ଅଧ୍ୟୟନ ଲେଖା ୨୮
ଗୀତ ୮୮ ମୋତେ ତୁମ ପଥ ଶିଖାଅ
ଆମେ କାହିଁକି ଅନ୍ୟମାନଙ୍କଠାରୁ ପରାମର୍ଶ ନେବା ଉଚିତ୍ ?
“ସୁପରାମର୍ଶ-ଗ୍ରାହକଠାରେ ଜ୍ଞାନ ଅଛି ।”—ହିତୋ. ୧୩:୧୦.
କʼଣ ଶିଖିବା ?
ଆମେ ଜାଣିବା ଯେ ଅନ୍ୟମାନଙ୍କର ପରାମର୍ଶରୁ ପୂରା ଲାଭ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୧. ଭଲ ନିଷ୍ପତ୍ତି ନେବା ପାଇଁ ଏବଂ ଆମ ଯୋଜନାଗୁଡ଼ିକୁ ସଫଳ କରିବା ପାଇଁ ଆମେ କʼଣ କରିବା ଉଚିତ୍ ? (ହିତୋପଦେଶ ୧୩:୧୦; ୧୫:୨୨)
ଆମେ ସମସ୍ତେ ଭଲ ନିଷ୍ପତ୍ତି ନେବା ପାଇଁ ଚାହୁଁ ଏବଂ ଆମେ ଏହା ବି ଚାହୁଁ ଯେ ଆମ ଯୋଜନାଗୁଡ଼ିକ ସଫଳ ହେଉ । ଈଶ୍ୱରଙ୍କ ବାକ୍ୟରେ କୁହାଯାଇଛି ଯେ ଏହାପାଇଁ ଆମକୁ ଅନ୍ୟମାନଙ୍କଠାରୁ ପରାମର୍ଶ ନେବା ଉଚିତ୍ ।—ହିତୋପଦେଶ ୧୩:୧୦; ୧୫:୨୨ ପଢ଼ନ୍ତୁ ।
୨. ଯିହୋବା ଆମ ପାଇଁ କʼଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ?
୨ ଏହି ଦୁନିଆରେ ଯିହୋବାଙ୍କ ଛଡ଼ା ଆଉ କେହି ବି ଆମକୁ ସବୁଠୁ ଭଲ ପରାମର୍ଶ ଦେଇପାରିବେ ନାହିଁ । ସେଥିପାଇଁ ଆମେ ଯିହୋବାଙ୍କୁ ପ୍ରାର୍ଥନାରେ ବୁଦ୍ଧି ମାଗିବା ଉଚିତ୍ । ସେ ଆମକୁ ପ୍ରତିଜ୍ଞା କରିଛନ୍ତି, ‘ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ପରାମର୍ଶ ଦେବି ।’ (ଗୀତ. ୩୨:୮) ଏଥିରୁ ଜଣାପଡ଼େ ଯେ ସେ ସମସ୍ତଙ୍କୁ ଏକାଭଳି ପରାମର୍ଶ ଦିଅନ୍ତି ନାହିଁ, ବରଂ ସେ ପ୍ରତ୍ୟେକ ଜଣଙ୍କ ଉପରେ ଧ୍ୟାନ ଦିଅନ୍ତି ଏବଂ ସେହି ଅନୁସାରେ ପରାମର୍ଶ ଦିଅନ୍ତି । ତାʼସହିତ ସେ ସେହି ପରାମର୍ଶ ଅନୁସାରେ ଆମକୁ ଚାଲିବା ପାଇଁ ସାହାଯ୍ୟ ବି କରନ୍ତି ।
୩. ଏହି ଲେଖାରେ ଆମେ କʼଣ ଜାଣିବା ?
୩ ଏହି ଲେଖାରେ ଆମେ ଈଶ୍ୱରଙ୍କ ବାକ୍ୟରୁ ଚାରୋଟି ପ୍ରଶ୍ନର ଉତ୍ତର ଜାଣିବା: (୧) ଯଦି ମୁଁ ଅନ୍ୟମାନଙ୍କ ଭଲ ପରାମର୍ଶରୁ ଲାଭ ପାଇବା ପାଇଁ ଚାହେଁ, ତାହେଲେ ମୋ ଭିତରେ କେଉଁ ଗୁଣ ରହିବା ଉଚିତ୍ ? (୨) ମୋତେ କିଏ ଭଲ ପରାମର୍ଶ ଦେଇପାରିବ ? (୩) କେଉଁ କଥାରୁ ଜଣାପଡ଼ିବ ଯେ ମୁଁ ପ୍ରକୃତରେ ପରାମର୍ଶ ନେବା ପାଇଁ ଚାହେଁ ? ଓ (୪) ମୋ ପାଇଁ ନିଜ ନିଷ୍ପତ୍ତି ନିଜେ ନେବା କାହିଁକି ଭଲ ରହିବ ?
ମୋ ଭିତରେ କେଉଁ ଗୁଣ ରହିବା ଉଚିତ୍ ?
୪. ଅନ୍ୟମାନଙ୍କ ଭଲ ପରାମର୍ଶରୁ ଲାଭ ପାଇବା ପାଇଁ ଆମ ଭିତରେ କେଉଁ ଗୁଣ ରହିବା ଉଚିତ୍ ?
