ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଏପ୍ରିଲ୍‌ ପୃଷ୍ଠା ୨-୭
  • ଯିହୋବା ମୋତେ ପିଲାଦିନଠାରୁ ଶିଖାଉଛନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ମୋତେ ପିଲାଦିନଠାରୁ ଶିଖାଉଛନ୍ତି
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା ମୋତେ ଲଗାତାର ଶିଖାଇଲେ
  • ଅଗ୍ରଦୂତ ସେବା କରି ବହୁତ ଖୁସି ମିଳେ
  • ସେନେଗାଲକୁ ପଠାଗଲା
  • ନ୍ୟୁ ବ୍ରନ୍ସୱିକ୍‌ ଏବଂ କ୍ୟୁବେକ୍‌ରେ ଅଗ୍ରଦୂତ ସେବା କରିବା
  • ଭାଇଭଉଣୀମାନେ କଠିନ ପରିଶ୍ରମ କଲେ
  • ଅନୁଭବୀ ଭାଇମାନଙ୍କଠାରୁ ଅନେକ କଥା ଶିଖିଲି
  • ଆମେରିକା ବୈଥେଲରେ ସେବା କରିବା
  • ପରସ୍ପର ଉପରେ ଆଗ୍ରହ ନେଲେ ଅନେକ ଆଶିଷ ମିଳେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯିହୋବାଙ୍କ ସେବାରେ ମିଳିଲା ଅନେକ ଆଶିଷ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଏପ୍ରିଲ୍‌ ପୃଷ୍ଠା ୨-୭
ଭାଇ ଡେଭିଡ ସ୍ପ୍ଲେନ ନିଜ ଅଫିସରେ କାମ କରୁଛନ୍ତି ।

ଜୀବନ କାହାଣୀ

ଯିହୋବା ମୋତେ ପିଲାଦିନଠାରୁ ଶିଖାଉଛନ୍ତି

ଡେଭିଡ ସ୍ପ୍ଲେନଙ୍କ ଅନୁଭୂତି

ଜଣେ ଭାଇ ମୋତେ ଗୋଟିଏ କାଗଜ ଖଣ୍ଡ ଦେଲେ ଏବଂ ମୁଁ ତାହାକୁ ବହୁତ ଧ୍ୟାନର ସହ ଦେଖିବାକୁ ଲାଗିଲି ଯେ ସେଥିରେ କʼଣ ଲେଖାଅଛି । ସେଥିରେ ଲେଖାଥିଲା, “ଡେଭିଡ ସ୍ପ୍ଲେନ, ଏପ୍ରିଲ୍‌ ୮, ୧୯୫୩: ‘ଦୁନିଆର ବିନାଶର ଘୋଷଣା ।’” ମୁଁ ଭାଇଙ୍କୁ ପଚାରିଲି, “ଏହା କʼଣ ଅଟେ ?” ସେ ମୋତେ କହିଲେ, “ଏହା ‘ଈଶ୍ୱରଙ୍କ ସେବା ସ୍କୁଲରେ’a ଭାଷଣ ଦେବା ପାଇଁ ଆସାଇନମେଣ୍ଟ୍‌ ସ୍ଲିପ୍‌ ଅଟେ ।” ମୁଁ ତାଙ୍କୁ କହିଲି, “ମୁଁ ତ ଭାଷଣ ଦେବା ବିଷୟରେ କିଛି କହି ନ ଥିଲି ।”

ଆସନ୍ତୁ ମୁଁ ଆପଣଙ୍କୁ ଆରମ୍ଭରୁ ମୋ ବିଷୟରେ କହେ । ମୋର ଜନ୍ମ କାନାଡ଼ାର କାଲଗାରି ସହରରେ ହୋଇଥିଲା । ସେସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥିଲା । ୧୯୪୯ ମସିହାର ଆଖପାଖରେ ଡୋନାଲ୍ଡ ଫ୍ରେଜର୍‌ ନାମକ ଜଣେ ଯୁବା ଅଗ୍ରଦୂତ ଭାଇ ଆମ ଘରକୁ ଆସିଲେ ଏବଂ ମୋ ମାଆ ବାଇବଲ ଅଧ୍ୟୟନ କରିବା ପାଇଁ ରାଜି ହୋଇଗଲେ । ବାଇବଲରେ ଥିବା ସତ୍ୟଗୁଡ଼ିକ ମାଆଙ୍କର ହୃଦୟକୁ ଛୁଇଁଗଲା । ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ରହୁଥିଲା ତେଣୁ ସେ ପ୍ରତି ସଭାକୁ ଯାଇପାରୁ ନ ଥିଲେ, ତଥାପି ସେ ୧୯୫୦ ମସିହାରେ ବାପ୍ତିସ୍ମ ନେଲେ । କିନ୍ତୁ ବହୁତ ଦୁଃଖର କଥା, କେବଳ ଦୁଇ ବର୍ଷ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଗଲା । ସେସମୟ ଯାଏଁ ବାପା ସାକ୍ଷୀ ହୋଇ ନ ଥିଲେ । ତଥାପି ସେ ସାକ୍ଷୀମାନଙ୍କୁ ମାଆଙ୍କ ପାଇଁ ଶୋକ ସଭା ରଖିବା ପାଇଁ ଅନୁମତି ଦେଲେ ।

ଏହାର କିଛି ଦିନ ପରେ ଏଲିସ୍‌ ନାମକ ଜଣେ ବୃଦ୍ଧା ଭଉଣୀ ମୋତେ ସଭାକୁ ଆସିବା ପାଇଁ କହିଲେ । ସେ ଜଣେ ଅଭିଷିକ୍ତ ଖ୍ରୀଷ୍ଟିୟାନ ଥିଲେ । ସେ ମୋତେ ଜାଣିଥିଲେ, କାରଣ ମୋ ମାଆଙ୍କର ଦେହ ଯେବେ ଭଲ ଥିଲା ଓ ସେ ସଭାକୁ ଯାଉଥିଲେ, ତେବେ ମୁଁ ବି ତାଙ୍କ ସହିତ ସପ୍ତାହ ଶେଷରେ ହେଉଥିବା ସଭାକୁ ଯାଉଥିଲି । ମୁଁ ବାପାଙ୍କୁ ପଚାରିଲି ଯେ କʼଣ ମୁଁ ସେଠାକୁ ଯାଇପାରିବି । ଆଉ ସେ ରାଜି ହୋଇଗଲେ । କିନ୍ତୁ ସେ କହିଲେ, “ମୁଁ କେବଳ ଏଥର ତମ ସହିତ ଯିବି ।” ବାପା ସେହି ଭାଇଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଥିଲେ, ଯିଏ ମାଆଙ୍କର ଶୋକ ସଭାରେ ଭାଷଣ ଦେଇଥିଲେ । ସେହି ଦିନ ବାପା ପ୍ରଥମ ଥର ସାକ୍ଷୀମାନଙ୍କର ସଭାକୁ ଆସିଥିଲେ । ସଭାରେ ‘ଈଶ୍ୱରଙ୍କ ସେବା ସ୍କୁଲ’ ଓ ‘ସେବା ସଭାର’ ଭାଗ ଥିଲା, ଯାହା ତାଙ୍କୁ ବହୁତ ଭଲ ଲାଗିଲା । ବାପା ଗୋଟିଏ କୋର୍ସ କରିଥିଲେ, ଯେଉଁଥିରେ ଲୋକମାନଙ୍କ ସାମନାରେ ଭାଷଣ ଦେବା ପାଇଁ ଶିଖାଯାଏ । ତେଣୁ ସଭାରେ ଦିଆଯାଉଥିବା ଭାଷଣ ଶୁଣି ତାଙ୍କୁ ବହୁତ ଭଲ ଲାଗିଲା । ବାପା କହିଲେ ଯେ ସେ ଏବେଠାରୁ ପ୍ରତି ସପ୍ତାହ ସେହି ସଭାକୁ ଯିବେ । ଧୀରେ ଧୀରେ ସେ ଆମର ଅନ୍ୟ ସଭାଗୁଡ଼ିକରେ ମଧ୍ୟ ଯିବାକୁ ଲାଗିଲେ ।

