ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜୁଲାଇ ପୃଷ୍ଠା ୨-୭
  • ଗିବୀୟୋନୀୟମାନଙ୍କଠାରୁ ମିଳୁଥିବା ମହତ୍ତ୍ୱପୂର୍ଣ୍ଣ ଶିକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଗିବୀୟୋନୀୟମାନଙ୍କଠାରୁ ମିଳୁଥିବା ମହତ୍ତ୍ୱପୂର୍ଣ୍ଣ ଶିକ୍ଷା
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଓ ନମ୍ର ରହନ୍ତୁ
  • ଯିହୋବାଙ୍କ ସଠିକ୍‌ ସମୟର ଅପେକ୍ଷା କରନ୍ତୁ
  • ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରନ୍ତୁ
  • ଗିବୀୟୋନୀୟମାନଙ୍କ ଘଟଣାରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋଶୂୟ ଏବଂ ଗିବିୟୋନୀୟ ଲୋକ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା ନ୍ୟାୟର ଈଶ୍ୱର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜୁଲାଇ ପୃଷ୍ଠା ୨-୭

୭-୧୩ ସେପ୍ଟେମ୍ବର, ୨୦୨୬

ଗୀତ ୮୮ ମୋତେ ତୁମ ପଥ ଶିଖାଅ

ଗିବୀୟୋନୀୟମାନଙ୍କଠାରୁ ମିଳୁଥିବା ମହତ୍ତ୍ୱପୂର୍ଣ୍ଣ ଶିକ୍ଷା

“ଗିବିୟୋନ ନିବାସୀମାନେ ଇସ୍ରାଏଲ ସହିତ [ଶାନ୍ତିର] ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି ।”—ଯିହୋ. ୧୦:୧.

କʼଣ ଶିଖିବା ?

ଆମେ ଗିବୀୟୋନୀୟମାନଙ୍କଠାରୁ ଏବଂ ଯିହୋବା ସେମାନଙ୍କ ସହିତ ଯେଉଁଭଳି ବ୍ୟବହାର କଲେ, ସେଥିରୁ କʼଣ ଶିଖିପାରିବା ?

୧-୨. ଆମକୁ ବାଇବଲରେ ଦିଆଯାଇଥିବା ଗିବୀୟୋନୀୟମାନଙ୍କ ଘଟଣା ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

ଖ୍ରୀଷ୍ଟ ପୂର୍ବ ୧୪୭୩ ମସିହାର କଥା । ଇସ୍ରାଏଲ ରାଷ୍ଟ୍ରକୁ ମିଶର ଛାଡ଼ି ପ୍ରାୟ ୪୦ ବର୍ଷ ହୋଇସାରିଥିଲା । ତାʼପରେ ସେମାନେ ପ୍ରତିଜ୍ଞାତ ଦେଶରେ ରହିବାକୁ ଲାଗିଲେ । ଯିହୋବା ସେମାନଙ୍କୁ ଯିରୀହୋ ଓ ଅୟ ନଗର ଉପରେ ଜୟ ହାସଲ କରାଇଥିଲେ । କିନ୍ତୁ ପରେ ଏପରି କିଛି ହେଲା ଯାହା ସେମାନେ କେବେ ଭାବି ନ ଥିଲେ । କିଛି ଭ୍ରମଣକାରୀ ସେମାନଙ୍କ ପାଖକୁ ଆସନ୍ତି ଏବଂ କହନ୍ତି ଯେ ସେମାନେ ଗୋଟିଏ ଦୂର ଦେଶରୁ ଆସିଛନ୍ତି ଏବଂ ସେମାନେ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଶାନ୍ତିର ସନ୍ଧି ବା ଚୁକ୍ତି କରିବାକୁ ଚାହାନ୍ତି ।

୨ ଏହି ଭ୍ରମଣକାରୀମାନେ ଗିବୀୟୋନୀୟ ଲୋକ ଥିଲେ । ବାଇବଲରେ ପ୍ରଥମ ଥର ଏଠାରେ ତାଙ୍କ ବିଷୟରେ କୁହାଯାଇଛି । ଏହାପରେ ମଧ୍ୟ ଅନେକ ଥର ଗିବୀୟୋନୀୟମାନଙ୍କ ବିଷୟରେ ଲେଖାଯାଇଛି । ବାଇବଲରେ ଦିଆଯାଇଥିବା ସେମାନଙ୍କ ଘଟଣାରୁ ଜଣାପଡ଼େ ଯେ ଗିବୀୟୋନୀୟମାନେ ଅନେକ ବର୍ଷ ଯାଏ ଇସ୍ରାଏଲୀୟମାନଙ୍କ ସହିତ ରହିଥିଲେ । ଆମେ ସେମାନଙ୍କ ଘଟଣା ପଢ଼ି ସେମାନଙ୍କଠାରୁ ଅନେକ କଥା ଶିଖିପାରିବା । ଆଉ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବା ।

ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଓ ନମ୍ର ରହନ୍ତୁ

୩. (କ) ଗିବୀୟୋନୀୟମାନେ କିଏ ଥିଲେ ? (ଖ) ସେମାନେ କାହିଁକି ଇସ୍ରାଏଲୀୟମାନଙ୍କ ସହିତ ଶାନ୍ତି ସ୍ଥାପନ କରିବାକୁ ଚାହୁଁଥିଲେ ?

୩ ଯେବେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶକୁ ଗଲେ, ତେବେ ସେଠାରେ ସେମାନଙ୍କୁ ସାତଟି କିଣାନୀୟ ଗୋଷ୍ଠୀଙ୍କୁ ହରାଇବାର ଥିଲା । ଏହି ଗୋଷ୍ଠୀଗୁଡ଼ିକ ‘ଇସ୍ରାଏଲୀୟମାନଙ୍କଠାରୁ ମହାନ [“ସଂଖ୍ୟାରେ ଅଧିକ,” NWT] ଓ ବଳବାନ ଥିଲା ।’ (ଦ୍ୱିବି. ୭:୧) ସେମାନଙ୍କ ମଧ୍ୟରୁ ହିବ୍ବୀୟ ନାମକ ଗୋଟିଏ ଗୋଷ୍ଠୀ ଥିଲା । ଗିବୀୟୋନୀୟମାନେ ସେହି ଗୋଷ୍ଠୀର ଥିଲେ । ସେମାନେ ଗିବିୟୋନ ନାମକ ନଗରରେ ରହୁଥିଲେ । ସେହି ନଗରର ଚାରିଆଡ଼େ ଉଚ୍ଚ ଉଚ୍ଚ ପ୍ରାଚୀର ଥିଲା ଏବଂ ସେହି ନଗରର ସମସ୍ତ ଲୋକ ବୀର ଯୋଦ୍ଧା ଥିଲେ । (ଯିହୋ. ୧୦:୨) କିଣାନର ସମସ୍ତ ଗୋଷ୍ଠୀ ଇସ୍ରାଏଲୀୟମାନଙ୍କ ସହିତ ଲଢ଼ିବା ପାଇଁ ଚାହୁଁଥିଲା, କିନ୍ତୁ ଗିବୀୟୋନୀୟମାନେ ଏପରି ଚାହୁଁ ନ ଥିଲେ । ସେମାନେ ବୁଝିଯାଇଥିଲେ ଯେ ସେମାନେ ଇସ୍ରାଏଲୀୟମାନଙ୍କୁ ହରାଇପାରିବେ ନାହିଁ, କାରଣ ସେମାନେ ଦେଖିପାରୁଥିଲେ ଯେ ଯିହୋବା ନିଜ ଲୋକମାନଙ୍କ ତରଫରୁ ଲଢ଼ୁଛନ୍ତି । ସେମାନେ ଜାଣିଥିଲେ ଯେ ଯିହୋବା ନିଜ ଲୋକମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯେ ସେ କିଣାନୀୟମାନଙ୍କୁ ସେହି ଦେଶରୁ ତଡ଼ିଦେବେ । (ଯାତ୍ରା. ୩୪:୧୧; ଯିହୋ. ୯:୨୪) ଯେବେ ସେମାନେ ଶୁଣିଲେ ଯେ ଇସ୍ରାଏଲୀୟମାନେ ଯିରୀହୋ ଓ ଅୟ ନଗର ଉପରେ ଜୟ ହାସଲ କରିଛନ୍ତି, ତେବେ ସେମାନେ ଇସ୍ରାଏଲୀୟମାନଙ୍କ ସହିତ ଶାନ୍ତି ସ୍ଥାପନ କରିବା ପାଇଁ ନିଜର କିଛି ଲୋକଙ୍କୁa ଗିଲ୍‌ଗଲ୍‌ରେ ରହୁଥିବା ଯିହୋଶୂୟଙ୍କ ପାଖକୁ ପଠାଇଲେ ।

