ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp19 ସଂ ୨ ପୃଷ୍ଠା ୧୨-୧୩
  • ଯେବେ ବଞ୍ଚିବା ପାଇଁ ଇଚ୍ଛା ନ ଥାଏ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେବେ ବଞ୍ଚିବା ପାଇଁ ଇଚ୍ଛା ନ ଥାଏ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
  • ଉପଶୀର୍ଷକ
  • ସେମାନଙ୍କୁ କେଉଁଠାରୁ ସାହାଯ୍ୟ ମିଳିପାରିବ
  • କʼଣ ଏହାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
wp19 ସଂ ୨ ପୃଷ୍ଠା ୧୨-୧୩
ଜଣେ ସ୍ତ୍ରୀ ଟେବୁଲ ପାଖରେ ବସିଛନ୍ତି ଏବଂ ତାଙ୍କ ହାତରେ ଗୋଟିଏ ଖୋଲା ବାଇବଲ ଅଛି । ସେ ଆଗକୁ ଚାହିଁ ଦେଖୁଛନ୍ତି

ଯେବେ ବଞ୍ଚିବା ପାଇଁ ଇଚ୍ଛା ନ ଥାଏ

ବ୍ରାଜିଲରେ ରହୁଥିବା ଏଡ୍ରିଆନା କହନ୍ତି, “ମୁଁ ସବୁବେଳେ ନିରାଶ ଓ ଦୁଃଖୀ ରହୁଥିଲି । ମୋତେ ଲାଗୁଥିଲା ଏମିତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ ।”

କʼଣ ଆପଣ ବି କେବେ ଏତେ ନିରାଶ ହୋଇଛନ୍ତି, ଯେବେ ଆପଣଙ୍କୁ ଲାଗିଲା ଯେ ମୁଁ ମରିଗଲେ ଭଲ ? ଯଦି ହଁ, ତାହେଲେ ଆପଣ ଏଡ୍ରିଆନାଙ୍କ କଷ୍ଟକୁ ଭଲଭାବେ ବୁଝିପାରିବେ । ସେ ବହୁତ ଦୁଃଖୀ ଓ ନିରାଶ ରହୁଥିଲେ । ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ତାଙ୍କୁ ଡିପ୍ରେସନ୍‌ ରୋଗ ହୋଇଛି ।

ଜାପାନରେ ରହୁଥିବା କାଓରୁ ନିଜ ବୃଦ୍ଧ ବାପାମାଆଙ୍କ ଦେଖାଶୁଣା କରୁଥିଲେ ଯେଉଁମାନେ ରୋଗରେ ପୀଡ଼ିତ ଥିଲେ । ସେ କହନ୍ତି, “ସେସମୟରେ କାମ ଜାଗାରେ ଏତେ ଚାପ ଥିଲା ଯେ ମୋ ଦ୍ୱାରା ସହି ହେଉ ନ ଥିଲା । କିଛି ସମୟ ପରେ ଚାପ ଯୋଗୁଁ ମୋର ଭୋକ ଶୋଷ ମରିଗଲା ଏବଂ ମୋତେ ଭଲରେ ନିଦ ବି ହେଉ ନ ଥିଲା । ମୁଁ ଏପରି ଭାବିବାକୁ ଲାଗିଲି ଯେ ମୁଁ ମରିଗଲେ ହିଁ ସବୁ ସମସ୍ୟା ଶେଷ ହୋଇଯିବ ।”

ନାଇଜେରିଆରେ ରହୁଥିବା ଜର୍ଜ କହନ୍ତି, “ମୁଁ ଏତେ ଦୁଃଖୀ ରହୁଥିଲି ଯେ ମୋ ଆଖିରୁ ଲୁହ ଝରୁଥିଲା । ଏପରିକି ମୁଁ ଆତ୍ମହତ୍ୟା କରିବାର ଅଲଗା ଅଲଗା ଉପାୟ ଭାବିବାକୁ ଲାଗିଲି ।” ଏହା ଭଲ ଯେ ଜର୍ଜ, କାଓରୁ ଓ ଏଡ୍ରିଆନା ଆତ୍ମହତ୍ୟା କଲେ ନାହିଁ । କିନ୍ତୁ ସେମାନଙ୍କ ଭଳି ପରିସ୍ଥିତିର ସାମନା କରୁଥିବା ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଆତ୍ମହତ୍ୟା କରନ୍ତି ।