ସେହି ସମୟରେ ଏପରି ହେଉଥିଲା ଯେ ସଭା ଆରମ୍ଭ ହେବା ପୂର୍ବରୁ ‘ଈଶ୍ୱରଙ୍କ ସେବା ସ୍କୁଲର’ ସେବକ ସେହି ସମସ୍ତ ଭାଇମାନଙ୍କର ନାମ ଡାକୁଥିଲା, ଯେଉଁମାନଙ୍କର ନାମ ସେବା ସ୍କୁଲରେ ଲେଖା ହୋଇଥିଲା ଏବଂ ସମସ୍ତଙ୍କୁ “ପ୍ରେଜେଣ୍ଟ” ବୋଲି କହିବାକୁ ପଡ଼ୁଥିଲା । ଦିନେ ସଭାରେ ମୁଁ ସେହି ଭାଇଙ୍କୁ କହିଲି ଯେ ସେ ପରବର୍ତ୍ତୀ ସଭାରେ ମୋ ନାମ ମଧ୍ୟ ଡାକନ୍ତୁ । ଏହାପାଇଁ ଭାଇ ମୋର ବହୁତ ପ୍ରଶଂସା କଲେ, କିନ୍ତୁ ସେ ପଚାରିଲେ ନାହିଁ ଯେ କʼଣ ମୋତେ ଜଣା ଅଛି ଯେ ଏବେ କʼଣ କରିବାକୁ ପଡ଼ିବ ।

ମୁଁ କେବେ ବି ଭାବି ନ ଥିଲି ଯେ ଯଦି ମୁଁ ସ୍କୁଲରେ ନାମ ଲେଖାଇବି, ତାହେଲେ ମୋତେ ସଭାରେ ଭାଷଣ ଦେବାକୁ ପଡ଼ିବ । ମୁଁ କେବଳ ଚାହୁଁଥିଲି ଯେ ମୋର ବି ନାମ ଡକାଯାଉ । ପରବର୍ତ୍ତୀ ସପ୍ତାହରେ ଯେବେ ଭାଇ ମୋର ନାମ ବି ଡାକିଲେ, ତେବେ ମୁଁ ଖୁସିର ସହ ବଡ଼ପାଟିରେ କହିଲି, “ପ୍ରେଜେଣ୍ଟ ।” ସଭାପରେ ଭାଇଭଉଣୀମାନେ ମୋର ପ୍ରଶଂସା କଲେ, କିନ୍ତୁ ଏହାର କିଛି ସପ୍ତାହ ପରେ ମୋତେ ସଭାରେ ଭାଗ ପରିବେଷଣ କରିବାର ସେହି ଆସାଇନମେଣ୍ଟ୍‌ ସ୍ଲିପ୍‌ ମିଳିଲା, ଯାହା ବିଷୟରେ ମୁଁ ଆରମ୍ଭରେ କହିଥିଲି ।

ମୋତେ ବହୁତ ଡର ଲାଗୁଥିଲା, କାରଣ ସେସମୟରେ ସେବା ସ୍କୁଲର ବିଦ୍ୟାର୍ଥୀମାନଙ୍କୁ ଛଅରୁ ଆଠ ମିନିଟ୍‌ର ଭାଷଣ ଦେବାକୁ ପଡ଼ୁଥିଲା । ଆଉ ସେସମୟରେ ବାଇବଲ ପଠନ ଭଳି କୌଣସି ଭାଗ ହିଁ ନ ଥିଲା । ବାପା ମୋତେ ସେହି ଭାଷଣ ପ୍ରସ୍ତୁତି କରିବାରେ ସାହାଯ୍ୟ କଲେ ଏବଂ ଅତି କମ୍‌ରେ ୨୦ ଥର ଅଭ୍ୟାସ କରାଇଲେ । ପରେ ସେହି ଭାଇ ମଧ୍ୟ ମୋତେ ଭଲ ପରାମର୍ଶ ଦେଲେ । ଏତେ ବର୍ଷ ମଧ୍ୟରେ ଯିହୋବା ମୋତେ, ମୋ ବାପା, ଦକ୍ଷ ଭାଇଭଉଣୀ ଓ ସଂଗଠନ ଜରିଆରେ ଟ୍ରେନିଙ୍ଗ ଦେଲେ ।

ଯିହୋବା ମୋତେ ଲଗାତାର ଶିଖାଇଲେ

ଭଉଣୀ ଏଲିସ୍‌ ଯାହାଙ୍କ ବିଷୟରେ ମୁଁ ଆରମ୍ଭରେ କହିଥିଲି, ସେ ମୋତେ ପ୍ରଚାର କରିବା ବି ଶିଖାଇଲେ । ସେସମୟରେ ଆମେ ଏମିତି ପ୍ରଚାର କରୁଥିଲୁ: ଆମେ ଘରମାଲିକଙ୍କୁ ତିନୋଟି ପଦ ପଢ଼ିକି ଶୁଣାଉଥିଲୁ । ଆଉ ତାʼପରେ ତାଙ୍କୁ ଗୋଟିଏ ବହି ଦେଉଥିଲୁ । ଯେବେ ମୋ କହିବାର ପାଳି ଆସୁଥିଲା, ତେବେ ଭଉଣୀ ଏଲିସ୍‌ ନିଜର ପରିଚୟ ଦେଇ କଥାବାର୍ତ୍ତା ଆରମ୍ଭ କରୁଥିଲେ । ସେ ମୋତେ ପ୍ରଥମ ପଦ ପଢ଼ିବା ପାଇଁ କହୁଥିଲେ । ଏହାପରେ ମୁଁ କଥାବାର୍ତ୍ତା ଆଗକୁ ଜାରି ରଖୁଥିଲି ଏବଂ ଦ୍ୱିତୀୟ ଓ ତୃତୀୟ ପଦ ଦେଖାଇବା ପରେ ଘରମାଲିକଙ୍କୁ ବହି ଦେଉଥିଲି । ଧୀରେ ଧୀରେ ମୁଁ ନିଜେ ମଧ୍ୟ କଥାବାର୍ତ୍ତା ଆରମ୍ଭ କରିବା ଶିଖିଲି । ୧୯୫୪ ମସିହାରେ ଯେବେ ବାପାଙ୍କର ବାପ୍ତିସ୍ମ ହେଲା, ତାʼପରଠୁ ସେ ମୋତେ ପ୍ରଚାର କରିବାର ଟ୍ରେନିଙ୍ଗ ଦେବାକୁ ଲାଗିଲେ । ସତ୍ୟରେ ଏକୁଟିଆ ମୋର ଲାଳନପାଳନ କରିବା ପାଇଁ ତାଙ୍କ ଦ୍ୱାରା ଯାହା ହୋଇପାରିଲା, ସେ ତାହା କଲେ । ସେ ସଭାକୁ ଯିବା ଓ ପ୍ରଚାର କରିବା କେବେ ଛାଡ଼ିଲେ ନାହିଁ । ମୋତେ ଜଣାଥିଲା ଯେ ଆମେ ସବୁବେଳେ ପ୍ରତି ସଭାକୁ ଯିବା ଏବଂ ଶନିବାର ଓ ରବିବାର ସକାଳେ ପ୍ରଚାର ବି କରିବା ।

ସ୍କୁଲରେ ମୋର ଠିକଠାକ୍‌ ନମ୍ବର ଆସୁଥିଲା । କିନ୍ତୁ ସ୍କୁଲର ସେହି ୧୨ ବର୍ଷ ମଧ୍ୟରେ ମୁଁ ଯାହା ଶିଖିଲି, ସେଥିରୁ ଆଜି ବି ମୋତେ ବହୁତ ଲାଭ ହୁଏ । ମୁଁ ଗଣିତ ଓ ଇଂରାଜୀ ବ୍ୟାକରଣ ବିଷୟରେ ମଧ୍ୟ ବହୁତ କିଛି ଶିଖିଲି । ମୁଁ ଇଂରାଜୀ କୋର୍ସ ବି କଲି ଏବଂ କାହାଣୀଗୁଡ଼ିକୁ କିପରି ଭଲଭାବେ ଲେଖାଯାଏ, ତାହା ବି ଶିଖିଲି । ଏହି କାରଣ ଯୋଗୁଁ ମୁଁ ଆଜି ଲେଖନ ବିଭାଗ ସହ ମିଶି ନିଜର କାମ ଭଲଭାବେ କରିପାରୁଛି ।