୪ ଅନ୍ୟମାନଙ୍କର ଭଲ ପରାମର୍ଶରୁ ଲାଭ ପାଇବା ପାଇଁ ଆମକୁ ନମ୍ର ହେବା ଓ ମର୍ଯ୍ୟାଦାରେ ରହିବା ଉଚିତ୍ । ଆମକୁ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ଆମ ପାଖରେ ସବୁ ଜିନିଷର ଅନୁଭୂତି ନାହିଁ କିମ୍ବା ସଠିକ୍ ନିଷ୍ପତ୍ତି ନେବା ପାଇଁ ଆମକୁ ସବୁକିଛି ଜଣାନାହିଁ । ଏପରି ପରିସ୍ଥିତିରେ ଭଲ ନିଷ୍ପତ୍ତି ନେବା ପାଇଁ ଆମକୁ ଅନ୍ୟମାନଙ୍କଠାରୁ ପରାମର୍ଶ ନେବାକୁ ପଡ଼ିପାରେ । ଯଦି ଆମେ ନମ୍ର ହେବା ନାହିଁ ଓ ମର୍ଯ୍ୟାଦାରେ ରହିବା ନାହିଁ, ତାହେଲେ ଯିହୋବା ଆମକୁ ସାହାଯ୍ୟ କରିପାରିବେ ନାହିଁ । ଆଉ ବାଇବଲ ପଢ଼ିବା ସମୟରେ ବି ଯଦି ଆମକୁ କୌଣସି ପରାମର୍ଶ ମିଳେ, ତାହେଲେ ସେଥିରୁ ଆମକୁ କୌଣସି ଫରକ ପଡ଼ିବ ନାହିଁ, ଠିକ୍ ଯେପରି ପଥର ଉପରେ ପାଣି ପଡ଼ିଲେ କିଛି ଫରକ ପଡ଼େ ନାହିଁ । (ମୀଖା ୬:୮; ୧ ପିତ. ୫:୫) କିନ୍ତୁ ଯଦି ଆମେ ନମ୍ର ହେବା ଓ ମର୍ଯ୍ୟାଦାରେ ରହିବା, ତାହେଲେ ଆମେ ବାଇବଲର ପରାମର୍ଶଗୁଡ଼ିକୁ ତୁରନ୍ତ ଧ୍ୟାନ ଦେବା ଏବଂ ସେଗୁଡ଼ିକ ଅନୁସାରେ ଚାଲିବା ।
୫. ରାଜା ଦାଉଦ କେଉଁ କେଉଁ ସଫଳତା ପାଇବା ଯୋଗୁଁ ଅହଂକାରୀ ହୋଇପାରିଥାʼନ୍ତେ ?
୫ ରାଜା ଦାଉଦଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଅନେକ ସଫଳତା ପାଇବା ଯୋଗୁଁ ଅହଂକାରୀ ହୋଇପାରିଥାʼନ୍ତେ । ରାଜା ହେବାର ଅନେକ ବର୍ଷ ପୂର୍ବରୁ ହିଁ ସେ ଜଣେ ପ୍ରସିଦ୍ଧ ସଙ୍ଗୀତକାର ଥିଲେ, ଏପରିକି ତାଙ୍କୁ ରାଜାଙ୍କ ସାମନାରେ ସଙ୍ଗୀତ ବଜାଇବା ପାଇଁ କୁହାଯାଇଥିଲା । (୧ ଶାମୁ. ୧୬:୧୮, ୧୯) ତାʼପରେ ଯେବେଠୁ ଦାଉଦଙ୍କୁ ପରବର୍ତ୍ତୀ ରାଜା ହେବା ପାଇଁ ଅଭିଷେକ କରାଗଲା, ତାʼପରଠୁ ଯିହୋବାଙ୍କ ପବିତ୍ର ଶକ୍ତି ତାଙ୍କ ଉପରେ ଅଦ୍ଭୁତ ଭାବେ କାମ କଲା । (୧ ଶାମୁ. ୧୬:୧୧-୧୩) ସେ ଜଣେ ଲମ୍ବା ଚୌଡ଼ା ପଲେଷ୍ଟୀୟ ଗଲୀୟାତକୁ ଏବଂ ଅନେକ ଶତ୍ରୁମାନଙ୍କୁ ମଧ୍ୟ ଜୀବନରୁ ମାରି ଦେଇଥିଲେ । ଏହାଯୋଗୁଁ ନିଜ ଲୋକମାନଙ୍କ ସାମନାରେ ତାଙ୍କର ବହୁତ ନାମ ଥିଲା । (୧ ଶାମୁ. ୧୭:୩୭, ୫୦; ୧୮:୭) ଜଣେ ଅହଂକାରୀ ବ୍ୟକ୍ତି ଏହି ସବୁ ସଫଳତା ପାଇବା ଯୋଗୁଁ ଭାବିପାରିଥାʼନ୍ତା ଯେ ମୋତେ ଅନ୍ୟମାନଙ୍କ ପରାମର୍ଶର ଆବଶ୍ୟକ ନାହିଁ, କିନ୍ତୁ ଦାଉଦ ଏପରି ଭାବିଲେ ନାହିଁ ।
୬. ଆମେ ଏପରି କାହିଁକି କହିପାରିବା ଯେ ଦାଉଦ ସବୁବେଳେ ଅନ୍ୟମାନଙ୍କ ପରାମର୍ଶ ଉପରେ ଧ୍ୟାନ ଦେଉଥିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଦାଉଦ ରାଜା ହେବା ପରେ ଏପରି ବ୍ୟକ୍ତିମାନଙ୍କ ସହିତ ସାଙ୍ଗ ହେଲେ, ଯେଉଁମାନେ ତାଙ୍କୁ ପରାମର୍ଶ ଦେଇପାରନ୍ତେ । (୧ ବଂଶା. ୨୭:୩୨-୩୪) ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ । କାରଣ ସେ ପୂର୍ବେ ବି ଲୋକମାନଙ୍କର ପରାମର୍ଶ ଉପରେ ଧ୍ୟାନ ଦେଉଥିଲେ । ସେ କେବଳ ପୁରୁଷମାନଙ୍କ ପରାମର୍ଶ ନୁହେଁ, ବରଂ ଅବୀଗଲ ନାମକ ଜଣେ ସ୍ତ୍ରୀଙ୍କ ପରାମର୍ଶ ଉପରେ ବି ଧ୍ୟାନ ଦେଲେ । ଅବୀଗଲଙ୍କ ସ୍ୱାମୀ ନାବଲ ବହୁତ ଅହଂକାରୀ ଥିଲେ, କାହାରିକୁ କୃତଜ୍ଞତା ଦେଖାଉ ନ ଥିଲେ ଓ କାହାରି ଆଦର ବି କରୁ ନ ଥିଲେ । କିନ୍ତୁ ଦାଉଦ ନମ୍ର ଥିଲେ । ସେ ଅବୀଗଲଙ୍କ ଭଲ ପରାମର୍ଶ ଉପରେ ଧ୍ୟାନ ଦେଲେ ଏବଂ ଏହି କାରଣ ଯୋଗୁଁ ସେ ବଡ଼ ଭୁଲ କରିବାରୁ ବଞ୍ଚିତ ହେଲେ ।—୧ ଶାମୁ. ୨୫:୨, ୩, ୨୧-୨୫, ୩୨-୩୪.
