ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ମାର୍ଚ୍ଚ ପୃଷ୍ଠା ୨୦-୨୫
  • ସୁବୁଦ୍ଧି ଥିଲେ ଆପଣ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସୁବୁଦ୍ଧି ଥିଲେ ଆପଣ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଅହଂକାରୀ ନ ହୋଇ ନମ୍ର ହୁଅନ୍ତୁ
  • କ୍ରୋଧିତ ନ ହୋଇ ଶାନ୍ତିର ସହ କାମ କରନ୍ତୁ
  • ଭୟଭୀତ ନ ହୋଇ ଯିହୋବାଙ୍କ ଉପରେ ଭରସା ରଖନ୍ତୁ
  • ସୁବୁଦ୍ଧିକୁ ବଢ଼ାଇବା ଜାରି ରଖନ୍ତୁ
  • ଜଣେ ବଡ଼ ସେନାପତି ଏବଂ ଜଣେ ସାନ ଝିଅ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ମାର୍ଚ୍ଚ ପୃଷ୍ଠା ୨୦-୨୫

୨୫-୩୧ ମେ, ୨୦୨୬

ଗୀତ ୪୯ ଯିହୋବାଙ୍କ ହୃଦୟ ଖୁସି କର

ସୁବୁଦ୍ଧି ଥିଲେ ଆପଣ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ?

“ସୁବୁଦ୍ଧିର ଫଳ ଅନୁଗ୍ରହ ।”—ହିତୋ. ୧୩:୧୫.

କʼଣ ଶିଖିବା ?

କଠିନ ପରିସ୍ଥିତିର ଭଲଭାବେ ସାମନା କରିବା ପାଇଁ ଆମେ କିପରି ସୁବୁଦ୍ଧିର ସହ କାମ କରିପାରିବା ?

୧-୨. ସୁବୁଦ୍ଧିର ଅର୍ଥ କʼଣ ଏବଂ ଏଥିରୁ କʼଣ ଲାଭ ହୁଏ ?

କʼଣ କେବେ ଆପଣଙ୍କ ସାମନାରେ ଏପରି ପରିସ୍ଥିତି ଆସିଛି, ଯେବେ କେହି ଆପଣଙ୍କୁ ଆଦର କଲେନି ଅବା ଖରାପ ବ୍ୟବହାର କଲେ ? କʼଣ କେବେ କେହି ଆପଣଙ୍କୁ ଭୁଲ ବୁଝିଛନ୍ତି ବା ଆଘାତ ପହଞ୍ଚାଇଛନ୍ତି ? କିମ୍ବା କʼଣ କେବେ ଆପଣଙ୍କ ସାମନାରେ ଏପରି ପରିସ୍ଥିତି ଆସିଛି, ଯେବେ ଆପଣଙ୍କୁ ବହୁତ ଡର ଲାଗିଲା ଏବଂ ଚିନ୍ତା ହେଲା ? ଯଦି ଆପଣଙ୍କ ସହିତ ଏପରି ହୋଇଛି, ତାହେଲେ ଆପଣ ଭଲଭାବେ ବୁଝି ପାରୁଥିବେ ଯେ ଏପରି ସମୟରେ ସଠିକ୍‌ ଚିନ୍ତାଧାରା ରଖିବା ଏବଂ ସଠିକ୍‌ କାମ କରିବା କେତେ କଠିନ ହୋଇଥାଏ । ବାଇବଲରୁ ଆମେ ଜାଣିପାରିବା ଯେ ଏପରି ପରିସ୍ଥିତିର ଏବଂ ଏଭଳି ଅନ୍ୟ ପରିସ୍ଥିତିର ସାମନା କରିବା ପାଇଁ ଆମେ କʼଣ କରିପାରିବା । ଆମେ ସୁବୁଦ୍ଧିର ସହ କାମ କରିପାରିବା ।

୨ ସୁବୁଦ୍ଧି ଥିଲେ ଆମେ କୌଣସି ମାମଲାକୁ କେବଳ ଉପରୁ ଦେଖି ନ ଥାଉ, ବରଂ ତାହାକୁ ଭଲଭାବେ ବୁଝିବା ପାଇଁ ଚେଷ୍ଟା କରୁ । ଏପରି କଲେ ଆମେ ଜାଣିପାରିବା ଯେ ଏପରି କାହିଁକି ହୋଇଥିବ କିମ୍ବା ଜଣେ ବ୍ୟକ୍ତି କାହିଁକି ଏପରି କରିଥିବ । ତାʼସହିତ ସୁବୁଦ୍ଧି ଥିଲେ ଆମେ କିଛି ସମୟ ରହି ସେହି ମାମଲା ବିଷୟରେ ଭାବିବା ଏବଂ ବୁଦ୍ଧିମାନୀର ସହ କାମ କରିବା । ଯେପରି, ଏହା ସାହାଯ୍ୟରୁ ଆମେ ବୁଝିପାରିବା ଯେ ଆମକୁ କେବେ କହିବାର ଅଛି ଓ କେବେ ଚୁପ୍‌ ରହିବାର ଅଛି । (ହିତୋ. ୧୦:୧୯; ଗୀତ. ୪:୪) ସୁବୁଦ୍ଧିର ସହ କାମ କଲେ ଆମେ ନିଜ ରାଗକୁ କାବୁ କରିପାରିବା ଏବଂ ଅନ୍ୟମାନଙ୍କ ଭୁଲଗୁଡ଼ିକୁ ଅଣଦେଖା କରିପାରିବା । ତାʼସହିତ ଯେବେ ଆମକୁ ସୁଧାର କରିବା ପାଇଁ କୁହାଯାଏ ଏବଂ ପରାମର୍ଶ ଦିଆଯାଏ, ତେବେ ଆମେ ସେଗୁଡ଼ିକୁ ସ୍ୱୀକାର କରିପାରିବା । (ହିତୋ. ୧୯:୨୦) ଆମକୁ ପ୍ରତ୍ୟେକ ପରିସ୍ଥିତିରେ କିଛି ସମୟ ରହି ସେବିଷୟରେ ଭାବିବା ଉଚିତ୍‌ । ଯେବେ ଆମେ ରାଗିଯାଉ କିମ୍ବା ଯେବେ ଆମକୁ ତୁରନ୍ତ କିଛି କହିଦେବା ପାଇଁ ଇଚ୍ଛା ହୁଏ, ବିଶେଷ କରି ସେସମୟରେ ଆମକୁ କିଛି ସମୟ ରହି ଭାବିବା ବହୁତ ଜରୁରୀ । କାରଣ ଏପରି କଲେ ଆମକୁ ଏବଂ ଅନ୍ୟମାନଙ୍କୁ ଲାଭ ହେବ । ତାʼସହିତ ଏଥିରୁ ଯିହୋବା ବି ଖୁସି ହେବେ । ଆସନ୍ତୁ ଆମେ ବାଇବଲର ତିନୋଟି ଘଟଣାରୁ ଶିଖିବା, ଯେଉଁଥିରୁ ଆମେ ଜାଣିପାରିବା ଯେ ସୁବୁଦ୍ଧି ଥିଲେ ଆମେ କିପରି ନମ୍ର ରହିପାରିବା, ଶାନ୍ତ ରହିପାରିବା ଓ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିବା ।

ଅହଂକାରୀ ନ ହୋଇ ନମ୍ର ହୁଅନ୍ତୁ

୩. ନାମାନ୍‌ କିଏ ଥିଲେ ?

