୨୨-୨୮ ଜୁନ୍, ୨୦୨୬
ଗୀତ ୯୦ ପରସ୍ପରକୁ କରୁ ଉତ୍ସାହିତ
“ସମସ୍ତ ସାନ୍ତ୍ୱନାଦାତା” ଈଶ୍ୱରଙ୍କଠାରୁ ଶିଖନ୍ତୁ
“ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ ।”—୨ କରି. ୧:୪.
କʼଣ ଶିଖିବା ?
ଆମେ ଶିଖିବା ଯେ ଯିହୋବା କିପରି ନିଜ ଲୋକମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଏବଂ ପ୍ରାଚୀନ ସମୟରେ ତାଙ୍କ ସେବକମାନେ କିପରି ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ଏହି ଲେଖାରୁ ଆମେ ଏହା ବି ଶିଖିବା ଯେ ଆମେ ଅନ୍ୟମାନଙ୍କୁ କିପରି ସାନ୍ତ୍ୱନା ଦେଇପାରିବା ।
୧. ଆମକୁ କାହିଁକି ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ଉଚିତ୍ ?
ଆମେ ସମସ୍ତେ ‘ନାନା ପ୍ରକାର ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିଥାଉ,’ ତେଣୁ ବେଳେବେଳେ ଆମକୁ ବି ସାନ୍ତ୍ୱନାର ଆବଶ୍ୟକ ପଡ଼ିଥାଏ । (୧ ପିତ. ୧:୬) ଯେବେ ଆମେ କଷ୍ଟରେ ଥାଉ ଏବଂ କେହି ଆମର ସାହସ ବଢ଼ାନ୍ତି ଓ ଆମକୁ ସାନ୍ତ୍ୱନା ଦିଅନ୍ତି, ତେବେ ଆମକୁ ବହୁତ ଭଲ ଲାଗିଥାଏ । ଠିକ୍ ସେହିଭଳି ଯେବେ ଆମେ ଅନ୍ୟ କାହାରିକୁ କଷ୍ଟରେ ଦେଖିଥାଉ, ତେବେ ଆମକୁ ତୁରନ୍ତ ଆଗକୁ ଆସି ତାଙ୍କୁ ସାନ୍ତ୍ୱନା ଦେବା ଉଚିତ୍ । (ମାଥି. ୭:୧୨) ଯିହୋବା “ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର” ଅଟନ୍ତି ଏବଂ ସେ ନିଜ କାମରୁ ଦେଖାଇଛନ୍ତି ଯେ “ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା” କିପରି ଦେବା ଉଚିତ୍ । ତାଙ୍କ ଭଳି ଆମେ ମଧ୍ୟ “ପରସ୍ପରକୁ ସାନ୍ତ୍ୱନା” ଦେଇପାରିବା । (୨ କରି. ୧:୩, ୪; ୧ ଥେସ. ୪:୧୮) କିନ୍ତୁ ଆମେ ଏସବୁ କେବଳ ଦାୟିତ୍ୱ ଭାବି କରି ନ ଥାଉ, ବରଂ ଆମେ ଏଥିପାଇଁ ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେଉ କାରଣ ଆମେ ସେମାନଙ୍କୁ ପ୍ରେମ କରୁ । ଏହି ଲେଖାରେ ଆମେ ତିନୋଟି କଥା ଉପରେ ଚର୍ଚ୍ଚା କରିବା: (୧) ବାଇବଲରେ ‘ସାନ୍ତ୍ୱନାର’ ଅର୍ଥ କʼଣ ? (୨) ଆମେ ଅନ୍ୟମାନଙ୍କୁ କିପରି ସାନ୍ତ୍ୱନା ଦେଇପାରିବା ? ଏବଂ (୩) ଯେବେ ଆମକୁ ସାନ୍ତ୍ୱନାର ଆବଶ୍ୟକ ପଡ଼େ, ତେବେ ଆମେ କʼଣ କରିପାରିବା ?
ବାଇବଲରେ ‘ସାନ୍ତ୍ୱନାର’ ଅର୍ଥ କʼଣ ?
୨. ବାଇବଲରେ “ସାନ୍ତ୍ୱନା” ଶବ୍ଦର କʼଣ ଅର୍ଥ ହୋଇପାରେ ?
୨ ବାଇବଲରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ସାନ୍ତ୍ୱନା” କରାଯାଇଛି, ତାହାର ବିଭିନ୍ନ ଅର୍ଥ ହୋଇପାରେ । ଯେପରି, “ସାହସ ବଢ଼ାଇବା,” “ପ୍ରୋତ୍ସାହନ ଦେବା” ଓ “ବୁଝାଇବା ।” (ରୋମୀ. ୧୨:୮) ଏହି ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, “ସାହାଯ୍ୟ ପାଇଁ କାହାରିକୁ ନିଜ ପାଖକୁ ଡାକିବା ।” ଏଥିରୁ ଆମ ମନରେ ଏପରି ଜଣେ ସାଙ୍ଗର ଚିତ୍ର ଆସେ, ଯିଏ ନିଜ ସାଙ୍ଗକୁ କଷ୍ଟରେ ଦେଖି ତାʼ ପାଖକୁ ଦୌଡ଼ି ଚାଲିଯାଏ ଏବଂ ତାକୁ ସାହାଯ୍ୟ କରିବା ପାଇଁ ତାʼ ଦ୍ୱାରା ଯାହା ବି ହୋଇପାରେ, ତାହା ସେ କରେ । ଆଉ ସେ ତାକୁ ସାନ୍ତ୍ୱନା ଦେଇ ତାʼର ସାହସ ବଢ଼ାଏ ।