୪. (କ) ଗିବୀୟୋନୀୟମାନେ କିପରି ଭାବେ ଇସ୍ରାଏଲୀୟମାନଙ୍କ ସହ ଶାନ୍ତିର ଚୁକ୍ତି କଲେ ? (ଯିହୋଶୂୟ ୯:୮-୧୩) (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଯେବେ ଇସ୍ରାଏଲୀୟମାନଙ୍କୁ ଗିବୀୟୋନୀୟମାନଙ୍କ ଛଳନା ବିଷୟରେ ଜଣାପଡ଼ିଲା, ତେବେ ସେମାନେ କʼଣ କଲେ ?

୪ ଯିହୋଶୂୟ ୯:୮-୧୩ ପଢ଼ନ୍ତୁ । ଗିବୀୟୋନୀୟମାନେ ଏପରି ଦେଖାଇଲେ, ଯେପରି ସେମାନେ ଗୋଟିଏ ଦୂର ଦେଶରୁ ଆସିଛନ୍ତି । ସେମାନେ ଯିହୋଶୂୟଙ୍କୁ କହିଲେ ଯେ ଇସ୍ରାଏଲୀୟମାନେ ଯେଉଁଭଳି ଭାବେ ମିସ୍ରୀୟ ସେନାକୁ ହରାଇଲେ ଏବଂ ଇମୋରୀୟମାନଙ୍କ ରାଜା ସୀହୋନ ଓ ରାଜା ଓଗ୍‌ ଉପରେ ଜୟ ହାସଲ କଲେ, ଏହା ପଛରେ ଯିହୋବାଙ୍କର ହାତ ଥିଲା । ତାʼସହିତ ସେମାନେ ବୁଦ୍ଧିମାନୀର ସହ ବି କାମ କଲେ । ସେମାନେ ଯିରୀହୋ ଓ ଅୟ ମଧ୍ୟରେ ଯାହା ବି ଘଟିଥିଲା, ସେବିଷୟରେ କିଛି ବି କହିଲେ ନାହିଁ । ଯଦି ସେମାନେ କହିଥାʼନ୍ତେ, ତାହେଲେ ଇସ୍ରାଏଲୀୟମାନେ ବୁଝିଯାʼନ୍ତେ ଯେ ସେମାନେ କୌଣସି ଦୂର ଦେଶରୁ ଆସି ନ ଥିଲେ, କାରଣ ଏହି ଖବର ଏତେ ଶୀଘ୍ର ଏତେ ଦୂର ଦେଶ ଯାଏ ପହଞ୍ଚିବା ସମ୍ଭବ ନ ଥିଲା । ଯିହୋଶୂୟ ଓ ଇସ୍ରାଏଲର ଲୋକମାନେ ଏବିଷୟରେ ଯିହୋବାଙ୍କୁ କିଛି ପଚାରିଲେ ନାହିଁ । ସେମାନେ ଗିବୀୟୋନୀୟମାନଙ୍କ କଥା ଉପରେ ଭରସା କଲେ ଏବଂ ସେମାନଙ୍କ ସହ ଶାନ୍ତିର ଚୁକ୍ତି କଲେ । (ଯିହୋ. ୯:୧୪, ୧୫) କିଛି ଦିନ ପରେ ଇସ୍ରାଏଲୀୟମାନଙ୍କୁ ଜଣାପଡ଼ିଲା ଯେ ଗିବୀୟୋନୀୟମାନେ ସେମାନଙ୍କ ସହ ଛଳନା କରିଛନ୍ତି । ସେମାନେ କୌଣସି ଦୂର ଦେଶରୁ ନୁହେଁ, ବରଂ ପାଖ ଅଞ୍ଚଳରୁ ହିଁ ଆସିଥିଲେ । ତଥାପି ଇସ୍ରାଏଲୀୟମାନେ ସେମାନଙ୍କ ସହ ଶାନ୍ତିର ଯେଉଁ ଚୁକ୍ତି କରିଥିଲେ, ତାହାକୁ ଭାଙ୍ଗିଲେ ନାହିଁ କାରଣ ସେମାନେ ‘ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିଲେ ଯେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଆଘାତ [“ବିନାଶ,” NWT] କରିବେ ନାହିଁ ।’ (ଯିହୋ. ୯:୧୬-୧୯) ଯିହୋଶୂୟ ଗିବୀୟୋନୀୟମାନଙ୍କୁ କହିଲେ ଯେ ସେମାନେ ସେମାନଙ୍କ ମଧ୍ୟରେ ଦାସ ହୋଇରହିପାରିବେ ଏବଂ ଏବେଠାରୁ ସେମାନେ ‘ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦିର କାଠକଟାଳୀ ଓ ଜଳକଢ଼ାଳୀ ହେବେ ।’—ଯିହୋ. ୯:୨୭.

କିଛି ଗିବୀୟୋନୀୟ ଲୋକ ଯିହୋଶୂୟ ଓ ଅନ୍ୟ ଇସ୍ରାଏଲୀୟମାନେ ସୈନିକମାନଙ୍କ ଆଗରେ ଆଣ୍ଠୁମାଡ଼ି ବିନତି କରୁଛନ୍ତି । ସେମାନେ ଛିଣ୍ଡା ପୁରୁଣା କପଡ଼ା ଓ ପାଣି ଥିବା ପୁରୁଣା ପାତ୍ର ଦେଖାଉଛନ୍ତି ।

ଗିବୀୟୋନୀୟମାନେ ଯିହୋଶୂୟଙ୍କ ସହିତ ଶାନ୍ତିର ଚୁକ୍ତି କରିବା ପାଇଁ ମିଛ କଥା କହିଲେ (ପାରାଗ୍ରାଫ ୪)


୫. ଗିବୀୟୋନୀୟମାନେ କିପରି ଦେଖାଇଲେ ଯେ ସେମାନଙ୍କୁ ଯିହୋବାଙ୍କ ଉପରେ ପୂରା ବିଶ୍ୱାସ ଅଛି ?