୩ ସଠିକ୍‌ କାମ କରିବା ପାଇଁ ଆମକୁ ଅହଂକାରୀ ନ ହୋଇ ନମ୍ର ହେବା ଉଚିତ୍‌ । (୧ ପିତ. ୫:୫) ଏଥିପାଇଁ ସୁବୁଦ୍ଧି ହେବା ବହୁତ ଜରୁରୀ । ଆମେ ଏପରି କାହିଁକି କହିପାରିବା ? ନାମାନ୍‌ଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ଇସ୍ରାଏଲର ଉତ୍ତରରେ ଥିବା ଅରାମ ଦେଶରୁ ଥିଲେ । ସେ ଅରାମୀୟ ସେନାର ସେନାପତି ଓ ଜଣେ ବଡ଼ ଅଧିକାରୀ ବି ଥିଲେ । ତାଙ୍କୁ କୁଷ୍ଠ ଭଳି ଗୋଟିଏ ଭୟଙ୍କର ରୋଗ ହୋଇଯାଇଥିଲା ।—୨ ରାଜା. ୫:୧.

୪. ଏହା କିପରି ଜଣାପଡ଼େ ଯେ ନାମାନ୍‌ ନମ୍ର ଥିଲେ ଏବଂ ବୁଝିବିଚାରି କାମ କଲେ ?

୪ ଜଣେ ଛୋଟ ଇସ୍ରାଏଲୀୟ ଝିଅ ନାମାନ୍‌ଙ୍କ ସ୍ତ୍ରୀଙ୍କର ସେବା କରୁଥିଲା । ସେ କହିଲା ଯେ ଇସ୍ରାଏଲରେ ଜଣେ ଭବିଷ୍ୟଦ୍‌ବକ୍ତା ଅଛନ୍ତି, ଯିଏ ନାମାନ୍‌ଙ୍କୁ ସୁସ୍ଥ କରିପାରିବେ । (୨ ରାଜା. ୫:୨, ୩) ନାମାନ୍‌ ଭାବିପାରିଥାʼନ୍ତେ, ‘ଏ ତ ଜଣେ ଦାସୀ । ତାʼସହିତ ସେ ଶତ୍ରୁ ଦେଶର ଅଟେ । ତାʼ କଥା ଶୁଣି ମୋତେ କʼଣ ଲାଭ ହେବ ?’ ଯଦି ନାମାନ୍‌ ଅହଂକାରୀ ଥାʼନ୍ତେ ତାହେଲେ ସେ ତାʼ କଥା ଶୁଣି ନ ଥାʼନ୍ତେ, କିନ୍ତୁ ସେ ନମ୍ର ଥିଲେ । ସେ ବୁଝିବିଚାରି କାମ କଲେ ଏବଂ ସେହି ଦାସୀର କଥା ଉପରେ ଧ୍ୟାନ ଦେଲେ । ସେ ଅରାମୀୟ ରାଜାଙ୍କ ଅନୁମତି ନେଇ ନିଜ ରୋଗର ଚିକିତ୍ସା କରାଇବା ପାଇଁ ଇସ୍ରାଏଲକୁ ଗଲେ ।—୨ ରାଜା. ୫:୪, ୫.

୫. ଇସ୍ରାଏଲକୁ ପହଞ୍ଚିଲା ପରେ ନାମାନ୍‌ଙ୍କ ସହ କʼଣ ହେଲା ?

୫ ନାମାନ୍‌ ବହୁତ ଆଶା ନେଇ ରାଜା ଯିହୋରାମ୍‌ଙ୍କ ମହଲକୁ ଗଲେ । କିନ୍ତୁ ରାଜା ଯିହୋରାମ୍‌ ଭାବିଲେ ଯେ ଅରାମର ରାଜା ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ସୁଯୋଗ ଖୋଜୁଛନ୍ତି । ଯେବେ ଭବିଷ୍ୟଦ୍‌ବକ୍ତା ଇଲୀଶାୟ ଏବିଷୟରେ ଜାଣିଲେ, ତେବେ ସେ ଯିହୋରାମ୍‌ଙ୍କୁ କହିଲେ ଯେ ସେ ନାମାନ୍‌ଙ୍କୁ ତାଙ୍କ ପାଖକୁ ପଠାନ୍ତୁ । (୨ ରାଜା. ୫:୬-୯) ଯେବେ ନାମାନ୍‌ ଇଲୀଶାୟଙ୍କ ପାଖକୁ ଗଲେ, ତେବେ ଏପରି କିଛି ବି ହେଲାନି ଯେପରି ନାମାନ୍‌ ଭାବିଥିଲେ । ଇଲୀଶାୟ ତାଙ୍କୁ ଭେଟିବା ପାଇଁ ଆସିଲେ ନାହିଁ କିମ୍ବା ତାଙ୍କ ସହିତ କଥା ବି ହେଲେ ନାହିଁ । ଏହା ପରିବର୍ତ୍ତେ ଇଲୀଶାୟ ନିଜ ଦୂତ ପଠାଇ ନାମାନ୍‌ଙ୍କୁ କହିଲେ ଯେ ତାଙ୍କୁ ସୁସ୍ଥ ହେବା ପାଇଁ କʼଣ କରିବାକୁ ପଡ଼ିବ ।—୨ ରାଜା. ୫:୧୦.

