଭଳି ଯଦି ଆମେ ବି ଯିହୋବାଙ୍କ ପାଇଁ ଓ ଭାଇଭଉଣୀମାନଙ୍କ ପାଇଁ ପ୍ରେମ ବଢ଼ାଇବା, ତାହେଲେ ଆମେ ବି ଲୋକମାନଙ୍କ ଘୃଣାକୁ ସହିପାରିବା । ଏହାକୁ ବୁଝିବା ପାଇଁ ଆସନ୍ତୁ ପ୍ରେରିତ ପାଉଲଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ।
୧୪. ପାଉଲ ଜାଣିଥିଲେ ଯେ ତାଙ୍କୁ ମାରିଦିଆଯିବ, ତଥାପି ସେ କାହିଁକି ଯିହୋବାଙ୍କର ବିଶ୍ୱସ୍ତ ରହିପାରିଲେ ?
୧୪ ମୃତ୍ୟୁଦଣ୍ଡ ପାଇବାର କିଛି ସମୟ ପୂର୍ବରୁ ପାଉଲ ନିଜ ସାଙ୍ଗ ତୀମଥିଙ୍କୁ ଲେଖିଲେ, “ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।” (୨ ତୀମ. ୧:୭) ତାଙ୍କ କହିବାର ଅର୍ଥ କʼଣ ଥିଲା ? ସେ ଏହା କହିବା ପାଇଁ ଚାହୁଁଥିଲେ ଯେ ଯଦି ଜଣେ ଖ୍ରୀଷ୍ଟିୟାନ ଯିହୋବାଙ୍କୁ ହୃଦୟରୁ ପ୍ରେମ କରିବ, ତାହେଲେ ସେ କଠିନରୁ କଠିନ ପରୀକ୍ଷାର ମଧ୍ୟ ସାମନା କରିବା ପାଇଁ ପ୍ରସ୍ତୁତ ଥିବ । (୨ ତୀମ. ୧:୮) ପାଉଲ ଜାଣିଥିଲେ ଯେ ଯିହୋବାଙ୍କ ସେବା କରିବା ଯୋଗୁଁ ତାଙ୍କୁ ମାରିଦିଆଯିବ, ତଥାପି ସେ ମୃତ୍ୟୁକୁ ଭୟ କଲେ ନାହିଁ । ଯିହୋବାଙ୍କ ପାଇଁ ଗଭୀର ପ୍ରେମ ଥିବା ଯୋଗୁଁ ସେ ସାହସ ଦେଖାଇପାରିଲେ ଓ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିପାରିଲେ ।—ପ୍ରେରି. ୨୦:୨୨-୨୪.
୧୫. ଆଜି ଆମ ସମୟରେ ଭାଇଭଉଣୀମାନେ କିପରି ପରସ୍ପର ପ୍ରତି ପ୍ରେମ ଦେଖାଇଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଭାଇଭଉଣୀମାନଙ୍କ ପ୍ରେମ ଦେଖି ମଧ୍ୟ ପାଉଲଙ୍କୁ ସାହସ ମିଳିଥିବ । ଯେପରି ଆକ୍ୱିଲା ଓ ପ୍ରୀସ୍କା, ପାଉଲଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଦେଲେ । (ରୋମୀ. ୧୬:୩, ୪) ଠିକ୍ ସେହିଭଳି ଆମକୁ ବି ଭାଇଭଉଣୀମାନଙ୍କର ପ୍ରେମ ଦେଖି ବହୁତ ସାହସ ମିଳେ । ଆମ ପାଇଁ ସେହି ଭାଇଭଉଣୀମାନେ ବହୁମୂଲ୍ୟ ଅଟନ୍ତି, ଯେଉଁମାନେ ସାହସର ସହ ଅତ୍ୟାଚାରଗୁଡ଼ିକର ସାମନା କରି ବିଶ୍ୱସ୍ତତାର ସହ ଯିହୋବାଙ୍କର