ରାଜା ଦାଉଦ ନମ୍ର ଥିଲେ, ତେଣୁ ସେ ଅବୀଗଲଙ୍କ ପରାମର୍ଶ ଶୁଣିଲେ ଓ ତାହାକୁ ମାନିଲେ (ପାରାଗ୍ରାଫ ୬)
୭. ଦାଉଦଙ୍କ ଉଦାହରଣରୁ ଆମେ କʼଣ ଶିଖିପାରିବା ? (ଉପଦେଶକ ୪:୧୩) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୭ ଦାଉଦଙ୍କଠାରୁ ଆମେ ଅନେକ କଥା ଶିଖିପାରିବା । ଯେପରି, ହୁଏତ ଆମେ କୌଣସି କାମ ବହୁତ ଭଲଭାବେ କରୁଥିବା କିମ୍ବା ଆମ ପାଖରେ କିଛି ଅଧିକାର ବା ଦାୟିତ୍ୱ ଥିବ । ତଥାପି ଆମେ କେବେ ବି ଏହା ଭାବିବା ଉଚିତ୍ ନୁହେଁ ଯେ ଆମକୁ ସବୁକିଛି ଜଣାଅଛି ଏବଂ ଆମକୁ ଅନ୍ୟମାନଙ୍କର ପରାମର୍ଶର ଦରକାର ନାହିଁ । ଏହା ପରିବର୍ତ୍ତେ ଆମେ ଦାଉଦଙ୍କ ଭଳି ସବୁବେଳେ ଅନ୍ୟମାନଙ୍କର ଭଲ ପରାମର୍ଶ ଉପରେ ଧ୍ୟାନ ଦେବା । ଆମେ ଏହା ଦେଖିବା ନାହିଁ ଯେ ଆମକୁ କିଏ ପରାମର୍ଶ ଦେଉଛନ୍ତି । (ଉପଦେଶକ ୪:୧୩ ପଢ଼ନ୍ତୁ ।) ଯଦି ଆମେ ଏମିତି କରିବା, ତାହେଲେ ଆମେ କିଛି ମାତ୍ରାରେ ଏପରି ବଡ଼ ବଡ଼ ଭୁଲ କରିବାରୁ ବଞ୍ଚିତ ହୋଇପାରିବା ଯେଉଁଥିରୁ ଆମକୁ ଏବଂ ଅନ୍ୟମାନଙ୍କୁ ବି କଷ୍ଟ ପହଞ୍ଚିପାରେ ।
ଆମେ ଭଲ ପରାମର୍ଶ ଉପରେ ଧ୍ୟାନ ଦେବା ଉଚିତ୍, ଆମେ ଏହା ଦେଖିବା ନାହିଁ ଯେ ଆମକୁ କିଏ ପରାମର୍ଶ ଦେଉଛନ୍ତି (ପାରାଗ୍ରାଫ ୭)c
ମୋତେ କିଏ ଭଲ ପରାମର୍ଶ ଦେଇପାରିବ ?
୮. ଯୋନାଥନ କାହିଁକି ଦାଉଦଙ୍କୁ ଭଲ ପରାମର୍ଶ ଦେଇପାରିଲେ ?
୮ ଦାଉଦଙ୍କ ଉଦାହରଣରୁ ଆମେ ଆଉ କʼଣ ଶିଖୁ ? ସେ ସେହି ଲୋକମାନଙ୍କର ପରାମର୍ଶ ମାନିଲେ ଯେଉଁମାନଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ଥିଲା ଏବଂ ଯେଉଁମାନେ ତାଙ୍କର ଖରାପ ପରିସ୍ଥିତିକୁ ବି ଭଲଭାବେ ବୁଝୁଥିଲେ । ଯେପରି, ଯେବେ ସେ ଏହା ଜାଣିବା ପାଇଁ ଚାହୁଁଥିଲେ ଯେ ଶାଉଲଙ୍କ ସହିତ ତାଙ୍କର ସମ୍ପର୍କ ପୁଣିଥରେ ଭଲ ହୋଇପାରିବ ନା ନାହିଁ, ତେବେ ଏବିଷୟରେ ସେ ଶାଉଲଙ୍କ ପୁଅ ଯୋନାଥନଙ୍କ ପରାମର୍ଶ ମାନିଲେ । ଯୋନାଥନ କାହିଁକି ତାଙ୍କୁ ଭଲ ପରାମର୍ଶ ଦେଇପାରିଲେ ? କାରଣ ଯୋନାଥନଙ୍କ ଯିହୋବାଙ୍କ ସହିତ ଭଲ ସମ୍ପର୍କ ଥିବା ସହିତ ସେ ଶାଉଲଙ୍କୁ ମଧ୍ୟ ଭଲଭାବେ ଜାଣିଥିଲେ । (୧ ଶାମୁ. ୨୦:୯-୧୩) ଏହି ଘଟଣାରୁ ଆମେ କʼଣ ଶିଖୁ ?
