ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ମାର୍ଚ୍ଚ ପୃଷ୍ଠା ୧୪-୧୯
  • ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କେଉଁ କଥାଗୁଡ଼ିକ ଯୋଗୁଁ ଯିହୋବାଙ୍କ ସେବାରୁ ଆମ ଧ୍ୟାନ ହଟିଯାଇପାରେ ?
  • ଯୀଶୁ କିପରି ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିପାରିଲେ ?
  • ଆମେ କିପରି ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିପାରିବା ?
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ମାର୍ଚ୍ଚ ପୃଷ୍ଠା ୧୪-୧୯

୧୮-୨୪ ମେ, ୨୦୨୬

ଗୀତ ୩୫ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଚିହ୍ନନ୍ତୁ

ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହନ୍ତୁ

“ପ୍ରଭୁଙ୍କର ଇଚ୍ଛା କଅଣ, ତାହା ବୁଝ ।”—ଏଫି. ୫:୧୭.

କʼଣ ଶିଖିବା ?

ଆଜି ଅନେକ କଥା ଯିହୋବାଙ୍କ ସେବାରୁ ଆମ ଧ୍ୟାନ ହଟାଇପାରେ, ତଥାପି ଆମେ କିପରି ତାଙ୍କ ସେବାରେ ଲାଗି ରହିପାରିବା ?

୧-୨. ଉଦାହରଣ ଦେଇ ବୁଝାନ୍ତୁ ଯେ କିପରି ଜରୁରୀ କାମଗୁଡ଼ିକ ମଧ୍ୟ ଯିହୋବାଙ୍କ ସେବାରୁ ଆମ ଧ୍ୟାନ ହଟାଇ ଦେଇପାରେ ?

ଭାବନ୍ତୁ, ଆପଣ ଗାଡ଼ି ଚଳାଉଥିବା ସମୟରେ ଆପଣଙ୍କର ଫୋନ୍‌ ଆସେ । ହୁଏତ ସେହି ଫୋନ୍‌ ଜରୁରୀ ଥାଇପାରେ, କିନ୍ତୁ ସେହି ସମୟରେ ଗାଡ଼ି ଚଳାଇବା ଉପରେ ଧ୍ୟାନ ଦେବା ଅଧିକ ଜରୁରୀ ହୋଇଥାଏ । ଠିକ୍‌ ସେହିପରି, ପ୍ରତିଦିନ ଆମ ଜୀବନରେ ଅନେକ କାମ ଥାଏ, କିନ୍ତୁ ଆମକୁ ଭାବିବାକୁ ପଡ଼େ ଯେ କେଉଁ କାମ କରିବା ଜରୁରୀ ଏବଂ କେଉଁ କଥାଗୁଡ଼ିକ ଯୋଗୁଁ ଆମର ଧ୍ୟାନ ଜରୁରୀ କାମଗୁଡ଼ିକରୁ ହଟିଯାଇପାରେ ।

୨ ଆମ ଜୀବନରେ ଅନେକ ଜରୁରୀ କାମ ଥାଏ । କିନ୍ତୁ ଆମେ ଜାଣିଛୁ ଯେ ଆମ ପାଇଁ ସବୁଠୁ ଜରୁରୀ କାମ ହେଉଛି, ଯିହୋବାଙ୍କ ସେବାରେa ନିଜ ଧ୍ୟାନ ଲଗାଇ ରଖିବା । (ମାଥି. ୬:୩୩) ଜଣେ ଭଲ ଡ୍ରାଇଭର ଏହା ଜାଣିବା ପାଇଁ ଚେଷ୍ଟା କରେ ଯେ କେଉଁ କଥାଗୁଡ଼ିକ ଯୋଗୁଁ ଗାଡ଼ି ଚଳାଇବାରୁ ତାʼର ଧ୍ୟାନ ହଟିଯାଇପାରେ । ଠିକ୍‌ ସେହିପରି, ଯିହୋବାଙ୍କ ଲୋକମାନଙ୍କୁ ସେହି କଥାଗୁଡ଼ିକୁ ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍‌, ଯାହାଯୋଗୁଁ ଯିହୋବାଙ୍କ ସେବାରୁ ତାଙ୍କର ଧ୍ୟାନ ହଟିଯାଇପାରେ ।—ହିତୋ. ୪:୨୫; ମାଥି. ୬:୨୨.

୩. ଏହି ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ଏବଂ କାହିଁକି ?

୩ ଆମେ ସମସ୍ତେ ଯିହୋବାଙ୍କ ସେବାରେ ଧ୍ୟାନ ଲଗାଇ ରଖିବା ପାଇଁ ଚାହୁଁ, କିନ୍ତୁ ଅନେକ କାରଣ ଯୋଗୁଁ ଆମେ ଏପରି କରିପାରି ନ ଥାଉ । (ଲୂକ ୨୧:୩୪-୩୬) ଏହି ଲେଖାରେ ଆମେ ତିନୋଟି କଥା ଉପରେ ଚର୍ଚ୍ଚା କରିବା: (୧) କେଉଁ କଥାଗୁଡ଼ିକ ଯୋଗୁଁ ଯିହୋବାଙ୍କ ସେବାରୁ ଆମ ଧ୍ୟାନ ହଟିଯାଇପାରେ ? (୨) ଯୀଶୁ କିପରି ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିପାରିଲେ ? ଏବଂ (୩) ଆମେ କିପରି ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିପାରିବା ?

କେଉଁ କଥାଗୁଡ଼ିକ ଯୋଗୁଁ ଯିହୋବାଙ୍କ ସେବାରୁ ଆମ ଧ୍ୟାନ ହଟିଯାଇପାରେ ?

୪-୬. କେଉଁ କେଉଁ କାରଣ ଯୋଗୁଁ ଆମ ଧ୍ୟାନ ଅତି ସହଜରେ ଯିହୋବାଙ୍କ ସେବାରୁ ହଟିଯାଇପାରେ ?

୪ ଆମ ସମସ୍ତଙ୍କ ପାଖରେ ଏପରି ଅନେକ ଦାୟିତ୍ୱ ବା କାମ ରହିଛି, ଯାହା ଆମକୁ କରିବାକୁ ପଡ଼େ । ଯେପରି, ପରିବାରର ଦେଖାଶୁଣା କରିବା, ନିଜର କିଛି କାମ କରିବା ଓ ସ୍ୱାସ୍ଥ୍ୟର ଯତ୍ନ ନେବା । ଏହିସବୁ କାମକୁ ଧ୍ୟାନ ଦେବା ଜରୁରୀ, କିନ୍ତୁ ଯଦି ଆମେ ଏହିସବୁ କାମ ବିଷୟରେ ଭାବୁଥିବା ଏବଂ ନିଜର ପୂରା ସମୟ ଓ ଶକ୍ତି ଏଥିରେ ହିଁ ଲଗାଇ ଦେବା, ତାହେଲେ ଯିହୋବାଙ୍କ ସେବାରୁ ଆମର ଧ୍ୟାନ ହଟିଯାଇପାରେ ।

୫ ଏହା ବ୍ୟତୀତ, ଆମ ଚାରିଆଡ଼େ ଅନେକ କିଛି ହେଉଛି । ଯେପରି, ଦିନକୁ ଦିନ ରାଜନୈତିକ ଅସ୍ଥିରତା ଓ ହିଂସା ବଢ଼ି ଚାଲିଛି, ଚାକିରି ଓ ପଇସା ରୋଜଗାର କରିବା କଠିନ ହୋଇ ହୋଇଯାଉଛି ଏବଂ ନୂଆ ନୂଆ ରୋଗ ବ୍ୟାପିବାକୁ ଲାଗିଛି । (୨ ତୀମ. ୩:୧) ହୁଏତ ଆମେ ଏହିସବୁ ବିଷୟରେ ଅତ୍ୟଧିକ ଭାବୁଥିବା ଓ ଚିନ୍ତିତ ହୋଇଯାଉଥିବା ।

୬ ହୁଏତ ଆପଣ ଏପରି ଲୋକଙ୍କୁ ଜାଣିଥିବେ, ଯେଉଁମାନଙ୍କୁ ଏହି କଥାଗୁଡ଼ିକ ଏତେ ପ୍ରଭାବ ପକାଇଲା ଯେ ସେମାନେ ପୂରାପୂରି ଭାଙ୍ଗି ପଡ଼ିଲେ । ଏପରି କାହିଁକି ହେଲା ? କାରଣ ମଣିଷକୁ ଏତେ ଚିନ୍ତାଗ୍ରସ୍ତ ରହିବା ପାଇଁ ସୃଷ୍ଟି କରାଯାଇ ନ ଥିଲା । ତେଣୁ କିଛି ଲୋକ ଭାବନ୍ତି, ‘ଏପରି ଜୀବନ ବଞ୍ଚିବାର ଲାଭ କʼଣ ? କʼଣ ମୋର ଚିନ୍ତାଗୁଡ଼ିକ କେବେ ଶେଷ ହେବ ?’ ଅଧିକାଂଶ ଲୋକ ନିଜ ଚିନ୍ତାଗୁଡ଼ିକୁ ଭୁଲିବା ପାଇଁ ମୌଜମସ୍ତି ଓ ମନୋରଞ୍ଜନରେ ବୁଡ଼ି ରହନ୍ତି । ଆମ ସହ ଏପରି ନ ହେବା ପାଇଁ ଆମେ କʼଣ କରିପାରିବା ? ଆସନ୍ତୁ ଦେଖିବା ଯେ ଯୀଶୁ ନିଜର ଧ୍ୟାନ ଯିହୋବାଙ୍କ ସେବାରେ ଲଗାଇ ରଖିବା ପାଇଁ କʼଣ କଲେ ?

ଯୀଶୁ କିପରି ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିପାରିଲେ ?

୭. କେଉଁ କଥାଗୁଡ଼ିକ ଯୋଗୁଁ ଯିହୋବାଙ୍କ ସେବାରୁ ଯୀଶୁଙ୍କ ଧ୍ୟାନ ହଟିଯାଇଥାʼନ୍ତା ?

୭ ଏପରି ଅନେକ କଥା ଥିଲା, ଯାହାଯୋଗୁଁ ଯିହୋବାଙ୍କ ସେବାରୁ ଯୀଶୁଙ୍କ ଧ୍ୟାନ ହଟିଯାଇଥାʼନ୍ତା । ଯେପରି, ସେ ସରକାର ଓ ସମାଜର ମାମଲାଗୁଡ଼ିକରେ ଫସିପାରିଥାʼନ୍ତେ । ତାଙ୍କ ସମୟରେ ଅନେକ ଗରିବ ଓ ରୋଗୀ ଲୋକ ଥିଲେ । (ମାଥି. ୧୪:୧୪; ମାର୍କ ୧୪:୭) ରୋମୀୟ ସରକାର ଓ ଯିହୁଦୀମାନେ ସେମାନଙ୍କ ସହ ଅନ୍ୟାୟ କରୁଥିଲେ । ଯେବେ ସେମାନେ ଦେଖିଲେ ଯେ ଯୀଶୁଙ୍କ ପାଖରେ କେତେ ଶକ୍ତି ଅଛି ଓ ସେ କେତେ ବଡ଼ ବଡ଼ ଚମତ୍କାର କରୁଛନ୍ତି, ତେବେ ସେମାନେ ତାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ । (ଯୋହ. ୬:୧୪, ୧୫) ଶୟତାନ ବି ଯୀଶୁଙ୍କୁ ନିଜ ଫାନ୍ଦରେ ପକାଇବା ପାଇଁ ଚାହୁଁଥିଲା । ସେ ତାଙ୍କୁ ଦୁନିଆର ରାଜା ହେବା ପାଇଁ ପ୍ରଲୋଭନ ଦେଖାଇଲା । (ମାଥି. ୪:୮, ୯) ଆଉ ଏକ ସମୟରେ ତାଙ୍କ ଭଲ ସାଙ୍ଗ ପିତର ମଧ୍ୟ ତାଙ୍କୁ ଏହି ଭୁଲ ପରାମର୍ଶ ଦେଲେ ଯେ ସେ ଆରାମଦାୟକ ଜୀବନ ବଞ୍ଚନ୍ତୁ । ସେ ଯୀଶୁଙ୍କୁ କହିଲେ, ‘ହେ ପ୍ରଭୁ, ନିଜକୁ ଦୟା କରନ୍ତୁ ।’—ମାଥି. ୧୬:୨୧, ୨୨.