ସେବା କରୁଛନ୍ତି । ଏପରି ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଯିହୋବାଙ୍କର କିଛି ସେବକ ନିଜ ଜୀବନକୁ ବିପଦରେ ପକାଇଛନ୍ତି । ଯେପରି ରୁଷରେ ଥିବା ଆମ ଭାଇଭଉଣୀମାନେ ଅଦାଲତକୁ ଯାଇ ସେହି ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇଲେ, ଯେଉଁମାନଙ୍କୁ ଗିରଫ କରାଯାଇଛି । ଯେବେ ଜଣେ ଭଉଣୀ ଦେଖିଲେ ଯେ ଭାଇଭଉଣୀମାନଙ୍କର ଗୋଟିଏ ବଡ଼ ଭିଡ଼ ତାଙ୍କର ଉତ୍ସାହ ବଢ଼ାଇବା ପାଇଁ ଅଦାଲତକୁ ଆସିଛି, ତେବେ ତାହା ତାଙ୍କ ହୃଦୟକୁ ଛୁଇଁଗଲା ଏବଂ ଖୁସିରେ ତାଙ୍କ ମୁହଁରୁ ଶବ୍ଦ ହିଁ ବାହାରିଲା ନାହିଁ । ସେସମୟରେ ତାଙ୍କୁ ଏହି ପ୍ରେମର ଆବଶ୍ୟକ ଥିଲା । ଆମକୁ ଏବିଷୟରେ ଭାବି କେତେ ଖୁସି ଲାଗେ ଯେ ଆମ ଭିତରେ ଯେଉଁ ପ୍ରେମ ରହିଛି, ସେଥିରେ ବିରୋଧୀମାନଙ୍କ ଘୃଣା ଅପେକ୍ଷା ଅଧିକ ଶକ୍ତି ରହିଛି !
ଯେଉଁଠି ଆମ କାମ ଉପରେ କଟକଣା ଲାଗିଛି, ସେଠାକାର ଭାଇଭଉଣୀମାନେ ବି ଦେଖାଇଲେ ଯେ ସେମାନଙ୍କ ମଧ୍ୟରେ ପ୍ରକୃତ ପ୍ରେମ ରହିଛି (ପାରାଗ୍ରାଫ ୧୫)c
୧୬. ପିତର ଏପରି କାହିଁକି କହିଲେ ଯେ ଅତ୍ୟାଚାର ସତ୍ତ୍ୱେ ଆମେ ଖୁସିରେ ରହିପାରିବା ? (୧ ପିତର ୪:୧୪)
୧୬ ଆମେ ଜାଣିଛୁ ଯେ ଲୋକମାନଙ୍କ ଘୃଣା ସହିବା ଦ୍ୱାରା ଯିହୋବାଙ୍କ ମଞ୍ଜୁରି ମିଳିଥାଏ । (୧ ପିତର ୪:୧୪ ପଢ଼ନ୍ତୁ ।) ପିତର କହିଲେ ଯେ ଯେବେ ଈଶ୍ୱରଙ୍କ ସେବା କରିବା ଯୋଗୁଁ ଆମ ସହିତ ଖରାପ ବ୍ୟବହାର କରାଯାଏ, ତେବେ ଆମକୁ ଖୁସି ହେବା ଉଚିତ୍ । କାରଣ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଈଶ୍ୱରଙ୍କ ପବିତ୍ର ଶକ୍ତି ଆମ ଉପରେ ଅଛି । ପିତର ନିଜେ ମଧ୍ୟ ଅତ୍ୟାଚାର ସହିଥିଲେ ଏବଂ ସେ ଜାଣିଥିଲେ ଯେ ଈଶ୍ୱରଙ୍କ ମଞ୍ଜୁରି ମିଳିଲେ କିପରି ଲାଗେ । ୩୩ ଖ୍ରୀଷ୍ଟାବ୍ଦ ପେଣ୍ଟିକଷ୍ଟ ଦିନର କିଛି ସମୟ ପରେ ଘଟିଥିବା ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ । ମନ୍ଦିରରେ ଥିବା ଚୌକିଦାରମାନଙ୍କୁ, ପିତର