୩. ବର୍ଣ୍ଣବ୍ବା କିପରି ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୩ ବାଇବଲରେ ଜଣେ ଖ୍ରୀଷ୍ଟିୟାନଙ୍କ ବିଷୟରେ କୁହାଯାଇଛି, ଯିଏ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ବେଶ୍ ପରିଚିତ ଥିଲେ । ତାଙ୍କ ନାମ ଥିଲା, ଯୋଷେଫ । ସେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇ ସାହସ ବଢ଼ାଉ ଥିଲେ ଏବଂ ସେମାନଙ୍କର ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହୁଥିଲେ, ତେଣୁ ପ୍ରେରିତମାନେ ତାଙ୍କୁ ବର୍ଣ୍ଣବ୍ବା ନାମ ଦେଲେ । ଯାହାର ଅର୍ଥ ହେଉଛି, “ସାନ୍ତ୍ୱନାର ପୁତ୍ର ।” (ପ୍ରେରି. ୪:୩୬) ଏହି ନାମ ତାଙ୍କ ପାଇଁ ଏତେ ସଠିକ୍ ଥିଲା ଯେ ବାଇବଲରେ ତାʼପରଠାରୁ ତାଙ୍କୁ ଆଉ ଯୋଷେଫ ବୋଲି କୁହାଗଲା ନାହିଁ । ବର୍ଣ୍ଣବ୍ବା ଅନେକ ଥର ଆବଶ୍ୟକ ସମୟରେ ଭାଇଭଉଣୀମାନଙ୍କର ସାହାଯ୍ୟ କରିଥିଲେ । ଯେପରି, ଯେବେ ଶାଉଲ ଖ୍ରୀଷ୍ଟିୟାନ ହେବା ପରେ ଯିରୂଶାଲମକୁ ଆସିଲେ, ତେବେ ସେ ଅନ୍ୟ ଶିଷ୍ୟମାନଙ୍କୁ ଭେଟିବା ପାଇଁ ଚାହୁଁଥିଲେ । କିନ୍ତୁ ସେମାନେ ଶାଉଲଙ୍କୁ ଭେଟିବା ପାଇଁ ଡରୁଥିଲେ, କାରଣ ସେମାନେ ଶୁଣିଥିଲେ ଯେ ଶାଉଲ ଖ୍ରୀଷ୍ଟିୟାନମାନଙ୍କ ଉପରେ ବହୁତ ଅତ୍ୟାଚାର କରିଥିଲେ । ଏପରି ସମୟରେ ବର୍ଣ୍ଣବ୍ବା ଆଗକୁ ଆସି ତାଙ୍କୁ ସାହାଯ୍ୟ କଲେ ଏବଂ ସେ ତାଙ୍କୁ ପ୍ରେରିତମାନଙ୍କ ପାଖକୁ ନେଇଗଲେ ।—ପ୍ରେରି. ୯:୨୬-୨୮.
ବର୍ଣ୍ଣବ୍ବା ସବୁବେଳେ ନିଜ ନାମ ଅନୁସାରେ କାମ କଲେ (ପାରାଗ୍ରାଫ ୩)
ଅନ୍ୟମାନଙ୍କୁ କିପରି ସାନ୍ତ୍ୱନା ଦେବା ?
୪. ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଗୋଟିଏ ଭଲ ଉପାୟ କʼଣ ? (ରୋମୀୟ ୧:୧୧, ୧୨)
୪ ତାଙ୍କ ପାଖକୁ ଯାଇ ଭେଟିବା ପାଇଁ ଚେଷ୍ଟା କରନ୍ତୁ । ଯିହୋବା ନିଜର ସେବକମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ସାନ୍ତ୍ୱନା ଦିଅନ୍ତି । ଯେପରି, ଥରେ ଭବିଷ୍ୟଦ୍ବକ୍ତା ଏଲୀୟ ବହୁତ ନିରାଶ ହୋଇଯାଇଥିଲେ, ତେବେ ଯିହୋବା ନିଜର ଜଣେ ସ୍ୱର୍ଗଦୂତଙ୍କ ଜରିଆରେ ତାଙ୍କର ସାହସ ବଢ଼ାଇଲେ । (୧ ରାଜା. ୧୯:୪-୭) ପ୍ରେରିତ ପାଉଲ ମଧ୍ୟ ଏକଥା ଜାଣିଥିଲେ ଯେ ଭାଇଭଉଣୀମାନଙ୍କୁ ଭେଟି ତାଙ୍କର ସାହସ ବଢ଼ାଇଲେ କେତେ ଭଲ ପ୍ରଭାବ ପଡ଼ିଥାଏ । (ରୋମୀୟ ୧:୧୧, ୧୨ ପଢ଼ନ୍ତୁ ।) ଯେବେ ଆପଣ କାହାରିକୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ପାଖକୁ ଯାʼନ୍ତି, ତେବେ କେବଳ କିଛି ସମୟ କଥାବାର୍ତ୍ତା ହେବା ପରିବର୍ତ୍ତେ ତାଙ୍କ ସହିତ ଆରାମରେ ବସି କଥା ହୁଅନ୍ତୁ । (୧ କରି. ୧୬:୭) ଯଦି ଆପଣ କୌଣସି କାରଣ ଯୋଗୁଁ ତାଙ୍କ ପାଖକୁ ଯାଇପାରୁ ନାହାନ୍ତି, ତାହେଲେ ଆପଣ ଫୋନ୍ ବା ମେସେଜ୍ କରି, ଚିଠି ବା କାର୍ଡ ଲେଖି ମଧ୍ୟ ତାଙ୍କର ଉତ୍ସାହ ବଢ଼ାଇପାରିବେ । ଯିହୋବା ଆପଣଙ୍କ ଜରିଆରେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଚାହାନ୍ତି । କʼଣ ଆପଣ ଏହି କାମରେ ତାଙ୍କୁ ସହଯୋଗ କରିବେ ?
୫. ବେଳେବେଳେ ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେବା କାହିଁକି କଠିନ ହୋଇପାରେ ?