୮. ଯୀଶୁ କିପରି ନିଜର ଧ୍ୟାନ ସେହି କଥାଗୁଡ଼ିକରୁ ହଟାଇପାରିଲେ ?

୮ ଯୀଶୁ କିପରି ନିଜର ଧ୍ୟାନ ସେହି କଥାଗୁଡ଼ିକରୁ ହଟାଇପାରିଲେ ? ସେ ତିନୋଟି ଜିନିଷ କଲେ । ପ୍ରଥମ, ସେ ଯିହୋବାଙ୍କ ଭଳି ଭାବିଲେ । (ଯୋହ. ୮:୨୮; ୧୪:୯) ଦ୍ୱିତୀୟ, ସେ ଯିହୋବାଙ୍କ ସେବାରେ ବ୍ୟସ୍ତ ରହିଲେ । (ମାଥି. ୯:୩୫) ଏବଂ ତୃତୀୟ, ସେ ସଦାବେଳେ ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ପ୍ରତି ଧ୍ୟାନ ଦେଲେ । (ଯୋହ. ୪:୩୪) ତେଣୁ ସେ ଶୟତାନର ଫାନ୍ଦରେ ପଡ଼ିଲେ ନାହିଁ । ଅବଶ୍ୟ ପିତର ତାଙ୍କୁ ସଠିକ୍‌ ଉଦ୍ଦେଶ୍ୟରେ ପରାମର୍ଶ ଦେଇଥିଲେ, ତଥାପି ସେ ତାଙ୍କ କଥାରେ ବି ଆସିଲେ ନାହିଁ । (ମାଥି. ୪:୧୦; ୧୬:୨୩) ଯୀଶୁ ଏହି କଥା ଉପରେ ଧ୍ୟାନ ଦେଲେ ନାହିଁ ଯେ ଲୋକମାନେ କʼଣ କହୁଛନ୍ତି ବା ସେମାନେ କʼଣ ଚାହାନ୍ତି, ବରଂ ସେ ତାହା କଲେ ଯାହା ଯିହୋବା ତାଙ୍କଠାରୁ ଚାହୁଁଥିଲେ । ହୁଏତ ଅନ୍ୟ କଥାଗୁଡ଼ିକ ଯୋଗୁଁ ଯିହୋବାଙ୍କ ସେବାରୁ ଆମ ଧ୍ୟାନ ହଟିଯାଇପାରେ । କିନ୍ତୁ ଆମେ ଯୀଶୁଙ୍କଠାରୁ ଶିଖୁ ଯେ ଆମେ କିପରି ସେଗୁଡ଼ିକରୁ ଦୂରେଇ ରହିପାରିବା ।

ଆମେ କିପରି ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିପାରିବା ?

୯. ଆମେ କିପରି ଜାଣିପାରିବା ଯେ “ପ୍ରଭୁଙ୍କର ଇଚ୍ଛା କଅଣ ?” (ଏଫିସୀୟ ୫:୧୭)

୯ ଯିହୋବାଙ୍କ ଭଳି ଭାବିବା ଶିଖନ୍ତୁ । ଆମେ ଏହା କିପରି ଶିଖିପାରିବା ? ତାଙ୍କର ବାକ୍ୟ ପଢ଼ି ଏବଂ ଚିନ୍ତନ କରି । ଏଥିରୁ ଆମେ ବୁଝିପାରିବା ଯେ ବିଭିନ୍ନ ମାମଲାରେ “ପ୍ରଭୁଙ୍କର ଇଚ୍ଛା କଅଣ ।” (ଏଫିସୀୟ ୫:୧୭ ପଢ଼ନ୍ତୁ ।) ଆମେ ଯେତେ ଅଧିକ ବାଇବଲ ପଢ଼ିବା ଓ ଚିନ୍ତନ କରିବା, ସେତେ ଅଧିକ ଯିହୋବା କିପରି ଭାବନ୍ତି ତାହା ଜାଣିପାରିବା । ଯେବେ ଆମ ସାମନାରେ ଏପରି ମାମଲା ଆସିବ ଯାହା ବିଷୟରେ ବାଇବଲରେ ସିଧାସଳଖ କୁହାଯାଇ ନାହିଁ, ତେବେ ବି ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା । କାରଣ ଯିହୋବା କିପରି ଭାବନ୍ତି ଓ ଆମଠାରୁ କʼଣ ଚାହାନ୍ତି, ତାହା ଆମେ ଜାଣିଯାଇଥିବା ।