୫ ଯେବେ ପାଞ୍ଚଜଣ ଇମୋରୀୟ ରାଜା ଶୁଣିଲେ ଯେ ଗିବୀୟୋନୀୟମାନେ ଇସ୍ରାଏଲୀୟମାନଙ୍କ ସହିତ ଶାନ୍ତିର ଚୁକ୍ତି କରିଛନ୍ତି, ତେବେ ସେମାନେ ମିଶିକି ଗିବିୟୋନ ନଗର ଉପରେ ଆକ୍ରମଣ କରିବା ପାଇଁ ଭାବିଲେ । ସେହି ସମୟରେ ଗିବୀୟୋନୀୟମାନେ ଯିହୋଶୂୟଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ । (ଯିହୋ. ୧୦:୩-୭) ଯିହୋଶୂୟ ଓ ତାଙ୍କ ସୈନିକମାନେ ଗିବୀୟୋନୀୟମାନଙ୍କ ସହ ଲଢ଼ିଲେ ଏବଂ ଯିହୋବା ସେମାନଙ୍କର ସାହାଯ୍ୟ କଲେ । ଯିହୋବା ଇମୋରୀୟ ସୈନିକମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ । ଆଉ ଇସ୍ରାଏଲୀୟମାନେ ଇମୋରୀୟମାନଙ୍କ ଉପରେ ଜୟ ହାସଲ ନ କରିବା ଯାଏ, ଯିହୋବା ସୂର୍ଯ୍ୟକୁ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ କରି ରଖିଲେ । (ଯିହୋ. ୧୦:୯-୧୪) ଇସ୍ରାଏଲୀୟମାନଙ୍କ ସହିତ ଶାନ୍ତିର ଚୁକ୍ତି କରି ଏବଂ ସମସ୍ୟା ସମୟରେ ଯିହୋଶୂୟଙ୍କୁ ସାହାଯ୍ୟ ମାଗି ଗିବୀୟୋନୀୟମାନେ ଦେଖାଇଲେ ଯେ ସେମାନେ ଯିହୋବାଙ୍କ ଉପରେ ପୂରା ବିଶ୍ୱାସ କରନ୍ତି । ସେମାନଙ୍କୁ ପୂରା ଭରସା ଥିଲା ଯେ ଯିହୋବା ନିଜର ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ ଏବଂ ସେମାନଙ୍କର ରକ୍ଷା କରିବେ ।

୬. ଯିହୋବା ଯେଉଁଭଳି ଭାବେ ଗିବୀୟୋନୀୟମାନଙ୍କ ସହିତ ବ୍ୟବହାର କଲେ, ସେଥିରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖୁ ?

୬ ଆମେ ଏହି ଘଟଣାରୁ ଯିହୋବାଙ୍କ ବିଷୟରେ କʼଣ ଶିଖୁ ? ଆମେ ଶିଖୁ ଯେ ଯିହୋବା ନମ୍ର ଅଟନ୍ତି ଓ ଦୟା ଦେଖାନ୍ତି । ଯିହୋବା ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ସେମାନେ ‘ସେଠାରେ ଉପସ୍ଥିତ ସମସ୍ତ ଦେଶନିବାସୀଙ୍କୁ ତଡ଼ି ବାହାର କରିଦିଅନ୍ତୁ ।’ (ଗଣ. ୩୩:୫୧, ୫୨) ଏହାର ଅର୍ଥ ସେମାନଙ୍କୁ ଗିବୀୟୋନୀୟମାନଙ୍କୁ ମଧ୍ୟ ବିନାଶ କରିବାର ଥିଲା । କିନ୍ତୁ ଇସ୍ରାଏଲୀୟମାନେ ଗିବୀୟୋନୀୟମାନଙ୍କ ସହିତ ଚୁକ୍ତି କରିଥିଲେ, ତେଣୁ ଯିହୋବା ଗିବୀୟୋନୀୟମାନଙ୍କ ଉପରେ ଦୟା କଲେ ଏବଂ ସେମାନଙ୍କୁ ସେଠାରେ ରହିବା ପାଇଁ ଅନୁମତି ଦେଲେ । ଇସ୍ରାଏଲୀୟମାନେ ଗିବୀୟୋନୀୟମାନଙ୍କ ସହିତ ଚୁକ୍ତି କରିବା ପୂର୍ବରୁ ଯିହୋବାଙ୍କୁ ପଚାରି ବି ନ ଥିଲେ, ତଥାପି ଯିହୋବା ଏହି ଚୁକ୍ତିକୁ ପୂରା କରିବା ପାଇଁ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କଲେ ଏବଂ ଚମତ୍କାର କରି ଗିବୀୟୋନୀୟମାନଙ୍କ ଜୀବନ ରକ୍ଷା କଲେ ।—ଯିହୋ. ୯:୨୬; ୧୧:୧୯.

୭. ଗିବୀୟୋନୀୟମାନଙ୍କ ଭଳି ଆମେ କିପରି ଯିହୋବାଙ୍କ ଉପରେ ବିଶ୍ୱାସ ରଖିପାରିବା ଏବଂ ନମ୍ର ରହିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୭ ଆମେ କିପରି ଗିବୀୟୋନୀୟମାନଙ୍କ ଭଳି ହୋଇପାରିବା ? ଆମେ ଯିହୋବାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବା । ଆମେ ଯିହୋବାଙ୍କ ବିଷୟରେ ଗିବୀୟୋନୀୟମାନଙ୍କ ଅପେକ୍ଷା ଅଧିକ ଜାଣିଛୁ । ସେଥିପାଇଁ ଆମ ପାଖରେ ଯିହୋବାଙ୍କ ଉପରେ ଭରସା କରିବାର ଅନେକ କାରଣ ରହିଛି । (ଗୀତ. ୪୦:୪, ୫) ଏହା ବ୍ୟତୀତ, ଆମେ ଯିହୋବାଙ୍କ ସେବାରେ ସାଧାରଣ କାମ କରିବା ପାଇଁ ପ୍ରସ୍ତୁତ ରହି ମଧ୍ୟ ଗିବୀୟୋନୀୟମାନଙ୍କ ଭଳି ହୋଇପାରିବା । (ଯିହୋ. ୯:୨୩, ୨୭) ଲୁକ୍‌ ନାମକ ଜଣେ ଯୁବା ଭାଇ ବୈଥେଲରେ ସେବା କରନ୍ତି । ସେ କହନ୍ତି ଯେ ତାଙ୍କୁ ଆଜି ବି ସେହିଦିନ ମନେ ଅଛି, ଯେବେ ସେ ଜଣେ ବୃଦ୍ଧ ଭାଇଙ୍କୁ ଗୋଟିଏ ସାଧାରଣ କାମ କରିବାର ଦେଖିଲେ । ସେହି ଭାଇ ବୈଥେଲରେ ସେବା କରୁଥିଲେ ଏବଂ ତାଙ୍କ ପାଖରେ ଅନେକ ବଡ଼ ଦାୟିତ୍ୱ ଥିଲା । ତଥାପି ଯେବେ ତାଙ୍କ ଅଞ୍ଚଳରେ ରାଜ୍ୟ ଘରର ନିର୍ମାଣ କାମ ଚାଲିଥିଲା, ତେବେ ସେ ରାତି ସମୟରେ ପହରା ଦେବା କାମ ପାଇଁ ଆଗେଇ ଆସିଲେ । ଲୁକ୍‌ କହନ୍ତି, “ମୁଁ ଶିଖିଲି ଯେ ନିଜ ବିଷୟରେ ଏହା ଭାବିବା ଯେ ମୁଁ ନମ୍ର ଅଟେ, ତାହା ପ୍ରକୃତରେ ନମ୍ରତା ନୁହେଁ । ବରଂ ଆମେ ଯାହା କରୁ କିମ୍ବା ଯାହା କରି ନ ଥାଉ, ସେଥିରୁ ଆମ ନମ୍ରତା ଜଣାପଡ଼େ ।” ଯିହୋବାଙ୍କ ସଂଗଠନରେ ଆମକୁ ଯାହା ବି କାମ ମିଳେ, ତାହାକୁ ନମ୍ରତାର ସହିତ କରି ଏବଂ ସମସ୍ୟା ସମୟରେ ଯିହୋବାଙ୍କ ଉପରେ ଭରସା ରଖି ଆମେ ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ଉପରେ ପୂରା ବିଶ୍ୱାସ ଅଛି ।

