ଚିନ୍ତାର ସାମନା କିପରି କରିବା ?
ଏପରି ସମୟ ଯେବେ କୌଣସି ଚିନ୍ତା ନ ଥିବ
ବାଇବଲର ପରାମର୍ଶକୁ ମାନିଲେ ଆମେ ଅନେକ ମାତ୍ରାରେ ଆମର ଚିନ୍ତାକୁ କମ୍ କରିପାରିବା, କିନ୍ତୁ ଏହାକୁ ଆମେ ପୂରାପୂରି ଶେଷ କରିପାରିବା ନାହିଁ । ଏହା କେବଳ ଆମ ସୃଷ୍ଟିକର୍ତ୍ତା ହିଁ କରିପାରିବେ । ସେ ଆମକୁ ସାହାଯ୍ୟ କରିବା ପାଇଁ ଜଣେ ଯୋଗ୍ୟ ବ୍ୟକ୍ତିକୁ ବାଛିଛନ୍ତି, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ । ଯୀଶୁ ପୃଥିବୀରେ ଥିବା ସମୟରେ ଅନେକ ଚମତ୍କାର କଲେ ଏବଂ ଦେଖାଇଲେ ଯେ ସେ ଭବିଷ୍ୟତରେ ଆହୁରି ଆଶ୍ଚର୍ଯ୍ୟଜନକ କାମ କରିବେ । ଉଦାହରଣ ପାଇଁ:
ଯୀଶୁ ରୋଗୀମାନଙ୍କୁ ସୁସ୍ଥ କରିବେ, ଯେପରି ସେ ପୃଥିବୀରେ ଥିବା ସମୟରେ କରିଥିଲେ ।
‘ଲୋକେ ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ ।’—ମାଥିଉ ୪:୨୪.
ଯୀଶୁ ସମସ୍ତଙ୍କ ପାଇଁ ଘର ଓ ଖାଦ୍ୟର ବ୍ୟବସ୍ଥା କରିବେ ।
“ଲୋକମାନେ [ଖ୍ରୀଷ୍ଟଙ୍କ ପ୍ରଜାର ଲୋକମାନେ] ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ । ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ ।”—ଯିଶାଇୟ ୬୫:୨୧, ୨୨.
ଯୀଶୁଙ୍କ ରାଜ୍ୟରେ ପୂରା ପୃଥିବୀରେ ଶାନ୍ତି ଓ ସୁରକ୍ଷା ହେବ ।
‘ତାହାଙ୍କ ସମୟରେ ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ; ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ । ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ । ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ ।’—ଗୀତସଂହିତା ୭୨:୭-୯.
ଯୀଶୁ ଅନ୍ୟାୟକୁ ଶେଷ କରିଦେବେ ।
“ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ । ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ ।”—ଗୀତସଂହିତା ୭୨:୧୩, ୧୪.
ଯୀଶୁ ଦୁଃଖକଷ୍ଟ ଓ ମୃତ୍ୟୁକୁ ଶେଷ କରିଦେବେ ।
“ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।”—ପ୍ରକାଶିତ ବାକ୍ୟ ୨୧:୪.