୧୦. ଯିହୋବାଙ୍କ ଭଳି ଭାବିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୦ ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ବୁଝିଲେ ଏବଂ ଯିହୋବା ମଣିଷମାନଙ୍କ ସହ କିପରି ବ୍ୟବହାର କଲେ, ସେହି ଘଟଣାଗୁଡ଼ିକୁ ପଢ଼ିଲେ ଆମେ ଜାଣିପାରିବା ଯେ ଯିହୋବା କିପରି ଭାବନ୍ତି । (ଯିରି. ୪୫:୫) ବାଇବଲ ପଢ଼ିବା ସମୟରେ ଆମେ ନିଜକୁ କିଛି ପ୍ରଶ୍ନ ପଚାରିପାରିବା: ‘ଏହି ଘଟଣାରୁ ମୁଁ ଯିହୋବା ଓ ତାଙ୍କ ଚିନ୍ତାଧାରା ବିଷୟରେ କʼଣ ଶିଖେ ? ମୁଁ କିପରି ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କରି ଯିହୋବାଙ୍କ ଚିନ୍ତାଧାରାକୁ ଆପଣାଇପାରିବି ?’ ଯେପରି ଆମେ ଜାଣିଛୁ ଯେ ଯିହୋବାଙ୍କ ଚିନ୍ତାଧାରା ଆମଠାରୁ ଉଚ୍ଚତର । (ଯିଶା. ୫୫:୯) ସେଥିପାଇଁ ବେଳେବେଳେ କୌଣସି ମାମଲାକୁ ତାଙ୍କ ଦୃଷ୍ଟିରେ ଦେଖିବା ଆମକୁ କଠିନ ଲାଗିପାରେ । (ଗୀତ. ୧୪୩:୧୦) ଏପରି ସମୟରେ ଯିହୋବାଙ୍କ ଇଚ୍ଛା ଜାଣିବା ପାଇଁ ଓ ତାଙ୍କ ଭଳି ଭାବିବା ପାଇଁ ଆମେ ପ୍ରାର୍ଥନାରେ ତାଙ୍କୁ ସାହାଯ୍ୟ ମାଗିପାରିବା ।—୧ ଯୋହ. ୫:୧୪.

୧୧. ଯିହୋବା ଆମଠାରୁ କʼଣ ଚାହାନ୍ତି ?

୧୧ ଯିହୋବାଙ୍କ ଚିନ୍ତାଧାରା ରଖିଲେ ଆମେ ଜାଣିପାରିବା ଯେ ସେ କʼଣ ଚାହାନ୍ତି । ସେ ଆମଠାରୁ ଏହା ଚାହାନ୍ତି ଯେ ଆମେ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକରେ ଅର୍ଥାତ୍‌ ତାଙ୍କ ସେବାରେ ନିଜର ଧ୍ୟାନ ଲଗାଇ ରଖୁ ଏବଂ ବିନାଶର ଦିନ ପାଇଁ ପ୍ରସ୍ତୁତ ରହୁ । (ମାଥି. ୨୪:୪୪) ଯିହୋବା ଚାହାନ୍ତି ନାହିଁ ଯେ ଆମେ କୌଣସି କଥାକୁ ନେଇ ଅତ୍ୟଧିକ ଚିନ୍ତା କରୁ । (ମାଥି. ୬:୩୧, ୩୨) ସେଥିପାଇଁ ସେ ଆମକୁ ସ୍ୱାସ୍ଥ୍ୟ, ଚାକିରି ଓ ପରିବାରକୁ ନେଇ ଅତ୍ୟଧିକ ଚିନ୍ତା ନ କରିବା ପାଇଁ ଭଲ ପରାମର୍ଶ ଦେଇଛନ୍ତି । ସେ ଚାହାନ୍ତି ଯେ ଆମେ ଏହି କଥାର ପୂରା ଭରସା ରଖୁ ଯେ ସେ ଆମକୁ ଚିନ୍ତାଗୁଡ଼ିକର ସାମନା କରିବା ପାଇଁ ବୁଦ୍ଧି ଏବଂ ଶକ୍ତି ଦେବେ ।—ଗୀତ. ୫୫:୨୨; ହିତୋ. ୩:୫-୭.

୧୨. ଦୁନିଆରେ ଘଟୁଥିବା ଖରାପ ଘଟଣାଗୁଡ଼ିକ ସତ୍ତ୍ୱେ ଆମେ କିପରି ଖୁସିରେ ରହିପାରିବା ? (ମାଥିଉ ୫:୩)

୧୨ ଯିହୋବାଙ୍କ ସେବାରେ ବ୍ୟସ୍ତ ରହନ୍ତୁ । ଅନେକ ଥର ଆମେ ଦୁନିଆର ଘଟଣାଗୁଡ଼ିକ ବିଷୟରେ ଭାବି ଚିନ୍ତିତ ହୋଇଯାଉ, କିନ୍ତୁ ଏଗୁଡ଼ିକୁ ଆମେ ରୋକି ପାରିବା ନାହିଁ । ସେଥିପାଇଁ ଭଲ ହେବ ଯେ ଆମେ ଏବିଷୟରେ ନ ଭାବି ନିଜର ପୂରା ଧ୍ୟାନ ଯିହୋବାଙ୍କ ସେବାରେ ଲଗାଇ ରଖିବା । ତେବେ ଯାଇ ଆମେ ପ୍ରକୃତରେ ଖୁସିରେ ରହିବା । ମାଥିଉ ୫:୩ (NWT) ପଦରେ ଲେଖାଅଛି, “ଯେଉଁମାନଙ୍କୁ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ଥାଏ, ସେମାନେ ସୁଖୀ ।” ଏହି ପଦରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ମଣିଷମାନଙ୍କୁ ଏପରି ଭାବରେ ସୃଷ୍ଟି କରିଛନ୍ତି ଯେ ଆମକୁ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ଥାଏ ଏବଂ ତାଙ୍କର ଉପାସନା କରିବା ଆମକୁ ଭଲ ଲାଗେ । ଆମର ଏହି ଆବଶ୍ୟକତାକୁ ପୂରା କରିବା ପାଇଁ ଆମେ ବାଇବଲର ଅଧ୍ୟୟନ କରିପାରିବା ଏବଂ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିପାରିବା । ଏପରି ଭାବେ ଆମେ ନିଜ ସମୟର ଭଲ ବ୍ୟବହାର କରୁଥିବା ଏବଂ ଯିହୋବା ବି ଏଥିରୁ ଖୁସି ହେବେ ।—ହିତୋ. ୨୩:୧୫.