୬. (କ) ଦୂତଙ୍କ କଥା ଶୁଣି ନାମାନ୍‌ଙ୍କୁ କିପରି ଲାଗିଲା ଏବଂ କାହିଁକି ? (ଖ) ନାମାନ୍‌ଙ୍କ ସେବକମାନେ କିପରି ସୁବୁଦ୍ଧିର ସହ କାମ କଲେ ଏବଂ ଏହାର କʼଣ ପରିଣାମ ଦେଖିବାକୁ ମିଳିଲା ? (୨ ରାଜାବଳୀ ୫:୧୩, ୧୪)

୬ ପ୍ରଥମେ ନାମାନ୍‌ଙ୍କୁ ସେହି ଦୂତଙ୍କ କଥା ଭଲ ଲାଗିଲାନି । ସେ ବହୁତ ରାଗିଗଲେ ଏବଂ ରାଗ ଯୋଗୁଁ ସେଠାରୁ ବାହାରି ଗଲେ । (୨ ରାଜା. ୫:୧୧, ୧୨) ହୁଏତ ତାଙ୍କୁ ଲାଗିଥିବ ଯେ ବଡ଼ ଅଧିକାରୀ ହେବା ଯୋଗୁଁ ତାଙ୍କୁ ଯେଉଁ ଆଦର ମିଳିବା କଥା, ତାହା ତାଙ୍କୁ ମିଳିଲାନି । କିମ୍ବା ହୁଏତ ତାଙ୍କୁ ଏହା ବି ଲାଗିଥିବ ଯେ ଇଲୀଶାୟ ତାଙ୍କ ଦେଶକୁ ସମ୍ମାନ ଦେଲେ ନାହିଁ । ଯାହା ବି କାରଣ ଥାଉ ନା କାହିଁକି, ନାମାନ୍‌ ଭାବି ନେଇଥିଲେ ଯେ ସେ ଅସୁସ୍ଥ ଅବସ୍ଥାରେ ହିଁ ନିଜ ଦେଶକୁ ଫେରିଯିବେ । ଏହି ସମୟରେ ତାଙ୍କ ସେବକମାନେ ସୁବୁଦ୍ଧିର ସହ କାମ କଲେ ଏବଂ ତାଙ୍କୁ ନିଜ ନିଷ୍ପତ୍ତି ବିଷୟରେ ପୁଣିଥରେ ଭାବିବା ପାଇଁ ଅନୁରୋଧ କଲେ । ନାମାନ୍‌ ଅହଂକାରୀ ନ ହୋଇ ନମ୍ର ସହକାରେ ଇଲୀଶାୟଙ୍କର କଥା ମାନିଲେ । ଏହାର ଭଲ ପରିଣାମ ଦେଖିବାକୁ ମିଳିଲା । ସେ ପୂରାପୂରି ସୁସ୍ଥ ହୋଇଗଲେ !—୨ ରାଜାବଳୀ ୫:୧୩, ୧୪ ପଢ଼ନ୍ତୁ ।

୭. ନାମାନ୍‌ଙ୍କ ଘଟଣାରୁ ଆମେ କʼଣ ଶିଖୁ ? (ହିତୋପଦେଶ ୨୨:୪) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୭ ଆମେ କʼଣ ଶିଖୁ ? ସୁବୁଦ୍ଧି ଥିଲେ ଆମେ କିଛି ବି କରିବା ପୂର୍ବରୁ ସେବିଷୟରେ ଭଲଭାବେ ଭାବିବା । ତାʼସହିତ ଆମେ କେବେ ବି ଭାବନାରେ ବହି ନିଷ୍ପତ୍ତି ନେବା ନାହିଁ, ବରଂ ଆମେ ନମ୍ର ରହିବା । ଏହାର ଅର୍ଥ ଆମେ ମାନିବା ଯେ ଆମକୁ ସବୁକିଛି ଜଣାନାହିଁ । ତାʼସହିତ ଆମେ ଏହା ବି ମାନିବା ଯେ କୌଣସି ମାମଲାକୁ ଭଲଭାବେ ବୁଝିବା ପାଇଁ ଆମକୁ ଅନ୍ୟମାନଙ୍କର ସାହାଯ୍ୟ ଦରକାର, ବିଶେଷ କରି ଯିହୋବାଙ୍କ ସାହାଯ୍ୟ । ନାମାନ୍‌ ଏବେ ପର୍ଯ୍ୟନ୍ତ ଯିହୋବାଙ୍କ ଉପାସକ ହୋଇ ନ ଥିଲେ । ତଥାପି ସେ ସୁବୁଦ୍ଧିର ସହ କାମ କଲେ ଏବଂ ନମ୍ର ହୋଇ ଅନ୍ୟମାନଙ୍କର କଥା ମାନିଲେ । ଯେପରି, ନାମାନ୍‌ ଇସ୍ରାଏଲୀୟ ଝିଅର, ନିଜ ସେବକମାନଙ୍କର, ବିଶେଷ କରି ଇଲୀଶାୟଙ୍କ କଥା ମାନିଲେ ଯିଏ ଯିହୋବାଙ୍କ ତରଫରୁ କହୁଥିଲେ । ନାମାନ୍‌ କେବଳ ଏବିଷୟରେ ଭାବିଲେ ନାହିଁ ଯେ ତାଙ୍କୁ କେତେ ଦୁଃଖ ପହଞ୍ଚିଲା । ତେଣୁ ସେ ଶେଷରେ ଭଲ ନିଷ୍ପତ୍ତି ନେଇପାରିଲେ ଏବଂ ସୁସ୍ଥ ହେଲେ । ଆମକୁ ବି ପ୍ରତ୍ୟେକ ମାମଲା ବିଷୟରେ କିଛି ସମୟ ରହି ଭାବିବା ବହୁତ ଜରୁରୀ । ଯେବେ ଆମକୁ ବାଇବଲରୁ କୌଣସି ପରାମର୍ଶ ଦିଆଯାଏ ଯାହା ଆମକୁ ଭଲ ଲାଗେନି କିମ୍ବା ସଂଗଠନରୁ କୌଣସି ନିର୍ଦ୍ଦେଶ ମିଳେ ଯାହା ଆମକୁ ବୁଝାପଡ଼େନି, ତେବେ ବି ଆମକୁ କିଛି ସମୟ ରହି ଏବିଷୟରେ ଭାବିବା ଉଚିତ୍‌, ‘ମୁଁ ଯାହା କହିବି ବା ଯାହା କରିବି, ସେଥିରୁ କʼଣ ଜଣାପଡ଼ିବ ? ମୁଁ ଜଣେ ଅହଂକାରୀ ବ୍ୟକ୍ତି ନା ନମ୍ର ବ୍ୟକ୍ତି ଅଟେ ?’—ହିତୋପଦେଶ ୨୨:୪ ପଢ଼ନ୍ତୁ ।