ପ୍ରାୟ ଲୋକମାନେ ମୋତେ ପଚାରନ୍ତି ଯେ ମୋତେ ସଙ୍ଗୀତ ପ୍ରତି ଆଗ୍ରହ କେମିତି ହେଲା । ପ୍ରକୃତରେ, ମୋ ବାପାମାଆ ଦୁହେଁ ସଙ୍ଗୀତକୁ ବହୁତ ଭଲ ପାଉଥିଲେ । ଯେବେ ମୁଁ ସାତ ବର୍ଷର ଥିଲି, ତେବେ ମୁଁ କିଛି ସମୟ ପାଇଁ ପିଆନୋ ବଜାଇବା ଶିଖିବାକୁ ଲାଗିଲି । କିନ୍ତୁ ମୋ ଟିଚରଙ୍କୁ ଲାଗୁଥିଲା ଯେ ମୁଁ ଏହା ଭଲରେ ଶିଖୁ ନାହିଁ, ତେଣୁ ସେ ମୋ ବାପାଙ୍କୁ କହିଲେ ଯେ ସେ ମୋର କ୍ଲାସ ଯିବା ବନ୍ଦ କରିଦିଅନ୍ତୁ । ଆଉ ସେ ଠିକ୍‌ ବି କହୁଥିଲେ, କାରଣ ମୁଁ ସେସମୟରେ ମନଦେଇ ଶିଖୁ ନ ଥିଲି ।

କିଛି ମାସ ପରେ ବାପା ମୋ ପାଇଁ ଜଣେ ନୂଆ ଟିଚର ଖୋଜିଲେ । ସେ ମୋତେ ପିଆନୋ ବଜାଇବା ଓ ଗୀତ ଗାଇବା ଶିଖାଉଥିଲେ । ଆଉ ଏଥର ମୁଁ ମନଦେଇ ଶିଖିଲି । ଯେବେ ମୁଁ ଛୋଟ ଥିଲି, ତେବେ ମୋ ସ୍ୱର ବହୁତ ଭଲ ଥିଲା ଏବଂ ମୁଁ ଭଲ ଗୀତ ଗାଉଥିଲି । ତେଣୁ ମୁଁ କିଛି ପ୍ରତିଯୋଗିତାରେ ମଧ୍ୟ ଜିତିଥିଲି । ମୁଁ ଜଣେ ମ୍ୟୁଜିକ ଟିଚର ହେବା ପାଇଁ ଚାହୁଁଥିଲି, ତେଣୁ ସେବିଷୟରେ ପଢ଼ିବାକୁ ଲାଗିଲି, ଯାହାଫଳରେ ମୁଁ ପୂର୍ଣ୍ଣ ସମୟର ସେବା କରିପାରିବି ଏବଂ ନିଜର ଖର୍ଚ୍ଚ ଉଠାଇପାରିବି । କିନ୍ତୁ ପଢ଼ା ଶେଷ ହେଉ ହେଉ ମୋତେ ଅନୁଭବ ହେଲା ଯେ ଏଥିରେ ଓ ପରୀକ୍ଷାର ପ୍ରସ୍ତୁତି କରିବାରେ ମୋର ବହୁତ ସମୟ ଚାଲିଯିବ । ତେଣୁ ମୁଁ ଅଧାରୁ ହିଁ ପଢ଼ିବା ଛାଡ଼ିଦେଲି ଏବଂ ଅଗ୍ରଦୂତ ସେବା କରିବା ଆରମ୍ଭ କଲି । ଏହା ୧୯୬୩ ମସିହାର କଥା ।

ଅଗ୍ରଦୂତ ସେବା କରି ବହୁତ ଖୁସି ମିଳେ

ଗୋଟିଏ ବର୍ଷ ଯାଏଁ ଅଗ୍ରଦୂତ ସେବା କରିବା ପରେ ମୋତେ ଓଣ୍ଟାରିଓର କାପୁସ୍କାସିଙ୍ଗ ନାମକ ସହରକୁ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ ପଠାଗଲା । ମୁଁ ସେଠାରେ ଭାଇ ଡାନିୟେଲ ସ୍କିନରଙ୍କ ସହ ମିଶି ଅଗ୍ରଦୂତ ସେବା କରୁଥିଲି, ଯିଏ ବୟସରେ ମୋଠାରୁ ବହୁତ ବଡ଼ ଥିଲେ । ସେ ମୋତେ ଶିଖାଇଲେ ଯେ ମଣ୍ଡଳୀର ଅଲଗା ଅଲଗା କାମ କିପରି କରାଯାଏ । ୨୦ ବର୍ଷ ବୟସରେ ହିଁ ମୋତେ ମଣ୍ଡଳୀର ସେବା ସମିତିରେ କାମ କରିବା ପାଇଁ କୁହାଗଲା । ତେଣୁ ମୋତେ ବହୁତ କିଛି ଶିଖିବାର ଥିଲା । ମୋତେ ଏହା ଦେଖି ବହୁତ ଖୁସି ଲାଗେ ଯେ ଏବେ ସଂଗଠନ ପୁଣିଥରେ ଯୁବା ଭାଇମାନଙ୍କୁ ଟ୍ରେନିଙ୍ଗ ଦେବା ପାଇଁ ବହୁତ ଜୋର୍‌ ଦେଉଛି । ଯଦି ଯୁବା ଭାଇମାନେ ପରିଶ୍ରମ କରନ୍ତି, ତାହେଲେ ସେମାନେ କମ୍‌ ବୟସରୁ ହିଁ ସଂଗଠନର ବହୁତ କାମରେ ଆସିପାରିବେ ।

କାପୁସ୍କାସିଙ୍ଗରେ ରହିବା ସହଜ ନ ଥିଲା । ସେଠାରେ ପ୍ରବଳ ଶୀତ ହେଉଥିଲା ଏବଂ ତାପମାତ୍ରା -୪୪ ଡିଗ୍ରୀ ସେଲସିୟସ ଯାଏ ଖସି ଯାଉଥିଲା । କିନ୍ତୁ ବେଳେବେଳେ ଶୀତ ଟିକେ କମି ଯାଉଥିଲା, ତଥାପି ତାପମାତ୍ରା -୩୩ ଡିଗ୍ରୀ ସେଲସିୟସ ରହୁଥିଲା । ଭାଇ ଡାନିୟେଲ ଓ ମୁଁ ପ୍ରାୟ ଚାଲିଚାଲି ପ୍ରତ୍ୟେକ ଜାଗାକୁ ଯିବା ଆସିବା କରୁଥିଲୁ । ସେଠାରେ ସେବା କରି ମୋତେ ବହୁତ ଖୁସି ମିଳିଲା ଏବଂ ଏହାର ଆଉ ଗୋଟିଏ କାରଣ ଥିଲା ଯେ ସେଠାରେ ମୁଁ ଲିଣ୍ଡା କୋଲ୍‌ ନାମକ ଜଣେ ଭଉଣୀଙ୍କୁ ଭେଟିଲି, ଯିଏ ପରେ ଲିଣ୍ଡା ସ୍ପ୍ଲେନ ହୋଇଗଲେ ।

ଲିଣ୍ଡା ବହୁତ ଉତ୍ସାହର ସହ ପ୍ରଚାର କରୁଥିଲେ ଏବଂ ପ୍ରଚାରରେ ତାଙ୍କୁ ଅନେକ ପୁନଃସାକ୍ଷାତ ମଧ୍ୟ ମିଳିଥିଲା । ତାଙ୍କୁ ଲୋକମାନଙ୍କ ସହିତ ମିଳାମିଶା କରିବା ବହୁତ ଭଲ ଲାଗୁଥିଲା ଏବଂ ସେ ସେମାନଙ୍କ ପାଇଁ ସବୁବେଳେ କିଛି ନା କିଛି କରୁଥିଲେ । ତାଙ୍କ ମାଆ ଗୋଲ୍ଡି ମଧ୍ୟ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ତାଙ୍କ ବାପା ଆଲାନ ଆରମ୍ଭରେ ସାକ୍ଷୀମାନଙ୍କୁ ପସନ୍ଦ କରୁ ନ ଥିଲେ, ତଥାପି ଲିଣ୍ଡାଙ୍କ ମାଆ ତାଙ୍କୁ ଓ ତାଙ୍କର ଦୁଇଜଣ ଭାଇ ଜୋନ୍‌ ଓ ଗୋର୍ଡନ୍‌ଙ୍କୁ ନେଇ ରାଜ୍ୟଘରକୁ ଆସୁଥିଲେ । ସେ ନିଜ ପିଲାମାନଙ୍କୁ ପ୍ରଚାର କରିବା ବି ଶିଖାଇଲେ ଏବଂ ଏପରି ବି ସମୟ ଥିଲା ଯେବେ ସେମାନେ ସମସ୍ତେ ଅଗ୍ରଦୂତ ସେବା କରିବାର ମଜା ନେଇଥିଲେ । ଅନେକ ବର୍ଷ ପରେ ଲିଣ୍ଡାଙ୍କ ବାପା ମଧ୍ୟ ସତ୍ୟକୁ ଆସିଲେ ଏବଂ ସେ ମଣ୍ଡଳୀ ପାଇଁ ବହୁତ ପରିଶ୍ରମ କରୁଥିଲେ ।