ସେମାନଙ୍କୁ କେଉଁଠାରୁ ସାହାଯ୍ୟ ମିଳିପାରିବ

ଏହା ଦେଖିବାକୁ ମିଳିଛି ଯେ ଡିପ୍ରେସନ୍‌ ଯୋଗୁଁ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ପୁରୁଷମାନଙ୍କ ସଂଖ୍ୟା ଅଧିକ । ଅନେକ ପୁରୁଷ ଏଥିପାଇଁ ଆତ୍ମହତ୍ୟା କରନ୍ତି କାରଣ ସେମାନେ ଅନ୍ୟମାନଙ୍କଠାରୁ ସାହାଯ୍ୟ ମାଗିବା ପାଇଁ ସଂକୋଚ କରନ୍ତି । କିନ୍ତୁ ଯୀଶୁ କହିଥିଲେ ରୋଗୀମାନଙ୍କୁ ବୈଦ୍ୟଠାରୁ ସାହାଯ୍ୟ ନେବା ଉଚିତ୍‌ । (ଲୂକ ୫:୩୧) ଯଦି ଆପଣଙ୍କୁ ମଧ୍ୟ ଡିପ୍ରେସନ୍‌ ଯୋଗୁଁ ଆତ୍ମହତ୍ୟାର ଭାବନା ଆସେ, ତେବେ ବିନା ସଂକୋଚରେ ଅନ୍ୟମାନଙ୍କଠୁ ସାହାଯ୍ୟ ମାଗନ୍ତୁ । ଡିପ୍ରେସନ୍‌ର ସାମନା କରୁଥିବା ଅନେକ ଲୋକ ଦେଖିଛନ୍ତି ଯେ ଡାକ୍ତରଙ୍କଠୁ ଚିକିତ୍ସା କରାଇ ତାଙ୍କୁ ବହୁତ ସାହାଯ୍ୟ ମିଳିଛି । ଜର୍ଜ, କାଓରୁ ଓ ଏଡ୍ରିଆନା ମଧ୍ୟ ଚିକିତ୍ସା କରାଇଛନ୍ତି, ତେଣୁ ସେମାନେ ଏବେ ଅଧିକ ଭଲଭାବେ ନିଜକୁ ସମ୍ଭାଳିପାରିଛନ୍ତି ।

ଡାକ୍ତର କିଛି ଡିପ୍ରେସନ୍‌ରେ ଥିବା ଲୋକଙ୍କୁ ଔଷଧ ଦିଅନ୍ତି, ଆଉ କିଛି ଲୋକଙ୍କ ସହ କଥା ହୋଇ ଡିପ୍ରେସନ୍‌କୁ କାବୁ କରିବା ପାଇଁ ତାଙ୍କୁ ସାହାଯ୍ୟ କରନ୍ତି । କିଛି ଲୋକଙ୍କ ଚିକିତ୍ସା କରିବା ପାଇଁ ସେମାନେ ଉଭୟ ଉପାୟ ଆପଣାନ୍ତି । ଡାକ୍ତରଙ୍କ ଛଡ଼ା ପରିବାର ଲୋକ ଓ ସାଙ୍ଗମାନେ ମଧ୍ୟ ଜଣେ ଡିପ୍ରେସନ୍‌ରେ ଥିବା ବ୍ୟକ୍ତିକୁ ବହୁତ ସାହାଯ୍ୟ କରିପାରିବେ । ସେମାନଙ୍କ ସହ ଧୈର୍ଯ୍ୟ ଧରିବା ଉଚିତ୍‌ ଏବଂ ଭାବନାକୁ ଧ୍ୟାନରେ ରଖି ସେମାନଙ୍କ ସହ ବ୍ୟବହାର କରିବା ଉଚିତ୍‌ । ଜଣେ ଡିପ୍ରେସନ୍‌ରେ ଥିବା ବ୍ୟକ୍ତି ପାଇଁ ଯିହୋବା ଈଶ୍ୱରଙ୍କଠୁ ଭଲ ସାଙ୍ଗ ଆଉ କେହି ବି ହୋଇପାରିବେ ନାହିଁ । ଯିହୋବା ବାଇବଲରେ ଏପରି ଅନେକ କଥା ଲେଖାଇଛନ୍ତି ଯାହାକୁ ପଢ଼ି ନିରାଶ ଲୋକର ମନକୁ ଶାନ୍ତି ମିଳିପାରିବ ।

କʼଣ ଏହାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ?