ଚିତ୍ରଗୁଡ଼ିକ: ଜଣେ ଭାଇ ନମ୍ର ହୋଇ ଅନ୍ୟମାନଙ୍କ କଥା ପ୍ରତି ଧ୍ୟାନ ଦେଉଛନ୍ତି । ଏପରି କରି ସେ ଦେଖାଉଛନ୍ତି ଯେ ତାଙ୍କଠାରେ ସୁବୁଦ୍ଧି ଅଛି । ୧. ସେ ଯୁବା ଭାଇଙ୍କ କଥା ଧ୍ୟାନର ସହ ଶୁଣୁଛନ୍ତି, ଯିଏ ତାଙ୍କୁ “ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ” ପୁସ୍ତିକାରୁ ପରାମର୍ଶ ଦେଉଛନ୍ତି । ୨. ସେ ଜଣେ ବୃଦ୍ଧା ଭଉଣୀଙ୍କ କଥା ଶୁଣୁଛନ୍ତି । ମଣ୍ଡଳୀରେ କାର୍ଟ ଲଗାଇ ସାକ୍ଷ୍ୟ ଦେବାର ବ୍ୟବସ୍ଥା ବିଷୟରେ ଭଉଣୀ ତାଙ୍କୁ କିଛି କହୁଛନ୍ତି । ୩. ସେ ନିଜ ଟ୍ୟାବଲେଟରେ JW ବ୍ରୋଡକାଷ୍ଟିଙ୍ଗ୍‌ରେ କାର୍ଯ୍ୟକ୍ରମକୁ ଧ୍ୟାନର ସହ ଦେଖୁଛନ୍ତି ।

ନାମାନ୍‌ଙ୍କ ଭଳି ଆମକୁ ନମ୍ର ହୋଇ ଅନ୍ୟମାନଙ୍କ କଥା ଶୁଣିବା ଉଚିତ୍‌ । ବିଶେଷ କରି ଯେବେ ଆମକୁ କେହି ପରାମର୍ଶ ଦିଅନ୍ତି, କୌଣସି କଥା କହନ୍ତି କିମ୍ବା ସଂଗଠନରୁ କୌଣସି ନିର୍ଦ୍ଦେଶ ମିଳେ (ପାରାଗ୍ରାଫ ୭)


କ୍ରୋଧିତ ନ ହୋଇ ଶାନ୍ତିର ସହ କାମ କରନ୍ତୁ

୮. ଆମକୁ କେବେ ଶାନ୍ତ ରହିବା କଠିନ ଲାଗିପାରେ ?

୮ ଯଦି ସୁବୁଦ୍ଧି ଥାଏ, ତାହେଲେ ଆମେ କ୍ରୋଧିତ ଥିବା ସମୟରେ ବି ଶାନ୍ତ ରହିପାରିବା । ଏହା ସତ ଯେ ଏପରି କରିବା ସବୁବେଳେ ସହଜ ହୋଇ ନ ଥାଏ । ବିଶେଷ କରି, ଯେବେ କେହି ଆମ ସହିତ ଖରାପ ବ୍ୟବହାର କରନ୍ତି କିମ୍ବା ଏପରି କଥା କହନ୍ତି ଯେଉଁଥିରୁ ଆମେ ଚିଡ଼ିଯାଉ, ତେବେ ଆମକୁ ଲାଗିପାରେ ଯେ ଆମର କ୍ରୋଧିତ ହେବା ଠିକ୍‌ ଥିଲା । (ଏଫି. ୪:୨୬) ଆସନ୍ତୁ ଦେଖିବା ଯେ ଥରେ ଦାଉଦ ଓ ଅବୀଗଲ କିପରି ସୁବୁଦ୍ଧିର ସହ କାମ କଲେ ।

୯. ଦାଉଦଙ୍କ ଅନୁରୋଧ ଶୁଣି ନାବଲ କʼଣ କଲେ ?

୯ ଭାବନ୍ତୁ ଯେ ଦାଉଦଙ୍କ ସହ କʼଣ ହେଲା । ସେ ଓ ତାଙ୍କ ଲୋକମାନେ ଶାଉଲଙ୍କଠାରୁ ଜୀବନ ରକ୍ଷା କରି ପାରଣ୍‌ ନାମକ ପ୍ରାନ୍ତରରେ ରହୁଥିଲେ । (୧ ଶାମୁ. ୨୫:୧) ସେଠାରେ ସେମାନେ ନାବଲ ନାମକ ଜଣେ ଧନୀ ବ୍ୟକ୍ତିର ମେଷ ଓ ମେଷପାଳକମାନଙ୍କର ଯତ୍ନ ନେଲେ । (୧ ଶାମୁ. ୨୫:୧୫, ୧୬) ଯେବେ ମେଷମାନଙ୍କର ଲୋମ କାଢ଼ିବାର ସମୟ ଆସିଲା, ତେବେ ଦାଉଦ ନିଜର କିଛି ଲୋକଙ୍କୁ ନାବଲଙ୍କ ପାଖକୁ ପଠାଇଲେ । ସେମାନେ ନାବଲଙ୍କ ସହିତ ଆଦରର ସହ କଥା ହେଲେ ଏବଂ ତାଙ୍କୁ ଅନୁରୋଧ କଲେ ଯେ ତାଙ୍କ ପାଖରେ ଖାଇବା ପିଇବାର ଯାହା ବି ସାମଗ୍ରୀ ଅଛି, ସେମଧ୍ୟରୁ କିଛି ସେମାନଙ୍କୁ ବି ଦିଅନ୍ତୁ । (୧ ଶାମୁ. ୨୫:୬-୮) କିନ୍ତୁ ନାବଲ ସେମାନଙ୍କ ସହିତ ଖରାପ ବ୍ୟବହାର କଲେ । ଦାଉଦ ଓ ତାଙ୍କ ଲୋକମାନେ ନାବଲଙ୍କ ପାଇଁ ବହୁତ କିଛି କରିଥିଲେ, କିନ୍ତୁ ନାବଲ ସେଗୁଡ଼ିକ ପାଇଁ କୃତଜ୍ଞ ମନେ କଲେନି । ସେ ଦାଉଦଙ୍କ ଅନୁରୋଧକୁ ସ୍ୱୀକାର କଲେ ନାହିଁ । ଏପରିକି ନାବଲ ଦାଉଦଙ୍କର ଓ ତାଙ୍କ ଲୋକମାନଙ୍କର ଅପମାନ କଲେ ।—୧ ଶାମୁ. ୨୫:୧୦, ୧୧.