୧୯୬୫ ମସିହାରେ ମୋତେ କାନାଡ଼ା ବୈଥେଲରେ ରାଜ୍ୟ ସେବା ସ୍କୁଲ ପାଇଁ ଡକାଗଲା । ଏହା ଗୋଟିଏ ମାସର କୋର୍ସ ଥିଲା । ସେଠାରେ ମୋତେ ଗିଲିଅଡ୍‌ ସ୍କୁଲର ଫର୍ମ ଭରିବା ପାଇଁ ମଧ୍ୟ କୁହାଗଲା । ମୁଁ କେବେ ଭାବି ନ ଥିଲି ଯେ ମୁଁ ଜଣେ ମିଶନାରୀ ହୋଇପାରିବି । ତଥାପି ମୁଁ ସେହି ଫର୍ମ ଭରିଦେଲି ଏବଂ ମୋତେ ଗିଲିଅଡ୍‌ର ୪୨ ତମ କ୍ଲାସ ପାଇଁ ଡକାଗଲା । ଗିଲିଅଡ୍‌ରେ ଆମକୁ ନିଜ ଶିକ୍ଷକମାନଙ୍କଠାରୁ ରିପୋର୍ଟ ମିଳୁଥିଲା । ସେଥିରେ କୁହାଯାଉଥିଲା ଯେ ଆମକୁ କେଉଁ କ୍ଷେତ୍ରରେ ଉନ୍ନତି କରିବାର ଅଛି । ଯେବେ ମୋତେ ପ୍ରଥମ ରିପୋର୍ଟ ମିଳିଲା, ତେବେ ସେଥିରେ କୁହାଯାଇଥିଲା ଯେ ମୋତେ ସଂଗଠନ ବିଷୟରେ ଆହୁରି ଶିଖିବାର ଅଛି । ସେସମୟରେ ମୁଁ ମାତ୍ର ୨୧ ବର୍ଷର ଥିଲି ଏବଂ ସେହି ପରାମର୍ଶ ମୋ ପାଇଁ ବହୁତ ଲାଭଦାୟକ ଥିଲା ।

ଗିଲିଅଡ୍‌ରେ ଆମକୁ ଏହା ବି ଶିଖାଗଲା ଯେ ଆମକୁ ମିଡିଆର ଲୋକମାନଙ୍କ ସହିତ କିପରି କଥାବାର୍ତ୍ତା ହେବା ଉଚିତ୍‌ । ଯେପରି, ରେଡିଓ, ଟିଭି ଚ୍ୟାନେଲର ଲୋକମାନଙ୍କ ସହିତ ଓ ପ୍ରେସର ଲୋକମାନଙ୍କ ସହିତ । ମୋତେ ଏସବୁ ଶିଖିବା ବହୁତ ଭଲ ଲାଗୁଥିଲା । ସେସମୟରେ ମୋତେ ଜଣା ନ ଥିଲା ଯେ ଆଗକୁ ଯାଇ ଏସବୁ ମୋର କେତେ କାମରେ ଆସିବ ।

ସେନେଗାଲକୁ ପଠାଗଲା

ଗିଲିଅଡ୍‌ ସ୍କୁଲ ଶେଷ ହେବା ପରେ ମୋତେ ଭାଇ ମାଇକଲ ହୋଲେଙ୍କ ସହିତ ଆଫ୍ରିକାର ସେନେଗାଲ ଦେଶକୁ ସେବା କରିବା ପାଇଁ ପଠାଗଲା । ସେସମୟରେ ସେହି ଦେଶରେ ପ୍ରାୟ ୧୦୦ ଜଣ ପ୍ରଚାରକ ଥିଲେ ।

ସେଠାରେ ଅନେକ ମାସ ଯାଏଁ ସେବା କରିବା ପରେ ମୋତେ ସପ୍ତାହରେ ଗୋଟିଏ ଦିନ ସେଠାର ଶାଖା କାର୍ଯ୍ୟାଳୟକୁ ଆସି କାମ କରିବା ପାଇଁ କୁହାଗଲା । ଏହି ଶାଖା କାର୍ଯ୍ୟାଳୟଟି ଗୋଟିଏ ମିଶନାରୀ ଘରର କେବଳ ଗୋଟିଏ କୋଠରିରେ ଥିଲା । ଭାଇ ଇମ୍ମାନୁଏଲ ପାଟେରାକିସ୍‌ ଶାଖା ଅଧ୍ୟକ୍ଷ ଥିଲେ । ସେ ମୋତେ ସବୁବେଳେ ମନେ ପକାଇ ଦେଉଥିଲେ ଯେ ଯଦିଓ ଶାଖା କାର୍ଯ୍ୟାଳୟଟି ଗୋଟିଏ ଛୋଟ କୋଠରି ମଧ୍ୟରେ ଅଛି, ତଥାପି ଏଠାରୁ ହିଁ ସାରା ଦେଶରେ ସଂଗଠନର କାମର ଦେଖାରେଖା ହେଉଛି । ଦିନେ ଭାଇ ଇମ୍ମାନୁଏଲ ମୋତେ କହିଲେ ଯେ ଆମକୁ ସବୁ ମିଶନାରୀମାନଙ୍କର ଉତ୍ସାହ ବଢ଼ାଇବା ପାଇଁ ଗୋଟିଏ ଚିଠି ଲେଖିବା ଉଚିତ୍‌ । ସେସମୟରେ ଚିଠିଗୁଡ଼ିକର ଜେରକ୍ସ କରିବା ବହୁତ କଠିନ ଥିଲା ଏବଂ ମହଙ୍ଗା ବି ଥିଲା । ତେଣୁ ଆମକୁ ପ୍ରତ୍ୟେକ ଚିଠିକୁ ଟାଇପ୍‌-ରାଇଟର୍‌ ସାହାଯ୍ୟରେ ଟାଇପ୍‌ କରିବାର ଥିଲା । ଆଉ ଏଥିରେ ବହୁତ ସମୟ ଲାଗୁଥିଲା । କାରଣ ଯଦି କୌଣସି ଭୁଲ ହୋଇଯାଏ, ତାହେଲେ ତାହାକୁ ଠିକ୍‌ କରିବାର କୌଣସି ଉପାୟ ନ ଥିଲା !

ସେହି ଦିନ ଶାଖା କାର୍ଯ୍ୟାଳୟରେ କାମ ଶେଷ କରି ଘରକୁ ଯିବା ସମୟରେ ଭାଇ ପାଟେରାକିସ୍‌ ମୋତେ ଗୋଟିଏ ଲଫାପା ଦେଲେ । ସେ କହିଲେ, “ଡେଭିଡ, ସଂଗଠନ ତରଫରୁ ତମ ପାଇଁ ଗୋଟିଏ ଚିଠି ଅଛି ।” ପରେ ଯେବେ ମୁଁ ସେହି ଲଫାପା ଖୋଲିଲି, ତେବେ ମୁଁ ଦେଖିଲି ଯେ ତାହା ସେହି ଚିଠିଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ଯାହାକୁ ମୁଁ ନିଜେ ଟାଇପ୍‌ କରିଥିଲି । ସେହି ଦିନଠାରୁ ମୁଁ ସଂଗଠନର ଆହୁରି ଆଦର କରିବାକୁ ଲାଗିଲି । ମୁଁ ଶିଖିଲି ଯେ ଯଦିଓ ଶାଖା କାର୍ଯ୍ୟାଳୟ ବହୁତ ଛୋଟ ଅଛି, ତଥାପି ସେଠାରେ ହେଉଥିବା କାମ ଅଧିକ ମହତ୍ତ୍ୱ ରଖେ ।