୯. ଆମେ କାହାଠାରୁ ପରାମର୍ଶ ନେବା ଉଚିତ୍ ? ବୁଝାନ୍ତୁ । (ହିତୋପଦେଶ ୧୩:୨୦)
୯ ଆମେ କୌଣସି ମାମଲାରେ ଏପରି ବ୍ୟକ୍ତିର ପରାମର୍ଶ ନେବା ଉଚିତ୍, ଯାହାଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ଥିବା ସହିତ ଯିଏ ସେହି ମାମଲା ବିଷୟରେ ବି ଭଲଭାବେ ଜାଣନ୍ତି ।a (ହିତୋପଦେଶ ୧୩:୨୦ ପଢ଼ନ୍ତୁ ।) ଭାବନ୍ତୁ ଜଣେ ଯୁବା ଭାଇ, ବାହା ହେବା ପାଇଁ ଜଣେ ଝିଅ ଖୋଜୁଛନ୍ତି । ହେଲେ ତାଙ୍କୁ କିଏ ଭଲ ପରାମର୍ଶ ଦେଇପାରିବେ ? ଯଦି ସେହି ଭାଇ ଏବିଷୟରେ ଏପରି ଜଣେ ସାଙ୍ଗକୁ କହନ୍ତି ଯିଏ ବିବାହ କରିନି, କିନ୍ତୁ ସେ ତାଙ୍କୁ ବାଇବଲ ସିଦ୍ଧାନ୍ତ ଅନୁସାରେ ପରାମର୍ଶ ଦିଏ, ତାହେଲେ ତାʼର ପରାମର୍ଶ ଲାଭଦାୟକ ହୋଇପାରେ । କିନ୍ତୁ ଯଦି ସେହି ଯୁବା ଭାଇ ଜଣେ ଏପରି ସ୍ୱାମୀ ସ୍ତ୍ରୀଙ୍କ ସହ କଥା ହୁଅନ୍ତି, ଯିଏ ତାଙ୍କୁ ଭଲଭାବରେ ଜାଣନ୍ତି ଏବଂ ଯିଏ ଅନେକ ବର୍ଷରୁ ସାଙ୍ଗରେ ମିଶି ଯିହୋବାଙ୍କର ସେବା କରୁଛନ୍ତି, ତାହେଲେ ସେମାନେ ତାଙ୍କୁ ଆହୁରି ଭଲ ପରାମର୍ଶ ଦେଇପାରିବେ । ସେମାନେ ତାଙ୍କୁ କେବଳ ଏହା କହିବେ ନାହିଁ ଯେ ସେ କିପରି ବାଇବଲର ପରାମର୍ଶକୁ ମାନିପାରିବେ, ବରଂ ସେମାନେ ତାଙ୍କୁ ନିଜ ଜୀବନର ଅନୁଭୂତି ବି କହିବେ ।
୧୦. ଏବେ ଆମେ କେଉଁ ବିଷୟରେ ଜାଣିବା ?
୧୦ ଏବେ ପର୍ଯ୍ୟନ୍ତ ଆମେ ଦେଖିଲୁ ଯେ ପରାମର୍ଶରୁ ପୂରା ଲାଭ ପାଇବା ପାଇଁ ଆମ ଭିତରେ କେଉଁ ଦୁଇଟି ଗୁଣ ରହିବା ଉଚିତ୍ ଏବଂ ଆମକୁ କିଏ ଭଲ ପରାମର୍ଶ ଦେଇପାରିବେ । ଏବେ ଆସନ୍ତୁ ଆମେ ଜାଣିବା ଯେ କେଉଁ କଥାରୁ ଜଣାପଡ଼ିବ ଯେ ଆମେ ପ୍ରକୃତରେ ପରାମର୍ଶ ନେବା ପାଇଁ ଚାହୁଁ ଏବଂ ଆମ ପାଇଁ ନିଜ ନିଷ୍ପତ୍ତି ନିଜେ ନେବା କାହିଁକି ଭଲ ରହିବ ।
କେଉଁ କଥାରୁ ଜଣାପଡ଼ିବ ଯେ ମୁଁ ପ୍ରକୃତରେ ପରାମର୍ଶ ନେବା ପାଇଁ ଚାହେଁ ?
୧୧-୧୨. (କ) ବେଳେବେଳେ ହୁଏତ ଆମେ କʼଣ କରିବା ? (ଖ) ରାଜା ରିହବୀୟାମ ଜରୁରୀ ନିଷ୍ପତ୍ତି ନେବା ପାଇଁ କʼଣ କଲେ ?
୧୧ ବେଳେବେଳେ ଜଣେ ବ୍ୟକ୍ତି ହୁଏତ ଅନ୍ୟମାନଙ୍କଠାରୁ ପରାମର୍ଶ ନେବ । କିନ୍ତୁ ହୋଇପାରେ ସେ ପୂର୍ବରୁ ହିଁ ନିଷ୍ପତ୍ତି ନେଇ ଥିବ ଯେ ସେ କʼଣ କରିବ । ବର୍ତ୍ତମାନ ସେ ଅନ୍ୟମାନଙ୍କଠାରୁ କେବଳ ଏହା ଜାଣିବା ପାଇଁ ଚାହୁଁଥିବ ଯେ ସେମାନେ ତାʼ ନିଷ୍ପତ୍ତିରୁ ରାଜି ଅଛନ୍ତି ନା ନାହିଁ । ଏପରି ବ୍ୟକ୍ତି ପ୍ରକୃତରେ ଅନ୍ୟମାନଙ୍କର ପରାମର୍ଶ ନେବା ପାଇଁ ଚାହେଁନି । ସେଥିପାଇଁ ଏପରି ବ୍ୟକ୍ତିକୁ ଧ୍ୟାନ ଦେବା ଉଚିତ୍ ଯେ ରାଜା ରିହବୀୟାମଙ୍କ ସହ କʼଣ ହେଲା ।
୧୨ ରିହବୀୟାମ ନିଜ ବାପା ଶଲୋମନଙ୍କ ମୃତ୍ୟୁ ପରେ ରାଜା ହେଲେ । ସେ ଗୋଟିଏ ସମୃଦ୍ଧଶାଳୀ ରାଷ୍ଟ୍ରରେ ଶାସନ କରୁଥିଲେ । ଲୋକମାନଙ୍କୁ ଲାଗୁଥିଲା ଯେ ଶଲୋମନ ତାଙ୍କ ସହିତ ବହୁତ ଅନ୍ୟାୟ କରିଥିଲେ । ତେଣୁ ସେମାନେ ରିହବୀୟାମଙ୍କ ପାଖକୁ ଆସି ବିନତି କରନ୍ତି ଯେ ସେ ସେମାନଙ୍କ ବୋଝ ହାଲୁକା କରନ୍ତୁ । ରିହବୀୟାମ ଲୋକମାନଙ୍କୁ ଟିକେ ସମୟ ମାଗିଲେ, ଯାହାଦ୍ୱାରା ସେ ଏବିଷୟରେ ଭାବି ନିଷ୍ପତ୍ତି ନିଅନ୍ତେ । ରିହବୀୟାମ ସେହି ବୃଦ୍ଧ ବ୍ୟକ୍ତିମାନଙ୍କଠାରୁ ପରାମର୍ଶ ନେଲେ, ଯେଉଁମାନଙ୍କଠାରୁ ଶଲୋମନ ପରାମର୍ଶ ନେଉଥିଲେ । (୧ ରାଜା. ୧୨:୨-୭) ଆଉ ଏପରି କରିବା ଠିକ୍ ବି ଥିଲା । କିନ୍ତୁ ସେ ସେହି ବୃଦ୍ଧ ବ୍ୟକ୍ତିମାନଙ୍କର ପରାମର୍ଶ ମାନିଲେ ନାହିଁ । ସେ ଏପରି କାହିଁକି କଲେ ? କʼଣ ସେ ହୁଏତ ଏହି ମାମଲା ବିଷୟରେ ପୂର୍ବରୁ ହିଁ ନିଷ୍ପତ୍ତି ନେଇଥିଲେ ଯେ ସେ କʼଣ କରିବେ ଏବଂ ବର୍ତ୍ତମାନ ସେ କେବଳ ଏହା ଚାହୁଁଥିଲେ ଯେ କେହି ତାଙ୍କର ନିଷ୍ପତ୍ତିରୁ ରାଜି ହୋଇଯାʼନ୍ତୁ ? ସେ ନିଜର ଯୁବା ସାଙ୍ଗମାନଙ୍କଠାରୁ ପରାମର୍ଶ ନେଲେ ଏବଂ ସେମାନେ ତାଙ୍କୁ ସେହି ପରାମର୍ଶ ଦେଲେ ଯାହା ସେ ଶୁଣିବା ପାଇଁ ଚାହୁଁଥିଲେ । ତେଣୁ ତାଙ୍କୁ ତାଙ୍କ ସାଙ୍ଗମାନଙ୍କର ପରାମର୍ଶ ଭଲ ଲାଗିଲା । (୧ ରାଜା. ୧୨:୮-୧୪) ଆଉ ସେ ଲୋକମାନଙ୍କୁ ତାହା ହିଁ କହିଲେ ଯାହା ତାଙ୍କ ସାଙ୍ଗମାନେ କହିଥିଲେ । ଏହାର ପରିଣାମ କʼଣ ହେଲେ ? ସେହି ରାଷ୍ଟ୍ର ଦୁଇ ଭାଗରେ ବିଭକ୍ତ ହୋଇଗଲା ଏବଂ ଅଧିକାଂଶ ଲୋକ ନିଜ ପାଇଁ ଅନ୍ୟ ଏକ ରାଜା ବାଛି ନେଲେ । ଏହାପରେ ରିହବୀୟାମଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା ।—୧ ରାଜା. ୧୨:୧୬-୧୯.
୧୩. ଆମେ କିପରି ଜାଣିପାରିବା ଯେ ଆମେ ପ୍ରକୃତରେ ଅନ୍ୟମାନଙ୍କଠାରୁ ପରାମର୍ଶ ନେବା ପାଇଁ ଚାହୁଁ ?
୧୩ ରିହବୀୟାମଙ୍କ ଉଦାହରଣରୁ ଆମେ କʼଣ ଶିଖୁ ? ଅନ୍ୟମାନଙ୍କର ପରାମର୍ଶ ନେବା ସମୟରେ ଏପରି ହେବା ଉଚିତ୍ ନୁହେଁ ଯେ ଆମେ ପୂର୍ବରୁ ହିଁ ଭାବି ରଖିଥିବା ଯେ ଆମେ କʼଣ କରିବା ଏବଂ କେବଳ ନାʼ ପାଇଁ ଅନ୍ୟମାନଙ୍କର ପରାମର୍ଶ ନେବା । ଏହା ପରିବର୍ତ୍ତେ ଆମେ ସବୁବେଳେ ଅନ୍ୟମାନଙ୍କର ପରାମର୍ଶକୁ ଧ୍ୟାନ ଦେବା ଉଚିତ୍ । କିନ୍ତୁ ଆମେ କିପରି ଜାଣିପାରିବା ଯେ ଆମେ ପ୍ରକୃତରେ ଅନ୍ୟମାନଙ୍କର ପରାମର୍ଶ ନେବା ପାଇଁ ଚାହୁଁ ? ଆମେ ଭାବିପାରିବା, ‘କʼଣ ଏପରି ହୁଏ ଯେ ମୁଁ ଅନ୍ୟମାନଙ୍କର ପରାମର୍ଶ ନିଏ, କିନ୍ତୁ ଯଦି ସେମାନେ ମୁଁ ଯେପରି ଚାହୁଁଥିଲି ସେପରି ପରାମର୍ଶ ଦିଅନ୍ତି ନାହିଁ, ତାହେଲେ କʼଣ ମୁଁ ତାହାକୁ ମାନେ ନାହିଁ ?’ ଆସନ୍ତୁ ଏହାର ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦେବା ।
୧୪. ଯେବେ କେହି ଆମକୁ ପରାମର୍ଶ ଦିଅନ୍ତି, ତେବେ ଆମେ କʼଣ ମନେ ରଖିବା ଉଚିତ୍ ? ଗୋଟିଏ ଉଦାହରଣ ଦିଅନ୍ତୁ ।
୧୪ ଭାବନ୍ତୁ ଜଣେ ଭାଇଙ୍କୁ ଗୋଟିଏ ବଢ଼ିଆ ଚାକିରି ମିଳେ । କିନ୍ତୁ ସେହି ଚାକିରି କରିବା ପୂର୍ବରୁ ସେ ଜଣେ ପ୍ରାଚୀନଙ୍କଠାରୁ ପରାମର୍ଶ ନିଅନ୍ତି । ସେ କହନ୍ତି ଯେ ସେହି ଚାକିରି ଯୋଗୁଁ ତାଙ୍କୁ ପ୍ରାୟ ନିଜ ପରିବାରଠାରୁ ଲମ୍ବା ସମୟ ଯାଏ ଦୂରରେ ରହିବାକୁ ପଡ଼ିବ । ପ୍ରାଚୀନ ଭାଇ ତାଙ୍କୁ ବାଇବଲରୁ ସିଦ୍ଧାନ୍ତ ଦେଖାଇ କହନ୍ତି ଯେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ହେଉଛି, ନିଜ ପରିବାରକୁ ଈଶ୍ୱରଙ୍କ ବାକ୍ୟରୁ ଶିଖାଇବା ଏବଂ ସେମାନଙ୍କୁ ମାର୍ଗଦର୍ଶନ ଦେବା । (ଏଫି. ୬:୪; ୧ ତୀମ. ୫:୮) କିନ୍ତୁ ଭାବନ୍ତୁ ସେହି