ଯେବେ ବଞ୍ଚିବା ପାଇଁ ଇଚ୍ଛା ନ ଥାଏ
କʼଣ ଆପଣ ବି କେବେ ଏତେ ନିରାଶ ହୋଇଛନ୍ତି, ଯେବେ ଆପଣଙ୍କୁ ଲାଗିଲା ଯେ ମୁଁ ମରିଗଲେ ଭଲ ? ଯଦି ହଁ, ତାହେଲେ ଆପଣ ଏଡ୍ରିଆନାଙ୍କ କଷ୍ଟକୁ ଭଲଭାବେ ବୁଝିପାରିବେ । ସେ ବହୁତ ଦୁଃଖୀ ଓ ନିରାଶ ରହୁଥିଲେ । ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ତାଙ୍କୁ ଡିପ୍ରେସନ୍ ରୋଗ ହୋଇଛି ।
ଜାପାନରେ ରହୁଥିବା କାଓରୁ ନିଜ ବୃଦ୍ଧ ବାପାମାଆଙ୍କ ଦେଖାଶୁଣା କରୁଥିଲେ ଯେଉଁମାନେ ରୋଗରେ ପୀଡ଼ିତ ଥିଲେ । ସେ କହନ୍ତି, “ସେସମୟରେ କାମ ଜାଗାରେ ଏତେ ଚାପ ଥିଲା ଯେ ମୋ ଦ୍ୱାରା ସହି ହେଉ ନ ଥିଲା । କିଛି ସମୟ ପରେ ଚାପ ଯୋଗୁଁ ମୋର ଭୋକ ଶୋଷ ମରିଗଲା ଏବଂ ମୋତେ ଭଲରେ ନିଦ ବି ହେଉ ନ ଥିଲା । ମୁଁ ଏପରି ଭାବିବାକୁ ଲାଗିଲି ଯେ ମୁଁ ମରିଗଲେ ହିଁ ସବୁ ସମସ୍ୟା ଶେଷ ହୋଇଯିବ ।”
ନାଇଜେରିଆରେ ରହୁଥିବା ଜର୍ଜ କହନ୍ତି, “ମୁଁ ଏତେ ଦୁଃଖୀ ରହୁଥିଲି ଯେ ମୋ ଆଖିରୁ ଲୁହ ଝରୁଥିଲା । ଏପରିକି ମୁଁ ଆତ୍ମହତ୍ୟା କରିବାର ଅଲଗା ଅଲଗା ଉପାୟ ଭାବିବାକୁ ଲାଗିଲି ।” ଏହା ଭଲ ଯେ ଜର୍ଜ, କାଓରୁ ଓ ଏଡ୍ରିଆନା ଆତ୍ମହତ୍ୟା କଲେ ନାହିଁ । କିନ୍ତୁ ସେମାନଙ୍କ ଭଳି ପରିସ୍ଥିତିର ସାମନା କରୁଥିବା ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଆତ୍ମହତ୍ୟା କରନ୍ତି ।
ସେମାନଙ୍କୁ କେଉଁଠାରୁ ସାହାଯ୍ୟ ମିଳିପାରିବ
ଏହା ଦେଖିବାକୁ ମିଳିଛି ଯେ ଡିପ୍ରେସନ୍ ଯୋଗୁଁ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ପୁରୁଷମାନଙ୍କ ସଂଖ୍ୟା ଅଧିକ । ଅନେକ ପୁରୁଷ ଏଥିପାଇଁ ଆତ୍ମହତ୍ୟା କରନ୍ତି କାରଣ ସେମାନେ ଅନ୍ୟମାନଙ୍କଠାରୁ ସାହାଯ୍ୟ ମାଗିବା ପାଇଁ ସଂକୋଚ କରନ୍ତି । କିନ୍ତୁ ଯୀଶୁ କହିଥିଲେ ରୋଗୀମାନଙ୍କୁ ବୈଦ୍ୟଠାରୁ ସାହାଯ୍ୟ ନେବା ଉଚିତ୍ । (ଲୂକ ୫:୩୧) ଯଦି ଆପଣଙ୍କୁ ମଧ୍ୟ ଡିପ୍ରେସନ୍ ଯୋଗୁଁ ଆତ୍ମହତ୍ୟାର ଭାବନା ଆସେ, ତେବେ ବିନା ସଂକୋଚରେ ଅନ୍ୟମାନଙ୍କଠୁ ସାହାଯ୍ୟ ମାଗନ୍ତୁ । ଡିପ୍ରେସନ୍ର ସାମନା କରୁଥିବା ଅନେକ ଲୋକ ଦେଖିଛନ୍ତି ଯେ ଡାକ୍ତରଙ୍କଠୁ ଚିକିତ୍ସା କରାଇ ତାଙ୍କୁ ବହୁତ ସାହାଯ୍ୟ ମିଳିଛି । ଜର୍ଜ, କାଓରୁ ଓ ଏଡ୍ରିଆନା ମଧ୍ୟ ଚିକିତ୍ସା କରାଇଛନ୍ତି, ତେଣୁ ସେମାନେ ଏବେ ଅଧିକ ଭଲଭାବେ ନିଜକୁ ସମ୍ଭାଳିପାରିଛନ୍ତି ।