୫ ଏହି ଶେଷ ସମୟରେ ଆମ ସମସ୍ୟାଗୁଡ଼ିକ ବଢ଼ି ବଢ଼ି ଚାଲିଛି ଏବଂ ଆଗକୁ ଯାଇ ଭାଇଭଉଣୀମାନଙ୍କୁ ଭେଟି ସାନ୍ତ୍ୱନା ଦେବା ଆହୁରି କଠିନ ହୋଇଯିବ । ଯେବେ ପାଉଲ ରୋମରେ ବନ୍ଦୀ ଥିଲେ, ତେବେ ଅନୀସିଫର ତାଙ୍କୁ ଭେଟି ତାଙ୍କର ସାହସ ବଢ଼ାଇବା ପାଇଁ ଚାହୁଁଥିଲେ । କିନ୍ତୁ ସେ ଏହା ବି ଜାଣିଥିଲେ ଯେ ଏପରି କରିବା ବିପଦପୂର୍ଣ୍ଣ ଅଟେ । ଏହାଯୋଗୁଁ ତାଙ୍କୁ ଜେଲ ହୋଇପାରେ, ଏପରିକି ତାଙ୍କ ଜୀବନ ବି ଚାଲିଯାଇପାରେ । ତଥାପି ସେ ପାଉଲଙ୍କୁ ଖୋଜିବା ପାଇଁ କଠିନ ପରିଶ୍ରମ କଲେ । (୨ ତୀମ. ୧:୧୬-୧୮) ଅନୀସିଫରଙ୍କ ଭଳି ରୁଷରେ ଥିବା ଆମ ଭାଇଭଉଣୀମାନେ ମଧ୍ୟ କଠିନ ସମୟରେ ପରସ୍ପରକୁ ସାନ୍ତ୍ୱନା ଦେବା ପାଇଁ ପ୍ରସ୍ତୁତ ଥାʼନ୍ତି । ସେମାନେ ଜାଣନ୍ତି ଯେ ଏପରି କଲେ ହୁଏତ ସେମାନଙ୍କୁ ଗିରଫ କରାଯାଇପାରେ, ତଥାପି ଯେବେ ଜଣେ ସାକ୍ଷୀଙ୍କ ମକଦ୍ଦମା ଚାଲେ, ତେବେ ଅନେକ ଭାଇଭଉଣୀ ତାଙ୍କର ସାହସ ବଢ଼ାଇବା ପାଇଁ ଅଦାଲତକୁ ଯାʼନ୍ତି । ସତରେ, ସାହସର କେତେ ବଢ଼ିଆ ଉଦାହରଣ ! ନିଜ ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଆପଣ ଏବେଠାରୁ କିପରି ପ୍ରସ୍ତୁତ ରହିପାରିବେ ? ଏଥିପାଇଁ ଆପଣ ପ୍ରାଚୀନ ସମୟର ଏବଂ ବର୍ତ୍ତମାନ ସମୟର ସେହି ଭାଇଭଉଣୀମାନଙ୍କ ବିଷୟରେ ଅଧ୍ୟୟନ କରିପାରିବେ, ଯେଉଁମାନେ ପରସ୍ପରକୁ ସମ୍ଭାଳିଲେ ଏବଂ ଅତ୍ୟାଚାର ସତ୍ତ୍ୱେ ଖୁସି ରହିଲେ ।
୬. ଆମେ କିପରି ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ତାଙ୍କର କଥା ଧ୍ୟାନର ସହ ଶୁଣନ୍ତୁ । ଯେବେ ଭବିଷ୍ୟଦ୍ବକ୍ତା ଏଲୀୟଙ୍କୁ ଲାଗିଲା ଯେ ତାଙ୍କ ଜୀବନ ବିପଦରେ ଅଛି, ତେବେ ସେ ବହୁତ ଡରିଗଲେ ଏବଂ ସେ ଯିହୋବାଙ୍କୁ ନିଜ ମନ କଥା ଖୋଲିକି କହିଲେ । ଯିହୋବା ଜାଣିଥିଲେ ଯେ ଏଲୀୟଙ୍କ ମନରେ କʼଣ ଚାଲିଛି ଏବଂ ସେ କାହିଁକି ଚିନ୍ତିତ ଅଛନ୍ତି, ତଥାପି ଯେବେ ଏଲୀୟ ବାରମ୍ବାର ଗୋଟିଏ କଥାକୁ କହିଲେ, ତେବେ ବି ଯିହୋବା ଧ୍ୟାନର ସହ ତାଙ୍କର କଥା ଶୁଣିଲେ । (୧ ରାଜା. ୧୯:୯, ୧୦, ୧୪) ହବକ୍କୂକ ମଧ୍ୟ ନିଜ ଚିନ୍ତା ବିଷୟରେ ଯିହୋବାଙ୍କୁ କହିଲେ, ଏପରିକି ସେ ତାଙ୍କ ଉପରେ ପ୍ରଶ୍ନ କଲେ । କିନ୍ତୁ ଯିହୋବା କ୍ରୋଧିତ ହେବା ପରିବର୍ତ୍ତେ ତାଙ୍କ କଥାକୁ ଧ୍ୟାନର ସହ ଶୁଣିଲେ । (ହବ. ୧:୨, ୩) ଆଜି ବି ଯିହୋବା ଆମ କହିବା ପୂର୍ବରୁ ଆମ ଆବଶ୍ୟକତାଗୁଡ଼ିକୁ ଜାଣନ୍ତି, ତଥାପି ଯେବେ ଆମେ ତାଙ୍କୁ ପ୍ରାର୍ଥନା କରୁ, ତେବେ ସେ ଧ୍ୟାନର ସହ ଆମ ଶୁଣନ୍ତି । ଯେବେ ଭାଇଭଉଣୀ ଆପଣଙ୍କ ସହ କଥା ହୁଅନ୍ତି, ତେବେ କʼଣ ଆପଣ ଯିହୋବାଙ୍କ ଭଳି ତାଙ୍କ କଥା ଧ୍ୟାନର ସହ ଶୁଣନ୍ତି ? ଏହା ଆପଣ କିପରି କରିପାରିବେ ? ‘ଶୁଣିବାରେ ତତ୍ପର ହୁଅନ୍ତୁ ।’ ଯେବେ କେହି ଆପଣଙ୍କୁ ନିଜ ମନ କଥା କହନ୍ତି, ତେବେ ତାଙ୍କୁ ରୋକନ୍ତୁ ନାହିଁ । ହୁଏତ ଯେବେ ସେମାନେ ଆପଣଙ୍କୁ ଓଲଟା ସିଧା କଥା କହନ୍ତି, ତେବେ କ୍ରୋଧିତ ହୁଅନ୍ତୁ ନାହିଁ । ଆଉ ଯଦି ସେମାନେ ଗୋଟିଏ କଥାକୁ ବାରମ୍ବାର କହୁଛନ୍ତି, ତଥାପି ଧ୍ୟାନର ସହ ତାଙ୍କର ଶୁଣନ୍ତୁ ।—ଯାକୁ. ୧:୧୯; ଉପ. ୭:୯.