ଚିତ୍ରଗୁଡ଼ିକ: ଖୁସିର ସହ ସାଧାରଣ କାମ କରୁଥିବାର କିଛି ଦୃଶ୍ୟ । ୧. ଜଣେ ଗିବୀୟୋନୀୟ ବ୍ୟକ୍ତି ସୁରେଇ ନେଇକି ଯାଉଛି । ୨. ଜଣେ ବୃଦ୍ଧ ଭାଇ ରାଜ୍ୟଘରର ବଗିଚାରେ କାମ କରୁଛନ୍ତି ।

ଗିବୀୟୋନୀୟମାନଙ୍କ ଭଳି ସାଧାରଣ କାମ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହନ୍ତୁ (ପାରାଗ୍ରାଫ ୭)


ଯିହୋବାଙ୍କ ସଠିକ୍‌ ସମୟର ଅପେକ୍ଷା କରନ୍ତୁ

୮. ଗିବୀୟୋନୀୟମାନଙ୍କ ସହିତ କʼଣ ଅନ୍ୟାୟ ହେଲା ?

୮ ବାଇବଲରେ ଆଉଥରେ ଗିବୀୟୋନୀୟମାନଙ୍କ ବିଷୟରେ ରାଜା ଶାଉଲଙ୍କ ସମୟରେ ଉଲ୍ଲେଖ କରାଯାଇଥିଲା । ଶାଉଲ “ଇସ୍ରାଏଲ ଓ ଯିହୁଦା-ସନ୍ତାନଗଣ ପକ୍ଷରେ ଉଦ୍‌ଯୋଗୀ ହୋଇ” ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିବା ପାଇଁ ଚାହୁଁଥିଲେ ।b ତେଣୁ ସେମାନଙ୍କ ମଧ୍ୟରୁ ଅନେକଙ୍କର ହତ୍ୟା କରାଗଲା । (୨ ଶାମୁ. ୨୧:୨, ୫, ୬) ସତରେ, ଗିବୀୟୋନୀୟମାନଙ୍କ ସହିତ ବହୁତ ଅନ୍ୟାୟ ହେଲା ! ଇସ୍ରାଏଲୀୟମାନେ ଅନେକ ବର୍ଷ ପୂର୍ବେ ଗିବୀୟୋନୀୟମାନଙ୍କ ସହିତ ଯେଉଁ ଶାନ୍ତିର ଚୁକ୍ତି କରିଥିଲେ, ରାଜା ଶାଉଲଙ୍କୁ ସେଥିରୁ କୌଣସି ଫରକ ପଡ଼ିଲା ନାହିଁ ଆଉ ସେ ସେହି ଚୁକ୍ତିକୁ ଭାଙ୍ଗି ଦେଲେ ।

୯. ଗିବୀୟୋନୀୟମାନଙ୍କ ସହିତ ଯେଉଁ ବଡ଼ ଅନ୍ୟାୟ ହେଲା, ସେହି ମାମଲାକୁ ଯିହୋବା କେବେ ଲୋକମାନଙ୍କ ସାମନାକୁ ଆଣିଲେ ?

୯ ଗିବୀୟୋନୀୟମାନଙ୍କ ସହିତ ଯେଉଁ ବଡ଼ ଅନ୍ୟାୟ ହେଲା, ତାʼପାଇଁ ଯିହୋବା ତୁରନ୍ତ ଦଣ୍ଡ ଦେଲେ ନାହିଁ, କିନ୍ତୁ ସେ ଏହି କଥାକୁ ଭୁଲିଲେ ନାହିଁ । ଶାଉଲଙ୍କ ପରେ ଯେବେ ଦାଉଦ ଇସ୍ରାଏଲର ରାଜା ହେଲେ, ତେବେ ଯିହୋବା ଏହି ମାମଲାକୁ ଲୋକମାନଙ୍କ ସାମନାକୁ ଆଣିଲେ । ତିନି ବର୍ଷ ଯାଏ ଦେଶର କୌଣସି ବି ଜାଗାରେ ବର୍ଷା ହେଲା ନାହିଁ ଏବଂ ଇସ୍ରାଏଲରେ ଦୁର୍ଭିକ୍ଷ ହେଲା । ଯେବେ ଦାଉଦ ଏହାର କାରଣ ପଚାରିଲେ, ତେବେ ଯିହୋବା କହିଲେ ଯେ ସେ କ୍ରୋଧିତ ଅଛନ୍ତି । ଶାଉଲ ଓ ତାଙ୍କ ବଂଶ ରକ୍ତପାତ କରିବାର ଦୋଷୀ ଅଟନ୍ତି, କାରଣ ସେମାନେ ଅନେକ ବର୍ଷ ପୂର୍ବେ ଗିବୀୟୋନୀୟମାନଙ୍କ ସହିତ ଖରାପ ବ୍ୟବହାର କରିଥିଲେ ।—୨ ଶାମୁ. ୨୧:୧.

