ଚିନ୍ତାର ସାମନା କିପରି କରିବା ?
ଚିନ୍ତା କାହାକୁ କୁହାଯାଏ ?
ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଏହାର ଆମ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ତାହାକୁ ଚିନ୍ତା ବୋଲି କୁହାଯାଏ । ସବୁଠୁ ପ୍ରଥମେ ଆମ ମସ୍ତିଷ୍କ ଏବିଷୟରେ ଜାଣେ ଏବଂ ଆମ ଶରୀରକୁ ସଙ୍କେତ ଦିଏ । ଏହି ସଙ୍କେତ ପାଇ ଆମ ଶରୀରରେ କିଛି ପ୍ରକାରର ହରମୋନ୍ ବହୁ ମାତ୍ରାରେ ନିର୍ଗତ ହୁଏ । ଏହାଯୋଗୁଁ ଆମ ହୃଦୟର ସ୍ପନ୍ଦନ ବଢ଼ିଯାଏ, ରକ୍ତଚାପ ବଢ଼ିଯାଏ, ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୁଏ ଓ ମାଂସପେଶୀଗୁଡ଼ିକ ଟାଣ ହୋଇଯାଏ । ଆମକୁ ହୁଏତ ପୂରାପୂରି ଭାବେ ଏହା ଜଣାପଡ଼ି ନ ପାରେ, କିନ୍ତୁ ଆମ ଶରୀର ଚିନ୍ତାଗୁଡ଼ିକ ସହ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗି ରହେ । ଶେଷରେ ଯେବେ ଆମ ଚିନ୍ତା କମ୍ ହୋଇଯାଏ, ତେବେ ଆମ ଶରୀର ପୂର୍ବ ଭଳି କାମ କରିବାକୁ ଲାଗେ ।
ଚିନ୍ତାର ଲାଭ ଓ କ୍ଷତି
ଚିନ୍ତା ଯୋଗୁଁ ଆମ ଶରୀରରେ ହେଉଥିବା ପରିବର୍ତ୍ତନଗୁଡ଼ିକ ସ୍ୱାଭାବିକ ଅଟେ । ଏହାଯୋଗୁଁ ଆମେ କୌଣସି ସମସ୍ୟା କିମ୍ବା ବିପଦପୂର୍ଣ୍ଣ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହୁ ଏବଂ ତୁରନ୍ତ ପଦକ୍ଷେପ ନେଇପାରୁ । ଏପରି ଚିନ୍ତାରୁ ଆମକୁ ଲାଭ ହୋଇଥାଏ । ଯେବେ ଆମକୁ ଏପରି ଚିନ୍ତା ହୁଏ, ତେବେ ଆମେ ନିଜ ଲକ୍ଷ୍ୟଗୁଡ଼ିକୁ ହାସଲ କରିପାରୁ ଓ ଭଲଭାବରେ କାମ କରିପାରୁ । ଯେପରି, ସ୍କୁଲର ପରୀକ୍ଷା ଦେବା ସମୟରେ, ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ସମୟରେ କିମ୍ବା କୌଣସି ଖେଳରେ ଭାଗ ନେବା ସମୟରେ ଆମେ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିଥାଉ ।
କିନ୍ତୁ ଯଦି ଆମେ ଲମ୍ବା ସମୟ ପର୍ଯ୍ୟନ୍ତ କିମ୍ବା ଅତ୍ୟଧିକ ଚିନ୍ତା କରିବା, ତାହେଲେ ଏହାର ଆମ ଶରୀର ଉପରେ ଖରାପ ପ୍ରଭାବ ପଡ଼ିପାରେ । ଏହାଯୋଗୁଁ ଆମକୁ ଶାରୀରିକ, ମାନସିକ ଓ ଭାବନାତ୍ମକ ରୂପେ କ୍ଷତି ପହଞ୍ଚିପାରେ । ସବୁବେଳେ ଚିନ୍ତାଗ୍ରସ୍ତ ଥିଲେ ଜଣେ ବ୍ୟକ୍ତିର ବ୍ୟବହାରରେ ପରିବର୍ତ୍ତନ ହୋଇପାରେ । ସେ ହୁଏତ ଅନ୍ୟମାନଙ୍କ ସହିତ ଭଲରେ ବ୍ୟବହାର କରିବନି, ନିଶାଦ୍ରବ୍ୟଗୁଡ଼ିକର ସେବନ କରିବ ଓ ସେ ନିଜ ଚିନ୍ତାଗୁଡ଼ିକରୁ ମୁକ୍ତି ପାଇବା ପାଇଁ ଖରାପ ଅଭ୍ୟାସଗୁଡ଼ିକରେ ପଡ଼ିଯିବ । କେବଳ ଏତିକି ନୁହେଁ, ସେ ହୁଏତ ଡିପ୍ରେସନ୍ର ଶିକାର ହୋଇଯିବ । ସେ ପୂରାପୂରି ଭାବେ ଥକିଯିବ, ଅର୍ଥାତ୍ କିଛି କରିବା ପାଇଁ ତାʼ ପାଖରେ ବଳ ଓ ଇଚ୍ଛା ନ ଥିବ କିମ୍ବା ସେ ଆତ୍ମହତ୍ୟା କରିବା ବିଷୟରେ ଭାବିବ ।
ଯଦିଓ ଚିନ୍ତାର ସମସ୍ତଙ୍କ ଉପରେ ଏକାଭଳି ପ୍ରଭାବ ପଡ଼େନି, କିନ୍ତୁ ଏହାଯୋଗୁଁ ଅନେକ ପ୍ରକାରର ରୋଗ ହୋଇପାରେ । ଏପରିକି ଶରୀରର ପ୍ରାୟ ପ୍ରତ୍ୟେକ ଅଙ୍ଗ ଉପରେ ଏହାର ପ୍ରଭାବ ପଡ଼ିପାରେ ।