ଜୀବନ କାହିଁକି ବହୁମୂଲ୍ୟ ?
ପୂର୍ବ ଲେଖାଗୁଡ଼ିକରେ ଆମେ ଦେଖିଲୁ ଯେ ଅନେକ ଥର ଜୀବନରେ ଏପରି ଘଟଣା ସବୁ ହୋଇଯାଏ, ଯାହା ଯୋଗୁଁ ବଞ୍ଚିବା ପାଇଁ ଇଚ୍ଛା ହିଁ ହୁଏ ନାହିଁ । ନିଜ ଚିନ୍ତାଗୁଡ଼ିକର ବୋଝ ଉଠାଇବା ଯୋଗୁଁ ବେଳେବେଳେ ଆପଣଙ୍କ ମନରେ ମଧ୍ୟ ଏଭଳି ଭାବନା ଆସୁଥିବ, କʼଣ ମୋର ବଞ୍ଚିବାର କିଛି ଲାଭ ଅଛି । ହୁଏତ ଆପଣ ଏହା ମଧ୍ୟ ଭାବୁଥିବେ, ଜଣା ନାହିଁ କେହି ମୋର ଚିନ୍ତା କରନ୍ତି ନା ନାହିଁ । କିନ୍ତୁ ଭରସା ରଖନ୍ତୁ, ଯିହୋବା ଈଶ୍ୱର ଆପଣଙ୍କର ଚିନ୍ତା କରନ୍ତି । ଆପଣ ତାଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି ।
ଈଶ୍ୱରଙ୍କ ଜଣେ ସେବକଙ୍କୁ ପୂରା ଭରସା ଥିଲା ଯେ ଈଶ୍ୱର ତାଙ୍କୁ ସାହାଯ୍ୟ କରିବେ । ତେଣୁ ସେ ଈଶ୍ୱରଙ୍କୁ ବିନତି କରି କହିଲେ: “ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; କାରଣ ତୁମ୍ଭେ ମୋତେ ଉତ୍ତର ଦେବ ।” (ଗୀତସଂହିତା ୮୬:୭) କିନ୍ତୁ ହୁଏତ ଆପଣ ଭାବିବେ, ଯେବେ ମୁଁ ନିଜ ‘ସଙ୍କଟରେ’ ଈଶ୍ୱରଙ୍କୁ ଡାକିବି, ତେବେ ସେ କିପରି ମୋତେ ସାହାଯ୍ୟ କରିବେ ?
ଆପଣଙ୍କ ପ୍ରାର୍ଥନା ଶୁଣି ଈଶ୍ୱର ହୁଏତ ଆପଣଙ୍କ ସବୁ କଷ୍ଟକୁ ଦୂର କରିବେ ନାହିଁ, କିନ୍ତୁ ସେ ଆପଣଙ୍କୁ ମନର ଶାନ୍ତି ଦେଇପାରିବେ, ଯାହାଦ୍ୱାରା ଆପଣ ନିଜ ପରିସ୍ଥିତିକୁ ସଠିକ୍ ଭାବେ ସାମନା କରିପାରିବେ । ବାଇବଲରେ ଲେଖାଅଛି, ‘କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତୁମ୍ଭମାନଙ୍କର ହୃଦୟ ଓ ମନକୁ ସୁରକ୍ଷା କରି ରଖିବ ।’ (ଫିଲିପ୍ପୀୟ ୪:୬, ୭) ଏବେ ବାଇବଲର କିଛି କଥା ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଈଶ୍ୱର ଆପଣଙ୍କର ଚିନ୍ତା କରନ୍ତି ।
ଈଶ୍ୱର ଆପଣଙ୍କ ଚିନ୍ତା କରନ୍ତି
‘ଈଶ୍ୱର ଗୋଟିଏ ମଧ୍ୟ ଘରଚଟିଆକୁ ଭୁଲନ୍ତି ନାହିଁ । ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ ।’—ଲୂକ ୧୨:୬, ୭.
ଧ୍ୟାନ ଦିଅନ୍ତୁ: ହୁଏତ ମଣିଷ ପାଇଁ ଛୋଟ ଛୋଟ ଘରଚଟିଆର ମୂଲ୍ୟ ନ ଥିବ, କିନ୍ତୁ ଈଶ୍ୱର ସେମାନଙ୍କର ମଧ୍ୟ ଚିନ୍ତା କରନ୍ତି । ସେ ଗୋଟିଏ ବି ଘରଚଟିଆକୁ ଭୁଲନ୍ତି ନାହିଁ । କିନ୍ତୁ ଯଦି ମଣିଷ ବିଷୟରେ ଦେଖିବା, ତେବେ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଅନେକ ଘରଚଟିଆଠାରୁ ବି ଅଧିକ ଶ୍ରେଷ୍ଠ । ଈଶ୍ୱର ପୃଥିବୀରେ ଯେତେ ବି ପ୍ରାଣୀ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରୁ ମଣିଷ ବହୁତ ଖାସ୍ । ସେ ମଣିଷମାନଙ୍କୁ ନିଜ ‘ପ୍ରତିମୂର୍ତ୍ତିରେ’ ସୃଷ୍ଟି କରିଛନ୍ତି । ତେଣୁ ସେମାନେ ଈଶ୍ୱରଙ୍କ ଭଳି ଭଲ ଗୁଣ ବଢ଼ାଇପାରନ୍ତି ଏବଂ ତାହା ଦେଖାଇ ମଧ୍ୟ ପାରନ୍ତି ।—ଆଦି ପୁସ୍ତକ ୧:୨୬, ୨୭.