ଭାଇ ତୁରନ୍ତ ସେହି ପ୍ରାଚୀନଙ୍କ ପରାମର୍ଶକୁ ଅସ୍ୱୀକାର କରିଦିଅନ୍ତି, କାରଣ ସେହି ପରାମର୍ଶ ତାଙ୍କୁ ଠିକ୍ ଲାଗେନି । ଏହାପରେ ସେ ମଣ୍ଡଳୀର ଅନେକ ଭାଇଭଉଣୀମାନଙ୍କଠାରୁ ଏବିଷୟରେ ପରାମର୍ଶ ନିଅନ୍ତି । ସେ ଏପରି ସେସମୟ ଯାଏ କରନ୍ତି, ଯେବେ ଯାଏ ତାଙ୍କୁ ଏପରି କୌଣସି ପରାମର୍ଶ ମିଳେ ନାହିଁ, ଯାହା ସେ ଶୁଣିବା ପାଇଁ ଚାହାନ୍ତି । ହେଲେ ଭାବନ୍ତୁ, କʼଣ ସେହି ଭାଇ ପ୍ରକୃତରେ ପରାମର୍ଶ ନେବା ପାଇଁ ଚାହୁଁଥିଲେ ନା ସେ ପୂର୍ବରୁ ହିଁ ଭାବି ନେଇଥିଲେ ଯେ ସେ କʼଣ କରିବେ ଏବଂ ସେ କେବଳ ଏହା ଚାହୁଁଥିଲେ ଯେ ଅନ୍ୟମାନେ ତାଙ୍କ ନିଷ୍ପତ୍ତିରୁ ରାଜି ହୁଅନ୍ତୁ ? ଆମେ ମନେ ରଖିବା ଉଚିତ୍ ଯେ ଆମ ହୃଦୟ ବିଶ୍ୱାସଘାତୀ ଅଟେ । (ଯିରି. ୧୭:୯) ବେଳେବେଳେ ଯେଉଁ ପରାମର୍ଶ ଆମକୁ ଠିକ୍ ଲାଗେନି, ସେହି ପରାମର୍ଶ ଆମ ପାଇଁ ସବୁଠୁ ଅଧିକ ଜରୁରୀ ଥାଏ ।
କʼଣ ଆମେ ପ୍ରକୃତରେ ପରାମର୍ଶ ନେବା ପାଇଁ ଚାହୁଁ ନା ଆମେ କେବଳ ଏହା ଚାହୁଁ ଯେ କେହି ଆମ ନିଷ୍ପତ୍ତିରେ ରାଜି ହୁଅନ୍ତୁ ? (ପାରାଗ୍ରାଫ ୧୪)
ମୋ ପାଇଁ ନିଜ ନିଷ୍ପତ୍ତି ନିଜେ ନେବା କାହିଁକି ଭଲ ରହିବ ?
୧୫. ନିଷ୍ପତ୍ତି ନେବା ସମୟରେ ଆମେ କʼଣ କରିବା ଉଚିତ୍ ନୁହେଁ ଓ କାହିଁକି ?
୧୫ ଯିହୋବା ଆମଠାରୁ ଏହା ଚାହାନ୍ତି ଯେ ଆମେ ନିଜ ନିଷ୍ପତ୍ତି ନିଜେ ନେଉ । (ଗାଲା. ୬:୪, ୫) ଯେପରି ଆମେ ଏବେ ଯାଏ ଚର୍ଚ୍ଚା କଲୁ, ଜଣେ ବୁଦ୍ଧିମାନ ବ୍ୟକ୍ତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେବିଷୟରେ ଈଶ୍ୱରଙ୍କ ବାକ୍ୟରେ ଅନୁସନ୍ଧାନ କରିବ ଏବଂ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କଠାରୁ ପରାମର୍ଶ ନେବ । କିନ୍ତୁ ଆମେ ଧ୍ୟାନ ରଖିବା ଉଚିତ୍ ଯେ ଆମେ ଅନ୍ୟମାନଙ୍କୁ ଏପରି କହିବା ନାହିଁ ଯେ ସେମାନେ ଆମ ପାଇଁ ନିଷ୍ପତ୍ତି ନିଅନ୍ତୁ । କିଛି ଲୋକ ହୁଏତ ଏପରି କରନ୍ତି । ସେମାନେ ଯାହାଙ୍କୁ ଆଦର କରନ୍ତି, ତାଙ୍କୁ ହୁଏତ କହିବେ, ‘ଯଦି ଆପଣ ମୋ ଜାଗାରେ ଥାʼନ୍ତେ, ତାହେଲେ କʼଣ କରନ୍ତେ ?’ କିନ୍ତୁ କିଛି ଲୋକ ହୁଏତ ସିଧାସଳଖ ଏପରି ପଚାରିବେ ନାହିଁ । ସେମାନେ ହୁଏତ ଅନ୍ୟମାନଙ୍କ ନିଷ୍ପତ୍ତି ଉପରେ ଧ୍ୟାନ ଦେବେ ଏବଂ ବିନା ଭାବିଚିନ୍ତି ତାଙ୍କ ଭଳି ହିଁ ନିଷ୍ପତ୍ତି ନେବେ ।
୧୬. ମୂର୍ତ୍ତି ଆଗରେ ଅର୍ପଣ କରାଯାଇଥିବା ମାଂସକୁ ନେଇ କରିନ୍ଥୀୟ ମଣ୍ଡଳୀରେ କିପରି ପରିସ୍ଥିତି ଉପୁଜି ଥିଲା ? କୌଣସି ଖ୍ରୀଷ୍ଟିୟାନ ଏପରି ମାଂସ ଖାଇପାରିବେ ନା ନାହିଁ, ଏହି ନିଷ୍ପତ୍ତି କାହାକୁ ନେବାର ଥିଲା ? (୧ କରିନ୍ଥୀୟ ୮:୭; ୧୦:୨୫, ୨୬)