ଏବଂ ଅନ୍ୟ ପ୍ରେରିତମାନଙ୍କୁ ଗିରଫ କରିବା ପାଇଁ ପଠାଗଲା, କାରଣ ସେମାନେ ପ୍ରଚାର କରୁଥିଲେ । ସେସମୟରେ ପିତର ସାହସର ସହ ନିଜ ବିଶ୍ୱାସ ବିଷୟରେ ସାକ୍ଷ୍ୟ ଦେଲେ । (ପ୍ରେରି. ୫:୨୪-୨୯) ସେମାନେ ତାଙ୍କୁ ଏବଂ ଅନ୍ୟ ପ୍ରେରିତମାନଙ୍କୁ କୋରଡ଼ାରେ ପିଟିଲେ, ତଥାପି ସେମାନେ ପ୍ରଚାର କରିବା ବନ୍ଦ କଲେ ନାହିଁ ବରଂ ସେମାନେ ଖୁସି ଥିଲେ । କାରଣ ସେମାନଙ୍କୁ ‘ଯୀଶୁଙ୍କ ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ମନେ କରାଗଲା ।’ ଆଜି ଯେବେ ଆମକୁ ବି ଲୋକମାନେ ଅତ୍ୟାଚାର କରନ୍ତି, ସେସମୟରେ ଆମେ ବି ଖୁସି ହୋଇପାରିବା ।—ପ୍ରେରି. ୫:୪୦-୪୨.
୧୭. ଯୀଶୁ ନିଜର ମୃତ୍ୟୁର ଗୋଟିଏ ରାତି ପୂର୍ବେ ନିଜ ଶିଷ୍ୟମାନଙ୍କୁ କʼଣ କହିଥିଲେ ?
୧୭ ନିଜ ମୃତ୍ୟୁର ଗୋଟିଏ ରାତି ପୂର୍ବେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, “ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି ମୁଁ ତାହାକୁ ପ୍ରେମ କରିବି ।” (ଯୋହ. ୧୪:୨୧) ଦିନେ ଏପରି ସମୟ ନିଶ୍ଚୟ ଆସିବ, ଯେବେ ଯିହୋବାଙ୍କ ସେବା କରିବା ଯୋଗୁଁ କେହି ବି ଆମର ବିରୋଧ କରିବେନି ଏବଂ ଘୃଣା କରିବେ ନାହିଁ । (୨ ଥେସ. ୧:୬-୮) କିନ୍ତୁ ସେଦିନ ନ ଆସିବା ପର୍ଯ୍ୟନ୍ତ ଆମେ ସବୁବେଳେ ଏହା ମନେ ରଖିବା ଯେ ଯଦିଓ ଆଜି ଆମକୁ ଲୋକମାନଙ୍କର ଘୃଣା ସହିବାକୁ ପଡ଼ୁଛି, ତଥାପି ଆମ ପାଖରେ ଖୁସି ରହିବାର ଅନେକ କାରଣ ରହିଛି ।
ଗୀତ ୧୪୮ ଯିହୋବା ଉଦ୍ଧାର କରିବେ
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
b ଚିତ୍ରବିଷୟରେ: ପ୍ରଦର୍ଶନୀରେ ଦେଖାଇ ଦିଆଯାଇଛି ଯେ ଇଗ୍ନାସିୟ କିପରି ନିଜର ଶିକ୍ଷକଙ୍କୁ ସାକ୍ଷ୍ୟ ଦେଲେ ।
c ଚିତ୍ର ବିଷୟରେ: ପ୍ରଦର୍ଶନୀରେ ଦେଖାଇ ଦିଆଯାଇଛି ଯେ ଜଣେ ଭଉଣୀଙ୍କୁ ତାଙ୍କର ବିଶ୍ୱାସ ଯୋଗୁଁ ଜେଲକୁ ନିଆଯାଉଛି ଏବଂ କିଛି ଭାଇଭଉଣୀ ତାଙ୍କର ଉତ୍ସାହ ବଢ଼ାଇବା ପାଇଁ ଆସିଛନ୍ତି ।