୧୩. ଆମେ କିପରି ନିଜ ‘ସମୟର ସଦ୍‌ବ୍ୟବହାର’ କରିପାରିବା ?

୧୩ ଆମ ସମସ୍ତଙ୍କୁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ଯେ ଆମେ ନିଜ ‘ସମୟର ସଦ୍‌ବ୍ୟବହାର କରିବା ।’ (ଏଫି. ୫:୧୫, ୧୬) ବାଇବଲରେ କେବଳ ଏପରି କରିବା ପାଇଁ ପରାମର୍ଶ ଦିଆଯାଇ ନାହିଁ ବରଂ ଏବିଷୟରେ ଭାବିବା କେତେ ଜରୁରୀ ତାହା ବି କୁହାଯାଇଛି । ବିନାଶ ବହୁତ ପାଖେଇ ଆସିଛି, ତେଣୁ ଆମେ କିପରି ନିଜ ସମୟର ସଦ୍‌ବ୍ୟବହାର କରିପାରିବା ? ଯଦି ଆମେ ଅଧିକ ସମୟ ନ୍ୟୁଜ୍‌ ଦେଖିବାରେ ବା ଶୁଣିବାରେ ଲଗାଇ ଦେବା, ତାହେଲେ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକରୁ ଆମର ଧ୍ୟାନ ହଟିଯାଇପାରେ । ଆମେ ନିରାଶ ହୋଇପାରିବା ଓ ଯିହୋବାଙ୍କ ସେବାରେ ଆମ ଉତ୍ସାହ କମ୍‌ ହୋଇପାରେ । ସେଥିପାଇଁ ଆମେ ଏହା ନିର୍ଣ୍ଣୟ କରିବା ବହୁତ ଜରୁରୀ ଯେ ଆମେ ନ୍ୟୁଜ୍‌ ଦେଖିବାରେ କେତେ ସମୟ ଲଗାଇବା । ଏପରି କଲେ ଆମେ ଅଯଥାରେ ଥକିବା ନାହିଁ ଏବଂ ଯିହୋବାଙ୍କ ସେବାରେ ଅଧିକ ସମୟ ଦେଇପାରିବା । ଯେପରି, ଆଗ୍ରହ ଦେଖାଉଥିବା ଲୋକମାନଙ୍କୁ ପୁଣିଥରେ ଭେଟିପାରିବା । ଏପରି ଭାବେ ଆମେ ସୁସମାଚାର ଶୁଣାଇବାର କୌଣସି ବି ସୁଯୋଗକୁ ହାତଛଡ଼ା କରିବା ନାହିଁ । କାରଣ ଆମେ ଏହା ଚାହୁଁ ଯେ ସବୁପ୍ରକାରର ଲୋକ ‘ପରିତ୍ରାଣ ପାଆନ୍ତୁ ଓ ସତ୍ୟ ସମ୍ବନ୍ଧରେ ସଠିକ୍‌ ଜ୍ଞାନ ପ୍ରାପ୍ତ ହୁଅନ୍ତୁ ।’—୧ ତୀମ. ୨:୪.

୧୪. ଯିହୋବାଙ୍କ ସେବାରେ ବ୍ୟସ୍ତ ରହିଲେ କʼଣ ଲାଭ ହୁଏ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଯେବେ ଆମେ ଯିହୋବାଙ୍କ ସେବାରେ ବ୍ୟସ୍ତ ରହୁ, ତେବେ ଆମେ ମନେ ରଖିପାରୁ ଯେ ଆମ ଆଖପାଖରେ ଯେଉଁ ଘଟଣାଗୁଡ଼ିକ ଘଟୁଛି ତାହା କାହିଁକି ହେଉଛି । ଆମେ ଏହା ବି ମନେ ରଖିପାରୁ ଯେ ରାଜନୈତିକ ଅସ୍ଥିରତା, ଆର୍ଥିକ ସଙ୍କଟ ଓ ମହାମାରୀଗୁଡ଼ିକ ଶେଷକାଳର ଗୋଟିଏ ଚିହ୍ନ ଏବଂ ଏଥିରୁ ବାଇବଲର ଭବିଷ୍ୟତବାଣୀ ପୂରା ହେଉଛି । ତେଣୁ ଆମେ ବିଚଳିତ ହୋଇ ନ ଥାଉ ଏବଂ ଯିହୋବାଙ୍କ ଉପରେ ପୂରା ଭରସା ରଖୁ ଯେ ସେ ନୂଆ ଦୁନିଆ ଆଣିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ପୂରା କରିବେ । ତାʼସହିତ ଆମେ ଶାନ୍ତ ରହିପାରୁ ଏବଂ ଭରସା ରଖୁ ଯେ ସେସମୟ ଯାଏ ଯିହୋବା ଆମକୁ ସମ୍ଭାଳିବେ ।—ଗୀତ. ୧୬:୮; ୧୧୨:୧, ୬-୮.

ଜଣେ ସ୍ୱାମୀ ସ୍ତ୍ରୀ ସାହସର ସହ କାର୍ଟ ନେଇ ଯାଉଛନ୍ତି । ଚିତ୍ରଗୁଡ଼ିକ: ଦୁନିଆର ଖରାପ ପରିସ୍ଥିତି । ୧. ଗୋଟିଏ କ୍ରୋଧିତ ଭିଡ଼ ନିଜ ଦାବି ପୂରା ପାଇଁ ଧାରଣା ଦେଇଛି । ୨. ନିର୍ବାଚନର ଫଳାଫଳ । ୩. ସୈନିକମାନେ ଯୁଦ୍ଧ କରୁଛନ୍ତି । ୪. ଔଷଧ । ୫. ଚାର୍ଟରେ ଦେଖାଇ ଦିଆଯାଇଛି ଯେ ଗୋଟିଏ କମ୍ପାନୀର ଷ୍ଟକ୍‌ ତଳକୁ ଖସୁଛି ।