୧୬ ପ୍ରଥମ ଶତାବ୍ଦୀର କରିନ୍ଥୀୟ ମଣ୍ଡଳୀର ପରିସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ସେଠାକାର ଭାଇଭଉଣୀମାନଙ୍କୁ ଏହା ନିଷ୍ପତ୍ତି ନେବାର ଥିଲା ଯେ ହୁଏତ ମୂର୍ତ୍ତି ଆଗରେ ଅର୍ପଣ କରାଯାଇଥିବା ମାଂସକୁ ସେମାନେ ଖାଇବେ ନା ନାହିଁ । ସେହି ଖ୍ରୀଷ୍ଟିୟାନମାନଙ୍କୁ ପାଉଲ ଲେଖିଲେ, “ଆମ୍ଭେମାନେ ଜାଣୁ ଯେ ଜଗତରେ ଦେବତା ବୋଲି କିଛି ନାହିଁ ଆଉ ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ ।” (୧ କରି. ୮:୪) ଏହି ସତ୍ୟକୁ ଧ୍ୟାନରେ ରଖି ମଣ୍ଡଳୀର କିଛି ଲୋକ ଏହା ନିଷ୍ପତ୍ତି ନେଲେ ଯେ ସେମାନେ ସେହି ମାଂସ ଖାଇପାରିବେ, ଯାହା ହୁଏତ କୌଣସି ମୂର୍ତ୍ତିକୁ ଅର୍ପଣ କରିବା ପରେ ବଜାରରେ ବିକ୍ରି କରାଯାଉଥିଲା । କିନ୍ତୁ କିଛି ଖ୍ରୀଷ୍ଟିୟାନ ଏହା ନିଷ୍ପତ୍ତି ନେଲେ ଯେ ସେମାନେ ଏପରି ମାଂସ ଖାଇବେ ନାହିଁ, କାରଣ ସେମାନଙ୍କ ବିବେକ ସେମାନଙ୍କୁ ଏପରି କରିବା ପାଇଁ ଅନୁମତି ଦେଉ ନ ଥିଲା । (୧ କରିନ୍ଥୀୟ ୮:୭; ୧୦:୨୫, ୨୬ ପଢ଼ନ୍ତୁ ।) ଏହା ପ୍ରତ୍ୟେକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା । ପାଉଲ କରିନ୍ଥୀୟର ଖ୍ରୀଷ୍ଟିୟାନମାନଙ୍କୁ କେବେ ବି ଏହି ପରାମର୍ଶ ଦେଲେ ନାହିଁ ଯେ ସେମାନେ ଅନ୍ୟମାନଙ୍କ ପାଇଁ ନିଷ୍ପତ୍ତି ନିଅନ୍ତୁ କିମ୍ବା ଅନ୍ୟମାନଙ୍କୁ ଦେଖି କୌଣସି ନିଷ୍ପତ୍ତି ନିଅନ୍ତୁ । ପ୍ରତ୍ୟେକଙ୍କୁ “ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ” ଦେବାର ଥିଲା ।—ରୋମୀ. ୧୪:୧୦-୧୨.
୧୭. ଅନ୍ୟମାନଙ୍କୁ ଦେଖି କୌଣସି ନିଷ୍ପତ୍ତି ନେଲେ କʼଣ ହୋଇପାରେ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୭ ଆଜି ମଧ୍ୟ ଏପରି ହିଁ କିଛି ପରିସ୍ଥିତି ଆସିପାରେ । ରକ୍ତର ଛୋଟ ଛୋଟ ଅଂଶ ନେବା ବିଷୟରେ ଭାବନ୍ତୁ । ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ନିଜ ନିଷ୍ପତ୍ତି ନିଜେ ନେବା ଉଚିତ୍ ଯେ ସେ ରକ୍ତର ଏହି ଛୋଟ ଛୋଟ ଅଂଶ ନେବ ନା ନାହିଁ ।b ଏହାକୁ ବୁଝିବା ବେଳେବେଳେ କଠିନ ହୋଇପାରେ । ତଥାପି ଏପରି ମାମଲାରେ ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ନିଜେ ନିଷ୍ପତ୍ତି ନେବା ଉଚିତ୍, କାରଣ ଯିହୋବାଙ୍କ ସହିତ ଆମ ସମ୍ପର୍କ ଭଲ ରଖିବା, ଆମ ସମସ୍ତଙ୍କ ନିଜ ଦାୟିତ୍ୱ । (ରୋମୀ. ୧୪:୪) ଯଦି ଆମେ ଅନ୍ୟମାନଙ୍କୁ ଦେଖି ନିଷ୍ପତ୍ତି ନେବା, ତାହେଲେ ଆମ ବିବେକ ଦୁର୍ବଳ ହୋଇପାରେ । ଯଦି ଆମେ ଚାହୁଁ ଯେ ଆମ ବିବେକ ଭଲଭାବେ କାମ କରୁ, ତାହେଲେ ଆମକୁ ନିଜ ବିବେକକୁ ଧ୍ୟାନରେ ରଖି ଏବଂ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ନିଜେ ନିଷ୍ପତ୍ତି ନେବା ଉଚିତ୍ । (ଏବ୍ରୀ ୫:୧୪) ହେଲେ ଆମକୁ କୌଣସି ପ୍ରୌଢ଼ ଖ୍ରୀଷ୍ଟିୟାନଙ୍କଠାରୁ କେବେ ପରାମର୍ଶ ନେବା ଉଚିତ୍ ? ଯେବେ ଆମକୁ କୌଣସି ମାମଲାରେ ନିଷ୍ପତ୍ତି ନେବାର ଥାଏ, ତେବେ ସେବିଷୟରେ ଆଗ ଆମେ ଅନୁସନ୍ଧାନ କରିବା ଉଚିତ୍ । ତାʼପରେ ଯଦି ଆମକୁ ବୁଝି ଆସେନି ଯେ ଆମେ ବାଇବଲର କୌଣସି ସିଦ୍ଧାନ୍ତ କିପରି ଲାଗୁ କରିବା, ତେବେ ଆମେ ଅନ୍ୟଠାରୁ ପରାମର୍ଶ ନେଇପାରିବା ।
ଯେଉଁ ମାମଲାରେ ଆମକୁ କୌଣସି ନିଷ୍ପତ୍ତି ନେବାର ଅଛି, ସେହି ମାମଲାରେ ଆଗ ଆମେ ଅନୁସନ୍ଧାନ କରିବା ଉଚିତ୍, ତାʼପରେ ଆମେ ଅନ୍ୟମାନଙ୍କଠାରୁ ପରାମର୍ଶ ନେବା (ପାରାଗ୍ରାଫ ୧୭)
ପରାମର୍ଶ ନେବା ଜାରି ରଖନ୍ତୁ
୧୮. ଯିହୋବା ଆମ ପାଇଁ କʼଣ କରିଛନ୍ତି ?