୧୦. ଗିବୀୟୋନୀୟମାନେ କିପରି ଦେଖାଇଲେ ଯେ ସେମାନେ ଯିହୋବାଙ୍କ ବ୍ୟବସ୍ଥାକୁ ମାନୁଥିଲେ ? (୨ ଶାମୁୟେଲ ୨୧:୩-୬)

୧୦ ୨ ଶାମୁୟେଲ ୨୧:୩-୬ ପଢ଼ନ୍ତୁ । ଦାଉଦ ଗିବୀୟୋନୀୟମାନଙ୍କୁ ପଚାରିଲେ ଯେ ଶାଉଲ ଯେଉଁ ପାପ କରିଥିଲେ, ତାହାର ପ୍ରାୟଶ୍ଚିତ୍ତ କରିବା ପାଇଁ ସେ କʼଣ କରିପାରିବେ । ଗିବୀୟୋନୀୟମାନଙ୍କୁ ନ୍ୟାୟ ପାଇବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ସେଥିପାଇଁ ସେମାନେ ଚାହିଁଥିଲେ ଦାଉଦଙ୍କୁ ଅନେକ ଧନସମ୍ପତ୍ତି ମାଗିପାରିଥାʼନ୍ତେ, କିନ୍ତୁ ସେମାନେ ଏସବୁ ମାଗିଲେ ନାହିଁ । ସେମାନେ କହିଲେ ଯେ ‘ରୂପା କି ସୁନାରୁ’ ଏହାର କ୍ଷତିପୂରଣ ହୋଇପାରିବ ନାହିଁ । ସେମାନେ ଜାଣିଥିଲେ ଯେ ବ୍ୟବସ୍ଥାରେ ଏହା ଲେଖା ନାହିଁ ଯେ ଜଣେ ହତ୍ୟାକାରୀକୁ ଜୀବିତ ଛାଡ଼ିବା ପାଇଁ ମୁକ୍ତିର ମୂଲ୍ୟର ଦାମ୍‌ ଦିଆଯାଇପାରିବ । (ଗଣ. ୩୫:୩୦, ୩୧) ସେମାନେ ଏହା ବି ଜାଣିଥିଲେ ଯେ ବିନା କୌଣସି ଆଇନ ଅଧିକାରରୁ ସେମାନେ କାହାରି ଜୀବନ ନେଇପାରିବେ ନାହିଁ । ଶେଷରେ ଦାଉଦ, ଶାଉଲଙ୍କ ବଂଶର ସେହି ସାତ ଜଣ ବ୍ୟକ୍ତିଙ୍କୁ ଗିବୀୟୋନୀୟମାନଙ୍କ ହସ୍ତରେ ଦେଇଦେଲେ, ଯେଉଁମାନେ ହୁଏତ ଶାଉଲଙ୍କ ଷଡ଼ଯନ୍ତ୍ରରେ ତାଙ୍କୁ ସହଯୋଗ କରିଥିଲେ । କିଛି ସମୟ ପରେ ଇସ୍ରାଏଲରେ ପୁଣିଥରେ ବର୍ଷା ହେବାକୁ ଲାଗିଲା ଏବଂ ଦୁର୍ଭିକ୍ଷ ଶେଷ ହୋଇଗଲା । ଏଥିରୁ ଇସ୍ରାଏଲୀୟମାନେ ଜାଣିଗଲେ ଯେ ଯିହୋବାଙ୍କ କ୍ରୋଧ ଶାନ୍ତ ହୋଇଯାଇଛି, କାରଣ ଗିବୀୟୋନୀୟମାନଙ୍କୁ ନ୍ୟାୟ ମିଳିଲା ।—୨ ଶାମୁ. ୨୧:୯, ୧୦, ୧୪.

୧୧. ଏହି ଘଟଣାରୁ ଆମେ ଯିହୋବାଙ୍କ ବିଷୟରେ କʼଣ କʼଣ ଶିଖୁ ?

୧୧ ଆମେ ଏହି ଘଟଣାରୁ ଯିହୋବାଙ୍କ ବିଷୟରେ କʼଣ ଶିଖୁ ? ଆମେ ସ୍ପଷ୍ଟ ଦେଖିପାରୁ ଯେ ଯିହୋବା ସଦାବେଳେ ନ୍ୟାୟ କରନ୍ତି । (ଗୀତ. ୩୭:୨୮) ଆଜି ଲୋକମାନେ ଅନ୍ୟ ଜାତି କିମ୍ବା ଜାଗାର ଲୋକମାନଙ୍କ ସହିତ ଖରାପ ବ୍ୟବହାର କରନ୍ତି । କିନ୍ତୁ ଯିହୋବା ଚାହାନ୍ତି ଯେ ଆମେ ସମସ୍ତଙ୍କ ସହ ଭଲ ବ୍ୟବହାର କରୁ ଏବଂ କାହାରି ସହ ଭେଦଭାବ ନ କରୁ । ଯିହୋବାଙ୍କ ଅନେକ ଲୋକଙ୍କୁ ଅତ୍ୟାଚାର କରାଯାଇଛି, କିନ୍ତୁ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଖୁବ୍‌ ଶୀଘ୍ର ସବୁପ୍ରକାରର ଅନ୍ୟାୟକୁ ଦୂର କରିବେ । ଏହି ଘଟଣାରୁ ଆମେ ଯିହୋବାଙ୍କ ବିଷୟରେ ଆଉ ଗୋଟିଏ କଥା ଶିଖୁ । ତାହା ହେଉଛି, ଯିହୋବା ଚାହୁଁଥିଲେ ଯେ ଇସ୍ରାଏଲୀୟମାନେ ଗିବୀୟୋନୀୟମାନଙ୍କ ସହିତ ଯେଉଁ ଶାନ୍ତିର ଚୁକ୍ତି କରିଥିଲେ, ତାହାକୁ ପୂରା କରନ୍ତୁ । ଠିକ୍‌ ସେହିପରି ସେ ଆମଠାରୁ ବି ଚାହାନ୍ତି ଯେ ଆମେ ଯେଉଁ ପ୍ରତିଜ୍ଞା କରିଛୁ, ତାହାକୁ ପୂରା କରୁ ।—ଆମୋଷ ୧:୯ ପଦ ସହ ତୁଳନା କରନ୍ତୁ ।

୧୨. ଯଦି କେବେ ଆମ ସହିତ ବି ଅନ୍ୟାୟ ହୁଏ, ତାହେଲେ ଆମେ ଗିବୀୟୋନୀୟମାନଙ୍କ ଭଳି କʼଣ କରିପାରିବା ?