ଭାଇ ଡେଭିଡ ସ୍ପ୍ଲେନ ଏବଂ ଭାଇଭଉଣୀମାନଙ୍କ ଗୋଟିଏ ସମୂହ ଖୁସିର ସହ ଫଟୋ ନେଉଛି ।

୧୯୬୭ ମସିହାରେ ସେନେଗାଲ୍‌ରେ ଅନ୍ୟ ମିଶନାରୀମାନଙ୍କ ସହିତ

ସେହି ମଣ୍ଡଳୀର ଅନେକ ଭାଇଭଉଣୀ ମୋର ଭଲ ସାଙ୍ଗ ହୋଇଯାଇଥିଲେ । ଆମେ ଅନେକ ଥର ଶନିବାର ଦିନ ସନ୍ଧ୍ୟାରେ ସାଙ୍ଗରେ ମିଶି ସମୟ ବିତାଉଥିଲୁ । ସେହି ଦିନଗୁଡ଼ିକ ବହୁତ ମଜାଦାର ଥିଲା ! ଆମେ ଏବେ ବି ପରସ୍ପର ସହିତ କଥା ହେଉ । ସେନେଗାଲରେ ଥିବା ସମୟରେ ମୁଁ ଫ୍ରେଞ୍ଚ ଭାଷା କହିବା ଆହୁରି ଭଲଭାବେ ଶିଖିଲି । ଆଉ ପରେ ଯେବେ ମୋତେ ଅଲଗା ଅଲଗା ଶାଖା କାର୍ଯ୍ୟାଳୟଗୁଡ଼ିକର ପରିଦର୍ଶନ କରିବା ପାଇଁ ଯିବାକୁ ପଡ଼ିଲା, ତେବେ ଏହି ଭାଷା ଶିଖିଥିବା ଯୋଗୁଁ ମୋତେ ବହୁତ ଲାଭ ହେଲା ।

୧୯୬୮ ମସିହାରେ ଲିଣ୍ଡା ଓ ମୋର ନିର୍ବନ୍ଧ ହୋଇଗଲା । ତାʼପରେ ଅନେକ ମାସ ପର୍ଯ୍ୟନ୍ତ ମୁଁ ପାର୍ଟ ଟାଇମ୍‌ କାମ ଖୋଜୁଥିଲି, ଯେଉଁଥିରୁ ଆମେ ସେନେଗାଲରେ ରହି ଅଗ୍ରଦୂତ ସେବା କରିପାରୁ । କିନ୍ତୁ ସେଠାକାର ଲୋକମାନେ ବାହାର ଲୋକଙ୍କୁ କାମ ଦେଉ ନ ଥିଲେ । ସେମାନଙ୍କଠାରୁ ଏହା ଆଶା କରାଯାଉଥିଲା ଯେ ସେମାନେ ନିଜ ଲୋକଙ୍କୁ ହିଁ କାମ ଦିଅନ୍ତୁ । ଶେଷରେ ମୁଁ କାନାଡ଼ାକୁ ଫେରି ଆସିଲି ଏବଂ ଆମର ବାହାଘର ହେଲା । ତାʼପରେ ଆମକୁ ସେଠାରୁ ନ୍ୟୁ ବ୍ରନ୍ସୱିକ୍‌ ପ୍ରାନ୍ତର ଏଡ୍‌ମନ୍ସଟନ୍‌ ସହରରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ ପଠାଗଲା । ଏହା କ୍ୟୁବେକ୍‌ ପ୍ରାନ୍ତରର ସୀମାରେ ଥିବା ଏକ ଛୋଟ ସହର ଅଟେ ।

ଭାଇ ଡେଭିଡ ଓ ଲିଣ୍ଡା ସ୍ପ୍ଲେନ ଫୁଲ ଭରିଥିବା ରାସ୍ତାରେ ଛିଡ଼ା ହୋଇଛନ୍ତି ଏବଂ ଖୁସି ଦେଖାଯାଉଛନ୍ତି ।

୧୯୬୯ ମସିହାରେ ଆମ ବିବାହ ଦିନ

ନ୍ୟୁ ବ୍ରନ୍ସୱିକ୍‌ ଏବଂ କ୍ୟୁବେକ୍‌ରେ ଅଗ୍ରଦୂତ ସେବା କରିବା

ସେହି ସହରରେ କେହି ବି ସାକ୍ଷୀ ନ ଥିଲେ ଏବଂ ବାଇବଲ ଅଧ୍ୟୟନ ବି ବହୁତ କମ୍‌ ଥିଲା । ସେଠାର ଲୋକମାନଙ୍କ ଉପରେ କ୍ୟାଥୋଲିକ ଧର୍ମର ବହୁତ ଚାପ ଥିଲା । ପ୍ରାୟ ପ୍ରତ୍ୟେକ ଘରେ ସାଇନ୍‌ ବୋର୍ଡ ଲାଗିଥିଲା ଏବଂ ସେଠାରେ ଲେଖାଥିଲା: ଯିହୋବାଙ୍କ ସାକ୍ଷୀମାନଙ୍କୁ ଆସିବା ମନା । ସେସମୟରେ ଆମେ ସେହି ସାଇନ୍‌ ବୋର୍ଡଗୁଡ଼ିକର ଖାତିର କରୁ ନ ଥିଲୁ । ସେଥିପାଇଁ ଆମେ ପ୍ରତ୍ୟେକ ଘରକୁ ଯାଉଥିଲୁ । ପ୍ରତି ସପ୍ତାହ ଗୋଟିଏ କ୍ୟାଥୋଲିକ ସମୂହ ଖବରକାଗଜରେ ଏହି ନୋଟିସ୍‌ ଦେଉଥିଲା: “ଚାଲ, ଯିହୋବାଙ୍କ ସାକ୍ଷୀମାନଙ୍କୁ ଖୋଜି ଖୋଜି ମାରିବା !” କିନ୍ତୁ ସେଠାରେ ଆମେ କେବଳ ଚାରିଜଣ ହିଁ ସାକ୍ଷୀ ଥିଲୁ: ଭିକ୍ଟର, ଭେଲ୍ଡା ନୋରବର୍ଗ, ମୁଁ ଓ ଲିଣ୍ଡା । ସେମାନେ ଆମ ଚାରିଜଣଙ୍କୁ ହିଁ ଖୋଜୁଥିଲେ !

ମୋତେ ସେହି ସମୟ ଆଜି ବି ମନେ ଅଛି, ଯେବେ ସେଠାରେ ପ୍ରଥମ ଥର ସର୍କିଟ ଅଧ୍ୟକ୍ଷ ପରିଦର୍ଶନ ପାଇଁ ଆସିଥିଲେ । ସେ ଆମ ସହିତ ଗୋଟିଏ ସପ୍ତାହ ରହିବା ପରେ ଆମକୁ କହିଲେ, “ହୁଏତ ଆପଣମାନେ ଏଠାରେ ରହି କେବଳ ଗୋଟିଏ କାମ କରିପାରିବେ । ଲୋକମାନଙ୍କ ମନରେ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଯେଉଁ ଭୁଲ ଧାରଣା ରହିଛି, ତାହାକୁ ଦୂର କରିପାରିବେ ।” ସେସମୟଠାରୁ ଆମେ ଏହି କାମ ପ୍ରତି ଧ୍ୟାନ ଦେଲୁ ଏବଂ ଏହାର ଭଲ ପରିଣାମ ମିଳିଲା । ଧୀରେ ଧୀରେ ଲୋକମାନେ ଦେଖିପାରିଲେ ଯେ ଯିହୋବାଙ୍କ ସାକ୍ଷୀମାନେ କେତେ ନମ୍ର ଅଟନ୍ତି, କିନ୍ତୁ କ୍ୟାଥୋଲିକ ଚର୍ଚ୍ଚର ପାଦରିମାନେ ବହୁତ ଅହଙ୍କାରୀ ଅଟନ୍ତି । ଆଜି ସେହି ସହରରେ ଆମର ଛୋଟ ମଣ୍ଡଳୀଟିଏ ଅଛି ।

ଆମ ଆଖପାଖରେ ଅଧିକ ଭାଇଭଉଣୀ ନ ଥିଲେ, ତଥାପି ଆମେ ସେଠାରେ ପ୍ରାୟ ଗୋଟିଏ ବର୍ଷ ରହିଲୁ । ଏହାପରେ ଆମକୁ କ୍ୟୁବେକ୍‌ ସହରର ଗୋଟିଏ ବଡ଼ ମଣ୍ଡଳୀରେ ସେବା କରିବା ପାଇଁ କୁହାଗଲା । ଆମେ ସେଠାରେ ଛଅ ମାସ ରହିଲୁ । ଆମକୁ ବହୁତ ଭଲ ଲାଗିଲା । ସେଠାର ଭାଇଭଉଣୀମାନେ ଭଲଭାବେ ଅତିଥି ସତ୍କାର କରୁଥିଲେ । ଏହାପରେ ଆମେ ସର୍କିଟ କାମ ପାଇଁ ଗଲୁ ।

ଆଗାମୀ ୧୪ ବର୍ଷ ଯାଏଁ ଆମେ କ୍ୟୁବେକ୍‌ ପ୍ରାନ୍ତରର ଅଲଗା ଅଲଗା ମଣ୍ଡଳୀର ପରିଦର୍ଶନ କରୁ । ଏହା ବହୁତ ରୋମାଞ୍ଚକ ସମୟ ଥିଲା ! ସେହି ସମୟରେ କ୍ୟୁବେକ୍‌ ପ୍ରାନ୍ତରରେ ଆମ କାମ ବହୁତ ଜୋରସୋର୍‌ରେ କରାଯାଉଥିଲା । ଆଉ ଯେଉଁ ମଣ୍ଡଳୀଗୁଡ଼ିକର ଆମେ ପରିଦର୍ଶନ କରିବା ପାଇଁ ଯାଉଥିଲୁ ସେଠାରେ ଆମେ ଏପରି ଅନେକ ପରିବାରକୁ ଭେଟିଲୁ, ଯେଉଁମାନେ ସମସ୍ତେ ଅଧ୍ୟୟନ କରୁଥିଲେ ଏବଂ ବାପ୍ତିସ୍ମ ନେବା ପାଇଁ ଚାହୁଁଥିଲେ !