୧୦. ଅବୀଗଲ ଓ ଦାଉଦ କିପରି ସୁବୁଦ୍ଧିର ସହ କାମ କଲେ ? (୧ ଶାମୁୟେଲ ୨୫:୩୨, ୩୩) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଯଦି ଆପଣ ଦାଉଦଙ୍କ ଜାଗାରେ ଥାʼନ୍ତେ, ତାହେଲେ ଆପଣଙ୍କୁ କିପରି ଲାଗନ୍ତା ? ଆପଣ ନିଶ୍ଚୟ ବୁଝିପାରୁଥିବେ ଯେ ଦାଉଦ କାହିଁକି କ୍ରୋଧିତ ହୋଇଯାଇଥିବେ । ସେ ନିଜ ଭାବନାକୁ ଲୁଚାଉ ନ ଥିଲେ । ତେଣୁ ଯେବେ ନାବଲ ସେମାନଙ୍କ ସହିତ ଖରାପ ବ୍ୟବହାର କଲେ, ତେବେ ଦାଉଦଙ୍କୁ ବହୁତ ରାଗ ଲାଗିଲା ଏବଂ ସେ ନାବଲଙ୍କୁ ମାରିଦେବା ପାଇଁ ଚାହୁଁଥିଲେ ! (୧ ଶାମୁ. ୨୫:୧୩, ୨୧, ୨୨) ତେଣୁ ଦାଉଦ ନିଜ ଲୋକମାନଙ୍କ ସହିତ ମିଶି ନାବଲଙ୍କୁ ମାରିବା ପାଇଁ ଗଲେ, କିନ୍ତୁ ଠିକ୍‌ ସେସମୟରେ ସେ ନାବଲଙ୍କ ସ୍ତ୍ରୀ ଅବୀଗଲଙ୍କୁ ଭେଟିଲେ । ଅବୀଗଲ କିପରି ଭାବିଚିନ୍ତି ଓ ସୁବୁଦ୍ଧିର ସହ କାମ କଲେ ? ସେ ବୁଝିଗଲେ ଯେ ଦାଉଦ ଜଣେ ଭଲ ବ୍ୟକ୍ତି ଅଟନ୍ତି ଏବଂ ସେ କାହିଁକି ଏତେ କ୍ରୋଧିତ ଅଛନ୍ତି । ତେଣୁ ଅବୀଗଲ ଦାଉଦଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଯାହା ବି କରିପାରିଥାʼନ୍ତେ, ସେ ସବୁକିଛି କଲେ । ସେ ଉପହାରରେ ସେମାନଙ୍କ ପାଇଁ ଅନେକଗୁଡ଼ିଏ ଖାଇବା ପିଇବାର ଜିନିଷ ଆଣିଲେ । ସେ ଦାଉଦଙ୍କ ସହ ନମ୍ର ହୋଇ କଥା ହେଲେ ଏବଂ ତାଙ୍କୁ ଭଲ ପରାମର୍ଶ ଦେଲେ । (୧ ଶାମୁ. ୨୫:୧୮, ୨୩-୩୧) ଦାଉଦ ମଧ୍ୟ ସୁବୁଦ୍ଧିର ସହ କାମ କଲେ । ସେ ଅବୀଗଲଙ୍କ କଥା ଧ୍ୟାନର ସହ ଶୁଣିଲେ ଏବଂ ତାଙ୍କ କଥାରୁ ବୁଝିଗଲେ ଯେ ଯିହୋବା ତାଙ୍କଠାରୁ କʼଣ ଚାହାନ୍ତି । କିଛି ସମୟ ରହି ଭାବିବା ଯୋଗୁଁ କେତେ ଲାଭ ହେଲା ! ଦାଉଦଙ୍କ କ୍ରୋଧ ଶାନ୍ତ ହୋଇଗଲା ଏବଂ ସେ ଗୋଟିଏ ବଡ଼ ପାପ କରିବାରୁ ରକ୍ଷା ପାଇଲେ ।—୧ ଶାମୁୟେଲ ୨୫:୩୨, ୩୩ ପଢ଼ନ୍ତୁ ।

ଅବୀଗଲ ଦାଉଦଙ୍କ ସାମନାରେ ନଇଁ ପଡ଼ି ଅନୁରୋଧ କରୁଛନ୍ତି ଏବଂ ସେ ଧ୍ୟାନର ସହ ତାଙ୍କ କଥା ଶୁଣୁଛନ୍ତି । ପାଖରେ ଦାଉଦଙ୍କ ଲୋକମାନେ ଛିଡ଼ା ହୋଇଛନ୍ତି ଏବଂ ସବୁକିଛି ଦେଖୁଛନ୍ତି । ଅବୀଗଲଙ୍କ ସେବକମାନେ ଅନେକ ଉପହାର ନେଇ ତାଙ୍କ ପଛରେ ଛିଡ଼ା ହୋଇଛନ୍ତି ଏବଂ ତାଙ୍କ ଅପେକ୍ଷା କରୁଛନ୍ତି ।

ଦାଉଦ ଓ ଅବୀଗଲ, ସୁବୁଦ୍ଧିର ସହ କାମ କଲେ । ତେଣୁ ଅନେକ ଲୋକଙ୍କ ଜୀବନ ରକ୍ଷା ହେଲା (ପାରାଗ୍ରାଫ ୧୦)


୧୧. ଯେବେ କେହି ଆମକୁ କ୍ରୋଧିତ କରାନ୍ତି, ତେବେ ସୁବୁଦ୍ଧି ଥିଲେ ଆମେ କʼଣ କରିବା ? (ହିତୋପଦେଶ ୧୯:୧୧)