୧୨ ଆମେ କିପରି ଗିବିୟୋନୀମାନଙ୍କ ଭଳି ହୋଇପାରିବା ? ଯଦି ଆମ ଭାଇଭଉଣୀମାନେ ଆମ ସହ ଖରାପ ବ୍ୟବହାର କରନ୍ତି, ତାହେଲେ ଆମେ ଧୈର୍ଯ୍ୟ ଧରିପାରିବା ଏବଂ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେବା । ଏପରି ଭାବେ ଆମେ ଦେଖାଇବା ଯେ ଯିହୋବା ସଠିକ୍‌ ସମୟରେ ସବୁକିଛି ଠିକ୍‌ କରିବେ ବୋଲି ଆମକୁ ପୂରା ଭରସା ଅଛି । ଲୋରା ଫ୍ରେନ୍ଚ ନାମକ ଜଣେ ଅଭିଷିକ୍ତ ଭଉଣୀଙ୍କ ଅନୁଭୂତି ପ୍ରତି ଧ୍ୟାନ ଦିଅନ୍ତୁ । ୧୯୨୬ ମସିହାରେ ସେ କାନାଡ଼ାର ବୈଥେଲରେ ସେବା କରିବାକୁ ଲାଗିଲେ । ଦୁଃଖର କଥା ଯେ ଦଶ ବର୍ଷ ପରେ ତାଙ୍କୁ ଅନ୍ୟାୟ ସହିବାକୁ ପଡ଼ିଲା । ତାଙ୍କ ଉପରେ ଏହା ମିଛ ଆରୋପ ଲଗାଗଲା ଯେ ସେ ଧର୍ମତ୍ୟାଗୀମାନଙ୍କ ସମୂହରେ ସାମିଲ୍‌ ହୋଇଯାଇଛନ୍ତି । ଏହାଯୋଗୁଁ ତାଙ୍କୁ ବୈଥେଲରୁ ବାହାର କରିଦିଆଗଲା । ଏହାପରେ ସେ କʼଣ କଲେ ? ଏହାଯୋଗୁଁ ତାଙ୍କୁ ବହୁତ ଖରାପ ଲାଗିଲା, କିନ୍ତୁ ସେ କେବେ ବି ସଂଗଠନ ବିଷୟରେ କିମ୍ବା ଭାଇମାନଙ୍କ ବିରୁଦ୍ଧରେ କିଛି କହିଲେ ନାହିଁ । ପରବର୍ତ୍ତୀ ଚାରି ବର୍ଷ ସେ ଉତ୍ସାହର ସହ ଅଗ୍ରଦୂତ ସେବା କରିବା ଜାରି ରଖିଲେ । ୧୯୪୦ ମସିହାରେ ଯେବେ ତାଙ୍କୁ ପୁଣିଥରେ ବୈଥେଲକୁ ଡକାଗଲା, ତେବେ ସେ ବହୁତ ଖୁସି ହୋଇଗଲେ । ସେ ପ୍ରାୟ ୫୦ ବର୍ଷ ଧରି ବୈଥେଲରେ ସେବା କରିବା ଜାରି ରଖିଲେ ଏବଂ ପୃଥିବୀରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ଯଦି ଆମ ସହିତ ବି କେବେ ଅନ୍ୟାୟ ହୁଏ, ତାହେଲେ ଆମେ ଭଉଣୀ ଫ୍ରେନ୍ଚଙ୍କ ଭଳି ସଠିକ୍‌ କାମ କରିବା ଜାରି ରଖିବା ଏବଂ ଯିହୋବା ସଠିକ୍‌ ସମୟରେ ସବୁକିଛି ଠିକ୍‌ କରିବେ ବୋଲି ଭରସା ରଖିବା ।—ଯିଶା. ୨୬:୩, ୪.

ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରନ୍ତୁ

୧୩. “ନଥୀନୀୟ” ଲୋକମାନେ କିଏ ଥିଲେ ଏବଂ ଯେବେ ଯିହୁଦୀମାନେ ବାବିଲର ଦାସତ୍ୱରୁ ଫେରିଲେ, ତେବେ ନଥୀନୀୟ ଲୋକମାନେ କʼଣ କଲେ ?

୧୩ ରାଜା ଦାଉଦଙ୍କ ସମୟରୁ ପ୍ରାୟ ୫୦୦ ବର୍ଷ ପରେ ଆଉ ଗୋଟିଏ ଘଟଣାରେ ଗିବୀୟୋନୀୟମାନଙ୍କ ଉଲ୍ଲେଖ କରାଯାଇଛି । ଯିହୁଦୀମାନେ ବାବିଲରେ ଦାସ ଭାବେ ପ୍ରାୟ ୭୦ ବର୍ଷ କଟାଇ ସାରିଥିଲେ ଏବଂ ଖ୍ରୀଷ୍ଟ ପୂର୍ବ ୫୩୭ରେ ରାଜ୍ୟପାଳ ଯିରୁବାବ୍ବିଲଙ୍କ ସହ ଯିହୁଦୀମାନଙ୍କ ପ୍ରଥମ ସମୂହ ଯିରୂଶାଲମକୁ ଫେରିଲା । (ଏଜ୍ରା ୨:୧, ୨, ୫୮) ଏହାର ୭୦ ବର୍ଷ ପରେ ଖ୍ରୀଷ୍ଟ ପୂର୍ବ ୪୬୮ରେ ଏଜ୍ରାଙ୍କ ସହ ଯିହୁଦୀମାନଙ୍କ ଆଉ ଗୋଟିଏ ସମୂହ ଯିରୂଶାଲମକୁ ଆସିଲା । (ଏଜ୍ରା ୭:୧-୭) ଏହି ଦୁଇ ଛୋଟ ସମୂହରେ “ନଥୀନୀୟ” ଲୋକମାନଙ୍କ କିଛି ପରିବାର ବି ଥିଲେ । (ଏଜ୍ରା ୨:୫୮; ୭:୭) ନଥୀନୀୟମାନେ କିଏ ଥିଲେ ? ସେମାନେ ମନ୍ଦିରରେ ସେବା କରୁଥିଲେ, କିନ୍ତୁ ଇସ୍ରାଏଲୀୟ ନ ଥିଲେ । ଏପରି ଲାଗେ ଯେ ଅନେକ ନଥୀନୀୟ ଗିବୀୟୋନୀୟମାନଙ୍କ ବଂଶଜ ଥିଲେ ।

୧୪. ଗିବୀୟୋନୀୟମାନେ କିପରି ଦେଖାଇଲେ ଯେ ସେମାନେ ଯିହୋବାଙ୍କର ବିଶ୍ୱସ୍ତ ଥିଲେ ? (୧ ବଂଶାବଳୀ ୯:୨)

୧୪ ୧ ବଂଶାବଳୀ ୯:୨ ପଢ଼ନ୍ତୁ । ମନ୍ଦିରର ଏହି ସେବକମାନେ ଯିରୂଶାଲମକୁ ଫେରିଥିବା ସବୁଠୁ ପ୍ରଥମ ସମୂହର ଲୋକମାନଙ୍କ ସହ ଯାଇଥିଲେ । ଏହା ଏଥିପାଇଁ ଧ୍ୟାନ ଦେବାର ବିଷୟ, କାରଣ ସବୁ ଯିହୁଦୀ ବାବିଲର ଦାସତ୍ୱରୁ ଫେରି ନ ଥିଲେ । ଅନେକ ଯିହୁଦୀ ବାବିଲରେ ଆରାମଦାୟକ ଜୀବନ ବଞ୍ଚୁଥିଲେ । ସେମାନଙ୍କ ନିଜ ଘର ଥିଲା, ବ୍ୟବସାୟ ଥିଲା ଓ ସେମାନେ ଭଲ ରୋଜଗାର କରୁଥିଲେ । ତେଣୁ ସେମାନେ ନିଜ ଆରାମଦାୟକ ଜୀବନ ଛାଡ଼ି ଯିରୂଶାଲମକୁ ଯାଇ ପୁଣିଥରେ ସେଗୁଡ଼ିକୁ ଠିକ୍‌ କରିବା ପାଇଁ ପରିଶ୍ରମ କରିବା ପାଇଁ ଚାହୁଁ ନ ଥିଲେ । ତଥାପି କିଛି ବିଶ୍ୱସ୍ତ ଯିହୁଦୀ ଯିରୂଶାଲମକୁ ଫେରିଲେ । ସେମାନଙ୍କ ସାଙ୍ଗରେ ଗିବୀୟୋନୀୟମାନଙ୍କ ବଂଶଜ ମଧ୍ୟ ଥିଲେ । ସେମାନେ ଯିରୂଶାଲମରେ ଯିହୋବାଙ୍କ ମନ୍ଦିରକୁ ପୁଣିଥରେ ତିଆରି କରିବା ପାଇଁ ଏବଂ ତାଙ୍କର ଶୁଦ୍ଧ ଉପାସନା କରିବା ପାଇଁ ଚାହୁଁଥିଲେ । ତେଣୁ ସେମାନେ ଯିରୂଶାଲମ ପର୍ଯ୍ୟନ୍ତ ଲମ୍ବା ଏବଂ ବିପଦପୂର୍ଣ୍ଣ ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିଲେ । ସତରେ, ଗିବୀୟୋନୀୟମାନେ କେତେ ଭଲ ଉଦାହରଣ ରଖିଲେ ! ଇସ୍ରାଏଲରେ ଯିହୁଦୀମାନଙ୍କ ପାଇଁ ନିଜ ଜମି ଥିଲା । କିନ୍ତୁ ଗିବୀୟୋନୀୟମାନଙ୍କ ବଂଶଜକୁ ଉତ୍ତରାଧିକାରୀ ଭାବେ କୌଣସି ଜମି ମିଳି ନ ଥିଲା । ତଥାପି ସେମାନେ ଯିରୂଶାଲମକୁ ଫେରି ଯିହୋବାଙ୍କ ମନ୍ଦିର ପୁଣିଥରେ ତିଆରି କରି ତାଙ୍କ ସେବା କରିବା ପାଇଁ ଏବଂ ଯିରୂଶାଲମର ଦୁର୍ଗର ମରାମତି କାମରେ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଲେ ।—ନିହି. ୩:୨୬.