ଯେବେ ଭାଇଭଉଣୀମାନେ ନିଜ ଚିନ୍ତା ବିଷୟରେ କହନ୍ତି, ତେବେ ଯିହୋବାଙ୍କ ଭଳି ସେମାନଙ୍କର କଥା ଧ୍ୟାନର ସହ ଶୁଣନ୍ତୁ (ପାରାଗ୍ରାଫ ୬)
୭. ଆପଣଙ୍କ ସାଙ୍ଗକୁ କʼଣ ଆବଶ୍ୟକ ରହିଛି, ତାହା ଜାଣିବା ପାଇଁ ଆପଣ କʼଣ କରିପାରିବେ ?
୭ ଭାବନ୍ତୁ ଯେ ତାଙ୍କୁ କେଉଁ ଜିନିଷର ଆବଶ୍ୟକ ଅଛି । ଆମେ ଯିହୋବାଙ୍କ ଭଳି କାହାରି ମନ କଥା ଜାଣିପାରିବା ନାହିଁ, ତେଣୁ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଆମକୁ ଧ୍ୟାନର ସହ ତାଙ୍କ କଥା ଶୁଣିବାକୁ ପଡ଼ିବ । ଏପରି କଲେ ଆମେ ଜାଣିପାରିବା ଯେ ଆମେ ସେମାନଙ୍କୁ କିପରି ସାହାଯ୍ୟ କରିପାରିବା । ମନେ ରଖନ୍ତୁ, ସମସ୍ତଙ୍କ ଆବଶ୍ୟକତାଗୁଡ଼ିକ ଅଲଗା ଅଲଗା ରହିଥାଏ । ଏପରି ଭାବନ୍ତୁ ନାହିଁ ଯେ ଆପଣ ନିଜ ସାଙ୍ଗର ଆବଶ୍ୟକତାକୁ ଭଲଭାବେ ଜାଣନ୍ତି । କିମ୍ବା ଏପରି ବି ଭାବନ୍ତୁ ନାହିଁ ଯେ ଯଦି ଆପଣ ତାଙ୍କ ଜାଗାରେ ଥାʼନ୍ତେ, ତାହେଲେ ଆପଣଙ୍କୁ କେଉଁ ଜିନିଷର ଆବଶ୍ୟକ ହୁଅନ୍ତା । କାରଣ ଜରୁରୀ ନୁହେଁ ଯେ ଆପଣଙ୍କୁ ଯେଉଁ ଜିନିଷର ଆବଶ୍ୟକ ରହିଛି ତାଙ୍କୁ ବି ସେହି ଜିନିଷର ଆବଶ୍ୟକ ପଡ଼ିବ । ତେଣୁ ଟିକେ ସମୟ ରହନ୍ତୁ, ତାଙ୍କ କଥା ଧ୍ୟାନର ସହ ଶୁଣନ୍ତୁ ଏବଂ ଭାବିଚିନ୍ତି ଏପରି ପ୍ରଶ୍ନ କରନ୍ତୁ, ଯେଉଁଥିରୁ ଆପଣ ଜାଣିପାରିବେ ଯେ ତାଙ୍କୁ କିପରି ଅନୁଭବ ହେଉଛି ।—ହିତୋ. ୨୦:୫.
୮. ଲାଜାରଙ୍କ ମୃତ୍ୟୁ ପରେ ଯୀଶୁ କିପରି ମାର୍ଥା ଓ ମରୀୟମଙ୍କୁ ସାନ୍ତ୍ୱନା ଦେଲେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୮ ଏବେ ଧ୍ୟାନ ଦିଅନ୍ତୁ ଯେ ଲାଜାରଙ୍କ ମୃତ୍ୟୁ ପରେ ଯୀଶୁ କିପରି ଭାବେ ମାର୍ଥା ଓ ମରୀୟମଙ୍କୁ ସାନ୍ତ୍ୱନା ଦେଲେ । ସେମାନେ ଦୁହେଁ ନିଜ ଭାଇଙ୍କୁ ମୃତ୍ୟୁରେ ହରାଇବାର ଦୁଃଖ ସହୁଥିଲେ, କିନ୍ତୁ ଯୀଶୁ ସେମାନଙ୍କୁ ଅଲଗା ଅଲଗା ଉପାୟରେ ସାନ୍ତ୍ୱନା ଦେଲେ । ଯୀଶୁ ମାର୍ଥାଙ୍କୁ କହିଲେ ଯେ ମରିଯାଇଥିବା ଲୋକଙ୍କୁ ପୁଣି ଜୀବିତ କରାଯିବ ଏବଂ ଏହି ଶିକ୍ଷା ଉପରେ ତାଙ୍କର ବିଶ୍ୱାସ ବଢ଼ାଇଲେ । କିନ୍ତୁ ଯେବେ ମରୀୟମ କାନ୍ଦିକାନ୍ଦି ତାଙ୍କ ପାଖକୁ ଆସିଲେ, ତେବେ ଯୀଶୁ ଏପରି କିଛି ବି କଥା କହିଲେନି । ଏହା ପରିବର୍ତ୍ତେ ସେ ତାଙ୍କ ସହିତ କାନ୍ଦିଲେ ଏବଂ ତାଙ୍କୁ ପଚାରିଲେ ଯେ ଲାଜାରଙ୍କୁ କେଉଁଠି ରଖାଯାଇଛି । (ଯୋହ. ୧୧:୨୦-୩୫) ଏଥିରୁ ଆମେ କʼଣ ଶିଖୁ ? ସମସ୍ତଙ୍କୁ ଏକାଭଳି ସାନ୍ତ୍ୱନା ଦେବା ପରିବର୍ତ୍ତେ ଆମକୁ ପ୍ରଥମେ ଏହା ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍ ଯେ ସେମାନଙ୍କୁ କେଉଁ ଜିନିଷର ଆବଶ୍ୟକତା ରହିଛି ।
ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ସମୟରେ ଏହା ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ସେମାନଙ୍କର କʼଣ ଆବଶ୍ୟକତା ରହିଛି (ପାରାଗ୍ରାଫ ୮)a
୯. ଆମେ ବାଇବଲରୁ କିପରି ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇପାରିବା ? (ରୋମୀୟ ୧୫:୪, ୫)
୯ ବାଇବଲରୁ କୌଣସି ପଦ ଦେଖାନ୍ତୁ । ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଯଦି ଆମେ ‘ଶାସ୍ତ୍ରରୁ’ କୌଣସି ପଦ ଦେଖାଇବା, ତାହେଲେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ତାଙ୍କର ଭରସା ବଢ଼ିବ ଏବଂ ତାଙ୍କ ଆଶା ଆହୁରି ଦୃଢ଼ ହେବ । (ରୋମୀୟ ୧୫:୪, ୫ ପଢ଼ନ୍ତୁ ।) ନିଜ ଆଶା ଉପରେ ଧ୍ୟାନ ଦେଲେ ସେମାନଙ୍କର ଆହୁରି ସାହସ ବଢ଼ିବ ଓ ସାନ୍ତ୍ୱନା ମିଳିବ । (ଯିଶା. ୪୦:୩୧) କିନ୍ତୁ ଆପଣ କିପରି ସାନ୍ତ୍ୱନାଭରା ପଦଗୁଡ଼ିକୁ ଖୋଜିପାରିବେ ? ଏହାପାଇଁ ଆପଣ ଚାହିଁଲେ jw.org ୱେବସାଇଟ୍କୁ ଯାଇ ଖୋଜନ୍ତୁ ବକ୍ସରେ “ସାନ୍ତ୍ୱନା” ଶବ୍ଦ ଟାଇପ୍ କରି ଖୋଜିପାରିବେ । ଏଥିରେ ଆପଣଙ୍କୁ ଅନେକ ଲେଖା ମିଳିବ, ଯେଉଁଥିରେ ସାନ୍ତ୍ୱନାଭରା ପଦଗୁଡ଼ିକ ଦିଆଯାଇଛି । ତାʼସହିତ ଆପଣ ଯିହୋବାଙ୍କୁ ସାହାଯ୍ୟ ମାଗିପାରିବେ, ଯାହାଫଳରେ ଆପଣ ଅନ୍ୟମାନଙ୍କର ସାହସ ବଢ଼ାଇବା ପାଇଁ ତାଙ୍କ ବାକ୍ୟର ଭଲଭାବେ ବ୍ୟବହାର କରିପାରିବେ ଏବଂ ପବିତ୍ର ଶକ୍ତି ସାହାଯ୍ୟରୁ ଆପଣ ଆବଶ୍ୟକ ସମୟରେ ସାନ୍ତ୍ୱନାଭରା ପଦଗୁଡ଼ିକୁ ମନେ ପକାଇପାରିବେ ।—ଯୋହ. ୧୪:୨୬.
୧୦. ସାହସ ବଢ଼ାଇବା ସମୟରେ ପ୍ରେମର ସହିତ କଥା ହେବା କାହିଁକି ଜରୁରୀ ?
୧୦ ପ୍ରେମର ସହିତ କଥା ହୁଅନ୍ତୁ । ବାଇବଲରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ସାନ୍ତ୍ୱନା” କରାଯାଇଛି, ତାହାର ଅର୍ଥ “ବୁଝାଇବା” କିମ୍ବା “ପ୍ରୋତ୍ସାହନ ଦେବା” ବି ହୋଇପାରେ । ବେଳେବେଳେ ହୁଏତ ଆପଣ ଯାହାଙ୍କୁ ସାନ୍ତ୍ୱନା ଦେଉଛନ୍ତି, ତାଙ୍କର ଚିନ୍ତାଧାରାକୁ ମଧ୍ୟ ସୁଧାରିବାକୁ ପଡ଼ିପାରେ । କିନ୍ତୁ ମନେ ରଖନ୍ତୁ, ଆପଣଙ୍କର ଉଦ୍ଦେଶ୍ୟ ହେଉଛି ତାଙ୍କର ସାହସ ବଢ଼ାଇବା । (ହିତୋ. ୧୨:୧୮) ତେଣୁ କିଛି କହିବା ପୂର୍ବରୁ ଟିକେ ରହି ଭାବନ୍ତୁ ଯେ ଆପଣ ନିଜ କଥା କିପରି କହିବେ । ଏବିଷୟରେ ଆମେ ଯିହୋବାଙ୍କର ଉଦାହରଣରୁ ଶିଖିପାରିବା । ଧ୍ୟାନ ଦିଅନ୍ତୁ ଯେ ସେ ଏଲୀୟଙ୍କ ସହ କିପରି କଥା ହେଲେ । ଥରେ ଏଲୀୟଙ୍କୁ ଲାଗୁଥିଲା ଯେ ସେ ହିଁ ଯିହୋବାଙ୍କ ଏକମାତ୍ର ଉପାସକ ଭାବେ ବଞ୍ଚିଛନ୍ତି ଏବଂ ଜଣେ ଭବିଷ୍ୟଦ୍ବକ୍ତା ଭାବେ ସେ ଯାହା ବି ପରିଶ୍ରମ କରିଛନ୍ତି, ତାହାର କିଛି ଲାଭ ହେଉ ନାହିଁ । ତେବେ ଯିହୋବା ସିଧାସଳଖ ତାଙ୍କର ଭୁଲଗୁଡ଼ିକ ବିଷୟରେ କହିଲେ ନାହିଁ, ବରଂ ପ୍ରେମର ସହିତ ତାଙ୍କର ଚିନ୍ତାଧାରାକୁ ସୁଧାରିଲେ । (୧ ରାଜା. ୧୯:୧୫-୧୮) ଠିକ୍ ସେହିପରି, ଆପଣ ମଧ୍ୟ ଭାଇଭଉଣୀଙ୍କୁ କିଛି କହିବା ପୂର୍ବରୁ ଟିକେ ରହି ଭାବନ୍ତୁ ଏବଂ ପ୍ରେମର ସହ ତାଙ୍କ ସହିତ କଥା ହୁଅନ୍ତୁ । ସଭାରେ କୌଣସି ଭାଗ ପରିବେଷଣ କରିବା ସମୟରେ କିମ୍ବା ସଭାରେ ଉତ୍ତର ଦେବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ କଥାରୁ ସବୁବେଳେ ଭାଇଭଉଣୀଙ୍କର ସାହସ ବଢ଼ୁ ।
୧୧. କଷ୍ଟରେ ଥିବା ବ୍ୟକ୍ତିମାନଙ୍କୁ ପ୍ରାୟ କେଉଁ ଜିନିଷର ଆବଶ୍ୟକ ପଡ଼େ ? (୧ ଯୋହନ ୩:୧୮)
୧୧ ଅନ୍ୟମାନଙ୍କର ସାହାଯ୍ୟ କରିବା ପାଇଁ କିଛି କରନ୍ତୁ । ଅନେକ ଥର ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କେବଳ କଥା ହେବା ଯଥେଷ୍ଟ ହୋଇ ନ ଥାଏ, ବରଂ ତାଙ୍କ ପାଇଁ କିଛି କରିବାକୁ ବି ପଡ଼େ । (୧ ଯୋହନ ୩:୧୮ ପଢ଼ନ୍ତୁ ।) ବର୍ଣ୍ଣବ୍ବା ଏପରି ହିଁ କଲେ । ସେ ବାପ୍ତିସ୍ମ ନେଇଥିବା ନୂଆ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର କିଛି ଜମି ବିକ୍ରି କରିଦେଲେ । (ପ୍ରେରି. ୪:୩୬, ୩୭) ଠିକ୍ ସେହିଭଳି, ଆଜି ମଧ୍ୟ ଅନେକ ଖ୍ରୀଷ୍ଟିୟାନ ଆବଶ୍ୟକ ଥିବା ଭାଇଭଉଣୀମାନଙ୍କର ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି । ଥରେ ବନ୍ୟା ଯୋଗୁଁ ପୋଲାଣ୍ଡରେ ରହୁଥିବା ଭଉଣୀ ଗାବ୍ରିଏଲାଙ୍କ ଘରକୁ ବହୁତ କ୍ଷତି ହେଲା । ସେ କହନ୍ତି, “ଯେବେ ବନ୍ୟା ଆସିଲା, ତେବେ ବାପାମାଆ ମୋ ସାଙ୍ଗରେ ହିଁ ରହୁଥିଲେ । ମୁଁ ବହୁତ ଡରି ଯାଇଥିଲି ଏବଂ ମୋତେ ବହୁତ ଚିନ୍ତା ହେଉଥିଲା । ଆମେ ବୁଝିପାରୁ ନ ଥିଲୁ ଯେ ଘରର ମରାମତି କିପରି କରିବା । କିନ୍ତୁ ଆଖପାଖର ମଣ୍ଡଳୀରୁ ଭାଇମାନେ ଆସିଲେ ଏବଂ ସେମାନେ ଦିନକରେ ହିଁ ବହୁତ କିଛି ଠିକ୍ କରିଦେଲେ । ଏଥିରୁ ମୋର ବିଶ୍ୱାସ ଆହୁରି ବଢ଼ିଲା । ମୋତେ ପୂରା ଭରସା ହୋଇଗଲା ଯେ ଯିହୋବା ନିଜ ଲୋକମାନଙ୍କ ଜରିଆରେ ସମସ୍ୟାର ସାମନା କରୁଥିବା ତାଙ୍କ ସେବକମାନଙ୍କୁ ସମ୍ଭାଳନ୍ତି ।”
୧୨. ସମସ୍ୟାଗୁଡ଼ିକ ସମୟରେ ଆପଣଙ୍କ ବିଶ୍ୱସ୍ତତାକୁ ଦେଖି ଭାଇଭଉଣୀମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିବ ?