ଦୁନିଆର ପରିସ୍ଥିତି ଯେତେ ଖରାପ ହେଲେ ବି ଆମେ ଯିହୋବାଙ୍କ ସେବାରେ ବ୍ୟସ୍ତ ରହିବା (ପାରାଗ୍ରାଫ ୧୪)b


୧୫. “ସୁବୁଦ୍ଧି” ଥିଲେ ଆମେ କʼଣ କରିପାରିବା ? (୧ ପିତର ୪:୭)

୧୫ ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ପ୍ରତି ସଦାବେଳେ ଧ୍ୟାନ ଦେବା ଜରୁରୀ । ଆଜି ଦୁନିଆର ଲୋକମାନେ ମୌଜମସ୍ତି କରିବାରେ ବୁଡ଼ି ରହିଛନ୍ତି । ସେମାନଙ୍କୁ ଏହି କଥାରୁ କୌଣସି ଫରକ ପଡ଼େ ନାହିଁ ଯେ ବିନାଶ ପାଖେଇ ଆସିଛି । ଆମେ ବି ଜାଣିଛୁ ଯେ ମଜାମସ୍ତି କରିବା ଭୁଲ ନୁହଁ । କିନ୍ତୁ ଆମକୁ ‘ସୁବୁଦ୍ଧିର’ ସହ କାମ କରିବା ଉଚିତ୍‌, ଯାହାଦ୍ୱାରା ଆମେ ଏହି ମାମଲାରେ ଦୁନିଆର ଲୋକଙ୍କ ଚିନ୍ତାଧାରାରୁ ପ୍ରଭାବିତ ନ ହେଉ । (୧ ପିତର ୪:୭ ପଢନ୍ତୁ ।) ‘ସୁବୁଦ୍ଧିର’ ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ବିନା ଭାବିଚିନ୍ତି ନୁହଁ ବରଂ ଭାବିଚିନ୍ତି ଏପରି ନିଷ୍ପତ୍ତି ନେବା ଯାହା ଯିହୋବାଙ୍କ ଚିନ୍ତାଧାରା ଅନୁସାରେ ହୋଇଥିବ । ଆମେ ନିଜର ପୂରା ସମୟ ଓ ଶକ୍ତି ମଜାମସ୍ତି କରିବାରେ ଲଗାଇ ନ ଥାଉ । ଏପରି କରି ଆମେ ଦେଖାଉ ଯେ ଆମେ ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକୁ ଧ୍ୟାନ ଦେଉଛୁ ।—୨ ତୀମ. ୧:୭.

୧୬. ଯୀଶୁ ନିଜର ମୃତ୍ୟୁ ପୂର୍ବରୁ କେଉଁ କଥା ବିଷୟରେ ଭାବିଲେ ?

୧୬ ଯୀଶୁ ସବୁବେଳେ ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ପ୍ରତି ଧ୍ୟାନ ଦେଲେ । ଏପରିକି ସେ ନିଜ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ମଧ୍ୟ ଯିହୋବାଙ୍କ ବିଶ୍ୱସ୍ତ ରହିବା ଓ ତାଙ୍କ ଇଚ୍ଛା ପୂରା କରିବା ବିଷୟରେ ଭାବିଲେ । ତେଣୁ ସେ ଲଗାତାର ପ୍ରାର୍ଥନା କଲେ, କିନ୍ତୁ ତାଙ୍କ ଶିଷ୍ୟମାନେ ଏପରି କରିପାରିଲେ ନାହିଁ । ସେମାନେ ଶୋଇ ପଡ଼ିଲେ, କାରଣ ସେମାନେ ଦୁଃଖ ଯୋଗୁଁ ପୂରାପୂରି ଥକି ଯାଇଥିଲେ ।—ଲୂକ ୨୨:୩୯-୪୬; ଯୋହ. ୧୯:୩୦.

୧୭. ଲୋକମାନେ ସୋସିଆଲ୍‌ ମିଡିଆରେ କʼଣ କରନ୍ତି ଏବଂ ଏଥିଯୋଗୁଁ କʼଣ ହୋଇପାରେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ଯୀଶୁଙ୍କ ଶିଷ୍ୟମାନଙ୍କ ଭଳି ଆମେ ବି ନିରାଶ ହୋଇଯାଉ ଏବଂ ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକ ଯୋଗୁଁ ହୁଏତ ଆମେ ଚିନ୍ତିତ ହୋଇପାରୁ । ନିଜ ଦୁଃଖକଷ୍ଟଗୁଡ଼ିକରୁ ଧ୍ୟାନ ହଟାଇବା ପାଇଁ ଅନେକ ଲୋକ ସୋସିଆଲ୍‌ ମିଡିଆ ବା ଇଣ୍ଟରନେଟ୍‌ର ସାହାରା ନିଅନ୍ତି । ଯେପରି, ସେମାନେ ଏହା ଜରିଆରେ ନିଜ ପରିବାର ଲୋକଙ୍କୁ, ସାଙ୍ଗମାନଙ୍କୁ ତଥ୍ୟ, ଫଟୋ ଓ ଭିଡିଓ ଇତ୍ୟାଦି ପଠାନ୍ତି । କିଛି ଲୋକ ଅନେକ ଭିଡିଓ ବା ଫିଲ୍ମ ଦେଖନ୍ତି ଓ ଗେମ୍‌ ଖେଳନ୍ତି । ଆଜିକାଲି ସୋସିଆଲ୍‌ ମିଡିଆରେ ମନୋରଞ୍ଜନର ଏତେ ଭଣ୍ଡାର ରହିଛି ଯେ ହୁଏତ ଆମେ କେବଳ ଏଥିରେ ହିଁ ବୁଡ଼ି ରହିବା ଏବଂ ଆମକୁ ଜଣାପଡ଼ିବ ନାହିଁ ଯେ ଆମର କେତେ ସମୟ ଓ ଶକ୍ତି ନଷ୍ଟ ହୋଇଯାଉଛି । କିନ୍ତୁ ଆମେ ଏଥିରେ ବୁଡ଼ି ନ ରହିବା ପାଇଁ କʼଣ କରିପାରିବା ? ଆମେ ନିଜକୁ କିଛି ପ୍ରଶ୍ନ ପଚାରି ପାରିବା, ‘ମୁଁ ଯେପରି ଭାବରେ ସୋସିଆଲ୍‌ ମିଡିଆ ଓ ଇଣ୍ଟରନେଟ୍‌ର ବ୍ୟବହାର କରେ, କʼଣ ସେଥିରୁ ମୋତେ ସତେଜତା ମିଳେ ବା କିଛି ଲାଭ ହୁଏ ? ନା ଏହାଯୋଗୁଁ ମୁଁ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଧ୍ୟାନ ଦେଇପାରେ ନାହିଁ ?’