୧୧ ଆମେ କʼଣ ଶିଖୁ ? ସୁବୁଦ୍ଧି ଥିଲେ ଆମେ ଅନ୍ୟମାନଙ୍କ ସହିତ ସେସମୟରେ ବି ଶାନ୍ତି ବଜାୟ ରଖିପାରିବା, ଯେବେ ଆମ ପାଖରେ କ୍ରୋଧିତ ହେବାର କାରଣ ଥିବ । କିଛି ସମୟ ରହି ସେବିଷୟରେ ଭାବିଲେ ଆମେ ଜାଣିପାରିବା ଯେ ଆମ କଥା ବା କାମର କʼଣ ପରିଣାମ ହୋଇପାରେ । (ହିତୋପଦେଶ ୧୯:୧୧ ପଢ଼ନ୍ତୁ ।) ଯେବେ ଅବୀଗଲ ଦାଉଦଙ୍କୁ ବୁଝିବା ପାଇଁ ସାହାଯ୍ୟ କଲେ ଯେ ସେ ଯାହା କରିବା ପାଇଁ ଭାବୁଛନ୍ତି ସେଥିରୁ ଯିହୋବାଙ୍କୁ କିପରି ଲାଗିବ, ତେବେ ଦାଉଦ ନିଜକୁ କାବୁରେ ରଖିପାରିଲେ । ଯଦି କେହି ଆପଣଙ୍କୁ କ୍ରୋଧିତ କରାନ୍ତି, ତାହେଲେ ହୁଏତ ଆପଣଙ୍କୁ ବି ତୁରନ୍ତ କିଛି କହିଦେବା ପାଇଁ ଇଚ୍ଛା ହୋଇପାରେ, କିନ୍ତୁ କ୍ରୋଧିତ ହୋଇ କିମ୍ବା ଭାବନାରେ ବହି କିଛି ବି କରନ୍ତୁ ନାହିଁ । (ଯାକୁ. ୧:୧୯) କିଛି ସମୟ ରହି ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ଭାବନ୍ତୁ ଯେ ସେ ଆପଣଙ୍କଠାରୁ କʼଣ ଚାହାନ୍ତି । ଏପରି କଲେ ଆପଣ ଭାବିଚିନ୍ତି କାମ କରିପାରିବେ ।

୧୨. ସୁବୁଦ୍ଧିର ସହ କାମ କରିବାରେ ଏବଂ ଶାନ୍ତ ରହିବାରେ ଅନ୍ୟମାନେ କିପରି ଆମକୁ ସାହାଯ୍ୟ କରିପାରିବେ ?

୧୨ ଯେପରି ଯିହୋବା ଅବୀଗଲଙ୍କ ଜରିଆରେ ଦାଉଦଙ୍କୁ ସୁବୁଦ୍ଧିର ସହ କାମ କରିବା ପାଇଁ ସାହାଯ୍ୟ କଲେ, ଠିକ୍‌ ସେହିପରି ଯିହୋବା ଅନ୍ୟମାନଙ୍କ ଜରିଆରେ ଆମକୁ ଏହା ବୁଝିବା ପାଇଁ ସାହାଯ୍ୟ କରିପାରିବେ ଯେ ସେ କʼଣ ଭାବନ୍ତି । ସେଥିପାଇଁ କ୍ରୋଧିତ ହେଲେ ତୁରନ୍ତ କିଛି କରିବା ପରିବର୍ତ୍ତେ କୌଣସି ପ୍ରୌଢ଼ ଭାଇ କିମ୍ବା ଭଉଣୀଙ୍କ ସହ କଥା ହୁଅନ୍ତୁ । ତାଙ୍କ ସାହାଯ୍ୟରୁ ଆପଣ କୌଣସି ମାମଲାକୁ ଯିହୋବାଙ୍କ ଦୃଷ୍ଟିରୁ ଦେଖିପାରିବେ । (ହିତୋ. ୧୨:୧୫; ୨୦:୧୮) ଅନ୍ୟପକ୍ଷରେ ଯଦି ଆପଣ ଦେଖନ୍ତି ଯେ ଆପଣଙ୍କ ସାଙ୍ଗ ଚିନ୍ତିତ ଅଛନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଆପଣ ଅବୀଗଲଙ୍କ ଭଳି ତାଙ୍କୁ ସାହାଯ୍ୟ କରିପାରିବେ, ଯାହାଫଳରେ ସେ ଯିହୋବାଙ୍କ ଭଳି ଭାବିପାରିବେ, ସୁବୁଦ୍ଧିର ସହ କାମ କରିପାରିବେ ଓ ଶାନ୍ତ ରହିପାରିବେ । ଏପରି କରିବା ପାଇଁ ଯିହୋବା ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ଆପଣ ସଠିକ୍‌ ଭାବରେ ନିଜ କଥା କହିପାରିବେ ।

ଭୟଭୀତ ନ ହୋଇ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

୧୩. ସୁବୁଦ୍ଧି ଥିଲେ ଆମେ କିପରି ଡରକୁ କାବୁ କରିପାରିବା ?

୧୩ ହୁଏତ ଆମ ସାମନାରେ ଏପରି ପରିସ୍ଥିତି ଆସିପାରେ, ଯେବେ ଆମକୁ ବହୁତ ଡର ଲାଗିପାରେ । କିନ୍ତୁ ସୁବୁଦ୍ଧି ଥିଲେ ଆମେ ଡରିବା ପରିବର୍ତ୍ତେ ଯିହୋବାଙ୍କ ଉପରେ ଭରସା ରଖିବା । ଦୁନିଆର ଘଟଣାଗୁଡ଼ିକୁ ଦେଖି ହୁଏତ ଆମେ ଡରି ଯାଇପାରୁ, କିନ୍ତୁ ଆମେ ମନେ ରଖିବା ଯେ ସର୍ବଶକ୍ତିମାନ ଯିହୋବା ଆମ ସାଙ୍ଗରେ ଅଛନ୍ତି । (ଗୀତ. ୨୭:୧) ହୁଏତ ଆମକୁ ସମସ୍ୟା ସମୟରେ ଲାଗିପାରେ ଯେ ଆମ ପାଖରେ କୌଣସି ଆଶା ନାହିଁ, କିନ୍ତୁ ଯିହୋବା ସେସମୟରେ ବି ଆମକୁ ସମ୍ଭାଳିପାରିବେ । ଭବିଷ୍ୟଦ୍‌ବକ୍ତା ଯୂନସଙ୍କ ସହିତ ବି ଏପରି ହେଲା । ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ, କିନ୍ତୁ ତାଙ୍କଠାରେ ସୁବୁଦ୍ଧିର ଅଭାବ ଥିଲା । ଆସନ୍ତୁ ଦେଖିବା ଯେ ସେ କିପରି ସୁବୁଦ୍ଧିର ସହ କାମ କରି ଯିହୋବା ଦେଇଥିବା ଗୋଟିଏ କଠିନ ଦାୟିତ୍ୱକୁ ତୁଲାଇଲେ ।

୧୪. ଯୂନସଙ୍କୁ କାହିଁକି ଯିହୋବାଙ୍କ ଆଜ୍ଞା ପାଳନ କରିବା କଠିନ ଲାଗୁଥିଲା ?