୧୫. ଗିବୀୟୋନୀୟମାନଙ୍କ ଘଟଣାରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖୁ ?

୧୫ ଆମେ ଏହି ଘଟଣାରୁ ଯିହୋବାଙ୍କ ବିଷୟରେ କʼଣ ଶିଖୁ ? ଆମେ ଶିଖୁ ଯେ ଯେଉଁ ଲୋକମାନେ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରନ୍ତି, ଯିହୋବା ସେମାନଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସବୁବେଳେ ସେମାନଙ୍କର ଯତ୍ନ ନିଅନ୍ତି । ଯିହୋଶୂୟଙ୍କ ସମୟରେ ଯିହୋବା ଗିବୀୟୋନୀୟମାନଙ୍କୁ ରକ୍ଷା କରିଥିଲେ ଏବଂ ସେମାନଙ୍କ ପରିବାରକୁ ଆଶିଷ ଦେଇଥିଲେ । ପ୍ରାୟ ୧,୦୦୦ ବର୍ଷ ପରେ ଖ୍ରୀଷ୍ଟ ପୂର୍ବ ୬୦୭ରେ ଯେବେ ବାବିଲ ଯିରୂଶାଲମକୁ ବିନାଶ କଲା, ତେବେ ଯିହୋବା ଗିବୀୟୋନୀୟମାନଙ୍କ ବଂଶଜକୁ ବିନାଶ ହେବାକୁ ଦେଲେ ନାହିଁ । ଯେବେ ସେମାନେ ଦାସତ୍ୱରୁ ଫେରିଲେ, ତେବେ ବି ଯିହୋବା ସେମାନଙ୍କର ଯତ୍ନ ନେଲେ ଏବଂ ମନ୍ଦିରରେ ଲେବୀୟମାନଙ୍କ ସାଙ୍ଗରେ ସେବା କରିବା ପାଇଁ ସୁଯୋଗ ଦେଲେ । ଏପରି ଜଣାପଡ଼େ ଯେ ଗିବୀୟୋନୀୟମାନଙ୍କ କିଛି ବଂଶଜ ମନ୍ଦିର ପାଖରେ ରହୁଥିଲା । (ଏଜ୍ରା ୨:୭୦; ନିହି. ୧୧:୨୧) ସେମାନେ ମନ୍ଦିରରେ ସେବା କରୁଥିଲେ, ତେଣୁ ସେମାନଙ୍କୁ କୌଣସି ପ୍ରକାରର କର ବା ରାଜସ୍ୱ ଦେବାକୁ ପଡ଼ୁ ନ ଥିଲା ।—ଏଜ୍ରା ୭:୨୪.

୧୬. ଆମେ କିପରି ଦେଖାଇପାରିବା ଯେ ଆମେ ଗିବୀୟୋନୀୟମାନଙ୍କ ଭଳି ଯିହୋବାଙ୍କ ବିଶ୍ୱସ୍ତ ଅଛୁ ?

୧୬ ଆମେ କିପରି ଗିବୀୟୋନୀୟମାନଙ୍କ ଭଳି ହୋଇପାରିବା ? ସେମାନଙ୍କ ଭଳି ଆମେ ମଧ୍ୟ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବାକୁ ଚାହୁଁ ଏବଂ ଏପରି କରିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଚାହୁଁ । ଆମେ ଯିହୋବାଙ୍କୁ ବହୁତ ପ୍ରେମ କରୁ ଏବଂ ତାଙ୍କୁ ଖୁସି କରିବା ପାଇଁ ଚାହୁଁ । ତେଣୁ ତାଙ୍କ ସେବା କରିବା ପାଇଁ ଆମେ ଖୁସିର ସହ ତ୍ୟାଗ କରୁ । ଫିଲିପିନ୍‌ସରେ ରହୁଥିବା ଭାଇ ଆଲୱିନ୍‌ ଏପରି ହିଁ କଲେ । ସେ ଗୋଟିଏ ପେଟ୍ରୋଲ କମ୍ପାନୀରେ କାମ କରୁଥିଲେ ଏବଂ ତାଙ୍କ ଉଚ୍ଚ ଦରମା ଥିଲା । ସେ ଯିହୋବାଙ୍କର ଅଧିକରୁ ଅଧିକ ସେବା କରିବା ପାଇଁ ଚାହୁଁଥିଲେ । ତେଣୁ ଯେବେ ବି ତାଙ୍କ ମଣ୍ଡଳୀରେ ସର୍କିଟ ଅଧ୍ୟକ୍ଷ ପରିଦର୍ଶନ କରିବା ପାଇଁ ଆସୁଥିଲେ, ତେବେ ସେ ସେହି ସପ୍ତାହ କାମରୁ ଛୁଟି ନେଉଥିଲେ ଏବଂ ପ୍ରଚାରରେ ଅଧିକ ସମୟ ବିତାଉଥିଲେ । ଏଥିରୁ ତାଙ୍କୁ ବହୁତ ଖୁସି ମିଳୁଥିଲା । ଭାଇଙ୍କୁ ଅଗ୍ରଦୂତ ସେବା କରିବାର ବହୁତ ଇଚ୍ଛା ଥିଲା । ସେ ଜାଣିଥିଲେ ଯେ ଅନ୍ୟ ଚାକିରି କଲେ ସେ ଅଗ୍ରଦୂତ ସେବା କରିପାରିବେ, କିନ୍ତୁ ତାଙ୍କୁ କମ୍‌ ଦରମା ମିଳିବ । ଏବିଷୟରେ ସେ ବହୁତ ପ୍ରାର୍ଥନା କଲେ ଏବଂ ଶେଷରେ ସେ ଏହି ଚାକିରି ଛାଡ଼ି ଅନ୍ୟ ଚାକିରି କରିବାର ନିଷ୍ପତ୍ତି ନେଲେ । ଆଉ ଏପରି କରି ସେ ନିଜ ଲକ୍ଷ୍ୟ ହାସଲ କରିପାରିଲେ । ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସହିତ ଅଗ୍ରଦୂତ ସେବା କରିବାକୁ ଲାଗିଲେ ଏବଂ ସେମାନେ ଦୁହେଁ ମିଶି ୨୧ ଜଣଙ୍କୁ ସତ୍ୟ ଶିଖାଇଲେ । ଆମେ ଭରସା ରଖିପାରିବା ଯେ ଭାଇ ଆଲୱିନ୍‌ ଏବଂ ତାଙ୍କ ସ୍ତ୍ରୀଙ୍କ ତ୍ୟାଗ, ପରିଶ୍ରମ ଓ ସେବାକୁ ଦେଖି ଯିହୋବା ବହୁତ ଖୁସି ହୋଇଥିବେ । ଆମେ ଏହା ବି ଭରସା ରଖିପାରିବା ଯେ ଆମେ ଯିହୋବାଙ୍କ ସେବାରେ ଯାହା ବି କରୁ, ସେଥିରୁ ସେ ଖୁସି ହୁଅନ୍ତି ଏବଂ ସେ ସବୁବେଳେ ଆମ ଆବଶ୍ୟକତାଗୁଡ଼ିକୁ ପୂରା କରିବେ ।—ମାଥି. ୬:୩୩.