ଯେଉଁମାନଙ୍କୁ ଡିପ୍ରେସନ୍‌ ରୋଗ ହୋଇଛି, ସେମାନଙ୍କୁ ପ୍ରାୟ ଲମ୍ବା ସମୟ ଧରି ଚିକିତ୍ସା କରାଇବାକୁ ପଡ଼େ ଏବଂ ଅନେକ ଅଭ୍ୟାସକୁ ବଦଳାଇବାକୁ ପଡ଼େ । ଯଦି ଆପଣ ମଧ୍ୟ ଏହି ରୋଗରେ ପୀଡ଼ିତ ଅଛନ୍ତି, ତାହେଲେ ହାର୍‌ ମାନନ୍ତୁ ନାହିଁ । ଖୁବ୍‌ ଶୀଘ୍ର ଏପରି ସମୟ ଆସିବ ଯେବେ ଆପଣଙ୍କ ଏହି କଷ୍ଟଗୁଡ଼ିକ ସବୁଦିନ ପାଇଁ ଶେଷ ହୋଇଯିବ । ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଏହି ‘ପୃଥିବୀକୁ’ ସମ୍ପୂର୍ଣ୍ଣ ନୂଆ କରିଦେବେ ଏବଂ ସେସମୟରେ କାହାରିକୁ କୌଣସି “ବ୍ୟଥା” ହେବ ନାହିଁ । (ପ୍ରକାଶିତ ବାକ୍ୟ ୨୧:୧, ୪) ଜର୍ଜ କହନ୍ତି, “ମୁଁ ସେହି ଦିନର ଅପେକ୍ଷା କରୁଛି ଯେବେ ମୋତେ ଆଉ ଡିପ୍ରେସନ୍‌ ରୋଗ ହେବ ନାହିଁ । ପବିତ୍ର ଶାସ୍ତ୍ରର ଯିଶାଇୟ ୩୩:୨୪ରେ ଯାହା ଲେଖାଅଛି ତାହା ସତ ହେବ । ମୁଁ ପୀଡ଼ିତ ଅଛି ବୋଲି କେହି ବି କହିବେ ନାହିଁ ।” ଆପଣ ମଧ୍ୟ ଜର୍ଜଙ୍କ ଭଳି ଭରସା ରଖନ୍ତୁ ଯେ ଆଗାମୀ ସମୟରେ ଆପଣଙ୍କ ଏହି କଷ୍ଟ ଦୂର ହୋଇଯିବ । ସେସମୟରେ କେହି ବି ନିରାଶ ହେବେ ନାହିଁ ଏବଂ କାହାରିକୁ ମାନସିକ ରୋଗ ହେବ ନାହିଁ । ଆଜି ଆପଣ ଯେଉଁ କଷ୍ଟ ସହୁଛନ୍ତି, ‘ସେସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ ।’—ଯିଶାଇୟ ୬୫:୧୭.

ଶାସ୍ତ୍ରର ବହୁମୂଲ୍ୟ କଥା ଯାହା ଆପଣଙ୍କ କାମରେ ଆସିବ

ଈଶ୍ୱର ଆପଣଙ୍କ ଭାବନାକୁ ବୁଝନ୍ତି ।

‘ଆମ୍ଭେ ଯିହୋବା ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ।’—ଯିଶାଇୟ ୪୧:୧୩.

କୌଣସି ବ୍ୟକ୍ତି ଅପେକ୍ଷା ଯିହୋବା ଆମ ଭାବନାକୁ ଭଲ ଭାବେ ବୁଝନ୍ତି ଏବଂ ଆମକୁ ସାହାଯ୍ୟ କରିବାକୁ ଚାହାନ୍ତି ।

ଶାସ୍ତ୍ରର କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ।

‘ଏଲୀୟ ଈଶ୍ୱରଙ୍କୁ ମୃତ୍ୟୁ-ପ୍ରାର୍ଥନା କଲେ । ସେ କହିଲେ, ଏବେ ହେ ଯିହୋବା ଈଶ୍ୱର, ମୋର ପ୍ରାଣ ନିଅ ।’—୧ ରାଜାବଳୀ ୧୯:୪.

ଜର୍ଜ କହନ୍ତି, “ଶାସ୍ତ୍ରର କଥାଗୁଡ଼ିକ ଉପରେ ଧ୍ୟାନ ଦେଇ ମୋତେ ବହୁତ ସାହସ ମିଳିଲା । ମୁଁ ଜାଣିପାରିଲି ଯେ ପ୍ରାଚୀନ ସମୟର ଈଶ୍ୱରଙ୍କ ଜଣେ ସେବକ ଏଲୀୟ ମଧ୍ୟ ଥରେ ମୋ ଭଳି ନିରାଶାରେ ବୁଡ଼ି ଯାଇଥିଲେ ।”

ଶାସ୍ତ୍ରରେ ଦିଆଯାଇଥିବା ଘଟଣାଗୁଡ଼ିକରୁ ସାହସ ପାଆନ୍ତୁ ।

‘ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ [ଅର୍ଥାତ୍‌ ଯୀଶୁ] ତୁମ୍ଭ [ଅର୍ଥାତ୍‌ ପିତରଙ୍କ] ନିମନ୍ତେ ନିବେଦନ କଲି ।’—ଲୂକ ୨୨:୩୨.

ଯୀଶୁଙ୍କ ଜଣେ ଶିଷ୍ୟ ପିତର ତାଙ୍କୁ ତିନି ଥର ଜାଣିବାରୁ ମନା କରିଦେଇଥିଲେ । କିନ୍ତୁ ପରେ ତାଙ୍କୁ ଏତେ ଖରାପ ଲାଗିଲା ଯେ ସେ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । କାଓରୁ କହନ୍ତି, “ପିତରଙ୍କ ଘଟଣାରୁ ମୁଁ ଜାଣିପାରିଲି ଯେ ଯିହୋବା ଓ ଯୀଶୁ ପିତରଙ୍କ ଭାବନାକୁ ବୁଝିଲେ । ଏଥିରୁ ମୋତେ ଭରସା ହେଲା ଯେ ସେମାନେ ମୋ ଭାବନାକୁ ମଧ୍ୟ ବୁଝନ୍ତି ।”

ଆପଣ ଯେଉଁ କଷ୍ଟ ସହୁଛନ୍ତି, ‘ସେସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ ।’—ଯିଶାଇୟ ୬୫:୧୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