୧୪ ଯିହୋବା ଯୂନସଙ୍କୁ ନୀନିବୀକୁ ଯାଇ ସେଠାର ଲୋକମାନଙ୍କୁ ଏହା କହିବା ପାଇଁ କହିଲେ ଯେ ସେ ଖୁବ୍‌ ଶୀଘ୍ର ସେମାନଙ୍କୁ ଦଣ୍ଡ ଦେବେ । ଯୂନସଙ୍କ ପାଇଁ ଏପରି କରିବା ବହୁତ କଠିନ ଥିଲା । (ଯୂନ. ୧:୧, ୨) ଭାବନ୍ତୁ ଯଦି ଆପଣଙ୍କୁ ଏହି ଦାୟିତ୍ୱ ମିଳନ୍ତା, ତାହେଲେ ଆପଣଙ୍କୁ କିପରି ଲାଗିଥାʼନ୍ତା ? ଯୂନସଙ୍କୁ ଇସ୍ରାଏଲରୁ ନୀନିବୀ ପର୍ଯ୍ୟନ୍ତ ଚାଲି ଚାଲି ଯିବା ପାଇଁ ପ୍ରାୟ ଗୋଟିଏ ମାସ ଲାଗିଥାʼନ୍ତା, କିନ୍ତୁ ତାଙ୍କୁ ଏହି ଯାତ୍ରା ଅପେକ୍ଷା ଏହି ଦାୟିତ୍ୱକୁ ତୁଲାଇବା କଠିନ ଲାଗିଥିବ । କାରଣ ନୀନିବୀର ଲୋକମାନେ ବହୁତ ହିଂସ୍ରକ ଓ କ୍ରୁର ଥିଲେ । ସେଥିପାଇଁ ସେ ଭାବୁଥିବେ ଯେ ସେ କିପରି ନୀନିବୀର ଲୋକମାନଙ୍କୁ ଯିହୋବାଙ୍କ ସନ୍ଦେଶ ଶୁଣାଇବେ । ଏପରିକି ସେହି ସହରକୁ “ରକ୍ତପାତୀ ନଗର” ବୋଲି କୁହାଯାଉଥିଲା । (ନାହୂ. ୩:୧, ୭) ସେଥିପାଇଁ ଯୂନସ ଯିହୋବାଙ୍କ ଆଜ୍ଞା ପାଳନ କରିବା ପରିବର୍ତ୍ତେ ଓଲଟା ଦିଗକୁ ପଳାଇଗଲେ ।—ଯୂନ. ୧:୩.

୧୫. ଯୂନସ କିପରି ଯିହୋବାଙ୍କ ଉପରେ ଭରସା ବଢ଼ାଇପାରିଲେ ? (ଯୂନସ ୨:୬-୯)

୧୫ ଯୂନସ ଯିହୋବାଙ୍କଠାରୁ ଦୂରକୁ ପଳାଇବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଆସିଲା । କିନ୍ତୁ ଯିହୋବା ଅଦ୍ଭୁତ ଭାବରେ ତାଙ୍କ ଜୀବନ ରକ୍ଷା କଲେ ଏବଂ ତାଙ୍କୁ ଏହା ମନେ ପକାଇ ଦେଲେ ଯେ ସେ କେତେ ଶକ୍ତିଶାଳୀ ଅଟନ୍ତି । (ଯୂନ. ୧:୧୫, ୧୭) ଏଥିରୁ ଯୂନସ ଗୋଟିଏ ଜରୁରୀ କଥା ଶିଖିଲେ । ସେ ବୁଝିପାରିଲେ ଯେ ତାଙ୍କୁ ନୀନିବୀ ଯିବା ପାଇଁ ଡରିବା ପରିବର୍ତ୍ତେ ଏହି ଦାୟିତ୍ୱକୁ ତୁଲାଇବା ଉଚିତ୍‌ । ସେ ଏହି କଥା ଉପରେ ବି ଧ୍ୟାନ ଲଗାଇ ରଖିଲେ ଯେ ଯିହୋବା ତାଙ୍କୁ ପ୍ରତ୍ୟେକ ବିପଦରୁ ରକ୍ଷା କରିପାରିବେ । (ଯୂନସ ୨:୬-୯ ପଢ଼ନ୍ତୁ ।) ଏହାପରେ ଯିହୋବା ତାଙ୍କୁ ଆଉ ଏକ ସୁଯୋଗ ଦେଲେ । ଏଥର ଯୂନସ ଡର ଯୋଗୁଁ ପଛଘୁଞ୍ଚା ଦେଲେ ନାହିଁ । ସେ ନୀନିବୀକୁ ଗଲେ ଏବଂ ସାହସର ସହ ପ୍ରଚାର କଲେ, ତେଣୁ ଲୋକମାନଙ୍କ ଜୀବନ ରକ୍ଷା ହେଲା ।—ଯୂନ. ୩:୫.

୧୬. ଯେବେ ଆମକୁ ଡର ଲାଗେ, ତେବେ ସୁବୁଦ୍ଧି ଥିଲେ ଆମେ କʼଣ କରିପାରିବା ? (ହିତୋପଦେଶ ୨୯:୨୫) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୬ ଆମେ କʼଣ ଶିଖୁ ? ଆମେ କେବେ ବି ଏପରି ଚାହିଁବାନି ଯେ ମଣିଷମାନଙ୍କ ଡର ଯୋଗୁଁ ଆମେ ଯିହୋବାଙ୍କ ସେବା କରିବା ଛାଡ଼ିଦେଉ । (ହିତୋପଦେଶ ୨୯:୨୫ ପଢ଼ନ୍ତୁ ।) ସୁବୁଦ୍ଧିର ସହ କାମ କରିବା ଯୋଗୁଁ ଯୂନସ ନିଜ ସମସ୍ୟାଗୁଡ଼ିକ ପରିବର୍ତ୍ତେ ଯିହୋବାଙ୍କ ଉପରେ ଧ୍ୟାନ ଲଗାଇ ରଖିପାରିଲେ । ଠିକ୍‌ ସେହିଭଳି ଯେବେ ଆମକୁ ଡର ଲାଗେ, ତେବେ ଆମକୁ ବି ଏହା ମନେ ପକାଇବା ଉଚିତ୍‌ ଯେ ଯିହୋବା ପୂର୍ବେ କିପରି ଆମକୁ ସମ୍ଭାଳି ଥିଲେ ଏବଂ ଆମକୁ ସୁରକ୍ଷା ଦେଇଥିଲେ । ଆମେ ସେହି ଭାଇଭଉଣୀମାନଙ୍କ ବିଷୟରେ ବି ଭାବିପାରିବା, ଯେଉଁମାନେ କଠିନ ଦାୟିତ୍ୱ ତୁଲାଇବା ସମୟରେ ଯିହୋବାଙ୍କ ଉପରେ ପୂରା ଭରସା ରଖିଲେ ଏବଂ ଯିହୋବା ସେମାନଙ୍କ ଯତ୍ନ ନେଲେ ଓ ସେମାନଙ୍କୁ ଶକ୍ତି ଦେଲେ । (ଏବ୍ରୀ ୧୩:୬) ଆମେ ବି ଯିହୋବାଙ୍କ ଉପରେ ପୂରା ଭରସା ରଖି ଦେଖାଇପାରିବା ଯେ ଆମଠାରେ ସୁବୁଦ୍ଧି ଅଛି । ତାʼସହିତ ଆମେ ଅନ୍ୟମାନଙ୍କୁ ବି ସୁବୁଦ୍ଧିର ସହ କାମ କରିବା ପାଇଁ ଶିଖାଇପାରିବା ।