୧୭. ଗିବୀୟୋନୀୟମାନଙ୍କ ଘଟଣାରୁ ଆମେ କʼଣ ଶିଖୁ ?

୧୭ ଆମେ ଗିବୀୟୋନୀୟମାନଙ୍କ ଘଟଣାରୁ ଯିହୋବାଙ୍କ ବିଷୟରେ ଅନେକ କଥା ଶିଖିପାରିଲୁ । ଆମେ ଶିଖିଲୁ ଯେ ଯିହୋବା ବହୁତ ନମ୍ର ଓ ଦୟାଳୁ ଈଶ୍ୱର ଅଟନ୍ତି । ସେ ସବୁବେଳେ ନ୍ୟାୟ କରନ୍ତି ଏବଂ ନିଜ ଲୋକମାନଙ୍କୁ ସାହାଯ୍ୟ କରନ୍ତି । ଆଉ ଯେଉଁମାନେ ବିଶ୍ୱସ୍ତତାର ସହିତ ତାଙ୍କର ସେବା କରନ୍ତି, ସେମାନଙ୍କୁ ସେ ସବୁବେଳେ ଆଶିଷ ଦିଅନ୍ତି । ଆମେ ଗିବୀୟୋନୀୟମାନଙ୍କଠାରୁ ମଧ୍ୟ ଅନେକ କଥା ଶିଖିଲୁ । ତାଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବା ପାଇଁ ଚାହୁଁ । ଆମେ ଶିଖିଲୁ ଯେ ଯେବେ ଆମ ଉପରେ ବଡ଼ ବଡ଼ ସମସ୍ୟା ଆସେ ଏବଂ ଆମକୁ ଡର ଲାଗେ, ତେବେ ଆମକୁ ଯିହୋବାଙ୍କ ଉପରେ ପୂରା ଭରସା ରଖିବା ଉଚିତ୍‌ । ତାʼସହିତ ଆମେ ନମ୍ର ରହିବା ଏବଂ ଯିହୋବାଙ୍କ ସେବାରେ ଆମକୁ ଯାହା ବି କାମ ମିଳେ, ଆମେ ତାହାକୁ ଖୁସିର ସହ କରିବା ପାଇଁ ପ୍ରସ୍ତୁତ ରହିବା । ଯଦି ଆମ ସହିତ ଖରାପ ବ୍ୟବହାର କରାଯାଏ, ତାହେଲେ ଆମେ ଧୈର୍ଯ୍ୟ ଧରିବା ଏବଂ ଭରସା ରଖିବା ଯେ ଯିହୋବା ସଠିକ୍‌ ସମୟରେ ସବୁକିଛି ଠିକ୍‌ କରିଦେବେ ଏବଂ ଆମ ବିଶ୍ୱସ୍ତତା ପାଇଁ ଆମକୁ ନିଶ୍ଚୟ ପୁରସ୍କାର ଦେବେ । ଆମେ ଏହା ବି ଶିଖିଲୁ ଯେ ଆମେ ଯିହୋବାଙ୍କ ସେବାରେ ଯାହା ବି କରିପାରିବା, ତାହା ଉତ୍ସାହର ସହିତ କରିବା । ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଯାହା ବି ହୋଇଯାଉ ନା କାହିଁକି, ଆମେ କେବେ ବି ଯିହୋବାଙ୍କ ସେବା କରିବା ଛାଡ଼ିବା ନାହିଁ ଏବଂ ଗିବୀୟୋନୀୟମାନଙ୍କଠାରୁ ମିଳିଥିବା ଶିକ୍ଷାକୁ ସବୁବେଳେ ଧ୍ୟାନରେ ରଖିବା ।

ଆପଣ କ’ଣ ଉତ୍ତର ଦେବେ ?

  • ଆମେ ଗିବୀୟୋନୀୟମାନଙ୍କଠାରୁ ଯିହୋବାଙ୍କ ଉପରେ ବିଶ୍ୱାସ ରଖିବା ଏବଂ ନମ୍ର ରହିବା ବିଷୟରେ କʼଣ ଶିଖିଲୁ ?

  • ଯଦି ଆମ ସହିତ ଅନ୍ୟାୟ ହୁଏ, ତାହେଲେ ଆମେ ଗିବୀୟୋନୀୟମାନଙ୍କ ଭଳି କʼଣ କରିପାରିବା ?

  • ଆମେ ଗିବୀୟୋନୀୟମାନଙ୍କଠାରୁ ବିଶ୍ୱସ୍ତତାର ସହିତ ଯିହୋବାଙ୍କର ଉପାସନା କରିବା ବିଷୟରେ କʼଣ ଶିଖିଲୁ ?

ଗୀତ ୧୪୮ ଯିହୋବା ଉଦ୍ଧାର କରିବେ

a ଏପରି ଜଣାପଡ଼େ ଯେ ସେହି ବ୍ୟକ୍ତିମାନେ ଗିବିୟୋନ ନଗର ବ୍ୟତୀତ, ଆଉ ତିନୋଟି ହିବ୍ବୀୟ ସହରର ଲୋକମାନଙ୍କ ତରଫରୁ ଇସ୍ରାଏଲୀୟମାନଙ୍କ ସହିତ କଥା ହେବା ପାଇଁ ଆସିଥିଲେ । ସେହି ନଗରଗୁଡ଼ିକ ଥିଲା: କଫୀରା, ବେରୋତ୍‌ ଓ କିରୀୟତ୍‌ ଯିଆରିମ୍‌ ।—ଯିହୋ. ୯:୧୭.

b ବାଇବଲରେ ଏହା ସ୍ପଷ୍ଟ ଭାବେ କୁହାଯାଇ ନାହିଁ ଯେ ଶାଉଲ ଏହି ପାପ କାହିଁକି କଲେ । କିଛି ବିଦ୍ୱାନ୍‌ ମାନନ୍ତି ଯେ ଶାଉଲ ଏପରି ଏଥିପାଇଁ କଲେ, କାରଣ ସେ ଚାହୁଁ ନ ଥିଲେ ଯେ ଇସ୍ରାଏଲରେ କେହି ବିଦେଶୀ ରହନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