ଡାକ୍ତର କିଛି ଡିପ୍ରେସନ୍ରେ ଥିବା ଲୋକଙ୍କୁ ଔଷଧ ଦିଅନ୍ତି, ଆଉ କିଛି ଲୋକଙ୍କ ସହ କଥା ହୋଇ ଡିପ୍ରେସନ୍କୁ କାବୁ କରିବା ପାଇଁ ତାଙ୍କୁ ସାହାଯ୍ୟ କରନ୍ତି । କିଛି ଲୋକଙ୍କ ଚିକିତ୍ସା କରିବା ପାଇଁ ସେମାନେ ଉଭୟ ଉପାୟ ଆପଣାନ୍ତି । ଡାକ୍ତରଙ୍କ ଛଡ଼ା ପରିବାର ଲୋକ ଓ ସାଙ୍ଗମାନେ ମଧ୍ୟ ଜଣେ ଡିପ୍ରେସନ୍ରେ ଥିବା ବ୍ୟକ୍ତିକୁ ବହୁତ ସାହାଯ୍ୟ କରିପାରିବେ । ସେମାନଙ୍କ ସହ ଧୈର୍ଯ୍ୟ ଧରିବା ଉଚିତ୍ ଏବଂ ଭାବନାକୁ ଧ୍ୟାନରେ ରଖି ସେମାନଙ୍କ ସହ ବ୍ୟବହାର କରିବା ଉଚିତ୍ । ଜଣେ ଡିପ୍ରେସନ୍ରେ ଥିବା ବ୍ୟକ୍ତି ପାଇଁ ଯିହୋବା ଈଶ୍ୱରଙ୍କଠୁ ଭଲ ସାଙ୍ଗ ଆଉ କେହି ବି ହୋଇପାରିବେ ନାହିଁ । ଯିହୋବା ବାଇବଲରେ ଏପରି ଅନେକ କଥା ଲେଖାଇଛନ୍ତି ଯାହାକୁ ପଢ଼ି ନିରାଶ ଲୋକର ମନକୁ ଶାନ୍ତି ମିଳିପାରିବ ।
କʼଣ ଏହାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ?
ଯେଉଁମାନଙ୍କୁ ଡିପ୍ରେସନ୍ ରୋଗ ହୋଇଛି, ସେମାନଙ୍କୁ ପ୍ରାୟ ଲମ୍ବା ସମୟ ଧରି ଚିକିତ୍ସା କରାଇବାକୁ ପଡ଼େ ଏବଂ ଅନେକ ଅଭ୍ୟାସକୁ ବଦଳାଇବାକୁ ପଡ଼େ । ଯଦି ଆପଣ ମଧ୍ୟ ଏହି ରୋଗରେ ପୀଡ଼ିତ ଅଛନ୍ତି, ତାହେଲେ ହାର୍ ମାନନ୍ତୁ ନାହିଁ । ଖୁବ୍ ଶୀଘ୍ର ଏପରି ସମୟ ଆସିବ ଯେବେ ଆପଣଙ୍କ ଏହି କଷ୍ଟଗୁଡ଼ିକ ସବୁଦିନ ପାଇଁ ଶେଷ ହୋଇଯିବ । ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଏହି ‘ପୃଥିବୀକୁ’ ସମ୍ପୂର୍ଣ୍ଣ ନୂଆ କରିଦେବେ ଏବଂ ସେସମୟରେ କାହାରିକୁ କୌଣସି “ବ୍ୟଥା” ହେବ ନାହିଁ । (ପ୍ରକାଶିତ ବାକ୍ୟ ୨୧:୧, ୪) ଜର୍ଜ କହନ୍ତି, “ମୁଁ ସେହି ଦିନର ଅପେକ୍ଷା କରୁଛି ଯେବେ ମୋତେ ଆଉ ଡିପ୍ରେସନ୍ ରୋଗ ହେବ ନାହିଁ । ପବିତ୍ର ଶାସ୍ତ୍ରର ଯିଶାଇୟ ୩୩:୨୪ରେ ଯାହା ଲେଖାଅଛି ତାହା ସତ ହେବ । ମୁଁ ପୀଡ଼ିତ ଅଛି ବୋଲି କେହି ବି କହିବେ ନାହିଁ ।” ଆପଣ ମଧ୍ୟ ଜର୍ଜଙ୍କ ଭଳି ଭରସା ରଖନ୍ତୁ ଯେ ଆଗାମୀ ସମୟରେ ଆପଣଙ୍କ ଏହି କଷ୍ଟ ଦୂର ହୋଇଯିବ । ସେସମୟରେ କେହି ବି ନିରାଶ ହେବେ ନାହିଁ ଏବଂ କାହାରିକୁ ମାନସିକ ରୋଗ ହେବ ନାହିଁ । ଆଜି ଆପଣ ଯେଉଁ କଷ୍ଟ ସହୁଛନ୍ତି, ‘ସେସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ ।’—ଯିଶାଇୟ ୬୫:୧୭.