ଚିତ୍ରଗୁଡ଼ିକ: ୧. ଭବିଷ୍ୟଦ୍‌ବକ୍ତା ଯୂନସ ନୀନିବୀ ସହରର ଫାଟକ ଆଡ଼କୁ ଯାଉଛନ୍ତି । ୨. ଜଣେ ପୁଅ ସ୍କୁଲ ଭିତରକୁ ଯିବା ସମୟରେ ତାଙ୍କ ଆଖପାଖରେ ଏପରି କାମଗୁଡ଼ିକ ହେଉଛି ଯାହା ଯିହୋବାଙ୍କୁ ପସନ୍ଦ ନାହିଁ । ଚାରିଆଡ଼େ ସମଲିଙ୍ଗୀ ଲୋକମାନଙ୍କ ଇନ୍ଦ୍ରଧନୁ ପତାକା ଲଗା ହୋଇଛି । ଜଣେ ପୁଅ ଅନ୍ୟ ପୁଅକୁ ହଇରାଣ କରୁଛି ।

ଯୂନସଙ୍କଠାରୁ ଆମେ ଶିଖିଲୁ ଯେ ସୁବୁଦ୍ଧିର ସହ କାମ କଲେ ଆମେ ଯିହୋବାଙ୍କ ନିର୍ଦ୍ଦେଶ ମାନିପାରିବା ଏବଂ ସମସ୍ୟା ସମୟରେ ସଠିକ୍‌ କାମ କରିପାରିବା (ପାରାଗ୍ରାଫ ୧୬)


ସୁବୁଦ୍ଧିକୁ ବଢ଼ାଇବା ଜାରି ରଖନ୍ତୁ

୧୭. ସୁବୁଦ୍ଧି ବଢ଼ାଇବା ପାଇଁ ଆମେ କʼଣ କରିପାରିବା ?

୧୭ ଏହି ଲେଖାରେ ଆମେ ଶିଖିଲୁ ଯେ ସୁବୁଦ୍ଧି ଥିଲେ ଆମେ ସମସ୍ୟାଗୁଡ଼ିକର ଭଲଭାବେ ସାମନା କରିପାରିବା । କିନ୍ତୁ ସୁବୁଦ୍ଧି ବଢ଼ାଇବା ପାଇଁ ଆମେ କʼଣ କରିପାରିବା ? ଯିହୋବା ଆମକୁ ସାହାଯ୍ୟ କରିପାରିବେ କାରଣ ସେ ହିଁ ସୁବୁଦ୍ଧି ଦିଅନ୍ତି । ଏପରି ସେ ନିଜ ବାକ୍ୟ ଓ ପବିତ୍ର ଶକ୍ତି ଜରିଆରେ କରନ୍ତି । (ନିହି. ୯:୨୦; ଗୀତ. ୩୨:୮) ସେ ଆମକୁ ଏପରି ପରାମର୍ଶ ଦିଅନ୍ତି, ଯାହା ସାହାଯ୍ୟରୁ ଆମେ ସଠିକ୍‌ ବାଟରେ ଯାଇପାରୁ ଏବଂ ଭାବନାରେ ବହି କୌଣସି ନିଷ୍ପତ୍ତି ନେଇ ନ ଥାଉ । (ଗୀତ. ୧୧୯:୯୭-୧୦୧) ବାଇବଲରେ ଯାହା ବି କୁହାଯାଇଛି ସେବିଷୟରେ ଭାବିଲେ ଓ ଯିହୋବାଙ୍କଠାରୁ ପବିତ୍ର ଶକ୍ତି ମାଗିଲେ ଆମେ ଲଗାତାର ସୁବୁଦ୍ଧି ବଢ଼ାଇପାରିବା । ଏପରି କଲେ ଆମେ କୌଣସି ମାମଲାକୁ ଯିହୋବାଙ୍କ ଦୃଷ୍ଟିରୁ ଦେଖିପାରିବା ଏବଂ ସେ ଯେପରି ଚାହାନ୍ତି ସେପରି କରିପାରିବା ।—ହିତୋ. ୨୧:୧୧.

୧୮. ଆପଣ କʼଣ କରିବା ପାଇଁ ଭାବିଛନ୍ତି ?

୧୮ ହେଲେ ଆସନ୍ତୁ ଆମେ ଯିହୋବାଙ୍କଠାରୁ ମିଳୁଥିବା ସୁବୁଦ୍ଧିକୁ କେବେ ବି ସାଧାରଣ କଥା ଭାବିବା ନାହିଁ, ବରଂ ସବୁବେଳେ ଏହାକୁ ଗୁରୁତ୍ୱ ଦେବା । (ଗୀତ. ୧୪:୨) ଏପରି କଲେ ଆମେ ‘ବୁଦ୍ଧିର ପଥରୁ’ କେବେ ବି ବାଟବଣା ହେବା ନାହିଁ । (ହିତୋ. ୨୧:୧୬) ଆମେ ସବୁ ସମୟରେ ଓ ପ୍ରତ୍ୟେକ ପରିସ୍ଥିତିରେ ସଠିକ୍‌ ନିଷ୍ପତ୍ତି ନେଇପାରିବା ଏବଂ ଯିହୋବାଙ୍କ “ଅନୁଗ୍ରହ” ପାଇପାରିବା ।

ଆମେ କିପରି ଏହି ବ୍ୟକ୍ତିମାନଙ୍କ ଭଳି ସୁବୁଦ୍ଧିର ସହ କାମ କରିପାରିବା . . .

  • ନାମାନ୍‌ ?

  • ଦାଉଦ ଓ ଅବୀଗଲ ?

  • ଯୂନସ ?

ଗୀତ ୪୪ ନମ୍ର ଲୋକର ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