ଭାଇଭଉଣୀମାନେ କଠିନ ପରିଶ୍ରମ କଲେ

ସେହି ଅଞ୍ଚଳର ଅଧିକାଂଶ ଲୋକ ଫ୍ରେଞ୍ଚ ଭାଷା କହନ୍ତି ଏବଂ ସେଠାର ଭାଇଭଉଣୀମାନଙ୍କ ସହିତ ମିଳାମିଶା କରିବା ବହୁତ ସହଜ ଅଟେ । ସେମାନେ ସିଧାସଳଖ କଥା ହୁଅନ୍ତି ଏବଂ ବହୁତ ଖୁସି ଥାʼନ୍ତି । ସେମାନଙ୍କ ଭିତରେ ବହୁତ ଉତ୍ସାହ ଅଛି । କିନ୍ତୁ ସେମାନଙ୍କ ପାଇଁ ସତ୍ୟ ଆପଣାଇବା ସବୁବେଳେ ସହଜ ନ ଥିଲା । ଅନେକଙ୍କ ପରିବାର ଲୋକେ ବହୁତ ବିରୋଧ କରୁଥିଲେ । କିଛି ଯୁବାମାନଙ୍କୁ ତାଙ୍କ ବାପାମାଆ ସିଧାସଳଖ ଧମକ ଦେଉଥିଲେ: “ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ଅଧ୍ୟୟନ କରିବା ବନ୍ଦ କର, ନହେଲେ ଘରୁ ବାହାରି ଯାଅ ।” ଏହି ଧମକ ସତ୍ତ୍ୱେ ସେମାନେ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । ଯିହୋବା ଏପରି ଯୁବାମାନଙ୍କ ପାଇଁ ବହୁତ ଗର୍ବ ଅନୁଭବ କରୁଥିବେ ।

ଯଦି ମୁଁ କ୍ୟୁବେକ୍‌ରେ ଥିବା ଅଗ୍ରଦୂତ କିମ୍ବା ବିଶେଷ ଅଗ୍ରଦୂତ ଭାବେ ସେବା କରୁଥିବା ଭାଇଭଉଣୀଙ୍କ ବିଷୟରେ କହିବିନି, ତାହେଲେ ଏହି କାହାଣୀ ଅଧା ହିଁ ରହିଯିବ । ସେଠାର ଅଧିକାଂଶ ଭାଇଭଉଣୀ କାନାଡ଼ାର ଅନ୍ୟ ଅଞ୍ଚଳରୁ ଆସିଥିଲେ । ସେମାନେ ସେଠାକୁ ଆସି ଫ୍ରେଞ୍ଚ ଭାଷା ଶିଖିଥିଲେ । ତାʼସହିତ ସେମାନେ ଏହା ବି ବୁଝିଲେ ଯେ ସେଠାର ଲୋକମାନଙ୍କ ଉପରେ କ୍ୟାଥୋଲିକ ଧର୍ମର ବହୁତ ପ୍ରଭାବ ରହିଛି । ସେଥିପାଇଁ ସେମାନଙ୍କର ରହଣୀ ସହଣୀ ଓ ଚିନ୍ତାଧାରା ବହୁତ ଅଲଗା ।

ବିଶେଷ ଅଗ୍ରଦୂତମାନଙ୍କୁ ପ୍ରାୟ ଏପରି ଦୂର ଦୂରାନ୍ତ ଅଞ୍ଚଳକୁ ପଠାଯାଉଥିଲା, ଯେଉଁଠି କୌଣସି ପ୍ରଚାରକ ନ ଥିଲେ । ସେହି ଅଞ୍ଚଳଗୁଡ଼ିକରେ ଘର ଖୋଜିବା କିମ୍ବା ଛୋଟମୋଟ କାମ ଖୋଜିବା ବହୁତ କଠିନ ହେଉଥିଲା, କାରଣ ସେଠାର ଲୋକମାନେ ସାକ୍ଷୀମାନଙ୍କୁ ପସନ୍ଦ କରୁ ନ ଥିଲେ । ଏପରିକି ଯେଉଁ ନୂଆ ବିବାହିତ ଦମ୍ପତି ଥିଲେ, ସେମାନଙ୍କୁ ବି ଅନ୍ୟ ଦମ୍ପତିମାନଙ୍କ ସହିତ ଘରଭଡ଼ା ନେଇ ରହିବାକୁ ପଡ଼ୁଥିଲା । କାରଣ ଏକୁଟିଆ ଘରଭଡ଼ା ଦେଇ ରହିବା ଭାରି କଷ୍ଟକର ଥିଲା । ଅନେକ ଥର ଛଅ କିମ୍ବା ଆଠଜଣ ଲୋକ ସାଙ୍ଗରେ ମିଶି ରହୁଥିଲେ । ଏହି ଅଗ୍ରଦୂତମାନେ ବହୁତ ପରିଶ୍ରମ କରୁଥିଲେ । ଯେବେ ବି ସେମାନଙ୍କୁ କୌଣସି ଅଧ୍ୟୟନ ମିଳୁଥିଲା, ତେବେ ସେମାନେ ମନପ୍ରାଣ ଦେଇ ସେମାନଙ୍କୁ ଶିଖାଉଥିଲେ । ଏବେ ଭାଇଭଉଣୀମାନଙ୍କୁ କ୍ୟୁବେକ୍‌କୁ ଆସି ସାହାଯ୍ୟ କରିବାର ଆବଶ୍ୟକ ନାହିଁ, କାରଣ ସେଠାରେ ଅନେକ ପ୍ରଚାରକ ହୋଇଯାଇଛନ୍ତି । ସେଥିପାଇଁ ସେମଧ୍ୟରୁ ଅନେକ ଅଗ୍ରଦୂତ ଏପରି ଅଞ୍ଚଳକୁ ଯାଇ ସେବା କରୁଛନ୍ତି, ଯେଉଁଠି ଅଧିକ ଆବଶ୍ୟକ ରହିଛି ।

ଯେବେ ଆମେ ସର୍କିଟ କାମ କରୁଥିଲୁ, ତେବେ ଆମେ ପ୍ରାୟ ଶନିବାର ସକାଳେ ଯୁବାମାନଙ୍କ ସହିତ ମିଶି ପ୍ରଚାର କରୁଥିଲୁ । ଏପରି ଭାବେ ଆମେ ନିଜେ ଶୁଣି ପାରୁଥିଲୁ ଯେ ସେମାନେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି । ସେମଧ୍ୟରୁ କିଛି ଯୁବା ଆଜି ଅନ୍ୟ ଦେଶକୁ ଯାଇ ମିଶନାରୀ ଭାବେ ସେବା କରୁଛନ୍ତି ବା ସଂଗଠନରେ ଅନ୍ୟ ଦାୟିତ୍ୱ ତୁଲାଉଛନ୍ତି ।

ସେହି ସମୟରେ ଏପରି ହେଉଥିଲା ଯେ କିଛି ମଣ୍ଡଳୀ ଆମ ଯିବା ଆସିବା ଖର୍ଚ୍ଚ ଉଠାଇପାରୁ ନ ଥିଲା । ସେଥିପାଇଁ ବେଳେବେଳେ ମାସର ଶେଷରେ ଆମ ପାଖରେ ପଇସା ହିଁ ରହୁ ନ ଥିଲା । ଏପରି ସମୟରେ ଆମେ ପୂରାପୂରି ଭାବେ ଯିହୋବାଙ୍କ ଉପରେ ନିର୍ଭର ରହୁଥିଲୁ, କାରଣ ସେ ହିଁ ଆମ ପରିସ୍ଥିତିକୁ ଭଲଭାବେ ବୁଝୁଥିଲେ । ସେ କେବେ ବି ଆମକୁ ନିରାଶ ହେବାକୁ ଦେଲେନି । ପ୍ରତିଥର ଆମେ ଅନ୍ୟ ମଣ୍ଡଳୀ ଯାଏ ଯେକୌଣସି ଉପାୟରେ ପହଞ୍ଚି ଯାଉଥିଲୁ ।