ଜଣେ ଭଉଣୀ ବାଇବଲ ପଢ଼ୁଛନ୍ତି, କିନ୍ତୁ ତାଙ୍କ ଫୋନ୍‌ରେ ସୋସିଆଲ୍‌ ମିଡିଆ, ଫିଲ୍ମ ଓ ସପିଙ୍ଗର ନୋଟିଫିକେଶନ ଆସୁଛି, ଯାହାଯୋଗୁଁ ତାଙ୍କ ଧ୍ୟାନ ହଟିଯାଉଛି ।

ଭାବିଚିନ୍ତି ନିଷ୍ପତ୍ତି ନେଲେ ସୋସିଆଲ୍‌ ମିଡିଆ, ମନୋରଞ୍ଜନ ଓ ଖେଳକୁଦ ଯୋଗୁଁ ଯିହୋବାଙ୍କ ସେବାରୁ ଆମର ଧ୍ୟାନ ହଟିବନି (ପାରାଗ୍ରାଫ ୧୭)


୧୮. ଭାବିଚିନ୍ତି ମନୋରଞ୍ଜନ କରିବା କାହିଁକି ଜରୁରୀ ?

୧୮ ଫିଲ୍ମ, ଟିଭି, ୱେବ୍‌ ସିରିଜ୍‌, ଛୋଟ ଛୋଟ ଭିଡିଓ ଦେଖି ବା ଭିଡିଓ ଗେମ୍‌ ଖେଳି ହୁଏତ ଆମକୁ ମଜା ଲାଗିପାରେ କିମ୍ବା ଆମ ମନ ହାଲୁକା ହୋଇପାରେ । କିନ୍ତୁ ଆମେ ଭାବିଚିନ୍ତି ନିଷ୍ପତ୍ତି ନେବା ଯେ ଆମେ କʼଣ ଦେଖିବା ଓ କେତେ ସମୟ ଯାଏ ଦେଖିବା । କିଛି ୱେବସାଇଟ୍‌ ଓ ଆପ୍‌ଗୁଡ଼ିକୁ ଏପରି ଭାବେ ତିଆରି କରାଯାଇଛି ଯେ ସେଥିରେ ଲଗାତାର ନୂଆ ନୂଆ ଭିଡିଓ ଆସେ ଏବଂ ହୁଏତ ସେଥିରେ ମାରପିଟ୍‌ ବା ଅଶ୍ଳୀଳ ଭିଡିଓଗୁଡ଼ିକ ବି ଆସେ । ଏସିଆରେ ରହୁଥିବା ଆମ ଜଣେ ଭାଇଙ୍କ ସହ ଏପରି ହିଁ ହେଲା । ପ୍ରଥମେ ସେ ଇଣ୍ଟରନେଟ୍‌ରେ କିଛି ଫିଲ୍ମର ଦୃଶ୍ୟ ଦେଖିବାକୁ ଲାଗିଲେ । ଧିରେ ଧିରେ ଏପରି ଭିଡିଓଗୁଡ଼ିକ ବି ଆସିବାକୁ ଲାଗିଲା, ଯେଉଁଥିରେ ଅଶ୍ଳୀଳ ଦୃଶ୍ୟ ଥିଲା ଏବଂ ଭାଇ ସେଗୁଡ଼ିକୁ ବି ଦେଖିଲେ । ଦେଖୁ ଦେଖୁ ସେ ପର୍ନୋଗ୍ରାଫି ଦେଖିବାକୁ ଲାଗିଲେ । ଭାଇଙ୍କୁ ଶୀଘ୍ର ଅନୁଭବ ହେଲା ଯେ ସେ ଭୁଲ କାମ କରୁଛନ୍ତି, ତେଣୁ ସେ ପ୍ରାଚୀନ ଓ ସାଙ୍ଗମାନଙ୍କର ସାହାଯ୍ୟ ନେଲେ, ନିଜକୁ କଠୋର କଲେ ଓ କିଛି ଦୃଢ଼ ପଦକ୍ଷେପ ନେଲେ । ସେ କିଛି ଆପ୍‌କୁ ଡିଲିଟ କଲେ ଏବଂ କେତେ ସମୟ ଯାଏ ଫୋନ୍‌ର ବ୍ୟବହାର କରିବେ, ତାହା ସ୍ଥିର କଲେ । ଏହି ଅନୁଭୂତିରୁ ଜଣାପଡ଼େ ଯେ ଭାବିଚିନ୍ତି ମନୋରଞ୍ଜନ କରିବା କେତେ ଜରୁରୀ !

୧୯. ଯଦି ଆମେ ମଜାମସ୍ତି କରିବାରେ ହିଁ ଲାଗି ରହିବା, ତାହେଲେ କʼଣ ହୋଇପାରେ ?