୧୨ ସମସ୍ୟାଗୁଡ଼ିକ ସମୟରେ ବିଶ୍ୱସ୍ତ ରହନ୍ତୁ । ଯେବେ ପାଉଲ ଏକଥା ଶୁଣିଲେ ଯେ ଥେସଲନୀକୀୟ ମଣ୍ଡଳୀର ଭାଇଭଉଣୀମାନେ ଅତ୍ୟାଚାର ସତ୍ତ୍ୱେ ଯିହୋବାଙ୍କର ବିଶ୍ୱସ୍ତ ଅଛନ୍ତି, ତେବେ ତାଙ୍କୁ ବହୁତ ସାହସ ମିଳିଲା । ତାଙ୍କୁ ଏକଥାରୁ ବି ବହୁତ ସାନ୍ତ୍ୱନା ମିଳିଲା ଯେ ସେ ତାଙ୍କ ପାଇଁ ଯେଉଁ ପରିଶ୍ରମ କରିଥିଲେ, ତାହା ବିଫଳ ହେଲା ନାହିଁ । (୧ ଥେସ. ୩:୫-୮) ପାଉଲ ନିଜେ ମଧ୍ୟ ସେହି ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଚାହୁଁଥିଲେ । ସେ ଜାଣିଥିଲେ ଯେ ଯଦି ସେ ସମସ୍ୟାଗୁଡ଼ିକ ସମୟରେ ଯିହୋବାଙ୍କର ବିଶ୍ୱସ୍ତ ରହିବେ, ତାହେଲେ ସମସ୍ତ ଭାଇଭଉଣୀଙ୍କୁ ଏପରିକି ଯେଉଁମାନଙ୍କୁ ସେ କେବେ ଭେଟି ନ ଥିଲେ, ସେମାନଙ୍କୁ ବି ବହୁତ ସାହସ ମିଳିବ । (କଲ. ୨:୧, ୨) ଠିକ୍ ସେହିପରି, ଯେବେ ଆମେ ସମସ୍ୟାଗୁଡ଼ିକ ସମୟରେ ଯିହୋବାଙ୍କର ବିଶ୍ୱସ୍ତ ରହୁ, ତେବେ ଭାଇଭଉଣୀମାନଙ୍କୁ ବହୁତ ସାହସ ମିଳେ । ସେମାନଙ୍କର ଏହି କଥା ଉପରେ ବିଶ୍ୱାସ ବଢ଼େ ଯେ ଯେପରି ଯିହୋବା ସମସ୍ୟା ସମୟରେ ଆମକୁ ସାହାଯ୍ୟ କଲେ, ଠିକ୍ ସେହିପରି ଯିହୋବା ତାଙ୍କୁ ମଧ୍ୟ ସାହାଯ୍ୟ କରିବେ ।
୧୩. ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୧୩ ଧୈର୍ଯ୍ୟ ଧରନ୍ତୁ । ଯେବେ ଆମେ ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେଉ, ତେବେ ହୁଏତ ସେମାନଙ୍କୁ ତୁରନ୍ତ ସାନ୍ତ୍ୱନା ମିଳିବ ନାହିଁ । ତେଣୁ ଆମ ସମସ୍ତଙ୍କୁ ଶାସ୍ତ୍ରରେ ଲେଖାଥିବା ଏହି ପରାମର୍ଶକୁ ମାନିବା ଉଚିତ୍, “ପରସ୍ପରକୁ ସାନ୍ତ୍ୱନା ଦିଅ [‘ଦେବା ଜାରି ରଖ,’ NWT] ।” (୧ ଥେସ. ୫:୧୧) ଏହାର ଅର୍ଥ, ଆମକୁ ଲଗାତାର ଏପରି କରିବା ଉଚିତ୍ । ଯେଉଁମାନେ ଦୁଃଖି ବା ନିରାଶ ଅଛନ୍ତି, ସେମାନଙ୍କୁ ଠିକ୍ ହେବା ପାଇଁ ସମୟ ଲାଗେ, ତେଣୁ ସେମାନଙ୍କ ସହିତ ଧୈର୍ଯ୍ୟ ଧରନ୍ତୁ ଏବଂ ସାନ୍ତ୍ୱନା ଦେବା ଜାରି ରଖନ୍ତୁ । (୧ ଥେସ. ୫:୧୪) କିନ୍ତୁ ବେଳେବେଳେ ଆମକୁ ମଧ୍ୟ ସାନ୍ତ୍ୱନାର ଆବଶ୍ୟକ ପଡ଼ିଥାଏ । ସେସମୟରେ ଆମେ କʼଣ କରିପାରିବା ?
ଯେବେ ଆପଣଙ୍କୁ ସାନ୍ତ୍ୱନାର ଆବଶ୍ୟକ ପଡ଼େ
୧୪-୧୫. ଯେବେ ଆମେ ବହୁତ ଚିନ୍ତିତ ହୋଇଯାଉ, ତେବେ ଆମକୁ କʼଣ କରିବା ଉଚିତ୍ ?
୧୪ ପ୍ରାର୍ଥନା କରନ୍ତୁ । ଯେବେ ଆପଣ ବହୁତ ଚିନ୍ତିତ ଥାʼନ୍ତି, ତେବେ ଯିହୋବାଙ୍କୁ ପ୍ରାର୍ଥନାରେ କହନ୍ତୁ ଯେ ସେ ଆପଣଙ୍କ ମନକୁ ଶାନ୍ତି ଦିଅନ୍ତୁ । (ଗୀତ. ୯୪:୧୯) ତାଙ୍କୁ କିଛି ବି ଲୁଚାନ୍ତୁ ନାହିଁ, ବରଂ ସ୍ପଷ୍ଟଭାବେ କହନ୍ତୁ ଯେ ଆପଣଙ୍କ ମନରେ କʼଣ ଚାଲିଛି ଏବଂ ଆପଣ କାହିଁକି ଚିନ୍ତିତ ଅଛନ୍ତି । (ଗୀତ. ୬୨:୮) ଏକଥା ସତ ଯେ ଯିହୋବା ସବୁକିଛି ଜାଣନ୍ତି, ଏପରିକି ସେ ଆପଣଙ୍କ ପ୍ରାର୍ଥନା କରିବା ପୂର୍ବରୁ ଜାଣନ୍ତି ଯେ ଆପଣଙ୍କୁ କିପରି ଲାଗୁଛି । କିନ୍ତୁ ହୃଦୟରୁ ଯିହୋବାଙ୍କୁ ପ୍ରାର୍ଥନା କଲେ ଆପଣ ଦେଖାନ୍ତି ଯେ ଆପଣ ଯିହୋବାଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି । ଆଉ ଯିହୋବା ସବୁବେଳେ ବିଶ୍ୱାସର ସହ କରାଯାଇଥିବା ପ୍ରାର୍ଥନାଗୁଡ଼ିକୁ ଶୁଣନ୍ତି । ହୁଏତ ଆପଣଙ୍କ ପ୍ରାର୍ଥନାର ଉତ୍ତର ସେପରି ଭାବେ ନ ମିଳିପାରେ ଯେପରି ଆପଣ ଆଶା କରିଥିଲେ, କିନ୍ତୁ ଆପଣ ଭରସା କରିପାରିବେ ଯେ ସେ ନିଶ୍ଚୟ ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେବେ । (ମାର୍କ ୧୧:୨୪) ସେଥିପାଇଁ ଫିଲିପ୍ପୀୟ ୪:୬, ୭ ପଦରେ ଦିଆଯାଇଥିବା ପରାମର୍ଶକୁ ମାନନ୍ତୁ, ‘ତୁମ୍ଭମାନଙ୍କ ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ସୁରକ୍ଷା କରି ରଖିବ ।’