‘ହେ ଯିହୋବା, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ । ତୁମ୍ଭେ ମୋହର ସଙ୍କଳ୍ପ ବୁଝୁଅଛ । ମୋତେ ପରୀକ୍ଷା କର ଓ ମୋହର ସଙ୍କଳ୍ପସବୁ ଜ୍ଞାତ ହୁଅ ।’—ଗୀତସଂହିତା ୧୩୯:୧, ୨, ୨୩.
ଧ୍ୟାନ ଦିଅନ୍ତୁ: ଈଶ୍ୱର ଆପଣଙ୍କ ପ୍ରତ୍ୟେକ କଥା ଜାଣନ୍ତି । ଆପଣଙ୍କ ଜୀବନରେ କʼଣ ଚାଲିଛି, ଆପଣ କେଉଁ ସମସ୍ୟାର ସାମନା କରୁଛନ୍ତି, ସେ ସବୁ ଜାଣନ୍ତି । ହୁଏତ କେହି ଆପଣଙ୍କ ପରିସ୍ଥିତିକୁ ବୁଝିପାରିବେ ନାହିଁ, କିନ୍ତୁ ସେ ବୁଝିପାରିବେ । ସେ ଆପଣଙ୍କ ଚିନ୍ତା କରନ୍ତି ଏବଂ ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । ତେଣୁ ନିଜ ଜୀବନକୁ ବହୁମୂଲ୍ୟ ଭାବନ୍ତୁ ।
ଆପଣଙ୍କ ଜୀବନର ମହତ୍ତ୍ୱ ରହିଛି
‘ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ କାକୁକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ । ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ । ଈଶ୍ୱର ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ।’—ଗୀତସଂହିତା ୧୦୨:୧, ୨, ୧୭.
ଧ୍ୟାନ ଦିଅନ୍ତୁ: ଆଜି ଯାଏଁ ମଣିଷ ଯେତେ ବି ଦୁଃଖକୁ ସହିଛି, ତାʼର ଯେତେ ବି ଲୁହ ଝରିଛି ସେସବୁ ବିଷୟରେ ଈଶ୍ୱର ସତେ ଯେପରି ଗୋଟିଏ ବହିରେ ଲେଖି ରଖିଛନ୍ତି । (ଗୀତସଂହିତା ୫୬:୮) ସେ ଆପଣଙ୍କର ମଧ୍ୟ ଲୁହ ଦେଖିଛନ୍ତି । ଆପଣ ଜୀବନରେ ଯାହା ଯାହା ଦୁଃଖ ସହିଛନ୍ତି, ଯେଉଁ ସମସ୍ୟାଗୁଡ଼ିକର ସାମନା କରିଛନ୍ତି, ସେସବୁ ତାଙ୍କୁ ମନେ ଅଛି, କାରଣ ଆପଣ ତାଙ୍କ ପାଇଁ ବହୁମୂଲ୍ୟ ।
‘ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା । କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭକୁ କହିବା, ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ।’—ଯିଶାଇୟ ୪୧:୧୦, ୧୩.
ଧ୍ୟାନ ଦିଅନ୍ତୁ: ଈଶ୍ୱର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । ଯଦି ଆପଣଙ୍କୁ କେବେ ଲାଗେ ଯେ ଆପଣ ହାର୍ ମାନିଯିବେ, ତେବେ ସେ ଆପଣଙ୍କ ହାତକୁ ଧରି ପକାଇବେ ଏବଂ ଆପଣଙ୍କୁ ସାହାରା ଦେବେ ।
ଭଲ ଭବିଷ୍ୟତର ଗୋଟିଏ ଆଶା ଅଛି
“ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।”—ଯୋହନ ୩:୧୬.
ଧ୍ୟାନ ଦିଅନ୍ତୁ: ଈଶ୍ୱର ଆପଣଙ୍କୁ ଏତେ ପ୍ରେମ କଲେ ଯେ ସେ ଆପଣଙ୍କ ପାଇଁ ନିଜ ପୁତ୍ର ଯୀଶୁଙ୍କ ଜୀବନ ବଳିଦାନ କରିଦେଲେ । ଏହି ବଳିଦାନ ଯୋଗୁଁ ଆପଣ ଭବିଷ୍ୟତରେ ସବୁଦିନ ପାଇଁ ଖୁସିରେ ବଞ୍ଚିପାରିବେ ।a
ଆପଣ ଯେତେ ବି ଚିନ୍ତିତ ଥାʼନ୍ତୁ ନା କାହିଁକି ଏବଂ ଆପଣଙ୍କୁ ଜୀବନ ବୋଝ ଭଳି ଲାଗୁ ନା କାହିଁକି, ବାଇବଲର କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା ରଖନ୍ତୁ । ଏଥିରୁ ଆପଣ ଖୁସି ରହିବେ ଏବଂ ଆପଣଙ୍କୁ ଭରସା ହେବ ଯେ ଆପଣଙ୍କ ଜୀବନ ବହୁମୂଲ୍ୟ ଅଟେ ।
a ଯୀଶୁଙ୍କ ବଳିଦାନରୁ ଆପଣଙ୍କୁ କେଉଁ ଆଶିଷଗୁଡ଼ିକ ମିଳିପାରିବ । ଏ ବିଷୟରେ ଜାଣିବା ପାଇଁ www.jw.org ୱେବସାଇଟ୍ରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ଆମ ବିଷୟରେ > ସ୍ମାରକ ଦିବସରେ ଦେଖନ୍ତୁ ।