ଅନୁଭବୀ ଭାଇମାନଙ୍କଠାରୁ ଅନେକ କଥା ଶିଖିଲି

କ୍ୟୁବେକ୍‌ରେ ଥିବା ସମୟରେ ମୋତେ ଅନେକ ଥର ରେଡିଓ, ଟିଭି ଚ୍ୟାନେଲ ଓ ଖବରକାଗଜଗୁଡ଼ିକରେ ସାକ୍ଷ୍ୟ ଦେବାର ସୁଯୋଗ ମିଳିଲା । ମୋତେ ଏଥିପାଇଁ ବହୁତ ଖୁସି ଲାଗେ ଯେ ଗିଲିଅଡ୍‌ ସ୍କୁଲରେ ମୋତେ ଏହାର ଭଲ ଟ୍ରେନିଙ୍ଗ ମିଳିଥିଲା । ମୋତେ ପ୍ରାୟ ଭାଇ ଲେୟନ୍ସ କ୍ରେପୋ ନାମକ ସର୍କିଟ ଅଧ୍ୟକ୍ଷଙ୍କ ସହିତ କାମ କରିବା ପାଇଁ କୁହାଯାଉଥିଲା । ମିଡିଆର ଲୋକମାନଙ୍କ ସହିତ କଥା ହେବା ପାଇଁ ଭାଇଙ୍କ ପାଖରେ ଭଲ ଦକ୍ଷତା ଥିଲା । ଯେବେ ବି ଭାଇ ଲେୟନ୍ସ ମିଡିଆରେ କାମ କରୁଥିବା କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ଦେଖା ହେଉଥିଲେ, ତେବେ ସେ ନିଜକୁ ଏପରି ଦେଖାଉ ନ ଥିଲେ ଯେ ସେ ସବୁକିଛି ଜାଣନ୍ତି । ଏହା ପରିବର୍ତ୍ତେ ସେ ଆଦରର ସହିତ କହୁଥିଲେ, “ସାର୍‌, ମୁଁ ଓ ମୋ ସାଥୀ କେବଳ ବାଇବଲର ପ୍ରଚାର କରୁ । ଆମକୁ ରେଡିଓ ବା ଟିଭି ମାଧ୍ୟମରେ କଥା ହେବା ବିଷୟରେ ଅଧିକ ଜଣା ନାହିଁ । କିନ୍ତୁ ଆମକୁ ଲୋକମାନଙ୍କୁ ଏହା କହିବା ପାଇଁ କୁହାଯାଇଛି ଯେ ଯିହୋବାଙ୍କ ସାକ୍ଷୀମାନଙ୍କର ଗୋଟିଏ ବଡ଼ ଅଧିବେଶନ ହେବାକୁ ଯାଉଛି । ଯଦି ଆପଣ ଆମକୁ କିଛି ସାହାଯ୍ୟ କରିପାରିବେ, ତାହେଲେ ଆମେ ଆପଣଙ୍କର କୃତଜ୍ଞ ମନେ କରିବା ।” ଯେବେ ସେ ଏହିପରି ଭାବେ ନମ୍ର ହୋଇ କଥା ହେଉଥିଲେ, ତେବେ ମିଡିଆର ଅନେକ ଲୋକ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଯାଉଥିଲେ ।

ପରେ ଶାଖା କାର୍ଯ୍ୟାଳୟ ମୋତେ ଭାଇ ଗ୍ଲେନ୍‌ ହାଉଙ୍କ ସହିତ କାମ କରିବା ପାଇଁ କହିଲା, ଯିଏ ଓକିଲ ଥିଲେ । ଆମକୁ କିଛି ବଡ଼ ମକଦ୍ଦମା ଉପରେ କାମ କରିବାର ଥିଲା, ଯାହା ବିଷୟରେ ମିଡିଆରେ ବି କଥା ଚାଲିଥିଲା । ମୋତେ ଗିଲିଅଡ୍‌ ସ୍କୁଲରେ ଯେଉଁ ଟ୍ରେନିଙ୍ଗ ମିଳିଥିଲା ଓ ଭାଇ ଲେୟନ୍ସଙ୍କଠାରୁ ମୁଁ ଯାହା ଶିଖିଥିଲି, ସେଥିରୁ ମୋତେ ବହୁତ ଲାଭ ହେଲା । ଭାଇ ହାଉଙ୍କ ସହିତ କାମ କରି ମଧ୍ୟ ମୁଁ ଅନେକ କଥା ଶିଖିଲି । ସେ ନିଡର ହୋଇ ସଂଗଠନ ତରଫରୁ ମକଦ୍ଦମା ଲଢ଼ୁଥିଲେ । କିନ୍ତୁ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା, ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ ।

୧୯୮୫ ମସିହାରେ ଆମକୁ ପଶ୍ଚିମ କାନାଡ଼ାର ଗୋଟିଏ ସର୍କିଟରେ ସେବା କରିବା ପାଇଁ କୁହାଗଲା । ଏଠାରୁ ଆମ ଘର ପାଖରେ ଥିଲା, ସେଥିପାଇଁ ଆମେ ସହଜରେ ବାପାଙ୍କର ଭଲଭାବେ ଦେଖାଶୁଣା କରିପାରିଲୁ । ତିନି ମାସ ପରେ ବାପା ଚାଲିଗଲେ । ତାʼପରେ ଆମେ ୧୯୮୯ ଯାଏଁ ପଶ୍ଚିମ କାନାଡ଼ାର ଅଲଗା ଅଲଗା ସର୍କିଟରେ ସେବା କଲୁ । ଦିନେ ଆମକୁ ଏହା ଶୁଣି ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ଆମକୁ ଆମେରିକା ବୈଥେଲରେ ସେବା କରିବା ପାଇଁ ଡକାଯାଉଛି । ଆମକୁ ସର୍କିଟ କାମ କରୁ କରୁ ପ୍ରାୟ ୧୯ ବର୍ଷ ହୋଇଯାଇଥିଲା । ଏହି ବର୍ଷଗୁଡ଼ିକ ମଧ୍ୟରେ ଆମେ ଅନେକ ଭାଇଭଉଣୀଙ୍କ ଘରକୁ ଗଲୁ ଏବଂ ଆମକୁ ସେମାନଙ୍କ ସହିତ ଖାଦ୍ୟ ଖାଇବାର ସୁଯୋଗ ମିଳିଲା । ଆମେ ସେହି ଭାଇଭଉଣୀମାନଙ୍କର ବହୁତ କୃତଜ୍ଞ ଯେଉଁମାନେ ଆମକୁ ଏତେ ପ୍ରେମ ଦେଖାଇଲେ ।

ଆମେରିକା ବୈଥେଲରେ ସେବା କରିବା

ବ୍ରୁକଲିନ୍‌ ପହଞ୍ଚିବା ପରେ ମୋତେ ସେବା ବିଭାଗରେ କାମ କରିବା ପାଇଁ କୁହାଗଲା । ସେଠାରେ ମୋତେ ଯେଉଁ ଟ୍ରେନିଙ୍ଗ ମିଳିଲା, ତାʼପାଇଁ ମୁଁ ସବୁବେଳେ କୃତଜ୍ଞ ରହିବି । କାମ କରିବା ସମୟରେ ମୁଁ ଗୋଟିଏ କଥା ଶିଖିଲି ଯେ ଯଦି ମୋତେ କୌଣସି ମାମଲା ବିଷୟରେ ପୂରା ତଥ୍ୟ ଜଣା ନାହିଁ, ତାହେଲେ ସେବିଷୟରେ ଅନୁମାନ ଲଗାଇବା ଠିକ୍‌ ନୁହେଁ । ତାʼପରେ ୧୯୯୮ ମସିହାରେ ମୋତେ ଲେଖନ ବିଭାଗରେ କାମ କରିବା ପାଇଁ କୁହାଗଲା । ଏବେ ବି ମୁଁ ଏଠାରେ କାମ ଶିଖୁଛି । ମୋତେ ଅନେକ ବର୍ଷ ଯାଏଁ ଏହି ବିଭାଗରେ ଭାଇ ଜନ୍‌ ବାର୍‌ଙ୍କୁ ସହାୟତା କରିବା ପାଇଁ ସୁଯୋଗ ମିଳିଲା । ଭାଇ ଲେଖନ ସମିତିର ପ୍ରବନ୍ଧକ ଥିଲେ । ତାଙ୍କ ସହିତ ମୁଁ ଯେଉଁ ସମୟ ବିତାଇଲି ଓ ମୋତେ ଯେଉଁ ଟ୍ରେନିଙ୍ଗ ମିଳିଲା, ତାହାକୁ ମୁଁ କେବେ ବି ଭୁଲିପାରିବିନି । ସେ ବହୁତ ଭଲ ଭାଇ ଥିଲେ । ତାଙ୍କ ଭିତରେ ଯୀଶୁଙ୍କ ଭଳି ଗୁଣ ଥିଲା ।