୧୯ କାମରୁ ଛୁଟି ନେଇ ବୁଲିବା ହେଉ ବା ଖାଲି ସମୟରେ ଖେଳକୁଦ କରିବା ହେଉ, ଆମକୁ ଏସବୁ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନେବା ଜରୁରୀ । ଏସବୁ କରିବା ଆମକୁ ଭଲ ଲାଗେ ଏବଂ ଏଥିରୁ ଆମର ସ୍ୱାସ୍ଥ୍ୟ ବି ଭଲ ରହେ । କିନ୍ତୁ ଯଦି ଆମେ ଏସବୁ କାମରେ ହିଁ ଲାଗି ରହିବା, ତାହେଲେ ଆମର ବହୁ ସମୟ ନଷ୍ଟ ହୋଇଯାଇପାରେ ଏବଂ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକ ପାଇଁ ଆମ ପାଖରେ ସମୟ ରହିବ ନାହିଁ । (ଫିଲିପ୍‌. ୧:୧୦) ସେଥିପାଇଁ ଖାଲି ସମୟରେ ଆମେ କʼଣ କରିବା ଓ କେତେ ସମୟ ଦେବା, ସେବିଷୟରେ ଭାବିବା ଭଲ ହେବ । ଏବିଷୟରେ ଆମେ ନିଜକୁ କିଛି ପ୍ରଶ୍ନ ପଚାରି ପାରିବା, ‘ଏହି ମାମଲାରେ ମୁଁ ଯେଉଁ ନିଷ୍ପତ୍ତି ନିଏ, କʼଣ ସେଥିରୁ ଜଣାପଡ଼େ ଯେ ମୁଁ ଭାବିଚିନ୍ତି କାମ କରେ ? କʼଣ ମୋ ନିଷ୍ପତ୍ତିରୁ ଜଣାପଡ଼େ ଯେ ମୁଁ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକ ପ୍ରତି ଧ୍ୟାନ ଦିଏ ଏବଂ ବିନାଶର ଦିନ ପାଇଁ ପ୍ରସ୍ତୁତ ଅଛି ?’—୧ ପିତ. ୪:୭.

୨୦. ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିଲେ, ଆମକୁ କʼଣ ଲାଭ ହେବ ?

୨୦ ଯଦି ଆମେ ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିବା, ତାହେଲେ ଆମକୁ ଲାଭ ହେବ । (ଯିଶା. ୪୮:୧୭) ଆମେ ଦିନରାତି କେବଳ ମଜାମସ୍ତି କରିବା ବିଷୟରେ ହିଁ ଭାବୁ ନ ଥିବା । ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକୁ ଦେଖି ବିଚଳିତ ହେବା ନାହିଁ । ଯିହୋବାଙ୍କ ସେବାରେ ନିଜର ପୂରା ଧ୍ୟାନ ଲଗାଇ ରଖିପାରିବା । ତାʼସହିତ ପ୍ରତିଦିନ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଯିହୋବା ଆମକୁ ସାହାଯ୍ୟ କରିବେ । ଏହି ଲେଖାରେ ଆମେ ଯେଉଁ ତିନୋଟି କଥା ବିଷୟରେ ଚର୍ଚ୍ଚା କଲୁ, ତାହାକୁ ମାନିପାରିବା । ଆମେ ଯିହୋବାଙ୍କ ଭଳି ଭାବିବା, ତାଙ୍କ ସେବାରେ ବ୍ୟସ୍ତ ରହିବା ଓ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକରେ ନିଜର ଧ୍ୟାନ ଲଗାଇ ରଖିବା । ଏପରି କଲେ ଆମେ ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିପାରିବା ଏବଂ ଆମକୁ “ପ୍ରକୃତ ଜୀବନ ପ୍ରାପ୍ତ” ହେବ ।—୧ ତୀମ. ୬:୧୯.

ଯିହୋବାଙ୍କ ସେବାରୁ ଧ୍ୟାନ ହଟାଉଥିବା କଥାଗୁଡ଼ିକରୁ ଦୂରେଇ ରହିବା ପାଇଁ . . .

  • ଯିହୋବାଙ୍କ ଭଳି ଭାବିବା କାହିଁକି ଜରୁରୀ ?

  • ଯିହୋବାଙ୍କ ସେବାରେ ବ୍ୟସ୍ତ ରହିବା କାହିଁକି ଜରୁରୀ ?

  • ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ଉପରେ ଧ୍ୟାନ ଲଗାଇ ରଖିବା କାହିଁକି ଜରୁରୀ ?

ଗୀତ ୧୨୯ ଆମେ ଧୈର୍ଯ୍ୟବାନ ହେବା

a ଏହାର ଅର୍ଥ କʼଣ ? ଯିହୋବାଙ୍କ ସେବା କରିବାର ଅର୍ଥ ହେଉଛି, ଯିହୋବାଙ୍କ ଉପାସନା ସହ ଜଡ଼ିତ କାମ କରିବା । ଯେପରି, ବାଇବଲ ଅଧ୍ୟୟନ କରିବା, ସଭାଗୁଡ଼ିକରେ ଯିବା, ପାରିବାରିକ ଉପାସନା କରିବା ଓ ପ୍ରଚାର କରିବା । ତାʼସହିତ ଏଥିରେ ରାଜ୍ୟଘର ନିର୍ମାଣ ଓ ତାହାର ଦେଖାରେଖା କରିବା, ରିଲିଫ୍‌ କାମରେ ସାହାଯ୍ୟ କରିବା, ଅଧିବେଶନରେ ସ୍ୱୟଂସେବକ ଭାବେ କାମ କରିବା ଓ ବୈଥେଲ ସେବା କରିବା ବି ସାମିଲ୍‌ ଅଛି ।

b ଚିତ୍ର ବିଷୟରେ: ଜଣେ ସ୍ୱାମୀ ସ୍ତ୍ରୀ ଦୁନିଆର ଖରାପ ଖବରଗୁଡ଼ିକ ଯୋଗୁଁ ଚିନ୍ତିତ ନାହାନ୍ତି, ବରଂ ପ୍ରଚାରରେ ବ୍ୟସ୍ତ ଅଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