୧୮ ଯିହୋବା ଚାହାନ୍ତି ଯେ ଆମେ ନିଜ ନିଷ୍ପତ୍ତି ନିଜେ ନେଉ । ଏଥିରୁ ଜଣାପଡ଼େ ଯେ ସେ ଆମ ଉପରେ କେତେ ଭରସା କରନ୍ତି । ସେ ଆମକୁ ସାହାଯ୍ୟ କରିବା ପାଇଁ ନିଜ ବାକ୍ୟ ବାଇବଲ ଦେଇଛନ୍ତି । ତାʼସହ ଅନେକ ଭଲ ସାଙ୍ଗ ମଧ୍ୟ ଦେଇଛନ୍ତି, ଯେଉଁମାନେ ଆମକୁ ଏହା ବୁଝିବା ପାଇଁ ସାହାଯ୍ୟ କରିପାରିବେ ଯେ ଆମେ କିପରି ବାଇବଲର କୌଣସି ସିଦ୍ଧାନ୍ତ ଲାଗୁ କରିପାରିବା । ସେ ଜଣେ ବାପା ଭାବେ ନିଜର ଦାୟିତ୍ୱ ବହୁତ ଭଲଭାବେ ତୁଲାଇଛନ୍ତି । (ହିତୋ. ୩:୨୧-୨୩) ଆମେ କିପରି ତାଙ୍କ ପାଇଁ ନିଜର କୃତଜ୍ଞତା ଦେଖାଇପାରିବା ?
୧୯. ଆମେ କିପରି ସବୁବେଳେ ଯିହୋବାଙ୍କୁ ଖୁସି କରିପାରିବା ?
୧୯ ଏବିଷୟରେ ଭାବନ୍ତୁ, ଯେବେ ବାପାମାଆ ଦେଖନ୍ତି ଯେ ତାଙ୍କ ପିଲାମାନେ ବଡ଼ ହେଉଛନ୍ତି ଓ କିପରି ଭାବିଚିନ୍ତି କାମ କରୁଛନ୍ତି, ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି ଓ ବିଶ୍ୱସ୍ତ ହୋଇ ଯିହୋବାଙ୍କର ସେବା କରୁଛନ୍ତି, ତେବେ ତାଙ୍କୁ ବହୁତ ଖୁସି ଲାଗେ । ଠିକ୍ ସେହିପରି ଯେବେ ଯିହୋବା ଦେଖନ୍ତି ଯେ ଜଣେ ଖ୍ରୀଷ୍ଟିୟାନ ଭାବେ ଆମେ ଆଧ୍ୟାତ୍ମିକତାରେ ପ୍ରୌଢ଼ ହେଉଛୁ, ସବୁବେଳେ ଅନ୍ୟମାନଙ୍କଠାରୁ ପରାମର୍ଶ ନେବା ପାଇଁ ପ୍ରସ୍ତୁତ ରହୁଛୁ ଓ ଏପରି ନିଷ୍ପତ୍ତି ନେଉଛୁ ଯେଉଁଥିରୁ ତାଙ୍କର ମହିମା ହୁଏ, ତେବେ ତାଙ୍କୁ ବହୁତ ଖୁସି ଲାଗେ ।
ଗୀତ ୧୨୯ ଆମେ ଧୈର୍ଯ୍ୟବାନ ହେବା
a ଖ୍ରୀଷ୍ଟିୟାନମାନେ ବେଳେବେଳେ ଟଙ୍କାପଇସା ମାମଲାରେ, ଚିକିତ୍ସା କିମ୍ବା ଅନ୍ୟ ମାମଲାଗୁଡ଼ିକରେ ସେହି ଲୋକମାନଙ୍କଠାରୁ ବି ପରାମର୍ଶ ନେଇପାରିବେ, ଯେଉଁମାନେ ଯିହୋବାଙ୍କର ଉପାସନା କରନ୍ତି ନାହିଁ ।
b ଏବିଷୟରେ ଅଧିକ ଜାଣିବା ପାଇଁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩୯ ପଏଣ୍ଟ ନଂ. ୫ ଓ “ଅଧିକ ଜାଣନ୍ତୁ” ଭାଗ ପଢ଼ନ୍ତୁ ।
c ଚିତ୍ର ବିଷୟରେ: ଜଣେ ପ୍ରାଚୀନ ନିକଟରେ ଏକ ସଭାରେ ଯେପରି ଭାବରେ କଥା ହେଲେ, ସେବିଷୟରେ ଅନ୍ୟ ଜଣେ ପ୍ରାଚୀନ ତାଙ୍କୁ ପରାମର୍ଶ ଦେଉଛନ୍ତି ।