ଭାଇ ଡେଭିଡ ଓ ଲିଣ୍ଡା ସ୍ପ୍ଲେନ, ଜନ୍‌ ଓ ମିଲ୍‌ଡ୍ରେଡ୍‌ ବାର୍‌ଙ୍କ ସହିତ ଫଟୋ ନେଉଛନ୍ତି ।

ଭାଇ ଜନ୍‌ ଓ ଭଉଣୀ ମିଲ୍‌ଡ୍ରେଡ୍‌ ବାର୍‌ଙ୍କ ସହିତ

ଲେଖନ ବିଭାଗର ପ୍ରିୟ ଭାଇଭଉଣୀମାନଙ୍କ ସହିତ କାମ କରି ମୋତେ ବହୁତ ଖୁସି ଲାଗେ । ସେମାନେ ସମସ୍ତେ ବହୁତ ନମ୍ର ଅଟନ୍ତି । ନିଜ କାମ ପୂରା କରିବା ପାଇଁ ସେମାନେ ସବୁବେଳେ ଯିହୋବାଙ୍କର ସାହାଯ୍ୟ ନିଅନ୍ତି ଏବଂ ମନେ ରଖନ୍ତି ଯେ ଯଦି ସେମାନେ କୌଣସି କାମ ଭଲଭାବେ କରିପାରୁଛନ୍ତି, ତାହେଲେ ସେମାନେ ନିଜ ଦକ୍ଷତାରୁ ନୁହେଁ ବରଂ ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରୁ କରିପାରୁଛନ୍ତି ।

ଭାଇ ସ୍ପ୍ଲେନ ୱାଚଟାୱର କୋରସରେ ୨୦ ଜଣ ଭାଇଭଉଣୀଙ୍କ ନେତୃତ୍ୱ ନେଉଛନ୍ତି ଏବଂ ଜଣେ ଭଉଣୀ ପିଆନୋ ବଜାଉଛନ୍ତି ।

୨୦୦୯ ମସିହାର ବାର୍ଷିକ ସଭାରେ ୱାଚଟାୱର କୋରସରେ ନେତୃତ୍ୱ ନେଉଥିବା ସମୟର ଚିତ୍ର

ଭାଇ ସ୍ପ୍ଲେନ ଖୁସିର ସହ ଜଣେ ଭଉଣୀଙ୍କୁ ବାଇବଲ ଦେଉଛନ୍ତି ।

୨୦୧୪ ମସିହାରେ କୋରିଆର ସିଓଲ୍‌ ସହରରେ ହୋଇଥିବା ଅନ୍ତଃରାଷ୍ଟ୍ରୀୟ ଅଧିବେଶନରେ ଭାଇଭଉଣୀମାନଙ୍କୁ ବାଇବଲ ଦେଉଥିବା ସମୟର ଚିତ୍ର

ଏବେ ପର୍ଯ୍ୟନ୍ତ ଲିଣ୍ଡା ଓ ମୋତେ ୧୧୦ଟି ଅଲଗା ଅଲଗା ଦେଶକୁ ଯାଇ ଭାଇଭଉଣୀମାନଙ୍କୁ ଭେଟିବାର ସମ୍ମାନ ମିଳିଛି । ଆମେ ଦେଖିପାରିଛୁ ଯେ ଏହି ଦେଶଗୁଡ଼ିକରେ ଥିବା ମିଶନାରୀ ଭାଇଭଉଣୀ, ଶାଖା ସମିତିର ସଦସ୍ୟ ଓ ଅନ୍ୟ ପୂର୍ଣ୍ଣ ସମୟର ସେବକମାନେ ଯିହୋବାଙ୍କୁ କେତେ ପ୍ରେମ କରନ୍ତି । ଆମେ ଏହା ବି ଦେଖିଛୁ ଯେ ଯଦିଓ ଏମଧ୍ୟରୁ କିଛି ଦେଶରେ ଯୁଦ୍ଧ ହେଉଛି, ଆର୍ଥିକ ସଙ୍କଟ ଅଛି ଓ ଅତ୍ୟାଚାର ହେଉଛି, ତଥାପି ଭାଇଭଉଣୀମାନଙ୍କର ଉତ୍ସାହ କମ୍‌ ହୋଇନି । ସେମାନେ ଏବେ ବି ବିଶ୍ୱସ୍ତତାର ସହିତ ଯିହୋବାଙ୍କର ସେବା କରୁଛନ୍ତି । ଏସବୁ ଦେଖି ଆମର ବିଶ୍ୱାସ ଆହୁରି ଦୃଢ଼ ହୋଇଛି । ଆମକୁ ପୂରା ଭରସା ଅଛି ଯେ ଯିହୋବା ଏହି ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରନ୍ତି !

ଏତେ ବର୍ଷରୁ ମୁଁ ନିଜର ଅନେକ ଦାୟିତ୍ୱ ଭଲଭାବେ ତୁଲାଇପାରିଛି, କାରଣ ଲିଣ୍ଡା ମୋତେ ବହୁତ ସହଯୋଗ କଲେ । ସେ ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସବୁବେଳେ ସେମାନଙ୍କ ବିଷୟରେ ଭାବନ୍ତି । ସେ ଲୋକମାନଙ୍କ ସହିତ ଭଲଭାବେ କଥାବାର୍ତ୍ତା ଆରମ୍ଭ କରିପାରନ୍ତି । ଲିଣ୍ଡା ଅନେକ ଲୋକଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇଛନ୍ତି ଏବଂ ଏପରି ବି କିଛି ଲୋକଙ୍କୁ ସାହାଯ୍ୟ କରିଛନ୍ତି, ଯେଉଁମାନେ ସତ୍ୟରୁ ଦୂରକୁ ଚାଲି ଯାଇଥିଲେ । ଲିଣ୍ଡା ଯିହୋବାଙ୍କ ତରଫରୁ ମିଳିଥିବା ବହୁମୂଲ୍ୟ ଉପହାର ଅଟନ୍ତି ! ନିଜ ବୟସ ଯୋଗୁଁ ଆମେ ଆଉ ପୂର୍ବ ଭଳି କରିପାରୁ ନାହୁଁ । ସେଥିପାଇଁ ଆମେ ସେହି ଯୁବା ଭାଇଭଉଣୀମାନଙ୍କ ବହୁତ କୃତଜ୍ଞ, ଯେଉଁମାନେ ଅଲଗା ଅଲଗା ଉପାୟରୁ ଆମକୁ ସାହାଯ୍ୟ କରନ୍ତି ।—ମାର୍କ ୧୦:୨୯, ୩୦.

ଯେବେ ମୁଁ ଗତ ୮୦ ବର୍ଷ ବିଷୟରେ ଭାବେ, ତେବେ ମୁଁ ସେହି ଦିନଗୁଡ଼ିକ ପାଇଁ ବହୁତ କୃତଜ୍ଞ ମନେ କରେ । ମୁଁ ଗୀତସଂହିତାର ରଚୟିତାଙ୍କ ଭଳି ଅନୁଭବ କରେ ଯିଏ କହିଲେ, “ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳଠାରୁ ଶିକ୍ଷା ଦେଇ ଆସୁଅଛ; ପୁଣି, ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ପ୍ରଚାର କରିଅଛି ।” (ଗୀତ. ୭୧:୧୭) ମୁଁ ଦୃଢ଼ ନିଷ୍ପତ୍ତି ନେଇଛି ଯେ ମୁଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏପରି କରୁଥିବି ।

a ଆଜି ଏହି ଟ୍ରେନିଙ୍ଗ ସପ୍ତାହ ମଝିରେ ହେଉଥିବା ସଭାରେ ଦିଆଯାଏ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