୧୫ ଅନ୍ୟମାନଙ୍କ ସହିତ କଥା ହୁଅନ୍ତୁ । କୌଣସି ପ୍ରୌଢ଼ ଭାଇଭଉଣୀଙ୍କୁ କିମ୍ବା କୌଣସି ପ୍ରାଚୀନଙ୍କୁ ନିଜର ଚିନ୍ତା ବିଷୟରେ କହନ୍ତୁ । ଭାଇଭଉଣୀମାନେ ଆପଣଙ୍କୁ ବହୁତ ସାନ୍ତ୍ୱନା ଦେଇପାରିବେ । କିନ୍ତୁ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କୁ କହିବେନି ଯେ ଆପଣ କିପରି ଅନୁଭବ କରୁଛନ୍ତି କିମ୍ବା ଆପଣଙ୍କୁ କେଉଁ ପ୍ରକାରର ସାହାଯ୍ୟ ଦରକାର, ସେପର୍ଯ୍ୟନ୍ତ ସେମାନେ ଆପଣଙ୍କ ପାଇଁ ବେଶୀ କିଛି କରିପାରିବେ ନାହିଁ । (ହିତୋ. ୧୪:୧୦) ଆପଣ ସେମାନଙ୍କୁ କହିପାରିବେ ଯେ ଆପଣ ନିଜ ମନ କଥା କହିବା ପାଇଁ ଚାହାନ୍ତି ଏବଂ ଚାହାନ୍ତି ଯେ ସେମାନେ ଆପଣଙ୍କ କଥା ଧ୍ୟାନର ସହ ଶୁଣନ୍ତୁ । କିମ୍ବା କୌଣସି ପଦ ବା ଲେଖା ଦେଖାଇବା ପାଇଁ କହିପାରିବେ, ଯେଉଁଥିରୁ ସେମାନଙ୍କୁ ବହୁତ ସାନ୍ତ୍ୱନା ମିଳିଥିଲା ।
୧୬. (କ) ଯେବେ ଅନ୍ୟମାନେ ଆପଣଙ୍କର ସାହସ ବଢ଼ାନ୍ତି, ତେବେ କʼଣ ହୋଇପାରେ ? (ଖ) ଏପରି ସମୟରେ ଆପଣଙ୍କୁ କʼଣ ମନେ ରଖିବା ଉଚିତ୍ ?
୧୬ ଧୈର୍ଯ୍ୟ ଧରନ୍ତୁ ଏବଂ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ଯେବେ ଭାଇଭଉଣୀମାନେ ଆପଣଙ୍କର ସାହସ ବଢ଼ାନ୍ତି, ତେବେ ହୁଏତ ସେମାନଙ୍କ ଦ୍ୱାରା କୌଣସି ଭୁଲ ହୋଇପାରେ । ହୁଏତ ସେମାନେ ଏପରି କିଛି କହିଦେବେ ବା କରିଦେବେ, ଯେଉଁଥିରୁ ଆପଣ ଆହୁରି ଦୁଃଖି ହୋଇପାରନ୍ତି । ଯଦି ଆପଣଙ୍କ ସହିତ ଏପରି ହୁଏ, ତାହେଲେ ସେମାନଙ୍କ କଥାକୁ ଖରାପ ଭାବନ୍ତୁ ନାହିଁ ବରଂ ସେମାନଙ୍କ ସହିତ ଧୈର୍ଯ୍ୟ ଧରନ୍ତୁ । (୧ କରି. ୧୩:୪, ୭) ଯାକୁବ ୩:୨ ପଦରେ ଲେଖାଅଛି, “ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ ।” ବାଇବଲରେ ଏହା ମଧ୍ୟ ଲେଖାଅଛି ଯେ ‘ହୃଦୟ ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।’ (ମାଥି. ୨୬:୪୧) ତେଣୁ ସବୁବେଳେ ଏହା ମନେ ରଖନ୍ତୁ ଯେ ଭାଇଭଉଣୀମାନେ ଆପଣଙ୍କ ଭଲ ଚାହାନ୍ତି, ସେଥିପାଇଁ ସେମାନେ ହୃଦୟରୁ ଆପଣଙ୍କୁ ସାହାଯ୍ୟ କରୁଛନ୍ତି ।
୧୭. ଆମକୁ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ?
୧୭ ଏହି ଶେଷ ସମୟରେ ଆମ ସମସ୍ତଙ୍କୁ ସାହସ ଓ ସାନ୍ତ୍ୱନାର ଆବଶ୍ୟକ ରହିଛି । ଯେତିକି ବିନାଶ ପାଖେଇ ଆସୁଛି, ସେତିକି ଅଧିକ ଈଶ୍ୱରଙ୍କ ଶତ୍ରୁମାନେ ଆମର ବିରୋଧ କରିବେ ଏବଂ ସେସମୟରେ ଆମକୁ ଆଗ ଅପେକ୍ଷା ଅଧିକ ସାନ୍ତ୍ୱନାର ଆବଶ୍ୟକ ପଡ଼ିବ । ତେଣୁ ଆସନ୍ତୁ, ଆମେ ସମସ୍ତେ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ପରସ୍ପରକୁ ସାନ୍ତ୍ୱନା ଦେବାରେ ଲାଗି ରହିବା ।
ଗୀତ ୧୩୦ କ୍ଷମା କରିବା
a ଚିତ୍ର ବିଷୟରେ: ପ୍ରାଚୀନ ସେହି ଭାଇଙ୍କର କଥା ଧ୍ୟାନର ସହ ଶୁଣୁଛନ୍ତି, ଯାହାଙ୍କ ସ୍ତ୍ରୀଙ୍କର କିଛି ସମୟ ପୂର୍ବେ ମୃତ୍ୟୁ ହୋଇଯାଇଛି । ପରେ ସେହି ପ୍ରାଚୀନ ଆଉ ଜଣେ ଭାଇଙ୍କୁ ଭେଟନ୍ତି, ଯାହାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇ ଅନେକ ବର୍ଷ ହୋଇସାରିଛି ଏବଂ ସେମାନେ ଭଉଣୀଙ୍କୁ ମନେ ପକାଇ ଖୁସି ଅଛନ୍ତି ।